Monday, April 1, 2019

ସନ୍ନିପାତ


ସନ୍ନିପାତ(ସମ୍+ନି+ପତ୍ ଧାତୁ+ଭାବ ଅ)
ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ ବାତ-ପିତ୍ତ-କଫର ପ୍ରକୋପଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ ।
ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା
୧)ସମ୍ୟକ୍ ରୂପେ ପତନ
୨) ବିନାଶ
୩)ଅବତରଣ
୪)ଉପସ୍ଥିତି
୫)ସମୂହ; ସମଷ୍ଟି
୬)ସମୂହର ମିଳନ

୭) (ସମ୍+ନି+ପତ୍ ଧାତୁ+ଅଧିକରଣ ଅ) ଯୁଦ୍ଧ; ସଂଗ୍ରାମ
ଇତ୍ୟାଦି...
ସନ୍ନିପାତ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଟୀକା
ଏକ ସମୟରେ କଫବାତପିତ୍ତର ପ୍ରକୋପ ଅଧିକ ହୋଇଗଲେ ରୋଗୀର ଆସନ୍ନମୁତ୍ୟୁ ଅବସ୍ଥା ଘଟେ । ଏହାକୁ ସନ୍ନିପାତ ବା 'କ୍ରି ସନ୍ଧି' ବୋଲାଯାଏ। ହଂସରାଜ ପ୍ରଣୀତ ନିଦାନ ଗ୍ରନ୍ଥ ଆଦି କେତେକ ବୈଦିକ ଗ୍ରନ୍ଥ  ଅନୁସାରେ ସନ୍ନିପାତ 13 ପ୍ରକାରର  ।
ଯଥାସନ୍ଧିକ, ଅନ୍ତକ, ରୁଗ୍ଦାହ, ଚିତ୍ତବିଭ୍ରମ, ଶୀତାଙ୍ଗ, ତନ୍ଦ୍ରିକ, କଣ୍ଠକିର୍କ, କର୍ଣ୍ଣକ, ଭୁଗ୍ନନେତ୍ର, ରକ୍ତଷ୍ଠୀରା, ପ୍ରଳାପକ, ଜିହ୍ବକ ଓ ଅଭିନ୍ଯାସ ।
 ସନ୍ଧିକରେ ୭ ଦିନ, ଅନ୍ତକରେ ଦିନେ, ରୁଗ୍ଦାହରେ ୨ ଦିନ, ଚିତ୍ତ ବିଭ୍ରମରେ ୨୪ ଦିନ, ଶୀତାଙ୍ଗରେ ୧୫ ଦିନ, ଚନ୍ଦ୍ରିକାରେ ୨୫ ଦିନ, କଣ୍ଠକୁବ୍ଜର ୧୩ ଦିନ, କର୍ଣ୍ଣକରେ ୩ ମାସ, ଭୁଗ୍ନନେତ୍ରରେ ୮ ଦିନ, ରକ୍ତଷ୍ଠୀବୀରେ ୧ ଦିନ, ପ୍ରଳାପକରେ ୧୪ଦିନ, ଜିହ୍ବକରେ ୧୬ଦିନ, ଅଭିନ୍ଯାସରେ ୧୬ ଦିନ ପରମାୟୁ । ଏଥି ମଧ୍ୟରୁ ସନ୍ଧିକ, ତନ୍ଦ୍ରିକ, କର୍ଣ୍ଣକ, କଣ୍ଠକୁବ୍ଜ, ଜିହ୍ବକ ଓ ଚିତ୍ତିବିଭ୍ରମ ଏହି ୬ଟି ସାଧ୍ଯ ଓ ଅନ୍ଯ ୭ଟି ମାରକ। 'ଭାବପ୍ରକାଶ' ରେ ଏହି ତ୍ରୟୋଦଶ ସନ୍ନିପାତକୁ ଏକୋଲ୍ବଣ, ଦ୍ଯୁଳ୍ବଣ ଓ ତ୍ର୍ଯଲ୍ବଣ ଏହି ତିନି ଶ୍ରେଣୀରେ ବିଭକ୍ତ କରା ୟାଇଅଛି। ଗ୍ରାନ୍ଥାନ୍ତର ମତରେ ବିସ୍ପାରକ, ଆଶୁକାରୀ, କମ୍ପନ, ବଭ୍ର, ଶୀଘ୍ରକାରୀ, ଭଲ୍ଲ, ସପ୍ତମ, କୂଟପାକଳ, ସଂମୋହନ, ପାକଳ, ଯାମ୍ୟ, କ୍ରିକଚ, କର୍କଟକ, ବୈଦାରିକାଭିଦସନ୍ନିପାତ ଏହି ୧୪ ପ୍ରକାରର ଅଟେ । ସନ୍ନିପାତକୁ ଚଳିତ କଥାରେ 'ଜ୍ବର ବିକାର' ବା 'ସିନ୍ଧି' କହନ୍ତି। ଏହି ଜ୍ବରରେ କ୍ଷଣେ କ୍ଷଣେ ଦାହ, ପୁଣି ପରକ୍ଷଣରେ ଶୀତ ଏବଂ ଅସ୍ଥି ଓ ସନ୍ଧିସମୂହରେ ବେଦନା ଅନୁଭବ ହୁଏ; ନେତ୍ରଦ୍ବଯ ଅଶ୍ରୁପୂର୍ଣ୍ଣ, ଆବିଳ, ରକ୍ତାର ଓ ବିସ୍ତାରିତ ବା କୁଟିଳ ହୁଏ; କର୍ଣ୍ଣରନ୍ଧ୍ରରେ ନାନା ପ୍ରକାରର ଶଦ୍ଦ ଅନୁଭୂତ ହୁଏ; କଣ୍ଠନାଳି ମଧ୍ୟରେ ଧାନର ଶୁଆଁରେ ଫୋଡ଼ି ଫୋଡ଼ି ହେଲା ପରି ଜଣାଯାଏ; ଜିହା କୃଷ୍ଣବର୍ଣ୍ଣ, କର୍କଶ ଓ କଣ୍ଟକଯୁକ୍ତ ହୁଏ; ତନ୍ଦ୍ରା, ମୁର୍ଚ୍ଛା, ପ୍ରଳାପ, କାଶ, ଶ୍ବାସ, ଅରୁଚି, ଭ୍ରମ, ତୃଷ୍ଣା ଓ ନିଦ୍ରାନାଶ ହୁଏ; ମଳ, ମୂତ୍ର ଓ ଘର୍ମର ରୋଧ ଏବଂ ଅତିସାର ଘଟେ ; ମୁଖ, ନାସିକା, କର୍ଣ୍ଣ ଓ କଣ୍ଠ ମଧ୍ୟରେ କ୍ଷତ ହୁଏ ଏବଂ ଦେହରେ ବିରୁଡ଼ି ମାରିବା ପରି ଶୋଥ ଦେଖାଯାଏ। ଏହା