Monday, March 21, 2022

ତିନି ସଙ୍ଗାତ କଥା


ଏକ ଜଙ୍ଗଲରେ ହରିଣ ଓ  କାଉ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ବିଲୁଆ ଏହା ଦେଖି ସହି ପାରୁନଥାଇ ‌।  ହରିଣ ସହିତ  କାଉ ଥିଵାରୁ ହରିଣକୁ ମାରିଵା ସହଜ ନଥିଲା କାରଣ ସେହି  କାଉଟା କାଉ ପଲ୍ଲଙ୍କ ମୁଖିଆ ଥିଲା ତେଣୁ କାଉମାନଙ୍କ ଆକ୍ରମଣ ଭୟରେ ସିଂହ ଵ୍ୟାଘ୍ର ମଧ୍ୟ  ଉକ୍ତ ହରିଣଠାରୁ ଦୂରେଇ ରହୁଥିଲେ ।

ବିଲୁଆ କେମିତି କଳେ ବଳେ କୌଶଳେ ହରିଣ ଓ କାଉ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗି ହରିଣକୁ ମାରି ଖାଇଵ ଏହି ଵିଚାର କରିଵାକୁ ଲାଗିଲା ।

ହରିଣ ଓ କାଉ ଉଭୟେ ପରସ୍ପରର ପରମମିତ୍ର ଥିଲେ ଏଵଂ ବିଲୁଆ ଏକ ହିଂସ୍ରଜନ୍ତୁ ହୋଇଥିଵାରୁ ହରିଣ ତାକୁ ଵିଶ୍ଵାସ କରୁନଥିଲା ।

ବିଲୁଆ ବହୁତ ବୁଦ୍ଧିଆ ଜୀଵ । ହରିଣ ସହ ମିତ୍ରତା କରିଵାକୁ ବିଲୁଆ ଅନେକ ପ୍ରୟାସ କଲା ହେଲେ ପ୍ରଥମେ ପ୍ରଥମେ ସଫଳ ହୋଇପାରିଲା ନାହିଁ ।‌

ବିଲୁଆ ମନେ ମନେ ଭାବିଲା ଯେ ଯେତେଦିନ ଯାଏଁ ମୁଁ ଏ ହରିଣ ସହ ସାମାଜିକ ସମ୍ପର୍କ ସ୍ଥାପନ ନକରିଛି ଇଏ ମୋତେ ଵିଶ୍ଵାସ କରିଵ ନାହିଁ ।

ବିଲୁଆର ଚାରିଗୋଟି ଛୁଆ ଜନମିଥିଲେ ଏଵଂ ହରିଣର ମଧ୍ୟ ଦୁଇଗୋଟି ଛୁଆ ଥିଲେ । ବିଲୁଆ ନିଜର ପରିଵାର ଘେନି ହରିଣର ଗୃହ ପାଖରେ ରହିଵାକୁ ଲାଗିଲା । ଫଳତଃ ବିଲୁଆ ଓ ହରିଣର ଛୁଆମାନେ ପରସ୍ପର ସହିତ ଖେଳିଵାକୁ ଲାଗିଲେ ଏଵଂ ସେମାନଙ୍କ ମଧ୍ୟରେ ସ୍ଵଭାଵତଃ ବନ୍ଧୁତା ହୋଇଗଲା ।

ବିଲୁଆ ନିଜ ପିଲାମାନଙ୍କୁ କାଉ ମାନଙ୍କ ଵିରୋଧରେ ନାନା କାହାଣୀ ଶୁଣାଇ ସେମାନଙ୍କ ମତିଭ୍ରମ କରିଦେଲା । କାଉମାନେ କେମିତି ହରିଣ ଓ ବିଲୁଆଙ୍କ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗିଦେଇଥିଲେ ସେକଥା ବିଲୁଆ ତାହାର ଛୁଆଙ୍କୁ ପ୍ରାୟତଃ କହୁଥିଲା ।

କାଉମାନେ ସର୍ଵଭକ୍ଷୀ ହୋଇଥିଵାରୁ କେମିତି ଜଙ୍ଗଲର ଫଳ ମୂଳ ଓ ମାଂସ ସବୁ ଖାଇ ଦେଇ ହରିଣ ଓ ବିଲୁଆମାନଙ୍କୁ ଭୁଆଁ ବୁଲେଇ ରଖିଛନ୍ତି ସେ କଥା ମଧ୍ୟ କହିଲା ।
ଅନେକ ଵର୍ଷ ବିତିଗଲା ଏଵଂ ବିଲୁଆର ଆଶା କେଵଳର ଆଶାରେ ରହିଗଲା । ସେ କେବେ ବି ହରିଣକୁ ଖାଇପାରିଲା ନାହିଁ ସତ କିନ୍ତୁ ହରିଣ ଓ କାଉ ମଧ୍ୟରେ ଭେଦ ଭାଵ ବଢ଼ାଇଵା ଯୋଜନା ଛାଡି଼ଲା ନାହିଁ ।

ବିଲୁଆର ଛୁଆମାନେ ନିଜ ହରିଣ ସାଙ୍ଗମାନଙ୍କ ସହିତ ଖେଳ ଓ ବୁଲାବୁଲି ସମୟରେ ନିଜ ବାପଠାରୁ କାଉମାନଙ୍କ ସମ୍ବନ୍ଧରେ ଶୁଣିଥିଵା କଥା ଵିଷୟରେ ଆଲୋଚନା କରୁଥିଲେ । ଧିରେ ଧିରେ ବୁଢ଼ା ବିଲୁଆ ଦ୍ଵାରା ପ୍ରଚାରିତ କଥାକୁ ସେ ଜଙ୍ଗଲର ସବୁ ନହେଲେ ମଧ୍ୟ ଅନେକ ହରିଣମାନେ  ଵିଶ୍ଵାସ କରିଵାକୁ ଲାଗିଲେ ।

କ୍ରମେ ହରିଣ ଓ କାଉମାନଙ୍କ ମଧ୍ୟରେ ଭେଦଭାଵ ବୃଦ୍ଧି ପାଇଲା ଏଵଂ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ସୌହାର୍ଦ୍ଦ୍ୟ ରହିଲା ନାହିଁ ।

ଥରେ ଭାରତଵର୍ଷରେ ଭୀଷଣ ମରୁଡ଼ି ପଡି଼ଵାରୁ ଏହାର ପ୍ରଭାଵ ଉକ୍ତ ଜଙ୍ଗଲ ଉପରେ ମଧ୍ୟ ଦେଖାଦେଲା । ଅନେକ ଵୃକ୍ଷ ପତ୍ର ପୁଷ୍ପ ଫଳହୀନ ହେଵାରୁ ଖାଦ୍ୟର ଘୋର ଅଭାଵ ହେଲା ।

ସର୍ଵଭକ୍ଷୀ ଜୀଵ ହୋଇଥିଵାରୁ ଏହି ମରୁଡ଼ି ଜନିତ ଖାଦ୍ୟାଭାଵ ପାଇଁ ଉଭୟ ହରିଣ ଓ ବିଲୁଆମାନେ କାଉମାନଙ୍କୁ ଦୋଷ ଦେଵାକୁ ଲାଗିଲେ । କାଉମାନେ ମଧ୍ୟ ନିର୍ଦ୍ଦୋଷ ବୋଲି ଅନେକ ଥର ଯୁକ୍ତି କରି ନୟାନ୍ତ ହେଵାରୁ ହରିଣଙ୍କୁ ତାଙ୍କ ବାଟରେ ଛାଡ଼ି ନିଜ କଥା ବୁଝିଲେ ।

