Monday, July 14, 2025

କଙ୍ଗାରୁର ଥଳୀ : ମିଥକ ଓ ଵାସ୍ତଵତା

ଅତି ପ୍ରାଚୀନ କାଳରେ ଗୋଟିଏ କଙ୍ଗାରୁ ତା ଛୁଆକୁ ଧରି ଜଳ ଥିଵା ଏକ ସ୍ଥାନରେ ଘାସ ଚରୁଥାଏ । ଏତିକିବେଳେ ସେ ଦେଖିଲା ଦୂରରୁ ଗୋଟିଏ wombat(ମୂଷା ସଦୃଶ ଏକ ଜାତୀୟ ଅଷ୍ଟ୍ରେଲୀୟ ଜୀଵ) ସେ ଆଡ଼କୁ ଆସୁଛି । ମାଆ କଙ୍ଗାରୁର ହୃଦୟ ସ୍ନେହରେ ଭରିଗଲା । ସେ ଇଚ୍ଛା କଲା ଆହା କେଡ଼େ ସୁନ୍ଦରିଆ ଚୁଇଁ ଜୀଵଟିଏ,ଇଏ ମୋ ଛୁଆ ହୁଅନ୍ତା କି ? ତେଣେ wombat କହି କହି ଆସୁଥାଏ ସବୁ ବେକାର,ଏ ସଂସାର ବେକାର ,ସବୁ ଜୀଵ ବେକାର ! କଙ୍ଗାରୁ ତାହା ଶୁଣିପାରି କହିଲା ଏହା ଠିକ୍ ନୁହେଁ । wombat ଚମକି ପଡ଼ି ପଚାରିଲା କିଏ ? କିଏ କହିଲା ? କଙ୍ଗାରୁ ଉତ୍ତର ଦେଲା- ମୁଁ ! ମୁଁ କଙ୍ଗାରୁ କହୁଛି ! ଦୁଃଖ ମନରେ wombat ସେଇଠୁ ଉତ୍ତର ଦେଲା - ସେମାନେ ମୋତେ ପର କରି ଦେଲେ,କେହି ବି ମୋତେ ଭଲ ପାଉନାହାନ୍ତି। ମୁଁ ଅନ୍ଧ ହୋଇଗଲି ବୋଲି ମୋତେ କେହି ପସନ୍ଦ କରୁନାହାନ୍ତି । “କିଛି କଥା ନାହିଁ, ମୁଁ ତୁମକୁ କୋମଳ ଘାସ ଓ ସ୍ଵଚ୍ଛ ଜଳ ନିକଟକୁ ନେଇ ଯିବି ,ତୁମେ ଚିନ୍ତା କାଇଁ କରୁଛ” କଙ୍ଗାରୁ କହିଲା । ତାପରେ କଙ୍ଗାରୁ ସେହି wombatକୁ ଏକ ଭଲ ଘାସ ହୋଇଥିଵା ଓ ପାଣି ଥିଵା ସ୍ଥାନକୁ ନେଇଗଲା ।‌ କୋମଳ ଘାସ ଆଉ ନିର୍ମଳ ପାଣି ପାଇ wombat ବଡ଼ ଉଷତ ହେଲା । ଏତିକିବେଳେ କଙ୍ଗାରୁର ମନେ ପଡ଼ିଲା ତା ଛୁଆ ପଛରେ ରହିଯାଇଛି । ସେ ତାକୁ ଆଣିଵାକୁ ପଛକୁ ଦୃତଗତିରେ ଘଟକିଗଲା । ଅନେକ ଦିନ ଯାଏଁ ଏହିପରି କଙ୍ଗାରୁ,ତା ଛୁଆ ଓ wombat ସୁଖରେ କୋମଳ ଘାସ ଆଉ ନିର୍ମଳ ପାଣି ପାଇ ବୁଲିଲେ ।‌ ମାତ୍ର ବାରମ୍ବାର କଙ୍ଗାରୁର ଛୁଆଟି ଏଣେ ତେଣେ ବୁଲିଵାକୁ ପଳାଉଥିଵାରୁ କଙ୍ଗାରୁର ଜୀଵନ ଅଧିକ ଵ୍ୟସ୍ତବହୁଳ ହୋଇଯାଇଥିଲା । ଏମିତିରେ ଦିନେ କଙ୍ଗାରୁ ନିଜ ଛୁଆକୁ ଉଣ୍ଡିଵାକୁ ଯାଇଥିଵା ବେଳେ ଏଣେ wombat ଉପରେ ଵିପଦ ପଡ଼ିଲା । ଜଣେ ଅଷ୍ଟ୍ରେଲୀୟ ଜନଜାତୀୟ ଶିକାରୀ ବୁମେରାଂ ଧରି wombatକୁ ଦେଖି ତାକୁ ମାରିଵାକୁ ଛକି ବସିଥାଏ । ନିଜ ଛୁଆକୁ ନିକଟସ୍ଥ ଗଛ ମୂଳରେ ଶୋଇଥିଵାର ଦେଖି କଙ୍ଗାରୁ ପୁଣି wombat ନିକଟକୁ ଫେରି ଆସି ଜାଣିଲା ଯେ ସେଠାରେ ଜଣେ ଶିକାରୀ ଛକି ବସିଛି । ସେ wombatକୁ କହିଲା ଦୌଡ଼ ଦୌଡ଼ ଏଠି ଶିକାରୀ ଅଛି । ଏତିକି ଶୁଣିଵା ମାତ୍ରେ wombat ଦୃତଗତିରେ ଧାଇଁଵାକୁ ଲାଗିଲା ଏଵଂ କିଛି ସମୟ ମଧ୍ୟରେ କୁଆଡେ଼ ଅଦୃଶ୍ୟ ହୋଇଗଲା । ଶିକାରୀ କଙ୍ଗାରୁକୁ ଦେଖି ତାକୁ ମାରିଵାକୁ ଗୋଡ଼ାଇଲା । କଙ୍ଗାରୁ ଜୀଵନ ଵିକଳରେ ବହୁତ ଦୂରକୁ ଧବୁଡ଼ିଗଲା ହେଲେ କିଛି ବାଟ ଯିଵା ପରେ ତା'ର ତା ଛୁଆ କଥା ମନେ ପଡ଼ିଲା। କିନ୍ତୁ ସେ ଏବେ ପଛକୁ ଫେରି ପାରିଵ ନାହିଁ କାରଣ ଶିକାରୀଟିଏ ତା ପଛରେ ନର୍ଦ୍ଦୁଅଛି(ଧାଉଁଛି) । ପାଖରେ ଗୁମ୍ଫାଟିଏ ଥିଲା ତେଣୁ କଙ୍ଗାରୁ ତା ଭିତରେ ପଶି ଯାଇ ନିଜ ଜୀଵନ ବଞ୍ଚାଇଲା । ଶିକାରୀଟି ଅନେକ ସମୟ ଗୁମ୍ଫା ପାଖରେ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ସେଠାରୁ ଚାଲିଗଲାରୁ କଙ୍ଗାରୁ ମାଆଟି ଗଛ ମୂଳରେ ଶୋଇଥିଵା ତା’ ଛୁଆ ପାଖକୁ ଫେରି ଆସିଲା ‌ ‌। 

