ହିମାଳୟ ପର୍ଵତମାଳାର ଉତ୍ତରପାର୍ଶ୍ଵରେ ବୃକ୍ଷରାଜିରେ ଭରା ଏକ ରମଣୀୟ ସ୍ଥାନ । ପାଖ ପର୍ଵତର କେତେକ ଗୁମ୍ଫାମାନଙ୍କରେ ଧୋବଧୋବଲିଆ ଆଦିମାନଵମାନେ ଵସଵାସ କରନ୍ତି । ପାହାଡ଼ ପାଖ ଜଙ୍ଗଲରୁ ଫଳମୂଳ ସଂଗ୍ରହ ଓ ଶିକାର ନାଆଁରେ ଠେକୁଆ ଭଳି ଛୋଟମୋଟ ଜୀଵ ଧରି ଗୁମ୍ଫା ମଧ୍ୟକୁ ଫେରିଵା ଏହା ହିଁ ସେମାନଙ୍କର ନିତ୍ୟ ନୈମିତ୍ତିକ ଵୃତ୍ତି ହୋଇଯାଇଥାଏ । ତାଙ୍କ ପାଖରେ କିଛି ଚମରୀ ଗାଈ ଆଉ କେତେଗୋଟି ଗୃହପାଳିତ ଶ୍ଵାନ ଥିଲେ । ସେମାନେ ଵସ୍ତ୍ର ଓ ଖାଦ୍ୟ ପାଇଁ ଚମରୀ ଗାଈଙ୍କୁ ପାଳୁଥିଵାଵେଳେ ନିଜ ଲୋକଙ୍କୁ ହିଂସ୍ର ଵନ୍ୟଜନ୍ତୁଙ୍କଠାରୁ ରକ୍ଷା କରିଵା ପାଇଁ ଲମ୍ବାଳିଆ ଶ୍ଵାନ ପାଳିଥିଲେ ।
ତେବେ ଗୋଟିଏ ଜାତିର ଜୀଵ ତାଙ୍କର ପ୍ରତ୍ୟେକ ଦିନ କିଛି ନା କିଛି କ୍ଷତି ଘଟାଉଥିଲେ । ସେମାନେ ଵିଲେଇ ବଂଶର ଜୀଵ ଥିଲେ ଏଵଂ ଭିନ୍ନ ଭିନ୍ନ ରଙ୍ଗ ରୂପ ଓ ଆକାରର ହୋଇଥିଲେ ହେଁ ସବୁବେଳେ ଦଳବଦ୍ଧ ହୋଇ ଶିକାର କରୁଥିଲେ । ଛୋଟ ଆକାରର ବିଲେଇମାନଙ୍କୁ ତଥ୍ୟ ସଂଗ୍ରାହକର କାର୍ଯ୍ୟ ମିଳିଥିଲା । ସେମାନେ ଆକାରରେ ସାନ ହୋଇଥିଵାରୁ ଯେକୌଣସି ଛୋଟ କଣା ବାଟ ଦେଇ ଯାଇପାରୁଥିଲେ । ଗାତ ତଥା ଗୁମ୍ଫା ମଧ୍ୟରେ ଜୀଵଙ୍କୁ ଠାଵ କଲା ଉତ୍ତାରୁ ଅନ୍ୟ ବଡ଼ ବିଲେଇମାନଙ୍କୁ ମିଆଁଉ ମିଆଁଉ ଶବ୍ଦ କରି ଈଶାରାରେ ଡାକୁଥିଲେ ।
