Saturday, November 23, 2019

ତୁଳସୀଦାସ ଓ ହନୁମାନ

ତୁଳସୀ ଦାସ କାଶୀକ୍ଷେତ୍ରରେ ରହୁଥିଵା ସମୟରେ ଥରେ ଏକ ଵିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ  ସେ ନିକଟରେ ଥିଵା ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ପିପ୍ପଳ ଵୃକ୍ଷ ମୂଳରେ ଢାଳି ଦେଉଥିଲେ । ସେହି ପିପ୍ପଳଵୃକ୍ଷରେ ଵାସ କରୁଥିଲା ଏକ ପ୍ରେତ ।

  ଜଳପାନ କରି ପ୍ରେତର  ତୃଷା ନିଵାରଣ ହେଉଥାଏ । କୌଣସିମତେ ପ୍ରେତଟି ଜାଣିଵାକୁ ପାଇଲା ଯେ ପ୍ରତ୍ୟହ ଵୃକ୍ଷମୂଳରେ ପାଣି ଢ଼ାଳୁଥିଵା ଵ୍ଯକ୍ତି ଜଣକ ମହାନ ପଣ୍ଡିତ ଅଟନ୍ତି ।

ଦିନେ ତୁଳସୀଦାସ ଉକ୍ତ ପିପ୍ପଳ ଵୃକ୍ଷମୂଳରେ ପାଣି ଢାଳୁଥିଵା ସମୟରେ ପ୍ରେତଟି ତାଙ୍କୁ ଦେଖାଦେଇ  କହିଲା-
"ହେ ଦେଵ !  ଆପଣ ପ୍ରତ୍ୟହ ଜଳଦାନ କରି ମୋହର ତୃଷା ନିଵାରଣ କରୁଛନ୍ତି । ମୁଁ ଆପଣଙ୍କ ଉପରେ ପ୍ରସନ୍ନ । ଆପଣ ଯାହା ଇଚ୍ଛା ତାହା ପ୍ରାର୍ଥନା କରନ୍ତୁ । ମୁଁ ଅଵଶ୍ୟ ପୂରଣ କରିବି ।"

ତୁଳସୀ ଦାସ କହିଲେ ମୁଁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିଵାକୁ ଚାହୁଁଛି । ପ୍ରେତଟି କିଛି ସମୟ ଚିନ୍ତା କରି କହିଲା-

"ରାମକଥା ଶୁଣିଵା ହେତୁ ଏହି କ୍ଷେତ୍ରକୁ ପ୍ରତିଦିନ ହନୁମାନ ଏକ କୁଷ୍ଠରୋଗୀ ବେଶରେ ଆସୁଛନ୍ତି । ସେ  ରାମଙ୍କର ପ୍ରଥମ ଓ ପ୍ରଧାନ ସେବକ ।  ସେ ସମସ୍ତଙ୍କ ପୂର୍ଵରୁ ଆସନ୍ତି ଓ ସଵା ଶେଷରେ ଯାଇଥାନ୍ତି । ସମୟ ଦେଖି ତାଙ୍କୁ ପ୍ରଣାମ କରି ନିଜର ଇଚ୍ଛା ଜଣାନ୍ତୁ । ସେ ନିଶ୍ଚୟ ତାହା ପୂର୍ଣ୍ଣ କରିବେ ।''

ତୁଳସୀ ଦାସା ତାହା ହିଁ କଲେ । ଚିତ୍ରକୂଟରେ ଭଗଵାନ ଶ୍ରୀରାମଙ୍କ ଦର୍ଶନ ଲାଭକରିଵେ ବୋଲି ହନୁମାନଙ୍କଠାରୁ ଜାଣିଵା ପରେ ତୁଳସୀ ସେଠାକୁ ଯାତ୍ରା କଲେ ।

ସେଠାରେ ପ୍ରତ୍ୟହ ରାମନାମ ଜପ କରୁଥାନ୍ତି ।   ଦିନେ ନିକଟଵର୍ତ୍ତୀ ଅଞ୍ଚଳକୁ ବୁଲିବାକୁ ଯାଇଥାନ୍ତି । ଅକସ୍ମାତ୍ ପଥ ମଧ୍ୟରେ ଦେଖିଲେ  ଦୁଇଜଣ ସୌମ୍ୟ ରୂପଧାରୀ ରାଜକୁମାର ଯାଉଛନ୍ତି । ହାତରେ ସେମାନଙ୍କର ଧନୁ ଓ ତୀର ଶୋଭା ପାଉଛି । ସେମାନେ ଶିକାର ଉଦ୍ଦେଶ୍ୟରେ ଯାଉଛନ୍ତି ବୋଲି ତୁଳସୀଙ୍କର ପ୍ରତୀତ ହେଲା । ସେମାନଙ୍କୁ ଦେଖି ତୁଳସୀ ଦାସ ଅତିଶୟ ପ୍ରୀତ ହୋଇଗଲେ ।

