Tuesday, October 31, 2023

ଗାଆଁ କଳି

ଆମ କନ୍ତିଓ ପୁଟସାହି ପଞ୍ଚାୟତରେ ମୋଟ ତିନୋଟି ଗାଆଁ; କନ୍ତିଓ, ପୁଟସାହି ଓ ଜକା । କନ୍ତିଓରେ ତିରିଶରୁ ଅଧିକ ଜାତି ଥିଲାବେଳେ ପୁଟସାହି ଓ ଜକାରେ କଳତୁଆ ଚଷା(ସମ୍ଭଵତଃ କୁଳତା ଚଷାଙ୍କ ଗୋଷ୍ଠୀର) ଅଧିକ ସଂଖ୍ୟାରେ ଵସଵାସ କରନ୍ତି । କନ୍ତିଓ ତଥା ପୁଟସାହି,ଏଇ ଦୁଇ ଗାଆଁ ମଧ୍ୟରେ ମଝିରେ ମଝିରେ ଵିଵାଦ ହୋଇଯାଏ । ସେତେବେଳେ ଦୁଇ ଗାଆଁ ମଧ୍ୟରେ ଭାରତ-ପାକିସ୍ଥାନ ଭଳି ହିଂସା ଦ୍ଵେଷ ଘୃଣାର ପରିଵେଶ ଜାତ ହୋଇଯାଏ । ଆଜକୁ ପ୍ରାୟ ବାର ତେର ଵର୍ଷ ତଳର ଘଟଣା । କନ୍ତିଓ ପୁଟସାହି ହାଇସ୍କୁଲ ଛକ ପାଖରେ କେତେକ ଯାଗାକୁ ନେଇ କନ୍ତିଓ ଆଉ ପୁଟସାହି ଗାଆଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇସାରିଥାଏ । ଏହାର କେତେକ ଦିନ ପରେ ଦୁଇ ଗାଆଁ ମଧ୍ୟରେ ଘୃଣା ଦ୍ଵେଷ ଆହୁରି ବଢ଼ିଗଲା । ଆମ ଭଉଣୀର ବାହାଘର ପୂର୍ଵରୁ ଆସବାବପତ୍ର ଗଢ଼ାଯିଵାକୁ ପୁଟସାହି ଗାଆଁର ଜଣେ ବଢ଼େଇଙ୍କୁ କାମ ଦିଆଯାଇଥାଏ । କିନ୍ତୁ ଆମରି ଗାଆଁ ଲୋକ ତାହା ହେଵାକୁ ଦେଲେ ନାହିଁ । ଉଭୟ ଗାଆଁର ଲୋକ ପରସ୍ପରର ଗାଆଁକୁ ଯିବେ ନାହିଁ ବୋଲି ଗୋଟେ ନିୟମ କରିଦିଆଗଲା । ଫଳତଃ ପୁଟସାହି ପରିଵା ବେପାରୀ ତଥା କ୍ରେତା ଆଉ କନ୍ତିଓ ମଙ୍ଗଳବାର ହାଟକୁ ଆସି ପାରିଲେ ନାହିଁ । ମଣିଷଙ୍କ ପରେ ଜୀଵଙ୍କ ଗାଆଁ ପ୍ରଵେଶ ଉପରେ ବ୍ୟାନ୍ ଲାଗିଲା । ଉଭୟ ଗାଆଁର ଗାଈ,ବଳଦ ଅନ୍ୟ ଗାଆଁକୁ ଯାଇ ବନ୍ଧା ହେଲେ । ବୁଲାକୁକୁର ଆଉ ବିଲେଇଙ୍କୁ ବି ଲୋକେ ଅନ୍ୟ ଗାଆଁରୁ ଆସିଲେ ତଡ଼ି ତଡ଼ି ପିଟିଲେ । ଅଵଶ୍ୟ ପକ୍ଷୀମାନଙ୍କ ଉପରେ କେହି କଟକଣା ଲଗାଇ ପାରିଲେ ନାହିଁ । ଏହି ଵିଵାଦ ଵର୍ଷେ ଦେଢ଼ ଵର୍ଷ କାଳ ରହିଲା କିନ୍ତୁ ନିର୍ଵାଚନରେ ପୁଟସାହିର ଲୋକ ସରପଞ୍ଚ ହେଵାରୁ ଦ୍ଵେଷ ହିଂସାଭାଵ କିଞ୍ଚିତ୍ କମ୍ ହୋଇଥାଏ । ଏହି ସମୟରେ ମୁଁ ଗାଆଁକୁ ଯାଇଥାଏ । ଆଜିକାଲି ସିନା ମୁଁ ବହିପଢ଼ା ଓ ଲେଖାଲେଖି ଭିତରେ ପଶି ସେତେ ଗାଆଁ ବୁଲୁ ନାହିଁ କିନ୍ତୁ ସେ ସମୟରେ ଗାଆଁକୁ ଆସିଲେ ସାଇକେଲ ଧରି ବୁଲାବୁଲି କରୁଥିଲି । ଦିନେ ମୁଁ ସାଇକେଲ ଧରି ପୁଟସାହି ଗାଆଁର ଉପରତଇଳା ସାହିରେ ବୁଲୁଥିଲା ବେଳେ ଜଣେ ବୁଢ଼ା ପଚାରିଲା ହଇରେ ପୁଅ ତୋ ଘର କଉଠି, ମୁଁ ତାକୁ କହିଲି ମୋ ଘର ଭାରତରେ ଆଉ ମୁଁ ଭାରତୀୟ ! ବୁଢ଼ା କୁଟୀଳ ହସ ହସିଲା ସତ ହେଲେ କିଛି କହିଲା ନାହିଁ । ସେଦିନ ସେମିତି କିଛି ହେଲା ନାହିଁ କିନ୍ତୁ ଦୁଇ ତିନିଦିନ ପରେ ଗୋଟିଏ ବଡ଼ ଧରଣର ଘଟଣା ହଠାତ୍ ମୋହରି ଆଖି ଆଗରେ ଘଟିଗଲା । 

କନ୍ତିଓ ତଥା ପୁଟସାହି ଗାଆଁର ମଝିରେ ପଞ୍ଚାୟତ ସଡ଼କର ପଶ୍ଚିମ(ମାନଚିତ୍ରରେ ଦକ୍ଷିଣ)କୁ ଗୋଟିଏ ଗାଈଗୋଠ ଅଛି । ସେ ଗୋଠରେ କିଛି ପିଲା କ୍ରିକେଟ୍ ଖେଳୁଥାନ୍ତି ଏଵଂ ମୁଁ ଘରୁ ସାଇକେଲ ଧରି ହାଇସ୍କୁଲ କାଜୁଫିଲ୍ଡ ଆଡ଼େ ଯିଵାକୁ ବାହାରୁଥାଏ । ମୁଁ ଭାଲିଆତଇଳାକୁ ପଞ୍ଚାୟତ ସଡ଼କ ସହିତ ସଂଯୁକ୍ତ କରୁଥିଵା ଗ୍ରାମପଥରେ ତଥା ପୁଟସାହି ଦେଵୀପୀଠଙ୍କ ଉତ୍ତର(ମାନଚିତ୍ରରେ ପଶ୍ଚିମ)ରେ ଥାଏ ଏତିକି ବେଳେ ଦେଖିଲି ଗାଈଗୋଠ ମଧ୍ୟରେ କ୍ରିକେଟ୍ ଖେଳୁଥିଵା ଦୁଇଜଣ ପିଲାଙ୍କ ମଧ୍ୟରେ ଵିଵାଦ ହୋଇଗଲା । ମୁଁ ସେଇଠି ଅଟକି ଯାଇ କ'ଣ ହେଉଛି ଦେଖିଵା ଭିତରେ କନ୍ତିଓ ଗାଆଁର ଧୋବାସାହି(ଏବେ ନୂଆ ନାଆଁ କ'ଣ ଦେଇଛନ୍ତି ମୁଁ ଜାଣିନାହିଁ ଆଗେ ଆମେ ଧୋବାସାହି କହୁଥିଲୁ)ର ପିଲାଟିଏ ସହ ପୁଟସାହିର ମଝିସାହିରେ ରହୁଥିଵା ଗୋଟିଏ ପିଲାର ମାରପିଟ୍ ଲାଗିଗଲା । ଭାଲିଆତଇଳା ପଛପଟେ ଚିଞ୍ଚଭାଇଙ୍କ ଦୋକାନ ଥିଲା ଏଵଂ ସେଠାରେ କିଛି ଯୁଵ ବସିଥିଲେ । ସେମାନେ ଧାଇଁ ଯାଇ ପୁଟସାହିର ପିଲାଙ୍କୁ ଧରି ଆଣି କନ୍ତିଓ ପାଲା ପଡ଼ିଆରେ ବସେଇ ଦେଲେ । କନ୍ତିଓଟା ଯାକର ଲୋକ ସେଠି ଏକାଠି ହୋଇଗଲେ । ମାର ମାର ପିଟ ପିଟର ଧ୍ବନି ଶୁଣାଯାଉଥାଏ । ଲୋକେ ପାଗଳ ହୋଇଯାଇଥିଲେ । ଲୋକେ ବିଲ ବାଡ଼ିରୁ ଧାଆ ହାତୁଡ଼ି ପକେଇ ଦୌଡ଼ିଲେ,ଛାଡ଼ା ଫେରିଵାକୁ ଯାଇଥିଵା ଲୋକ ନିତ୍ୟକର୍ମ ଅଧାରୁ ଉଠି ଦୌଡ଼ିଲା । ଲୋକେ ଡକହକା ହୋଇ ପାଲା ପଡ଼ିଆକୁ ଯାଉଥାନ୍ତି । ମୁଁ ବି ଘରେ ସାଇକେଲ ରଖି ପାଲା ପଡ଼ିଆକୁ ଗଲି । ସେତେବେଳକୁ ପୂରା କନ୍ତିଓ ସେଠି ଏକାଠି ହୋଇଯାଇଥାଏ । ଏତିକିବେଳେ ପୁଟସାହିର ସରପଞ୍ଚ ତୁମିସିଂହାରୁ ପୋଲିସ ଧରି ସେଠାରେ ପହଞ୍ଚିଗଲା। ଲୋକେ ପଛଘୁଞ୍ଚା ଦେଲେ ନାହିଁ ଵରଂ ପୋଲିସଙ୍କୁ ପିଟିଵାକୁ କିଛି ଯୁଵକ ଉଦ୍ୟତ ହେଲେ । ଵୟସ୍କ ଲୋକେ ବୁଝାମଣା କରି ଯେମିତି ହେଲେ କଥାଟାକୁ ଶାନ୍ତ କଲେ । ତେବେ ସ୍ଥିତି ଶାନ୍ତ ହେଲା ଯାଏଁ ପୁଟସାହି ଉପ୍ରା ସ୍କୁଲରେ ପୋଲିସ ଦଳେ ରହି ନିଇତି କୁକୁଡ଼ା ମୋଡ଼ି ଖାଇଲେ ଏଵଂ କେତେକ ଦିନ ପରେ ବାହୁଡ଼ିଗଲେ । ମୋର ମନେ ଅଛି ସେତେବେଳେ ମୋ ଆଗରେ ମୋର କିଛି ଗାଆଁ ଭାଇ ଭଉଣୀ ପୁଟସାହି ଲୋକଙ୍କ ନିନ୍ଦା କରିଵାରୁ ମୁଁ ସେମାନଙ୍କୁ ରାଷ୍ଟ୍ରଵାଦ ଵିଷୟରେ କେତେକ କଥା କହି ନିଜର ଵିଚାର ପ୍ରକଟ କରିଥିଲି । 

ତେବେ ଉଭୟ ଗାଆଁ ମଧ୍ୟରେ ଏ ଵିଵାଦ ଗୋଟିଏ ଵ୍ୟକ୍ତିଗତ ଝଗଡ଼ାରୁ ଆରମ୍ଭ ହୋଇଥିଲା ବୋଲି ପରେ ଲୋକଙ୍କଠାରୁ ପଚାରି ବୁଝିଲି । ଆଜକୁ ପ୍ରାୟ ପଚାଶ ଵର୍ଷ ତଳେ ତଳକନ୍ତିଓ(ଵର୍ତ୍ତମାନ ଗ୍ରାମଠାରୁ ଦେଢ଼ କିମି ଦକ୍ଷିଣରେ ଵା ମାନଚିତ୍ରର ପୂର୍ଵରେ ବ୍ରାହ୍ମଣୀ ନଦୀ କୂଳରେ ପୁରୁଣା କନ୍ତିଓ । ଆଗେ ଏଇଠି ଗାଆଁ ଥିଲା, ଷାଠିଏ ଦଶକରେ ଲୋକେ ଉପରକୁ ଉଠି ଆସିଛନ୍ତି)ରେ ଦୁଇଜଣ ଲୋକଙ୍କ ମଧ୍ୟରେ ଶିଵମନ୍ଦିର କାହାର ଏହି ପ୍ରସଙ୍ଗରେ ଵିଵାଦ ହୋଇଯାଇଥିଲା । ପୁଟସାହିର ଲୋକ କହିଲା ଆମର,କନ୍ତିଓ ଲୋକ କହିଲା ଆମର । ଏହି ଵ୍ୟକ୍ତି ଵିଵାଦ କ୍ରମେ ପଞ୍ଚାୟତ ଵିଵାଦର ରୂପ ନେଲା । ସେବେଠାରୁ ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଗୋଟିଏ ହିଂସା ଦ୍ଵେଷ ଭାଵ ରହିଲା ଏଵଂ ମଝିରେ ମଝିରେ ଦେଖିଵାକୁ ମିଳିଲା । ଆଜକୁ ବାର ଵର୍ଷ ତଳର ଵିଵାଦ ବି ଗୋଟିଏ ଵ୍ୟକ୍ତିଗତ ଵିଵାଦ ହିଁ ଥିଲା କିନ୍ତୁ ତାକୁ ଗାଆଁ ଲୋକେ ଫେଣେଇ ପଞ୍ଚାୟତ ଵିଵାଦ କରିଵାକୁ ଚେଷ୍ଟା କରିଥିଲେ । 
ସୌଭାଗ୍ୟକୁ ଵର୍ତ୍ତମାନ ସମୟରେ ଉଭୟ ଗ୍ରାମ ମଧ୍ୟରେ ସେତେ ଵାଦଵିଵାଦ ନାହିଁ କିନ୍ତୁ କେଜାଣେ କେଉଁଦିନ ଦୁର୍ଭାଗ୍ୟ ଉପସ୍ଥିତ ହେଵ ଏଵଂ ପୁଣି କୋଉ ଗୋଟେ ଵ୍ୟକ୍ତିଗତ ଵିଵାଦ ଉଭୟ ଗାଆଁ ମଧ୍ୟରେ ସାମାଜିକ ସାଂସ୍କୃତିକ ଫାଟ ସୃଷ୍ଟି କରିଦେଵ ! ସାଧୁ ଏ ଵ୍ୟକ୍ତିଗତ ଵିଵାଦ ଗୋଟିଏ ଗୋଟିଏ ଦିଆସିଲି କାଠି ତାକୁ କୁଟାକାଠି ଲୁଣ୍ଡା ଧରେଇଲେ ବଢ଼େଇଲେ ସେ ପୂରା ଗାଆଁ ବି ଜଳେଇ ପାରେ । ଆଗରୁ ବି ଏମିତି ହୋଇଛି ଭଵିଷ୍ୟତରେ ବି ହେଵ !!!