ମାଆ କଙ୍ଗାରୁ ଜାଣି ନଥିଲା ଯେ ସେହି wombat ପ୍ରକୃତରେ ଛଦ୍ମବେଶରେ ମହାନ ଭଗଵାନ ବାୟାମେ ଥିଲେ। କେଉଁ ପ୍ରାଣୀ ସବୁଠାରୁ ଦୟାଳୁ ତାହା ଜାଣିଵା ପାଇଁ ଭଗଵାନ ବାୟାମେ ସ୍ବର୍ଗରୁ ଓହ୍ଲାଇ ଆସିଥିଲେ । ବର୍ତ୍ତମାନ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ମିଳିଯାଇଥିଲା । ଭଗଵାନ ବାୟାମେ ସେହି ଦୟାଳୁ କଙ୍ଗାରୁଟିକୁ ଏକ ଉପହାର ଦେଵାକୁ ଚାହୁଁଥିଲେ ଯାହା ତା ପାଇଁ ଲାଭଦାୟକ ହୋଇପାରିଵ । ତେଣୁ ବାୟାମେ ସେହି କଙ୍ଗାରୁକୁ ଗୋଟିଏ ଥଳୀ ଦେଲେ ଯାହା ସେ ତାହାର ଅଣ୍ଟାରେ ବାନ୍ଧିଵା ମାତ୍ରେ ସେହି ଥଳୀଟି ଶରୀରର ଅଂଶ ଵିଶେଷ ହୋଇଗଲା । ବର୍ତ୍ତମାନ କଙ୍ଗାରୁ ପାଖରେ ଏକ ଥଳୀ ଥିଲା ଯେଉଁଥିରେ ସେ ନିଜ ଛୁଆକୁ ସୁରକ୍ଷିତ ରଖି ନିଜ ଦୈନନ୍ଦିନ କାର୍ଯ୍ୟ କରିପାରିଵ । ମାଆ କଙ୍ଗାରୁ ଭଗଵାନଙ୍କଠାରୁ ଉପହାର ପାଇ ବହୁତ ଖୁସି ହେଲା। କିନ୍ତୁ ସେ ଦୟାଳୁ ପ୍ରାଣୀ ହୋଇଥିଵାରୁ ଏହାକୁ କେଵଳ ନିଜ ମଧ୍ୟରେ ସୀମିତ ରଖିଵାକୁ ଚାହୁଁନଥିଲା। ତେଣୁ କଙ୍ଗାରୁଟି ତାହାର ଅନ୍ୟ ଜ୍ଞାତି କୁଟୁମ୍ବକୁ ବି ଥଳୀ ମିଳୁ ବୋଲି ଭଗଵାନ ବାୟାମେଙ୍କୁ ଅନୁରୋଧ କଲା ‌। ବାୟାମେ କଙ୍ଗାରୁର ଉଦାର ହୃଦୟ ଦେଖି ଅତି ପ୍ରସନ୍ନ ହେଲେ ତେଣୁ ସେ ଅନ୍ୟ ସମସ୍ତ ମାର୍ସୁପିଆଲ୍ ମାଆମାନଙ୍କୁ ଗୋଟିଏ ଲେଖାଁଏ ଥଳୀ ଦେଲେ । ସେବେଠାରୁ ମାର୍ସୁପିଆଲ୍‌ଙ୍କ ପାଖରେ ଥଳୀ ରହିଛି ଏଵଂ ସେଇ ଥଳୀ ମଧ୍ୟରେ ସେମାନଙ୍କ ପିଲାଏ ଵିଶ୍ରାମ କରନ୍ତି । 


ଏହି ଅଷ୍ଟ୍ରେଲୀୟ ଆଦିଵାସୀ ଲୋକକଥାଟି ନିଉ ସାଉଥ୍ ୱେଲ୍ସ‌ର କାମିଲାରୋୟ ଵା ୱିରାଧୁରୀ ଜନଜାତୀୟ ସଂସ୍କୃତିରେ ପ୍ରଚଳିତ ଥିଲା । ବାୟାମେ ଵା Byamee ଏମାନଙ୍କ ପ୍ରଧାନ ଦେଵତା ଥିଲେ । 

ତେବେ ପ୍ରକୃତରେ କଙ୍ଗାରୁ ଭଳି ମାର୍ସୁପିଆଲ୍‌ଙ୍କ ପାଖରେ ଥଳୀ କାହିଁକି ଅଛି ? 

