Friday, September 28, 2018

ମାଙ୍କଡ଼

ଦେଶର କୌଣସି ଏକ ଅଳ୍ପ ବିକଶିତ ସହରରେ ଥରେ ଜଣେ ବେପାରୀ ଆସି ପହଞ୍ଚିଲେ । ସେ ଲୋକ ଙ୍କୁ ମାଙ୍କଡ଼ ଧରି ଆଣିଲେ 100 ଟଙ୍କା ଦେବେ ବୋଲୀ ପ୍ରତିଶୃତି ଦେଲେ ।

ଲୋକେ ଦୌଡ଼ାଦୌଡ଼ି କରି ମାଙ୍କଡ଼ ଧରିବାରେ ଲାଗିପଡ଼ିଲେ । କିଛିଦିନ ପରେ ଲୋକମାନଙ୍କର ଭିଡ଼ କମି କମି ଆସିଲା ।

ବେପାରୀ ଜଣକ ପୁଣି ଘୋଷଣା କଲେ ମୁଁ ପ୍ରତି ମାଁକଡ଼ ପାଇଁ 200 ଟଙ୍କା ଲେଖାଏଁ ଦେବି । ଲୋକେ ଏଥର ଅଧିକ ଧନଲାଭ ଆଶାରେ ମାଙ୍କଡ଼ ଧରିବାରେ ଲାଗିଗଲେ ।

ଅଳ୍ପ ଦିନ ଭିତରେ ଜଙ୍ଗଲ ରୁ ସବୁ ମାଙ୍କଡ଼ ଧରା ହୋଇଗଲେ ।  ଏଥର ବେପାରୀ ପ୍ରତି ମାଙ୍କଡ଼ 1000 ଟଙ୍କା ଲେଖାଏଁ ଦେବେ ବୋଲି ପ୍ରତିଶୃତି ଦେଲେ ଏବଂ ଜଣେ ମେନେଜର କୁ ନେଣଦେଣ ର ଦାୟିତ୍ବ ଦେଇ ବଡ଼ ସହରକୁ ଚାଲିଗଲେ ।

କଡ଼ା ପରିଶ୍ରମ କରିମଧ୍ଯ ଲୋକଙ୍କୁ ମାଙ୍କଡ଼ ମିଳିଲେନି । ମେନେଜର ଛୋଟ ସହର ର ଲୋକଙ୍କୁ କହିଲେ ଆପଣ ମାନେ 700 ଟଙ୍କା ଲେଖାଏଁ ଦେଇ ଧରାଯାଇଥିବା ମାଙ୍କଡ଼ କିଣନ୍ତୁ ପରେ ତାକୁ ଆମ ବଡ଼ବାବୁଙ୍କୁ 1000 ଟଙ୍କା ରେ ବିକିଦେବେ ।

ଲୋକଙ୍କୁ ଏ ପ୍ରସ୍ତାବ ଖୁବ ଭଲଲାଗିଲା । ସଭିଏଁ  700 ଟଙ୍କା ଦେଇ ମାଙ୍କଡ଼ କିଣିଲେ । ତା ପର ଦିନ ଦେଖିଲା ବେଳ କୁ କଣ ନା ମେନେଜର ମାଲିକ କମ୍ପାନୀ ସଭିଏଁ ଗାଏବ !!!! 

💫💫💫ଚମତ୍କାର💦💦💦

ଥରେ  ଏକ ଜଙ୍ଗଲ ରେ ଭୟଙ୍କର ନିଆଁ  ଲାଗିଗଲା ଏବଂ ଜଙ୍ଗଲ ର ଏକ ବଡ଼ ଅଂଶ ଜଳି ପାଉଁଶ ହୋଇଗଲା । ଜଙ୍ଗଲ ରେ ଏକ ଗୁରୁ ଆଶ୍ରମ ଥିଲା । ଯେତେବେଳେ ଜଙ୍ଗଲ ର ନିଆଁ ଶାନ୍ତ ହେଲା  ଗୁରୁ  ନିଜ ଶିଷ୍ୟ ମାନଙ୍କୁ ଡ଼ାକି ସେମାନଙ୍କୁ ଆଜ୍ଞା ଦେଲେ କି ଜଙ୍ଗଲ କୁ ପୁଣିଥରେ ସବୁଜ ସୁନ୍ଦର କରିବା ହେତୁ  ଦେବଦାରୁ  ଵୃକ୍ଷାରୋପଣ କରାଯାଉ ।
ଜଣେ ସନ୍ଦେହୀ ଶିଷ୍ୟର ମନରେ  ଶଙ୍କା ଜାତ ହେଲା  - ସେ ପଚାରିଲା
“ହେ ଗୁରୁଦେବ !   ଦେବଦାରୁ ଗଛ  ବଡ ହେବାକୁ ଅନେକ ସମୟ ନିଏ ? ଆପଣ ଯେହେତୁ ସର୍ବଶକ୍ତିମାନ ନିଜର ଦୈବୀ ଶକ୍ତି ବଳରେ ଆପଣ ଏହା କିଛି ସମୟ ମଧ୍ୟରେ ସମ୍ଭବ କରିପାରନ୍ତେ ?”

ଗୁରୁଦେବ କହିଲେ :- ଚମତ୍କାର କରିବା ବଡକଥା ନୁହେଁ ଏ ପ୍ରକାର ର ଚମତ୍କାର
ତୁମେ ବି କରିପାରିବ କିନ୍ତୁ ସତ୍ୟର ପଥ ସଦା କଣ୍ଟକିତ ହୋଇଥାଏ ।
ତାକୁ ବିନା ଚମତ୍କାର ରେ ଏବଂ ପରିଶ୍ରମ କରି ହିଁ ପାର କରିବାକୁ ହୋଇଥାଏ  !

Monday, September 24, 2018

ପ୍ରଥମେ ବନ୍ଦିଲି ଓଡ଼ିଶା ଜଗନ୍ନାଥ

ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼ ଧାଇଁ ମୁଁ.....
ଧାଇଁ ମୁଁ ଧପଡ଼
ଧପଡ଼ ଆଜି ମୁଁ ମୃଦଙ୍ଗେ ଦେଲି ହସ୍ତ
ପ୍ରଥମେ ବନ୍ଦିଲି ଯେ ଓଡ଼ିଶା ଜଗନ୍ନାଥ.....

ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ବଡ଼ ଦେଉଳରେ କିଏ ବାନ୍ଧେ ନେତ
ଓଡ଼ିଶାକୁ ଦିଗଵାରିଣୀ ଯେ ନନ୍ଦିଘୋଷ ରଥ....

ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ..........

ଶ୍ରୀନୀଳକନ୍ଦରେ ବିଜେ ନରହରି
ଶଙ୍ଖ ଚକ୍ର ଗଦା ତା ରଙ୍ଗ ହସ୍ତେ ଧରି....
ଶ୍ରୀୟାଦେଵୀ ଲକ୍ଷ୍ମୀ ଖଟନ୍ତି ଶ୍ରୀପୟର
ଶଂସୟ ଫିଟାଇ ମୁଢରେ ମନରେ ପସରେ ତୁ...
ଶରଣରେ.....

ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ..........

ବଡ଼ ଦେଉଳ କୁ ସ୍ଥିରକରି ଅନା
ଉପରେ ଉଡୁଛି ନୀଳଚକ୍ର ବାନା
କବାଟ ଫିଟିଲେ ଦେଖିବୁ କାଳିଆ
କବାଟ ଫିଟିଲେ ଦେଖିବୁ କାଳିଆ
ଦାରୁବ୍ରହ୍ମରେ.......

ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼
ଧାଇଁ ମୁଁ ଧପଡ଼ ଧାଇଁ ମୁଁ.....
ଧାଇଁ ମୁଁ ଧପଡ଼
ଧପଡ଼ ଆଜି ମୁଁ ମୃଦଙ୍ଗେ ଦେଲି ହସ୍ତ
ପ୍ରଥମେ ବନ୍ଦିଲି ଯେ ଓଡ଼ିଶା ଜଗନ୍ନାଥ.....

✍✍✍✍ସଭା✍✍✍✍


..............
ହଟାତ୍ ଏକ ସଭାରେ ଭୀଷଣ ଗୋଳ ହୋଇଗଲା । ମଞ୍ଚାସୀନ ଜଣେ ଵକ୍ତା ଏକ ଟିପ୍ପଣୀ କରିଥିଲେ ଯାହାର ମଞ୍ଚ ସଞ୍ଚାଳକ (ମାଇକ ଉପରେ) ପୁନଃ ପୁନଃ ଆବୃତି କରିଥିଲେ ।
କଥାଟା ନିତାନ୍ତ ଗୋଳମାଳିଆ ହେଇଗଲା ।
ଟିପ୍ପଣୀକାର ନିଜକୁ ଦୋଷହୀନ ପ୍ରମାଣ କରିବାକୁ ଯାଇ ଆପଣା ପକ୍ଷ ରଖିଲେ ଯେ ସେ ଆଦୌ କୌଣସି ଆପତ୍ତିଜନକ ଟିପ୍ପଣୀ କରିନାହାନ୍ତି ।
ଏଣେ ସଞ୍ଚାଳକ ମହୋଦୟ ମଧ୍ଯ
ସେ ଯାହା କହିଛନ୍ତି ତାହା ଟିପ୍ପଣୀକାର ଵକ୍ତା କହିଥିବା କଥାର ଅଵିକଳ ନକଲ ଏଵଂ ସେ  ପଦୁଏ ବି ଅଧିକ କହିନାହାନ୍ତି ବୋଲି ଅଡି଼ ବସିଥାନ୍ତି ।
ସହସା ସଭାଟା ଦୁଇ ଦଳରେ ଵିଭକ୍ତ ହେଇଗଲା ....
ଦଳେ ଵକ୍ତାଙ୍କ ପକ୍ଷର ହୋଇଗଲେ।ଆଉ ଦଳେ ସଞ୍ଚାଳକଙ୍କୁ ସମର୍ଥନ କରିବାକୁ ଲାଗିଲେ ।

ଦୁଇ ପକ୍ଷର  ଲୋକ
ଆପଣା ଆପଣା ତର୍କ,ମତ ଓ ସାକ୍ଷ୍ୟ ଧରି ସ୍ଵୟଂ ର ପକ୍ଷକୁ ଠିକ୍ ବୋଲି ପ୍ରମାଣ କରିବାକୁ ଲାଗିପଡିଥାନ୍ତି .....

