Tuesday, March 1, 2022

ଶ୍ରୀଲକ୍ଷ୍ମୀଙ୍କ ଜୀଵନୀ ମାନବଜାତିର କାହାଣୀ


କିଛି ଲୋକ କୁହନ୍ତି  “ମାତା ଲକ୍ଷ୍ମୀ ମେଘନାଦର ଝିଅ।” କିନ୍ତୁ ବହୁତ ଲୋକ ଏହାର ଭେଦ ନଜାଣି ମନ୍ତଵ୍ୟ ରଖନ୍ତି ଯେ ଏହା ଅଶାସ୍ତ୍ରୀୟ କଥା ଏଵଂ ଆଦୌ ଯୁକ୍ତିଯୁକ୍ତ ନୁହେଁ ।  ସାଧାରଣତଃ ଏ ଦେଶର ଲୋକେ ମେଘନାଦର ଦୁଇଗୋଟି ଅର୍ଥକୁ ଭଲ ଭାବରେ ଜାଣନ୍ତି — ରାଵଣ ପୁତ୍ର ମେଘନାଦ ଓ ମେଘର ନାଦ ।

ଏହି ନାମଵାଚକ ଵିଶେଷ୍ୟ ମେଘନାଦ ଶବ୍ଦଟି ବହୁଵ୍ରୀହି ସମାସ ଅନୁସାରେ ମେଘ ଓ ନାଦ ଶବ୍ଦ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି । ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାସ୍ତ କରିଥିଵାରୁ ରାବଣର ଏହି ପରାକ୍ରମୀ ପୁତ୍ରକୁ  ଇନ୍ଦ୍ରଜିତ୍ ମଧ୍ୟ କୁହାଯାଏ । ଇନ୍ଦ୍ରଜିତ ଜନ୍ମ ସମୟରେ ମେଘ ପରି ନାଦ କରି ଥିଵାରୁ ଏହାଙ୍କର ଏହି ନାମକରଣ ହୋଇଥିଲା। ଏହାଙ୍କ ସ୍ତ୍ରୀ ପ୍ରମୀଳା । ଏ ପ୍ରଥମରେ ନାଗ ପାଶରେ ଲକ୍ଷ୍ମଣଙ୍କୁ ବନ୍ଧନ କରିଥିଲେ ଓ ଏହାଙ୍କୁ ପରେ ଲକ୍ଷ୍ମଣ ଵଧ କରିଥିଲେ । ମେଘର ନାଦ ଵା ଧ୍ଵନି ଵା ଵର୍ଷା ସମୟରେ ମେଘର ଘଡ଼ଘଡି଼ ଶବ୍ଦକୁ ମେଘର ନାଦ କୁହାଯାଏ । କିନ୍ତୁ ମେଘନାଦ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ଯଵହାର ରହିଛି... !

ପଳାଶ ଗଛ ଵା Butea frondosaକୁ ମଧ୍ୟ ମେଘନାଦ କୁହନ୍ତି । Amaranthus Polygamus ଵା ଲେଉଟିଆ ଶାଗ ଗଛକୁ ମେଘନାଦ କୁହାଯାଏ । ଵର୍ଷା ଵା ମେଘ ଉଠାଇଵା ବେଳେ ଧ୍ବନି କରେ ବୋଲି  ମଯୁର ଵା ମୟୂରକୁ ମଧ୍ୟ ମେଘନାଦ କୁହନ୍ତି ।

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଵୈଦେହୀଶ ଵିଳାସରେ ଇନ୍ଦ୍ରଜିତ୍ ତଥା ମୟୂର ଅର୍ଥରେ ମେଘନାଦ ଶବ୍ଦର ପ୍ରୟୋଗ କରି ଲେଖିଛନ୍ତି

