କୋରିଆରେ କୁକୁର ଓ ବିଲେଇମାନଙ୍କର ଝଗଡ଼ା କେମିତି ଆରମ୍ଭ ହେଲା ତାକୁ ବୁଝାଇଵାକୁ Gyeonmyo jaengju ନାମରେ ଏକ ଲୋକପ୍ରିୟ ଲୋକଗଳ୍ପ ରହିଛି । ଉକ୍ତ ଲୋକଗଳ୍ପଟି ନିମ୍ନରେ ପ୍ରଦତ୍ତ ହେଲା :
“ବହୁ ପ୍ରାଚୀନ କାଳରେ ବିଲେଇ ଓ କୁକୁର ଆଜି ଭଳି ଝଗଡ଼ା କରୁନଥିଲେ ଵରଂ ପରସ୍ପର ସହ ଖେଳୁଥିଲେ ଓ ମିଶିକରି ଚାରିଆଡ଼େ ବୁଲୁଥିଲେ । ସେ ଯୁଗରେ ଜଣେ ବୃଦ୍ଧ କେଉଟ ଉଭୟ କୁକୁର ଓ ବିଲେଇଙ୍କୁ ପାଳିଥିଲେ।
ଦିନେ ମତ୍ସ୍ୟଜୀବୀ ଏକ ବଡ "ପୁଟି ମାଛ" ଧରିଲେ, କିନ୍ତୁ ସେ ପୁଟିମାଛଟି କାନ୍ଦିଵାରୁ ତାକୁ ପାଣିରେ ନେଇ ଛାଡି଼ ଆସିଲେ। ପରଦିନ ମତ୍ସ୍ୟଜୀଵୀ ସମୁଦ୍ର କୂଳକୁ ଗଲାବେଳେ ଜଣେ ବାଳକ ସାମ୍ନାକୁ ଆସି ନିଜକୁ ସମୁଦ୍ରଦେଵ Dragon kingଙ୍କର ପୁତ୍ର ଭାବରେ ପରିଚିତ କରାଇଲା ।
ପିଲାଟି ମତ୍ସ୍ୟଜୀଵୀଙ୍କୁ ଧନ୍ୟଵାଦ ଜଣାଇ ତାଙ୍କୁ ଡ୍ରାଗନ୍ କିଙ୍ଗ୍ଙ୍କ ପ୍ରାସାଦକୁ ନିମନ୍ତ୍ରଣ କଲା । ଡ୍ରାଗନ୍ କିଙ୍ଗ୍ ମତ୍ସ୍ୟଜୀଵୀଙ୍କର ଭଵ୍ୟ ସ୍ୱାଗତ କରିଥିଲେ ଏଵଂ ତାଙ୍କୁ ଏକ ମୂଲ୍ୟଵାନ ମଣି ଉପହାର ଦେଇଥିଲେ । ଏହି ମଣି ଦ୍ଵାରା ବୃଦ୍ଧ ଘରକୁ ଫେରି ଧନୀ ହୋଇଯିବେ ଏଵଂ ତାଙ୍କୁ ଆଉ ମାଛ ଧରିଵାକୁ ପଡ଼ିଵ ନାହିଁ ବୋଲି ଡ୍ରାଗନକିଙ୍ଗ୍ କହିଲେ । ଘରକୁ ଫେରି ମତ୍ସ୍ୟଜୀଵୀଜଣକ ନିଜକୁ ମିଳିଥିଵା ମୂଲ୍ୟଵାନ ମଣିଟିକୁ ସାଇତି କରି ପେଡ଼ିରେ ରଖିଦେଲେ କିନ୍ତୁ କୌଣସି ମତେ ପଡୋଶୀ ଗାଁର ଜଣେ ବୃଦ୍ଧ ମହିଳା ଲୁଚିକରି ତାହା ଦେଖି ପାରିଥିଲା । ସେ ଚୁପଚାପ୍ ମୂଲ୍ୟଵାନ ମଣିଟିକୁ ଚୋରି କରି ଅନ୍ୟ ଏକ ନକଲି ମଣି ସେଠାରେ ରଖି ଚାଲିଗଲା ।
