Sunday, October 10, 2021

ପୁଚୁ ~ କଥିତ ଓଡ଼ିଆ ଭାଷାର ନିଆରା ଶବ୍ଦ

ଅତି ସାମାନ୍ଯ ସାମାନ୍ଯ କଥାରେ ପ୍ରଶ୍ନ କରି ଉତ୍ତରଦାତାକୁ ଵିରକ୍ତ କରିଦେଉଥିଵା ଲୋକଙ୍କୁ ପୁଚୁ କୁହାଯାଏ । ପୁଛା କରିଵା,ପୁଛିଵା ଓ ପଚାରିଵା ଆଦି କ୍ରିୟା ଶବ୍ଦ ସହ ଏହା ସମଦ୍ଧୃତ । ପୁଚୁ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,କଥିତ ଓଡ଼ିଆ ଶବ୍ଦକୋଷରେ ସ୍ଥାନ ପାଇଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଏହି ଅର୍ଥଜ ପୁଚୁ ଶବ୍ଦଟି ଵର୍ତ୍ତମାନ ଦେଵଗଡ଼ ଜିଲ୍ଲାର କଥିତ ଓଡ଼ିଆ ଶୈଳୀରେ ଚଳୁଅଛି । ଏଥିପାଇଁ ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଏ ଶବ୍ଦକୁ ସ୍ଥାନ ମିଳିଛି ।

ପ୍ରୋକ୍ତ ପୁଚୁ ଶବ୍ଦଟି ଏହାର ଅର୍ଥ ଦୃଷ୍ଟିରୁ ଓଡ଼ିଆ ପୁଚ୍ଛିଵା(ପ୍ରଶ୍ନକରିଵା) କ୍ରିୟା ସହିତ ସମୋଦ୍ଧୃତ ହୋଇଥାଇପାରେ । ପୁଚ୍ଛା କରିଵା,ପୁଚ୍ଛିଵା ଆଦି ଓଡ଼ିଆ ଶବ୍ଦ ସହିତ ତତ୍ସମ ପୃଚ୍ଛା ଶବ୍ଦ ସମୋଦ୍ଧୃତ ।‌ ସଂସ୍କୃତରେ ପୃଚ୍ଛାର ଅର୍ଥ ପ୍ରଶ୍ନ ଓ ଜିଜ୍ଞାସା ଏଵଂ ଯିଏ ଜିଜ୍ଞାସା କରେ, ପ୍ରଶ୍ନ କରେ, ଅନୁସନ୍ଧାନ କରେ ତାକୁ ପୃଚ୍ଛକ କୁହାଯାଏ ।
ସମ୍ଭଵତଃ ପୁଚୁ ଶବ୍ଦଟି ଏହାର ଅର୍ଥ ତଥା ରୂପ ସାମ୍ୟ ଦୃଷ୍ଟିରୁ ପୁଚ୍ଛା କରିଵା,ପୁଚ୍ଛିଵା,ପୃଚ୍ଛ ଓ ପୃଚ୍ଛକ ଆଦି ଶବ୍ଦ ସହିତ ସମୋଦ୍ଧୃତ ହୋଇଥିଵ ବୋଲି ସହଜେ ଅନୁମେୟ ।

ତେବେ ସମାଜରେ କେଉଁମାନେ ଏତେ ପ୍ରଶ୍ନ କରନ୍ତି ଓ ଜାଣିଵାକୁ ଜିଜ୍ଞାସା କରନ୍ତି  ?

ଛୁଆଙ୍କୁ ପଚାରିଲେ ସେମାନେ ତାଙ୍କର ଜଣେ  ଶିକ୍ଷକଙ୍କ ନାମ କହିଵେ , ବାପାମାଆଙ୍କୁ ପଚାରିଵେ ଯଦି ସେମାନେ ତାଙ୍କ ଜିଜ୍ଞାସୁ ଛୁଆଙ୍କ କଥା କହିଵେ । କେହି ଵିଵାହିତ ପୁରୁଷକୁ ଏଇ ସମାନ କଥା ପଚାରିଲେ ସେ ତା ପତ୍ନୀର ପ୍ରଶ୍ନଵାଣ ଵିଷୟରେ ୧୦୦ ପୃଷ୍ଠା ଭଳିଆ ମନ୍ତଵ୍ଯ ଦେଵ ।   ଯଦି କୋର୍ଟ କଚେରୀକୁ ଦୌଡି଼ ଦୌଡ଼ି ଚପଲ ଛିଣ୍ଡାଇ ଦେଇଥିଵା କୌଣସି ଲୋକକୁ ଆପଣ ସମାନ ପ୍ରଶ୍ନ ପଚାରନ୍ତି ସେ ପ୍ରଶ୍ନ ଜାଲରେ ପକାଇ ଫସେଇ ଦେଉଥିଵା ଓକିଲଙ୍କ କଥା ବଖାଣିଵ ।

ଯେମିତି ସମାଜରେ ପ୍ରଶ୍ନ କରି ଵ୍ଯତିଵ୍ଯସ୍ତ କରିଦେଉଥିଵା ଲୋକଙ୍କୁ ଆମେ ସର୍ଵତ୍ର ପାଇଯାନ୍ତି ସେମିତି ଆମ ଭାଷାରେ ‘ପୁଚୁ’ ଶବ୍ଦର ସମାର୍ଥକ
ଆଉ କୌଣସି ଶବ୍ଦ ରହିଛି କି ?

'ଚାଟୁ' ,ଗୋଚରା,ଗଫୁଲି ଆଦି କିଛି ଓଡ଼ିଆ ଶବ୍ଦ ଏହି ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି ଜଣାଯାଏ ।

କିନ୍ତୁ ପୁଚୁ ଶବ୍ଦଟି  ପୁଚୁକି ଗାଲି ଝିଅକୁ ସ୍ନେହରେ ମଧ୍ୟ ଡକାଯାଇଥାଏ । ସାଧାରଣତଃ ପୁଚୁକି ଶବ୍ଦରୁ ‘କି’କୁ ଛାଡ଼ି କେହି କେହି କେଵଳ ପୁଚୁ କହିଥାନ୍ତି । ଉଭୟ ଝିଅ ଓ ପୁଅଙ୍କୁ ଓଡ଼ିଶାରେ ପୁଚୁ ନାମ ଦିଆଯିଵାର ଦେଖାଯାଏ ।‌

ଆଜିକାଲି କିଛି ଅତ୍ୟାଧୁନିକ ପ୍ରେମିକ ପ୍ରେମିକା ବି ଏଇ " ପୁଚୁ" ଶବ୍ଦ ଵ୍ୟଵହାର କରି ଡକାଡକି ହେଉଥିଵାର ଲକ୍ଷ୍ୟ କରାଯାଉଛି ।‌ ଉଦାହରଣ ସ୍ୱରୂପ ଅଭୟ ପୃଷ୍ଟି ନାମକ ଜଣେ ଲେଖ ଷ୍ଟୋରିମିରରରେ ନିଜର ଲେଖା ତୋର ମୋର ପ୍ରେମ କାହାଣୀରେ ପୁଚୁ ଶବ୍ଦର ଏହି ଅର୍ଥରେ ଅନେକ ଥର ଵ୍ୟଵହାର କରିଛନ୍ତି । ଯଥା—

“ପୁଅ - WhatsApp ରେ ମେସେଜ ରେ ଲେଖିଲା ଗେଲ୍ହୁ ତୁମକୁ ମୁଁ କିଛି କହିବା ପାଇଁ ଭାବୁଥିଲି..

ଝିଅ - ହଁ ପୁଚୁ କୁହ, କଣ କହିବ...”