ବିଲୁଆମାନେ ତ ସ୍ଵଭାଵତଃ ମାଂସଭକ୍ଷକ । ଖାଦ୍ୟ ଅଭାଵ ହେଵାରୁ ସେମାନଙ୍କ ମନରେ  ତାଙ୍କ ପୂର୍ଵଜଙ୍କ ସେହି ପ୍ରାଚୀନ ସ୍ଵଭାଵ ସ୍ଵତଃ ଜାତ ହେଲା । ଶାରୀରିକ ଓ ମାନସିକ ଭୋକ ସମୟରେ ମନୁଷ୍ୟ ପରି ବୁଦ୍ଧିମାନ ଜୀଵ ମଧ୍ୟ ଧର୍ମ କର୍ମ ଭୁଲି ଅନ୍ୟାଚାର କରିଵାକୁ ପଛାଏ ନାହିଁ । ଅତଃ ବିଲୁଆମାନେ ଉକ୍ତ ପ୍ରାଚୀନ ହିଂସ୍ର ସ୍ଵଭାଵର ଵଶଵର୍ତ୍ତୀ ହୋଇ ଅନେକ ହରିଣଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଗଲେ ।‌

(ଏହି କାହାଣୀଟି ଓଡ଼ିଶା ମଧ୍ୟରେ ଵର୍ତ୍ତମାନ ବୃଦ୍ଧି ପାଉଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀଙ୍କୁ ଉପଲକ୍ଷ୍ଯ କରି ଲିଖିତ ହୋଇଅଛି । ତେବେ ଏ କାହାଣୀଟି ହିତୋପଦେଶର ମୃଗ ଓ କାକ ସମ୍ବନ୍ଧୀୟ ଏକ ଗଳ୍ପର ଅନୁକରଣରେ ଲିଖିତ । ହିତୋପଦେଶର ଉକ୍ତ କାହାଣୀ ଅନୁସାରେ ମୃଗ ଓ କାକ ବନ୍ଧୁ ଥିଲେ । ମୃଗ ସହିତ ଶୃଗାଳ ମିଠା ମିଠା କଥା କହି ବନ୍ଧୁତା କରିଥିଲା ଏଵଂ କାକ ଏହାକୁ ପ୍ରଥମେ ଵିରୋଧ କରି ପରେ ଶୃଗାଳର ଯୁକ୍ତିରେ ପରାସ୍ତ ହୋଇ ଶେଷରେ ଗ୍ରହଣ କରିଥିଲା ।  ଦିନେ ଏକ କୃଷକଦ୍ଵାରା ପକାଇଯାଇଥିଵା ଜାଲରେ ମୃଗ ପଡି଼ଯିଵାରୁ ଶୃଗାଳ ମାଂସ ଲୋଭରେ ତାକୁ ଉଦ୍ଧାର ନକରି ତାହାର ମରଣକୁ ଅପେକ୍ଷା କରି ଲୁଚି ବସି ରହିଲା । କାକ ସନ୍ଧ୍ୟାରେ ବନ୍ଧୁ ନଫେରିଵା ଦେଖି ଚାରିଆଡ଼େ ଉଣ୍ଡାଉଣ୍ଡି କରି ସେହି କୃଷିକ୍ଷେତ୍ରରେ ପହଞ୍ଚି ମୃଗକୁ ଜାଲରେ ପଡି଼ଥିଵାର ଦେଖିଲା । କାକଟି ତାହାର ବନ୍ଧୁ ମୃଗକୁ କହିଲା କୃଷକ ଆସିଵା ସମୟରେ ସେ ମରିଵାର ମିଛ ଅଭିନୟ କରି ପଡି଼ରହିଵ ଏଵଂ ତାହାର କା କା ରାଵ ଶୁଣିଲା ମାତ୍ରେ ଉଠି ପଳାୟନ କରିଵ । ବଡିଭୋରରେ କୃଷକ ଜାଲ ପଡି଼ଥିଵା ସ୍ଥାନରେ ମୃଗଟିଏ ମରି ପଡି଼ଥିଵା ଦେଖି ତାକୁ ଜାଲରୁ ବାହାର କରିଵାକୁ ଉଦ୍ୟନ୍ତ ହୁଅନ୍ତେ କାକ ରାବି ଦେଵାରୁ ମୃଗ ଝଟ୍ ଉଠି ପଳାୟନ କଲା । କୃଷକ ଏହା ଦେଖି କ୍ରୋଧଵଶତଃ ଏକ ଠେଙ୍ଗା ତାହା ଉପରକୁ ନିକ୍ଷେପ କରିଵା ଯୋଗୁଁ ତାହା ଯାଇ ଶୃଗାଳ ମସ୍ତକରେ ବାଜିଲା ଏଵଂ ସେଇଠି ହିଁ ଉକ୍ତ ଶୃଗାଳର ମୃତ୍ୟୁ ହୋଇଯାଇଥିଲା)•

Wednesday, March 16, 2022

ଗରିଲାର ବୁଦ୍ଧି

ହନୁ ଓ ମାଙ୍କଡ଼ମାନେ ଭାରତରେ ଶାନ୍ତିପ୍ରିୟ ମନୁଷ୍ୟମାନଙ୍କଦ୍ଵାରା ଅତ୍ୟାଚାରିତ ହେଲେ ଫଳତଃ ଅତିଷ୍ଠ ହୋଇ ଆଫ୍ରିକାକୁ ପଳାୟନ କଲେ ‌।

ଆଫ୍ରିକାରେ ଗରିଲା,ସିମ୍ପାଜୀ,କଳା ମାଙ୍କଡ଼ ଆଦି ପ୍ରାୟ ୨୧୬ ପ୍ରଜାତିର ଵାନର ଦେଖିଵାକୁ ମିଳନ୍ତି ତନ୍ମଧ୍ୟରେ ୧୧୧ଟି ମୂଳ ଆଫ୍ରିକା ଏଵଂ ବାକି ୧୦୫ଟି ଵାନର ପ୍ରଜାତି ମାଡାଗାସ୍କର ଦ୍ଵୀପରେ ଦେଖାଯାଆନ୍ତି ‌ ।

ସେ ଯାହା ହେଉ ଆଫ୍ରିକୀୟ ଵାନରମାନେ ଭାରତୀୟ ଵାନରଙ୍କ ଦୁଃଖ ଜାଣିଲେ ବଡ଼ ଦୁଃଖ କଲେ ।

ଭାରତୀୟ ଵାନର କାନ୍ଦିଵାରୁ ତାଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନଙ୍କର ମଧ୍ୟ କାନ୍ଦ ବୋବାଳି ବାହାରି ପଡ଼ିଲା ।

ଵର୍ଷ ପରେ ଵର୍ଷ ବିତିଗଲା କିନ୍ତୁ ଭାରତୀୟ ଵାନର କାନ୍ଦିଵା ଛାଡି଼ଲେ ନାହିଁ କି ଲଢି଼ଵା ଶିଖିଲେ ନାହିଁ ।

ପ୍ରଥମେ ପ୍ରଥମେ ଭାରତୀୟ ଵାନରଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନେ ବି କାନ୍ଦି ପକାଇଥିଲେ ତାପରେ ଧିରେ ଧିରେ ଏସବୁ ପାଣିଚିଆ ଲାଗିଲା ।

ଧେତ୍ ସବୁଦିନ ସେଇ କାନ୍ଦ...
ଭୀରୁ କାପୁରୁଷ ଦଳ ଯୁଦ୍ଧ କି ଵିରୋଧ ନରି ନିଜ ଦେଶ ଛାଡ଼ି ଏଠିକି ପଳାଇ ଆସିଛନ୍ତି ଆଉ ଖାଲି ଲୁହ ଗଡ଼ାଉଛନ୍ତି

ଛି ଛି ଛି...

ପୁଣି କେତେକ ଵର୍ଷ ଗତ ହୋଇଗଲା...

