Monday, October 31, 2022

ଅତରପିତର କରିଵା : ଏକ ସାଂସ୍କୃତିକ ଓଡ଼ିଆ ଶବ୍ଦ

ପୂର୍ଵ କାଳରେ ଓଡ଼ିଶାର ଲୋକେ ଵେଦ ଓ ସଂସ୍କୃତ ଭାଷାର ଜ୍ଞାତା ଥିଲେ ସେଥିପାଇଁ ସାରା ଭାରତରେ ମିଳୁନଥିଵା ଅଥର୍ଵଵେଦ ଆମ ଓଡ଼ିଶାରୁ ହିଁ ମିଳିଥିଲା । 

ଓଡ଼ିଆ ଭାଷା ସର୍ଵାଧିକ ସଂସ୍କୃତନିଷ୍ଠ ତଥା କଦଳୀ,ପଣସ, ସୂର୍ଯ୍ୟ,ଜଳ ଆଦି ସଂସ୍କୃତ ଶବ୍ଦର ଠିକ୍ ଉଚ୍ଚାରଣ ଅଧୁନା କେଵଳ ଓଡ଼ିଆ ଭାଷାରେ ହିଁ ଦୃଶ୍ୟ ହୋଇଥାଏ ‌ ।

ଓଡ଼ିଆ ଭାଷାରେ ଅନେକ ଶବ୍ଦ ରହିଛି ଯାହା ଆମକୁ ସନାତନୀ ସଂସ୍କୃତି ସହିତ ପ୍ରତ୍ୟକ୍ଷ ଭାବେ ପରିଚିତ କରାଇଥାଏ । 

ସେହିପରି ଏକ ଓଡ଼ିଆ କ୍ରିୟା ଶବ୍ଦ “ଅତରପିତର କରିଵା” ଅଟେ । 

ସାଧାରଣତଃ “ବହୁ ଵସ୍ତୁକୁ ଏକତ୍ର କରିଵା ,ମିଳାଇ ଦେଵା ଵା ମିଶ୍ରଣ କରିଵାକୁ ଓଡ଼ିଆ ଭାଷାରେ ଅତରପିତର କରିଵା କୁହାଯାଏ । 

ଯଥା— “ମୁଁ ସବୁ ଦରଵକୁ ଭିନେ କରି ରଖିଥିଲି, ସେ ପହଞ୍ଚି ତାକୁ ଅତରପିତର କରି ଦେଲା।”

କିନ୍ତୁ ବହୁତ ଓଡ଼ିଆ ଲୋକେ ଜାଣିନଥିବେ ଯେ ଏହି "ଅତରପିତର କରିଵା" ଶବ୍ଦଟି ଏକ ସାଂସ୍କୃତିକ ଶବ୍ଦ ଏଵଂ ଏହା ଭାରତୀୟ ସନାତନୀ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵେଦୋକ୍ତ "ଅତ୍ର ପିତରୋ ମାଦୟଧ୍ୱଂ" ଇତ୍ୟାଦି ମନ୍ତ୍ରପାଠ ପୂର୍ଵକ ଶ୍ରାଦ୍ଧ ପତ୍ରରେ ପିଣ୍ଡାଵଶିଷ୍ଟ ଅନ୍ନ ଵ୍ୟଞ୍ଜନାଦିକୁ ଠୁଳ କରି ଶ୍ରାଦ୍ଧକର୍ତ୍ତା ପିତୃଲୋକଙ୍କୁ ଉତ୍ସର୍ଗ କରନ୍ତି। 

 ଉକ୍ତ ମନ୍ତ୍ରର ପ୍ରଥମ ଓ ଦ୍ୱିତୀୟ ଶବ୍ଦ ଦ୍ୱୟ ଯଥା “ଅତ୍ର ଓ ପିତରୋ”ର ପରିଵର୍ତ୍ତନ ଯୋଗୁଁ ଏହି "ଅତର ପିତର କରିଵା" କ୍ରିୟାଟି ସୃଷ୍ଟି ହୋଇଅଛି । 
 
ଯେହେତୁ ଶ୍ରାଦ୍ଧକର୍ତ୍ତା ପିଣ୍ଡଦାନ କରାଯାଇଥିଵା ଅନ୍ନାଦିକୁ ଠୁଳ କଲାବେଳେ ଏହି ମନ୍ତ୍ର ପାଠ କରୁଥିଲେ ତେଣୁ ସେହି ଵିଧି କ୍ରମେ ଅତ୍ର ପିତରୋ ବୋଲାଇ ଶେଷରେ ଅତରପିତର କରିଵା ହୋଇଅଛି । 

ପ୍ରତ୍ୟେକ ଭାଷା ଏକ ଵା ଏକାଧିକ ସଂସ୍କୃତି ସହିତ ଜଡ଼ିତ ହୋଇଥାଏ । ସଂସ୍କୃତିକୁ ନେଇ ଭାଷା ସମୃଦ୍ଧ ଓ ଶ୍ରେଷ୍ଠ ହୋଇଥାଏ । ଭାରତୀୟ ସଂସ୍କୃତି ଆଧାରରେ ସଂସ୍କୃତ, ଓଡ଼ିଆ,ତାମିଳ, ମୁଣ୍ଡାରୀ ଆଦି ଭାଷା ସୃଷ୍ଟି ହୋଇଛି । ୟୁରୋପୀୟ ଜର୍ମାନିକ୍ ସଂସ୍କୃତି ଘେନି ଇଂରାଜୀ ଭାଷାର ଜନ୍ମ ସେହିପରି ଆରବୀୟ ସଂସ୍କୃତିକୁ ନେଇ ଆରବୀ ଭାଷାର ସୃଷ୍ଟି ହୋଇଅଛି । 

ପ୍ରତ୍ୟେକ ଭାଷାର ଆତ୍ମା ତାହାର ମୌଳିକ ଧ୍ଵନ୍ୟାନୁକରଣ ଵିଶେଷ୍ୟ- ଵିଶେଷଣ ଶବ୍ଦ, ସାଂସ୍କୃତିକ ଵିଶେଷ୍ୟ- ଵିଶେଷଣ ଶବ୍ଦ ଓ ଅଵ୍ୟୟ,ପ୍ରତ୍ୟୟ,ସର୍ଵନାମ, କ୍ରିୟା, କ୍ରିୟା ଵିଶେଷଣ ମଧ୍ୟରେ ଥାଏ । 

ସଂସ୍କୃତି ପରିଵର୍ତ୍ତନ ଯୋଗୁଁ ଭାଷାରେ ମଧ୍ୟ ଭୀଷଣ ପରିଵର୍ତ୍ତନ ଦେଖାଦିଏ । ଆଗେ ପାରସ୍ୟର ଲୋକେ ଅଗ୍ନି ଉପାସକ ଥିଵା ବେଳେ ଵୈଦିକ ଯୁଗର ଅନେକ ଭାରତୀୟ ଶବ୍ଦ ଵ୍ୟଵହାର କରୁଥିଲେ କିନ୍ତୁ ସେମାନଙ୍କର ଧର୍ମ ଓ ସଂସ୍କୃତିରେ ପରିଵର୍ତ୍ତନ ହେଵାରୁ ସେମାନେ ଅନେକ ଆରବୀୟ ଓ ତୁର୍କ ଶବ୍ଦକୁ ଗ୍ରହଣ କରିନେଇ 
ମଧ୍ୟ ଯୁଗରେ ପାର୍ସୀ ଭାଷାକୁ ଅଶାସ୍ତ୍ରୀୟ କରିଦେଲେ । 

