ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ ରୀତି ସହିତ ମିଶି ନୂତନ ରୂପ ଧାରଣ କରେ। ଏହାର ଏକ ସ୍ପଷ୍ଟ ଉଦାହରଣ “ଜିନିସ୍” ଶବ୍ଦର “ଜିନିଷ୍”ରେ ପରିଣତ ହେଵା ଅଟେ । ଏହା କେଵଳ ଏକ ସାଧାରଣ ଵ୍ୟଵହାର ନୁହେଁ ଵରଂ ଓଡ଼ିଆ ଭାଷାର ଐତିହାସିକ ଧ୍ୱନି ପରିଵର୍ତ୍ତନ, ସ୍ୱର ପ୍ରଭାବ ଓ sibilant ଧ୍ୱନିର ଅନୁକୂଳନର ଏକ ମନୋରଞ୍ଜକ ଉଦାହରଣ।
“ଜିନିଷ ଵା ଜିନିସ୍” ଶବ୍ଦଟି ମୂଳତଃ ଆରବୀ “jins” (جنس) ଓ ପାର୍ସୀ “jins” ରୁ ଆସିଛି ।
ମୂଳ ଆରବୀର جِنْس (jins) ଶବ୍ଦର ଅର୍ଥ ଥିଲା ପ୍ରକାର,କିସମ ଏଵଂ جِنْسِيَّة (jinsiyya)ର ଅର୍ଥ ଥିଲା ଜାତୀୟତା । କିନ୍ତୁ ଏହି ଶବ୍ଦଟି ମୂଳତଃ ଆରବୀ ଶବ୍ଦ ନଥିଲା । ଏହା ପ୍ରାଚୀନ Syriac ܓܸܢܣܵܐ (gensā) ଶବ୍ଦରୁ ଆରବୀ ଭାଷାରେ ପ୍ରଚଳିତ ହୋଇଥିଲା । ସେହିପରି Syriac ܓܸܢܣܵܐ (gensā) ଶବ୍ଦଟି ପ୍ରାଚୀନ ଗ୍ରୀକ୍
γένος (génos) ସହିତ ସମ୍ବନ୍ଧିତ ବୋଲି ଭାଷାଵିଦମାନେ ମତ ଦିଅନ୍ତି । ଏହି ମୂଳ ଗ୍ରୀକ୍ ଶବ୍ଦର ପ୍ରାକ୍ ଭାରୋପୀୟ ଶବ୍ଦରୂପ *ǵénh₁os (“race, lineage”) ନିର୍ଣ୍ଣୟ କରାଯାଇଛି । ଏ ଦୃଷ୍ଟିରୁ ଜିନିଷ ଶବ୍ଦ ସହିତ ସଂସ୍କୃତ ଜନ ଓ ଜନସ୍(Race) ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି ।
ତେବେ ଆରବୀ “jins” (جنس) ଶବ୍ଦଟି ପାର୍ସୀ ଭାଷା ମାଧ୍ୟମରେ ଭାରତକୁ ପ୍ରଵେଶ କରିଥିଲା।
ମଧ୍ୟଯୁଗରେ ଆରବୀ ଓ ପାର୍ସୀ ଭାଷା ଭାରତରେ ଵ୍ୟାପାର ଓ ପ୍ରଶାସନ ମାଧ୍ୟମରେ ଵ୍ୟାପକ ଭାବେ ପ୍ରଚଳିତ ହୋଇଥିଲା। ଵ୍ୟଵସାୟୀମାନେ ସେମାନଙ୍କର ଵ୍ୟାପାର କାର୍ଯ୍ୟରେ “jins” ଶବ୍ଦଟିକୁ ଵିଭିନ୍ନ ପ୍ରକାରର ସାମଗ୍ରୀ ବୁଝାଇଵା ପାଇଁ ଵ୍ୟଵହାର କରୁଥିଲେ। ଯେପରି, କୌଣସି ଵ୍ୟାପାରୀ କହୁଥିଲେ—“ମୋ ପାଖରେ ଵିଭିନ୍ନ jins ଅଛି”—ତାହାର ଅର୍ଥ ହେଉଥିଲା ସେଠାରେ ଅନେକ ପ୍ରକାରର ସାମଗ୍ରୀ ଉପଲବ୍ଧ ଅଛି। ଏଠାରୁ ଧୀରେ ଧୀରେ ଅର୍ଥରେ ଏକ ସୂକ୍ଷ୍ମ ପରିଵର୍ତ୍ତନ ଘଟିଲା। ପ୍ରଥମେ “jins” ମାନେ ଥିଲା “ପ୍ରକାର”, କିନ୍ତୁ ଵ୍ୟଵହାରରେ ଏହା “ସେହି ପ୍ରକାରର ସାମଗ୍ରୀ” ବୁଝାଇଵାକୁ ଲାଗିଲା। ପରେ ଏହାର ଅର୍ଥ ଆହୁରି ସରଳ ହୋଇ “ସାମଗ୍ରୀ” କିମ୍ବା “ମାଲ” ହେଇଗଲା। ଏହିପରି ଭାବେ ଏହି ଶବ୍ଦଟି ହିନ୍ଦୁସ୍ତାନୀ ଭାଷାରେ ପ୍ରଵେଶ କରି “ଜିନ୍ସ” ରୂପେ ଵ୍ୟଵହୃତ ହେଲା, ଯାହାର ଅର୍ଥ ହେଲା ଵ୍ୟାପାରୀ ସାମଗ୍ରୀ।
ପରଵର୍ତ୍ତୀ କାଳରେ ଏହି ଶବ୍ଦଟି ଓଡ଼ିଆ ଭାଷାକୁ ପ୍ରଵେଶ କରିଵା ସମୟରେ ଧ୍ୱନିରେ କିଛି ପରିଵର୍ତ୍ତନ ଘଟିଲା। “jins” ଧୀରେ ଧୀରେ “ଜିନିସ” ଓ ପରେ “ଜିନିଷ” ରୂପେ ପରିଣତ ହେଲା। ଏହି ସମୟରେ ଏହାର ଅର୍ଥ ଆହୁରି ଵିସ୍ତାରିତ ହୋଇଗଲା। ଏହା କେଵଳ ଵ୍ୟାପାରୀ ସାମଗ୍ରୀରେ ସୀମିତ ରହିଲା ନାହିଁ ଵରଂ ଯେକୌଣସି ଵସ୍ତୁ କିମ୍ବା ପଦାର୍ଥକୁ ଉଦ୍ଧୃତ କରିଵାକୁ ଲାଗିଲା। ଏପଟେ ଭାରତୀୟ ମୂଳର ଵସ୍ତୁ,ଦ୍ରଵ୍ୟ ଓ ଦରଵ ଭଳି ଶାସ୍ତ୍ରୀୟ ତଥା ଦେଶୀୟ କଥିତ ଶବ୍ଦମାନ ଵୈଦେଶିକ 'ଜିନିଷ' ଶବ୍ଦର ବହୁଳ ଵ୍ୟଵହାର ଯୋଗୁଁ କଥିତ ଭାଷାରୁ ଅପସରି ଗଲା ।
ଭାରତର ଵିଭିନ୍ନ ଭାଷାରେ ଆରବୀ ମୂଳର “jins” (جنس) ଶବ୍ଦଟି ପାର୍ସୀ ଭାଷା ଦେଇ ଆସି ଭିନ୍ନ ଭିନ୍ନ ରୂପ ଧାରଣ କଲା । ଯଥା ଓଡ଼ିଆ ଭାଷାରେ ଜିନିଷ ଓ ଜିନିସ, ହିନ୍ଦୀରେ जिंस (jins),ପଞ୍ଜାବୀରେ ਜਿਨਸ (jinas), ଗୁଜରାଟୀରେ જણસ (jaṇas), ମରାଠୀରେ जिन्नस (jinnas) ଓ ବଙ୍ଗଳା ଭାଷାରେ জিনিস (jiniś) ଇତ୍ୟାଦି । ତେବେ ଓଡ଼ିଆ ଭାଷାରେ ଏହି ଜିନିଷ ଵା ଜିନିଷ ଶବ୍ଦର ଵ୍ୟଵହାର ସର୍ଵାପେକ୍ଷା ଅଧିକ ହୋଇଥାଏ ।
କିନ୍ତୁ ଏଠାରେ ପ୍ରଶ୍ନ ଆସେ ଯଦି ମୂଳ ଆରବୀରେ ଜିନିସ୍ ଶବ୍ଦରେ ଦନ୍ତ୍ୟ ସ ଥିଲା ତାହେଲେ ଓଡ଼ିଆ ଭାଷାରେ ଜିନିସ୍ ଶବ୍ଦଟି ପରେ ଜିନିଷ କାହିଁକି ହୋଇଗଲା ?
ଵାସ୍ତଵ ପକ୍ଷରେ ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ଓଡ଼ିଆରେ ଜିନିସ୍ ଶବ୍ଦରେ ଥିଵା ମୂଳ “ସ” (/s/) ଧ୍ୱନିଟି ଲେଖନରେ ପ୍ରାୟତଃ “ଷ” ଅକ୍ଷରରେ ରୂପାନ୍ତରିତ ହୋଇଛି।
ଏହାର ଏକ କାରଣ ସମୀପସ୍ଥ ସ୍ୱରର ପ୍ରଭାବ ଵା Vowel Influence ଓ Coarticulation ହୋଇଥାଇପାରେ । ଜିନିସ୍ ଶବ୍ଦଟିର ମଧ୍ୟରେ ଥିଵା “ଇ”*(/i/) ଏକ high front vowel ଵା ଉଚ୍ଚ ଅଗ୍ର ସ୍ଵର ଧ୍ଵନି ଅଟେ । ଏହି ସ୍ୱର ପରେ ଉଚ୍ଚାରଣ କରିଵା ସମୟରେ ଜିଭର ସ୍ଥାନ ସାମାନ୍ୟ ପଛକୁ ଯାଇ ଧ୍ୱନିଟିକୁ ଅଧିକ ମୂର୍ଦ୍ଧନ୍ୟ କରିଦେଇଥାଏ। ଫଳରେ “ସ” ଧ୍ୱନି “ଷ” (/ʂ/) ଭଳି ଅନୁଭଵ ହୁଏ। ଏହା ଏକ ସାଧାରଣ coarticulation ପ୍ରକ୍ରିୟା, ଯେଉଁଥିରେ ପୂର୍ଵ ଧ୍ୱନି ପରଵର୍ତ୍ତୀ ଧ୍ୱନିକୁ ପ୍ରଭାଵିତ କରେ। ପ୍ରାଚ୍ୟ ପାରମ୍ପରିକ ଭାଷାଵିଜ୍ଞାନରେ ଏହାକୁ ଷତ୍ଵ ଵିଧି ଦୃଷ୍ଟିରୁ ଵ୍ୟାଖ୍ୟା କରାଯାଇପାରେ ଯଦିଓ ପ୍ରାଚୀନ ଵ୍ୟାକରଣ ଶାସ୍ତ୍ରରେ ଷତ୍ଵ ଵିଧିର ନିୟମ ସୀମିତ ।
ଧ୍ୱନି ଅନୁକୂଳନ ଵା Assimilation ଯୋଗୁଁ ମଧ୍ୟ ଏହି ପରିଵର୍ତ୍ତନ ହୋଇଥିଵାର ସମ୍ଭାଵନା ଦୃଶ୍ୟ ହୋଇଥାଏ । “ନି” (/ni/) ଉଚ୍ଚାରଣ କରିଵା ବେଳେ ଜିଭ ଆଗ ଭାଗରେ ଥାଏ। ତା’ପରେ ଆସୁଥିଵା “ସ” କୁ ଉଚ୍ଚାରଣ କରିଵା ସମୟରେ ଜିଭର ସ୍ଥାନ ସାମାନ୍ୟ ପରିଵର୍ତ୍ତନ ହୋଇ ଏହା regressive assimilationର ରୂପ ନେଇପାରେ। ଏହା place of articulationର ଏକ ସୂକ୍ଷ୍ମ ଶିଫ୍ଟ ଅଟେ।
ହୁଏତ ପ୍ରାଚୀନ ଓଡ଼ିଆ ପଣ୍ଡିତମାନେ ଜିନିଷ ଶବ୍ଦ କ୍ଷେତ୍ରରେ ଏଭଳି ଉଚ୍ଚାରଣ ଭିନ୍ନତା ଦେଖି ଦନ୍ତ୍ୟ 'ସ' ପରିଵର୍ତ୍ତେ ମୂର୍ଦ୍ଧନ୍ୟ 'ଷ' ଲେଖିଵା ଆରମ୍ଭ କରିଥିଲେ ଫଳତଃ ଜିନିସ ଶବ୍ଦ ଓଡ଼ିଆରେ କ୍ରମଶଃ ଜିନିଷ ହୋଇଅଛି । କାଳକ୍ରମେ ଲୋକମାନେ ଜିନିସ ନଲେଖି ଜିନିଷ ଲେଖିଲେ କାରଣ ଓଡ଼ିଆ ଵିଦ୍ଵାନମାନେ ଜିନିଷ ଶବ୍ଦକୁ ସାଧୁ ଵିଚାର କଲେ ।
