ଆମଦେଶରେ ସଂସାରଗୁରୁ ବୋଲି ଶବ୍ଦଟିଏ ପ୍ରଚଳିତ । ଷଷ୍ଠୀ ତତ୍ ପୁରୁଷ ସମାସ ଆଧାରରେ ସଂସାର ଗୁରୁ ଶବ୍ଦର ସୃଷ୍ଟି । ଭଗଵାନ,ଜଗଦ୍ଗୁରୁ,ସମଗ୍ର ଜଗତର ପୂଜ୍ୟ ଯେ ତାଙ୍କୁ ସଂସାରଗୁରୁ କୁହାଯାଏ । ତେବେ କାମଦେଵଙ୍କୁ ମଧ୍ୟ ସଂସାରଗୁରୁ କୁହାଯାଇଥାଏ ।
ମନରେ ପ୍ରଶ୍ନ ଆସେ କାମଦେଵଙ୍କୁ କାହିଁକି ସଂସାରଗୁରୁ କୁହାଯାଏ ?
କଵିସୂର୍ଯ୍ୟ ବଳଦେଵ ରଥ ଲେଖିଛନ୍ତି
“ପୁରୁଷ ତୁଲେ କି ଖେଳିବୁ ସଂସାରଗୁରୁ—ସମର— ପ୍ରାଙ୍ଗଣେ”
ଏଠାରେ କାମଦେବଙ୍କୁ ସଂସାରଗୁରୁ କୁହାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ।
ସଂସାର କହିଲେ ଆମେ ବୁଝୁ ଜଗତ ଵା ମର୍ତ୍ତ୍ଯଲୋକ,ମାୟାବନ୍ଧନ, ମାୟାଜନ୍ଯ ବ୍ଯସନ, ସାଂସାରିକ ଵିଷୟ, ସ୍ତ୍ରୀ ପୁତ୍ର କନ୍ୟା ସମ୍ବଳିତ ପରିଵାର,ଗାର୍ହସ୍ଥ୍ଯ ଵା ଘରକରଣା ଓ ଜନସମାଜ ଇତ୍ୟାଦି ସେହିପରି ଆଚାର୍ଯ୍ୟ ଵା ଅଧ୍ଯାପକଙ୍କୁ ଗୁରୁ କୁହାଯାଏ । ପିତା,ମନ୍ତ୍ରଦାତା, ପୂର୍ଵପୁରୁଷ, ପୁରୋହିତ,ସମ୍ମାନାର୍ହ ଵ୍ୟକ୍ତି,ନିୟମକାରକ ଵ୍ୟକ୍ତି,ଦେବଗୁରୁ ଵୃହସ୍ପତି ଓ ଵୃହସ୍ପତିଗ୍ରହ ତଥା ଦୋଣାଚାର୍ଯ୍ୟଙ୍କୁ ଗୁରୁ କୁହାଯାଏ । ବୃହସ୍ପତି ପୁଷ୍ୟା ନକ୍ଷତ୍ରର ଅଧିଷ୍ଠାତା ଦେଵ ହୋଇଥିଵାରୁ ପୁଷ୍ଯାନକ୍ଷତ୍ରକୁ ବି ପୂର୍ଵେ ଗୁରୁ କୁହାଯାଇଛି । ପୁଣି ଓସ୍ତାତ୍ ଵା ନାଟ ଓ ସଙ୍ଗୀତ ଶିକ୍ଷକଙ୍କୁ ବି ଗୁରୁ କହିଥାନ୍ତି । ବ୍ରହ୍ମାଙ୍କୁ ,ଦୀର୍ଘସ୍ବରକୁ, ପରମାତ୍ମାଙ୍କୁ ମଧ୍ୟ ଗୁରୁ କୁହାଯାଏ । ଶ୍ରୀଵିଷ୍ଣୁ ଓ ଶିଵ ଗୁରୁ କଥିତ ହୋଇଛନ୍ତି । ଭାରି,ଵିଷମ,ଉତ୍କଟ,ଦୁର୍ଗମ, ଦୁସ୍ତର,ଶ୍ଳାଘ୍ଯ ଵା ପୂଜନୀୟ,ଅପରାଜେୟ,ଦୁର୍ଵାହ,ମହତ୍,ପରାକ୍ରାନ୍ତ,ବଡ଼,କଠିନ,ଅଧିକ,ଅତିଶୟ, ଉତ୍କୃଷ୍ଟ ,ପ୍ରଯୋଜନୀୟ,ବହୁକାଳସ୍ଥାୟୀ ଓ ପ୍ରିୟ ଆଦି ଅର୍ଥରେ ସୁଦ୍ଧା ଗୁରୁ ଶବ୍ଦର ଵ୍ୟଵହାର ହୋଇଥାଏ । ଯାହା ସହଜରେ ଜୀର୍ଣ୍ଣ ହୁଏ ନାହିଁ ତାକୁ ମଧ୍ୟ ଗୁରୁ କହିଥାନ୍ତି ।
ତାହେଲେ କାମଦେବ ସଂସାରଗୁରୁ କେମିତି ଅଟନ୍ତି ଵା କାହିଁକି କାମଦେବଙ୍କୁ ସଂସାରଗୁରୁ କୁହାଯାଏ ?