ଆଫ୍ରିକୀୟ ଵାନରଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଵିଵାଦ ଦେଖା ଦେଲା ।ଆଫ୍ରିକାରେ Baboons ଓ Gorilla ଵାନରଙ୍କ ମଧ୍ୟରେ ଵିଵାଦ ବହୁତ ଦିନ ଯାଏଁ ଚାଲିଲା ।

ଆଫ୍ରିକାରେ ସବୁ ଜାତୀୟ ଵାନରମାନେ ଗରିଲାମାନଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ ।

ଜଣେ ଚତୁର ଗରିଲା ଦେଖିଲା ଏହାର ସମାଧାନ ନକଲେ ଗରିଲାଙ୍କୁ “ପତର- ପାଣି” କିଛି ବି ମିଳିଵ ନାହିଁ ।

ତେଣୁ ସେ ଗୋଟିଏ ନାଟକ ମଣ୍ଡଳୀ ଗଠନ କଲା ଯେ ସେଥିରେ ସବୁ ଜାତୀୟ ଵାନର ଅଭିନେତା ଥିଲେ । ଆଫ୍ରିକା ସାରା ବୁଲି ବୁଲି ସେମାନେ ନାଟକ ପରିଵେଷଣ କରୁଥିଲେ । 

ଭାରତୀୟ ଵାନରଙ୍କର ଭାରତରୁ ଆଫ୍ରିକ ପଳାୟନର ଲୋମହର୍ଷଣକାରୀ ଘଟଣାଵଳୀକୁ ନାଟକ ଦ୍ଵାରା ବଡ଼ ଚମତ୍କାର ଭାବରେ ପ୍ରଦର୍ଶିତ କରାଗଲା ଏଵଂ ସେଥିରେ ଭାରତୀୟ ଵାନର ଭାଵରେ ଅଭିନୟ କଲେ ଗରିଲା ଵାନରମାନେ...

ବାସ୍ ଆଉ ଗରିଲାଙ୍କ ପ୍ରତି ଆଫ୍ରିକାରେ ଅନ୍ୟ ଵାନରମାନଙ୍କର ଦ୍ୱେଷ ରହିଲା ନାହିଁ । ଗରିଲାମାନେ ବବୁନ୍‌ମାନଙ୍କ ସହିତ ଯୋଉ ଅତ୍ୟାଚାର କରିଥିଲେ ତାକୁ ସମସ୍ତେ ଭୁଲିଗଲେ ...

Tuesday, March 15, 2022

ଆମ ବିଚ୍ଛିନ୍ନାଞ୍ଚଳର କଥା

ଖଡ଼ିଆଳ ରାଜା ଵୀର ଵିକ୍ରମ ସିଂହ ଓଡ଼ିଆ,ଓଡ଼ିଶାର ପରାଧୀନତା ଦେଖି ଏକଦା ଲେଖିଥିଲେ...

"ସହିଵ କେ ଦେଖି ଏ ଉତ୍କଳ,
ଅଙ୍ଗ ପ୍ରତ୍ଯଙ୍ଗ ଵିଭଙ୍ଗ ହୋଇଗଲାଣି ଉତ୍ସଙ୍ଗ,

ଜାଣେ ନାହିଁ ପ୍ରବୋଧି କହିଵାକୁ ଗୀର ॥

ହିନ୍ଦୀ ତେଲେଙ୍ଗା ବଙ୍ଗାଳି-ମହାରାଷ୍ଟ୍ର ଆଦି ମିଳି ବାଣ୍ଟିନେଲେ ସର୍ଵେ ଯେଝା ପ୍ରକାର ॥

ଉତ୍କଳ ଯେତେ ସନ୍ତାନ ହେଉଛନ୍ତି ହୀନିମାନ,
ଉତ୍କଳ ଦୁର୍ଦ୍ଦଶା କେବେ ହେଵ ଅନ୍ତର ॥”

୧୯୩୬ ଅପ୍ରେଲ ୧ତାରିଖଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପ୍ରଦାନ କଲେ ତତ୍କାଳୀନ ଇଂରେଜ ସରକାର । ତତ୍କାଳୀନ ଓଡ଼ିଶା ରାଜ୍ୟ ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ହୋଇଥିଲେ ହେଁ ସେ ସମୟରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିପାରି ନଥିଲା ।

ଉତ୍ତରରେ...
ମେଦିନୀପୁର, ସିଂହଭୂମି, ଧଳଭୂମି, ଚାଇଁବସା, ଛୋଟନାଗପୁର ଓ ଚକ୍ରଧରପୁର ଆଦି

ପଶ୍ଚିମରେ...
ବସ୍ତର, ରାୟପୁର, ଅମ୍ବିକାପୁର, ସୁରୁଗୁଜା, ଶ୍ରୀପୁର ଓ ସରିୟା ପ୍ରଭୃତି

ଦକ୍ଷିଣରେ...
ଶ୍ରୀକାକୁଲମ୍,ମଞ୍ଜୁଷା, ଟିକାଲି, ଜଳନ୍ତର ଇତ୍ୟାଦି ଓଡ଼ିଆ ଅଞ୍ଚଳ ସେତେବେଳେ ଓଡ଼ିଶା ସହିତ ମିଶିପାରି ନଥିଲା ।

ଏ ଖଣ୍ଡିତ ଓଡ଼ିଶା ଦେଖିଵାକୁ ସେତେବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ,ଉତ୍କଳଗୌରଵ ମଧୁସୂଦନ ଦାସଙ୍କ ସମେତ ଅନେକ ଉତ୍କଳ ପ୍ରାଣ ନେତା ଜୀଵିତ ନଥିଲେ ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ମସିହାରେ ଗଠନ ହୋଇଥିଲେ ହେଁ ଓଡ଼ିଶାବାସୀଙ୍କର ଅଖଣ୍ଡ ଓଡ଼ିଶା ଗଠନର ସ୍ଵପ୍ନ କେବେ ସାକାର ହୋଇପାରିଲା ନାହିଁ

ଭାରତ ଦେଶ ସ୍ବାଧୀନ ହେଲାପାରେ ବିହାରୀ ନେତାଙ୍କ ଚକ୍ରାନ୍ତ ଏଵଂ ଓଡ଼ିଶାର ନେତାମାନଙ୍କ ମୂର୍ଖାମୀ ଯୋଗୁଁ ଓଡ଼ିଆ ଅଞ୍ଚଳ ହୋଇ ମଧ୍ୟ ଷଡୈକଳା ଓ ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା ।

ଷଡୈକଳାର ଶେଷ ରାଜା ଆଦିତ୍ୟ ପ୍ରତାପ ଦେଵ ନିଜ ରାଜ୍ୟକୁ ଓଡ଼ିଶାରେ ମିଶାଇଵାକୁ ଚୁକ୍ତି କରିଥିଲେ ହେଁ ତାଙ୍କର ସେ ଚୁକ୍ତିପତ୍ରର ସର୍ତ୍ତକୁ ଅଗ୍ରାହ୍ୟ କରିଦିଆଯାଇ ଲକ୍ଷ ଲକ୍ଷ ଷଡୈକଳା ଖରସୁଆଁଵାସୀଙ୍କ ସହ ଅନ୍ୟାୟ କରାଯାଇଥିଲା ।

ଵିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ଦୁଃଖ ଦୁର୍ଦ୍ଦଶା ସ୍ଵଚକ୍ଷୁରେ ନଦେଖିଲେ ଵିଚ୍ଛିନ୍ନତାର ଯନ୍ତ୍ରଣା ହୃଦୟଙ୍ଗମ କରିହେଵ ନାହିଁ ।

