Saturday, August 2, 2025

ନୀଳାମ୍ବର ରାୟସିଂହ ଭ୍ରମରବର: ଢେଙ୍କାନାଳର ଜଣେ ସ୍ମରଣୀୟ ଶାସକ

ଓଡ଼ିଶାର ଐତିହାସିକ ମାଟିରେ ଅନେକ ମହାନ ଵ୍ୟକ୍ତିତ୍ୱ ଜନ୍ମ ହୋଇଛନ୍ତି ଏଵଂ ବିଭିନ୍ନ କ୍ଷେତ୍ରରେ ଅଵିସ୍ମରଣୀୟ ଅବଦାନ ରଖିଛନ୍ତି। ଏ ମାଟିରେ ଅନେକ ନୀଳାମ୍ବର ଜନ୍ମ ଲଭିଛନ୍ତି। ଜନୈକ ଓଡ଼ିଆ କଵି ହୋଇଛନ୍ତି ତାଙ୍କ ନାମ ନୀଳାମ୍ବର ଦାସ। ଏ କଵି 'ଜୈମିନୀ ଭାରତ' ଓ 'ପଦ୍ମପୁରାଣ' ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ। 'ରୁଦ୍ରସ୍ତୁତି' ଓ 'ପୁରୁଷୋତ୍ତମ ଦେଉଳ କାର୍ଯ୍ୟ' ଏହାଙ୍କର ଅନ୍ୟତମ ଗ୍ରନ୍ଥ। ଆଉ ଜଣେ କଵି ବି ଏହି ନାମରେ ପରିଚିତ ହୋଇଥିଲେ, ତାଙ୍କ ନାମ ନୀଳାମ୍ବର ଭଞ୍ଜ ଅଟେ। ଏ କଵି ହଳଦିଆର ରାଜା ଥିଲେ। 'କୃଷ୍ଣଲୀଳାମୃତ' ଓ 'ପଞ୍ଚସାୟକ' ନାମକ ଦୁଇଟି ଗ୍ରନ୍ଥ ଏହାଙ୍କ ଦ୍ୱାରା ରଚିତ। ନୀଳାମ୍ବର ଶର୍ମା ନାମରେ ଜନୈକ ପଣ୍ଡିତ ମଧ୍ୟ ଏ ମାଟିରେ ଭୂମିଷ୍ଠ ହୋଇଛନ୍ତି। ପାଶ୍ଚାତ୍ୟ ପଦ୍ଧତି ଅନୁସାରେ ଏହାଙ୍କୁ 'ଗୋଳ ପ୍ରକାଶ' ନାମକ ସଂସ୍କୃତ ଗଣିତ ଗ୍ରନ୍ଥ ରଚନା କରିଥିଲେ; ଆହୁରି ମଧ୍ୟ ଲୀଳାବତୀଙ୍କ ପ୍ରଣୀତ ଗଣିତ ଶାସ୍ତ୍ରର ଟୀକା କରିଥିଲେ। ଏହାଙ୍କର ଜନ୍ମସ୍ଥାନ ବଲାଙ୍ଗୀର ପାଟନା ଗଡ଼ଜାତ। ନୀଳାମ୍ବର ଵିଦ୍ୟାରତ୍ନ ଜଣେ ପ୍ରସିଦ୍ଧ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ୍ ଥିଲେ, ଯିଏ ୧୯ଶ ଶତାବ୍ଦୀରେ ଓଡ଼ିଶାରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଜଣେ ସ୍ୱାଧୀନତା ସଂଗ୍ରାମୀ ବି ହୋଇଛନ୍ତି, ତାଙ୍କ ନାମ ନୀଳାମ୍ବର ଦାସ। ଏହିପରି ଭାବେ ମୋଗଲ ଶାସନ କାଳରେ ଢେଙ୍କାନାଳର ଜଣେ ରାଜା ହୋଇଥିଲେ, ତାଙ୍କ ନାମ ବି ଥିଲା ନୀଳାମ୍ବର। 
୧୭ଶ ଶତାବ୍ଦୀରେ ଓଡ଼ିଶା ଏକ ରାଜନୈତିକ ଅସ୍ଥିରତାର ସମୟ ଦେଇ ଗତି କରୁଥିଲା। ମୋଗଲ ଶାସନର ପ୍ରଭାବ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳରେ ପଡ଼ିଥିଲା । ୧୬୩୩ ମସିହାରେ ଇଂରେଜ ବଣିକମାନେ ମୋଗଲ ସମ୍ରାଟ ଶାହାଜାହାନ ତଥା ଓଡ଼ିଶାର ସୁବେଦାରଙ୍କଠାରୁ ବାଣିଜ୍ୟ ଅନୁମତି ପାଇଥିଲେ। ଏହି ସମୟରେ ଓଡ଼ିଶାର ଗଜପତି ଥିଲେ ବଳଭଦ୍ର ଦେଵ, ଯାହାଙ୍କ ଅନ୍ତେ ତାଙ୍କ ତବ୍ଦୀୟ ପୁତ୍ର ରାଜା ନୀଳାମ୍ବର ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନଭାର ଗ୍ରହଣ କରିଥିଲେ। ୧୬୫୦ ମସିହାରେ ଆଉରଙ୍ଗଜେବ ବଳପୂର୍ଵକ ଦିଲ୍ଲୀ ସିଂହାସନ ଅଧିକାର କରିଥିଲେ, ଯାହା ଓଡ଼ିଶାରେ ମୋଗଲ ଶାସନର ପ୍ରଭାବକୁ ଆହୁରି ଜଟିଳ କରିଥିଲା। ଏହି ଦୁର୍ଦ୍ଦିନରେ ରାଜା ନୀଳାମ୍ବର ଢେଙ୍କାନାଳର ଶାସନ ସମ୍ଭାଳିଥିଲେ ଏଵଂ ସେ ମୋଗଲ ଓ ଇଂରେଜମାନଙ୍କୁ ତାଙ୍କ ରାଜ୍ୟରେ ପ୍ରବେଶ କରିଵାକୁ ଦେଇନଥିଲେ ।‌

ରାଜା ନୀଳାମ୍ବର ଥିଲେ ଜଣେ ଦୂରଦୃଷ୍ଟିସମ୍ପନ୍ନ ଓ ଚତୁର ଶାସକ। ସେ ଢେଙ୍କାନାଳରେ ଏକ ସୁଦୃଢ଼ ସୈନ୍ୟଵାହିନୀ ଗଠନ କରିଥିଲେ, ଯେଉଁଥିରେ ଗଜାରୋହୀ, ଅଶ୍ୱାରୋହୀ, ପଦାତିକ, ନାଗା ଓ ତେଲଙ୍ଗା ସୈନ୍ୟ ଯୋଗ ଦେଇଥିଲେ। ଏହି ସୈନ୍ୟଵାହିନୀ ଭୀମନଗରୀ, ହଦଗଡ଼, କରମୂଳ, ନୂଆଗଡ଼, ଡମରାଜା କଟକ, ଗୋବିନ୍ଦପୁର ଆଦି ଦୁର୍ଗରେ ସଜାଗ ରହି ଵାହ୍ୟ ଶତ୍ରୁଙ୍କ ଆକ୍ରମଣ ପ୍ରତିରୋଧ କରୁଥିଲେ। ରାଜା ନୀଳାମ୍ବର ଯୁଦ୍ଧ ଵିଗ୍ରହ ଦ୍ୱାରା ରାଜ୍ୟର ପରିସୀମା ବୃଦ୍ଧି କରିଵାକୁ ଚେଷ୍ଟା ନକରି ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ସୀମା ସୁରକ୍ଷା ପ୍ରତି ଵିଶେଷ ଧ୍ୟାନ ଦେଇଥିଲେ। ଜାୟଗିରୀ ପାଇକମାନେ ଯୁଦ୍ଧ ନିମିତ୍ତ ସର୍ଵଦା ପ୍ରସ୍ତୁତ ରହୁଥିଲେ ଏଵଂ ଏହା ତାଙ୍କ ଶାସନର ସ୍ଥିରତାକୁ ସୁନିଶ୍ଚିତ କରିଥିଲା। ତାଙ୍କ ରାଜତ୍ୱରେ ଢେଙ୍କାନାଳରେ କୌଣସି ଵିଶୃଙ୍ଖଳା ସୃଷ୍ଟି ହୋଇନଥିଲା, ଯାହା ତାଙ୍କର କୁଶଳ ଶାସନ କୌଶଳର ପରିଚାୟକ।

ରାଜା ନୀଳାମ୍ବର ଥିଲେ ନୃସିଂହଙ୍କର ପରମ ଭକ୍ତ। ସେ ତାଙ୍କ ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ପାରିମାଳ ପ୍ରଗଣାର ବ୍ରାହ୍ମଣୀ ନଦୀ କୂଳରେ କନ୍ତିଓ ଗାଆଁରେ ଵୈଷ୍ଣଵ ମଠ ସ୍ଥାପନା କରିଥିଲେ, ଯାହା ଢେଙ୍କାନାଳର ରାଜଗୁରୁଗାଦି ନାମରେ ପରିଚିତ। ଉଲ୍ଲେଖଯୋଗ୍ୟ ଯେ ମହନ୍ତ, ମହାପୁରୁଷ ଓ ହାକିମଆଦିଙ୍କ ଆସନ ଵା ବସିଵାର ସ୍ଥାନକୁ ଗାଦି କୁହନ୍ତି । ପୋଥି ଆଦି ଏକତ୍ର ରଖାଯିଵା ସ୍ଥାନକୁ ଗାଦି କୁହାଯାଏ ।‌ ମହାପୁରୁଷମାନଙ୍କ କବର ସ୍ଥାନ ଵା ସମାଧିକୁ ଗାଦି କୁହାଯାଏ ‌ । ଶାସନକର୍ତ୍ତାଙ୍କ ପଦ ଵା ଅଧିକାରକୁ ଗାଦି କୁହାଯାଏ । ଠିକ୍ ସେହିପରି 
ମହନ୍ତ ଵା ମହାପୁରୁଷ ଆଦିଙ୍କ ମଠକୁ ମଧ୍ୟ ଗାଦି କୁହାଯାଏ । ତେଣୁ ଢେଙ୍କାନାଳର କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ଦୁଇଟି ଗାଦି ଅଛି : ମହିମାଗାଦି - ଜକା ଓ ରାଜଗୁରୁଗାଦି- କନ୍ତିଓ ।

ରାଜା ନୀଳାମ୍ବର ଅନେକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରାଇଥିଲେ । ପୁରୀ ଅଞ୍ଚଳରୁ ମୁସଲମାନମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆସିଥିଵା ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ସେ ଆଶ୍ରୟ ଦେଇଥିଲେ। ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରି ସେ ସ୍ୱରାଜଧାନୀଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ 'ନୀଳାମ୍ବର ପୁର' ନାମକ ଶାସନ ପ୍ରତିଷ୍ଠା କରି ନିଷ୍କର ଲାଖରାଜ ସନନ୍ଦ ପ୍ରଦାନ କରିଥିଲେ। ଏହା ତାଙ୍କର ଧାର୍ମିକ ସହନଶୀଳତା ଓ ସାଂସ୍କୃତିକ ସମନ୍ୱୟର ଏକ ଉଜ୍ଜ୍ୱଳ ଉଦାହରଣ।

ଏହା ସହିତ, ରାଜା ନୀଳାମ୍ବର ଶୈଵ ଓ ଵୈଷ୍ଣଵ ଧର୍ମର ସମନ୍ୱୟକାରୀ ଥିଲେ। ସେ ଢେଙ୍କାନାଳ ଅଞ୍ଚଳରେ ବହୁ ଶିଵଲିଙ୍ଗ ପ୍ରତିଷ୍ଠା କରିଥିଲେ ଏଵଂ କପିଳାସ, କୁଆଁଳୋ ଓ ନାଗନା ପୀଠର ପରିଚାଳନା ନିମିତ୍ତ ସୁବନ୍ଦୋବସ୍ତ କରିଥିଲେ। ବ୍ରାହ୍ମଣୀ ଅଵଵାହିକାରେ ଅଵସ୍ଥିତ ଅନ୍ୟାନ୍ୟ ଶୈଵପୀଠର ସେଵା ଓ ପୂଜା ନିମିତ୍ତ ମଧ୍ୟ ସେ ପ୍ରୟାସୀ ଥିଲେ। ଏହା ପ୍ରମାଣିତ କରେ ଯେ, ତାଙ୍କ ରାଜତ୍ୱରେ ଢେଙ୍କାନାଳରେ ଏକ ସମନ୍ୱୟାତ୍ମକ ସାଂସ୍କୃତିକ ପରିବେଶ ଗଢ଼ି ଉଠିଥିଲା।

ରାଜା ନୀଳାମ୍ବରଙ୍କ ଶାସନକାଳରେ ଓଡ଼ିଶାରେ ରାଜନୈତିକ ଅନିଶ୍ଚିତତା ଵିରାଜ କରୁଥିଲା। ୧୬୫୮ ମସିହାରେ ଆଉରଙ୍ଗଜେବଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଓଡ଼ିଶାରେ ମୋଗଲ ଶାସନର ପ୍ରଭାବକୁ ଆହୁରି ବୃଦ୍ଧି କରିଥିଲା। ଏହି ପରିପ୍ରେକ୍ଷୀରେ ରାଜା ନୀଳାମ୍ବର ଅତ୍ୟନ୍ତ ସତର୍କତାର ସହିତ ଶାସନ କାର୍ଯ୍ୟ ନିର୍ଵାହ କରିଥିଲେ। ସେ ପ୍ରତିଵେଶୀ ରାଜା ଓ ଜମିଦାରମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ହଦଗଡ଼ରେ ପ୍ରତିଷ୍ଠିତ ସାମନ୍ତ ବଂଶର ବଳରାମ ସାମନ୍ତଙ୍କ ସହିତ ତାଙ୍କର ଆତ୍ମୀୟତା ଥିଲା ଏଵଂ ଏହା ତାଙ୍କୁ ଢେଙ୍କାନାଳର ସୈନ୍ୟଵାହିନୀକୁ ସୁଦୃଢ଼ କରିଵାରେ ସାହାଯ୍ୟ କରିଥିଲା। ୧୬୫୯ ମସିହାରେ ଖୋର୍ଦ୍ଧାର ଗଜପତି ମୁକୁନ୍ଦଦେଵଙ୍କ ସହିତ ମିତ୍ରତା ସ୍ଥାପନ କରି ସେ ଢେଙ୍କାନାଳର ସ୍ୱାଧୀନତାକୁ ସୁନିଶ୍ଚିତ କରିଥିଲେ। ମୟୁରଭଞ୍ଜ ଓ କେନ୍ଦୁଝର ରାଜ୍ୟ ଉପରେ ମୋଗଲମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲେ ମଧ୍ୟ, ଢେଙ୍କାନାଳ ସ୍ୱାଧୀନ ରହିଥିଲା।

ରାଜା ନୀଳାମ୍ବର ରାୟସିଂହ ଭ୍ରମରବରଙ୍କ ଶାସନକାଳ ଢେଙ୍କାନାଳର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ତାଙ୍କର ଚତୁର ଶାସନ, ସୁଦୃଢ଼ ସୈନ୍ୟଵାହିନୀ, ଧାର୍ମିକ ସହନଶୀଳତା ଓ ସାଂସ୍କୃତିକ ସମନ୍ୱୟ ତାଙ୍କୁ ଜଣେ ମହାନ ଶାସକ ରୂପେ ପ୍ରତିଷ୍ଠିତ କରିଛି। ୧୬୮୦ ମସିହାରେ ତାଙ୍କର ସ୍ୱର୍ଗାରୋହଣ ପରେ ମଧ୍ୟ ତାଙ୍କ ଅଵଦାନ ଓଡ଼ିଶାର ଇତିହାସରେ ଅମର ହୋଇ ରହିଛି। ତାଙ୍କ ଶାସନକାଳ ଢେଙ୍କାନାଳର ସ୍ୱାଧୀନତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ରଚନା କରିଛି।
...

ତଥ୍ୟ ଉତ୍ସ : 
୧.ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ
୨.ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 
•••

Thursday, July 31, 2025

ଇଂରାଜୀ ଭାଷାର ଜନ୍ମ ଇତିହାସ(ମଜାକଥା)

ଉପରୁ ଉପରୁ ଦେଖିଲେ ଇଂରାଜୀ ଭାଷାଟା ଗୋଟିଏ ପ୍ରାକୃତିକ ଭାଷା ଜଣାପଡ଼େ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାକୁ ସ୍ଵୟଂ ଭଗଵାନ ସୃଷ୍ଟି କରିଥିଲେ ।‌ ଏ ଵିଷୟରେ ଏକ ଜଣାଶୁଣା ନାଉଁକା ନାଁବଜା ଲୋକକଥାଟିଏ ଶୁଣାଯାଏ । ଉକ୍ତ କଥାନୁସାରେ ଦିନେ ଭଗଵାନ ତାଙ୍କର "ଜୀଵନ ସର୍ଜନା" ପ୍ରକଳ୍ପ କେମିତି ଚାଲିଛି ଜାଣିଵାକୁ ପୃଥିଵୀ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ସେହି ସମୟରେ ଫ୍ରାନ୍ସ ଜର୍ମାନୀ ସୀମାରେ ଫ୍ରାଙ୍କ୍,ସାକ୍ସନ୍,ଫ୍ରିଶିଆନ୍,ଆଙ୍ଗେଲ୍ ଓ ଜୁଟ୍‌ସ୍‌ମାନଙ୍କ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । 



ଭଗଵାନ ଆସି ଦେଖିଲେ ଯେ ଖେଳରେ ବଢ଼େ ଗୁହିଁ ଗୁନ୍ଧୁରି ହେଉଛି । ତେଣୁ ଭଗଵାନ ନିଜେ ଅମ୍ପାୟାର୍ ହୋଇଗଲେ । ଖେଳରେ ଫ୍ରାଙ୍କ୍‌ମାନେ ଜିତିଗଲେ କିନ୍ତୁ ଅନ୍ୟ ଦଳମାନେ ସହିପାରିଲେ ନାହିଁ। ଭୀଷଣ ବାଡ଼ିଆପିଟା ଲାଗିଯିଵାରୁ ଭଗଵାନ ପୁଣି ମଧ୍ୟସ୍ଥି ହୋଇଗଲେ ଆଉ ପାଞ୍ଚ ଜାତି ମଧ୍ୟରେ ମାଟି ବାଣ୍ଟିଦେଲେ । ତଥାପି ଫ୍ରାଙ୍କ୍ ଆଉ ଫ୍ରିଶିଆନଙ୍କ ତୁଲେ ଆଙ୍ଗେଲ୍,ସାକ୍ସନ୍ ଆଉ ଜୁଟ୍‌ସ୍‌ମାନଙ୍କର ପଡ଼ୁନଥିଲା ତେଣୁ ସେମାନେ ସମୁଦ୍ରରେ ନୂଆ ଭୂଇଁ ଉଣ୍ଡିଵାକୁ ବାହାରି ଗଲେ ଆଉ ଯାଇ ପହଞ୍ଚିଲେ ବ୍ରିଟେନ ଦ୍ଵୀପରେ ।‌ ସେତେବେଳେ ବ୍ରିଟେନ୍ ଦ୍ଵୀପରେ କେଲ୍ଟିକ୍ ଲୋକେ ରହୁଥିଲେ । ସେମାନଙ୍କୁ ମାରି ପିଟି ତଡ଼ି ଯାହା ତାହା କରି ଇଂଲଣ୍ଡ ଅଞ୍ଚଳକୁ ଅଧିକାର କଲେ । ଏହିପରି ଭାବେ ଆଙ୍ଗେଲ୍,ସାକ୍ସନ୍ ଓ ଜୁଟ୍‌ସ୍‌ମାନେ ମିଶି ଗୋଟିଏ ଜାତି ଗଢ଼ିଲେ ଯାହାର ନାଆଁ ହେଲା ଇଂରେଜ । କିନ୍ତୁ ଆରମ୍ଭରେ ସେମାନେ ଭିନ୍ନ ଭିନ୍ନ ଜର୍ମାନ୍ ଭାଷା ବୋଲୁଥିଲେ ଯାହାର ତାଳମେଳ ବିଗିଡ଼ି ଯିଵାରୁ ଅନେକ ଅଘଟଣ ଘଟୁଥିଲା । ଉଦାହରଣ ସ୍ଵରୂପ ଆଙ୍ଗେଲ୍ ଲୋକଟେ 'ପାଣି' କହିଲେ ତାକୁ ସାକ୍ସ୍ନ ଲୋକଟାଏ 'ମୁତ୍ର' ବୁଝୁଥିଲା । ଦିନ ରାତି ଚାରି ଆଡ଼େ ଏଥିପାଇଁ ବଡ଼ ପାଲା ଲାଗୁଥିଲା । ଭଗଵାନ ଦେଖିଲେ ଏ ଇଂରେଜଗୁଡ଼ା ମଝିରେ ମଝିରେ ନିୟନ୍ତ୍ରଣ ବାହାରକୁ ଯାଇ ଵିଭିନ୍ନ ଅଵାନ୍ତର ଅନୈତିକ କାର୍ଯ୍ୟମାନ କରୁଛନ୍ତି । ସେସବୁ କୁକର୍ମମାନ ଦେଖି ଭଗଵାନ ଅତ୍ୟନ୍ତ ଵିରକ୍ତ ହେଲେ । 
“ଧେତ୍ ! ଏ ଇଂରେଜଗୁଡ଼ାଙ୍କୁ ମୁଁ ସୃଷ୍ଟି ନକରିଥିଲେ ଵରଂ ଭଲ ହୋଇଥାନ୍ତା !” ନିରାଶ ହୋଇ ଭଗଵାନ କହୁଥାନ୍ତି। ତେବେ ଏମାନଙ୍କୁ ସଂସାରରୁ ହଟାଇଵାରେ ବହୁତ ଵିଳମ୍ବ ହୋଇଯାଇଛି ବୋଲି ଭଗଵାନ ଭଲ ଭାବରେ ବୁଝିଥିଲେ । ତେଣୁ ଭଗବାନ ଵିଚାରିଲେ ଵରଂ ୟେ ଏ ଇଂରେଜମାନଙ୍କୁ ସିଧା ବାଟକୁ ଫେରାଇ ଆଣିଵାକୁ ହେଵ । ଏହି ଯୋଜନା ଅନୁସାରେ ପ୍ରଥମେ ଭଗଵାନ ମାନଙ୍କୁ କିଛି ପ୍ରତିକୂଳ ଜଳଵାୟୁ ଦେଇଦେଲେ, କିନ୍ତୁ ତାହା ପ୍ରଭାଵହୀନ ପ୍ରମାଣିତ ହେଲା । 

ସେଇଠୁ ଭଗଵାନ ହାୱାଇଦ୍ଵୀପକୁ ଚାରି ଶତାବ୍ଦୀ କାଳ ପର୍ଯ୍ୟନ୍ତ ଛୁଟି କଟାଇଵାକୁ ଚାଲିଗଲେ । ଅନେକ ଶତାବ୍ଦୀ ପରେ ଭଗଵାନ ଫେରିଆସି କିଛି ମୂର୍ଖ ମେଷପାଳକଙ୍କ ସହାୟତାରେ ଇଂରାଜୀ ନାମକ ଏକ କିମ୍ଭୁତକିମାକାର ଭାଷା ସୃଷ୍ଟି କଲେ ଆଉ ଇଂରେଜମାନଙ୍କୁ ଏହି ଭାଷା ବୋଲିଵାକୁ ବାଧ୍ୟ କଲେ । ଭଗଵାନଙ୍କର ଆଶା ଥିଲା ଯେ ଏହି ଇଂରାଜୀ ଭାଷାର ଜଟିଳତା ଦ୍ୱାରା ବ୍ରିଟେନ୍ ଦ୍ଵୀପର ଇଂରେଜମାନେ ହତୋତ୍ସାହିତ ଓ ଵ୍ୟସ୍ତ ଵିଵ୍ରତ ହୋଇ ରହିବେ । କିନ୍ତୁ ଭଗଵାନଙ୍କର ଏ ଯୋଜନା ମଧ୍ୟ କାମ କଲା ନାହିଁ । ସେଇଠୁ ଭଗଵାନ ଏଗୁଡ଼ାଙ୍କୁ ପାନେ ଦେଵାକୁ ଆଉ ଥରେ ଫ୍ରାଙ୍କ୍ ଆଉ ଇଂରେଜ ଜାତି ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭିଆଇଲେ । ଏଥର ମଧ୍ୟ ଫ୍ରାଙ୍କ୍ ଲୋକେ ଜିତିଗଲେ ଆଉ ଅନେକ ଵର୍ଷ ଯାଏଁ ଇଂରେଜମାନଙ୍କ ରାଜା ହୋଇ ତାଙ୍କ ମୁଣ୍ଡ ଉପରେ ବସିଗଲେ । ଶେଷକୁ ଏମାନଙ୍କ ଦୁଃଖ ଦେଖି ଭଗଵାନଙ୍କୁ ଦୟା ଆସିଗଲା ତେଣୁ ସେ ଆଉ ଇଂରେଜମାନଙ୍କୁ ହଇରାଣ ନକରି ସ୍ଵର୍ଗକୁ ଫେରିଗଲେ । ସେବେଠୁ ଭଗଵାନ ଯାଇଛନ୍ତି ଯେ ଯାଇଛନ୍ତି । ଏଣେ ଭଗଵାନ ନଥିଵାର ସୁଯୋଗ ନେଇ ଇଂରେଜମାନେ ସାରା ପୃଥିଵୀଟା ସାରା ଖଣ୍ଡେ ଖଣ୍ଡେ ଯାଗା ମାଡ଼ି ବସିଲେ ଆଉ ନିଜ ଭାଷାକୁ ସମସ୍ତଙ୍କୁ ଜ୍ଞାନର ଭାଷା କହି ଶିଖେଇ ଦେଲେ । 

ଅଵଶ୍ୟ ଏହି ଲୋକକଥାଟା କୌଣସି ଇଂରାଜୀ ଭକ୍ତ କିମ୍ବା କଳାଇଂରେଜ ଦ୍ଵାରା କରାଯାଇଥିଵା ଏକ ଅପପ୍ରଚାର ବୋଲି ମଧ୍ୟ କେହି କେହି ଅନୁମାନ କରନ୍ତି । 

ତେବେ ଏହା ସତ୍ୟ ଯେ ଆଦି କାଳରୁ ଇଂରେଜମାନେ ବଡ଼ କାଢ଼ୁଆ ଜାତି ଥିଲେ । ଅଵଶ୍ୟ ପଞ୍ଚଦଶ ଶତାବ୍ଦୀ ପୂର୍ଵରୁ ଇଂରେଜମାନେ ପୃଥିଵୀରେ ଵିଶେଷ କିଛି ତାଡ଼ି ନଥିଲେ କିନ୍ତୁ ପଞ୍ଚଦଶ ଶତାବ୍ଦୀ ପରେ ଏମାନେ ସାରା ପୃଥିଵୀଟାକୁ ନିଜ ବୋପା ସମ୍ପତ୍ତି ମନେ କରି ଗୋଟିଏ ପରେ ଗୋଟିଏ ଦେଶ ଅଧିକାର କରିଵାକୁ ଲାଗିଲେ । ସ୍ଥଳଭାଗରେ ବେପାରୀ ଆଉ ଜଳଭାଗରେ ଜଳଦସ୍ୟୁ ହୋଇ ଯୋଉଠି ଯେମିତି ସୁଵିଧା ହେଲା ଲୋକଙ୍କୁ ଲୁଣ୍ଠନ କରିଵା ଏହା ହିଁ ଇଂରେଜ ଵ୍ୟକ୍ତିର ଜାତୀୟ ଚରିତ୍ର ହୋଇଗଲା । 

ଇଂରେଜମାନେ ଭାରତକୁ ଜଳଦସ୍ୟୁ ଓ ସ୍ଥଳଦସ୍ୟୁ ହୋଇ ଆସିଲାରୁ ଏଠାକାର ଲୋକେ ଏମାନଙ୍କୁ ବାଜା ଆଉ ଶଙ୍ଖ ବଜେଇ ଏମନ୍ତ ସ୍ଵାଗତ କଲେ ଯେ ବଡ଼ ଶ୍ରଦ୍ଧା ସହକାରେ ଦୁଇଶତାଧିକ ଵର୍ଷ ଭାରତକୁ ବାପ ଅଜାର ବିଲ ବାଡ଼ି ମଣି ରଖିନେଲେ ‌। ଇଂରେଜମାନେ କିନ୍ତୁ ଭାରତ ଭିତରେ ସୀମିତ ରହିଵାକୁ ଚାହୁଁନଥିଲେ ତେଣୁ ସେମାନେ ଚୀନ ଗଲେ କିନ୍ତୁ ଚୀନାମାନେ ତାଙ୍କଠାରୁ ଅଫିମ ନେଲେ ଆଉ ସେହି ଅଫିମ ନିଶାରେ ଏମିତି ସାମୁହିକ ଜୁତେଇଲେ ଯେ ଇଂରେଜମାନେ ଆଉ ଚୀନ ନାମ ହିଁ ଧରିଲେ ନାହିଁ । ତଥାପି ଏସିଆ ଓ ଆଫ୍ରିକାର ଅନେକ ଦେଶକୁ ଇଂରେଜମାନେ ଅଧିକାର କରିନେଵାରୁ ତାଙ୍କ ଇଂରାଜୀ ଭାଷାଟା ଆଜି ପୃଥିଵୀର lingua franca ହୋଇଯାଇଛି । କିନ୍ତୁ ଭାଷାଵିଦ୍ ରବର୍ଟ ହେନେରୀ ଫିଲିଫସନଙ୍କ ଅନୁସାରେ ପୃଥିଵୀର ଵିଭିନ୍ନ ଦେଶର ସ୍ଥାନୀୟ ଅଧିଵାସୀଙ୍କ ଉପରେ ଗୋଟିଏ ଛୋଟିଆ ଦ୍ଵୀପର ବଙ୍କା ଟେହେଁଣା ଅଷ୍ଟଵକ୍ର ଭାଷା ଲଦି ଯେଉଁ English imperialism ନାମକ ଭୁର୍କୁଟି କରାଯାଉଛି ତାହା ଅନେକ ଭାଷାହତ୍ୟାର କାରଣ ହୋଇଛି ଏଵଂ ଭଵିଷ୍ୟତରେ ଶତାଧିକ ଭାଷାମୃତ୍ୟୁର କାରଣ ହେଵ । ଅଷ୍ଟ୍ରେଲିଆ ଓ ଆମେରିକାର ମୂଳ ପ୍ରାଚୀନ ଭାଷାଗୁଡି଼କୁ ମାରି ଦେଵାରେ ଇଂରାଜୀ ଭାଷାର ଯଥେଷ୍ଟ ଯୋଗଦାନ ରହିଛି ।‌ସେଥିପାଇଁ ଇଂରାଜୀ ଭାଷାର ଏହି ଅଦ୍ଭୁତ ଦୈଵୀ ଗୁଣ ପାଇଁ ରବର୍ଟ ହେନେରୀ ଫିଲିଫସନ ଏ ଭାଷାକୁ "lingua frankensteinia" ନାମ ଦେଇଥିଲେ । 

ଇଂରାଜୀ ଭାଷାକୁ ସାରା ଵିଶ୍ଵର ଶିକ୍ଷିତମାନଙ୍କର ଭାଷା ଭାବୁଥିଵା ଦେଵତାମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମହିମା ଗାନ କରି କରି ମରିଯାଆନ୍ତି ‌। ଦି ଅକ୍ଷର ଇଂରାଜୀ ପଢ଼ିଦେଲା ପରେ ଇଂରେଜମାନଙ୍କର ଇଂରାଜୀ ଭାଷାଟା ଏମାନଙ୍କ ଧମନୀରେ ରକ୍ତ ଭଳି ପ୍ରଵାହିତ ହେଵାକୁ ଲାଗେ ‌। ଜଣେ ଇଂରେଜ-ଇଂରାଜୀପ୍ରେମୀ ମନୁଷ୍ୟରୂପୀ ଅଣଇଂରେଜ ଦେଵତାଙ୍କ ଦେହକୁ ଧାତଵ ପାତିଆ ବଳରେ ସାମାନ୍ୟ କାଟି ଦେଲେ ରକ୍ତ ପରିଵର୍ତ୍ତେ ଇଂରାଜୀ ବାହାରେ । ଇଂରାଜୀପ୍ରେମୀ କଳାଇଂରେଜଙ୍କର ଲଘୁଶଙ୍କା ଦୀର୍ଘଶଙ୍କା ତଥା ଵାୟୁତ୍ୟାଗ ସମୟରେ କେଵଳ ଇଂରାଜୀ ହିଁ ବାହାରେ । ଏହି ଇଂରାଜୀଭକ୍ତ କଳାଇଂରେଜମାନେ ଇଂରାଜୀ ଭାଷାକୁ ପୃଥିଵୀର ସବୁ ଭାଷା ମଧ୍ୟରେ ଶ୍ରେଷ୍ଠ ଓ ମୁଣ୍ଡିଆଳ ଭାଷା ମଣିଵାକୁ ଲୋକଙ୍କୁ ପ୍ରଵର୍ତ୍ତାଇ ଥାଆନ୍ତି । ଏଥିପାଇଁ ସେମାନେ କେତୋଟି ହେତ୍ବାଭାସ ଵା ଭ୍ରାନ୍ତିର ପ୍ରଚାର ପ୍ରସାର କରିଛନ୍ତି । ଯଥା :

(କ)ବହୁଭାଷୀୟ ହେତ୍ବାଭାସ 
ଏହି ଭ୍ରାନ୍ତି ପ୍ରଚାର ପୂର୍ଵକ ଇଂରାଜୀ ଭକ୍ତ କଳା ଇଂରେଜମାନେ କୁହନ୍ତି ଏକ ଦେଶରେ ଏକାଧିକ ଭାଷା କଥିତ ହେଉଥିଲେ ସେହିସବୁ ଭାଷା ମଧ୍ୟରେ କୌଣସି ଗୋଟିଏ ଭାଷାକୁ lingua franca ଵା ରାଷ୍ଟ୍ରଭାଷା ବୋଲି ଗ୍ରହଣ ନକରି ଜଳଦସ୍ୟୁ ଲୁଣ୍ଠନକାରୀ ଇଂରେଜମାନଙ୍କ ଭାଷାକୁ ସେ ଦେଶର ପ୍ରଶାସନିକ ଭାଷା ତଥା ରାଷ୍ଟ୍ରଭାଷା କରାଯାଉ । 

(ଖ)ସ୍ଥାନୀୟ ଵକ୍ତା ହ୍ଵେତ୍ଵାଭାସ 
ଏହି ଭ୍ରାନ୍ତି ପ୍ରଚାର କରି କୁହାଯାଏ ଯଦି ଇଂରେଜମାନଙ୍କ ଭାଷାକୁ ମାତୃଭାଷା ଭାବେ ପିଲାଏ ଗ୍ରହଣ କରିବେ ସେମାନେ ଭଵିଷ୍ୟତରେ ଅଧିକ ଉନ୍ନତି କରିବେ ଏଵଂ ବଡ଼ ଚାକିରୀ କରି ଧନୀ ହୋଇପାରିବେ । ସେଥିପାଇଁ ଭାରତ ଭଳି ଦେଶର ମାଆ ବାପା ଛୋଟବେଳୁ ପିଲାଙ୍କୁ ସେମାନଙ୍କର ନିଜର ମାତୃଭାଷା ନଶିଖାଇ ଇଂରାଜୀ ଭାଷାକୁ ସେମାନଙ୍କ ମାତୃଭାଷା କରିଵାକୁ ନାନାଵିଧ ଚେଷ୍ଟା କରିଥାନ୍ତି । 

(ଗ) ପ୍ରାରମ୍ଭିକ ଆରମ୍ଭ ହେତ୍ବାଭାସ 
ଏହି ଭ୍ରାନ୍ତି ପ୍ରଚାର ଦ୍ଵାରା କଳା ଇଂରେଜମାନେ ଯୁକ୍ତି କରନ୍ତି ପିଲାମାନଙ୍କୁ ଯେତେ ଶୀଘ୍ର ଇଂରାଜୀ ଶିଖାଯିଵ ସେମାନଙ୍କ ଜୀଵନ ସେତେ ଉନ୍ନତ ହେଵ ।‌ ସେଥିପାଇଁ ଭାରତ ଭଳି ଦେଶରେ ଛୋଟ ଛୋଟ ପିଲାଙ୍କୁ ଇଂରାଜୀ ଭାଷା ପଢ଼ାଇ ବାପାମାଆମାନେ ଧର୍ମକାର୍ଯ୍ୟ କରୁଛନ୍ତି ବୋଲି ମନେ କରନ୍ତି । 

(ଘ) ସର୍ଵାଧିକ ପ୍ରକାଶ ହେତ୍ବାଭାସ
ଇଂରାଜୀ ଭାଷାକୁ ଯେତେ ଅଧିକ ପଢ଼ିବେ ,ଜାଣିବେ ସେତେ ଉନ୍ନତ ମନୁଷ୍ୟ 
ହେବେ ବୋଲି ଆଉ ଏକ ଭ୍ରାନ୍ତିର ଵିଶେଷ ପ୍ରଚାର ପ୍ରସାର ହୋଇଥାଏ । 

(ଙ)ଵିୟୋଗମୂଳକ ହେତ୍ବାଭାସ
ଏହି ଭ୍ରାନ୍ତି ପ୍ରଚାର କରି କଳା ଇଂରେଜମାନେ କୁହନ୍ତି ଯଦି ଇଂରାଜୀ ଭାଷାରେ ଦକ୍ଷତା ଲାଭ କରିଵାକୁ ଚାହୁଁଛନ୍ତି ତାହେଲେ ନିଜର ଓଡ଼ିଆ ହିନ୍ଦୀ ବଙ୍ଗଳା ଆଦି ସ୍ଥାନୀୟ ଦେଶୀୟ ମାତୃଭାଷା ଆଦି ତ୍ୟାଗ କରି ଇଂରାଜୀ ଭାଷାରେ ହିଁ କଥା ଭାଷା ହୁଅନ୍ତୁ ଓ ଲେଖାଲେଖି କରନ୍ତୁ ।‌ ଅନ୍ୟ ଭାଷା ଵ୍ୟଵହାର ଦ୍ଵାରା ଇଂରାଜୀ ଭାଷାରେ ଦକ୍ଷତା ହ୍ରାସ ଘଟିଥାଏ ବୋଲି ପ୍ରଚାର କରାଯାଏ ‌।