ସେହି ମାନଙ୍କ ମଧ୍ୟରେ ଏକ ଚତୁର୍ଥ ଵ୍ୟକ୍ତି ବି ରହିଥିଲା ଯାହାକୁ କି ସବୁ ସତ୍ୟ ଜଣାଥିଲା
କିନ୍ତୁ ଦୁର୍ଭାଗ୍ୟକୁ ସେ ଲୋକଟି ବି ମୂକ ଥିଲା.....

ଵ୍ୟଙ୍ଗ ସମ୍ରାଟ ହରିଶଙ୍କର ପରସାଈଙ୍କର ଏକ ଵ୍ୟଙ୍ଗକଥା सभा ର ଓଡ଼ିଆ ଭାଵାନୁଵାଦ

ଗଧ ଓ ବେପାରୀ

ଜଣେ ଲୁଣ ବେପାରୀ ନିଜ ଗଧ ପିଠିରେ ଲୁଣ ଲଦି ହାଟକୁ ବିକିବାକୁ ଯାଏ । ସେ ଯେଉଁ ବାଟ ଦେଇ ଯାଏ ସେହି ବାଟରେ ଗୋଟାଏ ନଦୀ ପଡେ଼ । ସକାଳୁ ସକାଳୁ ଘରୁ ବାହାରି ନଦୀ ପାଖରେ ପହଞ୍ଚିଲାବେଳକୁ ବେପାରୀକୁ ଭୋକ ଲାଗିଯାଏ ତେଣୁ ସେ ନଦୀକୂଳରେ ଗଧକୁ ଘାସ ଖାଇବାକୁ ଛାଡ଼ି ସ୍ଵୟଂ ଭୋଜନ କରିବାରେ ଲାଗିଯାଏ । କିନ୍ତୁ ବେପାରୀର ଗଧ ଟା ବଡ଼ ଚାଲାକ୍ ଥିଲା । ସେ କଣ୍ କରୁଥିଲା ନା  ଅଗଭୀର ନଦୀ ଭିତରେ କିଛି ସମୟ ଛିଡା଼ ହେଇପଡୁ଼ଥିଲା ଫଳରେ ତା ଉପରେ ଲଦା ହୋଇଥିବା ଲୁଣରୁ କିଛି ନଦୀପାଣିରେ ଧୋଇ ହେଇ ଯାଉଥିଲା ।

ଏମିତି ବହୁତ ଦିନ ଧରି ଚାଲିଲା କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନି । ଦିନେ ବେପାରୀ ଗଧର ଏ କାଣ୍ଡ ଦେଖି ତାଟକା ହେଇ ରହିଗଲା । ତାପରେ ସେ ଗଧକୁ ପାନେ ଦେବାକୁ ମନେ ମନେ ସ୍ଥିର କରି ସେହି ଦେଶର ଜଣେ ଵୟୋବୃଦ୍ଧ ଵିଦ୍ଵାନ ଵ୍ୟକ୍ତି ପାଖକୁ ଯାଇ ତାଙ୍କୁ  ପୂର୍ଵଵର୍ତ୍ତୀ ଘଟଣାମାନ ସବୁ କହି ଶୁଣେଇଲା ।
ବୃଦ୍ଧ ଜଣକ ବେପାରୀକୁ ଗୋଟାଏ ଉପାୟ ବତେଇ ଦେଲେ ।

ତା ପରଦିନ ବେପାରୀ ଜଣକ ଗଧ ଉପରେ କପା ଲାଦି ହାଟ ଅଭିମୁଖେ ଚାଲିଲା । ବାଟରେ ସବୁଦିନ ଭଳି ନଈକୂଳରେ ଗଧ ଓ ମାଲିକ ରହିଲେ । ଅଭ୍ୟାସ ଅନୁସାରେ ଗଧ ପୂର୍ଵ ପରି ନଦୀ ଭିତରେ ପଶିଯାଇ କିଛି ସମୟ ପାଣିରେ ରହିଲା କିନ୍ତୁ ଯେତେବେଳେ ସେ ପଦାକୁ ବାହାରିବାକୁ ଚେଷ୍ଟା କଲା ପାଣିରେ
ଭିଜିଯାଇଥିବା କପାର ଓଜନ ବଢିଯିବା ହେତୁରୁ ତା ଅଵସ୍ଥା ଅତି ଦୟନୀୟ ହୋଇଗଲା ।
 

Thursday, September 20, 2018

ଉଡ୍ର ଵା ଓଡ଼ିଆ ଓ ଓଡ଼ିଶା ଆଦି ଶବ୍ଦ ବଙ୍ଗାଳି ଓରିଶାଲାରୁ ଆସିଅଛି କି ?

ଆମର ଜଣେ ସଙ୍କରା(Hybrid) ଭାଇ
‛ଅଭିଜିତ ଅୟର ମିତ୍ର’ ଲେଖିଲେ
ବଙ୍ଗଳା ଭାଷାର “ଉରି ଶାଲା(ଏ ଶଳା)”
ସମ୍ବୋଧନରୁ ‛ଓରିଆ’ ଓ ‛ଓରିଶ୍ହା’ ଆଦି ଶବ୍ଦ  ସୃଷ୍ଟି ହୋଇଛି 😀😀😀
ଆମ ଜାଣିବାରେ ଓଡ଼ିଆ ଏବଂ ଓଡ଼ିଶା
ଶବ୍ଦ ଦ୍ଵୟ ସଂସ୍କୃତ “ଉଡ୍ର/ଓଡ୍ର” ଶବ୍ଦରୁ ଆସିଅଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ୍ର/ଉଡ୍ର ଶବ୍ଦର ନିରୁକ୍ତି ଵ୍ୟାଖ୍ୟା ଅଛି―

➡ଆ=ସମ୍ୟକ+ଉଡ୍ ଧାତୁ(ଆଲିଙ୍ଗନ, ସ୍ତୁତି କରିବା)+ସଂଜ୍ଞାର୍ଥ.ର
ଅର୍ଥାତ୍
“ଯେ ଭାତୃତୁଲ୍ୟ ଅନ୍ୟଜାତୀୟ ଲୋକଙ୍କୁ
ଆଲିଙ୍ଗନ କରନ୍ତି ସେମାନଙ୍କର ମହିମାଗାନ ପୂର୍ଵକ ଉତ୍ସାହିତ କରିନ୍ତି ସେ ଜାତୀୟ ଲୋକ ଉଡ୍ର ଭାବେ ଖ୍ୟାତ ଅଟନ୍ତି ।”
ଓଡ଼ିଆଲୋକେ ଗତ ତିନିଶହ ବର୍ଷ ହେବ ଏ ଦେଶରେ କେତେଯେ ଅପମାନ ସହି ସହି ବଞ୍ଚି ରହିଛନ୍ତି ତା’ କଳନା ବାହାରେ ....
ଦେଶ ଭାଗବଣ୍ଟା ହୋଇ ପଡୋ଼ଶୀ ନେବା ଠାରୁ
ଭାଷାମାରଣ ଓ ନାନାଦି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇ ସୁଦ୍ଧା ଏ କଳିଙ୍ଗଦେଶର ମୋ ଭାଇ ଓ ଭଉଣୀମାନଙ୍କର ଭାରତ-ଭାରତୀପ୍ରୀତି ତଥାପି କାଣିଚାଏ ମଧ୍ଯ ଅଳପ ହୋଇନାହିଁ ।