Sunday, October 29, 2023

ଓଡ଼ିଶାର ଇତିହାସ ~ ୧(, ପ୍ରାଚୀନ ଉତ୍କଳ)

ଉତ୍କଳ ଶବ୍ଦର ଅର୍ଥ କରିଵାକୁ ଯାଇ ଅନେକ ଲେଖକ ପଥଭ୍ରଷ୍ଟ ହୋଇଛନ୍ତି । ଵିଶ୍ଵକୋଷ ଲେଖକଙ୍କ ପରି ସୁଯୋଗ୍ୟ ଲେଖକ ଉତ୍କଳ ଶବ୍ଦର ଅର୍ଥ ଭାରଵାହକ ବା ମୁଟେ
ବୋଲି ଲେଖିଛନ୍ତି । ଏ ଅର୍ଥ ଦେଖିଲେ ଲେକ ହାସ୍ୟ ସମ୍ବରଣ କରିପାରିଵ ନାହିଁ । ଉତ୍କଳ ଶବ୍ଦର ଅନେକ ଯୁକ୍ତିଯୁକ୍ତ ଅର୍ଥ ଥିଵାସ୍ଥଳେ ଲେଖକଙ୍କୁ ଏଡ଼େ ସହଜସିଦ୍ଧ ଅର୍ଥ ଦେଖାଗଲା କିପରି, ବୁଝାଯାଉନାହିଁ। ଉତ୍କଳ ଶବ୍ଦର ଅନେକ ପ୍ରାଚୀନ ଅର୍ଥ ଅଛି ।

(୧) ମନୁଙ୍କ ନାତି ଅର୍ଥାତ୍ ସୁଦ୍ୟୁମ୍ନଙ୍କ ପୁତ୍ର 'ଉତ୍କଳ' ନାମକ ରାଜା ଥିଲେ । ସେ ଯେଉଁ ଭୂଖଣ୍ଡ ଉପରେ ଗୁଜତ୍ଵ କରୁଥିଲେ ତାହାର ନାମ ଉତ୍କଳ । ପ୍ରଜାଙ୍କ ନାମାନୁସାରେ ଭୂଖଣ୍ଡର ନାମକରଣ ହୋଇଥଲା (ମତ୍ସ୍ୟପୁରଣ) । 

(୨)ଉତ୍କଳରେ କଳାଵିଦ୍ୟା ଶ୍ରେଷ୍ଠ,
ବଙ୍ଗୀୟ ଓ ପାଶ୍ଚାତ୍ୟ ପଣ୍ଡିତମାନେ ଏକଥା ମୁକ୍ତକଣ୍ଠରେ ସ୍ବୀକାର କରନ୍ତି । ଯେଉଁ ଦେଶର କଳାକୁଶଳତା ଉତ୍କୃଷ୍ଟ, ସେ ଦେଶର ନାମ ଉତ୍କଳ ହେଵା ସମିଚୀନ । 

(୩)ତ୍ରିବିଡ଼ଠାରୁ
ମତ୍ସବଂଶୀ ରାଜା ଅର୍ଜୁନଙ୍କ ଭାମ୍ରଶାସନ ମିଳିଛି । ତହିଁରୁ ଜଣାଯାଏ, ତଦାନୀନ୍ତନ ଉତ୍କଳର ରାଜା ତାଙ୍କର ଏକମାତ୍ର କନ୍ୟା ପଦ୍ମାଵତୀଙ୍କୁ ମୃତ୍ୟୁମାର୍ତ୍ତଣ୍ଡଙ୍କୁ ଵିଵାହ ଦେଇଥିଲେ ଏଵଂ ଜାମାତାଙ୍କୁ ଉଡ଼ବାଡ଼ି ଵା ଉଡ୍ର ଦେଶ ନାମକ ସ୍ଥାନର ରାଜତ୍ବ ଦେଇଥିଲେ । ଉତ୍କଳର ରାଜା ଅପୁତ୍ରିକ ଓ ମୃତ ହେଲେ ଏଵଂ ମୃତ୍ୟୁମାର୍ତ୍ତଣ୍ଡ ତଦାନୀନ୍ତନ ଉତ୍କଳମଣ୍ଡଳକୁ ଶାସନ କଲେ । ଉତ୍କଳ ଓ ଉଡ଼ବାଡ଼ିମଣ୍ଡଳ ଓଡ଼ିଶା ନାମରେ କଥିତ ହେଲା । 

(୪) ଓଡ଼ ନାମକ ଜଣେ ରାଜା ଓଡ଼ିଶାରେ ଗୁଜତ୍ବ କରୁଥିଲେ । ଓଡ଼ ଚନ୍ଦ୍ର ବଂଶୀ କ୍ଷତ୍ରିୟ ଥିଲେ (ମନ ୧୦ମ ଅ:୪୪ ଓ ୪୫) । ମହାଭାରତରୁ ଜଣାଯାଏ, ଓଡ଼ ରାଜା ପାଣ୍ଡଵମାନଙ୍କୁ ହସ୍ତୀଦନ୍ତ ଉପଢୌକନ ଦେଇଥିଲେ । ଓଡ଼ିଶାର ନାନାସ୍ଥାନରେ ବିଶେଷତଃ ଖୋରଧା ଅଞ୍ଚଳରେ ଓଡ୍ରମାନେ ଦେଖାଯାନ୍ତି । ସେମାନେ ଆପଣାକୁ ଓଡ଼୍ର ବୋଲି ପରିଚୟ ଦିଅନ୍ତି । ଓଡ଼ପାଇକମାନେ ସେହି ଓଡ଼, ରାଜଵଂଶୀୟ ବୋଲି ବୋଧହୁଏ । ଏମାନେ ଯୁଦ୍ଧଵିଦ୍ୟାରେ ପାରଦର୍ଶୀ ଥିଲେ । ପାଇକମାନଙ୍କ ପ୍ରଧାନ କାର୍ଯ୍ୟ ଯୁଦ୍ଧଵିଦ୍ୟା । ଵର୍ତ୍ତମାନ ଏମାନଙ୍କ ଆଚାର-ଵ୍ୟଵହାରରୁ ଏମାନଙ୍କ ପୂର୍ଵ ଜାତୀୟତା ଓ ଯୁଦ୍ଧଵିଦ୍ୟାରେ ପାରଦର୍ଶିତାର କ୍ଷୀଣାଭାସ ମିଳେ । ସେ ରାମ ନାହିଁ ଵା ସେ ଅଯୋଧ୍ୟା ନାହଁ । ଓଡ଼ିଶାର ଭଗ୍ୟଲକ୍ଷ୍ମୀଙ୍କ ଅନ୍ତର୍ଦ୍ଧାନ ସଙ୍ଗେ ସଙ୍ଗେ ଏମାନଙ୍କ ଭଗ୍ୟଲକ୍ଷ୍ମୀ ଅନ୍ତର୍ଦ୍ଧାନ ହୋଇଛନ୍ତି । ଗଜଲକ୍ଷ୍ମୀ ଗଲାବେଳେ ସମସ୍ତଙ୍କଠାରୁ କଳା ନେଇଯାନ୍ତି । ଏହି କାରଣରୁ ଓଡ୍ରପାଇକମାନେ ଆଜି କେଵଳ କୃଷିଜୀଵୀ । ଏମାନଙ୍କ କ୍ଷତ୍ରୀୟତ୍ବ ଲୋପ ପାଇଛି; ମାତ୍ର ଏମାନେ ଓଡ୍ର ପାଇକ ବୋଲି ଆପଣାକୁ ପରିଚୟ ଦେଉଛନ୍ତି । କଳିଙ୍ଗ ନାମ କାହାରିକୁ ଅଵିଦିତ ନାହିଁ । ଅଙ୍ଗ, ବଙ୍ଗ, କଳିଙ୍ଗ ନାମ ଅତିପ୍ରାଚୀନ କାଳର କଥା
ଉତ୍କଳ ଦେଶ କେତେବେଳେ ଭଳିଙ୍ଗର ଅନ୍ତର୍ଗତ ଥିଲା ;କେତେବେଳେ ପୃଥକ୍ ଥିଲା। କାଳିଦାସଙ୍କ ଅମଳରେ କଳିଙ୍ଗ ଉତ୍କଳଠାରୁ ସ୍ବତନ୍ତ୍ର ଥିଲା । ରଘୁ ମହାରାଜାଙ୍କ ଦଗ୍‌ଵିଜୟ ଵର୍ଣ୍ଣନାରେ କାଲଦାସ ଲେଖିଛନ୍ତି—ଉତ୍କଳାଦର୍ଶିତ ପଥଃ
କଳଙ୍ଗାଭିମୁଖଂ ଯଯୌ । କଳିଙ୍ଗ ବାଳିରାଜାଙ୍କ ପୁତ୍ର ଥିଲେ । ତାଙ୍କ ଅଧିକୃତ ରାଜ୍ୟ କଳିଙ୍ଗ ନାମରେ ଅଭିହତ ହେଉଥିଲା ବଙ୍ଗଦେଶର ସମୁଦ୍ର ତୀରଵର୍ତ୍ତୀ ରାଜ୍ୟଠାରୁ ତେଲଙ୍ଗ ପର୍ଯ୍ୟନ୍ତ ଦେଶର ନାମ କଳିଙ୍ଗ (ବୌଦ୍ଧାୟନ ସୂତ୍ର ୧। ୧।୨, ମନୁ୧୦ମ ଅଧ୍ୟାୟ) । 

ରାମାୟୁଣ କିସ୍କିନ୍ଦାକାଣ୍ଡ ୪୧ ସର୍ଗ, ମହାଭାରତ ଵନପର୍ଵ,ହରିଵଂଶ ପ୍ରଭୃତିରେ କଳିଙ୍ଗ ନାମ ଉଲ୍ଲେଖ ଅଛି । କଳିଙ୍ଗ ଦେଶରେ ଵୈତରଣୀ ନଦୀ ପ୍ରଵାହିତ ବୋଲି ଉଲ୍ଲେଖ ଅଛି । ସୁତରାଂ ଓଡ଼ିଶା ସେତେବେଳେ କଳିଙ୍ଗର ଅନ୍ତର୍ଗତ ଥଲା ପରି ଜଣାଯାଏ । ହରିଵଂଶରେ ଲେଖାଅଛି, କଳିଙ୍ଗ ତାମ୍ରଲିପ୍ତ ନିକଟରେ ଅଵସ୍ଥିତ ।
କଳିଙ୍ଗ ନୃପତି କୁରୁକ୍ଷେତ୍ର ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିଥିଵାର ମହାଭାରତ ଭୀଷ୍ମପର୍ଵରେ ଉଲ୍ଲେଖ ଅଛି । ପ୍ରାଚୀନ ଶିଳାଲିପିମାନଙ୍କରେ ତ୍ରିକଳିଙ୍ଗ ନାମ ଦେଖାଯାଏ ।କନିଂହାମ୍‌ଙ୍କ ମତରେ ତ୍ରିକଳିଙ୍ଗରୁ ତେଲଙ୍ଗ ନାମ ହୋଇଛି । ହୁଏନସାଂଙ୍କ ମତରେ କଳିଙ୍ଗ ଗଞ୍ଜାମଠାରୁ ୨୦୧ ରୁ ୩୦୦ ମାଇଲ ଦୂରରେ ଅଵସ୍ଥିତ । କଳିଙ୍ଗର ରାଜଧାନୀ ଶ୍ରୀକାକୋଲ
ବା ଚିକାକୋଲ । ଉତ୍କଳ କେତେବେଳେ କଳିଙ୍ଗ ଅନ୍ତର୍ଗତ ଥିଲା ଵା ପୃଥକ୍ ଥିଲା; ମାତ୍ର ଉତ୍କଳ, କଳିଙ୍ଗର ଉତ୍ତରରେ ଅଵସ୍ଥିତ । ଉତ୍ତର କଳିଙ୍ଗ ଵା ଉତ୍କଳିଙ୍ଗ କାଳକ୍ରମେ ଉତ୍କଳ ନାମରେ ପରିଣତ ହୋଇଥିଵାର ସ୍ପଷ୍ଟ ଅନୁମିତ ହୁଏ । ଦୀର୍ଘତମାଙ୍କ କୃପାରୁ ବଳିରାଜାଙ୍କ ଭାର୍ଯ୍ୟା ସୁଦେଷ୍ଣାଙ୍କ ଗର୍ଭରେ ପାଞ୍ଚଗୋଟି ପୁତ୍ର ଜନ୍ମ ହୋଇଥିଲେ ।ସେମାନଙ୍କର ନାମ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ ଓ ସୁହ୍ମ । ଏମାନେ ପ୍ରତ୍ୟେକ ଶାସନ କରୁଥିଵା ପ୍ରଦେଶମାନ ସେମାନଙ୍କ ନାମାନୁସାରେ ନାମ ଧାରଣ କରିଥିଲେ । ଦୁର୍ଯ୍ୟୋଧନ କଳିଙ୍ଗ ରାଜା ଚତ୍ରାଙ୍ଗଦଙ୍କ କନ୍ୟାକୁ ଵିଵାହ କରିଥିଲେ ଏଵଂ ତାଙ୍କ ରାଜଧାନୀ ରାଜାପୁରରେ ଥିଲା । ରାଜାପୁରର ଵର୍ତ୍ତମାନ ନାମ ରାଜମହେନ୍ଦ୍ରୀ(ରାଜମୁନ୍ଦ୍ରୀ) । ମହାଭାରତ ଵନପର୍ଵ ୧୧୪ରେ ଉଲ୍ଲେଖ ଅଛି ଯେ ଯୁଧିଷ୍ଠିର ଯେତେବେଳେ ଵନଵାସ କରୁଥିଲେ, ଲୋମଶ ମୁନି ତାହାଙ୍କୁ କହିଥିଲେ, ଵୈତରଣୀ ପ୍ରଵାହିତ ପ୍ରଦେଶରେ ଧର୍ମଦେଵ ଯଜ୍ଞ କରିଥିଲେ;ସେ ସ୍ଥାନକୁ ଯଜ୍ଞପୁର ଵା ଯାଜପୁର କହନ୍ତି ଏଵଂ ସେହି ପ୍ରଦେଶ କଳିଙ୍ଗ ! 

କ୍ରମଶଃ...

(ଐତିହାସିକ ଜଗବନ୍ଧୁ ସିଂହଙ୍କର ପ୍ରାଚୀନ ଉତ୍କଳ ପୁସ୍ତକରୁ ଗୃହୀତ ହୋଇଛି...)

Saturday, October 28, 2023

ଭଲ ନା ଭାଲିଆତଇଳା

ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି ତାହା ହେଲା

     "ଭଲ ନା ଭାଲିଆତଇଳା"

ଯେତେ ବେଳେ ଵ୍ୟକ୍ତିଵିଶେଷ ଵା କୌଣସି ଵସ୍ତୁ ଭଲ ନ ହୋଇ ବି କେହି ତାକୁ ଭଲ ବୋଲି କହେ ସେତେବେଳେ ଆମ ଗାଁର ଲୋକେ ଏଇ ପଦକ କହନ୍ତି -“ଭଲ ନା ଭାଲିଆତଇଳା ?”

କିନ୍ତୁ 'ଭାଲିଆତଇଳା' କଅଣ ?
ଆମ କନ୍ତିଓ ଗ୍ରାମର ସବୁଠାରୁ ବଡ଼ ସାହି ହେଉଛି ଏହି ଭାଲିଆତଇଳା ସାହି ! ବାରମ୍ବାର ଵନ୍ଯାରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ୧୯୬୦ ପରେ ବ୍ରାହ୍ମଣୀନଦୀ କୂଳରେ ଥିଵା ପୁରୁଣା କନ୍ତିଓ ଵା ତଳକନ୍ତିଓରୁ ଆମ ଗାଁ ଲୋକେ ଏକ ଦେଢ଼ କିମି ପଶ୍ଚିମକୁ ଉଠି ଆସିଥିଲେ । ସେମାନେ ପ୍ରଥମେ ନୂଆସାହି ତାପରେ ଭାଲିଆତଇଳା,ଗୁଡ଼ିସାହି ଓ ଭୈରଙ୍ଗସାହି(ଭୈରଵୀସାହିର ପରିଵୃତ୍ତ ରୂପ) ଆଦିରେ ରହିଵାକୁ ଲାଗିଲେ । 

ଜନଵସତି ଗଢ଼ି ଉଠିଵା ଆଗରୁ ଏହି ଭାଲିଆତଇଳା ସାହିଟି ଶାଳ,ଗମ୍ଭାରୀ,ମହୁଲ ,କେନ୍ଦୁ ଓ ଵିଶେଷତଃ ଭାଲିଆ ଗଛର ନଟା ଵା ଵଣ ଥିଲା । କ୍ରମେ ଲୋକେ ଏହାର କେତେକ ଭାଗକୁ ମଶାଣି ଭଳି ଵ୍ୟଵହାର କଲେ ଏଵଂ ସର୍ଵଶେଷରେ ଆଜି ଏଠି ଏକ ବଡ଼ ସାହି ଗଢ଼ି ଉଠିଛି ! ମନୁଷ୍ଯଙ୍କ ଆଗମନ ଯୋଗୁଁ ଏବେ ଏ ସାହିରେ ଗୋଟିଏ ବି ଭାଲିଆଗଛ ବଞ୍ଚିଯାଇନାହିଁ ହଁ କେଉଁଠି କେଉଁଠି ଆଜି ବି ହଣାଯାଇଥିଵା କେନ୍ଦୁ ଗଛ ଆଉଥରେ ବଡ଼ ହେଵାକୁ ଚେଷ୍ଟା କରୁଥିଲେ ହେଁ ନିର୍ଦ୍ଦୟୀ ମାନବ ତାକୁ ଅନ୍ଧଵିଶ୍ବାସ ତଥା ଆପଣା ସ୍ବାର୍ଥପାଇଁ ବଢ଼ିଵାକୁ ଦେଉନି !