କଙ୍ଗାରୁ ଭଳି ମାର୍ସୁପିଆଲ୍‌ଙ୍କ ଥଳୀ ସେମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦେଵା ଓ ଵିକାଶରେ ସାହାଯ୍ୟ କରିଵା ପାଇଁ ଵିଵର୍ତ୍ତିତ ଏକ ଵିଶେଷ ଶାରୀରିକ ଗଠନ। ମାର୍ସୁପିଆଲ୍‌ମାନେ (ଯଥା - କଙ୍ଗାରୁ, କୋଆଲା, ଓପୋସମ୍‌) ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ଭିନ୍ନ ପ୍ରଜନନ ପ୍ରକ୍ରିୟା ଅନୁସରଣ କରନ୍ତି। ସେମାନଙ୍କ ପିଲା ଅତ୍ୟନ୍ତ ଅପରିପକ୍ୱ ଅଵସ୍ଥାରେ ଜନ୍ମ ନିଅନ୍ତି, ପ୍ରାୟତଃ ଏକ ଭ୍ରୁଣ ପରି ଏଵଂ ଥଳୀରେ ରହି ସେମାନଙ୍କର ଶାରିରୀକ ଵିକାଶ ହୋଇଥାଏ ।

ଏହି ଥଳୀ ଅପରିପକ୍ୱ ଶିଶୁକୁ ଶିକାରୀ ଜୀଵ ଓ ପରିଵେଶ ସମ୍ବନ୍ଧୀୟ ଵାହ୍ୟ ଵିପଦଠାରୁ ସୁରକ୍ଷିତ ରଖେ । ଥଳୀରେ ଥିଵା ସ୍ତନରୁ ମାର୍ସୁପିଆଲ୍‌ ଶିଶୁ କ୍ଷୀର ପାନ କରି ବଢ଼େ। ଏହା ଶିଶୁର ଶାରୀରିକ ଵିକାଶ ପାଇଁ ଆଵଶ୍ୟକ । ଥଳୀ ଏକ ନିୟନ୍ତ୍ରିତ ପରିବେଶ ପ୍ରଦାନ କରେ ଏଵଂ ଅତ୍ୟଧିକ ଆଦ୍ର ଵା ତପ୍ତ ଵାହ୍ୟ ପରିଵେଶରୁ ରକ୍ଷା କରେ। ମା’ କଙ୍ଗାରୁ ଵା ଅନ୍ୟ ମାର୍ସୁପିଆଲ୍‌ ନିଜର ଦୈନନ୍ଦିନ କାମ କରୁଥିବା ବେଳେ ଶିଶୁ ଥଳୀରେ ନିରାପଦେ ରହିପାରେ।


ମାର୍ସୁପିଆଲ୍‌ଙ୍କ ଥଳୀର ଵିଵର୍ତ୍ତନ ପ୍ରାୟ ୧୨୫ ନିୟୁତ ଵର୍ଷ ପୂର୍ଵ ଆରମ୍ଭ ହୋଇଥିଲା, ଯେତେବେଳେ ସ୍ତନ୍ୟପାୟୀ ପ୍ରାଣୀମାନେ ମାର୍ସୁପିଆଲ୍‌ (Marsupials) ଓ ପ୍ଲାସେଣ୍ଟାଲ୍‌ (Placentals) ଏହି ଦୁଇଟି ପ୍ରମୁଖ ଶାଖାରେ ଵିଭକ୍ତ ହେଲେ ।‌ ମାର୍ସୁପିଆଲ୍‌ମାନଙ୍କର ପ୍ରଜନନ ପଦ୍ଧତି Placentals ସ୍ତନ୍ୟପାୟୀ ଜୀଵମାନଙ୍କ ଠାରୁ ଭିନ୍ନ, କାରଣ ସେମାନଙ୍କ ଶିଶୁ ଗର୍ଭାଶୟରେ କମ୍‌ ସମୟ ରହେ ଓ ଜନ୍ମ ପରେ ଥଳୀରେ ଵିକାଶିତ ହୁଏ ।

ଏହା ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ବି ସତ ଯେ 
ଆଜକୁ ପ୍ରାୟ ୧୨୫-୧୬୦ ନିୟୁତ ଵର୍ଷ ପୂର୍ଵର Cretaceous ଯୁଗରେ ମାର୍ସୁପିଆଲ୍‌ଙ୍କର ଉତ୍ପତ୍ତି ଏସିଆ ଓ ଉତ୍ତର ଆମେରିକାରେ ହୋଇଥିଲା । ଚୀନ୍‌ରେ ୧୨୫ ନିୟୁତ ଵର୍ଷ ପୁରୁଣା ପ୍ରାଚୀନତମ ମାର୍ସୁପିଆଲ ଜୀଵାଶ୍ମ ଆଵିଷ୍କୃତ ହୋଇଛି ଯାହାର ନାମ Sinodelphys szalayi ରଖାଯାଇଛି । 
ସେ ଯୁଗରେ ପ୍ରାଚୀନ ମାର୍ସୁପିଆଲ୍‌ମାନେ ଛୋଟ ମୂଷା ପରି ପ୍ରାଣୀ ଥିଲେ, ଯେଉଁମାନେ ଗଛରେ ଵା ଭୂମିରେ ଵାସ କରୁଥିଲେ । 

