ଏକଦା ସମ୍ୱଲପୁର ଗଡ଼ଜାତ ରାଜ୍ୟ "ହୀରାଖଣ୍ଡ ସାମ୍ରାଜ୍ୟ" ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ "ହୀରା”ରୁ "ହୀରାଖଣ୍ଡ ସାମ୍ରାଜ୍ୟ''ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା
ରାଜା ରଣଜିତ ସିଂହଙ୍କ ପାଖରେ ଥିଲା ସେ ତାହା ତାଙ୍କ ମୃତ୍ୟୁ ଉତ୍ତାରୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଵା ହେତୁ ସତ୍ତ୍ଵପତ୍ରଟିଏ କରିଥିଲେ ।
ପ୍ରାଗ୍-ଐତିହାସିକ ଯୁଗରେ ସମ୍ୱଲପୁର ହୀରା ଉତ୍ପାଦନଲାଗି ପ୍ରସିଦ୍ଧି ଲାଭ କରିଥିଲା ଏବଂ ଏହି ହୀରା ଭାରତର ସର୍ବୋତ୍କୃଷ୍ଟ ବୋଲି ଵିଵେଚିତ ହେଉଥିଲା । ଇଂରେଜ ଯୁଗରେ ସୁଦ୍ଧା ଏଠାରେ ହୀରା ଉଦ୍ଯୋଗ କହିଥିଵା ତଥା ବହୁ ବଙ୍ଗାଳୀ କାରିଗର ସେହି ଉଦ୍ଯୋଗରେ କାର୍ଯ୍ୟରତ ଥିଵାର ପ୍ରମାଣ ମିଳେ । ଅଵଶ୍ଯ ପରେ ଏହି ଉଦ୍ଯୋଗ ପଶ୍ଚିମ ଭାରତରେ ଅଧିକ ବଢ଼ିବାରୁ ଅନେକ ବଙ୍ଗାଳୀ ହୀରା କାରିଗର ସେ ଅଞ୍ଚଳକୁ ଚାଲିଯାଇଥିଲେ ଏଵଂ ସମ୍ବଲପୁରରେ ହୀରା ଉଦ୍ଯୋଗ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।
ତେଵେ ପାଶ୍ଚାତ୍ୟ ଐତିହାସିକ ଟୋଲେମୀ କଥିତ ମାନ୍ଦଲାଇ ଅଞ୍ଚଳର ସମ୍ୱଳକ ସହରକୁ ସମ୍ୱଲପୁର ସହର ବୋଲି ଚିହ୍ନିତ କରାଯାଇଥାଏ । ଏହି ମାନ୍ଦଲାଇ ଅଞ୍ଚଳକୁୁ ପ୍ଲିନି "ମାଲ୍ଲି" ବୋଲି କହିଛନ୍ତି ଏବଂ ଅାଧୁନିକ ମୁଣ୍ଡା ଜାତି ଏହାର ପୂର୍ଵ ଅଧିବାସୀଙ୍କ ବଂଶଧର ବୋଲି କଥିତ ଅଛି ।
ଜେନେରାଲ କନିଂହାମ୍ଙ୍କ ଅନୁସାରେ ପ୍ଲିନିଙ୍କ ସୁରାଇ ଶବ୍ଦକୁ ଜନଜାତୀୟ "ଶବର" ଜାତିର ନାମ ସହିତ ଚିହ୍ନିତ କରାଯାଇପାରେ । ଗିବନ ଓ ଟୋଭେନିୟର ମଧ୍ୟ ସମ୍ୱଲପୁରର ହୀରା ଖଣି କଥା କହିଛନ୍ତି । ଏ ସବୁ ତଥ୍ୟ ସମ୍ୱଲପୁରର ପ୍ରାଚୀନତା ତଥା ଅସ୍ତିତ୍ୱ ସମ୍ୱନ୍ଧରେ ସୂଚନା ଦିଏ ।
ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗିନୀ ଲକ୍ଷ୍ମୀକରା ସହ ବଜ୍ରଯାନ ବୌଦ୍ଧଧର୍ମ ଓ ସହଜଯାନ ବୌଦ୍ଧଧର୍ମ ତଥା ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର ମହାପଦ୍ମସମ୍ଭଵ ତିବ୍ବତରେ ଲାମା ପନ୍ଥର ପ୍ରତିଷ୍ଠା ନେଇ ସମ୍ୱଳକ ତଥା ସମ୍ୱଲପୁରର ପ୍ରାଚୀନତାର ସୂଚନା ମିଳେ । ଏହି ରାଜା ଇନ୍ଦ୍ରଭୂତି ସମ୍ବଳକ ଦେଶରେ ଉଡ୍ଡିୟାନ୍ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯାହା ଆଧୁନିକ ଓଡ଼ିଶା ନାମ ପାଇଁ ପ୍ରେରଣା ଯୋଗାଇ ଥିଵା କେତେକ ଐତିହାସିକ ମତ ଦିଅନ୍ତି ।
ପ୍ରାଚୀନ ଐତିହ୍ୟସଂପନ୍ନ ସମ୍ବଳକ ଅଞ୍ଚଳରେ ପୂର୍ଵେ ଵିଭିନ୍ନ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ଵିଶେଷତଃ ଶରଭପୁର, ଶ୍ରୀପୁର, ରତନପୁର, ଵିନିକା (ଵିନୀତପୁର), ସୋନପୁର (ସ୍ୱର୍ଣ୍ଣପୁରୀ ଵା ସୁବର୍ଣ୍ଣପୁର), ପାଟଣାଗଡ଼ (ପତ୍ତନଗଡ଼) ଟିଟିଲାଗଡ଼ (ତ୍ରିତଳ ଗଡ଼) ପ୍ରଭୃତି ତତ୍କାଳୀନ ପ୍ରାଚୀନ ରାଜାମାନଙ୍କର ରାଜଧାନୀ ଥିଲା ।
ସମ୍ଭଵତଃ ଖ୍ରୀ.ପୂ. ୫୪ରେ ସୂର୍ଯ୍ୟବଂଶୀୟ ରାଜା ମାଧବ ଚନ୍ଦ୍ର "ପତ୍ତନ'' ରାଜ୍ୟ ପ୍ରତିଷ୍ଠା କରିଥିଲେ ଏଵଂ ସମୟକ୍ରମେ ତାହା ପାଟଣା ରାଜ୍ୟରେ ପରିଣତ ହୋଇଥିଵା ଅନୁମାନ କରାଯାଉଛି । ସେଇଭଳି ଏହି ନଗରର ଅଧିଷ୍ଠାତ୍ରୀ ଦେଵୀଙ୍କ ନାମ ମଧ୍ୟ "ପତ୍ତନେଶ୍ୱରୀ''ରୁ "ପାଟଣେଶ୍ୱରୀ" ନାମ ହୋଇଥାଇପାରେ ।
ପରବର୍ତ୍ତୀ ସମୟରେ ପାଟଣାର ସାମନ୍ତ ରାଜା କୃତ୍ତିଵାସ ଦେଓ ୧୧୩୨ ଖ୍ରୀ.ଅ.ରେ ଅପୁତ୍ରିକ ଭାବରେ ମୃତ୍ୟୁଵରଣ କଲେ ଏବଂ ତାଙ୍କ ପରେ ତାଙ୍କ ରାଣୀ ହେମନ୍ତ କୁମାରୀ ଅାଠଜଣ ମନ୍ତ୍ରୀ (ଅଷ୍ଟମଲ୍ଲିକ)ଙ୍କ ସହାୟତାରେ ଶାସନ ଚଳାଇଲେ । ପରବର୍ତ୍ତୀ ସମୟରେ ଏହାର ସୁଯୋଗ ନେଇ "ମୁଣ୍ଡୋ" ମଲ୍ଲିକ ବା ମୁଖ୍ୟ ଥିବା ଚକ୍ରଧର ପାଣିଗ୍ରାହୀଙ୍କ ଅାଶ୍ରିତ ତଥା ପାଳିତ ପୁତ୍ର ରମାଇ ଦେବ ଅଷ୍ଟମଲ୍ଲିକଙ୍କ ମଧ୍ୟରୁ ସାତ ଜଣଙ୍କୁ ହତ୍ୟାକରି ଓ ତାଙ୍କ ଅାଶ୍ରିତ ପିତା ଚକ୍ରଧର ପାଣିଗ୍ରାହୀଙ୍କୁ କରାୟତ୍ତ କରି ପାଟଣାଗଡ଼ ରାଜସିଂହାସନରେ ଖ୍ରୀ. ୧୧୫୯ରେ ଉପଵିଷ୍ଟ ହେଲେ ତଥା ଚୌହାଣ ରାଜତ୍ୱ ପ୍ରତିଷ୍ଠା କଲେ ।
କିମ୍ବଦନ୍ତୀ କୁହେ ସେ ଥିଲେ ଦିଲ୍ଲୀ ସମ୍ରାଟ ପୃଥ୍ୱୀରାଜଙ୍କ ବଂଶଧର ତଥା ତତ୍କାଳୀନ ସମୃଦ୍ଧଶାଳୀ "ଗଡ଼ସମ୍ୱର'' ରାଜ୍ୟର ରାଜା ଵିଶାଳ ଦେବଙ୍କ କନିଷ୍ଠା ରାଣୀ ଅାଶାବତୀଙ୍କ ଗର୍ଭରୁ ଜନ୍ମିତ ଏକମାତ୍ର ପୁତ୍ର । କଥିତ ଅଛି ଯେ, ଏକଦା ସମୃଦ୍ଧିଶାଳୀ ଥିଵା "ଗଡ଼ସମ୍ୱର" ରାଜ୍ୟରେ ଚୌହାଣବଂଶୀୟ ରାଜା ବିଶାଳ ଦେଵ ରାଜତ୍ୱ କରୁଥିଲେ ।
ଅାଫଗାନମାନଙ୍କ ସହ ପରାସ୍ତ ହୋଇ ରାଜା ନିହତ ହେଵା ପରେ ତାଙ୍କର ପାଞ୍ଚରାଣୀ ସ୍ୱାମୀଙ୍କ ଚିତାରେ ଝାସ ଦେଲେ କିନ୍ତୁ କନିଷ୍ଠାରାଣୀ ଅାଶାଦେଵୀ ଅନ୍ତଃସତ୍ତ୍ୱା ଥିଵାରୁ ସ୍ୱାମୀଙ୍କ ସହଗାମିନୀ ନ ହୋଇ ଦୁଇଜଣ ବିଶ୍ୱସ୍ତ ଭୃତ୍ୟ ସହ ହସ୍ତୀରେ ବସି ପଳାୟନ କରିଥିଲେ । କିନ୍ତୁ ସେହି ଭୃତ୍ୟ ଦ୍ୱୟ ଘନ ଜଙ୍ଗଲ ମଧ୍ୟରେ ରାଣୀଙ୍କୁ ଏକାକିନୀ ଛାଡ଼ି ପଳାୟନ କରିଵାରୁ ରାଣୀଙ୍କୁ ଜଣେ ସ୍ଥାନୀୟ ଅଧିଵାସୀ ରାମୋଡ଼ ବରିହା ଓ ତାଙ୍କ ସ୍ତ୍ରୀ ସହାୟତା କରିଥିଲେ । ସେଠାରେ ତାଙ୍କର ଏକମାତ୍ର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେ ହେଉଛନ୍ତି ପାଟଣା ରାଜ୍ୟରେ ଚୌହାଣ ରାଜତ୍ୱର ପ୍ରତିଷ୍ଠାତା ରମାଇ ଦେବ । ଚୌହାଣ ରାଜତ୍ୱରେ ପାଟଣା ରାଜ୍ୟର ପ୍ରତିପତ୍ତି ପ୍ରତିଷ୍ଠିତ ହୋଇଥିଲା । ରାଜ୍ୟର ପରିସୀମା ପୂର୍ବରେ ବୌଦରାଜ୍ୟ, ପଶ୍ଚିମରେ ବିନ୍ଦ୍ରା-ନୂଅାଁଗଡ଼, ଦକ୍ଷିଣରେ ତେଲନଦୀ ଓ ଉତ୍ତରରେ ମହାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପ୍ରୋକ୍ତ କିମ୍ବଦନ୍ତୀକଥାରେ କେତେ ସତ୍ଯତା ରହିଛି ତାହା ଐତିହାସିକ ମହଲରେ ଏଵେ ବି ଚର୍ଚ୍ଚାର ଵିଷୟ ଅଟଇ ।
ରମାଇଦେଵଙ୍କ ପରେ ତାଙ୍କ ବଂଶଧରମାନେ ପାଟଣା ରାଜ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲେ । ଏହି ବଂଶର ଦ୍ୱାଦଶ ରାଜା ହୀରା ବଜ୍ରଦେଵ ୧୫୧୯ରୁ ୧୫୪୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ନରସିଂହଦେଵ ୧୫୪୯ରୁ ୧୫୫୭ ପର୍ଯ୍ୟନ୍ତ ରାଜା ହୋଇଥିଲେ । ରାଜା ନରସିିଂହଦେଵ ରାଜ୍ୟ ଶାସନ ତଥା ରାଜ୍ୟର ସୁରକ୍ଷା ନେଇ ତାଙ୍କ ସାନଭାଇ ବଳରାମ ଦେଵଙ୍କ ଉପରେ ନିର୍ଭର କରୁଥିଲେ । ବଳରାମ ଦେଵ ମଧ୍ୟ ସାହସୀ ଓ ବଡ଼ଭାଇଙ୍କ ପରି ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ ଓ ତାଙ୍କ ସହାୟତାରେ ସେ ପାଟଣା ରାଜ୍ୟର ସ୍ୱାଧୀନତା ଘୋଷଣା କରି ଵସ୍ତର ରାଜାଙ୍କ ସହ ଯୁଦ୍ଧ କଲେ ।
ତତ୍କାଳୀନ ପ୍ରଭାଵଶାଳୀ ଵିଜୟନଗରମ୍ ରାଜ୍ୟର ରାଜା ଵସ୍ତର ରାଜାଙ୍କୁ ସହାୟତା ଯୋଗାଇ ଥିଲେ ମଧ୍ୟ ଵସ୍ତର ରାଜା ଯୁଦ୍ଧରେ ପରାଜୟ ବରଣ କଲେ । ଏହି ଯୁୁଦ୍ଧରେ ଵିଜୟ ଲାଭ ପରେ ପାଟଣା ରାଜ୍ୟରେ ସାର୍ଵଭୌମତ୍ୱ ପ୍ରତିଷ୍ଠା ହେଲା ।
କଥିତ ଅଛି ଯେ, ପାଟଣା ରାଜ୍ୟ ମହାରାଣୀ ଗର୍ଭକଷ୍ଟ ଭୋଗୁଥିଵା ଜାଣି ବଳରାମ ଦେଵ ପୂର୍ଣ୍ଣଗର୍ଭା “ମାୟାଵତୀ ନଦୀ” ପାରହୋଇ ଅାରପଟରେ ଥିଵା ବରପଦର ଗ୍ରାମରୁ ରାତ୍ରୀକାଳରେ ଧାତ୍ରୀଙ୍କୁ ଅାଣି ମହାରାଣୀଙ୍କ ପ୍ରସଵ କାର୍ଯ୍ୟ ସଂପନ୍ନ କରାଇଥିଲେ । ଏଥିରେ ରାଜା ନରସିଂହ
ଦେଵ ସନ୍ତୁଷ୍ଟ ହୋଇ ପାଟଣା ରାଜ୍ୟର ପୂର୍ଵ-ଉତ୍ତର ଅଂଶ ବଳରାମ ଦେଵଙ୍କୁ ପ୍ରଦାନ କରିଥିଲେ ।
ସେହି ଅଂଶର କେନ୍ଦ୍ରସ୍ଥଳରେ ସେ ବଳରାମଗଡ଼ ପ୍ରତିଷ୍ଠା କରି ନିଜର କ୍ଷମତା ବିସ୍ତାର କରିଥିଲେ । ଆଜି ଉକ୍ତ ନଗର ବଲାଙ୍ଗୀର ନାମରେ ଖ୍ଯାତ ହୋଇଅଛି ।