ଇଂରେଜମାନଙ୍କ ସହିତ ମଧ୍ୟ ସେଇଆ ହିଁ ହେଲା । ଇଂରେଜମାନେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେଵା ପରେ ଅନେକ ଲାଟିନ ଓ ପରେ ଫ୍ରେଞ୍ଚ୍ ଶବ୍ଦ ଗ୍ରହଣ କଲେ ଫଳରେ ଜର୍ମାନିକ ଭାଷା ମୂଳର ହୋଇ ବି ଇଂରାଜୀ ଭାଷାରେ ଫ୍ରେଞ୍ଚ ଓ ଲାଟିନ୍ ମୂଳର ଶବ୍ଦାଧିକ୍ୟ ହୋଇଗଲା । ଭିଏତନାମ ଦେଶର କଥିତ ଭାଷା ଭିଏତନାମୀ ସେହିପରି ଗୋଟିଏ ଆଷ୍ଟ୍ରୋଏସୀୟ ଭାଷା ହୋଇ ସୁଦ୍ଧା ଚୀନୀ ମାଣ୍ଡାରିନ ଦ୍ଵାରା ବହୁ ପରିମାଣରେ ପ୍ରଭାଵିତ ତେଣୁ ତାହାର ମୂଳ ସ୍ଵରୂପ ହରାଇ ଏକ ମିଶ୍ରିତ ଭାଷା ରୂପେ ଚଳୁଅଛି । 

ତେଣୁ ଵୈଦେଶିକ ଶବ୍ଦଗୁଡ଼ିକୁ ଭାବିଚିନ୍ତି ପ୍ରୟୋଗ କରାଯିଵା ଵିଧେୟ । ଆମ ପାଖରେ ଲକ୍ଷ ଲକ୍ଷ ଶବ୍ଦ ଅଛି ତଥାପି ଆମେ "and ,but ,ଫିର୍ ଭି,ଲେକିନ୍,କାସ୍,ଥୋଡ଼ା ,ଦିଲ୍,ଦିୱାନା,ଆଶିକି” କହିଵା କ'ଣ ଆଵଶ୍ୟକ ? 

ମନେ ରଖନ୍ତୁ 
ନିଜ ଭାଷାରେ ଆପଣ ଯେତିକି ଯେତିକି ଵୈଦେଶିକ ଶବ୍ଦ "ଅତରପିତର କରିବେ" ଆପଣଙ୍କ ଭାଷା ସେତିକି ସେତିକି ଆପଣା ସ୍ଵରୂପ ହରାଇ ହରାଇ ଯିଵ ଏଵଂ ଶେଷରେ ଶାସ୍ତ୍ରୀୟତା ଓ ମୌଳିକତା ହରାଇ ଗୁରୁତ୍ଵହୀନ ହୋଇଯିଵ । ଉଦାହରଣ ସ୍ୱରୂପ ଭଵିଷ୍ଯତରେ ଯଦି ଓଡ଼ିଆ ଭାଷାରେ ଲୋକେ ଯହ "ଖୁରାଣ୍ଟି ଚାଳାଇଲେ" ଅର୍ଥାତ୍ ଅତି ମାତ୍ରାରେ ହିନ୍ଦୀ ଭାଷା ଦ୍ଵାରା ପ୍ରଭାଵିତ ହୋଇ ତହିଁର କାସ୍ ,କମ୍ ସେ କମ୍, ଇସ୍କ୍,ଦିଲ୍,ଦିମାଗ୍ ଆଦି ଶବ୍ଦ ମିଶାଇ ତାକୁ ଦୂଷିତ କରିଦେଲେ ତେବେ ଓଡ଼ିଆ ଭାଷା ଆଉ ଶାସ୍ତ୍ରୀୟ ଭାଷା ହୋଇ ରହିଵ ନାହିଁ ଵରଂ ହିନ୍ଦୀ ଭାଷାର ଏକ ଉପଭାଷା ବୋଲାଇଵ । 

ତେଣୁ ହେ ମୋର ଓଡ଼ିଆ ଭାଇ ଭଉଣୀ ଦାଦା ନାନୀମାନେ ସାଵଧାନ !!! ଆମ ଭାଷା ସଂସ୍କୃତିର ଭଵିଷ୍ୟତ ଆମ ହାତରେ ଆମେ ହିଁ ତାକୁ ବଞ୍ଚେଇ ପାରିଵା ଆଉ କେହି ନୁହେଁ ...!!!

Saturday, October 22, 2022

କାଇମାଟି,କାଇମାଟିଆ,କାଇପଡ଼ା,କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ :


ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ ।


ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ କିନ୍ତୁ ଯଥାର୍ଥ ଓ ପ୍ରାମାଣିକ ମଧ୍ୟ। ଢେଙ୍କାନାଳ ଓ କଟକରେ ସାଧାରଣତଃ ଲାଲ୍ ମାଟିକୁ କାଇମାଟି କୁହାଯାଏ । ଏ ଅଞ୍ଚଳରେ ଲାଲମାଟି ପ୍ରଚୁର ପରିମାଣରେ ମିଳୁଥିଵା ହେତୁରୁ ଏଭଳି ନାମକରଣ ହୋଇଅଛି ।

ହେଲେ କାଇମାଟିରେ ଥିଵା କାଇ ଶବ୍ଦର ଅର୍ଥ କ'ଣ ଲାଲ୍ କି ? ଏ ଶବ୍ଦର କୌଣସି ଶାସ୍ତ୍ରୀୟ ରୂପ ରହିଛି କି ? 

ଓଡ଼ିଆ ଭାଷାରେ କାଇ ଏକ ବହୁ ଅର୍ଥବୋଧକ ଶବ୍ଦ ଅଟେ ‌। 

ଜାମୁ,ଆମ୍ବ ଓ କୁସୁମ ଗଛର ପତ୍ରକୁ ଯୋଡ଼ି ବସାବାନ୍ଧି ରହୁଥିଵା ଏକ ଜାତୀୟ ନାଲି ଜନ୍ଦା Oecophylla smaragdinaକୁ ଓଡ଼ିଆ ଭାଷାରେ କାଇ କୁହାଯାଏ ।

“ସେ ସିନାଷ୍ଠ ଫଳ ଆମ୍ବ ତୋଳଇ,
କାଇ କାମଡ଼ାକୁ ଯେ ପାରେ ସହି !!”
        (ଡାକଵଚନ।)

