Wednesday, December 28, 2022

ଭାରତରେ ଭାଷା~ କିଛି ଜାଣିଵା କଥା

•ଭାରତରେ ଛଅଗୋଟି ମୁଖ୍ୟ ଭାଷାପରିଵାରର ୧୩୬୯ରୁ ଅଧିକ ଭାଷା ବୋଲାଯାଏ । 

•ଭାରତରେ କଥିତ ହେଉଥିଵା ଭାଷାଗୁଡ଼ିକ ଯେଉଁ ଛଅଗୋଟି ଭାଷାପରିଵାରରେ ଵିଭକ୍ତ ସେଗୁଡ଼ିକ ହେଲା ...

(କ)ଭାରୋପୀୟ ଭାଷାପରିଵାର
(ଓଡ଼ିଆ, ବଙ୍ଗାଳୀ,ଗୁଜରାଟୀ, ହିନ୍ଦୀ)

ଖ) ଦ୍ରାବିଡ଼ ଭାଷା ପରିଵାର
(କୁଈ, ତାମିଲ,ତୁଲୁ,ମଳୟାଳ଼ମ)

(ଗ)ଆଷ୍ଟ୍ରୋଏସିଆଟିକ୍ ଭାଷା ପରିଵାର
(ସଉରା,ମୁଣ୍ଡା, ସାନ୍ତାଳୀ,ଖାସି)

(ଘ)ସିନୋ ତିବତ୍ତୀୟ ଭାଷାପରିଵାର
(ତିବତ୍ତୀ,ବୋଡୋ,ଗାରୋ,ମେଇତେଇ)

(ଙ)ତାଇ କଦାଇ ଭାଷା ପରିଵାର
(ତାଇ ଲୂ ଭାଷା,ଅହୋମ ଭାଷା)

(ଚ)ଆଣ୍ଡାମାନ ଭାଷା ପରିଵାର
(୰ବୋ ଭାଷା,ଜୁୱୋଇ,ଅଣ୍ଡାମାନୀ)

•ଭାରତରେ ମୋଟ ୭୮.୫ ଭାଗ ଲୋକେ ଭାରୋପୀୟ ଭାଷାପରିଵାରର ଭାଷାଗୁଡ଼ିକ ଦ୍ଵାରା ପରସ୍ପର ସହିତ କଥୋପକଥନ ହେଉଥିଲା ବେଳେ ୧୯.୬୪ ଭାଗ ଲୋକେ ତାମିଳ ଭାଷାପରିଵାରର ଭାଷା ଵ୍ୟଵହାର କରି କଥାଭାଷା ହୋଇଥାନ୍ତି । 

•ଭାରତରେ ହିନ୍ଦୀଭାଷୀ ଓ ବଙ୍ଗାଳୀ ଆଦି ଭାଷାଭାଷୀଙ୍କ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଆଣ୍ଡାମାନ ଭାଷାପରିଵାରର ଭାଷାଗୁଡି଼କ ସର୍ଵାଧିକ କ୍ଷତିଗ୍ରସ୍ତ ହୋଇ ପ୍ରାୟତଃ ଲୋପ ପାଇଵାକୁ ଯାଉଛନ୍ତି । 

•ଭାରତରେ ଆଧୁନିକ ଭାଷାଵିଵାଦ ମଧ୍ୟରେ ଓଡ଼ିଆ-ବଙ୍ଗାଳୀ ଭାଷା ଵିଵାଦ ଅନ୍ୟତମ । ଓଡ଼ିଆମାନେ ବଙ୍ଗାଳୀମାନଙ୍କ କଵଳରୁ ନିଜ ଭାଷାକୁ ବଞ୍ଚାଇଵାକୁ ୧୮୧୦ରୁ ୧୯୧୦ ଯାଏଁ ଶହେ ଵର୍ଷରୁ ଅଧିକ ସମୟକାଳ ଯାଏଁ ସଂଗ୍ରାମ କରିଥିଲେ ବି ଵିଶ୍ଵ ମାତୃଭାଷା ଦିଵସ ଭାବେ ବଙ୍ଗାଳୀମାନଙ୍କୁ ଵିଶ୍ଵରେ ମହତ୍ତ୍ଵ ଦିଆଯାଉଛି । ଦ୍ଵିତୀୟ ଭାଷା ଵିଵାଦ ହିନ୍ଦୀ Vs ଅଣହିନ୍ଦୀ ଭାଷାକୁ ନେଇ ଏବେ ବି ରହିଛି । 

•ଭାରତରେ ସର୍ଵାଧିକ ଭାରୋପୀୟ ଭାଷାପରିଵାରର ଭାଷାଗୁଡି଼କ ବୋଲାଯାଏ ଏଵଂ ତତ୍ପରେ କଥିତ ଭାଷା ଭାବରେ ଵ୍ୟଵହାର ହେଵା କ୍ଷେତ୍ରରେ ଦ୍ରାଵିଡ଼ ଭାଷାପରିଵାର ଦ୍ଵିତୀୟ ସ୍ଥାନରେ ଅଛି । 

• ଭାରତର କେନ୍ଦ୍ର ସରକାରର ଦୁଇଟି ରାଜଭାଷା ହିନ୍ଦୀ ଓ ଇଂରାଜୀ ଭାଷା ଏଵଂ ଏହି ଦୁଇଟି ଭାଷା ଦ୍ଵାରା ଭାରତୀୟ ରାଜ୍ୟଗୁଡ଼ିକର ଲୋକେ ପରସ୍ପର ସହିତ କଥୋପକଥନ କରିଥାନ୍ତି । 

•ତେବେ ଭାରତରେ ସର୍ଵାଧିକ ହିନ୍ଦୀ, ବଙ୍ଗାଳୀ ଓ ମରାଠୀରେ ଲୋକେ କଥା ଭାଷା ହୁଅନ୍ତି କିନ୍ତୁ ଏହି ତିନୋଟି ଯାକ ଭାଷାକୁ ଦେଶରେ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିନାହିଁ । 

•ପ୍ରାଚୀନ,ଵୈଜ୍ଞାନିକ ଓ ଶୁଦ୍ଧ ଭାଷା ଭିତ୍ତିରେ ସଂସ୍କୃତ, ଓଡ଼ିଆ,ତାମିଳ,ମଳୟାଳ଼ମ, କନ୍ନଡ଼ ଓ ତେଲୁଗୁ ଏହି ଛଅଗୋଟି ଭାରତୀୟ ଭାଷାକୁ ହିଁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । 

•ଭାରତରେ ଏମିତି ୧୨୧ଟି ଭାଷା ଅଛି ଯହିଁରେ ଦଶ ହଜାରରୁ ଅଧିକ ଲୋକ କଥାଭାଷା କରନ୍ତି ଏଵଂ ଏହି ୧୨୧ଟି ମଧ୍ୟରେ ୨୨ଟି ଭାଷାକୁ ରାଜଭାଷାର ମାନ୍ୟତା ମିଳିଛି । 

•ଭାରତର ବାଇଶଗୋଟି ରାଜଭାଷା ହେଲା —ଅହମିଆ, ବଙ୍ଗାଳୀ,ବୋଡୋ,ଡୋଗରୀ,ଗୁଜରାଟୀ,ହିନ୍ଦୀ, କନ୍ନଡ଼, କଶ୍ମୀରୀ,କୋଙ୍କଣୀ, ମୈଥିଳୀ,ମଳୟାଳ଼ମ,ମଣିପୁରୀ ଵା ମେଇତେଇ,ମରାଠୀ,ନେପାଳୀ, ଓଡ଼ିଆ,ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ,ସିନ୍ଧୀ,ତାମିଳ,ତେଲୁଗୁ ଓ ଉର୍ଦ୍ଦୁ 

•ସଂସ୍କୃତ ଭାରତର ସ୍ଵାଭାଵିକ ରାଷ୍ଟ୍ରଭାଷା । ଭାରତର ପ୍ରାୟ ଅଧିକାଂଶ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ରହିଛି ଏଵଂ ତାମିଳ,ମୁଣ୍ଡାରୀ ଆଦି ଭାଷାରୁ ସଂସ୍କୃତ ଭାଷାରେ ହଜାର ହଜାର ଶବ୍ଦ ଗୃହୀତ ମଧ୍ୟ ହୋଇଛି । 

•ଭାରତରେ ସନାତନୀମାନେ ନିଜ ସନ୍ତାନମାନଙ୍କର ନାମକରଣ ସଂସ୍କୃତ ଭାଷାର ଶବ୍ଦ ଆଧାରରେ କରିଥାନ୍ତି । 

•ଭାରତରେ ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାଷା ସରକାରୀ ଭାଷାର ମାନ୍ୟତା ଲାଭ କରିଛି । ସଂସ୍କୃତ,ପାଲୀ,ପାର୍ସୀ, ଇଂରାଜୀ ଆଦି ଭାଷା ତନ୍ମଧ୍ୟରୁ ଅନ୍ୟତମ । 

•ଅଧୁନା ଭାରତରେ କେନ୍ଦ୍ର ସରକାର ଓ ଉତ୍ତର ଭାରତୀୟ ଲୋକେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ପ୍ରଚାର କରୁଛନ୍ତି ତେବେ ଆଧିକାରିକ ଭାବରେ ଭାରତର କୌଣସି ରାଷ୍ଟ୍ରଭାଷା ଘୋଷିତ ହୋଇନାହିଁ । 

•ଭାରତରେ ପ୍ରଚାର କରାଯାଉଛି ଯେ ଭାଷା ଵିଵିଧତା କ୍ଷେତ୍ରରେ ନାଗାଲାଣ୍ଡ ସବା ଆଗରେ ଅଛି । ନାଗାଲାଣ୍ଡରେ ୩୬ଟି ଭାଷା ବୋଲାଯାଏ ତେବେ ଓଡ଼ିଶାରେ କେଵଳ ଓଡ଼ିଆ ଭାଷାର ତିରିଶରୁ ଅଧିକ ଶୈଳୀ ଏଵଂ ୬୪ ଜନଜାତୀୟ ଲୋକଙ୍କର ଶହେ ପାଖାପାଖି କଥିତ ଭାଷା ପ୍ରଚଳିତ ଅଛି ବୋଲି ଏ ଦେଶରେ ଅନେକେ ଜାଣନ୍ତି ନାହିଁ । 