ତେବେ ଢଗକୁ ଦେଖି ମନରେ ପ୍ରଶ୍ନ ଉଠୁଛି ଏଠାରେ ଭାଲିଆତଇଳା ଶବ୍ଦ କାହିଁକି ଵ୍ୟଵହାର ହୋଇଥିବ ? 

ଏହି ସାହି ପୂର୍ଵେ ଏକ ମରାଖଣ୍ଡି ଥିଲା । ମରାଖଣ୍ଡି ବୋଇଲେ ମଶାଣି ଭଳି ସ୍ଥାନ ଯେଉଁଠି (କଟା)ବାଳ,ଭଙ୍ଗା କାଚ, ଛିଣ୍ଡା ଯୋତା,ଚିରାଲୁଗା ଓ ଭଙ୍ଗା ହାଣ୍ଡି ଇତ୍ଯାଦି ଅପଵିତ୍ର ପଦାର୍ଥ ଫିଙ୍ଗାଯାଏ । ଏ ଭୂମିକୁ ଆଗେ ହୀନ ବା ନିମ୍ନ ମନେ କରାଯାଉଥିଲା । ଭୂତ ଭୟ ଓ ଭାଲିଆ ଫଳ ଯୋଗୁଁ ଘାଆ ହେଵା ଭୟରେ ଲୋକେ ଏଠାକୁ ଵିଶେଷ ଆସୁନଥିଲେ । ପୁଣି ଭାଲିଆତଇଳା ନାଁରେ ତଇଳା ଶବ୍ଦର ଅର୍ଥକୁ ଵିଚାର କରାଯାଉ । ଓଡ଼ିଆ ଭାଷାରେ ତଇଳା ଵା ତଇଲା ଶବ୍ଦଟି
ଉଚ୍ଚଜମି,ତଉଲିଆ,ବିରଙ୍ଗା ଭୂମି;ଜଙ୍ଗଲ ପୋଡ଼ି ଚାଷ କରାଯାଉଥିଵା ଭୂମି,ଜଙ୍ଗଲ କଟାଯାଇ ଆବାଦ କରାଯାଇଥିଵା ଭୂମି,ଚାଷ ହେଉନଥିଵା ଅନୁର୍ବର ଚାଷ ଅନୁପଯୁକ୍ତ ଭୂମି ଇତ୍ଯାଦି ଅର୍ଥରେ ପ୍ରୟୋଗ କରାଯାଏ । ସେହିପରି ତଇଳା ସାଦୃଶ୍ୟ ଆଉ କିଛି ଓଡ଼ିଆ ଶବ୍ଦ ହେଲା...

(କ)ତର୍ଲା-ଶାଳଛତ୍ର,ନିମ୍ନଭୂମି
(ଖ)ତଲ-ତଳ,ଭୂମି,ନିମ୍ନ
(ଗ)ତଲି-ତଳ,ତଳ ଅଞ୍ଚଳ,ତଳେ,ଧାନ ଚାରାଗଛ
(ଘ)ତଳିଆ-ତଳେ ଥିଵା ସ୍ଥାନ,ଖାଲଜମି,ତଳି ଉତାରିଵା ସ୍ଥାନ
(ଙ)ତଉଲ-ଜଙ୍ଗଲ ମଧ୍ଯସ୍ଥ ଗ୍ରାମ(ଜଙ୍ଗଲ କଟାଯାଇ ଗଢ଼ାଯାଇଥିଵା ଜନଜାତୀୟ ଗାଁ)

ତେଣୁ ଯେହେତୁ ଏଠାରେ ଭାଲିଆ ଗଛ ବହୁତ ଥିଲା ଏଵଂ ଏହା ଏକ ତଇଳା ଭୂମି ଥିଲା ତେଣୁ ଏହାକୁ ଭାଲିଆ ତଇଳା କୁହାଗଲା । ଭାଲିଆତଇଳା ଏକ ସମୟରେ ଆମ ଗ୍ରାମବାସୀଙ୍କ ଦୃଷ୍ଟିରେ ଏକ ହୀନ,ନିମ୍ନ ଓ ଅନୁପଯୁକ୍ତ ଭୟପ୍ରଦ ସ୍ଥାନ ଥିଲା ଏଵଂ ପରେ ଆଵଶ୍ଯକ ପଡ଼ିଲାରୁ ଏହି ଉଚ୍ଚଭୂମିରୁ ଜଙ୍ଗଲ କଟାଯାଇ ଏଠାରେ ଜନଵସତି ଗଢ଼ାଯାଇଛି । ବହୁତ ସମ୍ଭବ ଯେତେବେଳେ ଭାଲିଆତଇଳା ଆମ ଗାଁ ଲୋକଙ୍କ ପାଇଁ ଅନାବଶ୍ଯକ ଥିଲା ସେତେବେଳେ ଏହି 'ଭଲ ନା ଭାଲିଆତଇଳା' ଢଗଟି ଚଳିଵା ଆରମ୍ଭ ହୋଇଥିବ ! କିନ୍ତୁ ଗଞ୍ଜାମରେ ମଧ୍ୟ କୁହନ୍ତି "ଭଲ ନା ଭାଲିଆତେଲ" । ତେଣୁ ବହୁତ ସମ୍ଭଵ ଭାଲିଆତେଲ ଶବ୍ଦଟି କନ୍ତିଓରେ  ଭାଲିଆତଇଳା ସାହି ଅନୁସାରେ ଭାଲିଆତଇଳା ହୋଇଯାଇଥାଇପାରେ । 

........

Wednesday, October 25, 2023

•ଶବ୍ଦଭେଦୀର ଜୀଵନ—୧୧(ହେଲମେଟ୍, ଶିରସ୍ତ୍ରାଣ ଓ ମଉଡ଼ା)•

ନଵମ ଶ୍ରେଣୀରେ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦିନେ ପ୍ରସଙ୍ଗଵଶତଃ ଆମ୍ଭମାନଙ୍କୁ ପ୍ରଶ୍ନ କଲେ “ଇଂରାଜୀ ହେଲମେଟ୍(Helmet) ଶବ୍ଦର ଓଡ଼ିଆ କ'ଣ ହେଵ ?” 

ଶ୍ରେଣୀ ଗୃହରେ ମୁଁ ଏକାକୀ ହାତ ଉଠେଇଥିଲି ତେଣୁ ଶ୍ଵେତ ମହାଶୟ ମୋର ଉତ୍ସାହ ଦେଖି ମୋତେ ପଚାରିଲେ। ମୁଁ ଉତ୍ତରରେ କହିଲି 'ସାଞ୍ଜୁ' ! ଶ୍ଵେତ ମହାଶୟ କହିଲେ ନା ଏହି ଉତ୍ତରଟି ଠିକ୍ ନୁହେଁ । ତାପରେ ଆଉ କେହି ଉତ୍ତର ନ ଦେଵାରୁ ସେ ହେଲମେଟ୍‌ର ଓଡ଼ିଆ 'ଶିରସ୍ତ୍ରାଣ' ହେଵ ବୋଲି ଜଣାଇ ଦେଲେ । 

ପୁଟସାହି ମାଧ୍ୟମିକ ଵିଦ୍ୟାଳୟରେ ପଢ଼ୁଥିଲାବେଳେ ଵିଦ୍ୟାଳୟ ପାଠାଗାରରୁ ‘ଟ୍ରୋଜାନ୍ ଘୋଡ଼ା’ ନାମରେ ଏକ ପୁସ୍ତକ ଆଣି ପଢ଼ିଥିଲି । ଏଥିରେ ଗ୍ରୀକ୍ ଦେଶର ପ୍ରାଚୀନ କଵି ହୋମରଙ୍କର ଇଲିଆଡ଼ ଓ ଓଡ଼େଶୀର କାହାଣୀ ଓଡ଼ିଆ ଭାଷାରେ ଗଦ୍ୟ ଆକାରରେ ଵର୍ଣ୍ଣିତ ହୋଇଥିଲା । ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଲା ତେଣୁ ତାହା ମନେଥିଲା । ଏହା ପୂର୍ଵରୁ ୧୯୯୫-୯୬ରେ ଜହ୍ନମାମୁଁ ପତ୍ରିକାରେ "ଭୁବନସୁନ୍ଦରୀ ଓ ରୂପଧରଙ୍କ ଯାତ୍ରା" ନାମରେ ସେହି ଇଲିଆଡ଼ ତଥା ଓଡ଼େଶୀର କାହାଣୀକୁ ହିଁ ଚରିତ୍ରମାନଙ୍କର ନାମ ପରିଵର୍ତ୍ତନ ସହିତ ପ୍ରକାଶ କରାଯାଇଥିଲା(ଯଥା- ହେଲେନଙ୍କୁ ଭୁବନସୁନ୍ଦରୀ ତଥା ଓଡ଼େଶିଅସ୍‌ଙ୍କୁ ରୂପଧର)। 

ଜହ୍ନମାମୁଁ ପତ୍ରିକାରେ ଗ୍ରୀକଯୋଦ୍ଧାମାନଙ୍କର ଵକ୍ରାକାର ଶିରସ୍ତ୍ରାଣ ଦେଖିଥିଵାରୁ ତଥା ପରେ ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସେହି କାହାଣୀକୁ ପଢ଼ୁଥିଵା ବେଳେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଵାର ମନେ ଥିଵାରୁ ମୋ ମନରେ ହେଲମେଟ୍‌ର ଓଡ଼ିଆ ସାଞ୍ଜୁ ବୋଲି ଏକ ଭ୍ରମଧାରଣା ରହି ଯାଇଥିଲା । ତେବେ ୨୦୦୩ ଵା ୨୦୦୪ରେ ଏହି ଭ୍ରମଧାରଣାକୁ ଆମ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦୂର କରି ଦେଇଥିଲେ । 

କିନ୍ତୁ ସାଞ୍ଜୁର ଅର୍ଥ ଯଦି ହେଲମେଟ ନୁହେଁ ତେବେ ଏ ଶବ୍ଦର ପ୍ରକୃତ ଅର୍ଥ କ'ଣ ? 

ଶ୍ଵେତ ମହାଶୟ ସେତେବେଳେ ସାଞ୍ଜୁର ଅର୍ଥ ଆମ୍ଭମାନଙ୍କୁ କଵଚ ବୋଲି ଜଣାଇ ଦେଇଥିଲେ । ସାଞ୍ଜୁ ଶବ୍ଦର ଏହି ଅର୍ଥଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବି ଅଛି । ଭାଷାକୋଷ ଅନୁସାରେ ସାଞ୍ଜୁ ଏକ ଓଡ଼ିଆ ଦେଶୀୟ ଶବ୍ଦ ଏଵଂ ଯୋଦ୍ଧାର ଦେହରକ୍ଷକ ପୋଷାକ,ତନୁତ୍ରାଣ; କବଚ ଵା ଵର୍ମ ତଥା ପକ୍ଷ ଅର୍ଥରେ ଏହି ଶବ୍ଦ ଆମ ଭାଷାରେ ଵ୍ୟଵହୃତ ହୋଇଥାଏ ।

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସ କାଵ୍ୟରେ ସାଞ୍ଜୁ ଶବ୍ଦକୁ ପକ୍ଷ ଅର୍ଥରେ ପ୍ରୟୋଗ କରି ଲେଖିଛନ୍ତି 

“ବଳ ହିମନ୍ତ ପର୍ଵତ ପ୍ରବଳ ଵାତଜନିତ ହେଵାରୁ ସାଞ୍ଜୁ ତଡ଼ିତ ରାକ୍ଷସ ବଂଶେ।” 

ହେଲେ କଵଚ ଅର୍ଥଜ ସାଞ୍ଜୁ କେମିତି ପକ୍ଷ ଅର୍ଥରେ ପ୍ରୟୋଗ ହୋଇପାରେ ? ବୋଧହୁଏ ପକ୍ଷୀମାନେ ବେଳେବେଳେ ଆକ୍ରମଣକାରୀଙ୍କଠାରୁ ନିଜକୁ ରକ୍ଷାକରିଵା ହେତୁ ନିଜ ପକ୍ଷକୁ ସାଞ୍ଜୁ ଭଳି ଵ୍ୟଵହାର କରୁଥିଵାରୁ ସାଞ୍ଜୁ ଶବ୍ଦକୁ କଵି ସମ୍ରାଟ ସେହି ଭାଵ ଘେନି ପକ୍ଷ ଅର୍ଥରେ ପ୍ରୟୋଗ କରିଛନ୍ତି । 

ସେ ଯାହା ହେଉ ୨୦୦୩ ଵା ୨୦୦୪ରେ ଯେତେବେଳେ ସାଞ୍ଜୁର ଅର୍ଥ କଵଚ ତଥା Helmetର ଓଡ଼ିଆ ଶିରସ୍ତ୍ରାଣ ବୋଲି ଜାଣିଲି ସେ କଥା ସବୁଦିନ ପାଇଁ ମୋର ମନେ ରହିଗଲା । ତେବେ ହେଲମେଟ ଅର୍ଥଜ ଆଉ କେତେକ ମହାଭାରତୀୟ ଶାସ୍ତ୍ରୀୟ ଶବ୍ଦ ବି ଅଛି ଯଥା :ଉଷ୍ଣୀଶ,ମସ୍ତକାଵରଣ,
ମସ୍ତକାଵରଣୀ,ଶିରୋଭୂଷଣ,ମସ୍ତକରକ୍ଷଣୀ,ଖୋଳକ,ତ୍ରାଣ,ଶିରସ୍ତ୍ର,ଶୀର୍ଷକ,ଶୀର୍ଷଣ୍ୟ ଓ ଶିରସ୍କ ଇତ୍ୟାଦି ।‌

ମାତ୍ର ଏହାର ବହୁତ ଵର୍ଷ ପରେ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଢ଼ିଵାର ସୁଯୋଗ ମିଳିଲା ମୋତେ ଶିରସ୍ତ୍ରାଣ ଓ ହେଲମେଟ ଅର୍ଥଜ ଗୋଟିଏ ପ୍ରାକୃତ ମୂଳର ପ୍ରଚୀନ ଓଡ଼ିଆ ଶବ୍ଦ 'ମଉଡ଼ା' ପ୍ରାପ୍ତ ହେଲା । ପ୍ରାଚୀନ ପ୍ରାକୃତରେ ମଉଡ଼ ଶବ୍ଦର ଅର୍ଥ ମୁକୁଟ ଥିଲା ଏଵଂ ତହିଁର ପ୍ରାଚୀନ ରୂପ ଆଜି ବି ଓଡ଼ିଆ ଭାଷାରେ ପ୍ରୟୋଗ କରାଯାଏ(ଯଥା: ଓଡ଼ିଆ ଜାତିର ମଉଡ଼ମଣି~ଜଗନ୍ନାଥ)। ସେହି ପ୍ରାଚୀନ ମଉଡ଼ ଶବ୍ଦଟି ଓଡ଼ିଆ ଭାଷାରେ ଆଉଟିକେ ପରିଵର୍ତ୍ତିତ ହୋଇ ମଉଡ଼ା ରୂପେ ପାଗ, ଶିରସ୍ତ୍ରାଣ ଵା Helmet ଅର୍ଥରେ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 
ସଂସ୍କୃତ ଶିକ୍ଷକ ମହାଶୟ ଶିରସ୍ତ୍ରାଣକୁ ଜାଣିଥିଲେ କିନ୍ତୁ ମଉଡ଼ା ଶବ୍ଦଟି ହେଲମେଟ ଅର୍ଥରେ ପ୍ରୟୋଗ କରାଯାଇପାରେ ବୋଲି ହୁଏତ ଜାଣିନଥିଲେ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ତାହା ଜାଣିହେଲା । 

ପୁଣି ହେଲମେଟ ଶବ୍ଦଟି ପଛରେ ବି ଗୋଟିଏ ରୋଚକ ଵ୍ୟୁତ୍ପତ୍ତି ଇତିହାସ ଅଛି । Helmet ଶବ୍ଦଟି ଲାଟିନ୍ ଭାଷାରୁ ଫ୍ରେଞ୍ଚ୍ ଭାଷା ଦେଇ ପ୍ରଚଳିତ ହୋଇଥିଲେ ବି ଏହା ମୂଳତଃ ଏକ ଜର୍ମାନିକ୍ ଶବ୍ଦ । ମଧ୍ୟଯୁଗରେ ହେଲମେଟ ଶବ୍ଦକୁ ଇଂରାଜୀ ଭାଷାରେ helmet ଓ helmett ତଥା ଫ୍ରେଞ୍ଚ୍ ଭାଷାରେ helmet ଓ heaumet ଲେଖାଯାଉଥିଲା । ଲାଟିନ ଶବ୍ଦ helmusରୁ ଫ୍ରେଞ୍ଚ୍ ଭାଷାରେ helmet,heaumet ଓ heaume ଇତ୍ୟାଦି ଶବ୍ଦ ପ୍ରଚଳନ ହୋଇଛି କିନ୍ତୁ ପ୍ରକୃତରେ ପ୍ରୋକ୍ତ ଲାଟିନ୍ ଶବ୍ଦ helmusଟି
ଏକ ଜର୍ମାନିକ୍ ମୂଳଜ Frankish ଭାଷାର *helm ଶବ୍ଦରୁ ନିଆଯାଇଥିଲା । ମଜାକଥା ହେଲା ଇଂରାଜୀ ଭାଷାରେ ଫ୍ରେଞ୍ଚ୍ ଭାଷା ମୂଳରୁ Helmet ଶବ୍ଦ ଵ୍ୟଵହାର ପୂର୍ଵରୁ ଜର୍ମାନିକ ମୂଳର ଏହି helm ଶବ୍ଦଟି ସାଧାରଣ ଜନଙ୍କ କଥିତ ଭାଷାରେ ସମ ଅର୍ଥରେ ପ୍ରୟୋଗ କରାଯାଉଥିଲା । 

