Tuesday, June 22, 2021

Gallienusଙ୍କ ନ୍ୟାୟ

Publius Licinius Egnatius Gallienus
  ୨୧୮ରୁ ୨୬୮ ଖ୍ରୀଷ୍ଟାବ୍ଦ ଯାଏଁ  ରୋମ ସାମ୍ରାଜ୍ୟର ଶାସକ ଥିଲେ । ସେହି ସମୟର କଥା । ଗୋଟିଏ ବେପାରୀ ଅନେକଵର୍ଷ ହେଵ ରୋମ ନଗରରେ ଲୋକଙ୍କୁ ଠକି ଅସଲି କହି ନକଲି ଗହଣା ବ୍ରିକି କରୁଥିଲା ।

ଦିନେ ସମ୍ରାଟଙ୍କ ଲୋକ ତାକୁ ପ୍ରାମାଣ ସହ ଧରି ରୋମର ତତ୍କାଳୀନ ସମ୍ରାଟ Gallienusଙ୍କ ପାଖକୁ ନେଇଗଲେ । ସମ୍ରାଟ୍ ବେପାରୀକୁ ଅଭିଯୁକ୍ତ ଘୋଷଣା କରି ଆଦେଶ ଦେଲେ ଏହି ଠକକୁ Arenaରେ ରଖାଯାଇଥିଵା ସିଂହ ଆଗରେ ଛିଡ଼ା କରାଅ ।

ସେ ସମୟରେ ରୋମରେ ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ଦିଆଯାଉଥିଲା ଏଵଂ ଅପରାଧୀମାନେ ବଞ୍ଚିଵାପାଇଁ ସଂଗ୍ରାମ କରିଵାକୁ ବାଧ୍ୟ ହେଉଥିଲେ । ରୋମନଗରର ଲୋକ ଅଭିଯୁକ୍ତର ଶେଷ ଯୁଦ୍ଧ ଦେଖିଵାକୁ ଦର୍ଶକ ସାଜି ପଡି଼ଆ ଚାରିପଟେ ଉଚ୍ଚ ସ୍ଥାନରେ ବସିଯାଉଥିଲେ ।

ଅଭିଯୁକ୍ତ ବେପାରୀକୁ ଅରିନାରେ ଥିଵା ଏକ ଆଵଦ୍ଧ ପଡି଼ଆରେ ଛାଡ଼ି ଦିଆଗଲା । ଦର୍ଶକ ଉତ୍ସୁକତାର ସହିତ ସିଂହ ଓ ଅଭିଯୁକ୍ତର ଯୁଦ୍ଧ ଦେଖିଵାକୁ ଅପେକ୍ଷା କରିଥାନ୍ତି । ଏତିକିବେଳେ ସିଂହ ରହୁଥିଵା ବଡ଼ ଘରାର ଫାଟକ ଖୋଲିଗଲା ଏଵଂ ତା ମଧ୍ୟରୁ ଗୋଟିଏ ଗଞ୍ଜା ବାହାରି ଆସି ଠିଆ ହେଲା 😃

ଦର୍ଶକ ଆବାକାବା ହୋଇ ପରସ୍ପରର ମୁହଁ ଚହାଁଚୁହିଁ ହୋଇଗଲେ । କେହି କିଛି ବୁଝିପାରୁନାହାନ୍ତି । ଏତିକିବେଳେ Gallienus ଲୋକଙ୍କୁ ସମ୍ବୋଧନ କରି କହିଲେ ..."ଏ ଲୋକ ଅନେକ ଵର୍ଷଧରି ରୋମଵାସୀଙ୍କୁ ଠକି ଆସିଥିଲା ଏଣୁ ତାକୁ ସେଥିପାଇଁ ସିଂହ କହି ଗଞ୍ଜାର ସାମ୍ନା କରାଇ ଠକିଦିଆଗଲା ।”

Sunday, June 20, 2021

🔴🔴ବିଡା଼ଳ ଓ ଆଦିମାନଵଙ୍କ କାହାଣୀ🔴🔴

ବହୁ ପ୍ରାଚୀନ କାଳରେ ଵିରାଡି଼ମାନେ ଆଜିଭଳି ଛୋଟ ନଥିଲେ ଵରଂ ବାଘ ସିଂହଟାକର ବଡ଼ ବଡ଼ ହେଉଥିଲେ । ସେ ସମୟର କଥା । ଛୋଟବେଳୁ ଵିଡା଼ଳ ଓ ଆଦିମାନଵ ସଙ୍ଗାତ ବସିଥିଲେ । ସେମାନେ ଦିହେଁ ସର୍ଵଭକ୍ଷୀ ଥିଲେ । ମାଂସ ହେଉ ଵା ଫଳମୂଳ ଯାହାକୁ ଯୋଉ ଖାଦ୍ୟ ମିଳୁଥିଲା ଏକେଲା ନଖାଇ ବାଣ୍ଟିକୁଣ୍ଟି ଖାଉଥିଲେ । ଆଦିମାନଵ ଚତୁର ଓ ଗଛଚଢା଼ରେ ଦକ୍ଷ ଥିଲା । ସେ ଗଛରେ ଚଢି଼ ଫଳମୂଳ ଓ ମହୁ ସଂଗ୍ରହ କରି ଆଣୁଥିଲା । ବିଡା଼ଳ ମଧ୍ୟ ଠେକୁଆ ହରିଣ ମାରି ଆଣେ ଦୁଇ ସଙ୍ଗାତ ମିଳିମିଶି ଖାଆନ୍ତି ।

ସେ ବଣକୁ ବିଡା଼ଳୀଟିଏ ଆସିଲା । ସେ ଆଦିମାନଵଟାକୁ ଖାଇଵା ପାଇଁ ମନକଲା କିନ୍ତୁ ଵିଡା଼ଳ ତାହାର ରକ୍ଷାକର୍ତ୍ତା । ସ୍ତ୍ରୀ ଜାତି କୂଟବୁଦ୍ଧିରେ ସିଦ୍ଧହସ୍ତ । ସେ ବିଡା଼ଳୀଟି ଵିଡା଼ଳକୁ ନିଜ ପ୍ରେମରେ ପକାଇ ଦେଲା । ଵିଡା଼ଳ ତହୁଁ ବିଡା଼ଳୀକୁ ବାହା ହୋଇ ରହିଲା । କିଛି ଦିନ ଗଲାରୁ ଦିନେ ଵିଡା଼ଳ ଆଗରେ ତାହାର ପତ୍ନୀ ବିଡା଼ଳୀ ମହୁ ଖାଇଵାକୁ କଟାଳ କଲା । ଵିଡା଼ଳ ତ ଗଛ ଚଢ଼ି ଜାଣିନଥିଲା ତେଣୁ ସେ ତା ସାଙ୍ଗ ଆଦିମାନଵକୁ ମହୁ ଆଣିଵାକୁ କହିଲା ।

ଆଦିମାନଵ ଜଙ୍ଗଲ ସାରା ବୁଲି ବୁଲି ନିଘିନିଘିଆ ଦିପହରଟାରେ ମସ୍ତବଡ଼ ମହୁଫେଣାଟେ ଧରି ଅଇଲା । ତା ଦେହଯାକ ଝାଳନାଳ ହୋଇଯାଇଥିଲା ଏଵଂ ମହୁମାଛି କାମୁଡ଼ା ଯୋଗୁଁ ଦେହହାତ ବି ଫୁଲିଯାଇଥାଏ । ଵିଡା଼ଳଟା ଆଦି ମାନଵକୁ କହିଲା ସଙ୍ଗାତେ ତମେ ଯାଇ ଗାଧୋଇ ପାଧୋଇ ଆସ, ତମେ ଆସିଲେ ଆମେ ମିଶିକି ଖାଇଵା ।

ଆଦିମାନଵ ଗାଧୋଇ ଯାଇଛି ଏଇ ସୁଯୋଗରେ ଵିଡା଼ଳର ସ୍ତ୍ରୀ ବିଡା଼ଳୀ ମହୁଫେଣାରୁ ମହୁ ଚାଟୁ ଚାଟୁ ଲୋଭରେ ସବୁ ଖାଇଗଲା । ସେ ଆଉ ଉଠିପାରିଲା ନାହିଁ ସେଇଠି ଶୋଇ ରହିଲା ।

ଆଦିମାନଵ ଗାଧୋଇ ପାଧୋଇ ଫେରିଲାରୁ ବାଘ ଓ ଵିଡା଼ଳ ଖାଇ ବସିଲେ । ହେଲେ ମହୁଫେଣା ତ ଖାଲି ଖାଇଵେ କ'ଣ ?

