ଅତି ମ୍ରିୟମାଣ ଚେନାଏ ପାଣିରେ କଇଁଫୁଲଟିଏ ହୋହଲି ହେଲା ଭଳି ଟିପିରି ହସିଲା I ରୋଗଶଯ୍ୟାରେ ମୁଣ୍ଡ ପାଖରେ ଆସି ତା’ ବର ବସିଛି I
ହସି ହସି ମୁହଁ ବୁଲାଇଲା ଟିପିରି ଲାଜରେ’ ଖୁସିରେ ଏବଂ ଇମିତି ହସିବାର ଅଧଘଣ୍ଟାକ ଭିତରେ ବାପା, ବୋଉ ଆଉ ଟିକି ଭାଇଟିଳୁ କନ୍ଦାଇ ସେ ମରିଗଲା I ପ୍ରଭାକର ବି ରୁମାଲରେ ଆଖି ପୋଛିଲା! । ପ୍ରଭାକର ଟିପିରିର ବର! । ଆଉ କେତେ ଘଣ୍ଟାରେ ସେମାନଙ୍କର ଵିଵାହ ହୋଇଥାନ୍ତା I
ଵିଵାହ ଆଜିକୁ ଦୁଇ ବର୍ଷ ଆଗରୁ ଅବଶ୍ୟ ହୋଇପାରିଥାନ୍ତା । ଯେଉଁଦିନ ଵିଵାହର ତାରିଖ ଥିଲା, ତା’ର ଠିକ୍ ତିନି ଦିନ ଆଗରୁ ଟିପିରି ହଠାତ୍ କାନ୍ଦିବାକୁ ଆରମ୍ଭ କଲା I ବୋଉ ପ୍ରଥମେ ମନେକଲେ, ସବୁ ଝିଅଙ୍କ ଢଙ୍ଗ ଏଇଆ । ଯେତେ ପ୍ରଭାକରକୂ ବିଭା ହେବାପାଇଁ ମନ ଥିଲେ ଵି ଟିପିରି ଏଇ ନିୟମର ବ୍ଯତିକ୍ରମ ନୁହେଁ |
କିନ୍ତୁ ଇଏ ତ କାନ୍ଦ ନୁହେଁ,ଯିମିତି ଦିହ ଭିତରେ କିଏ ବିଷର ଅନଳ ଚହଟେଇ ଦେଇଛି; ଆଉ ତାଳୁ କଳସ କଳସ ଆଖିପାଣିରେ ଧୋଇ ଆଣିବାକୁ ଚାହିଁଲେ ଯିମିତି ଶେଷ ହଉ ନାହିଁ’ | ଵର ଆସିବାକୁ ଆଉ ’ଦିନଟାଏ ଅଛି, ଟିପିର ଅସାଡ଼ ହୋଇ ପଡି଼ଗଲା I
କବିରାଜ ଆସି ଦେଖିଲେ, ଜ୍ଞାନ ନାହିଁ । ପାତଳୀ ହେଲେବି ପନ୍ଦର ଵର୍ଷର ଗୋରା ତକ୍ ତକ୍ ସୁଠାମ ଦିହ । ଯିମିତି ନିଆଁ ଝାସରେ ସଝିଯାଇଛି, ସିଠା ପଡି଼ଯାଇଛି |
ଆଠ ଘଣ୍ଟା ପରେ ବି ଝିଅର ଜ୍ଞାନ ଫେରିଲା ନାହିଁ କ୍ଷତିପୂରଣ ଦେଇ ବାପା ସେଥର ବିବାହ ବନ୍ଦ କରିଦେଲେ I
ଟିପିରି ବର୍ଷକ ଆଗରୁ ଥରେ ଯାଇଥଲା କଲିକତା- ବାପା ବୋଉଙ୍କ ସାଙ୍ଗରେ l ପ୍ରଭାକର ସାଙ୍ଗରେ ସେଇଠି ମନେ ମନେ ଭାବ । ପ୍ରଭାକର ଥାତୁଆ ହୋଇ ଏମାନଙ୍କୁ ନେଇ ଚିଡ଼ିଆଖାନା ଦେଖାଇଲା; ମହା ଭିଡ଼ ଭିତରେ ପଶି ଟିକେଟ୍ କାଟି ସିନେମା ଦେଖାଇଲା I ପ୍ରଭାକର ହାତରେ ଘଣ୍ଟା, ପକେଟରେ କଲମ, ଆଉ ସେ ପ୍ରତି ପାଞ୍ଚ ମିନିଟରେ ଥରେ ବାସନା ରୁମାଲରେ ମୁହଁ ପୋଛେ I
