Tuesday, April 28, 2020

ଦାସତ୍ବପ୍ରଥା ଵିରୋଧୀ ଅଶ୍ଵେତ ମହିଳାଯୋଦ୍ଧା ହାରିଏଟ୍ ଟବମେନ୍

ଏ କାହାଣୀ ଗୋଟିଏ ଅଶ୍ଵେତ ଝିଅ Mintyର...

ସେ ଦାସତ୍ବ ପ୍ରଥାରେ କଵଳିତ ଇଂରେଜମାନଙ୍କ ଦ୍ଵାରା ପରାଧୀନ ଆମେରିକାରେ ଜନମିଥିଲା । ସେଇ ଝିଅକୁ ଯେତେଵେଳେ ମାତ୍ର ୧୩ ଵର୍ଷ ହୋଇଥାଏ ତା ମୁଣ୍ଡ ଉପରେ ତାହାର ମାଲିକର ପୁଅ ଶକ୍ତ ଲୁହା ଦଣ୍ଡରେ ପିଟି ଦେଇଥିଲା ।

ତେଵେ ସେ ଝିଅ ଜୀଵନଯୁଦ୍ଧରେ ହାରିଯାଇନଥିଲା । ସେ ଲଢି଼ଥିଲା ଆଉ ବଞ୍ଚିଯାଇଥିଲା କାରଣ ଭଵିଷ୍ଯତରେ ସେ ଅନେକ ଅଶ୍ଵେତ ଦାସଙ୍କୁ ଦାସତ୍ବରୁ ମୁକୁଳେଇଵାର ଲକ୍ଷ୍ୟ ନେଇ ସଂସାରକୁ ଆସିଥିଲା ନା...

ସେଇ ଝିଅଟି ଆମେରିକାର ଜଣେ ଲୋକପ୍ରିୟ ମହିଳା  Harriet Tubman  । ସେ ଥିଲେ ଜଣେ ଦାସପ୍ରଥା ଵିରୋଧୀ ଅଶ୍ବେତ ଆମେରିକୀୟ ମହିଳା ଯୋଦ୍ଧା ।

ସେ ଆମେରିକାର ମେରିଲ୍ଯାଣ୍ଡ୍ ଅଞ୍ଚଳରେ ୧୮୨୨ ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରାରମ୍ଭିକ ନାମ Araminta Ross ଥିଲା ଓ ଏହାଙ୍କର ପରିଵାର ଅଶ୍ଵେତ ଦାସ ଥିଲେ ।  ୧୮୪୯-୫୦ ସମୟରେ ସେ ମେରିଲ୍ଯାଣ୍ଡ୍ ରୁ ଲୁଚିକି ଵଣ ଜଙ୍ଗଲ ଦୁର୍ଗମ ପଥ ପାରକରି ପ୍ରାୟ ୧୦୦ କି.ମି ଦୂର  ଫିଲେଡେଲ୍ଫିଆକୁ ଚାଲି ଚାଲି ଯାଇଥିଲେ ।

ଫିଲେଡେଲ୍ଫିଆରେ ଏକ ଵର୍ଷ ରହି ସେ ପୁଣି ମେରିଲ୍ଯାଣ୍ଡ୍ ଫେରିଥିଲେ ଏଵଂ ନିଜ ପରିଵାରର ୯ ଲୋକଙ୍କୁ ସାଙ୍ଗରେ ଫିଲେଡେଲ୍ଫିଆ ନେଇ ଆସି ସେମାନଙ୍କୁ ଦାସତ୍ବରୁ ମୁକୁଳାଇ ଥିଲେ ।

ନିଜ ଜୀଵନକାଳରେ ମହିୟସୀ ହାରିଏଟ୍ ୧୩ଟି ମିସନ୍ ରେ ପ୍ରାୟ ୭୦ଜଣ ଅଶ୍ଵେତ ଦାସଙ୍କୁ ମୁକୁଳାଇଥିଲେ ।