•ଭାରତରେ ହିନ୍ଦୀ,ମରାଠୀ ଭଳି ଅଶିରୁ ଅଧିକ ଭାଷା ଦେଵନାଗରୀ ଲିପିରେ ଲେଖାଯାଏ କିନ୍ତୁ ପ୍ରକୃତରେ ଦେଵନାଗରୀ ଲିପି ହେଉଛି ସଂସ୍କୃତ ଭାଷାର ଲିପି । ହିନ୍ଦୀ ପୂର୍ଵେ ମୁଖ୍ୟତଃ କୈଥୀ ଓ ମହାଜନୀ ଲିପିରେ ଲେଖାଯାଉଥିଲା ସେହିପରି ମରାଠୀ ମୋଡି ଲିପିରେ ଲେଖା ଯାଉଥିଲା । ବଙ୍ଗାଳୀ ମଧ୍ୟ ପୂର୍ଵେ କୈଥୀ ଲିପିରେ ଲେଖାଯାଉଥିଵା ଜଣାଯାଏ ତେବେ ପରେ ଆସାମର କାମରୂପୀ ଲିପିକୁ ବଙ୍ଗାଳୀମାନେ ନିଜର ଲିପି ଭାବେ ଗ୍ରହଣ କଲରିନେଲେ । 

•ଭାରତରେ ଅଧିକାଂଶ ଭାଷାର ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଛି ଏଵଂ ତେଲୁଗୁ, ଓଡ଼ିଆ,କାମରୂପୀ ଓ ନାଗରୀ ଆଦି ଅଧିକାଂଶ ପୂର୍ଵ ତଥା ଉତ୍ତରଭାରତୀୟ ଲିପି କଳିଙ୍ଗ ଲିପି(ଅଶୋକ-ଖାରବେଳ କାଳୀନ ବ୍ରାହ୍ମୀଲିପି)ରୁ ସୃଷ୍ଟି ହୋଇଛି । ଓଡ଼ିଶା ଭାରତର ଏମିତି ଏକ ରାଜ୍ୟ ଯେଉଁଠାରେ ପ୍ରାକ୍ ବ୍ରାହ୍ମୀ,ବ୍ରାହ୍ମୀ ଓ ବ୍ରାହ୍ମୀ ପରଵର୍ତ୍ତୀ ତିନି ସମୟକାଳର ଲିପି ମିଳିଛି ।

•ଭାରତରେ ପ୍ରଚଳିତ କେତେକ ଭାଷା ଭାରତର ପଡ଼ୋଶୀ ଦେଶରେ ମଧ୍ୟ ପ୍ରଚଳିତ ଥିଵା ଦେଖାଯାଏ । ଉଦାହରଣ ସ୍ୱରୂପ ଶ୍ରୀଲଙ୍କାରେ ତାମିଳ,ନେପାଳରେ ନେପାଳୀ ଓ ମୈଥିଳୀ, ଥାଇଲାଣ୍ଡରେ ତାଇ, ପାକିସ୍ତାନରେ ସିନ୍ଧୀ,ପଞ୍ଜାଵୀ ଓ ହିନ୍ଦୀ ତଥା ବଙ୍ଗଳାଦେଶରେ ବଙ୍ଗାଳୀ ଆଦି ଭାଷା ଉଲ୍ଲେଖ ଯୋଗ୍ୟ । 

•ଭାରତରେ ସମସ୍ତ ଛଅଗୋଟି ଭାଷାପରିଵାରର ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ଜନଜାତୀୟ ଓ ନଗର ତଥା ଗ୍ରାମଵାସୀ ଉଭୟ ଜାତୀୟ ଲୋକେ ଅଛନ୍ତି । ଭାରୋପୀୟ ଭାଷାପରିଵାରର ଭାଷା ବୋଲୁଥିଵା ଭିଲି,ହଲବୀ ଓଡ଼ିଆ,ଭତ୍ରୀ ଓଡ଼ିଆ,ବାଥୁଡ଼ୀ,କୁଡ଼ମଲୀ,ନାଗପୁରୀ ଆଦି ଅନେକ ଭାରୋପୀୟ ଭାଷା ବୋଲୁଥିଵା ଆଦିଵାସୀ ଵା ଜନଜାତୀୟ ଲୋକେ ମଧ୍ୟ ଭାରତରେ ଦେଖାଯାଆନ୍ତି ।

Sunday, December 25, 2022

ଉତ୍କଳୀୟ ସଂସ୍କୃତିରେ ତୁଳସୀପୂଜନ

ସନାତନ ସଂସ୍କୃତିରେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ପାଦପ ବୋଲି ସର୍ଵଵିଦିତ । ସନାତନ ପୂଜା ଆରାଧନା ସମୟରେ ଜଳ ପଦ୍ମ, ଧୌତ ଵସ୍ତ୍ର, ତୁଳସୀ , ବିଲ୍ୱପୁଷ୍ପଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ୱାରା ଆରାଧନା କରାଯାଏ ଏଵଂ ଏହାକୁ ନିରାଜନ ଵା ନିରାଜନା ବୋଲାଯାଏ । ଶ୍ରୀଵିଷ୍ଣୁଙ୍କ ପୂଜା ସମୟରେ ତୁଳସୀ ପତ୍ରର ଆଵଶ୍ୟକତା ସର୍ଵତ୍ର ଓ ସର୍ଵଦା ହୋଇଥାଏ ।‌ ଏ ଦେଶରେ ସନାତନୀମାନଙ୍କର ଦେଵପୂଜା, ସ୍ତୁତିପାଠ, ସନ୍ଧ୍ୟା ଵନ୍ଦନା, ମାଳା ଗଡ଼ାଇଵା, ସଂକୀର୍ତ୍ତନ କରିଵା, ଚିତା ଘେନିଵା, ନିର୍ମାଲ୍ୟ ସେବା କରିଵା, ଧର୍ମଶାସ୍ତ୍ର ପଢ଼ିଵା, ହୋମ କରିଵା ଓ ତୁଳସୀ ମୂଳରେ ପାଣି ଦେଵା ପ୍ରଭୃତି ଦୈନିକ ପୂଜାର ଅନ୍ତର୍ଗତ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଓଡ଼ିଶାର ସଧଵାମାନେ ପ୍ରତିଦିନ ସକାଳେ ଗାଧୋଇ ସାରି ତୁଳସୀକୁ ଜଳଦାନ କରନ୍ତି ଓ ସନ୍ଧ୍ୟାରେ ତୁଳସୀ ମୂଳରେ ସନ୍ଧ୍ୟାଵତୀ ଦିଅନ୍ତି । ଓଡ଼ିଶା, କଳିଙ୍ଗ ଵା ଉତ୍କଳ ତୁଳସୀକ୍ଷେତ୍ରର ଦେଶ, ଶ୍ରୀଜଗନ୍ନାଥଙ୍କ ଦେଶ ସେଥିପାଇଁ ଭାରତର ଅନ୍ୟ ଭୂଭାଗ ଅପେକ୍ଷା ଏ ଦେଶରେ ପାରମ୍ପରିକ ତୁଳସୀ ପୂଜନ ସର୍ଵାଧିକ ହୋଇଥାଏ । ଓଡ଼ିଶାର ଲୋକେ କେଵଳ ତୁଳସୀ ପୂଜା କରୁନଥିଲେ ଵରଂ ତୁଳସୀ ଗଛର ଔଷଧୀୟ ଗୁଣ ଵିଷୟରେ ମଧ୍ୟ ଏଠାକାର ସାଧାରଣ ଜନତାଙ୍କୁ ଜଣାଥିଲା । ଆଜକୁ ମାତ୍ର କୋଡି଼ଏ ତିରିଶ ଵର୍ଷ ତଳେ ଗ୍ରାମାଞ୍ଚଳରେ ଅଧିକାଂଶ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା କାଶ ହେଲେ ମହୁ ସହିତ ତୁଳସୀ ପତ୍ର ବାଟି ପିଆଉଥିଲେ । ତୁଳସୀ ପତ୍ର ଖାଇଲେ ପିଲାଙ୍କର ସ୍ମୃତିଶକ୍ତି ବୃଦ୍ଧି ପାଏ ତେଣୁ ପିଲାଏ ପ୍ରତିଦିନ ଗୋଟିଏ ତୁଳସୀ ପତ୍ର ଖାଇଵା ପୂର୍ଵେ ଏ ଦେଶରେ ପରମ୍ପରା ପ୍ରଚଳିତ ଥିଲା । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ତାଛଡା ମୂଖ ଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇଵାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ । ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ । ତୁଳସୀ ଗଛର ଏହିପରି ଅନେକ ଔଷଧୀୟ ଗୁଣ ଅଛି । ଆମ ପୂର୍ଵଜମାନେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଗୁଳ୍ମ ଜାଣି ଏହାର ରକ୍ଷଣାବେକ୍ଷଣ ହେତୁକ ଘରେ ଘରେ ତୁଳସୀ ଲଗାଉଥିଲେ ଏଵଂ ପୂଜାର୍ଚ୍ଚନା କରୁଥିଲେ । ପୂଜାର୍ଚ୍ଚନା ମଧ୍ୟରେ ତୁଳସୀପତ୍ରଟିଏ ଭକ୍ଷଣ ଦ୍ଵାରା ଶରୀର ନିରୋଗ ରଖିଵା ହିଁ ତୁଳସୀ ପୂଜନର ମୂଳ ଉଦ୍ଦେଶ୍ୟ ଥିଲା । ପ୍ରାଚୀନ ଓଡ଼ିଆ ସଂଗୀତରେ (କଳା)ତୁଳସୀ ଗଛର ଉପକାରିତା ଵର୍ଣ୍ଣିତ ହୋଇଛି 

