ସେତେବେଳେ ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର ଢେଙ୍କାନାଳଗଡ଼ର ଶାସକ ଥାଆନ୍ତି । ସେ ଥରେ ଗୋଟିଏ ପଣ୍ଡିତ ସଭାର ଆୟୋଜନ କରାଇଥିଵାରୁ ଉତ୍କଳଘଣ୍ଟ ଯଦୁମଣି ସେଠାକୁ ଯାଇଥିଲେ । ରାଜା ସ୍ଵୟଂ ପଣ୍ଡିତମାନଙ୍କର ଅଭ୍ୟର୍ଥନା କରୁଥାଆନ୍ତି । ଯେତେ ଉହୁଙ୍କିଲେ ବି ଯଦୁମଣିଙ୍କୁ ଦ୍ଵାରରକ୍ଷକମାନେ ଭିତରକୁ ଯିଵାକୁ ଦେଲେ ନାହିଁ । ରାଜା ଯଦୁମଣିଙ୍କୁ ଚିହ୍ନି ନପାରି କ୍ୟେତୁ କ୍ୟୈତୁ ବୋଲି ବାରମ୍ବାର କହି ତାଙ୍କୁ ସଭା ମଧ୍ଯକୁ ଯିଵାକୁ ଅନୁମତି ଦେଲେନି ।
ଯଦୁମଣି ଲେଉଟି ଆସନ୍ତେ ମାତ୍ର ସେ ବି ସହଜେ ଛାଡି଼ଵା ଲୋକ ନୁହନ୍ତି । ସେଇଠି ତତ୍କ୍ଷଣାତ୍ ସେ ଏକ ଆଶୁ କଵିତା ଗାଇଲେ...
“ମନସୀ କାଳୀ ମନ୍ଦିର ଅହିତ
ଶୋଭାଗ୍ର ଅଗ୍ରଫଳ ସଙ୍ଗେ ମିତ
ଚତୁର ଭଜନରେ ବଳଵନ୍ତ
ସମାପ୍ତ ଋକ୍ଷକନ୍ୟାର ଵରତ
ସେ ଦେଵଙ୍କ ଅନୁଗ୍ରହେ
ଶ୍ରୀଦେଉ ଶ୍ରୀମୁଖେ ବାନ୍ଧି ଦେଇଛନ୍ତି
ନଵଗ୍ରହୁ ଏକ ଗ୍ରହେ”
ଏ କଵିତାର ଭାଵାର୍ଥ ଏମନ୍ତ...
ଯେ କାଳୀ ମନ୍ଦିରକି(ଯମୁନାର) ଅହିତ ମନାସୀ ଥିଲେ ଅର୍ଥାତ୍ କାଳନ୍ଦୀ ଭେଦନ...
ଯେ ଶୋଭାଗ୍ର ଵା ତାଳ ଗଛର ଅଗ୍ରରେ ଥିଵା ତାଳଫଳ ସହ ମିତ ଅଟନ୍ତି ଅର୍ଥାତ୍ ତାଳଗଛର ଫଳ ଧ୍ଵଜରେ ଥିଵାରୁ ସେ ତାଳଧ୍ଵଜ ଵା ତାଳାଙ୍କ ନାମରେ ଵିଦିତ...