ଏଥିରୁ ଜଣାଯାଏ ଯେ ପୁଚୁ ଶବ୍ଦଟି ପ୍ରେମିକାମାନେ,ନଵଵିଵାହିତା ପତ୍ନୀମାନେ ଅଧୁନା ପ୍ରେମଯୁକ୍ତ ସମ୍ବୋଧନାର୍ଥ ତାଙ୍କ ପ୍ରେମିକ ଵା ପତିକୁ ସମ୍ବୋଧନ କାଳରେ ଵ୍ୟଵହାର କରୁଛନ୍ତି । ପୁନଶ୍ଚ ଓଡ଼ିଶାର କେତେକ ଅଞ୍ଚଳରେ ପିଚୁ ତଥା ପୋଚ(ପୂତି> ପୁଚ ଅନ୍ୟରୂପ)କୁ ମଧ୍ୟ ପୁଚୁ କୁହାଯାଇଥାଏ । ସ୍ପଷ୍ଟ ହୁଏ ଯେ ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହୃତ ହେଉଥିଲେ ହେଁ ଓଡ଼ିଆ ଭାଷାରେ ପୁଚୁ ଶବ୍ଦ ଆଜି ମଧ୍ୟ ବଞ୍ଚିରହିଛି ।

ଆମ ଭାଷାରେ ପୁଚୁ ଶବ୍ଦକୁ ଭୁଲ୍ କ୍ରମେ ପୁଚ ଓ ପୁଚି ଆଦି ଲେଖିଲେ ଏହାର ଅର୍ଥ ପରିଵର୍ତ୍ତିତ ହୋଇଯିଵାର ସମ୍ଭାଵନା ଥାଏ । ଢେଙ୍କାନାଳରେ ପୋଚ ଶବ୍ଦ ପୁଚ ହୋଇ ପ୍ରଚଳିତ । ବଦବୋଇ,ଦୁର୍ଗନ୍ଧ ଵା ପୂତିଗନ୍ଧକୁ, ପୋଚିଆ , ସଢ଼ାକୁ ପୋଚ କୁହାଯାଇଥାଏ ଏଵଂ ଏହା ପୂତି ସହିତ ସମୋଦ୍ଧୃତ ।‌ ଢେଙ୍କାନାଳରେ ପାଣି ରହି ଦୁର୍ଗନ୍ଧ ହେଉଥିଵା ସ୍ଥାନକୁ ପୁଚ କୁହାଯାଏ । ସବୁଜ ରଙ୍ଗକୁ ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପୁଚା କହିଥାନ୍ତି । ପୁଚି ଖେଳ ଓଡ଼ିଶାର ଏକ ପାରମ୍ପରିକ ଖେଳ ସେହିପରି ଦକ୍ଷିଣ ଓଡ଼ିଶାରେ ଦାୟିତ୍ଵ ଅର୍ଥରେ ପୁଚି ଶବ୍ଦ ଚଳୁଅଛି ।

ଭାରତର ଅନ୍ୟ କୌଣସି ବଡ଼ ଭାଷାରେ ପୁଚୁ ଭଳି ଶବ୍ଦ ଥିଵା ଜଣାଯାଏ ନାହିଁ ତେବେ ୟୁରୋପୀୟ Polish ଭାଷାରେ Puchu ବୋଲି ଏକ ଶବ୍ଦ ରହିଛି ଯାହା down, fluff (soft, immature feathers) ଓ snow ଆଦି ଅର୍ଥରେ ଵ୍ୟଵହୃତ ହେଉଥିଵା ଏହି ଭାଷାର puch ଶବ୍ଦର ଏକ ରୂପ । ମୂଳ ଆମେରିକୀୟ ଜନଜାତୀୟ ଲୋ‌ହିତ ଭାରତୀୟଙ୍କ ଏକ ଭାଷା Quechuaରେ ମଧ୍ୟ p'uchu ବୋଲି ଏକ ଶବ୍ଦ ରହିଛି ଯାହା rest, remainder, leftover ଓ
cigarette butt ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।

ଗୋଟିଏ ପଟେ ହିନ୍ଦୀ ,ତାମିଳ, ବଙ୍ଗାଳୀ ଭଳି ଭାରତର
ବହୁ ଲୋକଙ୍କ ଦ୍ଵାରା କଥିତ ଭାଷାଗୁଡି଼କରେ ପୁଚୁ,ପୂଚୁ କି ପୂଚୂ ଭଳି କୌଣସି ଶବ୍ଦ ନଥିଵାବେଳେ ଓଡ଼ିଆ ଭାଷାରେ ପୁଚୁ ପରି ଏକ ଶବ୍ଦ ରହିଛି ପୁଣି ତିନୋଟିରୁ ଅଧିକ ଅର୍ଥରେ ଵ୍ୟଵହାର ମଧ୍ୟ ହେଉଛି ।  ଏହା ପ୍ରମାଣ କରେ ଯେ ଓଡି଼ଆ ଭାଷାର ଶବ୍ଦସମ୍ଭାର କେତେ ଵିଶାଳ ଓ ସ୍ୱୟଂସମ୍ପୂର୍ଣ୍ଣ ।

Wednesday, October 6, 2021

ଶବ୍ଦଭେଦୀର ଜୀଵନ ଭାଗ ୧ — ଚଉଦ

୨୦୧୦ ସମୟର କଥା । କୌଣସି କାରଣରୁ ମୋ ନୋକିଆ ଭ୍ରାମ୍ୟମାଣ(ଫୋନ୍)ଟି ଅଖଞ୍ଜ ହୋଇଗଲା । ମୁଁ ସେତେବେଳେ ସୁରଟ ନଗରରେ କାର୍ଯ୍ୟ କରୁଥିଲି । ସୁରଟ ନଗରର ପାଣ୍ଡେସରା ଅଞ୍ଚଳରେ ଅଵସ୍ଥିତ ସୁମୁଲ ଡେରୀ ନିକଟରେ ଥିଵା “ନୋକିଆ ସହାୟତା କେନ୍ଦ୍ର”କୁ ଯିଵାକୁ ହେଲା ।

ସେଠାରେ ସେତେବେଳେ ପାଞ୍ଚ ଛଅ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିଲେ । ତନ୍ମଧ୍ୟରୁ ଦୁଇ ଜଣ ମଧ୍ୟଵୟସ୍କା ମହିଳା ମଧ୍ୟ ଥିଲେ । ଜନୈକା ମଧ୍ୟ ଵୟସ୍କା ମହିଳାଙ୍କଠେଇଁ ମୋହର ପାଳି ପଡି଼ଲା । ମହିଳାଜଣକ ମୋହର ୩୧୧୦ ନୋକିଆ ଦୂରଜଙ୍ଗମଵାଣୀର କିସ ରୋଗ ଅଛି ବୋଲି ପଚାରି ବୁଝିଲେ । ଗୋଟିଏ କାଗଜରେ ନାଆଁ ଗାଆଁ ଠିକଣା ଦୂରଭାଷସଂଖ୍ୟା(ଫୋନ୍ ନମ୍ୱର୍) ଓ ଵୈପତ୍ର(ଵୈଷୟିକ ପତ୍ର/ଇ-ମେଲ୍) ଆଦି ଲେଖିଵାକୁ ଦେଲେ ।

କାଗଜରେ ଥିଵା ଆଵଶ୍ୟକ ଶୂନ୍ୟସ୍ଥାନମାନ ପୂର୍ଣ୍ଣ କରିଵା ଉତ୍ତାରୁ ସେ ଦେଵୀ ତାହା ମୋଠାରୁ ନେଇ ସବୁ ଠିକ୍ ଅଛି କି ନାହିଁ ଜାଣିଵା ପାଇଁ ଟିକିଏ ଆଖି ପକେଇ ଦେଖିଲେ ଏଵଂ ସେଥିରେ ନିଜର ସ୍ଵାକ୍ଷର ଦେଵା ସମୟରେ ମୋତେ ହିନ୍ଦୀରେ ପଚାରିଲେ ଏଵଂ ମୁଁ ମଧ୍ୟ ତାଙ୍କୁ ତାଙ୍କର ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଲି ।

ମହିଳା—ଆଚ୍ଛା କାଲି କେତେ ତାରିଖ ଥିଲା  ...?