ସେତେଵେଳେ ସାରା ଆମେରିକାରେ ତାଙ୍କୁ moses ନାମରେ ଜଣାଯାଉଥିଲା ଏଵଂ ଏହାଙ୍କୁ ଧରିଵାକୁ ଅନେକ ଚେଷ୍ଟା ମଧ୍ୟ ହୋଇଥିଲା । ତତ୍କାଳୀନ ଇଂରେଜ ସରକାର ଏହାଙ୍କୁ ଧରାଇଦେଲେ ୩୦୦ ଡଲାର ପ୍ରଦାନ କରାଯିଵ ବୋଲି ଘୋଷଣା କରିଥିଲେ । ତେଵେ ତାଙ୍କୁ ଧରିଵାର ସବୁ ଯୋଜନା ଅସଫଳ ହୋଇଥିଲା ।

ଆମେରିକାର ଗୃହଯୁଦ୍ଧ ସମୟରେ ହାରିଏଟ୍ ସ୍କାଉଟ୍ ରେ ଯୋଗ ଦେଇଥିଲେ ଏଵଂ ପ୍ରାୟ ୧୫୦ଜଣ ଅଶ୍ଵେତ ସୈନିକଙ୍କର ନେତୃତ୍ୱ ବି କରିଥିଲେ । ଉକ୍ତ ସୈନିକ ଦଳ ଦ୍ଵାରା ହାରିଏଟ୍' ଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଅଧିକ ଅଶ୍ଵେତଙ୍କୁ ଦାସତ୍ବରୁ ମୁକ୍ତି ମିଳିଥିଲା ।  ଗୃହଯୁଦ୍ଧ ସମୟରେ ହାରିଏଟ୍ civil army ପାଇଁ ଜଣେ spy ଭାବେ କାର୍ଯ୍ୟ କରିଥିଲେ ।

ଗୃହଯୁଦ୍ଧ ପରେ ହାରିଏଟ୍ ନିଜ ଘରକୁ ଫେରି ଆସି ନିଜ ପରିଵାରଜନଙ୍କ ସହିତ ରହିଵାକୁ ଲାଗିଲେ ଓ ଆଜୀଵନ ମାନଵ ତଥା ମହିଳା ଅଧିକାର ପାଇଁ ଲଢିଥିଲେ ।

କୁହାଯାଏ ଏହାଙ୍କୁ ଭଵିଷ୍ଯତରେ ହେଵାକୁ ଥିଵା ଘଟଣାର ପୂର୍ଵାଭାସ ହେଇଯାଉଥିଲା ଏଵଂ ୟେ ମାର୍ଚ୍ଚ ମାସରେ ଜନ୍ମ ହୋଇ ସେଇ ମାର୍ଚ୍ଚ ମାସର ଦଶ ତାରିଖ ୧୯୧୩ ମସିହାରେ ସ୍ଵର୍ଗଵାସୀ ହୋଇଥିଲେ ।

୨୦ ଏପ୍ରିଲ ୨୦୧୬ରେ ଆମେରିକାର ଟ୍ରେଜରୀ ଵିଭାଗ ଦ୍ଵାରା ହାରିଏଟ୍'ଙ୍କର ସମ୍ମାନାର୍ଥେ ୨୦ ଡଲାରର ନୋଟରେ ଏହାଙ୍କ ଫୋଟୋ ସ୍ଥାନ ପାଇଵାର ଘୋଷଣା କରିଥିଲେ ।

ଆମେରିକୀୟ ନୋଟରେ ସ୍ଥାନ ଲାଭ କରିଥିଵା ପ୍ରଥମ ଆଫ୍ରିକୀୟ ଆମେରିକୀୟ ଵ୍ଯକ୍ତି ଅଟନ୍ତି ହାରିଏଟ୍ ।

ହାରିଏଟ୍'ଙ୍କ ନାମରେ ମୁକ୍ତିଲାଭ କରିଥିଵା ହାରିଏଟ୍ ଚଳଚ୍ଚିତ୍ରରେ ଏହାଙ୍କ ଜୀଵନୀ ଓ ସଂଘର୍ଷକୁ ସୁନ୍ଦର ଭାଵେ ଚିତ୍ରଣ କରାଯାଇଛି ।

ସେ କହିଯାଇଥିଵା କେତେକ ସୂକ୍ତି ଆଜି ବି ଆମେରିକାରେ ସ୍ମରଣୀୟ,  ନିମ୍ନରେ ତହିଁରୁ କେତୋଟି ଏଠାରେ ପ୍ରଦତ୍ତ ହେଲା...

"Every great dream begins with a dreamer. Always remember, you have within you the strength, the patience, and the passion to reach for the stars to change the world."