ଏମାନେ ଦେଖିଵାକୁ ଲାଲ୍ ରଙ୍ଗର ବୋଲି ଏମାନଙ୍କର ଓଡ଼ିଆ ନାମ କାଇ ରଖାଯାଇଥିଲା । କାଇମାନେ ଜନ୍ଦାଙ୍କ ପରି ଆକୃତିଵିଶିଷ୍ଟ କିନ୍ତୁ ନାଲିଆ। ଏମାନେ ଜାମୁ,କୁସୁମ ଓ ଆମ୍ବ ଆଦି ଗଛରେ ଥାଆନ୍ତି ଓ ଅଠାଦ୍ବାରା ଗଛପତ୍ରକୁ ଯୋଡ଼ି ଥଳି ଵା ମୁଣି ପରି କରି ସେଥିରେ ବସା କରି ରହନ୍ତି। ଏମାନଙ୍କ କାମୁଡ଼ା ଭାରି ଯନ୍ତ୍ରଣାପ୍ରଦ। ଲୋକେ କାଇ ମାନଙ୍କ ଡିମ୍ବକୁ ବନିଶୀ ପାଇଁ ଚାରା କରି ବନିଶୀକଣ୍ଟାରେ ଫୋଡ଼ି ମାଛ ଧରୁଥିଲେ । ଆଗେ କଳିଙ୍ଗ ଦେଶର କେତେକ ଜନଜାତିର ଲୋକେ ଏମାନଙ୍କ ଡିମ୍ବକୁ ପୋଡ଼ି ଭକ୍ଷଣ କରୁଥିଲେ । 

ସାଜିମାଟି,ଲାଲମାଟି ଓ କେଉଁଠି କେଉଁଠି ପୀତଵର୍ଣ୍ଣ ମୃତ୍ତିକାକୁ କାଇମାଟି କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କାଇ ଶବ୍ଦ ଓଡ଼ିଆ ଭାଷାର କେତେକ ଶୈଳୀରେ କାହିଁ, କ'ଣ ଓ କେଉଁଠି ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ । 

କାଇ ଶବ୍ଦଟି ଲାଲରଙ୍ଗ ଅର୍ଥରେ ଆଗେ ପ୍ରୟୋଗ କରାଯାଉଥିଲା ଯେତେବେଳେ ଓଡ଼ିଶାରେ ଵୈଦେଶିକ ମୂଳର ଲାଲ୍ ଶବ୍ଦ ନାଲି ହୋଇ ପ୍ରଚଳିତ ହୋଇନଥିଲା ‌ । 

ଯୋଗୀନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ରରେ ଆମେ କାଇ ଶବ୍ଦକୁ ଈଷତ୍ ଲାଲ୍ ଅର୍ଥରେ ପ୍ରୟୋଗ କରାଯାଇଥିଵା ଦେଖିଥାଉ ...

"କାଇ ଵସ୍ତ୍ର ଦେଖି କୁକୁରେ ବେଢ଼ନ୍ତି ଦେଖିଣ ରାଜା କାତର,
ବାଡ଼ି ଧରି କରି ହାଁ ହାଁ ସେ କରନ୍ତି ଚିତ୍ତ ରଖି ହରିଠାର ।"

ପ୍ରକୃତରେ ଏହି କାଈ ଶବ୍ଦ ସହିତ କପିଳ,କପିଶ,କହରା,କଇରା,କସରା ଆଦି ଶବ୍ଦ ସମୋଦ୍ଧୃତ ବୋଲି ଅନୁମାନ କରାଯାଇପାରେ । ସାଧାରଣତଃ କପିଳ କପିଶ ଶବ୍ଦ ସହିତ ସମୋଦ୍ଧୃତ ଅନେକ ତଦ୍ଭଵ ଓଡ଼ିଆ ଶବ୍ଦ ଆମ ଦେଶରେ ଚଳୁଅଛି।

ଯଥା―
●କହରା ଵା କହଁରା ଓ କହରୀ
●କଇରା ଓ କଇରୀ
●କଇଁରା―କପିଳଵର୍ଣ୍ଣ,ତାମ୍ରଵର୍ଣ୍ଣ
●କଇଁରୀ କଣ୍ଟିଆ(କପିଳଵର୍ଣ୍ଣର କଙ୍କଡା଼ବିଛା)
●କସରା ଓ କସରୀ (ଲାଲ୍ ରଙ୍ଗର ଗୋରୁ ,କପିଳା ଗାଭୀ)
ଇତ୍ୟାଦି ଇତ୍ୟାଦି...

ସାଧାରଣତଃ ନୀଳପୀତ,ମାଟିଆଵର୍ଣ୍ଣ,ପାଉଁଶିଆ ଵର୍ଣ୍ଣକୁ କପିଶ ଵର୍ଣ୍ଣ କୁହାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦରୁ ଵିଶେଷ ଭାବେ ଈଷତ୍ ଲାଲରଙ୍ଗକୁ ଦର୍ଶାଇଵା ପାଇଁ କାଇ ,କଇରା ଓ କସରା ଆଦି ଶବ୍ଦ ସୃଷ୍ଟି ହୋଇଅଛି । 


କାଇମାଟି(୭୫୯୦୨୭) ଗ୍ରାମରେ ସର୍ଵତ୍ର ଲାଲମାଟି ମିଳେ । ଏ ଅଞ୍ଚଳରେ କେତେକ ସ୍ଥାନରେ ବାହାରକୁ ମଧ୍ୟ ଲାଲମାଟି ସ୍ପଷ୍ଟ ଭାବରେ ଦେଖାଯାଏ। ଏତେ ପରିମାଣର ଲାଲମାଟି ଥିଵାରୁ ଏହି ଗ୍ରାମକୁ କାଇମାଟି ଭାବେ ନାମିତ କରାଯାଇଛି । କାଇମାଟି ଗ୍ରାମଠାରୁ କିଛି ଦୂରରେ ଭୁବନେଶ୍ୱର ନଗର ପାଖରେ କାଇମାଟିଆ ଓ କାଇମାଟିଆପାଟଣା(୭୫୨୦୫୪)ବୋଲି ଆଉ ଦୁଇଟି ସ୍ଥାନ ଅଛି ଏଵଂ ସେଠାକାର ମାଟି ମଧ୍ୟ ଲାଲ ରଙ୍ଗର ହୋଇଥାଏ।


ଖୋର୍ଦ୍ଧାରୁ ୧୬ ନମ୍ବର ରାଜପଥ ଦେଇ ଜଙ୍କିଆ ଗଲାବେଳେ କାଇପଦର(୭୫୨୦୫୬)ବୋଲି ଗୋଟିଏ ଗାଆଁ ପଡ଼େ । ଏହି ଗାଆଁରେ ମଧ୍ୟ ଲାଲମାଟି ପଦାକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ‌ । 


ବ୍ରାହ୍ମଣୀ ନଦୀ କୂଳରେ କଳାମାଟିଆ ଓ କାଇପଡ଼ା(୭୫୫୦୧୦) ଗ୍ରାମ
ଲାଗିକରି ରହିଛି । କଳାମାଟିଆ ଗ୍ରାମରେ କଳାମାଟି ବାହାରକୁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ବେଳେ କାଇପଡ଼ାରେ ମାଟି ଲାଲ ମିଶା କଳା ରଙ୍ଗର ହୋଇଥାଏ । 

 ଢେଙ୍କାନାଳରେ ମାଟିର ରଙ୍ଗକୁ ନେଇ ପିଙ୍ଗୁଆ(୭୫୯୦୧୬) ବୋଲି ଆଉ ଏକ ଗ୍ରାମର ନାମକରଣ ମଧ୍ୟ କରାଯାଇଛି । 
ଓଡ଼ିଆ ଭାଷାରେ ପିଙ୍ଗ ଶବ୍ଦର ଵିଭିନ୍ନ ଅର୍ଥ ମଧ୍ୟରେ କପିଶ ବର୍ଣ୍ଣ, ନୀଳ ପୀତ ମିଶ୍ରିତ ଵର୍ଣ୍ଣ,କପିଳ, ମାଟିଆ ଵର୍ଣ୍ଣ, ପିଙ୍ଗଳ ଓ
ପିଙ୍ଗଳଵର୍ଣ୍ଣଯୁକ୍ତ ଆଦି ଅର୍ଥ ରହିଛି । ପିଙ୍ଗୁଆ ଗ୍ରାମର ମାଟି ଈଷତ୍ ହଳଦିଆ ରଙ୍ଗର ହୋଇଥିଵାରୁ ଏଭଳି ନାମକରଣ କରାଯାଇଛି । 


