Saturday, August 31, 2019

ବଙ୍ଗାଳୀ ଭାଷା ମିଠା କି

ଆମ ଓଡ଼ିଶାରେ ଅନୁଗୋଳର କଥିତ ଭାଷା ସ୍ଵାଭାଵିକ ମିଠା ପୁଣି ଗଞ୍ଜାମର କଥିତ ଭାଷା ସିଂହର ଭାଷା ଅଟେ । ତେଵେ ଓଡ଼ିଶାରେ ଅନେକ ଲୋକ କୁହନ୍ତି ବଙ୍ଗାଳୀ ଭାଷା ହେଉଛି ସବୁଠୁଁ ମିଠା/ମଧୁର ଭାଷା । ଏମିତି କୁହାଯିଵାର ଅନେକ କାରଣ ରହିଛି ।
ପ୍ରଥମତଃ ବଙ୍ଗାଳୀ ଭାଷାର ଶବ୍ଦ ଓ ଉଚ୍ଚାରଣ ତଥା ଵାକ୍ଯଗଠନ ପ୍ରଣାଳୀ ଏହାକୁ ମାତା ଓ ଵାଳୁତମାନଙ୍କ ମଧ୍ୟରେ କଥୋପକଥନର ଭାଷା ଭଳି ପ୍ରତିଭାତ କରାଇଥାଏ । ନିମ୍ନରେ ସେଇଭଳି କେତେକ ମତୋଲ୍ଲେଖ ଉଲ୍ଲେଖ କରାଯାଉଛି ଯାହା ବଙ୍ଗାଳୀ ଭାଷାକୁ କାହିଁକି ମିଷ୍ଟ ଭାଷା କୁହାଯାଏ ତାହାର ସମ୍ଭାଵିତ କାରଣ ହୋଇଥାଇପାରେ ।

●●●●●●●●●●●●●●●●●●●●●●●●●
୧)ବଙ୍ଗାଳୀ ଭାଷା ମାଆ ଛୁଆଙ୍କ କଥୋପକଥନର ଭାଷା ଭଳି ପ୍ରତିଭାତ ହୁଏ ତେଣୁ ଏହା ମିଠା ଭାଷା ଭାଵେ ଲୋକପ୍ରିୟ
●●●●●●●●●●●●●●●●●●●●●●●●●●

■(କ)
ଓଡ଼ିଆ ଭାଷାର ଶବ୍ଦୋଚ୍ଚାରଣ 'ଅ'କାରାନ୍ତ କିନ୍ତୁ ବଙ୍ଗାଳୀ 'ଓ'କାରାନ୍ତ ଅଟେ । ରଙ୍ଗଵତୀର ରଙ୍ଗ କେବେ ରୋଙ୍ଗୋ ହୁଏନାହିଁ କିଂଵା କନକଲତାର କନକ କେବେ କୋନୋକୋ ହୁଏନାହିଁ ।  ଓଡ଼ିଆ ତୁଳନାରେ ବଙ୍ଗାଳୀ ଶୃତିମଧୁର ହୋଇଥିଲେ, ରଵୀନ୍ଦ୍ରନାଥ ଟାଗୋର ନିଶ୍ଚୟ  "ଜୋନୋଗୋନୋ ମୋନୋ ..." ଗାଇଥାନ୍ତେ । କିନ୍ତୁ ସେ "ଜନଗଣ ମନ..." ଗାଇଲେ ଓଡ଼ିଆଙ୍କ ପରି ଏଵଂ ଶ୍ରୀଟାଗୋରଙ୍କୁ ଯେତେଵେଳେ ଏ ଗୀତ ଵିଷୟରେ ପଚାରାଯାଇଥିଲା ସେତେଵେଳେ ସେ କହିଥିଲେ ମୁଁ ଏହି ଗୀତଟି ସାଧୁ ବାଙ୍ଗ୍ଲା ଭାଷାରେ ଲେଖିଅଛି।  ତେଵେ ସ୍ତ୍ରୀ ଲୋକେ ହଇଗୋ,କିଗୋ,ଆଗୋ ଡାକିଲାଵେଳେ ଯେମିତି କୋମଳ ଉଚ୍ଚାରଣ କରନ୍ତି ସେଇଭଳି ଓକାରନ୍ତ ଉଚ୍ଚାରଣ କେତେକ ଲୋକଙ୍କୁ କୋମଳ ବୋଲି ଭ୍ରମ ଧାରଣା ହୁଏ ତେଣୁ ସେମାନେ ବଙ୍ଗାଳୀକୁ ମିଠା ଭାଷା କହିଦିଅନ୍ତି ।

■(ଖ)
ଛୋଟ ପିଲାଙ୍କ କଥା କୋମଳ ଲାଗେ କାରଣ ସେମାନେ ଵର୍ତ୍ସ୍ୟ ଆସ୍ଫାଳିତ ଳ, ଣ କହିପାରନ୍ତି ନାହିଁ । ମୁଁ କଳାହାଣ୍ଡି ଜିଲ୍ଲାରେ ନାମ ସଙ୍କୀର୍ତ୍ତନ ଶୁଣିଛି, ସେମାନେ ଳ ଓ ଣ ନିର୍ଭୁଲ ଉଚ୍ଚାରଣ କରନ୍ତି କିନ୍ତୁ ବଙ୍ଗାଳୀ ପାରନ୍ତି ନାହିଁ । ସେଇଭଳି ବଙ୍ଗାଳୀରେ ଅଵର୍ଗ୍ଯ ‛ଵ’ ନାହିଁ । ବୋଧହୁଏ ଏହିକାରଣରୁ ବଙ୍ଗାଳୀକୁ ମିଠା ଭାଷା କୁହାଯାଇଛି ।

■(ଗ)
କୋମଳ କଥା କହୁଥିଵା ଶିଶୁ କ୍ରିୟାପଦ ଭୁଲ କରନ୍ତି ପାଣି ପିଇଵି ପରିଵର୍ତ୍ତେ ଖାଇଵି କହିଦିଅନ୍ତି । ବଙ୍ଗାଳୀମାନେ ବି ଭାତ, ପାଣି, ସିଗାରେଟ ସଵୁ ଖାଆନ୍ତି । କିନ୍ତୁ ଓଡ଼ିଆମାନେ ଭାତ ଖାଆନ୍ତି, ପାଣି ପିଅନ୍ତି, ଧୁଆଁ ଟାଣନ୍ତି (ଘିଚନ୍ତି) ଓ ଖରା ପୁଅନ୍ତି ।
ଏଭଳି ଵ୍ଯାକରଣ ଵୈଜ୍ଞାନିକତାହୀନ ଵାକ୍ଯଗଠନ ପ୍ରଣାଳୀର ଅଭାଵ ବଙ୍ଗାଳୀଲୋକେ କରୁଥିଵା ହେତୁ ସେମାନଙ୍କ ଭାଷାକୁ ପିଲାଙ୍କ ଭାଷା ମନେ କରି ମିଠା କୁହାଯାଇଛି । ପିଲାଙ୍କ ଭାଷା ସବୁଵେଳେ ମିଠା ହିଁ ହୋଇଥାଏ ।

■(ଘ)
ପିଲାମାନେ ଵିଶେଷଣ ଶବ୍ଦର ଯଥାର୍ଥ ପ୍ରୟୋଗ ଜାଣିପାରନ୍ତି ନାହିଁ  । ଯଥା ଭୀଷଣ ଶବ୍ଦ ଓ ଦାରୁଣ ଶବ୍ଦ କେଵଳ ଅତ୍ୟଧିକ କର୍କଶ, ଯନ୍ତ୍ରଣା ଓ ଅସହ୍ୟବୋଧ ସ୍ଥିତିକୁ ସୂଚାଏ ଯଥା ଭୀଷଣ ଯନ୍ତ୍ରଣା, ଭୀଷଣ ଖଟା, ଭୀଷଣ ରାଗ, ଦାରୁଣ ଦୁଃଖ ଇତ୍ୟାଦି । ଏପରି ଯଥୋଚିତ ପ୍ରୟୋଗ ଓଡ଼ିଆରେ ହୁଏ କିନ୍ତୁ ବଙ୍ଗାଳୀମାନେ ଛୁଆଙ୍କ ପରି ଭୀଷୋନ୍ ମିଠା, ଦାରୁନ୍ କଵିତା କହନ୍ତି ... ଏହି ତ୍ରୁଟି କୋମଳ ଲାଗେ ଠିକ୍ ଛୁଆଙ୍କ ତ୍ରୁଟି ପରି ...

