Sunday, September 9, 2018

ସହର ନଗର ଓ ଗ୍ରାମର କଥା

ଆଜି ଭାରତଵର୍ଷରେ city ପାଇଁ ଵୈଦେଶିକ “ସହର” ଶବ୍ଦଟେ ଆସି ବହୁପ୍ରଚଳିତ ହେଲାଣି ।

ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ  ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା ।

ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି ହେବାର ମୁଖ୍ୟ କାରଣ ଥିଲା ରାଜତନ୍ତ୍ର ଓ ରାଜାଙ୍କ ନିଵାସ ନିକଟସ୍ଥ ଜନପଦର ଭଵ୍ୟତା ଯୋଗୁଁ ତାହାର ଗ୍ରାମଠାରୁ ଭିନ୍ନତା.....
ନଗରରେ ଵିଶାଳ ସୁନ୍ଦର ଅଟ୍ଟାଳିକା ଓ ଭଵନ ମାନ ନିର୍ମାଣ ଯୋଗୁଁ ଜନପଦ ଗୁଡିକ ଏବେ ଗ୍ରାମ ଓ ନଗର ଭାବେ ଦୁଇଭାଗରେ ଵିଭକ୍ତ ହୋଇଯାଇଥିଲା ।

ଗ୍ରାମରେ ଵାସକରୁଥିବା ଲୋକେ “ଗ୍ରାମଵାସୀ” ଓ “ଗ୍ରାମୀଣ” ଆଦି ବୋଲାଇଲା ବେଳେ ନଗରଵାସୀଙ୍କ ପାଇଁ “ନଗର” ସହିତ “ଇକ” ଯୁକ୍ତ ହୋଇ “ନାଗରିକ” ନାମ ପ୍ରଚଳିତ ହେଲା ।

ଲୋକେ ତତ୍ପରେ ସବୁ ସୁବିଧା ଅସୁବିଧାରେ ନଗର ଅଭିମୁଖେ ଯାତ୍ରା କରିବାକୁ ଲାଗିଲେ...
ରାଜାଙ୍କୁ ଦୁଃଖ ଜଣେଇବାକୁ ହେଉ କି
ରାଜସମ୍ମାନ ଲାଭ ଲାଳସାରେ ହେଉ
କିମ୍ବା ଵିଶିଷ୍ଟ ପଦାର୍ଥ ପାଇବା ଇଛା ଧରି ଗାଆଁର ଲୋକଟି ସେଇଦିନ ଠୁଁ ଆଜିଯାଏଁ ନିରନ୍ତର ସହରକୁ ଧାଇଁବାରେ ଲାଗିଛି । ତେବେ ନଗରରେ ଆଶା ପୂରଣ ହେଉ କି ନ ହେଉ ଆପଣା ଜନ୍ମଭୂମି ଗ୍ରାମପ୍ରାନ୍ତରକୁ କେବେ ନା କେବେ ତ ଫେରିବାକୁ ହିଁ ପଡି଼ଥାଏ.....

ଗ୍ରାମ ଶବ୍ଦର  ନିରୁକ୍ତି ଭେଦ ମଧ୍ଯ ସେଇକଥା କହେ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଗ୍ରାମ ଶବ୍ଦ ର ତିନୋଟି ନିରୁକ୍ତି ଭେଦ ଉଲ୍ଲେଖ ହୋଇଛି........

★→୧.ଗ୍ରାମ୍ ଧାତୁ;ଣିଚ୍ ଗ୍ରାମୀଧାତୁ(ଆମନ୍ତ୍ରିତ ହେବା,ଡକା ହେବା)+ଅ

******[ଯେଉଁଠାକୁ ଲୋକେ ଆମନ୍ତ୍ରିତ ହେଉଥିଲେ;ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମାନସିକ ଶାନ୍ତି ପାଇଁ କାରଣ ନଗରର କୋଳାହଳରେ ଏ ଉଭୟ ତତ୍ଵ ମିଳେନାହିଁ]******

★→୨.ଗମ୍ ଧାତୁ(ଯିବା)+ଅ(ନିପାତନ)