➡ସେହିପରି
ମୂଳ ଦ୍ରାଵିଡ଼ ପ୍ରାକୃତର ଓଡ଼ ଧାତୁ ର ଅର୍ଥ
ଚାଷ କରିବା....
ଦ୍ରାଵିଡ଼ଭାଷା ପରିଵାରର ସର୍ଵପୁରାତନ ଭାଷା
ହେଉଛି ଏକଦା କଳିଙ୍ଗଭାଷା ନାମରେ
ପୁରାଣପ୍ରସିଦ୍ଧ ଥିବା କୁଇ(କୁଭି)ଭାଷା । ଏ ଭାଷାରେ କୋରାପୁଟ ଅଞ୍ଚଳର କନ୍ଧଜାତୀୟ ଲୋକେ ତଥା ସ୍ଥାନୀୟ ଓଡ଼ିଆମାନେ କଥୋପକଥନ କରିଥାନ୍ତି । ଏହି କୁଇଭାଷାର ଜୋମଳ ଶବ୍ଦରୁ ଚାଉଳ
ତଥା ଜୋମ(ଖାଇବା) ଶବ୍ଦରୁ ଦେଶଜ ଜମବା ଶବ୍ଦ ସୃଷ୍ଟି ହୋଇଛି । ପରଵର୍ତ୍ତୀକାଳରେ ଜୋମ ଶବ୍ଦ ସହ ସଂସ୍କୃତ ଜମ୍ ଧାତୁର ସାମ୍ୟତା ଦେଖି
ଏ ସଂ ଧାତୁର ଅନ୍ୟ ଏକ ଅର୍ଥ ଖାଇବା ହୋଇଥିବା ଅନୁମାନ କରାଯାଏ ।
ଓଡ଼ିଆ ଚାଉଳ ଓ ହିନ୍ଦୀ ଚାଵଲ ର ମୂଳ କୁହେଇଲା ଭଳିଆ ସେଭଳି କୌଣସି ସଂସ୍କୃତ ଶବ୍ଦ ନାହିଁ ତେଣୁ କେତେକ ଭାଷାଵିଦ ମତ ଦିଅନ୍ତି
ଯେହେତୁ
‛ଅ’,‛ଉ’ ଏବଂ ‛ଓ’ ଆଦି ସ୍ଵରଵର୍ଣ୍ଣ ଗୁଡି଼କ ଵ୍ୟାକରଣ ର ପରିବୃତ୍ତିଗତ ନିୟମ ଅନୁଯାୟୀ ଅଵର୍ଗ୍ୟ ‛ଵ’ ରେ ପରିଣତ ହୋଇଥାଏ ତେଣୁ ବୋଧହୁଏ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଚାଉଳ ଶବ୍ଦ ରୁ ହିନ୍ଦୀ ଚାଵଲ ଶବ୍ଦର ସୃଷ୍ଟି ହୋଇଅଛି ।

ଅଵିଭକ୍ତ କୋରାପୁଟ-ଜୟପୁର ଅଞ୍ଚଳରେ ସବୁଠାରୁ ଅଧିକ(ପ୍ରାୟ 5000) ପ୍ରକାରର ନୀଵାର ଵା ବାଳୁଙ୍ଗା ଧାନ ପ୍ରାପ୍ତ ହୋଇଛି ଏବଂ ଏଭଳି ଵିଵିଧତା ଦକ୍ଷିଣ ଭାରତ ତଥା ଚୀନରେ ସୁଦ୍ଧା ଦୃଷ୍ଟିଗୋଚର ହୁଏନାହିଁ ।
ସମୟ ସହିତ ସେହି ମୂଳ ଦ୍ରାଵିଡୀୟ ଓଡ଼ ଧାତୁ ରୁ ଚାଷୀ ଅର୍ଥରେ ଉଡ୍ର,ଓର ଏବଂ ଓଡ଼ ଆଦି ଶବ୍ଦ ସୃଷ୍ଟି ହୋଇଛି । ଏ ଚଷାଜାତି କୃଷି କ୍ଷେତ୍ରରେ ଚାଷ କରୁ କରି ନିଜ ମାଟିମାଆକୁ ବଞ୍ଚେଇବା ଲାଗି ଆଵଶ୍ୟକ ପଡି଼ଲେ ଅସ୍ତ୍ର ଧରି ଲଢିବାକୁ ସୁଦ୍ଧା ପଛେଇ ନାହିଁ ।
ମୂଳ ଦ୍ରାଵିଡୀୟ  ଓଡ଼ ଧାତୁରୁ ପୁଣି ଆଉ ଏକ ଦିଗରୁ ଓରିଆ ଶବ୍ଦ ସୃଷ୍ଟି ହୋଇଛି ।
ଗଡ଼ଜାତ ଅଞ୍ଚଳରେ ରାଜା ଓ ଦେବତାଙ୍କ ଭାତ ଵା ଅନ୍ନ କୁ ଓରିଆ କୁହାଯାଏ ଯାହାକୁ ଆମ ଆଡେ଼ କାନିକା କୁହାଯାଇଥାଏ ।
ସେହିପରି ଗଞ୍ଜାମ ଅଞ୍ଚଳରେ ଓରିଆ ଏବଂ ଉଡ଼ ଶବ୍ଦ ସହ ସାମଜସ୍ୟ ଥିବା ଫୁଟିଆଣୀ ଅର୍ଥରେ ଶବ୍ଦଟିଏ ଚଳେ ଓରିଆଣି....
ଓଡ଼ିଶା ଏବଂ ଓଡ଼ିଆ ଶବ୍ଦର ମୂଳରେ ଥିବା ଉଭୟ ସଂସ୍କୃତ (ଉଡ୍ ଧାତୁ )ତଥା ଦ୍ରାଵିଡୀୟ ମୂଳଶବ୍ଦ(ଓଡ଼ ଧାତୁ)ଗୁଡି଼କର ଆର୍ଥିକ ଵ୍ୟାଖ୍ୟାରୁ ଏହିଭଳି ଉଚ୍ଚକଥା ମାନ  ଜାଣିବାକୁ ମିଳିଥାଏ ।

ଓଡ଼ିଆମାନେ ସବୁଜାତିର ଲୋକଙ୍କ ସହିତ ଭାତୃଭାବ ରଖି ଚଳିଆସିଛନ୍ତି ଏବଂ ଚଳୁଅଛନ୍ତି ମଧ୍ଯ ! ଵ୍ୟାକରଣ ନିରୁକ୍ତି ତଥା ଶବ୍ଦଜ୍ଞାନଶୂନ୍ୟ ଲୋକ ଦ୍ଵାରା କରାଯାଇଥିବା ଵାଚଳାମୀ ତାହାର ନିଜର ମୂର୍ଖାଣ୍ଡିଆପଣର ଗୋଟାଏ ପ୍ରମାଣ ଛଡା଼ ଆଉ କଣ୍ ହୋଇପାରେ ???

Tuesday, September 18, 2018

ସଂକ୍ଷେପରେ ଅହମଦାଵାଦ

ଅହମଦାବାଦର ଇତିହାସ ଅଣହିଲଵାଡ଼ (ଆଧୁନିକ ପାଟନ) ର ଶାସକ ସୋଲଙ୍କୀରାଜା କର୍ଣ୍ଣଦେଵ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ୍ ରାଜା ଅଶପଲ୍ଲ ବା ଆଶାପାଳଙ୍କ ଵିରୋଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ  ସାବରମତୀ ନଦୀ କୂଳରେ ଆଜିର  ଆଧୁନିକ ଅହମଦାବାଦ ଥିବା ସ୍ଥାନରେ  କର୍ଣ୍ଣାଵତୀ ନାମକ ସହର  ସ୍ଥାପନା କରାଗଲା । ସୋଲଙ୍କୀ ଶାସନକାଳ ପ୍ରାୟ ତେରଶହ ଶତାବ୍ଦୀ ଯାଏଁ ଚଳୁଥିବା ଅନୁମାନ କରାଯାଏ ।  ମୋଗଲମାନେ ତେରଶହ ଶତାବ୍ଦୀର ଶେଷଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ ।  ପନ୍ଦରଶହ ଶତାବ୍ଦୀର ଆରମ୍ଭ
ରେ ମୁସ୍ଲିମ୍ ମୁଜଫୁରିଦ ରାଜଵଂଶ ଦ୍ଵାରା ଏକ ସ୍ଵତନ୍ତ୍ର  ଶାସନତନ୍ତ୍ର ଗୁଜରାଟରେ ସ୍ଥାପିତ କରାଗଲା ଏବଂ 1411 ରେ ସୁଲତାନ୍ ଅହମଦ ଶାହ ଦ୍ଵାରା କର୍ଣ୍ଣାଵତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । 1487ରେ ଅହମଦ ଶାହଙ୍କ ପୌତ୍ର ମହମୁଦ୍ ଓ୍ଵେଗଡ଼ା ଦ୍ଵାରା ପ୍ରାୟ ଛଅ ମାଇଲ୍  ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା । ଏଥିରେ 12ଟି ପ୍ରବେଶପଥ, 189ଗଡ଼ ଏବଂ 6,000 ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀ ଙ୍କ ଠାରୁ ସହର ରକ୍ଷା ନିମନ୍ତେ ରଖାଯାଇ ଥିଲା । ଶେଷ ସୁଲତାନ୍ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ଅରାଜକତା ବଢ଼ି ଯାଇଥିଲା ଏବଂ ଏହି ସୁଯୋଗରେ  ଗୁଜରାଟକୁ ମୋଗଲ ସମ୍ରାଟ ଆକବର 1573ରେ ଅଧିକାର କରିନେଇଥିଲେ । ମୋଗଲ  ଶାସନକାଳରେ  ଅହମଦାବାଦ ଵେପାର କେନ୍ଦ୍ର ରୁପେ ବିଶେଷ  କରି  ଵସ୍ତ୍ର ଉଦ୍ୟୋଗ ର କେନ୍ଦ୍ର ହେଲା, ଏଠାକାର  ଵସ୍ତ୍ର ୟୁରୋପ ଆଦି ଦୂର ଦେଶ ଗୁଡ଼ିକୁ  ରପ୍ତାନୀ କରା ଯାଉଥିଲା । 1630ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । 1753 ରେ ମରାଠା ଜେନରଲ ରଘୁନାଥ ରାଵ ଏବଂ ଦାମଜୀ ଗାୟକଵାଡ଼ ଙ୍କ ସେନା ସହର ଉପରେ ଆକ୍ରମଣ କରି ଅଧିକାର କରିନେଇଥିଲେ ଏବଂ ଅହମଦାବାଦରେ  ମୋଗଲ ଶାସନ  ସମାପ୍ତ ହୋଇଥିଲା ।  ଭାରତୀୟ ସ୍ବତନ୍ତ୍ରତା ସଂଘର୍ଷ ସମୟ ରେ ଅହମଦାବାଦ ଆନ୍ଦୋଳନ ର ପେଣ୍ଠସ୍ଥଳୀ ପାଲଟିଥିଲା । ଏହି ସହରରେ ମହାତ୍ମା ଗାନ୍ଧୀ ଦ୍ଵାରା ସାବରମତୀ ଆଶ୍ରମ ସ୍ଥାପନା କରାଯାଇ ଥିଲା ଏବଂ  ସ୍ଵାଧୀନତା ସଂଗ୍ରାମ ସହିତ ସମ୍ଵନ୍ଧିତ  ଅନେକ ଆନ୍ଦୋଲନ ଏହିଠାରୁ ଆରମ୍ଭ ହୋଇ ଥିଲା । ଇଂରେଜ ରାଜତ୍ଵକାଳରେ ,ଏହି ସହରକୁ ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା । ପଶ୍ଚିମ ଭାରତ ରେ ଅବସ୍ଥିତ ଏହି ନଗର, ସମୁଦ୍ରଠାରୁ ୧୭୪ ଫ଼ୁଟ ଉର୍ଦ୍ଧ୍ବରେ ରହିଅଛି । ଅହମଦାଵାଦ ନଗରୀଧେ ରେ ଦୁଇଟି  ହ୍ରଦ ଅଛି - କଂକରିଆ ଏବଂ ବସ୍ତ୍ରାପୁର ! ସାବରମତୀ ନଦୀ ଗ୍ରୀଷ୍ମ ଋତୁ ରେ ସୁଖି ଯାଉଥିବାରୁ ନଦୀ ରେ ଧଳା ରଙ୍ଗର ମାଟି ରହିଯାଏ ।  ବର୍ଷା କାଳକୁ ଛାଡ଼ିଦେଲେ ବାକି ଦିନ ଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହୁଏ । ଗ୍ରୀଷ୍ମକାଳ ରେ ନଗରର  ଉଚ୍ଚତ୍ତମ ତାପମାନ ୪୭ ଡିଗ୍ରୀରେ ପହଞ୍ଚିଯାଏ ଏବଂ ଶୀତ ଋତୁ ୟରେ ତାପମାତ୍ରା  ୫ ଡିଗ୍ରୀ  ତଳକୁ ଖସିଯାଏ ।