■(ଙ)
ଛୋଟ ପିଲାଟିଏ କେଵେ ଯୁକ୍ତାକ୍ଷର ଉଚ୍ଚାରଣ କରିପାରେ ନାହିଁ । ଓଡ଼ିଶାକୁ ନୂଆକରି ଆସୁଥିଵା ବଙ୍ଗାଳୀ କହନ୍ତି, ଓଡ଼ିଆରେ ଅତି ଅଧିକ ଯୁକ୍ତାକ୍ଷର ଵ୍ୟଵହାର ହୁଏ । ସେମାନେ ଲକ୍ଷ୍ମୀ କୁ ଲୋଖି, ଵ୍ୟସ୍ତ କୁ ବେସ୍ତୋ, ଆତ୍ମା କୁ ଆତା କହନ୍ତି ...
ଠିକ୍ ଛୁଆଙ୍କ ପରି ...
ଵାସ୍ତଵରେ ସେହି ଉଚ୍ଚାରଣ ଯାହା ଅପରିପକ୍ବ ତାହା ଛୁଆଙ୍କ ପରି କୋମଳ ଲାଗେ।

●●●●●●●●●●●●●●●●●●●●●●●●●●●
୨)ଓଡ଼ିଆ ଲୋକେ ଭାବୁଥିଲେ ଯେ ବଙ୍ଗାଳୀ ରସଗୋଲା ଭଳି ମିଠାଦ୍ରଵ୍ଯର ଆଵିଷ୍କାରକ ତେଣୁ
ମିଠା ଦେଲାଵାଲାର ଭାଷା ବି ମିଠା ବୋଲି ଧାରଣା ଜନ୍ମିଥିଲା ଯାହା ପ୍ରଵାଦରେ ପରିଣତ ହୋଇଛି ।
●●●●●●●●●●●●●●●●●●●●●●●●●●
ରସଗୋଲାକୁ ଆଗେ କଲିକତାରୁ ଆସିଥିଵା ମିଠା ବୋଲି ଅନେକ ଅଳ୍ପଜ୍ଞ ଓଡ଼ିଆ ମାନିନେଇଥିଲେ ।
ସେତେଵେଳେ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ କୌଣସି ଆଖି ଦୃଶିଆ ପୁସ୍ତକ ନଥିଵାରୁ ଏଵଂ ଘରେ
ଗଦା ଗଦା ବଙ୍ଗାଳୀ ବହି ବାହାରେ ଗୁଡା଼ଏ ବଙ୍ଗାଳୀଙ୍କୁ ଦେଖି ଦେଶଭକ୍ତ ଓଡ଼ିଆ ଜାତି ବଙ୍ଗାଳୀଙ୍କ ଭାଷାକୁ ମିଠା ମାନି ନେଇଥାଇପାରେ । ସେତେଵଳର ଓଡ଼ିଆ ଭାଵିଥିଵେ  ଯିଏ ମିଠା ଆଵିଷ୍କାରକ ଜାତି ତା ଭାଷା ବି ବହୁତ ମିଠା ହୋଇଥିଵ । ଏଭଳି ଉଚ୍ଚ ଚିନ୍ତାଧାରା ଆଜି ବି ଊଣା ଅଧିକେ ଓଡ଼ିଆ ଲୋକଙ୍କ ମଧ୍ୟରେ ଦିଶିଯାଏ ।

●●●●●●●●●●●●●●●●●●●●●●●●●●
୩)ମିଠା ଓ ତିକ୍ତତା ପ୍ରତ୍ୟେକ ଭାଷାରେ ଥାଏ ।
ବଙ୍ଗଳା ଏକ ମିଠା ଭାଷା ଏହା ବଙ୍ଗାଳୀଙ୍କ ଅପପ୍ରଚାର
●●●●●●●●●●●●●●●●●●●●●●●●●●●
କିଛି ଲୋକ ମତ ଦିଅନ୍ତି ଯେ ଏମନ୍ତ କୌଣସି ଭାଷା ନାହିଁ ଯହିଁରେ ମଧୁରତା ଓ ଗମ୍ଭୀରତା ନାହିଁ ।
ପ୍ରତ୍ୟେକ ଭାଷାରେ କହିବାର ଶୈଳୀ ଯୋଗୁଁ  ମଧୁରତା ଵା କଟୁତା ଆସେ । ଉପନିଵେଶଵାଦ ଯୁଗରେ ବଙ୍ଗଳୀ ଭାଷୀ ଲୋକେ ଏହାର ଵିଶେଷ ପ୍ରଚାର କରିଥିଲେ  ଫଳରେ ଏହା ଓଡ଼ିଶାରେ ଏକ ପ୍ରଵାଦ ଵାକ୍ଯରେ ପରିଣତ ହୋଇଛି । ।

©ଶିଶିର ସାହୁ ମନୋଜ
©ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ

ଖାଇ ରୁ ନୂଆଖାଇ ଯାଏଁ


ଓଡ଼ିଆରେ 'ଖାଇ' କେତେକ କ୍ଷେତ୍ରରେ 'ଖାଇବା' ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ଵିଭିନ୍ନ ଅର୍ଥର ଉଲ୍ଲେଖ ରହିଛି ।

■ଖାଇ(trench,Ditch)

→ଗଡ଼ଖାଇକୁ କେତେକ ଅଞ୍ଚଳରେ କେଵଳ ‛ଖାଇ’ କୁହାଯାଏ । ହିନ୍ଦୀରେ ମଧ୍ୟ ଏ ଶବ୍ଦ ବହୁପ୍ରଚଳିତ । ଆମ ଓଡ଼ିଶାରେ ଗଡ଼ର ଚାରିପାଖକୁ ବେଢ଼ିଥିବା କୃତ୍ରିମ ଖାଲ ବା ଜଳଖାତକୁ ଖନ୍ଦକ ଓ ଗଡ଼ଖାଇ କୁହାଯାଏ । ସଂସ୍କୃତରେ Ditch ଵା  trenchକୁ ଖାତ ଓ ଖାନ ଆଦି କୁହାଯାଏ ସେଇ ଶବ୍ଦର ସମଦ୍ଧୃତ ପ୍ରାକୃତ ରୂପ ଖାଇ ଅଟେ ।

■ଖାଇ(Eat)

→ଖାଇ ଏକ ଦେଶଜ ପ୍ରତ୍ଯୟ ଯାହା ଶବ୍ଦ ପରେ ଖାଦ୍ଯ ସମ୍ବନ୍ଧ ହେତୁକ ଲାଗିଥାଏ । ଯେ କୌଣସି ପଦାର୍ଥ ଖାଏ ଵା ଯହିଁରେ ଖାଦ୍ୟ ପଦାର୍ଥ ରଖାଯାଏ । ସେଭଳି କେତେକ କ୍ଷେତ୍ରରେ ଖାଇ ଶବ୍ଦ ପ୍ରତ୍ଯୟ ଭାଵେ ପ୍ରୟୋଗ କରାଯାଇଥାଏ। ସେଇଭଳି ଖାଇଵାର ଅନ୍ୟ ରୂପ ଖାଇର ସ୍ତ୍ରୀ ଵାଚକରୂପ ହେଲା ଖାଈ । ସାଧାରଣତଃ ସ୍ତ୍ରୀ ଲୋକଙ୍କୁ ଗାଳୀ ଆଦିରେ ଏହି ଖାଈ ଶବ୍ଦର ପ୍ରତ୍ଯୟ ରୂପେ ପ୍ରୟୋଗ ହୋଇଥାଏ । ଖାଇବା' ରୁ ନିଷ୍ପନ୍ନ ହୋଇଛି ଏଇ 'ଖାଇ' ଓ ‛ଖାଈ’ ଶବ୍ଦ l ଅଭିଧାନରେ 'ଖାଇ' ପଦଯୁକ୍ତ ଅନେକ ଶବ୍ଦରେ ହ୍ରସ୍ୱ 'ଇ'କାର ଲେଖାଅଛି l କିନ୍ତୁ ଦେଵୀ ଓ ନଦୀ ଇତ୍ୟାଦିର ଵିଶେଷଣ ଭାଵରେ ଵ୍ୟଵହୃତ ହେଲେ ତାହା ଦୀର୍ଘ 'ଈ'କାର ହୋଇପାରେ ଯାହା ଅନ୍ୟ କିଛି ଅଭିଧାନରେ ଗୋଚର ହୁଏ l ସ୍ତ୍ରୀଵାଚକ ହେଲେ ମଧ୍ୟ ଖାଇ ଶବ୍ଦ ଖାଈରେ ପରିଣତ ହୁଏ ଯଥା ‛ସଵାଖାଈ’ !

●●●●●●●●●●●●●●●●●●●●●●●●●●
★★★ଆମ ଭାଷାରେ ପ୍ରଚଳିତ ‛ଖାଇ’ ଓ ‛ଖାଈ’     ପରଶବ୍ଦ ଯୁକ୍ତ କିଛି ଶବ୍ଦର ଉଦାହରଣ★★★
●●●●●●●●●●●●●●●●●●●●●●●●●●

■■■■■■■ନଦୀ ଓ ଜଳାଶ୍ରୟ■■■■■■

◆କଟକ ବାରବାଟି ଦୁର୍ଗ ସମେତ ଓଡ଼ିଶାର ସମସ୍ତ ଗଡ଼ ଚତୁପାର୍ଶ୍ୱରେ ଥିବା କୁମ୍ଭୀରସଙ୍କୁଳ ପାଣିଘେରକୁ 'ଗଡ଼ଖାଈ' କୁହାଯାଉଥିଲା l
◆ଚକ୍ରଧର ମହାପାତ୍ରଙ୍କର ରିଏଲ ବାର୍ଥ ପ୍ଲେସ ଅଫ ବୁଦ୍ଧ ବହିରେ ଉଲ୍ଲେଖ ଅଛି, ଯେ କୁଆଖାଇ ନଦୀ ପୂର୍ଵେ ଏକ 'କୃତ୍ରିମ ଖାଈ' (artificial canal) ଥିଲା ଯାହାର ପରଵର୍ତ୍ତୀ ସଂକ୍ଷେପିତ ସ୍ୱରୂପ ହେଉଛି 'କୁଆଖାଈ' l
◆ଅଵିଭାଜିତ କଟକ ଜିଲାର ଏକ ନଦୀ 'ବିଲୁଆଖାଈ'
◆ମୟୂରଭଞ୍ଜର ଏକ ନଦୀର ନାମ 'ଖଡଖାଈ' !
◆କଟକର ଟାଙ୍ଗୀ ନିକଟସ୍ଥ ଏକ ନଦୀର ନାମ ‛ମେଣ୍ଢାଖାଈ’ ।

■■■■■■ଦେଵାଦେଵୀ ଓ ଡାହାଣୀ■■■■■
◆ପୁରୀ ଶ୍ରୀମନ୍ଦିରର ଦକ୍ଷିଣ ପୂର୍ଵ କୋଣରେ ଦେଵୀ 'କାକୁଡ଼ିଖାଈ' ଏବଂ ଦୋଳମଣ୍ଡପ ସାହିରେ ଅଙ୍ଗିରା ଋଷି ଆଶ୍ରମ ନିକଟରେ ଦେଵୀ 'ଜହ୍ନିଖାଈ'ଙ୍କ ପୀଠ ରହିଛି l ଏ ଉଭୟ ହେଉଛନ୍ତି ଦୁର୍ଗା ଏବଂ ସ୍ଥାନୀୟ ଭାଷାରେ 'ଗୋସାଣୀ' (ଗୋସ୍ୱାମୀ ର ସ୍ତ୍ରୀଲିଙ୍ଗ = ଗୋସ୍ୱାମିନୀ ; ତଦ୍ଭଵ ହେଲା ଗୋସାଣୀ) l
◆ଶୁଖିଲା ଖାଈ―ଡାହାଣୀ ଵିଶେଷ;ଏମାନେ ଶୁଖିଲା ବିଷ୍ଠା ଓ ମାଂସ ଖାଆନ୍ତି ସେଇଭଳି ଆଉ ଏକଜାତୀୟ ଡାହାଣୀଙ୍କୁ କଞ୍ଚାଖାଈ କୁହାଯାଏ । ଏମାନେ ରାତିରେ ବିଷ୍ଠା ଚରନ୍ତି ଓ ଜୀବିତ ଶିଶୁ ପ୍ରଭୃତିଙ୍କୁ ଖାଇ ଯାଆନ୍ତି ବୋଲି ଲୋକଵିଶ୍ଵାସ ରହିଛି ।
◆ବେଗୁନିଆ ଛକ ଠାରୁ କଳାପଥର ରାସ୍ତାରେ ୧୦ କି.ମି. ପରେ ଆସୁଥିଵା ଏକ ଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା "ଖରାଖାଈ" ।

■■■■■■■■ପ୍ରାଣୀ■■■■■■■■■■■
◆ଵିଷାକ୍ତ ଗଛ କୋଚିଲାକୁ ଖାଉଥିବା ପକ୍ଷୀ 'କୋଚିଲାଖାଈ' l
◆ଆଉ ଦୁଇଟି ପକ୍ଷୀ 'ହରଡ଼ଖାଈ' ଓ 'କୁଣ୍ଡାଖାଈ' ।
◆ବାଲେଶ୍ଵର ଅଞ୍ଚଳରେ ଏକ ଜାତୀୟ ମାଛକୁ ‛ସାଷ୍ଟାମଖାଇ’ କୁହାଯାଏ ।

■■■■■■■■■ଗ୍ରାମ■■■■■■■■■■■
◆ମୟୂରଭଞ୍ଜର ଗୋଟିଏ ଗ୍ରାମର ନାମ 'କୁକୁଡ଼ାଖାଈ'
◆କଟକ ନରସିଂହପୁରର ଗୋଟିଏ ଗ୍ରାମର ନାମ 'ପିଠାଖାଇ' l

■■■■■■■■ଵୃକ୍ଷ ଓ ଫଳ■■■■■■■■
◆ଲକ୍ଷ୍ମଣ ମିଶ୍ରଙ୍କ 'ଅନୁଭୂତ ଯୋଗମାଳା' ବହିରେ 'ରକ୍ତଖାଇ' ନାମକ ଗଛର ଵର୍ଣ୍ଣନା ରହିଛି ଯାହାକି ରକ୍ତ ଜମାଟ ବା ସ୍କନ୍ଦନ କରାଏ (ଅର୍ଥାତ ରକ୍ତକୁ ଖାଇଲା ବୋଧେ)
◆ଏକ ଗଛର ନାମ ମୟୂରଭଞ୍ଜରେ 'ଖଣ୍ଡାଖାଇ' = ସଂସ୍କୃତରେ ଶ୍ୟୋନାକ, କଟକରେ ଫଣଫଣା ; ତା'ର ଖଣ୍ଡା ଆକୃତିର ଫଳ ହୁଏ ।

◆କଞ୍ଚାଖାଇ ବୋଲି ଏକ ଵିଶେଷଣ ଆମ ଭାଷାରେ ଚଳୁଅଛି । ଏହି ଆଧାରରେ ଅନ୍ୟ ସମାର୍ଥକ ଵିଶେଷଣଟି ହେଉଛି କଞ୍ଚାସୁଆଦି । କଞ୍ଚା ବା ଅପକ୍ବ ଅବସ୍ଥାରେ ମୁଖରୋଚକ ମିଷ୍ଟଫଳକୁ କଞ୍ଚାଖାଇ କୁହାଯାଏ । ଏହି ଵିଶେଷଣ ଵିଶେଷ ଭାଵେ ଆମ୍ବ ପୂର୍ଵେ ଵ୍ଯଵହୃତ ହୋଇଥାଏ ।

■■■■■■■■■ପର୍ଵ■■■■■■■■■■■

◆ସାରା ଓଡ଼ିଶାରେ ଲୋକେ ‘ଛାଡ଼ଖାଇ’ ପାଳନ୍ତି ;
ନୂଆଖାଇକୁ ବାଲେଶ୍ବରରେ ନୂଆଖିଆ କୁହାଯାଏ ଏଵଂ ସ୍ଥାନୀୟ ଲୋକେ ତାଙ୍କ ଆଞ୍ଚଳିକ ଶସ୍ଯ ଅମଳକାଳରେ ନୂଆଧାନ୍ୟର କ୍ଷୀରି କରି ଭଗଵାନଙ୍କୁ ଅର୍ପଣ କରିଥାଆନ୍ତି ।
◆ସମ୍ବଲପୁର, ନୟାଗଡ଼, କଟକ ଜିଲ୍ଲାରେ ପାଳିତ ହୁଏ ‘ଡାଳଖାଇ’ ।
◆ଗଡ଼ଜାତର କେତେକ ଅଞ୍ଚଳରେ ନୂଆ ସିମ୍ଵକୁ ପ୍ରଥମେ ଈଶ୍ଵରଙ୍କୁ ଅର୍ପଣ କରି ପରେ ଖିଆଯାଏ ସେ ପର୍ଵ ସିମ୍ବଖାଇ ନାମରେ ପ୍ରଶିଦ୍ଧ । କେଉଁଠି କେଉଁଠି ଏ ପର୍ଵକୁ ଝଣ୍ଟାନୂଆଁ ବି କୁହାଯାଏ । 

 ■■■■■■■■■ଗାଳି■■■■■■■■■
ଓଡ଼ିଶାରେ ‛ଖାଈ’ ଶବ୍ଦଯୁକ୍ତ ସ୍ତ୍ରୀଵାଚକ ଶହ ଶହ ଗାଳୀ ଶବ୍ଦ ଚଳୁଅଛି । ଯଥା― 'ଛୁଆଖାଈ', 'ସ୍ୱାମୀଖାଈ', ‘ଭାଇଖାଈ' ଶ୍ଳେଷପୂର୍ଣ୍ଣ ଗାଳି ଅଖାଈ, ତାଚ୍ଛଲ୍ୟପୂର୍ଣ୍ଣ ଗାଳି―‘ଶୁଖୁଆଖାଈ’,‘ଦୁଗୁତାଖାଈ’,‛ପୁତୁଖାଈ’,‛ଗୁହଖାଈ’,‛ହେଡ଼ାଖାଈ’,‛ବଉଁଶଖାଈ’,‛ହାଣ୍ଡିଖାଈ’;‛ଖାଣ୍ଡିଖାଈ’,‛ଛତରଖାଈ’ ,‛ମୁହଁଖାଇ’ ଓ ‛ସଵାଖାଇ’ ଇତ୍ୟାଦି ଇତ୍ୟାଦି ।

