Sunday, October 10, 2021

ପୁଚୁ ~ କଥିତ ଓଡ଼ିଆ ଭାଷାର ନିଆରା ଶବ୍ଦ

ଅତି ସାମାନ୍ଯ ସାମାନ୍ଯ କଥାରେ ପ୍ରଶ୍ନ କରି ଉତ୍ତରଦାତାକୁ ଵିରକ୍ତ କରିଦେଉଥିଵା ଲୋକଙ୍କୁ ପୁଚୁ କୁହାଯାଏ । ପୁଛା କରିଵା,ପୁଛିଵା ଓ ପଚାରିଵା ଆଦି କ୍ରିୟା ଶବ୍ଦ ସହ ଏହା ସମଦ୍ଧୃତ । ପୁଚୁ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,କଥିତ ଓଡ଼ିଆ ଶବ୍ଦକୋଷରେ ସ୍ଥାନ ପାଇଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଏହି ଅର୍ଥଜ ପୁଚୁ ଶବ୍ଦଟି ଵର୍ତ୍ତମାନ ଦେଵଗଡ଼ ଜିଲ୍ଲାର କଥିତ ଓଡ଼ିଆ ଶୈଳୀରେ ଚଳୁଅଛି । ଏଥିପାଇଁ ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଏ ଶବ୍ଦକୁ ସ୍ଥାନ ମିଳିଛି ।

ପ୍ରୋକ୍ତ ପୁଚୁ ଶବ୍ଦଟି ଏହାର ଅର୍ଥ ଦୃଷ୍ଟିରୁ ଓଡ଼ିଆ ପୁଚ୍ଛିଵା(ପ୍ରଶ୍ନକରିଵା) କ୍ରିୟା ସହିତ ସମୋଦ୍ଧୃତ ହୋଇଥାଇପାରେ । ପୁଚ୍ଛା କରିଵା,ପୁଚ୍ଛିଵା ଆଦି ଓଡ଼ିଆ ଶବ୍ଦ ସହିତ ତତ୍ସମ ପୃଚ୍ଛା ଶବ୍ଦ ସମୋଦ୍ଧୃତ ।‌ ସଂସ୍କୃତରେ ପୃଚ୍ଛାର ଅର୍ଥ ପ୍ରଶ୍ନ ଓ ଜିଜ୍ଞାସା ଏଵଂ ଯିଏ ଜିଜ୍ଞାସା କରେ, ପ୍ରଶ୍ନ କରେ, ଅନୁସନ୍ଧାନ କରେ ତାକୁ ପୃଚ୍ଛକ କୁହାଯାଏ ।
ସମ୍ଭଵତଃ ପୁଚୁ ଶବ୍ଦଟି ଏହାର ଅର୍ଥ ତଥା ରୂପ ସାମ୍ୟ ଦୃଷ୍ଟିରୁ ପୁଚ୍ଛା କରିଵା,ପୁଚ୍ଛିଵା,ପୃଚ୍ଛ ଓ ପୃଚ୍ଛକ ଆଦି ଶବ୍ଦ ସହିତ ସମୋଦ୍ଧୃତ ହୋଇଥିଵ ବୋଲି ସହଜେ ଅନୁମେୟ ।

ତେବେ ସମାଜରେ କେଉଁମାନେ ଏତେ ପ୍ରଶ୍ନ କରନ୍ତି ଓ ଜାଣିଵାକୁ ଜିଜ୍ଞାସା କରନ୍ତି  ?

ଛୁଆଙ୍କୁ ପଚାରିଲେ ସେମାନେ ତାଙ୍କର ଜଣେ  ଶିକ୍ଷକଙ୍କ ନାମ କହିଵେ , ବାପାମାଆଙ୍କୁ ପଚାରିଵେ ଯଦି ସେମାନେ ତାଙ୍କ ଜିଜ୍ଞାସୁ ଛୁଆଙ୍କ କଥା କହିଵେ । କେହି ଵିଵାହିତ ପୁରୁଷକୁ ଏଇ ସମାନ କଥା ପଚାରିଲେ ସେ ତା ପତ୍ନୀର ପ୍ରଶ୍ନଵାଣ ଵିଷୟରେ ୧୦୦ ପୃଷ୍ଠା ଭଳିଆ ମନ୍ତଵ୍ଯ ଦେଵ ।   ଯଦି କୋର୍ଟ କଚେରୀକୁ ଦୌଡି଼ ଦୌଡ଼ି ଚପଲ ଛିଣ୍ଡାଇ ଦେଇଥିଵା କୌଣସି ଲୋକକୁ ଆପଣ ସମାନ ପ୍ରଶ୍ନ ପଚାରନ୍ତି ସେ ପ୍ରଶ୍ନ ଜାଲରେ ପକାଇ ଫସେଇ ଦେଉଥିଵା ଓକିଲଙ୍କ କଥା ବଖାଣିଵ ।