ଵିଡା଼ଳ ଭାବିଲା ଆଦିମାନଵଟା ମୋତେ ଠକିଵାକୁ ଖାଲି ମହୁଘରାଟିଏ ନେଇ ଆସିଛି ଏଣେ ଆଦିମାନଵ ଆପଣା ମନରେ ଵିଚାରିଲା ଏସବୁ ଵିଡା଼ଳର କାଣ୍ଡ ,ସେ ସମସ୍ତ ମହୁ ଖାଇ ମୋ ସହ ନାଟକ କରିଵାକୁ ମିଛଟାରେ କିଛି ନଜାଣିଵା ପରି ମୋ ସହ ଖାଇ ବସିଛି । ଦିଜଣ ଯାକ ତ  ଗୁମାନିଆଁ କେହି କାହାକୁ କିଛି ନକହି ମନକଥା ମନରେ ରଖି ରହିଲେ ।

ଆଉ ଦିନକର କଥା । ଵିଡା଼ଳ ଓ ତାହାର ଭାରିଜା ଗୋଟାଏ ସମ୍ବର ମାରି ଆଦିମାନଵକୁ ଖାଇଵାକୁ ଡାକିଲେ । କିନ୍ତୁ ଆଦିମାନଵ ତାଙ୍କୁ କହିଲା ବନ୍ଧୁ ତମେ  ଓ ତୁମ ପତ୍ନୀ ଏତେ ପରିଶ୍ରମ କରିଛ ଵରଂ ଯାଅ ଗାଧୋଇ ଆସିଲେ ଶ୍ରମ ଲାଘଵ ହେଵ । ଵିଡା଼ଳ ଓ ବିଡା଼ଳୀ ଗାଧୋଇ ଗଲେ । ୟା ଭିତରେ ଆଦିମାନଵ କ'ଣ କରିଛି ନା ମଲା ସମ୍ବର ପାଟି ଉପରେ ବସି ହଗିଦେଲା । ଵିଡା଼ଳ ଓ ବିଡା଼ଳୀ ଗାଧୋଇକି  ଫେରୁଥାଆନ୍ତି । ସେମାନେ ଏ କଥା ଦେଖି ଦେଲେ । ବିଡା଼ଳୀ ଜାଣିଲା ଏଇଟା ପ୍ରକୃତ ସମୟ । ସେ ଵିଡା଼ଳକୁ କହିଲା—

"ଦେଖ ଏ ନେଞ୍ଚ ଲୋକଟାକୁ ସାଙ୍ଗ କରିଛ ପା ଦେଖ ସେ କି କାମ କରୁଛି । ଖାଦ୍ୟ ଉପରେ ପୁଣି କିଏ ହଗେ ?
  କି କଥା ଏଗୁଡା଼କ ... ଛି ଛି ଛି..."

ଵିଡା଼ଳ ଆଉ ସହିପାରିଲାନି ସେ ଆଦିମାନଵଟାକୁ ମାରି ଦେଵାକୁ ଦୌଡି଼ଗଲା । ଆଦିମାନଵ ଡରିକି ଗଛ ଉପରକୁ ଚଢି଼ଗଲା ଏଵଂ ଭୟରେ ତା ଦିହହାତ କଳା ପଡି଼ଗଲା ।  ଵିଡା଼ଳ ତାକୁ ହୁଣ୍ଟାରି କହିଲା

"ହଇରେ ପାଷାଣ୍ଡ ତୋର ଆଉ ରକ୍ଷା ନାହିଁ । ତୁ ଯେବେ ମୋ ହାବୁଡ଼ରେ ପଡି଼ବୁ ତତେ ନିଶ୍ଚେ ମାରିଖାଇବି ।"

ସେଇଦିନଠୁ ଆଦିମାନଵଟା ଅଧିକ ସମୟ ଗଛରେ ରହେ ଏଵଂ ମାଂସ ନଖାଇ ଫଳମୂଳ ଖାଇ ବଞ୍ଚିଲା ଏଣେ ଵିଡା଼ଳକୁ ତ ଆଦିମାନଵ ଆଣି ଫଳମୂଳ ଦିଏ ଏବେ ସେସବୁ ଦରଵ ନମିଳିଲାରୁ ସେ କେଵଳ ମାଂସ ଖାଇ ବଞ୍ଚିଲା । କ୍ରମେ ଆଦିମାନଵଟା ଗୋଟାଏ ଗୁମ୍ଫା ପାଇ ତା ଭିତରେ ରହିଵାକୁ ଲାଗିଲା ଏଵଂ ସେ ମଧ୍ୟ ଵିଵାହ କଲା ।

ଏପଟେ ଵିଡା଼ଳ ବିଡାଳୀଙ୍କର ଚିତା,ହେଟା,କଲରାପତରିଆ,ବାଘ,ସିଂହ ଆଦି ଅନେକ  ସନ୍ତାନ ହେଲେ । ଵିଡା଼ଳ ସେ ସମସ୍ତଙ୍କୁ ଆଦିମାନଵ ତାଙ୍କର ଶତ୍ରୁ ବୋଲି ଶିକ୍ଷା ଦେଇଥାଏ । ସେମାନେ ଯୋଉଠି ଦେଖନ୍ତି ତାକୁ ମାରି ଗୋଡା଼ନ୍ତି କିନ୍ତୁ ଆଦିମାନଵ ଉଦ୍ୟମୀ ଓ ବୁଦ୍ଧିଆ ତେଣୁ ପ୍ରତ୍ୟେକ ଥର ଵର୍ତ୍ତିଯାଏ ।

ତେବେ ସମୟ ସହ ଆଦିମାନଵ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଗଲା । ତା ସ୍ତ୍ରୀ କିନ୍ତୁ ଭାରି ବୁଦ୍ଧିମତୀ ସେ ତାକୁ ବୁଦ୍ଧି ଦେଲା କଣ୍ଟାକୁ କଣ୍ଟାରେ କଢା଼ଯାଏ । ଦେଖ ଵିଡା଼ଳର ସ୍ତ୍ରୀ ପୁଣି ଗର୍ଭଵତୀ ହୋଇଛି । ସେ ଯେବେ ପିଲା ଜନ୍ମ ଦେଵ ତମେ ସେ ଛୁଆଙ୍କୁ ଚୋରାଇ ଆଣିଵ । ତାକୁ ଆମେ ଛୋଟବେଳୁ ପାଳିଲେ ସେ ଆମକୁ ନିଜର ଭାବିଵ ! ସେ ଆମ କଥା ମାନି ଚଳିଵ ଓ ଆମକୁ ଅନ୍ୟ ଵିରାଡି଼ମାନଙ୍କଠାରୁ ରକ୍ଷା କରିଵ ।

ଆଦିମାନଵ ସେଇଆ କଲା...