    ■■■■ଯନ୍ତ୍ରୋପକରଣ■■■■

◆ଯେଉଁ ଶାଳାରେ ଗେଙ୍ଗୁଟି ପଥରକୁ ପେଶି ଚୁନ ପ୍ରସ୍ତୁତ କରାଯାଏ ତାହାକୁ ‘ଚୁନଖାଇ’ କହନ୍ତି ।
◆ଯେଉଁ ଯନ୍ତ୍ର ଦ୍ବାରା ମଞ୍ଜିଯୁକ୍ତ କପାଫୁଟରୁ ମଞ୍ଜି ଅଲଗା କରାଯାଏ ତାକୁ ‛କପାଖାଇ’ କୁହନ୍ତି ।
◆ଯେଉଁ କଳରେ ହଳ ଦ୍ଵାରା ପେଷାଯାଇ ଆଖୁରୁ ଦୋରୁଅ ବାହାର କରାଯାଏ ତାକୁ ‛ଆଖୁଖାଇ’ କୁହାଯାଏ ।
◆ଶୀତଦିନେ ପିନ୍ଧାଯାଉଥିଵା ମଫଲର୍ ର ନିଆରା ଓଡ଼ିଆ ଦେଶଜ ନାମ ‛କାନଖାଇ’ ଅଟେ ।

◆ଯୁଦ୍ଧ କଲାବେଳେ ଯେଉଁ ଖଣ୍ଡାର ଅଗ ଅଧିକ ଭାଙ୍ଗି ୟାଇ ବାକି ଅଧିକ ଯୋଦ୍ଧାର ହାତରେ ଥାଏ ତାକୁ
ଖାପଡ଼୍ ଖାଇ ଖଣ୍ଡା କୁହାଯାଏ । ସାରଳା ମହାଭାରତରେ ଏ ଶବ୍ଦର ଵ୍ୟଵହାର କରି ସାରଳା ଦାସ ପଦେ ଲେଖିଛନ୍ତି
“ଖାପଡ଼ାଖାଇ ଖଣ୍ଡା ଖଣ୍ଡେ ଧରି କରେ
ଚାଣ୍ଡେ ବାହାରିଲେ ଗର୍ଜିଣ ରାଗରେ”

◆ଲୁଣ ରଖାଯାଉଥିଵା ଏକ ଜାତୀୟ ପାରମ୍ପରିକ ପାତ୍ରକୁ ‛ଲୁଣଖାଇ’ କୁହାଯାଉଥିଲା । ଭାତ ସଙ୍ଗେ ଖାଇବାପାଇଁ ଏ ପାତ୍ରରେ ଲୁଣ ବଢ଼ା ହେବାରୁ ଏଭଳି ନାମକରଣ ହୋଇଥିଵା ଵିଶ୍ଵାସ କରାଯାଏ ।ଏକପ୍ରକାର ଛୋଟ ପ୍ଲେଟ୍ ,ରୋକାବୀ ବା ଥାଳିଆକୁ ମଧ୍ୟ ଲୁଣଖାଇ କୁହାଯାଉଥିଵା ପୁରୁଣା ଓଡ଼ିଆ ଅଭିଧାନରେ ଉଲ୍ଲେଖ ରହିଛି ।

ଏଇଭଳି ଓଡ଼ିଶାରେ ଖାଇ/ଖାଈ ଶବ୍ଦଯୁକ୍ତ ଶହ ଶହ ଶବ୍ଦ ଚଳୁଅଛି । ଆପଣଙ୍କ ଅଞ୍ଚଳରେ ଏଇଭଳି କୌଣସି ଶବ୍ଦ ଚଳୁଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା ।

(ତଥ୍ଯ:-ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ,ଦେଵାତ୍ମା ଶ୍ରୀଳ ଶ୍ରୀମାନ୍ ସନତ କୁମାର ଦାସ  ମହାଭାଗ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ ସମ୍ପାଦନା ଶିଶିର ସାହୁ ମନୋଜ  )

Friday, August 30, 2019

■■■■ପ୍ରଭରଣ ଓ ପ୍ରଭରକ■■■■

ଏକଵିଂଶ ଶତାବ୍ଦୀକୁ ‛ଚଳଭାଷ ଯୁଗ’(Mobile) କହିଲେ ଅତ୍ଯୁକ୍ତି ହେଵ ନାହିଁ । ଗତ ପନ୍ଦର ଵର୍ଷ ମଧ୍ୟରେ ଏହାର ଵ୍ଯଵହାର ଅନେକ ଗୁଣ ବୃଦ୍ଧି ପାଇଛି । ଚଳଭାଷ ଯନ୍ତ୍ରର ଅନେକ ସହ-ଉପକରଣ ଥାଏ ।
ଯଥା earphones, Bluetooth, charger, dongle ଇତ୍ୟାଦି ତେଵେ ଚଳଭାଷ ପାଇଁ ସବୁଠାରୁ ଅଧିକ ଆଵଶ୍ୟକତା ପଡ଼ିଥାଏ chargerଟିଏ ।
ଚାର୍ଜର ହେଉଛି ମୋବାଇଲକୁ ଶକ୍ତି ଯୋଗାଉଥିଵା ଯନ୍ତ୍ର । ଏହା ଉତ୍ତରୋତ୍ତର ଵିକଶିତ ହୋଇଛି ଏହାକୁ କୌଣସି ଜଣେ ଵ୍ଯକ୍ତି ଉଦ୍ଭାଵନ କରିନାହାନ୍ତି ।

ତେଵେ ଓଡ଼ିଆ ଭାଷାରେ ଆମେ ବେଟେରୀ ଚାର୍ଜର
ଓ ବେଟେରୀ  ଚାର୍ଜିଙ୍ଗ୍ କୁ କଣ୍ କହିଵା ?

ଓଡ଼ିଆ ଭାଷାରେ betteryକୁ ଵିଦ୍ଯୁତକୋଷ କୁହାଯାଇଥାଏ ସେଇଭଳି ‛bettery charging’ ପାଇଁ ଏକ ଶାସ୍ତ୍ରୀୟ ଶବ୍ଦ ଗଢା଼ଯାଇଛି ତାହା ହେଲା
‛ପ୍ରଭରଣ’ ।

‛ଭରଣ’ ଶବ୍ଦରେ ‛ପ୍ର’ ଉପସର୍ଗ ଯୋଡି଼ ଶବ୍ଦଟି ସୃଷ୍ଟି ହୋଇଛି ।  ‛ଭୃ ଧାତୁ’ ସହ ଭାଵାର୍ଥେ ‛ଅନ’ ପ୍ରତ୍ୟୟ ଯୁକ୍ତ ହୋଇ ଭରଣ ଶବ୍ଦ ହୋଇଅଛି । ଭୃ ଧାତୁର ଅନେକ ଅର୍ଥ ମଧ୍ୟରେ ଗୋଟିଏ ହେଲା ପୂରଣ କରିଵା । ଭରଣ ଶବ୍ଦଟି ଏହି ଅର୍ଥକୁ ପ୍ରକାଶ କରିଥାଏ । ଭର,ଭରଣା, ଭରଣପୋଷଣ ଆଦି ଶବ୍ଦଗୁଡ଼ିକର ଅର୍ଥ ମଧ୍ୟରେ ବି  ପୂରଣ କରିଵାର ଭାଵ ଲୁଚି ରହିଛି ।

ତାହେଲେ ‛bettery charger’କୁ କ’ଣ କୁହାଯିଵ ?
ଆମେ ସେଇ ଭୃ ଧାତୁକୁ କର୍ତ୍ତାର୍ଥେ ‛ଅକ’ ପ୍ରତ୍ଯୟ ସହ ଯୋଡି଼ ‛ପ୍ରଭରକ’ ଶବ୍ଦ ଗଢି଼ପାରିଵା କି ?

ହଁ ଅନେକାଂଶରେ ଏହା ସମ୍ଭଵ ହୋଇପାରେ ।
କାରଣ ―
୧)ଅକ ପ୍ରତ୍ୟୟ ଏକ ଶାସ୍ତ୍ରୀୟ ପ୍ରତ୍ଯୟ ଏହା କର୍ତ୍ତାକୁ
ସାଂକେତିକ ଭାଵରେ ବୁଝାଇଥାଏ । ଯଥା:-
●ଦେଖେ ଯେ ସେ ଦର୍ଶକ
●ଗାଏ ଯେ ସେ ଗାୟକ
●ଲେଖେ ଯେ ଲେଖକ
ଏଠାରେ ଅକ ପ୍ରତ୍ୟୟ କର୍ତ୍ତାର୍ଥେ ପ୍ରୟୋଗ ହୋଇଛି।

୨)ଅନ ଓ ଅକ ଉଭୟ ପ୍ରତ୍ୟୟ ଶବ୍ଦର ପ୍ରଥମ ଵର୍ଣ୍ଣ ଅ ଅଟେ । ଯଦି ଭୃ ଧାତୁରେ ଭାଵାର୍ଥେ ଅନ ପ୍ରତ୍ଯୟ ଯୁକ୍ତ କରି ଭରଣ ଶବ୍ଦ ସୃଷ୍ଟି ହୋଇପାରିଛି ତାହେଲେ
ସେଇ ପ୍ରଣାଳୀରେ ଭୃ ଧାତୁ ସହ କର୍ତ୍ତାର୍ଥେ ଅକ ପ୍ରତ୍ୟୟ ଯୋଡି଼ ଭରକ ଶବ୍ଦ ମଧ୍ୟ ସୃଷ୍ଟି କରାଯାଇପାରେ !
→ଭୃ ଧାତୁ(ଭର)+ଭାଵାର୍ଥେ . ଅନ = ଭରଣ
→ଭୃ ଧାତୁ(ଭଳ)+ କର୍ତ୍ତୃ . ଅକ = ଭରକ