Sunday, September 16, 2018

ଲାଙ୍ଗଳୀ ନଦୀ ଵା ନାଗାଵଳୀ ନଦୀ

ପୁରାଣରେ ଗୋଟାଏ ଲାଙ୍ଗଳୀ ନଦୀ ଵିଷୟରେ
ଉଲ୍ଲେଖ ରହିଛି । କୁହାଯାଏ ଥରେ ଵଳରାମ ସୈନ୍ୟସାମନ୍ତ ଘେନି କଳିଙ୍ଗଦେଶ ମଧ୍ୟ ଦେଇ ଯାଉଥିଲାବେଳେ
ଏଠାକାର ପାର୍ଵତ୍ୟାଞ୍ଚଳରେ ତୁଷାର୍ତ୍ତ ହେଲାରୁ
ତାଙ୍କ ଲଙ୍ଗଳ ମୁନରେ ଏକ ଜଳଧାର ସୃଷ୍ଟି
କରେଇଥିଲେ । ସେ ଜଳଧାର ପରଵର୍ତ୍ତୀକାଳରେ ନଦୀରେ ପରିଣତ ହେଲା ଓ ଲାଙ୍ଗଳୀ ନଦୀ ନାମରେ ଖ୍ୟାତ ହେଲା । ପୁରାଣ ଵର୍ଣ୍ଣିତ ସେ ନଦୀକୁ ଆଧୁନିକ ନାଗାଵଳୀ ନଦୀ ସହିତ ଚିହ୍ନଟ କରାଯାଇଛି । ନାଗାଵଳୀ ନଦୀର ଅନ୍ୟତମ ନାମ ଲାଙ୍ଗୁଲ୍ୟ ଅଟେ ।
କଳାହାଣ୍ଡିର “ଲାଖବାହାଲ” ସନ୍ନିକଟଏକ ପର୍ଵତରୁ ଉତ୍ପତ୍ତି ଲାଭକରି ନାଗାଵଳୀ ନଦୀ ରାୟଗଡ଼ା,କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏ ନଦୀ ରାୟଗଡ଼ା ରେ ଦୁଇଟି ଜଳପ୍ରପାତ ସୃଷ୍ଟି କରିଛି ।
→କୁମ୍ଭୀକୋଟାଗେଡା଼ ଜଳପ୍ରପାତ―୩୦ ମିଟର
→ହାତୀପଥର ଜଳପ୍ରପାତ―୨୦ ମିଟର

ହାତୀପଥର ଜଳପ୍ରପାତରେ ଦୁଇଟି ଵିଶାଳ ଶିଳାଖଣ୍ଡ ମଧ୍ୟରେ ଜଳ ଲମ୍ଫ ପ୍ରଦାନ କରେ ଓ ତାହା ହାତୀର ଭ୍ରମ ସୃଷ୍ଟି କରେ ବୋଲି ଏହାର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ । ଵର୍ତ୍ତମାନ ହାତୀପଥରକୁ ପର୍ଯ୍ୟଟନ କରିବା ପାଇଁ କଟକଣା ଲାଗୁ ହୋଇଛି । ୨୦୦୬ରେ ଅତି ଭୀଷଣ ଵର୍ଷା ଯୋଗୁଁ ନାଗାବଳୀ ନଦୀ ହାତୀପଥର ନିକଟରେ ତାହାର ଗତିପଥ ପରିବର୍ତ୍ତନ କରିଥିଲା । ଏଥିଯୋଗୁଁ ହାତୀପଥର ନିକଟରେ ନିର୍ମାଣାଧୀନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ନଷ୍ଟ ହୋଇଯିବା ସହ ବର୍ତ୍ତମାନ ଏହି ଜଳପ୍ରପାତଟିର ଆକର୍ଷଣ ବହୁପରିମାଣରେ ହ୍ରାସ ପାଇଅଛି ।
ନାଗାଵଳୀ,ଲାଙ୍ଗଳୀ ଵା ଲାଙ୍ଗୁଲ୍ୟ ନଦୀ ପ୍ରାୟ ୧୩୦୦ କି.ମି. ଉଚ୍ଚତାରୁ ବାହାରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ।୨୫୬ କି.ମି. ପଥ ପର୍ଯ୍ୟନ୍ତ ପ୍ରଵାହିତ ହୋଇ ମହୋଦଧୀରେ ମିଶିଛି । ଓଡ଼ିଶାର ଏହି ନଦୀର ୧୬୧କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ ବାକି ୯୫ କି.ମି ଆନ୍ଧ୍ରପ୍ରଦେଶରେ ରହିଛି ।

ଗଣେଶ,ଗଣେଷ ଓ ଗଣେସ କେଉଁ ଶବ୍ଦଟି ଠିକ୍ ?

ଗଣେଶ ଚତୁର୍ଥୀ ଠାରୁ ଫେସବୁକରେ ଗୋଟାଏ
ଵିଷୟକୁ ନେଇ ବହୁତ ଚର୍ଚ୍ଚା ହେଉଛି
ଲୋକଙ୍କ ମନରେ ବଡ଼ ଶଙ୍କା
ଗଣପତିଙ୍କର ନିମ୍ନଲିଖିତ ନାମ ମଧ୍ୟରେ କେଉଁଟି
ଠିକ୍ .....
→ଗଣେଶ
→ଗଣେସ
→ଗଣେଷ

ଓଡ଼ିଆ ଭାଷାର ଵର୍ଣ୍ଣହତ୍ୟାକାରୀ ଦଳର ଲୋକେ ଏଭଳି ଚର୍ଚ୍ଚାକୁ ଆହୁରି ଵାଇରଲ୍ କରିଛନ୍ତି ଓ କରୁଛନ୍ତି.....

କିନ୍ତୁ
ସତ କହିବାକୁ ଗଲେ
ପ୍ରାୟ ସମସ୍ତ ଶବ୍ଦକୋଷରେ
ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ
ଗଣ+ଈଶ=ଗଣେଶ
ହୋଇଥିବା ଉଲ୍ଲେଖ ରହିଛି
କିନ୍ତୁ ଏହି
ଉତ୍ତର ଶୁଣିଲାପରେ ଵର୍ଣ୍ଣହତ୍ୟାକାରୀ ଦଳର
ଲୋକେ ଅଵାନ୍ତର ଯୁକ୍ତି ଆରମ୍ଭ କରିଦେଉଛନ୍ତି

→ଗଣ ଶବ୍ଦରେ ଈଶ ହିଁ କାହିଁକି ଲାଗିପାରିବ ?
ଯେହେତୁ ଆମ ଭାଷାରେ ତଥାକଥିତ ତିନୋଟି “ଶଷସ” ଵର୍ଣ୍ଣ ହୋଇଯାଇଛି
ତେବେ
→ଗଣ ଶବ୍ଦ ସହ
-ଇସ
-ଈସ୍
-ଇଷ
-ଈଷ
-ଇଶ
-ଇଶ୍
ଆଦି ଶବ୍ଦ ଯୋଡାଯାଇ ଗଣେଷ କି ଗଣେସ
ଶବ୍ଦ ନିଷ୍ପନ୍ନ ହୋଇପାରିବ ନାହିଁ କି ?
(ଏଭଳି ପ୍ରଶ୍ନ କରିବା ପଛରେ ତାଙ୍କର ହେତୁ
ଲୋକଙ୍କ ମନରେ ଗୋଟାଏ ମାତ୍ର “ସ” ଵ୍ୟଵହାର ପାଇଁ ନିଷ୍ଠା ଉତ୍ପନ୍ନ କରାଇବା 😀)

ତେବେ ସେ ଯାହା ହେଉ
ଆମେ କିନ୍ତୁ
ଉପରୋକ୍ତ ସମସ୍ତ ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦି ଶବ୍ଦ ଗୁଡିକ ର ଅର୍ଥ ତର୍ଜମା କରି ଦେଖିବା ଯେ ପ୍ରକୃତରେ ତନ୍ମଧ୍ୟରୁ କେଉଁଟି
ଗଣେଶ ଶବ୍ଦ ମଧ୍ୟରେ ଲୁକ୍କାୟିତ ରହିଛି ....