କଫ ଵାତ କଣ୍ଠାଗ୍ରତେ ଯେବେ ରୁନ୍ଧିଵ; 
ଶ୍ୟାମ ତୁଳସୀମଞ୍ଜରୀ, 
ଵଦନେ ଦେଵ ମୋହରି, 
ଶ୍ୟାମ ନାମ ଯତ୍ନ କରି, 
କର୍ଣ୍ଣରେ ଶୁଣାଉଥିଵ। 
(ପ୍ରାଚୀନ ସଙ୍ଗୀତ)

ତୁଳସୀକୁ ଓଡ଼ିଶାର ଲୋକେ ସବୁଠାରୁ ପଵିତ୍ର ପାଦପ ମାନୁଥିଲେ ତେଣୁ ଉତ୍କଳୀୟ ସଂସ୍କୃତିରେ ତୁଳସୀର ସ୍ଥାନ ସର୍ଵୋଚ୍ଚ ହୋଇପାରିଛି । 

ନିମ୍ନରେ ଓଡ଼ିଶାରେ ତୁଳସୀ ପୂଜାର କେତେକ ଉଦାହରଣ ପ୍ରଦତ୍ତ ହେଲା —

୩୬୫ ଦିନ ତୁଳସୀ ପୂଜା ଵା ଚଉରାସେଵା :

ଓଡ଼ିଶାର ସଧଵାମାନେ ଵର୍ଷକ ବାରମାସ ପ୍ରତ୍ୟେକ ଦିନ ତୁଳସୀ ପୂଜା କରନ୍ତି ‌ । ସକାଳୁ ଗାଧୋଇ ସାରି ଜଳଦାନ ଏଵଂ ସନ୍ଧ୍ୟାରେ ଦୀପଦାନ ଓଡ଼ିଆ ଘରର ଝିଅଵୋହୂଙ୍କର ମୁଖ୍ୟ କର୍ତ୍ତଵ୍ୟକର୍ମ ଅଟଇ । ତୁଳସୀଚଉରାରେ ରୋପିତ ଓ ସଯତ୍ନବର୍ଦ୍ଧିତ ତୁଳସୀ ଵା ଵୃନ୍ଦାଵତୀଙ୍କୁ ଜଳଦାନ, ଦୀପଦାନ ଓ ପୂଜାଆଦି କରିଵା ରୂପ ଏହି କର୍ତ୍ତଵ୍ୟ କାର୍ଯ୍ୟକୁ #ଚଉରାସେଵା କୁହାଯାଏ । ସେହିପରି ଆଗେ ଘରର ପୁରୁଷମାନେ ଘରୁ ବାହାରି ଗଲା ବେଳେ ତୁଳସୀ ଚଉରାକୁ ପ୍ରଣାମ କରି ତୁଳସୀ ପତ୍ରଟିଏ ସେଵନ କରି ଦୂରକୁ ଯାତ୍ରା କରିଵାର ପରମ୍ପରା ପ୍ରଚଳିତ ଥିଲା । ଏ ଦେଶର ଵୈଷ୍ଣଵମାନେ ଗାଧୋଇ ସାରି ତୁଳସୀଗଛରେ ଜଳଦାନ ପରେ ତୁଳସୀ ପତ୍ରଟିଏ ସେଵନ କରିଵାର ପରମ୍ପରା ମଧ୍ୟ ରହିଛି । ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପଦାନ କରିଵାକୁ ଓଡ଼ିଆ ମାନେ ସନ୍ଧ୍ୟା ଦେଵା ,ସଞ୍ଜ ଦେଵା 
,ସଞ୍ଜ ବସାଇଵା ,ସଞ୍ଜଵତୀ ଦେଵା ଓ ବଳିତା ବସାଇଵା ଆଦି କହିଥାନ୍ତି । 

 

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜା :

ଆଗେ ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଉଥିଲା ଓ ଵିଶେଷ ପୂଜାର ଆୟୋଜନ କରାଯାଉଥିଲା । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼ୁଥିଲା ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଉଥିଲା । ଆଗେ ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଉଥିଲା । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଉଥିଲା । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । 

ମାର୍ଗଶୀର କୃଷ୍ଣନଵମୀରେ ତୁଳସୀ ପୂଜା :

ମାର୍ଗଶିରମାସ କୃଷ୍ଣନଵମୀରେ‌ କାଞ୍ଜି ଅଅଁଳା ପର୍ଵ ପଡି଼ଥାଏ ‌ । ଏ ଦିନ ସ୍ତ୍ରୀ ଲୋକେ ଅଅଁଳା କୋଳି ପଡି଼ଥିଵା କାଞ୍ଚି ନେଇ ତୁଳସୀ ଚଉରାମୂଳେ ସନ୍ଧ୍ୟାବେଳେ ପୂଜା କରନ୍ତି। 

କାର୍ତ୍ତିକ ମାସରେ ତୁଳସୀ ପୂଜା :

କାର୍ତ୍ତିକ ମାସକୁ ତୁଳସୀ ମାସ କୁହାଯିଵା କଥା କାରଣ ଏ ମାସରେ କଳିଙ୍ଗ ଦେଶରେ ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ । କାର୍ତ୍ତିକ ମାସସାରା ଏ କଳିଙ୍ଗ ଦେଶର ହବିଷିଆଳିମାନେ ତୁଳସୀ ମୂଳରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ଚିତ୍ର ଅଙ୍କନ କରି କାର୍ତ୍ତିକପୂଜା ଓ ଦୀପଦାନ ଆଦି କରନ୍ତି । ଯାହା ଦାଣ୍ଡରେ ତୁଳସୀ ଗଛ ଥାଏ ସେଠାରେ ଗୋଟିଏ ବଡ଼ ଦଣ୍ଡ ପୋତାଯାଇ ପିତୃପୁରୁଷଙ୍କୁ ଦୀପଦାନ କରାଯାଏ । 

କାର୍ତ୍ତିକ ଵ୍ରତ ଵା ରାଇଦାମୋଦର ଵ୍ରତ ଓ ତୁଳସୀ :

କାର୍ତ୍ତିକ ମାସରେ କରାଯିଵା ଵ୍ରତକୁ କାର୍ତ୍ତିକ ଵ୍ରତ, 'ରାଇଦାମୋଦର ଵ୍ରତ' ଵା 'ରାଇଦାମୋଦର ପୂଜା' ବୋଲାଯାଏ। ଏହି କାର୍ତ୍ତିକ ଵ୍ରତ ଵା ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ଵର୍ଣ୍ଣିତ ହୋଇଅଛି। କୁମାରପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ଵ୍ରତ ଵା ଊର୍ଜ୍ଜଵ୍ରତ କରାଯାଏ। ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତଵ୍ୟ ଅଟଇ। ଵିଧଵା ଓ ହବିଷିଆଳିମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କ ରୂପ ଅଙ୍କିତ କରି ପୂର୍ଵଦିଗକୁ ମୁହଁ କରି ନୈଵେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି। ଵିଧଵା ଓ ହବିଷିଆଳିମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ସମୟରେ କାପତାକାପତୀ (କପୋତ କପୋତୀ ଦ୍ୱୟ)ଙ୍କୁ ମଧ୍ୟ ନୈଵେଦ୍ୟ (ଭୋଗ) ଦିଆଯାଏ। ଏହି ନୈଵେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ଵିଧଵା ଓ ହବିଷିଆଳି ଵ୍ରତିନୀମନେ ଉତ୍ସର୍ଗ କରନ୍ତି। ସାଧାରଣତଃ ବୃଦ୍ଧାମାନେ ରାଧାଦାମୋଦର ପୂଜା କରିଥାନ୍ତି । ରାଇଦାମୋଦର ବିଷୟରେ ଢଗଟିଏ ଓଡ଼ିଆ ଭାଷାରେ ପ୍ରଚଳିତଏଵଂ ସେଥିରୁ ଏକଥା ଜଣାଯାଏ । 

“ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ବର, 
ଝିଅଙ୍କୁ ସୁନ୍ଦର ନେତ, 
ବୁଢ଼ୀଙ୍କି ସୁନ୍ଦର ରାଇଦାମୋଦର, 
ବୁଢ଼ାଙ୍କୁ ସୁନ୍ଦର ଶୀତ।”

କାର୍ତ୍ତିକ ପୂର୍ଣ୍ଣିମା ଓ ତୁଳସୀ ଗଛ :

କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା କରିଵା ପାଇଁ ଛେନାଗୁଡ଼ ଵା ଖଇଚକଟା ତୁଳସୀଚଉରା ମୂଳେ ଥୋଇଵାକୁ ହୋଇଥାଏ ‌। ଏ ଦିନ ତୁଳସୀ ଚଉରାକୁ ଲିପି ଵିଶେଷ ଭାବେ ଧୂପ ଦୀପ ଦ୍ଵାରା ପୂଜା କରାଯାଏ ‌ । ଚନ୍ଦ୍ରଙ୍କ ପାଇଁ ପ୍ରସ୍ତୁତ ଭୋଗକୁ ସଜ୍ଜିତ ତୁଳସୀ ଚଉରା ମୂଳରେ ବଢ଼ାଯାଏ ଯାହାକୁ ଚାନ୍ଦ ବାଢି଼ଵା କୁହନ୍ତି । 

ତୁଳସୀ ଵିଵାହ : 
ତୁଳସୀ ଵିଵାହୋତ୍ସଵ କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ଦିନ ପାଳିତ ହୋଇଥାଏ । ଏହି ଦିନ ଶ୍ରୀଵିଷ୍ଣୁଙ୍କ ସହିତ ଵୃନ୍ଦାଵତୀ ଵା ତୁଳସୀ ଚଉରାରେ ଥିଵା ତୁଳସୀ ଗଛର ଵିଵାହ ରୂପକ ଉତ୍ସଵ ପାଳିତ ହୁଏ ‌ । 