Thursday, October 20, 2022

ପୃଥିବୀର ଭୂସ୍ବର୍ଗ ଦେବଗଡ଼


ଓଡ଼ିଶାର କନ୍ଧମାଳ, ଫୁଲବାଣୀ, ଦେଓଗଡ଼, ମାଲକାନଗିରି, ମୟୂରଭଞ୍ଜ କୋରାପୁଟ ଆଦି ସବୁ ଜିଲ୍ଲାରେ ସ୍ବର୍ଗ ପରି ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯାହା ଦେଖିଲେ ହିଁ ଜଣେ ବିଶ୍ୱାସ କରି ପାରିବ। 

ଦେବଗଡ ଜିଲ୍ଲା ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ସମେତ ତତ୍ ସଂଲଗ୍ନ ଦେବାଦେବୀଙ୍କ ପୀଠ ଗୁଡିକ ଦ୍ଵାରା ସମୃଦ୍ଧ । ଦେବଗଡ଼ରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ଅଛି କିନ୍ତୁ ବଡ଼ ରେଳଷ୍ଟେସନ କି ବିମାନବନ୍ଦରଟିଏ ନଥିବାରୁ ଏ ନଗରକୁ ଗମନାଗମନରେ ଉନ୍ନତି ହୋଇପାରୁନାହିଁ । ଦେଵଗଡ଼ର ନିକଟତମ ରେଳଷ୍ଟେସନ ହେଉଛି ରେଢ଼ାଖୋଲ ଏଵଂ ତାହା ମଧ୍ୟ ସେତେ ବଡ଼ ରେଳଷ୍ଟେସନ ନୁହେଁ ତେଣୁ ସବୁ ଗାଡ଼ି ସେଠାରେ ରୁହେ ନାହିଁ ତଥା ଏହି ରେଳ ଷ୍ଟେସନଟି ଦେବଗଡ଼ ଠାରୁ ଦୂର ପଡି଼ବ । 


ଦେବଗଡ ରୁ ଅନୁଗୁଳ ଭାୟା ରିଆମାଳ ଗଲେ ଚିକିଣିଘାଟି ବୋଲି ଏକ ସ୍ଥାନ ରହିଛି । ଏଇ ଚିକିଣିଘାଟିଠାରୁ ସହର ଓ ପ୍ରଧାନପାଟ ଜଳପ୍ରପାତ ତଥା ପାହାଡ଼ ଜଙ୍ଗଲର ମନୋରମ ଦୃଶ୍ଯ ଦେଖିବାକୁ ମିଳେ। ସ୍ଥାନୀୟ ଲୋକଙ୍କ ଦ୍ଵାରା ଏଠାରେ ଏକ ୱାଚ ଟାୱାର ନିର୍ମାଣ ପାଇଁ ସରକାରଙ୍କ ନିକଟରେ ବହୁ ବର୍ଷ ଧରି ଦାବି ହେଇ ଆସୁଛି।

ସେହିପରି ସମ୍ବଲପୁରକୁ ଯାଇଥିବା ଜାତୀୟ ରାଜପଥରୁ ରିଆମାଳ ବ୍ଲକକୁ ଯିବା ରାସ୍ତାର ବାମପଟରେ ଚିକିଣି ଘାଟି ପୂର୍ବରୁ ଝାଡ଼େଶ୍ଵର ଭଗଵାନଙ୍କର ମନ୍ଦିର ଅବସ୍ଥିତ । ଏହି ଝାଡ଼େଶ୍ବର ମନ୍ଦିରଟି ଦେବଗଡ ସହର ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ । 


ଏହି ମନ୍ଦିରଟି ବାମଣ୍ଡା ରାଜବଂଶୀୟ ରାଜା ବ୍ରଜସୁନ୍ଦର ଦେବଙ୍କ ଦ୍ଵାରା ୧୮୫୪ ମସିହାରେ ନିର୍ମିତ ଏବଂ ଏହା ତତ୍କାଳୀନ ବାମଣ୍ଡା ରାଜ୍ୟର ପୁରାତନ ମନ୍ଦିର ମଧ୍ୟରୁ ଅନ୍ଯତମ । ଏଠାରେ ପୂଜିତ ଦେବ ଦେବ ମହାଦେବ । ଲିଙ୍ଗଟି ସ୍ଵୟଂଭୂ ଯାହା କି କାହା ଦ୍ଵାରା ସ୍ଥାପିତ ହୋଇ ନାହାନ୍ତି । ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ।


ଚିଣିକାଘାଟି ପରି ଦେବଗଡ଼ ଜିଲ୍ଲାରେ ଆଉ ଏକ ଘାଟି ଅଛି କଟାସର ଘାଟି । ଦେବଗଡ ଅନୁଗୋଳ ରାଜରାସ୍ତାର ୪୫ କିଲୋମିଟର ବ୍ଯବଧାନରେ ଅବସ୍ଥିତ କଟାସର ଘାଟି । ଏହା କାଙ୍କରଖୋଲ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୂକ୍ତ । ସଂରକ୍ଷିତ ଜଙ୍ଗଲ ହୋଇ ଥିବାରୁ କଟାସର ଘାଟି ସ୍ଥଳରେ ନିଘଞ୍ଚ ବନରାଜି ଦୃଷ୍ଟି ଗୋଚର ହୋଇଥାଏ । ଏହି ଘାଟିର ଶୀର୍ଷରେ ଅବସ୍ଥିତ ମା ବନଦୂର୍ଗାଙ୍କ ମନ୍ଦିର । ବନଦୂର୍ଗାଙ୍କ ପୃଷ୍ଠ ଦେଶରୁ ପ୍ରବାହିତ ହେଉଛି ଚିରସ୍ରୋତା ସ୍ରୋତସ୍ଵିନୀ । ଏହାର ଜଳକୁ ଅଧୁନା କଂକ୍ରିଟ କୁଣ୍ଡ ଦ୍ଵାରା ଆବଦ୍ଧ କରାଯାଇ ମନ୍ଦିର ବାତାବରଣକୁ ଆହୁରି ଆନନ୍ଦ ପ୍ରଦାୟକ କରାଯାଇପାରିଛି। ସ୍ରୋତସ୍ଵିନୀର ଅପର ପାର୍ଶ୍ଵରେ ଦେବ ଦେବ ମହାଦେବଙ୍କ ଭବ୍ୟ ମନ୍ଦିର ଏବଂ ଗୋଟିଏ ମଣ୍ଡପ ନିର୍ମାଣ କରାଯାଇଛି ।