ଯେମିତି ସମାଜରେ ପ୍ରଶ୍ନ କରି ଵ୍ଯତିଵ୍ଯସ୍ତ କରିଦେଉଥିଵା ଲୋକଙ୍କୁ ଆମେ ସର୍ଵତ୍ର ପାଇଯାନ୍ତି ସେମିତି ଆମ ଭାଷାରେ ‘ପୁଚୁ’ ଶବ୍ଦର ସମାର୍ଥକ
ଆଉ କୌଣସି ଶବ୍ଦ ରହିଛି କି ?

'ଚାଟୁ' ,ଗୋଚରା,ଗଫୁଲି ଆଦି କିଛି ଓଡ଼ିଆ ଶବ୍ଦ ଏହି ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି ଜଣାଯାଏ ।

କିନ୍ତୁ ପୁଚୁ ଶବ୍ଦଟି  ପୁଚୁକି ଗାଲି ଝିଅକୁ ସ୍ନେହରେ ମଧ୍ୟ ଡକାଯାଇଥାଏ । ସାଧାରଣତଃ ପୁଚୁକି ଶବ୍ଦରୁ ‘କି’କୁ ଛାଡ଼ି କେହି କେହି କେଵଳ ପୁଚୁ କହିଥାନ୍ତି । ଉଭୟ ଝିଅ ଓ ପୁଅଙ୍କୁ ଓଡ଼ିଶାରେ ପୁଚୁ ନାମ ଦିଆଯିଵାର ଦେଖାଯାଏ ।‌

ଆଜିକାଲି କିଛି ଅତ୍ୟାଧୁନିକ ପ୍ରେମିକ ପ୍ରେମିକା ବି ଏଇ " ପୁଚୁ" ଶବ୍ଦ ଵ୍ୟଵହାର କରି ଡକାଡକି ହେଉଥିଵାର ଲକ୍ଷ୍ୟ କରାଯାଉଛି ।‌ ଉଦାହରଣ ସ୍ୱରୂପ ଅଭୟ ପୃଷ୍ଟି ନାମକ ଜଣେ ଲେଖ ଷ୍ଟୋରିମିରରରେ ନିଜର ଲେଖା ତୋର ମୋର ପ୍ରେମ କାହାଣୀରେ ପୁଚୁ ଶବ୍ଦର ଏହି ଅର୍ଥରେ ଅନେକ ଥର ଵ୍ୟଵହାର କରିଛନ୍ତି । ଯଥା—

“ପୁଅ - WhatsApp ରେ ମେସେଜ ରେ ଲେଖିଲା ଗେଲ୍ହୁ ତୁମକୁ ମୁଁ କିଛି କହିବା ପାଇଁ ଭାବୁଥିଲି..

ଝିଅ - ହଁ ପୁଚୁ କୁହ, କଣ କହିବ...”

ଏଥିରୁ ଜଣାଯାଏ ଯେ ପୁଚୁ ଶବ୍ଦଟି ପ୍ରେମିକାମାନେ,ନଵଵିଵାହିତା ପତ୍ନୀମାନେ ଅଧୁନା ପ୍ରେମଯୁକ୍ତ ସମ୍ବୋଧନାର୍ଥ ତାଙ୍କ ପ୍ରେମିକ ଵା ପତିକୁ ସମ୍ବୋଧନ କାଳରେ ଵ୍ୟଵହାର କରୁଛନ୍ତି । ପୁନଶ୍ଚ ଓଡ଼ିଶାର କେତେକ ଅଞ୍ଚଳରେ ପିଚୁ ତଥା ପୋଚ(ପୂତି> ପୁଚ ଅନ୍ୟରୂପ)କୁ ମଧ୍ୟ ପୁଚୁ କୁହାଯାଇଥାଏ । ସ୍ପଷ୍ଟ ହୁଏ ଯେ ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହୃତ ହେଉଥିଲେ ହେଁ ଓଡ଼ିଆ ଭାଷାରେ ପୁଚୁ ଶବ୍ଦ ଆଜି ମଧ୍ୟ ବଞ୍ଚିରହିଛି ।