ମାର୍ସୁପିଆଲ୍‌ମାନେ ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ, ଵିଶେଷତଃ ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆକୁ ଗୋଣ୍ଡୱାନା ମହାଦେଶର ଭୂତାତ୍ତ୍ୱିକ ସଂଯୋଗ ମାଧ୍ୟମରେ ଚାଲି ଆସିଥିଲେ । ଗୋଣ୍ଡୱାନାରେ ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଭାରତ ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରାୟ ୧୮୦ ନିୟୁତ ଵର୍ଷ ପୂର୍ଵେ ଗୋଟିଏ Super continent ଥିଲା। ଏହି ସଂଯୋଗ ମାର୍ସୁପିଆଲ୍‌ମାନଙ୍କୁ ଵିଭିନ୍ନ ମହାଦେଶରେ ପହଞ୍ଚିଵାରେ ସାହାଯ୍ୟ କରିଥିଲା।


 ପ୍ରାୟ ୭୦-୮୦ ନିୟୁତ ଵର୍ଷ ପୂର୍ଵେ (Late Cretaceous ଵା Early Paleogene ସମୟରେ) ଯେତେବେଳେ ଆମେରିକା ମହାଦେଶଦ୍ଵୟ ପରସ୍ପର ସହିତ ସଂଯୁକ୍ତ ଥିଲା ସେତେବେଳେ ଉତ୍ତର ଆମେରିକାରୁ ମାର୍ସୁପିଆଲ୍‌ମାନେ ଦକ୍ଷିଣ ଆମେରିକାକୁ ଆସିଥିଲେ । ଉତ୍ତର ଆମେରିକାରେ ମାର୍ସୁପିଆଲ୍‌ଙ୍କ ଜୀବାଶ୍ମ, ଯେପରିକି ଡିଡେଲ୍‌ଫିଡୋନ୍‌(Didelphodon) ସୂଚାଏ ଯେ ସେମାନେ ଏହି ଅଞ୍ଚଳରେ ଵିଦ୍ୟମାନ ଥିଲେ। ଦକ୍ଷିଣ ଆମେରିକାରେ ପହଞ୍ଚିଵା ପରେ, ମାର୍ସୁପିଆଲ୍‌ମାନେ ଵିଵିଧ ପରିଵେଶରେ ଅନୁକୂଳିତ ହୋଇ ଓପୋସମ୍‌, ଶ୍ରୁ ଓପୋସମ୍‌, ଓ ମୋନିଟୋ ଡେଲ୍‌ ମଣ୍ଟେ ଭଳି ପ୍ରଜାତିରେ ଵିକଶିତ ହୋଇଥିଲେ। ଦକ୍ଷିଣ ଆମେରିକାରେ, ମାର୍ସୁପିଆଲ୍‌ମାନେ ଵିଭିନ୍ନ ଜୀଵନଶୈଳୀ (ମାଂସାଶୀ,ତୃଣଭୋଜୀ, କୀଟଭୁକ) ଅନୁକୂଳିତ ହୋଇଥିଲେ। ଉଦାହରଣ ସ୍ୱରୂପ, ଥାଇଲାକୋସ୍ମାଇଲସ୍‌ ଏକ ମାଂସାଶୀ ମାର୍ସୁପିଆଲ୍‌ ଥିଲା, ଯାହା ସାବର-ଟୁଥ୍‌ ବାଘ ପରି ଶିକାରୀ ଥିଲା।

ସେହିପରି ପ୍ରାୟ ୫୫-୮୦ ନିୟୁତ ଵର୍ଷ ପୂର୍ଵେ (Late Cretaceous ଵା Early Paleogeneସମୟରେ) ମାର୍ସୁପିଆଲ୍‌ମାନେ ଦକ୍ଷିଣ ଆମେରିକାରୁ ଆଣ୍ଟାର୍କଟିକା ମାଧ୍ୟମରେ ଅଷ୍ଟ୍ରେଲିଆକୁ ପହଞ୍ଚିଥିଲେ। ଏହି ସମୟରେ, ଗୋଣ୍ଡୱାନା ମହାଦେଶର ଅଂଶ ହିସାବରେ ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ସଂଯୁକ୍ତ ଥିଲେ, ଯାହା ମାର୍ସୁପିଆଲ୍‌ମାନଙ୍କୁ ଏକ ମହାଦେଶରୁ ଅନ୍ୟ ଏକ ମହାଦେଶକୁ ଯିଵାରେ ସାହାଯ୍ୟ କରିଥିଲା। ଆଣ୍ଟାର୍କଟିକା ସେତେବେଳେ ଉଷ୍ଣ ଓ ଜଙ୍ଗଲମୟ ଥିଲା, ଯାହା ଏକ ସେତୁ (land bridge) ଭାବେ କାମ କରିଥିଲା। ଏହି ପ୍ରଵାସ ସମ୍ଭବତଃ ଏକ ଏକକ ଘଟଣା (single dispersal event) ଥିଲା। ଆଣ୍ଟାର୍କଟିକାରେ ମାର୍ସୁପିଆଲ୍‌ ଜୀଵାଶ୍ମ (ଯେପରିକି Polydolops ଜୀଵାଶ୍ମ) ମିଳିଛି, ଯାହା ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପ୍ରଵାସ ସଂଯୋଗକୁ ସୂଚାଏ। ଅଷ୍ଟ୍ରେଲିଆରେ ପ୍ରାୟ ୫୫ ନିୟୁତ ଵର୍ଷ ପୁରୁଣା Tingamarra ଜୀଵାଶ୍ମ ମାର୍ସୁପିଆଲ୍‌ଙ୍କର ପ୍ରାଚୀନତମ ଉପସ୍ଥିତିକୁ ସ୍ପଷ୍ଟ କରିଥାଏ ।