“ଵୃଷସଦୃଶ ସୁରଭିଆଳି ଗୋଷ୍ଠ
କୋଷ୍ଠିରେ କଲା ସେ କେଳି
ପ୍ରଜପତିଙ୍କ ସମାନେ ଝଳି
ଅନେକ ସୁତ ଯେ।

ଵର୍ଣ୍ଣିଵା କିସ ଜ୍ୟେଷ୍ଠକୁମାର ଜାତ
ରଡ଼ିକି ଶୁଣି କୁମାର ଛାଡି଼ ସେ ମେଘନାଦ
ଉପର ପଡି଼ ଅଚେତ ଯେ।
ବଳେ ମେଘନାଦରୁ ତାହାର ସ୍ୱନ ଯେ।
ବହେ ସେ ମେଘନାଦ ନାମ ପ୍ରଧାନ ଯେ।
ଵନ-ଵେଷ୍ଟିତ ସ୍ଥାନରେ ରହି
ସିଂହ ଶାର୍ଦ୍ଧୂଳ ଵଳିଷ୍ଠେ ହୋଇ,
ଵଇରି-ମୃଗ ପିଶିତ ଧ୍ୟାୟି
ଆଉ ନନ୍ଦନ ଯେ ॥”
ସେହିପରି ବିରାଡ଼ି ଵା ବିଲେଇକୁ ମଧ୍ୟ ମେଘନାଦ କୁହାଯାଏ କାରଣ ମେଘ ହେଲେ ଦେଖାଯାଏ ଅନେକ ସମୟରେ ବିରାଡି଼ମାନେ ଶୁଖିଲା ସ୍ଥାନରେ ପହଞ୍ଚିଵାକୁ ଵ୍ୟାକୁଳ ହୋଇ ମ୍ୟାଁଉ ମ୍ୟାଁଉ ଶବ୍ଦ ରାଵ ଵା ନାଦ କରିଥାନ୍ତି । ବିଲେଇମାନଙ୍କୁ ଓଦା ହେଵା ପସନ୍ଦ ନୁହେଁ ବୋଲି ସେମାନେ ଏଭଳି କରନ୍ତି ।

ଜ୍ଵର ହେଲେ ଆଗେ ଭାରତୀୟ ଵୈଦ୍ୟମାନେ ଏକ ଜାତୀୟ ରସୌଷଧ ଦେଉଥିଲେ ତାକୁ ମେଘନାଦ କୁହାଯାଉଥିଲା । ଏକ ତୋଳା ରୂପା,କଂସା ଓ ତମ୍ବାକୁ  ତତିରାଜର ଚେର ସହିତ ମିଶାଇ କାଢା଼ କରାଯାଏ ଏଵଂ ଏହାକୁ ଛଅଥର ଗଜପୁଟ ପାକ ପରେ ଏହା ପ୍ରସ୍ତୁତ ହେଉଥିଲା । ଏହାର ମାତ୍ରା ଏକ ପାନରେ ଦୁଇରତ୍ତି ହେଉଥିଲା ।

କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵରୁଣଙ୍କର ଏକ ନାମ ମେଘନାଦ ଅଟେ । କଳ୍ପଦ୍ରୁମ ଅଭିଧାନରେ କୁହାଯାଇଛି "ମେଘସ୍ଯ ନାଦ ଇଵ ନାଦ ଯସ୍ଯ" ସେ ମେଘନାଦ । ଷଷ୍ଠୀ ତତ୍' ପୁରୁଷ ସମାସ ଆଧାରରେ ଏ ଶବ୍ଦଟି ସୃଷ୍ଟି ହୋଇଅଛି । ମେଘନାଦ ନାମଧାରୀ ଵରୁଣ ଦ୍ଵାଦଶ ଆଦିତ୍ୟଙ୍କ ମଧ୍ୟରେ ଜଣେ । 
ସେହି ଦ୍ଵାଦଶ ଆଦିତ୍ୟ ହେଲେ ଧାତା, ଅର୍ଯ୍ୟମା,ମିତ୍ର, ଵରୁଣ,ଇନ୍ଦ୍ର,ଵିଵସ୍ବାନ, ପୂଷ,ପର୍ଜନ୍ଯ,ଅଂଶୁମାନ, ଭଵ, ତ୍ଵଷ୍ଟା ଓ ଵିଷ୍ଣୁ ।

