ଗଣ୍ଡମାନଙ୍କର ବଡ଼ ଦେଵତା ହେଉଛନ୍ତି “ଠାକୁର ଦେଓ”(ମହାଦେଓ,ଶମ୍ଭୁ) । ତାଙ୍କ ସମ୍ବନ୍ଧରେ ଅନେକ କାହାଣୀ ରହିଛି ତନ୍ମଧ୍ୟରୁ ଗୋଟିଏ ଏହିପରି...
“ଠାକୁର ଦେଓ” ଥରେ “ଅନକୁଆଁରିନ୍ ମାତା”(ପୃଥିଵୀ ମାତା)ଙ୍କୁ ଦେଖି କାମାସକ୍ତ ହୋଇ ତାଙ୍କଠାରୁ ପ୍ରଣୟ ଭିକ୍ଷା କଲେ ଓ ସଫଳ ମଧ୍ୟ ହେଲେ ।
ଅଗନା ଅଗନି ଵନସ୍ତ ମଧ୍ୟରେ ଦୁହେଁ ସଙ୍ଗମରତ ଥିଵା ସମୟରେ “ରନ୍'ହା” ନାମକ ଦେଵତା ଏହା ଦେଖି ଠାକୁରଦେଓଙ୍କ ପିତା
“କୁଲିତରା”ଙ୍କୁ କହିଦେଲେ ।
କୌଣସି ମତେ ଅନକୁଆଁରିନ୍ ମାତା ଏହା ଜାଣିପାରି ରନ୍’ହାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ଏକ ଭୀଷଣ ଅଭିଶାପ ଦେଇଦେଲେ ...
ଅଭିଶାପ ଫଳରେ ରନ୍'ହାଙ୍କ ଦେହ ଯୋନୀମୟ ହୋଇଗଲା ଓ ତାଙ୍କୁ କେହି ବାହାରେ ଦେଖିପାରିଲେ ନାହିଁ । ରନ୍'ହା କେବଳ ଘରେ ରହିଲେ । ରନ୍'ହା ସେହିନଠୁଁ ଦୁଲାଦେଓ ନାମରେ ଗଣ୍ଡମାନଙ୍କର ଘରେ ପୂଜା ପାଇଲେ । ରନ୍'ହା ଵା ଦୁଲା/ଡୁଲା ଦେଓଙ୍କ ପତ୍ନୀ ହେଉଛନ୍ତି ଡୁଲାଇ/ଦୁଲାଇ/ଜୁଲା ଦେଈ । ଭାଦ୍ରଵମାସର ନୂଆଖାଇଵା ଅଵସରରେ ଗୃହସ୍ଵାମୀ ଏହି ଦେଵୀଙ୍କୁ ପୂଜା କରିଥାଆନ୍ତି ।
ଏହି ଜନଜାତୀୟ ପୁରାଣଗାଥା ସହିତ ରାମାୟଣର ଅହଲ୍ୟା—ଇନ୍ଦ୍ର/ଚନ୍ଦ୍ର ଓ ଅଗସ୍ତି ୠଷିଙ୍କ କଥା ମେଳ ଖାଉଛି । ରାମାୟଣର ଉକ୍ତ କଥାରେ ଅହଲ୍ୟାଙ୍କ ସହିତ ଛଳ କରି ଇନ୍ଦ୍ର ତାଙ୍କର ସତୀତ୍ଵ ନଷ୍ଟ କରିଵାକୁ ଚେଷ୍ଟା କରିଛନ୍ତି ଓ ଚନ୍ଦ୍ର ତହିଁରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଶେଷରେ ଅଗସ୍ତି ଋଷି ଇନ୍ଦ୍ରଙ୍କୁ ସହସ୍ରଯୋନୀ ପ୍ରାପ୍ତ ହେଵାର ଅଭିଶାପ ଦେଇଛନ୍ତି ।
ଏହିଭଳି ଅନେକ ଜନଜାତୀୟ ଦେଵତା ଓ ପୁରାଣଗାଥା ସହିତ
ଵର୍ତ୍ତମାନର ହିନ୍ଦୁ ପୁରାଣଗାଥା ଓଦେଵୀ ଦେଵତାଙ୍କ ସାମଞ୍ଜସ୍ୟ ଥିଵା ଦେଖାଯାଏ । ଆରମ୍ଭରେ ଵେଦରେ ଇନ୍ଦ୍ର ମୁଖ୍ୟ ଦେଵତା ଭାବେ ଘୋଷିତ ହୋଇଛନ୍ତି କିନ୍ତୁ ପରେ ପୁରାଣମାନଙ୍କରେ ତାଙ୍କୁ ବେଳେବେଳେ Antihero ଭଳି ଚିତ୍ରିତ କରାଯାଇଛି ଏଵଂ ମୁଖ୍ୟ ଦେଵତାର ସ୍ଥାନ ଵିଷ୍ଣୁ ଓ ଶିଵଙ୍କୁ ସ୍ଥଳଵିଶେଷରେ ଦିଆଯାଇଛି ।
ଯେମିତି ସଂସ୍କୃତ ଭାଷା ସର୍ଵଭାରତୀୟ ଭାଷାଗୁଡି଼କର ଶବ୍ଦ,ଶୈଳୀ,ଵ୍ୟାକରଣର ମାନକୀକରଣରୁ ସୃଷ୍ଟି ବୋଲି ଏହାର ନାମ ସମ୍ୟକ(ସମ,ସବୁଆଡୁ଼) ଭାବେ କୃତ = ସଂସ୍କୃତ ହୋଇଅଛି ଠିକ୍ ସେହିପରି ମହାଭାରତୀୟ ସନାତନ ସଂସ୍କୃତି ମଧ୍ୟ ଏଠାକାର ସହସ୍ରାଧିକ ମାନବଜାତିଙ୍କ ପରମ୍ପରାଗୁଡି଼କର ସାମୁହିକ ମିଶ୍ରଣରେ ସୃଷ୍ଟି ହୋଇଅଛି ବୋଲି ଏହାକୁ ସଂସ୍କୃତ ପରି “ସଂସ୍କୃତି” କୁହାଯାଇଛି ।
ସଂସ୍କୃତ ଭାଷାର ଅନ୍ୟ ନାମ ନାହିଁ ସେହିପରି
ସଂସ୍କୃତ, ଓଡ଼ିଆ, ବଙ୍ଗାଳୀ,ହିନ୍ଦୀ,ମରାଠୀ,ତାମିଲ, ତେଲୁଗୁ ଭଳି ଅନ୍ୟ ବଡ଼ ବଡ଼ ଭାରତୀୟ ଭାଷାଗୁଡି଼କରେ ସଂସ୍କୃତି ଶବ୍ଦର ଶତକଡ଼ା ୧୦୦ ପ୍ରତିଶବ୍ଦ କୁହାଇଲା ଭଳି କୌଣସି ପ୍ରତିଶବ୍ଦ ମିଳେ ନାହିଁ ।
No comments:
Post a Comment