ଅଷ୍ଟ୍ରେଲିଆରେ ପହଞ୍ଚିଵା ପରେ,ମାର୍ସୁପିଆଲ୍‌ମାନେ ପ୍ଲାସେଣ୍ଟାଲ୍‌ ସ୍ତନ୍ୟପାୟୀଙ୍କ ସହ ପ୍ରତିଯୋଗିତାର ଅଭାଵ ଯୋଗୁଁ ଵିଵିଧ ପ୍ରଜାତିରେ ଵିକଶିତ ହୋଇଥିଲେ। ଏହା କଙ୍ଗାରୁ, କୋଆଲା, ୱମ୍ବାଟ୍‌, ଟାସମାନିଆନ୍‌ ଡେଭିଲ୍‌, ନମ୍ବାଟ୍‌, ଓ ବାନ୍ଦିକୁଟ୍‌ ଭଳି ପ୍ରଜାତିଙ୍କ ଉଦ୍ଭବ ଘଟାଇଥିଲା। କିନ୍ତୁ ମାର୍ସୁପିଆଲ୍‌ମାନେ ଭାରତରେ ସେତେବେଳେ ଥିଵାର କୌଣସି ପ୍ରମାଣ ମିଳେ ନାହିଁ(ଭାରତ ବି ଅଳ୍ପ ଲକ୍ଷ ଵର୍ଷ ପାଇଁ ଆଣ୍ଟାର୍କଟିକା ଓ ଆଫ୍ରିକା ଆଦି ମହାଦେଶ ସହିତ ସଂଯୁକ୍ତ ଥିଲା) । ହୁଏତ ସେ ସମୟରେ ମାର୍ସୁପିଆଲ୍‌ମାନେ ଭାରତକୁ ମଧ୍ୟ ଆସିଥିବେ କିନ୍ତୁ ପ୍ଲାସେଣ୍ଟାଲ୍‌ ସ୍ତନ୍ୟପାୟୀଙ୍କ ସହିତ ପ୍ରତିଯୋଗିତାରେ ଵିଫଳ ହୋଇ ଲୁପ୍ତ ହୋଇଥିବେ । ତେବେ ଭାରତରେ ପ୍ରାଚୀନ ମାର୍ସୁପିଆଲ୍‌ମାନଙ୍କର କୌଣସି ଜୀଵାଶ୍ମ ମିଳିନଥିଵାରୁ ଏ ଵିଷୟରେ ସ୍ପଷ୍ଟ ରୂପେ କିଛି କୁହାଯାଇନପାରେ । କିନ୍ତୁ ଚୀନ୍‌ରେ ୧୨୫ ନିୟୁତ ଵର୍ଷ ପୁରୁଣା ପ୍ରାଚୀନତମ ମାର୍ସୁପିଆଲ ଜୀଵାଶ୍ମ Sinodelphys szalayi ମିଳିଛି ଯାହା ସୂଚାଏ ଯେ ଅତି ପ୍ରାଚୀନ କାଳରେ ଭାରତରେ ନହେଲେ ବି ଚୀନରେ ମାର୍ସୁପିଆଲ ଜୀଵ ରହୁଥିଲେ । ତେବେ ସେ ସମୟରେ ଭାରତଵର୍ଷ ଚୀନ ସହିତ ସଂଯୁକ୍ତ ହୋଇକରି ନଥିଲା ‌। ଭାରତ ବହୁତ ପରେ ପ୍ରାୟ ପଚାଶରୁ ପଞ୍ଚାବନ ମିଲିୟନ ଵର୍ଷ ପୂର୍ଵେ ଚୀନ ସହିତ ସଂଯୁକ୍ତ ହୋଇଛି । 

ତେବେ ଏସିଆ ମହାଦେଶର ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜଗୁଡ଼ିକରେ ପ୍ରାୟ ୫୫ ନିୟୁତ ବର୍ଷ ପୂର୍ଵେ ଵା ତା’ପରେ ଅଷ୍ଟ୍ରେଲିଆରୁ କିଛି ମାର୍ସୁପିଆଲ୍‌ ଆସି ପହଞ୍ଚିଥିଲେ । ମୁଖ୍ୟତଃ ପାପୁଆ ନିଉ ଗିନି ଓ ଇଣ୍ଡୋନେସିଆ ଭଳି ନିକଵବର୍ତ୍ତୀ ଏସୀୟ ଦ୍ୱୀପଗୁଡ଼ିକୁ ଅଷ୍ଟ୍ରେଲିଆରୁ ମାର୍ସୁପିଆଲମାନେ ଆସିଥିଲେ । ଏହା ସମ୍ଭଵତଃ ଦ୍ୱୀପ ଦ୍ଵୀପ ମଧ୍ୟରେ ପ୍ରଵାସ (island-hopping) ଵା ସମୁଦ୍ର ସ୍ତରରେ ପରିଵର୍ତ୍ତନ ଯୋଗୁଁ ଘଟିଥିଲା। ଏହାପରେ କସ୍କସ୍‌ (cuscus) ଓ ଟ୍ରୀ କଙ୍ଗାରୁ ଭଳି ପ୍ରଜାତି ପାପୁଆ ନିଉ ଗିନି ଓ ଇଣ୍ଡୋନେସିଆରେ ଵିକଶିତ ହୋଇଥିଲେ। ତେବେ ଏସିଆରେ ମାର୍ସୁପିଆଲ୍‌ଙ୍କ ଵିସ୍ତାର ଅତ୍ୟନ୍ତ ସୀମିତ ଏଵଂ ଵର୍ତ୍ତମାନ ମାତ୍ର କିଛି ପ୍ରଜାତି (ପ୍ରାୟ ୧-୨% ମାର୍ସୁପିଆଲ୍‌) ଏହି ଅଞ୍ଚଳରେ ଵିଦ୍ୟମାନ।