ମଧ୍ୟ ଆକାରର ବିଲେଇମାନେ ଭଲ ଦୌଡ଼ି ପାରୁଥିଲେ ସେମାନେ ପ୍ରଥମେ ଆକ୍ରମଣ କରି ଶିକାରଜୀଵମାନଙ୍କୁ ଦୌଡା଼ଇ ଦୌଡା଼ଇ ନୟାନ୍ତ ଓ ନିର୍ଵଳ କରିଦେଲାପରେ ବଡ଼ ଆକାରର ବିଲେଇମାନେ ସେମାନଙ୍କ ଉପରେ ଶେଷ ଆକ୍ରମଣ କରି ମାରିଦେଉଥିଲେ । ଏଇଭଳି ଭାବେ ବିଲେଇ ବଂଶର ଜୀଵମାନେ ସଫଳ ଶିକାରୀ ଭାବେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ଏକପ୍ରକାର ଏକାଧିପତ୍ୟ ଶାସନ ଚଳାଇଥାନ୍ତି । ସେମାନଙ୍କ ମଧ୍ୟରେ ଏକତା ଥିଲା,ଏସିଆ ମହାଦେଶରେ ଖାଦ୍ୟ ବି ପ୍ରଚୁର ପରିମାଣରେ ଭରି ରହିଥିଲା ।
ସେ ଯୁଗରେ ଆଦିମାନଵମାନେ ଗୁମ୍ଫାରୁ ସେତେ ପଦାକୁ ବାହାରୁ ନଥିଲେ । ମାନଵ ସଭ୍ୟତା କହିଲେ କେଵଳ ପାର୍ଵତ୍ଯର ଜୀଵନଚର୍ଯ୍ୟାକୁ ବୁଝାଯାଉଥିଲା । ବିଲେଇ ବଂଶର ଜୀଵମାନେ ମାନଵମାନଙ୍କର ପ୍ରତ୍ୟହ କଛି ନା କିଛି କ୍ଷତି କରୁଥାନ୍ତି । କୋଉ ଦିନ ବିଲେଇଙ୍କ ହାବୁଡ଼ରେ ପଡ଼ି ମନୁଷ୍ୟ ମାରୁଥାନ୍ତି ତ ଆଉ କୋଉ ଦିନ ତାଙ୍କର ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡ଼ନ୍ତି । ମନୁଷ୍ୟମାନେ ବିଲେଇଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଯାଇଥିଲେ କିନ୍ତୁ ସେମାନଙ୍କୁ କେମିତି କିପରି କେଉଁ ଉପାୟରେ ସାବାଡ଼ କରିବେ ସେ ଵିଷୟରେ ଚିନ୍ତା କରିଵା ଛାଡ଼ି ନଥାନ୍ତି ।
ମାନଵମାନେ ସେତେବେଳେ ଅଗ୍ନିକୁ ଛାଡ଼ି ଦେଲେ ଅନ୍ୟ କୌଣସି ତତ୍ତ୍ଵର ଆଵିଷ୍କାର କରିନଥାନ୍ତି କି କୌଣସି ଆଖିଦୃଶିଆ ଦ୍ରଵ୍ଯର ଉଦ୍ଭାଵନ ମଧ୍ୟ ହୋଇନଥାଏ । ଅଦ୍ୟପି ଅନ୍ୟ ଜୀଵଙ୍କ ଅପେକ୍ଷା ମାନଵମାନେ ଅଧିକ ବୁଦ୍ଧିଆ ଓ ଉଦ୍ୟମୀ ଥିଲେ । ସେମାନେ ବିଲେଇମାନଙ୍କୁ କାବୁ କରିଵା ହେତୁକ ଅନେକ ଉପାୟ ପାଞ୍ଚିଲେ । ବିଲେଇଙ୍କୁ ଅଗ୍ନି ଦେଖେଇ ଡରେଇଵାଠାରୁ ଟେକା ବୋଲୁଅ କଚି ମାରିଵା ଯାଏଁ ଅନେକ ଉପାୟ ଵିଷୟରେ ଚିନ୍ତା ଚିନ୍ତନର ଲମ୍ବା ଚଉଡ଼ା ପର୍ଵ ଚାଲିଲା ।