ସ୍ଵାଧୀନତା ପରେ ଷଡୈ଼କଳା ଓ ଖରସୁଆଁକୁ ଓଡ଼ିଶାରେ ମିଶାଇଵା ପାଇଁ ଯେ ଆନ୍ଦୋଳନ ଯେ ହୋଇନାହିଁ ତା ନୁହେଁ କିନ୍ତୁ ଓଡ଼ିଶାବାସୀ ଵ୍ୟାପକ ଆନ୍ଦୋଳନ କରିଥିଲେ ହେଁ ତତ୍କାଳୀନ ସରକାର ସେ ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରିଦେଲେ ‌ । ୧୯୫୬ରେ ଓଡ଼ିଶାର ଵିରୋଧୀ ଦଳମାନେ ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଧମକ ମଧ୍ୟ ଦେଇଥିଲେ କିନ୍ତୁ ଦିଲ୍ଲୀ ଵିରୋଧୀ ଆନ୍ଦୋଳନକୁ ଓଡ଼ିଶାର ଚତୁର ନେତାମାନେ ନଵକୃଷ୍ଣ ଚୌଧୁରୀ ଵିରୋଧୀ ଆନ୍ଦୋଳନରେ ପରିଵର୍ତ୍ତିତ କରିଦେଲେ । ଅସ୍ତୁ ପ୍ରଥମେ ଓଡ଼ିଆ ସ୍ଵାଭିମାନୀମାନଙ୍କ ଦ୍ଵାରା ହୋଇଥିଵା ସ୍ଵତନ୍ତ୍ର କଳିଙ୍ଗ ଦେଶ ଗଠନର ଆନ୍ଦୋଳନ ରାଜନୈତିକ ରଙ୍ଗ ଲାଗି ମଧ୍ୟ ଫଳ କିଛି ମିଳିଲା ନାହିଁ ।

୧୯୫୬ର ଏହି ଆନ୍ଦୋଳନ ଯୋଗୁଁ ଅନେକ ଓଡ଼ିଆମାନେ ସରକାରୀ ଦମନଲୀଳା ସହିନପାରି ମୃତ୍ୟୁଵରଣ କରିଥିଲେ ହେଁ କେଵଳ ସୁନୀଲ ଓ ବେଙ୍ଗ ପାଣିଆ ନାମରେ ଦୁଇଜଣ ଓଡ଼ିଆ ଶହୀଦଙ୍କ ନାମ ଲୋକଲୋଚନକୁ ଆସି ପାରିଥିଲା ।

ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନର ଆଶା ଆଶାରେ ହିଁ ରହିଗଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅଶୀଵର୍ଷାଧିକ୍ୟ ହେଲାଣି, ତଥାପି ଓଡ଼ିଶା ପଛୁଆ ରାଜ୍ୟ ।

ଯେଉଁ ଓଡ଼ିଆ ଭାଷାକୁ ଓଡ଼ିଶାର ସଂସ୍କୃତିକୁ ଆଧାର କରି ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ଓଡ଼ିଆ ଭାଷା ସଂସ୍କୃତି ଆଜି ଵିପନ୍ନ । ପ୍ରାଚୀନ ସାହିତ୍ୟ, ଅଭିଲେଖ, ଵିଦେଶୀ ପରିବ୍ରାଜକଙ୍କ ବିବରଣୀ ପ୍ରଭୃତିରେ ଵର୍ଣ୍ଣିତ ଵିଶାଳ ଓଡ଼ିଶାର ସାମଗ୍ରିକ ଐତିହ୍ୟକୁ ଜଳାଞ୍ଜଳି ଦିଆଯାଇ ଏକ ଖଣ୍ଡିତ ପ୍ରଦେଶକୁ ଓଡ଼ିଶା ପ୍ରଦେଶ କୁହାଯାଉଛି ।

ଯଦି କାଶ୍ମୀର  ଭାରତର ଅଭିନ୍ନ ଅଙ୍ଗ  ତା'ହେଲେ, ଷଢ଼େଇକଳା ଓ ତତ୍‌ସଂଲଗ୍ନ ଓଡ଼ିଆ ଅଞ୍ଚଳ ଓଡ଼ିଶାର ଅଭିନ୍ନ ଅଙ୍ଗ ନ ହେଵ କାହିଁକି ?

କେଉଁ ନୀତିରେ ସେହି ଓଡ଼ିଆ ଭାଷୀ ଅଞ୍ଚଳ ଆଜି ବିହାରୀ ମାନସିକତାର ପରାଧୀନ ?

•••••••••••••••••••••••••••••
•ତଥ୍ୟ ଉତ୍ସ
— ସ୍ଵତନ୍ତ୍ର ପ୍ରଦେଶ ଗଠନର ଇତିହାସ (ପ୍ରବନ୍ଧ/ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
—ଓଡ଼ିଶା ରାଜନୀତିର ଇତିହାସ
(ପୁସ୍ତକ/ଡକ୍ଟର ଉଦ୍ଧଵ ଚରଣ ନାୟକ)
—ଗଵେଷକ ଶ୍ରୀ Kartik Parichha
(ଷଡ଼ୈକଳା)
•ଚିତ୍ର
—ଚିକିତ୍ସକ ଉଡ୍ରବନ୍ଧୁ ଶ୍ରୀଳ ଶ୍ରୀମାନ୍ ଶ୍ରୀଦେଵାଶିଷ ଜ୍ୟେଷ୍ଠୀ
•ସମ୍ପାଦନା
— ଅକିଞ୍ଚନ ଶିଶିର ସାହୁ ମନୋଜ
•••••••••••••••••••••••••••••

Thursday, March 10, 2022

ନୀଳଵର୍ଣ୍ଣ ଶୃଗାଳର କାହାଣୀ

ନୀଳଵର୍ଣ୍ଣ ସେ ନିଜେ ମାଖି ନଥିଲା ଵରଂ ତାହା ତ ତା'ର ଜନ୍ମ କାଳରୁ ଥିଲା । ହଁ ସେ ନୀଳଵର୍ଣ୍ଣ ଶୃଗାଳଟି ଏକ ଵର୍ଣ୍ଣସଙ୍କର ଥିଲା କିନ୍ତୁ ଏଥିରେ ତାର ଵା ଦୋଷ କ'ଣ ?

ଶ୍ଵାନ ଓ ଶୃଗାଳର ସନ୍ତାନ ଥିଲା ସେ କିନ୍ତୁ ଶୃଗାଳ ସମାଜ  କାଳେ ଘୃଣା ଚକ୍ଷୁରେ ଦେଖିବ  ତେଣୁ ତା ମାଆ ତାକୁ ଏକ ଗୁମ୍ଫା ମଧ୍ୟରେ ଲୁଚେଇ ରଖିଥିଲା । କ୍ରମେ ନୀଳଵର୍ଣ୍ଣ ଶୃଗାଳ ବଡ଼ ହେଵାକୁ ଲାଗିଲା । ପଦାକୁ ବାହାରି ଚାରିଆଡ଼ ବୁଲି ଦେଖିଵାକୁ ତାର ବଡ଼ ମନ ହେଲା ।

ତା ମାଆ କିନ୍ତୁ ଆକଟ କରେ ବାହାରକୁ ଯାଆନାରେ ବାପ ଏବେ ସେ ସମୟ ଆସିନି ।
ଦିନେ ମାଆର କଥା ନମାନି ନୀଳଵର୍ଣ୍ଣ ଶୃଗାଳଟି ପଦାକୁ ବାହାରି ଖଣ୍ଡେ ଦୂର ଯାଏଁ ବୁଲିଲା । ଅନ୍ୟ ଶୃଗାଳମାନେ ତାକୁ ଦେଖି ଭୟରେ ଚିତ୍କାର କଲେ ଆଉ ଦଳବଦ୍ଧ ହୋଇ ମାରି ପକେଇଵାକୁ ଉଦ୍ଯତ୍ତ ହେଲେ ।
ବଡ଼ କଷ୍ଟରେ ସେ ଯେନତେନ ପ୍ରକାରେ ଗୁମ୍ଫା ଭିତରକୁ ପଳାଇ ଆସିଲା । ଶୃଗାଳ ମାନଙ୍କ ପ୍ରତି ତାହାର ଦ୍ୱେଷ ଓ ଘୃଣା ହେଲା । ସେମାନେ ତାହାର ଜାତିଭାଇ ହୋଇଥିଲେ ହେଁ ସେ ସେମାନଙ୍କୁ ନିଜର ଭାବୁନଥିଲା ।

