Sunday, August 4, 2019

ଯୁଗ ବଦଳିଛି ବନ୍ଧୁତା ନୁହେଁ

ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଏ ଦିଆଯାଉଥିଲା ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । 


ସଂସ୍କୃତରେ—

ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ

ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍

(ଵିଶେଷଣ),ସୁହାର୍ଦ(ଵିଣ)ଵଲ୍ଲଭ(ଵିଣ),ସୁରଭି(ଵିଣ),ସହଚାରିଣୀ(ସ୍ତ୍ରୀ),ସୁହୃତ,ସୁହୃଜ୍ଜନ,ସମାନ,ପ୍ରିୟକୃତ,ବାନ୍ଧଵ,ଵୟମ୍,ସ୍ନେହିନ,ସଧ୍ର୍ଯଞ୍ଚ,ଵହତି,ପ୍ରାଵିତୃ,ସୌହୃଦ,ଭରଣ୍ଯୁ,ପରସ୍ପରଜ୍ଞ,ଵୟସ୍ଯକ,ଉପନିଧି,ଵନୁ,ସମ୍ବନ୍ଧ,ଶାକ,ସ୍ନିଗ୍ଧ,ବନ୍ଧୁ,ଵିଭାଵ,ସ୍ନେହିତ,ସହଭାଵିନ,ହିତ,ସ୍ଵକ,ଅଦ୍ଵେଷ୍ଟୃ,ସୁହୃଦ,ମେଦିନ,ପ୍ରିୟ,ସଚିଵ,ନନ୍ଦନ୍ତ,ଵୟସ୍ଯ,ସ୍ଵ,ସ୍ନିଗ୍ଧଜନ,ସହାୟକୃତ,ସହଚର,ଓମନ,ସ୍ଵପକ୍ଷ,ସପକ୍ଷ ଆଦି ଶହ ଶହ ଶବ୍ଦ ଏହି friend ଅର୍ଥରେ ଚଳୁଅଛି ! 