ଵରୁଣ ସାକ୍ଷାତ ସାଗର ଅଟନ୍ତି ଏଵଂ ତାଙ୍କ ନାମର ନିରୁକ୍ତି ଏହି କଥା ସ୍ପଷ୍ଟ କରିଥାଏ ।  ଵରୁଣ ଶବ୍ଦକୁ ଵୃ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃ ଧାତୁର ଏକ ଅର୍ଥ ବେଢ଼ିଵା ଏଥିରେ ଉନ ପ୍ରତ୍ୟୟ ଯୁକ୍ତ ହୋଇ ଣତ୍ଵ ଵିଧି ଅନୁସାରେ ର ପରେ ନ ଥିଲେ ଣ ହେଵା ନିୟମ ଯୋଗୁଁ ଯୋଗୁଁ ନ ସ୍ଥାନରେ ଣ ହୋଇ ଵରୁଣ ଶବ୍ଦ ନିଷ୍ପନ୍ନ ହୋଇଛି । ଅର୍ଥାତ୍  ପୃଥିଵୀକୁ ସାଗରଦ୍ବାରା ଯେ ଵେଷ୍ଟନ କରିଅଛନ୍ତି  ସେ ସମୁଦ୍ରପତି ଜଳାଧିପତି ଵରୁଣ ଅଟନ୍ତି । ଵେଦ ଵିଷୟରେ ଗଵେଷଣା କରିଥିଵା ଗଵେଷକ କୁହନ୍ତି ଵୈଦିକଯୁଗରେ ଵରୁଣ ପ୍ରଧାନ ଦେଵତାରୂପେ କଳ୍ପିତ ହୋଇଥିଲେ। ତତ୍ପରେ ତାଙ୍କର ପ୍ରାଧାନ୍ଯ କମିଯାଇ ଇନ୍ଦ୍ରଙ୍କ ପ୍ରାଧାନ୍ଯ ବଢ଼ିଲା। ଵରୁଣ ଅଦିତିଙ୍କ ଆଠ ପୁତ୍ର ମଧ୍ୟରେ ଜଣେ ବୋଲି କଥିତ । ଵେଦରେ ଏ ଜଳର ଅଧିପତି ଦସ୍ଯୁମାନଙ୍କ ନାଶକ ଓ ଦେବତାମାନଙ୍କ ରକ୍ଷକ ବୋଲି କଳ୍ପିତ। ଏହାଙ୍କର ଅସ୍ତ୍ର ପାଶ ଅଟଇ । ପୁରାଣମାନଙ୍କରେ ଏ ପଶ୍ଚିମ ଦିଗର ଦିକ୍ପାଳ ଥିଵାର ଉଲ୍ଲେଖ ଅଛି। କାବ୍ଯାଦିରେ ବରୁଣଙ୍କୁ ଵରୁଣରସର ଅଧିଷ୍ଠାତା ରୂପେ କଳ୍ପିତ କରାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଵରୁଣ ଶତଭିକ୍ଷା ନକ୍ଷତ୍ରର ଅଧିଷ୍ଠାତା ଦେଵ ଅଟନ୍ତି । ବରୁଣଙ୍କ ଅନ୍ୟ ଅନେକ ସଂସ୍କୃତ ନାମ ଯଥା— ପ୍ରଚେତା, ପାଶୀ ,ଯାଦସାଂପତି, ଅପ୍ପତି,ଯାଦଃପତି, ଜମ୍ବୁକ, ମେଘନାଦ, ପରଞ୍ଜୟ, ଲୋମ କୁଣ୍ଡଳୀ ଓ ଅପାମ୍ପତ ଇତ୍ୟାଦି ରହିଛି ।