ଏତଦଵ୍ୟତୀତ ଇଂରାଜୀ ଭାଷାକୁ କଳା ଇଂରେଜମାନେ ଦୈଵୀୟ,ମହାନ, ଉନ୍ନତ ଓ ଆକର୍ଷଣୀୟ ଭାଷା ବୋଲି ପ୍ରଚାର କରନ୍ତି । ଅନେକ କଳା ଇଂରେଜ ମଧ୍ୟ ଇଂରାଜୀ ଏକ ସୁପ୍ରତିଷ୍ଠିତ ଭାଷା ଏଵଂ ଅନେକଙ୍କ ଦ୍ଵାରା ଵ୍ୟଵହୃତ ଭାଷା ତଥା ଏ ଭାଷାରେ ବହୁତ ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷାଦାନ ସାମଗ୍ରୀ ଥିଵାରୁ ଏହାକୁ ନିଜ ମାତୃଭାଷାଠାରୁ ଶ୍ରେଷ୍ଠଭାଷା ମନେ କରନ୍ତି । ଇଂରାଜୀ ଶିଖିଲେ ସାରା ଵିଶ୍ଵର କବାଟ ଖୋଲିଯିଵ, ଇଂରାଜୀ ହିଁ ଜ୍ଞାନ ଵିଜ୍ଞାନର ଭାଷା, ଇଂରାଜୀ ଆଧୁନିକତାର ଭାଷା, ଇଂରାଜୀ ଦକ୍ଷତା ପରିପ୍ରକାଶର ଭାଷା, ଇଂରାଜୀ ହିଁ ମହାନ ଵ୍ୟକ୍ତିଙ୍କର ଭାଷା ଇତ୍ୟାଦି ଇତ୍ୟାଦି କହି କଳା ଇଂରେଜମାନେ ଇଂରାଜୀ ଭାଷାର ମହିମାଗାନ କରି କରି ମରି ଯାଆନ୍ତି ପଛକେ ନର୍କରେ ବି ତାଙ୍କର ଇଂରାଜୀ ପ୍ରେମ କିଞ୍ଚିତ୍ ବି ଊଣା ହୁଏନାହିଁ । ନିଜ ମାତୃଭାଷା ମରିଯାଉ ପଛକେ ଇଂରାଜୀ ଭାଷା ଶ୍ରେଷ୍ଠଭାଷା ମହାନ ଭାଷା ବୋଲି ପ୍ରଚାର ପ୍ରସାର କରି କରି ମରିଯିଵା ହିଁ କଳାଇଂରେଜମାନଙ୍କ ନିୟତି । 


Wednesday, July 30, 2025

ମାନବ ଵିଶ୍ଵାସ ଓ Confirmation Bias: Dorothy Martinଙ୍କ କାହାଣୀ ଏଵଂ ଏହାର ମନୋଵୈଜ୍ଞାନିକ ମହତ୍ତ୍ଵ

ମାନଵ ଇତିହାସ ଵିଶ୍ଵାସ ଓ ଆସ୍ଥାର କାହାଣୀରେ ପରିପୂର୍ଣ୍ଣ। ଏହି ଵିଶ୍ଵାସଗୁଡ଼ିକ ସମାଜକୁ ଏକତ୍ରିତ କରିଵା ସହିତ ଵ୍ୟକ୍ତିଙ୍କୁ ଜୀଵନର ଅର୍ଥ ପ୍ରଦାନ କରିଥାଏ। କିନ୍ତୁ ଯେତେବେଳେ ଏହି ଵିଶ୍ଵାସଗୁଡ଼ିକ ଵିରୋଧର ସମ୍ମୁଖୀନ ହୁଏ ସେତେବେଳେ ମାନଵ ଵ୍ୟଵହାର ଯୁକ୍ତିର ସୀମା ଅତିକ୍ରମ କରିଯାଏ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି 1954 ମସିହାରେ ଆମେରିକାର Chicago ସହରରେ Dorothy Martin ଙ୍କ କାହାଣୀ,Leon Festinger ତାଙ୍କ ପୁସ୍ତକ When Prophecy Failsରେ ଏହାର ଵିଵରଣୀ ଯୋଡ଼ିଛନ୍ତି । ଏହି ଘଟଣା Confirmation Bias ବୁଝିଵା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଉଦାହରଣ ହେଵା ସହିତ ମାନଵ ମନ ନିଜ ଵିଶ୍ଵାସକୁ ବଞ୍ଚାଇ ରଖିଵା ପାଇଁ କିପରି ଯୁକ୍ତିକୁ ଢାଲ କରି ଥାଏ ତାହା ଜଣାଇଥାଏ । 

1954 ମସିହାରେ Dorothy Martin(ଛଦ୍ମନାମ-Marian Keech) ଦାବି କଲେ ଯେ ସେ Automatic Writing ମାଧ୍ୟମରେ "Clarion" ନାମକ ଏକ କାଳ୍ପନିକ ଗ୍ରହର ନିଵାସୀଙ୍କଠାରୁ ସନ୍ଦେଶ ପାଉଛନ୍ତି। Automatic Writing ଏମିତି ଏକ ପ୍ରକ୍ରିୟା, ଯାହା ବଳରେ ଜଣେ ଵ୍ୟକ୍ତି ଦାବି କରେ ଯେ ସେ ଅଚେତନ ଵା ସୁଷୁପ୍ତ ଅଵସ୍ଥାରେ କିଛି ଲେଖୁଛନ୍ତି, ଯାହା କଥିତ ଭାବେ କୌଣସି ଅଲୌକିକ ସ୍ରୋତରୁ ପ୍ରେରିତ। Martin ଙ୍କ ମତରେ, Clarion ଗ୍ରହର ପ୍ରାଣୀମାନେ ଏକ ଉନ୍ନତ ସଭ୍ୟତାର ପ୍ରତିନିଧି ଥିଲେ ଏଵଂ ସେମାନେ ଚେତାବନୀ ଦେଇଥିଲେ ଯେ 21 ଡିସେମ୍ବର, 1954ରେ ପୃଥିଵୀ ଏକ ଵିନାଶକାରୀ ଵନ୍ୟାରେ ବୁଡ଼ିଯିଵ। କିନ୍ତୁ, ଯେଉଁମାନେ ତାଙ୍କ ସନ୍ଦେଶ ଉପରେ ଵିଶ୍ଵାସ କରିଵେ, ସେମାନଙ୍କୁ Clarionଵାସୀ ସେମାନଙ୍କ ଅନ୍ତରୀକ୍ଷ ଯାନରେ ନେଇ ନିଜ ଗ୍ରହରେ ଏକ ଵିଳାସମୟ ଜୀଵନ ପ୍ରଦାନ କରିଵେ।

Martin ଙ୍କ ଏହି ଦାବି ଚାରିଆଡ଼େ ପ୍ରଚାରିତ ହେଵାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା। ତାଙ୍କ ଅନୁସରଣକାରୀମାନେ ଅଧିକାଂଶ ସାଧାରଣ ଲୋକ ଥିଲେ ତେଣୁ ଏହି ଭଵିଷ୍ୟତଵାଣୀରେ ଗଭୀର ଭାବେ ଵିଶ୍ଵାସ କରିଵା ଆରମ୍ଭ କରିଦେଲେ। 21 ଡିସେମ୍ବର ତାରିଖ ନିକଟତର ହେଵା ସହିତ Martin ଓ ତାଙ୍କ ଅନୁସରଣକାରୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୋଇ Clarionଵାସୀଙ୍କ ଅନ୍ତରୀକ୍ଷ ଯାନର ଅପେକ୍ଷା କଲେ। ଏହି ସମୂହ ଭକ୍ତିପୂର୍ଣ୍ଣ ଗୀତ ଗାଇଲେ, ମହମଵତୀ ଜାଳିଲେ ଓ ପୂର୍ଣ୍ଣ ଶ୍ରଦ୍ଧାରେ ନିଜ ଉଦ୍ଧାରର ଅପେକ୍ଷା କଲେ। କିନ୍ତୁ, ଯେପରି ଆଶା କରାଯାଉଥିଲା ସେପରି କିଛି ହେଲା ନାହିଁ । କୌଣସି ଅନ୍ତରୀକ୍ଷ ଯାନ ଆସିଲା ନାହିଁ କି କୌଣସି ପ୍ରଳୟକାରୀ ଵନ୍ୟା ହେଲା ନାହିଁ ।

ଯେତେବେଳେ Dorothy Martinଙ୍କ ଭଵିଷ୍ୟତଵାଣୀ ମିଥ୍ୟା ପ୍ରମାଣିତ ହେଲା ତା
ସେତେବେଳେ ତାଙ୍କ ଅନୁସରଣକାରୀଙ୍କ ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଥିଲା। କୌଣସି ଅନୁସରଣକାରୀ Martinଙ୍କ ଦାବି ସମ୍ପୂର୍ଣ୍ଣ ଭୁଲ ଥିଲା କିମ୍ବା Clarionଙ୍କ ଅସ୍ତିତ୍ଵ ନାହିଁ ବୋଲି ସ୍ଵୀକାର କରିଵାକୁ ପ୍ରସ୍ତୁତ ନଥିଲେ। ଵରଂ, ସେମାନେ ଏ ସମ୍ବନ୍ଧରେ ଵିଭିନ୍ନ ଯୁକ୍ତି ଗଢ଼ିଲେ ଏଵଂ Dorothy Martinଙ୍କର ସମର୍ଥନ କଲେ। କେହି କେହି କହିଲେ ଯେ ସେମାନେ ସନ୍ଦେଶକୁ ଭୁଲ ବୁଝିଛନ୍ତି ଏଵଂ ପ୍ରଳୟର ତାରିଖ ଭଵିଷ୍ୟତରେ ହୋଇପାରେ।
କେହି କେହି ଵିଶ୍ଵାସ କଲେ ଯେ Clarionଵାସୀମାନେ ପୃଥିଵୀରେ ପ୍ରଳୟ ଘଟାଇଵାର ଯୋଜନା ରଦ୍ଦ କରିଦେଇଛନ୍ତି, କାରଣ ସେମାନଙ୍କର ଉଦ୍ଦେଶ୍ୟ କେଵଳ ଅନୁସରଣକାରୀଙ୍କ ଆସ୍ଥାର ପରୀକ୍ଷା ନେଵା ହିଁ ଥିଲା। ଅନେକ ଅନୁସରଣକାରୀ ଯୁକ୍ତି ଦେଇଥିଲେ ଯେ ସେମାନଙ୍କ ଭକ୍ତି ଓ ପ୍ରାର୍ଥନା ହିଁ ପ୍ରଳୟକୁ ଦୂର କରି ଦେଇଛି। 
ଏହି ପ୍ରତିକ୍ରିୟାଗୁଡ଼ିକ Confirmation Bias ର ଏକ ଉତ୍କୃଷ୍ଟ ଉଦାହରଣ। Confirmation Bias ଏମିତି ଏକ ମନୋଵୈଜ୍ଞାନିକ ପ୍ରଵୃତ୍ତି, ଯହିଁରେ ଲୋକମାନେ ସେହି ସୂଚନାଗୁଡ଼ିକୁ ଅଗ୍ରାଧିକାର ଦିଅନ୍ତି ଯାହା ସେମାନଙ୍କ ଵିଶ୍ଵାସକୁ ସମର୍ଥନ କରେ ଏଵଂ ସେହି ସୂଚନାଗୁଡ଼ିକୁ ଅଣଦେଖା କରନ୍ତି ଯାହା ସେମାନଙ୍କ ଵିଶ୍ଵାସକୁ ଚ୍ୟାଲେଞ୍ଜ୍ କରେ। Dorothy Martinଙ୍କ ଘଟଣାରେ, ଅନୁସରଣକାରୀମାନେ ସେମାନଙ୍କ ଆସ୍ଥା ଭୁଲ୍ ଥିଲା ବୋଲି ମାନିଵାକୁ ମନା କରିଦେଲେ। Dorothy Martinଙ୍କ ଅନୁସରଣକାରୀମାନେ ଏପରି ଵ୍ୟାଖ୍ୟା ଗଢ଼ିଲେ ଯାହା ସେମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କଲା।

ପ୍ରସିଦ୍ଧ ମନୋଵିଜ୍ଞାନୀ Leon Festinger ଏହି ଘଟଣାର ଅଧ୍ୟୟନ କରିଥିଲେ ଏଵଂ ତହିଁର ଵିଵରଣୀକୁ ତାଙ୍କ ପୁସ୍ତକ When Prophecy Failsରେ ଉଦାହରଣ ସ୍ଵରୂପ ଯୋଡ଼ିଛନ୍ତି । Festinger ଏହି ଘଟଣାକୁ Cognitive Dissonance ସିଦ୍ଧାନ୍ତ ମାଧ୍ୟମରେ ଵ୍ୟାଖ୍ୟା କରିଥିଲେ। Cognitive Dissonance ତେବେ ହୁଏ ଯେତେବେଳେ ଜଣେ ଵ୍ୟକ୍ତିଙ୍କ ଵିଶ୍ଵାସ ଓ ଵାସ୍ତଵତା ମଧ୍ୟରେ ସଂଘର୍ଷ ହୁଏ। ଏହି ଅସଙ୍ଗତିକୁ କମାଇଵା ପାଇଁ ଵ୍ୟକ୍ତି ହୁଏତ ନିଜ ଵିଶ୍ଵାସ ବଦଳାଇପାରେ କିମ୍ବା ଵାସ୍ତଵତାକୁ ଅଗ୍ରାହ୍ୟ କରିଵା ପାଇଁ ଯୁକ୍ତି ଗଢ଼ିପାରେ। Martinଙ୍କ ଅନୁସରଣକାରୀମାନେ ଦ୍ଵିତୀୟ ପନ୍ଥା ବାଛିଥିଲେ।

Festingerଙ୍କ ମତରେ, ଯେତେବେଳେ କୌଣସି ଭଵିଷ୍ୟଵାଣୀ ମିଥ୍ୟା ପ୍ରମାଣିତ ହୁଏ, ଵିଶ୍ଵାସୀଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଥାଏ:

କ. ସେମାନଙ୍କ ଵିଶ୍ଵାସ ଭୁଲ୍ ଥିଲା ବୋଲି ସ୍ଵୀକାର କରିଵା ।
ଖ. ଏପରି ଵ୍ୟାଖ୍ୟା କରିବା ଯାହା ସେମାନଙ୍କ ବିଶ୍ଵାସକୁ ଦୃଢ଼ କରିଵା ।

ପ୍ରଥମ ଵିକଳ୍ପଟି ମନୋଵୈଜ୍ଞାନିକ ଦୃଷ୍ଟିରୁ କଠିନ, କାରଣ ଏହା ଵ୍ୟକ୍ତିଙ୍କ ପରିଚୟ ଓ ସାମାଜିକ ସ୍ଥିତିକୁ ଚ୍ୟାଲେଞ୍ଜ କରେ। ତେଣୁ, ଅଧିକାଂଶ ଲୋକ ଦ୍ଵିତୀୟ ପନ୍ଥା ବାଛନ୍ତି, ଯେପରି Martin ଙ୍କ ଅନୁସରଣକାରୀମାନେ କରିଥିଲେ।

ତେବେ Confirmation Bias କେଵଳ ଧାର୍ମିକ ଵା ଅଲୌକିକ ଵିଶ୍ଵାସରେ ସୀମିତ ନାହିଁ ଵରଂ ଦୈନନ୍ଦିନ ଜୀଵନ, ରାଜନୀତି, ଵିଜ୍ଞାନ ଓ ସାମାଜିକ ଵ୍ୟଵହାରରେ ମଧ୍ୟ ଦେଖାଯାଏ।

ଵିଭିନ୍ନ ଧର୍ମ ଓ ସଂସ୍କୃତିରେ, ଯେଉଁମାନେ ଆସ୍ଥା ଉପରେ ପ୍ରଶ୍ନ ଉଠାନ୍ତି, ସେମାନଙ୍କୁ ଅନେକ ସମୟରେ ନକାରାତ୍ମକ ଭାବେ ଦେଖାଯାଏ। ଉଦାହରଣ ସ୍ଵରୂପ, Bible ରେ ଏପରି ଲୋକଙ୍କୁ "Devil’s Advocate" କୁହାଯାଏ, ପଠାଣଙ୍କ ଧର୍ମରେ "Kafir" ଏଵଂ ଭାରତୀୟ ପ୍ରେକ୍ଷାପଟରେ କେହି କେହି ସେମାନଙ୍କୁ "ଵାମପନ୍ଥୀ","ମ୍ଳେଚ୍ଛ" ଵା "ନାସ୍ତିକ" ଭଳି ଶବ୍ଦରେ ସମ୍ବୋଧନ କରନ୍ତି। ଏହି ନକାରାତ୍ମକ ଲେବଲିଂ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଵାର ପ୍ରକ୍ରିୟାକୁ ଆହୁରି କଠିନ କରିଦିଏ।

Confirmation Bias ରାଜନୀତିରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଏ। ଲୋକମାନେ ସେହି ଖବର, ଲେଖା ଓ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଅଗ୍ରାଧିକାର ଦିଅନ୍ତି ଯାହା ସେମାନଙ୍କ ରାଜନୈତିକ ଆଦର୍ଶକୁ ସମର୍ଥନ କରେ। ଏହା ସମାଜରେ ଧ୍ରୁଵୀକରଣ ବଢ଼ାଇଥାଏ, କାରଣ ଲୋକମାନେ ଵିପରୀତ ମତକୁ ଶୁଣିଵା ଵା ବୁଝିଵାକୁ ମନା କରିଦିଅନ୍ତି।

ଵିଜ୍ଞାନ କ୍ଷେତ୍ରରେ ମଧ୍ୟ ଵୈଜ୍ଞାନିକମାନେ ବେଳେବେଳେ Confirmation Biasର ଶିକାର ହୁଅନ୍ତି। ସେମାନେ ସେହି ଡାଟାକୁ ଅଗ୍ରାଧିକାର ଦେଇପାରନ୍ତି ଯାହା ସେମାନଙ୍କ ପରିକଳ୍ପନାକୁ ସମର୍ଥନ କରେ ଏଵଂ ସେହି ଡାଟାକୁ ଅଣଦେଖା କରିପାରନ୍ତି ଯାହା ତାହାର ଖଣ୍ଡନ କରେ। 

ଏ ସମ୍ବନ୍ଧରେ ପ୍ରସିଦ୍ଧ ଖଗୋଳଵିଜ୍ଞାନୀ ଓ ଵିଜ୍ଞାନ ସଂଚାରକ Carl Saganଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ ,ସେ କହିଥିଲେ— "ସବୁଠାରୁ ସହଜ ହେଉଛି ଏହା 'ଚିନ୍ତା' କରିଵା ଯେ ମୁଁ ଠିକ୍ ଅଛି। ଆଉ ସବୁଠାରୁ ଅସମ୍ଭଵ ହେଉଛି - ଏହା 'ଜାଣିଵା' ଓ 'ମାନିଵା' ଯେ ମୁଁ ଭୁଲ୍ ହୋଇପାରେ।" 

ଏହି କଥନ ମାନଵତାର ଏକ ମୌଳିକ ଦୁର୍ଵଳତାକୁ ପ୍ରକାଶ କରେ। ନିଜ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଵା ଓ ଏହା ସ୍ଵୀକାର କରିଵା ଯେ ଆମେ ଭୁଲ୍ ହୋଇପାରୁ, ଏକ କଠିନ ଓ ଅସହଜ ପ୍ରକ୍ରିୟା। କିନ୍ତୁ ଏହି ପ୍ରକ୍ରିୟା ଦ୍ଵାରା ହିଁ ଵ୍ୟକ୍ତିଗତ ଓ ସାମାଜିକ ଵିକାଶର ମୂଳଦୁଆ ସ୍ଥାପିତ ହୁଏ ।

ମାନଵତାର ପ୍ରଗତି ସେତେବେଳେ ହିଁ ସମ୍ଭଵ ହୋଇଛି ଯେତେବେଳେ ଲୋକମାନେ ନିଜ ଆସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି। ଉଦାହରଣ ସ୍ଵରୂପ, Galileo ପୃଥିଵୀ-କେନ୍ଦ୍ରିକ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଥିଲେ ଫଳତଃ ତାଙ୍କୁ କଠୋର ଦଣ୍ଡର ସାମ୍ନା କରିଵାକୁ ପଡ଼ିଥିଲା। କିନ୍ତୁ ତାଙ୍କ ଆଵିଷ୍କାର ଵିଜ୍ଞାନକୁ ଏକ ନୂଆ ଦିଗ ଦେଇଥିଲା। ସେହିପରି ଦାସତ୍ଵ ଉନ୍ମୂଳନ ଓ ମହିଳାଙ୍କ ମତାଧିକାର ଆଦି ସାମାଜିକ ସଂସ୍କାର ମଧ୍ୟ ଆସ୍ଥାଗୁଡ଼ିକୁ ଚ୍ୟାଲେଞ୍ଜ କରିଥିଲା ଯାହା ସେ ସମୟରେ ସାଧାରଣ ଥିଲା।

ମାନଵ ମନ ନିଜ ଵିଶ୍ଵାସକୁ ଦୃଢ଼ ରଖିଵା ପାଇଁ କେତେ ଜଟିଳ ଓ ସୃଜନଶୀଳ ହୋଇପାରେ ତାହା ଆମ୍ଭେମାନେ Dorothy Martinଙ୍କ କାହାଣୀ ଏଵଂ ଏହାସହ ଜଡ଼ିତ Confirmation Bias ସମ୍ବନ୍ଧୀୟ ତଥ୍ୟରୁ ଜାଣିପାରନ୍ତି । ଏହି ଘଟଣା କେଵଳ ମନୋଵୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକୁ ବୁଝିଵାରେ ସାହାଯ୍ୟ କରେ ନାହିଁ ଵରଂ ଏହା ମଧ୍ୟ ଦେଖାଇଥାଏ ଯେ ଆସ୍ଥା ଓ ଵିଶ୍ଵାସ ସାମାଜିକ ଓ ଵ୍ୟକ୍ତିଗତ ଜୀଵନରେ କେତେ ଗଭୀର ଭାବେ ଜଡ଼ିତ। Confirmation Biasକୁ ବୁଝିଵା ଏଵଂ ଏହାସହ ଲଢ଼ି ସତ୍ୟର ପକ୍ଷଧର ହୋଇ ରହିଵା ଆଧୁନିକ ସମାଜ ପାଇଁ ଏକ ବଡ଼ ଆହ୍ବାନ ଅଟେ। ଏଥିପାଇଁ ଆଵଶ୍ୟକ ଖୋଲା ମନରେ ନିଜ ଵିଶ୍ଵାସଗୁଡ଼ିକର ମୂଲ୍ୟାଙ୍କନ କରିଵା, ଯୁକ୍ତି ଓ ପ୍ରମାଣକୁ ଅଗ୍ରାଧିକାର ଦେଵା ଏଵଂ ଏହା ସ୍ଵୀକାର କରିଵାର ସାହସ ରଖିଵା ଯେ ଆମେ ଓ ଆମର ଵିଶ୍ଵାସ ମଧ୍ୟ ଭୁଲ୍ ହୋଇପାରେ। ଯଦି ଵିଶ୍ଵାସ ସହିତ ସତ୍ୟ ରହିଛି ତେବେ ସେହି ସତ୍ୟକୁ ଜାଣି ବୁଝି ହିଁ ଉକ୍ତ ଵିଶ୍ଵାସକୁ ଗ୍ରହଣ କରାଯାଇପାରେ । ସବୁ କଥାକୁ ଆଖିବୁଜି ଵିଶ୍ଵାସ କରିନେଵା ଆଦୌ ହିତକର ନୁହେଁ । 

Monday, July 28, 2025

•ଆଣ୍ଡ୍ରୋମିଡା ସ୍ଟ୍ରେନ୍: ଏକ ଅଜଣା ଭୟର କାହାଣୀ•

ଏକ ଶାନ୍ତ ରାତି। ଆକାଶରେ ତାରାଗୁଡ଼ିକ ମିଞ୍ଜି ମିଞ୍ଜି ହୋଇ ଦଳୁଥିଲା । ଆମେରିକାର ଆରିଜୋନା ରାଜ୍ୟର ଏକ ଛୋଟ ଗାଁ, ପିଏଡମଣ୍ଟ। ଏହି ଗାଁରେ ଥାଏ ମାତ୍ର କିଛି ପରିଵାର ଏଵଂ ସେମାନେ ସୁଖ ଶାନ୍ତିରେ ଜୀଵନ ଯାପନ କରୁଥିଲେ। 

ସେହି ରାତିରେ ଆମେରିକାର ଏକ ସାମରିକ ଉପଗ୍ରହ ସ୍କୂପ-୭ ମହାକାଶରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଵା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ, ଏହା ନିୟନ୍ତ୍ରଣ ହରାଇ ଆରିଜୋନାର ପିଏଡମଣ୍ଟ ସହର ନିକଟରେ ଦୁର୍ଘଟଣାରେ ପଡ଼ିଥିଲା। 

ପରଦିନ ସକାଳେ ଦୁଇଜଣ ସୈନିକ, ଲେଫ୍ଟନାଣ୍ଟ ଶନ୍ ଓ ଲେଫ୍ଟନାଣ୍ଟ କ୍ରେନ୍, ସ୍କୂପ-୭ ଉପଗ୍ରହକୁ ଖୋଜିଵା ପାଇଁ ପିଏଡମଣ୍ଟ ଗାଁରେ ପହଞ୍ଚିଲେ। କିନ୍ତୁ ଗାଁରେ ପହଞ୍ଚିଵା ପରେ ସେମାନେ ଏକ ଭୟଙ୍କର ଦୃଶ୍ୟ ଦେଖିଲେ। ଗାଁର ରାସ୍ତାରେ ମଣିଷମାନେ ମୃତ ଅଵସ୍ଥାରେ ପଡ଼ିଥିଲେ। କେହି ଘରେ, କେହି ରାସ୍ତାରେ, ଆଉ କେହି ନିଜ କାମ କରୁଥିଵା ଅଵସ୍ଥାରେ ହଠାତ୍ ମରି ଯାଇଥିଲେ। ଏକ ଅଜଣା ଶକ୍ତି ସେମାନଙ୍କ ଜୀଵନ ନେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗାଁରେ ଦୁଇଜଣ ତଥାପି ବଞ୍ଚି ଯାଇଥିଲେ—ଜଣେ ବୃଦ୍ଧ ପିଟର ଜାକସନ୍ ଏଵଂ ଏକ ଛଅମାସର ଶିଶୁପୁତ୍ର ଜେମୀ ରିଟର୍ ।

ସୈନିକମାନେ ସ୍କୂପ-୭ ଉପଗ୍ରହଟି ଖୋଜି ପାଇଲେ, କିନ୍ତୁ ସେମାନେ ନିଜେ ମଧ୍ୟ ଏକ ଅଜଣା ଶକ୍ତିର ଶିକାର ହେଲେ। ସେମାନଙ୍କ ରେଡ଼ିଓ ସମ୍ପର୍କ ଵିଚ୍ଛିନ୍ନ ହୋଇଗଲା, ଆଉ ସେମାନେ ମଧ୍ୟ ମୃତ୍ୟୁଵରଣ କଲେ।

ଏହି ଘଟଣା ଆମେରିକାର ସାମରିକ ଓ ଵୈଜ୍ଞାନିକ ମହଲରେ ହଇଚଇ ସୃଷ୍ଟି କଲା। ସରକାର ତୁରନ୍ତ ଏକ ଗୁପ୍ତ ପ୍ରୋଜେକ୍ଟ, ‘ଓ୍ଵାଇଲ୍ଡଫାୟାର’କୁ ସକ୍ରିୟ କଲେ। ଏହି ପ୍ରୋଜେକ୍ଟ ଥିଲା ଏକ ଅତ୍ୟାଧୁନିକ ଗୁପ୍ତ ଗଵେଷଣାଗାର ଯାହା ନେଭାଡା ମରୁଭୂମିରେ ଭୂମିତଳେ ନିର୍ମିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମହାକାଶରୁ ଆସିଥିଵା ଅଜଣା ଜୀବାଣୁ ଵା ପଦାର୍ଥର ଅଧ୍ୟୟନ କରି ମଣିଷ ଜାତିକୁ ସୁରକ୍ଷା ଦେଵା।

ଏହି ପ୍ରୋଜେକ୍ଟ ପାଇଁ ଚାରିଜଣ ଵୈଜ୍ଞାନିକଙ୍କୁ ନିଯୁକ୍ତ କରାଗଲା:  

- ଡକ୍ଟର ଜେରେମି ଷ୍ଟୋନ, ଜଣେ ପ୍ରସିଦ୍ଧ ମାଇକ୍ରୋବାୟୋଲୋଜିଷ୍ଟ ଓ ଦଳର ନେତା।  
-ଡକ୍ଟର ପିଟର ଲେଭିଟ, ଜଣେ ରୋଗ ଵିଶେଷଜ୍ଞ।  
-ଡକ୍ଟର ଚାର୍ଲସ ବର୍ଟନ, ଜଣେ ପାଥୋଲୋଜିଷ୍ଟ।  
-ଡକ୍ଟର ମାର୍କ ହଲ, ଜଣେ ସର୍ଜନ ଓ ଏକମାତ୍ର ଅଵିଵାହିତ ଵୈଜ୍ଞାନିକ, ଯିଏ ‘Odd Man Hypothesis ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଵାର ଦାୟିତ୍ୱ ପାଇଥିଲେ।  

ଏହି ଚାରିଜଣ ଵୈଜ୍ଞାନିକ ପିଏଡମଣ୍ଟରୁ ଉଦ୍ଧାର ହୋଇଥିଵା ସ୍କୂପ-୭ ଉପଗ୍ରହ ଓ ଦୁଇଜଣ ବଞ୍ଚିଥିଵା ବ୍ୟକ୍ତି—ପିଟର ଜାକସନ୍ ଓ ଶିଶୁପୁତ୍ରଟିକୁ—ନେଇ ଓ୍ଵାଇଲ୍ଡଫାୟାର ଗଵେଷଣାଗାରରେ ପହଞ୍ଚିଲେ।

ଗଵେଷଣାଗାରରେ ପହଞ୍ଚିଵା ପରେ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ସ୍କୂପ-୭ ଏକ ଅଜଣା ଜୀଵାଣୁ ଆଣିଛି, ଯାହାକୁ ସେମାନେ ‘ଆଣ୍ଡ୍ରୋମିଡା ସ୍ଟ୍ରେନ୍’ ନାମ ଦେଲେ। ଏହି ଜୀଵାଣୁ ଅତି ଛୋଟ, କିନ୍ତୁ ଅତ୍ୟନ୍ତ ମାରାତ୍ମକ। ଏହା ମଣିଷର ରକ୍ତକୁ ମାତ୍ର କିଛି ସେକେଣ୍ଡରେ ଶୁଖାଇ ଦେଉଥିଲା, ଯାହା ଫଳରେ ତୁରନ୍ତ ମୃତ୍ୟୁ ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଜୀଵାଣୁ ପିଟର ଜାକସନ୍ ଓ ଶିଶୁପୁତ୍ରଟିକୁ କାହିଁକି ମାରି ନଥିଲା?

ଵୈଜ୍ଞାନିକମାନେ ଦିନରାତି ଗଵେଷଣା ଆରମ୍ଭ କଲେ। ସେମାନେ ଜାଣିଵାକୁ ପାଇଲେ ଯେ ଆଣ୍ଡ୍ରୋମିଡା ସ୍ଟ୍ରେନ୍ କୌଣସି ଜୈଵିକ ଜୀବାଣୁ ନୁହେ ଵରଂ ଏକ କ୍ରିଷ୍ଟାଲାଇନ୍ ଗଠନ ଯାହା ମହାକାଶରୁ ଆସିଛି। ଏହା ଅତି ଦ୍ରୁତ ଗତିରେ ବଢ଼ି ଚାଲିଥାଏ ଏଵଂ ଶକ୍ତି ଶୋଷଣ କରି ନିଜକୁ ପୁନର୍ଜନନ କରୁଥାଏ। ଏହାର ସବୁଠାରୁ ଭୟଙ୍କର ଗୁଣ ଥିଲା ଯେ ଏହା ପ୍ରତିରୋଧକ ଶକ୍ତି ଵିରୁଦ୍ଧରେ ନିଜକୁ ବଦଳାଇ ପାରୁଥିଲା।

ଗବେଷଣା ଚାଲିଥିଵା ବେଳେ ଓ୍ଵାଇଲ୍ଡଫାୟାର ଗଵେଷଣାଗାରରେ ଏକ ନୂଆ ସମସ୍ୟା ଦେଖାଦେଲା। ଜୀଵାଣୁଟି ଗଵେଷଣାଗାରର ଵାୟୁ ନଳୀ ମାଧ୍ୟମରେ ବାହାରକୁ ଵ୍ୟାପିଵାର ଆଶଙ୍କା ଦେଖାଦେଲା। ଯଦି ଏହା ବାହାରକୁ ଵ୍ୟାପିଯାଏ, ତେବେ ଏହା ପୃଥିଵୀସାରା ଵ୍ୟାପୀ ମହାମାରୀ ସୃଷ୍ଟି କରିପାରେ। ଗଵେଷଣାଗାରରେ ଏକ ସ୍ୱୟଂଚାଳିତ ନ୍ୟୁକ୍ଲିୟର ଵିସ୍ଫୋରଣ ଵ୍ୟଵସ୍ଥା ଥିଲା ଯାହା ଜୀଵାଣୁ ବାହାରକୁ ଵ୍ୟାପିଵା ଆରମ୍ଭ କଲେ ଗଵେଷଣାଗାରକୁ ଧ୍ୱଂସ କରିଦେଵ। କିନ୍ତୁ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ନ୍ୟୁକ୍ଲିୟର ଵିସ୍ଫୋରଣ ଆଣ୍ଡ୍ରୋମିଡା ସ୍ଟ୍ରେନ୍କୁ ଆହୁରି ଶକ୍ତିଶାଳୀ କରିଦେଵ, କାରଣ ଏହା ଶକ୍ତି ଶୋଷଣ କରି ବଢ଼ିଥାଏ।

ଡକ୍ଟର ହଲଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ସେ ଏକ ଚାବି ଧରିଥିଲେ, ଯାହା ନ୍ୟୁକ୍ଲିୟର ଵିସ୍ଫୋରଣକୁ ଅଟକାଇ ପାରିଥାନ୍ତା। କିନ୍ତୁ ସମୟ ଖୁବ୍ କମ୍ ଥିଲା। ଗଵେଷଣାଗାରରେ ଵାୟୁ ଲିକ୍ ହେଵା ଆରମ୍ଭ ହୋଇଯାଇଥିଲା ଆଉ ଜୀଵାଣୁ ବାହାରକୁ ଵ୍ୟାପିଵାର ଆଶଙ୍କା ବଢ଼ି ଚାଲିଥିଲା।

ଅନେକ ପରୀକ୍ଷା ପରେ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ଆଣ୍ଡ୍ରୋମିଡା ସ୍ଟ୍ରେନ୍ କେଵଳ ନିର୍ଦ୍ଦିଷ୍ଟ pH ମାତ୍ରାରେ ବଞ୍ଚିପାରେ। ପିଟର ଜାକସନ୍ ଓ ଶିଶୁପୁତ୍ରଟି ବଞ୍ଚିଗଲେ କାରଣ ସେମାନଙ୍କ ରକ୍ତର pH ମାତ୍ରା ସ୍ଟ୍ରେନ୍ ପାଇଁ ଅନୁପଯୁକ୍ତ ଥିଲା। ପିଟର ଅତ୍ୟଧିକ ଅମ୍ଳୀୟ ଔଷଧ ସେଵନ କରୁଥିଲେ, ଆଉ ଶିଶୁଟିର ରକ୍ତ ଅତ୍ୟଧିକ ଆଲକାଲାଇନ୍ ଥିଲା। ଏହି ସୂଚନା ଵୈଜ୍ଞାନିକମାନଙ୍କ ପାଇଁ ସମାଧାନର ପଥ ପରିଷ୍କାର କରିଦେଲା ।

ଶେଷ ମୁହୂର୍ତ୍ତରେ ଡକ୍ଟର ହଲ ନ୍ୟୁକ୍ଲିୟର ଵିସ୍ଫୋରଣକୁ ଅଟକାଇଲେ। ଵୈଜ୍ଞାନିକମାନେ ଆଣ୍ଡ୍ରୋମିଡା ସ୍ଟ୍ରେନ୍‌କୁ ନଷ୍ଟ କରିଵା ପାଇଁ ଏକ ରାସାୟନିକ ପ୍ରକ୍ରିୟା ଵ୍ୟଵହାର କଲେ, ଯାହା ଜୀଵାଣୁର pH ମାତ୍ରାକୁ ଵିନାଶ କଲା। ଗଵେଷଣାଗାର ସୁରକ୍ଷିତ ହେଲା, ଆଉ ମଣିଷ ଜାତି ଏକ ମହାଵିପଦରୁ ରକ୍ଷା ପାଇଲା।

କିନ୍ତୁ କାହାଣୀ ଏଠାରେ ଶେଷ ହେଲା ନାହିଁ। ଆଣ୍ଡ୍ରୋମିଡା ସ୍ଟ୍ରେନ୍ ମନୁଷ୍ୟଜାତି ପାଇଁ ଏକ ଚେତାଵନୀ ଥିଲା। ମଣିଷ ମହାକାଶରେ ଅଜଣା ଜୀଵକୁ ଖୋଜୁଛି, କିନ୍ତୁ ସେ କ’ଣ ଜାଣେ ଯେ ସେହି ଅଜଣା ଜୀଵ ତା’ ନିଜର ଵିନାଶ ଆଣିପାରେ? ଓ୍ଵାଇଲ୍ଡଫାୟାର ଦଳ ଏହି ଵିପଦକୁ ଅଟକାଇଲେ, କିନ୍ତୁ ଆଗକୁ ଆହୁରି କେତେ ଅଜଣା ଵିପଦ ଅପେକ୍ଷା କରିଛି, ତାହା କେହି ଜାଣି ନାହାନ୍ତି।
•••••••••••••••••••••••••••••••
୧୯୬୯ରେ ପ୍ରକାଶ ପାଇଥିଵା ଔପନ୍ୟାସିକ Michael Crichtonଙ୍କ ଉପନ୍ୟାସ The Andromeda Strainର ଏହା ସଂକ୍ଷିପ୍ତ କାହାଣୀ । The Andromeda Strainର କାହାଣୀରେ ମଣିଷର ଜିଜ୍ଞାସା,ଵୈଜ୍ଞାନିକ ଆଵିଷ୍କାର ଓ ଅଜଣା ଭୟର ଏକ ରୋମାଞ୍ଚକର ମିଶ୍ରଣ ଘଟିଛି । ଆଣ୍ଡ୍ରୋମିଡା ସ୍ଟ୍ରେନ୍ ଆମକୁ ଶିଖାଏ ଯେ ଵିଜ୍ଞାନର ପ୍ରତ୍ୟେକ ପଦକ୍ଷେପ ଆଗରେ ଏକ ଅଜଣା ରହସ୍ୟ ଲୁଚି ରହିଛି। ଏହି କାହାଣୀ ଅନୁସରଣରେ The Andromeda Strain ନାମରେ ୧୯୭୧ରେ ଏକ ଚଳଚ୍ଚିତ୍ର ଏଵଂ ୨୦୦୮ରେ ଏକ Mini series ମୁକ୍ତିଲାଭ କରିଥିଲା। ଏହି ଉପନ୍ୟାସର sequelକୁ Andromeda Evolution ନାମରେ Daniel H. Wilson ଲେଖିଛନ୍ତି ଯାହା ନଭେମ୍ବର ୨୦୧୯ରେ ପ୍ରକାଶ ପାଇଛି । 
••••••••••••••••••••••••••••••••
The Andromeda Strain ଉପନ୍ୟାସର ଲେଖକ ମାଇକେଲ କ୍ରିଚଟନ୍ (୧୯୪୨–୨୦୦୮) ଜଣେ ପ୍ରସିଦ୍ଧ ଆମେରିକୀୟ ଲେଖକ, ଚଳଚ୍ଚିତ୍ର ନିର୍ମାତା ଓ ଚିକିତ୍ସକ ଥିଲେ। ସେ ଵିଜ୍ଞାନ କାଳ୍ପନିକ ଓ ଥ୍ରିଲର ଉପନ୍ୟାସ ପାଇଁ ଵିଶେଷ ଜଣାଶୁଣା। ତାଙ୍କର ସବୁଠାରୁ ଚର୍ଚ୍ଚିତ ରଚନା ମଧ୍ୟରେ The Andromeda Strain, Jurassic Park, Timeline,Prey,Congo, Sphere ଓ State of Fear ଆଦି ଜଣାଶୁଣା । କ୍ରିଚଟନ ଚଳଚ୍ଚିତ୍ର ନିର୍ମାଣ ସହିତ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। କ୍ରିଚଟନ Westworld (1973) ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ। ଏହା ଏକ ଥିମ୍‌ ପାର୍କରେ ରୋବଟ୍‌ମାନଙ୍କର ଵିଦ୍ରୋହ ଉପରେ ଆଧାରିତ ଯାହା ଵୈଜ୍ଞାନିକ କଳ୍ପଵିଜ୍ଞାନ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହୋଇଥିଲା।
Coma (1978) ଚଳଚ୍ଚିତ୍ର ତାଙ୍କ ଉପନ୍ୟାସରୁ ରୂପାନ୍ତରିତ ଯହିଁରେ ଅଵୈଧ ଅଙ୍ଗ ଵ୍ୟଵସାୟ ଉପରେ ଆଲୋକପାତ କରାଯାଇଛି। ER (1994–2009) କ୍ରିଚଟନଙ୍କ ଦ୍ୱାରା ସୃଷ୍ଟ ଏକ ଜନପ୍ରିୟ ଟେଲିଵିଜନ ଧାରାଵାହିକ ଯାହା ଚିକିତ୍ସା ନାଟକ ଶୈଳୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଥିଲା। ଏହା ତାଙ୍କର ଚିକିତ୍ସକୀୟ ପୃଷ୍ଠଭୂମିରୁ ପ୍ରେରିତ। Jurassic Park (1993) ଚଳଚ୍ଚିତ୍ର ଷ୍ଟିଭେନ୍‌ ସ୍ପିଲବର୍ଗଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଵଂ କ୍ରିଚଟନ ଏହାର ଚିତ୍ରନାଟ୍ୟ ଲେଖିଥିଲେ।

