Monday, August 19, 2019

କିଏ ବ୍ରାହ୍ମଣ, କ୍ଷତ୍ରିୟ ,ଵୈଶ୍ଯ ଓ ଶୂଦ୍ର ?

“ଗୁଣୈବୃଦ୍ଧାନତିକ୍ରମ୍ୟ ହରିରର୍ଚ୍ୟତମୋ ମତ ।
ଜ୍ଞାବୃଦ୍ଧୌ ଦ୍ଵିଜାତୀନାଂ କ୍ଷତ୍ରିୟଣାଂ ବଳାଧିକ ।।”(୧୭)

→ଶ୍ରୀକୃଷ୍ଣଙ୍କ ଗୁଣ ଗୁଡିକୁ ଧ୍ୟାନରେ ରଖି ହିଁ ଆମ୍ଭେମାନେ ବୟୋଜ୍ୟେଷ୍ଠ ଲୋକଙ୍କ ପରିବର୍ତ୍ତେ ଏହାଙ୍କୁ ପରମପୂଜ୍ୟ ମାନୁଅଛୁ ।  ବ୍ରାହ୍ମଣ ମଧ୍ୟରେ ସେହି ପୂଜନୀୟ ମାନାଯାଏ ଯିଏ ଜ୍ଞାନରେ ବଡ଼ ଅଟଇ ଆଉ କ୍ଷତ୍ରିୟ ମଧ୍ୟରେ ସେ ହିଁ ଶ୍ରେଷ୍ଟ ଯିଏ ବଳରେ ସମସ୍ତଙ୍କୁ ପଛରେ ପକେଇ ଦିଏ ।

“ଵୈଶ୍ୟାନାଂ ଧାନ୍ୟଧନଵାଞ୍ଛୁଦ୍ରାଣାମେଵ ଜନ୍ମତଃ ।
ପୂଜ୍ୟତାୟାଂ ଚ ଗୋଵିନ୍ଦେ  ହେତୁ ଦ୍ଵାବପି ସଂସ୍ଥିତୌ ।।”(୧୮)

→ଵୈଶ୍ୟଙ୍କ ମଧ୍ୟରେ ସିଏ ବଡ଼ ଯା ପାଖରେ ଧନଧାନ୍ୟ ପୂରି ରହିଥାଏ । କେଵଳ ଶୂଦ୍ରଙ୍କ ମଧ୍ୟରେ ହିଁ ଜନ୍ମ କାଳକୁ ଧ୍ୟାନରେ ରଖି ଯିଏ ଅଵସ୍ଥାରେ(ଵୟସରେ) ଵଡ଼ ତାକୁ ପୂଜନୀୟ ମାନାଯାଇଥାଏ ।

(ଅଷ୍ଟତ୍ରିଂଶ ଅଧ୍ଯାୟ,ଅର୍ଘ୍ୟାଭିହରଣ ପର୍ବ,ମହାଭାରତ)

ଯେତେବେଳେ ଶ୍ରୀକୃଷ୍ଣଙ୍କ ଅଗ୍ରପୂଜାର ଵିରୋଧ କରି ଶିଶୁପାଳ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ସଭାରେ ନାନାବିଧ କଟୁଵାକ୍ୟ କହିବା ଆରମ୍ଭ କରିଦେଲା ସେତେବେଳେ କୁଳବୃଦ୍ଧ ଭୀଷ୍ମ ଆଗକୁ ଆସି ତାକୁ ବୁଝେଇବାକୁ ଚେଷ୍ଟା କରିଛନ୍ତି
ଆଉ ଉପରୋକ୍ତ ଶ୍ଲୋକ ଦ୍ଵୟରେ  କହୁଛନ୍ତି.....

ମନୁଷ୍ୟ ସମାଜ ମଧ୍ୟରେ ଯେତେବେଳେ ଶ୍ରେଷ୍ଠତ୍ଵର ପ୍ରତିଯୋଗିତା ହୁଏ ସେତେବେଳେ ବୟସ ନୁହେଁ ଯୋଗ୍ୟତା ଦେଖାଯାଏ ।
ଜଣେ ଉଚ୍ଚ ହୃଦୟର ଲୋକ ସର୍ଵଦା
ଜ୍ଞାନ, ବିଜ୍ଞାନ, କଳା ଓ ଉତ୍ତମ ହୃଦୟର ଲୋକକୁ ଶ୍ରେଷ୍ଠଜନରେ ଗଣୁଥିଲାବେଳେ
ନିମ୍ନ ସ୍ଥରର ଲୋକ ଵୟସ ଆଧାରରେ କିଏ ଛୋଟ କିଏ ବଡ଼ ତାହା ନିର୍ଣ୍ଣୟ କରିଥାଏ  ।

ତୁର୍କ,ମୋଗଲ ଓ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା କାଳରେ ଭାରତୀୟ ମାନେ ତାଙ୍କର ଆଦର୍ଶଵାଦୀ ମହାନ ସନାତନୀ ସଂସ୍କୃତି ଠାରୁ ଦୂରେଇ ଯାଇ ସଂକୀର୍ଣ୍ଣବାଦୀ ହିନ୍ଦୁ ବୋଲାଇବାକୁ ଅଧିକ ଉତ୍ତମ ମନେ କଲେ । ଆମେମାନେ ଏହି କାଳରୁ ଅଦ୍ୟାବଧି ଵର୍ଣ୍ଣାଶ୍ରମର ପାଖାପାଖି ସମସ୍ତ ଵେଦୋକ୍ତ ନିୟମ ମାନଛାଡ଼ି ସାରିଛନ୍ତି । ଶାସ୍ତ୍ର କହେ ଜନ୍ମ ରୁ ସଭିଏଁ ଶୁଦ୍ର ଏଣୁ ଭାରତୀୟ ମାନଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚ ଜାତୀୟ ସନାତନୀ ମାନେ ପ୍ରାୟତଃ ଏବେ ସ୍ଵଵର୍ଣ୍ଣର ଵେଦୋକ୍ତ କର୍ମ ତ୍ୟାଗକରିଥିବା ହେତୁରୁ ଶୁଦ୍ର ହିଁ ଅଟନ୍ତି ।
ଏବଂ
ଦ୍ଵିତୀୟତଃ ଯେହେତୁ ଆଜିକାଲି ପ୍ରାୟ ସବୁ ଵର୍ଣ୍ଣର ଲୋକେ ବୟସରେ ବଡ଼ ହେବାକୁ ପୂଜନୀୟ ମାନୁଅଛନ୍ତି ତେଣୁ ସେମାନେ ସବୁ ଵେଦଵ୍ୟାସ,ଭୀଷ୍ମ ତଥା ମହାଭାରତ ଅନୁସାରେ ଶୁଦ୍ର ହିଁ ହୋଇ ସାରିଛନ୍ତି ।

ଅସ୍ତୁ, ଯେଉଁ ଦିନ ଭାରତୀୟ ମାନେ ସମାଜରେ ବ୍ୟକ୍ତି ର ଵୟସ ନୁହେଁ ଯୋଗ୍ୟତା କୁ ଅଧିକ ଗୁରୁତ୍ୱ ଦେବା ଶିଖିବେ ସେଇଦିନ ଭାରତ ଵିଶ୍ଵଗୁରୁ ହୋଇଯିବ ଏବଂ ଏଠାରେ ଉଭୟ ଵାସ୍ତୁଵାଦୀ ଓ ମାନଵଵାଦୀ ଵିକାଶ ହୋଇପାରିବ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...