ଅଧିକାଂଶ ମାର୍ସୁପିଆଲ୍‌ (ଯେପରିକି କଙ୍ଗାରୁ, କୋଆଲା, ୱମ୍ବାଟ୍‌) ଏଵଂ ଦକ୍ଷିଣ ଆମେରିକାର ଓପୋସମ୍‌ ପ୍ରଜାତିଗୁଡ଼ିକରେ ଥଳୀ ଵିକଶିତ ହୋଇଥିଲା। ଅଷ୍ଟ୍ରେଲିଆରେ ଥଳୀର ଵିଧତା (ଉପରକୁ ଖୋଲୁଥିବା ଵା ପଛକୁ ଖୋଲୁଥିଵା ଥଳୀ) ସେମାନଙ୍କ ଵିଭିନ୍ନ ଜୀଵନଶୈଳୀ (ଦୌଡ଼ିଵା, ଗଛରେ ଚଢ଼ିଵା, ମାଟି ଖୋଳିଵା) ଆଧାରରେ ଵିଵର୍ତ୍ତିତ ହୋଇଥିଲା। କିଛି ମାର୍ସୁପିଆଲ୍‌, ଯେପରିକି ମୋନିଟୋ ଡେଲ୍‌ ମଣ୍ଟେ (ଦକ୍ଷିଣ ଆମେରିକା), ନମ୍ବାଟ୍‌, ଓ ମାର୍ସୁପିଆଲ୍‌ ମୋଲ୍‌ (ଅଷ୍ଟ୍ରେଲିଆ), ଥଳୀ ଵିନା ଵିକଶିତ ହୋଇଥିଲେ, ଯାହା ସେମାନଙ୍କର ତତ୍କାଳୀନ ପରିଵେଶ (ଯେପରିକି ମରୁଭୂମି ଵା ମାଟି ଖୋଳାଳି) ଅନୁକୂଳନର ଫଳାଫଳ ଅଟେ ।

ମୋଟ ଉପରେ କହିଵାକୁ ଗଲେ ଥଳୀ ମାର୍ସୁପିଆଲ୍‌ଙ୍କ ପାଇଁ ଏକ ଵିଵର୍ତ୍ତନୀୟ ଅନୁକୂଳନ, ଯାହା ଅପରିପକ୍ୱ ଶିଶୁଙ୍କୁ ସୁରକ୍ଷା, ପୁଷ୍ଟି ଓ ଉଷ୍ଣତା ପ୍ରଦାନ କରେ। ଏହାର ଵିକାଶ ମୂଳତଃ ମାର୍ସୁପିଆଲ୍‌ଙ୍କ ଅନନ୍ୟ ପ୍ରଜନନ ରଣନୀତି ଓ ପରିବେଶ ଅନୁକୂଳନ ସହ ଜଡ଼ିତ। ଏହା ସେମାନଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ସଫଳତାର ସହିତ ବଂଶ ଵିସ୍ତାର କରିଵାରେ ସାହାଯ୍ୟ କରିଛି।

ଅଷ୍ଟ୍ରେଲିଆର ଆଦିବାସୀ ଜନଜାତିମାନେ (Aboriginal Australians) ହଜାର ହଜାର ବର୍ଷ ଧରି କଙ୍ଗାରୁ ଆଦି ମାର୍ସୁପିଆଲମାନଙ୍କ ସହିତ ସହଅଵସ୍ଥାନ କରିଆସୁଛନ୍ତି। ସେମାନେ କଙ୍ଗାରୁଙ୍କୁ ଖାଦ୍ୟ, ଚର୍ମ ଓ ହାଡ଼ ପାଇଁ ଵ୍ୟଵହାର କରୁଥିଲେ। କଙ୍ଗାରୁ ସେମାନଙ୍କ ପୁରାଣ, କାହାଣୀ ଓ ଶିଳ୍ପରେ (ଯେପରି ଶିଳାଚିତ୍ର) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଉଥିଲା।

୧୭୭୦ ମସିହାରେ ବ୍ରିଟିଶ ଅନୁସନ୍ଧାନକାରୀ କ୍ୟାପଟେନ ଜେମ୍ସ କୁକ ଓ ତାଙ୍କ ଦଳ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ କଙ୍ଗାରୁ ଦେଖିଥିଲେ ଏବଂ ଏହାର ଅଜଣା ରୂପ ଓ ଚଳନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କୁକଙ୍କ ଦଳର ଜଣେ ପ୍ରକୃତିଵିଦ୍ ସାର୍ ଜୋସେଫ୍ ବ୍ୟାଙ୍କସ୍ ଏହାର ଵୈଜ୍ଞାନିକ ଵିଵରଣ ଲିପିଵଦ୍ଧ କରିଥିଲେ। ଏହା ପରେ ୟୁରୋପୀୟ ଵୈଜ୍ଞାନିକ ଓ ଜନସାଧାରଣଙ୍କ ମଧ୍ୟରେ କଙ୍ଗାରୁ ପରିଚିତ ହେଲା।