କଟାସର ଘାଟି ଠାରୁ ଦେବଗଡ ଦିଗରେ ଅଗ୍ରସର ହେଲେ ୨ କିଲୋମିଟର ଅନ୍ତରରେ ରାଜରାସ୍ତାର ଦକ୍ଷିଣ ଦିଗରେ ଅବସ୍ଥିତ ସନାତନ ହିନ୍ଦୁ ଧର୍ମର ଆଶ୍ରମ ମଣ୍ଡଳ । ଏହି ଆଶ୍ରମ ରେଙ୍ଗାଳପାଲି ଗ୍ରାମରେ ଅବସ୍ଥିତ ହୋଇଥିବାରୁ ଏହା ରେଙ୍ଗାଳପାଲି ମଠ ନାମରେ ନାମିତ । ମଠର ପରିସୀମା ମଧ୍ୟରେ ସାଧୁ ସନ୍ୟାସୀମାନଙ୍କ ପ୍ରଚେଷ୍ଟା ବଳରେ ପୁଷ୍ପ ଉଦ୍ୟାନ ଓ ପନିପରିବା ବଗିଚା ବେଶ୍ ଆକର୍ଷଣୀୟ । ସାଧୁସନ୍ୟାସୀ ମାନଙ୍କ ସାଧନା, ସ୍ଵାଧ୍ୟାୟ ହିନ୍ଦୁ ଧର୍ମାନୁସାରେ ପରିଚାଳିତ ।

କେବଳ ଘାଟି ହିଁ ନୁହେଁ ବରଂ ଦେବଗଡ଼ ଜିଲ୍ଲାରେ ଅନେକ ସୁନ୍ଦର ସୁନ୍ଦର ଜଳପ୍ରପାତ,ଝରଣା ତଥା ଗିରି ନଦୀ ମଧ୍ୟ ରହିଛି ଯାହାର ମନୋରମ ପାର୍ବତ୍ୟ ରୂପ ଅତ୍ୟନ୍ତ ମନୋହର । 

ଦେବଗଡ ଜିଲ୍ଲା ସଦର ମହକୁମାଠାରୁ ଜାତୀୟ ରାଜପଥରେ ପୂର୍ବାଭିମୁଖେ ଗଲେ ରାଜରାସ୍ତା ପାର୍ଶ୍ଵରେ ଜିଲ୍ଲାର ଶେଷ ଗ୍ରାମ ଠିଆନାଳ ପଡିଥାଏ । ଏହି ଗ୍ରାମଟି ଯୌତୁକନାଳ ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଏହି ଗ୍ରାମ ମଧ୍ୟ ଦେଇ ଉତ୍ତର ଦିଗକୁ ଏକ ରାସ୍ତା ପାଉଡି ପାହାଡ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଯାଇଛି । ଏହି ରାସ୍ତାରେ ପ୍ରାୟ ୨୦ ରୁ ୨୨ କିଲୋମିଟର ଗଲେ ପଡେ ଟାଇଁସିରା ଗ୍ରାମ । ପଥ ମଧ୍ୟରେ ବଡ ଜନବସତି ଭାବରେ ଗୁରୁସଙ୍ଗ ଓ ସରୁଆଳି ଗ୍ରାମ ପଡିଥାଏ । ଟାଇଁସିରା ଗ୍ରାମରେ ଅବସ୍ଥିତ ଦରଗଡି ପର୍ଯ୍ୟଟନ କ୍ଷେତ୍ର । ଟାଇଁସିରା ଗ୍ରାମର ଉତ୍ତର ପୁର୍ବରେ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା, ପୂର୍ବ ଓ ଦକ୍ଷିଣରେ ଅନୁଗୋଳ ଜିଲ୍ଲା ଓ ପଶ୍ଚିମରେ ଦେବଗଡ ଜିଲ୍ଲାର ସୀମା ସରହଦ ରହିଛି । ସଂକ୍ଷେପରେ କହିବାକୁ ଗଲେ , ଟାଇଁସିରା ଗ୍ରାମଟି ତିନୋଟି ଜିଲ୍ଲାର ସୀମା ସରହଦରେ ଅବସ୍ଥିତ ଏକ ପାର୍ବତ୍ୟ ଗ୍ରାମ । ଗ୍ରାମର ଚତୁଃପାର୍ଶ୍ଵ ନିଘଞ୍ଚ ବନରାଜି ତଥା ଆକାଶଛୁଆଁ ପର୍ବତ ଦ୍ୱୟ ମଧ୍ୟରେ ପ୍ରାକୃତିକ ଶୋଭାଶ୍ରୀ ବିମଣ୍ଡିତ । ପର୍ବତ ଦ୍ୱୟର ଗିରି ଗହ୍ଵର ଭେଦ କରି ଏକ ଚିରସ୍ରୋତା ଝରଣା ପ୍ରବାହିତ ହୋଇ ଗ୍ରାମର ଜଳାଭାବ ଦୂର କରିବା ସହ କୃଷି କାର୍ଯ୍ୟରେ ସାହାଯ୍ୟ କରୁଅଛି । ଏହି ଝରଣା କୂଳରେ ପ୍ରାକୃତିକ ପରିବେଶ ମଧ୍ୟରେ ଏକ ବିଶାଳକାୟ ପ୍ରସ୍ତର ଚଟାଣ ରହିଛି । ଏହି ଦରଗଡି ଝରଣା ନିମ୍ନ ପ୍ରଦେଶକୁ ପ୍ରବାହିତ ହୋଇ ଯୌତୁକ ନାଳ ନାମରେ ବ୍ରାହ୍ମଣୀ ନଦୀରେ ମିଶିଛି । ବାସ୍ତବରେ ଦରଗଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ ଓ ଅନୁପମ । କବି, ଲେଖକ, ପର୍ଯ୍ୟଟକମାନଙ୍କ ନିମିତ୍ତ ଅପାଶୋରା ଅନୁଭୂତିର ପର୍ଯ୍ୟଟନ କ୍ଷେତ୍ର ହେଉଛି ଦରଗଡି ।


ନବ ନିର୍ମିତ ଦେବଗଡ ଜିଲ୍ଲାର ଉତ୍ତର ଦିଗରେ ପ୍ରାଚୀର ସଦୃଶ୍ୟ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ । କୈଦନ୍ତା ପର୍ବତ ମାଳର ସପ୍ତକୁଣ୍ଡ ମଧ୍ୟ ଦେଇ ପାଞ୍ଚ କିଲୋମିଟର ପାର୍ବତ୍ଯ ପଥ ଅତିକ୍ରମ କରି ଏହା ପ୍ରବାହିତ ହେଊଅଛି। ଏହାର ଗତି ପଥରେ ମା-ଝିଅ କୁଣ୍ଡ ଓ କବାଟ ଦ୍ଵାର ଦେଇ ଏହା ଲମ୍ପ ପ୍ରଦାନ କରି ପ୍ରପାତ ସୃଷ୍ଟି କରିଛି । ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ପ୍ରପାତ ନିକଟସ୍ଥ ବସନ୍ତ ନିବାସରେ ଅନ୍ୟ ଋତୁରେ ବସନ୍ତର ଅନୁଭୂତି ଆସିଥାଏ । ଏହି ପ୍ରାକୃତିକ ଶୋଭା ବିମଣ୍ଡିତ ସ୍ଥାନରେ ଅଧିଷ୍ଠିତା ଦେବଗଡର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ଵରୀ ।