ପୂର୍ଵେ କେଵଳ ଭାରତ ନୁହେଁ ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଜଳଦେଵ,ସାଗର ଦେଵଙ୍କର ଆରାଧନା ହେଉଥିଲା । ଲିଥୁଆନିଆ ପୌରାଣିକ କଥାର angpūtys ଦେଵ ସାଗର ତଥା ଵିଜୁଳିର ଦେଵତା ହୋଇଥିଵା ବେଳେ Salvic ସଂସ୍କୃତିର Morskoi ସମୁଦ୍ରର ରାଜା ତଥା ଭଗଵାନ ବୋଲି ଵିଶ୍ଵାସ ପ୍ରଚଳିତ ଥିଲା । Irishମାନେ ସମୁଦ୍ରଦେଵଙ୍କୁ Lir ତଥା  Welsh ଲୋକେ Llŷr ଭାବେ ପୂଜା କରୁଥିଲେ Lusitanian ଲୋକେ Duberdicusଙ୍କୁ ସାଗର ତଥା ନଦୀଗୁଡି଼କର ଅଧିପତି ଭାବେ ମାନୁଥିଲେ । Norsh— Germany ସଂସ୍କୃତିରେ Njordଙ୍କୁ ସମୁଦ୍ରଦେଵ ଭାବରେ ଆରାଧନା କରାଯାଉଥିଲା । Greekମାନେ  Poseidon ଏଵଂ ରୋମାନମାନେ
Neptuneଙ୍କୁ ସମୁଦ୍ରର ମୁଖ୍ୟ ଦେଵତା ଭାବେ ଗ୍ରହଣ କରି ତାଙ୍କର ପୂଜା କରୁଥିଲେ । ସେହିପରି ପ୍ରାଚୀନ Hittiteମାନଙ୍କର ସମୁଦ୍ର ଦେଵ ଥିଲେ
Aruna ଓ ତାଙ୍କ ପିତା Kamrusepa ।‌
ପୃଥିଵୀରେ ମୁସଲମାନ,ଖ୍ରୀଷ୍ଟିଆନ ଓ ଇହୁଦୀମାନଙ୍କର ଏକେଶ୍ଵରଵାଦ ଧର୍ମମତ ପ୍ରଚାର ପ୍ରସାରର  ପୂର୍ଵରୁ ପ୍ରାୟ ସର୍ଵତ୍ର ମାନଵମାନେ ବହୁ ଈଶ୍ଵରଵାଦ ଆଧାରରେ ନାନା ଦେଵାଦେଵୀଙ୍କର ଆରାଧନା କରୁଥିଲେ । ପ୍ରକୃତି ପୂଜା ଏହି ବହୁଈଶ୍ଵରଵାଦର ମୂଳ ହେତୁ ଥିଲା ।‌ ଆଜି ପୃଥିଵୀରେ ଅନ୍ୟତ୍ର ବହୁଈଶ୍ଵରଵାଦ ଲୋପ ପାଇଥିଵାବେଳେ କେଵଳ ଭାରତରେ ଏହା ସମ୍ପୂର୍ଣ୍ଣ ଭାବେ ବଞ୍ଚିରହିଛି ।