ଯେଉଁଦିନ ପ୍ରଭାକର ଆସି ଟିପିରି ଇତ୍ୟାଦିଙ୍କୁ ଷ୍ଟେସନରେ ଗାଡ଼ି ଚଢ଼ାଇ ବିଦାୟ ନେଲା’ ସେଦିନ ଟିପିରି କାନ୍ଦି କାନ୍ଦି ମୁହଁ ଲାଲ କରି ପକାଇଲା ଏବଂ ପ୍ରଭାକର ତାହା ଦେଖି ଅଧଘଣ୍ଟା ଛଡା଼ରେ ଆଖିରେ ରୁମାଲ ଦେବାକୁ ଲାଗିଲା ।
ଏହାପରେ ଵିଵାହ ପ୍ରସ୍ତାଵରେ ଉଭୟ ତରଫର କର୍ତ୍ତୃପକ୍ଷ ରାଜି ହୋଇଥିଲେ ।
ପ୍ରଥମରେ ଵିଵାହ ଭାଙ୍ଗିଯିବାର ପ୍ରାୟ ଛଅ ମାସ ଭିତରେ ଆଉ ତିଥି ନଥିଲା । ଏଇ ସମୟଟାରେ କୁଆଡ଼େ ପ୍ରଭାକର ଚାରିଥର କଲିକତାରୁ ତା ଗାଆଁକୁ ଆସିଛି ଏବଂ ତା ଗାଆଁରୁ ଟିପିରି ଗାଆଁ ପର୍ଯ୍ୟନ୍ତ ପ୍ରାୟ ଚାରିମାଇଲ୍ ବାଟରୁ ତିଳି ମାଇଲ୍ ସାଇକେଲ ବହୁ କଷ୍ଟ ସହକାରେ ବାଲି ଉପରେ ଠେଲି ଠେଲି ଏବଂ ମାଇଲିଏ ମାତ୍ର ଚଢ଼ି ଟିପିରି
ପଛପଟେ ଆମ୍ଵତୋଟା ସେପଟରେ ବାରମ୍ବାର ଚକ୍ କର୍ ମାରିଛି । ଟିପିରି ଏ ପଟେ ରହି ଦେଖିଛି ଏବଂ ଇସାରାରେ କଥାବାର୍ତ୍ତା ହୋଇଛି ବୋଲି ତା’ର ସଖୀ ମହଲରେ ଜନରବ ।
ଆଉ ଗୋଟିଏ ତାରିଖରେ ବିବାହ ଠିକ୍ ହୋଇଥଲା! ବିବାହର ଚାରି ଦିନ ଆଗରୁ ଦିନେ ଦୁଇପ୍ରହର ବେଳେ ଟିପିରି “ବୋଉ ଲୋ ! ଶାଗୁଣା” ବୋଲି ବଡ଼ ପାଟିରେ ଦୁଇ ତିନି ଥର ହୁରି ପକାଇଲା । ଶାଗୁଣା କୁଆଡ଼େ ଘର ଉପରେ ବସିଥିଲା ଏବଂ ଉଡ଼ି ପଳାଇଲା । ବୋଉ ଆସି ଶାଗୁଣା ଦେଖିପାରିଲେ ନାହିଁ କିନ୍ତୁ ଭଲଭାବରେ ଟିପିରିକୁ ଦେଖି ମନରେ କ’ଣ ଭାବିଲେ । ଜ୍ୟୋତିଷ ଚଉଦ ଦିନ ଭିତରେ ବିବାହ ହେବା ଉଚିତ ନୁହେଁ ବୋଲି ମତ ଦେଲେ; କିନ୍ତୁ ବୋଉ ସେ ବର୍ଷ ଆଉ ବିବାହ କରାଇଦେଲେ ନାହିଁ । ସ୍ୱାମୀଙ୍କୁ କହିଲେ’ “ଟିପିରିର ଯାହା ଇଚ୍ଛା ବୋଲି ଆମେ ଭାବିଥିଲୁଁ ସେଟା ଠିକ୍ ନୁହେଁ । ଆଉ ଗୋଟାଏ ଭଲ ପାତ୍ର ଦେଖ |”