ପ୍ରଧାନପାଟ ର ନୈସର୍ଗିକ ସୌନ୍ଦର୍ଯ୍ୟ କବି, କୋବିଦ, ଦର୍ଶକ ତଥା ଭାବୁକମାନଙ୍କୁ କରିଥାଏ ଆତ୍ମବିଭୋର । କବି ପଦ୍ୟାଳଙ୍କାର ପଣ୍ଡିତ ଶ୍ରୀ ଦାମୋଦର ମିଶ୍ରଙ୍କ ଭାଷାରେ

” ତୁ ଅଟୁ ବାମଣ୍ଡା ସୁଷମା ଭଣ୍ଡାର,
ବିଶାଳ ଉତ୍କଳ ଶାନ୍ତି ଲୀଳାଗାର
ଯେ ଦେଖିଛି ଥରେ ତୋ ରୁକ୍ଷ ମୋହନ,
ପ୍ରାଣ ଥିଲେ ସେ କି ହେବ ବିସ୍ମରଣ । “

ଦେବଗଡ ସହରରୁ ପ୍ରଧାନ ପାଟ ଯିବାରାସ୍ତାର ବାମ ପାର୍ଶ୍ଵରେ ଅଧିଷ୍ଠିତ ଅଛନ୍ତି ଗିରି ଗୋବର୍ଦ୍ଧନ । ତଦୀୟ ମନ୍ଦିର ନିର୍ମାଣ କରିଥିଲେ ରାଜା ବ୍ରଜସୁନ୍ଦର ଦେବ (୧୮୩୧-୧୮୬୮) । ଏହି ମନ୍ଦିରର ଅନତି ଦୂରରେ ଅବସ୍ଥିତ ଓ ପୂଜିତ ଚମ୍ପକେଶ୍ଵର ମହାଦେବ । ପ୍ରଧାନପାଟର ଅନ୍ଯତମ ଆକର୍ଷଣ ହେଲା ବସନ୍ତ ନିବାସ ଓ ଲଲିତବସନ୍ତ ନିବାସ । ଏହି ଶୈଳନିବାସ ଦ୍ୱୟ ନିର୍ମାଣ କରିଥିଲେ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ (୧୯୦୩-୧୯୦୬)।


ଦେବଗଡ ସହରଠାରୁ ସମ୍ବଲପୁର ଯିବା ରାସ୍ତାରେ ୧୩ କିଲୋମିଟର ବ୍ଯବଧାନରେ କୈଳାଶ ଅବସ୍ଥିତ । ଏହିଠାରେ ଥିବା ଜଙ୍ଗଲ ପରିବେଷ୍ଟିତ ଉଚ୍ଚ ପର୍ବତ ଶ୍ରେଣୀ ଜନମନ ହରଣକାରୀ । ଏଠାରେ ପର୍ବତର ପାଦଦେଶରେ ରାଜା ଦିବ୍ୟଶଙ୍କର ସୁଢଳଦେବ (୧୯୧୬-୧୯୨୦) ନିର୍ମାଣ କରିଥିଲେ ଏକ ମନୋରମ ଶୈଳନିବାସ । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ କୈଳାସ ପ୍ରକୃତି ମାତାର ଏକ ଅନବଦ୍ୟ ଅବଦାନ ।


ପ୍ରଧାନପାଟ ଜଳପ୍ରପାତର ପଶ୍ଚିମକୁ ୨ କିଲୋମିଟର ଅନ୍ତରରେ ରହିଛି ଅନ୍ୟ ଏକ ନିର୍ଝରିଣୀ କୋରଡକୋଟ । ଏହାର ଜଳକୁ ବ୍ୟବହାର କରି ବାମଣ୍ଡା ରାଜା ସଚ୍ଚିଦାନନ୍ଦ ଏଠାରେ ଏକ ଜଳବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଥିଲେ । ଏହା ଏସିଆ ମହାଦେଶର ଦ୍ଵିତୀୟ ଜଳ ବିଦ୍ୟୁତ କେନ୍ଦ୍ର । ବର୍ତ୍ତମାନ ଏହାର ମୁକସାକ୍ଷୀ ରୂପେ କିଛି ଲୌହ ନଳ ଏବଂ ଏହାର ପ୍ରକୋଷ୍ଠଟି ଦଣ୍ଡାୟମାନ । ପ୍ରପାତ ଜଳରେ ନିମ୍ନ ଦେଶରେ ଥିବା ଓଡିଶା ଉଦ୍ୟାନ ବିଭାଗର ଉଦ୍ୟାନ ତଥା ପାଖରେ ଥିବା ଚାଷ ଜମି ପରିପୁଷ୍ଟ । କୋରଡ କୋଟ ଠାରେ ରହିଛି “ସତୀକୁଣ୍ଡ” । ଯାହାକି ବାମଣ୍ଡାର ୨୨ ତମ ରାଜା ସର୍ବେଶ୍ଵର ଦେବଙ୍କ ଅକାଳ ବିୟୋଗରେ ରାଣୀ ଚନ୍ଦ୍ରକୁମାରୀ ଦୁଃଖରେ ମ୍ରିୟମାଣ ହୋଇ ରାଜାଙ୍କ ଚିତାନଳରେ ଝାସ ଦେଇଥିବାର ସ୍ମାରକୀ ବହନ କରିଛି ।

ଘଞ୍ଚ ବନାନୀ ଦ୍ଵାରା ପରିବେଷ୍ଠିତ ତଥା ସପ୍ତ ପାହାଡର ମିଳନସ୍ଥଳୀ କୋରଡକୋଟ ଓ ପ୍ରଧାନପାଟ ଜଳପ୍ରପାତର ଜଳଧାରା ଦେବଗଡ ସହରର ଜନସାଧାରଣଙ୍କ ଜୀବନଧାରା ରୂପେ ପରିଚିତି ଲାଭ କରିଛି । ବିଜ୍ଞାନ ବିନୋଦ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବଙ୍କ ରାଜତ୍ଵ ସମୟରେ ୧୯୦୫ ମସିହାରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଟିକାୟତ ଦିବ୍ୟଶଙ୍କର ଦେବଙ୍କ ଶୁଭ ବ୍ରତୋପନୟନ ଅବସରରେ ଇଂଲଣ୍ଡରୁ ଦୁଇଟି ଡାଇନାମୋ ଓ ଷ୍ଟିମ୍ ଇଞ୍ଜିନ୍ ଆଣି ରାଜା ନବର ପରିସରରେ ଗୋଟିଏ ପାୱାର ହାଉସ ନିର୍ମାଣ କରି ସହର ଓ ରାଜପ୍ରସାଦକୁ ଆଲୋକିତ କରାଇଥିଲେ । ଏହି ଷ୍ଟିମ୍ ଇଞ୍ଜିନ୍ ନିମନ୍ତେ ପ୍ରଚୁର ପରିମାଣର କାଠ ଆବଶ୍ୟକ ହେଉଥିବାରୁ ଜଙ୍ଗଲ କ୍ଷୟ ହେବାର ଆଶଙ୍କା କରି ବିଜ୍ଞାନ ଅନୁରାଗୀ ରାଜା ସଚ୍ଚିଦାନନ୍ଦ ୧୮୯୭ ମସିହାରେ ଇଂରେଜ ମାନଙ୍କ ଦ୍ଵାରା ଦାର୍ଜିଲିଂରେ ନିର୍ମିତ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଅନୁକରଣରେ ଏଠାରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଇଥିଲେ । ଏହି ପ୍ରକଳ୍ପଟି କଲିକତାର ଅସ୍କାର କମ୍ପାନୀର ଜଣେ ୟୁରୋପୀୟ ଇଞ୍ଜିନିୟରଙ୍କ ସାହାଯ୍ୟରେ କୋରଡକୋଟଠାରେ ୧୯୧୫ ମସିହାରୁ ଆରମ୍ଭ ହୋଇ ୧୯୧୬ ମସିହାରେ ଜାନୁୟାରୀ ମାସରେ କାର୍ଯ୍ଯକ୍ଷମ ହୋଇଥିଲା । ଏହା ଏସିଆ ମହାଦେଶରେ ସେତେବେଳର ଦ୍ଵିତୀୟ ଜଳ ବିଦ୍ୟୁତ କେନ୍ଦ୍ର ଭାବରେ ସାରା ଭାରତରେ ଚହଳ ପକାଇଥିଲା । ଏହି ସମ୍ବାଦ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ (୨୬/୩୫ ସଂସ୍କରଣ) ୧୯-୦୫-୧୯୧୫ ତାରିଖରେ ପ୍ରକାଶିତ ହୋଇଥିଲା । କୋରଡକୋଟ ଜଳଉତ୍ସଟି କୈଦନ୍ତା ପାହାଡର ପାଦଦେଶରୁ ଏକ ପ୍ରାକୃତିକ ଚିରସ୍ରୋତା ସ୍ରୋତରୁ ବାହାରି “କବାଟଦ୍ଵାର” ନିକଟରେ ଦୁଇଭାଗ ହୋଇ ଏକ ଧାର ପ୍ରଧାନପାଟ ଓ ଅନ୍ଯଟି କୋରଡକୋଟ ଧାରା ନାମରେ ପ୍ରବାହିତ ହୋଇଅଛି । କୋରଡକୋଟ ଜଳଧାରା ୧୯୧୬ ମସିହାରୁ ବିଦ୍ୟୁତ ଉତ୍ପାଦନରେ ନିୟୋଜିତ ହେବା ସହିତ ପୁରୁଣାଗଡର ଚାଷକାର୍ଯ୍ୟ ରେ ବ୍ୟବହୃତ ହୋଇ ଆସୁଛି ।