ଯଦି ଵ୍ୟାକରଣ ନିୟମାନୁସାରେ ଭରଣ ଭଳି ଭରକ ଶବ୍ଦ ଏକ ଵୈଧ ଶବ୍ଦ ତେଵେ ଏହା ସହ ପୂର୍ଵ ଭଳି
ପ୍ର କିଂଵା ସେଇଭଳି ଅନ୍ୟ କୌଣସି ଉପସର୍ଗ ଯୋଡି଼
ଚାର୍ଜରର ଶାସ୍ତ୍ରୀୟ ପ୍ରତିଶବ୍ଦ ଗଢା଼ଯାଇପାରେ ।

ତେଵେ କେହି ଯଦି ଚାର୍ଜର ପାଇଁ ପ୍ରଚଳିତ ଅନ୍ୟ କୌଣସି ପ୍ରତିଶବ୍ଦ ଵିଷୟରେ ଜାଣନ୍ତି ଏଠାରେ ତାହା ଉଲ୍ଲେଖ କରିଵାକୁ ଵିଶେଷ ଅନୁରୋଧ ରହିଲା ।
★★★★★★★★★★★★★★★★★★★
ଆଲେଖ୍ୟ:- ଶିଶିର ସାହୁ ମନୋଜ
★★★★★★★★★★★★★★★★★★★

Tuesday, August 27, 2019

ଏସିଆ

ପୃଥିଵୀର ସବୁଠାରୁ ବଡ଼ ମହାଦେଶ ହେଉଛି ଆମ ଏସିଆ ମହାଦେଶ । ଏହାର ଵିଭିନ୍ନ ନାମ ରହିଛି ।
ନିମ୍ନରେ ସେଇଭଳି କିଛି ନାମ ଵିଷୟରେ ଚର୍ଚ୍ଚା କରାଗଲା ।

■■■■■■■■■■■■■■■■■■■■■
(୧)ଏସିଆ~Asia
■■■■■■■■■■■■■■■■■■■■■
ୟୁରୋପୀୟମାନେ ଆମ ମହାଦେଶକୁ ଏସିଆ ନାମ ଦେଇଥିଲେ । ଇତିହାସ କୁହେ ଆଜକୁ ପ୍ରାୟ 2457 ବର୍ଷତଳେ(440.BCE)ଗ୍ରୀକ ଐତିହାସିକ ହେରୋଡଟସ୍ ପ୍ରଥମେ Ἀσία ଶବ୍ଦ
'ଆନାତୋଲିଆ ଠାରୁ ପର୍ସିଆନ୍ ସାମ୍ରାଜ୍ଯ'
ପର୍ଯ୍ୟନ୍ତ ବ୍ଯାପ୍ତ ସମସ୍ତ ଭୂଭାଗ ପାଇଁ ବ୍ଯବହାର କରିଥିଲେ । ଏସିଆ ନାମକରଣ ପଛରେ ଅନେକ ମତ ରହିଛି ।
ଯଥା:-

★★★★★★★★କ★★★★★★★★
ଏକ ପ୍ରଶିଦ୍ଧ ମତବାଦ ଅନୁଯାୟୀ ଏସିଆ ଶବ୍ଦ ଟି ଗ୍ରୀକ Assuwa ଶବ୍ଦରୁ ହୋଇଅଛି । ଆଗେ ଗ୍ରୀକମାନେ Hittite ଜାତିର ଲୋକଙ୍କୁ
Assuwa କହୁଥିଲେ । ହିଟାଇଟ୍ ଜାତିର ଲୋକ ଯେଉଁ ଭୂଭାଗରେ ବାସକରୁଥିଲେ(ଆନାତୋଲିଆ ଠାରୁ ପର୍ସିଆନ ସାମ୍ରାଜ୍ଯ ଯାଏଁ) ସେହି ଭୂଭାଗକୁ ଗ୍ରୀକଲୋକେ ତେଣୁ Asia କହୁଥିଲେ ।

★★★★★★★★ଖ★★★★★★★★
ଗ୍ରୀକ ପୁରାଣ ବର୍ଣ୍ଣିତ ଜନୈକା ଦେବୀଙ୍କ ନାମ ମଧ୍ଯ  ଏସିଆ । ଗ୍ରୀକ ପୁରାଣ ଅନୁଯାୟୀ ସେ ସମୁଦ୍ରଦେବ ଓସେନସ୍  (Oceanus) ଏବଂ ଜଳଦେବୀ ଟେଥିସ୍ (Tethys)ଙ୍କ କନ୍ଯା । Apollodorus ଗ୍ରନ୍ଥ ଅନୁଯାୟୀ ଦେବୀ ଏସିଆ , ଟାଇଟନ୍ ଯୋଦ୍ଧା ଲାପେଟସ୍ (Iapetus) ଙ୍କ ପତ୍ନୀ ତଥା
ଆଟଲାସ୍ (Atlas) , ପ୍ରୋମେଥିୟସ୍ (Prometheus),ଏପିମେଥସ୍ (Epimetheus) ଏବଂ ମେନୋଏଟିଅସ୍ (Monetious)ଙ୍କ ମାତା ।
ଅନ୍ଯ ଏକ ପ୍ରଶିଦ୍ଧ ମତବାଦ ଅନୁଯାୟୀ ଗ୍ରୀକ ପୌରାଣିକ ପାତ୍ର ମାନେସଙ୍କ ନାତୀ ତଥା କୋଟୀସ୍ ଙ୍କ ପୁତ୍ର  Asies ଙ୍କ ନାମରେ ଏସିଆ ମହାଦେଶର ନାମକରଣ ହୋଇଥିବା କୁହାଯାଏ ।

■■■■■■■■■■■■■■■■■■■■■
୨)ଜମ୍ବୁଦ୍ଵୀପ
■■■■■■■■■■■■■■■■■■■■■

ଆମ ସନାତନ ପୁରାଣଗ୍ରନ୍ଥରେ ସପ୍ତଦ୍ବୀପକଥା ଉଲ୍ଲେଖ ଅଛି ଏଭଳି ବର୍ଣ୍ଣନା ଅନ୍ଯ ଧର୍ମ ରେ ପ୍ରାୟ ନାହିଁ ।ସେଇ ସାତଟି ଦ୍ବୀପ ହେଲା―

1. ଜମ୍ବୁଦ୍ବୀପ
2.ପ୍ଲକ୍ଷଦ୍ବୀପ
3.ଶାଳ୍ମକ ଦ୍ବୀପ
4.କୁଶଦ୍ବୀପ
5.କ୍ରୌଞ୍ଚ ଦ୍ବୀପ
6.ଶାକ ଦ୍ବୀପ
7.ପୁଷ୍କରଦ୍ବୀପ

ଵର୍ତ୍ତମାନର ସଂପୂର୍ଣ୍ଣ ୟୁରେସୀୟାକୁ ଭାରତୀୟ ପୁରାଣଶାସ୍ତ୍ରରେ ଜମ୍ବୁଦ୍ଵୀପ କୁହାଯାଇଛି ।
ଭାରତୀୟ ପୁରାଣ ଶାସ୍ତ୍ରରେ ୟୁରେସୀୟାର ଆୟତନ ଵର୍ଣ୍ଣନା କରିଵାକୁ ଯାଇ କୁହାଯାଇଛି ଯେ
“ନୀଳ ପର୍ବତର ଦକ୍ଷିଣ ଏବଂ ନିଷଧ ପର୍ବତର ଉତ୍ତରରେ ଅବସ୍ଥିତ ସୁଦର୍ଶନ ନାମକ ଜମ୍ବୁ ବୃକ୍ଷର ନାମ ଅନୁସାରେ ଏହି ଦ୍ବୀପର ନାମକରଣ ଜମ୍ବୁଦ୍ବୀପ ହୋଇଥିଲା ।” ଭାରତ ଏହି ଜମ୍ବୁଦ୍ବୀପର ଏକ ବର୍ଷ ବା ଖଣ୍ଡ ତେଣୁ ଆମେ ମାନେ ନିଜ ଦେଶକୁ ଭାରତବର୍ଷ ମଧ୍ଯ କହିଥାନ୍ତି । ଜମ୍ବୁଦ୍ବୀପକୁ ମୋଟ ନଅ ଭାଗରେ ବିଭକ୍ତ...