ମୁଁ — କାଲି ଚଉଦ(ହିନ୍ଦୀ ଵାକ୍ୟରେ ଓଡ଼ିଆ ଚଉଦ ଶବ୍ଦ ଵ୍ୟଵହାର) ତାରିଖ ଥିଲା...!

ମହିଳା — ଚଉଦ ମାନେ କ'ଣ ... ?

ମୁଁ — ଓଡ଼ିଆରେ fourteen ସଂଖ୍ଯାକୁ ଚଉଦ କୁହାଯାଏ ..!

ମହିଳା — ତାହେଲେ ତାକୁ  ହିନ୍ଦୀରେ କାହିଁକି କହିଲନି

ମୁଁ — ମ୍ୟାଡମ୍ ତାହା କ'ଣ କହିଵାକୁ ହଵ !!! ଆପଣ ଜାଣିଛନ୍ତି !!! 😂

ମହିଳା ଜଣକ ଏହା ଶୁଣି ସାମାନ୍ୟ ସ୍ମିତହାସ୍ୟ କରି ମୋତେ କାଗଜଟିଏ ଧରେଇ ଦେଲେ ସେଇଠୁ ମୁଁ ଦୂରଚଳଭାଷକୁ ସହାୟତା କେନ୍ଦ୍ରରେ ସଜଡ଼ା ଯିଵା ହେତୁକ ଛାଡ଼ି ବସାକୁ ବାହୁଡ଼ି ଅଇଲି ...

ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିଵ ଯେ
ନୋକିଆ ସହାୟତା କେନ୍ଦ୍ରର ପ୍ରୋକ୍ତ ମଧ୍ୟଵୟସ୍କା ମହିଳା ଜଣକ ପନ୍ଦର ଜୁନ୍‌ରେ କାର୍ଯ୍ୟାଳୟରେ ଥାଇ ବି କାହିଁକି ଗତକାଲି କେତେ ତାରିଖ ବୋଲି ପଚାରିଲେ ?

ସେ କାହିଁକି ଓଡ଼ିଆରେ ୧୪ ସଂଖ୍ୟାକୁ ଚଉଦ ତଥା ଇଂରାଜୀରେ ଫୋଟିନ୍ କହିଲାପରେ ବି ମୋତେ ତାହା ହିନ୍ଦୀରେ କହିଵାକୁ କହୁଥିଲେ ?
🤔🤔🤔

କଥା କ'ଣ କି ହିନ୍ଦୀରେ ୧୪ସଂଖ୍ୟାକୁ चौदह ଲେଖାଯାଏ କିନ୍ତୁ କହିଲାବେଳେ ସାଧାରଣତଃ ଚୌଦା,ଚୌଦାହ୍  ଏଵଂ କେତେକ ହିନ୍ଦୀଭାଷୀ ଅଞ୍ଚଳରେ ଚଉଦ ଶବ୍ଦକୁ ହଳନ୍ତଵତ୍ କରି ଚଉଦ୍ ମଧ୍ୟ କୁହାଯାଏ ।

ମାତ୍ର ଅହିନ୍ଦୀଭାଷୀ ଲୋକେ ହିନ୍ଦୀରେ କଥା ହେଲାବେଳେ चौदह ଶବ୍ଦକୁ  ଚୋଦା ଉଚ୍ଚାରଣ କରିଦିଅନ୍ତି ଯାହା ହିନ୍ଦୀଭାଷାରେ ମୈଥୁନ ଅର୍ଥଜ ଅଶ୍ଳୀଳ ଶବ୍ଦ । ହିନ୍ଦୀଭାଷୀ ମହିଳାଜଣକ ଭାବିଥିଲା ମୁଁ ଅହିନ୍ଦୀଭାଷୀ ହୋଇଥିଵାରୁ  ମୋତେ ହିନ୍ଦୀ ଜଣାନାହିଁ ଏଣୁ ମୁଁ चौद/चौदह ଶବ୍ଦକୁ चोदा ଉଚ୍ଚାରଣ କରିବି ମାତ୍ର ତାଙ୍କର ଅନୁମାନ ଭୁଲ୍ ହୋଇଗଲା ।‌ ଅସ୍ତୁ ଆମ ଭାଷାରେ ଚଉଦ ଓ ଚତୁର୍ଦ୍ଦଶ ଶବ୍ଦଦ୍ଵୟ ୧୪ ସଂଖ୍ଯା ପାଇଁ ଵ୍ୟଵହାର ହୋଇଥାଏ । ପ୍ରାକୃତର ଚଉଦ୍ଦହ ଓ ସଂସ୍କୃତର ଚତୁର୍ଦ୍ଦଶ ଶବ୍ଦ ସହିତ ଓଡ଼ିଆ ଚଉଦ, ହିନ୍ଦୀ ଚୌଦା ଓ ଚୌଦହ୍ , ବଙ୍ଗାଳୀ চোদ্দ ,ଅହମିଆ চৈধ্য  ଓ ନେପାଳୀ  चौध ଆଦି ଶବ୍ଦ ସମୋଦ୍ଧୃତ । କିନ୍ତୁ ଆଉ ଏକ ଶବ୍ଦ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉଦ ଅର୍ଥରେ ଵ୍ୟଵହାର ହୋଇଅଛି ତାହେଲା  ବାର ବେନି ।
ବାର ଓ ବେନି = ୧୪ । ବେନି ଶବ୍ଦର ଅର୍ଥ ଦୁଇ । ବାର ସହିତ ବେନି ଵା ଦୁଇ ସଂଖ୍ଯା ମିଶିଲେ ୧୪ ସଂଖ୍ଯା ହୁଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଚଉଦ ସଂଖ୍ଯା ଅର୍ଥରେ  ‌ବାରବେନି ଶବ୍ଦ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦୈହିଶ ଵିଳାସରେ ଵ୍ୟଵହାର କରିଛନ୍ତି ।‌

“ବାର ବେନି ପୁରସାର ମୋହନ ପୁଂସ”
(ଭଞ୍ଜ ଵୈଦେହୀଶିଳାସ)

ଏତଦଵ୍ୟତୀତ ଦ୍ବିସପ୍ତ,ମନୁ,ଇନ୍ଦ୍ର,ଲୋକ,ଶକ୍ର ଆଦି ଶବ୍ଦ ପ୍ରାଚୀନ କାଳରେ ୧୪ ସଂଖ୍ୟା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଅଛି ।

Monday, October 4, 2021

ଓଡ଼ିଆ ଭାଷାର ମାଣ ଶବ୍ଦ; ଏକ ଆଲୋଚନା

ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି ଶବ୍ଦ କାଳକ୍ରମେ ମାଣ ହୋଇଅଛି । କୋହ୍ଲ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଏହି ମାପ ପଦ୍ଧତି ସେମାନଙ୍କୁ ନିୟନ୍ତ୍ରିତ କରୁଥିଵା ରାଜା ମାଣଭଞ୍ଜ ତୋଷଳରେ ଲାଗୁ କରିଥିଲେ ବୋଲି ସେମାନଙ୍କ ମତ । ସେହି ରାଜାଙ୍କ ନାମ ମାନଭଞ୍ଜ ବି ହୋଇଥାଇପାରେ ଯାହାକୁ ମାଣଭଞ୍ଜ କୁହାଯାଉଛି ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମାଣ ଶବ୍ଦଟି ମା ଧାତୁରୁ ନିଷ୍ପନ୍ନ ତତ୍ସମ 'ମାନ' ଶବ୍ଦର ଓଡ଼ିଆ ରୂପ ଅଟଇ ।