ଇଶ୍→
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଏକ କ୍ରିୟାଶବ୍ଦ “ଇଶ୍ ଇଶ୍ କରିବା” ର ଅର୍ଥ ଘୃଣାକରିବା,ଦେହ ଅସୁସ୍ଥ ଜନିତ କଷ୍ଟବୋଧ ପ୍ରକାଶକ ଧ୍ଵନି,ସିଟି ମାରିବା ଇତ୍ୟାଦି

ଇଶ→
ଇଶ ବୋଲି ଏକ ପ୍ରାଦେଶିକ ଶବ୍ଦର ଭାଷାକୋଷରେ ଉଲ୍ଲେଖ ରହିଛି ଯାହାର
ଅର୍ଥ ―ପରିହାସ, ଇଙ୍ଗିତ ଓ ଥଟ୍ଟା ଅଟେ ।

ଈଶ୍→
ଈଶ୍ଵର
ଈଶ୍ ଧାତୁ→
ଆଧିପତ୍ୟ କରିବା

ଈଶ→
“ଈଶ”[ଈଶ୍ ଧାତୁ(ଆଧିପତ୍ୟ କରିବା)] ଵିଶେଷ୍ୟ ଶବ୍ଦର ଅର୍ଥ―
ପତି;ସ୍ଵାମୀ,ପ୍ରଭୁ,ଈଶ୍ଵର,ଶିବ,ରାଜା,ନିୟନ୍ତା,ରକ୍ଷକ
“ଈଶ” ଶବ୍ଦ ର ଵିଶେଷଣ ଅର୍ଥ―
ଶ୍ରେଷ୍ଠ,ସମର୍ଥ

ଇଷ୍ ଧାତୁ→ଗମନ କରିବା, ବାଞ୍ଛା କରିବା, ଇଛା କରିବା

ଇଷ→
୧.ଆଶ୍ଵିନ ମାସ(ଇଷ୍ ଧାତୁ(ଗମନାର୍ଥେ)କର୍ତ୍ତୁ.ଅ)
ଏ ସମୟରେ ଜିଗୀଷୁମାନେ ଯୁଦ୍ଧ ଵିରୋଧ ରେ ଯୁଦ୍ଧଯାତ୍ରା କରୁଥିଲେ ତେଣୁ......
୨.ଲଙ୍ଗଳ କୁ ଜୁଆଳି ସଙ୍ଗେ ଲଗାଇବାର ଲମ୍ଵ କାଠ

ଈଷ୍ ଧାତୁ→
ଆଘାତ କରିବା, ଗତି କରିବା, ଯିବା

ଈଷ→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଈଷ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୮ ଦେଖ)
କିନ୍ତୁ କଳ୍ପଦ୍ରୁମ ଓ ହିନ୍ଦୀ ଶବ୍ଦ ସାଗରରେ
ଏହି ଶବ୍ଦର ତିନି ଗୋଟିଏ ଅର୍ଥର ଉଲ୍ଲେଖ ରହିଛି
ଆଶ୍ଵିନ ମାସ,ମନୁଙ୍କର ଦଶପୁତ୍ରଙ୍କ ମଧ୍ୟରେ ଜଣେ,ଶିବଙ୍କର ଏକ ଗଣର ନାମ

ଇସ୍→
୧.କଷ୍ଟ,ଘୃଣା ଓ କ୍ଳାନ୍ତି ସୂଚକ ଅଵ୍ୟୟ
୨.ରୋଗ ଵା ପରିଶ୍ରମ ଜନିତ କ୍ଲେଶ ସୂଚକ ଧ୍ଵନି
୩.ଵିଦୃପ ଵା ଵ୍ୟଙ୍ଗ ସୂଚକ ଧ୍ଵନି

ଇସ→
ଭାଷାକୋଷରେ ଇସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ(ପୃଷ୍ଠା ୮୮୨ ଦେଖ)

ଈସ→ଭାଷାକୋଷ କିମ୍ବା କଳ୍ପଦ୍ରୁମ ଆଦି ଶବ୍ଦକୋଷରେ ଈସ ବୋଲି କୌଣସି ସ୍ଵତନ୍ତ୍ର ଶବ୍ଦର ଉଲ୍ଲେଖ ନାହିଁ

ଉପରୋକ୍ତ ସମସ୍ତ  ଇସ,ଈସ୍,ଇଷ,ଈଷ,ଇଶ,ଇଶ୍
ଓ ଈଶ ଆଦିର ଅର୍ଥ ଗୁଡି଼କୁ ଅନୁଧ୍ୟାନ କରି ଦେଖିଲାପରେ
ଆମକୁ ତନ୍ମଧ୍ୟରୁ କେଵଳ ଗୋଟିଏ “ଈଶ”
ହିଁ “ଗଣ” ଶବ୍ଦ ସହିତ ଜଡି଼ତ ରହିଥିବାର ଵିଶ୍ଵାସ ହେଉଅଛି ।

Thursday, September 13, 2018

ଗଣେଶ

ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ
ଗଣ ଶବ୍ଦ ସହ ଈଶ ଯୋଡି଼ହୋଇ ଗଣେଶ ଶବ୍ଦ ହେଲା ।
ଗଣ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୁପ ଗଣ୍ ଧାତୁ ଯାହାର―ଗଣିବା,ଵିଵେଚନା କରିବା,ସୁମାରି କରିବା,ମିଶାଇବା ଇତ୍ୟାଦିରେ ଵ୍ୟଵହାର କରଯାଇ ଅନ୍ୟ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଣ ଶବ୍ଦର ଅନେକ ଅର୍ଥ ଉଲ୍ଲେଖ କରାଯାଇଛି ତାହା ଏଠାରେ ପ୍ରଦାନ କରାଗଲା ―

୧→ସମୂହ
୨→ପଞ୍ଝା;ଦଳ;ପଲ
୩→ପାଟକ; ଜାତି
୪→ଏକଜାତୀୟ ବହୁସଂଖ୍ୟକ ଜୀବ(Flock)
୫→ଶ୍ରେଣୀ
୬→ଚତୁରଙ୍ଗ ସେନାବିଶେଷ
(୨୭ ହସ୍ତୀ,୨୭–ରଥ, ୮୧-ଅଶ୍ୱ,୧୩୫-ପଦାଦିକ[ସୈନିକ] ସମ୍ୱଳିତ ସେନା)
୭→ସ୍ୱପକ୍ଷ; ସ୍ୱଜାତୀୟ ବହୁଲୋକ
୮→ଅନୂଚରଙ୍କ ଦଳ
୯→ଗଣନା
୧୦→(ଗଣିତ) ସଂଖ୍ୟା
୧୧→ଦେବତା ଓ ରାଜାଦିଙ୍କ ଅନୁଚରବର୍ଗ
୧୨→ପ୍ରମଥଗଣ; ଶିବଙ୍କ ଅନୁଚର ସେନାଦଳ;
[ଦ୍ରଷ୍ଟବ୍ୟ —ଏମାନଙ୍କ ସେନାପତି ଗଣେଶ]
୧୩→ସଂସ୍କୃତ ଧାତୁମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ବା ପୁଞ୍ଜ(ଵ୍ୟାକରଣ)
(ଯଥା—ଭ୍ୱାଦିଗଣ, ଅଦାଦି ଓ ତାନାଦି)
[ଦ୍ରଷ୍ଟବ୍ୟ —ସଂସ୍କୃତ ଧାତୁମାନଙ୍କର ଆଦର୍ଶ ଧାତୁ ନାମରେ ଗଣମାନଙ୍କର ନାମକରଣ ହୁଏ]
୧୪→ଏକ ଉଦ୍ଦେଶ୍ୟରେ ଗଠିତ ଦଳ, ସମାଜ ବା ସଭା
୧୫→କମ୍ପାନୀ; ସଂଘ
୧୬→ପ୍ରଥମ ସମ ବା ତାଳଠାରୁ କୌଣସି ରାଗର ମିଶ୍ରଣକୁ ପୃଥକ୍ କରିବା ତିନଟି ସ୍ୱରର ସମଷ୍ଟି(ସଙ୍ଗୀତ)
୧୭→ଦେବ, ମନୁଷ୍ୟ ଓ ଅସୁର ଏହିପରି ୩ ଶ୍ରେଣୀରେ ବିଭକ୍ତ ହୋଇଥିବା ନକ୍ଷତ୍ରମାନଙ୍କର ଶ୍ରେଣୀ
୧୮→ଗଣେଶ
୧୯→ଶ୍ଳୋକର ପାଦ

ସେହିପରି
“ଈଶ”[ଈଶ୍ ଧାତୁ(ଆଧିପତ୍ୟ କରିବା)] ଵିଶେଷ୍ୟ ଶବ୍ଦର ଅର୍ଥ―
→ପତି;ସ୍ଵାମୀ
→ପ୍ରଭୁ
→ଈଶ୍ଵର
→ଶିବ
→ରାଜା
→ନିୟନ୍ତା
→ରକ୍ଷକ
“ଈଶ” ଶବ୍ଦ ର ଵିଶେଷଣ ଅର୍ଥ―
→ଶ୍ରେଷ୍ଠ
→ସମର୍ଥ

ତାହେଲେ ସଂପୂର୍ଣ୍ଣ ଗଣେଶ ଶବ୍ଦଟିକୁ
ଉପର ଵର୍ଣ୍ଣିତ ଅର୍ଥ ଆଧାରରେ ଵ୍ୟାଖ୍ୟା କଲେ
କେମିତି କେମିତି ଅର୍ଥ ମିଳିବ ......!