ଦିନ ଗଡି଼ଚାଲିଲା । ନୀଳଵର୍ଣ୍ଣ ଶୃଗାଳ ମଧ୍ୟ ବଡ଼ ହେଵାକୁ ଲାଗିଲା । ତେବେ ସେ ଯେତିକି ଯେତିକି ବଡ଼ ହେଉଥାଇ ଶୃଗାଳ ଜାତିପ୍ରତି ତାହାର ଘୃଣା ମଧ୍ୟ ବଢି଼ଚାଲିଥାଇ ।

ଦିନେ ରାତିରେ ନୀଳଵର୍ଣ୍ଣ ଶୃଗାଳ ସେ ଜଙ୍ଗଲ ଛାଡ଼ି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା ।

ନୂଆ ଜଙ୍ଗଲରେ ଶ୍ଵାନମାନଙ୍କର ଶାସନ ଥିଲା । ଶ୍ଵାନମାନେ ସେ ନୀଳଵର୍ଣ୍ଣ ଶୃଗାଳକୁ ଦେଖି ପ୍ରଥମେ ଡରିଗଲେ କିନ୍ତୁ କିଛି ବୁଦ୍ଧିଆ ଶ୍ଵାନ ସାହସ କରି ତା ପାଖକୁ ଗଲେ ଏଵଂ ଆଦର ସତ୍କାର ସହ କୁଶଳ ମଙ୍ଗଳ ପୁଚ୍ଛାକଲେ ।

ନୀଳଵର୍ଣ୍ଣ ଶୃଗାଳକୁ ଏତେ ଆଦର ସତ୍କାର ମିଳନଥିଲା । ନିଜ ପିତୃରାଜ୍ୟରେ ଏତାଦୃଶ ସମ୍ମାନ ଆଦର ପାଇ ସେ ଗଦ୍ ଗଦ୍ ହୋଇଗଲା ।

ଶ୍ଵାନମାନେ ନୀଳଵର୍ଣ୍ଣ ଶୃଗାଳଠାରୁ ତା ମାତୃଦେଶ ଵିଷୟରେ ସବୁ ଶୁଣିଲେ । ସେମାନେ ନୀଳଵର୍ଣ୍ଣ ଶୃଗାଳକୁ ସାହାଯ୍ୟ କରିଵାକୁ ପ୍ରତିଶ୍ରୁତି ଦେଲେ ।

ତହୁଁ ନୀଳଵର୍ଣ୍ଣ ଶୃଗାଳ ନିଜ ମାତୃଦେଶ ଶୃଗାଳ ରାଇଜକୁ ଫେରିଲା ଏଵଂ ତା ପରି ଆଉ କେହି ଅଛନ୍ତି କି ନାହିଁ ଉଣ୍ଡିଵାକୁ ଲାଗିଲା । କେତେକ ଦିନ ମଧ୍ୟରେ ଆଉ ଦୁଇ ଚାରିଜଣ ତାହାରି ପରି ବର୍ଣ୍ଣଶଙ୍କର ଶୃଗାଳ ମିଳିଗଲେ ।

ସେଇଠୁ ଆରମ୍ଭ ହେଲା ଦେଶଵ୍ୟାପୀ ଵିଦ୍ରୋହ । ଶୃଗାଳଵନର ଶ୍ଵାନଦେଶ ସହିତ ଲାଗିକରିଥିଵା ଭୂମିକୁ କଳେ ବଳେ କୌଶଳେ ନିଜର ବୋଲି ଦାବୀ କରି ଶୃଗାଳମାନଙ୍କୁ ଅପମାନିତ କରିଵା ଓ ହରାଇଵା ଥିଲା ସବୁ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଲକ୍ଷ୍ୟ ‌ ।

ଏପଟେ ଶ୍ଵାନମାନେ ମଧ୍ୟ ଶୃଗାଳମାନଙ୍କୁ ଶୃଗାଳଵନରୁ ମାରି ତଡି଼ଵାକୁ ଗୁପ୍ତରେ ଯୋଜନା କରିଥାଆନ୍ତି । ଶ୍ଵାନଦେଶରେ ଖାଦ୍ୟାଭାଵ ତଥା ଶ୍ଵାନବଂଶ ବୃଦ୍ଧି ଯୋଗୁଁ ଵିସ୍ତୃତ ଭୂଭାଗର ଆଵଶ୍ୟକତା ରହିଵା ସ୍ଵାଭିଵିକ କଥା ।

ଶ୍ଵାନମାନେ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ସାହାଯ୍ୟ କରିବେ କହି ଶୃଗାଳଵନ ଉପରେ ଆକ୍ରମଣ କରିଦେଲେ । ଏହି ଭୀଷଣ ଯୁଦ୍ଧରେ “ଘର ଢିଙ୍କି କୁମ୍ଭୀର” ନୀଳଵର୍ଣ୍ଣ ଶୃଗାଳ ଓ ତା’ପରି ଅନ୍ୟ ଅନେକ ଵର୍ଣ୍ଣସଙ୍କର ଶୃଗାଳମାନେ ନିଜ ପିତୃଦେଶୀୟ ଶ୍ଵାନମାନଙ୍କୁ ସହଯୋଗ କଲେ ।

ଫଳତଃ ଘରଭଙ୍ଗା ଜାତିଦ୍ରୋହୀ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଯୋଗୁଁ ସମଗ୍ର ଶୃଗାଳ ଜାତି କ୍ଷତିଗ୍ରସ୍ତ ହେଲା । କେତେନାକେତେ ଶୃଗାଳ ହତ ହେଲେ କେତେ ଆହତ ହେଲେ ଏଵଂ ବଞ୍ଚିଯାଇଥିଵା ଶୃଗାଳମାନେ ଉକ୍ତ ଵନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ।

ଯୁଦ୍ଧ ଶେଷ ହେଲାରୁ ନୀଳଵର୍ଣ୍ଣ ଶୃଗାଳ ଓ ତାହାର ଅନ୍ୟ ଵର୍ଣ୍ଣସଙ୍କର ଶୃଗାଳ ବନ୍ଧୁମାନେ ଵିଜୟ ଗର୍ଵରେ ନାଚିଵାକୁ ଲାଗିଲେ ।

ଭୋଜୀର ଆୟୋଜନ ହେଲା । ଶ୍ଵାନଦେଶରୁ ସେ ଦେଶର ପୁରଖା ଶ୍ଵାନନେତାମାନେ ଵିଜିତ ଶୃଗାଳ ଦେଶକୁ ନୀରିକ୍ଷଣ କରିଵାକୁ ଆସିଲେ ।

ନୀଳଵର୍ଣ୍ଣ ଶୃଗାଳ ସମେତ ସବୁ ଵର୍ଣ୍ଣସଙ୍କର ଶୃଗାଳମାନେ ସେତେବେଳକୁ ମାଂସ ଖାଇ ଆନନ୍ଦ ଵିଭୋର ହୋଇ ପଡି଼ଥାନ୍ତି ।

ଶ୍ଵାନଦେଶର ନେତାମାନେ ସେମାନଙ୍କୁ ଦେଖି ପରସ୍ପର ସହିତ ଆଲୋଚନା କରୁଥାଆନ୍ତି...