ଆମ ଭାଷାରେ ମାଣ ଶବ୍ଦର ଵ୍ୟଵହାର ଵ୍ଯାପକ ।
ପଚିଶ ଗୁଣ୍ଠ ପରିମିତ ଭୂମିକୁ ମାଣ କୁହାଯାଏ । ଏହି ମାପ ପଦ୍ଧତି ଅନୁସାରେ ୧ ବାଟି = ୨୦ ମାଣ, ୧ ମାଣ = ୨୫ ଗୁଣ୍ଠ, ୧ ଗୁଣ୍ଠ = ୧୬ ବିଶ୍ଵା ଅଟଇ । ଦୀର୍ଘ ୨ ପଦିକା ଓ ପ୍ରତି ୨ ପଦିକା ହେଲେ ଏକମାଣ ଭୂମି ହୁଏ, କିନ୍ତୁ ପଦିକାର ଲମ୍ବର ତାରତମ୍ଯ ଅନୁସାରେ ମାଣର ପରିମାଣର ତାରତମ୍ଯ ହୁଏ । ଉଦାହରଣ ସ୍ୱରୂପ
୨୪ ଦସ୍ତିଆ ମାଣ = ଏକ ଏକର = ପ୍ରାୟ ୨୩ ବିଘା; ବିଶି ଦସ୍ତିଆ, ଚଉଦ ଦସ୍ତିଆ ଓ ବାର ଦସ୍ତିଆ ଇତ୍ୟାଦି ମାଣ ଅଛି । ବାର ଦସ୍ତି ପଦିକାର ଏକ ମାଣର‌ ପରମାଣ ହେଉଛି ୧/୪ ଏକର । ଚବିଶ ଦସ୍ତି ପଦିକାର ଲମ୍ବ = ୬ ହାତ ୧ କାଣି ଵା ୬ ହାତ ୨୨ ଆଙ୍ଗୁଳ । ମାଣର ସାଙ୍କେତିକ ଚିହ୍ନ 'ମା' ଭାବରେ ଚିହ୍ନିତ ହୋଇଥାଏ — ଯଥା—ଏକମାଣ ଜମି = ମା.୧ ।

ଦ୍ଵିତୀୟରେ ଏକ ଗଉଣୀର ୧୨ଭାଗର ଏକ ଭାଗ ଶସ୍ଯର ପରିମାଣ ଵିଶେଷକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ । ଶସ୍ୟ ମାପ ପଦ୍ଧତି ଅନୁସାରେ
ଏକ ଭରଣ = କୋଡ଼ିଏ ଗଉଣୀ
ଏକ ଗଉଣୀ = ବାର ମାଣ । ଗଉଣୀର ତାରତମ୍ଯ ଅନୁସାରେ ମାଣର ତାରତମ୍ଯ ହୋଇଥାଏ । କଟକୀ ଚାରି ସେରିଆ ଗଉଣୀର ମାଣ ହେଉଛି ୧/୩ ସେର । ଛଅ ସେରିଆ ଗଉଣୀର ମାଣ ୧/୨ ସେର । ତିନି ସେରିଆ ଗଉଣୀର ମାଣ = ୧/୪ ସେର ଇତ୍ୟାଦି  ।

ଯେଉଁ ମାପପାତ୍ରରେ ମାଣେ ପରିମିତ ଶସ୍ଯାଦି ମପାଯାଏ ତାକୁ ମଧ୍ୟ ଆମ ଭାଷାରେ ମାଣ କୁହାଯାଏ ।

ଓଡ଼ିଆ ଭାଗଵତରେ ଭକ୍ତକଵି ଜଗନ୍ନାଥ ଦାସ ଏହି ଅର୍ଥରେ ମାଣ ଶବ୍ଦର ଵ୍ୟଵହାର କରି ଲେଖିଛନ୍ତି

“ଗୋପୀ ବୋଲନ୍ତି କୃଷ୍ଣ ଶୁଣ ।
ଘର ଭିତରୁ ମାଣ ଆଣ ॥”

ସେହିପରି କେଉଟମାନଙ୍କର ଚୁଡ଼ାକୁଟା ଢିଙ୍କିମୁଣ୍ଡାରେ ଥିଵା ଗର୍ତ୍ତ ଵା ଭରାଣ୍ଡିକୁ ବି ଓଡ଼ିଆ ଭାଷାରେ ମାଣ କୁହାଯାଏ ।

ଏକ ଜାତୀୟ ସାରୁକୁ ଆମ ଭାଷାରେ ମାଣ ଓ ମାଣସାରୁ କୁହାଯାଏ ତେବେ ଏହି ମାଣ ଶବ୍ଦଟି ତତ୍ସମ ମାନକ ସହିତ ସମୋଦ୍ଧୃତ ଅଟଇ । ଓଡ଼ିଶାର ଗଡ଼ଜାତରେ ଅଧସେର ଶସ୍ୟ ପରିମାଣକୁ ଏକ ମାଣ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏତଦ୍‌ଵ୍ୟତୀତ ୧ ବିଶା କିଂଵା ୧୨ ଵା ୧୫ ତୋଳା ଓଜନ ପରିମାପକୁ ମଧ୍ୟ ମାଣ ଵା ମାଣେ କୁହାଯାଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ ଓଡ଼ିଆ ମାଣ ଶବ୍ଦଟି ତତ୍ସମ ମାନ ଶବ୍ଦ ସହିତ ସମୋଦ୍ଧୃତ ମାତ୍ର ଏହା ଯୁକ୍ତିଯୁକ୍ତ କି ? ତତ୍ସମ ମାନ ଶବ୍ଦକୁ ନଜାଣିଲା ଯାଏଁ ଆମେ ଏହାର ଉତ୍ତର ପାଇପାରିଵା ନାହିଁ ।

ସଂସ୍କୃତରେ ଵ୍ୟଵହାର ହେଉଥିଵା ତତ୍ସମ ମାନ ଶବ୍ଦକୁ ମା ଧାତୁରୁ ମାପ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।
ମାନ ଶବ୍ଦଟି ତୁଳିଵା ଵା ଓଜନ କରିଵା,ମାପିଵା, ମାପ ଅର୍ଥରେ ଵ୍ୟଵହାର ହୋଇଥାଏ ।  ଚାନ୍ଦ୍ରମାନ, ସୌରମାନ ଓ ନାକ୍ଷତ୍ରମାନ ଇଦି ଶବ୍ଦରେ ମାନ ଶବ୍ଦର ଅର୍ଥ ଯାହା ଚନ୍ଦ୍ର ସମ୍ବନ୍ଧୀୟ ,ସୂର୍ଯ୍ୟ ସମ୍ବନ୍ଧୀୟ ଓ ନକ୍ଷତ୍ର ସମ୍ବନ୍ଧୀୟ ମାପଦ୍ବାରା ସ୍ଥିର କରାଯାଏ।

ପୁନଶ୍ଚ ପରମାଣ ସାଧନ ଵା ଯେଉଁ ପାତ୍ର, ଯନ୍ତ୍ର ଵା ଆଦର୍ଶ ଦ୍ବାରା ଓଜନ ଵା ପରିମାଣ କିଂଵା ଦୈର୍ଘ ଆଦି ସ୍ଥିର କରାଯାଏ ତାକୁ ମଧ୍ୟ ମାନ କୁହାଯାଏ । ଆମ୍ଭ ଦେଶରେ ପୂର୍ଵେ ଭିନ୍ନ ଭିନ୍ନ ଵସ୍ତୁର ପରିମାଣ ଭିନ୍ନ ଭିନ୍ନ ପ୍ରକାରେ ଓ ଭିନ୍ନ ଭିନ୍ନ ଯନ୍ତ୍ରଦ୍ବାରା ସ୍ଥିର କରାଯାଉଥିଲା ।  ଯଥା—ଭୂମିକୁ—ପଦିକା, ଶିକୁଳି, ଫିତା ଓ ହାତ ଦ୍ବାରା ମପାଯାଉଥିଲା । ଲୁଗା ଆଦିକୁ —ହାତ ଓ ଗଜ କାଠିଦ୍ବାରା ମପାଯାଉଥିଲା । ତରଳ ପଦାର୍ଥକୁ—ପାତ୍ରଦ୍ବାରା ଓ ସେର ତରାଜୁ ଓଜନଦ୍ବାରା ତଥା ଘନ ପଦାର୍ଥକୁ ପାତ୍ରଦ୍ବାରା ଓ ଓଜନଦ୍ବାରା ଏଵଂ ଶସ୍ଯାଦିକୁ ପାତ୍ରଦ୍ବାରା ଓ ସେର ତରାଜୁରେ ଓଜନ ଦ୍ବାରା ମାପ କରାଯାଉଥିଲା । ଏଥିରୁ କେତେକ ଆଜି ବି ରହିଛି ।