ଓଡ଼ିଆ ଭାଷାର ଏକ ବିଶେଷ ଧ୍ୱନିତାତ୍ତ୍ୱିକ ଗୁଣ ହେଉଛି ଯେ ଲିପିରେ ତିନୋଟି ସିବିଲାଣ୍ଟ ଅକ୍ଷର ଥିଲେ ମଧ୍ୟ (ଶ — ତାଲଵ୍ୟ,ଷ — ମୂର୍ଦ୍ଧନ୍ୟ,ସ — ଦନ୍ତ୍ୟ) ଆଧୁନିକ ଓଡ଼ିଆ ଉଚ୍ଚାରଣରେ ଏହି ତିନୋଟି ପ୍ରାୟ ସମାନ ଭାବରେ /s/ ହୋଇଯାଏ। ଏହି ସିବିଲାଣ୍ଟ ଧ୍ୱନିର ମର୍ଜର ଵା phonological merger ଯୋଗୁଁ ବିଦେଶୀ /s/ କୁ ଲେଖନରେ ସହଜରେ ଷ ରୂପରେ ଅନୁକୂଳିତ କରାଯାଏ, ବିଶେଷକରି /i/ ଭଳି ଉଚ୍ଚ ଅଗ୍ର ସ୍ୱର ପରେ।
ତେଣୁ “ଜିନିସ୍” ଶବ୍ଦଟି “ଜିନିଷ୍” ହେଵା ଏକ ସରଳ ଲେଖନ ପରିଵର୍ତ୍ତନ ନୁହେଁ। ଏହା ଓଡ଼ିଆ ଭାଷାର ଗତିଶୀଳ ପ୍ରକୃତିକୁ ପ୍ରତିଫଳିତ କରେ । ଓଡ଼ିଆ ଭାଷାରେ ଵିଦେଶୀ ଉତ୍ସର ଧ୍ୱନି ସ୍ଥାନୀୟ ସ୍ୱର ପ୍ରଭାବ, ଅନୁକୂଳନ ଓ ଐତିହାସିକ ଲେଖନ ରୀତି ସହିତ ମିଶି ନୂଆ ରୂପ ନେଇଥାଏ। ଏହା କେଵଳ ଏକ ଶବ୍ଦର କାହାଣୀ ନୁହେଁ ଵରଂ ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱର ଏକ ଜୀଵନ୍ତ ଉଦାହରଣ, ଯେଉଁଥିରେ ସିବିଲାଣ୍ଟ ଧ୍ୱନିର ମୂର୍ଦ୍ଧନ୍ୟକରଣ ପ୍ରଵୃତ୍ତି ଓ ଵ୍ୟଵହାରଗତ ଵିକାଶ ସ୍ପଷ୍ଟ ଦେଖାଯାଏ।
ଏହି ପ୍ରକ୍ରିୟାକୁ ଭାଷାଵିଜ୍ଞାନରେ phonological nativization କୁହାଯାଏ, ଯାହା ଓଡ଼ିଆରେ ଆରବୀ, ପାର୍ସୀ, ପର୍ତ୍ତୁଗୀଜ ଓ ଇଂରାଜୀ ଋଣଶବ୍ଦ ସହ ବହୁଳ ଭାବେ ଦେଖାଯାଏ। ଏହା ଉପରେ ଵିସ୍ତୃତ ଗଵେଷଣା ମଧ୍ୟ ହୋଇଛି । ଶଶିକାନ୍ତ ତରାଇଙ୍କ ଡକ୍ଟରେଟ୍ ଥିସିସ୍: Phonological Nativization of Arabic, Portuguese and English Loanwords (IIT Madras, 2011)”ରେ ଏ ଵିଷୟରେ ଵିସ୍ତାର କରି ଆଲୋଚନା କରାଯାଇଛି ।
ଓଡ଼ିଆ ଭାଷା ଏପରି ଅନେକ ଶବ୍ଦ ସହିତ ନିଜକୁ ସମୃଦ୍ଧ କରିଚାଲିଛି। ଯଦି ଏହି ପ୍ରକ୍ରିୟାକୁ ଭଲ ଭାବରେ ଅନୁଶୀଳନ କରାଯାଏ, ତେବେ ଭାଷାର ଜୀଵନ୍ତତା ଓ ପରିଵର୍ତ୍ତନଶୀଳତା ଆହୁରି ସ୍ପଷ୍ଟ ହୁଏ। ଏହି ପରିଵର୍ତ୍ତନ କୌଣସି ଏକମାତ୍ର ନିୟମର ଫଳ ନୁହେଁ ଵରଂ ଇତିହାସ, ଉଚ୍ଚାରଣ ଓ ଵ୍ୟଵହାରର ମିଳିତ ପରିଣାମ ଅଟେ ।