ବଳରାମ ଦେଵ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୫୫୨ରେ ପାଟଣା ରାଜ୍ୟର ଏକ ସାମନ୍ତ ରାଜା ଭାଵରେ ସ୍ୱୀକୃତ ହୋଇଥିଲେ । ଏହା ପରେ ସେ ଶବର (ସହଁରା,ସଉରା) ସର୍ଦ୍ଦାର ଵର୍ଣ୍ଣ ଓ ଉଜାର ଭାଇ ଦ୍ୱୟଙ୍କୁ ତଡ଼ି ବରଗଡ଼ ଦଖଲ କରିଥିଲେ ।
ବରଗଡ଼ ଦଖଲ ପରେ କ୍ଷମତା ବିସ୍ତାର ନେଇ ଉଭୟ ଭାଇଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା । ରାଜମାତା ଏଥିରେ ହସ୍ତକ୍ଷେପ କରି "ସୁରଙ୍ଗୀ ନଦୀ"କୁ ଉଭୟ ଭାଇଙ୍କ ରାଜ୍ୟସୀମା ଭାବରେ ନିର୍ଣ୍ଣୟ କରି ଶପଥ କରାଇଥିଲେ । ଏଣୁ ଏହି ଦିନଠାରୁ ସୁରଙ୍ଗୀ ନଦୀର ନାମ ପରିବର୍ତ୍ତିତ ହୋଇ "ଅଙ୍ଗନଦୀ" ହୋଇଛି । ଅଙ୍ଗ ଓ ମହାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଭାଗ ପାଇଲା ପରେ ବଳରାମ ଦେଵଙ୍କୁ ତାଙ୍କ ପୂର୍ବ ରାଜଧାନୀ ବଳରାମଗଡ଼ ଵା ଆଧୁନିକ ବଲାଙ୍ଗୀର ହରାଇଵାକୁ ପଡ଼ିଲା ଓ ସେ ଏକ ନୂତନ ରାଜଧାନୀ ନିର୍ମାଣପାଇଁ ଲାଗି ପଡ଼ିଲେ ।
ରାଜା ବଳରାମ ଦେଵ ୧୫୫୨-୫୩ରେ ଭାଇଭାଗ ସୂତ୍ରରେ ବରଗଡ଼ ଅଞ୍ଚଳ ପାଇଵା ପରେ ବରଗଡ଼ରେ ନିଜର ଅସ୍ଥାୟୀ ରାଜଧାନୀ ପ୍ରତିଷ୍ଠା କରି ଶାସନ କାର୍ଯ୍ୟ ଅାରମ୍ଭ କଲେ । ବରଗଡ଼ର ଉତ୍ତର-ପଶ୍ଚିମ ଦିଗରେ ଅର୍ଦ୍ଧବୃତ୍ତାକାର ଭାବରେ ବାରପାହାଡ଼ ପର୍ବତମାଳା ଘେରି ରହିଥିବା ଏକ ସୁରକ୍ଷିତ ସ୍ଥାନ ନିରୂପଣ କରି ତାଙ୍କର ରାଜଧାନୀ ନୂତନଗଡ଼ ପ୍ରତିଷ୍ଠା କଲେ । ତାହା ଆଜି ନୂଅାଁଗଡ଼ ନାଁରେ ପରିଚିତ ହେଉଅଛି । ଗିରିସୁଲ ଓ ଜିରାନଦୀ ଅଵଵାହିକାରେ ଅଧୁନା ବରଗଡ଼ ଜିଲ୍ଲାର ଭଟଲି ଥାନାରେ ଏହି ନୂଅାଗଡ଼ ଅବସ୍ଥିତ । ଏଠାରେ ଏହି ପ୍ରାଚୀନ ଗଡ଼ର ଭଗ୍ନାବଶେଷ ରହିଛି । ସମ୍ଭଵତଃ ୧୫୫୩-୫୪ରେ ନୂଅାଁଗଡ଼ଠାରେ ରାଜଧାନୀ ପ୍ରତିଷ୍ଠା ହୋଇଥିଵା ଜଣାଯାଏ ।
ସମ୍ୱଲପୁରର ପ୍ରାଚୀନତା ନେଇ ଵିଭିନ୍ନ ଐତିହାସିକ ସୂଚନା ଥିଲେ ହେଁ, ସମ୍ୱଲପୁର ରାଜ୍ୟ ପ୍ରତିଷ୍ଠାତା ତଥା ଏହାର ପ୍ରଥମ ରାଜା ବଳରାମ ଦେବ ଏଠାରେ ରାଜଧାନୀ ଓ ସମଲେଶ୍ୱରୀ ଦେଵୀଙ୍କ ସ୍ଥାପନା ପରେ ହିଁ ସମ୍ୱଲପୁରର ଗୁରୁତ୍ୱ ପ୍ରତିପାଦିତ ହୋଇଥିଲା । ଏଠାରେ ରାଜଧାନୀ ପ୍ରତିଷ୍ଠା ନେଇ ଏକ ସୁନ୍ଦର କିମ୍ୱଦନ୍ତୀ ରହିଛି ।