ଏହି ସମୟରେ କଙ୍ଗାରୁ ଜୀଵର କଙ୍ଗାରୁ ନାମକୁ ନେଇ ଏକ ଶବ୍ଦ ଵ୍ୟୁତ୍ପତ୍ତିଗତ ଭ୍ରାନ୍ତି ଲୋକପ୍ରିୟ ହେଲା ଯେ "କଙ୍ଗାରୁ" ଶବ୍ଦଟି ଅଷ୍ଟ୍ରେଲୀୟ ଆଦିଵାସୀ ଭାଷାରୁ ଆସିଛି ଏଵଂ ଏହାର ଅର୍ଥ ହେଉଛି "ମୁଁ ଜାଣେ ନାହିଁ"। ଏହି ଭ୍ରାନ୍ତିର ମୂଳ ଏକ ରୋଚକ ଅନୁମାନଭିତ୍ତିକ କାହାଣୀ ଅଟେ। କୁହାଯାଏ ଯେ ୧୭୭୦ ମସିହାରେ ଯେତେବେଳେ ବ୍ରିଟିଶ ଅନୁସନ୍ଧାନକାରୀ କ୍ୟାପଟେନ ଜେମ୍ସ କୁକ୍ ଅଷ୍ଟ୍ରେଲିଆର ଉତ୍ତର-ପୂର୍ଵ ଉପକୂଳରେ ଜାହାଜ ମରାମତି ପାଇଁ ଅଵତରଣ କରିଥିଲେ, ସେତେବେଳେ ସେ ଏକ ଅଜଣା ପ୍ରାଣୀ (କଙ୍ଗାରୁ) ଦେଖି ସ୍ଥାନୀୟ ଆଦିଵାସୀଙ୍କୁ ଏହାର ନାମ ପଚାରିଥିଲେ। କୁକ୍‌ଙ୍କ ଇଂରାଜୀ ପ୍ରଶ୍ନ ବୁଝି ନ ପାରି ସ୍ଥାନୀୟ ଲୋକେ କଥିତ ରୂପେ ଉତ୍ତର ଦେଇଥିଲେ "କଙ୍ଗାରୁ", ଯାହାର ଅର୍ଥ ଥିଲା "ମୁଁ ଜାଣେ ନାହିଁ"। ଏହି କାହାଣୀ ଏକ ମିଥକ ଭାବେ ଵିଶ୍ୱଵ୍ୟାପୀ ପ୍ରଚାରିତ ହେଲା, ଯାହା ଭାଷାଗତ ଭୁଲ୍ ବୋଧ ଓ ସାଂସ୍କୃତିକ ଅଜ୍ଞତାର ଏକ ହାସ୍ୟାସ୍ପଦ ଉଦାହରଣ ହେଲା।

ଏହି ଭ୍ରାନ୍ତି ଆହୁରି ଲୋକପ୍ରିୟ ହେଲା ୧୮୨୦ ମସିହାରେ, ଯେତେବେଳେ ଅନ୍ୟ ଜଣେ ବ୍ରିଟିଶ ଅଧିକାରୀ, କ୍ୟାପଟେନ ଫିଲିପ କେ. କିଙ୍ଗ୍, କଙ୍ଗାରୁ ପାଇଁ ଏକ ଭିନ୍ନ ଶବ୍ଦ "ମୀ-ନୁଆହ" (mee-nuah) ରେକର୍ଡ କରିଥିଲେ। ଦେଖାଗଲା ଯେ କୁକ୍‌ଙ୍କ ରେକର୍ଡ ଭୁଲ ଥିଲା ଏଵଂ "କଙ୍ଗାରୁ" ଶବ୍ଦଟି ଆଦିଵାସୀଙ୍କର "ମୁଁ ଜାଣେ ନାହିଁ" ଉତ୍ତରର ଏକ ଭୁଲ ଅନୁଵାଦ ଥିଲା। କିନ୍ତୁ ଏହି ଅନୁମାନ ଦୀର୍ଘ ଦିନ ଧରି ଲୋକଙ୍କ ମନରେ ରହିଗଲା, ଯାହା ଏକ ରୋଚକ କିନ୍ତୁ ଅସତ୍ୟ କାହାଣୀ ଭାବେ ପ୍ରଚାର ପାଇଲା।

ତେବେ ଆଧୁନିକ ଭାଷାଵିଜ୍ଞାନ ସମ୍ବନ୍ଧୀୟ ଗଵେଷଣା ଏହି ଭ୍ରାନ୍ତିକୁ ଖଣ୍ଡନ କରିଛି ଏଵଂ "କଙ୍ଗାରୁ" ଶବ୍ଦର ପ୍ରକୃତ ଉତ୍ସ ପ୍ରକାଶ କରିଛି। ସମ୍ପ୍ରତି ଭାଷାଵିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିଵା ଅନୁସନ୍ଧାନରୁ ଜଣାପଡ଼ିଛି ଯେ "କଙ୍ଗାରୁ" ଶବ୍ଦଟି ଅଷ୍ଟ୍ରେଲିଆର ଉତ୍ତର-ପୂର୍ଵାଞ୍ଚଳର ଗୁଗୁ ୟିମିଧିର୍ର (Guugu Yimidhirr) ନାମକ ଆଦିଵାସୀ ଭାଷାରୁ ଆସିଛି। ଏହି ଭାଷାରେ "ଗାଙ୍ଗୁର୍ରୁ" (gangurru) ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ପ୍ରଜାତିର କଙ୍ଗାରୁ (ସମ୍ଭଵତଃ ଧୂସର କଙ୍ଗାରୁ)କୁ ସୂଚାଇଥାଏ। ଯେତେବେଳେ କ୍ୟାପଟେନ କୁକ୍ ଏଵଂ ତାଙ୍କ ଦଳ ୧୭୭୦ ମସିହାରେ ଗୁଗୁ ୟିମିଧିର୍ର ଲୋକଙ୍କ ସହ ସାକ୍ଷାତ କରିଥିଲେ, ସେମାନେ ଏହି ଶବ୍ଦଟିକୁ "କଙ୍ଗାରୁ" ଭାବେ ରେକର୍ଡ କରିଥିଲେ, ଯାହା ଇଂରାଜୀ ଉଚ୍ଚାରଣରେ କିଛି ପରିମାଣରେ ପରିଵର୍ତ୍ତିତ ହୋଇଥିଲା। 