ମତ୍ସ୍ୟଜୀଵୀଙ୍କ ସହ ରହୁଥିଵା ବିଲେଇ ଓ କୁକୁର ଏ ଚୋରିକୁ ଜାଣିପାରି ମତ୍ସ୍ୟଜୀଵୀଙ୍କଠାରୁ ସ୍ନେହ ଆଦର ତଥା ଖାଦ୍ୟ ଲାଭ ଆଶାରେ ମିଶିକରି ପଡ଼ୋଶୀ ଗାଁର ସେ ମହିଳାଘରୁ ପ୍ରକୃତ ମଣିଟି ଚୋରାଇଵା ପାଇଁ ବାହାରି ପଡ଼ିଲେ । ବୃଦ୍ଧା ମହିଳାଘରେ ଗୋଟିଏ ମୂଷା ରହୁଥିଲା,ବିଲେଇ ସେ ମୂଷାକୁ ଧମକେଇ, ଜୀଵନର ଭୟ ଦେଖାଇ ପ୍ରକୃତ ମଣିକୁ ଠାଵ କରି କୁକୁର ସହିତ ଘରକୁ ବାହୁଡ଼ିଲା । କୁକୁର ପିଠିରେ ବିଲେଇ ବସିଥାଏ ଏଵଂ ସେମାନେ ଦୃତଗତିରେ ଘରକୁ ଫେରୁଥାନ୍ତି । ବାଟରେ ଗୋଟିଏ ନଦୀ ମଧ୍ୟରେ କୁକୁର ପହଁରୁଥିଵାବେଳେ ବିଲେଇକୁ ପଚାରିଦେଲା ସେ ବହୁମୂଲ୍ୟ ମଣିଟି ସୁରକ୍ଷିତ ଅଛି ତ ? ବିଲେଇ ତ ମଣିଟିକୁ ପାଟି ଭିତରେ ଜାକି ରଖିଥିଲା ଯେମିତି କୁକୁରକୁ ଉତ୍ତର ଦେଵାକୁ ପାଟି ଖୋଲିଲା ସେ ମଣିଟି ନଦୀର ପାଣି ଭିତରେ ପଡ଼ିଗଲା ।
ମଣିଟି ହରାଇ ଦେଵାରୁ ନଦୀ ପଠାରେ ପହଞ୍ଚି କୁକୁର ଓ ବିଲେଇ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ଶେଷରେ କୁକୁର ଵିଚରା ମନ ଦୁଃଖରେ ଘରକୁ ଫେରିଗଲା ପରେ ବିଲେଇଟି ବି ଆଉ ଘରକୁ ଫେରିଵନି ଓ ସେଇ ନଦୀ କୂଳରେ ରହି ମାଛ ଶିକାର କରି ବଞ୍ଚିଵ ଭାବି ନଦୀ ଭିତରେ ପଶି ମାଛ ଧରିଵାକୁ ଲାଗିଲା ।
ଗୋଟିଏ ଦୁଇଟି ତିନୋଟି ଏହିପରି ବିଲେଇ ଅନେକ ମାଛ ଖାଇଲା ଏଵଂ ଅନେକ ଦିନ ବିତିଗଲା । ଦିନେ ବିଲେଇ ଗୋଟିଏ ମାଛ ଧରି ତାକୁ କାମୁଡ଼ି ଖାଇଵାକୁ ଉଦ୍ୟତ ହୁଅନ୍ତେ ସେଥିରୁ ମଣି ପାଇ ଉଷତ ହୋଇ ମତ୍ସ୍ୟଜୀଵୀଙ୍କ ନିକଟକୁ ଫେରି ଅଇଲା । ମତ୍ସ୍ୟଜୀଵୀ ପ୍ରକୃତ ମଣିଟି ପାଇ ଅତି ଆନନ୍ଦିତ ହେଲେ ଏଵଂ ବିଲେଇକୁ କୋଳରେ ବସାଇ ବହୁତ ଗେଲ କଲେ । ସେଇ ଦିନଠାରୁ ବିଲେଇଟି ମତ୍ସ୍ୟଜୀଵୀଙ୍କ ସ୍ନେହ ଆଦର ପାଇ ଘରେ ରହିଲା ଏଵଂ କୁକୁର ନିଜର ଗୁରୁତ୍ଵ ହରାଇ ଘର ବାହାରେ ବନ୍ଧା ହେଲା । ସେହିଦିନଠାରୁ କୁକୁର ଓ ବିଲେଇ ମଧ୍ୟରେ ଏହିପରି ଶତ୍ରୁତାର ସୂତ୍ରପାତ ହୋଇଥିଲା ।”
ଆଗକାଳରେ ପ୍ରକୃତ କାରଣଗୁଡ଼ିକୁ ଜାଣିନପାରି ଲୋକେ ଏହିପରି କାହାଣୀମାନ ଗଢ଼ିଥିଲେ । ତେବେ ମନରେ ପ୍ରଶ୍ନ ଆସେ ପ୍ରକୃତରେ ବିଲେଇ ଓ କୁକୁରଙ୍କ ମଧ୍ୟରେ ଝଗଡ଼ା କାହିଁକି ହୁଏ ?