ସମ୍ଭଵତଃ ସଂସାରରେ କାମଦେଵ ପୂଜନୀୟ ବୋଲି ତାଙ୍କୁ ସଂସାରଗୁରୁ କୁହାଯାଏ । କିନ୍ତୁ କାମେଵ କାହିଁକି ପୂଜନୀୟ ଅଟନ୍ତି ? କାରଣ ଜୀବମାନଙ୍କ ମନରେ କାମଦେଵ କାମନା ଜାଗ୍ରତ କରନ୍ତି । ଫଳତଃ ଜୀଵମାନେ ପ୍ରଜନନ କରିଵାକୁ ଇଚ୍ଛା କରନ୍ତି ଏଵଂ କେଵଳ ପ୍ରଜଜନ କ'ଣ ଅନ୍ୟ ସମସ୍ତ ଵିଷୟରେ ସେମାନଙ୍କ ମନରେ କାମନା ଜାତ ହୋଇଥାଏ ।
ସେହିପରି ସଂସାରରେ ସର୍ଵଜନପ୍ରିୟ ବୋଲି ମଧ୍ୟ କାମଦେଵଙ୍କୁ ସଂସାରଗୁରୁ କୁହାଯାଇପାରେ । ସଂସାରରେ କାମ ଓ କାମନା କରିଵା ଗୁଣ ପ୍ରାୟ ସବୁ ଜୀଵଙ୍କ ପାଖରେ ସୁଲଭ ଭାବେ ଉପଲବ୍ଧ। ଏମନ୍ତକି ସାଧକ ମଧ୍ୟ ଈଶ୍ଵରଦର୍ଶନ କାମନା କରିଥାଏ । ଏ ଦୃଷ୍ଟିରୁ କାମଦେଵ କାମନାଦାତା ହୋଇଥିଵାରୁ ସର୍ଵଜନ ପ୍ରିୟ ଦେଵ ଅଟନ୍ତି
ସେହିପରି ଗୁରୁ ଶବ୍ଦର ଏକ ଅର୍ଥ ଅପରାଜେୟ ଏଵଂ ଏହି ଅର୍ଥ ଆଧାରରେ ସଂସାରଗୁରୁ ଶବ୍ଦର ଵିଶ୍ଲେଷଣ କରି ମଧ୍ୟ କୁହାଯାଇପାରେ ହେ ହଁ ପ୍ରକୃତରେ କାମଦେଵ ସଂସାରଗୁରୁ ଅଟନ୍ତି ।
ସଂସାରରେ ବଡ଼ ବଡ଼ ଯୋଗୀ ଋଷି ବି କାମଦେଵଙ୍କୁ ପରାଜିତ କରିପାରିନାହାନ୍ତି କି ଯେତେବଡ଼ ସାଧକ ହୋଇଥାଉ କାମ ଓ କାମନାକୁ ଦବାଇଵା ତା ପାଇଁ ସହଜ ହୋଇନଥାଏ । ଫଳତଃ ଏ ଦିଗରୁ ମଧ୍ୟ କାମଦେଵଙ୍କୁ ସଂସାରଗୁରୁ ବୋଲି କୁହାଯାଇପାରେ ।
No comments:
Post a Comment