ଛଡ଼ା ସନ୍ନିପାତ ଜ୍ବରର କେତେଗୁଡ଼ିଏ ବିଶେଷ ଲକ୍ଷଣ ଦେଖାଯାଏ। ବକ୍ଷଃସ୍ଥଳରେ ବେଦନା ଓ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ବୋଧହୁଏ; କଣ୍ଠ ଜିଭ ଶୁଖିଯାଏ; ଛାତି ଦରକ ହୁଏ; କର୍ଣ୍ଣ ମଧ୍ୟରେ ନାନାପ୍ରକାର ଶଦ୍ଦ ଅନୁଭୂତ ହୁଏ, କଣ୍ଠ, ଶୂକ (କଠିନ ଲୋମ) ଦ୍ବାରା ଆବୃତ ହେଲା ପରି ଅନୁଭୁତ ହୁଏ; ମୁହଁ ବାଟେ ସମୟ ସମୟରେ ରକ୍ତ ପଡ଼େ। ଏହାକୁ ଡାକ୍ତରମାନେ 'ନିମୋନିଆ' (Pneumonia) କହନ୍ତି। ନିମୋନିଆରେ ହୃଦୟ ମଧ୍ୟସ୍ଥ ଫୁସଫୁସ୍ ଦୂଷିତ ହୋଇ ପଚିଯାଏ। ସନ୍ନିପାତ ଜ୍ବର କଷ୍ଟସାଧ୍ୟ । ୭, , , ୧୧, ୧୨, ୧୮, ୨୨ ବା ୨୪ ଦିନ ଏ ରୋଗର କାଳ। ଏହାପରେ ରୋଗୀ ଅରୋଗ୍ଯ ଲାଭ କରେ ବା ମୃତହୁଏ । ବାତ, ପିତ୍ତ, କଫ ଅତି ତ୍ରକୁଞ୍ଚିତ ହୋଇ ଜ୍ଞାନେନ୍ଦ୍ରିୟ ଓ ମନକୁ ବିକୃତ କଲେ ଏହି ଜ୍ବରକୁ 'ଅଭିନ୍ଯାସ ଜ୍ବର' କହନ୍ତି। ଏଥିରେ ରୋଗୀ ନିଶ୍ଚେଷ୍ଟ ହୁଏ ଏବଂ ରୋଗୀର ଶ୍ରବଣ, ଦର୍ଶନ, ସ୍ୱରଣ, ସ୍ୱର୍ଶନ ଓ ଘ୍ରାଣଶକ୍ତି ରହିତ ହୁଏ ଏବଂ ରୋଗୀ ଲୋକଙ୍କୁ ଚିହ୍ନିପାରେ ନାହିଁ; ସର୍ବଦା ମସ୍ତକ ସଞ୍ଚାଳନ କରି ଅସ୍ଥିର ହୁଏ । ବେଳେବେଳେ ସନ୍ନିପାତ ଜ୍ବରରେ କାନମୁଣ୍ଡା, ବେକ ଓ ଗାଲପାଟି ଫୁଲି ବେଦନାଯୁକ୍ତ ହୁଏ। ଏହାକୁ "କୁମୁଟି ସନ୍ନିପାତ" ବୋଲାଯାଏ । ଅଭିନ୍ଯାସ ଜ୍ବର ସର୍ବଥା ଅସାଧ୍ଯ । ସନ୍ନିପାତ ଜ୍ବର ସଙ୍ଗେ ଅତିସାର ଘଟିଲେ ତାହାକୁ ସନ୍ନିପାତିକ ଜ୍ବରାତିସାର ବା Typhoid fever କହନ୍ତି । ସାଧାରଣ ଲୋକେ ଏହାକୁ "ବାଇଶିଦିନିଆ ଜ୍ବର" କହନ୍ତି ।  (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

କୋଜାଗର

କୋଜାଗର ଶବ୍ଦର ନିରୁକ୍ତି     କଃ(କିଏ)+ଜାଗୃ ଧାତୁ(ଚେଇଁବା) କର୍ତ୍ତୃ. ଅ.
ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ(କୁଆଁରପୁନେଁଇ)କୁ କୋଜାଗର ପୂର୍ଣ୍ଣିମା କୁହାଯାଏ ।
ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି
—"କୋଜାଗର୍ତ୍ତି" ଅର୍ଥାତ୍ କିଏ ଚେଇଁ ଅଛି ? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
ଆଗେ ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହେଇ ଥିବା ଚାନ୍ଦଭୋଗ ଖୁଆଖୋଇ ହେଇ କୁମାରକୁମାରୀ ମାନେ ଆପଣା ଆପଣା ମଧ୍ୟରେ ଚାନ୍ଦ ଡ଼କାଡ଼କି ହେଇ ମୈତ୍ରୀ ପ୍ରତିଷ୍ଠା କରୁଥିଲେ ଆଜିର ଆଧୁନିକ ଯୁଗରେ ଏ ପରମ୍ପରା ଲୁପ୍ତ ହୋଇସାରିଛି ।


ଜଗଦ୍ଗୁରୁ ମହିମା ଗୋସାଇଁ ଓ ମହିମାଗାଦି