ଅଷ୍ଟପ୍ରହରୀ ସମୟରେ ତୁଳସୀ ପୂଜା :
ଅଷ୍ଟପ୍ରହରୀ ସମୟରେ ଵିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ଆସିଥାନ୍ତି । ସେତେବେଳେ ଠାକୁରମାନଙ୍କୁ ଓ ସଂକୀର୍ତ୍ତନଦଳକୁ ମେଳନ ଆଦିକୁ ନିମନ୍ତ୍ରଣ କରିଵା ପାଇଁ ଫୁଲ ଓ ତୁଳସୀ ପ୍ରେରଣ କରାଯାଏ । ଏତଦଵ୍ୟତୀତ ଅଷ୍ଟପ୍ରହରୀ ଆରମ୍ଭ ଓ ଶେଷରେ ଗ୍ରାମର ଭାଗଵତ ଘର ଆଗରେ ଥିଵା ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ ‌ । 

ଜହ୍ନି ଓଷା ଓ ତୁଳସୀ :
ଗାଆଁ ଝିଅମାନେ ତୁଳସୀ ଚଉରା ମୂଳରେ ଜହ୍ନିଓଷା କରିଥାନ୍ତି । ଏହି ଜହ୍ନି ଓଷା ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା (କୁମାର ପୁର୍ଣ୍ଣିମା) ଯାଏ ପାଳିଵାକୁ ହୁଏ। ଏହି ଓଷା ଏକ ମାସ ଵ୍ୟାପି ପାଳିତ ହୁଏ ଏଵଂ ଏହି ଓଷାରେ ପ୍ରତିଦିନ ତୁଳସୀ ଗଛର ଵିଶେଷ ପନ୍ଦାପନା କରାଯାଇ ପିଲାଙ୍କ ମଧ୍ୟରେ ଭୋଗ ବଣ୍ଟନ କରାଯାଏ । ଏଥିର ଶେଷ ପାଳି ଦିନ ବାଳିକାମାନେ ସନ୍ଧ୍ୟାବେଳେ ଗୁଡ଼ିଏ ଜହ୍ନି ଫୁଲ ତୋଳି ଆଣି ତିନି ଗୋଟି ମଣ୍ଡଳ କାଟି ତିନି ଗୋଟି ଜହ୍ନି ପତ୍ରରେ ଫୁଳଗୁଡ଼ିକ ରଖି ନିଜନିଜର ଭାଇ ବାପାଙ୍କ ମଙ୍ଗଳକାମନାରେ ତାକୁ ଚାଳ ଉପରକୁ ଫୋଫାଡ଼ନ୍ତି ।

ଶାମ୍ବ ଦଶମୀ ଓ ତୁଳସୀ :
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ଵ କିନ୍ତୁ ଓଡ଼ିଆ ଘରର ଝିଅ ଵୋହୂମାନେ ତୁଳସୀ ଚଉରା ମୂଳରେ ସାମୁହିକ ଭାବରେ ଏକତ୍ରିତ ହୋଇ ଏହାର ଆୟୋଜନ କରିଥାନ୍ତି ଏଵଂ ଏହି ପୂଜାର ଆୟୋଜନ ଶେଷରେ ସୂର୍ଯ୍ୟ ଦେଵଙ୍କୁ ଧୂପ ଓ ନୈଵେଦ୍ୟ ଅର୍ପଣ କରାଯାଏ । ଶାମ୍ବ ଦଶମୀର ପୂଜା ତୁଳସୀ ଚଉରା ମୂଳରେ ହେଉଥିଵାରୁ ପ୍ରଥମେ ତୁଳସୀ ପୂଜନ କରାଯାଇ ତହିଁ ମୂଳରେ ଦୀପଦାନ କରାଯାଏ

ବଡ଼ ଓଷା ଓ ତୁଳସୀ 
ଓଡ଼ିଶାରେ ଦୁଇ ଜାତୀୟ ବଡ଼ଓଷା ପାଳନ କରାଯାଏ । 

(କ) କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ 
କଟକ ଓ ପୁରୀ ଆଦି ଜିଲ୍ଲାରେ ଆଠଗଡ଼ର ଧବଳେଶ୍ୱର ମହାଦେଵଙ୍କଠାରେ କାର୍ତ୍ତିକ ପୂର୍ଣ୍ଣିମାର ପୂର୍ଵଦିନ ଏହି ଓଷା କରିଥିଵା ଲୋକମାନେ ଭୋଗ ଲଗାନ୍ତି। 

(ଖ)ସୋମନାଥ ଵ୍ରତକୁ ଗଞ୍ଜାମ ଜିଲ୍ଲାରେ 'ବଡ଼ ଓଷା' ବୋଲି କହନ୍ତି। ଏହି ଵ୍ରତ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ ଆରମ୍ଭ କରାଯାଇ ଆଶ୍ୱିନ ଶୁକ୍ଳଦଶମୀ (ଦଶହରା) ଦିନ ଉଦ୍ୟାପନା କରାଯାଏ।

ତେବେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ ଯେଉଁ ବଡ଼ ଓଷା ହୋଇଥାଏ ତାହା ତୁଳସୀ ଗଛର ଚଉରା ମୂଳରେ ଅନେକ ସ୍ତ୍ରୀ ଲୋକଙ୍କ ଦ୍ଵାରା ସାମୁହିକ ଭାବରେ ଆୟୋଜିତ ହୋଇଥାଏ । ଗ୍ରାମାଞ୍ଚଳରେ ଯାହା ଯାହା ଘରେ ତୁଳସୀ ଚଉରା ରହିଛି ସେମାନଙ୍କ ଘରେ ହିଁ ବଡ଼ ଓଷା ପାଳନ ହୋଇଥାଏ । ଏଥିରେ ପ୍ରଥମେ ତୁଳସୀ ଚଉରାକୁ ବନ୍ଦାପନା କରି ଦୀପଦାନ କରାଯାଏ ଏଵଂ ତତ୍ପରେ ଗାତ ଖୋଳି ସେଥିରେ ଚୂଲି କରି ଭୋଗ ପ୍ରସ୍ତୁତ କରାଯାଏ ।  

ଏହିପରି ଆହୁରି ଅନେକ ଉତ୍କଳୀୟ ପର୍ଵପର୍ଵାଣୀରେ ତୁଳସୀ ଗଛର ପ୍ରଥମେ ପୂଜାର୍ଚ୍ଚନା ହୋଇଥାଏ । 

ଉତ୍କଳୀୟ ସଂସ୍କୃତି ସାହିତ୍ୟ ଓ ସମାଜରେ ତୁଳସୀ :—

ଉତ୍କଳୀୟ ସମାଜ ସହିତ ତୁଳସୀ ଓତଃପ୍ରୋତଭାବେ ଜଡ଼ିତ । ଶ୍ରୀଜଗନ୍ନାଥ ଆଉ ତୁଳସୀ ମଧ୍ୟ ପରସ୍ପର ସହିତ ଜଡ଼ିତ । ଅଚ୍ୟୁତାନନ୍ଦ ଦାସଙ୍କ କଵିତାର ନିମ୍ନୋକ୍ତ ପଦଟି ପାଠକଲେ ଆମେ ଏକଥା ସ୍ପଷ୍ଟ ଅନୁଭଵ କରିଥାନ୍ତି ...

“ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ ॥”
(ଅଚ୍ୟୁତାନନ୍ଦ)

ଶ୍ରୀଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ପାଇଁ ତୁଳସୀ ଗଛ କେତେ ମହତ୍ତ୍ୱପୂର୍ଣ୍ଣ ତାହା ଆମେ ସାଲବେଗଙ୍କ ଭଜନରୁ ଜଣିଵାକୁ ପାଆନ୍ତି ...

“ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,
 ଜପୁଛନ୍ତି ନାମ ସଂଖ୍ୟା କରି ।୧।”

ପୁଣି ଵନମାଳୀ ଦାସଙ୍କ ଭଜନରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥଙ୍କ ଛଡ଼ା ତୁଳସୀ ମଧ୍ୟ ଭକ୍ତମାନେ ଅତି ଆଦରର ସହିତ ନିଜ ପାଖରେ ରଖୁଥିଲେ

“ନାସା ମୋର ତୃପ୍ତି ନ ଲଭଇ ଆନ
ସୁଵାସ ଦ୍ରଵ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।”

ସାଲବେଗଙ୍କ ଭଜନରୁ ଜଣାଯାଏ ଯେ ଭକ୍ତମାନେ ସେହି ଛଡ଼ା ତୁଳସୀ ଭକ୍ଷଣ ମଧ୍ୟ କରୁଥିଲେ

“ଶ୍ରୀ ପୁରୁଷୋତ୍ତମ ରହଣି କରିଵା
ଖାଇଵା ଛଡା଼ ତୁଳସୀ 
କହେ ସାଲବେଗ ସିଂହଦ୍ୱାରଠାରେ
ହୋଇଥିଵା କ୍ଷେତ୍ରଵାସୀ”

ତୁଳସୀ ଶ୍ରୀଜଗନ୍ନାଥଙ୍କର ଵା ଶ୍ରୀଵିଷ୍ଣୁ ଭଗଵାନଙ୍କର ଅତି ପ୍ରିୟ । ତୁଳସୀ ପତ୍ର ଵିନା ଶ୍ରୀଵିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ଵୈଷ୍ଣବୀ, ଵିଷ୍ଣୁ ବଲ୍ଲଭା ଓ ହରିପ୍ରିୟା ଇତ୍ୟାଦି ରଖାଯାଇଛି ।