କିମ୍ବଦନ୍ତୀଟି ଏଇଭଳି ― ଦିନେ ରାଜା ବଳରାମ ଦେବ ମୃଗୟା କରିଵାକୁ ଯାଇ ମହାନଦୀର ଦକ୍ଷିଣ ତୀରରେ ଅଧୁନା ଚାଉଁରପୁର ନିକଟରେ ଶିବିର ପକାଇଥିଲେ । ସେଠାରେ ତାଙ୍କ ଶିବିରରେ ରୋଷେଇପାଇଁ ଚାଉଳ ସଂଗ୍ରହ କରାଯାଇଥିଵାରୁ ରାଜା ସେହି ସ୍ଥାନର ନାମ "ଚାଉଳପୁର" ଦେଇଥିଲେ । ପରେ ତାହା ଅପଭ୍ରଂଶ ହୋଇ “ଚାଉଁରପୁର” ହୋଇଛି । ଅପରପାର୍ଶ୍ୱ ତଥା ମହାନଦୀର ଉତ୍ତର ତୀର ସେତେବେଳେ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ସେଠାକୁ ମୃଗୟା କରିଵାକୁ ଯାଇଥିଵା ସମୟରେ ଗୋଟିଏ ଠେକୁଅାକୁ ଦେଖି ତାଙ୍କ କୁକୁରକୁ ଠେକୁଅାଟିକୁ ଧରିଵାପାଇଁ ଇଙ୍ଗିତ କଲେ । କୁକୁର କିଛି ବାଟ ଯିଵା ପରେ ଓଲଟା ଠେକୁଆଟା କୁକୁରକୁ ମାରିଵାକୁ ଗୋଡ଼ାଇଲା ଓ କୁକୁର ପଛକୁ ହଟି ଅାସିଲା । ଏହିପରି କିଛି ଥର ଘଟିଵା ପରେ ସେ ଠେକୁଆ କାହିଁ ଅଦୃଶ୍ୟ ହୋଇଗଲା । ରାଜା ଏହା ଦେଖି ଏହି ସ୍ଥାନ ଏକ ବୀରଭୂମି ବୋଲି ଭାଵିଲେ । ରାତିରେ ତାଙ୍କୁ ସ୍ୱପ୍ନାଦିଷ୍ଟ ହେଲା ଓ ସେଠାରେ ସେ ଦେଵୀଙ୍କୁ ପ୍ରତିଷ୍ଠା କରି ଗଡ଼ ସ୍ଥାପନ କଲେ । ଦେବୀଙ୍କୁ ଶିମୂଳୀ ଗଛ ମୂଳରେ ସ୍ଥାପନା କରାଯାଇଥିବାରୁ ଦେବୀଙ୍କ ନାମ "ଶାଳ୍ମଳୟୀ ଦେବୀ ବା ସୋମଲାଇ ଦେବୀ" ତଥା ଗଡ଼ର ନାମ "ସୋମଲାଇ ଗଡ଼"ରୁ "ସୋମଲାଇପୁର" ଓ ପରେ "ସମ୍ୱଲପୁର" ହୋଇଥିବା ଜଣାଯାଏ ।
ଅନ୍ୟ ଏକ ମତ ଅନୁସାରେ, "ଗଡ଼ସମ୍ୱର" ଚୌହାଣମାନଙ୍କ ଅାରାଧ୍ୟ ଦେଵୀ "ସମରେଶ୍ୱରୀ" । ବଳରାମ ଦେଵ ଗଡ଼ସମ୍ୱରୀ ଚୌହାଣମାନଙ୍କ ବଂଶଧର । ଏଣୁ ସମରେଶ୍ୱରୀରୁ ସମ୍ୱଲେଶ୍ୱରୀ ଵା ସମଲେଶ୍ୱରୀ ନାମ ପରିଵର୍ତ୍ତିତ ହୋଇଛି । ଏ ସମ୍ୱନ୍ଧରେ ଥିଵା ଐତିହାସିକ ତଥ୍ୟାଵଳୀଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ବଳରାମ ଦେଵ ଖ୍ରୀ: ୧୫୫୪ ପରେ ଓ ୧୫୫୭ ପୂର୍ଵରୁ ତଥା ପାଟଣା ରାଜ୍ୟର ରାଜା ତଥା ତାଙ୍କ ବଡ଼ଭାଇ ନରସିଂହ ଦେବ
ଵଙ୍କ ମୃତ୍ୟୁ ପୂର୍ଵରୁ ହିଁ ସମ୍ୱଲପୁରଠାରେ ରାଜଧାନୀ ପ୍ରତିଷ୍ଠା କରିଥିଲେ ।
ସେହି ସମୟରେ ମହାନଦୀର ଉତ୍ତରପାର୍ଶ୍ୱ ସୁରଗୁଜା ରାଜ୍ୟର ଅନ୍ତର୍ଗତ ଥିଲା ଓ ଏହା ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ବଳରାମ ଦେବ ସୁରଗୁଜା ରାଜ୍ୟ ସୀମା ମଧ୍ୟରେ ରାଜଧାନୀ ପ୍ରତିଷ୍ଠା କରିଥିଵାରୁ ସୁରଗୁଜା ରାଜାଙ୍କ ସହିତ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ସୁରଗୁଜା ରାଜା ପରାସ୍ତ ହୋଇଥିଲେ । ପରେ ବଳରାମ ଦେଵ ଗାଙ୍ଗପୁର, ବାମଣ୍ଡା, ବଣାଇ ଇତ୍ୟାଦି ରାଜ୍ୟ ଜୟ କରିଥିଲେ । ଏଣୁ ପ୍ରୋକ୍ତ ଘଟଣା ପ୍ରଵାହ ଓ ତଥ୍ୟାବଳୀରୁ ସମ୍ୱଲପୁର ରାଜଧାନୀ ପ୍ରତିଷ୍ଠା ଓ ସମ୍ୱଲପୁର ରାଜ୍ୟ ପ୍ରତିଷ୍ଠା ସମୟ ଖ୍ରୀଷ୍ଟାବ୍ଦ ୧୫୫୫-୧୫୫୬ ବୋଲି ଜଣାଯାଏ ।