 ମହିମା ଗୋସାଇଁ ସ୍ୱୟଂ ଈଶ୍ୱର ପୁରୁଷ ଅଟନ୍ତି । ଭାରତ ଭୂମିରେ ଧର୍ମର ଗ୍ଳାନି ଉପସ୍ଥିତ ହେବାରୁ ସିଦ୍ଧ ସାଧୁ ଭକ୍ତବୃନ୍ଦଙ୍କ ବନ୍ଦନୀୟ ଜଗଦ୍ଗୁରୁ ମହିମା ଗୋସାଇଁ ସ୍ୱଶକ୍ତି ବଳରେ ଅୟୋନିସମ୍ଭୁତ ହୋଇ ପ୍ରବୁଦ୍ଧ ଗୁରୁ ସ୍ୱରୁପେ ଅବତୀର୍ଣ୍ଣ ହୋଇ ବାୟୁ ଆହାର କରି ହିମାଳୟର କୈଳାସ ପର୍ବତ ଶିଖରରେ ବାୟୁ ସମ୍ବତ୍ସର ଆତ୍ମଯୋଗ ସମାଧିରେ କାକାତିପାତ କରି ଗୁପ୍ତଭାବେ ନାନା ଦେଶ ବିଦେଶ ଭ୍ରମଣପୂର୍ବକ ସତ୍ୟ ସନାତନ ମହିମା ଧର୍ମ ସ୍ଥାପନାର୍ଥେ ଉତ୍କଳ ପ୍ରଦେଶକୁ ବିରାଜମାନ ହେଲେ। ସେ ସର୍ବ ପ୍ରଥମେ ଦିଲ୍ଲୀଶ୍ୱରାବ୍ଦ 1233 ରେ ପୁରୀଠାରେ ଲୋକଙ୍କ ନୟନଗୋଚର ହେଲେ। ସେ ସମୟରେ ସେ ଧୂଳିରେ ଶୟନ ଓ ଉପବେଶନ କରୁଥିଲେ; ସାଧାରଣ ଜନସମାଜରେ ବିଶେଷ ବାକ୍ଯାଳପ କରୁ ନ ଥିଲେ; ଶରୀର ତାମ୍ର ବର୍ଣ୍ଣ ଓ ତେଜୋମୟ ଥିଲା। କଟିରେ ଗୈରିକ ବସ୍ତ୍ରର କୌପୀନ, ମସ୍ତକରେ ଜଟାର ଭାର ଥିଲା । ସେ ସମୟରେ ତାହାଙ୍କୁ ଧୂଳିଆ ଗୋସାଇଁ ବୋଲି ଲୋକେ କହୁଥିଲେ। ଗୋସାଇଁ ସେ ସମୟରେ ବାରବର୍ଷ ପର୍ଯ୍ୟନ୍ତ କେବଳ ଜଳପାନ କରି ପୁରୀ, ଖଣ୍ଡଗିରି, ଧଉଳିଗିରି ପ୍ରଭୃତିର ଗୁମ୍ଫାମାନଙ୍କରେ ସମାଧି ଯୋଗ ଅବଲମ୍ବନ ପୂର୍ବକ କାଳାତିପାତ କରୁଥିଲେ। ଏ ହେତୁରୁ ତାଙ୍କୁ ଲୋକେ ନୀରହାରୀ ଗୋସାଇଁ ମଧ୍ୟ କହୁଥିଲେ। ଉକ୍ତ ଦ୍ୱାଦଶ ବର୍ଷ ମଧ୍ୟରେ ମହିମା ଗୋସାଇଁ ପୁରୀ ପଣ୍ଡିତ ମଣ୍ଡଳୀଙ୍କ ଧର୍ମ ସଭାରେ ବ୍ରହ୍ମାତ୍ମ୍ୟଜ୍ଞାନ ଲାଭ କରିଥିଲେ ଓ ତନ୍ମଧ୍ୟରେ ଜ୍ଞାନଭକ୍ତିଯୋଗର ବିଘ୍ନକାରୀ ମହାମାୟାଙ୍କ ଦର୍ପ ବିନାଶ ପୂର୍ବକ ତାହାଙ୍କୁ ସ୍ୱଶକ୍ତିର ତେଜ ପ୍ରତ୍ୟକ୍ଷ କରାଇଥିଲେ ଓ ଖଣ୍ଡଗିରି ସମୀପରେ ହଳଦିପିତୁ ନାମକ ଏକ କୁତାତ୍ନିକ ବାବାଜିର ଗର୍ବ ଖଣ୍ଡନ କରି ତାହାକୁ ସଦ୍ଜ୍ଞାନ ପ୍ରଦାନ କରିଥିଲେ। ତହିଁଉତ୍ତାରୁ ସେ 1254 ଅବ୍ଦରେ ଢେଙ୍କାନାଳ କପିଳାସଗିରିକୁ ପ୍ରସ୍ଥାନ କଲେ। ସେଠାରେ ଗୈରିକ କୌପୀନ ଓ ଜଟାଭାର ପରିତ୍ୟାଗ କରି କୁମ୍ଭିବୃକ୍ଷର ବଳ୍କଳ ବାନା କୌପୀନ ଗ୍ରହଣ ପୂର୍ବକ ଗିରିଶିଖରର ଦକ୍ଷିଣଭାଗସ୍ଥିତ ଏକ ଚକ୍ରାକାର ପ୍ରସ୍ତରୋପରି ଅନନ୍ତଶଯ୍ୟାରେ ପୂର୍ବାଭିମୂଖ ହୋଇ ପଦ୍ମାସନରେ ଉପବେଶନ ପୂର୍ବକ ଅବିଚଳିତ ଭାବେ ଏକବିଂଶତି ଦିବସ ଅତିବାହିତ କଲେ। ଅନନ୍ତ ସପ୍ତଫଣୀ ତଦ୍ରୁପ ସ୍ୱାମୀଙ୍କ ଶୀର୍ଷ ଦେଶକୁ ଆବୃତ କରି ରହିଥାଏ। ଏହିପରି କେତେ ଦିନ ଉତ୍ତାରୁ ସଦାନନ୍ଦ ନାମକ ଶବର ସେଠାରେ ଉପନୀତ ହୋଇ ଏହା ଦେଖି ଭଯ ମିଶ୍ରିତ ଭକ୍ତିପୂର୍ବକ ସାଷ୍ଟାଙ୍ଗ ତାଙ୍କୁ ପ୍ରଣାମ କଲା। ସ୍ୱାମୀ ଅନନ୍ତ ଶଯ୍ୟା ପରିହାର କରି ସଦାନନ୍ଦ ସମୀପକୁ ବିରାଜମାନ ହୋଇ ତାହାକୁ ଅଭୟବାଣୀ କହି ସ୍ୱାମୀଙ୍କର ଦ୍ୱାଦଶ ବର୍ଷ ଫଳାହାର ନିମିତ୍ତ ଫଳମୂଳ ଓ ଧୂନି ନିମିତ୍ତ କାଷ୍ଠ ଯୋଗାଇବାକୁ ଆଦେଶ ଦେଲେ। ସଦାନନ୍ଦ ପ୍ରବୃଦ୍ଧ ସ୍ୱାମୀଙ୍କର ଆଜ୍ଞାର୍ ଅଙ୍ଗୀକୃତ ହୋଇ ଫଳମୂଳାଦି ଯୋଗାଇବାରେ ଲାଗିଲା। ଅନନ୍ତଶାୟୀ ବିଭୁ ଚକା ପ୍ରସ୍ତର ସମୀପସ୍ଥ ଏକ ଗୁମ୍ଫାରେ ଅବସ୍ଥାନ କଲେ। ଇତିମଧ୍ୟରେ ସିଦ୍ଧ ଗୋବିନ୍ଦ ବାବା ସେଠାରେ ଉପସ୍ଥିତ ହୋଇ ମହିମା ସ୍ୱାମୀଙ୍କ ଚରଣରେ ଶରଣ ନେଇ ସର୍ବ ପ୍ରଥମେ ସ୍ୱାମୀଙ୍କଠାରୁ ଅଲେଖ ବ୍ରହ୍ମ ମହାମନ୍ତ୍ର ଉପଦେଶ ଗ୍ରହଣ କରି ସତ୍ୟ ସନାତନ ମହିମା ଧର୍ମରେ ଦୀକ୍ଷିତ ହେଲେ। ତାହାର କେତେକ ଦିନ ପରେ ଅନାଦି ସିଦ୍ଧଗୁରୁ ମହିମା ଗୋସାଇଁ ତାହାଙ୍କୁ ଡୋରି ଓ କୁମ୍ଭି ବଳ୍କଳ ବାନା ପ୍ରଦାନ କରି ଆଦ୍ଯରେ ଅବଧୂତ ସିଦ୍ଧାଶ୍ରମୀ ପରସନ୍ନ୍ୟାସୀ କରାଇ ଦେଶ ବିଦେଶରେ ସତ୍ୟଧର୍ମ ପ୍ରଚାରାର୍ଥେ ପ୍ରେରଣ କଲେ। ଫଳାହାର ପରିଶେଷରେ ସ୍ୱାମୀଙ୍କର ଅଦ୍ଭୁତ କ୍ରିୟା ଢେଙ୍କାନାଳ ରାଜା ଭାଗୀରଥୀ ଭ୍ରମରବର ବାହାଦୂର ଅବଗତ ହୋଇ ସ୍ୱାମୀଙ୍କୁ ଜଗତ୍ସ୍ବାମୀ ବୋଲି ମାନି ତାହାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କଲେ। ସ୍ୱାମୀ ତାହାଙ୍କୁ ସଦୁପଦେଶ ପ୍ରଦାନ ପୂର୍ବକ ଦ୍ୱାଦଶ ବର୍ଷ ଗୋଦୁଗ୍ଧ ଯୋଗାଇବା ନିମିତ୍ତ ଆଜ୍ଞା ଦେଲେ। ରାଜା ବାହାଦୁର ଜଗତ୍ ସ୍ୱାମୀଙ୍କୁ ଆଜ୍ଞା ଶିରୋଧାର୍ଯ୍ୟ କରି କ୍ଷୀର ଯୋଗାଇବାକୁ ସମ୍ମତ ହୋଇ ସ୍ୱାମୀଙ୍କ ଆଜ୍ଞା ଅନୁସାରେ ପର୍ବତର ସାନୁଦେଶରେ ଏକ ନୂତନ ଆଶ୍ରମ ନିର୍ମାଣ କରାଇ ସେହିଠାରେ ନିତ୍ୟ ବ୍ରାହ୍ମ ମୁହୂର୍ତ୍ତ ସମୟରେ ଗୋପାଳମାନଙ୍କ ଦ୍ୱାରା କ୍ଷୀର ୟୋଗାଇବାରେ ଲାଗିଲେ। ସ୍ୱାମୀ ସେହି ନୂତନ ଆଶ୍ରମରେ ବିରାଜିତ ହୋଇ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ କେବଳ କ୍ଷୀର ଗ୍ରହଣ କଲେ। ଏହିରୂପେ ଚତୁର୍ବିଂଶ ବର୍ଷ କପିଳାସଗିରିରେ ଆତ୍ମଯୋଗ ସମାଧି ଅବଲମ୍ବନ କଲେ। ଇତିମଧ୍ୟରେ ପ୍ରବୁଦ୍ଧ ସ୍ୱାମୀ ଦିନେ ନିଶାର୍ଦ୍ଧ ସମୟରେ ଆକାଶ ମାର୍ଗରେ ଗମନ କରି ବୌଦ ରାଜ୍ୟର ବଲାସିଂହଠାରୁ ଗୋବିନ୍ଦ ବାବାଙ୍କୁ ଗହଣରେ ରେଢ଼ାଖୋଳ ଅନ୍ତର୍ଗତ ଗ୍ରାମଡିହା ମୌଜାବାସୀ ଭୀମଭୋଇ ଦ୍ୱାତେ ଅଦ୍ଭୁତ ଭାବେ ବିରାଜମାନ ହୋଇ ଭୀମଙ୍କୁ ଚକ୍ଷୁଦାନ କରି ସତ୍ୟମହିମାଧର୍ମର ଉପଦେଶ ପ୍ରଦାନ କଲେ। ଭୀମଭୋଇ ଜ୍ଞାନଚକ୍ଷୁ ପ୍ରାପ୍ତ ହେବାରୁ ବହିର୍ଦୃଷ୍ଟି ଶକ୍ତିର ଲୋପ ନିମିତ୍ତ ଗୁରୁଙ୍କୁ ପ୍ରାର୍ଥନା କଲେ। ଜଗତ୍ ସ୍ୱାମୀ ଗୁରୁ ତଥାସ୍ତୁ କହି ଭୀମଙ୍କୁ କବିତାରଚନାଶକ୍ତି ପ୍ରଦାନ କରି ଗୋବିନ୍ଦ ବାବାଙ୍କ ବୌଦ ରାଜ୍ୟକୁ ବିଦାଯ ଦେଇ ପୂର୍ବବତ୍ ଅନ୍ତର୍ଦ୍ଧାନ ହୋଇ କପିଳାସଗିରିକୁ ବିରାଜମାନ ହେଲେ। କ୍ଷୀରାହାର ଶେଷରେ ଢେଙ୍କାନାଳର ରାଜା ବାହାଦୁରଙ୍କର ମନୋରଥ ପୂରଣ ନିମିତ୍ତ ରାଜଦୁର୍ଗକୁ ବିରାଜମାନ ହୋଇ ରାଜବଂଶରକ୍ଷାର୍ଥେ ମଙ୍ଗଳ ବାଞ୍ଛା କରି ତହିଁର ସୁବ୍ଯବସ୍ଥା କଲେ। ସ୍ୱାମୀଙ୍କର ଅନ୍ନଭିକ୍ଷା ନିମିତ୍ତ ଜଗନ୍ନାତା ପୃଥ୍ବୀ ଦେବୀ ଅଦ୍ଭୁତ ମାନବୀରୂପ ଧାରଣ କରି, ଉକ୍ତ ଗିରିର ଚକା ପ୍ରସ୍ତର ସମୀପରେ ଭକ୍ତି ସହକାରେ ଦଣ୍ଡ ପ୍ରଣାମ ପୂର୍ବକ ଜଗତ ପ୍ରାଣୀଙ୍କ ରକ୍ଷାର୍ଥେ ପ୍ରାର୍ଥନା କଲେ। ସ୍ୱାମୀ ତାହାଙ୍କ ପ୍ରାର୍ଥନା ଗ୍ରହଣ କରି ଜଗତର ମଙ୍ଗଳ ସାଧନାର୍ଥେ 1269 ଅବ୍ଦରେ କପିଳାସ ତ୍ୟାଗ କରି ଉକ୍ତ ରାଜ୍ୟସ୍ଥ କାଶୀପୁର ମୁକାମରେ ବୈଶ୍ଯ ଗଙ୍ଗାଧର ସାହୁଙ୍କୁ ସତ୍ୟମହିମା ଧର୍ମରେ ଦୀକ୍ଷିତ କରାଇ ସେହିଠାରେ ପ୍ରଥମେ ରାଜଦାଣ୍ଡରେ ନୂତନ ମୃତ୍ତିକା ପାତ୍ରରେ ଗଙ୍ଗାଧରଙ୍କ ଗୃହରେ ପାକ ହୋଇଥିବା ଅନ୍ନଭିକ୍ଷା ଗ୍ରହଣ କଲେ। ଏଥି ଉତ୍ତାରୁ କେତେକ ଦିନ ପରେ ଉକ୍ତ ଭୀମସେନଙ୍କ ଦ୍ୱାରେ ଭୁକ୍ଷା ଗ୍ରହଣ ପୂର୍ବକ ବୌଦରାଜ୍ୟକୁ ଗମନ କଲେ। ସ୍ୱାମୀ ଗୋବିନ୍ଦ ବାବାଙ୍କୁ ସଙ୍ଗରେ ଘେନି ବୌଦ, ସୋନପୁର, ସମ୍ବଲପୁର ପ୍ରଭୃତି ଦେଶରେ ଧର୍ମ ପ୍ରଚାରାର୍ଥ ଭ୍ରମଣ କରିବାରେ ଲାଗିଲେ। ଇତିମଧ୍ୟରେ ବୌଦର ରାଜାବାଦାଦୂର ଗୋବିନ୍ଦ ବାବାଙ୍କଠାରୁ ମହିମା ଗୋସାଇଁଙ୍କର ଆଶ୍ଚର୍ଯ୍ୟ ଲୀଳା ଅବଗତ ହୋଇ ମହିମାଧର୍ମ ସତ୍ପଥ ଅବଲମ୍ବନ କରି ଥାଆନ୍ତି। ପରେ ସେହି ରାଜ୍ୟରେ ସ୍ୱାମୀଙ୍କ ଗହଣରେ ଗୋବିନ୍ଦ ବାବା ରହି ମୃତ ଶବକୁ ଜୀବଦାନ, ନଦୀର ବନ୍ଯାଜଳ ଉପରେ ଗମନ, ରୂପର ପରିବର୍ତ୍ତନ ପ୍ରଭୃତି ଅଲୌକିକ ଘଟନା ଘଟାଇବାରୁ ସେ ଅଞ୍ଚଳରେ ତାଙ୍କର ବିଶେଷ ମହିମା ପ୍ରକଟିତ ହେଲା ଓ ସେ ଦେଶର କେତେକ ବ୍ୟକ୍ତି ସତ୍ୟମହିମା ଧର୍ମରେ ଦୀକ୍ଷିତ ହେଲେ। ତହିଁପରେ ସ୍ୱାମୀ ଢେଙ୍କାନାଳରେ ବିରାଜମାନ ହୋଇ ସତ୍ୟ ଧର୍ମ ପ୍ରଚାରାର୍ଥେ ସ୍ଥାନେ ଆଶ୍ରମ ନିର୍ମାଣ କରାଇଲେ। ଉକ୍ତ ଆଶ୍ରମରମାନଙ୍କରେ ଜଗତ୍ସ୍ବାମୀ ଅତିଥି- ଭାବେ ଏକ ଏକ ଦିବସ ଅତିବାହିତ କରି ତତ୍ତତ୍ ଅଞ୍ଚଳରେ ବିଶେଷଭାବେ ଧର୍ମ ପ୍ରଚାର କରିବାରେ ଲାଗିଲେ। ଅନ୍ନଭିକ୍ଷାର ପ୍ରାରମ୍ଭ ଦିବସଠାରୁ ଏକ ଏକ ଗ୍ରାମରେ ଏକ ଏକ ଦିବସ ଅତିବାହିତ କରି ପ୍ରାତଃକାଳରୁ ଭିକ୍ଷା ଗ୍ରହଣ କରି ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରନ୍ତି। ଏକ ସମୟରେ ବ୍ରାହ୍ମଣୀ ନଦୀରେ ବିଶେଷ ବନ୍ଯାଭଯ ହେବାରୁ ଜଗତ୍ ସ୍ୱାମୀ ଆଶ୍ଚର୍ଯ୍ୟଭାବେ ବନ୍ଯାଭଯ ଦୂରୀଭୁତ କରି ପ୍ରାଣୀମାନଙ୍କୁ ରକ୍ଷା କରିଥିଲେ। ସ୍ୱାମୀ ଡାଳିୟୋଡ଼ା, ଆଠଗଡ଼ ପ୍ରଭୃତିରେ ଭ୍ରମଣ କରି 127 ଅବ୍ଦରେ ଆଠଗଡ଼ କୁଣ୍ଟଣି ମୁକାମରେ ବିଶେଷ ଭାବେ ଏକ ମହିମାଲୀଳା (ବାଲ୍ୟଲୀଳା ପ୍ରଭୃତି) କରାଇଲେ, ଆଉ ମଧ୍ୟ ସେଠାରେ ଏକ ଧୁନି ମନ୍ଦିର ଭକ୍ତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଇ ଗୋବିନ୍ଦ ବାବାଙ୍କ ଦ୍ୱାରା ଧୁନିରେ ଘୃତ ଚନ୍ଚନାଦି ଆହୁତି ପ୍ରଦାନ କରାଇଲେ। ସେ ସମୟରେ ଉକ୍ତ ରାଜ୍ୟର ଜଙ୍ଗଲୀ ହସ୍ତିମାନେ ମଧ୍ୟ ସ୍ୱାମୀଙ୍କ ଆଜ୍ଞା ପାଳନ କରୁଥିଲେ। ଏହି ମହିମା ଲୀଳା ଦିବସଠାରୁ ଜଗତ୍ସ୍ବାମୀଙ୍କର ଐଶ୍ୱରିକ ମହିମା ଦେଶରେ ବିଶେଷଭାବେ ପ୍ରକଟିତ ହେଲା। ତହିଁ ଉତ୍ତାରୁ ସ୍ୱାମୀ ଖୋରଧା ଅଞ୍ଚଳରେ ବିରାଜମାନ ହୋଇ ପଟିଆ ଅନ୍ତର୍ଗତ ଡମଣା ମୁକାମରେ ପଟିଆ ରାଜାଙ୍କ ସାହାଯ୍ୟରେ ଭକ୍ତମାନଙ୍କ ଦ୍ୱାରା ଏକ ଧୁନି ମନ୍ଦିର ପ୍ରସ୍ତୁତ କରାଇଲେ; ଉକ୍ତ ମନ୍ଦିରରେ 1271 ଅବ୍ଦ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିବସ ଗୋବିନ୍ଦ ବାବାଙ୍କ ଦ୍ୱାରା ଧୁନିରେ ଘୃତହୁତି ଓ ବାଲ୍ୟଲୀଳା କରାଇଲେ। ସେହିଠାରେ ସିଦ୍ଧ ଗୋବିନ୍ଦ ବାବା ଗୁରୁଙ୍କ ଆଜ୍ଞାନୁସାରେ ନୃସିଂହ ବାବା ପ୍ରଭୃତି ସପ୍ତ ମୂର୍ତ୍ତିସାଧୁଙ୍କୁ ବଳ୍କଳ ବାନା ପ୍ରଦାନ କରି ଅବଧୂତ ସିଦ୍ଧାଶ୍ରମଭୁକ୍ତ କରାଇଲେ। ଏହାପରେ ମହିମାସ୍ୱାମୀ ଏକସମୟରେ ପାଦପଦ୍ମ ମୁଣ୍ଡଆସ୍ଥିତ ଏକ ଗୁହା- ମଧ୍ୟରେ ଏକବିଂଶତି ଦିବସ ପର୍ଯ୍ୟନ୍ତ ଆତ୍ମୟୋଗାସନରେ ସମାଧିସ୍ଥ ହେଲେ। ଗୁହାର ବହିର୍ଭାଗରେ ସିଦ୍ଧ ଗୋବିନ୍ଦ ବାବା ଓ ନୃସିଂହ ବାବା ଉକ୍ତ ଦିବସ ପର୍ଯ୍ୟନ୍ତ ଆପଣା- ମଧ୍ୟରେ ପାଳି କରି ଜଗି ରହିଥିଲେ। ଆଉ ମଧ୍ୟ ସ୍ୱାମୀ ସେଠାରେ ଯୋଗନିଦ୍ରା ପରିହାର କରି ଅନନ୍ତଶଯ୍ୟାରେ ଉପବେଶନ କରିଥିଲେ। ଏହିପରି ଡାଳିୟୋଡ଼ା ଅନ୍ତର୍ଗତ ଶିଶୁପାଟଣା ଆଶ୍ରମରେ ସପ୍ତଦିନ ସ୍ୱାମୀ ଯୋଗନିଦ୍ରା ୟାଇଥିଲେ; ତତ୍ପରେ ଅନ୍ଧାରୁଆ, ଦାରୁଠେଙ୍ଗ ପ୍ରଭୃତି ଗ୍ରାମମାନଙ୍କରେ ଧୁନିଘର କରାଇ ଘୃତ ଚନ୍ଦନାଦି ଆହୁତି ପ୍ରଦାନ କରାଇଲେ। ଉକ୍ତ ଦାରୁଠେଙ୍ଗଠାରେ ଭୂମିକୁ ତ୍ୟାଗ କରି ପ୍ରବୁଦ୍ଧଗୁରୁ ଶୂନ୍ୟରେ କିଛି କାଳ ଉତ୍ତା ହୋଇଥିଲେ। ଭୁବନେଶ୍ୱର ସମୀପବର୍ତ୍ତୀ ବରଗଡ଼ ଗ୍ରାମ ବିଦ୍ଯାଳଯରେ ଧୁନି ସ୍ଥାପନ ପୂର୍ବକ ଘୃତାହୁତି ପ୍ରଦାନ କରି ଉକ୍ତ ଧୁନି ଶିଖା ମଧ୍ୟରେ ପଦ୍ମାସନରେ ସୂକ୍ଷ୍ମରୂପେ ୟବ ପ୍ରମାଣ ଆକାରରେ ଉପବେଶନ କଲେ; ସେଠାରେ କୁଷ୍ଠରୋଗୀ ଓ ବିସୂଚିକାକ୍ରାନ୍ତ ବ୍ୟକ୍ତିଙ୍କୁ ରୋଗରୁ ମୁକ୍ତ କରି, ମୃତ ଗୋରୁକୁ ଜୀବଦାନ କରି ସେ ଅଞ୍ଚଳରେ ସତ୍ୟ ମହିମାଧର୍ମ ପ୍ରଚାର କରିବାକୁ ଲାଗିଲେ ପୁନଶ୍ଚ ଏକ ସମୟରେ ସର୍ବାନ୍ତର୍ୟ୍ଯାମୀ ଗୁରୁ ଡମଣା ଗ୍ରାମ ଆଶ୍ରମରେ ବିରାଜମାନ ହୋଇ ଏକ ଭିକ୍ଷୁକ ଓ ତତ୍ପୁତ୍ରକୁ ବ୍ଯାଘ୍ରାକ୍ରମଣ ଭଯରୁ ରକ୍ଷା କରିବାପୂର୍ବରୁ ତତ୍ସମ୍ବନ୍ଧେ ଭବିଷ୍ଯତ୍ ବାକ୍ଯ ପ୍ରକାଶ କରିଥିଲେ। ଆଉ ମଧ୍ୟ ଏକସ୍ଥାନରେ ବନ୍ଧ୍ଯା ଗାଭୀଠାରୁ ଦୁଗ୍ଧ ଦୋହନ କରାଇ ତାହାର ବନ୍ଧ୍ଯା ଦୋଷ ନିବାରଣ କଲେ। ଏହା ପରେ ଜଗତ୍ସ୍ବାମୀ ଢେଙ୍କାନାଳରେ ବିରାଜମାନ ହୋଇ କାଶୀପୁର ଗ୍ରାମ ଆଶ୍ରମରେ ଭକ୍ତମାନଙ୍କ ସମ୍ମୁଖରେ ଅଦଭୁତ ସ୍ୱରୂପ ପ୍ରକାଶ କରି, ଅନ୍ୟ ଏକ ଗ୍ରାମରେ ଏକ ବ୍ୟକ୍ତିକୁ ମୃତ ଶଯ୍ୟାରୁ ବଞ୍ଚାଇ ଦୀର୍ଘାଯୁ କରାଇଲେ। ସ୍ୱାମୀ ଡାଳିପୋଡ଼ା ଆଗ୍ରାହାଟଠାରେ ଗ୍ରାମବାସୀମାନଙ୍କୁ ଦର୍ଶନ ଦେଇ ହଠାତ୍ ଅନ୍ତର୍ଦ୍ଧାନ ହୋଇ ଆଠଗଡ଼ରେ ବିରାଜମାନ ହେଲେ। ସେ ଅଞ୍ଚଳରେ ଏକ ଗୋପାଳ ପୁତ୍ରକୁ ବ୍ଯାଘ୍ର ମୁଖରୁ ରକ୍ଷା କରି ଅନ୍ୟ ଏକ ଦରିଦ୍ର ଅନ୍ଧ ବ୍ୟକ୍ତିକୁ ଚକ୍ଷୁ ଦେଲେ, ତତ୍ପରେ ବାଙ୍କି ପ୍ରଭୃତି ଅଞ୍ଚଳରେ ସତ୍ୟ ମହିମାଧର୍ମ ପ୍ରଚାର କରି ଅଁଶୁପା ହ୍ରଦ ସମୀପରେ ବୃହଦାକାରେ ମହିମା ପୂଜା, ବାଲ୍ୟଲୀଳା ପ୍ରଭୃତି କରାଇ 1275 ଅବ୍ଦରେ ଉକ୍ତ ହ୍ରଦର ଉତ୍ତର ଏବଂ ମାଳବେହାରପୁର ଗ୍ରାମରେ ଦକ୍ଷିଣ ଦିଗରେ ଅତି ବିଚିତ୍ର ବୃହଦାକାର ଧୁନି ମନ୍ଦିର ନିର୍ମାଣ କରାଇ ସେଠାରେ ନୃସିଂହ ବାବାଙ୍କ ଦ୍ୱାରା ଧୁନି ସ୍ଥାପନ ପୂର୍ବକ ନିତ୍ୟ ତ୍ରିସନ୍ଧ୍ଯାରେ ଶତ ଶତ ମହଣ ଘୃତ ଚନ୍ଦନାଦି ଆହୁତି ପ୍ରଦାନ କରାଇଲେ ଏବଂ ସେହିଠାରେ ଚତୁର୍ଦ୍ଦିଗରୁ ସହସ୍ର ସହସ୍ର ବ୍ୟକ୍ତି ଉପସ୍ଥିତ ହୋଇ ସତ୍ୟ ସହିମାଧର୍ମର ଉପଦେଶ ଗ୍ରହଣପୂର୍ବକ ଅଲେଖ ବ୍ରହ୍ମ ନାମ ସ୍ମରମ ଭଜନରେ ରତ ହେଲେ। ତାହା ପରେ ସେହିଠାରେ ଗୁରୁ ମହିମା ଗୋସାଇଁଙ୍କ ଆଜ୍ଞାନୁସାରେ ନୃସିଂହ ବାବାଙ୍କ ଠାରୁ କୌରାଶୀ ମୂର୍ତ୍ତି ପର୍ଯ୍ୟନ୍ତ ସାଧୁ ବଳ୍କଳ ବାନା ଗ୍ରହଣ କରି ଅବଧୂତ ସିଦ୍ଧାଶ୍ରମ ପନ୍ଥାରେ ଭୁକ୍ତ ହେଲେ। ଏକ ସମୟରେ ଆଠଗଡ଼ ମଧ୍ୟରେ ମହିମା ସ୍ୱାମୀଙ୍କ ଆଦେଶାନୁସାରେ ରୋଗୀମାନେ ବିସୁଚିକା ରୋଗୀରୁ ମୁକ୍ତ ହେଲେ। ଅନ୍ୟ ଏକ ସମୟରେ କ୍ଷଣ କାଳ ମଧ୍ୟରେ ସ୍ୱାମୀଙ୍କ ଆଜ୍ଞାରେ ଜଳବୃଷ୍ଟି ହୋଇଥିଲେ। ମଳବେହାରପୁର ଧୁନି ମନ୍ଦିରର ଧୁନିର ପ୍ରଜ୍ବଳିତ ଶିଖା ମଧ୍ୟରେ ପ୍ରବୁଦ୍ଧ ସ୍ୱାମୀ ଦିବ୍ଯ ଜ୍ଯୋତିଃ ସ୍ୱରୂପରେ ନୃସିଂହ ବାବାକୁ ଦର୍ଶନ ଦେଇଥିଲେ। ଢେଙ୍କାନାଳ ଅନ୍ତର୍ଗତ ଏକ ଗ୍ରାମରେ ମୃତ ଶିଶୁକୁ ଜୀବଦାନ ଓ ଅପୁତ୍ରକୁ ପୁତ୍ର ଦାନ କରି ବିଶେଷଭାବେ ଖେଳା ଲୀଳା ବିସ୍ତାର- ପୂର୍ବକ ସତ୍ୟ ଧର୍ମ ପ୍ରଚାର କରିବାରେ ଲାଗିଲେ। ସ୍ୱାମୀ କେତେକ ପଣ୍ଡିତଙ୍କୁ ସଦ୍ୟୁକ୍ତ ଓ ଅନ୍ୟ ତାବଲମ୍ବୀ ସିଦ୍ଧାନ୍ତ ସନ୍ନ୍ୟାସୀମାନଙ୍କ ଐଶ୍ୱରିକ ଯୋଗବଳରେ ପରାସ୍ତ କରି ସ୍ୱାମୀ ସତ୍ୟ ମହିମା ଦର୍ମରେ ଦୀକ୍ଷିତ କରାଇ ଅବଧୃତ ସନ୍ନ୍ୟାସୀ କରାଇଲେ। ସ୍ୱାମୀ 1277 ଅଦ୍ଦରେ ଢେଙ୍କାନାଳ ବଉଳପୁର ମୁକାମରେ ଏକ ମହିମା ଲୀଳା ବାଲ୍ୟଲୀଳା ପ୍ରଭୃତି) ବିଶେଷ ଭାବେ କରାଇଲେ। ତହିଁରେ ଢେଙ୍କାନାଳ ରାଜା ବାହାଦୁର ମଧ୍ୟ ଭକ୍ତି ପୂର୍ବକ ସାହାୟ୍ଯ ପ୍ରଦାନ କରିଥିଲେ। ଉକ୍ତ ସମୟରେ କଟକ ମୋଗଲବନ୍ଦି ଅଞ୍ଚଳରେ ପ୍ରକାଶ୍ଯ ଭାବେ ଧର୍ମପ୍ରଚାର ଆରମ୍ଭ ହେଲା। ତତ୍ ପରେ ଏକ ପାଦ୍ରୀସାହେବ ଡାଳି ୟୋଡ଼ା ଅନ୍ତର୍ଗତ ମଇଁଷାଲଣ୍ଡା ଗ୍ରାମରେ ସ୍ୱାମୀଙ୍କ ସହିତ ସତ୍ୟ ମହିମା ଧର୍ମ ବିଷଯ ଚର୍ଚ୍ଚା କରି ଜଗତ୍ ସ୍ୱାମୀଙ୍କୁ ଧନ୍ୟ ବାଦ ଦେଇ ଭକ୍ତି ଭାବେ ପ୍ରଣାମ କରି ବିଦାଯ ଗ୍ରହଣ କଲେ। ତତ୍ ପରେ ଢେଙ୍କାନାଳ, ହିନ୍ଦୋଳ, ଅନୁଗୋଳ ପ୍ରଭୃତି ସ୍ଥାନେ ସ୍ଥାନେ ଧର୍ମାଶ୍ରମମାନ ଭକ୍ତ ମାନଙ୍କ ଦ୍ୱାରା ନିର୍ମାଣ କରାଇ ନିଷ୍କାମ ଖେଳା ଲୀଳା ବିସ୍ତାରପୂର୍ବକ ସହସ୍ର ସହସ୍ର ବ୍ୟକ୍ତିଙ୍କୁ ବ୍ରହ୍ମମହାମନ୍ତ୍ର ଉପଦେଶ ଦ୍ୱାରା ସତ୍ୟ ମହିମାଧର୍ମର ଦୀକ୍ଷିତ କରାଇଥିଲେ। ଏହି ଧର୍ମାଶ୍ରମ ସ୍ଥାନମାନଙ୍କ ମଧ୍ୟରେ ହିନ୍ଦୋଳର ବ୍ରହ୍ମପୁର, ଅନୁଗୋଳର ଅଙ୍ଗାରବନ୍ଧ ଢେଙ୍କନାଳ ଅନ୍ତର୍ଗତ ମଢ଼ି, ଜକା ଓ ଜୋରନ୍ଦା ଆଶ୍ରମ ପ୍ରସିଦ୍ଧ ଅଟେ। ସ୍ୱାମୀ ଏହି ସ୍ଥାନମାନଙ୍କରେ ଧୁନି ସ୍ଥାପନ ସମୟରେ ବିଶେଷ ଖେଳାଲୀଳା ବିସ୍ତାର କରି ଅତ୍ୟାଶ୍ଚର୍ଯ୍ୟଜନକ ଐଶ୍ୱରିଶକ୍ତି ପ୍ରଦର୍ଶନ କରିଥିଲେ। ଦେଶ ମଧ୍ୟରେ ସେ ସମୟରେ କେତେକ ବ୍ରାହ୍ମଣ, ରାଜା ଓ ପ୍ରଜା ସତ୍ୟ ମହିମା ଧର୍ମର ନିନ୍ଦା ରଟନା ଓ ସନ୍ନ୍ୟାସୀ ଓ ଭକ୍ତମାନଙ୍କର ଅନିଷ୍ଟାଚରଣ କରି ପାପଭାଗୀ ହୋଇ ଅପୟଶ ଅର୍ଜନ କଲେ । ତନ୍ମ ମଧ୍ୟରେ ଧାର୍ମିକ ବ୍ୟକ୍ତିଗଣ ସତ୍ୟ ମହିମାଧର୍ମର ୟଶା ଏବଂ ସ୍ୱାମୀଙ୍କର ମାହାତ୍ମ୍ଯ ଗାନ କରି ଧନ୍ୟ ହୋଇଥିଲେ। ଏତନ୍ମଧ୍ୟରେ 1279 ଅଦ୍ଦରେ ମାଳବେହାରପୁର ଧୁନି ମନ୍ଦିରରେ ବିଘ୍ନଜାତ ହେବାରୁ ଜଗତ୍ ସ୍ୱାମୀଙ୍କର ଅଜ୍ଞାନୁସାରେ ସେ ଧୁନି ମନ୍ଦିର ଭସ୍ମୀଭୂତ ହୋଇଗଲା। ତାହା ପରେ ବିଶେଷ ଭାବେ ଗଡ଼ଜାତମାନଙ୍କରେ ମହିମାଲୀଳା ପ୍ରକଟିତ କରାଇ ସ୍ୱାମୀ ସାଧୁ ସନ୍ଯାସୀର୍ବ୍ବଦ୍ୱାରା ସତ୍ୟମହିମାଧର୍ମର ନିଯମାବଳୀ ପ୍ରଚାର କରାଇଥିଲେ। ଦିନକୁ ଦିନ ଜଗତ୍ସ୍ୱାମୀଙ୍କର ଐଶ୍ୱରିକ ପ୍ରଭା ଓଡ଼ିଶା ମଧ୍ୟରେ ବିଶେଷ ଭାବେ ବ୍ଯାପିଗଲା। ପୂର୍ବପୁରୁଷମାନଙ୍କର କଥିତ ଜଗତର ଅମଙ୍ଗଳ ସୂଚକ ଭବିଷ୍ଯତ୍ ବାକ୍ଯମାନ ଖଣ୍ଡନ କରି ସେ ଜଗତ୍ ମଙ୍ଗଳ ସାଧନାର୍ଥେ ସଦୁପଦେଶ ପ୍ରଚାର କଲେ। ଏପରି ଅଲୌକିକ ବିଷଯ ଘଟିଲା ୟେ, ସ୍ୱର୍ଗରୁ ଦେବତାମାନେ ଆସି ସ୍ୱାମୀଙ୍କ ସେବାରେ ନିୟୁକ୍ତ ହେଲେ। ଆଉ ମଧ୍ୟ ପ୍ରଭୁଙ୍କ ମହିମାରେ ସିଦ୍ଧ ଭକ୍ତ ବୃନ୍ଦଙ୍କର ମାହାତ୍ମ୍ଯ ବେଶଷରୂପେ ପ୍ରକଟିତ ହେଲା। ଢେଙ୍କାନାଳ ଜକା ଆଶ୍ରମଠାରେ ବାଞ୍ଛୀନିଧି ବାବଙ୍କ ଦ୍ୱାରା ସ୍ୱାମୀ ଅପର ସନ୍ନ୍ୟାସୀ ପନ୍ଥାର ସୃଷ୍ଟି କରାଇଲେ। ଜଗତ୍ ସ୍ୱାମୀଙ୍କ ଆଦେଶମତେ ସିଦ୍ଧ ବାଞ୍ଛାନିଧି ବାବା ପଞ୍ଚଶତାଧିକ ପର୍ଯ୍ୟନ୍ତ ଅପାର ବୈରାଗୀ ତ୍ୟାଗୀମାନଙ୍କୁ ଅପର ସନ୍ନ୍ୟାସ ଯୋଗର ଉପଦେଶ ପ୍ରଦାନ କରି ଡୋର ଓ ଗୈରକ ବସ୍ତ୍ରର କୌପୀନ ଗ୍ରହଣ ନିମିତ୍ତ ଆଦେଶ ଦେଲେ। ତ୍ୟାଗୀମାନେ ସ୍ୱାମୀଙ୍କ ଅଜ୍ଞାନୁସାରେ କୌପୀନ ଗ୍ରହଣ କରି 'ଦାସ' ଉପାଧି ଲାଭ ପୂର୍ବକ ସିଦ୍ଧ ଗୁରୁଜନଙ୍କ ଆଦେଶ ପାଳନରେ ନିୟୁକ୍ତ ରହିଲେ। ୟେତେ ସ୍ଥାନରେ ପ୍ରବୁଦ୍ଧଗୁରୁ ମହିମା ଗୋସାଇଁଙ୍କର ମହିମାଲୀଳା ପ୍ରଭୃତି ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ, ତାହା ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ କରାୟାଏ। ବାଲ୍ୟଲୀଳା, ଘୁତାହୁତି, ଅଲେଖ ପରଂବ୍ରହ୍ମଙ୍କର ନାମସ୍ମରଣ, ଭଜନ, ଗାଯନ, ଇତ୍ୟାଦି ନୀଷ୍କାମ ମହିମାଲୀଳାର ଅଙ୍ଗ ଅଟେ। ମହିମା ସ୍ୱାମୀଙ୍କର ମହିମାଲୀଳା ଶ୍ରବଣ କରି ଇଂରେଜ ଗଭର୍ଣ୍ଣମେଣ୍ଟ ସ୍ୱାମୀଙ୍କୁ ଧରି ନେବା ନିମିତ୍ତ ୟତ୍ନବାନ ହୋଇ, କୌଣସି ପ୍ରକାରେ ସ୍ୱାମୀଙ୍କୁ ଧରି ପାରିଲେ ନାହିଁ। ଜଗତ୍ଥତି ମହିମାଗୋସାଇଁ ମହିମା ଗାଦିର ଭବିଷ୍ଯତ ବ୍ଯବସ୍ଥାର ବିଷଯ ସିଦ୍ଧିସାଧୁ ଭକ୍ତମାନଙ୍କୁ ଓ ରାଜାବାହାଦୁରଙ୍କୁ ଶ୍ରବଣ କରାଇ 1283 ଅଦ୍ଦ ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ସୋମବାର ଦିନ ଢେଙ୍କାନାଳ ଜୋରନ୍ଦା ଆଶ୍ରମରେ ବିରାଜମାନ ହେଲେ। ସେଠାରେ ସିଦ୍ଧସାଧୁ ଭକ୍ତମାନହ୍କୁ ବହୁ ସଦୁପଦେଶ ପ୍ରଦାନ କରି, ଅପରାହ୍ଣ ପାଞ୍ଚଘଣ୍ଟା ବାଇଶି ମିନିଟ୍ ସମୟରେ ପଦ୍ମାସନରେ ଉପବିଷ୍ଟ ହୋଇ ଚିରସମାଧି ଅବଲମ୍ବନ କଲେ। ତତ୍ପରେ ସିଦ୍ଧସାଧୁ ବକ୍ତଗଣ ଶୂନ୍ୟ ଦୈବବାଣୀ ଶ୍ରବଣ କରି ସ୍ୱାମୀଙ୍କୁ କଳେବରକୁ ଭୂମଧ୍ୟରେ ସମାଧି ଗାଦିରେ ନ୍ୟସ୍ତ କଲେ। ବର୍ତ୍ତମାନ ଉକ୍ତସ୍ଥାନ ମହିମାଗାଦି ଅନନ୍ତ କ୍ଷେତ୍ରନାମରେ ପ୍ରସିଦ୍ଧ ହୋଇଅଛି। ମହିମାଗୋସାଇଁଙ୍କ ପ୍ରସଙ୍ଗ ସତ୍ୟମହିମା ଧର୍ମ ଇତିହାସ' ଗ୍ରନ୍ଥରେ ଉତ୍ତମରୂପେ ବ୍ଯାଖ୍ଯା କରାୟାଇଅଛି। 
                                  [ଲେଖକଅବଧୂତବିଶ୍ୱନାଥ ବାବା।]

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...