"I had reasoned this out in my mind, there was one of two things I had a right to, liberty or death; if I could not have one, I would have the other.
I grew up like a neglected weed - ignorant of liberty, having no experience of it."

"I had crossed the line. I was free; but there was no one to welcome me to the land of freedom. I was a stranger in a strange land."

"Twant me, ’twas the Lord. I always told him, “I trust to you. I don’t know where to go or what to do, but I expect you to lead me,” and he always did."

"I would fight for my liberty so long as my strength lasted, and if the time came for me to go, the Lord would let them take me."

"Quakers almost as good as colored. They call themselves friends and you can trust them every time."

Saturday, April 11, 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

Thursday, April 9, 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

Sunday, April 5, 2020

ହନୁ ଓ ବୁଢ଼ୀ

ଵୟସ ବଢ଼ିଵା ସହିତ ଆଖିକୁ କମ୍ ଦେଖାଯିଵା ଆରମ୍ଭ ହୁଏ, ଵୟସ ଵୃଦ୍ଧି ସହ ସବୁକିଛି ଅସ୍ପଷ୍ଟ ଦେଖାଯାଇଥାଏ ।

ଏ ଵିଷୟରେ ଆମ ଗାଁରେ ଗୋଟାଏ ମଜାଳିଆ କଥା ଘଟିଥିଲା । ଘଟଣାଟି ଏଇଭଳି...

ଗାଁର ଵିଶ୍ଵାଳ ପରିଵାରର ଜଣେ ବୃଦ୍ଧ ମହିଳା ପାରୁ ବୁଢ଼ୀ ହୋଇଯାଇଥିଲେ । ସେତେବେଳେ ଆଜି ଭଳି ସମସ୍ତଙ୍କ ଘର ବାଡ଼ିରେ ଏତେ ପାଇଖାନା ନଥିଲା । ସେ ଵୃଦ୍ଧାଜଣକ ପ୍ରତ୍ୟେକ ସନ୍ଧ୍ୟାରେ କଟାଆଡେ଼ ପୋଖରପାଣୀ କରିଯାଆନ୍ତି ।

ଥରେ ସେ ମହିୟସୀ ମହିଳା କଟାଆଡୁ଼ ଶୌଚସ୍ନାନାଦି
ସାରିବା ପରେ ଘରକୁ ଲେଉଟୁଥାଆନ୍ତି |

ସେତେଵେଳକୁ ଟିକିଏ ଅନ୍ଧାରିଆ ହୋଇଯାଇଥିଲା |

ତାଙ୍କ ବାଡି଼ମୁଣ୍ଡରେ ଗୋଟାଏ ହନୁମାଙ୍କଡ଼ ବସିଥିଲା ​​।

ସେହି ବୁଢୀ ଲୋକଜଣକ ତାକୁ ଦେଖି ଭାଵିଲେ ସତେ ଯେପରି ଜଣେ କେହି ସେଠି ବସି ମଳତ୍ୟାଗ କରୁଛନ୍ତି ଏଵଂ ସମ୍ମୁଖରେ ମହିଳାଙ୍କୁ ଦେଖିଵା ପରେ ମଧ୍ୟ ସେ ଲୋକ ଅଲଜ୍ଯା ଭଳି ବସିରହିଛି,ଉଠି ଠିଆ ହେଉ ନାହିଁ ।

ବୁଢୀ଼ଜଣକ ହନୁମାଙ୍କଡ଼ଟାକୁ ମଣିଷ ଭାବି
ତାକୁ ବହେ ଗାଳୀ ମନ୍ଦ କରିଵାକୁ ଲାଗିଲେ ।
କିନ୍ତୁ ହନୁଟା ଵା କଣ୍ ବୁଝିଵ ସେ ସେଇମିତି ବସି ରହିଥାଏ,ଟିକିଏ ବି ଘୁଞ୍ଚୁନଥାଏ ।

ଵୃଦ୍ଧାଜଣକ ଆହୁରି ରାଗିଯାଇ ତା ପାଖକୁ ଚାଲିଗଲେ
ଆଉ ବଡ଼ପାଟିକରି କହିଲେ
“କିଏ ରେ ତୁ ବାଡି଼ପଡା଼,ସଵାଖିଆ ? ଟିକିଏ ବି ଲାଜ ସରମ ନାହିଁ , ସ୍ତ୍ରୀ ଲୋକଙ୍କ ଆଗରେ ଅଲଜ୍ଯାଙ୍କ ପରି
ବସି ଶଉଚ କରୁଚୁ”