ହାର୍ଭାର୍ଡ ଵିଶ୍ୱଵିଦ୍ୟାଳୟରୁ ଚିକିତ୍ସା ଶାସ୍ତ୍ରରେ ଡିଗ୍ରୀ ଲାଭ କରିଥିଵା କ୍ରିଚଟନ୍ ତାଙ୍କ ରଚନାରେ ଵୈଜ୍ଞାନିକ ତଥ୍ୟ ଓ ରୋମାଞ୍ଚକର କାହାଣୀର ଅନୁପମ ମିଶ୍ରଣ କରୁଥିଲେ। ତାଙ୍କ ଅନେକ ଉପନ୍ୟାସ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାଵାହିକରେ ରୂପାନ୍ତରିତ ହୋଇଛି। ତାଙ୍କ ଲେଖା ପାଠକଙ୍କୁ ଵିଜ୍ଞାନର ସମ୍ଭାଵନା ଓ ଵିପଦ ଉପରେ ଚିନ୍ତା କରିଵାକୁ ପ୍ରେରଣା ଦେଇଥାଏ।
••••••••••••••••••••••••••••••••
"Odd Man Hypothesis" ପ୍ରକୃତରେ ଏକ କାଳ୍ପନିକ ସିଦ୍ଧାନ୍ତ ଏଵଂ ପ୍ରଥମେ ମାଇକେଲ କ୍ରିଚଟନଙ୍କ ୧୯୬୯ ମସିହାର ଟେକ୍ନୋ-ଥ୍ରିଲର ଉପନ୍ୟାସ The Andromeda Strainରେ ଉପସ୍ଥାପିତ ହୋଇଥିଲା। ଏହି ସିଦ୍ଧାନ୍ତ ଅନୁଯାୟୀ, ଅଵିଵାହିତ ପୁରୁଷମାନେ ସଙ୍କଟ ସମୟରେ (ଯେପରିକି ଜୈଵିକ କିମ୍ବା ପାରମାଣଵିକ ସଙ୍କଟ) ସବୁଠାରୁ ନିରପେକ୍ଷ ଓ ଯୁକ୍ତିସଙ୍ଗତ ନିଷ୍ପତ୍ତି ନେଵାରେ ସକ୍ଷମ ହୋଇଥାନ୍ତି। ଉପନ୍ୟାସରେ, ଏହାକୁ ଏକ କାଳ୍ପନିକ RAND Corporation ରିପୋର୍ଟ ଆକାରରେ ଉପସ୍ଥାପନ କରାଯାଇଛି, ଯହିଁରେ ଵିଭିନ୍ନ ଵ୍ୟକ୍ତିଙ୍କ ନିଷ୍ପତ୍ତି ନେଵାର କ୍ଷମତାକୁ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅଵିଵାହିତ ପୁରୁଷମାନଙ୍କର ନିଷ୍ପତ୍ତି କାର୍ଯ୍ୟକାରିତା ସୂଚକାଙ୍କ (command decision effectiveness index) ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ଥାଏ । ଉପନ୍ୟାସରେ, ଏହି ସିଦ୍ଧାନ୍ତର ଵ୍ୟଵହାର ଡକ୍ଟର ହଲ୍ ନାମକ ଜଣେ ଅଵିଵାହିତ ଵୈଜ୍ଞାନିକଙ୍କୁ ଏକ ଗୁପ୍ତ ଲାବୋରେଟୋରୀ (Wildfire) ରେ ଜୈଵିକ ସଙ୍କଟ ନିୟନ୍ତ୍ରଣ ପାଇଁ ଏକ ପାରମାଣଵିକ ଵିସ୍ଫୋରଣକୁ ନିଷ୍କ୍ରିୟ କରିଵାର ଚାବି ଦିଆଯାଇଛି। ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି କାରଣ ସେ ଅଵିଵାହିତ ଏଵଂ ତାଙ୍କର ନିଷ୍ପତ୍ତି ନେଵାର କ୍ଷମତା ସବୁଠାରୁ ଉଚ୍ଚ ବୋଲି ଵିଵେଚନା କରାଯାଇଛି। ତେବେ, ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ ସିଦ୍ଧାନ୍ତ ଏଵଂ ଵାସ୍ତଵ ଜୀଵନରେ ଏହାର କୌଣସି ଵୈଜ୍ଞାନିକ ଭିତ୍ତି ନାହିଁ। କ୍ରିଚଟନ ଏହାକୁ ଉପନ୍ୟାସରେ ଏକ ନାଟକୀୟ ଉପାଦାନ ଭାବେ ଵ୍ୟଵହାର କରିଛନ୍ତି, ଯାହା ଏକ କାଳ୍ପନିକ ରିପୋର୍ଟ ଦ୍ୱାରା ସମର୍ଥିତ ହୋଇଛି। ଉପନ୍ୟାସରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ସିଦ୍ଧାନ୍ତ ଏକ ମିଥ୍ୟା କାଗଜପତ୍ର ଆଧାରରେ ଗଢ଼ାଯାଇଥିଲା । ଵୈଜ୍ଞାନିକମାନଙ୍କୁ ପାରମାଣଵିକ ଅସ୍ତ୍ର ନିୟନ୍ତ୍ରଣର ଦାୟିତ୍ୱ ଦେଵାକୁ ନ୍ୟାୟସଙ୍ଗତ କରିଵା ପାଇଁ ଏଭଳି କରାଯାଇଥିଲା । ଏହା ମୁଖ୍ୟତଃ ଏକ ଗଳ୍ପଗତ ଉପକରଣ ଭାବେ କାମ କରେ, ଯାହା ଉପନ୍ୟାସରେ ରୋମାଞ୍ଚ ଓ ଉତ୍ତେଜନା ସୃଷ୍ଟି କରିଵାକୁ ଵ୍ୟଵହୃତ ହୋଇଛି। 
•••••••••••••••••••••••••••••••••••

Friday, July 25, 2025

•ଗ୍ୟାସ୍ ଲାଇଟ୍: ଏକ ରହସ୍ୟମୟ ଷଡ଼ଯନ୍ତ୍ରର କାହାଣୀ•

ଲଣ୍ଡନର ଏକ ପୁରୁଣା, ଧୂସର ଓ କୁହୁଳିଆ ସହରୀ ଅଞ୍ଚଳରେ ସନ୍ଧ୍ୟା ସମୟରେ ରାସ୍ତାଗୁଡ଼ିକ ଗ୍ୟାସ୍ ଲାଇଟ୍‌ରେ ଝାପସା ଆଲୋକିତ ହେଉଥିଲା ଏଵଂ ସେଠାରେ ଥିଲା ଏକ ଭଵ୍ୟ କିନ୍ତୁ ରହସ୍ୟମୟ ଘର। ଏହି ଘରେ Mr. Jack Manningham ଏଵଂ ତାଙ୍କ ସ୍ତ୍ରୀ Bella Manningham ରହୁଥିଲେ । Jack ଥିଲେ ଜଣେ ସୁନ୍ଦର, ମିଷ୍ଟଭାଷୀ, ଚତୁର ଵ୍ୟକ୍ତି, ଯାହାଙ୍କ ସ୍ଵଭାଵ ଅନେକଙ୍କୁ ଆକର୍ଷଣୀୟ ଲାଗୁଥିଲା । Bella ଥିଲେ ଜଣେ ସରଳ, ସମ୍ବେଦନଶୀଳ ଓ ନିରୀହ ମହିଳା, ଯିଏ ନିଜ ସ୍ୱାମୀଙ୍କୁ ଅନ୍ଧ ଭାବେ ଭରସା କରୁଥିଲେ। ସେମାନଙ୍କ ଵୈଵାହିକ ଜୀଵନ ବାହାରୁ ଦେଖାଗଲେ ଶାନ୍ତ ଓ ସୁଖମୟ ଲାଗୁଥିଲା, କିନ୍ତୁ ଘରର ଚାରିକାନ୍ଥ ମଧ୍ୟରେ ଲୁକ୍କାୟିତ ଥିଲା ଏକ ଅନ୍ଧକାର ରହସ୍ୟ।

ବେଲା ଲକ୍ଷ୍ୟ କରିବାକୁ ଲାଗିଲେ ଯେ ତାଙ୍କ ଘରେ କିଛି ଅଜଣା ଘଟଣା ଘଟୁଛି । ସନ୍ଧ୍ୟା ହେଲେ ଘରର ଗ୍ୟାସ୍ ଲାଇଟ୍‌ଗୁଡ଼ିକ ଧୀରେ ଧୀରେ କ୍ଷୀଣ ଆଲୋକଯୁକ୍ତ ହୋଇ ଯାଉଥିଲା। ଏହା ଏକ ଅଜଣା ଭୟଙ୍କର ଅନୁଭଵ ଥିଲା। ସେ ନିଜ ଆଖିରେ ଦେଖୁଥିଲେ ଯେ ଆଲୋକ କମୁଛି, କିନ୍ତୁ ଯେତେବେଳେ ସେ Jackଙ୍କୁ ଏହା ଵିଷୟରେ ପଚାରୁଥିଲେ, ସେ ଅଳ୍ପ ହସି ଜବାବ ଦେଉଥିଲେ, “Bella,ଏହା ତୁମ ମନର ଭ୍ରମ। ଆଲୋକ ଆଦୌ କମି ନାହିଁ । ତୁମେ ବୋଧେ ଏ ଵିଷୟରେ ଅଧିକ ଚିନ୍ତା କରୁଛ। ତେଣୁ ତୁମେ କିଛି ଦିନ ଵିଶ୍ରାମ କର।” Bella ତାଙ୍କ କଥାକୁ ଵିଶ୍ୱାସ କରୁଥିଲେ, କିନ୍ତୁ ତାଙ୍କ ମନରେ ଏକ ଅଜଣା ସନ୍ଦେହ ତଥାପି ରହିଥାଏ ।

ତେବେ ସେ ଗ୍ୟାସ୍ ଲାଇଟ୍‌ର ଆଲୋକ କ୍ଷୀଣ ହେଵା ଵ୍ୟତୀତ ଅନ୍ୟ ଅଜଣା ଘଟଣା ମଧ୍ୟ ଘଟୁଥିଲା। ଘର କାନ୍ଥରେ ଟଙ୍ଗା ହୋଇଥିଵା ଏକ ମୂଲ୍ୟଵାନ ଚିତ୍ରକଳା କେତେବେଳେ ଅଦୃଶ୍ୟ ହୋଇଯାଉଥିଲା, ଆଉ କେତେବେଳେ ପୁଣି ସେହି ସ୍ଥାନକୁ ଫେରି ଆସୁଥିଲା। Bella ଏହା ଵିଷୟରେ ମଧ୍ୟ Jackଙ୍କୁ ଜଣାଇଲେ, କିନ୍ତୁ Jack ତାଙ୍କୁ ଉତ୍ତର ଦେଉଥିଲେ, “Bella, ତୁମ ଆଖି ଭଲ ନାହିଁ ବୋଧହୁଏ। ଚିତ୍ରଟି ପରା ସେଇଠି ଟଙ୍ଗା ହୋଇଛି। କ'ଣ ହୋଇଛି ତୁମର ତୁମେ ଏସବୁ ଛୋଟ ଛୋଟ କଥାକୁ ନେଇ ଏତେ ସମ୍ବେଦନଶୀଳ କାହିଁକି ହୋଇ ଯାଉଛ।” 

ରାତିରେ, ଯେତେବେଳେ ଚାରିଆଡ଼ ନିଃଶବ୍ଦ ହୋଇ ପଡ଼ୁଥିଲା, Bella ଅଜଣା ପାଦଶବ୍ଦ ଶୁଣୁଥିଲେ। ଏମିତି ଲାଗୁଥିଲା ସତେ ଯେମିତି କେହି ଘରର ଉପର ମହଲାରେ ଚାଲବୁଲ କରୁଛି। ଭୟଭୀତ ହୋଇ ସେ Jackଙ୍କୁ ଏକଥା ଵିଷୟରେ ମଧ୍ୟ ଜଣାଇଲେ, କିନ୍ତୁ Jack ପୁଣି ତାଙ୍କୁ ଶାନ୍ତ କରି କହିଲେ, “Bella, ତୁମେ ନିଶ୍ଚୟ କୌଣସି ସ୍ୱପ୍ନ ଦେଖିଛ। କାଇଁ ଏମିତି କୌଣସି ଶବ୍ଦ ମୁଁ ତ କେବେ ଶୁଣିନାହିଁ କି ଶୁଣୁନାହିଁ। ତୁମେ ଆରାମ କର, ସବୁ ଠିକ୍ ହୋଇଯିଵ।”

ଏହିପରି ଅନେକ ଦିନ ବିତିଗଲା ଆଉ Bellaଙ୍କ ମନରେ ସନ୍ଦେହ ଆହୁରି ବଢ଼ିଵାକୁ ଲାଗିଲା। ସେ ନିଜକୁ ସବୁବେଳେ ପ୍ରଶ୍ନ କରୁଥିଲେ, “ମୁଁ କ’ଣ ସତରେ ପାଗଳ ହେଉଛି? ମୁ ଅନୁଭଵ କରୁଥିଵା ଏଵଂ ଆଖିରେ ଦେଖୁଥିଵା ଘଟଣାଗୁଡ଼ିକ ତଥା କାନରେ ଶୁଣୁଥିଵା ଶବ୍ଦମାନ କ’ଣ କେଵଳ ମୋ ମନର କଳ୍ପନା ?” 

Bella ମାନସିକ ଭାବେ ଦୁର୍ଵଳ ହୋଇ ଯାଇଥିଲେ। ସେ ନିଜର ଆତ୍ମଵିଶ୍ୱାସ ହରାଇ ବସିଥିଲେ। ଘରର ଚାରି କାନ୍ଥ ମଧ୍ୟରେ ସେ ନିଜକୁ ଜଣେ ବନ୍ଦୀ ଭଳି ଦେଖୁଥିଲେ । 

ଦିନେ ସେ ଘରେ ପ୍ରଵେଶ କଲେ Mr. Rough, ଜଣେ ଡିଟେକ୍ଟିଭ୍। Rough ଏକ ପୁରୁଣା ଅପରାଧର ତଦନ୍ତରେ ଲାଗିଥିଲେ, ଯାହା ଏହି ଘର ସହ ଜଡ଼ିତ ଥିଲା। ସେ Bellaଙ୍କ ଅସ୍ୱାଭାଵିକ ଆଚରଣ ଓ ଭୟଭୀତ ଚେହେରା ଲକ୍ଷ୍ୟ କଲେ। ସେ Bellaଙ୍କ ସହ କଥା ହେଲେ। Bella ତାଙ୍କୁ ଗ୍ୟାସ୍ ଲାଇଟ୍‌ର ମଳିନତା, ଚିତ୍ରକଳାର ଅଦୃଶ୍ୟ ହେଵା ଓ ଉପର ମହଲାରୁ ଆସୁଥିଵା ଅଜଣା ଶବ୍ଦ ଵିଷୟରେ କହିଲେ। Rough ଶାନ୍ତ ମନରେ ସବୁ କଥା ଶୁଣିଲେ ଓ ତାଙ୍କୁ ଆଶ୍ୱାସନା ଦେଲେ, “Bella, ଆପଣ ପାଗଳ ନୁହଁ। ଆପଣଙ୍କ ସହ କିଛି ଅନ୍ୟାୟ ହେଉଛି। ମୁଁ ଏହାର ସତ୍ୟ ବାହାର କରିବି।”

Roughଙ୍କ ତଦନ୍ତରୁ ଏକ ଚମକପ୍ରଦ ସତ୍ୟ ସାମ୍ନାକୁ ଆସିଲା। Jack Manningham ଆଦୌ ଜଣେ ନିରୀହ ସ୍ୱାମୀ ନଥିଲେ। ସେ ଥିଲେ ଏକ ଚତୁର ଓ ନିର୍ଦ୍ଦୟ ଅପରାଧୀ ଆଉ ତାଙ୍କର ପ୍ରକୃତ ନାମ ଥିଲା Sidney Power। କିଛି ଵର୍ଷ ତଳେ, ଏହି ଘରର ପୂର୍ଵତନ ମାଲିକାଣୀ, Alice Barlow ନାମକ ଜଣେ ଧନୀ ମହିଳାଙ୍କୁ Sidney (ଛଦ୍ମବେଶୀ Jack Manningham) ହତ୍ୟା କରିଥିଲେ। Alice ଥିଲେ Bellaଙ୍କ ଦୂର ସମ୍ପର୍କୀୟ, ଏକ ସମ୍ଭ୍ରାନ୍ତ ମହିଳା ଏଵଂ ତାଙ୍କ ପାଖରେ ଏକ ବହୁମୂଲ୍ୟ ରୁବି ଥିଲା। ଏହି ରୁବି ଆର୍ଥିକ,ଐତିହାସିକ ଓ ଭାଵନାତ୍ମକ ଦୃଷ୍ଟିକୋଣରୁ ଅତି ମୂଲ୍ୟବାନ ଥିଲା। ଏହା ଏକ ଵିରଳ ରତ୍ନ ଥିଲା ଯାହାର ଚମକ ଓ ଇତିହାସ ଏହାକୁ ଅନନ୍ୟ କରୁଥିଲା।

Sidney Power ଏହି ରୁବିକୁ ପାଇଵା ପାଇଁ Aliceଙ୍କୁ ହତ୍ୟା କରିଥିଲେ। ରାତିର ଅନ୍ଧକାରରେ, Sidney ଘରେ ପଶି Aliceଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, କିନ୍ତୁ ରୁବିଟି ତାଙ୍କୁ ମିଳି ନଥିଲା। Alice, ନିଜର ମୃତ୍ୟୁ ପୂର୍ବରୁ, ରୁବିଟିକୁ ଘରର ଉପର ମହଲାରେ ଏକ ଗୁପ୍ତ ଜାଗାରେ ଲୁଚାଇ ଦେଇଥିଲେ। ହତ୍ୟା ପରେ, Sidney ପୋଲିସ କବଳରୁ ବର୍ତ୍ତିଵା ପାଇଁ ପଳାଇ ଯାଇଥିଲେ, କିନ୍ତୁ ରୁବିର ଲୋଭ ତାଙ୍କୁ ଶାନ୍ତିରେ ରହିଵାକୁ ଦେଇ ନଥିଲା।

କିଛି ଵର୍ଷ ବିତିଗଲା । Sidney ନୂଆ ପରିଚୟରେ ଫେରି ଆସିଲେ—Jack Manningham ଭାବେ। ସେ Bellaଙ୍କୁ ଵିଵାହ କରି ଏହି ଘରେ ପ୍ରଵେଶ କଲେ, କାରଣ Bella ଏହି ଘରର ଉତ୍ତରାଧିକାରୀ ଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ରୁବିଟିକୁ ଖୋଜି ବାହାର କରିଵା । ରାତିରେ, ଯେତେବେଳେ Bella ଶୋଉଥିଲେ, Jack ଉପର ମହଲାରେ ଖୋଜାଖୋଜି କରୁଥିଲେ। ଏହି ଖୋଜା ସମୟରେ ସେ ପାଖ ଘରରୁ ଗ୍ୟାସ୍ ଵ୍ୟଵହାର କରୁଥିଲେ, ଯାହା ତାଙ୍କ ଘରର ଗ୍ୟାସ୍ ଲାଇଟ୍‌ଗୁଡ଼ିକୁ ମଳିନ କରୁଥିଲା। ଏହା ଥିଲା Bellaଙ୍କ ମନରେ ସନ୍ଦେହ ସୃଷ୍ଟି କରିଵାର ଏକ ଚକ୍ରାନ୍ତ। ସେ ଚାହୁଁଥିଲେ ଯେ Bella ନିଜକୁ ପାଗଳ ଭାବି ଘର ଛାଡ଼ି ଚାଲିଯାଆନ୍ତୁ ଫଳତଃ ସେ ନିଶ୍ଚିନ୍ତରେ ଖୋଜାଖୋଜି କରିପାରିବେ ।

ରୁବିଟି ଥିଲା ଏକ ଐତିହାସିକ ରତ୍ନ ଯାହା Alice Barlowଙ୍କ ପରିଵାରରେ ବହୁ ପଢ଼ିଧରି ରହିଥିଲା। ଏହାର ମୂଲ୍ୟ ଲକ୍ଷ ଲକ୍ଷ ପାଉଣ୍ଡରେ ମାପାଯାଉଥିଲା, କିନ୍ତୁ ଏହାର ଇତିହାସ ମଧ୍ୟ ଏହାକୁ ଅନନ୍ୟ କରୁଥିଲା। କୁହାଯାଏ ଯେ ଏହି ରୁବି ଏକ ରାଜପରିଵାରରୁ ଆସିଥିଲା, ଯାହା ଏହାକୁ ଆହୁରି ମୂଲ୍ୟବାନ କରୁଥିଲା। Sidney Power ଏହି ରୁବିକୁ ଲାଭ କରିଵା ପାଇଁ ନିର୍ମମ ହତ୍ୟା କରିଥିଲେ, କିନ୍ତୁ ତାଙ୍କ ଯୋଜନା ଅସଫଳ ହୋଇଥିଲା। 

ଏହି ରୁବିଟି ଏହି ଅପରାଧର ପ୍ରମାଣ ମଧ୍ୟ ଥିଲା। ଯଦି ଏହା ପୋଲିସର ହାତକୁ ଆସେ, ତାହେଲେ Sidneyଙ୍କୁ ହତ୍ୟା ଅଭିଯୋଗରେ ଧରାଯିଵ। ତେଣୁ ସେ ଏହାକୁ ଖୋଜିଵା ସହ ଲୁଚାଇଵାକୁ ଚାହୁଁଥିଲେ। Bellaଙ୍କୁ ମାନସିକ ଭାବେ ଅସ୍ଥିର କରିଵା ଥିଲା ତାଙ୍କର ଏକ ଚାଲ୍ । Bellaଙ୍କୁ ଘରୁ କୌଶଳ ପୂର୍ଵକ ବାହାର କରି ସେ ନିଜର ଅପରାଧକୁ ଲୁଚାଇ ରଖିଵାକୁ ଚାହୁଁଥିଲେ । ଗ୍ୟାସ୍ ଲାଇଟ୍‌ଗୁଡ଼ିକୁ ମଳିନ କରିଵା, ଚିତ୍ରକଳାକୁ ଲୁଚାଇଵା ଏଵଂ ଅଜଣା ଶବ୍ଦ ସୃଷ୍ଟି କରିଵା—ଏ ସବୁ ଥିଲା Bellaଙ୍କ ମନରେ ଭୟ ଓ ସନ୍ଦେହ ଜନ୍ମାଇଵାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।

Mr. Roughଙ୍କ ତଦନ୍ତ ଆଗେଇଲା। ସେ ଘରର ପୁରୁଣା ରେକର୍ଡ, Alice Barlowଙ୍କ ହତ୍ୟା ଓ Sidney Powerଙ୍କ ଅପରାଧୀ ପରିଚୟ ଵିଷୟରେ ଖୋଜି ବାହାର କଲେ। ସେ Bellaଙ୍କୁ ବୁଝାଇଲେ ଯେ Jack ତାଙ୍କୁ ଜାଣିଶୁଣି ମାନସିକ ଭାବେ ଅସ୍ଥିର କରୁଛନ୍ତି। Rough ଏକ ଯୋଜନା ପ୍ରସ୍ତୁତ କଲେ। ସେ Bellaଙ୍କୁ କହିଲେ ଯେ ସେ Jackଙ୍କୁ ସନ୍ଦେହ ନ କରିଵା ପାଇଁ ସାଧାରଣ ଆଚରଣ କରନ୍ତୁ, ଯାହା ତାଙ୍କୁ ଧରିଵାରେ ସାହାଯ୍ୟ କରିବ।

ଦିନେ ରାତିରେ, Rough ଲୁଚି ରହିଲେ, ଆଉ Jack ପୁଣି ଉପର ମହଲାରେ ଖୋଜାଖୋଜି କରିଵାକୁ ଗଲେ। ଏହି ସମୟରେ Bella ସଜାଗ ରହି ତାଙ୍କୁ ଅନୁସରଣ କଲେ। ସେ ଦେଖିଲେ ଯେ ଉପର ମହଲା ଘରେ Jack ଖୋଜାଖୋଜି କରୁଛନ୍ତି ଏଵଂ ତାଙ୍କୁ ଶେଷରେ ଏକ ଗୁପ୍ତସ୍ଥାନରୁ ଏକ ଛୋଟ ବାକ୍ସ ମିଳିଯାଉଛି । ସେହି ଛୋଟ ବାକ୍ସରେ ରୁବିଟି ଲୁଚାଇ ରଖାଯାଇଥିଲା। ଏତିକିବେଳେ ଡିଟେକ୍ଟିଵ୍ Rough ପ୍ରଵେଶ କଲେ ଓ Jackଙ୍କୁ ଅପରାଧୀ ଭାବେ ଧରିଲେ। ସେ ପୋଲିସକୁ ଡାକିଲେ, ଆଉ Jackଙ୍କୁ ଗିରଫ କରାଗଲା।

Roughଙ୍କ ସାହାଯ୍ୟରେ, Bella ନିଜର ମାନସିକ ଶାନ୍ତି ଓ ସ୍ୱାଧୀନତା ଫେରି ପାଇଲେ। ରୁବିଟି ପୋଲିସର ହାତକୁ ହସ୍ତାନ୍ତର କରାଗଲା, ଆଉ Alice Barlowଙ୍କ ହତ୍ୟାର ସତ୍ୟ ସାମ୍ନାକୁ ଆସିଲା। Bella ସେହି ଘରେ ତଥାପି ରହିଵାକୁ ନିଷ୍ପତ୍ତି ନେଲେ କାରଣ ତାଙ୍କୁ ମିଛେଈ କହିଲାବାଲା ଏଵଂ ପାଗଳୀ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରୁଥିଵା ଲୋକ ଆଉ କେହି ସେଠାରେ ନଥିଲେ । Bella ଏବେ ଜଣେ ସ୍ୱାଧୀନ ଓ ସାହସୀ ମହିଳା ଥିଲେ ଏଵଂ ସେଥିପାଇଁ ସେ ସେହି ଘରେ ହିଁ ରହିଗଲେ ।

••••••••••••••••••••••••••••••••

ଗ୍ୟାସ୍ ଲାଇଟ୍ ଏକ ପ୍ରକାରର ଆଲୋକ ଵ୍ୟଵସ୍ଥା ଯହିଁରେ ଜାଳେଣି ଗ୍ୟାସ୍ (ଯଥା କୋଇଲା ଗ୍ୟାସ୍, ପ୍ରାକୃତିକ ଗ୍ୟାସ୍ ଵା ଅନ୍ୟାନ୍ୟ ଜ୍ୱଳନଶୀଳ ଗ୍ୟାସ୍) ଵ୍ୟଵହାର କରି ଆଲୋକ ଉତ୍ପନ୍ନ ହୁଏ । ଏହା ସାଧାରଣତଃ ୧୯ଶ ଶତାବ୍ଦୀରେ ରାସ୍ତା, ଘର ଓ ଜନସାଧାରଣ ସ୍ଥାନଗୁଡ଼ିକୁ ଆଲୋକିତ କରିଵା ପାଇଁ ଵ୍ୟଵହୃତ ହେଉଥିଲା। ଗ୍ୟାସ୍ ଲାଇଟ୍ ସାଧାରଣତଃ ଏକ ବାର୍ନର ଵା ମାଣ୍ଟଲ୍ ମାଧ୍ୟମରେ କାର୍ଯ୍ୟ କରେ ଯହିଁରେ ଗ୍ୟାସ୍ ଜଳି ଆଲୋକ ସୃଷ୍ଟି କରେ। ଲଣ୍ଡନ ଵିଶ୍ୱର ପ୍ରଥମ ସହର ଯେଉଁଠାରେ ଗ୍ୟାସ୍ ଲାଇଟ୍ ରାସ୍ତା ଆଲୋକିକରଣ ପାଇଁ ଵ୍ୟଵହୃତ ହୋଇଥିଲା।
ଲଣ୍ଡନରେ ଗ୍ୟାସ୍ ଲାଇଟ୍‌ର ପ୍ରଥମ ପ୍ରାମାଣିକ ପ୍ରଦର୍ଶନ ୧୮୦୭ ମସିହା ଜାନୁଆରୀ ୨୮ ତାରିଖରେ ପାଲ୍ ମାଲ୍ (Pall Mall) ରାସ୍ତାରେ ହୋଇଥିଲା। ଏହି ପ୍ରଦର୍ଶନ ଜର୍ମାନ ଉଦ୍ଭାଵକ Frederick Winsorଙ୍କ ଦ୍ୱାରା କରାଯାଇଥିଲା, ଯିଏ ଗ୍ୟାସ୍ ଆଲୋକ ଵ୍ୟଵସ୍ଥାର ଵାଣିଜ୍ୟିକ ଵ୍ୟଵହାରକୁ ପ୍ରୋତ୍ସାହିତ କରିଥିଲେ। ୧୯ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଗ୍ୟାସ୍‌ଲାଇଟ୍ ଲଣ୍ଡନର ଅନେକ ରାସ୍ତା, ଘର ଏଵଂ ଜନସାଧାରଣ ସ୍ଥାନଗୁଡ଼ିକରେ ଵ୍ୟଵହୃତ ହୃତ ହେଵାକୁ ଲାଗିଲା। ଆଜି ମଧ୍ୟ, ଲଣ୍ଡନରେ ପ୍ରାୟ ୧,୫୦୦ ଗ୍ୟାସ୍ ଲାଇଟ୍ କାର୍ଯ୍ୟଶୀଳ ଅଛି, ଯାହାକୁ "ଲଣ୍ଡନ ଗ୍ୟାସ୍‌କେଟିୟର୍ସ" ଦ୍ୱାରା ରକ୍ଷଣାଵେକ୍ଷଣ କରାଯାଉଛି। ଏହି ଲାଇଟ୍‌ଗୁଡ଼ିକ ଲଣ୍ଡନର ଐତିହାସିକ ସମ୍ପଦର ଏକ ଅଂଶ ଭାବେ ଵିଵେଚିତ ହୁଏ।
••••••••••••••••••••••••••••••••
୧୯୩୮ ମସିହାରେ ପ୍ୟାଟ୍ରିକ୍‌ ହାମିଲ୍‌ଟନ୍‌ଙ୍କ ନାଟକ "Gas Light" ପ୍ରକାଶିତ ହୋଇଥିଲା ।‌ ଏହି ନାଟକ ଲୋକପ୍ରିୟ ହେଵାରୁ ପରେ ୧୯୪୦ ଓ ୧୯୪୪ରେ ଚଳଚ୍ଚିତ୍ର ରୂପେ ମଧ୍ୟ ନିର୍ମିତ ହୋଇଥିଲା। ତେବେ ଏହି ଏହି Gas light ନାଟକ ନାମରୁ Gaslighting ଶବ୍ଦ ଗୃହୀତ ହୋଇଛି । 

Gaslighting ଏକ ମନୋଵୈଜ୍ଞାନିକ ହିଂସାର ପ୍ରକାର ଵିଶେଷ, ଯେଉଁଥିରେ ଜଣେ ଵ୍ୟକ୍ତି ଅନ୍ୟ ଜଣେ ଵ୍ୟକ୍ତିଙ୍କୁ ତାଙ୍କର ଵାସ୍ତଵତା, ସ୍ମୃତି ଵା ଧାରଣା ଉପରେ ସନ୍ଦେହ କରିଵାକୁ ବାଧ୍ୟ କରନ୍ତି। ଏହା ଏକ ପ୍ରକାର ମାନସିକ ନିୟନ୍ତ୍ରଣ ଵା ମନିପୁଲେସନ୍‌, ଯହିଁର ଶିକାର ହୋଇଥିଵା ପୀଡ଼ିତ ଵ୍ୟକ୍ତି ନିଜର ଵିଚାର, ଅନୁଭଵ, ଵା ଵାସ୍ତଵତା ଉପରେ ଆତ୍ମଵିଶ୍ଵାସ ହରାଇ ଦୁର୍ଵଳ ହୋଇପଡ଼ନ୍ତି। ଉଦାହରଣ ସ୍ୱରୂପ, କେହି ଜଣେ ଆପଣଙ୍କୁ କହିପାରନ୍ତି ଯେ ଆପଣ କିଛି ଘଟଣାକୁ ଭୁଲ୍‌ ଭାବେ ମନେ ରଖିଛନ୍ତି ଵା ଆପଣଙ୍କ ଅନୁଭଵ ଅଵାସ୍ତଵ, କିନ୍ତୁ ପ୍ରକୃତରେ ତାହା ସତ୍ୟ। Gas light ନାଟକରେ Bellaଙ୍କ ସହିତ ସମାନ କଥା ହୋଇଥିଲା ।

୧୯୬୦ ଦଶକରୁ ଏହି Gaslighting ଶବ୍ଦଟି ମନୋଵିଜ୍ଞାନୀମାନେ ଵ୍ୟଵହାର କରିଵା ଆରମ୍ଭ କଲେ ଏଵଂ ସେମାନେ ଏହାକୁ ମାନସିକ ନିୟନ୍ତ୍ରଣର ଏକ ପ୍ରକାର ଭାବେ ଚିହ୍ନିଲେ। ୨୦୧୦ ଦଶକରେ, ସୋସିଆଲ ମିଡିଆ ଓ ଜନସଚେତନତା ବୃଦ୍ଧି ସହିତ, "gaslighting" ଶବ୍ଦଟି ଵ୍ୟାପକ ଭାବେ ପ୍ରଚଳିତ ହେଲା। ଏହା ଵ୍ୟକ୍ତିଗତ ସମ୍ପର୍କ, କାର୍ଯ୍ୟକ୍ଷେତ୍ର, ରାଜନୀତି, ଏଵଂ ସାମାଜିକ ପରିଵେଶରେ ମନିପୁଲେସନ୍‌ର ଏକ ରୂପ ଭାବେ ଵ୍ୟଵହୃତ ହୁଏ।
•••••••••••••••••••••••••••••••••

Thursday, July 24, 2025

ଅପାଣ୍ଡୁକ ଶବ୍ଦର ଉତ୍ପତ୍ତି ଓ ଅର୍ଥ: ଏକ ଭାଷାତାତ୍ତ୍ଵିକ ଅନୁସନ୍ଧାନ

ଓଡ଼ିଆ ଭାଷାରେ ଶବ୍ଦଗୁଡ଼ିକ କେଵଳ ଅର୍ଥ ଵହନ କରିନଥାଏ ତତ୍ ସହିତ ସାଂସ୍କୃତିକ, ଐତିହାସିକ ଓ ସାମାଜିକ ପୃଷ୍ଠଭୂମିର ଏକ ପରିଚୟ ମଧ୍ୟ ଵହନ କରିଥାଏ। ଏହି ପରିପ୍ରେକ୍ଷୀରେ ‘ଅପାଣ୍ଡୁକ’ ଶବ୍ଦଟି ଏକ ଵିଶେଷ ଆକର୍ଷଣୀୟ ଉଦାହରଣ। ଏହି ଶବ୍ଦଟି ସାଧାରଣତଃ ‘ନିର୍ବୁଦ୍ଧିଆ’ ଵା ‘ବୋକା’ ଅର୍ଥରେ ଵ୍ୟଵହୃତ ହୋଇଥାଏ ଏଵଂ ପ୍ରାୟତଃ ‘ମୂର୍ଖ’ ଶବ୍ଦର ସହଚର ଭାବେ କଥିତ ହୁଏ। ଉଦାହରଣ ସ୍ବରୂପ, “ମୂର୍ଖ ଅପାଣ୍ଡୁକ କୋଉଠିକାର...” ଭଳି ଵ୍ୟକ୍ୟ ଏହାର ପ୍ରଚଳିତ ଉପଯୋଗ ଦର୍ଶାଇଥାଏ। ଏହା କେଵଳ ଏକ ଶବ୍ଦ ନୁହେଁ, ଵରଂ ଏହା ସ୍ଥାନୀୟ ସଂସ୍କୃତି ଓ ଲୋକଵିଶ୍ବାସ ସହିତ ଗଭୀର ଭାବେ ସମ୍ପୃକ୍ତ। କିନ୍ତୁ କେମିତି ? 