ଵିଡା଼ଳର ସ୍ତ୍ରୀ ଦୁଇଟି ଵିରାଡି଼କୁ ପ୍ରସଵ ଦେଇ ଅଚେତ ହୋଇ ପଡି଼ଥାଏ । ଆଦିମାନଵ ଲୁଚି ଲୁଚି ଯାଇ ସେ ଦୁଇଗୋଟି ଛୁଆଙ୍କୁ ଚୋରାଇ ଆଣିଲା । ଆଦିମାନଵର ସ୍ତ୍ରୀ ସେମାନଙ୍କୁ ନିଜ ସନ୍ତାନ ପରି ପାଳିଲା । ସେହି ଜାତୀୟ ଵିରାଡି଼ମାନେ କ୍ରମେ ମନୁଷ୍ୟଙ୍କ ସହିତ ରହିଗଲେ ଏଵଂ ଵିଵର୍ତ୍ତନ ପ୍ରକ୍ରିୟା ଯୋଗୁଁ ଧୀରେ ଧୀରେ ଛୋଟ ହୋଇ ହୋଇ ଗଲେ ।

 
🔴🔴🔴🔴🔴🔴🔴🔴🔴🔴🔴🔴🔴.   🔴🔴🔴🔴🔴🔴ଵି:ଦ୍ର🔴🔴🔴🔴🔴🔴
                    🔴ଗଳ୍ପ ଆଧାର🔴
ଏହି ଗପଟି ଓଡ଼ିଶାର "ବାଘ ଓ ହନୁମାଙ୍କଡ଼" ଲୋକକଥା ଆଧାରରେ ରଚିତ ହୋଇଅଛି । ମୂଳକଥାରେ ବାଘୁଣୀ ଯୋଗୁଁ ବାଘ ଓ ହନୁମାଙ୍କଡ଼ ମଧ୍ୟରେ ଶତ୍ରୁତା ହୋଇଯାଇଛି ଏଵଂ ଏକଦା ଅତର୍କିତ ବାଘ ଆକ୍ରମଣ ଯୋଗୁଁ ହନୁମାଙ୍କଡ଼ର ଦେହ କଳା ହୋଇଯିଵା ଗଳ୍ପରେ ଵର୍ଣ୍ଣିତ ହୋଇଅଛି ।

                   🔴ଵିଡା଼ଳ ଶବ୍ଦ🔴
ଓଡ଼ିଆ ଭାଷାରେ ଅଣ୍ଡିର ବିରାଡ଼ି ପାଇଁ ପ୍ରୟୋଗ କରାଯାଏ । ଏହାର ସ୍ତ୍ରୀଵାଚକ ରୂପ ଵିଡା଼ଳି ଅଟେ । ଏହି ଶବ୍ଦଟି ଓଡ଼ିଆ ବିରାଡ଼ି, ତତ୍ସମ ଵିରାଳ ଓ ବିଡ଼ ଧାତୁ ଶବ୍ଦ ସହ ସମଦ୍ଧୃତ । ସେହିପରି ବିଲି, ବିଲାଇ ଓ ବିଲେଇ ଇତ୍ୟାଦି ଶବ୍ଦ ତତ୍ସମ ଵିଲାଳ ସହିତ ସମଦ୍ଧୃତ ।  ବିଲେଇ ସହ ସମଦ୍ଧୃତ ଵିଲାଳ ଶବ୍ଦକୁ ଲଳ୍ ଧାତୁରୁ ନିଷ୍ପନ୍ନ କରାଯାଇଥିଵାବେଳେ ବିରାଡ଼ି ଓ ବିଡା଼ଳ ସହିତ ସମଦ୍ଧୃତ ବିରାଳ ଶବ୍ଦକୁ ଵିଡ଼୍ ଧାତୁରୁ ନିଷ୍ପନ୍ନ କରାଯାଇଅଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଲଳ୍ ଧାତୁର ଅର୍ଥ ପାଇଵାକୁ ଇଚ୍ଛା କରିଵା ହୋଇଥିଵାବେଳେ ଵିଡ଼୍ ଧାତୁର ଅର୍ଥ ଆକ୍ରୋଶ କରିଵା ଓ ଭେଦ କରିଵା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

                   🔴ଵୈଜ୍ଞାନିକ ପକ୍ଷ🔴
ବିରାଡି଼ ପରିଵାରକୁ Felidae ନାମ ଦିଆଯାଇଛି । ଲାଟିନ୍ ଭାଷାରେ ବିରାଡି଼କୁ Felis  କୁହାଯାଏ । ଏହି Felis ଶବ୍ଦ ସହ idae ଯୁକ୍ତ ‌ହୋଇ Felidae ଶବ୍ଦ ସୃଷ୍ଟି ହୋଇଛି । ଏହି ପରିଵାରଟି ଚାରୋଟି ଉପପରିଵାରରେ ଵିଭକ୍ତ ହୋଇଅଛି । Felidae ପରିଵାରର Felinae ଉପପରିଵାରରେରେ ବିରାଡ଼ି ଜାତୀୟ ଜୀଵ ଅନ୍ତର୍ଭୁକ୍ତ ଏଵଂ Pantherinae ଉପପରିଵାରରେ ବାଘ ସିଂହ ଇତ୍ୟାଦି ଜୀଵଙ୍କୁ ରଖାଯାଇଛି । ଏତଦଵ୍ୟତୀତ Felidae ଵା ଵିରାଡି଼ ପରିଵାରର ଦୁଇଟି ଉପପରିଵାର Machairodontinae ଓ Proailurinae ସମ୍ବନ୍ଧୀୟ ଜୀଵ ଅଧୁନା ଲୁପ୍ତ ହୋଇସାରିଛନ୍ତି ।
ମାନଵମାନେ ଅନ୍ୟ ହିଂସ୍ରଯନ୍ତୁଙ୍କଠାରୁ ନିଜର ରକ୍ଷା ହେତୁ ବଣରୁ ଵିରାଡି଼ ଓ ବିଲୁଆ ଜାତୀୟ ଏକ ଏକ ଜୀଵ ଆଣି ପାଳିଥିଲେ । ସେମାନେ ଆଜିର କୁକୁର ଓ ଵିରାଡି଼ । କୁକୁରଟି ବିଲୁଆଜାତିର ବୋଲି ଆଜି ବି ତାଙ୍କ ପରି ଦେଖାଯାଏ ଓ ତାଙ୍କରି ଭଳି ବୋବାଇ ଥାଏ । ସେହିପରି ଵିରାଡି଼ଟି ବାଘ ସିଂହ ଜାତୀୟ ଜୀଵ ବୋଲି ମାଂସ ମାଛ ଖାଇଵାକୁ ସୁଖପାଏ । ଉଭୟ କିନ୍ତୁ ମାନଵର ସ୍ନେହ ଆଦରରେ ବନ୍ଧା ହୋଇ ଜଙ୍ଗଲ ପରିଵର୍ତ୍ତେ ଜନଵସତି ସହ ଏକତ୍ର ସହାଵସ୍ଥାନ କରୁଅଛନ୍ତି । ଏ ଉଭୟ ଜୀଵ ଅତୀତରେ ମାନଵର ସଭ୍ୟତା ଗଢି଼ଵାରେ ସାହାଯ୍ୟ କରିନଥିଲେ ମନୁଷ୍ୟ ପରି ଏକ ଶାରୀରିକ ଦୁର୍ଵଳ ଜୀଵ ଏତେଟା ସାମାଜିକ ଉନ୍ନତି ସହଜରେ କରିପାରି ନଥାନ୍ତା ।
           🔴 ମନୁଷ୍ୟର କଳା ରଙ୍ଗ🔴
ବିଡା଼ଳ ଜାତୀୟ ଜୀଵ ଆକ୍ରମଣ ଯୋଗୁଁ ମନୁଷ୍ୟର ରଙ୍ଗ କଳା ହୋଇ ନାହିଁ । ମନୁଷ୍ୟଙ୍କ ପୂର୍ଵଜ ଆଫ୍ରିକା ମହାଦେଶର ମୂଳ ଅଧିଵାସୀ ଥିଲେ । ସେଠାକାର ଜଳଵାୟୁ ମୁଖ୍ୟତଃ ନୀରକ୍ଷୀୟ ଓ କ୍ରାନ୍ତୀୟ ହୋଇଥିଵା ହେତୁ ଚର୍ମର ରଙ୍ଗ କଳା ହୋଇଛି । ଆଫ୍ରିକାରୁ ଯାଇ ମନୁଷ୍ୟମାନେ ଯେତେବେଳେ ୟୁରୋପର ହିମାଵୃତ୍ତ ଅଞ୍ଚଳରେ ଵସଵାସ କଲେ ସେମାନଙ୍କ ଚର୍ମର ରଙ୍ଗ ସ୍ଥାନୀୟ ଜଳଵାୟୁ ଅନୁସାରେ ଶ୍ଵେତ ଵର୍ଣ୍ଣ ଲଭିଛି । ପ୍ରାଚୀନ କାଳରେ ଧଳା ଭାଲୁ ଓ ହିମ ଵ୍ୟାଘ୍ରଙ୍କଠାରୁ ବଞ୍ଚାଇଵାପାଇଁ ପ୍ରକୃତି ୟୁରୋପର ମାନଵମାନଙ୍କୁ ଏହି ଉପହାର ଦେଇଥିଲା ।

🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴

Thursday, June 17, 2021

କୋକୁଆ ଭୟ

ପ୍ରାୟ ଛ ସାତ ଵର୍ଷ ତଳର କଥା । ଗ୍ରୀଷ୍ମକାଳ ସେ ସମୟରେ ଆମ ଗାଆଁ କନ୍ତିଓରେ ଵିଦ୍ୟୁତ ସେତେ ରହୁନଥିଲା । ପ୍ରାୟ ସବୁଦିନ ସନ୍ଧ୍ୟା ସମୟରେ ବିଜୁଳି କଟିଯାଉଥିଲା ।

ଏପ୍ରିଲ ମାସର ମଧ୍ୟ ଭାଗରେ ଗୋଟିଏ ଅଦ୍ଭୁତ ଜୀଵର ଶବ୍ଦ ଶୁଣାଗଲା🙄

କେତେବେଳେ ପାଲା ପଡି଼ଆରେ ତ କେତେବେଳେ ହାଟ ତୋଟାରେ ତ ଆଉ କେବେ ରାଉତ ସାହି ମଧ୍ୟରୁ କୌଣସି ଏକ ଅଜଣା ଜୀଵ ଶବ୍ଦ କରୁଥିଵା ଲୋକେ ଶୁଣିଵାକୁ ପାଆନ୍ତି ।🤔

ମଇ ମାସ ଆସୁ ଆସୁ ଏ ଵିଷୟରେ ଗାଆଁ ଦାଣ୍ଡରେ ହାଟ ବାଟରେ ସବୁଠି ଚର୍ଚ୍ଚା ହେଵାକୁ ଲାଗିଲା ।‌ କିନ୍ତୁ ବହୁତ ଲୋକ ଡରିଵା ଆରମ୍ଭ କରିଦେଇଥିଲେ । ରାତିରେ ପଦାକୁ ବାହାରିଵାକୁ ସୁଦ୍ଧା ଅନେକେ ଅମଙ୍ଗ ହେଉଥିଲେ । ଡରିକରି ଲୋକେ କହିଲେ ଏଇଟା କୋକୁଆ ନାମକ ଜୀଵ ...

ଆମ ଗାଆଁର ଇଷ୍ଟଦେଵୀ ସୁମୁଦାଶୁଣୀଙ୍କଠାରେ ଛଉନାଚ ହେଲା ବଳି ପଡି଼ଲା ତଥାପି ସେ ଜୀଵର ବୋଇବାଇଵା ବନ୍ଦ ହେଲା ନାହିଁ ...🙄

ସେ ଜୀଵ ମଧ୍ୟ ଏକପ୍ରକାରର ନୁହେଁ ଭିନ୍ନ ଭିନ୍ନ ସମୟରେ ନାନା ଶବ୍ଦ କରୁଥାଏ । କିଏ କହେ ସେଇଟା ଚାରିଗୋଡି଼ଆ ତ ଆଉ କେହି କେହି କହନ୍ତି ସେଇଟା ଗୋଟାଏ ପକ୍ଷୀ । କେତେକ ଲୋକ ସେ କୋକୁଆ ନାମକ ଜୀଵର ଆକାର ପ୍ରକାରକୁ ନେଇ ଯୁକ୍ତି ତର୍କ କରି ମଧ୍ୟ ବାଡିଆପିଟା ଲାଗିଯାଇଥିଲେ ।

କିନ୍ତୁ କିଛି ସାହସୀ ପିଲାଙ୍କ ମନରେ ସନ୍ଦେହ ଜାତ ହେଲା । ସେମାନେ ଏକଵିଂଶ ଶତାବ୍ଦୀର ପିଲା, ଆଖିରେ ନଦେଖିଲାଯାଏଁ ହାତରେ ନଧରିଲା ଯାଏଁ ମାନନ୍ତି ନାହିଁ ।

ଗାଆଁ ପିଲାଏ ଏକାଠି ହୋଇ ଗୁପ୍ତରେ ଗାଆଁ ଜଗିଵା ଆରମ୍ଭ କରିଦେଲେ ।

ରାତି ହେଉ ଵା ଦିନ କୋଉଠି ଟିକେ ଚେଁ ହେଲେ ଏମାନେ ଠେଙ୍ଗା ଧରି ପହଞ୍ଚି ଯାଆନ୍ତି । 😄

ଥରେ ଦିଟା ଟୋକା ସନ୍ଧ୍ୟା ସମୟରେ ପୋଖରୀପଣି ଯାଇଥିଲେ । ତହିଁରେ ଜଣେ ବଗୁଲିଆ ଚୁ ଚାଁ କରି ବୋବେଇ ଦେଲା । ଏ ପିଲା ଯାକ କୋଉଠି ଥିଲେ କେଜାଣି ପ୍ରଵଳ ବେଗରେ ତାଙ୍କ ପାଖରେ ପହଞ୍ଚି ସେ ଦିଟାଙ୍କୁ ଉତ୍ତମ ମଧ୍ଯମ ଖୋବି ଦେଲେ । 😂

ଗାଆଁ ଜଗାରେ କିଛି ଦିନ ଗଡ଼ି ଗଲା...

ଦିନେ ଗାଆଁର ଜଣେ ଵୟସ୍କ ଵ୍ୟକ୍ତିଙ୍କର ଅନ୍ତିମ ସମୟ ଆସିଗଲାଣି ବୋଲି ଶୁଣାଗଲା...