ଅର୍ଥାତ୍ “ଆରେ ଢାମଣା ବୁଲି ବୁଲି ପୁଣି ସେହି ଅଗଣା ନ୍ୟାୟରେ ଜର୍ମାନିକ୍ ମୂଳର helm ଶବ୍ଦଟି ଲାଟିନ୍ ଭାଷାରେ helmus ହୋଇ ପୁଣି ଫ୍ରେଞ୍ଚ୍ ଭାଷାରେ helmet ରୂପେ ପରିଵର୍ତ୍ତିତ ହୋଇ ଶେଷକୁ ପଞ୍ଚଦଶ ଶତାବ୍ଦୀରେ ନିଜର ହିଁ ମୂଳ ଜର୍ମାନିକ ରୂପ helmକୁ ଇଂରାଜୀ ଭାଷାରୁ ହଟାଇ ନିଜେ ତା ସ୍ଥାନ ନେଇଗଲା । ତେବେ ଭାରତର ଯୋଦ୍ଧାମାନେ ଵିଭିନ୍ନ ଜାତୀୟ ପଗଡ଼ି ଓ ମୁକୁଟ ପିନ୍ଧି ଯୁଦ୍ଧ କରୁଥିଲେ । ତେଣୁ ପଗଡ଼ି ଅର୍ଥରେ ଠେକା,ପାଗ,ପଗଡ଼ି,ଖୋଳକା,ଟୋପି,ଖୋଲରି,ଡେଙ୍କା,ପଟୁକା,ପଟ୍ଟ,ପିରାଲୀ,ପୁଟ,ଵେଷ୍ଟକ,ରାଜପଟ୍ଟ,ଲପଟା,ଶିରୋଦାମ,ଶିରୋଵେଷ୍ଟ ଓ ଶୁକ ତଥା ମୁକୁଟ ଅର୍ଥରେ କିରୀଟ,ଚୂଡ଼ା,ଚୂଳ,ଟୋପର,ନିର୍ଯ୍ୟହ,ନିର୍ଯ୍ୟୁହ,ବନ୍ଧୁର,ମଉଡ଼,ମଉଡ଼ା,ମସ୍ତକଭୂଷଣ,ମଉଳ,ମଉଳି,ମକୁଟ,ମୂର୍ଦ୍ଧବେଷ୍ଟନୀ,ମୌଳି,ଶିଖା,ଶିଖାଭରଣ,ଶିରପା,ଶିରିପା,ଶେଖର ଓ ମୁକୁଟ ଭଳି ଅନେକ ଅନେକ ଦେଶୀୟ ତଥା ଶାସ୍ତ୍ରୀୟ ଭାରତୀୟ ଶବ୍ଦ ଚଳୁଅଛି। ଅତଏଵ ଆଧୁନିକ ଯୁଗରେ ଆମେ ଆମ ଓଡ଼ିଆ ଭାଷାରେ ହେଲମେଟ୍ ପାଇଁ ଶାସ୍ତ୍ରୀୟ ଶିରସ୍ତ୍ରାଣ ଶବ୍ଦ ଵ୍ୟଵହାର କରିପାରିଵା କିମ୍ବା ପ୍ରାଚୀନ ଓଡ଼ିଆ ଶବ୍ଦ ମଉଡ଼ା ମଧ୍ୟ ପ୍ରୟୋଗ କରିପାରିଵା ! 
   ×••••••••••••••••••••••••×

Monday, October 23, 2023

ହାତରେ ଖାଦ୍ୟ ଖାଉଥିଵା ଲୋକ କ'ଣ ଅସଭ୍ୟ?

ଭାରତ ଉପମହାଦେଶ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆମେରିକା ଓ ଆଫ୍ରିକାର ଅଧିକାଂଶ ମନୁଷ୍ୟ ନିଜ ହାତରେ ଖାଦ୍ୟ ଖାଆନ୍ତି । ୧୨୦ କୋଟି ପାଖାପାଖି ଲୋକ chopstick ଵା କାଠି ଦ୍ଵାରା ଖାଇଥାନ୍ତି । ପାଖାପାଖି ୧୫୦ କୋଟି ଲୋକ ଛୁରୀ,ଚାମଚ ଓ କଣ୍ଟାଚାମଚରେ ବି ଖାଆନ୍ତି। ଚୀନ ଦେଶଵାସୀ chopstick ଵା ଦୁଇଗୋଟି କାଠି ସାହାଯ୍ୟରେ ଖାଦ୍ୟ ଖାଅନ୍ତି ଏଵଂ ଏଥିପାଇଁ ପ୍ରତିଵର୍ଷ ପ୍ରାୟ ୩.୮ ନିୟୁତ ଗଛ କଟାଯାଇ ୫୭୦୦ କୋଟି chopstick ଯୋଡ଼ି ତିଆରି କରାଯାଏ । 

ଛୁରୀ, କଣ୍ଟାଚାମଚ ଓ ଚାମଚ ତିଆରି ବେଳେ ମଧ୍ୟ ଅଙ୍ଗାରକାମ୍ଳ ଆଦି ଦୂଷିତ ଵାୟୁ ଆମର ଵାୟୁମଣ୍ଡଳରେ ମିଶିଵା ଯୋଗୁଁ ଵାୟୁ ପ୍ରଦୂଷଣ ହୋଇଥାଏ । ପୁଣି ଚାମଚ ଆଦିକୁ ଭଲ ଭାବରେ ନଧୋଇଲେ ତାହା ରୋଗର ଵାହକ ସାଜିଥାଏ । 



ଆଜିକାଲି ପ୍ଲାଷ୍ଟିକ ଚାମଚ ତିଆରି ବଢି଼ଛି । ପ୍ରତିଵର୍ଷ ୪୦୦୦ କୋଟି ପ୍ଲାଷ୍ଟିକ ଚାମଚ , କଣ୍ଟାଚାମଚ ଓ ଛୁରୀ ନିର୍ମିତ ହୋଇଥାଏ ଏଵଂ ଥରେ ଵା ଦୁଇଥର ଵ୍ୟଵହାର ପରେ ଫିଙ୍ଗିଦିଆଯାଏ ।‌ ଏହି ଧରଣର ପ୍ଲାଷ୍ଟିକ ସହଜରେ ନଷ୍ଟ ହୁଏ ନାହିଁ ଏଵଂ ଏଗୁଡ଼ିକର ନିର୍ମାଣ ସମୟରେ ମଧ୍ୟ ଵାୟୁ ପ୍ରଦୂଷଣ ଘଟିଥାଏ । ପ୍ଲାଷ୍ଟିକ ଚାମଚ ଯୋଗୁଁ ଯକୃତ ଓ ଵୃକକ ସମ୍ବନ୍ଧୀୟ ରୋଗ ହେଵାର ସମ୍ଭାଵନା ବଢି଼ଯାଏ । 

ଭାରତରେ ପ୍ରାଚୀନ କାଳରୁ ଲୋକେ ହାତରେ ଖାଦ୍ୟ ଖାଉଛନ୍ତି । ଭାରତୀୟ ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ସ୍ଵଚ୍ଛ ହସ୍ତରେ ଖାଦ୍ୟ ଖାଇଵାକୁ ଗୁରୁତ୍ଵ ଦିଆଯାଇଛି। 

ପୁଣି ମାଆ ହାତରୁ ଖାଦ୍ୟ ଖାଇଵା କେତେ ବଡ଼ କଥା ତାହା ଏ ଦେଶର ଶାସ୍ତ୍ରରେ ଉଲ୍ଲେଖ ଅଛି। 

“ତିଳକଂ ଵିପ୍ର ହସ୍ତେନ, 
ମାତୃ ହସ୍ତେନ ଭୋଜନମ୍ ।
 ପିଣ୍ଡଂ ପୁତ୍ର ହସ୍ତେନ, 
 ନ ଭଵିଷ୍ଯତି ପୁନଃ ପୁନଃ।”

ଆଵାହମାନ କାଳରୁ ମନୁଷ୍ୟମାନେ ହାତରେ ଖାଦ୍ୟ ଖାଇ ଆସୁଛନ୍ତି । ଏହା ସବୁଠାରୁ ପ୍ରାଚୀନ ପରମ୍ପରା ଏଵଂ କେଵଳ ମନୁଷ୍ୟ କାହିଁକି ହସ୍ତ ଥିଵା ପୃଥିଵୀର ଅଧିକାଂଶ ଜୀଵ ନିଜ ହାତରେ ହିଁ ଖାଦ୍ୟ ଖାଅନ୍ତି । 

ଭାରତର ଲୋକେ ନିଜ ହାତରେ ଖାଇଵା ଦ୍ଵାରା ପରିଵେଶ ପ୍ରଦୂଷଣ କରନ୍ତି ନାହିଁ କି ଏଥିଯୋଗୁଁ ପ୍ରତିଵର୍ଷ କୋଟି କୋଟି ଗଛ ମଧ୍ୟ କଟେ ନାହିଁ । ତେଣୁ ହାତରେ ଖାଦ୍ୟ ଖାଇଵା ନିକୁଛିଆପଣ,
ଅସଭ୍ୟଗୁଣ କି ମରହଟିଆ କଥା ନୁହେଁ ଵରଂ ଏତଦ୍ଵାରା ଆପଣ ଵାୟୁ ପ୍ରଦୂଷଣ,ମୃତ୍ତିକା ପ୍ରଦୂଷଣ ଓ ଵୃକ୍ଷ କର୍ତ୍ତନକରନ୍ତି ନାହିଁ କି ପ୍ଲାଷ୍ଟିକ ଚାମଚ ଵ୍ୟଵହାର କରି ଵୃକକ ଓ ଯକୃତ ସମ୍ବନ୍ଧୀୟ ଅନେକ ରୋଗର ଶିକାର ହୁଅନ୍ତି ନାହିଁ ।

Sunday, October 15, 2023

କ'ଣ ଆଗେ ଓଡ଼ିଶାରେ ମଙ୍ଗଳସୂତ୍ର ଥିଲା ?

ସମ୍ଭଵତଃ ଆଗେ ଓଡ଼ିଶାରେ କେହି ମଙ୍ଗଳ ସୂତ୍ର ନାଆଁରେ ହାର ପିନ୍ଧୁନଥିଲେ । ଯଦି ପିନ୍ଧୁଥାଆନ୍ତେ ତାହେଲେ ଶହେ ଵର୍ଷ ତଳର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ତାହା ଉଲ୍ଲେଖ ଥାଆନ୍ତା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵିଵାହ ଵେଦିରେ ଵରକନ୍ୟାଙ୍କ ହାତରେ ଦୁବ ବରକୋଳିପତ୍ର ଓ ଅରୁଆଚାଉଳ ସହିତ ବନ୍ଧାଯିଵା ହଳଦିଆ ସୂତାକୁ ହିଁ ଆଗେ ମଙ୍ଗଳସୂତ୍ର ତଥା ମଙ୍ଗଳପରିସର କୁହାଯାଉଥିଲା । ଏହି ସୂତାର ଅନ୍ୟନାମ କରସୂତ୍ର, ବାଡ଼ୁଅ ସୂତା ଓ କୌତୁକ ସୂତ୍ର ଇତ୍ୟାଦି । 

ଏଠାରେ ମଙ୍ଗଳ ପରିସର ଶବ୍ଦ ଉଲ୍ଲେଖଯୋଗ୍ୟ । ପରିସର‌ ଶବ୍ଦର ଏକ ଅର୍ଥ ମାଲ୍ୟ ଵା ହାର ତେଣୁ ସମ୍ଭଵତଃ ଭାରତରେ ଅନ୍ୟତ୍ର ଏହି ଆଧାରରେ ମଙ୍ଗଳସୂତ୍ର ନାଆଁରେ ହାର ପିନ୍ଧିଵା ପ୍ରଚଳିତ ହୋଇଥିଵ । ଏମନ୍ତ ମଧ୍ୟ ହୋଇପାରେ ଯେ ପୂର୍ଵେ କିଛି ନଵଵିଵାହିତା ମହିଳା ଵିଵାହକାଳୀନ କରସୂତ୍ରକୁ ସାଇତି ସେଥିରେ ମାଳି ଗୁନ୍ଥି ପିନ୍ଧିଥିବେ ଯାହା ପରେ ମଙ୍ଗଳସୂତ୍ର ହାରର ପରମ୍ପରାକୁ ଜନ୍ମ ଦେଇଥିଵ । 

ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୂର୍ଵରୁ ସଂକଳିତ ହୋଇଥିଲା । ସେଥିରେ ମଧ୍ୟ ମଙ୍ଗଳସୂତ୍ର ଶବ୍ଦ ରହିଛି ଏଵଂ ଏହାର ଦୁଇଗୋଟି ଅର୍ଥ ଲେଖା ହୋଇଛି । 

(କ).ସେହି ସୂତ୍ର ଯାହା ଶୁଭ ଅଵସରରେ ହାତରେ ବନ୍ଧାଯାଏ(वह तागा जो किसी देवता के प्रसाद रूप में किसी शुभ अवसर पर कलाई में बाँधा जाता है) । 

(ଖ).ସେହି ସୂତ୍ର ଵା ହାର ଯାହା ସଧଵା ସ୍ତ୍ରୀ ନିଜ ଗଳାରେ ପିନ୍ଧେ । ଏହି ପରମ୍ପରା ଏବେ ପ୍ରାୟତଃ ମହାରାଷ୍ଟ୍ରରେ ପ୍ରଚଳିତ ଅଛି(वह सूत्र या सिकड़ी जो सधवा स्त्रियाँ गले में पहनती हैं । अब इसका अधिकतर महाराष्ट्र में प्रचार है ।)

ହିନ୍ଦୀ ଶବ୍ଦ ସାଗରରେ ମଙ୍ଗଳସୂତ୍ର ସମ୍ବନ୍ଧୀୟ ତଥ୍ୟରୁ ଅନୁମାନ କରାଯାଇପାରେ ଯେ ପ୍ରଥମେ ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତରେ(ସମ୍ଭଵତଃ🤔) ମଙ୍ଗଳସୂତ୍ର ନାମରେ ହାର ପିନ୍ଧିଵାର ପ୍ରଥା ରହିଥିଵ ଯାହା Bollywood କୃପାରୁ ସାରା ଭାରତର ହିନ୍ଦୁ ଲୋକେ ଗ୍ରହଣ କରିନେଇଛନ୍ତି ।

ଅଳଙ୍କାର ସମ୍ବନ୍ଧରେ ଗଵେଷଣା କରିଥିଵା ଐତିହାସିକା ଡକ୍ଟର ଉଷା ବାଳକୃଷ୍ଣ ମଙ୍ଗଳସୂତ୍ର ସମ୍ବନ୍ଧରେ କୁହନ୍ତି “There was no concept in ancient India of a marriage being solemnised through a mangal sutra as we know of it today with diamonds, pendants and the like,” ! 