*******[ଗାଆଁରୁ ନଗର ଅଭିମୁଖେ ବାହାରି ପଡି଼ଥିବା ଲୋକଟି ଦିନେ ନା ଦିନେ ନଗରରୁ ଗାଆଁକୁ ଫେରିଯିବାକୁ ବାହାରି ପଡେ଼ ଏହା ହିଁ ହୋଇଥାଏ ହେଉଅଛି]*******

★→୩.ଗ୍ରସ୍ ଧାତୁ+ମନ୍+ଅ(ନିପାତନ)

[ଗ୍ରସ ଧାତୁ ର ଅନେକ ଅର୍ଥରେ ଵ୍ୟଵହାର ରହିଛି ଉ-ଗ୍ରାସ କରିବା,ଭୋଜନ କରିବା,ନିମନ୍ତ୍ରଣ କରିବା,ଧରିବା,ଵିନାଶ କରିବା;ସଂସ୍କୃତ ଓ୍ଵିକ୍ସନାରୀରେ,ଶବ୍ଦ କଳ୍ପଦ୍ରୁମରେ ମୁଖ୍ୟତଃ ଏହି ନିରୁକ୍ତି ଭେଦର ଉଲ୍ଲେଖ ରହିଛି]

ଗ୍ରସ୍ ଧାତୁ ଦେଇ ଗ୍ରାମ ଶବ୍ଦର ନିରୁକ୍ତି ଵ୍ୟାଖ୍ୟା
ପଛରେ ଏକ ସୁକ୍ଷ୍ମ ଭେଦ ଅଛି ।
ପ୍ରକୃତରେ ଗ୍ରସ୍ ଧାତୁ ଶବ୍ଦ ର ଅର୍ଥ ଗୁଡ଼ିକ ମଧ୍ୟରେ ସମୁଚୟ-ଏକୀକୃତ ହେବାର ଭାବ ରହିଛି.....
ଯେମିତିକି
→ଗ୍ରାମ ଗୁଡିକର ପଙ୍ଗତ ଭୋଜିରେ ସମିତେ ଏକ ସ୍ଥାନରେ ବସି ଭୋଜନ କରିବା
→ଅନ୍ୟ ଗ୍ରାମର ଅଧିଵାସୀଙ୍କୁ ଆପଣା ଗ୍ରାମକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାମୁହିକ ନିମନ୍ତ୍ରଣ କିମ୍ଵା ଶତୃମାନଙ୍କୁ ଏକଜୁଟ ହୋଇ ଯୁଦ୍ଧ ପାଇଁ ଆହ୍ଵାନ କରିବା
→ମିଳିମିଶି ଗ୍ରାମ ଶତୃ ଅର୍ଥାତ୍ ତତ୍କାଳୀନ ସମାଜରେ ପଶୁଧନ ଓ ଶସ୍ୟାଦି ଚୋରେଇ ନେଉଥିବା ଦସ୍ୟୁ ମାନଙ୍କୁ ଧରିବା
→ଶତୃ ମାନଙ୍କର ସାମୁହିକ ବିନାଶ କରିବା ଆଦି ଅର୍ଥ ମଧ୍ୟରେ ଗ୍ରାମ ଓ ଗ୍ରାମଵାସୀଙ୍କ ଭିତରେ ରହିଥିବା ଏକତାର ସ୍ପଷ୍ଟ ଅବତାରଣା କରାଯାଇଛି ।

ବହୁତ ସମ୍ଭବ ପରଵର୍ତ୍ତୀ କାଳରେ ଏହି ଗ୍ରାମ ଶବ୍ଦର ଗ୍ରସଧାତୁରୁ ପ୍ରାପ୍ତ ଯୁଦ୍ଧ ବାବଦ ଅର୍ଥ ଆଧାରରେ ଗ୍ରାମ୍ ଧାତୁ ପରିପ୍ରକାଶ ଲାଭ କରିଛି ଏବଂ ତହିଁରୁ ସଂଗ୍ରାମ(ସମ୍+ଗ୍ରାମ୍ ଧାତୁ+ଭାବ.ଅ)ଭଳି ଶବ୍ଦ ସୃଷ୍ଟି କରି ତାହାକୁ ଯୁଦ୍ଧ ଅର୍ଥରେ ଵ୍ୟଵହାର କରାଯାଇଛି ।

ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ
ସେମାନେ ରାଜାଙ୍କ ଲୋକ ଥିଲେ
ସେମାନଙ୍କ ପାଇଁ ଗ୍ରାମର କୃଷକ ଓ ଶ୍ରମିକ ଆଦିଙ୍କୁ ସୈନିକ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢିବାକୁ ପଡୁ଼ଥିଲା । କିନ୍ତୁ ଯେତେବେଳେ ସେ ସୈନ୍ୟସାମନ୍ତ ମଧ୍ଯ ଶତୃ ସେନା ଦ୍ଵାରା ପରାସ୍ତ ହୋଇଯାଉଥିଲେ ସେତେବେଳେ
ନଗରଵାସୀଙ୍କୁ ଶତୃପକ୍ଷ ଆଡୁ଼ ଅନେକ ଅତ୍ୟାଚାର ଓ ଯାତନା ଭୋଗ କରିବାକୁ ହେଉଥିଲା......

ଆଜିର ଆଧୁନିକ ସହର ମାନଙ୍କରେ ପ୍ରକୃତ ରଜା ତ ନାହାନ୍ତି କିନ୍ତୁ ରଜାଙ୍କ ପରି ଵୈଭଵଶାଳୀ ଲୋକ ବହୁତ ଅଛନ୍ତି । ସେମାନେ ଧନିକ ଵ୍ୟାପାରୀ ପ୍ରଶିଦ୍ଧ ଲୋକ ଅଟନ୍ତି,ତାଙ୍କର ଗୁଡାଏ କମ୍ପାନୀ ଥାଏ । ତହିଁରେ ଗାଆଁର ଲୋକଙ୍କୁ ଖଟେଇ ବହୁତ ଲାଭ ପାଇ ଅଳ୍ପ ଧନ ଦେଇଥାନ୍ତି । ମୋଟ ଉପରେ ଆଧୁନିକ ଯୁଗରେ ତଥାକଥିତ ଵାସ୍ତୁଵାଦୀ ଵିକାଶ ପାଇଁ ବି ଗ୍ରାମଵାସୀ ମାନେ ସର୍ଵାଧିକ ଜୀଵନଯୁଦ୍ଧ ଲଢିଥାନ୍ତି ।

ନଗରର ଲୋକେ ସେତେ ଯୁଦ୍ଧ କରୁନଥିଲେ
ତେଣୁ ନଗର ଶବ୍ଦରେ ଯୁଦ୍ଧ ଓ ସଂଗ୍ରାମ ଆଦି ଅତିଵାଦୀ ତତ୍ଵ ଗୁଡ଼ିକ ସ୍ଥାନ ପାଇନାହିଁ ।

ସେଇଥି ଯୋଗୁଁ ନଗର ଶବ୍ଦ ର ନିରୁକ୍ତି ଗ୍ରାମ ଶବ୍ଦ ଅପେକ୍ଷା ଭିନ୍ନ ଅର୍ଥ ଆଡ଼କୁ ଆମ୍ଭ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।
ନଗର ଶବ୍ଦ ର ମୂଳରେ ଅଛି “ନଗ” ଶବ୍ଦ ଏବଂ ଏଥିରେ “ର” ଶବ୍ଦ ଯୋଡା଼ ଯାଇ ଶବ୍ଦ ହେଲା
ନଗର
=>ନଗ+(ଅଛି ଅର୍ଥରେ )ର

ପୁଣି
ନଗ ଶବ୍ଦ ର ନିରୁକ୍ତି
ନ+ଗମ୍ ଧାତୁ+କର୍ତ୍ତୁ.ଅ=ନଗ
ନଃ ଗ....

ଅର୍ଥାତ୍ ଯେ ଗତି କରେ ନାହିଁ
ସେ ନଗ ଅଟେ
ନଗ ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ହୋଇଛି~
୧.ବୃକ୍ଷ
୨.ପର୍ଵତ
୩.ସାତ ସଂଖ୍ୟା
୪.ସର୍ପ
୫.ସୂର୍ଯ୍ୟ
(ସୂର୍ଯ୍ୟ ଅପେକ୍ଷାକୃତ ସ୍ଥିର ଓ ପୃଥିବୀ ତହିଁର ଚତୁଃପାର୍ଶ୍ଵରେ ପରିକ୍ରମା କରିଥାଏ ବୋଲି ସୂର୍ଯ୍ୟଙ୍କୁ ଅଚଳ ଭାବେ ଏହି ଶବ୍ଦ ର ସୂର୍ଯ୍ୟ ଅର୍ଥ ହୋଇଥାଇପାରେ ?)