 ‘ଅପାଣ୍ଡୁକ’ ଶବ୍ଦଟି ମୂଖ୍ୟତଃ ଏକ ଅଵମାନନାସୂଚକ ଶବ୍ଦ ଭାବେ ଵ୍ୟଵହୃତ ହୁଏ, ଯାହା କୌଣସି ଵ୍ୟକ୍ତିର ବୁଦ୍ଧିହୀନତା ଵା ଅଯୋଗ୍ୟତାକୁ ବୁଝାଇଥାଏ। ଏହାର ଅନ୍ୟ ଏକ ରୂପ ‘ଅପାଣ୍ଡକ’ ମଧ୍ୟ ସ୍ଥାନୀୟ ଭାଷାରେ ପ୍ରଚଳିତ। ଏହି ଶବ୍ଦଟି ପ୍ରାୟତଃ ‘ମୂର୍ଖ’ ଶବ୍ଦର ସହିତ ଯୁକ୍ତ ହୋଇ ଵ୍ୟଵହୃତ ହୁଏ, ଯାହା ଏହାର ଅର୍ଥକୁ ଆହୁରି ତୀଵ୍ର କରିଥାଏ। ତେବେ ଏ ଶବ୍ଦର ଵ୍ୟଵହାର ଲୋକଵାଣୀରେ ମଧ୍ୟ ରହିଛି । ଲୋକେ ଢଗ ମାରି କୁହନ୍ତି:

 “ଝିଅ ଦୋଚାରୁଣୀ ମାଇପ ଚଣ୍ଡ  
   ପୁଅ ଅପାଣ୍ଡୁକ ବାପର ଦଣ୍ଡ”

ଏହି ଢଗରେ ‘ଅପାଣ୍ଡୁକ’ ଶବ୍ଦଟି ପୁଅର ଅଯୋଗ୍ୟତା ଵା ନିର୍ବୁଦ୍ଧିଆ ଆଚରଣକୁ ବୁଝାଇଵା ସହିତ ତାହା ପରିଵାର ପାଇଁ ଲଜ୍ଜାଜନକ ବୋଲି ସୂଚାଇଥାଏ। ଏହା ଦର୍ଶାଇଥାଏ ଯେ, ଏହି ଶବ୍ଦଟି କେଵଳ ଵ୍ୟକ୍ତିଗତ ଗୁଣକୁ ନିର୍ଦ୍ଦେଶ କରେ ନାହିଁ ଵରଂ ସାମାଜିକ ମୂଲ୍ୟବୋଧରେ ମଧ୍ୟ ଏହାର ଗୁରୁତ୍ବ ରହିଛି।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଅପାଣ୍ଡୁକ ଶବ୍ଦର ପ୍ରୟୋଗ ରହିଛି ‌। ଚୈତ୍ର ମଙ୍ଗଳା ଓଷା ପୁସ୍ତକରେ ଅପାଣ୍ଡୁକ ଶବ୍ଦ ପ୍ରୟୋଗ ଥିଵା ଦେଖାଯାଏ। 

“ମୁହିଁ ମୂର୍ଖ ଅପାଣ୍ଡୁକ ନ ଜାଣଇ କିଛି । 
କଣ୍ଠରେ ବସିଣ ପଦ କହିଦେବ ବାଛି ॥”

ସେହିପରି ଯୋଗୀନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ରରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି

“ହୀନ କୁଳେ ମୁହିଁ ଜନମ ଲଭିଛି ନ ଛୁଅଁ ମୋର ଶରୀର, 
ଅପାଣ୍ଡୁକ ପଣେ କୁଟୁମ୍ବ ପୋଷଣେ ବୁଲୁଅଛି ଦେଶାନ୍ତର ॥”

‘ଅପାଣ୍ଡୁକ’ ଶବ୍ଦର ମୂଳ ଅନୁସନ୍ଧାନ କଲେ, ଏହାର ସମ୍ପର୍କ ‘ଅପାଣ୍ଡୁ’ ଶବ୍ଦ ସହିତ ଥିଵା ଦେଖାଯାଏ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁଯାୟୀ, ‘ଅପାଣ୍ଡୁ’ ଶବ୍ଦର ଅର୍ଥ ହେଉଛି ‘ଅଯୋଗ୍ୟ’, ‘ଅସଭ୍ୟ’, ‘ଯାହାର ଆଚରଣ ମାର୍ଜିତ ନୁହେଁ’ ଏଵଂ ‘କୁଳାଙ୍ଗାର’। ଏହି ଅର୍ଥଗୁଡ଼ିକ ‘ଅପାଣ୍ଡୁକ’ ଶବ୍ଦର ଅର୍ଥ ସହିତ ସମାନତା ରଖେ। ପୀତାମ୍ବରଙ୍କ ନୃସିଂହପୁରାଣରେ ଏହି ଅପାଣ୍ଡୁ ଶବ୍ଦର ଵ୍ୟଵହାର ଦେଖାଯାଏ:

“ଏଡ଼େକ ସମ୍ଭର୍ଵ କରି ହୋଇଲା ଅପାଣ୍ଡୁ”

ଏହି ପଙ୍କ୍ତିରେ ‘ଅପାଣ୍ଡୁ’ ଶବ୍ଦଟି ଅସଭ୍ୟ ଵା ଅଯୋଗ୍ୟ ଆଚରଣକୁ ସୂଚାଇଥାଏ। ଏହା ସ୍ପଷ୍ଟ କରେ ଯେ, ‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦ ଦୁଇଟି ଅର୍ଥଗତ ଦୃଷ୍ଟିରୁ ନିକଟଵର୍ତ୍ତୀ ଏଵଂ ସମ୍ଭଵତଃ ଏକ ମୂଳରୁ ଉତ୍ପନ୍ନ। ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵିପାଣ୍ଡୁକ ଓ ଵିପାଣ୍ଡୁକା ଶବ୍ଦ ମଧ୍ୟ ୫୬୭୮ତମ ପୃଷ୍ଠାରେ ସ୍ଥାନିତ ହୋଇଛି । 

‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦର ମୂଳ ଅନୁସନ୍ଧାନ କଲେ, ଏହାର ସମ୍ପର୍କ ‘ଅପାଣ୍ଡଵ’ ଓ ‘ଅପାଣ୍ଡଵା’ ଶବ୍ଦ ଥିଵା ହୃଦବୋଧ ହୁଏ । ଓଡ଼ିଆ ସାହିତ୍ୟ ଓ ଲୋକଵିଶ୍ବାସ ଅନୁଯାୟୀ, ‘ଅପାଣ୍ଡଵ’ ଶବ୍ଦଟି ଏକ ଏଭଳି ଦେଶ ଵା ଭୂଭାଗକୁ ସୂଚାଇଥାଏ, ଯେଉଁଠାରୁ ପାଣ୍ଡଵମାନେ (ମହାଭାରତର ଧାର୍ମିକ, ସଦାଚାରୀ ଓ ପରୋପକାରୀ ଚରିତ୍ର) ନିର୍ଵାସିତ ବା ତାଡ଼ିତ ହୋଇଛନ୍ତି। ପାଣ୍ଡଵମାନେ ସମାଜରେ ଉଚ୍ଚ ନୈତିକତା ଓ ସଦ୍‍ଗୁଣର ପ୍ରତୀକ ଥିଲେ। 


ମହାଭାରତର ଵିରାଟ ପର୍ଵର ଗୋହରଣ ଉପପର୍ଵ(ଅଧ୍ୟାୟ ୨୭) ଅନୁସାରେ ଭୀଷ୍ମଙ୍କ ଦ୍ୱାରା କୁରୁସଭାରେ ଯୁଧିଷ୍ଠିରଙ୍କ ସମ୍ଭାଵ୍ୟ ଅଵସ୍ଥାନ ଓ ଲକ୍ଷଣ ଵର୍ଣ୍ଣନା କରାଯାଇଥିଲା 

“ତତ୍ର ନାହଂ ତଥା ମନ୍ୟେ ଯଥାୟମିତରୋ ଜନଃ ।  
ପୁରେ ଜନପଦେ ଵାପି ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୨ ॥  
ନାସୂୟକୋ ନ ଚାପୀର୍ଷୁର୍ନାତିଵାଦୀ ନ ମତ୍ସରୀ ।  
ଭଵିଷ୍ୟତି ଜନସ୍ତତ୍ର ସ୍ଵଂ ସ୍ଵଂ ଧର୍ମମନୁଵ୍ରତଃ ॥ ୧୩ ॥ ”

ଅନ୍ୟ ଲୋକମାନଙ୍କ ଭଳି ମୁଁ ଏପରି ମନେ କରେ ନାହିଁ। ଯେଉଁ ନଗର ଵା ଜନପଦରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ନା କେହି ଈର୍ଷାପରାୟଣ, ନା ଦୁଷ୍ଟ, ନା ଅତିବାଦୀ, ନା ମତ୍ସରପରାୟଣ ହେଵେ। ସେଠାକାର ଲୋକମାନେ ନିଜ ନିଜ ଧର୍ମ ଅନୁସାରେ କାର୍ଯ୍ୟ କରିଵେ।

ବ୍ରହ୍ମଘୋଷାଶ୍ଚ ଭୂୟାଂସଃ ପୂର୍ଣ୍ଣାହୁତ୍ୟସ୍ତଥୈଵ ଚ ।  
କ୍ରତଵଶ୍ଚ ଭଵିଷ୍ୟନ୍ତି ଭୂୟାଂସୋ ଭୂରିଦକ୍ଷିଣାଃ ॥ ୧୪ ॥  

ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ଚାରି ଵେଦର ଧ୍ୱନି ପ୍ରଚୁର ହେଵ, ପୂର୍ଣ୍ଣାହୁତି ସହିତ ଯଜ୍ଞ ହେଵ ଏଵଂ ବହୁ ଦକ୍ଷିଣା ସହିତ ଅନେକ ଯଜ୍ଞ ଅନୁଷ୍ଠିତ ହେଵ।


ସଦା ଚ ତତ୍ର ପର୍ଜନ୍ୟଃ ସମ୍ୟଗ୍ଵର୍ଷୀ ନ ସଂଶୟଃ ।  
ସଂପନ୍ନସସ୍ୟା ଚ ମହୀ ନିରୀତିକା ଭଵିଷ୍ୟତି ॥ ୧୫ ॥  

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଠାରେ ସମୟାନୁସାରେ ଵୃଷ୍ଟି ହେଵ । ପୃଥିବୀ ଶସ୍ୟରେ ପରିପୂର୍ଣ୍ଣ ହେଵ ଏଵଂ ଉକ୍ତ ଦେଶ ଦୁଃଖରୁ ମୁକ୍ତ ରହିଵ।


ରସଵନ୍ତି ଚ ଧାନ୍ୟାନି ଗୁଣଵନ୍ତି ଫଳାନି ଚ ।  
ଗନ୍ଧଵନ୍ତି ଚ ମାଲ୍ୟାନି ଶୁଭଶବ୍ଦା ଚ ଭାରତୀ ॥ ୧୬ ॥  

ସେହି ଦେଶର ଅନ୍ନ ଗୁଣଯୁକ୍ତ, ଫଳ ରସଯୁକ୍ତ, ଫୁଲ ସୁଗନ୍ଧଯୁକ୍ତ ଏବଂ ଵାଣୀ କଲ୍ୟାଣକାରୀ ଶବ୍ଦଯୁକ୍ତ ହେଵ।


ଵାୟୁଶ୍ଚ ସୁଖଂସଂସ୍ପର୍ଶୋ ନିଷ୍ପ୍ରତୀପଂ ଚ ଦର୍ଶନମ୍ ।  
ଭୟଂ ନାଭ୍ୟାଵିଶେତ୍ତତ୍ର ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୭ ॥  

ସେଠାରେ ଵାୟୁ ସୁଖସ୍ପର୍ଶ ଓ ଶୀତଳ ହେଵ, ଶାସ୍ତ୍ରୀୟ ଦର୍ଶନ ଵା ଅଧ୍ୟୟନ ପାଖଣ୍ଡରୁ ମୁକ୍ତ ହେଵ ଏଵଂ ଯେଉଁଠାରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ କୌଣସି ଭୟ ପ୍ରଵେଶ କରିଵ ନାହିଁ।


ଗାଵଶ୍ଚ ବହୁଳାସ୍ତତ୍ର ନ କୃଶା ନ ଚ ଦୁର୍ବୁହାଃ ।  
ପୟାଂସି ଦଧିସୌଂଷି ରସଵନ୍ତି ହିତାନି ଚ ॥ ୧୮ ॥  

ସେହି ଦେଶରେ ଅସଂଖ୍ୟ ଗାଈ ରହିଵେ, ସେମାନେ ଦୁର୍ଵଳ ହେଵେ ନାହିଁ କି କଷ୍ଟସାଧ୍ୟ ଭାବେ ଦୁହାଁଯିଵେ ନାହିଁ । ସେଠାକାର ଦୁଗ୍ଧ, ଦହି ଓ ଘିଅ ରସଯୁକ୍ତ ଏଵଂ ପୁଷ୍ଟିକାରକ ହେଵ।


ଗୁଣଵନ୍ତି ଚ ପାନାନି ଭୋଜ୍ୟାନି ରସଵନ୍ତି ଚ ।  
ତତ୍ର ଦେଶେ ଭଵିଷ୍ୟନ୍ତି ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୯ ॥  

ଯେଉଁ ଦେଶରେ ଯୁଧିଷ୍ଠିର ରହୁଥିଵେ, ସେଠାରେ ପାନୀୟ ଓ ଭୋଜନ ଗୁଣଯୁକ୍ତ ଏଵଂ ରସଯୁକ୍ତ ହେଵ । 

ରସାଃ ସ୍ପର୍ଶାଶ୍ଚ ଗନ୍ଧାଶ୍ଚ ଶବ୍ଦାଶ୍ଚାପି ଗୁଣାନ୍ଵିତାଃ ।  
ଦୃଶ୍ୟାନି ଚ ପ୍ରସନ୍ନାନି ଯତ୍ର ରାଜା ଯୁଧିଷ୍ଠିରଃ ॥ ୨୦ ॥  

ଯେଉଁଠାରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ରସ, ସ୍ପର୍ଶ, ଗନ୍ଧ ଓ ଶବ୍ଦ ଗୁଣଯୁକ୍ତ ହେଵ ଏଵଂ ସମସ୍ତ ଦୃଶ୍ୟ ପ୍ରସନ୍ନତାଦାୟକ ହେଵ।

ସ୍ଵୈଃ ସ୍ଵୈର୍ଗୁଣୈଃ ସୁସଂୟୁକ୍ତାସ୍ତସ୍ମିନ୍ଵର୍ଷେ ତ୍ରୟୋଦଶେ ।  
ଦେଶେ ତସ୍ମିନ୍ଭଵିଷ୍ୟନ୍ତି ତାତ ପାଣ୍ଡଵସଂୟୁନେ ॥ ୨୧ ॥  

ହେ ତାତ! ଏହି ତ୍ରୟୋଦଶ ଵର୍ଷରେ ପାଣ୍ଡଵମାନଙ୍କ ସହିତ ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେହି ଦେଶର ସମସ୍ତ ପ୍ରଜା ନିଜ ନିଜ ଗୁଣଯୁକ୍ତ ହେଵେ।


ସଂପ୍ରୀତିମାତ୍ର୍ଜନସ୍ତତ୍ର ସଂତୁଷ୍ଟଃ ଶୁଚିରଵ୍ୟୟଃ ।  
ଦେଵତାତିଥିପୂଜାସୁ ସର୍ଵଭୂତାନୁରାଗଵାନ୍ ॥ ୨୨ ॥  

ସେଠାକାର ଲୋକମାନେ ପ୍ରସନ୍ନ, ସନ୍ତୁଷ୍ଟ, ଶୁଦ୍ଧ, ପଵିତ୍ର, ଧନଵାନ, ଦେଵତା ଓ ଅତିଥି ପୂଜାରେ ରତ ଏଵଂ ସମସ୍ତ ଉତ୍କୃଷ୍ଟ ଭାଵନାରେ ପରିପୂର୍ଣ୍ଣ ହେଵେ।

ଇଷ୍ଟଦାନୋ ମହୋତ୍ସାହଃ ଶଶ୍ଵଦ୍ଧର୍ମପରାୟଣଃ ।  
ଅଶୁଭଦ୍ଵିଦ୍ ଶୁଭପ୍ରେପ୍ସୁର୍ନିତ୍ୟୟଜ୍ଞଃ ଶୁଭଵ୍ରତଃ ।  
ଭଵିଷ୍ୟତି ଜନସ୍ତତ୍ର ଯତ୍ର ରାଜା ଯୁଧିଷ୍ଠିରଃ ॥ ୨୩ ॥  

ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାକାର ଲୋକମାନେ ଇଚ୍ଛାନୁସାରେ ଦାନ ଦେଵେ, ମହାନ ଉତ୍ସାହୀ ହେଵେ, ସଦା ଧର୍ମ ପାଳନ କରିବେ, ଅଶୁଭ କର୍ମରୁ ଦ୍ୱେଷ କରିଵେ, ଶୁଭ କାମନା କରିଵେ, ପ୍ରତିଦିନ ଯଜ୍ଞ କରିଵେ ଏଵଂ ଉତ୍ତମ ଵ୍ରତ ପାଳନ କରିଵେ।


ତ୍ୟକ୍ତଵାକ୍ୟାନୃତସ୍ତାତ ଶୁଭକଲ୍ୟାଣମଙ୍ଗଳଃ ।  
ଶୁଭାର୍ଥେପ୍ସୁଃ ଶୁଭମତିର୍ୟଚ୍ ରାଜା ଯୁଧିଷ୍ଠିରଃ ।  
ଭଵିଷ୍ୟତି ଜନସ୍ତତ୍ର ନିତ୍ୟଂ ଚେଷ୍ଟପ୍ରିୟଵ୍ରତଃ ॥ ୨୪ ॥  

ହେ ତାତ ଦୁର୍ଯୋଧନ! ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାକାର ଲୋକମାନେ ଅସତ୍ୟ ଭାଷଣ ତ୍ୟାଗ କରି ସତ୍ୟ କହିଵେ, ଶୁଭ, କଲ୍ୟାଣକାରୀ ଓ ମଙ୍ଗଳମୟ କାର୍ଯ୍ୟ କରିଵେ, ଶୁଭ ଅର୍ଥ ପ୍ରାପ୍ତିର ଇଚ୍ଛା ରଖିଵେ, ଉତ୍ତମ ବୁଦ୍ଧି ରଖିଵେ ଏଵଂ ପ୍ରିୟ ଵ୍ରତ ପାଳନରେ ତତ୍ପର ହେଵେ।


ଧର୍ମାତ୍ମା ସ ତଦାଦୃଶ୍ୟଃ ସୋଽପି ତାତ ଦ୍ଵିଜାତିଭିଃ ।  
କିଂ ପୁନଃ ପ୍ରାକୃତୈଃ ପାର୍ଥଃ ଶକ୍ୟୋ ଵିଜ୍ଞାତୁମନ୍ତତଃ ॥ ୨୫ ॥  
  
ହେ ତାତ! କୁନ୍ତୀନନ୍ଦନ ଧର୍ମାତ୍ମା ଯୁଧିଷ୍ଠିରଙ୍କୁ ଜାଣିଵାରେ ଧର୍ମାତ୍ମା ବ୍ରାହ୍ମଣମାନେ ମଧ୍ୟ ସମର୍ଥ ନୁହନ୍ତି, ତେବେ ସାଧାରଣ ମଣିଷମାନେ କିପରି ତାଙ୍କୁ ଜାଣିପାରିଵେ ?

ଯସ୍ମିନ୍ସତ୍ୟଂ ଧୃତିଃ ଦାନଂ ପରା ଶାନ୍ତିନୁଵା କ୍ଷମା ।  
ହ୍ଵୀଃ ଶ୍ରୀଃ କୀର୍ତିଃ ପରଂ ତେଜ ଆନୃଶଂସ୍ୟମଥାର୍ଜଵମ୍ ॥ ୨୬ ॥  

ଯୁଧିଷ୍ଠିରଙ୍କଠାରେ ସତ୍ୟ, ଧୈର୍ଯ୍ୟ, ଦାନ, ଉତ୍କୃଷ୍ଟ ଶାନ୍ତି, ଅଟଳ କ୍ଷମା, ଲଜ୍ଜା, ଶ୍ରୀ, କୀର୍ତି, ଉତ୍କୃଷ୍ଟ ତେଜ, ଦୟା ଓ ସରଳତା ଏହି ଗୁଣଗୁଡ଼ିକ ଵିଦ୍ୟମାନ।

ଭୀଷ୍ମଙ୍କ ଦ୍ୱାରା କୁରୁସଭାରେ ଯୁଧିଷ୍ଠିରଙ୍କ ଗୁଣ ଏଵଂ ସେ ରହୁଥିଵା ଦେଶର ଲକ୍ଷଣ ଵର୍ଣ୍ଣନାରୁ ସ୍ପଷ୍ଟ ହୋଇଯାଏ ଯେ ପାଣ୍ଡଵମାନେ ଵାସ କରୁଥିଵା ସ୍ଥାନ ଆପେ ପଵିତ୍ର ହୋଇଯାଉଥିଲା ।‌ ପାଣ୍ଡଵମାନେ ଯେଉଁ ଦେଶରେ ରୁହନ୍ତି ସେ ଦେଶର ଲୋକେ ମଧ୍ୟ ଉତ୍ତମ ମନୁଷ୍ୟ ହୋଇଯାଆନ୍ତି ‌।

ତେଣୁ, ଏହି ପୌରାଣିକ ମାନ୍ୟତାକୁ ଭିତ୍ତିଭୂମି କରି ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା ଯେ ଯେଉଁ ଦେଶରୁ ପାଣ୍ଡଵଙ୍କ ଭଳି ଉତ୍ତମ ଵ୍ୟକ୍ତିମାନେ ଵିତାଡ଼ିତ ହୁଅନ୍ତି, ସେହି ଦେଶକୁ ‘ଅପାଣ୍ଡଵ’ ଵା ‘ଅପାଣ୍ଡଵା’ କୁହାଯାଇଥାଏ, ଯାହାର ଅର୍ଥ ହେଉଛି ଅସଭ୍ୟ ଵା ଅମାର୍ଜିତ ଭୂମି।

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ଏହି ଅର୍ଥରେ ‘ଅପାଣ୍ଡଵ’ ଶବ୍ଦର ଵ୍ୟଵହାର ଦେଖାଯାଏ:

“ଯୁଦ୍ଧେ ସକଳ ଵୀର ମାରି,  
 ଏ ଭୂମି ଅପାଣ୍ଡଵ କରି।”

ଏହି ପଙ୍କ୍ତିରେ ‘ଅପାଣ୍ଡଵ’ ଶବ୍ଦଟି ଏକ ଏଭଳି ଭୂମିକୁ ସୂଚାଇଥାଏ, ଯେଉଁଠାରେ ଉତ୍ତମ ଗୁଣଵାନ ବ୍ୟକ୍ତିଙ୍କର ଅଭାବ ରହିଛି, ଫଳତଃ ସେହି ଭୂମି ଅସଭ୍ୟ ଵା ଅମାର୍ଜିତ ହୋଇପଡ଼ିଛି।

ତେଣୁ ଅନୁମାନ କରାଯାଇପାରେ ଯେ ହୁଏତ ‘ଅପାଣ୍ଡୁକ’, ‘ଅପାଣ୍ଡୁ’, ‘ଅପାଣ୍ଡକ’, ‘ଅପାଣ୍ଡୁକା’ ,ଵିପାଣ୍ଡୁକ ଓ ଵିପାଣ୍ଡୁକା ଆଦି ଶବ୍ଦଗୁଡ଼ିକର ମୂଳ ‘ଅପାଣ୍ଡଵ’ ଵା ‘ଅପାଣ୍ଡଵା’ ହୋଇଥାଇପାରେ। ଏହି ଶବ୍ଦଗୁଡ଼ିକର ଅର୍ଥଗତ ସମାନତା—ଯଥା ଅଯୋଗ୍ୟ, ଅସଭ୍ୟ, ବୋକା ଇତ୍ୟାଦିରୁ ଅନୁଭୁତ ହୁଏ ଯେ ଏ ଶବ୍ଦଗୁଡ଼ିକ ଏକ ସାଧାରଣ ଭାଷାତାତ୍ତ୍ଵିକ ମୂଳରୁ ଆସିଛି। ପାଣ୍ଡଵମାନଙ୍କର ସଦ୍‍ଗୁଣ ଓ ନୈତିକତାର ପ୍ରତୀକାତ୍ମକ ଅର୍ଥ ଏହି ଶବ୍ଦଗୁଡ଼ିକରେ ଲୁକ୍କାୟିତ ରହିଛି। ଯେଉଁ ଵ୍ୟକ୍ତି ଵା ସମାଜ ଏହି ଗୁଣଗୁଡ଼ିକରୁ ବଞ୍ଚିତ, ତାହାକୁ ‘ଅପାଣ୍ଡୁ’ ଵା ‘ଅପାଣ୍ଡୁକ’ ଭାବେ ଅଭିହିତ କରାଯାଇଥାଏ।

ଏହା ମଧ୍ୟ ସମ୍ଭବ ଯେ, ସ୍ଥାନୀୟ ଲୋକବିଶ୍ବାସ ଅନୁଯାୟୀ, ଯେଉଁ ଭୂମିରେ ପାଣ୍ଡଵମାନେ ପଦାର୍ପଣ କରିନାହାନ୍ତି, ସେହି ଭୂମିର ଆଚାର-ଵ୍ୟଵହାର ଅମାର୍ଜିତ ବୋଲି ଵିଵେଚନା କରାଯାଇଥାଏ। ଏହି ଵିଶ୍ବାସ ମଧ୍ୟ ‘ଅପାଣ୍ଡଵ’ ଶବ୍ଦରୁ ‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦର ଉତ୍ପତ୍ତିକୁ ସମର୍ଥନ କରେ।

‘ଅପାଣ୍ଡୁକ’ ଶବ୍ଦଟି ଓଡ଼ିଆ ଭାଷାର ସାହିତ୍ୟ ଓ ସଂସ୍କୃତିରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରେ। ଏହାର ଅର୍ଥ ‘ନିର୍ବୁଦ୍ଧିଆ’ ଵା ‘ଅଯୋଗ୍ୟ’ ହେଲେ ମଧ୍ୟ, ଏହାର ମୂଳ ‘ଅପାଣ୍ଡଵ’ ଶବ୍ଦରେ ରହିଥିଵା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଏହାକୁ ଆହୁରି ଗଭୀର କରିଥାଏ। ପାଣ୍ଡଵମାନଙ୍କର ସଦ୍‍ଗୁଣ ଓ ନୈତିକତାର ଅଭାବକୁ ସୂଚାଇଵା ପାଇଁ ଏହି ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଏକ ସୁନିର୍ଦ୍ଦିଷ୍ଟ ସାଂସ୍କୃତିକ ପରିଚୟ ସୃଷ୍ଟି କରିଛି। ଏହା ଦର୍ଶାଇଥାଏ ଯେ, ଓଡ଼ିଆ ଭାଷାର ଶବ୍ଦଗୁଡ଼ିକ କେବଳ ଅର୍ଥ ନୁହେଁ, ବରଂ ଏକ ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ପରମ୍ପରାର ପ୍ରତିଫଳନ ମଧ୍ୟ ବହନ କରିଥାଏ।

Monday, July 21, 2025

ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସର ଵିଜ୍ଞାନ

ମନୁଷ୍ୟ ମନ ଏକ ରହସ୍ୟମୟ ଶକ୍ତିଶାଳୀ ଯନ୍ତ୍ର। ଏହାର କାର୍ଯ୍ୟପ୍ରଣାଳୀ ଏତେ ଜଟିଳ ଯେ ଵୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିପାରି ନାହାନ୍ତି। ତଥାପି, ଵିଜ୍ଞାନ ଆମକୁ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସହିତ ପରିଚିତ କରାଇଛି: ଆମର ଚିନ୍ତାଧାରା ଓ ଵିଶ୍ୱାସ ଆମ ଶରୀର ତଥା ମନ ଉପରେ ଗଭୀର ପ୍ରଭାବ ପକାଇପାରେ। 

 ୧୯୯୨ ମସିହାରେ "ଜର୍ଣ୍ଣାଲ ଅଫ୍ ନ୍ୟୁରୋଫିଜିଓଲୋଜି"ରେ ପ୍ରକାଶିତ ଏକ ଗଵେଷଣାତ୍ମକ ଆଲେଖ୍ୟରେ ଵୈଜ୍ଞାନିକମାନେ ମନୁଷ୍ୟ ମନର ଶକ୍ତିକୁ ପରୀକ୍ଷା କରିଥିଵା କଥା ଉଲ୍ଲେଖ ଥିଲା । ଏହି ପରୀକ୍ଷାରେ ଦୁଇଟି ଗୋଷ୍ଠୀକୁ ନିଆଯାଇଥିଲା। ପ୍ରଥମ ଗୋଷ୍ଠୀ ନିୟମିତ ଶାରୀରିକ ଵ୍ୟାୟାମ କରୁଥିଲେ । ଦ୍ୱିତୀୟ ଗୋଷ୍ଠୀ କୌଣସି ଶାରୀରିକ ଵ୍ୟାୟାମ ନକରି କେଵଳ ମନରେ କଳ୍ପନା କରୁଥିଲେ ଯେ ସେମାନେ ଵ୍ୟାୟାମ କରୁଛନ୍ତି। ଏକ ମାସ ପରେ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରଥମ ଗୋଷ୍ଠୀର ଲୋକମାନଙ୍କ ମାଂସପେଶୀ ଶକ୍ତି ୩୦% ବୃଦ୍ଧି ପାଇଥିଲା, ଯାହା ଆଶାକୃତ ଥିଲା। କିନ୍ତୁ ଦ୍ୱିତୀୟ ଗୋଷ୍ଠୀ, ଯେଉଁମାନେ କେଵଳ ମାନସିକ ଭାବେ ଵ୍ୟାୟାମର କଳ୍ପନା କରିଥିଲେ, ସେମାନଙ୍କ ମାଂସପେଶୀ ଶକ୍ତିରେ ବି ୨୨% ବୃଦ୍ଧି ହୋଇଥିଲା। ଏହା ଏକ ଆଶ୍ଚର୍ଯ୍ୟଜନକ ଆଵିଷ୍କାର ଥିଲା ଯେ ମନର ଚିନ୍ତନ ଶାରୀରିକ ଶକ୍ତି ଉପରେ ଏତେ ଗଭୀର ପ୍ରଭାବ ପକାଇ ପାରେ। ଏହି ପରୀକ୍ଷାରୁ ଜଣାପଡି଼ଲା ଯେ ଆମର ମନ ଏକ ଶକ୍ତିଶାଳୀ ଉପକରଣ, ଯାହା କେଵଳ ଚିନ୍ତା ମାଧ୍ୟମରେ ବି ଶାରୀରିକ ପରିଵର୍ତ୍ତନ ଆଣିପାରେ।

ମନୁଷ୍ୟ ମନ ଏକ ମେକାନିକାଲ ପ୍ରକ୍ରିୟା ଉପରେ କାର୍ଯ୍ୟ କରେ। ଆମେ ଯାହା ଅନୁଭଵ କରୁ ଵା ଶିଖୁ, ତାହା ଆମର ମସ୍ତିଷ୍କରେ ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣ ଆକାରରେ ସଂରକ୍ଷିତ ହୁଏ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ A ରୁ Z ପର୍ଯ୍ୟନ୍ତ ଇଂରାଜୀ ଵର୍ଣ୍ଣମାଳା କହିଵାକୁ କୁହାଯାଏ, ଆପଣ ସହଜରେ କହିଦେବେ। କିନ୍ତୁ Z ରୁ A ପର୍ଯ୍ୟନ୍ତ କହିଵାକୁ କୁହାଗଲେ, ଆପଣ ଅସୁବିଧାର ସମ୍ମୁଖୀନ ହେବେ, କାରଣ ଆପଣଙ୍କ ମସ୍ତିଷ୍କ ଏହି କ୍ରମରେ ତଥ୍ୟ ସଂରକ୍ଷଣ କରିନାହିଁ। ଅର୍ଥାତ୍ ଆମ ମସ୍ତିଷ୍କ ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣ ଅନୁସାରେ କାର୍ଯ୍ୟ କରେ, ଯାହା ଆମର ଅନୁଭଵ ଓ ଶିକ୍ଷଣ ଉପରେ ନିର୍ଭର କରେ।

ଏହି ପ୍ୟାଟର୍ଣ୍ଣ-ଆଧାରିତ ଵ୍ୟଵସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ହେଲା ,ମସ୍ତିଷ୍କ କେଵଳ ଵାସ୍ତଵ ଅନୁଭଵ ହିଁ ନୁହେଁ କାଳ୍ପନିକ ଵା ମିଥ୍ୟା ପ୍ୟାଟର୍ଣ୍ଣକୁ ମଧ୍ୟ ଵାସ୍ତଵ ଭାବେ ଗ୍ରହଣ କରିପାରେ, ଯଦି ତାହା ଆମର ଅଵଚେତନ ମନରେ ଗଭୀର ଭାବେ ପ୍ରଵେଶ କରିଥାଏ। ଉଦାହରଣ ସ୍ୱରୂପ, ପୂର୍ଵଜମାନଙ୍କ ଦ୍ୱାରା ଅନ୍ଧକାର ସମ୍ପର୍କିତ ଭୟଙ୍କର କାହାଣୀ ଶୁଣି ଆମର ମନ ଏକ ପ୍ୟାଟର୍ଣ୍ଣ ତିଆରି କରିଛି, ଯାହା ଆଜି ମଧ୍ୟ ଆମକୁ ଅନ୍ଧକାରରେ ଅସୁବିଧା ଅନୁଭଵ କରାଏ। ଏହା ଆମର ଡିଏନ୍‌ଏରେ ସଂରକ୍ଷିତ ଏକ ପ୍ରାଚୀନ ପ୍ୟାଟର୍ଣ୍ଣ, ଯାହା ଆମକୁ ଭୟଭୀତ କରେ, ଯଦିଓ ଆମେ ଜାଣୁ ଯେ ଆମ ଆଖପାଖରେ କୌଣସି ଵାସ୍ତଵ ଵିପଦ ନାହିଁ।

 ପ୍ୟାଟର୍ଣ୍ଣ-ଆଧାରିତ ମନର ଏହି ଶକ୍ତିକୁ ଵୈଜ୍ଞାନିକମାନେ "ପ୍ଲାସିବୋ ପ୍ରଭାଵ" ନାମ ଦେଇଛନ୍ତି। ପ୍ଲାସିବୋ ପ୍ରଭାଵ ଏପରି ଘଟଣା, ଯହିଁରେ କୌଣସି ଔଷଧ ଵା ଚିକିତ୍ସା ବିନା ଵାସ୍ତଵ ଔଷଧୀୟ ଗୁଣ ଥାଇ ମଧ୍ୟ, ଵିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଶାରୀରିକ ଵା ମାନସିକ ଉନ୍ନତି ହୁଏ। ଉଦାହରଣ ସ୍ୱରୂପ, ଯଦି ଆପଣ ଡାକ୍ତରଙ୍କ ପ୍ରତି ଵିଶ୍ୱାସ ରଖନ୍ତି, ତେବେ ସେ ଆପଣଙ୍କୁ ଏକ ଚିନିର ବଟିକା ଦେଇ ମଧ୍ୟ ଆପଣଙ୍କୁ ସୁସ୍ଥ କରିପାରନ୍ତି, କାରଣ ଆପଣଙ୍କ ମନ ତାହାକୁ ଔଷଧ ବୋଲି ଗ୍ରହଣ କରେ।

ଏହା କେଵଳ ଔଷଧ କ୍ଷେତ୍ରରେ ସୀମିତ ନୁହେଁ। ଧାର୍ମିକ ଵା ସାଂସ୍କୃତିକ ଵିଶ୍ୱାସ ମଧ୍ୟ ଏହି ପ୍ରଭାଵ ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ, ଯଦି ଆପଣ ଵିଶ୍ୱାସ କରନ୍ତି ଯେ କୌଣସି ମନ୍ଦିରରେ ନଡ଼ିଆ ଅର୍ପଣ କଲେ ଵା ସୂତ୍ର ବାନ୍ଧିଲେ ଆପଣଙ୍କ ମନୋକାମନା ପୂରଣ ହେଵ ତେବେ ଆପଣଙ୍କ ମନର ଏହି ଵିଶ୍ୱାସ ଆପଣଙ୍କ ଶରୀରରେ ଇତିଵାଚକ ପରିଵର୍ତ୍ତନ ଆଣିପାରେ। ଏହା ହୁଏତ ସଂଯୋଗ ହୋଇପାରେ, କିନ୍ତୁ ଆପଣଙ୍କ ମସ୍ତିଷ୍କ ଏହାକୁ ସେହି ଧାର୍ମିକ କାର୍ଯ୍ୟ ସହିତ ସମ୍ପର୍କିତ କରି ଆପଣଙ୍କୁ ଉର୍ଜ୍ଜାବାନ ଓ ଆତ୍ମଵିଶ୍ୱାସୀ ଅନୁଭଵ କରାଏ।

ଏହି ଵିଷୟକୁ ଆପଣ ନିଜେ ପରୀକ୍ଷା କରି ଦେଖିପାରନ୍ତି। ଯଦି ଆପଣ ଡାହାଣ ହାତରେ ଲେଖନ୍ତି, ତେବେ ଆଖି ବନ୍ଦ କରି ନିଷ୍ଠା ଓ ଵିଶ୍ୱାସ ସହିତ କଳ୍ପନା କରନ୍ତୁ ଯେ ଆପଣ ଶୂନ୍ୟରେ ଆପଣଙ୍କ ବାଆଁ ହାତରେ ନିଜର ହସ୍ତାକ୍ଷର କରୁଛନ୍ତି। ଯଦି ଆପଣ ଏହା ପୂର୍ଣ୍ଣ ନିଷ୍ଠାରେ କରନ୍ତି, ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ କଳ୍ପନାରେ ମଧ୍ୟ ଆପଣ ସେହି ସମାନ ଶୈଳୀରେ ଲେଖିପାରୁଛନ୍ତି, ଯେପରି ଆପଣ ଵାସ୍ତଵରେ ଲେଖନ୍ତି। କିନ୍ତୁ ଯଦି ଆପଣ ଏହା ସିଧାସଳଖ ଲେଖିପାରୁନାହାନ୍ତି, ତେବେ ଏହାର କାରଣ ହେଉଛି ଆପଣଙ୍କ ମସ୍ତିଷ୍କ ଏହି ପ୍ୟାଟର୍ଣ୍ଣରେ ଅଭ୍ୟସ୍ତ ନୁହେଁ। ଏହା ମନର ମେକାନିକାଲ ପ୍ରକୃତିକୁ ପ୍ରମାଣ କରେ।

ଅଵଚେତନ ମନ ଵାସ୍ତଵ ଓ କାଳ୍ପନିକ ପ୍ୟାଟର୍ଣ୍ଣ ମଧ୍ୟରେ ପ୍ରଭେଦ କରିପାରେ ନାହିଁ। ଉଦାହରଣ ସ୍ୱରୂପ, ଯଦି ଆପଣ କିଛି ଦିନ ଧରି ନିରନ୍ତର ଭୟଙ୍କର ଚଳଚ୍ଚିତ୍ର ଦେଖନ୍ତି, ତେବେ ରାତିରେ ରୋଷେଇ ଘରେ ବିଲେଇ ଦ୍ୱାରା ଗ୍ଲାସ୍‌ ପଡ଼ିଲେ ମଧ୍ୟ ଆପଣ ଭୟଭୀତ ହୋଇପାରନ୍ତି। ସେହିପରି, ଯଦି ଆପଣ ଏଲିଅନ୍‌ ସମ୍ପର୍କିତ ଚଳଚ୍ଚିତ୍ର ଦେଖନ୍ତି, ତେବେ ଆକାଶରେ ଦେଖା ଯାଉଥିଵା ପ୍ରତ୍ୟେକ ଆଲୋକ ଆପଣଙ୍କୁ ଏଲିଅନ୍‌ ସ୍ପେସ୍ ସିପ୍ ପରି ଲାଗିପାରେ। ତେଣୁ ସଂକ୍ଷେପରେ କହିଲେ ଅଵଚେତନ ମନ କାଳ୍ପନିକ ପ୍ୟାଟର୍ଣ୍ଣକୁ ମଧ୍ୟ ଵାସ୍ତଵ ଭାବେ ଗ୍ରହଣ କରିପାରେ।

ସ୍ୱପ୍ନରେ ମଧ୍ୟ ଏହି ପ୍ରଭାଵ ଦେଖାଯାଏ। ଯଦି ଆପଣ ସ୍ୱପ୍ନରେ କୌଣସି ଭୟଙ୍କର ପରିସ୍ଥିତିରେ ଥାଆନ୍ତି, ତେବେ କୌଣସି ଆଘାତ ପୂର୍ଵରୁ ଆପଣଙ୍କ ମସ୍ତିଷ୍କ ଆପଣଙ୍କୁ ଝଟକା ଦେଇ ଜାଗ୍ରତ କରିଦିଏ, କାରଣ ସ୍ୱପ୍ନରେ ହେଉଥିଵା ଅନୁଭଵ ମଧ୍ୟ ଆପଣଙ୍କ ଶରୀର ଉପରେ ଵାସ୍ତଵ ପ୍ରଭାଵ ପକାଇପାରେ।


ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ସମ୍ବନ୍ଧୀୟ ଏହି ଵିଜ୍ଞାନ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ: ଆମର ମନ ଆମର ଜୀଵନକୁ ପରିଵର୍ତ୍ତନ କରିପାରେ। ଯଦି ଆପଣ ନିଷ୍ଠାର ସହିତ ଇତିଵାଚକ ଚିନ୍ତା କରନ୍ତି, ତେବେ ଆପଣଙ୍କ ଶରୀର ଓ ମନ ସେହି ଅନୁସାରେ ପ୍ରତିକ୍ରିୟା କରିଵ। ଏହା କୌଣସି ଚମତ୍କାର ନୁହେଁ ଵରଂ ଆମର ମସ୍ତିଷ୍କର ମେକାନିକାଲ ଓ ପ୍ୟାଟର୍ଣ୍ଣ-ଆଧାରିତ ପ୍ରକୃତିର ଏକ ଫଳ। ଏହି ଶକ୍ତିକୁ ବୁଝି ଓ ଵ୍ୟଵହାର କରି ଆମେ ଆମର ଜୀବନକୁ ଅଧିକ ସୁଖୀ, ସୁସ୍ଥ ଓ ସଫଳ କରିପାରିଵା ।

ମନୁଷ୍ୟ ମନର ଶକ୍ତି ଅସୀମ। ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ଆମ ଶରୀର ଓ ମନ ଉପରେ ଗଭୀର ପ୍ରଭାଵ ପକାଇପାରେ। ମନର ଶକ୍ତି ବଳରେ କେଵଳ ଶାରୀରିକ କାର୍ଯ୍ୟ ନୁହେଁ, ମାନସିକ କଳ୍ପନା ମଧ୍ୟ ଆମର ଜୀଵନକୁ ପରିଵର୍ତ୍ତନ କରିପାରେ। 

ତେବେ ପ୍ରାଚୀନ ଭାରତୀୟ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତକମାନେ ମନର ଶକ୍ତି ଵିଷୟରେ ଗଭୀର ଭାବେ ଜାଣିଥିଲେ। ଭାରତୀୟ ଦର୍ଶନ, ଵିଶେଷତଃ ଉପନିଷଦ, ଭଗଵଦ୍‌ଗୀତା ଓ ଯୋଗସୂତ୍ର ଆଦି ଗ୍ରନ୍ଥରେ ମନର ଶକ୍ତି ଓ ତାହାର ପ୍ରଭାଵ ଉପରେ ଵିସ୍ତୃତ ଆଲୋଚନା ରହିଛି। ଏହି ଗ୍ରନ୍ଥଗୁଡ଼ିକରେ ମନକୁ ଏକ ଶକ୍ତିଶାଳୀ ଉପକରଣ ଭାବେ ଵର୍ଣ୍ଣନା କରାଯାଇଛି, ଯାହା ଠିକ୍ ଦିଗରେ ନିୟନ୍ତ୍ରଣ କଲେ ଜୀଵନକୁ ଉନ୍ନତ କରିପାରେ ଏଵଂ ଅନିୟନ୍ତ୍ରିତ ହେଲେ ଏହା ଵିନାଶର କାରଣ ମଧ୍ୟ ହୋଇପାରେ।

ଏ ସମ୍ବନ୍ଧରେ ଭଗଵଦ୍‌ଗୀତାର ଏକ ପ୍ରସିଦ୍ଧ ଶ୍ଳୋକର ଉଦାହରଣ ଦିଆଯାଇପାରେ । ଭଗଵଦ୍‌ଗୀତାର ଅଧ୍ୟାୟ ୬, ଶ୍ଳୋକ ୬ରେ କୁହାଯାଇଛି : 

“ବନ୍ଧୁରାତ୍ମାତ୍ମନସ୍ତସ୍ଯ ଯେନାତ୍ମୈଵାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ଵେ ଵର୍ତେ ତାତ୍ମୈଵ ଶତ୍ରୁଵତ୍ ॥”

ଅର୍ଥାତ୍: ଯେଉଁ ଵ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରିଛି, ତାହାର ମନ ତା'ର ବନ୍ଧୁ ହୁଏ। କିନ୍ତୁ ଯେଉଁ ଵ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରିପାରେ ନାହିଁ, ତାହାର ମନ ତାହାର ଶତ୍ରୁ ପରି କାର୍ଯ୍ୟ କରେ।

ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନର ଶକ୍ତି ଓ ନିୟନ୍ତ୍ରଣର ଗୁରୁତ୍ୱ ଵିଷୟରେ ବୁଝାଇଛନ୍ତି। ମନ ଏକ ଶକ୍ତିଶାଳୀ ଉପକରଣ, ଯାହା ନିୟନ୍ତ୍ରଣରେ ରହିଲେ ଜୀଵନକୁ ସଫଳ ଓ ସୁଖୀ କରିପାରେ। କିନ୍ତୁ ଅନିୟନ୍ତ୍ରିତ ମନ ଭୟ, ସନ୍ଦେହ ଓ ନକାରାତ୍ମକ ଚିନ୍ତା ସୃଷ୍ଟି କରି ଵ୍ୟକ୍ତିର ପତନ ଘଟାଇପାରେ। ଏହା ଆଧୁନିକ ଵିଜ୍ଞାନର ପ୍ଲାସିବୋ ପ୍ରଭାଵ ଓ ମାନସିକ ଚିନ୍ତନର ଶକ୍ତି ସହିତ ସମ୍ପୂର୍ଣ୍ଣ ସମ୍ପର୍କିତ, ଯେଉଁଠି ଚିନ୍ତନ ଓ ଵିଶ୍ୱାସ ଶାରୀରିକ ତଥା ମାନସିକ ଅଵସ୍ଥାକୁ ପରିଵର୍ତ୍ତନ କରିପାରେ।

ମନୁଷ୍ୟ ମନର ଶକ୍ତି ଅସୀମ ଏଵଂ ଏହା ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ମାଧ୍ୟମରେ ଜୀଵନକୁ ରୂପାନ୍ତରିତ କରିପାରେ। ପ୍ଲାସିବୋ ପ୍ରଭାଵ ଓ ୧୯୯୨ର ଅନୁସନ୍ଧାନ ଦର୍ଶାଏ ଯେ ମାନସିକ କଳ୍ପନା ଶାରୀରିକ ପରିଵର୍ତ୍ତନ ଆଣିପାରେ ଆଉ ଭଗଵଦ୍‌ଗୀତାର ଶ୍ଳୋକ (୬.୬) ମନର ନିୟନ୍ତ୍ରଣକୁ ବନ୍ଧୁ ଭାବେ ଓ ଅନିୟନ୍ତ୍ରିତ ମନକୁ ଶତ୍ରୁ ଭାବେ ଵର୍ଣ୍ଣନା କରେ। ତେଣୁ ଯୋଉମାନେ ଆତ୍ମହତ୍ୟାକୁ ସାହସିକତା କହୁଛନ୍ତି ସେମାନଙ୍କ ଧାରଣା ଭୁଲ୍ ଅଟେ । ଆତ୍ମହତ୍ୟା ଅନିୟନ୍ତ୍ରିତ ମନର ନକାରାତ୍ମକ ଅଵସ୍ଥା । ଯେତେବେଳେ ଜଣକ ମନରେ ନିରାଶା, ଭୟ ଓ ଅସହାୟତା ଆଧିପତ୍ୟ ଵିସ୍ତାର କରେ ସେତେବେଳେ ତା ମୁଣ୍ତ କାମ କରିଵା ହିଁ ବନ୍ଦ କରିଦିଏ ତେଣୁ ଅନ୍ୟ ଉପାୟ ନ ପାଇ ସେ ଆତ୍ମହତ୍ୟା କରେ । ଆଧୁନିକ ମନୋଵିଜ୍ଞାନ ଅନୁସାରେ, ଏହା ମାନସିକ ସଙ୍କଟର ଲକ୍ଷଣ, ଯେଉଁଠାରେ ମନ ସମାଧାନ ଖୋଜିଵା ପରିଵର୍ତ୍ତେ ପଳାୟନ କରିଵାକୁ ବାଛିନିଏ । ଆତ୍ମହତ୍ୟାକୁ ସାହସ କହିଵା ମାନସିକ ସଙ୍କଟକୁ ହେୟଜ୍ଞାନ କରିଵା ଏଵଂ ସମସ୍ୟାର ଗମ୍ଭୀରତାକୁ ଅଵମୂଲ୍ୟାୟନ କରିଵା ଅଟେ। ପ୍ରାଚୀନ ଦର୍ଶନ ଏଵଂ ଆଧୁନିକ ଵିଜ୍ଞାନ ଉଭୟ ଇତିବାଚକ ଚିନ୍ତନ ଓ ମନର ନିୟନ୍ତ୍ରଣରେ ଜୀଵନର ମୂଲ୍ୟ ଦର୍ଶାଏ। ତେଣୁ, ଆତ୍ମହତ୍ୟା କରୁଥିଵା ଵ୍ୟକ୍ତିଙ୍କୁ ସାହସୀ କହିଵା ପରିଵର୍ତ୍ତେ, ସେମାନଙ୍କୁ ଯଦି ବଞ୍ଚିଥିଵା ବେଳେ ସହାନୁଭୂତି, ସମର୍ଥନ ଓ ମାନସିକ ଚିକିତ୍ସା ପ୍ରଦାନ କରି ସେମାନଙ୍କ ମନର ଶକ୍ତିକୁ ଜୀଵନମୁଖୀ କରାଯାଇ ପାରେ ତାହା ସେମାନଙ୍କ ସୁଖୀ ଓ ସଫଳ ଜୀଵନର ପଥ ପ୍ରଶସ୍ତ କରିପାରିଵ ।

Sunday, July 20, 2025

•Earth 22765 : ଏକ ସମାନ୍ତରାଳ ଵିଶ୍ଵରେ ପରାଧୀନ ଭାରତର ଚିତ୍ର•

ଵର୍ଷ ୨୦୨୫, ଅଗଷ୍ଟ ମାସ ୧୩ ତାରିଖ ସକାଳ ସାତଟା ହୋଇଥିଲା । ଦିଲ୍ଲୀର ଧୂଳିମୟ ରାସ୍ତାରେ ଜଣେ ଭାରତୀୟ ଯୁଵକ "ଵିନୋଦ" ତା’ର ପୁରୁଣା ଧଡ଼ଧଡ଼ିଆ ସାଇକେଲର ପେଡାଲ୍ ମାରି ମାରି ଚାନ୍ଦିନୀ ଚଉକ ଆଡ଼କୁ ଚାଲିଯାଉଛି । ରାସ୍ତାର ଦୁଇ ପାର୍ଶ୍ଵସ୍ଥ ସରକାରୀ ଭଵନଗୁଡ଼ିକରେ ବ୍ରିଟିଶ ପତାକା ଫର୍ ଫର୍ ହୋଇ ଉଡ଼ୁଛି। ଵିନୋଦ ଯେବେବି ସେ ଵିଦେଶୀ ପତକାକୁ ଦେଖେ ତା ମନରେ ଏକ ଅଜଣା ଅସନ୍ତୋଷ ଜଳିଉଠେ।
 ସେ ତା’ର ବାପାଙ୍କଠାରୁ ସ୍ୱାଧୀନତା ସଂଗ୍ରାମର କାହାଣୀ ଶୁଣିଛି—କିପରି ସୁଭାଷ ବୋଷଙ୍କ ସଶସ୍ତ୍ର ଵିପ୍ଳଵ ଏଵଂ ୧୯୪୬ ଭାରତୀୟ ସୈନ୍ୟଙ୍କ ଵିପ୍ଳଵ ଵିଫଳ ହୋଇଥିଲା ଇତ୍ୟାଦି । ଫେବୃଆରୀ ୧୮, ୧୯୪୬ରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ)ରେ ରୟାଲ ଇଣ୍ଡିଆନ ନେଭି ମ୍ୟୁଟିନି
ଆରମ୍ଭ ହୋଇଥିଲା । ଭାରତୀୟ ନୌସୈନିକମାନେ ବ୍ରିଟିଶ ଶାସନ ଵିରୁଦ୍ଧରେ, ଖରାପ କାର୍ଯ୍ୟପରିସ୍ଥିତି, ଵର୍ଣ୍ଣଵୈଷମ୍ୟ ଓ ସ୍ୱାଧୀନତା ଦାବି ପାଇଁ ଵିଦ୍ରୋହ କରିଥିଲେ। ଏହି ଆନ୍ଦୋଳନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଵ୍ୟାପିଥିଲା । ପରେ ଭାରତୀୟ ସେନା ଓ ପୁଲିସ ଵିଭାଗରେ କାମ କରୁଥିଵା ଭାରତୀୟମାନେ ବି ଏଥିରେ ଯୋଗ ଦେଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜିନା ଆଦି ନେତାମାନେ ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରି ନେଵା ପାଇଁ ଅନୁରୋଧ କରିଥିଲେ କିନ୍ତୁ ତାକୁ ଆନ୍ଦୋଳନକାରୀମାନେ ମାନିଲେ ନାହିଁ । ସେଇଦିନ ଅଜ୍ଞାତ କାରଣରୁ ସର୍ଦ୍ଦାର ପଟେଲଙ୍କର ହତ୍ୟା ହୋଇଗଲା ଏଵଂ ଜିନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା ଫଳତଃ Earth 22765ର ଇତିହାସ ହିଁ ବଦଳିଗଲା ।  
ତତ୍କାଳୀନ କଂଗ୍ରେସ ଓ ମୁସଲିମ ଲିଗ୍‌ର ନେତା ଓ ସମର୍ଥକମାନେ ଆନ୍ଦୋଳନକାରୀଙ୍କ ଵିରୋଧୀ ହୋଇଗଲେ । ଉଭୟଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗିଗଲା । ଏହାର ସୁଯୋଗ ନେଇ ଇଂରେଜମାନେ ଆନ୍ଦୋଳନ ଉପରେ ନିୟନ୍ତ୍ରଣ ରଖିଵାକୁ ଚେଷ୍ଟା କଲେ । 

ଭୀଷଣ ସୈନ୍ୟ ଵିଦ୍ରୋହ ଦେଖି ତତ୍କାଳୀନ ଇଂରେଜ ଶାସନ ଯୁକ୍ତରାଷ୍ଟ୍ର ଆମେରିକାର ସାହାଯ୍ୟ ଲୋଡ଼ିଲେ । ସେତେବେଳେ ଡୋନାଲ୍ଡ ଟ୍ରମ୍ପ୍ USAର ରାଷ୍ଟ୍ରପତି ଥାଆନ୍ତି । 
ୱିନେସେଣ୍ଟ୍ ଚର୍ଚ୍ଚିଲ୍ ତାଙ୍କୁ ନିଜର ପୁଅ ତୁଲ୍ୟ ସ୍ନେହ କରୁଥିଲେ । ଟ୍ରମ୍ପ୍ ମଧ୍ୟ ଚର୍ଚ୍ଚିଲଙ୍କୁ ନିଜର ଗୁରୁ ପରି ମାନୁଥିଲେ । ତେଣୁ ସେ କାଳ ବିଳମ୍ବ ନକରି ଭାରତକୁ ଆମେରିକୀୟ ସେନା ପଠାଇଦେଲେ । ଆମେରିକୀୟ ସୈନିକମାନେ ଇଂରେଜମାନଙ୍କ ସହିତ ମିଶି ଦମନ ଲୀଳା ଚଳାଇଲେ । ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଅଧିକାଂଶ ମଲେ ଏଵଂ ଯୋଉମାନେ ବଞ୍ଚିଗଲେ ସେମାନେ ଗୁପ୍ତରୂପେ ଲୁଚିଗଲେ ଓ ଵିଦ୍ରୋହୀ ହୋଇ ଆଜୀଵନ ସ୍ଵାଧୀନତା ସ୍ଵାଧୀନତା ସଂଗ୍ରାମ ଜାରି ରଖିଲେ । ଆମେରିକୀୟ ସୈନିକଙ୍କ ଯୋଗୁଁ ହଜାର ହଜାର ଭାରତୀୟ ମଧ୍ୟ ଯାତନାର ଶିକାର ହେଲେ । ଗାଆଁ ଗଣ୍ଡା ଲୁଣ୍ଠନ ଓ ବଳାତ୍କାର ଆଦିରେ ଲିପ୍ତ ରହି ଆମେରିକୀୟ ସୈନିକ ନିଜ ଦେଶକୁ ଫେରିଲେ । କିନ୍ତୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ଵର୍ଷର ସଂଗ୍ରାମ ପରେ ବି ଭାରତ ସ୍ଵାଧୀନତା ଲାଭ କରିପାରିନାହିଁ । 

ଏହିସବୁ କଥା ମନରେ ଭାବୁ ଭାବୁ ଵିନୋଦ କାରଖାନା ପାଖରେ ଆସି ପହଞ୍ଚିଗଲା । 
 ଦିଲ୍ଲୀର ଏକ କପଡ଼ା କାରଖାନାରେ ଵିନୋଦ କାମ କରେ, ଯାହା ବ୍ରିଟିଶ କମ୍ପାନୀର ମାଲିକାନାରେ ପରିଚାଳିତ ହୁଏ । ଭାରତୀୟ ଅର୍ଥନୀତି ଏବେ ବି କୃଷି ଓ କଞ୍ଚାମାଲ ଯୋଗାଣ ଉପରେ ନିର୍ଭରଶୀଳ। ଆମ Earth 616ର ସ୍ୱାଧୀନ ଭାରତରେ ଯେପରି ସୂଚନା ପ୍ରଯୁକ୍ତି ଓ ସେଵା ଶିଳ୍ପର ଉଦୟ ହୋଇଛି, ଏହି Earth 22765ରେ ତାହା ଏକ ସ୍ୱପ୍ନ ମାତ୍ର। ବ୍ରିଟିଶ କମ୍ପାନୀଗୁଡ଼ିକ ଭାରତର ଖଣିଜ ସମ୍ପଦ ଓ ଶ୍ରମକୁ ଶୋଷଣ କରୁଛନ୍ତି, କିନ୍ତୁ ଆୟର ଅଧିକାଂଶ ଅଂଶ ବ୍ରିଟେନକୁ ଯାଉଛି। ଵିନୋଦ ଓ ତା’ର ସାଙ୍ଗମାନେ ଦିନେ ୧୨ ଘଣ୍ଟା କାମ କରି ମାସକୁ ମାତ୍ର କିଛି ଶହ ପାଉଣ୍ଡ ରୋଜଗାର କରୁଛନ୍ତି।

ଵିନୋଦର ଗ୍ରାମ୍ୟ ଵିଦ୍ୟାଳୟରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉନାହିଁ। ସ୍କୁଲଗୁଡ଼ିକରେ କେଵଳ ଇଂରାଜୀ ଭାଷାରେ ବ୍ରିଟିଶ ଇତିହାସ ପଢ଼ାଯାଏ। ଭାରତୀୟ ପର୍ଵପର୍ଵାଣୀ ଉପରେ କଡ଼ା ନିୟନ୍ତ୍ରଣ ରହିଛି, ଏଵଂ କ୍ରିସମସ୍ ପରି ଖ୍ରୀଷ୍ଟୀୟ ପର୍ଵକୁ ପାଳିଵାକୁ ସମସ୍ତ ଭାରତୀୟଙ୍କୁ ବାଧ୍ୟ କରାଯାଉଛି । ଯିଏ 
ପ୍ରତି ରଵିଵାର ଚର୍ଚ୍ଚ୍ ଯାଉନାହିଁ କିମ୍ବା ଖ୍ରୀଷ୍ଟିଆନ ପର୍ଵ ପାଳୁନାହିଁ ତାକୁ ଜୋରିମାନା ଦେଵାକୁ ହେଉଛି । ୧୯୪୬ ସୈନିକ ଵିଦ୍ରୋହ ପରେ 
Earth 22765 ସମାନ୍ତରାଳ ଵିଶ୍ଵର ପୃଥିଵୀରେ ଇଂରେଜମାନେ ଧାର୍ମିକ ହସ୍ତକ୍ଷେପ କରିଥିଲେ । ଏଥି ଯୋଗୁଁ ଅନେକ ପଠାଣ ଦେଶ ଛାଡ଼ି ପଳାୟନ କଲେ ଏଵଂ କିଛି ବିଦ୍ରୋହ କରି ବ୍ରିଟିଶ୍ ହାତରେ ମଲେ । ଯୋଉମାନେ ରହିଗଲେ ସେମାନେ ଡରି ମରି ରହିଲେ କିମ୍ବା ଖିରସ୍ତାନୀ ହୋଇଗଲେ । ହିନ୍ଦୁମାନେ ସଂଖ୍ୟା ଗରିଷ୍ଠ ଥିଵାରୁ ସର୍ଵାଧିକ ପ୍ରଭାଵିତ ହେଲେ । ଏ ଵିଶ୍ଵର ପୃଥିଵୀରେ ସେବେଠାରୁ ଆଉ କୌଣସି ମନ୍ଦିରରେ ପୂଜାର୍ଚ୍ଚନା ହେଉନାହିଁ। ସମସ୍ତେ ଖିରସ୍ତାନୀ ହୁଅନ୍ତୁ କି ନାହିଁ ତାହାର ଵିଚାର ମାନିଵାକୁ ଵାଧ୍ୟ ହୋଇଛନ୍ତି । ଵିନୋଦର ଦାଦା ଗୋପନରେ ଗୀତା ପଢ଼ନ୍ତି, କିନ୍ତୁ ବ୍ରିଟିଶ ଅଧିକାରୀଙ୍କ ଭୟରେ ଏହାକୁ ଲୁଚାଇ ରଖନ୍ତି। ଅଵଶ୍ୟ ଇଂରେଜଙ୍କ ଧାର୍ମିକ ନୀତି ଵିପକ୍ଷରେ ଅନେକେ ଵିଦ୍ରୋହ କରିଛନ୍ତି କିନ୍ତୁ କଠୋର ହସ୍ତରେ ସେମାନଙ୍କୁ ଦମନ କରାଯାଇଛି ।

ତେବେ ଆମ Earth-616 ଭଳି Earth 22765ରେ ମଧ୍ୟ ଵୈଷୟିକ ଅଗ୍ରଗତି ଘଟିଛି ତେଣୁ ଏଠି ମଧ୍ୟ ଜନସମାଜ ପାଖରେ ମୋବାଇଲ୍ ଓ ଇଣ୍ଟରନେଟ ପହଞ୍ଚି ପାରିଛି । 
ଵିନୋଦ ଏକ ପୁରୁଣା ଫୋନ ଵ୍ୟଵହାର କରେ, କିନ୍ତୁ ଇଣ୍ଟରନେଟ ତା’ ପାଇଁ ଏକ ଵିଳାସପୂର୍ଣ୍ଣ ଦରଵ ଅଟେ। ବ୍ରିଟିଶ ଶାସନରେ ଇଣ୍ଟରନେଟ ସୁଲଭତା କେଵଳ ଶାସକ ଶ୍ରେଣୀ ଓ ଧନୀ ଭାରତୀୟଙ୍କ ପାଇଁ ରହିଛି। ଗୋଟିଏ ମେଗାବାଇଟ ଡାଟାର ମୂଲ୍ୟ ଵିନୋଦର ଏକ ଦିନର ରୋଜଗାର ସହ ସମାନ। ସୋସିଆଲ ମିଡିଆ ପ୍ଲାଟଫର୍ମ ଯେମିତି X ଵା ଫେସବୁକ ଅଛି କିନ୍ତୁ ବ୍ରିଟିଶ ଅଧିକାରୀମାନେ ଏହାକୁ କଡ଼ା ସେନ୍ସରସିପ ମାଧ୍ୟମରେ ନିୟନ୍ତ୍ରଣ କରନ୍ତି । କେଵଳ ଆମେରିକା, ଜର୍ମାନୀ,ରୁଷିଆ ଓ ବ୍ରିଟେନ ଦେଶର ଗୋରାମାନେ ହିଁ ଏସବୁ ସୋସିଆଲ ମିଡିଆ ଚଳାଅନ୍ତି । ସୋସିଆଲ ମିଡିଆ ସାଇଟ୍‌ଗୁଡ଼ିକରେ କେଵଳ ସ୍ଵାଧୀନ ନାଗରିକମାନେ ହିଁ ସଭ୍ୟ ହୋଇପାରିବେ ଯୋଉମାନଙ୍କ ପାଖରେ ବ୍ରିଟିଶ ଶାସନଠାରୁ ପ୍ରାପ୍ତ ରେଡ୍ କାର୍ଡ୍ ଅଛି । ଭାରତର କିଛି ଧନୀକ ଲୋକମାନଙ୍କ ପାଖରେ ହିଁ ଏହି ରେଡ୍ କାର୍ଡ୍ ଅଛି। ଗରିବ ଭାରତୀୟଙ୍କ ପାଇଁ ଏହା ଦିଵା ସ୍ବପ୍ନ ପରି ହୋଇଯାଇଛି । ତଥାପି କେତେକ ଧନୀକ ଭାରତୀୟଙ୍କ ସହାୟତାରେ ଗୋପନରେ ଏକ ଡିଜିଟାଲ ଗୋଷ୍ଠୀ କାର୍ଯ୍ୟ କରୁଛି , ଯେଉଁଠାରେ ସେମାନେ ସ୍ୱାଧୀନତାର ସ୍ୱପ୍ନ ଓ ଭାରତୀୟ ସଂସ୍କୃତିର ଗୁଣଗାନ କରନ୍ତି।
 କିନ୍ତୁ, ସେମାନେ ନିଆଁ ସହିତ ଖେଳୁଛନ୍ତି କାରଣ ଗୋଟିଏ ବି ପୋଷ୍ଟ୍ ଭୁଲ୍ ହାତରେ ପହଞ୍ଚିଲେ ଜେଲ୍ ନିଶ୍ଚିତ। କେଵଳ ଧନୀକ ଲୋକମାନଙ୍କ ପାଖରେ ହିଁ ଟିଵି ରହିଛି ସେଥିରେ ବି ମାତ୍ର ଗୋଟିଏ ଚ୍ୟାନେଲ୍ BBC ଆସୁଛି ଯୋଉଥିରେ ବ୍ରିଟିଶ ଶାସନର କଥା ସବୁ ପ୍ରଚାରିତ ହେଉଛି । ରେଡିଓ କିଛି ମଧ୍ୟମ ଵର୍ଗର ଲୋକଙ୍କ ପାଖରେ ବି ରହିଛି କିନ୍ତୁ ସେଥିରେ କେଵଳ ଇଂରାଜୀ ଆଦି ଵିଦେଶୀ ଭାଷାର ଚ୍ୟାନେଲ ହିଁ ଆସୁଛି । କିଛି ଵିଦ୍ରୋହୀ ଗୋଷ୍ଠୀ ସ୍ଥାନୀୟ ସ୍ତରରେ ଗୁପ୍ତ ଟିଵି ଓ ରେଡିଓ ଚ୍ୟାନେଲ ଖୋଲି ସ୍ଵାଧୀନତା ସଂଗ୍ରାମର ପ୍ରଚାର କରୁଛନ୍ତି କିନ୍ତୁ ଅଳ୍ପ ଦିନରେ ଧରା ପଡ଼ି ଵିଫଳ ବି ହେଉଛନ୍ତି ।
 
ଵିନୋଦର ଗାଁରେ ଏକ ଗୁପ୍ତ ସଭା ହେଉଛି। କିଛି ଯୁଵକ ଏକ ନୂଆ ଵିପ୍ଳଵର ଯୋଜନା କରୁଛନ୍ତି। ବ୍ରିଟିଶ ଗଭର୍ଣ୍ଣର-ଜେନେରାଲଙ୍କ ଶାସନରେ ଭାରତୀୟମାନଙ୍କୁ କୌଣସି ରାଜନୈତିକ ଅଧିକାର ମିଳିନାହିଁ। ସଂସଦ ନାହିଁ, ଭୋଟ ନାହିଁ, କେଵଳ ବ୍ରିଟିଶ ଅଧିକାରୀଙ୍କ ଆଦେଶ ଉପରେ ଆଦେଶ ଆସୁଛି ସିନା ନୂଆ କିଛି ଶୁଣିଵାକୁ ମିଳୁନାହିଁ । ଵିନୋଦର ସାଙ୍ଗ ରାହୁଲ ସବୁବେଳେ କୁହେ, “ଯଦି ଆମେ ୧୯୪୬ର ସୈନିକ ଵିଦ୍ରୋହ ସମୟରେ ସ୍ୱାଧୀନତା ପାଇଥାନ୍ତୁ, ତେବେ ଆଜି ଆମେ ନିଜ ଦେଶର ମାଲିକ ହୋଇଥାନ୍ତୁ।” କିନ୍ତୁ, ଏହି କଥା କହିଵା ମଧ୍ୟ Earth 22765ରେ ଏକ ଭୀଷଣ ଅପରାଧ କାରଣ ଏଠି କାନ୍ଥ ବାଡ଼ ସବୁର କାନ ରହିଛି । 

ଵିନୋଦର ଛୋଟ ଭଉଣୀ ସୁନୀତା ସ୍କୁଲକୁ ଯାଇ ପାଠ ପଢ଼ିଵାକୁ ଇଚ୍ଛା ଥିଲେ ବି ତାହା କରିପାରୁନାହିଁ। ବ୍ରିଟିଶ ଶାସନରେ ଶିକ୍ଷା କେଵଳ ଧନୀ ଭାରତୀୟ ଓ ବ୍ରିଟିଶ ଅଧିକାରୀଙ୍କ ପିଲାଙ୍କ ପାଇଁ ହିଁ ସୀମିତ ରହିଛି । ଗ୍ରାମୀଣ ଅଞ୍ଚଳରେ ସ୍କୁଲ ବହୁତ କମ, ଏବଂ ଶିକ୍ଷା ଵ୍ୟଵସ୍ଥା ବ୍ରିଟିଶ ସଂସ୍କୃତି ଓ ଇତିହାସକୁ ପ୍ରୋତ୍ସାହନ ଦେଉଛି। ତାଛଡ଼ା ଭାରତୀୟ ସମାଜ ଆହୁରି ରକ୍ଷଣଶୀଳ ହୋଇଯାଇଛି ଏଵଂ ନିଜ ଭାଷା ସଂସ୍କୃତିକୁ ଗୁପ୍ତରେ ହେଉ ବଞ୍ଚେଇ ରଖିଵାକୁ ଆପ୍ରାଣ ଉଦ୍ୟମ ଚଳାଇଛି । 
ସୁନୀତା ଘରେ ମାଆଙ୍କଠାରୁ ଓଡ଼ିଆ ଭାଷା ଓ ସଂସ୍କୃତି ଶିଖୁଛି, କିନ୍ତୁ ତାହା ଗୋପନୀୟ। ସାମାଜିକ ଅସମାନତା ଏତେ ବେଶୀ ଯେ ଗରିବ ଭାରତୀୟମାନେ ସବୁବେଳେ ଅଵହେଳିତ ହୋଇ ରହିଛନ୍ତି । ହଜାର ହଜାର ଭାରତୀୟ ଔଷଧ ଅଭାବରୁ ମହାମାରୀର ଶିକାର ହୋଇ ମରୁଛନ୍ତି । ଵର୍ଷେ ଵର୍ଷେ ଦୁର୍ଭିକ୍ଷ ଓ ଵନ୍ୟା ଯୋଗୁଁ ବି ଜନହାନୀ ହେଉଅଛି । ହେଲେ ଇଂରେଜ ଶାସନର ଏଥିପ୍ରତି କୌଣସି ଦାୟିତ୍ଵ ହିଁ ନାହିଁ । ଲୋକଙ୍କୁ ନାନା ଉପାୟରେ ଶୋଷଣ କରି ବ୍ରିଟେନକୁ ସମୃଦ୍ଧ କରିଵା ହିଁ ଇଂରେଜମାନଙ୍କ ମୂଳ ଲକ୍ଷ୍ୟ । 

ଏହି ସମାନ୍ତରାଳ ଵିଶ୍ୱ Earth-22765ରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ନୁହେଁ। ବ୍ରିଟେନର ଅନ୍ୟ ଔପନିବେଶିକ ଅଞ୍ଚଳ ଭଳି ଭାରତ କେଵଳ ଏକ ସମ୍ପଦର ଉତ୍ସ। ଵୈଶ୍ୱିକ ମଞ୍ଚରେ ଭାରତର କୌଣସି ସ୍ୱାଧୀନ ପରିଚୟ ନାହିଁ। ଵିନୋଦ ଥରେ ତାଙ୍କ କପଡ଼ା କମ୍ପାନୀର ଗୋରା ମାଲିକଙ୍କ ଘରେ ଥିଵା ଟେଲିଭିଜନରେ ଦେଖିଥିଲା ଯେ ବ୍ରିଟେନ ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଵିଶ୍ୱରେ ଆଧିପତ୍ୟ ଵିସ୍ତାର କରିଛନ୍ତି, କିନ୍ତୁ ଭାରତ କେଵଳ ଏକ ନାମରେ ହିଁ ରହିଯାଇଛି।

କିନ୍ତୁ,ଵିନୋଦ ଏଵଂ ତା ଭଳି ଅନ୍ୟ ଯୁଵକମାନେ ହାର ମାନିନାହାନ୍ତି। ସେମାନେ ଏବେବି ସ୍ୱାଧୀନତାର ସ୍ୱପ୍ନ ଦେଖୁଛନ୍ତି। ଦିନେ ଗୋଟିଏ ରାତିରେ ଵିନୋଦ ଏକ Underground ଗୁପ୍ତ ସଭାରେ ଯୋଗ ଦେଲା । ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନେତୃତ୍ଵରେ ସେତେବେଳେ ଭାରତରେ ସ୍ଵାଧୀନତା ସଂଗ୍ରାମ ଯୋର୍ ସୋର୍‌ରେ ଚାଲିଥାଏ । ମୋଦିଙ୍କ ଭାଷଣ ଶୁଣି ଵିନୋଦ ମନରେ ନୂଆ ଆଶାର ଆଲୋକ ଦେଖା ଦେଇଛି । ସେ ନିଷ୍ପତ୍ତି ନେଇଛି ଯେ ଦିନେ ସେ ଆଉ ତାହାର ସାଙ୍ଗମାନେ ଏହି ନିଷ୍ଠୁର ଵିଦେଶୀ ଶାସନରୁ ମୁକ୍ତି ପାଇବେ ଏଵଂ ଭାରତ ପୁଣି ଥରେ ନିଜର ପରିଚୟ ଫେରି ପାଇଵ ।
---
ସମାନ୍ତରାଳ ଵିଶ୍ୱ(Parallel Universe) ଵା ସମାନ୍ତରାଳ ବ୍ରହ୍ମାଣ୍ଡ ଏକ ତାତ୍ତ୍ୱିକ ଧାରଣା ଏଵଂ ଏହଖ ଆଧୁନିକ ପଦାର୍ଥ ଵିଜ୍ଞାନ ଓ ବ୍ରହ୍ମାଣ୍ଡ ଵିଜ୍ଞାନରେ ଵ୍ୟଵହୃତ ହୁଏ। ଏହି ତାତ୍ତ୍ଵିକ ଧାରଣା ଅନୁସାରେ, ଆମର ନିଜର ଏଇ ବ୍ରହ୍ମାଣ୍ଡ ଵ୍ୟତୀତ ଅନ୍ୟ ବ୍ରହ୍ମାଣ୍ଡ ମଧ୍ୟ ଅସ୍ତିତ୍ୱରେ ଥାଇପାରେ ଏଵଂ ଆମର ବ୍ରହ୍ମାଣ୍ଡ ସହିତ ସମାନ୍ତରାଳ ଭାବେ ଵିଦ୍ୟମାନ ରହିଥାଏ। ଏହି ସମାନ୍ତରାଳ ବ୍ରହ୍ମାଣ୍ଡଗୁଡ଼ିକରେ ଭିନ୍ନ ଭିନ୍ନ ଭୌତିକ ନିୟମ, ସମୟ, ଘଟଣା ଵା ଜୀବନର ରୂପ ଥାଇପାରେ। ସମାନ୍ତରାଳ ଵିଶ୍ୱର ଧାରଣା ବହୁଵିଶ୍ୱ ତତ୍ତ୍ୱ ଵା Multiverse Theoryର ଏକ ଅଂଶ। ଏହି ଥିଓରୀ ଅନୁସାରେ ଅସଂଖ୍ୟ ବ୍ରହ୍ମାଣ୍ଡ ଅସ୍ତିତ୍ୱରେ ଅଛି, ଯେଉଁଗୁଡ଼ିକରେ ଘଟଣାଗୁଡ଼ିକର ଫଳାଫଳ ଭିନ୍ନ ହୋଇପାରେ। ଉଦାହରଣ ସ୍ୱରୂପ, ଏକ ସମାନ୍ତରାଳ ଵିଶ୍ୱରେ ଆପଣ ଏକ ଭିନ୍ନ ସମୟକାଳରେ ଥାଇପାରନ୍ତି ଵା ଆପଣଙ୍କ ଜୀଵନ ପରିଚୟ ଭିନ୍ନ ହୋଇପାରେ ‌। କ୍ୱାଣ୍ଟମ ପଦାର୍ଥ ଵିଜ୍ଞାନରେ Many Worlds Interpretation ଅନୁଯାୟୀ ପ୍ରତ୍ୟେକ କ୍ୱାଣ୍ଟମ ଘଟଣା ବ୍ରହ୍ମାଣ୍ଡକୁ ଵିଭିନ୍ନ ଶାଖାରେ ଵିଭକ୍ତ କରେ, ଯହିଁରେ ସମସ୍ତ ସମ୍ଭାଵ୍ୟ ଫଳାଫଳ ଘଟେ। ଏହା ସମାନ୍ତରାଳ ଵିଶ୍ୱର ଏକ ଵୈଜ୍ଞାନିକ ଭିତ୍ତି ପ୍ରଦାନ କରେ।
 କେତେକ ସମାନ୍ତରାଳ ଵିଶ୍ୱରେ ଆମ ବ୍ରହ୍ମାଣ୍ଡର ଭୌତିକ ନିୟମ (ଯଥା ଗୁରୁତ୍ୱାକର୍ଷଣ ଵା ସମୟର ପ୍ରକୃତି) ଭିନ୍ନ ହୋଇପାରେ। ଅନ୍ୟ କେତେକରେ ଇତିହାସର ଘଟଣାଗୁଡ଼ିକ ଭିନ୍ନ ରୂପରେ ଘଟିଥାଏ । ତେବେ ଵର୍ତ୍ତମାନ ସୁଦ୍ଧା ସମାନ୍ତରାଳ ଵିଶ୍ୱର କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ଏହା ଏକ ତାତ୍ତ୍ୱିକ ଧାରଣା ମାତ୍ର, ଯାହା ଗଣିତିକ ମଡେଲ ଓ ଵୈଜ୍ଞାନିକ ଅନୁମାନ ଉପରେ ଆଧାରିତ। କେତେକ ଵୈଜ୍ଞାନିକ ଏହାକୁ ସମର୍ଥନ କରନ୍ତି, କିନ୍ତୁ ଅନ୍ୟମାନେ ଏହାକୁ ଅନୁମାନମୂଳକ ବୋଲି ଵିଚାର କରନ୍ତି। ଏଠାରେ ଭାରତ ଏଯାଵତ୍ ପରାଧୀନ ଥିଲେ ଏ ଦେଶର କ'ଣ ଦୁର୍ଗତି ହୋଇଥାନ୍ତା ତାହା କାହାଣୀ ଵର୍ଣ୍ଣନା ଶୈଳୀରେ ଉଲ୍ଲେଖ କରାଯାଇଛି । 
--------
ଭାରତରେ ଇଂରେଜ ଶାସନ (୧୭୫୭-୧୯୪୭) ଦେଶର ଅର୍ଥନୈତିକ, ସାମାଜିକ, ଓ ସାଂସ୍କୃତିକ ଜୀବନ ଉପରେ ଗଭୀର ପ୍ରଭାଵ ପକାଇଥିଲା। ଯଦି ୧୯୪୭ ପରେ ମଧ୍ୟ ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଭାରତର ସ୍ଥିତି କିପରି ହୋଇଥାନ୍ତା, ତାହା ବୁଝିଵାକୁ ହେଲେ ଇଂରେଜ ଶାସନର ପୂର୍ଵ ସ୍ଥିତି ଓ ତାହାର ନୀତିକୁ ଜାଣିଵାକୁ ହେଵ ‌। 