ସେହିପରି ମାନ ଶବ୍ଦଟି ଆଦର୍ଶ ଵା Standard କୁ ମଧ୍ୟ ବୁଝାଏ ଯାହାକୁ ମାନାଙ୍କ ବି କହିଥାନ୍ତି । ସଙ୍ଗୀତରେ ତାଳର ଵିଭାଗ ସ୍ଥାନ ଵା ତାଳର ଵିରାମକୁ ମାନ କୁହାଯାଏ । ଏହା ସମ, ଵିଷମ, ଅତୀତ ଓ ଆନାଘାତ ଭେଦରେ ଚାରି ପ୍ରକାରର ହୋଇଥାଏ ।

ପରିମାଣ(Quantity), ସମ୍ମାନ,ପୂଜା,ମର୍ଯ୍ୟାଦା,ଇଜ୍ଜତ୍,ସୁନାମ,ପଦମର୍ଯ୍ୟାଦା,କ୍ରୋଧ,ଗର୍ଵ, ଅହଙ୍କାର, ଅଭିମାନ,ଵିଦ୍ଯାଳୟରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଅନୁସାରେ ରଚିତ ଭିନ୍ନ ଭିନ୍ନ ଶ୍ରେଣୀ ଵିଭାଗ,ଆତ୍ମପ୍ରତ୍ୟୟ,ସାମ୍ଯ,ସମାନତା,ପ୍ରମାଣ,ପ୍ରମାଣିକତା,ମତ,ଆକାର,ସାମର୍ଥ୍ଯ,ଶକ୍ତି,ଗ୍ରହ ଓ ମନ୍ତ୍ର
  ଆଦି ଅନେକ ଅର୍ଥରେ ଭାରତୀୟ ଭାଷାଗୁଡି଼କରେ ତତ୍ସମ ମାନ ଶବ୍ଦର ଵ୍ୟଵହାର ଦୃଶ୍ୟ ହୋଇଥାଏ ।

ପ୍ରଣୟୀର ଅପରାଧ ଦର୍ଶନରେ ପ୍ରଣୟିନୀର ଗମ୍ଭୀର କୋପ ,ଅସନ୍ତୋଷ ଵା ରୁଷାକୁ ମଧ୍ୟ ମାନ କହିଥାନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରୁଷା ଅର୍ଥରେ ଵ୍ୟଵହାର ହେଉଥିଵା ମାନ ସମ୍ବନ୍ଧରେ କୁହାଯାଇଛି ଯେ ଆପଣାର ପ୍ରେମିକ, ପ୍ରେମିକା, ସ୍ତ୍ରୀ, ସ୍ବାମୀ ଆଦି ପ୍ରିୟ ଵ୍ୟକ୍ତିଙ୍କର  କୌଣସି ଅପରାଧ ଦର୍ଶନରେ ମନରେ ଯେଉଁ ଵିକାର ଜନ୍ମେ ତାକୁ ସାହିତ୍ଯରେ 'ମାନ' ବୋଲାଯାଏ। ଅଧିକତଃ ସ୍ତ୍ରୀମାନେ ପୁରୁଷଙ୍କଠାରେ ମାନ କରନ୍ତି। ନିଜର ପ୍ରେମିକଙ୍କୁ ଵା ସ୍ବାମୀଙ୍କୁ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ଥିଵାର ଦେଖିଲେ ଵା ପ୍ରମାଣ ପାଇଲେ କିଂଵା ସନ୍ଦେହ କଲେ, ଆପଣାର ଅଭିଳାଷିତ ଵା ଇଚ୍ଛିତ ଵସ୍ତୁ ନ ପାଇଲେ, ଆପଣା ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରା ନ ହେଲେ ଵା ଆପଣା ପ୍ରତି ଅନାଦର ଦେଖିଲେ ସ୍ତ୍ରୀମାନେ ମାନ କରନ୍ତି ଵା  ରୁଷନ୍ତି । ସ୍ତ୍ରୀଲୋକମାନଙ୍କର ମାନ ଅଧିକାଂଶ ସମୟରେ, ମୌନ, ମୁଖଭଙ୍ଗୀ ଓ କ୍ବଚିତ୍ ଵ୍ୟଙ୍ଗ ଓ ତିରସ୍କାରଦ୍ବାରା ସୂଚିତ ହୁଏ। ଏହି ମାନ ତିନି ପ୍ରକାରର ଯଥା—ଲଘୁ, ମଧ୍ଯମ ଓ ଗୁରୁ। ଲଘୁମାନ କଳ୍ପିତ କୌରୁକାଦିଦ୍ବାରା ସହଜରେ, ମଧ୍ଯମ ମାନ ଶପଥାଦିଦ୍ବାରା କଷ୍ଟରେ ଗୁରୁମାନ ଚରଣଧାରଣ ଓ କ୍ଷମାପ୍ରାର୍ଥନାଦିଦ୍ବାରା ଆଦି କଷ୍ଟରେ ନିଵାରିତ ହୁଏ ବୋଲି ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଉଲ୍ଲେଖ କରିଛନ୍ତି ।

ଅସ୍ତୁ,ମାନ ଶବ୍ଦର ପରିମାପ ଓ ମାପଵସ୍ତୁ ଆଦି ଅର୍ଥ ସ୍ପଷ୍ଟ କରେ ଯେ ଏହି ତତ୍ସମ ମାନ ଶବ୍ଦ ସହିତ ଓଡ଼ିଆ ମାଣ ଶବ୍ଦର ନିଶ୍ଚୟ ସମ୍ପର୍କ ରହିଛି ।

Friday, October 1, 2021

ଉତ୍ତର ଓଡ଼ିଶା ଵିଚ୍ଛିନ୍ନାଞ୍ଚଳର ଭାଷା ଓ ସଂସ୍କୃତି (ଲେଖକ ଦୀନବନ୍ଧୁ ମିଶ୍ର)


‘ପୋଡାହାଟ’ ର ରାଜାକୁ ସିଂହଭୂମର ରାଜା ବୋଲି କୁହାଯାଏ, କାରଣ ପୋଡାହାଟର ଓଡ଼ିଆ ରାଜାଙ୍କର କୁଟୁମ୍ବମାନେ ଯାଇ ସିଂହଭୂମର ଵିଭିନ୍ନ ଅଞ୍ଚଳରେ ରାଜ୍ୟସ୍ଥାପନ କରି ଆଦିଵାସୀମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ପ୍ରତିଷ୍ଠା କରିଥିଲେ । ଭକ୍ତ ରାଜ୍ୟମାନଙ୍କର ପୁରାତନ ନଥିପତ୍ର ଯାଞ୍ଚକଲେ ତାହା ଓଡ଼ିଆଭାଷାରେ ଲେଖାହୋଇଥିଵା ଦେଖିଵାକୁ ମିଳିଛି ।

‘ପୋଡାହାଟ’ର ଶେଷ ସ୍ବାଧନ ଓଡିଆରାଜା ଥିଲେ ଅର୍ଜୁନ ସିଂହ । ସେ ଜଣେ ଦେଶପ୍ରେମୀ ଓ ସ୍ୱାଭିମାନୀ ଵ୍ୟକ୍ତି ଥିଲେ । ୧୮୫୮ ମସିହାରେ ଜାତୀୟଭାବରେ ଉଦ୍‌ବୁଦ୍ଧ ହୋଇ ସେ ଇଂରାଜିଦ୍ରୋହୀ ହେଇଉଠିଵାରୁ ଇଂରାଜିସରକାର ତାଙ୍କର ସମସ୍ତ ସମ୍ପରି ବାଜ୍ୟାପ୍ତ କରିଥିଲେ । ‘ପୋଡାହାଟ’ର ରାଜାମାନଙ୍କର ସମ୍ବଲପୁର ଓ ମୟୂରଭଞ୍ଜ ରାଜାମାନଙ୍କ ସହିତ ଵିଵାହସୂତ୍ରରେ ବନ୍ଧୁ ବାନ୍ଧଵ ସମ୍ପର୍କ ରହିଥିଲା । ୧୭୭୬ ମସିହାରେ ମେଦିନୀପୁରର ଇଂରାଜୀ ସରକାରଙ୍କର ପ୍ରତିନିଧି (Resident) ଜର୍ଜ ଵାନ୍ସିଟାର୍ଟ (Gorge Vansittart) ସିଂହଭୂମ (ପୋଡାହାଟ) ର ରାଜା ଜଗନ୍ନାଥ ସିଂହଙ୍କ ଵିଷୟରେ କଲିକତାରେ ଥିଵା ଇଂରାଜି ସରକାରୀ ମୁଖ୍ୟ ଵେରେଲ୍‌ଷ୍ଟ (Verelst) ଙ୍କୁ ଜଣାଇ ଲେଖି ଥିଲେ,

"This Raja is by marriage a distant relation of Sambalpur Raja; there is a constant correspondence between the two districts and an uninterrupted intercourse of merchants."