ମଙ୍ଗଳସୂତ୍ର ଆଗରୁ ବି ଥିଲା କିନ୍ତୁ ତାହା ବେକରେ ସୂନା ରୂପା ମଣି ଖଚିତ ହାର ରୂପେ ନୁହେଁ ଵରଂ ଵିଵାହକାଳୀନ କରସୂତ୍ର ରୂପେ ବନ୍ଧା ଯାଉଥିଲା । ହୁଏତ ସମୟ ସହ ମହିଳାମାନେ ମଙ୍ଗଳସୂତ୍ର ନାମରେ ଜଣାଶୁଣା କରସୂତ୍ରକୁ ଵିଵାହ ପରେ ବେକରେ ପିନ୍ଧିଵା ଆରମ୍ଭ କରିଥିବେ ଯାହା ପରେ ମଙ୍ଗଳସୂତ୍ର ହାରର ରୂପ ନେଇଅଛି ।

Saturday, October 14, 2023

•ବାରମୂଳାର ବାଟେଘାଟେ(ଡକ୍ଟର କୁଞ୍ଜବିହାରୀ ଦାଶ)•


ବସ୍‌ରେ ବେଶ୍ ଭିଡ଼, ହେଲେ ଜାଗା ଲାଗି କାହା ସଙ୍ଗେ ଝଗଡ଼ା ଝାଟି ଲାଗି ନାହିଁ । ଆମ କେତେଜଣଙ୍କ ଛଡ଼ା ବସର ପ୍ରାୟ ସମସ୍ତ ଯାତ୍ରୀ କାଶ୍ମୀରୀ । ପୁରୁଷମାନେ ପାଇଜାମା, ଫେରନ୍ ପିନ୍ଧିଛନ୍ତି, ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି, ସ୍ତ୍ରୀମାନଙ୍କର ରଙ୍ଗ ବେରଙ୍ଗର ଶାଢ଼ି, ଫେରନ୍, ମୁଣ୍ଡରେ ତରଙ୍ଗା, କେହି ବୁର୍ଖା ଭିତରେ ଆଖି ଦୁଇଟି ଜୁଳୁ ଜୁଳୁ କରୁଛନ୍ତି; ହିନ୍ଦୁ ସ୍ତ୍ରୀଙ୍କ କାନରେ ଦିଜହୁର, ମୁସଲମାନ ସ୍ତ୍ରୀଙ୍କ ଗୋଛା ଗୋଛା କାନଓ୍ବାଜି କାନକୁ ଲମ୍ବା ଆଉ ନଡ଼କା କରି ଦେଇଛି । ବସ୍ ଚାଲିଲା, ରାସ୍ତା ଦୁଇ ପାଖରେ ସଫେଦ, ଧୂଆଁଳିଆ ମେଘ ଅଳସ
ଗତିରେ ପାହାଡ଼ ଉପରକୁ ଉଠି ବରଫ ହେଉଛି । ଚଷା ଧାନବିଲ କାଦୁଅ କରୁଛନ୍ତି,
କେଉଁଠି ତଳି ରୁଆ ହେଉଛି, କେଉଠିଁ ଧାନ କଳା ବୁଲି ଆସିଲାଣି, ହିଡ଼େ ହିଡ଼େ ବଗ ଚରି ବୁଲୁଛନ୍ତି, ସୋରିଷ କ୍ଷେତରେ ସୁନାର ଢେଉ—ଝେଲମ୍ କୂଳେ କୂଳେ ଚାଲିଲା ଆମର ବସ୍, ଦିନ ଆଠଟା ବେଳେ ଗୋଟିଏ ପୋଲ ନିକଟରେ ପହଞ୍ଚିଲୁ !

ଏଠି ଭାରତ ଓ ପାକିସ୍ତାନର ଭାଗ୍ୟ ପରୀକ୍ଷାହୋଇଥିଲା, ରକ୍ତ ଧାରରେ ଝେଲମର
ଜଳ ହୋଇଥିଲା ଲୋହିତ । ସେତେବେଳେ ଆକ୍ରମଣକାରୀ ପାହାଡ଼ୀ ସୈନ୍ୟ ଶ୍ରୀନଗର ଅଧିକାର କରିଵାକୁ ଆଗେଇ ଆସୁଥାନ୍ତି। ବାରମୂଳା ସେମାନଙ୍କ ପ୍ରଧାନ ସେନାଛାଉଣି,
ସଙ୍ଗରେ ନାନାପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର–ଟ୍ୟାଙ୍କ୍‌, ଟ୍ୟାଙ୍କଵିଧ୍ୱଂସୀ ରାଇଫଲ୍,
ମେସିନ୍ ଗନ୍, ଷ୍ଟେନ୍‌ଗନ୍, ବ୍ରେନ୍ ଗନ୍, ହାଣ୍ଡଗ୍ରେନେଡ୍ । ହଜାର ହଜାର ସୁଶିକ୍ଷିତ
ସୈନ୍ୟ । ଦେହରେ ଅକଳନ୍ତି ବଳ, ମନରେ ଵିଜୟଵିଶ୍ଵାସ । ସେନାପତି ରଣଜିତ୍
ରାୟ ଵିଷମ ସଙ୍କଟରେ ପଡ଼ିଲେ ।
ମାତ୍ର ଘଣ୍ଟାଏ ଆଗରୁ ସେ ଶ୍ରୀନଗର ବିମାନ ଘାଟିରେ ପହଞ୍ଚିଥାନ୍ତି, ଘାଟି
ନିରାପଦ ରଖିଵା ଲାଗି ଦିଲ୍ଲୀରୁ ଆଦେଶ ପାଇଥାନ୍ତି । କିନ୍ତୁ କାଶ୍ମୀରକୁ ଆସି ଯେଉଁ
ଅଵସ୍ଥା ଦେଖିଲେ, ସେଥିରେ ତାଙ୍କ ଆଖି ଖୋସି ହୋଇଗଲା । ଉରିରେ ବାଧା
ଦେଵାକୁ ଯାଇ ମହାରାଜ ହରସିଂଙ୍କ ସେନାପତି ପ୍ରାଣ ଦେଇଛନ୍ତି, ତା ପରେ ଆକ୍ରମଣକାରୀ ବିନା ବାଧାରେ ପଙ୍ଗପାଳ ପରି ଆଗେଇ ଆସୁଛନ୍ତି, ଲୋକଙ୍କ ମନୋବଳ ଭାଙ୍ଗି ପଡ଼ିଛି, ଵିକଳରେ ଈଶ୍ଵରଙ୍କୁ ଡକା ପକାଉଛନ୍ତି, ଚାରିଆଡ଼େ ହାହାକାର ପଡ଼ିଯାଇଛି; ଆଉ ଗୋଟିଏ ଦିନ ମାତ୍ର, ଶ୍ରୀନଗର ଶତ୍ରୁ କବଳରେ
ପଡ଼ିଵ । ଉଡ଼ାଜାହାଜ ଘାଟିକି ଜାବୁଡ଼ି ଧରି ବସିଲେ କି ଲାଭ ହେଵ ? ଶ୍ରୀନଗର
ଅଧିକୃତ ହେଲେ ସେ କ’ଣ ସମ୍ବଳା ପଡ଼ିଵ ? ଦିଲ୍ଲୀରୁ ଯେ ଆଦେଶ ନାହିଁ ! ତାକୁ
ଚାହିଁଵା ଅର୍ଥ ଠେଙ୍ଗା ତୁଲେଇ ବସିଵା, ଠେଙ୍ଗା ତୁଲଉଁ ତୁଲଉଁ ଘୁଷୁରି ମଙ୍ଗଳପୁରରେ
ହାଜର ହେଵା ଵିଚିତ୍ର ନୁହେଁ । ପୁଣି ଏତିକି ସୈନ୍ୟ ନେଇ ଵିରାଟ ଶତ୍ରୁବାହିନୀ
ସଙ୍ଗେ କିପରି ଯୁଦ୍ଧ କରାହେଵ ? ମହାସ୍ରୋତ ଆଗରେ ତୃଣ ପରି ଭାସିଯିଵା ହିଁ
ସାର ହେଵ । ମିଲିଟାରୀ ଗାଡ଼ି ନାହିଁ, ଉଡ଼ାଜାହାଜ ନାହିଁ, ସେଭଳି ଅସ୍ତ୍ର ଶସ୍ତ୍ର ବି
ନାହିଁ । ମହାଵୀର ରଣଜିତ ରାୟ ମହାଭାଵନାରେ ପଡ଼ିଲେ, କିନ୍ତୁ ଭାଵନାରେ ଆନନ୍ଦ ମିଳଇ କାହିଁ ? କାର୍ଯ୍ୟ—କାର୍ଯ୍ୟ, ଚତୁର୍ଦ୍ଦିଗରେ କାର୍ଯ୍ୟର ଆହ୍ୱାନ । ଶତ୍ରୁକୁ ହଟେଇଵାକୁ ହେଵ । ଶ୍ରୀନଗରରେ ଯେତେ ବସ୍, ଲରି, ମୋଟର ଚାଲୁଥିଲା, ସବୁ ଏକାଠି
କଲେ, ସେଇ ରାତିରେ କଲେ ଯୁଦ୍ଧଯାତ୍ରା । ବାରମୂଳାର ଅଳ୍ପ ଦୂରରେ ଗୋଟିଏ
ପାହାଡ଼, ଶୁଷ୍କତୃଣରେ ଧୂସର; ପାହାଡ଼ ମୂଳରେ ରାଜପଥ, ଡାକେ ବାଟରେ ଝେଲମ୍ । ରାତି ଅଧ, ଆକାଶର ତାରକା ଆଶୀର୍ଵାଦ କଲେ, ରଣଜିତ୍ ଏଇ ପାହାଡ଼ରେ ଘାଟି ଜମେଇଲେ । ଗାଡ଼ିସବୁ ଲୁଚାଇ ରଖିଲେ । ତା’ଆର ଦିନ ସିନ୍ଦୂରା ଫାଟି ନାହିଁ, ଶତ୍ରୁସୈନ୍ୟ ରାଜପଥରେ ପଟୁଆରରେ ଯିଵାର ଦେଖାଗଲା, କି ଫୁର୍ତ୍ତି !

କେତୋଟି ଘଣ୍ଟା ମଧ୍ୟରେ କାଶ୍ମୀରର ରାଜମୁକୁଟ ଅଧିକୃତ ହେଵ, ଅକଳନ୍ତି ଧନଦୌଲତ, ଅସରନ୍ତି ଖାଦ୍ୟଭଣ୍ଡାର ହାତରେ ପଡ଼ିଵ, ଗୀତ, ନୃତ୍ୟ, ଭୋଜି ମଉଜର ସୀମା ରହିଵ ନାହିଁ । କି ମଜ୍ଜା । ରଣଜିତ୍ ଆଦେଶ ଦେଲେ, ଚଳାଅ ଗୁଳି । ମେସିନ୍ ଗନ୍ ଗର୍ଜି ଉଠିଲା ଗୁଡୁମ୍, ଗୁଡୁମ—ଝେଲମର ଢେଉ ଚମକି ପଡ଼ିଲେ, ଭୟାଳୁ ପକ୍ଷୀ ଆର୍ତ୍ତ ରବରେ
ଇତସ୍ତତଃ ପଳାଇଗଲେ, କଜ୍ଜଳ ଧୂମରେ ଉଷାର ସିନ୍ଦୂରିତ ଆକାଶ ଛାଇ ହୋଇଗଲା, ରାସ୍ତାର ଦୁଇକଡ଼ରେ ଓଲଟି ପଡ଼ିଲେ ଶତ ଶତ ଶତ୍ରୁ ସୈନ୍ୟ, ଗୋଲାପୀ ସ୍ଵପ୍ନ ଉପରେ ସତେ କି ଅକାଳ ଚଡ଼କ ପଡ଼ିଲା, ଛିନ୍ ଛତର ହୋଇ କିଏ କୁଆଡ଼େ ପଳାଇଲେ । ସେନାପତି ସାହସ ଦେଇ ପୁଣି ସେମାନଙ୍କୁ ଏକାଠି
କଲେ, ସେନାକୁ ଦୂରକୁ ଘୁଞ୍ଚାଇ ନେଇ ପାଲ୍‌‌ଟା ଆକ୍ରମଣ ଲାଗି ପ୍ରସ୍ତୁତ ହେଲେ । ଯେଉଁ ଦିଗରୁ ଗୁଳି ଛୁଟୁଥିଲା, ସେହି ଦିଗକୁ ଲକ୍ଷ୍ୟ କରି ବନ୍ଧୁକର ଘୋଡ଼ା ଟିପିଲେ । କିନ୍ତୁ ଗୋଟିଏ ହେଲେ ଗୁଳି ଶିଖ୍ ସୈନ୍ୟଙ୍କ ଦେହରେ ବାଜିଲା ନାହିଁ । ସେମାନଙ୍କର ରକ୍ଷାକର୍ତ୍ତା ପାହାଡ଼ । ତା ପରେ ଶତ୍ରୁ ବାହିନୀ ପାହାଡ଼କୁ ଦୁଇଦିଗରୁ ଘେରାଉ କଲେ ।

ରଣଜିତ୍ ଦେଖିଲେ–କଥା ସରିଲା ଆଉ ରକ୍ଷା ନାହିଁ । ଏ ଘାଟିକି ଆବୁରି ରହିଵା ଅର୍ଥ ମୃତ୍ୟୁ । କମାଣ ଧୂଆଁର ଆବରଣରେ ସେ ସୈନ୍ୟମାନଙ୍କୁ ପଛେଇ ନେଲେ, ଜଣ ଜଣ ହୋଇ ସମସ୍ତେ ଗଲେ, କିନ୍ତୁ ସେ ନିଜର ଆସ୍ଥାନ ଛାଡ଼ିଲେ ନାହିଁ । ଏକୁଟିଆ ଛିଡ଼ା ହୋଇ ସେ ଗୁଳି ଟିପିଲେ, ଆଗେଇ ଆସୁଥିଵା ଶତ୍ରୁ ସୈନ୍ୟ ମଧ୍ୟରୁ ଯେତେ ନିପାତ ହେଲେ, ତହିଁରୁ ବେଶୀ ଘାଇଲା ହେଲେ । ଅନ୍ଧକାର ଘନେଇ ଆସିଲାଣି, ଶିଖ୍‌ସୈନ୍ୟ ଗୋଟିଏ ନିରାପଦ ଘାଟି ଆଗୁଳି ବସିଲେଣି; କିନ୍ତୁ ରଣଜିତ୍ ରାୟ ? ଆହା ରଣଜିତ୍ ରାୟ ! ଗୋଟିଏ ଗୋଳା ହଠାତ୍‌ କାହୁଁ ଆସି ତାଙ୍କ କପାଳରେ ବାଜିଲା, ରାୟଙ୍କ ଖପୁରି ଉଡ଼ିଗଲା । ମାତ୍ର ୩୪ ବର୍ଷ ବୟସରେ ସେ ଉଚ୍ଚ ପାହ୍ୟାକୁ ଉଠିଥିଲେ—ଲେପ୍‌ଟିନେଣ୍ଟରୁ କ୍ୟାପଟେନ, କ୍ୟାପଟେନରୁ ମେଜର, ମେଜରରୁ ଲେପ୍‌ଟନେଣ୍ଟ କର୍ଣ୍ଣେଲ । ସେ ହୁଏତ ଦିନେ ହୋଇଥାନ୍ତେ ଭାରତର ଶ୍ରେଷ୍ଠ
ସେନାପତି; ସେ ଜୀଵନ ଦେଇ ସହସ୍ର ସହସ୍ର ଜୀଵନ ରକ୍ଷାକଲେ ଏଵଂ ରକ୍ଷାକଲେ
କାଶ୍ମୀରର ଇଜ୍ଜତ, ଭାରତର ସମ୍ମାନ। ଏଇ ଛୋଟ ପାହାଡ଼ରେ ରଣଜିତ୍ ରାୟଙ୍କ
କୀର୍ତ୍ତି ଅମରାକ୍ଷରେ ଖୋଦିତ ହୋଇଅଛି ।