ଯେଉଁ ମୂର୍ତ୍ତିମାନ ତନ୍ମଧ୍ୟରେ ଯେ ବଳଵନ୍ତ ଵା ବଳରାମ ନାମରେ ଵିଖ୍ୟାତ ଅଟନ୍ତି
ପୁନଶ୍ଚ ସମାପ୍ତଋକ୍ଷ ଅର୍ଥାତ୍ ଶେଷ ନକ୍ଷତ୍ର ଯେ ରେଵତୀ ଉକ୍ତ ନାମଯୁକ୍ତା କନ୍ୟାର ଵର ଅଟନ୍ତି
ଯେ ବଳଦେଵ ଜୀଉ ତାଙ୍କର ଅନୁଗ୍ରହରୁ ଶ୍ରୀଯୁକ୍ତ ରାଜା ବାହାଦୁରଙ୍କ ଶ୍ରୀମୁଖରେ ନଵଗ୍ରହରୁ ଏକ ଗ୍ରହ କେତୁ ଯେ କି ଚାଣ୍ଡାଳ ଗ୍ରହ ତାକୁ ବାନ୍ଧି ଦେଇଛନ୍ତି । ଯେଉଁ ଚାଣ୍ଡାଳ ଗ୍ରହ କେତୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ ,ସେହି ଗ୍ରହକୁ ରାଜା ଆପଣା ମୁଖରେ ଧାରଣ କରିଛନ୍ତି ।
ପ୍ରକୃତରେ ଢେଙ୍କାନାଳର ରାଜା କ୍ଯେତୁ କ୍ୟେତୁ ଅର୍ଥାତ୍ କିଏ ତୁ; କେ' ତୁ ଉଚ୍ଚାରଣ କରି ଉତ୍କଳଘଣ୍ଟଙ୍କୁ କହିଥିଲେ ଯାହା କି କେତୁ ଵିଶେଷ୍ଯ ଶବ୍ଦ ସହ ଵାହ୍ୟ ସାମ୍ୟ ଥିଵାରୁ କଵି ଏମନ୍ତ ଏକ ଆଶୁ କଵିତା ରଚିଥିଲେ ।
ଅଵଶ୍ୟ ରାଜା ଆଶୁକଵିତାର ଅର୍ଥ ବୁଝିପାରି ଅତ୍ୟନ୍ତ ଲଜ୍ଜିତ ହେଲେ ଏଵଂ ଉତ୍କଳଘଣ୍ଟଙ୍କୁ ବାରମ୍ବାର କ୍ଷମାପ୍ରାର୍ଥନା ତଥା ଅତ୍ୟଧିକ ସମ୍ନାନ ଦେଖାଇ ନିଜ ପାର୍ଶ୍ଵରେ ଆସନ ଦେଇଥିଲେ । ସବୁ ପଣ୍ଡିତଙ୍କ ପରି ଯଦୁମଣିଙ୍କୁ ମଧ୍ୟ ସମାନ ଵିଦାକୀ ଓ ମର୍ଯ୍ୟାଦା ପ୍ରଦାନ କରାଗଲା । ସେଦିନ ଯଦୁମଣିଙ୍କ ଆଶୁ କଵିତାଟି ଶୁଣିଲାପରେ ସେଠାରେ ଉପସ୍ଥିତ ଅହଙ୍କାରୀ ପଣ୍ଡିତମାନନ୍ତ ସବୁ ଗର୍ଵ ଗଞ୍ଜନ ହୋଇଥିଲା ...
...
କୋଶାଗ୍ର = ତାଳଗଛ
ଚତୁର = ଚତୁର୍ଦ୍ଧାମୂର୍ତ୍ତି
ଋକ୍ଷ = ନକ୍ଷତ୍ର
ସମାପ୍ତଋକ୍ଷ = ୨୭ ନକ୍ଷତ୍ର ମଧ୍ୟରେ ଶେଷ ନକ୍ଷତ୍ର ରେଵତୀ
ଅନୁଗ୍ରହେ = ଅନୁଗ୍ରହ କରି
ଶ୍ରୀ ଦେଉ = ସେ ରାଜାଙ୍କ
ଵରତ = ଵର ଅଟନ୍ତି
ଶ୍ରୀମୁଖେ ବାନ୍ଧି ଦେଇଛନ୍ତି = ମୁଖରେ ସ୍ଥାନ ଦେଇଛନ୍ତି ଵା ମୁଖରେ ନାମ ନେଉଛନ୍ତି ଵା କହୁଛନ୍ତି
(ସୌଜନ୍ୟ = ଯଦୁମଣି ଗ୍ରନ୍ଥାବଳୀ)
No comments:
Post a Comment