ଥରେ ଜନୈକ ଆଦିମାନଵର ମୁଣ୍ଡକୁ ଗୋଟାଏ ଉପାୟ ଯୁଟିଲା । ସେ ସଭା ମଧ୍ୟକୁ ଦୁଇଗୋଟି ଶ୍ଵାନ ଅଣେଇ ଉଭୟଙ୍କ ସମ୍ମୁଖରେ ଖଣ୍ଡିଏ ମାଂସ ପକେଇ ଦେଲା । ମାଂସ ପାଇଵାକୁ ଉଭୟ ଶ୍ଵାନ ପରସ୍ପରକୁ କାମୁଡ଼ି ଗୋଡେ଼ଇଲେ । ଆଦିମାନଵଟା ଏହା ଦେଖେଇ ସବୁ ମାନଵଙ୍କୁ କହିଲା
“ଭାଇମାନେ ଵର୍ଷକୁ ଏକ ସମୟରେ ଭୀଷଣ ଶୀତ ହୁଏ ସେ ସମୟରେ ଗୋଟିଏ ଛୋଟ ଆକାରର ବିଲେଇ ଆମ ଗୁମ୍ଫା ଭିତରେ ପଶିଲା ପରେ ଆମର ସର୍ଵନାଶ ହେଵା ଆରମ୍ଭ ହୁଏ । ଆମେ ତାକୁ ଅନ୍ଧଵିଶ୍ଵାସୀ ଭଳି ଅଶୁଭ ଵିଚାର କରି ଆସିଛନ୍ତି କିନ୍ତୁ ମୁଁ ବହୁତ ଵର୍ଷ ହେଵ ଏହାର କାରଣ ସମ୍ବନ୍ଧରେ ଅନୁସନ୍ଧାନ ଚଳାଇଥିଲି ଏଵଂ ଯାହା ଜଣାପଡୁଛି ଏହି ଛୋଟ ଆକାରର ବିଲେଇମାନେ ପ୍ରକୃତରେ ଗୋଟେ ଗୋଟେ ଗୁପ୍ତଚର । ଆମେମାନେ ଯଦି ଏମାନଙ୍କୁ କାବୁ କରିନେଵା ତେବେ ଆମ ଗୁମ୍ପାର ଠାବ ବଡ଼ ଆକାରର ବିଲେଇମାନେ ଆଦୌ ପାଇ ପାରିଵେ ନାହିଁ”
ଅନେକ ମାନଵ ଉକ୍ତ ଵ୍ୟକ୍ତିର କଥା ଶୁଣି ନୂଆ କଥା ଜାଣିଲା ପରି ଆଶ୍ଚର୍ଯ୍ୟ ହେଲେ । ଆଉ କିଛି ଲୋକ ତା କଥା ଶୁଣି ମୂର୍ଖ ଭଳି ହସିଲେ । ଜଣେ ଥଟ୍ଟାରେ କହିଲା ଠିକ୍ ଯେ ସେଇ ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିଵ ? ଅର୍ଥାତ୍ ଉକ୍ତ ଛୋଟ ଜାତୀୟ ବିଲେଇକୁ କାବୁ କିପରି କରିଵା ?