→ମାନବ ଜାତି,ସମୂହ,ଦଳଙ୍କର ଯେ ରକ୍ଷକ,ପ୍ରଭୂ ଇଶ୍ଵର ଓ ରକ୍ଷକ
→ଶିବଙ୍କର ଅନୁଚର ସେନାଦଳ ପ୍ରମଥଗଣଙ୍କର ଯେ ପ୍ରଭୂ ପ୍ରଭୂ,ସ୍ଵାମୀ,ରାଜା ଓ ନିୟନ୍ତା
→ଯେ ଶିବଙ୍କ ପରି ଶିବଙ୍କର ଉତ୍ତରାଧିକାରୀ ଶକ୍ତି ପ୍ରାପ୍ତ ଦେବ ସେ ହିଁ ଗଣନାଥ ଗଣେଶ ଅଟନ୍ତି

Monday, September 10, 2018

କୋରାପୁଟ ଜିଲ୍ଲାର ଆତ୍ମାମାମା ଵା ଆତ୍ମାପର୍ଵତର କଥା

କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ ଆତ୍ମାମାମା ରାଗିଲେ ବର୍ଷା ହୁଏନି,ଫସଲରେ ପୋକ ଲାଗେ,ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି ଯାଆନ୍ତି ।

ଜନସୃତି ଅଛି-
ଜୟପୁର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଧର୍ମପ୍ରାଣ ମହାରାଜା ଦ୍ଵିତୀୟ ଵିଶ୍ଵମ୍ଵର ଦେବ ୧୬୧୩ ରୁ ୧୬୫୨ ଯାଏଁ ଦୀର୍ଘ ୩୯ ଵର୍ଷ କାଳ ଜୟପୁର ରାଜ୍ୟ ଶାସନ କରି ହାଇଦ୍ରାବାଦ ନିଜାମଙ୍କ ଠାରୁ “ଝାଡ଼ଖଣ୍ଡ ବାଦସାହା” ଉପାଧି ଲାଭ କରିଥିଲେ । ରାଜାଙ୍କ ପ୍ରଥମପତ୍ନୀ ର ଅକାଳ ଵିୟୋଗ ପରେ ସେ ଏହି ନାରାୟଣ ପାଟଣା
ଅଞ୍ଚଳର ଜନୈକା କନ୍ଧକନ୍ୟା ଚମ୍ପାଵତୀକୁ ଵିଵାହ କରି ପ୍ରଜାମାନଙ୍କ ଉନ୍ନତି ପାଇଁ କୂପ ପୁଷ୍କରିଣୀ ଖୋଳାଇ,ଜଳସେଚନ ତଥା ଗମନାଗମନ ର  ସୁଵ୍ୟଵସ୍ଥା କରି ସମସ୍ତ ଆଦିବାସୀ ମୂଲକରେ ଦେଵତା ପାଲଟି ଯାଇଥିଲେ । ଅନ୍ୟ ପକ୍ଷରେ ଜଣେ ମହାରାଜା ହୋଇ ସୁଦ୍ଧା ଏକ କନ୍ଧକନ୍ୟାକୁ
ଵିଵାହ କରିଥିବା ହେତୁରୁ ସମଗ୍ର କନ୍ଧସମାଜ ତାଙ୍କୁ ଆତ୍ମାମାମା ଵା ଆପଣାର ଲୋକ ଭାବେ ଗ୍ରହଣ କରିନେଇଥିଲେ ।

ପ୍ରଵାଦ ରହିଛି ସେ ରାଜା ଦିନେ ଆକସ୍ମିକ ଭାବେ ଏହି ନାରାୟଣ ପାଟଣାର ପାର୍ଵତ୍ୟାଞ୍ଚଳରେ ବୁଲୁବୁଲୁ  କାହିଁ ଅଦୃଶ୍ୟ ହେଇଯାଇଥିଲେ ।
ରାଜାଙ୍କ ଅକାଳ ଵିୟୋଗ ପରେ ତାଙ୍କର ଆତ୍ମା ଏହି ପର୍ଵତରେ ରହିଥିବା ଵିଶ୍ଵାସ କରି ଏ ଅଞ୍ଚଳର କନ୍ଧ ସମ୍ପ୍ରଦାୟର ଲୋକମାନେ ଏ ପର୍ଵତକୁ ଆତ୍ମାମାମା ଵା ଆତ୍ମାପର୍ଵତ ନାମ ଦେଇ ଆତ୍ମା ମାନଙ୍କର ପୀଠ ଭାବରେ ପୂଜାର୍ଚ୍ଚନା କରିଆସୁଅଛନ୍ତି । ଆଜି ଆତ୍ମାମାମା ଵା ଆତ୍ମାପର୍ଵତ ନିଜର ଵିଶିଷ୍ଟତା ଯୋଗୁଁ ସମଗ୍ର କୋରାପୁଟ ଜିଲ୍ଲାରେ ପ୍ରସିଦ୍ଧ ହୋଇଛି ହେଲେ କାହିଁକି କେଜାଣି ଅନ୍ୟ ଅଞ୍ଚଳକୁ ତାହାର ମହିମା ପ୍ରସାରିତ ହୋଇପାରିନାହିଁ ।

Sunday, September 9, 2018

କିଛି ଲୁହ ପୋଛା ହୁଏ ପଣତକାନିରେ

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ,
ମୁଁ ଏମିତି ଲୁହ ଟୋପେ ତୋରି ଆଖିରେ.......
ଏ ଚୁମକି....
ଝରିଗଲେ ଝରିଯିବି....
ଝରି ଝରି ଝୁରୁଥିବି
ଝୁରି ପୁଣି ଦେଖୁଥିବି ହରାଇଛି ବାଟ .....

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ

ବନ ଲତା ବନ ଫୁଲ ବଣର ରାଇଜେ
ନଖୋଜିବି ପାଇଗଲି ମନଲାଖି ମନଟିଏ
ମୁଁ ଯେ ........
ବନ ଲତା ବନ ଫୁଲ ବଣର ରାଇଜେ
ନଖୋଜିବି ପାଇଗଲି ମନଲାଖି ମନଟିଏ
ମୁଁ ଯେ .......
ଏଇ ମନ ଛନଛନ କେତେ ମାନ ଅଭିମାନ
ସିଏ ମୋର ସପନର ମନ ନଈ ତୁଠ.....

କିଛି ଲୁହ ପୋଛା ହୁଏ ପଣତକାନିରେ
ଆକାଶ ଟା ଦେଖେ ମୁହଁ
ନୀଳ ନଦୀ ଜଳେ
ମୁଁ ଦେଖୁଛି ମତେ ଆଜି ତୋ ଆଖି ନୀଳ ଆଇନାରେ
ଏଇ ଆଖି କାନ୍ଦି ପାରେ
କାନ୍ଦି କାନ୍ଦି ଶୁଖିପାରେ
ଶୁଖି ପୁଣି ଖୋଲି ପାରେ
ହସର କବାଟ......

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ,
ମୁଁ ଏମିତି ଲୁହ ଟୋପେ ତୋରି ଆଖିରେ.......

ଝରିଗଲେ ଝରିଯିବି....
ଝରି ଝରି ଝୁରୁଥିବି
ଝୁରି ପୁଣି ଦେଖୁଥିବି ହରାଇଛି ବାଟ .....

ସହର ନଗର ଓ ଗ୍ରାମର କଥା

ଆଜି ଭାରତଵର୍ଷରେ city ପାଇଁ ଵୈଦେଶିକ “ସହର” ଶବ୍ଦଟେ ଆସି ବହୁପ୍ରଚଳିତ ହେଲାଣି ।

ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ  ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା ।

ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି ହେବାର ମୁଖ୍ୟ କାରଣ ଥିଲା ରାଜତନ୍ତ୍ର ଓ ରାଜାଙ୍କ ନିଵାସ ନିକଟସ୍ଥ ଜନପଦର ଭଵ୍ୟତା ଯୋଗୁଁ ତାହାର ଗ୍ରାମଠାରୁ ଭିନ୍ନତା.....
ନଗରରେ ଵିଶାଳ ସୁନ୍ଦର ଅଟ୍ଟାଳିକା ଓ ଭଵନ ମାନ ନିର୍ମାଣ ଯୋଗୁଁ ଜନପଦ ଗୁଡିକ ଏବେ ଗ୍ରାମ ଓ ନଗର ଭାବେ ଦୁଇଭାଗରେ ଵିଭକ୍ତ ହୋଇଯାଇଥିଲା ।

ଗ୍ରାମରେ ଵାସକରୁଥିବା ଲୋକେ “ଗ୍ରାମଵାସୀ” ଓ “ଗ୍ରାମୀଣ” ଆଦି ବୋଲାଇଲା ବେଳେ ନଗରଵାସୀଙ୍କ ପାଇଁ “ନଗର” ସହିତ “ଇକ” ଯୁକ୍ତ ହୋଇ “ନାଗରିକ” ନାମ ପ୍ରଚଳିତ ହେଲା ।

ଲୋକେ ତତ୍ପରେ ସବୁ ସୁବିଧା ଅସୁବିଧାରେ ନଗର ଅଭିମୁଖେ ଯାତ୍ରା କରିବାକୁ ଲାଗିଲେ...
ରାଜାଙ୍କୁ ଦୁଃଖ ଜଣେଇବାକୁ ହେଉ କି
ରାଜସମ୍ମାନ ଲାଭ ଲାଳସାରେ ହେଉ
କିମ୍ବା ଵିଶିଷ୍ଟ ପଦାର୍ଥ ପାଇବା ଇଛା ଧରି ଗାଆଁର ଲୋକଟି ସେଇଦିନ ଠୁଁ ଆଜିଯାଏଁ ନିରନ୍ତର ସହରକୁ ଧାଇଁବାରେ ଲାଗିଛି । ତେବେ ନଗରରେ ଆଶା ପୂରଣ ହେଉ କି ନ ହେଉ ଆପଣା ଜନ୍ମଭୂମି ଗ୍ରାମପ୍ରାନ୍ତରକୁ କେବେ ନା କେବେ ତ ଫେରିବାକୁ ହିଁ ପଡି଼ଥାଏ.....