ରାଜା ଵିଵାହସୂତ୍ରରେ ସମ୍ବଲପୁର ରାଜାଙ୍କର ଦୂରସମ୍ପକୀୟ; ଏହି ଦୁଇଟି ଜିଲ୍ଲାମଧ୍ୟରେ ନିରଵିଛିନ୍ନ ସମ୍ପର୍କ ଓ ଅଵାଧ ଵାଣିଜ୍ୟ ରହିଅଛି।’’

ଆଦିବାସୀମାନଙ୍କ ମଧ୍ୟରେ ସିଂହଭୂମରେ ‘ହୋ’ ଆଦିଵାସୀମାନେ ସଂଖ୍ୟାଗରିଷ୍ଠ । ଏହି ‘ହୋ’ ଆଦିଵାସୀ ମାନେ ଛୋଟନାଗପୁରର ଅନ୍ୟ ଅଞ୍ଚଳ ମାନଙ୍କରେ ଦେଖାଯାଆନ୍ତି ନାହିଁ । କିନ୍ତୁ ସେମାନେ ବହୁସଂଖ୍ୟାରେ ଓଡିଶାର ଗଡ଼ଜାତ ରାଜ୍ୟ ଯଥା, ମୟୂରଭଞ୍ଜ, ବଣାଇ, ଗାଙ୍ଗପୁର, କେଉଁଝର, ଷଢେଇକଳା ଓ ଖରସୁଆଁରେ ଦେଖାଯାଆନ୍ତି। ଏମାନେ ସାଧାରଣତଃ ଓଡିଆଭାଷାରେ ଶିକ୍ଷିତ ହୋଇଥାଆନ୍ତି । ପ୍ରତ୍ନତତ୍ତ୍ଵଵିତ୍ ତଥା ଐତିହାସିକମାନେ ପ୍ରମାଣ କରିଛନ୍ତି ଯେ ‘ହୋ’ ମାନେ ଯଦି କୌଣସି ପ୍ରଥମ ଆର୍ଯ୍ୟଜାତି ସଂସ୍ପର୍ଶରେ ଆସିଥାଆନ୍ତି, ସେମାନେ ହେଲେ ଓଡି଼ଆ। ଏଠାର ଆଦିଵାସୀମାନେ ଓଡିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ଙ୍କୁ ଛାଡି଼ଦେଲେ ଅନ୍ୟ କୌଣସି ବାହାରର ଲୋକଙ୍କୁ ସହିପାରନ୍ତି ନାହିଁ । ଏମାନଙ୍କର ଗ୍ରାମମାନଙ୍କରେ ଓଡ଼ିଆ ତନ୍ତୀ, କୁମ୍ଭାର, ଓ ଗଉଡ଼ମାନେ ବାସ କରନ୍ତି ।

ପୌରାଣିକ ଯୁଗରେ ମଧ୍ୟ ଆମେ ଏ ଵିଷୟର ସଂକେତ ପାଉ । ସ୍କନ୍ଦପୁରାଣ ଉତ୍କଳଖଣ୍ଡ ୬ଷ୍ଠ ଅଧ୍ୟାୟର ୨୭ ଶ୍ଲୋକ ଓ କାଳିଦାସଙ୍କର ରଘୁବଂଶ ୪ର୍ଥ ସର୍ଗର ୩୬, ୩୭, ଓ ୩୮ ଶ୍ଳୋକରେ ସିଂହଭୂମକୁ ଉତ୍କଳର ଏକ ଅଂଶ ରୂପେ ଵର୍ଣ୍ଣନା କରାଯାଇଛି ।

ସିଂହଭୂମ ଅଞ୍ଚଳର ଲୋକମାନେ ପାରମ୍ପରିକ ପୂଜା ସମୟରେ ସଂକଳ୍ପ ପାଠରେ କହିଥାଆନ୍ତି - ''ଜମ୍ବୁଦ୍ୱୀପେ, ଭାରତବର୍ଷେ, ଉତ୍କଳଦେଶେ - ଇତ୍ୟାଦି'’।

ଏହି ଅଞ୍ଚଳର ଅଧିଵାସୀମାନେ ଓଡିଆଙ୍କ ପରି ସୁଦଶାଵ୍ରତ, ଗହ୍ମାପୂର୍ଣ୍ଣିମା, ଚିତଉ ଅମାଵାସ୍ୟା, ସୁନିଆଁ, ଇନ୍ଦ୍ରଯାତ୍ରା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୁରୁବାର ଓଷା, ଶାମ୍ବଦଶମୀ, ଆଦି ଓଡ଼ିଆ ପର୍ଵମାନ ପାଳନ କରନ୍ତି।

ଏମାନଙ୍କର ଵିଵାହ ଉତ୍ସଵ ଓ ଅନ୍ୟାନ୍ୟ ସାମାଜିକ କର୍ମ ଓଡିଆ ପୁରୋହିତ ଦ୍ବାରା ସମ୍ପାଦିତ ହୁଏ।

ବଙ୍ଗୀୟମାନଙ୍କର ପରି ଏକାଦିନେ ‘କୁଶଣ୍ଡିକ ହୋମ’ ନ କରି ଏମାନେ ଓଡିଆଙ୍କ ପରି ଅନ୍ୟଦିନ ହୋମ କରିଥାନ୍ତି ।

ବଙ୍ଗୀୟମାନେ ୩୧ ଦିନରେ ଶ୍ରାଦ୍ଧକଲାବେଳେ ଏମାନେ ଓଡିଆଙ୍କ ପରି ଦଶଦିନରେ (ଦଶାହ) ଶ୍ରାଦ୍ଧ କରିଥାଆନ୍ତି । ଏଠାରେ ଅଣ-ବ୍ରାହ୍ମଣମାନେ ଓଡି଼ଆକରଣ ଗୋସାଇଁମାନଙ୍କୁ କୁଳଗୁରୁ କରିଥାନ୍ତି । କିନ୍ତୁ ଏମାନଙ୍କର ସମସ୍ତ କର୍ମକର୍ମାଣି ଓଡିଆ ବ୍ରାହ୍ମଣଙ୍କ ଦ୍ଵାରା ସମ୍ପାଦିତ ହୁଏ ।

ଏହି ପୂଜାର ମନ୍ତ୍ରଗୁଡିକ ତାଳପତ୍ରପୋଥିରେ ଓଡ଼ିଆ ଅକ୍ଷରରେ ଲିପିବଦ୍ଧ ହୋଇଥାଏ । ମାନଵ ଜାତିତତ୍ତ୍ୱଜ୍ଞମାନେ (Ethnologists) ସିଂହଭୂମରେ ଥିଵା ହୋ, ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିଵାସୀମାନଙ୍କର ଭାଷାରେ ଓଡ଼ିଆଭାଷାର ପ୍ରଭାଵ ସୂଚାଇଛନ୍ତି ।