ଆମ ଭାଷାରେ ପୁଚୁ ଶବ୍ଦକୁ ଭୁଲ୍ କ୍ରମେ ପୁଚ ଓ ପୁଚି ଆଦି ଲେଖିଲେ ଏହାର ଅର୍ଥ ପରିଵର୍ତ୍ତିତ ହୋଇଯିଵାର ସମ୍ଭାଵନା ଥାଏ । ଢେଙ୍କାନାଳରେ ପୋଚ ଶବ୍ଦ ପୁଚ ହୋଇ ପ୍ରଚଳିତ । ବଦବୋଇ,ଦୁର୍ଗନ୍ଧ ଵା ପୂତିଗନ୍ଧକୁ, ପୋଚିଆ , ସଢ଼ାକୁ ପୋଚ କୁହାଯାଇଥାଏ ଏଵଂ ଏହା ପୂତି ସହିତ ସମୋଦ୍ଧୃତ ।‌ ଢେଙ୍କାନାଳରେ ପାଣି ରହି ଦୁର୍ଗନ୍ଧ ହେଉଥିଵା ସ୍ଥାନକୁ ପୁଚ କୁହାଯାଏ । ସବୁଜ ରଙ୍ଗକୁ ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପୁଚା କହିଥାନ୍ତି । ପୁଚି ଖେଳ ଓଡ଼ିଶାର ଏକ ପାରମ୍ପରିକ ଖେଳ ସେହିପରି ଦକ୍ଷିଣ ଓଡ଼ିଶାରେ ଦାୟିତ୍ଵ ଅର୍ଥରେ ପୁଚି ଶବ୍ଦ ଚଳୁଅଛି ।

ଭାରତର ଅନ୍ୟ କୌଣସି ବଡ଼ ଭାଷାରେ ପୁଚୁ ଭଳି ଶବ୍ଦ ଥିଵା ଜଣାଯାଏ ନାହିଁ ତେବେ ୟୁରୋପୀୟ Polish ଭାଷାରେ Puchu ବୋଲି ଏକ ଶବ୍ଦ ରହିଛି ଯାହା down, fluff (soft, immature feathers) ଓ snow ଆଦି ଅର୍ଥରେ ଵ୍ୟଵହୃତ ହେଉଥିଵା ଏହି ଭାଷାର puch ଶବ୍ଦର ଏକ ରୂପ । ମୂଳ ଆମେରିକୀୟ ଜନଜାତୀୟ ଲୋ‌ହିତ ଭାରତୀୟଙ୍କ ଏକ ଭାଷା Quechuaରେ ମଧ୍ୟ p'uchu ବୋଲି ଏକ ଶବ୍ଦ ରହିଛି ଯାହା rest, remainder, leftover ଓ
cigarette butt ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।

ଗୋଟିଏ ପଟେ ହିନ୍ଦୀ ,ତାମିଳ, ବଙ୍ଗାଳୀ ଭଳି ଭାରତର
ବହୁ ଲୋକଙ୍କ ଦ୍ଵାରା କଥିତ ଭାଷାଗୁଡି଼କରେ ପୁଚୁ,ପୂଚୁ କି ପୂଚୂ ଭଳି କୌଣସି ଶବ୍ଦ ନଥିଵାବେଳେ ଓଡ଼ିଆ ଭାଷାରେ ପୁଚୁ ପରି ଏକ ଶବ୍ଦ ରହିଛି ପୁଣି ତିନୋଟିରୁ ଅଧିକ ଅର୍ଥରେ ଵ୍ୟଵହାର ମଧ୍ୟ ହେଉଛି ।  ଏହା ପ୍ରମାଣ କରେ ଯେ ଓଡି଼ଆ ଭାଷାର ଶବ୍ଦସମ୍ଭାର କେତେ ଵିଶାଳ ଓ ସ୍ୱୟଂସମ୍ପୂର୍ଣ୍ଣ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...