ଓଡ଼ିଆ ଭାଷାରେ friend ଅର୍ଥରେ 

ମଇତ୍ର,ବନ୍ଧୁ,ସଖା,ବଉଳ,ସାଙ୍ଗ ଓ ସଙ୍ଗାତ ଆଦି ଅନେକ ଶବ୍ଦ ଚଳୁଅଛି । 

ଓଡ଼ିଶାରେ ବନ୍ଧୁ ବସିଵାର ନିଆରା ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଏଠାକାର ସ୍ତ୍ରୀ ଲୋକେ ପରସ୍ପର ଆମ୍ର ମୁକୁଳ ଦିଆଦେଇ ହୋଇ ବଉଳ ବସନ୍ତି । କଳିଙ୍ଗ ଦେଶରେ ପରସ୍ପର ମଧ୍ଯରେ ମହା ପ୍ରସାଦ ଦିଆଦେଇ ହୋଇ ବା ଧର୍ମଦେବତାଙ୍କୁ ,ସାକ୍ଷୀ ରଖି ବନ୍ଧୁତା ସ୍ଥାପିତ ହୋଇଥିଲା ଏଵଂ ସେହି ଧର୍ମବନ୍ଧୁମାନେ ପରସ୍ପରକୁ ସଙ୍ଗାତ, ମହାପ୍ରସାଦ, ଅବଢ଼ା ଆଦି ଡକାଡକି ହେଉଥିଲେ । ଜ୍ଞାତିତ୍ବ, ରକ୍ତସଂପର୍କ ଵା ଵିଵାହ ଦ୍ବାରା ସମ୍ଵନ୍ଧଯୁକ୍ତ ହୋଇ ନ ଥିଵା ଵ୍ଯକ୍ତିମାନେ ଧର୍ମକୁ, ଇଷ୍ଟ ଦେବତାଙ୍କୁ ଵା ପ୍ରସାଦକୁ କିମ୍ବା ତୁଳସୀ ଆଦି ପବିତ୍ର ଵସ୍ତୁଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ଯରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି। ତନ୍ମଧ୍ଯରୁ 'ସଙ୍ଗାତ' ମିତ୍ରତା ଏକତମ। ଯେଉଁ ଦୁଇ ଜଣଙ୍କର ନାମ ଏକ, ସେମାନେ ପରସ୍ପର ସଙ୍ଗେ 'ମିତ' ବସନ୍ତି । ଏହା ଛଡା ସହୀ, ସଙ୍ଗାତ ଆଦି ମଧ୍ଯ ବସନ୍ତି । ଆମ କଳିଙ୍ଗ ଦେଶରେ 'ସଙ୍ଗାତ' ବସିଵାଟା ଅନ୍ଯାନ୍ଯ ମିତ୍ରତା ସ୍ଥାପନ ଅପେକ୍ଷା ଵେଶି ।ସାଧାରଣତଃ ବାଲ୍ଯକାଳରେ ଦୁଇ ଜଣଙ୍କ ମଧ୍ଯରେ (ଦୁଇ ଜଣ ବାଳକଙ୍କ ମଧ୍ଯରେ କିମ୍ବା ଦୁଇ ଜଣ ବାଳିକାଙ୍କ ମଧ୍ଯରେ) 'ସଙ୍ଗାତ' ମିତ୍ରତାର ସୂତ୍ରପାତ କରାଯାଏ । ପୁଣି ବଉଳ ଅମାଵାସ୍ଯାଦିନ ବଉଳ, ଅଶୋକାଷ୍ଟମୀ ଦିନ ଓଶକା କଢି଼, କୁମାରପୂର୍ଣ୍ଣିମା ଦିନ ଚନ୍ଦ୍ର ନୈଵେଦ୍ଯ ଚାନ୍ଦ, ଗଙ୍ଗାଜଳ, ଗୋଦାଵରୀଜଳ, ତୁଳସୀ, ପହିଲି ଭୋଗ, ପ୍ରସାଦ, ଅଭଡା, ସରପୁଳି, ମହାପ୍ରସାଦ ପରସ୍ପର ଖୁଆଖୋଇ ହୋଇ ଦୁଇ ବ୍ଯକ୍ତି ୟଥାକ୍ରମେ ବଉଳ, ଓଶକା, ଚାନ୍ଦ, ଗଙ୍ଗାଜଳ, ଗୋଦାବରୀ, ତୁଳସୀ, ପହିଲିଭୋଗ, ଅଭଡା, ସରପୁଳି, ମହାପ୍ରସାଦ ବସୁଥିଲେ ।  ଲୋକେ ମହୁଲ, ଗୁଜରାତି, ଫୁଲ, ଗୋଲାପ ଆଦି ମଧ୍ଯ ଦିଆଦେଇ ହୋଇ ସେହି ନାମରେ ପରସ୍ପରକୁ ଡକାଡକି ହେଉଥିଲେ ।ସଙ୍ଗାତ ବସିଥିବା ସ୍ତ୍ରୀ ଓ ପୁରୁଷମାନେ ପରସ୍ପରକୁ ସଙ୍ଗତ, ସମ୍ବୋଧନ କରନ୍ତି; କିନ୍ତୁ ସଙ୍ଗାତଙ୍କ ସ୍ତ୍ରୀଙ୍କୁ 'ସଙ୍ଗାତୁଣୀ' ବୋଲି ଡକାଯାଉଥିଲା । ସଙ୍ଗାତ ବସିଵା ବନ୍ଧୁମାନଙ୍କ ମଧ୍ଯରେ ଵିଵାହ ଆଦି ଉତ୍ସଵରେ ଵେଭାର ନିମନ୍ତ୍ରଣ ଆଦି ଚଳେ ।  ସଙ୍ଗାତଙ୍କ ପୁଅ  ପୁତୁରା ଅଟେ ଏବଂ ସେ ପିତାଙ୍କ ସଙ୍ଗାତଙ୍କୁ 'ମଉସା' ଓ ବୋଲି ଡାକିଵାର ପରମ୍ପରା ରହିଥିଲା । ସଙ୍ଗାତର ବାପାଙ୍କୁ ସଙ୍ଗାତବାପା ଡାକିଵାର ସଂସ୍କୃତି ଚଳିଥିଲା ।  'ସଙ୍ଗାତ' ଆଦି ବସିଥିଵା ବନ୍ଧୁମାନେ ପରସ୍ପରର ନାମ ଧରି ଡକାଡକି ହେଉନଥିଲେ । କଳିଙ୍ଗର ଜନଜାତୀୟ ଭାଷାରେ ମଧ୍ଯ friend ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି 

ଯଥା—

✓କୁଇ—ତଡେଞ୍ଜା/ତଡ଼େ

✓ଖରିଆ—ସରି/ମିତ/ସଏହା/ବଁଧୁଃ(ତୁ—ସଇ,ସହ)

✓ମୁଣ୍ଡା—ଜୁଳି/ଗାଢି଼/କୁପୁଲ

✓ହୋ—ଜୁଳି(ତୁ—ଯୋଡି଼)

✓କୋୟା—ଦୋକା(ତୁ—ଦୋସ୍ତ ?)