ଇଂରେଜ ଶାସନ ପୂର୍ଵରୁ ଭାରତ ଏକ ଵିଵିଧତାପୂର୍ଣ୍ଣ ଦେଶ ଥିଲା, ଯେଉଁଠାରେ ମୋଗଲ, ମରାଠା, ଶିଖ ଓ ଅନ୍ୟାନ୍ୟ ଆଞ୍ଚଳିକ ଶକ୍ତିମାନେ ଶାସନ କରୁଥିଲେ। ଭାରତର ଅର୍ଥନୀତି କୃଷି ଓ ହସ୍ତଶିଳ୍ପ ଉପରେ ନିର୍ଭରଶୀଳ ଥିଲା ଏଵଂ ଦେଶ ଵିଶ୍ୱର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗଣା ହେଉଥିଲା। କିନ୍ତୁ, ଇଂରେଜମାନଙ୍କ ଆଗମନ ସହିତ ଭାରତର ଅର୍ଥନୀତି ଓ ସମାଜ ଉପରେ ଗଭୀର ପ୍ରଭାଵ ପଡ଼ିଥିଲା । 

ଇଷ୍ଟ ଇଣ୍ଡିଆ କମ୍ପାନୀ ଏଵଂ ୧୮୫୭ ପରେ ବ୍ରିଟିଶ ସରକାର ଭାରତୀୟ ସମ୍ପଦକୁ ଶୋଷଣ କରି ବ୍ରିଟେନକୁ ସ୍ଥାନାନ୍ତର କରିଥିଲେ। ଭାରତୀୟ ହସ୍ତଶିଳ୍ପ ନଷ୍ଟ ହୋଇଥିଲା ଏଵଂ ଭାରତକୁ କେଵଳ କଞ୍ଚାମାଲ ଯୋଗାଣ ଓ ବ୍ରିଟିଶ ଉତ୍ପାଦର ବଜାର କରାଯାଇଥିଲା।
ଇଂରେଜମାନେ ଆଧୁନିକ ଶିକ୍ଷା, ରେଳବାଇ, ଓ ଆଇନଗତ ଵ୍ୟଵସ୍ଥା ସହିତ ଭାରତୀୟଙ୍କୁ ପରିଚୟ କରାଇଥିଲେ, କିନ୍ତୁ ଏହା ମୁଖ୍ୟତଃ ସେମାନଙ୍କ ଶାସନକୁ ସୁଦୃଢ଼ କରିଵା ପାଇଁ ଥିଲା। ସତୀଦାହ ଓ ବାଲ୍ୟଵିଵିହ ଭଳି କୁପ୍ରଥା ଵିରୁଦ୍ଧରେ ଆଇନ ଆଣିଥିଲେ, କିନ୍ତୁ ସାମାଜିକ ଅସମାନତା ଓ ଜାତିଗତ ଵିଭେଦକୁ ସେମାନେ ଅଧିକ ଉସ୍କାଇଥିଲେ। ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାଵ ଵୃଦ୍ଧି ପାଇଥିଲା, ଯାହା ଭାରତୀୟ ପରିଚୟକୁ କିଛି ପରିମାଣରେ ଦୁର୍ଵଳ କରିଥିଲା। ଯଦି ୧୯୪୭ ପରେ ମଧ୍ୟ ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଭାରତର ସ୍ଥିତି କ'ଣ ହୋଇଥାନ୍ତା ତାହା ଉପରେ "Earth 22765" ସମାନ୍ତରାଳ ଵିଶ୍ଵର କାହାଣୀରେ ଉଲ୍ଲେଖ କରାଯାଇଛି ‌। 

ଯଦି ଆଜି ବି ଭାରତଵର୍ଷ ପରାଧୀନ ଥାଆନ୍ତା ତେବେ ଇଂରେଜ ଶାସନ ଅଧୀନରେ ଭାରତର ଅର୍ଥନୀତି ବ୍ରିଟିଶ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାନ୍ତା। ଆଧୁନିକ ଭାରତର ଅର୍ଥନୈତିକ ଉନ୍ନତି, ଯେମିତି ସୂଚନା ପ୍ରଯୁକ୍ତି ଶିଳ୍ପ, ଉତ୍ପାଦନ, ଓ ସେବା କ୍ଷେତ୍ରରେ ଯେଉଁ ଅଗ୍ରଗତି ହୋଇଛି, ତାହା ସମ୍ଭଵତଃ ସୀମିତ ହୋଇଥାନ୍ତା। ଭାରତ ଏକ କଞ୍ଚାମାଲ ଯୋଗାଣକାରୀ ଓ ବ୍ରିଟିଶ ଉତ୍ପାଦର ବଜାର ହିଁ ରହିଥାନ୍ତା । ସ୍ୱାଧୀନ ଭାରତରେ ଯେପରି ଟାଟା, ରିଲାଏନ୍ସ ଭଳି ଶିଳ୍ପ ଗୃହ ଉଭା ହୋଇଛନ୍ତି, ଇଂରେଜ ଶାସନରେ ତାହା ଅସମ୍ଭଵ ହୋଇଥାନ୍ତା। କିଛି ହିଡିମ୍ବ ଓ ହିଡିମ୍ବାମାନେ ଵ୍ୟଵସାୟୀଙ୍କୁ ଯେତେ ଗାଳି କରନ୍ତୁ ଏହା ଏକ କଠୋର ସତ୍ୟ ଯେ ଦେଶର ଉନ୍ନତି କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡି଼କର ଯୋଗଦାନ ମହତ୍ତ୍ଵପୂର୍ଣ୍ଣ । 

 ଅର୍ଥନୈତିକ ଶୋଷଣ ଯୋଗୁଁ ଦାରିଦ୍ର୍ୟ ଓ ଅସମାନତା ଆହୁରି ବୃଦ୍ଧି ପାଇଥାନ୍ତା। ଇଂରେଜ ଶାସନ ଜାରି ରହିଥିଲେ, ଭାରତୀୟ ସଂସ୍କୃତି ଓ ପରିଚୟ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଆହୁରି ଗଭୀର ହୋଇଥାନ୍ତା । ଇଂରାଜୀ ଭାଷା ଏକମାତ୍ର ପ୍ରଶାସନିକ ଓ ଶିକ୍ଷାର ମାଧ୍ୟମ ହୋଇଥାନ୍ତା, ଯାହା ହିନ୍ଦୀ, ଓଡ଼ିଆ, ବଙ୍ଗଳା ଭଳି ଆଞ୍ଚଳିକ ଭାଷାଗୁଡ଼ିକୁ ଦୁର୍ଵଳ କରିଥାନ୍ତା।
ଇଂରେଜମାନେ ଖ୍ରୀଷ୍ଟୀୟ ଧର୍ମ ପ୍ରଚାରକୁ ପ୍ରୋତ୍ସାହନ ଦେଇଥାନ୍ତେ ଫଳତଃ ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କର ସାଂସ୍କୃତିକ ପରିଚୟକୁ ଦୁର୍ଵଳ କରିଦେଇଥାନ୍ତା । ଶିକ୍ଷା ଵ୍ୟଵସ୍ଥା ବ୍ରିଟିଶ ମଡେଲ ଉପରେ ଆଧାରିତ ହୋଇଥାନ୍ତା, କିନ୍ତୁ ଏହା ସାଧାରଣ ଜନତାଙ୍କ ପାଇଁ ସୀମିତ ହୋଇଥାନ୍ତା, ଯାହା ଅସମାନତାକୁ ବୃଦ୍ଧି କରିଥାନ୍ତା। କେଵଳ ଇଂରେଜ ଓ ଧନୀକ କଳା ଇଂରେଜ ହିଁ ପାଠ ପଢ଼ନ୍ତେ । ଇଂରେଜ ଶାସନରେ ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ରାଜନୈତିକ ଅଧିକାର ମିଳିଥାନ୍ତା ନାହିଁ। ଗଣତାନ୍ତ୍ରିକ ଵ୍ୟଵସ୍ଥା ବଦଳରେ ଏକ ଔପନିବେଶିକ ଶାସନ ଜାରି ରହିଥାନ୍ତା । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦମନ କରାଯାଇଥାନ୍ତା ଏଵଂ ରାଜନୈତିକ ଆନ୍ଦୋଳନକୁ କଠୋର ଭାବେ ନିୟନ୍ତ୍ରଣ କରାଯାଇଥାନ୍ତା। ଇଂରେଜମାନେ ନିଜ ଵିଭାଜନକାରୀ ନୀତି ଜାରି ରଖି ହିନ୍ଦୁ-ମୁସଲିମ ବିଭେଦକୁ ଆହୁରି ଉସ୍କାଇଥାନ୍ତେ, ଯାହା ସାମ୍ପ୍ରଦାୟିକ ସଂଘର୍ଷକୁ ବୃଦ୍ଧି କରିଥାନ୍ତା। 

ସବୁଠାରୁ ବଡ଼ କଥା ହେଲା ଆଜି ବି ଯଦି ଇଂରେଜ ଶାସନ ଥାଆନ୍ତା ତେବେ ଅଧୁନା ଭାରତୀୟମାନେ ଯେମିତି ସୋସିଆଲ ମିଡିଆରେ ଆସି ଯାହା ତାହା ଲେଖି ଦେଉଛନ୍ତି ତାହା ଅସମ୍ଭଵ ହୋଇଯାଆନ୍ତା । 

ଆଧୁନିକ ଭାରତରେ ଅଳ୍ପ ମୂଲ୍ୟର ଇଣ୍ଟରନେଟ ଓ ସୋସିଆଲ ମିଡିଆର ଵିପ୍ଳଵ ରିଲାଏନ୍ସ ଜିଓ ଭଳି ଭାରତୀୟ କମ୍ପାନୀ ଓ ସରକାରୀ ନୀତି ଯେମିତି ଡିଜିଟାଲ ଇଣ୍ଡିଆର ଫଳ। ଯଦି ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଇଂରେଜମାନେ ପ୍ରଯୁକ୍ତିକୁ ସାଧାରଣ ଜନତାଙ୍କ ପାଇଁ ସୁଲଭ କରିଵା ବଦଳରେ ଏକ ସୀମିତ ଶ୍ରେଣୀ (ବ୍ରିଟିଶ ଅଧିକାରୀ ଓ ଧନୀ ଭାରତୀୟ) ପାଇଁ ରଖିଥାନ୍ତେ। ଜିଓ ଭଳି କମ୍ପାନୀର ଉଦୟ ହୋଇନଥାନ୍ତା ଏଵଂ ଇଣ୍ଟରନେଟ ମୂଲ୍ୟ ଆକାଶଛୁଆଁ ହୋଇଥାନ୍ତା। ଇଣ୍ଟରନେଟ ଓ ମୋବାଇଲ ପରି ଦରଵ ଭାରତୀୟ ଜନତାଙ୍କ ପାଇଁ ସ୍ଵପ୍ନ ହୋଇଯାଇଥାନ୍ତା । ଇଂରେଜ ଶାସନାଧୀନ ଭାରତରେ ସୋସିଆଲ ମିଡିଆରେ ଭାରତୀୟମାନଙ୍କ ଅଂଶଗ୍ରହଣ ସୀମିତ ହୋଇଥାନ୍ତା, କାରଣ ଇଂରେଜ ଶାସନରେ ମୁକ୍ତ ମତ ପ୍ରକାଶକୁ ନିୟନ୍ତ୍ରଣ କରାଯାଉଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ସେନ୍ସରସିପ ଲାଗୁ ହୋଇଥାନ୍ତା ଏଵଂ ଭାରତୀୟମାନଙ୍କ ପାଇଁ ଏହାର ଵ୍ୟଵହାର ସୀମିତ ହୋଇଥାନ୍ତା। ହୁଏତ କିଛି ହାତଗଣତି ଧନୀ ଭାରତୀୟ ହିଁ ଏହାକୁ ଚଳାଇ ପାରିଥାନ୍ତେ । ସ୍ୱାଧୀନ ଭାରତରେ ଡିଜିଟାଲ ଇଣ୍ଡିଆ ଭଳି ପଦକ୍ଷେପ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇଛି। ଇଂରେଜ ଶାସନରେ ଏହା ଅସମ୍ଭଵ ହୋଇଥାନ୍ତା, କାରଣ ସେମାନେ ଗ୍ରାମୀଣ ଉନ୍ନୟନକୁ ପ୍ରାଧାନ୍ୟ ଦେଇନଥାନ୍ତେ।

ଵର୍ତ୍ତମାନ ଭାରତରେ ୮୦୦ ନିୟୁତରୁ ଅଧିକ ଇଣ୍ଟରନେଟ ଵ୍ୟଵହାରକାରୀ ଅଛନ୍ତି ।ୟୁଟ୍ୟୁବ,ଫେସବୁକ, ଟ୍ୱିଟର(X) ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆଜି ଭାରତୀୟମାନଙ୍କୁ ଵୈଶ୍ୱିକ ମଞ୍ଚରେ ମତ ପ୍ରକାଶ କରିଵାରେ ସହାୟକ ହୋଇଛି।
ପରାଧୀନ ଭାରତରେ ଇଂରେଜମାନେ ସମ୍ବାଦପତ୍ର ଓ ମୁକ୍ତମତ ପ୍ରକାଶକୁ ନିୟନ୍ତ୍ରଣ କରୁଥିଲେ। ଆଜି ବି ଇଂରେଜ ଶାସନ ଥିଲେ ସୋସିଆଲ ମିଡିଆ ମଧ୍ୟ ସେନ୍ସରସିପର ଶିକାର ହୋଇଥାନ୍ତା ଏଵଂ ଭାରତୀୟମାନଙ୍କୁ ରାଜନୈତିକ ଵା ସାମାଜିକ ମତ ପ୍ରକାଶ କରିଵାରେ ବାଧା ଦିଆଯାଇଥାନ୍ତା। ଯୋଉ ଗବଗାଣ୍ଡୁମାନେ ଇଂରେଜ ଶାସନ ସମୟରେ ରାମରାଜ୍ୟ ଥିଲା ବୋଲି ଆଜି ସୋସିଆଲ ମିଡିଆରେ ଲେଖି ପୋଷ୍ଟ କରୁଛନ୍ତି ସେମାନେ ଅତୀତର ଭରତର ଚିତ୍ରକୁ କେବେ ହୃଦୟଙ୍ଗମ କରିନାହାନ୍ତି। 

Thursday, July 17, 2025

ଗୀତା ଶ୍ଳୋକ ଓ ଵିଜ୍ଞାନ -୧

ଗୀତା ଦ୍ଵିତୀୟ ଅଧ୍ଯାୟର ୪୭ତମ ଶ୍ଲୋକକୁ ଅଧିକାଂଶ ଜାଣିଥିବେ । 

“କର୍ମଣ୍ଯେଵାଧିକାରସ୍ତେ ମା ଫଳେଷୁ କଦାଚନ।
ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ଵକର୍ମଣି॥”

ଏହି ଶ୍ଲୋକରେ ଭଗଵାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ତୁମର ଅଧିକାର କେଵଳ କର୍ମ କରିଵାରେ ଅଛି, କର୍ମଫଳ ଉପରେ ନୁହେଁ। କୌଣସି କର୍ମ ଫଳ ପାଇଁ କରାଯିଵା ଉଚିତ୍ ନୁହେଁ ତେଣୁ ତୁମେ କର୍ମଫଳର ଚିନ୍ତା ନ କରି ଅକର୍ମଣ୍ୟତାରେ ଆସକ୍ତ ହୁଅ ନାହିଁ। ତେବେ ହଜାର ହଜାର ଵର୍ଷ ମଧ୍ୟରେ ଶହ ଶହ ଲୋକେ ଧରାପୃଷ୍ଠରେ ଜନ୍ମ ଲଭି ଏହି ଶ୍ଳୋକକୁ ନିଜ ନିଜ ଵିଚାର ଅନୁସାରେ ଵ୍ୟାଖ୍ୟା କରି ଚାଲିଯାଇଛନ୍ତି । 

ଏ ଅକିଞ୍ଚନ ଏହାର ଵୈଜ୍ଞାନିକ ପକ୍ଷଟି ଵିଷୟରେ ଲେଖୁଛି ...


ଭଗବଦ୍‌ଗୀତାର ପ୍ରୋକ୍ତ ଶ୍ଲୋକରେ ଫଳର ଆସକ୍ତି ତ୍ୟାଗ କରି କର୍ମରେ ନିୟୋଜିତ ରହିଵାକୁ ଆହ୍ୱାନ ଦିଆଯାଇଛି, ଯାହା ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। 


ଵୈଜ୍ଞାନିକ ଦୃଷ୍ଟିରୁ, କାର୍ଯ୍ୟ-କାରଣ ନୀତି ଵା Cause and Effect ସହିତ ଏହାର ସମାନତା ରହିଛି । Cause and Effect ଏକ ମୌଳିକ ସିଦ୍ଧାନ୍ତ ଏଵଂ ଏହି ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ଘଟଣାର ଏକ କାରଣ ଥାଏ ତଥା ତା’ର ଫଳାଫଳ ଅନେକ କାରକ ଉପରେ ନିର୍ଭର କରେ। ଗୀତାର ପ୍ରୋକ୍ତ ଶ୍ଲୋକରେ କର୍ମକୁ କାରଣ (Cause) ରୂପେ ଦେଖାଯାଇଛି, ଯାହା ଉପରେ ମନୁଷ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ମନୁଷ୍ୟ ନିଜର ଉଦ୍ୟମ, ଇଚ୍ଛାଶକ୍ତି ଓ ଦକ୍ଷତା ମାଧ୍ୟମରେ କର୍ମ କରିପାରେ। କିନ୍ତୁ ଫଳ ଵା ପରିଣାମ (Effect) ଅନେକ ଵାହ୍ୟ କାରକ ଯଥା- ପଵିବେଶ, ସାମାଜିକ ପରିସ୍ଥିତି,ଅନ୍ୟ ଵ୍ୟକ୍ତିଙ୍କ କାର୍ଯ୍ୟ ଏଵଂ ଅଣପ୍ରତ୍ୟାଶିତ ଘଟଣାଵଳୀ ଉପରେ ନିର୍ଭର କରେ। ଏହା ମନୁଷ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ରହିଥାଏ। ଉଦାହରଣ ସ୍ୱରୂପ, ଜଣେ କୃଷକ ଵିହନ ବୁଣିଵା, ଜଳସେଚନ କରିଵା ଓ ଫସଲର ଯତ୍ନ ନେଵାରେ ନିଜର ସମ୍ପୂର୍ଣ୍ଣ ଉଦ୍ୟମ ଦେଇପାରେ ଯାହା ତାହାର କର୍ମ ଅଟେ । କିନ୍ତୁ ଫସଲର ପରିମାଣ ଵା ଗୁଣଵତ୍ତା ପାଣିପାଗ,ମାଟିର ଉର୍ଵରତା ତଥା କୀଟପତଙ୍ଗ ଆଦି ଅନେକ ଵାହ୍ୟ କାରକ ଉପରେ ନିର୍ଭର କରେ ଏଵଂ ଏହା କୃଷକର ଫଳ ଅଟେ। ଶ୍ଲୋକରେ ଅତି ସରଳ ଭାଷାରେ କୁହାଯାଇଛି ଯେ କର୍ମ ଉପରେ ଧ୍ୟାନ ଦେଵା ଆମର ଦାୟିତ୍ୱ, କିନ୍ତୁ ଫଳର ଚିନ୍ତା ଆମକୁ ଵିଚଳିତ କରିଵା ଉଚିତ୍ ନୁହେଁ।

କ୍ୱାଣ୍ଟମ ଭୌତିକୀରେ, ହାଇଜେନବର୍ଗଙ୍କ ଅନିଶ୍ଚିତତା ନୀତି (Uncertainty Principle) ଅନୁସାରେ, କୌଣସି ଘଟଣାର ଫଳାଫଳକୁ ସମ୍ପୂର୍ଣ୍ଣ ନିଶ୍ଚିତତାର ସହିତ ପୂର୍ଵାନୁମାନ କରାଯାଇପାରେ ନାହିଁ। ଉଦାହରଣ ସ୍ୱରୂପ, ଆମେ ଏକ କଣିକାର ଗତି ଓ ଅଵସ୍ଥାନକୁ ଏକସଙ୍ଗେ ଉପଯୁକ୍ତ ରୂପେ ମାପିପାରିନଥାଉ । ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ପ୍ରକୃତିରେ ଅନିଶ୍ଚିତତା ଏକ ଅଵିଚ୍ଛେଦ୍ୟ ଅଂଶ। ପ୍ରୋକ୍ତ ଶ୍ଲୋକର ସନ୍ଦେଶ ଏହି ଵୈଜ୍ଞାନିକ ସିଦ୍ଧାନ୍ତ ସହ ସମ୍ପୃକ୍ତ, ଯହିଁରେ କର୍ମ (କାରଣ) ଆମର ନିୟନ୍ତ୍ରଣରେ ଥାଏ, କିନ୍ତୁ ଫଳ (ପରିଣାମ) ଅନେକ ଅଜଣା ଓ ଅନିୟନ୍ତ୍ରିତ କାରକ ଦ୍ୱାରା ପ୍ରଭାଵିତ ହୁଏ। ଏହା ଆମକୁ ଫଳର ଅନିଶ୍ଚିତତାକୁ ଗ୍ରହଣ କରି କେବଳ କର୍ମରେ ମନୋନିଵେଶ କରିଵା ଉଚିତ ବୋଲି ଶିକ୍ଷା ଦେଇଥାଏ । ଗୀତାର ପ୍ରୋକ୍ତ ଶ୍ଲୋକଟି ଵୈଜ୍ଞାନିକ ଦୃଷ୍ଟିରୁ ମାନସିକ ସ୍ଥିରତା ଓ ଦକ୍ଷତା ବୃଦ୍ଧି କରେ, କାରଣ ଅନିଶ୍ଚିତତା ପ୍ରତି ଅନାସକ୍ତି ଆମକୁ ଅଯଥା ଚିନ୍ତାରୁ ମୁକ୍ତ କରେ।

ତେବେ ପ୍ରକୃତରେ "କର୍ମଣ୍ଯେଵାଧିକାରସ୍ତେ" ଶ୍ଳୋକରେ ମନୋଵିଜ୍ଞାନ ଓ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ରହିଥିଵାର ମୋର ଅନୁଭୁତ ହୋଇଅଛି । ମନୋଵିଜ୍ଞାନର ଦୃଷ୍ଟିକୋଣରୁ, କର୍ମଫଳ ପ୍ରତି ଅତ୍ୟଧିକ ଆସକ୍ତି ମାନସିକ ଚାପ (Stress), ଉଦ୍ବେଗ (Anxiety) ଓ ନିରାଶା (Depression) ସୃଷ୍ଟି କରିପାରେ। ଯେତେବେଳେ ଆମେ କର୍ମର ଫଳ ଉପରେ ଅଧିକ ଚିନ୍ତା କରୁ, ତା’ର ଅନିଶ୍ଚିତତା ଆମ ମନକୁ ଅସ୍ଥିର କରେ। ଉଦାହରଣ ସ୍ୱରୂପ, ଜଣେ ଛାତ୍ର ପରୀକ୍ଷା ପାଇଁ କଠିନ ପରିଶ୍ରମ କରିପାରେ, କିନ୍ତୁ ଫଳାଫଳର ଚିନ୍ତା ତାକୁ ମାନସିକ ଚାପରେ ରଖିପାରେ। କିନ୍ତୁ କର୍ମରେ ନିୟୋଜିତ ରହି ଫଳ ପ୍ରତି ଅନାସକ୍ତ ରହିଵାର ଵିଚାରଧାରାଟି ମନକୁ ଏକ Mindfulness ଅଵସ୍ଥାରେ ସ୍ଥାପିତ କରେ । ମାଇଣ୍ଡଫୁଲନେସ୍ ହେଉଛି ଏକ ମନୋଵୈଜ୍ଞାନିକ ଅଵସ୍ଥା, ଯହିଁରେ ଵ୍ୟକ୍ତି ବର୍ତ୍ତମାନ ମୁହୂର୍ତ୍ତରେ ସଚେତନ ରହେ ଓ ଭଵିଷ୍ୟତର ଚିନ୍ତାରୁ ମୁକ୍ତ ହୁଏ। ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଗଵେଷଣା ଦର୍ଶାଏ ଯେ ମାଇଣ୍ଡଫୁଲନେସ୍ ମାନସିକ ଚାପ ଓ ଉଦ୍ବେଗ ହ୍ରାସ କରେ ଏଵଂ ଵ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରେ। "କର୍ମଣ୍ଯେଵାଧିକାରସ୍ତେ" ଶ୍ଲୋକର ଉପଦେଶ ଏହି ମନୋଵୈଜ୍ଞାନିକ ସିଦ୍ଧାନ୍ତ ସହ ସମ୍ପୂର୍ଣ୍ଣ ସମନ୍ୱିତ।

ସଂକ୍ଷେପରେ କହିଵାକୁ ଗଲେ ଏହି ଶ୍ଲୋକ ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଏକ ଗଭୀର ସନ୍ଦେଶ ଦେଇଥାଏ। କର୍ମକୁ କାରଣ ରୂପେ ଗ୍ରହଣ କରି ତା’ର ଉପରେ ନିୟନ୍ତ୍ରଣ ରଖିଵା ଏଵଂ ଫଳର ଅନିଶ୍ଚିତତା ପ୍ରତି ଅନାସକ୍ତ ରହିଵା ମାନସିକ ସ୍ଥିରତା, ଦକ୍ଷତା, ଓ ସଫଳତାର ମାର୍ଗ ପ୍ରଶସ୍ତ କରେ। ଏହା ଆଧୁନିକ ଵିଜ୍ଞାନ ସହ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମ୍ମିଳନ, ଯାହା ଜୀଵନକୁ ଅଧିକ ସନ୍ତୁଳିତ ଓ ଅର୍ଥପୂର୍ଣ୍ଣ କରିଥାଏ । 






ଜୀଵନ କାହିଁକି ଦୁର୍ଲଭ ?

ବ୍ରହ୍ମାଣ୍ଡର ଅସୀମ ଵିସ୍ତାରରେ ଜୀଵନର ଅସ୍ତିତ୍ୱ ଏକ ଅଦ୍ଭୁତ ଓ ଅତ୍ୟନ୍ତ ଦୁର୍ଲଭ ଘଟନା। ଏହା ଅସଂଖ୍ୟ ଜଟିଳ ଓ ସୁନିର୍ଦ୍ଦିଷ୍ଟ ପରିସ୍ଥିତିର ସମନ୍ୱୟର ଫଳ, ଯାହା ପୃଥିଵୀ ଭଳି ଗ୍ରହରେ ଜୀଵନକୁ ସମ୍ଭଵ କରିଛି। ଵୈଜ୍ଞାନିକ ଦୃଷ୍ଟିକୋଣରୁ, ଜୀଵନର ଦୁର୍ଲଭତା ଏହାର ଜୈଵିକ, ଭୌତିକ, ଓ ମହାକାଶୀୟ ସମୀକରଣରେ ନିହିତ।  

ଜୀଵନର ଅସ୍ତିତ୍ୱ ପାଇଁ ଗୋଟିଏ ଗ୍ରହର ପରିଵେଶରେ ଅନେକ ସୁନିର୍ଦ୍ଦିଷ୍ଟ ଅଵସ୍ଥା ଆଵଶ୍ୟକ। ପ୍ରଥମତଃ, ଜୀଵନ ପାଇଁ ତରଳ ଜଳ, ଉପଯୁକ୍ତ ତାପମାତ୍ରା ଓ ସ୍ଥିର ଵାୟୁମଣ୍ଡଳ ଆଵଶ୍ୟକ, ଯାହା ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଵିରଳ। ମଙ୍ଗଳ ଭଳି ଗ୍ରହରେ ଏହି ସବୁ ଦରଵର ଅଭାଵ ଯୋଗୁଁ ସେଠାରେ ଜୀଵନ ତିଷ୍ଠି ପାରି ନାହିଁ । ଗ୍ରହଟି ନିଜ ନକ୍ଷତ୍ରଠାରୁ ସୁରକ୍ଷିତ Habitable zone ଵା ଵାସଯୋଗ୍ୟ କ୍ଷେତ୍ରରେ ଅଵସ୍ଥିତ ହୋଇଥିଵା ଆଵଶ୍ୟକ, ଯେଉଁଠାରେ ଜଳ ତରଳ ଅଵସ୍ଥାରେ ରହିପାରେ। ଶୁକ୍ର ଗ୍ରହରେ ବି ଏକଦା ଜଳଥିଲା ପୁଣି ଜୀଵନ ଉତ୍ପତ୍ତିର ସମ୍ଭାଵନା ବି ଥିଲା କିନ୍ତୁ ଏକ ସୁରକ୍ଷିତ ଅଞ୍ଚଳରେ ନଥିଵାରୁ ଏ ଗ୍ରହର ସ୍ଥିତି ଏବେ ନର୍କ ସମ ହୋଇଯାଇଛି । ଗ୍ରହର ଆକାର ଓ ଭୂତାତ୍ତ୍ୱିକ ଗଠନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ମହାକାଶୀୟ ଵିକିରଣରୁ ଜୀଵନକୁ ରକ୍ଷା କରେ। ମଙ୍ଗଳର ଚୁମ୍ବକୀୟ କ୍ଷେତ୍ର ଅତି ଦୁର୍ଵଳ ତେଣୁ ସେଠାରେ ଜୀଵନ ଉପଲବ୍ଧ ନାହିଁ । ପ୍ଲେଟ୍ ଟେକ୍ଟୋନିକ୍ସ୍ ଜଳଵାୟୁ ନିୟନ୍ତ୍ରଣ ଓ ଖଣିଜ ଚକ୍ର ହେତୁ ଅତି ଆଵଶ୍ୟକ କିନ୍ତୁ ଏହା ଅନ୍ୟ ଗ୍ରହରେ ବିରଳ। ମଙ୍ଗଳ ପରି ଗ୍ରହରେ ଯଦି ପୃଥିଵୀ ପରି ଭୂଚଳନ ହେଉଥାଆନ୍ତା ତେବେ ଏହି ପ୍ରାକୃତିକ ସକ୍ରିୟତା ବହୁତ ସମ୍ଭଵ ଜୈଵିକ ସକ୍ରିୟତାକୁ ବଢ଼ାଇ ପାରିଥାଆନ୍ତା ‌।

ଗ୍ରହର ଘୂର୍ଣ୍ଣନ ଗତି ଓ କକ୍ଷପଥର ସ୍ଥିରତା, ଦିଵା-ରାତି ଚକ୍ର ଓ ତାପମାତ୍ରା ସନ୍ତୁଳନ ପାଇଁ ଜରୁରୀ। ଚାନ୍ଦ୍ର ପ୍ରଭାବ, ଗ୍ରହର ଅକ୍ଷୀୟ ସ୍ଥିରତା ତଥା ଜଳଵାୟୁ ନିୟନ୍ତ୍ରଣରେ ସହାୟକ। ଏସବୁ ନଥିଲେ ପୃଥିଵୀରେ ଜୀଵନ ତିଷ୍ଠି ପାରନ୍ତା ନାହିଁ । ପୃଥିଵୀର ଘୂର୍ଣ୍ଣନ ଗତି (ପ୍ରାୟ ୨୪ ଘଣ୍ଟାରେ ଏକ ପରିକ୍ରମଣ) ଦିଵା-ରାତ୍ର ଚକ୍ର ସୃଷ୍ଟି କରେ, ଯାହା ଜୀଵନ ପାଇଁ ଅତ୍ୟାଵଶ୍ୟକ। ଏହି ଚକ୍ର ତାପମାତ୍ରାରେ ସନ୍ତୁଳନ ରକ୍ଷା କରେ ଫଳତଃ ଦିଵସରେ ସୂର୍ଯ୍ୟତାପ ଓ ରାତ୍ରିରେ ଶୀତଳତା ମଧ୍ୟରେ ଏକ ନିୟନ୍ତ୍ରିତ ପରିଵର୍ତ୍ତନ ହୁଏ। ଏହା ଜୀଵଜଗତର ଜୈଵିକ ଘଟଣା ଯଥା - ଆଲୋକସଂଶ୍ଳେଷଣ, ନିଦ୍ରା-ଜାଗ୍ରତ ଚକ୍ର, ଏଵ ପ୍ରଜନନ ପାଇଁ ଅନୁକୂଳ ଅଟେ । ପୃଥିଵୀର କକ୍ଷପଥ ସୂର୍ଯ୍ୟଙ୍କ ଚାରିପାର୍ଶ୍ଵରେ ପ୍ରାୟ ୩୬୫.୨୫ ଦିନରେ ଏକ ପରିକ୍ରମଣ କରେ ଏଵଂ ଏଥିଯୋଗୁଁ ଷଡ଼ଋତୁ ଋତୁ ହୁଏ । ଏହି ସ୍ଥିର କକ୍ଷପଥ ଏଵଂ ଅକ୍ଷୀୟ ନତି (axial tilt, ୨୩.୫ ଡିଗ୍ରୀ) ଜଳଵାୟୁ ଓ ଋତୁଚକ୍ରରେ ସ୍ଥିରତା ଆଣେ । ଏହା ଜୀଵନର ଵିକାଶ ଓ ଵିଵିଧତା ପାଇଁ ଆଵଶ୍ୟକ। ମଙ୍ଗଳରେ, ଘୂର୍ଣ୍ଣନ ଗତି (୨୪.୬ ଘଣ୍ଟା) ପୃଥିଵୀ ସହ ସମାନ, କିନ୍ତୁ ଏହାର କକ୍ଷପଥ ଅଧିକ ଉପଵୃତ୍ତାକାର (elliptical), ଯାହା ତାପମାତ୍ରାରେ ଅତ୍ୟଧିକ ପରିଵର୍ତ୍ତନ ଆଣେ। ମଙ୍ଗଳର ଅକ୍ଷୀୟ ନତି (୨୫.୨ ଡିଗ୍ରୀ) ମଧ୍ୟ ଋତୁ ସୃଷ୍ଟି କରେ, କିନ୍ତୁ ଏହାର ପାତଳା ଵାୟୁମଣ୍ଡଳ, ନିମ୍ନମାନର ଚୁମ୍ବକୀୟ କ୍ଷେତ୍ର ଓ ସୌରଶକ୍ତିର ଅଭାବ ତାପମାତ୍ରା ସନ୍ତୁଳନ ପାଇଁ ଅନୁକୂଳ ନୁହେଁ। ତେଣୁ ମଙ୍ଗଳରେ ଜୀଵନର ସ୍ଥିରତା ବଜାୟ ରହିବା କଷ୍ଟକର। 

ସେହିପରି ପୃଥିଵୀରେ ଜୀଵନ ତିଷ୍ଠି ରହିଵା କ୍ଷେତ୍ରରେ ଚନ୍ଦ୍ରର ଯୋଗଦାନ ମହତ୍ତ୍ଵପୂର୍ଣ୍ଣ । ଚନ୍ଦ୍ରର ମଧ୍ୟାକର୍ଷଣ ଶକ୍ତି ପୃଥିଵୀର ଅକ୍ଷୀୟ ନତିକୁ (axial tilt) ସ୍ଥିର ରଖେ। ଏହା ପୃଥିଵୀର ଅକ୍ଷ ଅଧିକ ଦୋଳନ(wobbling) ରୁ ରକ୍ଷା କରେ, ଯାହା ଜଳଵାୟୁରେ ଦୀର୍ଘକାଳୀନ ସ୍ଥିରତା ଆଣେ। ଚନ୍ଦ୍ର ନଥିଲେ, ପୃଥିଵୀର ଅକ୍ଷୀୟ ନତି (axial tilt) ଅନିୟମିତ ଭାବେ ପରିଵର୍ତ୍ତନ ହେଉଥାନ୍ତା, ଯାହା ଜଳବାୟୁରେ ଅତ୍ୟଧିକ ଅସ୍ଥିରତା ସୃଷ୍ଟି କରି ଜୀଵନକୁ ଅସମ୍ଭଶ କରିଦେଇଥାନ୍ତା। ମଙ୍ଗଳର ଦୁଇଟି ଛୋଟ ଉପଗ୍ରହ (ଫୋବୋସ୍ ଓ ଡିମୋସ୍) ଥାଇ ମଧ୍ୟ ସେମାନଙ୍କର ଗୁରୁତ୍ବାକର୍ଷଣ ଅତ୍ୟନ୍ତ ଦୁର୍ଵଳ ଫଳରେ ମଙ୍ଗଳକୁ ଅକ୍ଷୀୟ ସ୍ଥିରତା ପ୍ରଦାନ କରିପାରନ୍ତି ନାହିଁ। ତେଣୁ ମଙ୍ଗଳର ଜଳଵାୟୁ ଦୀର୍ଘକାଳୀନ ଭାବେ ଅସ୍ଥିର ରହିଛି। ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିଵୀରେ ଜୁଆର ସୃଷ୍ଟି କରେ, ଯାହା ସମୁଦ୍ରରେ ଜଳକୁ ଗତି ଦିଏ । ଏହି ଜୁଆର ଜୀଵନର ଉତ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଇପାରେ। ଜୁଆର ଦ୍ବାରା ସୃଷ୍ଟ ଗତି ସମୁଦ୍ରରେ ଜୈଵ ରାସାୟନିକ ପ୍ରକ୍ରିୟାକୁ ଉତ୍ସାହିତ କରିଥାଇପାରେ, ଯାହା ଜୀଵନର ପ୍ରାରମ୍ଭିକ ରୂପ ସୃଷ୍ଟି ପାଇଁ ସହାୟକ ହୋଇଥିଲା। ଉଦାହରଣ ସ୍ବରୂପ, ଜୁଆର ଦ୍ବାରା ସମୁଦ୍ର ତଟରେ ଖଣିଜ ଓ ଜୈଵ ପଦାର୍ଥର ମିଶ୍ରଣ ଜୀଵନର ରାସାୟନିକ ଵିକାଶକୁ ସହଜ କରିଥାଇପାରେ। ମଙ୍ଗଳରେ ଏକ ବୃହତ୍ ଉପଗ୍ରହର ଅଭାଵରୁ ହେତୁ ଏପରି ଜୁଆର ସୃଷ୍ଟି ହୁଏ ନାହିଁ, ଯାହା ଜୀଵନର ଉତ୍ପତ୍ତି ପାଇଁ ଅନୁକୂଳ ପରିଵେଶ ସୃଷ୍ଟି କରିପାରେ ନାହିଁ। ଚନ୍ଦ୍ର ପୃଥିଵୀର ଜଳଵାୟୁ ନିୟନ୍ତ୍ରଣରେ ମଧ୍ୟ ସହାୟକ। ଜୁଆର ଦ୍ବାରା ସମୁଦ୍ର ସ୍ରୋତ ସୃଷ୍ଟି ହୁଏ, ଯାହା ଗ୍ରହର ତାପମାତ୍ରା ସନ୍ତୁଳନରେ ସାହାଯ୍ୟ କରେ। ଉଦାହରଣ ସ୍ବରୂପ, ଗଲ୍ଫ ସ୍ଟ୍ରିମ୍ ପରି ସ୍ରୋତ ଉଷ୍ଣ ଜଳକୁ ଉଚ୍ଚ ଅକ୍ଷାଂଶକୁ ନେଇ ଜଳଵାୟୁକୁ ଆଦ୍ର ରଖେ। ମଙ୍ଗଳରେ ତରଳ ଜଳର ଅଭାଵ ଓ ଜୁଆରର ଅନୁପସ୍ଥିତି ହେତୁ ଏପରି ଜଳଵାୟୁ ନିୟନ୍ତ୍ରଣ ସମ୍ଭଵ ନୁହେ।