ଏହି ଜଳବିଦ୍ୟୁତ କେନ୍ଦ୍ର ବିଷୟରେ କେତୋଟି ଜ୍ଞାତବ୍ୟ ତଥ୍ୟ :
୧୨୦ ଫୁଟ୍ ଉଚ୍ଚରୁ ପ୍ରତି ଘଣ୍ଟାରେ ୨୮୦୦୦ ଗ୍ୟାଲନ୍ ଜଳ ଆସିଥାଏ ।
ଟର୍ବାଇନ୍ ଟି ୧୧.୫ କିଲୋ ହର୍ସ ପାୱାର ଶକ୍ତି ସମ୍ପନ୍ନ ।
ଡାଇନାମୋ ଟି ୬.୫ କିଲୋୱାଟ୍ କ୍ଷମତା ସମ୍ପନ୍ନ ।
ଟର୍ବାଇନ୍ କୁ ଆସୁଥିବା ପାଣି ନଳର ବ୍ଯାସ ୯ ଇଞ୍ଚ ।
ଏଠାରୁ ଉତ୍ପନ୍ନ ବିଦ୍ୟୁତ ଦ୍ଵାରା ୩୦ କ୍ଯାଣ୍ଡେଲ୍ ପାୱାର ର ୧୪୦ ଟି ବଲ୍ବ , ୨୨ କ୍ଯାଣ୍ଡେଲ୍ ପାୱାର ର ୧୯୦ ଟି ବଲ୍ବ,, ୧୬ କ୍ଯାଣ୍ଡେଲ୍ ପାୱାରର ୨୮୦ ଟି ମେଟାଲିକ୍ ଫିଲାମେଣ୍ଟର ବଲ୍ବ ସବୁ ୨୨୦ ଭୋଲ୍ଟ ର ଆଲୋକ ପ୍ରଦାନ କରୁଥିଲା ।
ଏହି କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ରରୁ ୧୯୭୦ ମସିହା ପର୍ଯ୍ୟନ୍ତ ବିଦ୍ୟୁତ ଦେବଗଡ ସହରକୁ ଆଲୋକିତ କରୁଥିଲା । ପରେ ଏହା ସହ ଦୁଇଗୋଟି ଡିଜେଲ୍ ଇଞ୍ଜିନ୍ ସାହାଯ୍ୟରେ ମଧ୍ୟ ବିଦ୍ୟୁତ ସରବରାହ କାର୍ଯ୍ୟକାରୀ ହେଉଥିଲା ।
୧୯୭୧ ମସିହାରେ ରାଉରକେଲା ବାଟ ଦେଇ ହୀରାକୁଦ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ସରବରାହ ଆରମ୍ଭ ହେବା ପରେ କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ର ଓ ଡିଜେଲ୍ ଇଞ୍ଜିନ୍ କୁ ବନ୍ଦ କରିଦିଆଗଲା ।

ଅନ୍ୟ ଏକ ଜଳପ୍ରପାତ ଦେଓଝର ପ୍ରପାତ 
କୈଳାଶ ଠାରୁ ଜାତୀୟ ରାଜପଥରେ ସମ୍ବଲପୁର ଅଭିମୁଖେ ୬-୭ କିଲୋମିଟର ଅନ୍ତରରେ ଥିଵା ବରଘାଟ ନିକଟରେ ଅଵସ୍ଥିତ । ବରଘାଟଠାରୁ ଦକ୍ଷିଣ ଦିଗକୁ ଯାଇଥିବା ପିଚୁ ରାସ୍ତାର ୨ କିଲୋମିଟର ପରେ ବରଘାଟ ନାଳରେ ସୃଷ୍ଟି ହୋଇଛି ସୁଦୃଶ୍ୟ ଜଳ ପ୍ରପାତ ଦେଓଝର । ଚତୁର୍ପାର୍ଶ୍ୱ ଘଞ୍ଚବନାନୀର ଶ୍ୟାମଳିମା ତଥା ପ୍ରପାତର ମନ୍ଦ୍ର ନାଦ ପର୍ଯ୍ୟଟକମାନଙ୍କ ପ୍ରାଣରେ ଭରିଦିଏ ଅଫୁରନ୍ତ ଉଦ୍ଦୀପନା ଓ ପ୍ରେରଣା । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

କେବଳ ନଦୀ,ଝରଣା ଓ ଜଳପ୍ରପାତ ହିଁ ନୁହେଁ ଦେବଗଡ଼ ଜିଲ୍ଲାରେ ଅନେକ ଧର୍ମସ୍ଥଳୀ ମଧ୍ୟ ରହିଛି । 


ଶ୍ରୀ ଜଗନ୍ନାଥ ମନ୍ଦିର ଦେବଗଡ ସହରର ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ । ଏହି ମନ୍ଦିରଟି ଦେବଗଡ ସହର ମଧ୍ୟରେ ଥିବା ସର୍ବ ପୁରାତନ ମନ୍ଦିର । ଏହା ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ଵାରା ୧୭୦୫ ମସିହା ରେ ନିର୍ମିତ ହୋଇଛି । ଏହି ମନ୍ଦିରଟି କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳା ଅନୁଯାୟୀ ନିର୍ମିତ ହୋଇଛି । ମନ୍ଦିରଟିର ୪ ଟି ମୁଖ୍ୟ ଅଙ୍ଗ ରହିଛି , ଯଥା : ଗର୍ଭ ଗୃହ, ନାଟ୍ୟଶାଳା, ଯଜ୍ଞଶାଳା ଓ ଭୋଗ ମଣ୍ଡପ । ଏହାର ଚତୁର୍ପାର୍ଶ୍ୱରେ ସିମେଣ୍ଟ ନିର୍ମିତ ପ୍ରାଙ୍ଗଣ ରହିଛି । ଏହାଛଡା ଏହି ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବାଦେବୀ ମାନଙ୍କର ନିଜସ୍ଵ ମନ୍ଦିରମାନ ରହିଛି । ମୁଖ୍ୟ ଉତ୍ସବ ଗୁଡିକ ମଧ୍ୟରେ ରଥ ଯାତ୍ରା ଏବଂ ବାହୁଡା ଯାତ୍ରା ଅନ୍ଯତମ ।