“ଆମ ଲକ୍ଷ୍ୟ ତ ପୂରଣ ହେଇଗଲା ! ଏ ଜାରଜଗୁଡ଼ା ଆଉ କି କାମରେ ଆସିବେ ?”

ଆଉ ଜଣେ ଶ୍ଵାନନେତା କହିଲା
ଏମାନଙ୍କୁ ଦାସ କରି ରଖିହୁଅନ୍ତା କିନ୍ତୁ ଏମାନେ ବିଶ୍ବାସଘାତକ । ଯୋଉମାନେ ଆପଣା ସ୍ଵାର୍ଥଲାଭ ହେତୁ ନିଜ ଜାତି ସହିତ ଵିଶ୍ଵାସଘାତ କରିଛନ୍ତି ସେମାନେ କେବେ ଵିଶ୍ଵାସପାତ୍ର ହେବେ କି ...?

ମୁଖ୍ୟ ଶ୍ଵାନନେତା ସବୁ ଶୁଣୁଥାନ୍ତି...

ତାପରେ ଶ୍ଵାନସୈନ୍ୟମାନଙ୍କୁ ଆଦେଶ ହେଲା...

ଜାରଜ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ମାରି ତଡି଼ଦିଅ ଆଉ ଵିରୋଧ କଲେ ସେମାନଙ୍କୁ ବନ୍ଦୀ କର...

Friday, March 4, 2022

•ଭାରତରେ ଗିରମାଟିଆ ଵା ଦାଦନୀ ପ୍ରଥା•


ଅଠରଶହ ଶତାବ୍ଦୀରେ ଇଂରେଜମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ ସେମାନେ ଖାଦ୍ଯ ଅଭାଵରୁ ପୋକମାଛି ଭଳି ମରିଵା ଆରମ୍ଭ କରିଦେଇଥିଲେ ।

ତାପରେ ଆରମ୍ଭ ହେଲା ଦାସତ୍ବପ୍ରଥା...

କିନ୍ତୁ ନିଗ୍ରୋମାନଙ୍କ ପରି ଭାରତୀୟମାନଙ୍କୁ ଲୁହା ଶୃଙ୍ଖଳରେ ବାନ୍ଧି ବୋଇତରେ ପୁରେଇ ଵିଦେଶକୁ ପଠାଯାଇନଥିଲା କାରଣ ଭାରତୀୟ ସଭ୍ୟ ଜାତି ହୋଇଥିଵାରୁ  ଵିଵାଦ ଵିଦ୍ରୋହର ସମ୍ଭାଵନା ଥିଲା । ଅତଃ ଭାରତୀୟ ଶ୍ରମିକମାନଙ୍କୁ ଆଗତୁରା ଟଙ୍କା ଲୋଭ ଦେଇ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରାଇ ଦାସ କରାଯାଇଥିଲା । ଫଳତଃ ଭାରତୀୟ ଶ୍ରମିକମାନେ ଲୁହା ଶୃଙ୍ଖଳ ନୁହେଁ ଵରଂ ଏଗ୍ରିମେଣ୍ଟ ରୂପ ଶୃଙ୍ଖଳରେ ବନ୍ଧା ହୋଇ ଦକ୍ଷିଣ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ଆଦିକୁ ପଠାଗଲେ ।

ପେଟପାଟଣା ପାଇଁ ଦେଶର କେତେକ
ଗରିବ ଲୋକେ ଇଂରେଜ ମାନଙ୍କ ସହ ଯେଉଁ ପ୍ରକାରର ଏଗ୍ରିମେଣ୍ଟ ସାଇନ୍ କଲେ
ତାହାକୁ “ଗିର୍‌ମିଟ୍” କୁହାଗଲା !

ଏହି ଗିର୍‌ମିଟ୍ ଶବ୍ଦଟି Agreement
ଶବ୍ଦର ପରିଵର୍ତ୍ତିତ ରୂପ । ଓଡ଼ିଶାରେ ଗିରମାଟିଆ ଶ୍ରମିକମାନଙ୍କୁ ଉଭୟ ଗିରମାଟିଆ ଓ ଦାଦନ କୁହାଯାଉଥିଲା ।ପୂର୍ଣ୍ଣଚନ୍ଦ୍ରଭାଷାକୋଷର ୨୨୧୫ତମ ପୃଷ୍ଠାରେ ଗିରମିଟ୍ ଶବ୍ଦ ଲିପିବଦ୍ଧ ଅଛି ...

ଇଂରେଜମାନଙ୍କ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିବା ଶ୍ରମିକମାନଙ୍କୁ  ଓଡ଼ିଶାରେ ଗିରମିଟ୍ ଓ ଗିରମାଟିଆ କୁହାଯାଉଥିଲା ବେଳେ ହିନ୍ଦୀଭାଷୀ ସେମାନଙ୍କୁ ଗିରିମିଟିୟା କହୁଥିଲେ । ତେବେ ଉପକୂଳ ଓଡ଼ିଶାରେ ଗିରମାଟିଆ ଶବ୍ଦ ଅପେକ୍ଷା ଦାଦନ ଶବ୍ଦ ଵିଶେଷ ଭାବରେ ପ୍ରଚଳିତ ଥିଲା ।

କଳିଙ୍ଗ ଦେଶରେ ମୁସଲମାନ ଶାସନ ସହିତ ଦାଦନ ଶବ୍ଦ ମଧ୍ୟ ଚାଲିଆସିଥିଲା । ଦାଦନ ଏକ ପାର୍ସୀ ଶବ୍ଦ କିନ୍ତୁ ଏହା ଭାରୋପୀୟ ଭାଷା ପରିଵାର ମୂଳର ଶବ୍ଦ ଏଵଂ ଦେଵା,ଦଦାତି ଓ ଦାନ ସହିତ ସମୋଦ୍ଧୃତ । ଓଡ଼ିଆ ସାହିତ୍ୟରେ ଦାଦନ ଵା ଦାଦନୀ ଶବ୍ଦର ସେତେ ପ୍ରାଚୀନ ପ୍ରୟୋଗ ଦେଖାଯାଏ ନାହିଁ ତେବେ ପୁରୁଣା ହିନ୍ଦୀ ସାହିତ୍ୟରେ ଏ ଶବ୍ଦ କାଁ ଭାଁ ଦୃଶ୍ୟ ହୋଇଥାଏ ।
ଯଥା—

ଦାଦୂ ନୂର ଦାଦନୀ,
ଆସିକାଁ ଦୀଦାର ।
(ଦାଦୂ॰, ପୃ॰ ୬୭ )

ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ “ବାଲେଶ୍ବରୀ ପଙ୍ଗାଲୁଣ” ପ୍ରବନ୍ଧରେ ଦାଦନ ଶ୍ରମିକ ଓ ଦାଦନୀ ସମ୍ବନ୍ଧରେ ଲେଖିଛନ୍ତି...