ଚାଲନ୍ତୁ ନଗ ଶବ୍ଦ ର ଚାରୋଟି ଅର୍ଥକୁ ଧରି ନଗର ଶବ୍ଦ ର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଦେଖିବା କଣ୍ ମିଳୁଛି......

→ନଗ ଶବ୍ଦ ର ଗୋଟାଏ ଅର୍ଥ ବୃକ୍ଷ ତେବେ ଆଜିର ଅଧିକାଂଶ ସହର ବୃକ୍ଷହୀନ କହିଲେ ଅତ୍ୟୁକ୍ତି ହେବନାହିଁ....

ତେବେ ଏଠାରେ ର ଶବ୍ଦ ର ବିଶେଷ୍ୟ ଅର୍ଥ ଯଥା ଅଗ୍ନି,ଉତ୍ତାପ ଓ ଦାହନ ଆଦିର ପ୍ରୟୋଗ ପୂର୍ଵକ ଏମିତି ବ୍ୟାଖ୍ୟା କରାଯାଇପାରିବ ଯେ
ଯେଉଁଠି ବୃକ୍ଷ ଗୁଡିକୁ କାଟି ଅଗ୍ନି ରେ ଜାଳିଦିଆଯାଇଛି,ଯେଉଁଠି ବୃକ୍ଷ ଅଭାବରେ ଉତ୍ତାପ ବୃଦ୍ଧି ଯୋଗୁଁ ମାନବ ଆଦିଙ୍କ ଶରୀର ଦାହନ ହେବା ସୁଦ୍ଧା ଅସମ୍ଭବ ନୁହେଁ ତାହା ନଗର ଅଟେ । 

→ନଗ ଶବ୍ଦର ପର୍ଵତ ଅର୍ଥ ଆଧାରରେ ପ୍ରହରାଜଙ୍କ ବ୍ୟାଖ୍ୟା ଅନେକାଂଶରେ ଯୁକ୍ତିଯୁକ୍ତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ନଗର ଶବ୍ଦ ତଳେ କୁହାଯାଇଛି–ପର୍ଵତାକାର ଅଟ୍ଟାଳିକା ମାନ ଯେଉଁଠି ଦୃଷ୍ଟିଗୋଚର ହୁଏ ତାହା ନଗର ଖ୍ୟାତ ହୁଏ ।

→ଆଉ ସର୍ପ ଓ ସହର ତ ପରସ୍ପର ର ଶତୃ କହିଲେ ମିଥ୍ୟା ହେବନି । ପାଦହୀନ ଏ ଜୀଵଟି ସହର ମାନଙ୍କରେ ମଣିଷ ହାତରୁ ବଞ୍ଚି ଗଲେ ବି ଗାଡ଼ି ଚକା ତଳେ ଚପାଖାଇ ମରିଯିବା ଅସମ୍ଭବ ନୁହେଁ । ସହରରେ ତାକୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ବି ମିଳୁନଥିବ । କିନ୍ତୁ ସହର ମାନଙ୍କରେ ସର୍ପିଳ ମନୁଷ୍ୟ ବହୁତ ଥାଆନ୍ତି ଆଉ ସାପ ମାନଙ୍କ ଠାରୁ ସେମାନେ ସହସ୍ରାଧିକ ଗୁଣ ଅଧିକ ଵିଷାକ୍ତ ....
ତେଣୁ ସହଜ ଶବ୍ଦରେ କହିଲେ
ନଗ ଵା ସର୍ପରୂପି ଖଳ ଦୂର୍ଜନ ଯେଉଁଠି ଗଣ୍ଡା ଗଣ୍ଡା ଥାଆନ୍ତି ତାହା ଯଥାର୍ଥରେ ନଗର.....