ଗ୍ରାମ ଶବ୍ଦର  ନିରୁକ୍ତି ଭେଦ ମଧ୍ଯ ସେଇକଥା କହେ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଗ୍ରାମ ଶବ୍ଦ ର ତିନୋଟି ନିରୁକ୍ତି ଭେଦ ଉଲ୍ଲେଖ ହୋଇଛି........

★→୧.ଗ୍ରାମ୍ ଧାତୁ;ଣିଚ୍ ଗ୍ରାମୀଧାତୁ(ଆମନ୍ତ୍ରିତ ହେବା,ଡକା ହେବା)+ଅ

******[ଯେଉଁଠାକୁ ଲୋକେ ଆମନ୍ତ୍ରିତ ହେଉଥିଲେ;ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମାନସିକ ଶାନ୍ତି ପାଇଁ କାରଣ ନଗରର କୋଳାହଳରେ ଏ ଉଭୟ ତତ୍ଵ ମିଳେନାହିଁ]******

★→୨.ଗମ୍ ଧାତୁ(ଯିବା)+ଅ(ନିପାତନ)

*******[ଗାଆଁରୁ ନଗର ଅଭିମୁଖେ ବାହାରି ପଡି଼ଥିବା ଲୋକଟି ଦିନେ ନା ଦିନେ ନଗରରୁ ଗାଆଁକୁ ଫେରିଯିବାକୁ ବାହାରି ପଡେ଼ ଏହା ହିଁ ହୋଇଥାଏ ହେଉଅଛି]*******

★→୩.ଗ୍ରସ୍ ଧାତୁ+ମନ୍+ଅ(ନିପାତନ)

[ଗ୍ରସ ଧାତୁ ର ଅନେକ ଅର୍ଥରେ ଵ୍ୟଵହାର ରହିଛି ଉ-ଗ୍ରାସ କରିବା,ଭୋଜନ କରିବା,ନିମନ୍ତ୍ରଣ କରିବା,ଧରିବା,ଵିନାଶ କରିବା;ସଂସ୍କୃତ ଓ୍ଵିକ୍ସନାରୀରେ,ଶବ୍ଦ କଳ୍ପଦ୍ରୁମରେ ମୁଖ୍ୟତଃ ଏହି ନିରୁକ୍ତି ଭେଦର ଉଲ୍ଲେଖ ରହିଛି]

ଗ୍ରସ୍ ଧାତୁ ଦେଇ ଗ୍ରାମ ଶବ୍ଦର ନିରୁକ୍ତି ଵ୍ୟାଖ୍ୟା
ପଛରେ ଏକ ସୁକ୍ଷ୍ମ ଭେଦ ଅଛି ।
ପ୍ରକୃତରେ ଗ୍ରସ୍ ଧାତୁ ଶବ୍ଦ ର ଅର୍ଥ ଗୁଡ଼ିକ ମଧ୍ୟରେ ସମୁଚୟ-ଏକୀକୃତ ହେବାର ଭାବ ରହିଛି.....
ଯେମିତିକି
→ଗ୍ରାମ ଗୁଡିକର ପଙ୍ଗତ ଭୋଜିରେ ସମିତେ ଏକ ସ୍ଥାନରେ ବସି ଭୋଜନ କରିବା
→ଅନ୍ୟ ଗ୍ରାମର ଅଧିଵାସୀଙ୍କୁ ଆପଣା ଗ୍ରାମକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାମୁହିକ ନିମନ୍ତ୍ରଣ କିମ୍ଵା ଶତୃମାନଙ୍କୁ ଏକଜୁଟ ହୋଇ ଯୁଦ୍ଧ ପାଇଁ ଆହ୍ଵାନ କରିବା
→ମିଳିମିଶି ଗ୍ରାମ ଶତୃ ଅର୍ଥାତ୍ ତତ୍କାଳୀନ ସମାଜରେ ପଶୁଧନ ଓ ଶସ୍ୟାଦି ଚୋରେଇ ନେଉଥିବା ଦସ୍ୟୁ ମାନଙ୍କୁ ଧରିବା
→ଶତୃ ମାନଙ୍କର ସାମୁହିକ ବିନାଶ କରିବା ଆଦି ଅର୍ଥ ମଧ୍ୟରେ ଗ୍ରାମ ଓ ଗ୍ରାମଵାସୀଙ୍କ ଭିତରେ ରହିଥିବା ଏକତାର ସ୍ପଷ୍ଟ ଅବତାରଣା କରାଯାଇଛି ।

ବହୁତ ସମ୍ଭବ ପରଵର୍ତ୍ତୀ କାଳରେ ଏହି ଗ୍ରାମ ଶବ୍ଦର ଗ୍ରସଧାତୁରୁ ପ୍ରାପ୍ତ ଯୁଦ୍ଧ ବାବଦ ଅର୍ଥ ଆଧାରରେ ଗ୍ରାମ୍ ଧାତୁ ପରିପ୍ରକାଶ ଲାଭ କରିଛି ଏବଂ ତହିଁରୁ ସଂଗ୍ରାମ(ସମ୍+ଗ୍ରାମ୍ ଧାତୁ+ଭାବ.ଅ)ଭଳି ଶବ୍ଦ ସୃଷ୍ଟି କରି ତାହାକୁ ଯୁଦ୍ଧ ଅର୍ଥରେ ଵ୍ୟଵହାର କରାଯାଇଛି ।

ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ
ସେମାନେ ରାଜାଙ୍କ ଲୋକ ଥିଲେ
ସେମାନଙ୍କ ପାଇଁ ଗ୍ରାମର କୃଷକ ଓ ଶ୍ରମିକ ଆଦିଙ୍କୁ ସୈନିକ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢିବାକୁ ପଡୁ଼ଥିଲା । କିନ୍ତୁ ଯେତେବେଳେ ସେ ସୈନ୍ୟସାମନ୍ତ ମଧ୍ଯ ଶତୃ ସେନା ଦ୍ଵାରା ପରାସ୍ତ ହୋଇଯାଉଥିଲେ ସେତେବେଳେ
ନଗରଵାସୀଙ୍କୁ ଶତୃପକ୍ଷ ଆଡୁ଼ ଅନେକ ଅତ୍ୟାଚାର ଓ ଯାତନା ଭୋଗ କରିବାକୁ ହେଉଥିଲା......

ଆଜିର ଆଧୁନିକ ସହର ମାନଙ୍କରେ ପ୍ରକୃତ ରଜା ତ ନାହାନ୍ତି କିନ୍ତୁ ରଜାଙ୍କ ପରି ଵୈଭଵଶାଳୀ ଲୋକ ବହୁତ ଅଛନ୍ତି । ସେମାନେ ଧନିକ ଵ୍ୟାପାରୀ ପ୍ରଶିଦ୍ଧ ଲୋକ ଅଟନ୍ତି,ତାଙ୍କର ଗୁଡାଏ କମ୍ପାନୀ ଥାଏ । ତହିଁରେ ଗାଆଁର ଲୋକଙ୍କୁ ଖଟେଇ ବହୁତ ଲାଭ ପାଇ ଅଳ୍ପ ଧନ ଦେଇଥାନ୍ତି । ମୋଟ ଉପରେ ଆଧୁନିକ ଯୁଗରେ ତଥାକଥିତ ଵାସ୍ତୁଵାଦୀ ଵିକାଶ ପାଇଁ ବି ଗ୍ରାମଵାସୀ ମାନେ ସର୍ଵାଧିକ ଜୀଵନଯୁଦ୍ଧ ଲଢିଥାନ୍ତି ।

ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ
ତେଣୁ ନଗର ଶବ୍ଦରେ ଯୁଦ୍ଧ ଓ ସଂଗ୍ରାମ ଆଦି ଅତିଵାଦୀ ତତ୍ଵ ଗୁଡ଼ିକ ସ୍ଥାନ ପାଇନାହିଁ ।

ସେଇଥି ଯୋଗୁଁ ନଗର ଶବ୍ଦ ର ନିରୁକ୍ତି ଗ୍ରାମ ଶବ୍ଦ ଅପେକ୍ଷା ଭିନ୍ନ ଅର୍ଥ ଆଡ଼କୁ ଆମ୍ଭ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।
ନଗର ଶବ୍ଦ ର ମୂଳରେ ଅଛି “ନଗ” ଶବ୍ଦ ଏବଂ ଏଥିରେ “ର” ଶବ୍ଦ ଯୋଡା଼ ଯାଇ ଶବ୍ଦ ହେଲା
ନଗର
=>ନଗ+(ଅଛି ଅର୍ଥରେ )ର

ପୁଣି
ନଗ ଶବ୍ଦ ର ନିରୁକ୍ତି
ନ+ଗମ୍ ଧାତୁ+କର୍ତ୍ତୁ.ଅ=ନଗ
ନଃ ଗ....