ଗୋଟିଏ ଗ୍ରହକୁ ମହାକାଶୀୟ ଵିପଦରୁ ସୁରକ୍ଷା ଦେଵା ପାଇଁ ଏହା ନିକଟରେ ଵୃହସ୍ପତି ଭଳି ଵୃହଦାକାର ଗ୍ରହ ଥିଵା ମଧ୍ୟ ଆଵଶ୍ୟକ। ଵୃହସ୍ପତି,ପୃଥିଵୀକୁ ଅନେକ ଧୂମକେତୁ ଓ ଗ୍ରହାଣୁଠାରୁ ରକ୍ଷା କରିଥାଏ‌। ସେହିପରି Grand Tack Hypothesis ତଥା ଅନ୍ୟାନ୍ୟ ଵୈଜ୍ଞାନିକ ପ୍ରମାଣରୁ ଜଣାଯାଏ ଯେ ଗ୍ରହଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ ଵୃହସ୍ପତି ଭଳି ଗ୍ରହ ଆଖପାଖର ଵିକ୍ଷିପ୍ତ ଭାବେ ଘୂରିବୁଲୁଥିଵା ଦରଵକୁ ଅଵଶୋଷଣ କରି ନିଜ ନକ୍ଷତ୍ରର ନିକଟକୁ ଚାଲି ଆସନ୍ତି । ସେହି ସମୟରେ ଶନି ଭଳି ଵିଶାଳ ଗ୍ରହ ଯୋଗୁଁ ଵୃହସ୍ପତି ପରି ଵିଶାଳ ଗ୍ରହ ନିୟନ୍ତ୍ରିତ ହୋଇଥାଏ । ଆମ ସୌରଜଗତରେ ବି ଵୃହସ୍ପତି ଏହି କାର୍ଯ୍ୟ ଆରମ୍ଭ କରିଥିଵା ବେଳେ କେତେକ ହଜାର ଵର୍ଷ ପରେ ସୃଷ୍ଟି ହୋଇ ଶନି ଗ୍ରହ ଵୃହସ୍ପତିକୁ ନିୟନ୍ତ୍ରଣ କରି ଏଥିରୁ ଦୂରେଇ ଦେଇଥିଲା । ଏଥିଯୋଗୁଁ ପୃଥିଵୀ ,ମଙ୍ଗଳ, ଶୁକ୍ର ଓ ବୁଧ ଭଳି ଗ୍ରହ ଗଠନ ପାଇଁ ଦରଵ ବଞ୍ଚିଯାଇଥିଲା । 
ଗାଲାକ୍ଟିକ୍ ହାବିଟେବଲ୍ ଜୋନ୍ (Galactic Habitable Zone) ଏଵଂ ମହାକାଶୀୟ ପରିଵେଶ ମହାକାଶରେ ଜୀଵନର ସମ୍ଭାଵନା ପାଇଁ ଏକ ସୁରକ୍ଷିତ ଅଞ୍ଚଳ ନିର୍ଦ୍ଧାରଣ କରେ। ଏହି ଅଞ୍ଚଳ ଏପରି ଏକ ସ୍ଥାନ ଯେଉଁଠାରେ ସୁପରନୋଵା (ନକ୍ଷତ୍ରର ଵିସ୍ଫୋରଣ) କିମ୍ବା Gama Ray ଵିକିରଣ ଭଳି ଉଚ୍ଚ-ଶକ୍ତିସମ୍ପନ୍ନ ମହାକାଶୀୟ ଘଟଣାଗୁଡ଼ିକର ପ୍ରଭାଵ ଅତ୍ୟନ୍ତ କମ୍ ଥାଏ। ଏହା ଜୀଵନ ପାଇଁ ଆଵଶ୍ୟକ ଗ୍ରହୀୟ ପରିଵେଶକୁ ସୁରକ୍ଷିତ ରଖିଵାରେ ସହାୟକ ହୁଏ,ଯଥା : ଗ୍ରହରେ ଜଳର ଉପସ୍ଥିତି, ସ୍ଥିର ଜଳଵାୟୁ ଏଵଂ ଜୈଵିକ ଅଣୁଗୁଡ଼ିକର ସଂରକ୍ଷଣ ଇତ୍ୟାଦି। ଏହି ଅଞ୍ଚଳ ସାଧାରଣତଃ ଆକାଶଗଙ୍ଗାର କେନ୍ଦ୍ରୀୟ ଅଞ୍ଚଳଠାରୁ ଦୂରରେ ଏଵଂ ଅତ୍ୟଧିକ ଵିକିରଣ ଵା ନକ୍ଷତ୍ର ଜନ୍ମ ହେଉଥିଵା ସ୍ଥାନଠାରୁ ମଧ୍ୟ ସୁରକ୍ଷିତ ଦୂରତାରେ ଅଵସ୍ଥିତ। ଏହା ଜୀଵନର ଵିକାଶ ଓ ସ୍ଥାୟୀତ୍ବ ପାଇଁ ଏକ ଅନୁକୂଳ ପରିଵେଶ ପ୍ରଦାନ କରେ। ଆମର ସୌରଜଗତ Milky Way ଆକାଶଗଙ୍ଗାର ଏକ ଗାଲାକ୍ଟିକ୍ ହାବିଟେବଲ୍ ଜୋନ୍ (Galactic Habitable Zone) ଭିତରେ ଅଵସ୍ଥିତ। ଏହା ଆମ ମନ୍ଦାକିନୀ ଆକାଶଗଙ୍ଗାର କେନ୍ଦ୍ରୀୟ ଅଞ୍ଚଳଠାରୁ ପ୍ରାୟ ୨୫,୦୦୦ ରୁ ୩୦,୦୦୦ ଆଲୋକଵର୍ଷ ଦୂରରେ, ଓରିଅନ୍ ଆର୍ମ୍ (Orion Arm) ନାମକ ଏକ ସର୍ପିଳ ଶାଖାରେ ରହିଛି। ଏହି ଅଞ୍ଚଳରେ ସୁପରନୋଵା ଵିସ୍ଫୋରଣ ଓ Gama Ray ଵିକିରଣର ପ୍ରଭାଵ ଅପେକ୍ଷାକୃତ କମ୍, ଯାହା ଜୀଵନ ପାଇଁ ଅନୁକୂଳ। ଏତଦ୍‌ଵ୍ୟତୀତ, ଏହି ସ୍ଥାନରେ ଭାରୀ ଧାତୁ (metals) ଏଵଂ ଅନ୍ୟାନ୍ୟ ଜୈଵିକ ଉପାଦାନର ଉପସ୍ଥିତି ଗ୍ରହ ଗଠନ ଓ ଜୀଵନର ଵିକାଶ ପାଇଁ ସହାୟକ। ତେଣୁ, ଆମ ସୌରଜଗତର ଅଵସ୍ଥାନ ଜୀଵନର ସମ୍ଭାଵନା ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ମହାକାଶୀୟ ପରିଵେଶ ପ୍ରଦାନ କରେ।

ଜୀଵନର ଉତ୍ପତ୍ତି ଓ ଵିକାଶ ପାଇଁ ଜୈଵିକ ଅଣୁ ଯେପରି ଅମିନୋ ଏସିଡ୍ ଓ ନ୍ୟୁକ୍ଲିକ ଏସିଡ୍ ଗଠନ ଆଵଶ୍ୟକ, ଯାହା ଅତ୍ୟନ୍ତ ଜଟିଳ। ଅଜୈଵିକ ପଦାର୍ଥରୁ ଜୈଵିକ ଜୀଵନର ଉତ୍ପତ୍ତି (Abiogenesis) ଏକ ଵିରଳ ପ୍ରକ୍ରିୟା। କାର୍ବନ, ଅମ୍ଳଜାନ, ଓ ନାଇଟ୍ରୋଜେନ ଭଳି ରାସାୟନିକ ଉପାଦାନର ଉପସ୍ଥିତି ଓ ଵାୟୁମଣ୍ଡଳର ରସାୟନର ଉପଯୁକ୍ତ ସମନ୍ୱୟ ଜୀଵନ ପାଇଁ ଅପରିହାର୍ଯ୍ୟ। ଜଳର ରାସାୟନିକ ଗୁଣ, ଯେପରି ଦ୍ରାବକ କ୍ଷମତା ଓ ତାପମାତ୍ରା ନିୟନ୍ତ୍ରଣ, ଜୀଵନକୁ ସମ୍ଭଵ କରେ, କିନ୍ତୁ ଏହା ଅନ୍ୟ ଗ୍ରହରେ ଵିରଳ। ମହାକାଶୀୟ ଧୂଳିକଣାରୁ ଭାରୀ ମୌଳିକ ପଦାର୍ଥର ଉତ୍ପତ୍ତି, ଯାହା ସୁପରନୋଵା ଵିସ୍ଫୋରଣରୁ ଆସେ ତାହା ମଧ୍ୟ ଵିରଳ। ଜୈଵିକ ମେଟାବୋଲିଜମ ଏଵଂ ଜୀଵନର ପ୍ରଜନନ କ୍ଷମତା କ୍ଷେତ୍ରରେ ଜୈଵିକ ଅଣୁଙ୍କ ସ୍ୱ-ପ୍ରଜନନ ଓ ଶକ୍ତି ଉତ୍ପାଦନ ପାଇଁ ଜଟିଳ ପ୍ରକ୍ରିୟା ଆଵଶ୍ୟକ। ଅଣୁଜୀଵର ସହଜୀଵନ ଜୀଵନର ଵିକାଶରେ ଗୁରୁତ୍ୱପୂର୍ଣ୍ଣ, (ଯଥା - ମାଇଟୋକଣ୍ଡ୍ରିଆର ଉତ୍ପତ୍ତି)। ଅମ୍ଳଜାନର ଵିକାଶ, ଯାହା ସାୟାନୋବ୍ୟାକ୍ଟେରିଆ ଭଳି ଜୀଵଙ୍କ ଦ୍ୱାରା ସମ୍ଭଵ, ଜଟିଳ ଜୀଵନ ପାଇଁ ଅତ୍ୟାଵଶ୍ୟକ।

ଜୀଵନର ଵିକାଶ ଏକ ଦୀର୍ଘ ଓ ଜଟିଳ ପ୍ରକ୍ରିୟା। ଏକକୋଷୀୟ ଜୀଵଙ୍କଠାରୁ ବହୁକୋଷୀ ଜଟିଳ ଜୀଵନରେ ଵିଵର୍ତ୍ତିତ ହେଵା ପାଇଁ ବିଲିୟନ ଵର୍ଷର ଵିଵର୍ତ୍ତନୀୟ ପ୍ରକ୍ରିୟା ଆଵଶ୍ୟକ। ଜେନେଟିକ ଵୈଚିତ୍ର୍ୟ ଓ ମ୍ୟୁଟେସନର ଉପଯୁକ୍ତ ସମନ୍ୱୟ ଜୀଵନର ଵିଵିଧତା ଓ ଅନୁକୂଳନ ପାଇଁ ଜରୁରୀ। ବହୁକୋଷୀୟ ଜୀଵନର ଉତ୍ପତ୍ତି ଏକ କଷ୍ଟସାଧ୍ୟ ଓ ଵିରଳ ଘଟନା। ଚେତନାର ଉଦ୍ଭଵ, ଯେପରି ମନୁଷ୍ୟରେ ଦେଖାଯାଏ, ଅତ୍ୟନ୍ତ ଅସାଧାରଣ। ଜୈଵିକ ଅନୁକୂଳନର ସମୟ ଏଵଂ ଵିଵର୍ତ୍ତନୀୟ ସଂଯୋଗ ଜୀଵନକୁ ପରିଵେଶ ଅନୁକୂଳ କରିଵାରେ ସହାୟକ, କିନ୍ତୁ ଏହାର ସମ୍ଭାଵନା ଅତି କମ୍। ଜୈଵ ରସାୟନର ସମନ୍ୱୟ, ଯେପରି କାର୍ବନ-ଆଧାରିତ ଜୀଵନ, ଅନ୍ୟ ରାସାୟନିକ ଵ୍ୟଵସ୍ଥାଠାରୁ ଅଧିକ ସମ୍ଭାଵନାଯୁକ୍ତ, କିନ୍ତୁ ତଥାପି ଵିରଳ। ଜୈଵିକ ଵିଵିଧତାର ଵିକାଶ ପାଇଁ ଦୀର୍ଘକାଳୀନ ପରିଵେଶଗତ ସ୍ଥିରତା ଆଵଶ୍ୟକ। ଏହି ସବୁ କାରଣରୁ ପୃଥିଵୀ ଭଳି ଗ୍ରହ ଆଉ ସେ ଗ୍ରହର ଜୀଵ ମଧ୍ୟ ଵିରଳ ଅଟନ୍ତି ବୋଲି ସ୍ପଷ୍ଟ ଭାବେ କୁହାଯାଇପାରେ । 

ଗୋଟିଏ ଗ୍ରହରେ ଜୀଵନ ତିଷ୍ଠି ରହିଵା ପାଇଁ ପରିଵେଶଗତ ସ୍ଥିରତା ଓ ଜଳଵାୟୁ ସନ୍ତୁଳନ ଅପରିହାର୍ଯ୍ୟ। ଶକ୍ତିର ଉପଲବ୍ଧତା, ଯେପରି ସୌର ଶକ୍ତି କିମ୍ବା ଭୂତାପୀୟ ଶକ୍ତି, ଜୀଵନର ମେଟାବୋଲିଜମ ପାଇଁ ଜରୁରୀ। ସୌର ଵିକିରଣର ସନ୍ତୁଳନ ଜୀଵନକୁ ଅତ୍ୟଧିକ ତାପ ଵା ଶୀତଳତାରୁ ରକ୍ଷା କରେ। ଗ୍ରହର ଭୂତାତ୍ତ୍ୱିକ ଚକ୍ର, ଯେପରି କାର୍ବନ ଚକ୍ର, ଜୀଵନକୁ ତିଷ୍ଠି ରହିଵାରେ ସାହାଯ୍ୟ କରେ । ଗାଲାକ୍ଟିକ ଘନତା ଦୃଷ୍ଟିରୁ ଜୀଵନ ପାଇଁ ଏକ ମଧ୍ୟମ ଅଞ୍ଚଳ ଆଵଶ୍ୟକ, ଯେଉଁଠାରେ ତାରା ଜନଘନତା ଅତ୍ୟଧିକ ଵା ଅତି କମ ନହୋଇଥିଵ। ତାରାର ସ୍ଥିରତା, ଯେପରି ପୃଥିଵୀର ସୂର୍ଯ୍ୟ, ଦୀର୍ଘକାଳୀନ ଶକ୍ତି ଯୋଗାଣ ପାଇଁ ଜରୁରୀ। ମହାକାଶୀୟ ସଂଯୋଗ ଓ ସମୟର ସମନ୍ୱୟ ଜୀବନର ଉତ୍ପତ୍ତି ଓ ଵିକାଶ ପାଇଁ ଉପଯୁକ୍ତ ସ୍ଥାନ ଓ ସମୟରେ ମିଳନକୁ ସୂଚାଇଥାଏ। ଅଜଣା ସମ୍ଭାବନା, ଯେପରି ଡ୍ରେକ ସମୀକରଣ ଦ୍ୱାରା ପ୍ରକାଶିତ, ବୁଦ୍ଧିମାନ ଜୀଵନର ଅସ୍ତିତ୍ୱର ଅତ୍ୟନ୍ତ କମ ସମ୍ଭାଵନାକୁ ଦର୍ଶାଏ।

ଏହି ସବୁ କାରଣ ସ୍ପଷ୍ଟ କରେ ଯେ ଜୀଵନ, ଵିଶେଷତଃ ବୁଦ୍ଧିମାନ ଜୀଵନ, ବ୍ରହ୍ମାଣ୍ଡରେ ଏକ ଅସାଧାରଣ ଘଟନା। ପୃଥିଵୀରେ ଜୀଵନର ଅସ୍ତିତ୍ୱ ଏକ ମହାକାଶୀୟ “ଅଲୌକିକ” ସମ୍ଭାବନା, ଯାହା ଅସଂଖ୍ୟ ସଂଯୋଗର ଫଳ। ଏହା ଜୀଵନର ମୂଲ୍ୟବୋଧକୁ ଆହୁରି ବୃଦ୍ଧି କରେ, କାରଣ ଏହା ବ୍ରହ୍ମାଣ୍ଡରେ ଏକ ଅନନ୍ୟ ଘଟନା। ମନୁଷ୍ୟ ଜୀଵନର ଚେତନା, ବୁଦ୍ଧି, ଓ ସଂସ୍କୃତି ସୃଷ୍ଟି କରିଵାର କ୍ଷମତା ଏହାକୁ ଆହୁରି ମୂଲ୍ୟଵାନ କରିଥାଏ।

ବ୍ରହ୍ମାଣ୍ଡରେ ଜୀଵନର ଦୁର୍ଲଭତା ଏହାର ଜୈଵିକ, ଭୌତିକ, ଓ ମହାକାଶୀୟ ଜଟିଳତାରେ ପ୍ରତିଫଳିତ ହୁଏ। ଉପଯୁକ୍ତ ଗ୍ରହୀୟ ଅଵସ୍ଥା, ରାସାୟନିକ ସମନ୍ୱୟ,ଵିଵର୍ତ୍ତନୀୟ ଜଟିଳତା, ଓ ମହାକାଶୀୟ ସ୍ଥିରତା—ଜୀଵନର ଅସାଧାରଣ ସମ୍ଭାବନାକୁ ସ୍ପଷ୍ଟ କରେ। ଏହା ଜୀଵନର ମୂଲ୍ୟକୁ ଆହୁରି ଗଭୀର କରିଥାଏ ଏଵଂ ଆମକୁ ଏହାର ସଂରକ୍ଷଣ ଓ ସମ୍ମାନ କରିବାକୁ ପ୍ରେରଣା ଦେଇଥାଏ। ଜୀଵନର ଏହି ଦୁର୍ଲଭତା ଆମକୁ ମନୁଷ୍ୟ ଅସ୍ତିତ୍ୱର ଅନନ୍ୟତା ଓ ଏହାର ଗୁରୁତ୍ୱକୁ ଅନୁଭବ କରାଇଥାଏ ।‌ 

କବୀରଙ୍କ ଭାଷାରେ: 
“मानुष जन्म दुर्लभ है, 
मिले न बारंबार।  
तरुवर से पत्ता टूट गिरे,
 बहुर न लागता डार॥”

ଅର୍ଥାତ୍ ମନୁଷ୍ୟ ଜୀଵନ ଅତ୍ୟନ୍ତ ଦୁର୍ଲଭ ଏଵଂ ଏହା ବାରମ୍ବାର ମିଳେ ନାହିଁ। ଏହା ଏକ ଅମୂଲ୍ୟ ସୁଯୋଗ, ଯାହା ଜଣେ ଵ୍ଯକ୍ତିକୁ ଆଧ୍ୟାତ୍ମିକ ଓ ନୈତିକ ଉନ୍ନତି ପାଇଁ ମିଳିଥାଏ।ଯେପରି ଗଛରୁ ଖସିପଡ଼ିଥିଵା ପତ୍ର ପୁଣି ଗଛ ଡାଳରେ ଲାଗେ ନାହିଁ, ସେହିପରି ଏକଦା ହରାଇଥିଵା ମନୁଷ୍ୟ ଜୀଵନ ପୁଣି ମିଳେ ନାହିଁ। ଏଣୁ ଜୀଵନର ମୂଲ୍ୟକୁ ବୁଝି ଏହା କେମିତି ଦୁର୍ଲଭ ତାହାର ଵୈଜ୍ଞାନିକ ଦିଗକୁ ଜାଣି ଏହାର ଉପଯୁକ୍ତ ଉପଯୋଗ କରନ୍ତୁ । ଆମକୁ ମିଳିଥିଵା ଜୀଵନ ବ୍ରହ୍ମାଣ୍ଡର ଏକ ଅଲୌକିକ ଉପହାର ଅତଏଵ୍ ଏହି ଦୁର୍ଲଭ ଜୀଵନର ସମ୍ମାନ କରିଵା ଆମ୍ଭ ସମସ୍ତଙ୍କର କର୍ତ୍ତଵ୍ୟ ହେଵା ଉଚିତ । 

Wednesday, July 16, 2025

କୁକୁର ଓ ବିଲେଇଙ୍କ ମଧ୍ୟରେ ଝଗଡ଼ା କାହିଁକି ହୁଏ ?

ବିଲେଇ ଓ କୁକୁର ଵିରୋଧୀ ଦଳର ନେତାଙ୍କ ଭଳି ପରସ୍ପରକୁ ଵ୍ୟଵହାର ପ୍ରଦର୍ଶନ କରନ୍ତି ପୁଣି ଯଦି ଗୋଟିଏ ଘରେ ଉଭୟ ଜୀଵ ସୁଵ୍ୟଵସ୍ଥିତ ଭାଵେ ପାଳିତ ହୁଅନ୍ତି ସେମାନଙ୍କ ମଧ୍ୟରେ ଗୋଟିଏ ନିଆରା ସ୍ନେହଭାଵ‌ ରହିଯାଏ । ଆମ ଦେଶରେ ଭାଇ ଭଉଣୀ ଝଗଡ଼ା ଲାଗିଲେ ଲୋକେ କୁହନ୍ତି "କାହିଁକି କୁକୁର ବିଲେଇ ପରି ଝଗଡ଼ା ଲାଗୁଛ କିରେ" । ହିନ୍ଦୀଭାଷୀ ବି କୁହନ୍ତି "वो दोनों कुत्ते-बिल्ली कि तरह लड़ रहे हैं" ।‌ ଏହିପରି ଵିଶ୍ଵର ଵିଭିନ୍ନ ଦେଶର ଭାଷାରେ ବୋଲାଯାଏ । ଜାପାନ ଭଳି କିଛି ଦେଶରେ 犬猿の仲" ଵା କୁକୁର-ମାଙ୍କଡ଼ ପରି ଝଗଡ଼ା ଲାଗିଵା କୁହାଯାଏ ତେବେ ଅଧିକାଂଶ ଅଞ୍ଚଳରେ କୁକୁର ବିଲେଇ ଝଗଡ଼ାର ଉଦାହରଣ ଦିଆଯାଇଥାଏ । 

କୋରିଆରେ କୁକୁର ଓ ବିଲେଇମାନଙ୍କର ଝଗଡ଼ା କେମିତି ଆରମ୍ଭ ହେଲା ତାକୁ ବୁଝାଇଵାକୁ Gyeonmyo jaengju ନାମରେ ଏକ ଲୋକପ୍ରିୟ ଲୋକଗଳ୍ପ ରହିଛି । ଉକ୍ତ ଲୋକଗଳ୍ପଟି ନିମ୍ନରେ ପ୍ରଦତ୍ତ ହେଲା :

“ବହୁ ପ୍ରାଚୀନ କାଳରେ ବିଲେଇ ଓ କୁକୁର ଆଜି ଭଳି ଝଗଡ଼ା କରୁନଥିଲେ ଵରଂ ପରସ୍ପର ସହ ଖେଳୁଥିଲେ ଓ ମିଶିକରି ଚାରିଆଡ଼େ ବୁଲୁଥିଲେ । ସେ ଯୁଗରେ ଜଣେ ବୃଦ୍ଧ କେଉଟ ଉଭୟ କୁକୁର ଓ ବିଲେଇଙ୍କୁ ପାଳିଥିଲେ। 

 ଦିନେ ମତ୍ସ୍ୟଜୀବୀ ଏକ ବଡ "ପୁଟି ମାଛ" ଧରିଲେ, କିନ୍ତୁ ସେ ପୁଟିମାଛଟି କାନ୍ଦିଵାରୁ ତାକୁ ପାଣିରେ ନେଇ ଛାଡି଼ ଆସିଲେ। ପରଦିନ ମତ୍ସ୍ୟଜୀଵୀ ସମୁଦ୍ର କୂଳକୁ ଗଲାବେଳେ ଜଣେ ବାଳକ ସାମ୍ନାକୁ ଆସି ନିଜକୁ ସମୁଦ୍ରଦେଵ Dragon kingଙ୍କର ପୁତ୍ର ଭାବରେ ପରିଚିତ କରାଇଲା । 
 
 ପିଲାଟି ମତ୍ସ୍ୟଜୀଵୀଙ୍କୁ ଧନ୍ୟଵାଦ ଜଣାଇ ତାଙ୍କୁ ଡ୍ରାଗନ୍ କିଙ୍ଗ୍‌ଙ୍କ ପ୍ରାସାଦକୁ ନିମନ୍ତ୍ରଣ କଲା । ଡ୍ରାଗନ୍ କିଙ୍ଗ୍ ମତ୍ସ୍ୟଜୀଵୀଙ୍କର ଭଵ୍ୟ ସ୍ୱାଗତ କରିଥିଲେ ଏଵଂ ତାଙ୍କୁ ଏକ ମୂଲ୍ୟଵାନ ମଣି ଉପହାର ଦେଇଥିଲେ । ଏହି ମଣି ଦ୍ଵାରା ବୃଦ୍ଧ ଘରକୁ ଫେରି ଧନୀ ହୋଇଯିବେ ଏଵଂ ତାଙ୍କୁ ଆଉ ମାଛ ଧରିଵାକୁ ପଡ଼ିଵ ନାହିଁ ବୋଲି ଡ୍ରାଗନକିଙ୍ଗ୍ କହିଲେ । ଘରକୁ ଫେରି ମତ୍ସ୍ୟଜୀଵୀଜଣକ ନିଜକୁ ମିଳିଥିଵା ମୂଲ୍ୟଵାନ ମଣିଟିକୁ ସାଇତି କରି ପେଡ଼ିରେ ରଖିଦେଲେ କିନ୍ତୁ କୌଣସି ମତେ ପଡୋଶୀ ଗାଁର ଜଣେ ବୃଦ୍ଧ ମହିଳା ଲୁଚିକରି ତାହା ଦେଖି ପାରିଥିଲା । ସେ ଚୁପଚାପ୍ ମୂଲ୍ୟଵାନ ମଣିଟିକୁ ଚୋରି କରି ଅନ୍ୟ ଏକ ନକଲି ମଣି ସେଠାରେ ରଖି ଚାଲିଗଲା । 

 ମତ୍ସ୍ୟଜୀଵୀଙ୍କ ସହ ରହୁଥିଵା ବିଲେଇ ଓ କୁକୁର ଏ ଚୋରିକୁ ଜାଣିପାରି ମତ୍ସ୍ୟଜୀଵୀଙ୍କଠାରୁ ସ୍ନେହ ଆଦର ତଥା ଖାଦ୍ୟ ଲାଭ ଆଶାରେ ମିଶିକରି ପଡ଼ୋଶୀ ଗାଁର ସେ ମହିଳାଘରୁ ପ୍ରକୃତ ମଣିଟି ଚୋରାଇଵା ପାଇଁ ବାହାରି ପଡ଼ିଲେ ।‌ ବୃଦ୍ଧା ମହିଳାଘରେ ଗୋଟିଏ ମୂଷା ରହୁଥିଲା,ବିଲେଇ ସେ ମୂଷାକୁ ଧମକେଇ, ଜୀଵନର ଭୟ ଦେଖାଇ ପ୍ରକୃତ ମଣିକୁ ଠାଵ କରି କୁକୁର ସହିତ ଘରକୁ ବାହୁଡ଼ିଲା । କୁକୁର ପିଠିରେ ବିଲେଇ ବସିଥାଏ ଏଵଂ ସେମାନେ ଦୃତଗତିରେ ଘରକୁ ଫେରୁଥାନ୍ତି । ବାଟରେ ଗୋଟିଏ ନଦୀ ମଧ୍ୟରେ କୁକୁର ପହଁରୁଥିଵାବେଳେ ବିଲେଇକୁ ପଚାରିଦେଲା ସେ ବହୁମୂଲ୍ୟ ମଣିଟି ସୁରକ୍ଷିତ ଅଛି ତ ? ବିଲେଇ ତ ମଣିଟିକୁ ପାଟି ଭିତରେ ଜାକି ରଖିଥିଲା ଯେମିତି କୁକୁରକୁ ଉତ୍ତର ଦେଵାକୁ ପାଟି ଖୋଲିଲା ସେ ମଣିଟି ନଦୀର ପାଣି ଭିତରେ ପଡ଼ିଗଲା । 


ମଣିଟି ହରାଇ ଦେଵାରୁ ନଦୀ ପଠାରେ ପହଞ୍ଚି କୁକୁର ଓ ବିଲେଇ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ଶେଷରେ କୁକୁର ଵିଚରା ମନ ଦୁଃଖରେ ଘରକୁ ଫେରିଗଲା ପରେ ବିଲେଇଟି ବି ଆଉ ଘରକୁ ଫେରିଵନି ଓ ସେଇ ନଦୀ କୂଳରେ ରହି ମାଛ ଶିକାର କରି ବଞ୍ଚିଵ ଭାବି ନଦୀ ଭିତରେ ପଶି ମାଛ ଧରିଵାକୁ ଲାଗିଲା । 

ଗୋଟିଏ ଦୁଇଟି ତିନୋଟି ଏହିପରି ବିଲେଇ ଅନେକ ମାଛ ଖାଇଲା ଏଵଂ ଅନେକ ଦିନ ବିତିଗଲା । ଦିନେ ବିଲେଇ ଗୋଟିଏ ମାଛ ଧରି ତାକୁ କାମୁଡ଼ି ଖାଇଵାକୁ ଉଦ୍ୟତ ହୁଅନ୍ତେ ସେଥିରୁ ମଣି ପାଇ ଉଷତ ହୋଇ ମତ୍ସ୍ୟଜୀଵୀଙ୍କ ନିକଟକୁ ଫେରି ଅଇଲା । ମତ୍ସ୍ୟଜୀଵୀ ପ୍ରକୃତ ମଣିଟି ପାଇ ଅତି ଆନନ୍ଦିତ ହେଲେ ଏଵଂ ବିଲେଇକୁ କୋଳରେ ବସାଇ ବହୁତ ଗେଲ କଲେ । ସେଇ ଦିନଠାରୁ ବିଲେଇଟି ମତ୍ସ୍ୟଜୀଵୀଙ୍କ ସ୍ନେହ ଆଦର ପାଇ ଘରେ ରହିଲା ଏଵଂ କୁକୁର ନିଜର ଗୁରୁତ୍ଵ ହରାଇ ଘର ବାହାରେ ବନ୍ଧା ହେଲା । ସେହିଦିନଠାରୁ କୁକୁର ଓ ବିଲେଇ ମଧ୍ୟରେ ଏହିପରି ଶତ୍ରୁତାର ସୂତ୍ରପାତ ହୋଇଥିଲା ।‌”

ଆଗକାଳରେ ପ୍ରକୃତ କାରଣଗୁଡ଼ିକୁ ଜାଣିନପାରି ଲୋକେ ଏହିପରି କାହାଣୀମାନ ଗଢ଼ିଥିଲେ । ତେବେ ମନରେ ପ୍ରଶ୍ନ ଆସେ ପ୍ରକୃତରେ ବିଲେଇ ଓ କୁକୁରଙ୍କ ମଧ୍ୟରେ ଝଗଡ଼ା କାହିଁକି ହୁଏ ?


ବିଲେଇ ଓ କୁକୁରଙ୍କ ମଧ୍ୟରେ ଝଗଡ଼ା ହେଵାର ମୁଖ୍ୟ କାରଣ ହେଉଛି ସେମାନଙ୍କର ପ୍ରାକୃତିକ ସ୍ଵଭାଵ, ଆଚରଣ, ଓ ଯୋଗାଯୋଗର ଶୈଳୀରେ ଥିଵା ପାର୍ଥକ୍ୟ। 

ବିଲେଇମାନେ ସାଧାରଣତଃ ଏକାକୀ ରହିଵାକୁ ପସନ୍ଦ କରନ୍ତି ଏଵଂ ନିଜ ଅଞ୍ଚଳ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ସେମାନେ ନିଜ ସ୍ଥାନ ଓ ସୀମାକୁ ରକ୍ଷା କରିଵାକୁ ଚାହାନ୍ତି।
କୁକୁରମାନେ ଅଧିକ ସାମାଜିକ ଓ ଦଳଗତ ଜୀଵ। ସେମାନେ ଉତ୍ସାହୀ ଓ ଖେଳାଳି ସ୍ଵଭାଵର ହୋଇଥାନ୍ତି, ଯାହା ବିଲେଇଙ୍କୁ ଵିରକ୍ତିକର ଵା ଆକ୍ରମଣାତ୍ମକ ମନେହୁଏ।
ବିଲେଇ ଓ କୁକୁରଙ୍କର ଶାରୀରିକ ଭାଷା ଓ ସଂକେତ ଭିନ୍ନ। ଉଦାହରଣ ସ୍ୱରୂପ, କୁକୁରର ଲାଙ୍ଗୁଡ଼ ହଲାଇଵା ସାଧାରଣତଃ ଖୁସି ଵା ଉତ୍ସାହ ଦର୍ଶାଏ, କିନ୍ତୁ ବିଲେଇର ଲାଙ୍ଗୁଡ଼ ହଲାଇଵା ପ୍ରାୟତଃ ବିରକ୍ତି,ଭୟ ଵା ରାଗ ସୂଚାଏ। ଏହି ଭିନ୍ନତା ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରେ । ବିଲେଇମାନେ ଶିକାରୀ ଜୀଵ ଏଵଂ ସେମାନେ ଲୁଚିକି ଶିକାର କରିଵାକୁ ପସନ୍ଦ କରନ୍ତି। କୁକୁରମାନେ ମଧ୍ୟ ଶିକାରୀ ପ୍ରଵୃତ୍ତି ରଖିଥାନ୍ତି କିନ୍ତୁ ସେମାନେ ଅଧିକ ସକ୍ରିୟ ଓ ଦୌଡ଼ି ପିଛା କରନ୍ତି। ଏହି ଭିନ୍ନ ଶୈଳୀ ଯୋଗୁଁ ବିଲେଇ କୁକୁରଙ୍କୁ ଵିପଦ ମନେ କରିପାରେ । ବିଲେଇ ଓ କୁକୁର ଉଭୟେ ଖାଦ୍ୟ, ଖେଳଣା, କିମ୍ବା ମାଲିକଙ୍କ ଧ୍ୟାନ ପାଇଁ ପ୍ରତିଯୋଗିତା କରିପାରନ୍ତି। ଏହା ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରେ।

ଯଦି ବିଲେଇ ଓ କୁକୁର ଛୋଟ ଵୟସରୁ ଏକାଠି ବଢ଼ନ୍ତି ଏଵଂ ଉପଯୁକ୍ତ ତାଲିମ ପାଆନ୍ତି, ତେବେ ସେମାନେ ପରସ୍ପର ସହିତ ମିଶି ରହିପାରନ୍ତି। କିନ୍ତୁ ଅଜଣା ବିଲେଇ ଓ କୁକୁର ଦୈଵାତ୍ ଭେଟିଗଲେ,ସେମାନଙ୍କ ମଧ୍ୟରେ ଭୟ ଵା ଆକ୍ରମଣାତ୍ମକ ଆଚରଣ ଦେଖାଦେଇପାରେ।

ଉପଯୁକ୍ତ ପରିଚୟ, ତାଲିମ, ଓ ଧୈର୍ଯ୍ୟ ସହିତ ବିଲେଇ ଓ କୁକୁରଙ୍କୁ ଏକାଠି ରହିଵାକୁ ଶିଖାଯାଇପାରେ। ସେମାନଙ୍କୁ ଧୀରେ ଧୀରେ ପରସ୍ପର ସହିତ ପରିଚିତ କରାଇଵା, ସେମାନଙ୍କୁ ନିଜସ୍ୱ ସ୍ଥାନ ଦେଵା ଓ ସକାରାତ୍ମକ ଆଚରଣକୁ ପ୍ରୋତ୍ସାହନ ଦେଵା ଦ୍ୱାରା ଝଗଡ଼ା କମାଯାଇପାରେ । 

Monday, July 14, 2025

କଙ୍ଗାରୁର ଥଳୀ : ମିଥକ ଓ ଵାସ୍ତଵତା

ଅତି ପ୍ରାଚୀନ କାଳରେ ଗୋଟିଏ କଙ୍ଗାରୁ ତା ଛୁଆକୁ ଧରି ଜଳ ଥିଵା ଏକ ସ୍ଥାନରେ ଘାସ ଚରୁଥାଏ । ଏତିକିବେଳେ ସେ ଦେଖିଲା ଦୂରରୁ ଗୋଟିଏ wombat(ମୂଷା ସଦୃଶ ଏକ ଜାତୀୟ ଅଷ୍ଟ୍ରେଲୀୟ ଜୀଵ) ସେ ଆଡ଼କୁ ଆସୁଛି । ମାଆ କଙ୍ଗାରୁର ହୃଦୟ ସ୍ନେହରେ ଭରିଗଲା । ସେ ଇଚ୍ଛା କଲା ଆହା କେଡ଼େ ସୁନ୍ଦରିଆ ଚୁଇଁ ଜୀଵଟିଏ,ଇଏ ମୋ ଛୁଆ ହୁଅନ୍ତା କି ? ତେଣେ wombat କହି କହି ଆସୁଥାଏ ସବୁ ବେକାର,ଏ ସଂସାର ବେକାର ,ସବୁ ଜୀଵ ବେକାର ! କଙ୍ଗାରୁ ତାହା ଶୁଣିପାରି କହିଲା ଏହା ଠିକ୍ ନୁହେଁ । wombat ଚମକି ପଡ଼ି ପଚାରିଲା କିଏ ? କିଏ କହିଲା ? କଙ୍ଗାରୁ ଉତ୍ତର ଦେଲା- ମୁଁ ! ମୁଁ କଙ୍ଗାରୁ କହୁଛି ! ଦୁଃଖ ମନରେ wombat ସେଇଠୁ ଉତ୍ତର ଦେଲା - ସେମାନେ ମୋତେ ପର କରି ଦେଲେ,କେହି ବି ମୋତେ ଭଲ ପାଉନାହାନ୍ତି। ମୁଁ ଅନ୍ଧ ହୋଇଗଲି ବୋଲି ମୋତେ କେହି ପସନ୍ଦ କରୁନାହାନ୍ତି । “କିଛି କଥା ନାହିଁ, ମୁଁ ତୁମକୁ କୋମଳ ଘାସ ଓ ସ୍ଵଚ୍ଛ ଜଳ ନିକଟକୁ ନେଇ ଯିବି ,ତୁମେ ଚିନ୍ତା କାଇଁ କରୁଛ” କଙ୍ଗାରୁ କହିଲା । ତାପରେ କଙ୍ଗାରୁ ସେହି wombatକୁ ଏକ ଭଲ ଘାସ ହୋଇଥିଵା ଓ ପାଣି ଥିଵା ସ୍ଥାନକୁ ନେଇଗଲା ।‌ କୋମଳ ଘାସ ଆଉ ନିର୍ମଳ ପାଣି ପାଇ wombat ବଡ଼ ଉଷତ ହେଲା । ଏତିକିବେଳେ କଙ୍ଗାରୁର ମନେ ପଡ଼ିଲା ତା ଛୁଆ ପଛରେ ରହିଯାଇଛି । ସେ ତାକୁ ଆଣିଵାକୁ ପଛକୁ ଦୃତଗତିରେ ଘଟକିଗଲା । ଅନେକ ଦିନ ଯାଏଁ ଏହିପରି କଙ୍ଗାରୁ,ତା ଛୁଆ ଓ wombat ସୁଖରେ କୋମଳ ଘାସ ଆଉ ନିର୍ମଳ ପାଣି ପାଇ ବୁଲିଲେ ।‌ ମାତ୍ର ବାରମ୍ବାର କଙ୍ଗାରୁର ଛୁଆଟି ଏଣେ ତେଣେ ବୁଲିଵାକୁ ପଳାଉଥିଵାରୁ କଙ୍ଗାରୁର ଜୀଵନ ଅଧିକ ଵ୍ୟସ୍ତବହୁଳ ହୋଇଯାଇଥିଲା । ଏମିତିରେ ଦିନେ କଙ୍ଗାରୁ ନିଜ ଛୁଆକୁ ଉଣ୍ଡିଵାକୁ ଯାଇଥିଵା ବେଳେ ଏଣେ wombat ଉପରେ ଵିପଦ ପଡ଼ିଲା । ଜଣେ ଅଷ୍ଟ୍ରେଲୀୟ ଜନଜାତୀୟ ଶିକାରୀ ବୁମେରାଂ ଧରି wombatକୁ ଦେଖି ତାକୁ ମାରିଵାକୁ ଛକି ବସିଥାଏ । ନିଜ ଛୁଆକୁ ନିକଟସ୍ଥ ଗଛ ମୂଳରେ ଶୋଇଥିଵାର ଦେଖି କଙ୍ଗାରୁ ପୁଣି wombat ନିକଟକୁ ଫେରି ଆସି ଜାଣିଲା ଯେ ସେଠାରେ ଜଣେ ଶିକାରୀ ଛକି ବସିଛି । ସେ wombatକୁ କହିଲା ଦୌଡ଼ ଦୌଡ଼ ଏଠି ଶିକାରୀ ଅଛି । ଏତିକି ଶୁଣିଵା ମାତ୍ରେ wombat ଦୃତଗତିରେ ଧାଇଁଵାକୁ ଲାଗିଲା ଏଵଂ କିଛି ସମୟ ମଧ୍ୟରେ କୁଆଡେ଼ ଅଦୃଶ୍ୟ ହୋଇଗଲା । ଶିକାରୀ କଙ୍ଗାରୁକୁ ଦେଖି ତାକୁ ମାରିଵାକୁ ଗୋଡ଼ାଇଲା । କଙ୍ଗାରୁ ଜୀଵନ ଵିକଳରେ ବହୁତ ଦୂରକୁ ଧବୁଡ଼ିଗଲା ହେଲେ କିଛି ବାଟ ଯିଵା ପରେ ତା'ର ତା ଛୁଆ କଥା ମନେ ପଡ଼ିଲା। କିନ୍ତୁ ସେ ଏବେ ପଛକୁ ଫେରି ପାରିଵ ନାହିଁ କାରଣ ଶିକାରୀଟିଏ ତା ପଛରେ ନର୍ଦ୍ଦୁଅଛି(ଧାଉଁଛି) । ପାଖରେ ଗୁମ୍ଫାଟିଏ ଥିଲା ତେଣୁ କଙ୍ଗାରୁ ତା ଭିତରେ ପଶି ଯାଇ ନିଜ ଜୀଵନ ବଞ୍ଚାଇଲା । ଶିକାରୀଟି ଅନେକ ସମୟ ଗୁମ୍ଫା ପାଖରେ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ସେଠାରୁ ଚାଲିଗଲାରୁ କଙ୍ଗାରୁ ମାଆଟି ଗଛ ମୂଳରେ ଶୋଇଥିଵା ତା’ ଛୁଆ ପାଖକୁ ଫେରି ଆସିଲା ‌ ‌। 