ଅସ୍ତୁ ମେଘନାଦ ପ୍ରସଙ୍ଗରୁ ସ୍ପଷ୍ଟ ହୁଏ ଯେ ମାତା ଲକ୍ଷ୍ମୀ ମେଘନାଦ ଵା ଵରୁଣ ଅର୍ଥାତ୍ ସମୁଦ୍ରଦେଵଙ୍କ କନ୍ୟା । ଭାରତୀୟ ପୌରାଣିକ ମତ ଅନୁସାରେ ଶ୍ରୀଲକ୍ଷ୍ମୀଙ୍କର ଜନ୍ମ ସମୁଦ୍ର ମନ୍ଥନରୁ ହୋଇଥିଲା । ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଲକ୍ଷ୍ମୀ ଅର୍ଥାତ୍ ଧନର ଏକ ବଡ଼ ପରିମାଣ ମାନଵମାନଙ୍କୁ ସମୁଦ୍ରରୁ ହିଁ ପ୍ରାପ୍ତ ହୋଇଥାଏ । ପୂର୍ଵକାଳରେ ଅର୍ଥର ପ୍ରତୀକ ଭାବରେ ଏ ଦେଶରେ ପ୍ରଚଳିତ କଉଡ଼ି ,ସମୁଦ୍ରରୁ ପ୍ରାପ୍ତ ହେଉଥିଲା । ଲୋକେ ସମୁଦ୍ରରୁ ମୋତି ଓ ଅନ୍ୟ ମୂଲ୍ୟଵାନ ଵସ୍ତୁ ପ୍ରାପ୍ତ କରୁଥିଲେ । ସମୁଦ୍ରରୁ ମତ୍ସ୍ୟ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀଵ ମଧ୍ୟ ମିଳନ୍ତି ଯହିଁର ଵିକ୍ରୀଦ୍ଵାରା ଧନ ପ୍ରାପ୍ତ ହେଇଥାଏ । ମାନଵମାନେ ସମୁଦ୍ର ଓ ନଦୀକୂଳରେ ଵସଵାସ କରିଵାପରେ ଜଳଦେଵତା ଓ ସମୁଦ୍ରଦେଵତାଙ୍କ ଆରାଧନା କରିଵା ଆରମ୍ଭ କଲେ ।  ସମୁଦ୍ର,ନଦୀ ଆଦି ମନୁଷ୍ୟମାନଙ୍କର ଖାଦ୍ୟାଭାଵ ପୂର୍ତ୍ତି କରୁଥିଵାରୁ ତଥା ଵିପଦରୁ ରକ୍ଷା ପାଇଵା ହେତୁରୁ ମାନଵମାନେ ଜଳଦେଵତାଙ୍କର ଆରାଧନା କଲେ । ନଦୀମାନଙ୍କୁ ଦେଵୀ ଭାବେ ସମ୍ମାନିତ ହେଲେ ଏଵଂ ଜଳ ଦେଵତାଙ୍କୁ ପ୍ରଧାନ ଦେବତାମାନଙ୍କ‌ ମଧ୍ୟରେ ଗଣନା କରାଗଲା। ପ୍ରକୃତରେ ସମୁଦ୍ରରେ ସ୍ଥଳଭାଗ ଅପେକ୍ଷା ଅନେକଗୁଣ ଅଧିକ ସମ୍ପଦ ଵିଦ୍ୟମାନ । ଏଣୁ ଵାସ୍ତୁଵାଦ ଦୃଷ୍ଟିରୁ ମଧ୍ୟ ଵରୁଣ ଦେଵ ଵା ସମୁଦ୍ରଙ୍କୁ ଶ୍ରୀଲକ୍ଷ୍ମୀ ଵା ଧନସମ୍ପଦର ପିତା ବୋଲି କୁହାଯିଵା ଅଯୁକ୍ତିଯୁକ୍ତ ନୁହେଁ ।

ପୁନଶ୍ଚ ଶ୍ରୀଲକ୍ଷ୍ମୀଙ୍କର ଶାଶୁଘର ଭାବେ କଥିତ ଶ୍ରୀମନ୍ଦିରର ପାଚେରୀକୁ ମଧ୍ୟ ମେଘନାଦ ପାଚେରୀ କୁହାଯାଏ । ପୌରାଣିକ ମତ ଅନୁସାରେ ଏହା ଵରୁଣ ଦେଵ ନିର୍ମାଣ କରାଇଥିଲେ । ତେବେ ପ୍ରାଚୀନ ରହସ୍ୟ ମଞ୍ଜରୀ କାଵ୍ୟରେ ମେଘନାଦ ଶବ୍ଦ ଅତି ଉଚ୍ଚ ପ୍ରଚୀର ଅର୍ଥରେ ପ୍ରୟୋଗ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ ।

“କ୍ରୌଞ୍ଚ ଗଵାକ୍ଷ ମେଘନାଦ ଭାଜିଲା।”