ବାରମୂଳା ଶ୍ରୀନଗରରୁ ୫୫ କିଲୋମିଟର ଦୂର, ପହଞ୍ଚିଲୁ ଦିନ ସାଢ଼େ
ନ’ଟାରେ । ବସ୍ କମ୍ପାନୀ ଅଫିସ୍‌ରେ ଜିନିଷପତ୍ର ରଖି ଦେଇ ସହର ପରିକ୍ରମାରେ
ବାହାରିଲୁ । ସହରଟି ଅତି ଛୋଟ, ବଜାରରେ ସେପରି ଚାକଚକ୍ୟ ନାହିଁ, ସିନେମା
ଏବେ ଚାଲୁ ହୋଇଛି, କଲେଜଟି ପୂର୍ଣ୍ଣାଙ୍ଗ ହୋଇନାହିଁ, ଏହାର ବନ୍ଦ ଦରଜା ଭାଙ୍ଗି
ପାହାଡ଼ୀ ସୈନ୍ୟ ରହିଥିଲେ, ତାପରେ ଭାରତୀୟ ସୈନ୍ୟଙ୍କ କର୍ତ୍ତୃତ୍ବରେ ଏହା ଅନେକ
ଦିନ ରହିଥିଲା, ଏବେ ନୂଆ ହୋଇ ଖୋଲିଛି, ଗଣ୍ଠିଲି ପତ୍ର ଘେନି ପଳାଇ ଯାଇଥିଵା
ଅଧ୍ୟାପକମାନେ ଯୋଗ ଦେଇଛନ୍ତି । ପାହାଡ଼ୀ ସୈନ୍ୟଙ୍କ ଆକ୍ରମଣରେ ଏହି ସହର
ଚୂର୍ଣ୍ଣଵିଚୂର୍ଣ୍ଣ ହୋଇଯାଇଥିଲ।, ଏବେ ନୂଆ ହୋଇ ମୁଣ୍ଡ ଟେକୁଛି, ଵ୍ୟଵସାୟ ଵାଣିଜ୍ୟ
ଘନେଇ ଆସୁଛି । ଶତ ଶତ ଭାରତୀୟ ମିଲିଟାରୀ ଗାଡ଼ି ଏଣେ ତେଣେ ଯା’ ଆସ
କରୁଛି । ତାରଘେରା ତମ୍ବୁରେ ହଜାର ହଜାର ସୈନ୍ୟ ଜଗି ରହିଛନ୍ତି ।
ବାରମୂଳା ଝେଲମ ନଦୀ କୂଳରେ ଅଵସ୍ଥିତ, ଆଗେ ରାଓଲପିଣ୍ଡି ଦେଇ
ଭାରତରୁ କାଶ୍ମୀର ଏଇବାଟେ ଯାତାୟାତ ହେଉଥିଲା । ପାକିସ୍ତାନ ହେଵାପରେ
ସେ ଦ୍ବାର ବନ୍ଦ । ଏହି ସହର ଏକ ଘାଟି ସ୍ଥାନରେ ଅଵସ୍ଥିତ । ଜଳ, ସ୍ଥଳ ଵା ଆକାଶ
ପଥରେ ଏଠାରୁ ଯାଇ କାଶ୍ମୀର ରାଜ୍ୟର ମୁକୁଟ ଶ୍ରୀନଗର ଅଧିକାର କରିଵା
ସୁଵିଧାଜନକ । ସେହିପରି ଯୋଜନା କରି ପାକିସ୍ତାନୀ ଓ ପାହାଡ଼ୀ ସୈନ୍ୟ ଅଗ୍ରସର
ହେଉଥିଲେ ।
*
ବାରମୂଳା ମହାଵୀର ମୀର୍‌ମାକ୍‌ବୁଲ୍‌ ସେରୱାନୀଙ୍କ ଲାଗି ପ୍ରସିଦ୍ଧ ।
ସେରୱାନୀ ଆକ୍ରମଣକାରୀ ପାହାଡ଼ୀ ସର୍ଦାରମାନଙ୍କୁ କହିଲେ,ଶ୍ରୀନଗର ବାରମୂଳାରୁ
ମାତ୍ର ଘଣ୍ଟାକର ରାସ୍ତା, ଜାଣ ପାକିସ୍ତାନର ହାତ ମୁଠାରେ, ଏତେ ତରବରରେ
ଆଗେଇ ଲାଭ ନାହିଁ । ଵରଂ ଗାଁ ଗଣ୍ଡା ଲୁଟ୍‌ପାଟ୍ କରାଯାଉ । ଏକା ଧର୍ମର ଲୋକ,
ସେରୱାନୀଙ୍କ କଥାରେ ସର୍ଦ୍ଦାରମାନେ ମାତିଗଲେ । କେତେ ଘର ପୋଡ଼ାଗଲା,
ଲୁଟ୍‌ପାଟ୍ ଚାଲିଲା, କେତେ ନିରୀହଙ୍କ ମୁଣ୍ଡ ଭୂଇଁରେ ଲୋଟିଲା । ପାକିସ୍ତାନୀ
ସୈନ୍ୟଙ୍କ ମଧ୍ୟରେ ଆଉ କୌଣସି ଶୃଙ୍ଖଳା ରହିଲା ନାହିଁ । ଏଇ ଅବସରରେ
ଭାରତୀୟ ସୈନ୍ୟମାନେ ପହଞ୍ଚି ସେମାନଙ୍କୁ ନିପାତ କଲେ, କେତେକ ଵନ ପାହାଡ଼
ପଥରେ ଲୁଚି ପଳାଇଗଲେ । 



ଏଇ ଯୁଦ୍ଧବେଳେ ପାକିସ୍ତାନୀ ସୈନ୍ୟମାନେ ସେରୱାନୀଙ୍କ କାରସାଦି ବୁଝି ପାରି ତାଙ୍କୁ ବନ୍ଦୀ କଲେ, ତାଙ୍କ ଦେହ ହାତରେ ବଡ଼ ବଡ଼ ଲୁହାକଣ୍ଟା ବାଡ଼େଇ, ସେମାନେ ତାଙ୍କୁ କୁଶବିଦ୍ଧ କରିଦେଲେ, ତଥାପି
ସେରୱାନୀ ପାକିସ୍ତାନର ଜୟଧ୍ବନି ଉଚ୍ଚାରଣ କଲେ ନାହିଁ । ତାପରେ ତାଙ୍କ ବକ୍ଷକୁ
ଲକ୍ଷ୍ୟ କରି ଚଉଦଟି ଗୁଳି ମରା ହେଲା । ‘ଭାରତର ଜୟ’ ‘କାଶ୍ମୀରର ଜୟ’
‘ସତ୍ୟର ଜୟ’ କହି ସେରୱାନୀ ପ୍ରାଣତ୍ୟାଗ କଲେ ।
-
ସେରୱାନୀଙ୍କ ସାନଭାଇଙ୍କ ସଙ୍ଗେ ବଜାରରେ ଭେଟ ହେଲା – ଦୀର୍ଘ ଦେହ,ଗହଳିଆ ନିଶ, ମୁଣ୍ଡ ବାଳରୁ ଅଧେ ପାଚିଯାଇଛି, ବୟସ ଚାଳିଶରୁ ଅଧୂକ ହେଵନାହିଁ, ଦୁର୍ଭାଗ ଓ ଦୁଶ୍ଚିନ୍ତାରେ ଯେପରିକି ତାଙ୍କ ମେରୁଦଣ୍ଡ ଚଡ଼କି ଯାଇଛି। ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ସେ ବଡ଼ଭାଇଙ୍କ କୀର୍ତ୍ତି କାହାଣୀ ଵର୍ଣ୍ଣନା କଲେ, ଯେଉଁ ସ୍ଥାନରେ
ସେରୱାନୀଙ୍କୁ ହତ୍ୟା କରାଯାଇଥିଲା, ସେ ସ୍ଥାନ ଦେଖାଇଲେ । ଯେଉଁ ସ୍ଥାନରେ ସେରୱାନୀଙ୍କ ରକ୍ତ ବିନ୍ଦୁ ବିନ୍ଦୁ ନିଃଶେଷ ହୋଇ ଝରୁଛି,ସେ ପଵିତ୍ର ତୀର୍ଥକ୍ଷେତ୍ର, ତା’ର ପ୍ରତ୍ୟେକ ଧୂଳିକଣାରେ ସେରୱାନୀଙ୍କ ଶୌର୍ଯ୍ୟ
ମିଶିଛି, ଟିପେ ଧୂଳି ଆଣି ମୁଣ୍ଡରେ ଲଗାଇଲି, ଦୀର୍ଘ ଶୋଷାରେ ଶୋଷି ନେଲି ସେ ଵାୟୁମଣ୍ଡଳର ମହତ୍ତ୍ବ ।

[ଲେଖକ :- ଡକ୍ଟର କୁଞ୍ଜବିହାରୀ ଦାଶ (୧୯୧୪-୧୯୯୪) ଏକାଧାରରେ ଜଣେ
ଵିଶିଷ୍ଟ କଵି, ସମାଲୋଚକ, ଭ୍ରମଣଵୃତ୍ତାନ୍ତ ଲେଖକ, ଲୋକ ସାହିତ୍ୟ ସଂଗ୍ରାହକ, ଗଵେଷକ,ଆତ୍ମଜୀଵନୀ ଲେଖକ ଓ କଥାକାର । ତାଙ୍କ କଵିତାରେ ଲୋକଐତିହ୍ୟ, ପଲ୍ଲୀଗୀତ, ଓଡ଼ିଶାର ଇତିହାସ, ଜାତୀୟ ଚେତନା, ସାମ୍ୟଵାଦୀ ଚେତନା, ମାନଵଵାଦ ଓ ଵୈପ୍ଳଵିକ ଚେତନା ଲକ୍ଷ୍ୟ କରାଯାଏ । ତାଙ୍କର କଵିତା ରଚନାଵଳୀ ମଧ୍ୟରେ ‘ଛିନ୍ନହସ୍ତା’ ‘ଵୀରଶ୍ରୀ’ ‘ନଵ ମାଳିକା’
‘ଡୁଡୁମା’ ‘ବାଗ୍ରା’ ‘କଙ୍କାଳର ଲୁହ’ ପ୍ରଭୃତି ପ୍ରଧାନ । ଜାତିଧର୍ମ ନିର୍ଵିଶେଷରେ ଜନ୍ମଭୂମି ସମସ୍ତଙ୍କ ପାଇଁ ମହାନ୍ ଓ ପବିତ୍ର । ଦେଶମାତୃକାର ସୁରକ୍ଷା ନିମିତ୍ତ କର୍ତ୍ତଵ୍ୟର ପରାକାଷ୍ଠା ଓ ଆମ୍ବୋତ୍ସର୍ଗ ସ୍ବାଗତଯୋଗ୍ୟ ! ପ୍ରସ୍ତୁତ ରଚନାରେ ଏହା ପ୍ରତିଫଳିତ ହୋଇଛି ।ଏହା ଲେଖକଙ୍କ ଭ୍ରମଣ ଵୃତ୍ତାନ୍ତ ‘‘ମୋ ସ୍ବପ୍ନର କାଶ୍ମୀର’’ ରୁ ସଂଗୃହୀତ ।ଆଗେ ଏହା ଉଚ୍ଚ ଵିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା]

Tuesday, October 10, 2023

ଷଣ୍ଢ ଓ ନଵାବ

ଥରେ ବଙ୍ଗର ନଵାବ, ରାଜା କୃଷ୍ଣଚନ୍ଦ୍ରଙ୍କ ରାଜ୍ଯକୁ ଗଲେ ଏଵଂ ରାଜଧାନୀରେ ନିଜର ଛାଉଣୀ ଲଗାଇଲେ। କିଛି ସମୟ ପରେ ସେହି ଛାଉଣୀ ଆଡ଼କୁ ଗୋଟେ ମୋଟା ଷଣ୍ଢ ଆସିଲା। ନଵାବ ନିଜର ସିପାହୀମାନଙ୍କ ଦ୍ଵାରା ଷଣ୍ଢକୁ ଧରାଇ ସେଦିନ ଦିନ ରାତିରେ ତାକୁ ମାରିକରି ତାହାର ମାଂସ ରନ୍ଧନ କରିଵାକୁ ରଷେଇଆକୁ ଆଦେଶ ଦେଇ ଦେଲେ । 

କିଛି କ୍ଷଣରେ ଏହି ଦୁର୍ଘଟଣାର ସମ୍ବାଦ ରାଜା କୃଷ୍ଣଚନ୍ଦ୍ରଙ୍କୁ ଜ୍ଞାତ ହେଲା । ସେ ଗହନ ଚିନ୍ତାରେ ପଡ଼ି ଗଲେ। ରାଜା ନିଜ ପିତାଙ୍କ ଶ୍ରାଦ୍ଧ ଦିନ ସେହି ଷଣ୍ଢ ଉପରେ ମୋହର ଲଗାଇ ତାକୁ ଛାଡ଼ି ଦେଇଥିଲେ ‌ କିନ୍ତୁ ଦୁର୍ଭାଗ୍ୟକୁ ଏବେ ତାହା ନଵାବ ଓ ତାଙ୍କ ଲୋକଙ୍କ ଖାଦ୍ୟ ହେଵାକୁ ଯାଉଛି ! 

ରାଜା ଚିନ୍ତିତ ଥିଵା ଦେଖି ଵିଦୂଷକ ଗୋପାଳ କାରଣ ଜାଣି ନଵାବଙ୍କୁ ଭେଟିଵାକୁ ଛାଉଣୀକୁ ଗଲେ ଏଵଂ ତାଙ୍କୁ କହିଲେ —“ହଜୂର, ମୁଁ ଆମର ନଗ୍ର ପକ୍ଷରୁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିଵାକୁ ଆସିଅଛି। ସେ ଷଣ୍ଢକୁ ମାରିଦେଲେ ଆମ୍ଭମାନଙ୍କର ବହୁତ ଉପକାର ହେଵ । ସେହି ମୋଟୁଆ ଷଣ୍ଢଟା ଆମ୍ଭମାନଙ୍କର ଘର ବାଡ଼ିରେ ପଶି ଯାହା ତ ଉଦୁରୁମତା ହେଵା କଥା ହେଉଛି ପୁଣି ଲୋକେ ପୋଖରୀ ପାଣି ଗଲାବେଳେ ତାଙ୍କୁ ମାରି ଗୋଡ଼ାଇ ତାଙ୍କର ଵିଷ୍ଟା ଭକ୍ଷଣ କରିଵାକୁ ବି ପଛାଉ ନାହିଁ । ରାଜାଙ୍କ ଷଣ୍ଢ ବୋଲି ସିନା ଆମ୍ଭେମାନେ ୟାକୁ କିଛି କରିପାରୁନଥିଲୁ କିନ୍ତୁ ଆପଣ ତାକୁ ଉପଯୁକ୍ତ ଶାସ୍ତି ଦେଇ ଆମ୍ଭମାନଙ୍କ ପ୍ରତି ଅଶେଷ ଉପକାର କରୁଛନ୍ତି ।”

ନଵାବ ଯେମିତି ଜାଣିଲେ ଷଣ୍ଢଟା ଗୋଟାଏ ଵିଷ୍ଟାଖିଆ ଜୀଵ ସେ ଏକବାରେ(ହଠାତ୍) ନାକ ଟେକି ଛି ଛି କହି ସେ ଷଣ୍ଢକୁ ଛାଡ଼ି ଦେଵାକୁ ଆଦେଶ ଦେଲେ ‌।

ଏଣେ ରାଜା କୃଷ୍ଣଚନ୍ଦ୍ର ଯେତେବେଳେ ଗୋପାଳଙ୍କର ବୁଦ୍ଧିମତା ଜାଣିଲେ ସେ ତାଙ୍କୁ ଅନେକ ପୁରସ୍କାର ଦେଲେ । 
•••••••••••••••••••••••••••••


Sunday, October 8, 2023

ତଅପୋଇର କାହାଣୀ

ଖୁଦୁରୁକୁଣୀ ଓଷାର ମୁଖ୍ୟ ନାୟିକା ତଅପୋଇ ସହିତ ସାରା ଓଡ଼ିଶାର ଲୋକ ପରିଚିତ ଥିବେ । ଏହି ଲୋକକଥାଟି କଳିଙ୍ଗର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ବଞ୍ଚିଯାଇଥିଵା କିଛି ସାଂସ୍କୃତିକ ପ୍ରମାଣ ମଧ୍ୟରେ ଅନ୍ୟତମ । ଆଜକୁ ସହସ୍ରାଧିକ ଵର୍ଷ ତଳେ ଓଡ଼ିଆ ସାଧଵମାନେ ଜଳପଥରେ ଵିଦେଶକୁ ଵାଣିଜ୍ୟ କରିଵା ନିମନ୍ତେ ଯାଉଥିଲେ ଏଵଂ ତଅପୋଇର କାହାଣୀ ସେହି ସମୟର କଥା । ସାତଜଣ ସାଧଵ ଭାଇ ଦୂରଦେଶକୁ ଵାଣିଜ୍ୟ କରିଵାକୁ ଯାଇଥିଲା ବେଳେ ଘରେ ତାଙ୍କର ସାତଜଣ ପତ୍ନୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଯାଇଥିଲା । କେଵଳ ସାନ ଭାଉଜଙ୍କୁ ଛାଡ଼ି ବୁଢ଼ୀ ବ୍ରାହ୍ମଣୀର କଥାରେ ପଥଭ୍ରଷ୍ଟ ହୋଇ ତଅପୋଇର ଅନ୍ୟ ସବୁ ଭାଉଜ ତା’ ଉପରେ ଅତ୍ୟାଚାର କରୁଥିଲେ । ଅଲିଅଳରେ ବଢ଼ିଥିଵା ତଅପୋଇକୁ ଘରକାମରେ ଲଗାଉଥିଲେ ଏମନ୍ତକି କାଠ ଗୋଟାଇଵା ତଥା ଛେଳି ଚରେଇଵା ପାଇଁ ଜଙ୍ଗଲକୁ ପଠାଉଥିଲେ । ଭାଇମାନେ ଦୂରରେ ଥିଵାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ପରିଵର୍ତ୍ତେ ଭାଉଜମାନେ ତଅପୋଇକୁ ବ୍ରାହ୍ମଣୀ କଥାରେ ପଡ଼ି ଖୁଦ ଖାଇଵାକୁ ଦେଉଥିଲେ । କେଵଳ ତଅପୋଇର ସାନଭାଉଜ ତାକୁ ଲୁଚାଇ ଲୁଚାଇ ଖାଇଵାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ପରେ ବି ଭାଇମାନେ ଵିଦେଶରୁ ନଫେରିଵାରୁ ତଅପୋଇ ଵ୍ୟସ୍ତ ହୋଇ ପଡ଼ିଲା । ସେ ଯୁଗରେ କଳିଙ୍ଗୀମାନେ ଶୁଭଯାତ୍ରା ପାଇଁ କଳିଙ୍ଗର ଅଧିଷ୍ଠାତ୍ରୀ ଦେଵୀ ମଙ୍ଗଳାଙ୍କର ଆରାଧନା କରୁଥିଲେ । ତଅପୋଇ ଜଣେ ଵୃଦ୍ଧାଙ୍କଠାରୁ ଦେଵୀ ମଙ୍ଗଳାଙ୍କର ଓଷା ସମ୍ବନ୍ଧରେ ସବୁ ଵିଧି ବୁଝି ନଦୀ ବାଲି ଉପରେ ମାଟିର ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କଲା । 


ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିଵା ନିମନ୍ତେ ମଙ୍ଗଳା ଠାକୁରାଣୀଙ୍କ ପାଖରେ ତାକୁ ମିଳିଥିଵା ଖୁଦ ଭୋଗ ଭାଵରେ ଦେଇ ପ୍ରାର୍ଥନା କରିଥିଲା । ତା’ର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି ଵା ଖୁଦରଙ୍କୁଣୀ) ଭାଇମାନଙ୍କୁ ଘରକୁ ଲେଉଟାଇଵା ପାଇଁ ପଵନର ଗତି ବଦଳାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିଵା ନିମନ୍ତେ ସବୁ ଭାଉଜ ଯାଇଥିଵା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ (ତଅପୋଇ ଚଳଚ୍ଚିତ୍ରରେ ସାଧଵଭାଇମାନେ ଓଡ଼ିଶାକୁ ଫେରି ଜଙ୍ଗଲରୁ ତଅପୋଇକୁ ପାଇଥିଲେ) । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍ ଧରି ବସିଵାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେଵଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧଵ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ମତାନ୍ତରେ ମଙ୍ଗଳା ଠାକୁରାଣୀ ଛଅ ଜଣ ବଡ଼ ଭାଉଜଙ୍କୁ ନାକ କାଟି ଦଣ୍ଡିତ କରିଥିଲେ ‌‌। ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭାଦ୍ରଵ ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି । 

ମଙ୍ଗଳାଙ୍କର ନାମ ଖୁଦରଙ୍କୁଣୀ ଏଵଂ ଏହାଙ୍କ ଓଷାର ନାମ ପରେ ଖୁଦୁରୁକୁଣୀ ହୋଇଅଛି ।
ପୁଣି କେହି କେହି କୁହନ୍ତି ଆଜିକାଲି ସିନା ମଙ୍ଗଳାଙ୍କର ମୂର୍ତ୍ତି ପ୍ରତିଷ୍ଠା କରି ଖୁଦୁରୁକୁଣୀ ଓଷା କରାଯାଉଛି କିନ୍ତୁ ଆଗେ ଦେଵୀ ମଙ୍ଗଳାଙ୍କର ଭାଲ ଵା ମସ୍ତକର ସମ୍ମୁଖସ୍ଥ ଉପରିଭାଗକୁ କୁଣ୍ଢି ଵା କଣ୍ଢେଇ ରୂପେ ମାଟିରେ ନିର୍ମିତ କରି ଏହି ଓଷା କରାଯାଉଥିଲା ବୋଲି ଏହାର ନାମ ଭାଲକୁଣୀ ଓଷା ହୋଇଥିଲା ‌ । 

କିନ୍ତୁ ଖୁଦୁରୁକୁଣୀ ଓଷା କଥାର ମୁଖ୍ୟ ନାୟିକା 'ତଅପୋଇ'ର ନାମ ପଛର ଵ୍ୟୁତ୍ପତ୍ତି ମୂଳ କେହି ପାଇନଥିଲେ ‌। ସେଥିପାଇଁ କେଉଁଠି ବି "ତଅପୋଇ" ନାମ ଵା ଶବ୍ଦର ମୂଳ ଉଲ୍ଲେଖ ଥିଵା ଦେଖାଯାଏ ନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ନାମ ଵା ଶବ୍ଦର ମୂଳ ଵିଷୟରେ ସେଥିପାଇଁ କୌଣସି ତଥ୍ୟ ଦିଆଯାଇନାହିଁ । ସେଠାରେ ତଅପୋଇକୁ ଏକ ନାମଵାଚକ ଶବ୍ଦ ତଥା "ଖୁଦୁରୁକୁଣି ଓଷା କଥାରେ ଵର୍ଣ୍ଣିତ ମହାଜନ ଝିଅର ନାମ" ତଅପୋଇ ଥିଵା ଉଲ୍ଲେଖ କରାଯାଇଛି ।

ଖୁଦୁରୁକୁଣୀ ଓଷା କଥା ଅନୁସାରେ ବୁଢ଼ା ସାଧଵଙ୍କର ସାତଜଣ ପୁଅ ଥିଲେ ଓ ତହିଁ ଉତ୍ତାରୁ ଯେଉଁ କନ୍ୟା ଜନ୍ମ ହେଲା ତାକୁ ତଅପୋଇ ନାମ ଦିଆଗଲା । କଵି ଦୁଷ୍କର ନାୟକ କୃତ ତଅପୋଇ ଗୀତରେ ବୁଢ଼ା ସାଧଵଙ୍କ ନାମ ତନୟାଵନ୍ତ କୁହାଯାଇଛି । 

"ତନୟା ବନ୍ତ ବୋଲିଣ ସାଧଵର ଘର,
ଭାରତ ମଣ୍ଡଳେ ଥିଲା ବଡ଼ ତତପର ।
ଘର ଖମ୍ବମାନ ତାର ସ୍ପଟିକ ପଥର,
ହସ୍ତୀଦନ୍ତ ରୁଅସୁନା ହୋଇଛି ଛପର ।"

ତେବେ କଵି ଗୋପୀନାଥ ଦାସଙ୍କ "ତଅପୋଇ ଓଷା ଗୀତ"ରେ ବୁଢ଼ା ସାଧଵଙ୍କ ନାମ ତନୟଵନ୍ତ ଉଲ୍ଲେଖ କରାଯାଇଛି । ଏ ଗୀତରେ ବଡ଼ ସାଧଵ ଭାଇଙ୍କ ନାମ ମଧ୍ୟ ଆରମ୍ଭରେ କହିଦିଆଯାଇଛି । 

"ତ‌ହିଁରେ ଏକ ସାଧୁ ଘର । 
ତନ‌ୟ ଵନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । 
ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । 
ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । 
ବୋଇତ ସାତ ଖଣ୍ତ‌ତାର ।।
ସାତ ପୁଅରେ ସାତ ଵୋହୂ । 
ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । 
ଶୁଅନ୍ତି ଖଟ ପଲଙ୍କରେ ।।"

ତେବେ ପ୍ରଶ୍ନ ଆସେ ତଅପୋଇ ଶବ୍ଦର କିଛି ଅର୍ଥ ଅଛି କି କାରଣ ଆମ ଓଡ଼ିଶାରେ ଶୁଭନାମ ହେଉ ଵା ଡାକନାମ ସେସବୁ ନାମ ମଧ୍ୟରେ ଅଧିକାଂଶର କୌଣସି ନା କୌଣସି ଅର୍ଥ ନିଶ୍ଚୟ ଥାଏ ଏଵଂ ସେ ନାମମାନ କୌଣସି ଉଦ୍ଦେଶ୍ୟ ଵା କାରଣରୁ ଦିଆଯାଇଥାଏ ‌। ଉଦାହରଣ ସ୍ୱରୂପ କେହି ପିଲା ଛୋଟବେଳେ ପତଳା ଥିଲେ ତାକୁ "କାଠି" ନାଆଁ ଦିଆଯାଏ ,କେହି ପିଲା ନିଜ ଘରର ବଡ଼ ପୁଅ ହୋଇଥିଲେ ତାକୁ "ଢମା" ନାମ ଦିଆଯାଏ । କେହି ପିଲା ମୋଟା ସୋଟା ହୋଇ ଜନମିଥିଲେ ତାହାର ଫାଫୁଲୁ ଵା ଫାଫୁଲି ନାଆଁ ଦିଅନ୍ତି । କୌଣସି କନ୍ୟା ଜନ୍ମ ସମୟରେ କସରା ଵା କହଁରା ବାଳଯୁକ୍ତ ହୋଇ ଜନ୍ମିଥିଲେ ଏଵଂ ଗୌରଵର୍ଣ୍ଣା ହୋଇଥିଲେ ତାକୁ କଇରୀ ନାମ ଦିଆଯାଏ । ତେବେ ଏସବୁ ସାଧାରଣତଃ ଡାକନାମ । ସେହିପରି ତଅପୋଇ ବି ଗୋଟିଏ ଡାକନାମ ହୋଇଥିଵା ସମ୍ଭଵ । କିନ୍ତୁ "ତଅପୋଇ" ଶବ୍ଦର କିଛି ତ ଅର୍ଥ ଥିଵ ,ଵିନା ଅର୍ଥ ଘେନି କୌଣସି ନାମଵାଚକ ଶବ୍ଦ ଵ୍ୟଵହାର ପ୍ରାୟତଃ କମ୍ । 

ତେବେ ତଅପୋଇ ନାମଵାଚକ ଶବ୍ଦର ଗୋଟିଏ ସମ୍ଭାଵିତ ନିରୁକ୍ତି ନିଶ୍ଚୟ ରହିଛି । ଏ ନାମଟି "ତଅପୋଇ"ର ଜନ୍ମ ସହିତ ସମ୍ପୃକ୍ତ । କିନ୍ତୁ କେମିତି ?

ପ୍ରଥମତଃ...
ଆମେ ସମସ୍ତେ ଜାଣନ୍ତି ଯେ ତଅପୋଇ ତନୟାଵନ୍ତ ସାଧଵଙ୍କର ସବା ଶେଷ ସବୁଠାରୁ ସାନ ସନ୍ତାନ । ପ୍ରଥମେ ତାଙ୍କର ସାତଜଣ ପୁତ୍ର ଜାତ ହୋଇଥିଲେ ଏଵଂ ଶେଷରେ ତଅପୋଇର ଜନ୍ମ ହୋଇଅଛି ।

ଦୁଇରେ 
ତଅପୋଇ ଶବ୍ଦକୁ ଯଦି ସମାନ ଭାଵରେ ଭଙ୍ଗାଯାଏ ତେବେ ଆମେ ଦୁଇଗୋଟି ଶବ୍ଦ ପାଇଥାଉ ...

ତଅ ଓ ପୋଇ...

ଓଡ଼ିଆ ଭାଷାରେ ତଅ ଶବ୍ଦଟି ତୋ ଵା ତୋର
,ତହ(କାଗଜ ବା ଲୁଗାର ଭାଙ୍ଗ ଵା ଚଉତ,ପ୍ରସ୍ତ,ପରସ୍ତ ସ୍ତର) ଓ ଧପାଙ୍ଗୀ(ଛଳନାପୂର୍ଵକ ସମୟ ନେଵା, ଭଣ୍ଡାଇଵା,ଠକିଵା) ଅର୍ଥରେ ପ୍ରୟୋଗ କରାଯାଏ । 

ସେହିପରି ପୋଇ ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ଅମରପୋଇ,ପୋଇଶାଗ,ଛୋଟପୁଅ( ପିଲା, ଶିଶୁ ବାଳକ,ପୁଅ),ଛୋଟ କନ୍ୟା, ଛୋଟ ଚିଙ୍ଗୁଡ଼ି ମାଛ(ଚିଙ୍ଗୁଡ଼ି ପୋଇ), ଧାନ ଛଡ଼ା ଅନ୍ୟ ଶସ୍ଯକୁ(ଯଥା—ମୁଗ, ବିରି, କୋଳଥ, ମାଣ୍ଡିଆ ଆଦିକୁ) ଦେଢ଼ି ଵା ପାଞ୍ଚପାହି ସୁଧ କରାରରେ ଦାଦନ ଲଗାଇଵା ରୀତି,ପୋଇ ନାମକ ରାଗ ଵିଶେଷ,ପଚା; ସଢ଼ା, ରେଳପଥ ଓ ମାଈକୁକୁଡ଼ା ଆଦି ଅର୍ଥରେ ଵ୍ୟଵହାର କରାଯାଇଥାଏ । 

ତେବେ ତଅପୋଇ କ୍ଷେତ୍ରରେ ତଅ ଶବ୍ଦଟି ସପ୍ତ ଶବ୍ଦର ପରିଵୃତ୍ତ ରୂପ ଏଵଂ ପୋଇ ଶବ୍ଦଟି ପୁତ୍ର ଵା ପୁତ୍ରକ ଶବ୍ଦର ପରିଵୃତ୍ତ ରୂପ ଅଟଇ ।‌

ସମ୍ଭଵତଃ ଆଗେ ସପ୍ତ ପୁଅ ପରେ ଯୋଉ ଝିଅ ଜନ୍ମୁଥିଲା ତାକୁ ସପତପୋଇ ନାଆଁ ଦେଉଥିଲେ ଯାହା ପରେ ତଅପୋଇ ରୂପେ ପରିଵୃତ୍ତ ହୋଇ ଚଳିଵାକୁ ଲାଗିଲା । ଖୁଦୁରୁକୁଣୀ କାହାଣୀରେ ମଧ୍ୟ ସାତଜଣ ଭାଇଙ୍କ ପରେ ସାନ ଭଉଣୀ ତଅପୋଇର ଜନ୍ମ ହୋଇଥିଲା । 

ତଅପୋଇ କାହାଣୀ ଓଡ଼ିଶାର ନୌଵାଣିଜ୍ୟ ପରମ୍ପରାର କାହାଣୀ ଏଵଂ ଭାରତରେ ଓଡ଼ିଶା ଵ୍ୟତୀତ ନୌଵାଣିଜ୍ୟ ସମ୍ବନ୍ଧୀୟ ଖୁଦୁରୁକୁଣୀ ଓଷା ଭଳି କୌଣସି ଓଷା କିମ୍ବା ପର୍ଵ ଅନ୍ୟତ୍ର ପ୍ରଚଳିତ ଥିଵା ଜଣାଯାଏ ନାହିଁ । ଖୁଦୁରୁକୁଣୀ, ଭାଲକୁଣୀ ଓ ତଅପୋଇ ଯେମିତି ମୌଳିକ କଳିଙ୍ଗୀ କଥା ଓ ନାମ ଠିକ୍ ସେହିପରି ଏହି କଳିଙ୍ଗୀ ପରମ୍ପରା ମଧ୍ୟ ଆମ ମାଟିର ନିଜସ୍ଵ !!!

ଶ୍ରୀଗରୁଡ଼ପୁରାଣରେ କାହାକୁ ସର୍ଵଜ୍ଞ ଓ ଵିଦ୍ଵାନ କୁହାଯାଇଛି?