ମାଆ କଙ୍ଗାରୁ ଜାଣି ନଥିଲା ଯେ ସେହି wombat ପ୍ରକୃତରେ ଛଦ୍ମବେଶରେ ମହାନ ଭଗଵାନ ବାୟାମେ ଥିଲେ। କେଉଁ ପ୍ରାଣୀ ସବୁଠାରୁ ଦୟାଳୁ ତାହା ଜାଣିଵା ପାଇଁ ଭଗଵାନ ବାୟାମେ ସ୍ବର୍ଗରୁ ଓହ୍ଲାଇ ଆସିଥିଲେ । ବର୍ତ୍ତମାନ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ମିଳିଯାଇଥିଲା । ଭଗଵାନ ବାୟାମେ ସେହି ଦୟାଳୁ କଙ୍ଗାରୁଟିକୁ ଏକ ଉପହାର ଦେଵାକୁ ଚାହୁଁଥିଲେ ଯାହା ତା ପାଇଁ ଲାଭଦାୟକ ହୋଇପାରିଵ । ତେଣୁ ବାୟାମେ ସେହି କଙ୍ଗାରୁକୁ ଗୋଟିଏ ଥଳୀ ଦେଲେ ଯାହା ସେ ତାହାର ଅଣ୍ଟାରେ ବାନ୍ଧିଵା ମାତ୍ରେ ସେହି ଥଳୀଟି ଶରୀରର ଅଂଶ ଵିଶେଷ ହୋଇଗଲା । ବର୍ତ୍ତମାନ କଙ୍ଗାରୁ ପାଖରେ ଏକ ଥଳୀ ଥିଲା ଯେଉଁଥିରେ ସେ ନିଜ ଛୁଆକୁ ସୁରକ୍ଷିତ ରଖି ନିଜ ଦୈନନ୍ଦିନ କାର୍ଯ୍ୟ କରିପାରିଵ । ମାଆ କଙ୍ଗାରୁ ଭଗଵାନଙ୍କଠାରୁ ଉପହାର ପାଇ ବହୁତ ଖୁସି ହେଲା। କିନ୍ତୁ ସେ ଦୟାଳୁ ପ୍ରାଣୀ ହୋଇଥିଵାରୁ ଏହାକୁ କେଵଳ ନିଜ ମଧ୍ୟରେ ସୀମିତ ରଖିଵାକୁ ଚାହୁଁନଥିଲା। ତେଣୁ କଙ୍ଗାରୁଟି ତାହାର ଅନ୍ୟ ଜ୍ଞାତି କୁଟୁମ୍ବକୁ ବି ଥଳୀ ମିଳୁ ବୋଲି ଭଗଵାନ ବାୟାମେଙ୍କୁ ଅନୁରୋଧ କଲା ‌। ବାୟାମେ କଙ୍ଗାରୁର ଉଦାର ହୃଦୟ ଦେଖି ଅତି ପ୍ରସନ୍ନ ହେଲେ ତେଣୁ ସେ ଅନ୍ୟ ସମସ୍ତ ମାର୍ସୁପିଆଲ୍ ମାଆମାନଙ୍କୁ ଗୋଟିଏ ଲେଖାଁଏ ଥଳୀ ଦେଲେ । ସେବେଠାରୁ ମାର୍ସୁପିଆଲ୍‌ଙ୍କ ପାଖରେ ଥଳୀ ରହିଛି ଏଵଂ ସେଇ ଥଳୀ ମଧ୍ୟରେ ସେମାନଙ୍କ ପିଲାଏ ଵିଶ୍ରାମ କରନ୍ତି । 


ଏହି ଅଷ୍ଟ୍ରେଲୀୟ ଆଦିଵାସୀ ଲୋକକଥାଟି ନିଉ ସାଉଥ୍ ୱେଲ୍ସ‌ର କାମିଲାରୋୟ ଵା ୱିରାଧୁରୀ ଜନଜାତୀୟ ସଂସ୍କୃତିରେ ପ୍ରଚଳିତ ଥିଲା । ବାୟାମେ ଵା Byamee ଏମାନଙ୍କ ପ୍ରଧାନ ଦେଵତା ଥିଲେ । 

ତେବେ ପ୍ରକୃତରେ କଙ୍ଗାରୁ ଭଳି ମାର୍ସୁପିଆଲ୍‌ଙ୍କ ପାଖରେ ଥଳୀ କାହିଁକି ଅଛି ? 

କଙ୍ଗାରୁ ଭଳି ମାର୍ସୁପିଆଲ୍‌ଙ୍କ ଥଳୀ ସେମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦେଵା ଓ ଵିକାଶରେ ସାହାଯ୍ୟ କରିଵା ପାଇଁ ଵିଵର୍ତ୍ତିତ ଏକ ଵିଶେଷ ଶାରୀରିକ ଗଠନ। ମାର୍ସୁପିଆଲ୍‌ମାନେ (ଯଥା - କଙ୍ଗାରୁ, କୋଆଲା, ଓପୋସମ୍‌) ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ଭିନ୍ନ ପ୍ରଜନନ ପ୍ରକ୍ରିୟା ଅନୁସରଣ କରନ୍ତି। ସେମାନଙ୍କ ପିଲା ଅତ୍ୟନ୍ତ ଅପରିପକ୍ୱ ଅଵସ୍ଥାରେ ଜନ୍ମ ନିଅନ୍ତି, ପ୍ରାୟତଃ ଏକ ଭ୍ରୁଣ ପରି ଏଵଂ ଥଳୀରେ ରହି ସେମାନଙ୍କର ଶାରିରୀକ ଵିକାଶ ହୋଇଥାଏ ।

ଏହି ଥଳୀ ଅପରିପକ୍ୱ ଶିଶୁକୁ ଶିକାରୀ ଜୀଵ ଓ ପରିଵେଶ ସମ୍ବନ୍ଧୀୟ ଵାହ୍ୟ ଵିପଦଠାରୁ ସୁରକ୍ଷିତ ରଖେ । ଥଳୀରେ ଥିଵା ସ୍ତନରୁ ମାର୍ସୁପିଆଲ୍‌ ଶିଶୁ କ୍ଷୀର ପାନ କରି ବଢ଼େ। ଏହା ଶିଶୁର ଶାରୀରିକ ଵିକାଶ ପାଇଁ ଆଵଶ୍ୟକ । ଥଳୀ ଏକ ନିୟନ୍ତ୍ରିତ ପରିବେଶ ପ୍ରଦାନ କରେ ଏଵଂ ଅତ୍ୟଧିକ ଆଦ୍ର ଵା ତପ୍ତ ଵାହ୍ୟ ପରିଵେଶରୁ ରକ୍ଷା କରେ। ମା’ କଙ୍ଗାରୁ ଵା ଅନ୍ୟ ମାର୍ସୁପିଆଲ୍‌ ନିଜର ଦୈନନ୍ଦିନ କାମ କରୁଥିବା ବେଳେ ଶିଶୁ ଥଳୀରେ ନିରାପଦେ ରହିପାରେ।


ମାର୍ସୁପିଆଲ୍‌ଙ୍କ ଥଳୀର ଵିଵର୍ତ୍ତନ ପ୍ରାୟ ୧୨୫ ନିୟୁତ ଵର୍ଷ ପୂର୍ଵ ଆରମ୍ଭ ହୋଇଥିଲା, ଯେତେବେଳେ ସ୍ତନ୍ୟପାୟୀ ପ୍ରାଣୀମାନେ ମାର୍ସୁପିଆଲ୍‌ (Marsupials) ଓ ପ୍ଲାସେଣ୍ଟାଲ୍‌ (Placentals) ଏହି ଦୁଇଟି ପ୍ରମୁଖ ଶାଖାରେ ଵିଭକ୍ତ ହେଲେ ।‌ ମାର୍ସୁପିଆଲ୍‌ମାନଙ୍କର ପ୍ରଜନନ ପଦ୍ଧତି Placentals ସ୍ତନ୍ୟପାୟୀ ଜୀଵମାନଙ୍କ ଠାରୁ ଭିନ୍ନ, କାରଣ ସେମାନଙ୍କ ଶିଶୁ ଗର୍ଭାଶୟରେ କମ୍‌ ସମୟ ରହେ ଓ ଜନ୍ମ ପରେ ଥଳୀରେ ଵିକାଶିତ ହୁଏ ।

ଏହା ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ବି ସତ ଯେ 
ଆଜକୁ ପ୍ରାୟ ୧୨୫-୧୬୦ ନିୟୁତ ଵର୍ଷ ପୂର୍ଵର Cretaceous ଯୁଗରେ ମାର୍ସୁପିଆଲ୍‌ଙ୍କର ଉତ୍ପତ୍ତି ଏସିଆ ଓ ଉତ୍ତର ଆମେରିକାରେ ହୋଇଥିଲା । ଚୀନ୍‌ରେ ୧୨୫ ନିୟୁତ ଵର୍ଷ ପୁରୁଣା ପ୍ରାଚୀନତମ ମାର୍ସୁପିଆଲ ଜୀଵାଶ୍ମ ଆଵିଷ୍କୃତ ହୋଇଛି ଯାହାର ନାମ Sinodelphys szalayi ରଖାଯାଇଛି । 
ସେ ଯୁଗରେ ପ୍ରାଚୀନ ମାର୍ସୁପିଆଲ୍‌ମାନେ ଛୋଟ ମୂଷା ପରି ପ୍ରାଣୀ ଥିଲେ, ଯେଉଁମାନେ ଗଛରେ ଵା ଭୂମିରେ ଵାସ କରୁଥିଲେ । 

ମାର୍ସୁପିଆଲ୍‌ମାନେ ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ, ଵିଶେଷତଃ ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆକୁ ଗୋଣ୍ଡୱାନା ମହାଦେଶର ଭୂତାତ୍ତ୍ୱିକ ସଂଯୋଗ ମାଧ୍ୟମରେ ଚାଲି ଆସିଥିଲେ । ଗୋଣ୍ଡୱାନାରେ ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଭାରତ ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରାୟ ୧୮୦ ନିୟୁତ ଵର୍ଷ ପୂର୍ଵେ ଗୋଟିଏ Super continent ଥିଲା। ଏହି ସଂଯୋଗ ମାର୍ସୁପିଆଲ୍‌ମାନଙ୍କୁ ଵିଭିନ୍ନ ମହାଦେଶରେ ପହଞ୍ଚିଵାରେ ସାହାଯ୍ୟ କରିଥିଲା।


 ପ୍ରାୟ ୭୦-୮୦ ନିୟୁତ ଵର୍ଷ ପୂର୍ଵେ (Late Cretaceous ଵା Early Paleogene ସମୟରେ) ଯେତେବେଳେ ଆମେରିକା ମହାଦେଶଦ୍ଵୟ ପରସ୍ପର ସହିତ ସଂଯୁକ୍ତ ଥିଲା ସେତେବେଳେ ଉତ୍ତର ଆମେରିକାରୁ ମାର୍ସୁପିଆଲ୍‌ମାନେ ଦକ୍ଷିଣ ଆମେରିକାକୁ ଆସିଥିଲେ । ଉତ୍ତର ଆମେରିକାରେ ମାର୍ସୁପିଆଲ୍‌ଙ୍କ ଜୀବାଶ୍ମ, ଯେପରିକି ଡିଡେଲ୍‌ଫିଡୋନ୍‌(Didelphodon) ସୂଚାଏ ଯେ ସେମାନେ ଏହି ଅଞ୍ଚଳରେ ଵିଦ୍ୟମାନ ଥିଲେ। ଦକ୍ଷିଣ ଆମେରିକାରେ ପହଞ୍ଚିଵା ପରେ, ମାର୍ସୁପିଆଲ୍‌ମାନେ ଵିଵିଧ ପରିଵେଶରେ ଅନୁକୂଳିତ ହୋଇ ଓପୋସମ୍‌, ଶ୍ରୁ ଓପୋସମ୍‌, ଓ ମୋନିଟୋ ଡେଲ୍‌ ମଣ୍ଟେ ଭଳି ପ୍ରଜାତିରେ ଵିକଶିତ ହୋଇଥିଲେ। ଦକ୍ଷିଣ ଆମେରିକାରେ, ମାର୍ସୁପିଆଲ୍‌ମାନେ ଵିଭିନ୍ନ ଜୀଵନଶୈଳୀ (ମାଂସାଶୀ,ତୃଣଭୋଜୀ, କୀଟଭୁକ) ଅନୁକୂଳିତ ହୋଇଥିଲେ। ଉଦାହରଣ ସ୍ୱରୂପ, ଥାଇଲାକୋସ୍ମାଇଲସ୍‌ ଏକ ମାଂସାଶୀ ମାର୍ସୁପିଆଲ୍‌ ଥିଲା, ଯାହା ସାବର-ଟୁଥ୍‌ ବାଘ ପରି ଶିକାରୀ ଥିଲା।

ସେହିପରି ପ୍ରାୟ ୫୫-୮୦ ନିୟୁତ ଵର୍ଷ ପୂର୍ଵେ (Late Cretaceous ଵା Early Paleogeneସମୟରେ) ମାର୍ସୁପିଆଲ୍‌ମାନେ ଦକ୍ଷିଣ ଆମେରିକାରୁ ଆଣ୍ଟାର୍କଟିକା ମାଧ୍ୟମରେ ଅଷ୍ଟ୍ରେଲିଆକୁ ପହଞ୍ଚିଥିଲେ। ଏହି ସମୟରେ, ଗୋଣ୍ଡୱାନା ମହାଦେଶର ଅଂଶ ହିସାବରେ ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ସଂଯୁକ୍ତ ଥିଲେ, ଯାହା ମାର୍ସୁପିଆଲ୍‌ମାନଙ୍କୁ ଏକ ମହାଦେଶରୁ ଅନ୍ୟ ଏକ ମହାଦେଶକୁ ଯିଵାରେ ସାହାଯ୍ୟ କରିଥିଲା। ଆଣ୍ଟାର୍କଟିକା ସେତେବେଳେ ଉଷ୍ଣ ଓ ଜଙ୍ଗଲମୟ ଥିଲା, ଯାହା ଏକ ସେତୁ (land bridge) ଭାବେ କାମ କରିଥିଲା। ଏହି ପ୍ରଵାସ ସମ୍ଭବତଃ ଏକ ଏକକ ଘଟଣା (single dispersal event) ଥିଲା। ଆଣ୍ଟାର୍କଟିକାରେ ମାର୍ସୁପିଆଲ୍‌ ଜୀଵାଶ୍ମ (ଯେପରିକି Polydolops ଜୀଵାଶ୍ମ) ମିଳିଛି, ଯାହା ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପ୍ରଵାସ ସଂଯୋଗକୁ ସୂଚାଏ। ଅଷ୍ଟ୍ରେଲିଆରେ ପ୍ରାୟ ୫୫ ନିୟୁତ ଵର୍ଷ ପୁରୁଣା Tingamarra ଜୀଵାଶ୍ମ ମାର୍ସୁପିଆଲ୍‌ଙ୍କର ପ୍ରାଚୀନତମ ଉପସ୍ଥିତିକୁ ସ୍ପଷ୍ଟ କରିଥାଏ ।

ଅଷ୍ଟ୍ରେଲିଆରେ ପହଞ୍ଚିଵା ପରେ,ମାର୍ସୁପିଆଲ୍‌ମାନେ ପ୍ଲାସେଣ୍ଟାଲ୍‌ ସ୍ତନ୍ୟପାୟୀଙ୍କ ସହ ପ୍ରତିଯୋଗିତାର ଅଭାଵ ଯୋଗୁଁ ଵିଵିଧ ପ୍ରଜାତିରେ ଵିକଶିତ ହୋଇଥିଲେ। ଏହା କଙ୍ଗାରୁ, କୋଆଲା, ୱମ୍ବାଟ୍‌, ଟାସମାନିଆନ୍‌ ଡେଭିଲ୍‌, ନମ୍ବାଟ୍‌, ଓ ବାନ୍ଦିକୁଟ୍‌ ଭଳି ପ୍ରଜାତିଙ୍କ ଉଦ୍ଭବ ଘଟାଇଥିଲା। କିନ୍ତୁ ମାର୍ସୁପିଆଲ୍‌ମାନେ ଭାରତରେ ସେତେବେଳେ ଥିଵାର କୌଣସି ପ୍ରମାଣ ମିଳେ ନାହିଁ(ଭାରତ ବି ଅଳ୍ପ ଲକ୍ଷ ଵର୍ଷ ପାଇଁ ଆଣ୍ଟାର୍କଟିକା ଓ ଆଫ୍ରିକା ଆଦି ମହାଦେଶ ସହିତ ସଂଯୁକ୍ତ ଥିଲା) । ହୁଏତ ସେ ସମୟରେ ମାର୍ସୁପିଆଲ୍‌ମାନେ ଭାରତକୁ ମଧ୍ୟ ଆସିଥିବେ କିନ୍ତୁ ପ୍ଲାସେଣ୍ଟାଲ୍‌ ସ୍ତନ୍ୟପାୟୀଙ୍କ ସହିତ ପ୍ରତିଯୋଗିତାରେ ଵିଫଳ ହୋଇ ଲୁପ୍ତ ହୋଇଥିବେ । ତେବେ ଭାରତରେ ପ୍ରାଚୀନ ମାର୍ସୁପିଆଲ୍‌ମାନଙ୍କର କୌଣସି ଜୀଵାଶ୍ମ ମିଳିନଥିଵାରୁ ଏ ଵିଷୟରେ ସ୍ପଷ୍ଟ ରୂପେ କିଛି କୁହାଯାଇନପାରେ । କିନ୍ତୁ ଚୀନ୍‌ରେ ୧୨୫ ନିୟୁତ ଵର୍ଷ ପୁରୁଣା ପ୍ରାଚୀନତମ ମାର୍ସୁପିଆଲ ଜୀଵାଶ୍ମ Sinodelphys szalayi ମିଳିଛି ଯାହା ସୂଚାଏ ଯେ ଅତି ପ୍ରାଚୀନ କାଳରେ ଭାରତରେ ନହେଲେ ବି ଚୀନରେ ମାର୍ସୁପିଆଲ ଜୀଵ ରହୁଥିଲେ । ତେବେ ସେ ସମୟରେ ଭାରତଵର୍ଷ ଚୀନ ସହିତ ସଂଯୁକ୍ତ ହୋଇକରି ନଥିଲା ‌। ଭାରତ ବହୁତ ପରେ ପ୍ରାୟ ପଚାଶରୁ ପଞ୍ଚାବନ ମିଲିୟନ ଵର୍ଷ ପୂର୍ଵେ ଚୀନ ସହିତ ସଂଯୁକ୍ତ ହୋଇଛି । 

ତେବେ ଏସିଆ ମହାଦେଶର ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜଗୁଡ଼ିକରେ ପ୍ରାୟ ୫୫ ନିୟୁତ ବର୍ଷ ପୂର୍ଵେ ଵା ତା’ପରେ ଅଷ୍ଟ୍ରେଲିଆରୁ କିଛି ମାର୍ସୁପିଆଲ୍‌ ଆସି ପହଞ୍ଚିଥିଲେ । ମୁଖ୍ୟତଃ ପାପୁଆ ନିଉ ଗିନି ଓ ଇଣ୍ଡୋନେସିଆ ଭଳି ନିକଵବର୍ତ୍ତୀ ଏସୀୟ ଦ୍ୱୀପଗୁଡ଼ିକୁ ଅଷ୍ଟ୍ରେଲିଆରୁ ମାର୍ସୁପିଆଲମାନେ ଆସିଥିଲେ । ଏହା ସମ୍ଭଵତଃ ଦ୍ୱୀପ ଦ୍ଵୀପ ମଧ୍ୟରେ ପ୍ରଵାସ (island-hopping) ଵା ସମୁଦ୍ର ସ୍ତରରେ ପରିଵର୍ତ୍ତନ ଯୋଗୁଁ ଘଟିଥିଲା। ଏହାପରେ କସ୍କସ୍‌ (cuscus) ଓ ଟ୍ରୀ କଙ୍ଗାରୁ ଭଳି ପ୍ରଜାତି ପାପୁଆ ନିଉ ଗିନି ଓ ଇଣ୍ଡୋନେସିଆରେ ଵିକଶିତ ହୋଇଥିଲେ। ତେବେ ଏସିଆରେ ମାର୍ସୁପିଆଲ୍‌ଙ୍କ ଵିସ୍ତାର ଅତ୍ୟନ୍ତ ସୀମିତ ଏଵଂ ଵର୍ତ୍ତମାନ ମାତ୍ର କିଛି ପ୍ରଜାତି (ପ୍ରାୟ ୧-୨% ମାର୍ସୁପିଆଲ୍‌) ଏହି ଅଞ୍ଚଳରେ ଵିଦ୍ୟମାନ।

ଅଧିକାଂଶ ମାର୍ସୁପିଆଲ୍‌ (ଯେପରିକି କଙ୍ଗାରୁ, କୋଆଲା, ୱମ୍ବାଟ୍‌) ଏଵଂ ଦକ୍ଷିଣ ଆମେରିକାର ଓପୋସମ୍‌ ପ୍ରଜାତିଗୁଡ଼ିକରେ ଥଳୀ ଵିକଶିତ ହୋଇଥିଲା। ଅଷ୍ଟ୍ରେଲିଆରେ ଥଳୀର ଵିଧତା (ଉପରକୁ ଖୋଲୁଥିବା ଵା ପଛକୁ ଖୋଲୁଥିଵା ଥଳୀ) ସେମାନଙ୍କ ଵିଭିନ୍ନ ଜୀଵନଶୈଳୀ (ଦୌଡ଼ିଵା, ଗଛରେ ଚଢ଼ିଵା, ମାଟି ଖୋଳିଵା) ଆଧାରରେ ଵିଵର୍ତ୍ତିତ ହୋଇଥିଲା। କିଛି ମାର୍ସୁପିଆଲ୍‌, ଯେପରିକି ମୋନିଟୋ ଡେଲ୍‌ ମଣ୍ଟେ (ଦକ୍ଷିଣ ଆମେରିକା), ନମ୍ବାଟ୍‌, ଓ ମାର୍ସୁପିଆଲ୍‌ ମୋଲ୍‌ (ଅଷ୍ଟ୍ରେଲିଆ), ଥଳୀ ଵିନା ଵିକଶିତ ହୋଇଥିଲେ, ଯାହା ସେମାନଙ୍କର ତତ୍କାଳୀନ ପରିଵେଶ (ଯେପରିକି ମରୁଭୂମି ଵା ମାଟି ଖୋଳାଳି) ଅନୁକୂଳନର ଫଳାଫଳ ଅଟେ ।

ମୋଟ ଉପରେ କହିଵାକୁ ଗଲେ ଥଳୀ ମାର୍ସୁପିଆଲ୍‌ଙ୍କ ପାଇଁ ଏକ ଵିଵର୍ତ୍ତନୀୟ ଅନୁକୂଳନ, ଯାହା ଅପରିପକ୍ୱ ଶିଶୁଙ୍କୁ ସୁରକ୍ଷା, ପୁଷ୍ଟି ଓ ଉଷ୍ଣତା ପ୍ରଦାନ କରେ। ଏହାର ଵିକାଶ ମୂଳତଃ ମାର୍ସୁପିଆଲ୍‌ଙ୍କ ଅନନ୍ୟ ପ୍ରଜନନ ରଣନୀତି ଓ ପରିବେଶ ଅନୁକୂଳନ ସହ ଜଡ଼ିତ। ଏହା ସେମାନଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ସଫଳତାର ସହିତ ବଂଶ ଵିସ୍ତାର କରିଵାରେ ସାହାଯ୍ୟ କରିଛି।

ଅଷ୍ଟ୍ରେଲିଆର ଆଦିବାସୀ ଜନଜାତିମାନେ (Aboriginal Australians) ହଜାର ହଜାର ବର୍ଷ ଧରି କଙ୍ଗାରୁ ଆଦି ମାର୍ସୁପିଆଲମାନଙ୍କ ସହିତ ସହଅଵସ୍ଥାନ କରିଆସୁଛନ୍ତି। ସେମାନେ କଙ୍ଗାରୁଙ୍କୁ ଖାଦ୍ୟ, ଚର୍ମ ଓ ହାଡ଼ ପାଇଁ ଵ୍ୟଵହାର କରୁଥିଲେ। କଙ୍ଗାରୁ ସେମାନଙ୍କ ପୁରାଣ, କାହାଣୀ ଓ ଶିଳ୍ପରେ (ଯେପରି ଶିଳାଚିତ୍ର) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଉଥିଲା।

୧୭୭୦ ମସିହାରେ ବ୍ରିଟିଶ ଅନୁସନ୍ଧାନକାରୀ କ୍ୟାପଟେନ ଜେମ୍ସ କୁକ ଓ ତାଙ୍କ ଦଳ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ କଙ୍ଗାରୁ ଦେଖିଥିଲେ ଏବଂ ଏହାର ଅଜଣା ରୂପ ଓ ଚଳନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କୁକଙ୍କ ଦଳର ଜଣେ ପ୍ରକୃତିଵିଦ୍ ସାର୍ ଜୋସେଫ୍ ବ୍ୟାଙ୍କସ୍ ଏହାର ଵୈଜ୍ଞାନିକ ଵିଵରଣ ଲିପିଵଦ୍ଧ କରିଥିଲେ। ଏହା ପରେ ୟୁରୋପୀୟ ଵୈଜ୍ଞାନିକ ଓ ଜନସାଧାରଣଙ୍କ ମଧ୍ୟରେ କଙ୍ଗାରୁ ପରିଚିତ ହେଲା।

ଏହି ସମୟରେ କଙ୍ଗାରୁ ଜୀଵର କଙ୍ଗାରୁ ନାମକୁ ନେଇ ଏକ ଶବ୍ଦ ଵ୍ୟୁତ୍ପତ୍ତିଗତ ଭ୍ରାନ୍ତି ଲୋକପ୍ରିୟ ହେଲା ଯେ "କଙ୍ଗାରୁ" ଶବ୍ଦଟି ଅଷ୍ଟ୍ରେଲୀୟ ଆଦିଵାସୀ ଭାଷାରୁ ଆସିଛି ଏଵଂ ଏହାର ଅର୍ଥ ହେଉଛି "ମୁଁ ଜାଣେ ନାହିଁ"। ଏହି ଭ୍ରାନ୍ତିର ମୂଳ ଏକ ରୋଚକ ଅନୁମାନଭିତ୍ତିକ କାହାଣୀ ଅଟେ। କୁହାଯାଏ ଯେ ୧୭୭୦ ମସିହାରେ ଯେତେବେଳେ ବ୍ରିଟିଶ ଅନୁସନ୍ଧାନକାରୀ କ୍ୟାପଟେନ ଜେମ୍ସ କୁକ୍ ଅଷ୍ଟ୍ରେଲିଆର ଉତ୍ତର-ପୂର୍ଵ ଉପକୂଳରେ ଜାହାଜ ମରାମତି ପାଇଁ ଅଵତରଣ କରିଥିଲେ, ସେତେବେଳେ ସେ ଏକ ଅଜଣା ପ୍ରାଣୀ (କଙ୍ଗାରୁ) ଦେଖି ସ୍ଥାନୀୟ ଆଦିଵାସୀଙ୍କୁ ଏହାର ନାମ ପଚାରିଥିଲେ। କୁକ୍‌ଙ୍କ ଇଂରାଜୀ ପ୍ରଶ୍ନ ବୁଝି ନ ପାରି ସ୍ଥାନୀୟ ଲୋକେ କଥିତ ରୂପେ ଉତ୍ତର ଦେଇଥିଲେ "କଙ୍ଗାରୁ", ଯାହାର ଅର୍ଥ ଥିଲା "ମୁଁ ଜାଣେ ନାହିଁ"। ଏହି କାହାଣୀ ଏକ ମିଥକ ଭାବେ ଵିଶ୍ୱଵ୍ୟାପୀ ପ୍ରଚାରିତ ହେଲା, ଯାହା ଭାଷାଗତ ଭୁଲ୍ ବୋଧ ଓ ସାଂସ୍କୃତିକ ଅଜ୍ଞତାର ଏକ ହାସ୍ୟାସ୍ପଦ ଉଦାହରଣ ହେଲା।

ଏହି ଭ୍ରାନ୍ତି ଆହୁରି ଲୋକପ୍ରିୟ ହେଲା ୧୮୨୦ ମସିହାରେ, ଯେତେବେଳେ ଅନ୍ୟ ଜଣେ ବ୍ରିଟିଶ ଅଧିକାରୀ, କ୍ୟାପଟେନ ଫିଲିପ କେ. କିଙ୍ଗ୍, କଙ୍ଗାରୁ ପାଇଁ ଏକ ଭିନ୍ନ ଶବ୍ଦ "ମୀ-ନୁଆହ" (mee-nuah) ରେକର୍ଡ କରିଥିଲେ। ଦେଖାଗଲା ଯେ କୁକ୍‌ଙ୍କ ରେକର୍ଡ ଭୁଲ ଥିଲା ଏଵଂ "କଙ୍ଗାରୁ" ଶବ୍ଦଟି ଆଦିଵାସୀଙ୍କର "ମୁଁ ଜାଣେ ନାହିଁ" ଉତ୍ତରର ଏକ ଭୁଲ ଅନୁଵାଦ ଥିଲା। କିନ୍ତୁ ଏହି ଅନୁମାନ ଦୀର୍ଘ ଦିନ ଧରି ଲୋକଙ୍କ ମନରେ ରହିଗଲା, ଯାହା ଏକ ରୋଚକ କିନ୍ତୁ ଅସତ୍ୟ କାହାଣୀ ଭାବେ ପ୍ରଚାର ପାଇଲା।

ତେବେ ଆଧୁନିକ ଭାଷାଵିଜ୍ଞାନ ସମ୍ବନ୍ଧୀୟ ଗଵେଷଣା ଏହି ଭ୍ରାନ୍ତିକୁ ଖଣ୍ଡନ କରିଛି ଏଵଂ "କଙ୍ଗାରୁ" ଶବ୍ଦର ପ୍ରକୃତ ଉତ୍ସ ପ୍ରକାଶ କରିଛି। ସମ୍ପ୍ରତି ଭାଷାଵିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିଵା ଅନୁସନ୍ଧାନରୁ ଜଣାପଡ଼ିଛି ଯେ "କଙ୍ଗାରୁ" ଶବ୍ଦଟି ଅଷ୍ଟ୍ରେଲିଆର ଉତ୍ତର-ପୂର୍ଵାଞ୍ଚଳର ଗୁଗୁ ୟିମିଧିର୍ର (Guugu Yimidhirr) ନାମକ ଆଦିଵାସୀ ଭାଷାରୁ ଆସିଛି। ଏହି ଭାଷାରେ "ଗାଙ୍ଗୁର୍ରୁ" (gangurru) ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ପ୍ରଜାତିର କଙ୍ଗାରୁ (ସମ୍ଭଵତଃ ଧୂସର କଙ୍ଗାରୁ)କୁ ସୂଚାଇଥାଏ। ଯେତେବେଳେ କ୍ୟାପଟେନ କୁକ୍ ଏଵଂ ତାଙ୍କ ଦଳ ୧୭୭୦ ମସିହାରେ ଗୁଗୁ ୟିମିଧିର୍ର ଲୋକଙ୍କ ସହ ସାକ୍ଷାତ କରିଥିଲେ, ସେମାନେ ଏହି ଶବ୍ଦଟିକୁ "କଙ୍ଗାରୁ" ଭାବେ ରେକର୍ଡ କରିଥିଲେ, ଯାହା ଇଂରାଜୀ ଉଚ୍ଚାରଣରେ କିଛି ପରିମାଣରେ ପରିଵର୍ତ୍ତିତ ହୋଇଥିଲା। 

ଅନ୍ୟପକ୍ଷରେ, କ୍ୟାପଟେନ କିଙ୍ଗଙ୍କ ରେକର୍ଡ କରିଥିବା "ମୀ-ନୁଆହ" ଶବ୍ଦଟି ଗୁଗୁ ୟିମିଧିର୍ର ଭାଷାର "ମିନ୍ହା" (minha) ଶବ୍ଦ ମୂଳର ହୋଇପାରେ, ଯାହାର ଅର୍ଥ "ଖାଦ୍ୟ ପାଇଁ ଉପଯୁକ୍ତ ପ୍ରାଣୀ" (edible animal)।ଭାଷାଗତ ଅଜ୍ଞତା ଓ ସାଂସ୍କୃତିକ ଅନ୍ତର ହେତୁ ପ୍ରାରମ୍ଭିକ ୟୁରୋପୀୟ ଅନୁସନ୍ଧାନୀମାନେ ଅଷ୍ଟ୍ରେଲୀୟ ଆଦିଵାସୀ ଶବ୍ଦଗୁଡ଼ିକର ଅର୍ଥ ଓ ଉଚ୍ଚାରଣକୁ ଭୁଲ ବୁଝିଥିଲେ। ତେଣୁ, "କଙ୍ଗାରୁ" ଶବ୍ଦଟି "ମୁଁ ଜାଣେ ନାହିଁ" ନୁହେଁ ଵରଂ ଗୁଗୁ ୟିମିଧିର୍ର ଭାଷାରୁ ଉଦ୍ଭୂତ ଏକ ନିର୍ଦ୍ଦିଷ୍ଟ ପ୍ରାଣୀ(ଧୂସର ରଙ୍ଗର କଙ୍ଗାରୁ)ର ନାମ ଅଟେ।

ସେ ଯାହାହେଉ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ୟୁରୋପୀୟ ଵୈଜ୍ଞାନିକମାନେ କଙ୍ଗାରୁଙ୍କୁ ମାର୍ସୁପିଆଲ (Marsupial) ଶ୍ରେଣୀରେ ରଖିଥିଲେ। ଏହାର ଥଳିରେ ଶାଵକ ରଖିଵାର ଅନନ୍ୟ ଵୈଶିଷ୍ଟ୍ୟ ଵିଶ୍ୱଵ୍ୟାପୀ ଆଗ୍ରହ ସୃଷ୍ଟି କରିଥିଲା। କଙ୍ଗାରୁଙ୍କୁ ୟୁରୋପର ପ୍ରାଣୀ ଉଦ୍ୟାନ (Zoos) ଓ ପ୍ରଦର୍ଶନୀରେ ନିଆଯାଇଥିଲା, ଯାହା ସାଧାରଣ ଲୋକଙ୍କୁ ଏହା ସହ ପରିଚିତ କରାଇଥିଲା।

ବିଂଶ ଶତାବ୍ଦୀରେ, କଙ୍ଗାରୁ ଅଷ୍ଟ୍ରେଲିଆର ସାଂସ୍କୃତିକ ଓ ଜାତୀୟ ପ୍ରତୀକ ହୋଇଗଲା। ଏହା ଅଷ୍ଟ୍ରେଲିଆର ମୁଦ୍ରା, ଲୋଗୋ ଓ କ୍ରୀଡ଼ା ଦଳରେ (ଯଥା : ଅଷ୍ଟ୍ରେଲିଆନ ରଗବି ଟିମ “Kangaroos”) ସ୍ଥାନ ପାଇଥିଲା। ଚଳଚ୍ଚିତ୍ର, ଟେଲିଭିଜନ, ପର୍ଯ୍ୟଟନ ଓ ପୁସ୍ତକ ମାଧ୍ୟମରେ କଙ୍ଗାରୁ ଵିଶ୍ୱଵ୍ୟାପୀ ଜନପ୍ରିୟ ହେଲା । ଅଷ୍ଟ୍ରେଲିଆ ଭ୍ରମଣ କରୁଥିଵା ପର୍ଯ୍ୟଟକମାନେ କଙ୍ଗାରୁଙ୍କୁ ଦେଖିଵା ପାଇଁ ଆଗ୍ରହୀ ହୁଅନ୍ତି, ଯାହା ଏହାର ଵିଶ୍ୱଵ୍ୟାପୀ ପରିଚିତିକୁ ଆହୁରି ବଢ଼ାଇଛି।


ନୀଳାମ୍ବର ରାୟସିଂହ ଭ୍ରମରବର: ଢେଙ୍କାନାଳର ଜଣେ ସ୍ମରଣୀୟ ଶାସକ

ଓଡ଼ିଶାର ଐତିହାସିକ ମାଟିରେ ଅନେକ ମହାନ ଵ୍ୟକ୍ତିତ୍ୱ ଜନ୍ମ ହୋଇଛନ୍ତି ଏଵଂ ବିଭିନ୍ନ କ୍ଷେତ୍ରରେ ଅଵିସ୍ମରଣୀୟ ଅବଦାନ ରଖିଛନ୍ତି। ଏ ମାଟିରେ ଅନେକ ନୀଳାମ୍ବର ଜନ୍ମ ଲଭିଛ...