ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ
ବଡ଼ବାପାଙ୍କୁ ‘ବବା’ ଓ ବଡ଼ ମାଆଙ୍କୁ
ମମା ସମ୍ବୋଧନ କରାଯାଏ । ବବା ଶବ୍ଦଟି ପ୍ରାୟ ସମସ୍ତ ଗଡ଼ଜାତ ଅଞ୍ଚଳରେ ଚଳୁଥିଵାଵେଳେ
‘ମମା’ ଶବ୍ଦ ଵିଶେଷତଃ ଢେଙ୍କାନାଳରେ ଚଳୁଥିଵା ଦୃଷ୍ଟିଗୋଚର ହୋଇଥାଏ । ଏଠାକାର ସ୍ଥାନୀୟ
କଥିତ ଶୈଳୀରେ ‘ମୋ’ ଶବ୍ଦ ‘ମ’ ହୋଇଥାଏ । ତେଣୁ ମମା ଶବ୍ଦକୁ ମଠେଇ କହିଲେ ତାହା “ମ ମା”
ଅର୍ଥାତ୍ ‘ମୋ ମାଆ’ ଭଳି ଶୁଣାଯାଏ । ନିଜ ମାଆଙ୍କ ଭଳି ବଡ଼ମାଆ ବି ମାଆଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ବଡ଼ମାନେ ଭେଦ ଦେଖିପାରନ୍ତି କିନ୍ତୁ ନିଷ୍ପାପ ଶିଶୁମାନେ ନିଜ ମାଆ ଓ ଅନ୍ଯର ମାଆ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ । ଶିଶୁମାନେ ପ,ମ,ଦା,ଡ,ବ,ନ ଆଦି ଵର୍ଣ୍ଣ ଅନ୍ଯ ଵର୍ଣ୍ଣ ଅପେକ୍ଷା ଶିଘ୍ର କହିଵା ଶିଖିଥାନ୍ତି । ତେଣୁ ପୃଥିଵୀରେ ମାଆ,ବାପା,ଦାଦା,ବୋଉ,ନାନୀ ଓ ବେଵେ ଆଦି ଅନେକ ପାରିଵାରିକ ଵ୍ଯକ୍ତିଵିଶେଷଙ୍କୁ କରାଯାଉଥିଵା ସମ୍ବୋଧନଵାଚକ ଶବ୍ଦ ଏହି ଵର୍ଣ୍ଣଗୁଡି଼କରୁ ଆରମ୍ଭ ହୋଇଥାଏ । ବହୁତ ସମ୍ଭଵ ଗଡ଼ଜାତର ଶିଶୁମାନେ ହିଁ ଏହି ଶବ୍ଦର ଉଦ୍ଭାଵନ ତାଙ୍କ ବାଳ ସୁଲଭ ଭାଷାରେ କରିଥିଵେ ଏଵଂ ତାହା ପରେ ସମାଜରେ
ବହୁ ପ୍ରଚଳିତ ହୋଇଥିଵ । ତେଵେ କେତେକ ଭାଷାଵିତ୍'ଙ୍କ ମତରେ ବଡ଼ମାଆ ଶବ୍ଦରେ ଏଠି ଵର୍ଗ୍ଯ ‘ବ’ , ‘ମ’ ରେ ପରିବୃତ ହୋଇଅଛି । ପରିବୃତ୍ତିର ନିୟମାନୁଯାୟୀ ଯେମିତି ବଡ଼ବାପା ଶବ୍ଦଟି ବଡ଼ପା ଓ ବବା ହେଇଛି ସମ୍ଭଵତଃ ଠିକ୍ ସେଇଭଳି
=> ବଡ଼ମାଆ>ବରମା>ବମା>ମମା
ହୋଇଥାଇପାରେ ।
କେଉଁଠି କେଉଁଠି ବଡ଼ବାପାଙ୍କୁ ବଡୁ଼,ଦଦେଇ,ଦେଢୁତା ଆଦି ଡକାଯାଏ ।
ସେଇଭଳି ବଡି଼,ଜେଠେଇ ଓ ଦେଠେଇ ଶବ୍ଦ ବଡ଼ମାଆଙ୍କ ପାଇଁ ପ୍ରୟୋଗ ହୋଇଥାଏ ।
ତେଵେ ମନରେ ପ୍ରଶ୍ନ ଆସେ ଗଡ଼ଜାତର ଏହି କ୍ଷୁଦ୍ରାକାର ଓ ସହଜିଆ ‘ମମା’ ଶବ୍ଦଟି କଥିତ ଭାଷାରେ ହିଁ କାହିଁକି ସୀମିତ ରହିଗଲା ? କାହିଁକି ଏହା ସାହିତ୍ୟରେ ପ୍ରୟୋଗ ହୋଇପାରି ନାହିଁ ?
ଏହାର ସହଜ ଉତ୍ତର ହେଲା ପ୍ରାଚୀନ ସାହିତ୍ୟରେ ଏଵଂ ଅନ୍ଯ ଅଞ୍ଚଳ ଵିଶେଷତଃ ଦକ୍ଷିଣ ଓଡ଼ିଶାରେ ଏହି ‘ମମା’ ଶବ୍ଦର ଭିନ୍ନ ଅର୍ଥରେ ଵ୍ଯଵହାର ହେତୁ
ଏହା ସାହିତ୍ୟଭାଷାରେ ସ୍ଥାନ ପାଇପାରି ନାହିଁ ।
ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଗଜପତି ଓ ଶ୍ରୀକାକୁଲମ ଵିଚ୍ଛିନ୍ନାଞ୍ଚଳରେ ସ୍ତନ ଶବ୍ଦର ଏକ ପ୍ରଚଳିତ ପ୍ରତିଶବ୍ଦ ହେଉଛି ‘ମମା’ । ଯେମିତି ବାଲେଶ୍ଵରର ଲୋକଙ୍କ ପ୍ରତି ସମ୍ମାନ ହେତୁ ପୂର୍ଵାଞ୍ଚଳର କଥିତ ଭାଷାରେ Hair ଅର୍ଥରେ ବହୁପ୍ରଚଳିତ ‘ବାଳ’ ଶବ୍ଦଟି ମାନକ ଓଡ଼ିଆରେ ଵର୍ଜନୀୟ ହୋଇଅଛି ଠିକ୍ ସେଇଭଳି ଗଡ଼ଜାତରେ ବଡ଼ମାଆଙ୍କୁ ସମ୍ବୋଧନ କରାଯାଉଥିଵା ‘ମମା’ ଶବ୍ଦ ମଧ୍ୟ ସାହିତ୍ୟ ଭାଷାରେ ସ୍ଥାନ ପାଇପାରି ନାହିଁ ।
ତେଵେ ଆପଣଙ୍କ ଅଞ୍ଚଳରେ ବଡ଼ବାପା ଓ ବଡ଼ମାଆଙ୍କୁ କ'ଣ ସମ୍ବୋଧନ କରନ୍ତି ନିଶ୍ଚୟ ଜଣେଇଵାକୁ ଅନୁରୋଧ ରହିଲା ।
No comments:
Post a Comment