୧.ନାଭିବର୍ଷ(ଭାରତବର୍ଷ)
୨.କିଂପୁରୁଷ
୩.ହରିବର୍ଷ
୪.ଇଳାବୃତ୍ତବର୍ଷ
୫.ଭଦ୍ରାଶ୍ବବର୍ଷ
୬.କେତୁମାଳ
୭.କୁରୁବର୍ଷ
୮.ରମ୍ଯକବର୍ଷ
୯.ହିରଣ୍ଯମୟବର୍ଷ

ପୁରାଣାନୁସାରେ ପୃଥିଵୀରେ
ପୂର୍ଵେ ସ୍ବୟଂଭୂ ନାମକ ମନୁ ଶାସନ କରୁଥିଲେ ।
ତାଙ୍କର ଦୁଇ ପୁତ୍ର ପ୍ରିୟବ୍ରତ ଏବଂ ଉତ୍ତାନପାଦଙ୍କୁ ସେ ସମ୍ପୂର୍ଣ୍ଣ ପୃଥିବୀ ବାଣ୍ଟିଦେଇଥିଲେ । ଉତ୍ତାନପାଦଙ୍କ ଦୁଇପୁତ୍ର ମଧ୍ୟରୁ ଧୃବ ପରମଗତି ଲାଭକଲେ ।
ରାଜର୍ଷୀ ପ୍ରିୟବ୍ରତଙ୍କ ଦଶପୁତ୍ର ହେଲେ ।
ତନ୍ମଧ୍ୟରୁ ତିନିଜଣ ସନ୍ଯାସଧର୍ମ ଗ୍ରହଣ କରିନେଲେ
ବାକି ସାତଜଣ ସପ୍ତଦ୍ବୀପ ଶାସନ କଲେ ।
ରାଜା ପ୍ରିୟବ୍ରତଙ୍କ ଜୈଷ୍ଠପୁତ୍ର ଅଗ୍ନୀଘ୍ର ଜମ୍ବୁଦ୍ବୀପ ଶାସନ କଲେ( ବୋଧହୁଏ ଭାରତୀୟ ଲୋକ ଜମ୍ବୁଦ୍ବୀପକୁ ସବୁଠୁଁ ବଡ଼ ବୋଲି ଜାଣିଥିଲେ) ।
ଅଗ୍ନୀଘ୍ରଙ୍କ ନଅଜଣ ପୁତ୍ର ହେଲେ....
ଇଳାବୃତ୍ତ,ଭଦ୍ରାଶ୍ବ,କେତୁମାଳ,କୁରୁ,ହିରଣ୍ଯମୟ,ରମ୍ଯକ,ହରି,କିଂପୁରୁଷ ଏବଂ ନାଭି ।
ନାଭିଙ୍କ ପୁତ୍ର ଋୁଷଭ ହେଲେ ଏବଂ ତାଙ୍କ ପୁତ୍ର ହେଲେ ଭରତ । ପରବର୍ତ୍ତୀକାଳରେ ଏଇ ଭରତଙ୍କ ନାମ ଅନୁସାରେ ନାଭିବର୍ଷର ନାମ ଭାରତବର୍ଷ ହେଲା ।

■■■■■■■■■■■■■■■■■■■■■■
୩)ୟଝାଉ( 亚洲 )
■■■■■■■■■■■■■■■■■■■■■■
ଚୀନରେ ଏସିଆକୁ ୟଝାଉ( 亚洲 )କୁହାଯାଏ ।
ଚୀନକୁ ଚୀନମାନେ ୟାଗଂଯାଉ କହୁଥିଲେ ଏହାର ଅର୍ଥ ମଧ୍ୟଭାଗର ଲୋକ ସେଇଭଳି ୟଝାଉର ଅର୍ଥ ଅନ୍ଯ ସମସ୍ତ ଲୋକ । ଚୀନା ମାନେ ସାଧାରଣତଃ ପରସ୍ପର ମଧ୍ୟରେ କଥା ହେଲାବେଳେ ଏସିଆକୁ ୟଝାଉ କହିଥାନ୍ତି ।

ଏସବୁ ଛଡ଼ା ପୃଥିଵୀର ଅନ୍ୟ କେତେକ ଭାଷାରେ ଏସିଆ ପାଇଁ ଭିନ୍ନ ଭିନ୍ନ ନାମ ଚଳୁଛି
ଯଥା
●ଭିଏତନାମୀ ଭାଷାରେ Châu Á
●ତିଵତ୍ତୀଭାଷାରେ ཡ་ཀྲོའུ་གླིང(yakro'ugling)
●ଵୋଲାପକ୍ ଭାଷାରେ Siyop
●.Zhuangଭାଷାରେ Yacouh
ଇତ୍ୟାଦି ।

◆◆◆◆◆◆◆◆◆◆◆◆◆◆◆◆◆◆◆◆
ଏସିଆର ଵିଭିନ୍ନ ଦେଶର ନାମ
◆◆◆◆◆◆◆◆◆◆◆◆◆◆◆◆◆◆◆◆
ASIA ରେ ବର୍ତ୍ତମାନ ଆଧିକାରିକ ମୋଟ 44ଟି ଦେଶ ରହିଛି । ନିମ୍ନରେ ସେଗୁଡ଼ିକ ନାମ ପ୍ରଦାନ କରାଗଲା ।

●ଆଫଗାନିସ୍ତାନ
●ଇଣ୍ଡୋନେସିଆ
●ଇରାନ୍
●ଇରାକ୍ ଇଜ୍ରାଏଲ୍
●ଉଜବେକିସ୍ଥାନ
●ଉତ୍ତର କୋରିଆ
●ଓମାନ
●କଜାକସ୍ଥାନ
●କାମ୍ଵୋଡିଆ
●କିରଗିଜ୍ ସ୍ଥାନ
●କୁଏତ୍
●କ୍ଵା଼ତ଼ର
●ଚୀନ
●ଜାପାନ
●ଜୋର୍ଡାନ୍
●ତାଜିକିସ୍ତାନ
●ତୁର୍କମେନିସ୍ତାନ
●ତୁର୍କୀ
●ଥାଇଲାଣ୍ଡ
●ଦକ୍ଷିଣ କୋରିଆ
●ନେପାଳ
●ପାକିସ୍ତାନ
●ପୂର୍ବ ଟିମୋର୍
●ଫିଲପାଇନ୍ସ
●ବାଙ୍ଗ୍ଲାଦେଶ
●ବାହାରିନ୍
●ବୃନେଇ
●ଭାରତ
●ଭୀଏତନାମ
●ଭୁଟାନ
●ମଙ୍ଗୋଲିଆ
●ମାଲେସିଆ
●ମାଲଡିଵ୍ସ
●ମିୟାଁମାର
●ରୁଷିଆ
●ଲାଓସ୍
●ଲେବାନନ୍
●ସାଉଦି ଆରବ
●ସିଙ୍ଗାପୁର
●ସିରିଆ
●ଶ୍ରୀଲଙ୍କା
●ୟୁଏଇ(United Arab Emirates)
●ୟେମନ୍

Saturday, August 24, 2019

ଢଗଢମାଳି — ୫

“ଚିଙ୍ଗୁଡ଼ି ମାଛକୁ ଟାକେରା ଅାମ୍ବୁଲ
ତୋଡ଼ିମାଛ କାଞ୍ଜି ପାଣି
ମାଗୁର ମାଛରେ ସଜ ବସା ଦହି
ଭାତ ନେଇଯାଏ ଟାଣି ।”

ଖାଦ୍ୟ ସହ ରୁଚିର ସମ୍ପକ ରହିଥାଏ। ଚିଙ୍ଗୁଡ଼ି ମାଛ ତରକାରିରେ ଅାମ୍ବୁଲ ଟିକିଏ ପଡ଼ିଥିଲେ ତା’ର ସ୍ୱାଦ ବଢ଼ିଯାଇଥାଏ। ସେହିପର ତୋଡ଼ି ମାଛ ସହ କାଞ୍ଜିପାଣି ଓ ମାଗୁର ମାଛରେ ସଜ ବସାଦହିର ମିଶ୍ରଣ ପାଟିକୁ ଖୁବ୍‌ ସୁସ୍ୱାଦ ଲାଗୁଥିବା ଅର୍ଥରେ ଏଭଳି ଉକ୍ତି ବର୍ଣ୍ଣନା କରାଯାଇଛି।

“ଚୂନ ସରସ ଗୁଅା ନିରସ
ଖଇର ସମାନ ମସଲା ଟାଣ
ତେବେ ସେ ଜାଣିବ ପାନର ଗୁଣ ।”

ପାନ ଖାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତି ପାନ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଯେମିତି ପାନରେ ଲାଗୁଥିବା ଚୂନ ଅଧିକ କଟୁଯୁକ୍ତ ହୋଇ ନ ଥିବ, ଗୁଅା କଷା ଲାଗୁ ନ ଥିବ, ଖଇର ସ୍ୱାଦ ଅନସାରେ ପୁରା ଠିକ୍‌ ପରମାଣରେ ପଡ଼ିଥିବ ତଥା ପାନରେ ପଡୁଥିବା ମସଲା ପାଟିକୁ ଟିକେ କଡ଼ା ଲାଗୁଥିବ। ଚାହିଦା ମୁତାବକ ଏପରି ପାନ ପ୍ରସ୍ତୁତି ହୋଇଥଲେ ଖାଇବାର ମଜା ଦ୍ୱିଗୁଣିତ ହୋଇଯାଉଥିବା ଅର୍ଥରେ ଏଭଳି ଉକ୍ତିର ଉଲ୍ଲେଖ କରାଯାଇଛି ।

Friday, August 23, 2019

ବନିଵା ଓ ବନେଇଵା ଶବ୍ଦର ଵିଶ୍ଲେଷଣ

ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା,ବନିବା ଆଦି ଶବ୍ଦ ବଦଳରେ କରିବା,ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ ରୂପ ମିଳୁଥିବାରୁ ଏହାକୁ ଏକ ହିନ୍ଦୀ ଅନୁକରଣ ଶବ୍ଦ କହିଵା ଅସଙ୍ଗତ ହେବ ।