ଦେବଗଡ଼ ଜିଲ୍ଲା ଓଲଟ ବଟବୃକ୍ଷ ପାଇଁ ମଧ୍ୟ ଯହ ଲୋକପ୍ରିୟ । ଏହି ଓଲଟ ବଟ ଦେବଗଡ ସହର ଅନ୍ତର୍ଭୁକ୍ତ ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ ଏକ ଭିନ୍ନ ପ୍ରଜାତିର ଏବଂ ଦୁର୍ଲଭ ତଥା ଦୁଷ୍ପ୍ରାପ୍ୟ ବରଗଛ । ସମ୍ବଲପୁର ଦିଗରୁ ଦେବଗଡ ସହରକୁ ପ୍ରବେଶ କରିବା ସମୟରେ ସ୍ଵାଗତ କରିବା ମୁଦ୍ରାରେ ଦଣ୍ଡାୟମାନ ଏହି ବରଗଛଟି । ଏହାର ପତ୍ର ଗୁଡିକ ଓଲଟା । ଏହି ବରଗଛଟି ଏଠାକାର ଜନସାଧାରଣଙ୍କ ଧାର୍ମିକ ଭାବନା ସହ ସଂଯୁକ୍ତ ଏବଂ ପୂଜିତ ।

ଏହିପରି ଆନେକ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଏହାକୁ ଦେଵଙ୍କ ଗଡ଼ ଦେବଗଡ଼ କୁହାଯାଏ। ଯଥାର୍ଥରେ ଦେବଗଡ଼ ପୃଥିବୀରେ ଭୂସର୍ଗ କିନ୍ତୁ ଏତେ ସବୁ ପ୍ରାକୃତିକ ବିଭବ ଥାଇ ବି ସ୍ବାଧୀନତାକୁ ୭୫ ବର୍ଷ ହୋଇଗଲାଣି ହେଲେ ଦେବଗଡ଼କୁ ରେଳଷ୍ଟେସନଟିଏ ଆଜିଯାଏଁ ମିଳିଲା ନାହିଁ । ଦେବଗଡ଼ ଜିଲ୍ଲାକୁ ରେଳ ଦ୍ଵାରା ସଂଯୋଗ କରାଯାଇଥିଲେ ଏଠାକାର ପର୍ଯ୍ୟଟନ ସ୍ଥଳୀ ଅଧିକ ଲୋକପ୍ରିୟ ହୋଇପାରନ୍ତା ଓ ପର୍ଯ୍ୟଟକ ମଧ୍ୟ ମାନସିକ ଶାନ୍ତି ପାଇ ଲାଭାନ୍ଵିତ ହୁଅନ୍ତେ । 

(ତଥ୍ୟ ଓ ଚିତ୍ର ~ ଅନ୍ତର୍ଜାଲରୁ ସଂଗୃହୀତ)

Thursday, October 13, 2022

•ଜାତୀୟ ସଂଗୀତ(ଶ୍ରୀକୃଷ୍ଣମୋହନ ପଟ୍ଟନାୟକ)•

୧୯୦୬ ଗ୍ରେଗୋରୀୟ ଵର୍ଷରେ ହୀରାଖଣ୍ଡ ଅଞ୍ଚଳର ସମ୍ବଲପୁରଠାରେ ଉତ୍କଳ ସମ୍ମିଳନୀର ଏକ ଅଧିଵେଶନ ଅନୁଷ୍ଠିତ ହୋଇଥିଲା । ସେହି ଅଧିଵେଶନରେ ଜାତୀୟ କଵି ଶ୍ରୀକୃଷ୍ଣମୋହନ ପଟ୍ଟନାୟକ ତାଙ୍କର ଏକ ଲୋକପ୍ରିୟ ଜାତୀୟ ଗୀତ ପଠନ କରାଯାଇଥିଲା । 

ତାହା ନିମ୍ନରେ ପ୍ରଦତ୍ତ ହେଲା ...



ଆଜି ସାଗରେ ଭୂଧରେ ପ୍ରାନ୍ତରେ
ଅମ୍ବରେ ଶୁଭୁ ଉତ୍କଳର ଜୟଗୀତି ।୦। 

ଯାଇଛି ଅତୀତ ହଜିନାହିଁ ଵୀଣା
ଦବି ନାହିଁ ତାନ ହେଲେହେଁ ପ୍ରାଚୀନା,
ନଵ ଜାଗରଣେ ନଵ ଗୁଞ୍ଜରଣେ
ଉଠ ସେ ତନ୍ତୁରେ ନଵ ସ୍ଫୀତି ।୧। 

ଡାକି ହିମାଚଳ କହୁ ସୀମାଚଳେ
କି ସଙ୍ଗୀତ ସ୍ଫୁରେ ଚିଲିକା କଲ୍ଲୋଳେ,
ମୋ ହିମ ଗଳଇ ତୋ ସୀମା ଟଳଇ ଦେଖି ଉତ୍କଳର ପୁଣ୍ୟପ୍ରୀତି ।୨। 

ଶିଶୁ ଦେଉ ତାର ଉଷାରୁଣ ଵିଭା
ଦେଉ ଯୁଵାଜନ ମଧ୍ୟାନ୍ନ-ପ୍ରତିଭା,
ଜ୍ଞାନରଶ୍ମୀ ଶେଷ ଦେଉ ପକ୍ଵ-କେଶ ଭାଙ୍ଗୁ ସାଧନାର ଭ୍ରାନ୍ତ ରୀତି ।୩। 

ଶରତ ସଜାଉ ଚାରୁ ପକ୍ଵଶାଳୀ
ଵସନ୍ତ ବଜାଉ ଦୋଳ ଘଣ୍ଟାଵଳି
ଶୁଭାଶିଷ ଘେନି ରଵି ଶଶି ବେନି
 ଉଠନ୍ତୁ ବୁଡ଼ନ୍ତୁ ନିତି ନିତି ।୪। 

ଅଛି ହୀରାଖଣ୍ଡ ଅଛି ସ୍ବର୍ଣ୍ଣରେଖା
ମନ୍ଦିରେ ମନ୍ଦିରେ ଇତିହାସ ଲେଖା
କୈଵଲ୍ୟ ଵିଧାନେ ଏବେ ହେଁ ଶ୍ରୀଧାମେ ଅଛି ପ୍ରଚାରିତ ସାମ୍ୟନୀତି ‌ ।୫। 





ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...