ଆମେମାନେ ଓଡିଆରେ ‘ଆରେ', 'କିରେ', 'ଯାରେ' ଆଦିରେ ‘ରେ’ ଵ୍ୟଵହାର କଲାପରି ସେମାନେ ମଧ୍ୟ କଥିତଭାଷାରେ ‘ରେ’ ର ସେହିପ୍ରକାର ଵ୍ୟଵହାର କରିଥାନ୍ତି । ଆମେ ଓଡିଆରେ ‘ଆଲୋ’, ‘ହଇଲୋ’ ଆଦି ଵ୍ଯଵହାର କଲାପରି ସେମାନେ ମଧ୍ୟ ‘ଲୋ’ ର ଵ୍ୟଵହାର କରିଥାଆନ୍ତି । ଏମାନେ ଛେଳିକୁ ‘ମେରୋମ’ ବୋଲି କହିଥାଆନ୍ତି । କିନ୍ତୁ ମାଇଛେଳିକୁ ‘ପେଣ୍ଠି ମେରୋମ’ ବୋଲି କହିଥାଆନ୍ତି। ‘ପେଣ୍ଠି’ ଏକ ଓଡି଼ଆ ଦେଶଜ
  ଶବ୍ଦ । ଜଳାଶୟକୁ ଏମାନେ ଓଡ଼ିଆଙ୍କପରି ପୋଖରୀ ବୋଲି କହିଥାଆନ୍ତି। ସାନ୍ତାଳିଭାଷାରେ ଓଡ଼ିଆର ପ୍ରଭାଵରେ ‘ଲୁଗା’ କୁ ‘ଲୁଗ୍ରି’ ବୋଲି କହିଥାଆନ୍ତି। ଏମାନେ ‘ଚାଉଳ’କୁ ‘ଚାଉଳି’ ବୋଲି କହନ୍ତି। ‘ଚାର’, ‘ସହଜ’, ‘କେନ୍ଦୁ’ ଆଦି ଗଛର ନାମ ଗୁଡିକ ସିଂହଭୂମର ଅଧିଵାସୀମାନେ ଵ୍ୟଵହାର କରୁଥିଵା ବେଳେ ଏହି ନାମ ଗୁଡିକ କେଵଳ ଓଡିଶାରେ ପ୍ରଚଳିତ ଥିଵା ଦେଖାଯାଏ । ‘ହୋ’ ମାନେ କେନ୍ଦ୍ରକୁ ‘କେନ୍ଦ' ଓ ସାନ୍ତାଳମାନେ ‘ହେଲେ’ ବୋଲି କହିଥାଆନ୍ତି । ସେହିପରି ଆମେ କେଶଶୂନ୍ୟ ମସ୍ତିଷ୍କକୁ ‘ଚନ୍ଦା' କହିଲାବେଳେ ଏମାନେ ମଧ୍ୟ ‘ଚନ୍ଦା’ ବୋଲି କହିଥାଆନ୍ତି । ଏହିପରି ବହୁ ଓଡିଆ ଦେଶଜ ଶବ୍ଦର ଵ୍ୟଵହାର ସିଂହଭୂମଵାସୀଙ୍କର କଥିତଭାଷାରେ ରହି ସେଠାରେ ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ ଭାଷାର ପ୍ରତିଷ୍ଠା କଥା ସୂଚାଇ ଦିଏ ।
 
ପ୍ରସିଦ୍ଧ ଭାଷାତତ୍ତ୍ୱବିତ୍ ଜନ୍ ବିମସ୍ (John Beams) ତାଙ୍କର 'Comparative Grammer of modem Aryan Languages of India' Vol I, ରେ ଓଡିଆ ଭାଷାର ଭୌଗୋଳିକ ଅଵସ୍ଥିତି ସୂଚାଇଵାକୁ ଯାଇ କହିଛନ୍ତି, ‘‘ଏହି ଭାଷା କେଵଳ ଉପକୂଳଵର୍ତ୍ତୀ ଶିକ୍ଷିତ ଲୋକମାନଙ୍କଦ୍ୱାରା ଵ୍ୟଵହାର କରାଯାଏ ନାହିଁ ପରନ୍ତୁ ଶହ ଶହ ମାଇଲ ଧରି ପଶ୍ଚିମରେ ନାଗପୁର ଓ ଦକ୍ଷିଣରେ ତେଲେଙ୍ଗାନା ପର୍ଯ୍ୟନ୍ତ ଥିଵା ଅଞ୍ଚଳରେ ରହୁଥିଵା ଆଦିଵାସୀମାନଙ୍କ ଦ୍ବାରା ମଧ୍ୟ ଵ୍ୟଵହୃତ ହୁଏ ।ଉପରୋକ୍ତ ପୁସ୍ତକର ୧୦୫ ପୃଷ୍ଠାରେ ଲେଖକ ମତ ଦେଇ କହିଛନ୍ତି ଯେ ଉପକୂଳଵର୍ତ୍ତୀ ଅଞ୍ଚଳର ଓଡି଼ଆମାନଙ୍କ ଉଚ୍ଚାରଣ ଅସ୍ପଷ୍ଟ ଓ ତରବରିଆ ହୋଇଥିଲାବେଳେ ପାହାଡି଼ ଅଞ୍ଚଳର ଓଡିଆମାନଙ୍କର ଉଚ୍ଚାରଣ ସ୍ପଷ୍ଟ । ଏହିସବୁ କାରଣରୁ ୧୮୦୩ ମସିହାରେ ‘ହୋ’ ଆଦିଵାସୀମାନେ ,ଇଂରେଜମାନେ ଓଡିଆକୁ ଏ ଅଞ୍ଚଳ ଯୋଗସୂତ୍ରକାରୀ ତଥା ଆଞ୍ଚଳିକ ଭାଷାରୂପେ ସ୍ବୀକୃତି ଦେଵାକୁ ଦାବୀଜଣାଇଥିଲେ । ଏହି ‘ହୋ’ ମାନେ ସିଂହଭୂମର ଆଦିଵାସୀମାନଙ୍କ ମଧ୍ୟରେ ସଂଖ୍ୟା ଗରିଷ୍ଠ । ସାଧାରଣତଃ ‘ହୋ’ ଆଦିଵାସୀମାନେ ଓଡିଶାରେ ବହୁସଂଖ୍ୟାରେ ଥିଵାବେଳେ ଅନ୍ୟ ଅଞ୍ଚଳରେ ପ୍ରାୟ ଦେଖାଯାଆନ୍ତି ନାହିଁ ।

‘‘ ଭାଷାତତ୍ତ୍ୱଵିତ୍ ଡଃ ଗ୍ରୀଅରସନ୍ (Dr. Grerson) ତାଙ୍କର 'Linguistic survey of India' ପୁସ୍ତକରେ କହିଛନ୍ତି. "Oriya is also the language of the most of the district of Singbhum.

“ଓଡ଼ିଆ ଭାଷା ଛୋଟନାଗପୁର ଡିଭିଜନର ସିଂହଭୂମର ଅଧିକାଂଶ ଅଞ୍ଚଳର ତଥା ଅନ୍ୟାନ୍ୟ ସୀମାନ୍ତ ରାଜ୍ୟମାନଙ୍କରେ କଥିତ ହୁଏ ।’’

୧୯୧୯ ମସିହାରେ ସିଂହଭୂମର ଡେପୁଟି କମିଶନର ଏ. ଗାରେଟ୍ (Mr. A. Garret) ତାଙ୍କର ଚିଠିନମ୍ବର ୫୭-ଟି.ସି. (Letter N.O. 57-TC, Chaibasa, 1st & 10th March) ରେ ଲେଖିଛନ୍ତି,

"That Porhat and Dhalbhum are essentially Oriya, when they are not aboriginal is undeniable; that Oriya is not taught in the school of these Estates is a great wrong to the people concerned".