ସାରଳା ମହାଭାରତରେ ଵନେଇଵା ଅର୍ଥରେ ବନାଵନ୍ତି ଶବ୍ଦ ଵ୍ୟଵହୃତ । ଏହି ବନାଵନ୍ତି ଶବ୍ଦରେ ଥିଵା ଅଵର୍ଗ୍ୟ ‘ଵ’ ର ଗୁଣ ହେଲା ଏହା ସ୍ୱରଵର୍ଣ୍ଣରେ(ଅ,ଆ,ଇ,ଉ,ଓ,ଏ) ପରିବୃତ ହୋଇଥାଏ ତେଣୁ ବନାଵନ୍ତି ଶବ୍ଦରେ ଅଵର୍ଗ୍ୟ ‘ଵ’ ଵର୍ଣ୍ଣ ସ୍ୱରଵର୍ଣ୍ଣ ‘ଅ’ରେ ପରିଣତ ହୋଇଯାଇ ‘ବନାଅନ୍ତି’ ହୋଇ ଶେଷରେ ଶବ୍ଦରୁ ସ୍ୱରଵର୍ଣ୍ଣ ଲୁପ୍ତକରଣ ନିୟମାନୁସାରେ ‘ଅ’ ଲୁପ୍ତ ହୋଇ ‘ବନାନ୍ତି’ ଶବ୍ଦରେ ପରିଵର୍ତ୍ତିତ ହୋଇଅଛି ।

●●●●●ଅନ୍ଯ ଭାରତୀୟ ଭାଷାରେ ବନିଵା ସହ ସମଦ୍ଧୃତ ଶବ୍ଦ●●●●●

ସୌରସେନୀ ପ୍ରାକୃତରେ ଏହା *𑀯𑀡𑀤𑀺 (*vaṇadi),ପାଲି ପ୍ରାକୃତରେ ଵଣତିଂ,ସଂସ୍କୃତରେ वनति (vánati) ଓ वनोति (vanóti) ଭାଵେ ପ୍ରଚଳିତ ଥିଲା ।
ପ୍ରାକୃତର ଏ ଶବ୍ଦ ଆଧୁନିକ ଭାରତୀୟ ଭାଷାରେ ଵିଭିନ୍ନ ରୂପ ହୋଇଅଛି । ଯଥା—
୧)ହିନ୍ଦୀ— बनना(ban’na)
୨)ନେପଳୀ—बन्नु (bannu)
୩)ପଞ୍ଜାଵୀ—ਬਣਨਾ(baṇnā,ବଣ’ଣା)
୪)ଗୁଜରାଟୀ—બનવું (banvũ,ଵନଵୁଁ),
୫)ବଙ୍ଗାଳୀ—বনা (bôna,ଲିଖିତ-ବନା,କଥିତ-ବୋନା).

■■■ବନିଵା ଶବ୍ଦର ଵିଭିନ୍ନ ଅର୍ଥ■■■

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵନେଇଵାକୁ ଵନିଵା କ୍ରିୟାର ଣିଜନ୍ତ ରୂପ ଏଵଂ ଵର୍ଣ୍ଣନା ଶବ୍ଦ ସହିତ ସମଧୃତ ବୋଲି ମତ ଵ୍ୟକ୍ତ କରାଯାଇଛି ।
ଵନେଇଵା ଶବ୍ଦର ଭାଷାକୋଷରେ ଥିଵା ଅର୍ଥ
୧)ଵନିଵା
୨)ପରିଵା ଆଦି ରାନ୍ଧିଵା ନିମନ୍ତେ କାଟିଵା
୩)ପ୍ରସ୍ତୁତ କରିଵା—3(ଦିନ ହରୁ ସୁମ ଝରା ବନାଇ ବନାଇ । କବିସୂର୍ଯ୍ୟ ସଙ୍ଗୀତ । )
୪)ନିର୍ମାଣ କରିଵା(ଯମୁନା ଵାହିନୀ ତଟରୁହ ବନୀ ଅବନୀ ବନାଇ ଵାରରେ । କବିସୂର୍ଯ୍ୟ. କିଶୋରୀ ସଙ୍ଗୀତ ।)
୫)ପରିଣତ କରାଇଵା (ଯଥା—ଭଲଲୋକଙ୍କୁ କଥାରେ ସେ ଚୋର ବନାଇ ଦେଲା ।)
୬)(ସଂ. ବିନ୍ଯାସ) ସଜାଇଵା; ସଜ୍ଜିତ କରିଵା(ବନାଇ ଚୁଳ କୁସୁମେ ଚନ୍ଦନ ଲେପନ । ଭଞ୍ଜ. ବୈଦେହୀଶବିଳାସ ।)

ସେଇଭଳି ଵନିଵା ଶବ୍ଦର ଅର୍ଥ ଉଲ୍ଲେଖ ଅଛି----
A)ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିଵା(ସଂ. ବର୍ଣ୍ଣଯୋଜନ)
B)ଶବ୍ଦସ୍ଥ ଅକ୍ଷରମାନଙ୍କର ବର୍ଣ୍ଣମାନ ବିଶ୍ଳେଷଣ କରିଵା; ବନାନ କରିଵା
C)ନିର୍ମିତ ହେଵା (ଯଥା—ତାଙ୍କର ଗୋଟାଏ ଦୋମହାଲା କୋଠା ବନୁଛି)
D)ଦୁଇ ଜଣଙ୍କ ମଧ୍ୟରେ ସଭାବ ଥିଵା; ପଟିଵା(ୟଥା—ସ୍ୱାମୀ ଓ ଭୃତ୍ୟଙ୍କ ମଧ୍ୟରେ ଘଡ଼ିଏ ସୁଦ୍ଧା ବନିଲା ନାହିଁ)
E)ବର୍ଣ୍ଣନା କରିଵା
F)ବର୍ଣ୍ଣିଵା; ଗାଳିଦେଵା; ବକିଵା; ବକାବନା କରିଵା
G)(ଛାତ୍ରକୁ) ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରମାତ୍ରା (ଆକାର, ଇକାର ଆଦି) ଯୋଗ କରିଵାକୁ ଶିକ୍ଷା କରିଵା
H)ଶବ୍ଦରେ ଥିଵା ସ୍ୱରଯୁକ୍ତ ଵ୍ୟଞ୍ଜନ ଵର୍ଣ୍ଣକୁ ଵିଶ୍ଳେଷଣ କରିଵା
I)ହୁଷ୍ଟ-ପୃଷ୍ଟାଙ୍ଗ ହେଵା
J)(ଫଳାଦି) ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେଵା
K)ସୌନ୍ଦର୍ଯ୍ୟରେ ଶୋଭିତ ହେଵା
L)ପରିଣତ ହେଵା(ଯଥା—ସେ ମୋ ମୁରବ୍ବୀ ବନିଛନ୍ତି।)
M)ଫଳତଃ ଵା କାର୍ଯ୍ୟରେ ଅମୁକର ସ୍ୱରୂପ ଧାରଣ କରିଵା; ପାଲଟିଵା; ରୂପେ ପରିଣତ ହେଵା((କନ୍ଦର୍ପର) ଷଷ୍ଠଵାଣ ବନିଲେ ସେ ମୁରଲୀଧର। କବିସୂର୍ଯ୍ୟ—ରତ୍ନାକର ଚମ୍ପୂ।)
ପୁଣି ପଶ୍ଚିମାଞ୍ଚଳରେ ଵନିଵା ଶବ୍ଦର ଦୁଇଟି ଅତିରିକ୍ତ ଅର୍ଥ ରହିଛି ଯଥା—
୧)ଠିକ୍ ହେଵା
୨)(ବନିବା ?)ଆସିଵା; ପଇଟିଵା …

★★★ଆମ ଭାଷାରେ ପାଞ୍ଚଟି ଭିନ୍ନ ଭିନ୍ନ ମୂଳରୁ ବନିଵା ଶବ୍ଦ ଆସିଅଛି ଅର୍ଥାତ୍ ଗୋଟିଏ ନୁହେଁ ପାଞ୍ଚଟି
ବନିଵା ଶବ୍ଦ ରହିଛି★★★

ବନିଵା ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକର ଵିଶ୍ଲେଷଣରୁ ଜଣାଯାଏ ଯେ ଆମଭାଷାରେ ଗୋଟିଏ ନୁହେଁ ଵରଂ ତିନୋଟି ଭିନ୍ନ ଭିନ୍ନ ଦିଗରୁ ତିନିଗୋଟି ଵନିଵା ଓ ବନିବା ଶବ୍ଦ ଚଳୁଅଛି ।

ନିମ୍ନରେ ସେ ଵିଷୟରେ ଆଲୋଚନା କରାଗଲା―

■(କ)—>ଵଣତିଂ ଓ ଵନତି ସହିତ ସମଧୃତ--------ଵନିଵା;
(ପରିଵା ଆଦି ରାନ୍ଧିଵା ନିମନ୍ତେ କାଟିଵା,ପ୍ରସ୍ତୁତ କରିଵା,ନିର୍ମାଣ କରିଵା,ପରିଣତ କରାଇଵା ଆଦି ଅର୍ଥରେ;ଏହାର କ୍ରିୟାର ଣିଜନ୍ତ ରୂପ ହେଉଛି ଵନେଇଵା )