ସମ୍ୱଲପୁରଠାରେ ରାଜଧାନୀ ସ୍ଥାପନ ପରେ ହିଁ ସମ୍ୱଲପୁର ରାଜ୍ୟ ତଥା ହୀରାଖଣ୍ଡ ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଏହା ଏକ ସ୍ୱାଧୀନ ରାଜ୍ୟରେ ପରିଣତ ହେଲା । ରାଜା ନରସିଂହ ଦେଵଙ୍କ ମୃତ୍ୟୁ ପରେ ପାଟଣା ରାଜ୍ୟପୁଞ୍ଜ ଉପରେ ମଧ୍ୟ ସମ୍ୱଲପୁରର କର୍ତ୍ତୃତ୍ୱ ବୃଦ୍ଧି ପାଇଥିଲା । ଏଣୁ ଅତି ଅଳ୍ପ ଦିନ ମଧ୍ୟରେ ବଳରାମ ଦେଵ ପାଟଣା ଓ ସମ୍ୱଲପୁର ରାଜ୍ୟପୁଞ୍ଜର ପନ୍ଦରଗୋଟି କରଦ ରାଜ୍ୟର ଅଧୀଶ୍ୱର ହୋଇ ପାରିଥିଲେ । ରାଜା ବଳରାମ ଦେଵଙ୍କ ଦ୍ୱାରା ସ୍ଥାପିତ ଗଡ଼ର ପରିସୀମା ପୂର୍ଵ ଦିଗରେ ମୁହାଣ ଦର୍ଜା (ସାମିୟା ମନ୍ଦିର), ପଶ୍ଚିମରେ ସମଲାଇ ଦର୍ଜା, ଉତ୍ତର ଦିଗରେ ଛତ୍ର ସାଗର ଓ ଦକ୍ଷିଣ ଦିଗରେ ମହାନଦୀ ପର୍ଯ୍ୟନ୍ତ ଵିସ୍ତୃତ ଥିଲା । ଦକ୍ଷିଣ ଦିଗରେ ପ୍ରଵାହିତ ମହାନଦୀ ପ୍ରାକୃତିକ ଖାଇ ଭାବରେ ରହିଥିବା ହେତୁ ଅନ୍ୟ ତିନି ଦିଗରେ ଖାଇ ଖନନ କରାଯାଇଥିଲା ଓ ପାଚେରି ନିର୍ମାଣ କରାଯାଇ ଗଡ଼କୁ ସୁରକ୍ଷିତ କରାଯାଇଥିଲା ।
ବଳରାମ ଦେବ ରାମଜୀଗୁଡ଼ି ଓ ପାଟଣେଶ୍ୱରୀ ମନ୍ଦିର ମଧ୍ୟରେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାର ଭଗ୍ନାଵଶେଷ ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ ଅଵସ୍ଥାରେ ରହିଛି । ସମ୍ୱଲପୁର ଐତିହାସିକ ରାଜବାଟୀର ରାଣୀମହଲର କିଛି ଅଂଶ ଏବେ ମଧ୍ୟ ଗୁଳ୍ମ ଵୃକ୍ଷାଦିମଣ୍ଡିତ ହୋଇ ଵିପର୍ଯ୍ୟସ୍ତ ଅଵସ୍ଥାରେ ପାଟଣେଶ୍ୱରୀ ମନ୍ଦିରର ଠିକ୍ ପୂର୍ଵ ଦିଗରେ ରହିଛି । ଦୀର୍ଘ ୩୨ ଵର୍ଷ ରାଜ୍ୟ ଶାସନ କରିଵା ପରେ ୧୫୮୪ରେ ବଳରାମ ଦେଵଙ୍କର ଦେହାନ୍ତ ହୋଇଥିଲା ଓ ତାଙ୍କ ପରେ ତାଙ୍କ ପୁତ୍ର ହ୍ରିଦେ ନାରାୟଣ ଦେଵ ରାଜତ୍ୱ କରିଥିଲେ । ପରେ ବଳଭଦ୍ର ସାଏ, ମଧୁକର ସାଏ, ବଳୀୟାର ସିଂହ, ରତ୍ନ ସିଂହ, ଛତ୍ର ସାଏ, ଅଜିତ ସିଂହ, ବଳଭଦ୍ର ସାଏ (ଦ୍ୱିତୀୟ), ଅଭୟ ସିଂହ, ଜୟନ୍ତ ସିଂହ ପ୍ରମୁଖ ଚୌହାଣ ରାଜାମାନେ ୨୦୦ ବର୍ଷ ଧରି ସମ୍ୱଲପୁର ରାଜ୍ୟ ଶାସନ କରିଥିଲେ ।
ସମ୍ୱଲପୁର ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ପାଞ୍ଚ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠପୁତ୍ର ବଳୀୟାର ସିଂହ ରାଜା ଭାଵରେ ବିଶେଷ ପରାକ୍ରମଶାଳୀ ଥିଲେ । ସେ ରାଜ୍ୟ ଵିସ୍ତାର କରି ଅଠରଗଡ଼ ମଉଡ଼ମଣି ଭାବରେ ଖ୍ୟାତ ଥିଲେ । ଦ୍ୱିତୀୟ ପୁତ୍ର ଅନିରୁଦ୍ଧ ସାଏ ଖିଣ୍ଡା ଓ ରାଜପୁର ଜମିଦାରୀ ଓ ତୃତୀୟ ପୁତ୍ର ମଦନଗୋପାଳ ସୋନପୁର ରାଜ୍ୟ ପାଇଥିଲେ । ଚତୁର୍ଥ ପୁତ୍ର ବଂଶୀଗୋପାଳ ସନ୍ନ୍ୟାସୀ ହୋଇ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ଅନିରୁଦ୍ଧ ସାଏଙ୍କ ପୁତ୍ର ମାଧୋ ସିଂହ ଖିଣ୍ଡା ଓ ଅନ୍ୟ ପୁତ୍ର ଜଗନ୍ନାଥ ସିଂହଙ୍କ ବଂଶଧର ରାଜ ସିଂହ ରାଜପୁର ଭରଣପୋଷଣପାଇଁ ପାଇଥିଲେ ।
କଳିଙ୍ଗ ଦେଶର ଵୀର ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଚୌହାଣ ରାଜବଂଶର ଖିଣ୍ଡା ଶାଖାରେ ଜନ୍ମଗ୍ରହଣ କରିଥିଲେ । ରାଜା ଜୟନ୍ତ ସିଂହଙ୍କ ରାଜତ୍ୱ କାଳରେ ଵିଭିନ୍ନ ସଙ୍କଟ ଅାରମ୍ଭ ହେଲା । ଖ୍ରୀ: ୧୭୯୯ରେ ମରହଟ୍ଟାମାନଙ୍କ ସମ୍ୱଲପୁର ଅାକ୍ରମଣ ପ୍ରତିହତ କରିବାକୁ ଵିଫଳ ହେଵାରୁ ରାଜା ଜୟନ୍ତ ସିଂହ ଓ ତାଙ୍କର ଏକମାତ୍ର ନାବାଳକ ପୁତ୍ର ମହାରାଜ ସାଏ ବନ୍ଦୀ ହୋଇ ଚାନ୍ଦା ଦୁର୍ଗକୁ ପ୍ରେରିତ ହୋଇଥିଲେ । ଏହି ଦିନଠାରୁ ସମ୍ୱଲପୁରର ଭାଗ୍ୟ ରବି ଅସ୍ତମିତ ହେଵାକୁ ବସିଲା । ଵର୍ଗୀ ଆକ୍ରମଣ ଓ ଲୁଣ୍ଠନ ସହ ମୋଗଲ ଆକ୍ରାନ୍ତାମାନଙ୍କ ଅତ୍ଯାଚାର ଯୋଗୁଁ ସମ୍ବଲପୁର ସମେତ ସଂପୂର୍ଣ୍ଣ କଳିଙ୍ଗ ଦେଶ ଧୀରେ ଧୀରେ ଦରିଦ୍ରତମ ଭୂଭାଗରେ ପରିଣତ ହେଲା । ଵର୍ଗୀମାନେ ଘରେ ଘରେ ପସି ଲୁଣ୍ଠନ କଲେ । ତାଙ୍କ ଭୟରେ ଲୋକେ ଘରର ଧାତଵ ବାସନକୁସନ ସୁଦ୍ଧା ପୋତି ପକାଉଥିଲେ । ସମୟକ୍ରମେ ତତ୍କାଳୀନ କଳିଙ୍ଗ ଦେଶରେ କି ନଗର ଗ୍ରାମ ସର୍ଵତ୍ର ଚାଳଘର ଦୃଶ୍ୟ ହେଵାକୁ ଲାଗିଲା । ସେ ଯୁଗରେ ସମ୍ପନ୍ନ ଲୋକେ ବି ନିଜର ସ୍ଵଚ୍ଛଳତା ଲୁଚାଇଵା ପାଇଁ ଦରିଦ୍ର ଭଳି ଜୀଵନଯାପନ କରିଵାକୁ ଲାଗିଲେ । କଳିଙ୍ଗ ଦେଶର ଯୋଦ୍ଧାଜାତିମାନଙ୍କ ମଧ୍ୟରେ ଅନେକ ନିଜର ସୈନିକ ବୃତ୍ତି ହରାଇ ଚାଷଵାସ କରିଵାକୁ ଲାଗିଲେ ଏଵଂ ଏମିତି ସମୟ ବି ଆସିଲା ଯେତେଵେଳେ ତାଙ୍କୁ ପେଟ ପାଇଁ ନିଜ ଅସ୍ତ୍ରଶସ୍ତ୍ର ସବୁ ବନ୍ଧା ପକାଇଵାକୁ ପଡି଼ଥିଲା,ବିକିଵାକୁ ପଡି଼ଥିଲା ।
କଳିଙ୍ଗ ଦେଶ ମୋଗଲ,ବଙ୍ଗାଳୀ ତୁର୍କ ଓ ମରହଟ୍ଟାଙ୍କ ଦ୍ଵାରା ପ୍ରାୟ ଦୁଇଶତାଧିକ ଵର୍ଷ ପରାଧୀନ ହେଵାପରେ ଏ ଦେଶକୁ ଆଉ ଏକ ଧନଲୋଭୀ ଵୈଦେଶିକ ଇଂରେଜ ଜାତିର ଆଗମନ ହେଲା । ସେମାନେ ମରାଠୀ ଶାସକଙ୍କୁ ସହଜରେ କଟକାଞ୍ଚଳରୁ ତଡି଼ଦେଇଥିଲେ ।