ସେଥିପାଇଁ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ , ଶ୍ରୀକୃଷ୍ଣ ଵା ଶ୍ରୀଵିଷ୍ଣୁଙ୍କ ଚରଣରେ ତୁଳସୀ ପତ୍ର ଦାନର ଉଲ୍ଲେଖ ଅଛି । 

ଶ୍ରୀକୃଷ୍ଣ-ଚରଣ-ତୁଳସୀ । 
ପାଦଉଦକରଜେ ମିଶି ॥ 
(ପ୍ରଥମ ସ୍କନ୍ଦ,ଭାଗଵତ)

ଶ୍ରୀକୃଷ୍ଣଚରଣ ତୁଳସୀ । 
ତା'ର ରସନା ତେଣେ ରସି ॥
(ନଵମ ସ୍କନ୍ଦ,ଭାଗଵତ)

ତୋହର ଚରଣ ତୁଳସୀ । 
କବରୀଭାରେ ତାହା ଖୋସି ॥
(ଦଶମ ସ୍କନ୍ଦ,ଭାଗଵତ)

ଓଡ଼ିଶାରେ ସାରଳା ଦେଵୀଙ୍କୁ ଲୋକେ ଵିଦ୍ୟାଦାତ୍ରୀ ଵାଗ୍ଦେଵୀ ବୋଲି ମଧ୍ୟ ଗ୍ରହଣ କରନ୍ତି। ବନଦୁର୍ଗା ମନ୍ତ୍ରରେ ଏହାଙ୍କ ପୂଜାହୁଏ; କିନ୍ତୁ ଏହାଙ୍କ ପୂଜାରେ ତୁଳସୀ ଓ ବେଲେପତ୍ରୀ ଉଭୟ ଲାଗେ। 

ଭାରତରେ ଦେଵଵିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିଵାର ଵା ପ୍ରଦକ୍ଷିଣା କରିଵାର ପରମ୍ପରା ପ୍ରଚଳିତ ଏଵଂ ଏହାକୁ ପରିକ୍ରମ ବୋଲାଯାଏ ।

କନ୍ୟାକୁ ଗୋଟିଏ ତୁଳସୀ ପତ୍ର ସହିତ ଜାମାତାଙ୍କ ହସ୍ତରେ ଅର୍ପଣ କରି ଦେଵାକୁ "ତୁଳସୀ ପତ୍ର ପାତ୍ର କରି ଟେକି ଦେଵା" କୁହାଯାଏ । ତୋଳାକନ୍ୟା ଵିଵାହ ପ୍ରଥାରେ ଏହିପରି କରାଯାଏ । ଅଭାଵଗ୍ରସ୍ତ ପିତା ଵିଵାହଵ୍ୟୟ ଵହନ କରିଵାକୁ ଅକ୍ଷମ ହୋଇ କନ୍ୟାକୁ ଵିଵାହ ପୂର୍ଵେ ବର ହସ୍ତରେ ତୁଳସୀପତ୍ର ସହିତ ସମର୍ପଣ କରେ ଏଵଂ ବର ନିଜ ଗୃହରେ ସେହି କନ୍ୟାର ପାଣିଗ୍ରହଣ କରେ । 

ଵୈଷ୍ଣଵ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କରେ। ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟିଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି । 

ପୂର୍ଵେ ତୁଳସୀ ପତ୍ର ଵା ଗଛ ଦିଆଦେଇ ହୋଇ ଓଡ଼ିଶାରେ ମିତ ବସୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି କଥା ଉଲ୍ଲେଖ କରାଯାଇଛି । ଜ୍ଞାତିତ୍ୱ, ରକ୍ତସଂପର୍କ ଵା ଵିଵାହ ଦ୍ୱାରା ସମ୍ବନ୍ଧଯୁକ୍ତ ହୋଇ ନଥିଵା ବ୍ଯକ୍ତିମାନେ ଧର୍ମକୁ, ଇଷ୍ଟ ଦେଵତା ଅଥଵା ତାଙ୍କର ପ୍ରସାଦକୁ କିମ୍ବା ତୁଳସୀ ଆଦି ପଵିତ୍ର ଵୃକ୍ଷଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି।
ଦୁଇ ଜଣ ଵ୍ୟକ୍ତି ପରସ୍ପର ସଙ୍ଗେ ଧର୍ମବାପ, ଧର୍ମପୁଅ, ଧର୍ମଭାଇ, ଧର୍ମଭଉଣୀ, ଧର୍ମ ମାଆ, ଧର୍ମଝିଅ, ସଙ୍ଗାତ, ମୈତ୍ର, ଓଶକା, ସରପୁଳି, ଅଭଡ଼ା, ଚାନ୍ଦ, ବଉଳ, ଗଙ୍ଗାଜଳ, ତୁଳସୀ, ଗୋଦାବରୀ, ପହିଲି ଭୋଗ, ଏହିପରି ନାନାପ୍ରକାର ଧର୍ମ-ବନ୍ଧୁତା ସ୍ଥାପନ କରନ୍ତି । ଏମାନଙ୍କୁ ପ୍ରୀତିବନ୍ଧୁ ଵା ଧର୍ମବନ୍ଧୁ ବୋଲାଯାଏ।

ସେହିପରି ଆଗକାଳରେ ତୁଳସୀକୁ ଛୁଇଁ ଲୋକେ ଶପଥ କରୁଥିଲେ । କଳିଙ୍ଗ ଦେଶରେ ଲୋକଵିଶ୍ୱାସ ଥିଲା ଯେ ତମ୍ବା, ତୁଳସୀ, ଶାଳଗ୍ରାମ ଵା ହରିବଂଶ ପୋଥି ଛୁଇଁ ନିୟମ ଵା ହଲପ କରି ମିଛ କହିଲେ ହଲପ କରିଵା ଵ୍ୟକ୍ତିର ସର୍ଵନାଶ ଘଟେ। ଏଣୁ ନ୍ଯାୟନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ଵିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନୁଥିଲେ, ଅର୍ଥାତ୍ ଵିପକ୍ଷପକ୍ଷ 'ତମ୍ବାତୁଳସୀ', 'ତମ୍ବାତୁଳସୀ ଶାଳଗ୍ରାମ' ବା 'ତମ୍ବାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିଵ ତାହାଦ୍ୱାରା ହଲପ ଦିଆଇଵା ଲୋକ ବାଧ୍ୟ ହେଵ ବୋଲି ସ୍ୱୀକାର କରୁଥିଲେ । ଆଜିକାଲି ଏସବୁ ପରମ୍ପରା ପ୍ରାୟତଃ ଲୁପ୍ତ ଏଵଂ ଅଦାଲତରେ ତୁଳସୀ ପ୍ରଭୃତି ପ୍ରୋକ୍ତ ପଵିତ୍ର ଦ୍ରଵ୍ୟାଦିର ସ୍ଥାନ ଭାଗଵତ ଗୀତା ନେଇଅଛି । 

ତୁଳସୀକୁ ନେଇ ଭାରତରେ ଅନେକ ଅନ୍ଧଵିଶ୍ଵାସ ମଧ୍ୟ ପ୍ରଚଳିତ ଯଥା — ରଵିଵାର ତୁଳସୀରେ ଜଳଦାନ କରିଵ ନାହିଁ ଲକ୍ଷ୍ମୀ ରାଗିବେ । କେତେକ ପାଶ୍ଚାତ୍ୟ ଵୈଜ୍ଞାନିକ ନିଜ ପାଶ୍ଚାତ୍ୟ ଔଷଧ ଵିକ୍ରି ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ଯେ ତୁଳସୀ ପତ୍ର ଚୋବାଇଲେ ଦାନ୍ତ କ୍ଷତି ହୁଏ ଇତ୍ୟାଦି । କୌଣସି ଦ୍ରଵ୍ୟ ଅତି ପ୍ରୟୋଗ ଭଲ ନୁହେଁ । ସେହିପରି ତୁଳସୀ ପତ୍ର ଅଧିକ ଚୋବାଇଵା କ'ଣ ଆଵଶ୍ୟକ କିନ୍ତୁ ପ୍ରତ୍ୟହ ଗୋଟିଏ ତୁଳସୀ ପତ୍ର ଚୋବାଇଲେ କ୍ଷତି ନାହିଁ । ରଵିଵାର ଦିନ ଜଳଦାନ ନକରିଵାର କୌଣସି ଵୈଜ୍ଞାନିକ କାରଣ ନାହିଁ ତେଣୁ ଏସବୁ ପ୍ରତି ଧ୍ୟାନ ନଦେଇ ତୁଳସୀ ଗଛରେ ଜଳ ଦିଆଯିଵା ଉଚିତ୍ ।

“ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍ ।
ତୁଳସୀସମ୍ବଵଂ ସର୍ଵଂ ପାଵନଂ ମୃତ୍ତିକାଦିକମ୍ ॥”

ଅର୍ଥାତ୍ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପଵିତ୍ର ଅଟେ । ଏଠାରେ ପଵିତ୍ର କହିଲେ ଔଷଧୀୟ ବୋଲି ବୁଝିଵାକୁ ହେଵ ‌। ତୁଳସୀ ପ୍ରଥମେ ଏକ ଔଷଧୀୟ ପାଦପ ବୋଲି ଆମକୁ ହୃଦୟଙ୍ଗମ କରିଵାକୁ ହେଵ । ତୁଳସୀ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ପାଦପ ଏଵଂ ଏହାକୁ ବଞ୍ଚାଇ ରଖିଵାକୁ ହେଲେ ପ୍ରତ୍ୟେକ ସନାତନୀ ତାହାର ଘରେ ଵର୍ଷର ଗୋଟିଏ ଦିନ ନୁହେଁ ଵରଂ ଚଉରା ପ୍ରସ୍ତୁତ କରି ଵର୍ଷକୁ ୩୬୫ ଦିନ ଜଳଦାନ,ଦୀପଦାନ ପୂର୍ଵକ ତୁଳସୀ ପୂଜନ ଦିଵସ ପାଳନ କରିଵା ଆଵଶ୍ୟକ । 