ଅର୍ଥାତ୍ ଯେ ଗତି କରେ ନାହିଁ
ସେ ନଗ ଅଟେ
ନଗ ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ହୋଇଛି~
୧.ବୃକ୍ଷ
୨.ପର୍ଵତ
୩.ସାତ ସଂଖ୍ୟା
୪.ସର୍ପ
୫.ସୂର୍ଯ୍ୟ
(ସୂର୍ଯ୍ୟ ଅପେକ୍ଷାକୃତ ସ୍ଥିର ଓ ପୃଥିବୀ ତହିଁର ଚତୁଃପାର୍ଶ୍ଵରେ ପରିକ୍ରମା କରିଥାଏ ବୋଲି ସୂର୍ଯ୍ୟଙ୍କୁ ଅଚଳ ଭାବେ ଏହି ଶବ୍ଦ ର ସୂର୍ଯ୍ୟ ଅର୍ଥ ହୋଇଥାଇପାରେ ?)

ଚାଲନ୍ତୁ ନଗ ଶବ୍ଦ ର ଚାରୋଟି ଅର୍ଥକୁ ଧରି ନଗର ଶବ୍ଦ ର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଦେଖିବା କଣ୍ ମିଳୁଛି......

→ନଗ ଶବ୍ଦ ର ଗୋଟାଏ ଅର୍ଥ ବୃକ୍ଷ ତେବେ ଆଜିର ଅଧିକାଂଶ ସହର ବୃକ୍ଷହୀନ କହିଲେ ଅତ୍ୟୁକ୍ତି ହେବନାହିଁ....

ତେବେ ଏଠାରେ ର ଶବ୍ଦ ର ବିଶେଷ୍ୟ ଅର୍ଥ ଯଥା ଅଗ୍ନି,ଉତ୍ତାପ ଓ ଦାହନ ଆଦିର ପ୍ରୟୋଗ ପୂର୍ଵକ ଏମିତି ବ୍ୟାଖ୍ୟା କରାଯାଇପାରିବ ଯେ
ଯେଉଁଠି ବୃକ୍ଷ ଗୁଡିକୁ କାଟି ଅଗ୍ନି ରେ ଜାଳିଦିଆଯାଇଛି,ଯେଉଁଠି ବୃକ୍ଷ ଅଭାବରେ ଉତ୍ତାପ ବୃଦ୍ଧି ଯୋଗୁଁ ମାନବ ଆଦିଙ୍କ ଶରୀର ଦାହନ ହେବା ସୁଦ୍ଧା ଅସମ୍ଭବ ନୁହେଁ ତାହା ନଗର ଅଟେ । 

→ନଗ ଶବ୍ଦର ପର୍ଵତ ଅର୍ଥ ଆଧାରରେ ପ୍ରହରାଜଙ୍କ ବ୍ୟାଖ୍ୟା ଅନେକାଂଶରେ ଯୁକ୍ତିଯୁକ୍ତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ନଗର ଶବ୍ଦ ତଳେ କୁହାଯାଇଛି–ପର୍ଵତାକାର ଅଟ୍ଟାଳିକା ମାନ ଯେଉଁଠି ଦୃଷ୍ଟିଗୋଚର ହୁଏ ତାହା ନଗର ଖ୍ୟାତ ହୁଏ ।

→ଆଉ ସର୍ପ ଓ ସହର ତ ପରସ୍ପର ର ଶତୃ କହିଲେ ମିଥ୍ୟା ହେବନି । ପାଦହୀନ ଏ ଜୀଵଟି ସହର ମାନଙ୍କରେ ମଣିଷ ହାତରୁ ବଞ୍ଚି ଗଲେ ବି ଗାଡ଼ି ଚକା ତଳେ ଚପାଖାଇ ମରିଯିବା ଅସମ୍ଭବ ନୁହେଁ । ସହରରେ ତାକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ବି ମିଳୁନଥିବ । କିନ୍ତୁ ସହର ମାନଙ୍କରେ ସର୍ପିଳ ମନୁଷ୍ୟ ବହୁତ ଥାଆନ୍ତି ଆଉ ସାପ ମାନଙ୍କ ଠାରୁ ସେମାନେ ସହସ୍ରାଧିକ ଗୁଣ ଅଧିକ ଵିଷାକ୍ତ ....
ତେଣୁ ସହଜ ଶବ୍ଦରେ କହିଲେ
ନଗ ଵା ସର୍ପରୂପି ଖଳ ଦୂର୍ଜନ ଯେଉଁଠି ଗଣ୍ଡା ଗଣ୍ଡା ଥାଆନ୍ତି ତାହା ଯଥାର୍ଥରେ ନଗର.....

→ନଗ ଶବ୍ଦ ର ସୂର୍ଯ୍ୟ ଅର୍ଥର ବ୍ୟାଖ୍ୟା ଅତି ସହଜ କାରଣ ଉପରେ କୁହାଯାଇଛି ଯେ ଏଠାରେ (ନଗ)ବୃକ୍ଷକୁ (ର)ଅଗ୍ନିରେ ଜଳେଇଦେଇ ବୃକ୍ଷହୀନ କରିଦେଲାପରେ (ନଗ)ସୂର୍ଯ୍ୟର (ର)ଉତ୍ତାପ ପ୍ରଖର ହୋଇଥାଏ ଫଳରେ ଗ୍ରୀଷ୍ମ କାଳ ଆଗମନ ମାତ୍ରେ ଶହ ଶହ ପ୍ରାଣୀ ଅଂଶୁଘାତ ଯୋଗୁଁ ମରିଥାନ୍ତି ।

ତେବେ ସେ ଯାହା ହେଉ ନା କାହିଁକି
ଆଜିର ସହରରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ମାନ ସୂର୍ଯ୍ୟ କୁ ବି ଲୁଚେଇ ଦେବାର ଅଦ୍ଭୂତପୂର୍ବ କାର୍ଯ୍ୟ କରିସାରିଛନ୍ତି । ସେମିତି ବି ସହର ମାନଙ୍କରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ମାନଙ୍କୁ ନ ଦେଖିବାର ପରମ୍ପରା ରହିଛି । ସହରରେ ସେଇଥିପାଇଁ ଲୋକେ ମାନବଙ୍କ ମଧ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଖୋଜିଥାନ୍ତି ଵା ସେଭଳି ଲୋକଙ୍କୁ ଏମନ୍ତ ଉପାଧି ରେ ଭୁଷିତ କରିଥାନ୍ତି ।

ଏଠାରେ କହିରଖେ ସହର ଶବ୍ଦ ଟି ମଧ୍ଯ ନଗର ଶବ୍ଦ ଠାରୁ ସେତେ ଭିନ୍ନ ନୁହେଁ । ଉଭୟ ଭାରୋପୀୟ ଶବ୍ଦ ଅଟନ୍ତି ।
[tek-]=>[xšáyati]=>[xšaça]=>[šahr]=>ସହର
P.I.E. root ନିୟମାନୁସାରେ ଏହିଭଳି ଭାବେ ଏ ଶବ୍ଦ ଟି ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମାନେ ନିର୍ଦ୍ଧାରଣ କରିଅଛନ୍ତି ।
xšáyati ଶବ୍ଦ ସହିତ ସଂସ୍କୃତର କ୍ଷୟତି ଓ କ୍ଷତ୍ର,କ୍ଷେତ୍ରର ସମ୍ପର୍କ ରହିଛି ।
କ୍ଷତ୍ର ଶବ୍ଦ ର ନିରୁକ୍ତି
କ୍ଷତ ଶବ୍ଦ ରେ ତ୍ରୈ ଧାତୁ ଯୁକ୍ତ ହୋଇ ନିର୍ଣ୍ଣୟ କରାଯାଇଛି ।
ତ୍ରୈ ଧାତୁ ସହ P.I.E. root (*tek-) ର ସାମଜସ୍ୟତା ଅଛି । ତ୍ରୈ ଧାତୁର ଅର୍ଥ ରକ୍ଷା କରିବା । କ୍ଷତ ଶବ୍ଦର ଏକ ଅର୍ଥ ବିପଦ ।
ଅର୍ଥାତ୍ ଯେଉଁଠି (ଯୁଦ୍ଧାଦି)ବିପଦରୁ ରକ୍ଷା ମିଳିଯାଏ,ଯେଉଁଠି କ୍ଷତ୍ରପାଳ ଵା ରାଜା ନିଵାସ କରନ୍ତି ତାହା ନିଶ୍ଚିତ ସହର ପବାଚ୍ୟ ହେଉଥିଲା ।

ଆଜି  ସମୟ ସହିତ ମନୁଷ୍ୟ ସମାଜରେ ଅଦ୍ଭୁତପୂର୍ବ ପରିଵର୍ତ୍ତନ ହୋଇଛି ସତ ହେଲେ ମନୁଷ୍ୟ ଜାତିର ଇତିହାସ ଲୁଚିରହିଛି ଏଇମିତି କିଛି ଶବ୍ଦ ଗୁଡ଼ିକରେ....

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...