ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ,ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ ।
ସେଇଭଳି ଭତ୍ରୀ ଓଡ଼ିଆରେ “ଆଏ” ଶବ୍ଦଟି ଅଛି(is) ଶବ୍ଦର ଵିଳଳ୍ପ ଭାଵେ ଵ୍ଯଵହୃତ ହୁଏ ଏଵଂ ସମ୍ଭଵତଃ ଏହା ସଂସ୍କୃତ ଅସ୍ତୁ ଶବ୍ଦ ସହିତ ସମଦ୍ଧୃତ । ଭତ୍ରୀ ହଲଵୀରେ ଏହା ନାନା ରୂପେ ଚଳୁଅଛି । ସମଗ୍ର ଭତ୍ରୀ ହଲଵୀ ଭାଷାରେ ଏଇ ଗୋଟିଏ ଶବ୍ଦ ଆୟେ,ଆଚେ ,ଆସେ ଓ ଆସୋତ୍ ଆଦି ଵିଭିନ୍ନ ରୂପ ହୋଇଅଛି ।
ତେଵେ ସମ୍ବଲପୁରୀ ଓଡ଼ିଆରେ ଆଏ ଶବ୍ଦଟି ‛ଅଟେ’ ଅର୍ଥରେ ଵ୍ଯଵହାର ହୋଇଥାଏ । ଅଟେ ଶବ୍ଦଟି ଭୂ ଧାତୁ ସହିତ ସମ୍ବନ୍ଧିତ ଓ ଏହି ଭୂ ଧାତୁର ଵର୍ତ୍ତମାନ କାଳର ଭିନ୍ନ ଭିନ୍ନ ପୁରୁଷ ଓ ବଚନରେ 'ଅଟ' ଯୁକ୍ତ ଆକାରମାନ ସମଗ୍ର ଓଡ଼ିଆ ଭାଷାରେ ଅଟେ,ଅଟନ୍ତି, ଅଟଇ,ଆଏ ଆଦି ହୋଇ ଚଳୁଅଛି । ଯଥା
ଭୂ ଧାତୁ ଲଟ୍'ଲକାର ଵା ଵର୍ତ୍ତମାନ କାଳ ପ୍ରଥମ ପୁରୁଷ ଧାତୁରୂପ ହେଲା ―
“ଭଵତି ― ଭଵତଃ ― ଭଵନ୍ତି”
ଏଠାରେ ଭୂ-ଧାତୁରୂପଗୁଡି଼କରୁ ‛ଭ’ ଵର୍ଣ୍ଣ ଲୋପ ହୋଇଛି ଏଵଂ ଅଵର୍ଗ୍ଯ ‛ଵ’ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇ ଓଡ଼ିଆ ଭାଷାରେ “ଅଟଇ― ଅଟ ― ଅଟନ୍ତି” ହୋଇଅଛି ।
ଅର୍ଥାତ୍ ―
✔️ଭଵତି ଶବ୍ଦ ‛ଭଅଟି’ ହୋଇ ସେଥିରୁ ‛ଭ’ ଲୁପ୍ତ ହୋଇ ଶେଷକୁ ‛ଅଟଇ’ ହୋଇଛି
✔️ଭଵତ ଶବ୍ଦ ‛ଭଅଟ’ ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ‛ଅଟ’ ହୋଇଛି
✔️ଭଵନ୍ତି ଶବ୍ଦ ଅତନ୍ତି ହୋଇ ଶେଷରେ ‛ଭ’ ଅଟନ୍ତି ହୋଇଅଛି ।
ତେଵେ ସମ୍ବଲପୁରୀ ଓଡ଼ିଆ ଭାଷାରେ ‛ହାଏ’ ଵା ‛ହାଇ’ ଅଵ୍ଯୟ ସାମାନ୍ୟ ପରିଵର୍ତ୍ତିତ ହୋଇ ‛ଆଏ ଗୋ’ ହୋଇଥାଏ । ସେତେଵେଳେ ଏହା ଅସମ୍ମତି ସୂଚକ ପଦପୂରଣାର୍ଥ ଅଵ୍ଯୟ ପରି କାର୍ଯ୍ୟ କରିଥାଏ
ଯଥା―
‛ଆଏ ଗୋ ଇଟା କେନ୍ତା କଥା ?’
ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସମାନ ଵାକ୍ଯ
ଏଇଭଳି କୁହାଯାଏ―
“ହଇ ଗୋ/ଓ ଏଟା କିଁତିଆ କଥା (ଯେ) ?
ଢେଙ୍କାନାଳ― ଅନୁଗୋଳର କଥିତ ଶୈଳୀରେ କିନ୍ତୁ “ଆଏ” ଶବ୍ଦକୁ “ଆସେ” ଶବ୍ଦର ଵିକଳ୍ପ ରୂପେ ପ୍ରୟୋଗ କରାଯାଏ
ଯଥା ―
ସେଠିକି ସିଏ ଆଏ କି ନାଁଇ ? ”
ଏଠାରେ ‛ଆଏ’ ଶବ୍ଦ ‛ଆସେ’ ଅର୍ଥରେ ପ୍ରୟୋଗ ହୋଇଅଛି । ତେଣୁ ଢେଙ୍କାନାଳ-ଅନୁଗୋଳ କଥିତ ଓଡ଼ିଆ ଶୈଳୀରେ
ଆସେ ଶବ୍ଦରେ ଦନ୍ତ୍ଯ ‛ସ’ ଲୁପ୍ତ ହୋଇ ତହିଁରେ ଥିଵା ଏକାରଟି ଏ ହୋଇ ‛ଆଏ’ ଶବ୍ଦ ହୋଇଅଛି ।
(ଆସେ>ଆଏ)
ପୁରୀ ଅଞ୍ଚଳରେ ‛ଆହେ’ ଶବ୍ଦରୁ ସମାନ ଭାଵେ ‛ହ’ ଲୁପ୍ତ ହୋଇ ତାହା ‛ଆଏ’ ହୁଏ ଏଵଂ ‛ଆହେ’ ପରଵର୍ତ୍ତେ ଵ୍ଯଵହୃତ ହୋଇଥାଏ ...
ଯଥା―
“ଶୁଭ ବାବୁ ! ଆଏ ଏତା କି କଥା ହେ ?”
ଏତଦ୍ବ୍ୟତୀତ ଓଡ଼ିଆ ଭାଷାର ଅନ୍ୟ କୌଣସି ଶୈଳୀରେ ଆଏ ଶବ୍ଦର ଅନ୍ୟ କିଛି ଅର୍ଥରେ ପ୍ରଚଳନ ଥିଲେ ଆମକୁ ନିଶ୍ଚୟ ଜଣାନ୍ତୁ !
No comments:
Post a Comment