■(ଖ)—>ଵର୍ଣ୍ଣନା ଶବ୍ଦ ସହିତ ସମଧୃତ-------ଵନିଵା;
(ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିଵା ଵା ବର୍ଣ୍ଣଯୋଜନ କରିଵା,ଶବ୍ଦସ୍ଥ ଅକ୍ଷରମାନଙ୍କର ବର୍ଣ୍ଣମାନ ବିଶ୍ଳେଷଣ କରିଵା; ବନାନ କରିଵା,ବର୍ଣ୍ଣନା କରିଵା,ବର୍ଣ୍ଣିଵା; ଗାଳିଦେଵା; ବକିଵା;ବକାବନା କରିଵା,ଛାତ୍ରକୁ ଵ୍ୟଞ୍ଜନ ବର୍ଣ୍ଣରେ ସ୍ୱରମାତ୍ରା (ଆକାର, ଇକାର ଆଦି) ଯୋଗ କରିଵାକୁ ଶିକ୍ଷା କରିଵା,ଶବ୍ଦରେ ଥିଵା ସ୍ୱରଯୁକ୍ତ ଵ୍ୟଞ୍ଜନ ଵର୍ଣ୍ଣକୁ ଵିଶ୍ଳେଷଣ କରିଵା ଇତ୍ୟାଦି ଅର୍ଥରେ )

■(ଗ)―>ବିନ୍ୟାସ ସହିତ ସମଧୃତ ଯାହାର ଅର୍ଥ- ସଜାଇଵା; ସଜ୍ଜିତ କରିଵା ଓ ସମ୍ଭଵତଃ “ସୌନ୍ଦର୍ଯ୍ୟରେ ଶୋଭିତ ହେଵା” ଅର୍ଥଟି ଏହା ସହିତ ସମ୍ୱନ୍ଧିତ ଅଟେ । ଏହା ହିନ୍ଦିରେ ବି ପ୍ରଚଳିତ ଓ ଵନ୍ ଠନ୍’କେ କହିଲା ଵେଳେ ଉକ୍ତ ଅର୍ଥ ପ୍ରକାଶ କରେ ।

ଏତଦ୍ ଵ୍ୟତୀତ କଳିଙ୍ଗର ପଶ୍ଚିମାଞ୍ଚଳରେ ‘ବନିବା’ ଶବ୍ଦର ପ୍ରଚଳିତ ଦୁଇଟି ଭିନ୍ନ ଅର୍ଥ ଯଥା—

■(ଘ)ଠିକ୍ ହେଵା = ‘ବନେ’ରୁ ବନିବା ହୋଇଥିଵା ସମ୍ଭଵ(ଭଲ>ବନ>ବନେ;’ଭ’ ଵର୍ଗ୍ୟରେ ‘ବ’ରେ ପରିଣତ ହୋଇଥାଏ,’ଲ’ ଵର୍ଣ୍ଣ ବି ପରିବୃତି ନିୟମାନୁସାରେ  ‘ନ’ରେ ପରିଣତ ହୁଏ)

■(ଙ)(ବନିବା ?)ଆସିଵା; ପଇଟିଵା = ଏହି ଅର୍ଥରେ ବନିବା ଶବ୍ଦ ପ୍ରୟୋଗ ମୌଳିକ ନା କୌଣସି ଜନଜାତୀୟ ଭାଷାର ଶବ୍ଦରୁ ପ୍ରଭାଵିତ ତାହା ଗଵେଷଣା କରିଵାର ଯୋଗ୍ୟ ଅଟେ ।

                       

◆◆◆◆―――――――――――――――――
    ଓଡ଼ିଆଭାଷାରେ ଵନେଇଵା ଶବ୍ଦର କେତେକ
                   ଵିଶେଷ ପ୍ରୟୋଗ
―――――――――――――――――◆◆◆◆

(କ)ଚାହିଁ ଜଳକା ଵନେଇଵା―କୌଣସି ଵ୍ୟକ୍ତିକୁ ଆଖି ଆଗରେ ଠକାଇଵା
(ଖ) ନଖ ଵନେଇଵା―ନଖ କାଟିଵା
(ଗ)ମାରି ସାଵାଡ଼୍ ଵନେଇଵା―ମାରି ଦ[ଥ]ଣ୍ଡା କରିଵା,କୌଣସି ଵ୍ୟକ୍ତିକୁ ବହୁତ ମାରି ଜବତ୍ କରିଵା
(ଘ)ରଫୁ ଵନେଇଵା―ଓଲୁ ବନେଇଵା,ଅକୃତକାର୍ଯ୍ୟ ହେଵା,ପରାସ୍ତ ହେଵା
(ଙ)ସାରା ଵନେଇଵା―କୌଣସି ଵ୍ୟକ୍ତିକୁ ଦଣ୍ଡଦ୍ଵାରା ପରାସ୍ତ ଵା ହତଵୀର୍ଯ୍ୟ ଵା ଅସହାୟ କରିଵା
                      
                       
●●●●●―――――――――――――――――
ଓଡ଼ିଆଭାଷାରେ ଵନିଵା ଶବ୍ଦର କେତେକ
          ଵିଶେଷ ପ୍ରୟୋଗ
―――――――――――――――――●●●●●

(କ)ଓଲୁ ଵନିଵା— ଠକାମିରେ ପଡ଼ିଵା
(ଖ)ବମ୍ ଵନିଵା―ହୃଷ୍ଟ ପୁଷ୍ଟ ହେଵା; ସ୍ଥୂଳକାୟ ହେଵା
(ଗ)ବିଧି ଵନିଵା―ଦୁଇ ଵା ଏକାଧିକ ଵ୍ୟକ୍ତିଙ୍କ ମଧ୍ୟରେ ମତର ଵା ମନର ମେଳ ହେଵା—[ ଯଥା—ତାଙ୍କର ମୋର ଵିଧି ଵନୁ ନାହିଁ। ]
(ଘ)ଭକୁଆ ଵନିଵା―ପ୍ରତାରିତ ହେଵା; ଠକାମିରେ ପଡ଼ିଵା, ବିସ୍ମିତ ହେଵା; ଅଵାକ୍ ହେଵା
(ଙ)ମିଛୁଆ ଵନିଵା―ମିଛୁଆ ହେଵା,ନିଜର କଥାର ଅସତ୍ୟତା ପ୍ରମାଣିତ ହେଵାଦ୍ଵାରା ମିଥ୍ୟାଵାଦୀ ପ୍ରତିପନ୍ନ ହେଵା; ନିଜର କଥା ଫଳରେ ନ ଘଟିଵା ଯୋଗୁଁ ଅପ୍ରସ୍ତୁତ ହେଵା,ନିଜର ପ୍ରତିଶ୍ରୁତି ରକ୍ଷା କରିଵାକୁ ଅସମର୍ଥ ହେଵା ।
(ଚ)ଶଣ୍ଡ ଵନିଵା(ଲକ୍ଷଣାର୍ଥ)―କୌଣସିଠାରେ ଦଳ ମଧ୍ୟରେ ଦଳପତିରୂପେ ଅଧିକାର ବିସ୍ତାର କରିଵା(ଷଣ୍ଢ ବନିଵା) ।
(ଛ)ଶିଶୁପାଳ ଵନିଵା―ଶିଶୁପାଳିଆ ହେଵା ।
(ଜ)ଶୋଧି ଵନିଵା—ଶୋଧିର ଧାଡ଼ିମାନ ଭୁମିରେ ଲେଖି ଶୋଧି ପଡ଼େ ଇତ୍ୟାଦି ବୋଲିଵା
(ଝ)ହଦ୍ଦ୍ ଵନିଵା—ଆଶ୍ଚର୍ଯ୍ୟାନ୍ୱିତ ହେଵା,ନିଜର ପରାକ୍ରମର ଵା ବୃଦ୍ଧିର ଶେଷ ସୀମାରେ ପହଞ୍ଚିଵା; କିଂକିର୍ତ୍ତଵ୍ୟମୁଢ଼ ହେଵା

ଉପର୍ଯୁକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଵନିଵା ଓ ବନିବା ଶବ୍ଦ  ଓଡ଼ିଆଭାଷାରେ ବହୁପ୍ରଚଳିତ ପୁଣି ଆନ ଭାରତୀୟ ଭାଷା ଅପେକ୍ଷା ଓଡ଼ିଆରେ ଏହାର ଵିଭିନ୍ନ ମୂଳରୁ ନାନାଵିଧ ଅର୍ଥ ରହିଛି । କିଛି ଅଳ୍ପଜ୍ଞ ଓଡ଼ିଆ ତାଙ୍କ ଅଞ୍ଚଳର କଥିତ ଭାଷାରେ ‘ଵନିଵା’ , ‘ବନିବା’ ଓ ‘ଵନେଇଵା’ ଆଦି ଶବ୍ଦ ଚଳୁନଥିଵାରୁ ଏ ଗୁଡ଼ିକୁ ହିନ୍ଦି ଅନୁକୃତ ମନେକରିଵା ନିହାତି ଅଵାନ୍ତର,ହାସ୍ୟାସ୍ପଦ କଥା ଅଟଇ

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...