ତେଵେ ଖ୍ରୀ: ୧୮୧୭ରେ ତୃତୀୟ ମରହଟ୍ଟା ସମର ଓ ନାଗପୁର ସନ୍ଧି ପରେ ଇଂରେଜମାନେ ବୃଦ୍ଧରାଜା ଜୟନ୍ତ ସିଂହଙ୍କୁ ଅପ୍ରାପ୍ତଵୟସ୍କ ପୁତ୍ର ମହାରାଜା ସାଏଙ୍କ ସହିତ ମୁକ୍ତ କରି ଅାଣି ସମ୍ୱଲପୁର ରାଜ ସିଂହାସନରେ ବସାଇଲେ । ଖ୍ରୀ: ୧୮୧୮ରେ ଜୟନ୍ତ ସିଂହଙ୍କ ମୃତ୍ୟୁ ହେଲା ଓ ମହାରାଜ ସାଏଙ୍କ ଶାସନକାର୍ଯ୍ୟ ସମ୍ଭାଳିଵାର ଵୟସ ହୋଇନଥିଵାରୁ ଇଂରେଜମାନେ ଖ୍ରୀ: ୧୮୨୦ ପର୍ଯ୍ୟନ୍ତ ରାଜ୍ୟଶାସନ କରି ୧୮୨୦ ଖ୍ରୀ:ରେ ମହାରାଜ ସାଏଙ୍କୁ ଗାଦିରେ ବସାଇଥିଲେ ହେଁ ପ୍ରକୃତରେ ଇଂରେଜମାନେ ହିଁ ଶାସନ କରୁଥିଲେ ।
ସେମାନେ ରାଜାଙ୍କୁ ଵିଶେଷ କିଛି କ୍ଷମତା ଦେଇ ନଥିଲେ । ଖ୍ରୀ: ୧୮୨୭ରେ ରାଜା ମହାରାଜ ସାଏଙ୍କ ନିଃସନ୍ତାନ ଭାଵରେ ମୃତ୍ୟୁପରେ ସମ୍ୱଲପୁରରେ ଚୌହାଣ ରାଜତ୍ୱର ଯବନିକା ପଡ଼ି ଯାଇଥିଲା ।
ରାଜାଙ୍କ ମୃତ୍ୟୁ ଖବର ଲୁକ୍କାୟିତ ରଖି ଖ୍ରୀ: ୧୮୩୩ ପର୍ଯ୍ୟନ୍ତ ଇଂରେଜମାନେ ଵିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇ ରାଜ୍ୟ ଶାସନ କଲେ । ରାଜାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵାରୁ ରାଜଗାଦିପାଇଁ ଦାଵିଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଅାରମ୍ଭ ହେଵାକୁ ଲାଗିଲା ଓ ରାଜ୍ୟରେ ଅଶାନ୍ତି ସୃଷ୍ଟି ହେଲା । ଏଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ଗାଦିରୁ ହଟାଇ ରାଣୀଙ୍କ ଇଚ୍ଛା ନାମରେ ୧୮୩୩ ଅକ୍ଟୋବର ୧୧ ତାରିଖରେ ଜଣେ ଅନାଗତ ବୃଦ୍ଧ ନାରାୟଣ ସିଂହଙ୍କୁ ରାଜପଦରେ ମଣ୍ଡିତ କରାଇଲେ । ବୃଦ୍ଧ ନାରାୟଣ ସିଂହ ଅନାଗତ, ଅପାରଗ ଓ ଶୁଦ୍ଧ ଚୌହାଣ ବଂଶୀୟ ନଥିବା କାରଣରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନ ଥିଲେ । ଏହି ରାଜା ନାରାୟଣ ସିଂହଙ୍କର ୧୮୪୯ ସେପ୍ଟେମ୍ୱର ୧୦ ତାରିଖରେ ଦେହାନ୍ତ ହେଵାପରେ ସମ୍ୱଲପୁରର ଐତିହ୍ୟସଂପନ୍ନ ତିନି ଶହ ବର୍ଷର ଚୌହାଣ ରାଜତ୍ୱର ପରିସମାପ୍ତି ଘଟିଥିଲା । ତେଵେ କୁହାଯାଏ ଯେଉଁଠି ଗୋଟିଏ କାହାଣୀର ଅନ୍ତ ହୁଏ ସେଠାରୁ ଆଉ ଏକ କାହାଣୀର ଅୟମାରମ୍ଭ ହୋଇଥାଏ । ସମ୍ବଲପୁରର ଐତିହାସିକ ଭୂମିରେ ମଧ୍ୟ ତାହା ହିଁ ଘଟିତ ହୋଇଥିଲା । ସେହିଦିନଠାରୁ ଆରମ୍ଭ ହୋଇଥିଲା କଳିଙ୍ଗୀ ଵୀର ସୁରେନ୍ଦ୍ର ସାଏଙ୍କ ଯୁଦ୍ଧ ସଂଗ୍ରାମର ଯୁଗ !!!
ଜୟ ମା ସମଲେଇ
ଜୟ ସମ୍ବଲପୁର
(ଦାଶରଥି ସାହୁଙ୍କ “ଆମ ସୁରେନ୍ଦ୍ର ସାଏ” ପୁସ୍ତକର
“ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ଓ ଚୌହାଣ ରାଜତ୍ଵ” ପ୍ରବନ୍ଧର ସାମାନ୍ୟ ପରିଵର୍ତ୍ତନ ସହ ପୁନଃପ୍ରସ୍ତୁତିକରଣ)
No comments:
Post a Comment