ହଠାତ୍ ସେ ଜୀଵଟି ତିନୋଟି  ସ୍ଥାନରେ ଭିନ୍ନ ଭିନ୍ନ ଶବ୍ଦ କରି ବୋବେଇଥିଵା ଜଣାଗଲା । ପିଲାଏ ତିନି ଭାଗରେ ଵିଭକ୍ତ ହୋଇ ଭାଲିଆତୈଳା ସାହିର ତିନିପଟକୁ ଘେରି ଉଣ୍ଡିଵାକୁ ଲାଗିଲେ । ସନ୍ଧ୍ୟା ସମୟ ପିଲାଏ ଦୌଡା଼ଦୌଡି଼ କଲା ଭିତରେ ଗୋଟିଏ ନୁହେଁ ତିନି ତିନିଟା କୋକୁଆଙ୍କୁ ଧରିଲେ 🤔🤔🤔

ସେଇ ତଥାକଥିତ କୋକୁଆମାନେ ଆମ ଗାଆଁର ପିଲାମାନଙ୍କୁ ବହୁତ ଦୌଡା଼ଇଲେ ଓ ଶେଷରେ ଦିଟାକୁ କନ୍ତିଓ କଟା ପାଖରେ ଧରାଗଲା🙄

ସେମାନେ ପ୍ରକୃତରେ ଆମ ଭାଲିଆତୈଳା ସାହିର ଉପରମୁଣ୍ଡର ପିଲା ଥିଲେ ଏଵଂ ତାଙ୍କ ସହିତ ଆହୁରି ଅନେକ ପିଲା ମିଶିଥିଵା ଶୁଣାଯାଏ 😄😂🤣

ଭାଲିଆତୈଳା ସାହିରେ ଉପରମୁଣ୍ଡର ପିଲା ମଝିସାହିର ଲୋକଙ୍କୁ ଡରେଇଵା ପାଇଁ ଏସବୁ ଲୀଳା କରିଥିଲେ
ବୋଲି ପରେ ପ୍ରଚାର ହେଲାରୁ ଯାଇ ଲୋକେ ଶାନ୍ତିରେ ନିଃଶ୍ୱାସ ମାରିଲେ 😂😂👏

Sunday, June 13, 2021

ଭୁଆ ଓ କୁକୁଡ଼ା

ଭୂଆ ଓ କୁକୁଡ଼ା ମିତ ବସିଥିଲେ | କିଛି ଲୋକ ସ୍ବାର୍ଥସାଧନ ହେତୁ ବନ୍ଧୁ ହୁଅନ୍ତି | ଭୂଆର କୁକୁଡ଼ାକୁ ଖାଇବା ଇଛା ଥିଲା ଏବଂ କୁକୁଡ଼ା ଅନ୍ଯ ହିଂସ୍ରଜନ୍ତୁଙ୍କଠୁଁ ବଞ୍ଚିବାକୁ ଚାହୁଁଥିଲା ତେଣୁ ଉଭୟଙ୍କ ମଧ୍ଯରେ ମିତ୍ରତା ହୋଇଥିଲା | ଏମିତି କେତେ ଦିନ ଗଲା | ଥରେ ଉଭୟ ଜଙ୍ଗଲରେ ବୁଲୁଥାନ୍ତି କିନ୍ତୁ ଖାଇବାକୁ କିଛି ମିଳୁନଥାଏ | ଏମିତି ଚାଲୁଚାଲୁ ସେମାନେ ଗୋଟିଏ ବଡ଼ ଗାତ ଦେଖିବାକୁ ପାଇଲେ | ସେ ଗାତ ଭିତରେ ମୂଷାଟିଏ ଥାଏ | ଭୂଆଟା କୁକୁଡ଼ାକୁ କହିଲା ବନ୍ଧୁ ତୁମେ ଗାତକୁ ଡେଇଁ ତାକୁ ସହଜରେ ଧରିପାରିବ ମାତ୍ର କୁକୁଡ଼ାକୁ ସନ୍ଦେହ ହେଲା | ବିଡ଼ାଳ ଜାତି ମୂଷା ଧରିବାରେ ଦକ୍ଷ ଇଏ ନିଶ୍ଚେ ମୋତେ ଖାଇବା ମନ କରିଛି ତେଣୁ କୁକୁଡ଼ା କପଟ ଆଚରଣ କରି କହିଲା ତମେ ଏଠି ଜଗିରୁହ ମୁଁ ଗାଧୋଇ ଆସେ | କୁକୁଡ଼ା ପାଣିରେ ବୁଡ଼ି ବୁଡ଼ି ଅନେକ ସମୟ ଗାଧୋଇଲା | ମୂଷାକୁ ଗିଳି ଭୂଆଟା ଆସି କୁକୁଡ଼ାକୁ ବୋଇଲା ବନ୍ଧୁ ତମେ ବିଳମ୍ଭ କଲାରୁ ମୂଷାଟା ଗାତ ଭିତରେ ଆଉ ଏକ ଛୋଟ ଗାତକରି ପଶିଯାଇଛି | ଶିଘ୍ର ଆସ ଆମେ ତାକୁ ଧରିବା ନହେଲେ ସେ କୁଆଡ଼େ ଚାଲିଯିବ |  ବିଲେଇ ପାଟିରେ ରକ୍ତ ଲାଗିଥିଲା କୁକୁଡ଼ା ତାହା ଦେଖିପାରିଲା | ସେ ପୁଣି କପଟ ଆଚରଣ କରି କହିଲା ମୋ ପକ୍ଷୀ ଓଦା ହୋଇଗଲା ମୁଁ ଆଗେ ତାକୁ ଶୁଖାଇ ସାରେ ତାପରେ ମୂଷା ଧରିବାକୁ ଯିବା | କୁକୁଡ଼ା ଗୋଟାଏ ଛୋଟ ଗଛର ଶାଖାକୁ ଉଠିଯାଇ ସେଠି ବସି ରହିଲା | ଭୂଆକୁ ତ ଭାରି ଭୋକ ସେ କୁକୁଡ଼ା ଖାଇବ ବୋଲି ମନେ ମନେ ଆନନ୍ଦ ମାନରେ ଆଖି ମୁଦି ପାଟି ଆଁ କରି ତଳେ ଠିଆ ହୋଇଥାଏ | କୁକୁଡ଼ାର ପର ଆଉଟିକିଏ ଶୁଖିଗଲାରୁ ସେ କ'ଣ କଲା ନା ଏମିତି ବାଗରେ ହଗିଲା ଯେ ତା ବିଷ୍ଟା ଯାଇ ଭୂଆ ପାଟିରେ ପଡ଼ିଲା | ଭୂଆ କିଛି ବୁଝିବା ଆଗରୁ କୁକୁଡ଼ା ସେଇଠୁ ଆଉ ଏକ ବଡ଼ ଗଛକୁ ଉଡ଼ିଗଲା |

ଭାଲୁର ଗଛ ଚଢ଼ା

ଭାଲୁ ଓ କାଇ ଦି ସଙ୍ଗାତ | ଦିନେ ଭାଲୁଟା  କାଇ ଆଗରେ ମହୁଫେଣା ଭାଙ୍ଗି ଖାଇଲା ତାକୁ ଦେଲାନି | କାଇର ଭାରି ରାଗ ହେଲା କିନ୍ତୁ ଏଡ଼ିକି ଛୋଟିଆ ଜୀବ ଭାଲୁର କାଣା କରିପାରେ ?

କାଇ ଡିମିରି ଗଛରେ ରହେ ଯେ ସେ ଗଛରେ ଡିମିରି ହେଲା | ଭାଲୁ ଡିମିରି ଖାଇବାକୁ ମନ କଲା ହେଲେ ତାକୁ ତ ଗଛ ଚଢ଼ା ଆସେନି କିସ କରିବ ?
ତା ସାଙ୍ଗ କାଇକୁ କହିଲା ମୋତେ ଟିକିଏ ଗଛ ଚଢ଼ା ଶିଖାଇ ଦିଅନ୍ତନି !

କାଇ କହିଲା ଏ ଗଛକୁ ଚଢ଼ିବା ବହୁତ ସହଜ ମାତ୍ର ପିଚା ଉପରକୁ ମୁଣ୍ଡ ତଳକୁ କରି ଚଢ଼ିବାକୁ ହେବ !