ଜୟ ଜଗନ୍ନାଥ 
ଜୟ କଳିଙ୍ଗ 🙏

Thursday, December 22, 2022

କୋରାପୁଟର କେଚଲା(କେଚେଲା)

କେଚେଲା ନାଆଁ ସହିତ ହୁଏତ ଓଡ଼ିଶାର ଅନେକ ଲୋକେ ପରିଚିତ ନଥିବେ ତେବେ ଏହା କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ଐତିହାସିକ ସ୍ଥାନ । ପ୍ରକୃତରେ ଏହା ଏକ ଜନଜାତୀୟ ଗ୍ରାମର ନାମ । ତେବେ ପୂର୍ଵେ ଏଠାରେ ଏକ ପ୍ରାଚୀନ ଜୈନ ପୀଠ ଥିଲା ତେଣୁ ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। କୋରାପୁଟ ଟାଉନଥାନା ନିକଟରେ ଏକ ନଦୀ ପ୍ରଵାହିତ ହେଉଛି ଏଵଂ ଏହାର ନାମ କେଚଲା ନଦୀ ଅଟେ । 


କେଚେଲା ଵା କେଚଲା ଅଞ୍ଚଳର ପ୍ରଶାସନିକ ଫଳକାଦିରେ ନାମ କେଚଲା ଓ କେଚେଲା ଉଭୟ ଲେଖାଯାଉଅଛି ଫଳତଃ କେଚେଲା ଓ କେଚଲା କେଉଁ ନାମଟି ଠିକ୍ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଵା ଦେଖାଯାଏ ‌ । 


କୋରାପୁଟ ସହରଠାରୁ ଦକ୍ଷିଣ ଦିଗକୁ ୧୨ରୁ ୧୫କି.ମି. ଦୂରରେ କୋଲାବ ନଦୀ କୂଳରେ ଦେଓଡଙ୍ଗର ନାମକ ପାହାଡ଼ର ପାଦ ଦେଶରେ ଏହି କେଚଲା ଵା କେଚେଲା ନାମକ ସ୍ଥାନଟି ଅଵସ୍ଥିତ । ଏହି ସ୍ଥାନଟି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ୩୦ଫୁଟ ଉଚ୍ଚତାର ଏକ ଜୈନ ମନ୍ଦିର ପାଇଁ ପ୍ରସିଦ୍ଧଥିଲା । ତେବେ ଉକ୍ତ ମନ୍ଦିରଟି ଏବେ କୋଲାବ ଜଳ ଭଣ୍ଡାର ସୃଷ୍ଟି ହେଲାପରେ ସେହି ଜଳଭଣ୍ଡାର ଭିତରେ ମଗ୍ନ ହୋଇ ଯାଇଅଛି । ଉଲ୍ଲେଖଯୋଗ୍ୟ ଯେ କୋଲାବ ଜଳଭଣ୍ଡାର ଆଗକୁ ଜଲାପୁଟ ଜଳଭଣ୍ଡାର ଅଵସ୍ଥିତ ଏଵଂ ଜଳଭଣ୍ଡାର ମଧ୍ୟରେ ଓଡ଼ିଶ ଓ ଆନ୍ଧ୍ର ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଛି । 


 କୋରାପୁଟ ଜିଲ୍ଲାର ପ୍ରଶାସନିକ ଜାଲସ୍ଥଳ ଅନୁସାରେ ଏଠାରେ ଥିବା ଏକତାମ୍ର ଫଳକରୁ ଜଣାଯାଏ ଯେ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ତେମ୍ବର ୨୪ ତାରିଖରେ(ଉଇକିପିଡ଼ିଆ ଅନୁସାରେ ୧୬୨୮ ମସିହା) ପଡିଥିଵା ସୂର୍ଯ୍ୟପରାଗ ସମୟରେ ଜୟପୁର ମହାରାଜା ଶ୍ରୀ ରଘୁନାଥ କୃଷ୍ଣଦେଵ ଏହି କେଚଲା/କେଚେଲା ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଏକ ବ୍ରାହ୍ମଣକୁ ଦାନ କରିଥିଲେ । 


କେଚଲା/କେଚେଲା ନିକଟରେ ଅଵସ୍ଥିତ ଉକ୍ତ ପ୍ରାଚୀନ ଜୈନ ମନ୍ଦିରଟି ଜଳମଗ୍ନ ହେଵା ପୂର୍ଵରୁ ସ୍ଥାନୀୟ ବୁଡ଼ି ଅଞ୍ଚଳର ଲୋକମାନେ ସେଠାରେ ସ୍ଥିତ ସମସ୍ତ ପୁରାତନ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରିନେଇ ଆଣି ନିଜେ ନୂଆକରି ଵସଵାସ କରୁଥିଵା କେଚଲା ନାମକ ଗ୍ରାମ ନିକଟରେ ଥିଵା ଏକ ସୁଉଚ୍ଚ ପାହାଡ଼ରେ ସ୍ଥାପନ କରିଛନ୍ତି । ଏସବୁ ମୂର୍ତ୍ତିକୁ ଭୈରଵ ଦେଵତା ନାମରେ ନାମିତ କରି , ପୂଜା ଅର୍ଚ୍ଚନା କରୁଛନ୍ତି । 

ଉକ୍ତ ପ୍ରାଚୀନ ଜୈନ ମନ୍ଦିରରୁ ସଂଗୃହୀତ ଓ ଜାନୀଗୁଡ଼ା ପାହାଡ଼ରେ ସ୍ଥାପିତ ୫ଟି ମୂର୍ତ୍ତି ମଧ୍ୟରୁ ତିନୋଟି ମୂର୍ତ୍ତି ଜୈନ ତୀର୍ଥଙ୍କର ମାନଙ୍କର ଥିଵା ଜଣାପଡ଼ିଛି । ସଂଗୃହିତ ମୂର୍ତ୍ତିମାନଙ୍କ ଭିତରୁ ଋଷଭନାଥ, ଶାନ୍ତିନାଥ, ମହାବୀର, ଅଜିତନାଥ, ଦେଵୀ ଅମ୍ବିକା ଓ ଗୋମେଦଙ୍କର ମୂର୍ତ୍ତି ପ୍ରମୁଖ ଅଟେ ।


 ଅମ୍ବିକା ଦେଵୀଙ୍କର ମୂର୍ତ୍ତିରେ ଆମେ ଦେଖିଵାକୁ ପାଆନ୍ତି ଯେ ଏ ଦେଵୀ ତାଙ୍କ କାଖରେ ଏ ଛୋଟ ପିଲା ଧରିଛନ୍ତି । ଦେଵୀ ଅମ୍ବିକା ଜୈନମାନଙ୍କର ଶାସନ ଦେଵୀ ରୂପେ ପରିଚିତ । ପୁଣି ଯକ୍ଷ ଓ ଯକ୍ଷିଣୀଙ୍କର ଯୁଗ୍ମ ମୂର୍ତ୍ତି ମଧ୍ୟ ଦେଖିଵାକୁ ମିଳେ । ସେହିପରି କେଚଲା/କେଚେଲା ଗ୍ରାମଦେଵୀ ପୀଠରେ ମଧ୍ୟ ୨ଟି ଜୈନମୂର୍ତ୍ତି ରହିଛି । 


ସମୟକ୍ରମେ ଅଷ୍ଟମ ଶତାବ୍ଦୀର ଏଇ ଜୈନ ମୂର୍ତ୍ତିଗୁଡ଼ିକ ଦର୍ଶକମାନଙ୍କର ଦୃଷ୍ଟିକୁ ଆସିଛି ଓ କେଚଲା/କେଚେଲା ଗ୍ରାମଟି ପାଲଟି ଯାଇଛି ଏକ ଦର୍ଶନୀୟ ସ୍ଥାନ ।

ଏତଦଵ୍ୟତୀତ କୋଲାବ୍ ଜଳଭଣ୍ଡାର ମଧ୍ୟରେ କେଚଲା/କେଚେଲା ଗ୍ରାମର ଅନତି ଦୂରରେ କେଚଲା ନାମକ ଏକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ରହିଛି । ଚାରିପଟେ ଜଳଭାଗ ମଝିରେ ଏକ ସୁନ୍ଦର ଟାପୁ , ଅଦୂରରେ ଶ୍ୟାମଳ ପର୍ଵତର ମନମୁଗ୍ଧକାରୀ ଦୃଶ୍ୟ , ଦର୍ଶକମାନଙ୍କୁ ଏଠାକୁ ଟାଣି ଆଣିଥାଏ । ଵର୍ଷର ଵିଭିନ୍ନ ସମୟରେ ଦର୍ଶକମାନେ ଏଠାକୁ ଅଵସର ଵିନୋଦନ ପାଇଁ ଆସିଥାନ୍ତି।


କେଚଲା/କେଚେଲା ଗ୍ରାମ ନିକଟରେ କାନସ ପାବିଲି ନାମକ ଛୋଟ ପାହାଡ଼ିଆ ଜଳ ଭଣ୍ଡାର ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନ ମଞ୍ଚ ନିର୍ମାଣ କରାଯାଇଛି।