ଏତିକି କହି ସେ ଵୃଦ୍ଧାଜଣକ ହନୁ ଦେହରେ ହାତ ପକେଇ ଦେଲେ ।

ହନୁମାଙ୍କଡ଼ ଏତେ ସମୟ ଧରି ତା’ କଥା ଶୁଣୁଥିଲା କିନ୍ତୁ ସେ ଆଉ ସହି ପାରିଲା ନାହିଁ, ଵୃଦ୍ଧାଙ୍କ ଗାଲରେ କର୍ଣ୍ଣମୂଳିଆ ଚାପୁଡ଼ା ବସେଇ ଦେଲା
🙄😂🤣

ବୃଦ୍ଧା ଜଣକ ଚାପୁଡ଼ା ଖାଇ କାନ୍ଦି କାନ୍ଦି ଘରକୁ ଫେରିଲେ । ତାଙ୍କ ପୁଅ ନାତୀଙ୍କୁ କାନ୍ଦୁଣୁ ମାନ୍ଦୁଣୁ ହୋଇ ସବୁ କଥା କହିଲେ । ସବୁ ଶୁଣି ଵୃଦ୍ଧାଙ୍କ ପରିଵାରର ଲୋକେ ଠେଙ୍ଗାବାଡି଼ ଧରି ବାଡି଼ମୁଣ୍ଡକୁ ଦୌଡି଼ଗଲେ ।

ଲୋକେ ବାଡି଼ପଟକୁ ପାଟିକରି ଆସୁଥିଵା ଜାଣିପାରି ହନୁମାଙ୍କଡ଼ଟା ପାଖ ଗଛ ଉପରକୁ ଚଢି଼ଗଲା । ଵୃଦ୍ଧାଙ୍କର ଜଣେ ପୁଅ ଚାରିଆଡ଼େ ଟର୍ଚ୍ଚ ମାରି ଦେଖିଲାବେଳେ ବାଡି଼ମୁଣ୍ଡର ଏକ ଗଛ ଉପରେ ଗୋଟାଏ ଖଣ୍ଡିଆ ଦଣ୍ଡିଆ ହନୁ ବସିଥିଵାର ଦେଖି ତାକୁ ରାଗରେ ଗୁଡା଼ଏ ସୋଦିଲେ ବହେ ଟେକା ପଥର ଖାବୁଡ଼ ମାରି ଘରକୁ ବାହୁଡି଼ଲେ
😂😂😂

Friday, April 3, 2020

ଚିରସବୁଜ ସମ୍ବଲପୁରୀ ଗୀତ - ଲବଙ୍ଗଲତା

ପୁରୁଣା ସମ୍ବଲପୁରୀ ଓଡ଼ିଆ ଗୀତ ଲବଙ୍ଗଲତା ।
ସମ୍ପୂର୍ଣ୍ଣ ଗୀତର ପଦ ଓ ତହିଁରେ ଥିଵା  ଗଡ଼ଜାତିଆ ଶବ୍ଦଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା । ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ,ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା କଥିତ ଓଡ଼ିଆ ଶବ୍ଦକୋଷରେ ଯେଉଁ କେତୋଟି ଶବ୍ଦ ମିଳିଲା ନାହିଁ ସେଗୁଡ଼ିକର ସମ୍ଭାଵିତ ଅର୍ଥ ପ୍ରଶ୍ନଵାଚକ ଚିହ୍ନ ସହ ଉଲ୍ଲେଖ ହୋଇଅଛି ।

■■■■■■■■■ପଦ■■■■■■■■■■
ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଉଁ ହୁଁ !!!

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାଲୋ କହ ପଦେ ମିଠାକଥା ।

ପୋ― ଭିବ୍ ନିଆଲୀ ଚହଟମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଖି ପତା

ଝି―ଯା ଯା !!!

ପୋ― ତୋର୍ ବିନା ଧନ ନାଇଁ ବୁଝେ ମନ(୨)
ତରା ଗଣେ ରାତି ସର୍'ତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା

ପୋ―ଆଚ୍ଛା !!!

ଝି―ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା ...

ତୋତେ ଝୁରି ଝୁରି ମନ୍ ହୁଏ ଘାରି
ସବୁର୍ ଲାଗେ ବିସ୍'ଵିତା..