ଭଲ ପାତ୍ର ଯୋଗାଡ଼ ହେଲା! । ପ୍ରଭାକର ଅଜ୍ଞାତନାମା ଚାକିରିଟିଏ କରେ! । ଇଏ କିନ୍ତୁ ସବ୍ ଜଜ୍ ସାହେବଙ୍କ ପାଖରେ ଟାଇପିଷ୍ଟ! । ବାହାଘର ପ୍ରସ୍ତାବ ଏକ ନୂଆ ସ୍ଥାନରେ ପଡି଼ବା ଦିନରୁ ଟିପିରି କେମିତିକା ହତଭମ୍ଵ ଦେଖାଗଲା ଏବଂ ଦିନେ ତା’ର ଜଣେ ବାନ୍ଧବୀ ଆସି ବୋଉଙ୍କୁ କହିଲା ଯେ ଟପିରି ଗଳାରେ ଦଉଡି଼ ଦେଇ କିମିତି ଆତ୍ମହତ୍ୟା କରାଯାଏ ସେଇକଥା ଅନୁସନ୍ଧାନ କରୁଥିଲା ।
ନୂଆ ଜାଗାରେ ପ୍ରସ୍ତାବ ଭାଙ୍ଗି ଦିଆଗଲା! । ଇତିମଧ୍ଯରେ ପ୍ରଭାକରର କକା ତାଙ୍କୁ ଅପମାନ ଦିଆଯାଇଛି ଏବଂ ଝିଅଟି ଅଲକ୍ଷଣୀ ଇତ୍ୟାଦି ଅଭିଯୋଗରେ ଅନ୍ୟତ୍ର ସମ୍ବନ୍ଧ ସ୍ଥିର କରୁଥଲେ । ପ୍ରଭାକର ପ୍ରଥମ ପ୍ରଥମ ଆପତ୍ତି କରୁ ନଥିଲା । ହଠାତ୍ ଦିନେ କିନ୍ତୁ କକା ଯେଉଁ ଇଂରାଜୀ ଟେଲିଗ୍ରାମ ପାଇଲେ, ସେକେଣ୍ଡ ମାଷ୍ଟରଙ୍କ ପାଖରେ ତା’ର ଅନୁବାଦ ହେଲା-
“କୁମାରୀ ସ୍ଵର୍ଣ୍ଣବାଳା ଓରଫ ଟିପିରି ମୋର ଜନ୍ମଜନ୍ମାନ୍ତର ଧର୍ମପତ୍ନୀ ଅଟେ । ତଦନୁରୂପ କାର୍ଯ୍ଯାନୁଷ୍ଠାନ ପ୍ରାର୍ଥନୀୟ । ଭବଦୀୟ ଆଜ୍ଞାବହ ପୁଚୁରା । ”
ଏଆଡେ଼ ଟିପିରି କୁଆଡେ଼ ନିଜେ ପ୍ରଭାକର ପାଖକୁ ଚିଠି ଲେଖିଛି ଏବଂ ପ୍ରଭାକରର ଟେଲିଗ୍ରାମ ତାହାରି ଅଵଧାରିତ ଫଳ ବୋଲି ଟିପିରିର ସଖୀମହଲ ବୋଉଙ୍କୁ ଗୋପନରେ
ସମ୍ଵାଦ ଦେଲେ ।
ଟିପିରି ଠିକ ଥିଲା । ବାହାଘର ପୂର୍ଵଦିନ ସକାଳେ ପୋଖରୀ ତୁଠରେ ଫୁଲ ତୋଳୁଁ ତୋଳୁଁ ପୋଖରୀ ଭିତରକୁ ଖସିପଡି଼ଲା । ଛାତିରେ ଭୟଙ୍କର ଆଘାତ । ସଙ୍ଗେ ସଙ୍ଗେ ଉତ୍ତାପ ଓ ଜ୍ଞାନହୀନତା । ବାପା ଆଉ ବରପକ୍ଷକୁ ସମ୍ଵାଦ ଦେବାକୁ ଵି ସାହସ କଲେ ନାହିଁ । ସେମାନେ ଆସନ୍ତୁ ଏବଂ ଅଵସ୍ଥା ଦେଖନ୍ତୁ ।
ଘମାଘୋଟ ଵାଦ୍ୟ ବାଣ ପରିବେଷ୍ଟିତ ହୋଇ ପ୍ରଭାକର ସନ୍ଧ୍ୟାବେଳେ ପହଞ୍ଚିଲା । ପ୍ରଭାକର ଆସିବା ପର୍ଯ୍ୟନ୍ତ ଯିମିତି ଟିପିରି ଅପେକ୍ଷା କରିଥିଲା ।
©କଥାସମ୍ରାଟ ମନୋଜ ଦାସ
No comments:
Post a Comment