କେଚଲା/କେଚେଲାକୁ ଯିଵା ଆସିଵା କରିଵାପାଇଁ କୋରାପୁଟଠାରୁ ଯାନଵାହନର ସୁବିଧା ରହିଛି ତେବେ କୋରାପୁଟ ନଗରଠାରୁ କେଚଲାକୁ ସିଧାସଳଖ ସଡ଼କପଥର ସୁଵିଧା ନାହିଁ । କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ଭାୟା ପଣ୍ଡିଘାଟ ଦେଇ କେଚଲାକୁ ବୋଟ୍ ଵା ଡଙ୍ଗା ଯୋଗେ ଯିଵାକୁ ହୋଇଥାଏ । କାରଣ କୋରାପୁଟ ନଗର ଓ କେଚଲା ମଝିରେ କୋଲାବ୍ ଜଳଭଣ୍ଡାର ଅଵସ୍ଥିତ ‌। କୋରାପୁଟ ନଗର ଆଡ଼ୁ କେଚଲା ଆସିଵାକୁ ହେଲେ ଚମ୍ପାଗୁଡ଼ା ପାଟ କିମ୍ବା ପରଜାପଣ୍ଡିଠାରୁ ମୋଟର ଲଞ୍ଚ ଅଥଵା ପାଣି ଡଙ୍ଗା ମାଧ୍ୟମରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରିଵାକୁ ହୋଇଥାଏ । ସେହିପରି କେଚଲାକୁ ନନ୍ଦପୁର ଦେଇ ଏଠାକୁ ଗଲେ ପ୍ରାୟ ୭୧ କିମି ହେଵ ।


କୋରାପୁଟ ଜିଲ୍ଲା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସୁନ୍ଦର ଜିଲ୍ଲା ତଥାପି ଗମନାଗମନର ଵିକାଶ ତଥା ପର୍ଯ୍ୟଟନ କ୍ଷେତ୍ର ଭାବରେ ଯେତିକି ସୁଵିଧା ସୁଯୋଗ ମିଳିଵା କଥା କେତେକ ଅଵ୍ଯଵସ୍ଥା ପରିଲକ୍ଷିତ ହେଇଥାଏ । ସେହିପରି ଦୂରଦର୍ଶନ ତଥା ସମ୍ବାଦପତ୍ର ଆଦିରେ କୋରାପୁଟ ଵିଷୟରେ ଅଧିକରୁ ଅଧିକ ତଥ୍ୟ ପ୍ରଦତ୍ତ କରାଗଲେ କେଚଲା ଭଳି ପର୍ଯ୍ୟଟନସ୍ଥଳୀ ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ସହଜରେ ପରିଚିତ ହୋଇପାରନ୍ତେ । ସ୍ଥାନୀୟ ବୁଦ୍ଧିଜୀଵୀ,ଓ ସରକାରଙ୍କ ମିଳିତ ପ୍ରଚେଷ୍ଟା ଦ୍ଵାରା ହିଁ କେଚଲା/କେଚେଲା ଭଳି ଓଡ଼ିଶାର ସହସ୍ର ସହସ୍ର ପର୍ଯ୍ୟଟନ ସ୍ଥଳୀ ଲୋକପ୍ରିୟ ହୋଇପାରନ୍ତା । 

(•ତଥ୍ୟ ଉତ୍ସ — ଦେଶିଆ ଜ୍ଞାନକୋଷ ଓ ଅନ୍ତର୍ଜାଲ
ଚିତ୍ର ଉତ୍ସ — ଗୁଗଲ ମାନଚିତ୍ର•)

Thursday, December 8, 2022

ବାଇଢଙ୍କ ଓ ଓଡ଼ିଶା

ଓଡ଼ିଶାର ପୂର୍ଵରେ ଯୋଉ କଣ୍ଡୂ ସୃଷ୍ଟିକାରୀ ଲତିକାକୁ ବାଇଢଙ୍କ କୁହନ୍ତି ଓଡ଼ିଶାର ପଶ୍ଚିମରେ ସେହି ଲତିକାଟିକୁ ବାଇଖୁଜେନ୍ କହିଥାନ୍ତି । 
ଅର୍ଥାତ୍ ଉଭୟ ଗଡ଼ଜାତ ଓ ଉପକୂଳ ଓଡ଼ିଶାର ଲୋକେ ଆପଣା ପୂର୍ଵଜଙ୍କର ମୂଳ #ବାଇ ଶବ୍ଦଟିକୁ ବାଇଢଙ୍କ ଓ ବାଇଖୁଜେନ୍ ଶବ୍ଦ ମଧ୍ୟରେ ରଖିଛନ୍ତି । ବାଇଖୁଜେନ୍ ଓ ବାଇଢଙ୍କ ଶବ୍ଦଦ୍ଵୟ ଆମକୁ ଜଣାଇ ଦିଏ ଯେ ପୂର୍ଵ ଓ ପଶ୍ଚିମର ଲୋକଙ୍କ ମଧ୍ୟରେ ଭାତୃସମ୍ପର୍କ କେତେ ନିଵିଡ଼ ...

ବାଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ 
ଉନ୍ମତ୍ତ,ବାତୁଳ,ବାୟା ଓ ଵିଵେଚନା ଶୂନ୍ୟ ଆଦି ଅର୍ଥ ଘେନି ବାଇଢଙ୍କ ଵା ବାଇଡଙ୍କ ଓ ବାଇଖୁଜେନ୍ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ । ଅର୍ଥାତ୍ ଯୋଉ ଲତିକାର ଢଙ୍କ ଵା ନାହୁଡ଼ ସଦୃଶ ଶୂକ ଲାଗିଲା ମାତ୍ରେ ମନୁଷ୍ୟ ବାତୁଳ ପ୍ରାୟ ହୋଇ ଯାଏ ଏଵଂ ଦେହହାତ ପିଠି ଗୋଡ଼ କୁଣ୍ଡେଇ କୁଣ୍ଡେଇ ଖୁଜେଇ ଖୁଜେଇ ହାଲିଆ ହୋଇଯାଏ ସେହି ଗଛଟି ବାଇଢଙ୍କ /ବାଇଖୁଜେନ୍ । 

ଅଵଶ୍ୟ କିଛି ଲୋକ ବାଇଢଙ୍କ ଵା ବାଇଖୁଜେନରେ ଥିଵା ବାଇ ଶବ୍ଦ ସହିତ ସଂସ୍କୃତ ଵାନରୀ କିମ୍ବା ଅଵ୍ୟଙ୍ଗା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଥିଵା ଅନୁମାନ କରନ୍ତି କିନ୍ତୁ ଭାରତର ଅନ୍ୟ କୌଣସି ଅଞ୍ଚଳରେ ଏ ଉଭୟ ଶବ୍ଦରୁ ବାଇଢଙ୍କ କି ବାଇଖୁଜେନ୍ ଭଳି ଶବ୍ଦ ସୃଷ୍ଟି ନହୋଇଥିଵା ତଥା ଵାନରୀ ଓ ଅଵ୍ୟଙ୍ଗା ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗ ନଥିଵା କି ଲୋକସମାଜରେ ମଧ୍ୟ ଏହାର ପ୍ରଚଳନ ନଥିଵା ଏହି ମତକୁ ପୃଷ୍ଟ କରିପାରେ ନାହିଁ । 

ଅଵଶ୍ୟ ଭାଷାକୋଷରେ କୁହାଯାଇଛି ଯେ ବାଇଢଙ୍କକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଖୁଡ୍ସ ମଧ୍ୟ କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇଡଙ୍କ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇକ ବି କହୁଥିଲେ । ସେହିପରି କେତେକ ଅଞ୍ଚଳରେ ବାଇଢଙ୍କକୁ କେଵଳ ଢଙ୍କ କୁହାଯାଏ । 

ଦୀନକୃଷ୍ଣ ଦାସ ରସକଲ୍ଲୋଳରେ ବାଇଢଙ୍କ ଅର୍ଥରେ କଣ୍ଡୂର ଶବ୍ଦ ପ୍ରୟୋଗ କରିଛନ୍ତି 

“କଇଁ ଅଵିଚାରେ ଆପଣା ଦେହରେ କଣ୍ଡୂର ଆଣି ବୋଳିଲ ଗୋ !”

ଉଭୟ ବାଇଢଙ୍କ ଓ ବିଛୁଆତିକୁ କଣ୍ଡୂରା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । 

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସରେ ମଧ୍ୟ କଣ୍ଡୂରା ଶବ୍ଦକୁ ବିଛୁଆତି ଅର୍ଥରେ ପ୍ରୟୋଗ କରିଛନ୍ତି । 

“ବିଦାରି ହୋଇବା ଗାତ୍ର,
 କରାଇ କଣ୍ଡୁରା ପତ୍ର ରଜପାତ ତଥା ରାବଣିଏ। ”

ସଂସ୍କୃତ ଭାଷାରେ ବାଇଢଙ୍କର 
କପିକଚ୍ଛୁ, ଆତ୍ମଗୁପ୍ତା, ଵୃଷ୍ୟା, ଅଵ୍ୟଙ୍ଗା, ଵାନରୀ, ମର୍କଟୀ, ଅଜରା, କଣ୍ଡୂରା, କୁଣ୍ଡଳୀ, ରୋମବଲ୍ଲୀ, ଜଟା, ଗାତ୍ରଭଙ୍ଗା, ଅବ୍ୟଙ୍ଗା, ଦୁଷ୍ପର୍ଶା, ଶୂକଵତୀ, ଶୋଥା, ଶୂକା, ପ୍ରାଵୃଷାୟଣୀ ,ଲାଙ୍ଗଳୀ, ଶୃକଶିମ୍ବୀ, କେଶୀ, ଜଡ଼ା, କଚ୍ଛୁରା ଓ ସ୍ୱୟଂଗୁପ୍ତା, ସଦ୍ୟଶୋଥା ଓ ଋଷଭ ଆଦି ନାମ ରହିଛି । 

ବାଇଢଙ୍କ ଶିମ୍ବ ଜାତୀୟ ଲତାର ପତ୍ର ପରି ଏହାର ଡେମ୍ଫକେ ତିନୋଟି ଲେଖାଏଁ ପତ୍ର ଥାଏ ଏଵଂ ଏହାର ଛୁଇଁ ବଙ୍କା ହୋଇଥାଏ । ବାଇଢଙ୍କ ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ଵିଷାକ୍ତ କଣ୍ଟା ଥାଏ। ଖରାଦିନେ ପଵନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏଵଂ ଵିଶେଷ ଯନ୍ତ୍ରଣା ହୁଏ। ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ ହୋଇଥାଏ। ଵୈଦ୍ୟକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ଵାତଘ୍ନ। ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ ଅନେକ ପ୍ରକାରର ତେବେ ଧଳା ଜାତୀୟ ଏକ ପ୍ରକାରର ବାଇଢଙ୍କ ଲତିକାର ଛୁଇଁରେ ରୋମ ନ ଥାଏ । 