ଭାଲୁ ସେମନ୍ତ କଲା ମୁଣ୍ଡ ତଳକୁ କରି କିଛି ବାଟ ଚଢ଼ିଗଲା ...
ହେଲେ
ଏତିକି ବେଳେ କାଇ ଆସି ତା ଗାଣ୍ଡିକି ରୁଟ୍ କରି କାମୁଡ଼ି ଦେଲା ଯେ ଭାଲୁ କ୍ଯଣ କ୍ଯଣ ବୋଲି ବ୍ରହ୍ମକଚଡ଼ା ପଡ଼ିଲା

ଭାଲୁର ଗୋଡ଼ ଭାଙ୍ଗିଗଲା ଦାନ୍ତ ଦିଟା ଗଳି ପଡ଼ିଲା ସେ ରାଗିକି କାଇକୁ କହିଲା
ହେଇବେ ମେଞ୍ଚଡ଼ ପୋକ ତୋର ତ କମ୍ ସାହସ ନୁହେଁ ମୁଁ ତୋର କାଇଟା କ୍ଷତି କଲି ଯେ ମୋତେ ତୁ କାମୁଡ଼ି ଦେଲୁ କିରେ
ସେଇଠୁ କାଇ ତାକୁ କହୁଛି
ନାଇଁ ମ ସାଙ୍ଗ ଏ ଗଛରେ କଅଣ ମୁଁ ଏକେଲା ରହୁଛି ? ଏଠି ଲକ୍ଷେ ହେରିକା କାଇ ଥିବେ ଆଉ କିଏ କାମୁଡ଼ି ଥିବ ନା ଆଉ !!!

ଭାଲୁ ବିଚରା ଆଉ କି କରେ ଭାଗ୍ଯ ଆଦରି ଘରକୁ ଗଲା !

Wednesday, June 9, 2021

କାଉ ଓ ପେଚାମାନଙ୍କର ଶତ୍ରୁତା

ଅତି ପ୍ରାଚୀନ କାଳରେ  ପେଚାମାନେ  ବହୁତ ହିଂସ୍ର ଥିଲେ ଏଵଂ ଦଳବଦ୍ଧ ହୋଇ ରହୁଥିଲେ । ସେମାନେ  ଯେକୌଣସି ଜୀଵକୁ ମାରି ଖାଇଵାକୁ ପଛାଉ ନଥିଲେ । ଏକତା ଓ ହିଂସ୍ର ସ୍ଵଭାଵ ତାଙ୍କ ଜାତିର ପରିଚୟ ହୋଇଯାଇଥାଏ । ସଂସାରରେ କାଉମାନେ ନୂଆ ଥିଲେ ,ସେମାନେ ପେଚାମାନଙ୍କ ପରି ସେତେ ସଙ୍ଗଠିତ ନଥିଲା ।
ଦୁର୍ଭାଗ୍ୟକୁ ପେଚା ଓ କାଉମାନେ ଗୋଟିଏ ଗଛରେ ବସା ବାନ୍ଧିଥିଲେ । ସେ ଗଛଟି ଵିଶାଳ ଓ ଝାଙ୍କାଳିଆ ଥିଲା । ଗଛର ଉପରିଭାଗରେ ପେଚାମାନଙ୍କର ବସା ଥିଲା ଏଵଂ ତଳେ କାଉମାନେ ଵସାକରି ରହୁଥିଲେ ।

ପେଚାମାନଙ୍କର ମୁଖିଆ ନିଇତି କୌଣସି ନା କୌଣସି କୁଆକୁ ମାରି ଖାଇଯାଏ । କାଉମାନେ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଅନ୍ୟ ଵିକଳ୍ପ ଉଣ୍ଡିଵାକୁ ଲାଗିଲେ । ଜଣେ ପ୍ରୌଢ଼ କୁଆ କହିଲା ଚାଲ ଏ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିଵା କାରଣ କଥାରେ ଅଛି ପରା ଆପେ ବଞ୍ଚିଲେ ବାପର ନାଆଁ ,ଆଉ ଜଣେ ଯୁଵକାକ କହିଲା ପେଚାମାନେ ଅଵଶ୍ୟ ଶକ୍ତିଶାଳୀ କିନ୍ତୁ ଆମ ଜାତି ଵୀରମାନଙ୍କର ଜାତି ! ପଳାୟନ କରିଵା କୌଣସି ଵୀରକୁ ଆଦୌ ଶୋଭା ଦିଏନା ଚାଲ ଆମେ ଵରଂ ଯୁଦ୍ଧ କରିଵା । ପାଖରେ ବୁଢ଼ା ଡାମରା କାଉଟେ ଥିଲା ।  ସେ କହିଲା ଧେତ୍ ମାଟିମାଆକୁ କିଏ କ'ଣ ଛାଡ଼ି ଯିଵା କଥା ଆମେ ଏଇଠି ଜନମିଛେ ଏଇଠି ମରିଵା କିନ୍ତୁ ଅଯଥା ଯୁଦ୍ଧରେ ଗୁଡା଼ଏ ପ୍ରାଣହାନି ହେଵ । ତୁମେମାନେ ଗୋଟେ କାମ କର ଦୁଇ ଦଳ ହୋଇ କଳି ଝଗଡ଼ା ଲାଗ । ଏ ବରଗଛକୁ ଦଳେ ଅଶ୍ଵତ୍ଥ ଗଛ ବୋଲି କହି ଡେଇଁଵ ଆଉ ଦଳେ ଵିରୋଧୀ ସାଜି ବରଗଛ ସପକ୍ଷରେ ରହି ସେମାନଙ୍କର ଵିରୋଧ କରିଵ । ଗଛ ଉପରେ ଥାଇ ପେଚାଯାକ ତୁମ ପାଲା ଦେଖୁଥିଵେ ଏଵଂ ମନେ ମନେ ଭାବୁଥିଵେ ତମ ମଧ୍ୟରେ ଆଉ ଆଗଭଳି ଏକତା ନାହିଁ । କାଉମାନେ ସେଇଆ କଲେ । ସେ ଠକାର କଳି ଦେଖି କିନ୍ତୁ ଗଛ ଉପରେ ରହୁଥିଵା ପେଚାମାନେ କୁହାକୁହି ହେଉଥାନ୍ତି...
ଏଗୁରା କି ଉଦୁରମତା ହେଉଛନ୍ତି କିହୋ ! ଯାଗା ଆମର ଗଛ ଆମର ଏ ଶଳେ କାଉଗୁରା ଏଇ କିଛି ଵର୍ଷ ହେଵ କୁଆଡ଼ୁ ଚାଲି ଆସି ଆମ ଯାଗାରେ ରହି ଆମ ଯାଗାକୁ  ଆମର ଆମର ଗାଇ ହେଉଛନ୍ତି ।

କିନ୍ତୁ ପେଚାମାନେ କାଉମାନଙ୍କର କୂଟ କପଟ ଜାଣିପାରିଲେ ନାହିଁ । ସେମାନେ ଭାବିଲେ ଏଗୁଡା଼ ପରସ୍ପରରେ ମାଡ଼ ହୋଇ ମଲେ ଵରଂ ଆମର ଲାଭ । ଏକେ ତ ଗୁଡା଼ଏ ଖାଦ୍ୟ ଵିନା ଶ୍ରମରେ ମିଳୁଥିଵ ପୁଣି ଶତ୍ରୁମାନେ ମଧ୍ୟ ଦୁର୍ଵଳ ରହିଥିଵେ । ଏମନ୍ତ ଵିଚାର କରି ପେଚାମାନେ ନିଶ୍ଚିନ୍ତରେ ରହିଲେ ।

ଏଣେ କାଉମାନେ ପେଚାମାନଙ୍କର ମନୋଭାବ ଜାଣିପାରି ଆପଣା ଭଵିଷ୍ୟତ ଯୋଜନା କାର୍ଯ୍ୟକାରୀ କରିଵାକୁ ଲାଗିପଡି଼ଥାନ୍ତି ।

ପେଚାମାନେ ତ ରାତ୍ରିଚର ଏଵଂ ଦିନରେ ଶୋଇଥାନ୍ତି କାଉମାନେ ଏହାର ସୁଯୋଗ ନେଇ ଦିନରେ ତାଙ୍କ ବଡ଼ ବସା ଚାରିପାଖ ଡାଳରେ ଗୁଡା଼ଏ କାଠିକୁଟା ଗଦେଇଵାକୁ ଲାଗିଲେ । ସନ୍ଧ୍ୟା ସୁଦ୍ଧା ପେଚାମାନଙ୍କର ବସା ଚାରିପଟେ ଗୁଡା଼ଏ କାଠିକୁଟା ଗଦା ହୋଇଯାଇଥାଏ । ଏପଟେ କେତୁଟା କାଉ ନିଆଁ ଆଣିଵାକୁ ଆଗ୍ନେୟଗିରି ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ପ୍ରାୟ ନିଆଁ ଲାଗେ ତେଣୁ ସେମାନେ ସେଠାରେ ଜଳୁଥିଵା  ଖଣ୍ଡେ ଜଳନ୍ତା କାଠି ଉଠେଇ ଆଣି ସନ୍ଧ୍ୟା ପୂର୍ଵରୁ ଫେରି ଆସିଲେ ।

ଯୋଜନା ଅନୁସାରେ ପେଚାମାନେ ଚେଇଁଵା ଆଗରୁ ତାଙ୍କ ବସା ଚାରିପଟେ ନିଆଁ ଲଗେଇ ଦିଆଗଲା । ନିଆଁ ଧାସ ବାଜି ପେଚାମାନଙ୍କର ନିଦ ଭାଙ୍ଗିଗଲା । ସେମାନେ ନିଆଁରୁ ଵର୍ତ୍ତିଵା ପାଇଁ
ଆପ୍ରାଣ ଉଦ୍ୟମ କଲେ କିନ୍ତୁ ଅଧିକାଂଶ ପୋଡ଼ି ମରିଗଲେ । ଆଉ କାଉ ମାନେ ? ସେମାନେ ତ ପେଚାମାନଙ୍କର ସର୍ଵନାଶ କରିଵା ଚେଷ୍ଟାରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ବରଗଛଟିକୁ ଵିପଦରେ ପକାଇଦେଲେ ଏଵଂ ନିଜ ବସା ମଧ୍ୟ ହରାଇଲେ ।  ସେଇଦିନଠାରୁ ପେଚାମାନେ ଏକତ୍ର ରହିଵା ଛାଡି଼ଦେଲେ କିନ୍ତୁ କାଉ ଓ ପେଚାମାନଙ୍କର ଶତ୍ରୁତା ଆଜି ବି ଯଥାଵତ୍ ରହିଛି । ସେମାନଙ୍କ ମଧ୍ୟରେ ରହ ଯିଏ ଯେତେବେଳେ ସୁଵିଧା ପାଉଛି ଅନ୍ୟ ଉପରେ ଦାଉ ସାଧୁଛି ।

⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛
🔵◾◾◾◾◾◾ଵିଶେଷ ଦ୍ରଷ୍ଟଵ୍ୟ◾◾◾◾🔵

                           🔴ଆଧାର🔴
ଆଜକୁ ପ୍ରାୟ ଷାଠିଏ ମିଲିୟନ ଵର୍ଷ ପୂର୍ଵେ
ମଧ୍ୟ-ପେଲେଓସନ୍( Middle Paleoceon) ଯୁଗରେ ଷ୍ଟ୍ରିଗିଫର୍ମସ୍(Strigiformes) ଵା ପେଚା ଜାତୀୟ ପକ୍ଷୀମାନେ ଵିଵର୍ତ୍ତନ ଯୋଗୁଁ ଜାତ ହୋଇଥିଲେ  । ତାହାର ପାଞ୍ଚ ମିଲିୟନ ଵର୍ଷ ପରେ ପ୍ରାରମ୍ଭିକ ଇଓସେନ୍(Eocen) ଯୁଗରେ Passeriformes(ଶୁକ,କାକ) ଜାତୀୟ ପକ୍ଷୀ ଜାତ ହେଵାକୁ ଲାଗିଲେ । ତେଣୁ ସଂସାରକୁ ପେଚାମାନେ ଆସିଵାର ଅନେକ ଵର୍ଷ ପରେ କାକମାନଙ୍କର ସୃଷ୍ଟି ହୋଇଥିଲା ।

                          🔴ମୂଳ ଗଳ୍ପ🔴
ଏହି ଗଳ୍ପଟି ପଞ୍ଚତନ୍ତ୍ରର ଏକ ଗଳ୍ପ ଆଧାରରେ ରଚିତ ହୋଇଅଛି । ମୂଳ ଗଳ୍ପରେ ଗୋଟିଏ ବୁଢ଼ା କାଉ ପେଚାମାନଙ୍କର ଵିଶ୍ଵାସ ଜିତି ସେମାନଙ୍କ ସହିତ ଯାଇ ରହୁଛି । ସେ କାଉଟି ପେଚାମାନଙ୍କର ଜଗୁଆଳି କାମ କଲା ଏଵଂ  କାଠି କୁଟା ମଧ୍ୟ ସଂଗ୍ରହ କରି ପେଚାମାନଙ୍କ ବସା ପାଖରେ ରଖିଲା ।  । ପେଚାମାନେ ତାକୁ ସେ କୁଟାକାଠି ଵିଷୟରେ ପଚାରିଵାରୁ ସେ ନିଜପାଇଁ ବସାଟିଏ କରିଵାକୁ ଏସବୁ ଯୋଗାଡ଼ କରୁଛି ବୋଲି ଜଣାଇଲା । ଦିନେ ଅନେକ କୁଟାକାଠି ଯୋଗାଡ଼ ହୋଇଗଲାରୁ କାଉମାନେ ଏକାଠି ହୋଇ ପେଚାମାନଙ୍କର ବସାରେ ନିଆଁ ଲଗାଇଦେଲେ ଏଵଂ ସେ ନିଆଁରେ ଜଳିପୋଡି଼ ଅନେକ ପେଚା ମରିଗଲେ ।
        
         🔴କାଉ-ପେଚାଙ୍କ ଶତ୍ରୁତାର ପ୍ରକୃତ କାରଣ🔴
ପେଚାମାନେ ରାତ୍ରିଚର ଏଵଂ ରାତିରେ କାଉମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ମାରି ଦେଉଥିଵା ହେତୁ କାଉମାନେ ପେଚାଙ୍କୁ ଦେଖିଲେ ମାରି ଗୋଡା଼ନ୍ତି ।

                    🔴ଗଳ୍ପର  ଶିକ୍ଷା🔴
ଶତ୍ରୁକୁ କେବେ ବି ଦୁର୍ଵଳ ଭାବିଵା ଉଚିତ୍ ନୁହେଁ । ଅନ୍ଯର କ୍ଷତି କରିଵା ଚେଷ୍ଟାରେ ନିଜର ମଧ୍ୟ କ୍ଷତି ହୋଇପାରେ । ଶତ୍ରୁତାକୁ ପ୍ରତିଶୋଧ ନେଇ କେବେବି ଶେଷ କରାଯାଇ ପାରେନାହିଁ ।