  ଏଭଳି ଅତି ଉଚ୍ଚ ପ୍ରାଚୀର ମେଘର ନାଦକୁ ଵା ମେଘନାଦ ଅର୍ଥାତ୍ ସମୁଦ୍ରର ଘୋ ଘୋ ଶବ୍ଦକୁ ସୁଦ୍ଧା ଅଟକାଇ ଘର, ମନ୍ଦିର ଵା ପ୍ରାସାଦ ମଧ୍ୟକୁ ଆସିଵାକୁ ଦିଏ ନାହିଁ ବୋଲି ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀର ନାମ ପଡି଼ଥାଇପାରେ ।
ତେବେ ଉଲ୍ଲେଖଯୋଗ୍ୟ ଯେ ଦେଵୀ ଲକ୍ଷ୍ମୀ ପ୍ରଥମେ ଭୃଗୁଋଷିଙ୍କର କନ୍ୟା ହୋଇ ଜାତ ହୋଇଥିଵାରୁ ଏହାଙ୍କର ଅନ୍ୟନାମ ଭାର୍ଗଵୀ ମଧ୍ୟ ଅଟଇ । ଭୃଗୁ ଦୁଇଥର ଜନ୍ମଲଭିଛନ୍ତି । ଭୃଗୁ ପ୍ରଥମଥର ବ୍ରହ୍ମାଙ୍କ ଚର୍ମରୁ ଓ ଦ୍ଵିତୀୟଥର ଦକ୍ଷଯଜ୍ଞକାଳରେ ନିହତ ହେଵାରୁ ପରେ ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡର ଅଗ୍ନିରୁ ଵୈଵସ୍ଵତ ମନ୍ଵନ୍ତରରେ ଜାତ ହୋଇଥିଲେ । ଭୃଗୁ ଦ୍ଵିତୀୟ ଥର ଵରୁଣ ଦେଵଙ୍କ ଯଜ୍ଞକୁଣ୍ଡରୁ ଜନ୍ମ ଲଭିଵାରୁ ତାଙ୍କୁ ଵାରୁଣୀ ଭୃଗୁ କୁହାଗଲା ।

ଗରୁଡ଼ ପୁରାଣ,ଲିଙ୍ଗପୁରାଣ ଓ ପଦ୍ମପୁରାଣ ଅନୁସାରେ ଦେଵୀ ଲକ୍ଷ୍ମୀ “ବ୍ରହ୍ମାପୁତ୍ର ଭୃଗୁ ଋଷି” ତଥା ତାଙ୍କ ପତ୍ନୀ ଖ୍ୟାତିଙ୍କଠାରୁ
ଜାତ ହୋଇଥିଲେ । ପୁରାଣ କଥାନୁସାରେ କର୍ଦ୍ଦମମୁନୀଙ୍କ କନ୍ୟା ଖ୍ୟାତିଙ୍କୁ ଭୃଗୁ ଋଷି ଵିଵାହ କରିଥିଲେ ଏଵଂ ଏହାଙ୍କର ଧାତା,ଵିଧାତା ଦୁଇ ପୁତ୍ର ଓ କନ୍ୟା ଶ୍ରୀଃ ଵା ଶ୍ରୀଲକ୍ଷ୍ମୀ ଜାତ ହୋଇଥିଲେ ।‌ ଅନ୍ୟ କେତେକ ପୁରାଣରେ ଭୃଗୁଙ୍କ ଅନ୍ୟ ଏକପୁତ୍ରର ନାମ କଵି ଉଲ୍ଲେଖ ରହିଛି ।‌

  ଅଗ୍ନିପୁରାଣର ଵରସର୍ଗ ଅଧ୍ୟାୟରେ ଭୃଗୁଙ୍କ ଵିଷୟରେ କଥିତ ଅଛି ...
“ଭୃଗୋଃ ଖ୍ଯାତ୍ଯାଂ ସମୁତ୍ପନ୍ନା ଶ୍ରୀଃ ପୂର୍ବ୍ବମୁଦଧେଃ ପୁନଃ ।
ତଥା ଧାତା ଵିଧାତା ଚ ତସ୍ଯାଂ ଜାତୌ ଭୃଗୋଃ ସୁତୌ ॥
ଆୟତିର୍ନିୟତିଶ୍ଚୈଵ ମେରୁକନ୍ଯେ ମହାପ୍ରଭୋଃ ।
ଘାତୁର୍ଵିଧାତୁସ୍ତେ ଭାର୍ଯ୍ଯେ ଯଯୋର୍ଜାତୌ ସୁତାଵୁଭୌ ॥
ପ୍ରାଣଶ୍ଚୈଵ ମୃକଣ୍ଡୁଶ୍ଚ ମାର୍କଣ୍ଡେୟୋ ମୃକଣ୍ଡୁତଃ ।
ତତୋ ଵେଦଶିରା ଜଜ୍ଞେ ପ୍ରାଣସ୍ଯ ଦ୍ଯୁତିମାନ୍ ମୁତଃ ॥
ତତୋ ଵଂଶୋ ମୁନିଶ୍ରେଷ୍ଠା ଵିସ୍ତରଂ ଭାର୍ଗଵୋ ଗତଃ ।”