ଅନ୍ୟପକ୍ଷରେ, କ୍ୟାପଟେନ କିଙ୍ଗଙ୍କ ରେକର୍ଡ କରିଥିବା "ମୀ-ନୁଆହ" ଶବ୍ଦଟି ଗୁଗୁ ୟିମିଧିର୍ର ଭାଷାର "ମିନ୍ହା" (minha) ଶବ୍ଦ ମୂଳର ହୋଇପାରେ, ଯାହାର ଅର୍ଥ "ଖାଦ୍ୟ ପାଇଁ ଉପଯୁକ୍ତ ପ୍ରାଣୀ" (edible animal)।ଭାଷାଗତ ଅଜ୍ଞତା ଓ ସାଂସ୍କୃତିକ ଅନ୍ତର ହେତୁ ପ୍ରାରମ୍ଭିକ ୟୁରୋପୀୟ ଅନୁସନ୍ଧାନୀମାନେ ଅଷ୍ଟ୍ରେଲୀୟ ଆଦିଵାସୀ ଶବ୍ଦଗୁଡ଼ିକର ଅର୍ଥ ଓ ଉଚ୍ଚାରଣକୁ ଭୁଲ ବୁଝିଥିଲେ। ତେଣୁ, "କଙ୍ଗାରୁ" ଶବ୍ଦଟି "ମୁଁ ଜାଣେ ନାହିଁ" ନୁହେଁ ଵରଂ ଗୁଗୁ ୟିମିଧିର୍ର ଭାଷାରୁ ଉଦ୍ଭୂତ ଏକ ନିର୍ଦ୍ଦିଷ୍ଟ ପ୍ରାଣୀ(ଧୂସର ରଙ୍ଗର କଙ୍ଗାରୁ)ର ନାମ ଅଟେ।

ସେ ଯାହାହେଉ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ୟୁରୋପୀୟ ଵୈଜ୍ଞାନିକମାନେ କଙ୍ଗାରୁଙ୍କୁ ମାର୍ସୁପିଆଲ (Marsupial) ଶ୍ରେଣୀରେ ରଖିଥିଲେ। ଏହାର ଥଳିରେ ଶାଵକ ରଖିଵାର ଅନନ୍ୟ ଵୈଶିଷ୍ଟ୍ୟ ଵିଶ୍ୱଵ୍ୟାପୀ ଆଗ୍ରହ ସୃଷ୍ଟି କରିଥିଲା। କଙ୍ଗାରୁଙ୍କୁ ୟୁରୋପର ପ୍ରାଣୀ ଉଦ୍ୟାନ (Zoos) ଓ ପ୍ରଦର୍ଶନୀରେ ନିଆଯାଇଥିଲା, ଯାହା ସାଧାରଣ ଲୋକଙ୍କୁ ଏହା ସହ ପରିଚିତ କରାଇଥିଲା।

ବିଂଶ ଶତାବ୍ଦୀରେ, କଙ୍ଗାରୁ ଅଷ୍ଟ୍ରେଲିଆର ସାଂସ୍କୃତିକ ଓ ଜାତୀୟ ପ୍ରତୀକ ହୋଇଗଲା। ଏହା ଅଷ୍ଟ୍ରେଲିଆର ମୁଦ୍ରା, ଲୋଗୋ ଓ କ୍ରୀଡ଼ା ଦଳରେ (ଯଥା : ଅଷ୍ଟ୍ରେଲିଆନ ରଗବି ଟିମ “Kangaroos”) ସ୍ଥାନ ପାଇଥିଲା। ଚଳଚ୍ଚିତ୍ର, ଟେଲିଭିଜନ, ପର୍ଯ୍ୟଟନ ଓ ପୁସ୍ତକ ମାଧ୍ୟମରେ କଙ୍ଗାରୁ ଵିଶ୍ୱଵ୍ୟାପୀ ଜନପ୍ରିୟ ହେଲା । ଅଷ୍ଟ୍ରେଲିଆ ଭ୍ରମଣ କରୁଥିଵା ପର୍ଯ୍ୟଟକମାନେ କଙ୍ଗାରୁଙ୍କୁ ଦେଖିଵା ପାଇଁ ଆଗ୍ରହୀ ହୁଅନ୍ତି, ଯାହା ଏହାର ଵିଶ୍ୱଵ୍ୟାପୀ ପରିଚିତିକୁ ଆହୁରି ବଢ଼ାଇଛି।


No comments:

Post a Comment

ଇଂରାଜୀ ଭାଷାର ଜନ୍ମ ଇତିହାସ(ମଜାକଥା)

ଉପରୁ ଉପରୁ ଦେଖିଲେ ଇଂରାଜୀ ଭାଷାଟା ଗୋଟିଏ ପ୍ରାକୃତିକ ଭାଷା ଜଣାପଡ଼େ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାକୁ ସ୍ଵୟଂ ଭଗଵାନ ସୃଷ୍ଟି କରିଥିଲେ ।‌ ଏ ଵିଷୟରେ ଏକ ଜଣାଶୁଣା ...