ପୋ― ସତେ !!!

କରୁଛି କିରିଆ ଆରେ ଦଗାଦିଆ(୨)
ତୋଠାନେ ନାଇଁ ହୁଏ କଥାରେ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ―ମୁହୁଁ ଦରପନ ସୁରୁତା କରିରେ ରାତି ନାଇଁ ପଡେ଼ ଝୁମୁରା
ମୁହୁଁ ଦରପନ ସୁରୁତା କରିଲୋ ରାତି ନାଇଁ ପଡେ଼ ଝୁମୁରା
କିଏ ଆନି ଅମୁର୍ତ ଦେଲେ ବି(୨)
ତୋର୍  ବିନା ଲାଗେ ମହରା

ଝି―ବରପଲିଆ ମଠା ପରେ ଦେଉଥିଲୁ ମତେ
ତରଭା ହାଟର୍ ପାନପତରୀ ଦେମି ବୋଇଲୁ ସତେ

ପୋ―ମାନି ଯା ମାନୁ ଯା କହୁଛେ ବୁଝେଇ(୨)
ଆଉର୍ ନାଇଁ ମତେ ତୁଇ ସତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଜନ୍ ସଙ୍ଗେ କଇଁ କାନ୍ହୁ ସଙ୍ଗେ ରାଇ
ସରଗେ ସୁନ୍ଦର ତାରା(୨)

ବଉଲି ମହୁଲୀ ପଵନ ହେଲେ ମୁଇଁ(୨)
ତୁଇ ମୋର୍ କହଁଲି ଖରା

ପୋ―ଝରା ଗୁନା ନାକପୁଟକି ଖୁସା କେ ଚାଉଁରି
ଆହା ! ଆନିଦେମି ନନୀ ଗା ତୋର୍ ଗୁଡ଼କେ ପଇଁରୀ

ଝି―ନାରି ନାରି ପିଲା ନାରିଙ୍ଗି ଖୁଆଲୁ(୨)
କହି କଅଁଲିଆ କଥାରେ

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।

ପୋ–ସବୁ ରୂପ ଗୁନ ଵିଧାତା ଗୁଟେଇ ତୋହର୍ ନେ କରିଚେ ଠୁଲ(୨)
ରୂପ ଆକାଶର ଚନ୍ଦର୍ମା ତୁଇ ଲୋ
ରୂପ ଆକାଶର ଚନ୍ଦର୍ମା ତୁଇ ଗା
କିଏ ହେଵା ତୋର୍ ତୁଲ

ଝି―ତୁଇ ଧନ ମୋର୍ ପିଞ୍ଜିରୀ ମୁଇଁ ତୋର୍ ଶାରୀ

ପୋ―ଆରେ ଆମେ ଦୁହେଁ ଉଡି଼ଯିମାଁ ହେଇ ଯୁରାଯୁରି

ପୋ,ଝି―ଯୁଗେ ଯୁଗେ ଧନ ଯୁଗଲ ମିଲନ(୨)
ଲୁକେ ହେଉଥିମେଁ କଥା ଏ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି―ଉଁ ହୁଁ !!!

ପୋ― ଏ ଲବଙ୍ଗଲତା ମୋର୍ ଗଜମୁକତାଲୋ କହ ପଦେ ମିଠାକଥା ।

ପୋ― ଭିବ୍ ନିଆଲୀ ଚହଟମଲି ଭାଲି ଭାଲି କାଲି ନାଇଁ ମୁଁଜି ଆଖି ପତା

ଝି―ଯା ଯା !!!

ପୋ― ତୋର୍ ବିନା ଧନ ନାଇଁ ବୁଝେ ମନ(୨)
ତରା ଗଣେ ରାତି ସର୍'ତା ଲୋ

ଝି― ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା

ପୋ―ଆଚ୍ଛା !!!

ଝି―ଫୁଲ୍'ରସିଆ ମୋର୍ ମନବସିଆରେ
କାହିଁ ଜାନ୍'ବୁ ମନର୍ କଥା ...

ତୋତେ ଝୁରି ଝୁରି ମନ୍ ହୁଏ ଘାରି
ସବୁର୍ ଲାଗେ ବିସ୍'ଵିତା..

ପୋ― ସତେ !!!