ଦ୍ଵିତୀୟ ଥର ଭୃଗୁ ଵରୁଣଦେଵଙ୍କ ଯଜ୍ଞକୁଣ୍ଡରୁ ଵାରୁଣୀ ଭୃଗୁ ଭାବରେ ଜାତ ହେଲେ ଏଵଂ ଭୂତ,ଚ୍ୟଵନ,ଵଜ୍ରଶୀର୍ଷ,ସୁଚୀ,ଶୁକ୍ର ଓ ସଵନ ଓ ଵିଭୁ ଆଦି ସପ୍ତପୁତ୍ରର ପିତା ହୋଇଥିଲେ ।

ଏଣୁ ଶ୍ରୀଲକ୍ଷ୍ମୀ ପ୍ରଥମେ ବ୍ରହ୍ମାପୁତ୍ର ଭୃଗୁଋଷି(ଵାରୁଣୀ ଭୃଗୁ ନୁହେଁ)ଙ୍କ କନ୍ୟା ରୂପରେ ଜାତ ହୋଇ ପରେ ମହାଵିଷ୍ଣୁଙ୍କ ଆଜ୍ଞାରେ ପୁନର୍ଵାର ସମୁଦ୍ରମନ୍ଥନରୁ ଜାତ ହୋଇଥିଵା ଭାରତୀୟ ପୁରାଣ ଗ୍ରନ୍ଥାଦିରେ ଉଲ୍ଲେଖ ଅଛି ।‌

କିନ୍ତୁ ଭୃଗୁ କହିଲେ କେଵଳ ଜଣେ ଋଷିଙ୍କର ନାଆଁ ନୁହେଁ । ଅତ୍ଯୁଚ୍ଚ ସ୍ଥାନ,ପର୍ଵତର ତାଳୁଦେଶ, ପର୍ଵତର ଗଡ଼ାଣିଆ ସ୍ଥାନ,ପ୍ରପାତ,ପର୍ଵତର ତାଳୁଦେଶରେ ଥିଵା ସମତଳ ଭୂମିକୁ ମଧ୍ୟ ଭୃଗୁ କୁହାଯାଏ । ଭୃଗୁଙ୍କ ନାମୋଲ୍ଲେଖ  ଋକଵେଦରେ ଥିଵାରୁ ଭୃଗୁ ଶବ୍ଦର ପ୍ରାଚୀନତା ଵିଷୟରେ ସନ୍ଦେହ ରୁହେ ନାହିଁ ‌ । 