ବିଲେଇ ଓ କୁକୁରଙ୍କ ମଧ୍ୟରେ ଝଗଡ଼ା ହେଵାର ମୁଖ୍ୟ କାରଣ ହେଉଛି ସେମାନଙ୍କର ପ୍ରାକୃତିକ ସ୍ଵଭାଵ, ଆଚରଣ, ଓ ଯୋଗାଯୋଗର ଶୈଳୀରେ ଥିଵା ପାର୍ଥକ୍ୟ।
ବିଲେଇମାନେ ସାଧାରଣତଃ ଏକାକୀ ରହିଵାକୁ ପସନ୍ଦ କରନ୍ତି ଏଵଂ ନିଜ ଅଞ୍ଚଳ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ସେମାନେ ନିଜ ସ୍ଥାନ ଓ ସୀମାକୁ ରକ୍ଷା କରିଵାକୁ ଚାହାନ୍ତି।
କୁକୁରମାନେ ଅଧିକ ସାମାଜିକ ଓ ଦଳଗତ ଜୀଵ। ସେମାନେ ଉତ୍ସାହୀ ଓ ଖେଳାଳି ସ୍ଵଭାଵର ହୋଇଥାନ୍ତି, ଯାହା ବିଲେଇଙ୍କୁ ଵିରକ୍ତିକର ଵା ଆକ୍ରମଣାତ୍ମକ ମନେହୁଏ।
ବିଲେଇ ଓ କୁକୁରଙ୍କର ଶାରୀରିକ ଭାଷା ଓ ସଂକେତ ଭିନ୍ନ। ଉଦାହରଣ ସ୍ୱରୂପ, କୁକୁରର ଲାଙ୍ଗୁଡ଼ ହଲାଇଵା ସାଧାରଣତଃ ଖୁସି ଵା ଉତ୍ସାହ ଦର୍ଶାଏ, କିନ୍ତୁ ବିଲେଇର ଲାଙ୍ଗୁଡ଼ ହଲାଇଵା ପ୍ରାୟତଃ ବିରକ୍ତି,ଭୟ ଵା ରାଗ ସୂଚାଏ। ଏହି ଭିନ୍ନତା ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରେ । ବିଲେଇମାନେ ଶିକାରୀ ଜୀଵ ଏଵଂ ସେମାନେ ଲୁଚିକି ଶିକାର କରିଵାକୁ ପସନ୍ଦ କରନ୍ତି। କୁକୁରମାନେ ମଧ୍ୟ ଶିକାରୀ ପ୍ରଵୃତ୍ତି ରଖିଥାନ୍ତି କିନ୍ତୁ ସେମାନେ ଅଧିକ ସକ୍ରିୟ ଓ ଦୌଡ଼ି ପିଛା କରନ୍ତି। ଏହି ଭିନ୍ନ ଶୈଳୀ ଯୋଗୁଁ ବିଲେଇ କୁକୁରଙ୍କୁ ଵିପଦ ମନେ କରିପାରେ । ବିଲେଇ ଓ କୁକୁର ଉଭୟେ ଖାଦ୍ୟ, ଖେଳଣା, କିମ୍ବା ମାଲିକଙ୍କ ଧ୍ୟାନ ପାଇଁ ପ୍ରତିଯୋଗିତା କରିପାରନ୍ତି। ଏହା ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରେ।
ଯଦି ବିଲେଇ ଓ କୁକୁର ଛୋଟ ଵୟସରୁ ଏକାଠି ବଢ଼ନ୍ତି ଏଵଂ ଉପଯୁକ୍ତ ତାଲିମ ପାଆନ୍ତି, ତେବେ ସେମାନେ ପରସ୍ପର ସହିତ ମିଶି ରହିପାରନ୍ତି। କିନ୍ତୁ ଅଜଣା ବିଲେଇ ଓ କୁକୁର ଦୈଵାତ୍ ଭେଟିଗଲେ,ସେମାନଙ୍କ ମଧ୍ୟରେ ଭୟ ଵା ଆକ୍ରମଣାତ୍ମକ ଆଚରଣ ଦେଖାଦେଇପାରେ।
ଉପଯୁକ୍ତ ପରିଚୟ, ତାଲିମ, ଓ ଧୈର୍ଯ୍ୟ ସହିତ ବିଲେଇ ଓ କୁକୁରଙ୍କୁ ଏକାଠି ରହିଵାକୁ ଶିଖାଯାଇପାରେ। ସେମାନଙ୍କୁ ଧୀରେ ଧୀରେ ପରସ୍ପର ସହିତ ପରିଚିତ କରାଇଵା, ସେମାନଙ୍କୁ ନିଜସ୍ୱ ସ୍ଥାନ ଦେଵା ଓ ସକାରାତ୍ମକ ଆଚରଣକୁ ପ୍ରୋତ୍ସାହନ ଦେଵା ଦ୍ୱାରା ଝଗଡ଼ା କମାଯାଇପାରେ ।
No comments:
Post a Comment