‘‘ଆଦିବାସୀମାନଙ୍କୁ ଛାଡିଦେଲେ ପୋଡା଼ହାଟ ଓ ଧଳଭୂମ ମୁଖ୍ୟତଃ ଓଡି଼ଆ । ଏହି ଅଞ୍ଚଳର ଵିଦ୍ୟାଳୟମାନଙ୍କରେ ଓଡ଼ିଆ ଶିକ୍ଷା ଦିଆଯାଉନଥିଵା, ସେଠାର ଲୋକଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ।

ଛୋଟନାଗପୁର ଡିଭିଜନର କମିଶନର ବି. ଫୋଲେ (Mr. B. Foley, I.C.S.) ବିହାର ଓଡିଶା ସରକାରଙ୍କର ଵିଚାର ଵିଭାଗର ସେକ୍ରେଟାରୀଙ୍କୁ ଚିଠି ନମ୍ବର ୮୬୮-ଜେ (868-J, dated Ranchi 26th March 1919) ରେ ଜଣାଇଛନ୍ତି :

"On the otherhand when touring through the west of Dhalbhum, Kolhan, Sareikala and Kharsuan I have always been struck with the Oriya look of the villages. The houses seem to be built in the same way as in Balasore, Cuttack, Puri and the Orissa Tributary states."

‘‘ଅନ୍ୟପକ୍ଷରେ ଧଳଭୂମ, କୋହ୍ଲାନ, ଷଢେଇକଳା ଏବଂ ଖରସୁଆଁ ମଧ୍ୟଦେଇ ଗସ୍ତରେ ଯିଵା ସମୟରେ ମୁଁ ସବୁବେଳେ ଗ୍ରାମମାନଙ୍କରେ ଓଡ଼ିଆ ଢାଞ୍ଚ ଦେଖିଵାକୁ ପାଇଛି, ବାଲେଶ୍ୱର, କଟକ, ପୁରୀ ଏଵଂ ଓଡି଼ଶାର ଅନ୍ୟାନ୍ୟ ରାଜ୍ୟରେ ଥିଵା ଘରଗୁଡି଼କର ଗଠନ ଶୈଳୀ ଏଠାରେ ଦେଖିଵାକୁ ମିଳେ’’ ।

ଆନନ୍ଦପୁର, କେରା, ବଡଗାଓଁର ଜମିଦାରମାନେ ‘ପୋଡହାଟ’ ରାଜାଙ୍କର ବଂଶଧର ହୋଇଥିଵାରୁ ଓଡି଼ଆ। ଐତିହାସିକ ବି.ସି.ମଜୁମଦାରଙ୍କ ମତରେ ରାଞ୍ଚି, ସିଂହଭୂମ ଓ ମାନଭୂମର ରାଜା ଓ ଜମିଦାରମାନେ ମୁଖ୍ୟତଃ ଓଡ଼ିଆ ରାଜା ଓ ଜମିଦାରମାନଙ୍କ ସହିତ ଵୈଵାହିକ ଏଵଂ ସାମାଜିକ ସୂତ୍ରରେ ଆଵଦ୍ଧ ଥିଲେ । ଧଚ୍ଚଭୂମର ଜମିଦାର ଜଣେ ଓଡିଆ କ୍ଷତ୍ରିୟ। କାରଣ ‘ଧଳ’ ସାଙ୍ଗିଆ କେବଳ ଓଡିଶାରେ ବ୍ୟବହାର କରାଯାଏ । ଏହି ରାଜା ଓ ଜମିଦାର ମାନେ ଓଡ଼ିଆ ବ୍ରାହ୍ମଣଙ୍କୁ କୁଳଗୁରୁ କରିଥାଆନ୍ତି ଓ ବିଧିମତେ ସୁନିଆଁ ଓ ଗହ୍ମାପୂର୍ଣିମା ପାଳନ କରନ୍ତି । କହିବାକୁ ଗଲେ ଭାଷା ରୀତିନୀତି ଓ ଆଚାର ଆଦିରେ ଏମାନେ ଓଡିଆ । ଧଳଭୂମରେ ଓଡିଶାପରି ରାଜାବସାଇଥିବା ବ୍ରାହ୍ମଣଶାସନମାନ ଦେଖାଯାଏ । ୧୯୧୬ ମସିହାରେ ପୋଡାହାଟ, ଧଳଭୂମ, କେରା, ଆନନ୍ଦପୁର, ଚଇନପୁର ଏବଂ ବଡଗାଓଁର ଜମିଦାରମାନେ ଏକ ତତ୍କାଳୀନ ବିହାର-ଓଡିଶା ଗଭର୍ଣ୍ଣର ଏଡୱାର୍ଡ ଗେଟ୍‌ଙ୍କୁ ଜଣାଇଥିଲେ ଯେ ସ୍କୁଲ ଓ କଚେରୀମାନଙ୍କରେ ଓଡିଆ ଭାଷାର ପ୍ରଚଳନ ରହୁ । ଏଠାର ରାଜା, ଜମିଦାର ଓ ପ୍ରଜାମାନେ ଓଡିଆମାନଙ୍କ ପରି ‘ମିତାକ୍ଷର’ ପରମ୍ପରାର ଅନ୍ତର୍ଭୁକ୍ତ । ଏହିସବୁ ଅଞ୍ଚଳରେ ଲୋକମାନେ ମାଦଳାପାଞ୍ଜି ମାନନ୍ତି । ଗ୍ରାମମୁଖ୍ୟମାନଙ୍କୁ ଏଠାରେ ଓଡିଆଙ୍କ ପରି ‘ପ୍ରଧାନ’ କୁହାଯାଏ । କେତେକ ଜାଗାରେ ‘ଠିକାଦାର ମଧ୍ୟ କୁହାଯାଏ । ଓଡିଶାର ପୁରାତନ ଆଇନର ‘ଖୁଣ୍ଟାକାଟି’ ଅଧିକାର ପ୍ରଚଳନ ଏହି ଅଞ୍ଚଳମାନଙ୍କର ପୁରାତନ ଜମିଜମା ରେକର୍ଡରୁ ମିଳେ । ତହିଁରେ ‘ଖୁଣ୍ଟାକାଟି’ ଶବ୍ଦର ଵ୍ୟଵହାର ମଧ୍ୟ ମିଳେ। ପୂର୍ଵରେ ଓଡି଼ଆରାଜାମାନଙ୍କର ରାଜତ୍ୱରେ ଯେଉଁ ଜଙ୍ଗଲ ଅଞ୍ଚଳମାନଙ୍କରେ ଓଡି଼ଆ ରାଜାମାନେ ରାଜ୍ୟସ୍ଥାପନ କରୁଥିଲେ, ସେଠାରେ ଜମିଜମା ସଂକ୍ରାନ୍ତୀୟ ବିବାଦରେ, ‘ଖୁଣ୍ଟାକାଟି ଅଧିକାର’ ର ସୁରକ୍ଷା କରାଯାଉଥିଲା । ‘ଖୁଣ୍ଟାକାଟି ଅଧିକାର’ ର ଅର୍ଥ ଏହି ଯେ ଯେଉଁ ଵ୍ୟକ୍ତି ସର୍ଵପ୍ରଥମେ ଜଙ୍ଗଲ ଓ ଅନାବନା ସଫାକରି ସେଠାରେ ଵାସ କରିଥିଲା ତାକୁ ଜମିର ସତ୍ତ୍ଵାଧିକାର ଦିଆଯାଉଥିଲା । ଉପରୋକ୍ତ ଆଲୋଚନାରୁ ସିଂହଭୂମ କିପରି ଭାଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଵହମାନକାଳରୁ ଓଡ଼ିଶା ସହ ଅଙ୍ଗାଙ୍ଗୀଭାବରେ ଜଡିତ ରହିଛି ତାହା ବୁଝାଯାଏ ।

କ୍ରମଶଃ...

⚫⚫⚫⚫⚫⚫⚫⚫⚫⚫⚫⚫
ପୁସ୍ତକ—ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ପ୍ରସଙ୍ଗ
ଲେଖକ— ଦୀନବନ୍ଧୁ ମିଶ୍ର
⚫⚫⚫⚫⚫⚫⚫⚫⚫⚫⚫⚫

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...