               🔴ଗଳ୍ପର ଗୁପ୍ତ ସନ୍ଦେଶ🔴
ଓଡ଼ିଆ ଜାତି ମଧ୍ୟ ଓଡ଼ିଶାର ଵିଚ୍ଛିନ୍ନତାଵାଦୀଙ୍କୁ ଦୁର୍ଵଳ ନଭାବି ସେମାନଙ୍କର ଉଭୟ ଅସି ଓ ମସି ଚାଳନାଦ୍ଵାରା ସର୍ଵନାଶ କରିଵା ଵିହିତ କର୍ତ୍ତଵ୍ୟ ଅନ୍ୟଥା ପେଚାମାନଙ୍କ ପରି ଓଡ଼ିଆ ଜାତିର ମଧ୍ୟ ଅଶେଷ କ୍ଷତି ଘଟିଵାର ସମ୍ଭାଵନା ରହିଛି ।
⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛⬛

Tuesday, June 8, 2021

ସଂସର୍ଗ

ଜନୈକା ନାରୀନେତ୍ରୀ ସଭାରେ  ଲୋକଙ୍କୁ କହୁଥାନ୍ତି “ଜାଣିଛ ମୁଁ ଜଣେ ଏମିତି ଲୋକକୁ ଜାଣେ ଯେ ନିଜ ନାଆଁ ଲେଖି ସୁଦ୍ଧା ଜାଣିନଥିଲା । କିନ୍ତୁ ନାରୀଜାତିର ମହିମା ଦେଖନ୍ତୁ ସେ ଲୋକଟା ଯେମିତି ଜଣେ ନାରୀ ସଂସର୍ଗରେ ଆସିଲା ବୁଢ଼ା ବୟସରେ ମାତ୍ର ଦୁଇଵର୍ଷ ମଧ୍ୟରେ ମହାପଣ୍ଡିତ ହୋଇଗଲା ।...”

ନାରୀନେତ୍ରୀଙ୍କ ଶଶୁର ସେଇପଟେ ଯାଉଥାଆନ୍ତି  । ତାଙ୍କ କାନରେ ଯେମିତି ଏକଥା ପଡି଼ଲା ସେ କହିଲେ  “ହଁ ଵା ଏଇଟା କୋଉ ବଡ଼ କଥା । ମୁଁ ବି ଜଣେ ପୁରୁଷକୁ ଜାଣେ ଯେ ଵାଲ୍ୟକାଳରୁ ପାଠଶାଠ ପଢ଼ି ସମାଜରେ ମହା ଵିଦ୍ଵାନ ପରିଗଣିତ ହେଉଥିଲା । କିନ୍ତୁ ସେ ଜଣେ ନାରୀ ସଂସର୍ଗରେ ଆସିଵା ଯୋଗୁଁ ମାତ୍ର ଦି ମାସରେ ମହାମୂର୍ଖ ହୋଇଗଲା ...”

Monday, June 7, 2021

କୁକୁର ଓ କଙ୍କଡ଼ା

ଜଣେ ଲୋକ ତା କୁକୁରକୁ ଧରି ମାଛହାଟକୁ ଯାଇଥାଏ । ମାଛର ଵାସ୍ନା ପାଇ କୁକୁରର ଆନନ୍ଦ କହିଲେ ନସରେ ।‌

ଲୋକଟା ଗୋଟିଏ ମାଛ ଦୋକାନ ପାଖରେ ଠିଆହେଲା । ତା କୁକୁର ଦୋକାନକୁ ପଛକରି ଠିଆ ହେଇଥାଏ ଏଵଂ ଚାରିଆଡ଼ୁ ଆସୁଥିଵା ମାଂସମାଛର ଵାସ୍ନା ଆଘ୍ରାଣ କରି କରି ଖୁସି ହେଉଥାଏ ।

କୁକୁରର ଲାଞ୍ଜଟା ଭୂଲ୍'ରେ କଙ୍କଡ଼ା ବୋଝ ଉପରେ   ହଲୁଥାଏ । କଙ୍କଡ଼ାଟିଏ କୁକୁର ଲାଞ୍ଜଟା ଉପରେ ଚଢି଼ଗଲା ଆଉ କୁକୁରର ଟିରିକି ପାଖରେ ପହଞ୍ଚିଵାରୁ କଅଁଳିଆ ମାଂସ ପାଇ ରୁଟ୍'କିନା କାମୁଡ଼ି ଦେଲା ।

କୁକୁରଟା ତ ଵାସ୍ନାର ମାୟାରେ ମୋହିତ ହୋଇଯାଇଥାଏ । ଯେମିତି କଙ୍କଡ଼ା ତା ଗାଣ୍ଡିକୁ ଚାବି ଦେଇଛି ତାର ଏକାବେଳକେ ହଣ୍ଡଲପାଣି ।  ଭୋ ଭୋ ହୋଇ ଗୋଟାଏ ଡିଆଁ ମାରିଲା ଯେ  ଦଶ ହାତରେ ପଡି଼ଲା ।

ମାଛ ଦୋକାନୀଟା କୁକୁର ପିଚାରେ କଙ୍କଡ଼ା ଦେଖି କୁକୁର ଆଣିଥିଵା ଲୋକକୁ କହିଲା — ତମ କୁକୁରକୁ ଟିକେ ଡାକ ଡାକ...

ସେଇଠୁ ଲୋକଟା ଚିଡି଼ଯାଇ କହୁଛି— ଖୋ ରେ ! କାଇଁ ତୁ ତୋ କଙ୍କଡ଼ାକୁ ଡାକୁନୁ ...

Friday, June 4, 2021

ବୋଉ : ଶବ୍ଦ ଗୋଟିଏ କଥା ଅନେକ

ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ  妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି ।

ତେଵେ କିଛି ଶହ  ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ  ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି ।  ‌ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି ।

ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ  令堂(lìngtáng)ଓ ଆନର ପିତାଙ୍କୁ  令尊(lìngzūn) ସମ୍ବୋଧନ କରିଥାନ୍ତି ‌। ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ ।

ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ  家母(jiāmǔ)ଓ  家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ ।

ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି ।

ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ  ମାତାଙ୍କୁ  妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ ।

ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ ।

✓母親 (móuhchàn)
✓媽媽 (màhmà)
✓阿母 (a mā)
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn)
✓妈妈 [媽媽] (māma)
✓母親 (bó-chhin)
✓阿母 (a-bó)
✓俺娘 (án-niâ)

ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି ।

ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି ।
ଯଥା—

✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’

✓Cantonese ଭାଷାରେ ଭାଉଜଙ୍କୁ
阿母 (a-bó) କୁହାଯାଏ ।

✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି ।

✓ଚୀନଦେଶର କେତେକ ଶୈଳୀରେ
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।

ଚୀନଦେଶରେ a-bó  ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ  ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ ।

ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ ।  ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି ।

ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା ।  ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଶଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।

କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...

ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା

2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ

ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...

ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...

କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି

“ଦଶରଥ ସୂତ, ଜଗତେ ଵିଦିତ,
କୈକେୟୀ ମୋହର ଆଈ।”


ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ”
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି ।

“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ ।
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ ।
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”

ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...

“ଏମନ୍ତେ ପାହିଲା ରଜନୀ
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ ।
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”

ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ  ଏହି  ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା ।

ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି  କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ ।

ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!

ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ ।  ତହିଁପରେ ବୋଉ ଶବ୍ଦର  ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି ।

କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି  ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।

ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ?

ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ  ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।

କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ ।

ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି ।

ଏତଦଵ୍ୟତୀତ ଓଡ଼ିଶାର  ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ  ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ  ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି ।

କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି ।

ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))

ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି
ଯଥା―

■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ ।

ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।

ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ  “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ ।
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ  “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ  “Anne,” “Ana”  “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ ।

koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ ।
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ ।
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି ।
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ
нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି ।  ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।  ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane (   ننه   ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ।
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?

ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ।  ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି ।

ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି ।

ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...