କିନ୍ତୁ ସେମାନେ କିଏ ତାହା ଜାଣିପାରି ନଥିଲେ । କିଛି କ୍ଷଣ ପରେ ହନୁମାନ ସେଠାକୁ ଆସି ଯେତେବେଳେ ସେ ଦୁହିଁଙ୍କର ପରିଚୟ ଦେଲେ ତୁଳସୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ହନୁମାନ ଆଶ୍ୱାସନା ଦେଇ କହିଲେ କାଲି ପ୍ରତ୍ୟୁଷରେ ନିଶ୍ଚୟ ଦର୍ଶନ ଲାଭ କରିବ ।

ସେଦିନ ଥିଲା ମୌନୀ ଅମାଵାସ୍ୟା । ପ୍ରାତଃକାଳରେ ଗୋସ୍ୱାମୀ ତୁଳସୀଦାସ ଠାକୁରଙ୍କ ପୂଜା ଉଦ୍ଦେଶ୍ୟରେ ଚନ୍ଦନ ଘୋରୁଥାଆନ୍ତି । ଭଗଵାନ ରାମ ତୁଳସୀଙ୍କ ନିକଟକୁ ଆସି ଚନ୍ଦନ ଲଗାଇ ଦେଵାପାଇଁ କହିଲେ । ହନୁମାନ ଅନ୍ତରାଳରେ ଥାଇ ଭାବିଲେ ଏଥର ମଧ୍ୟ ତୁଳସୀ ପ୍ରଭୁଙ୍କୁ ଚିହ୍ନିପାରିଵେ ନାହିଁ । ଶୁଆ ରୂପ ଧରି ହନୁମାନ ଚିତ୍ରକୂଟ ପର୍ଵତ କଥା ସ୍ମରଣ କରାଇ ଦେଇ ଦୋହା ବୋଲିଵାକୁ ଲାଗିଲେ । ଏହାଶୁଣି ତୁଳସୀଙ୍କ ନେତ୍ରରେ ଭଗବାନ ରାମଙ୍କ ମନମୋହନ ଛବି ନାଚି ଉଠିଲା । ଆଖି ଲୁହରେ ଛଳଛଳ ହୋଇଗଲା ।ଏଭଳି ଭାଵଵିହ୍ୱଳ ଅବସ୍ଥାରେ ଚନ୍ଦନ କିପରି ବା ଲଗେଇବେ ?

ପ୍ରଭୁ ଶ୍ରୀରାମ ପୁଣି ଥରେ କହିଲେ-
ବାବା ! ମୋତେ ଚନ୍ଦନ ଦିଅନ୍ତୁ, ହେଲେ ତୁଳସୀ ତ ଭାଵିଵିହ୍ୱଳ, ଆତ୍ମହରା । ଏହା ଶୁଣିବେ ଵା କିପରି? ଭଗବାନ ଶ୍ରୀରାମ ଆପଣା ହାତରେ ଚନ୍ଦନ ନେଇ ନିଜ ଲଲାଟ ଓ ତୁଳସୀଙ୍କ ଲଲାଟରେ ଲଗାଇଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତୁଳସୀ ଆଖି ଖୋଲି ଦେଖନ୍ତି ତ ସମ୍ମୁଖରେ ସେହି ଅପୂର୍ଵ କାନ୍ତିଯୁକ୍ତ ଦିଵ୍ଯପୁରୁଷ ନାହାନ୍ତି । ଜଳଵିହୀନ ମତ୍ସ୍ଯ ଭଳି ସେ ଯନ୍ତ୍ରଣାରେ ଛଟପଟ ହେଲେ । ଦିନଯାଇ ରାତି ହେଲା, ହନୁମାନ ତାଙ୍କର ମନୋଭାଵ ଜାଣି ନିକଟକୁ ଆସି ଅନୁରକ୍ତ ଭକ୍ତଙ୍କୁ ବୁଝାଇ ଦେଇଥିଲେ କିପରି ପ୍ରଭୁ ତାଙ୍କ ପ୍ରେମରେ ବାନ୍ଧି ହୋଇ ନିକଟକୁ ଆସିଲେ, ନିଜେ ତିଳକ ଗ୍ରହଣ କରି ତାଙ୍କ କପାଳରେ ତିଳକ ଲଗାଇଲେ ଇତ୍ୟାଦି । ହନୁମାନ କହିଲେ ଵ୍ଯସ୍ତ ହୁଅନି ! ତୁମେ ଏ ନଶ୍ଵର ଶରୀର ତ୍ଯାଗ କଲାପରେ ସେହି ଅନାଦି ଈଶ୍ଵରଙ୍କ ନିତ୍ଯ ଦର୍ଶନ କରିଵ । ଏତିକି କହି ହନୁମାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ...

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...