କରୁଛି କିରିଆ ଆରେ ଦଗାଦିଆ(୨)
ତୋଠାନେ ନାଇଁ ହୁଏ କଥାରେ...

ପୋ―ଲବଙ୍ଗଲତା ମୋର୍ ଗଜମୁକତାରେ କହ ପଦେ ମିଠାକଥା ।

ଝି― ଏ ଫୁଲ୍'ରସିଆ ମୋର୍ ମନବସିଆରେ  ନାଇଁ ହୁଏ ଆରୁ କଥା ।
■■■■■■■■■■■■■■■■■■■■■■

◆◆◆ପ୍ରୋକ୍ତ ଗୀତରେ ଥିଵା ଗଡ଼ଜାତିଆ ଶବ୍ଦ◆◆◆

●ଫୁଲ୍'ରସିଆ(ଭ୍ରମର)
●ମନ୍'ବସିଆ(ମନର ମଣିଷ)
●ଭାବ୍ ନିଆଲି(ପ୍ରଣୟ ମଲ୍ଲି ? ;ନିଆଳୀ = ବଣମଲ୍ଲି)
●ଚହଟମଲି(ମଲ୍ଲି ଫୁଲ ଭଳି ସୁନ୍ଦରୀ)
●ଭାଲି ଭାଲି(ଭାଳି ଭାଳି)
●ସରତା(ଗୁଆକାତି କିନ୍ତୁ ଏଠାରେ “ରାତି ସାରା”)
●ଘାରି(ଘୋରିଵା ?)
●ବିସ୍'ବିତା(ବିତବିତା;ଢେଙ୍କାନାଳୀ ?)
●କିରିଆ(ରାଣ,ଶପଥ)
●ସୁର୍'ତା(ସ୍ମରଣ,ଚେତା,ସ୍ମୃତି)
●ଝୁମୁରା(ନିଦ)
●ମହରା(ଵିଷ;ମହୁରୀ)
●ମଠା(ଏକ ପ୍ରକାର ମୋଟା ଵସ୍ତ୍ର)
●ପାନପତରୀ(ପାନ ପତ୍ର ?)
●ସତା(ସତେଇଵା ?;କଷ୍ଟ ଦେଵା)
●ଜନ୍(ଜହ୍ନ)
●ତରା(ତାରା;ଓଡ଼ିଆ ଭାଷାରେ ପ୍ରଥମ ଵର୍ଣ୍ଣରୁ ଆକାର ଲୋପ ହୁଏ । ଯଥା―ରାଜା―ରଜା)
●ବଉଲି ମହୁଲୀ ପଵନ(ବସନ୍ତ ଋତୁର ପଵନ;ଵାସନ୍ତୀ ପଵନ ! ସାଧାରଣତଃ ବସନ୍ତ ଋତୁରେ ବଉଳ ଓ ମହୁଲ ଵା ଟୁଲଗଛରେ ଫଲ ଧରେ)
●କହଁଲି(କଅଁଳ କଥା ?)
●ଝରା(ଜୁଡ଼ାର ଅଳଙ୍କାର ଵିଶେଷ; ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ)
●ଗୁନା(ନାକଗୁଣା)
●ନାକପୁଟ୍'କି(ନାକପୁଡୁ଼କି;ନାକଫୁଲ)
●ଖୁସା(ଖୋସା)
●ଚାଉଁରି(ଚଉଁରୀ;କୃତ୍ରିମ କେଶ)
●ନାରୀ(ନାରିଵା=ପ୍ରତାରଣା କରିଵା,ଠକିଵା,ମିଛ କହିଵା ?)
●ନାରିଙ୍ଗୀ(ନାଲି ମିଶା ହଳଦିଆ ରଙ୍ଗ; କମଳା ?)
●ପଇଁରୀ(ପାଉଁଜି)
●ଖୁଆଲୁ(ଖିଆଲ;ମନର ଵିଚାର ?)
●ଠୁଲ(ଠୁଳ)
●ତୁଲ
●ପିଞ୍ଜ୍'ରୀ(ପିଞ୍ଜରା,ପଞ୍ଜୁରୀ)
●ଜୁରାଜୁରୀ(ଯୋଡା଼ଯୋଡି଼)
●ମୁଜି(ବୁଜି)

◆◆◆◆◆◆◆◆◆◆◆◆◆◆◆◆◆◆◆◆◆

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...