“ପ୍ରତି ଵର୍ଷ ଆଶ୍ୱିନ ମାସରେ ପୋକ୍ତାନକାରୀମାନଙ୍କୁ ସରକାର ତରଫରୁ ଦାଦନ ଦିଆଯାଉଥିଲା। ଦାଦନ ଟଙ୍କା ଗ୍ରହଣକାରୀର ଉପାଧି-ଗୁଲିଆ। ଗୁଲିଆମାନେ ସରକାରକୁ କବୁଲିୟତ ଲେଖିଦେଇ ଦାଦନ ଗ୍ରହଣ କରନ୍ତି। ଏହି ଦାଦନ ସମୟଟା ବାଲେଶ୍ୱର ସହର ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା। ଅନେକ ଟଙ୍କା କାରବାର ହୁଏ। ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି। ବଜାରି, ହଟାରି, ଭିକାରୀ, ଅମଲା ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପୈସା ହାତପୈଠ ହୁଏ। ଲକ୍ଷାଵଧି ଟଙ୍କା ଦାଦନ ଦିଆ ଯାଉଥିଲା। ମଫସଲଵାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡି଼ଏ ଟଙ୍କା ପଡି଼ଗଲେ ଆନନ୍ଦ ମନରେ ସ୍ତ୍ରୀ ପୁତ୍ର ପରିଵାରମାନଙ୍କ ସକାଶେ ନାନା ପ୍ରକାର ଦ୍ରଵ୍ୟ କ୍ରୟ କରି ଘେନି ଯାନ୍ତି। ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ। ଲଵଣ ପୋକ୍ତାନ ସ୍ଥାନର ନାମ ଚାଟି। କେତେଗୁଡିଏ ଚାଟିର ଏକତ୍ରରେ ସାଧାରଣ ନାମ ଅଡ଼ଂ। ଅଵଶ୍ୟ ଚାଟି ଓ ଅଡ଼ଂଗୁଡି଼କ ସମୁଦ୍ରକୂଳଵର୍ତ୍ତୀ ସ୍ଥାନରେ ଅଵସ୍ଥିତ।”

ଫକୀରମୋହନ ସେନାପତିଙ୍କ ଉଲ୍ଲେଖରୁ ଜଣାଯାଏ ଯେ ଦାଦନ ଶବ୍ଦର ଅର୍ଥ ଆଗତୁରା ଟଙ୍କା ଏଵଂ ତାହା  ଗ୍ରହଣ କରୁଥିଵା ଶ୍ରମିକକୁ ଗୁଲିଆ କୁହାଯାଉଥିଲା ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାଦନ ଶବ୍ଦର ପାଞ୍ଚୋଟି ଅର୍ଥ ଲେଖାଅଛି ।
•ପାଇଵା ଆଶାରେ ଧନ ଆଗତୁରା ଦେଵା ଅଗ୍ରିମ ଦାନ
••ଧନାଦି ଅଗ୍ରିମ ଦେଵାର ରୀତି
•ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଵା ଧାନ ଦେଢ଼ି ଲଗାଇଵା ରୀତି
••ଲାଭ ସହିତ ଧାନ ଵା ଶସ୍ଯାଦି ପାଇଵା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା
•ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା
ଅର୍ଥାତ୍ ଦାଦନ ଶବ୍ଦର ମୂଳ ଅର୍ଥ ଖଟିଖିଆ ଶ୍ରମିକ ଆଦୌ ନଥିଲା ଏଵଂ ଏହି ଅର୍ଥରେ ଦାଦନ ଶବ୍ଦ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଳୁଥିଲା । ଦାଦନ ଶବ୍ଦର ମୂଳ ଅର୍ଥ ଥିଲା ଲାଭ ଆଶାରେ ଆଗତୁରା ଟଙ୍କା ପ୍ରଦାନ କରିଵା କିନ୍ତୁ ପରେ ସେ ଅର୍ଥ ଗୌଣ ହୋଇ ବାହାର ରାଜ୍ୟ ଵା ଦେଶକୁ ଖଟିବାକୁ ଯାଉଥିଵା ଶ୍ରମିକମାନଙ୍କୁ ଦାଦନ କୁହାଗଲା ‌ ।

ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିଵର୍ଷ ଦେଶର ୧୦୦୦୦ ରୁ ୧୫୦୦୦ ଭାରତୀୟ ଶ୍ରମିକମାନଙ୍କୁ ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କ ଦ୍ବାରା ଦୁଇଗୁଣ ପରିଶ୍ରମ କରାଉଥିଲେ ଇଂରେଜ ।

ଵିଶେଷତଃ ଫିଜି,ବ୍ରିଟିଶ୍ ଗୁୟାନା,ଡଚ୍ ଗୁୟାନା ,ତ୍ରିନିଦାଦ୍ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟମାନଙ୍କୁ
ଶ୍ରମିକ କମ୍ ଗୋଲାମ୍ ଭଳି ପଠାଯାଉଥିଲା । ଇଂରେଜମାନେ ଭାରତର କିଛି ଦେଶୀ
ଗୋଡ଼ଚଟା ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରାଉଥିଲେ । ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏଵଂ ଏ ଧନ୍ଦା କରୁଥିଵା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।

ଗିରମାଟିଆ,ଗିରମିଟିଆ ଵା ଦାଦନୀ ପ୍ରଥା ଇଂରେଜ ମାନଙ୍କ ଦ୍ବାରା ସନ୍ ୧୮୩୪ ରେ ଆରମ୍ଭ ହୋଇ ୧୯୧୭ ଯାଏଁ ଚଳିଥିଲା । ଵିଭିନ୍ନ ରାଷ୍ଟ୍ରୀୟ ସଂଗଠନମାନଙ୍କ ପ୍ରଵଳ ଵିରୋଧ କାରଣରୁ ୧୯୧୭ରେ ଏହାକୁ ନିଶିଦ୍ଧ ଘୋଷଣା କରାଗଲା । ତେବେ ଗିରମାଟିଆ ପ୍ରଥା ହଟିଗଲେ ହେଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟ ଵା ଦେଶକୁ ଯାଉଥିଵା ଶ୍ରମିକମାନଙ୍କୁ ଅନେକ ଦିନଯାଏଁ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ପରାଧୀନ ଭାରତରେ ଵିଭିନ୍ନ ଅଞ୍ଚଳର ଶ୍ରମିକମାନେ ଏଗ୍ରିମେଣ୍ଟରେ ସ୍ଵାକ୍ଷର କରି  ତତ୍କାଳୀନ ଭାରତର ବଡ଼ ବଡ଼ ନଗରମାନଙ୍କୁ ଯାଉଥିଲେ ଏଵଂ ସେମାନଙ୍କୁ ଦାଦନ ଓ ଗିରମାଟିଆ କୁହାଯାଉଥିଲା ।

ଇଂରେଜ ଅମଳରେ ଗିର୍‌ମାଟିଆ ଵା ଦାଦନୀ ଚୁକ୍ତି ଅନୁସାରେ ଶ୍ରମିକମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିଵାକୁ ହେଉଥିଲା ଏଵଂ ତାପରେ ସେମାନେ ମୁକ୍ତ ହୋଇପାରନ୍ତି । କିନ୍ତୁ ଵିଦେଶକୁ ଯାଉଥିଵା ଗିର୍‌ମାଟିଆ ଵା ଦାଦନ ଶ୍ରମିକମାନଙ୍କ ପାଖରେ ଭାରତ ଫେରିଵା ପାଇଁ ଯଥେଷ୍ଟ ସମ୍ବଳ ନଥିଵା ତଥା ଉପଯୁକ୍ତ ଵୈଦେଶିକ ଜ୍ଞାନ ଅଭାଵରୁ ସେମାନେ ଆଜୀଵନ ଵିଦେଶ ମାଟିରେ ଖଟି ଖଟି ମରିଯିଵାକୁ ବାଧ୍ଯ ହେଉଥିଲେ ।

ବିଦେଶ ମାଟିରେ ଗିର୍‌ମାଟିଆ ଵା ଦାଦନ ଶ୍ରମିକଙ୍କ ପାଖରେ କେଵଳ ଦୁଇଟି ପନ୍ଥା ରହୁଥିଲା
(କ)ସେଇ ମାଲିକ ପାଖରେ ପଡିରହି ଆଜୀଵନ ଖଟିଵା
କିମ୍ବା
(ଖ)ଅନ୍ଯ ଗିର୍ମିଟ୍ ମାଲିକ ପାଖରେ କାମ କରିଵା !
ଏକ ଉନ୍ନତ ଦେଶର  ମଣିଷ ମାନଙ୍କୁ ଇଂରେଜ ତଥା ତାଙ୍କ ତୋଷାମଦିଆ କୁକୁରମାନେ
ବଳଦ ଭଳି ଖଟେଇ ଖଟେଇ ମାରୁଦେଉଥିଲେ !

କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଭାରତୀୟ ଶ୍ରମିକମାନଙ୍କୁ ସହିଵାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର  !
ପୁଣି ଗିର୍‌ମାଟିଆକୁ ଵିଵାହ ବଂଶବୃଦ୍ଧି କରିଵାର ଅଧିକାର ନଥିଲା । କେହି ଗିର୍‌ମାଟିଆ ଯଦି ଵିଵାହ କରୁଥିଲା ତାହାର ସନ୍ତାନମାନଙ୍କ ସହ  ମଧ୍ୟ ଗୋଲାମ ଭଳି ଵ୍ୟଵହାର କରାଯାଉଥିଲା ।
ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିଵାର ଅଧିକାର ମାଲିକମାନଙ୍କୁ ଇଂରେଜ ସରକାର ଦେଉଥିଲେ । ଗିର୍ ମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ୍ ପ୍ରତିଶତ ସ୍ତ୍ରୀ ନେଇ ଵିଦେଶ ଯାଉଥିଲେ । ଯୁଵ ଵୟସର ସ୍ତ୍ରୀମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ୍ ହେଲେ ଖାଲି ଟୁଥପେଷ୍ଟର ଖୋଳ କୁ ଅଳିଆକୁ ଫିଙ୍ଗିଦେଲା ଭଳି ଶ୍ରମିକମାନଙ୍କୁ ଦେଇଦେଉଥିଲେ ।

ଗିର୍ମିଟ୍ ଶ୍ରମିକମାନଙ୍କ ସନ୍ତାନ
ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ବ ପ୍ରଦାନ କରିଥିଲେ । ଶିକ୍ଷା ସ୍ବାସ୍ଥ୍ୟସେଵା ମନୋରଂଜନ ବହୁତ ଦୂରର କଥା ଦୁଇ ବକତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିର୍ ମିଟ୍ ମାଲିକ । ଵିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଏଇଭଳି ଅକାଳ ମୃତ୍ଯୁବରଣ କରୁଥିଲେ ।

ତୋତାରାମ ସନାଢ୍ଯଙ୍କର ଜନ୍ମ ୧୮୭୬ରେ ହିରନଗାଁବ୍ ଜିଲ୍ଲା ଫିରୋଜାବାଦ୍ ଉତ୍ତରପ୍ରଦେଶରେ ହୋଇଥିଲା । ତାଙ୍କୁ ଇଂରେଜମାନେ ଖଜଣା ପଇଠ
ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ ।ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ ।
ଜଣେ ଗିର୍ମିଟ୍ ଶ୍ରମିକ ଭାବେ ସେ
ନିଜ ଜୀବନ ଅନୁଭଵ ତାଙ୍କ
ପୁସ୍ତକ
"फिजी में मेरे इक्कीस वर्ष"
ରେ ଵର୍ଣ୍ଣନା କରିଅଛନ୍ତି ।
ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧୀଙ୍କ ଅହିଂସା
ଆନ୍ଦୋଳନ ପରେ ଵିଦେଶରେ ରହୁଥିଵା ଭାରତୀୟ ଶ୍ରମିକମାନେ ତେଜିଲେ ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ ,ଇମ୍ପେରିୟଲ୍ ଲେଜିସ୍ଲେଟିଭ୍ କାଉନସିଲ୍‌ରେ ମାର୍ଚ୍ଚ ୧୯୧୨
ଗିରମିଟିଆ ପ୍ରଥା ସମାପ୍ତ କରିଦେଵାକୁ ପ୍ରସ୍ତାଵ ଆଗତ କରିଥିଲେ । କାଉନସିଲ୍‌ର ୨୨ ଜଣିଆ ସଦସ୍ଯ ଠିକ୍ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେ
ଦିନ ଯାଏଁ ପ୍ରତିଵର୍ଷ ଏହି ପ୍ରସ୍ତାଵ ଉପସ୍ଥାପନ କରା ଯାଉଥିଵ ।

ଡିସେମ୍ବର ୧୯୧୬ କଂଗ୍ରେସ ଅଧିଵେଶନରେ ମହାତ୍ମାଗାନ୍ଧୀ, ଭାରତ ସୁରକ୍ଷା ଏବଂ ଗିର୍ମାଟିଆ ପ୍ରଥା ଅଧିନିୟମ ପ୍ରସ୍ତାଵ ରଖିଲେ । ଏହାର ଏକ ମାସ ପରେ ଫେବୃଆରୀ ୧୯୧୭
ଅହମଦାବାଦଠାରେ ଗିରମାଟିଆ ଵା ଦାଦନୀ ପ୍ରଥା ଵିରୋଧରେ ଏକ ଵିଶାଳ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଗିରମିଟିଆ/ଦାଦନୀ ପ୍ରଥା ଵିରୋଧରେ
ସିଏଫ୍ ଆଣ୍ଡ୍ର୍ଯୁଜ୍ ତଥା ହେନେରୀ ପୋଲକ୍ ମଧ୍ଯ ଭାଷଣ ଦେଇଥିଲେ । ଗିର୍‌ମାଟିଆ ପ୍ରଥା ଵିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ ।
ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ଵିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ । ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରଵଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହିଁ ହେଲା ଏଵଂ
୧୯୧୭ ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିର୍ ମିଟିଆ ପ୍ରଥା ।

ହେଲେ ଆଜି ଭାରତର ଅନ୍ୟ ରାଜ୍ୟମାନଙ୍କରେ ଶ୍ରମିକମାନଙ୍କୁ କେହି ଗିରମିଟିଆ କି ଗରମାଟିଆ କିଂଵା ଦାଦନ କହିଵାର ଶୁଣାଯାଏ ନାହିଁ କେଵଳ  ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଲୋକେ ପୁରୁଣା ଗିରମାଟିଆ ଵା ଦାଦନୀ ପ୍ରଥାକୁ ମନେ ରଖିଵା ପାଇଁ ଆଜି ବି ଦାଦନ ଶବ୍ଦ ଵ୍ୟଵହାର କରିଥାନ୍ତି ।

ଆଜି ଆଉ ଆଗଭଳି ସବୁ ଶ୍ରମିକମାନେ ଏଗ୍ରିମେଣ୍ଟ କରି ନିଜର ଓ ନୀଜ ପିଲାଛୁଆଙ୍କ ମୁଣ୍ଡବିକି ଆଗତୁରା ଟଙ୍କା ନେଇ ଵିଦେଶକୁ ଯାଉନାହାନ୍ତି । ତଥାପି ଓଡ଼ିଶାରେ ସବୁ ଶ୍ରମିକମାନଙ୍କୁ ଏଠାକାର ଲୋକେ ଦାଦନ କହିଦିଅନ୍ତି ।

ଇଂରେଜ ଅମଳରେ ଗରିମାଟିଆ ଵା ଦାଦନୀ ଏକ ଅଭିଶାପ ଓ ଦାସତ୍ଵର ଚିହ୍ନ ଥିଲା । ଆଜିକାଲି ଓଡ଼ିଶାର ଲୋକେ ଶ୍ରମିକମାନଙ୍କୁ ଦାଦନ କହି ସେମାନଙ୍କୁ ଜାଣତରେ ହେଉ ଵା ଅଜାଣତରେ ହେଉ ଗୋଲାମ୍ ଵା ଦାସ ଅଭିହିତ କରୁଅଛନ୍ତି ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...