✓କିସାନ୍—ସାଙ୍ଗେ/ମିତ


ଵୈଦେଶିକଙ୍କ ଭାରତ ଆଗମନ ପରେ ଵିଶେଷତଃ ପାର୍ସୀ, ହିନ୍ଦୀ ଓ ଇଂରାଜୀ ଭାଷାର ବହୁଳ ପ୍ରସାର ପ୍ରଚାର ଯୋଗୁଁ କେତେକ ଵୈଦେଶିକ ଶବ୍ଦ ମଧ୍ୟ ଏ ଦେଶରେ ଚଳିଵାକୁ ଲାଗିଛି । ଆଜିକାଲି ଲୋକେ ସାଙ୍ଗ,ବନ୍ଧୁ,ସଇ,ସଙ୍ଗାତ,ବଉଳ କି ମଇତ୍ର ଆଦି ନକହି ଫ୍ରେଣ୍ଡ ,ଦୋସ୍ତ ଆଦି କହିଵାକୁ ଅଧିକ ସୁଖ ପାଆନ୍ତି । 


ଫ୍ରେଣ୍ଡସିପ୍ ଡେ ଓ ଫେସବୁକ ଆଗମନର ବହୁ ପୂର୍ଵରୁ ଆମ୍ଭ ଦେଶରେ ବନ୍ଧୁତ୍ଵକୁ ଗୁରୁତ୍ୱପୂର୍ଣ୍ଣ ମାନାଯାଇଛି । ଆଜି ଯେମିତି ଫେସବୁକରେ ଝଅଟ ସାଙ୍ଗ କରି ପୁଣି କ୍ଷଣକେ ଅଣସାଙ୍ଗ କରିଦେଵାର ସୁଵିଧା ରହିଛି ଆଜକୁ ମାତ୍ର ଦଶ କୋଡି଼ଏ ଵର୍ଷ ତଳେ ସୁଦ୍ଧା ଆମ୍ଭଦେଶର ବାଳକ ବାଳିକାମାନେ ‘କଟି’ ଓ ‘ଫିଟି’ ଦିଆଦେଇ ହୋଇ ବନ୍ଧୁତା ଗଢୁଥିଲେ ପୁଣି ଯେଵେ ଇଛା କରୁଥିଲେ ସମ୍ପର୍କ ଚ୍ଛିନ୍ନ ବି କରିପାରୁଥିଲେ । ସାଙ୍ଗର କାଣି ଆଙ୍ଗୁଠି ସହ ଆପଣା କାଣି ଆଙ୍ଗୁଠି ଲଗେଇ କଟି ଦିଆଯାଉଥିଲା ତାହାକୁ କଟି କୁହାଯାଉଥିଲା ସେହିଭଳି  ନୂଆ ବନ୍ଧୁ କରିଵା ପାଇଁ ଆପଣା ବୁଢ଼ା ଆଙ୍ଗୁଠି ସହ ବନ୍ଧୁର ବୁଢ଼ା ଆଙ୍ଗୁଠି ମିଶେଇ ଫିଟି ଦିଯାଉଥିଲା । ଗଞ୍ଜାମର କେତେକ ଅଞ୍ଚଳରେ ‘ଫିଟି’ ପାଇଁ ବୁଢ଼ା ଆଙ୍ଗୁଠି ପରିଵର୍ତ୍ତେ ‘ବିଶି’ ଆଙ୍ଗୁଠିର ଵ୍ଯଵହାର ହେଉଥିଵା ଦେଖାଯାଏ । 


ଆଧୁନିକ ଯୁଗରେ ପ୍ରୋକ୍ତ ଅଧିକାଂଶ ପରମ୍ପରା ଲୁପ୍ତ ହୋଇଯାଇଅଛି । ଆଜି ପଡି଼ରହିଛି ମାତ୍ର ସେହି କେତୋଟି ପୁରୁଣା ଓଡ଼ିଆ ଶବ୍ଦ ଆଉ ତାଙ୍କ ସ୍ଥାନରେ ଫ୍ରେଣ୍ଡ ଓ ଦୋସ୍ତ ଶବ୍ଦର ବହୁଳ ଵ୍ଯଵହାର ହେଉଅଛି । ପୁରୁଣା ପରମ୍ପରା ଆଉ ନାହିଁ ନୂଆ ପରମ୍ପରା ଅନୁସାରେ ଆଜିକାଲି ଫ୍ରେଣ୍ଡସିପ୍ ଡେ ଦିନ ଡୋରୀ ବନ୍ଧା ବନ୍ଧି ହୋଇ ବନ୍ଧୁ ହେଵାର ଆଧୁନିକ ପରମ୍ପରା ଦୃତଵେଗରେ ଲୋକପ୍ରିୟ ହେଵାକୁ ଲାଗିଲାଣି । ତେଵେ ପରମ୍ପରା କିଛି ବି ହୋଇଥାଉ ଲୋକେ ଆଜି ବି ବନ୍ଧୁତା କରିଵା,ବନ୍ଧୁ ବସିଵା ଛାଡ଼ି ନାହାନ୍ତି ଏଵଂ ଏହି ସକାରାତ୍ମକତା ହିଁ ମାନଵ ଜାତି ମଧ୍ଯରେ ମୈତ୍ରୀ ଭାଵକୁ ବଞ୍ଚାଇ ରଖିଛି ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...