ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ
ମନ୍ତ୍ର―ପୂତ―ଅନଳ ଭେଦି ଏ ଜାତି ଯେଦିନ ଦେଲାରେ ଲମ୍ଫ
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ରହିଲା ମୁଗ୍ଧ―ଚକ୍ଷେ ।
ଚୂର୍ଣ୍ଣ କିରଣ ଶୈଳ―ଶିଖର ମନ୍ଥି କରାଳ―ଅତଳ―ସିନ୍ଧୁ
ଵିଶ୍ଵ―ଵିଜୟ କରିଲା ଯେ ଦିନ ଝଞ୍ଜା―ସମାନ ପ୍ରଵଳ ହିନ୍ଦୁ;
ଅରାତି ରକ୍ତେ ରଞ୍ଜି ଖଡଗ ସ୍ଥାପିଣ ଯେ ଦିନ ଧର୍ମ―ରାଜ୍ୟ
ବୁହାଇ ତପ୍ତ―ଶୋଣିତ―ଧାରା ଅଵନି―ଭରା ରହିଲା ଆର୍ଯ୍ୟ;
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା ମୁଗ୍ଧ―ଚକ୍ଷେ ।
ଭୈରଵ―ରବେ ହୁଙ୍କାର ଛାଡ଼ି ଟଳାଇ ମେରୁ କିରଣ ଦମ୍ଭ
ସପ୍ତ―ସାଗର―ପ୍ରାନ୍ତେ ଏ ଜାତି ପୋତି ଯେ ଦିନ କୀରତି ସ୍ତମ୍ଭ;
ଵିରାଟ―ଧ୍ଵଂସ―ପୁଞ୍ଜ ଉପରେ ଵିରଚି ନିତ୍ଯ―ନୂତନ―ସୃଷ୍ଟି
ଯେଦିନ ଏ ଜାତି ଚରମ―ସତ୍ୟ ଦେଖିଲା ଲଗାଇ ପରମ ଦୃଷ୍ଟି;
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା ମୁଗ୍ଧ―ଚକ୍ଷେ ।
【ଏକ ପୁସ୍ତକରୁ ସଂଗୃହୀତ ©କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତାର ନାମୋଲ୍ଲେଖ ସେଠାରେ ହୋଇନାହିଁ】
No comments:
Post a Comment