ମନୁଷ୍ୟ ଵ୍ୟର୍ଥ ଜନ୍ମ ନିଏ ନାହିଁ କି ମରେ ନାହିଁ । କୌଣସି ବି ମନୁଷ୍ୟ ସମାଜ ପାଇଁ ବେକାର, ଅନାଵଶ୍ୟକ ନୁହେଁ । ଏଠାରେ ପ୍ରତ୍ୟେକ ମନୁଷ୍ୟ ସମାଜ ପାଇଁ ପ୍ରତ୍ୟକ୍ଷ ଅଥଵା ପରୋକ୍ଷ ଭାଵେ କିଛି ନା କିଛି କରୁଅଛନ୍ତି ଵା କରିଛନ୍ତି। 

ଅନେକ ମନୁଷ୍ୟ ଅଛନ୍ତି ବହୁତ ବଡ଼ ବଡ଼ କାର୍ଯ୍ୟ କରୁଛନ୍ତି ଵା କରିଛନ୍ତି କିନ୍ତୁ ସେମାନେ ସମାଜରେ ଜଣାଶୁଣା ହୋଇ ପାରିନାହାନ୍ତି ‌।‌ ଏଠି ପ୍ରତ୍ୟେକ ମନୁଷ୍ୟ ହୁଏ ତ ଶ୍ରେଷ୍ଠ ହୋଇନପାରେ କିନ୍ତୁ ସମାଜ ପାଇଁ ତାହାର ଅଳ୍ପ ହେଉ ପଛେ କିଛି ନା କିଛି ଯୋଗଦାନ ନିଶ୍ଚୟ ରହିଛି ।

 ସୀମାରେ ପ୍ରାଣ ଦେଉଥିଵା ସୈନିକ ଯେତିକି ଗୁରୁତ୍ୱପୂର୍ଣ୍ଣ,କଳ କାରଖାନା ତଥା ଖେତରେ ଝାଳ ବୁହାଉଥିଵା ଶ୍ରମିକ ଏଵଂ କୃଷକ ମଧ୍ୟ ଆମ ସମାଜ ପାଇଁ ସେତିକି ମହତ୍ତ୍ୱପୂର୍ଣ୍ଣ ।‌ ସେହିପରି ଏ ସମାଜର ପ୍ରତ୍ୟେକ ଵ୍ୟକ୍ତି ପାଖରେ କିଛି ନା କିଛି ଜ୍ଞାନ ରହିଛି କିନ୍ତୁ କେହି ବି ଏଠାରେ ସର୍ଵଜ୍ଞ ନୁହେଁ କି ଜଣକୁ ସବୁ କଥା ଜଣାନଥାଏ । ତେଣୁ ସର୍ଵଜ୍ଞ ବୋଲି କେହି ଏଠି ନାହିଁ । ଶ୍ରୀଗାରୁଡ ମହାପୁରାଣର ପୂର୍ଵଖଣ୍ଡ ପ୍ରଥମାଂଶାଖ୍ଯ ଆଚାରକାଣ୍ଡ ବୃହଦୃ ନୀତିସାର ଦଶୋତ୍ତରଶତତମୋଽଧ୍ଯାୟରେ ଏ ଵିଷୟକୁ ଏମନ୍ତ ଭାବେ କୁହାଯାଇଛି ...

“ନୈକତ୍ର ପରିନିଷ୍ଠାସ୍ତି ଜ୍ଞାନସ୍ଯ କିଳ ଶୌନକ ।
ସର୍ଵଃ ସର୍ଵଂ ନ ଜାନାତି ସର୍ଵଜ୍ଞୋ ନାସ୍ତି କୁତ୍ରଚିତ୍ ॥ 

ନ ସର୍ଵଵିତ୍କଶ୍ଚିଦିହାସ୍ତି ଲୋକେ ନାତ୍ଯନ୍ତମୂର୍ଖୋ ଭୁଵି ଚାପି କଶ୍ଚିତ୍ ।
ଜ୍ଞାନେନ ନୀଚୋତ୍ତମମଧ୍ଯମେନ ଯୋଽୟଂ ଵିଜାନାତି ସ ତେନ ଵିଦ୍ଵାନ୍ ॥”

ଅର୍ଥାତ୍ ଏ ପୃଥିଵୀରେ କେହି ବି ସର୍ଵଜ୍ଞ ଵି ଅତି ମହାମୁର୍ଖ ନାହିଁ, ସମସ୍ତଙ୍କୁ କିଛି ନା କିଛି ଜଣାଅଛି । ଜ୍ଞାନ ବଳରେ ଯେ ଉଚ୍ଚ ଓ ନୀଚ୍ଚ ମଧ୍ୟରେ ଭେଦ ଜାଣିପାରେ ତାକୁ ଵିଦ୍ଵାନ କୁହାଯାଏ। 

Saturday, October 7, 2023

ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ?

ଜଣେ ଚିହ୍ନା ଲୋକଙ୍କ ଘରେ ଏକ ଘରୋଇ ଦୂରଦର୍ଶନ କେନ୍ଦ୍ରର ଜନୈକା ଉପସ୍ଥାପିକା ଆସିଥିଲେ ‌। ଗୃହକର୍ତ୍ତା ମୋର ଚିହ୍ନା, ଗୃହକର୍ତ୍ତାଙ୍କର ଦୂରଦର୍ଶନ ଉପସ୍ଥାପିକା ଚିହ୍ନା ।‌

ମୁଁ ଗୃହକର୍ତ୍ତାଙ୍କର ଦ୍ଵିତୀୟ ତାଳ ପାହାଚ ଉପରେ ବସିଥାଏ ଏଵଂ ତାଙ୍କ କଥା ଶୁଣୁଥାଏ । ଗୃହକର୍ତ୍ତାଙ୍କ ପୁଅ ମୋଠାରୁ ଦଶ ବାର ଵର୍ଷ ସାନ ,ତେଣୁ ତାକୁ ମନରେ କ'ଣ ଗୋଟିଏ ଵିଚାର କରି ପଚାରି ଦେଲି “ଆଚ୍ଛା ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ହେଵ” , ସେ ଅଳ୍ପ ହସି କହିଲା “ବିଲେଇ ନୁହେଁ” ! 

ଆଜି ମୋତେ ଗୃହକର୍ତ୍ତା କହୁଥିଲେ 
“ଏତେ ବଡ଼ ଉପସ୍ଥାପିକା ଆମ ଘରକୁ ଆସିଥିଲେ ତାଙ୍କ ଆଗରେ ଗୋଟେ ଛୋଟଲୋକିଆ ପିଲା ଭଳି ବିଲୁଆର ଲିଙ୍ଗ କାହିଁକି ପଚାରୁଥିଲ, ତାଙ୍କ ସହିତ ଆସିଥିଵା “ଚିତ୍ରୋତ୍ତୋଳକ” ତୁମେ ଗଲାପରେ କହୁଥିଲେ କୋଉଠିକାର ମଫୁ ପିଲାଟା କେଜାଣି ଭଦ୍ରାମୀ ଶିଖିନି...!”

ସବୁ ଶବ୍ଦର ସ୍ତ୍ରୀଵାଚକ ଵା ପୁଂଵାଚକ ଶବ୍ଦ ନଥାଏ । କେତେକ ଶବ୍ଦ କେଵଳ ପୁଂଵାଚକ, କେତେକ ଶବ୍ଦ କେଵଳ ସ୍ତ୍ରୀଵାଚକ , କେତେକ ଶବ୍ଦ ବହୁଲିଙ୍ଗଵାଚକ ଏଵଂ ଅନେକ ଶବ୍ଦ କ୍ଳୀଵଲିଙ୍ଗଵାଚକ ହୋଇଥାଏ । ଇଂରାଜୀ ଭାଷାରେ Gendered ଓ Gender-neutral ଏହିପରି ଦୁଇପ୍ରକାରର ଶବ୍ଦ ରହିଛି । ଯଥା Policeman ଏକ Gendered ଶବ୍ଦ କିନ୍ତୁ
Police officer ଶବ୍ଦଟି ଗୋଟିଏ Gender-neutral ଶବ୍ଦ ଅଟେ ‌। 


କିନ୍ତୁ ବିଲୁଆ Gender-neutral ଶବ୍ଦ ନୁହେଁ ଵରଂ ଏହାର ଏକ ସ୍ତ୍ରୀଵାଚକ ଶବ୍ଦ ଆମ ଭାଷାରେ ଅଛି ଏଵଂ ତାହା ପ୍ରାଚୀନ ସାହିତ୍ୟରେ ସୁଦ୍ଧା ଵ୍ୟଵହୃତ ହୋଇଅଛି ବୋଲି ଅନେକ ଓଡ଼ିଆ ହୁଏତ ଜାଣିନଥିବେ । 

ବିଲୁଆ ଶବ୍ଦର ସେହି ସ୍ତ୍ରୀଵାଚକ ଓଡ଼ିଆ ଶବ୍ଦଟି ବିଲୁଆଣୀ ଅଟେ ଏଵଂ ଏହା ଗଞ୍ଜାମ ଭୂମିର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୟୋଗ କରିଯାଇଛନ୍ତି । 

“ବିଲୁଆ ବିଲୁଆଣୀ ତାକୁ ଖାଇ ସାରି,
ବରଷା ଶେଷ ଦେଖି ଦରିରୁ ବାହାରି।”
 (କୃଷ୍ଣସିଂହ. ମହାଭାରତ ଶାନ୍ତି)

ତେଣୁ ବିଲୁଆ ଶବ୍ଦର ମଧ୍ୟ ସ୍ତ୍ରୀଵାଚକ ରୂପ ବିଲୁଆଣୀ ଆମ ଭାଷାରେ ରହିଛି କିନ୍ତୁ 
ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ଏହା ହଠାତ୍ ଅନେକ ଓଡ଼ିଆଙ୍କ ମୁଣ୍ଡକୁ ଢୁକେ ନାହିଁ । 

ପୂର୍ଵୋକ୍ତ ଚିତ୍ରୋତ୍ତୋଳକ ଦ୍ଵୟଙ୍କ ମୁଣ୍ଡକୁ ବି ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ଏ ପ୍ରଶ୍ନର ଉତ୍ତର ଢୁକିନଥିଵ କିନ୍ତୁ ସେମାନେ ସ୍ଥାନ କାଳ ପାତ୍ର ଆଦିର ବାହାନା ଦେଇ ମୁଁ ପଚାରିଥିଵା ପ୍ରଶ୍ନର ଉଦ୍ଦେଶ୍ୟ ନବୁଝି ମୋହର ଗାଆଁ ,ମୋ ଜନ୍ମଭୂମି ତଥା ମୋତେ ନିନ୍ଦିଦେଲେ ! 

ସେ ଯାହାହେଉ ହାସ୍ୟ,ରୋଷ,ଆନନ୍ଦ,କୋଳାହଳ ଓ ଵିଷାଦ ଆଦି ଯେକୌଣସି ସ୍ଥିତିରେ ବି ଆମେ ଯାହା ବୋଲିଥାଆନ୍ତି ଵା କରୁଥାଆନ୍ତି ସେ ସମସ୍ତ କାର୍ଯ୍ୟ ମଧ୍ୟରେ ଵିଜ୍ଞାନ ଲୁଚି ରହିଥାଏ । ସଂସାରର କୌଣସି ଦ୍ରଵ୍ୟ ତଥା ତାହାର କ୍ରିୟା ଓ ପ୍ରତିକ୍ରିୟା କେବେ ବି ଵ୍ୟର୍ଥ ନୁହେଁ ! 




Monday, October 2, 2023

•ଶ୍ରୀକ୍ଷେତ୍ରର ନିଆରା ବଳିପୂଜା ଓ ନେତପିଲା ପରମ୍ପରା•

ଶ୍ରୀମନ୍ଦିର ସେଵକମାନଙ୍କର କୁମାରୀ ଝିଅମାନେ ବଳିପୂଜା ନାମକ ଏକ ଵ୍ରତ ପାଳନ କରନ୍ତି । ଜଗତ ମାତା ପାର୍ଵତୀ ମହାଦେଵଙ୍କୁ ସ୍ୱାମୀ ରୂପେ ପାଇଵାକୁ ଭୀଷଣ ତପସ୍ୟା କରିଥିଲେ । ଠିକ୍ ସେହିପରି ଶ୍ରୀକ୍ଷେତ୍ରରେ ସେଵାୟତ ମାନଙ୍କର କୁନି କୁନି କୁମାରୀ କନ୍ୟାମାନେ ସଦାଶିଵଙ୍କ ପରି ଭଲ ବର ପାଇଵାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ଵ୍ରତ ପାଳନ କରିଥାନ୍ତି ।

 ସେଵାୟତଙ୍କ କନ୍ୟାମାନେ ଏହି ଅଵସରରେ ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ଦେଵୀଙ୍କ ଭଳି ସଜ୍ଜିତ ହୋଇ ଗୁରୁଜନଙ୍କ ସହ ଯାଇ ମାର୍କଣ୍ଡେୟଙ୍କୁ ପୂଜା କରନ୍ତି । ପ୍ରାୟ ୨୧ ଦିନ ପୂର୍ଵରୁ ବଳି ପୂଜନ କରିଵା ପରେ ତିନିଦିନ ଧରି ଵିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀଠାରେ ନେତପିଲାମାନେ ମାଆ ଵୃନ୍ଦାଵତୀଙ୍କ ପୂଜା କରି ବଳି ଗୀତ ଗାଇଥାନ୍ତି ।

ସେଵୟତ ପରିଵାର କନ୍ୟାମାନେ ମୁଖ୍ୟତଃ ବାପାମାଆଙ୍କ ଆୟୁଷ ବୃଦ୍ଧି ତଥା ଭଲ ବର ଵା ସ୍ୱାମୀ ପାଇଵା ଉଦ୍ଦେଶ୍ୟରେ ଏହି ପର୍ଵକୁ ପାଳନ କରିଥାନ୍ତି । 

ଏହି ଵ୍ରତ ପାଳନ ପାଇଁ କନ୍ୟାମାନଙ୍କର ଆଈ ଘରୁ ନୂଆ ପାଟ, ରୂପା ଫରୁଆ ସହ ମୁଣ୍ଡରେ ସିନ୍ଥି, ଅଳକା, ପାନପତର,ବେଣୀରେ ଝୁମ୍ପା, ହାତରେ ବଟଫଳ,ମୁଦି ଆଦି ବହୁମୂଲ୍ୟ ଅଳଙ୍କାର ଆସିଥାଏ । ପ୍ରୋକ୍ତ ଵସନ ଓ ଅଳଙ୍କାର ଧାରଣ କରି ସେଵାୟତ କନ୍ୟାମାନେ ବାଉଁଶିଆରେ ପାଣି କଖାରୁ,ମକା, ଗୁଆ, ଜହ୍ନି ଆଦି ସାତପ୍ରକାର ଫଳ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀ କୂଳରେ ବଳି ଵା ହରପାର୍ଵତୀ ପୂଜା କରିଥାନ୍ତି ।

ମାର୍କଣ୍ଡ ପୁଷ୍କରିଣୀରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ସହ ସେଠାରେ ବଳି ଗୀତ ଗାଇଥାନ୍ତି ।
ଉକ୍ତ ବଳିପୂଜା ଗୀତଟି ହେଲା :

“ବଳିରେ ବଳି, ନ କର କଳି
କାଲି ଆଣିଦେବି ସରୁ ଚକୁଳି
ସରୁ ଚକୁଳିର ଉପରେ ମହୁ
ଧୂପ ଖଟିଗଲେ ରାଜାଙ୍କ ଵୋହୂ
ରାଜାଙ୍କ ଵୋହୂ ଯେ ବିକନ୍ତି କୋଳି
ଈଶ୍ବର ମାଇଲେ ଦାଣ୍ଡର ଧୂଳି
ଦାଣ୍ଡର ଧୂଳି ଯେ ଦାଣ୍ଡକୁ ଯାଉ
ବାପା ଭାଇଙ୍କର ଆୟୁଷ ହେଉ ।”

କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ବଳିପୂଜାରେ ଭାଗ ନେଉଥିଵା ସେଵାୟତ କନ୍ୟାମାନଙ୍କୁ ନେତପିଲା କାହିଁକି କୁହାଯାଏ ?

ନେତ ଶବ୍ଦର ସାଧାରଣ ଅର୍ଥ ପତକା ଵା ପତାକା କିନ୍ତୁ କନ୍ୟାମାନଙ୍କର ଏକ ଧରଣର ଵସ୍ତ୍ରକୁ ମଧ୍ୟ ନେତ କୁହାଯାଏ ।‌ ପତାକା ଛଡ଼ା ଅଳ୍ପଵୟସ୍କା କନ୍ୟାମାନଙ୍କର ଵସ୍ତ୍ରକୁ ମଧ୍ୟ ସଂସ୍କୃତ ଭାଷାରେ ନେତ୍ର କୁହାଯାଏ । 

ଶିଶୁକନ୍ୟାମାନଙ୍କର ଵସ୍ତ୍ର ଅର୍ଥରେ ନେତ ଶବ୍ଦଟି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ କରାଯାଇଛି । ଯଥା : 

“କେ କାଛି ପିନ୍ଧିଅଛି ନେତ”(ଭୁପତି, ପ୍ରେମପଞ୍ଚାମୃତ।)

ତେଣୁ ଵଳିଵ୍ରତ କରୁଥିଵା କନ୍ୟାମାନଙ୍କୁ ଏହି କାରଣରୁ ନେତପିଲା କୁହାଯାଏ ‌। ହରପାର୍ଵତୀଙ୍କ ଵ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିଵାର ଵିଧି ରହିଛି । ନେତପିଲାମାନେ ଏହି ଏକୋଇଶି ଦିନର ଶେଷ ଚାରିଦିନ ପାରମ୍ପରିକ ବେଶ ସହ ଵିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ଵ ପାଳନ ହେଉଥିଵା ବେଳେ ସେବାୟତମାନଙ୍କ ଘର ଉତ୍ସଵ ମୁଖର ହୋଇ ଉଠିଥାଏ ।

•••••••••••••••••••••••••••
✍️ଶିଶିର ସାହୁ ମନୋଜ,କନ୍ତିଓ ପୁଟସାହି, ଢେଙ୍କାନାଳ(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ)
•••••••••••••••••••••••••••

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...