→ନଗ ଶବ୍ଦ ର ସୂର୍ଯ୍ୟ ଅର୍ଥର ବ୍ୟାଖ୍ୟା ଅତି ସହଜ କାରଣ ଉପରେ କୁହାଯାଇଛି ଯେ ଏଠାରେ (ନଗ)ବୃକ୍ଷକୁ (ର)ଅଗ୍ନିରେ ଜଳେଇଦେଇ ବୃକ୍ଷହୀନ କରିଦେଲାପରେ (ନଗ)ସୂର୍ଯ୍ୟର (ର)ଉତ୍ତାପ ପ୍ରଖର ହୋଇଥାଏ ଫଳରେ ଗ୍ରୀଷ୍ମ କାଳ ଆଗମନ ମାତ୍ରେ ଶହ ଶହ ପ୍ରାଣୀ ଅଂଶୁଘାତ ଯୋଗୁଁ ମରିଥାନ୍ତି ।

ତେବେ ସେ ଯାହା ହେଉ ନା କାହିଁକି
ଆଜିର ସହରରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ମାନ ସୂର୍ଯ୍ୟ କୁ ବି ଲୁଚେଇ ଦେବାର ଅଦ୍ଭୂତପୂର୍ବ କାର୍ଯ୍ୟ କରିସାରିଛନ୍ତି । ସେମିତି ବି ସହର ମାନଙ୍କରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ମାନଙ୍କୁ ନ ଦେଖିବାର ପରମ୍ପରା ରହିଛି । ସହରରେ ସେଇଥିପାଇଁ ଲୋକେ ମାନବଙ୍କ ମଧ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଖୋଜିଥାନ୍ତି ଵା ସେଭଳି ଲୋକଙ୍କୁ ଏମନ୍ତ ଉପାଧି ରେ ଭୁଷିତ କରିଥାନ୍ତି ।

ଏଠାରେ କହିରଖେ ସହର ଶବ୍ଦ ଟି ମଧ୍ଯ ନଗର ଶବ୍ଦ ଠାରୁ ସେତେ ଭିନ୍ନ ନୁହେଁ । ଉଭୟ ଭାରୋପୀୟ ଶବ୍ଦ ଅଟନ୍ତି ।
[tek-]=>[xšáyati]=>[xšaça]=>[šahr]=>ସହର
P.I.E. root ନିୟମାନୁସାରେ ଏହିଭଳି ଭାବେ ଏ ଶବ୍ଦ ଟି ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମାନେ ନିର୍ଦ୍ଧାରଣ କରିଅଛନ୍ତି ।
xšáyati ଶବ୍ଦ ସହିତ ସଂସ୍କୃତର କ୍ଷୟତି ଓ କ୍ଷତ୍ର,କ୍ଷେତ୍ରର ସମ୍ପର୍କ ରହିଛି ।
କ୍ଷତ୍ର ଶବ୍ଦ ର ନିରୁକ୍ତି
କ୍ଷତ ଶବ୍ଦ ରେ ତ୍ରୈ ଧାତୁ ଯୁକ୍ତ ହୋଇ ନିର୍ଣ୍ଣୟ କରାଯାଇଛି ।
ତ୍ରୈ ଧାତୁ ସହ P.I.E. root (*tek-) ର ସାମଜସ୍ୟତା ଅଛି । ତ୍ରୈ ଧାତୁର ଅର୍ଥ ରକ୍ଷା କରିବା । କ୍ଷତ ଶବ୍ଦର ଏକ ଅର୍ଥ ବିପଦ ।
ଅର୍ଥାତ୍ ଯେଉଁଠି (ଯୁଦ୍ଧାଦି)ବିପଦରୁ ରକ୍ଷା ମିଳିଯାଏ,ଯେଉଁଠି କ୍ଷତ୍ରପାଳ ଵା ରାଜା ନିଵାସ କରନ୍ତି ତାହା ନିଶ୍ଚିତ ସହର ପବାଚ୍ୟ ହେଉଥିଲା ।

ଆଜି  ସମୟ ସହିତ ମନୁଷ୍ୟ ସମାଜରେ ଅଦ୍ଭୁତପୂର୍ବ ପରିଵର୍ତ୍ତନ ହୋଇଛି ସତ ହେଲେ ମନୁଷ୍ୟ ଜାତିର ଇତିହାସ ଲୁଚିରହିଛି ଏଇମିତି କିଛି ଶବ୍ଦ ଗୁଡ଼ିକରେ....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...