ତେବେ ଭୃଗୁଶବ୍ଦର ଅନ୍ୟାନ୍ୟ ଅର୍ଥ ଯଥା ପର୍ଵତ , ଜଳପ୍ରପାତ ଓ ପାର୍ଵତ୍ୟ ସମତଳ ଭୂମି ଇତ୍ୟାଦିକୁ ଵିଚାର କରି ଦେଖିଲେ ମନରେ ପ୍ରଶ୍ନ ଆସେ ଯେ ପ୍ରାଚୀନ କାଳରେ ଏସବୁରୁ ମନୁଷ୍ୟମାନଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହେଉଥିଲେ ବୋଲି କ'ଣ ଭୃଗୁଋଷିଙ୍କୁ ଏହାର ଅଧିଷ୍ଠାତା ଵିଚାର କରି ତାଙ୍କର କନ୍ୟାରୂପେ ଶ୍ରୀଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଥିଲା  ?
ବହୁତ ସମ୍ଭଵ ପ୍ରାରମ୍ଭିକ ଭାରତରେ ଲୋକମାନେ ପର୍ଵତଵାସୀ ଥିଲେ ତେଣୁ ତାଙ୍କ ପାଇଁ ଲକ୍ଷ୍ମୀ ଵା ଧନସମ୍ପଦ ଥିଲା ପର୍ଵତର ତାଳୁଦେଶରେ ଅଵସ୍ଥିତ ତାଙ୍କର ଅତ୍ୟୁଚ୍ଚ ଵାସଭୂମି । ସେତେବେଳେ ପର୍ଵତର ଉଚ୍ଚ ସ୍ଥାନରେ ଅଵସ୍ଥିତ ଗୁମ୍ଫା ହିଁ ଥିଲା ମାନଵ ଜୀଵନର ଅମୂଲ୍ୟ ସମ୍ପଦ । ପାର୍ଵତ୍ୟ ଗୁମ୍ଫା ଵିନା ହିଂସ୍ରଜନ୍ତୁପୂର୍ଣ୍ଣ ତତ୍କାଳୀନ ପୃଥିଵୀରେ ମାନଵ ଜୀଵନ ଵିପନ୍ନ ହୋଇଯାଉଥିଲା । ସେ ଯୁଗରେ
ପାହାଡ଼ ତଳକୁ ଓହ୍ଲେଇ ଵିପଦ ଵରଣ କରିଵାକୁ ପ୍ରାଚୀନ ମାନଵ ସେତେ ଶ୍ରେୟସ୍କର ମଣୁନଥିଲେ । ତେଣୁ ସେତେବେଳେ ଜଳପ୍ରପାତ ଥିଲା ଜଳ ସଂଗ୍ରହର ମୂଲ୍ୟଵାନ ଉତ୍ସ । ଧୀରେ ଧୀରେ ଏହି ପର୍ଵତଵାସୀ ପ୍ରାଚୀନ ଭାରତୀୟମାନେ ଚାଷ କରିଵାରେ ଵ୍ରତୀ ହେଲେ ଏଵଂ ପର୍ଵତର ତାଳୁଦେଶରେ ସ୍ଥିତ ସମତଳଭୂମି ହେଲା ତାଙ୍କର ପ୍ରାଥମିକ କୃଷିଭୂମି । କ୍ରମଶଃ ଚାଷଵାସ ଵୃଦ୍ଧି ପାଇଲା ଏଵଂ ପର୍ଵତ ପାଦଦେଶରେ ଜନଵସତି ଗଢି଼ଉଠିଲା । ମନୁଷ୍ୟମାନେ ପରେ ପରେ ଜଳମୟ ସ୍ଥାନର ସନ୍ଧାନରେ ନଦୀ ଓ ସମୁଦ୍ରକୂଳରେ ଵସତି ସ୍ଥାପନ କରିଥିଲେ ।
  ତାହେଲେ  ସମୁଦ୍ର ମନ୍ଥନ କାହାଣୀ ଆଉ ପ୍ରାଚୀନ ମାନଵଜାତିଦ୍ଵାରା ସମୁଦ୍ର ମଧ୍ୟରେ ଶତାଧିକ ଯାତ୍ରାର କାହାଣୀ ନୁହେଁ ତ ?
ସମୁଦ୍ର ଯାତ୍ରା ଉଭୟ ସକାରାତ୍ମକ ଓ ନକାରାତ୍ମକ ପକ୍ଷର ମାନଵମାନେ କରିଥିବେ । ସକାରାତ୍ମକ ମାନଵ ଦେଵତା ତଥା ନକାରାତ୍ମକ ମାନଵମାନେ ଦାନଵ ଭାବେ ଗଣା ହେଲେ ।  ସମୁଦ୍ରଯାତ୍ରାରୁ ପ୍ରଥମେ ଵିଷରୂପକ ସମସ୍ୟାମାନ ପ୍ରାପ୍ତ ହୋଇଥିଵ ଯହିଁର ଶିଵ ରୂପି ଜ୍ଞାନୀମାନେ ନିଜ ଜ୍ଞାନ ରୂପକ ଶକ୍ତିଦ୍ଵାରା ସମାଧାନ କରିଥିବେ । ଶେଷରେ ଅନେକ ଧନରତ୍ନ ଲାଭ କରି ମାନଵମାନେ ଵିଭିନ୍ନ ଦେଶରୁ ଜ୍ଞାନ ,ଭୂମି, ସମ୍ମାନ ଓ ଵିଜ୍ଞାନ ରୂପ ଅମୃତ ଲାଭ କରିଥିଲେ ।

© ଶିଶିର ସାହୁ ମନୋଜ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...