ବୁଦ୍ଧିଆ ଲୋକଟି ଏହାର ଉତ୍ତରରେ କହିଲା “ ବହୁତ ସହଜ ! ଶୀତ ଦିନ ଆସିଲେ ଆମେ ସେଭଳି ଛୋଟ ଆକାରର ବିଲେଇଙ୍କୁ ଧରି ତାଙ୍କୁ କେତେ ଦିନ ବାନ୍ଧି ରଖିଵା ଓ ମାଂସ ଖାଇଵାକୁ ଦେଵା ଯଦ୍ଵାରା ସେ ଆମ ପୋଷା ମାନି ଆଉ ବଡ଼ ବିଲେଇଙ୍କ ପାଖକୁ ଯିଵ ନାହିଁ ଫଳତଃ ଆମେ ସୁରକ୍ଷିତ ରହିଯିଵା ।”
ସମସ୍ତେ ସେଇଭଳି କଲେ । ଶୀତ ଦିନ ଆସିଲା । କେତୋଟି ଛୋଟ ବିଲେଇ ଧରା ହେଲେ । ସେମାନଙ୍କୁ ମନୁଷ୍ୟମାନେ ପୋଡ଼ା ମାଉଁସ ଖାଇଵାକୁ ଦେଲେ । କେହି କେହି ଶାକାହାରୀ ମାନଵ ମାଂସ ନଦେଇ ବିଲେଇମାନଙ୍କୁ ଚମରୀ ଗାଈଙ୍କ ଦୁଗ୍ଧ ପିଇଵାକୁ ଦେଲେ ।
ଏଣିକି ସେହି ଛୋଟ ଆକାରର ବିଲେଇମାନେ ଆଉ ଜଙ୍ଗଲକୁ ନଯାଇ ମଣିଷଙ୍କ ସହିତ ରହିଵାକୁ ଲାଗିଲେ ।
(ଵିଦ୍ର:- ଛୋଟ ବିଲେଇମାନେ ଜଙ୍ଗଲକୁ ନଗଲାରୁ ବଡ଼ ବିଲେଇଙ୍କର ହଠାତ୍ କୌଣସି କ୍ଷତି ହେଲା ନାହିଁ ସତ ମାତ୍ର ସେମାନେ ସେତେବେଳେ ଜାଣିନଥିଲେ ଯେ ଏଇ ମାନଵଙ୍କ ଯୋଗୁଁ ଦିନେ ତାଙ୍କ ମାର୍ଜାର ବଂଶର ଵିରାଡି଼କୁ ଛାଡ଼ି ବାଘ,ହେଟା,ସିଂହ, କଲରାପତରିଆ ,ଚିତା ଓ ପୁମା ଆଦି ସମସ୍ତ ଜାତୀୟ ଜୀଵ ଲୋପ ହେଵା ସ୍ଥିତିରେ ପହଞ୍ଚିଯିଵେ । ସାନ ଵିଲେଇମାନେ କେବେ ବି ଏକଥା ହୃଦୟଙ୍ଗମ କରି ପାରିଵେ ନାହିଁ କି କରିନାହାନ୍ତି । ସେମାନଙ୍କ ଜାତି ସୁରକ୍ଷିତ ତେଣିକି ତାଙ୍କ ବଂଶର ଅନ୍ୟ ଜାତିର ଜୀଵ ମରନ୍ତୁ ତାଙ୍କର ଵା କ'ଣ ଯାଉଛି ସେମାନେ ଚିନ୍ତା କରିଵେ ? ଆମ ଓଡ଼ିଶାରେ ମଧ୍ୟ ଏହି ଛୋଟ ବିଲେଇଙ୍କ ପରି କିଛି ଲୋକ ଅଛନ୍ତି ଯୋଉମାନେ ନିଜର ମଧୁବାବୁଙ୍କ ପରି ନାମ ପ୍ରତିଷ୍ଠା ଓ ଶାସକ ହେଵା ଲୋଭରେ ଓଡ଼ିଆ ଜାତି ଓ ଭାଷା ମାତୃକାର କ୍ଷତି କରିଵାକୁ ପଶ୍ଚାତପଦ ହେଉନାହାନ୍ତି । ମାତ୍ର ଏକଥା କକ୍ଷରେ ଅକ୍ଷରେ ସତ ଯେ ଯେଉଁଦିନ ବାଘ ସିଂହ ପରି ବିଲେଇ ଜାତୀୟ ଵନ୍ୟ ଜୀଵ ସମ୍ପୂର୍ଣ୍ଣ ଲୁପ୍ତ ହୋଇଯିଵେ ସେଦିନଠାରୁ ମାନଵ ସଭ୍ୟତା ଅନ୍ତର କାହାଣୀ ମଧ୍ୟ ଆରମ୍ଭ ହୋଇଯିଵ ଏଵଂ ମାନଵଙ୍କ ସହିତ ମରି ହଜି ଯିଵେ ତାଙ୍କ ସ୍ଵାର୍ଥପର ସେଇ ଛୋଟ ବିଲେଇ ମାନେ... )
No comments:
Post a Comment