ବାଇଢଙ୍କ,ବାଇଡଙ୍କ ଵା ବାଇଖୁଜେନ୍ ଲତିକାର ଵୈଜ୍ଞାନିକ ନାମ ହେଉଛି Mucuna pruriens । ଏହା ଫ଼ାବାସୀ(Fabaceae) ଵା ଶିମ୍ବ ପରିଵାର’ର ଲତିକା । ଏହି ଲତିକାଟିର ପ୍ରଜାତିର ନାମ ଵୈଜ୍ଞାନିକ ଭାଷାରେ pruriens ଯାହାର ଅର୍ଥ କଣ୍ଡୁୟନ । ଏହି ଲତା କୁଣ୍ଡେଇ ହେଵା ପାଇଁ ଏତେ ଦୁର୍ନାମ ଅର୍ଜନ କରିଛି, ଯେ ଦୁଷ୍ଟ ପିଲେ ଉଛୁଳିଲେ ତାଙ୍କୁ ଓଡ଼ିଶାରେ ବାଇଢଙ୍କ ଵା ବାଇଡଙ୍କ ତଥା ଦୁଇଜଣ ଦୁଷ୍ଟ ପିଲା ମେଳି ହୋଇ ଦୁଷ୍ଟାମୀ କଲେ ସେମାନଙ୍କୁ ବାଇଢଙ୍କ ବିଛୁଆତି ଉପାଧି ମିଳେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଉ ଏକ ଜାତୀୟ ନିର୍ମୂଳୀ ଜାତୀୟ ହଳଦୀ ଵର୍ଣ୍ଣ ପରଜୀଵୀ ପ୍ରତ୍ରହୀନ ଲତିକାକୁ ମଧ୍ୟ ବାଇଢଙ୍କ କୁହାଯାଏ ବୋଲି ଉଲ୍ଲେଖ ଅଛି । ସେହି ପରଜୀଵୀ ଲତିକାଟି କୌଣସି ପାଦପ ଉପରେ ନିର୍ଭର କରି ବଞ୍ଚି ରହେ ଏଵଂ ଏହାର ଚେର ନଥାଏ । ସେହି ପରଜୀଵୀ ଲତିକାକୁ କେତେକ ଅଞ୍ଚଳରେ ନିର୍ମୂଳୀ ମଧ୍ୟ କହିଥାନ୍ତି ଏଵଂ ତାହାର ଵୈଜ୍ଞାନିକ ନାମ Cuscuta reflexa ଅଟେ । ସମ୍ଭଵତଃ ଏହାର ଚେର ନଥିଵାରୁ ଏଵଂ ଏହାର ଢଙ୍କ ଲକ୍ଷଣାର୍ଥ ବାଇ ଵା ଵାୟୁରେ(ଅର୍ଥାତ୍ କୌଣସି ପାଦପ ଉପରେ ମାଡୁ଼ଥିଵାରୁ) ଏହାକୁ ମଧ୍ୟ ଓଡ଼ିଶାରେ ଆଗେ ବାଇଢଙ୍କ କହୁଥିଲେ । 

ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗର କୌଣସି ତଥ୍ୟ ଏ ଅକିଞ୍ଚନକୁ ମିଳିପାରିନାହିଁ । ତେବେ ଲୋକ ସାହିତ୍ୟରେ ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ଵ୍ୟଵହାର ସେତେଟା ଦୃଶ୍ୟ ହୋଇନଥାଏ । 

ତେବେ ରାଣ୍ଡିପୁଅ ଅନନ୍ତା ଗଳ୍ପରେ ଫକୀରମୋହନ ସେନାପତି ବାଇଡଙ୍କ ଶବ୍ଦ ପ୍ରୟୋଗ କରିଵା ସହିତ କେମିତି ଅନନ୍ତା ଦ୍ଵାରା ଅଵଧାନଙ୍କଠିଁ ବାଇଡଙ୍କ ଲଗାଯିଵା ଯୋଗୁଁ ଅବଧାନେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଵଂ ଖସାତେଲ ମାଖିଵାରୁ ବାଇଢଙ୍କର କଣ୍ଡୂ ଛାଡୁ଼ଛି ସେକଥା ଵର୍ଣ୍ଣନା କରିଛନ୍ତି । 

“ଥଣ୍ଡା ପଡ଼ିଗଲା – ଖସା ତେଲରେ ବାଇଡଙ୍କ ଵିଷ ହରେ ! ଅବଧାନେ ଟିକିଏ ସାଷ୍ଟମ ହେଲେଣି।”

ଆମ ଓଡ଼ିଶାରେ ଦୁଷ୍ଟ ପିଲା ଵା ଵ୍ୟକ୍ତିକୁ ବାଇଡଙ୍କ/ବାଇଢଙ୍କ ଉପାଧିରେ ଭୁଷିତ କରାଯାଏ । ଦୁଇଜଣ ଦୁଷ୍ଟ ପିଲା ଵା ଵ୍ୟକ୍ତି ଘଡି଼ ହେଉଥିଲେ ଵା ସାଙ୍ଗ ହେଲେ ସେମାନଙ୍କୁ “ବାଇଢଙ୍କ ବିଛୁଆତି” କୁହାଯାଏ । 

ଚାରିଜଣ ଦୁଷ୍ଟ ଏକାଠି ହେଇ କୌଣସି ନକାରାତ୍ମକ କାର୍ଯ୍ୟରେ ଲିପ୍ତ ରହୁଥିଲେ ଓଡ଼ିଶାରେ ସେମାନଙ୍କୁ ଉପଲକ୍ଷ କରି କୁହାଯାଏ

“ଉଲୁପି,ସୁଲୁପି,ବାଇଡଙ୍କ, ବିଛୁଆତି।”



ପୁଣି ଓଡ଼ିଶାରେ ବିଛୂଆତିକୁ ବାଇଢଙ୍କର ନାତି ମଧ୍ୟ କୁହାଯାଏ । ଏହାକୁ ନେଇ ଏକ ଲୋକକଥା ଓ ତତ୍ ସମ୍ବନ୍ଧୀୟ ଗୋଟିଏ ଲୋକଵାଣୀ ରହିଛି । 

କଥିତ ଅଛି “ଗୋଟିଏ ଘରେ ତିନି ଭାଇ ଥିଲେ ଏଵଂ ସେମାନେ ଅତ୍ୟନ୍ତ ଦୁଷ୍ଟ ସ୍ୱଭାଵର ଥିଲେ। ତାଙ୍କ ପ୍ରତାପ ଯୋଗୁଁ ଗାଁ ଭିତରେ ସମସ୍ତେ ସେମାନଙ୍କୁ ଭଲ ପାଉ ନଥିଲେ। ଏମାନଙ୍କ ଢଙ୍ଗଢାଙ୍ଗ ଦେଖି ଗ୍ରାମର ଜଣେ ପଣ୍ଡିତ ଵ୍ୟକ୍ତି ଆକ୍ଷେପ କରି କହିଥିଲେ

“ବଡଟି ବଣ ବିଛୁଆତି,
ସାନଟି ବାଇଢଙ୍କ ନାତି । 
ମଝିଆଁ ବଣସାରୁ ପୁଆ,
ପଣ୍ଡିତେ କହିଗଲେ ଏହା ॥”


ଅର୍ଥାତ୍ ଏହି ବିଛୁଆତି ବାଇଡଙ୍କ ଓ ବଣସାରୁକୁ ସ୍ପର୍ଶ କଲେ ଯେମିତି କୁଣ୍ଡେଇ ହେଵା ସାର ସେହିପରି ଏହି ତିନି ଭାଇଙ୍କ ପରି ଦୁଷ୍ଟଙ୍କଠାରୁ ଦୂରେଇ ରହିଵା ଭଲ ବୋଲି ପଣ୍ଡିତେ ପରୋକ୍ଷରେ କହିଥିଲେ । 

କିନ୍ତୁ ଉଦ୍ଭିଦ ଵିଜ୍ଞାନ ଦୃଷ୍ଟିରୁ ଦେଖିଲେ ଏହି ତିନି ଜାତୀୟ ପାଦପର କୌଣସି ନିକଟ ସଗୋତ୍ରୀୟ ସମ୍ପର୍କ ନାହିଁ ଵରଂ ଗୁଣ ଦୃଷ୍ଟିରୁ ବିଛୁଆତିକୁ ବାଇଢଙ୍କର ନାତି ବୋଲି ଲୋକମାନେ କହିଥାନ୍ତି । 

ଆମ ସମାଜରେ ବାଇଢଙ୍କ ଲତିକାକୁ ନେଇ ଅନେକ ପ୍ରଵଚନ ଵା ଶିକ୍ଷଣୀୟ କଥା ମଧ୍ୟ ପ୍ରଚଳିତ । 

ବାଇଢଙ୍କ ଲତା’ର ଶୂକ ଦେହରେ ଲାଗିଲେ କୁଣ୍ଡେଇ ହୁଏ ସତ କିନ୍ତୁ ଏହାର ଵୀଜ ମନୁଷ୍ୟର ହିତକାରୀ । ପ୍ରତ୍ୟେକ ଜୀଵ ଓ ମନୁଷ୍ୟ ଆଵଶ୍ୟକ କେଵଳ ତାଠାରୁ କାମ ବାହାର କରି ଜାଣିଲେ ହେଲା ।

ବାଇଢଙ୍କ ଲତିକାର ସିମ୍ବ ଦେଖିଵାକୁ ରକ୍ତଵର୍ଣ୍ଣ ଓ ଆକର୍ଷକ । ଏହି ରଙ୍ଗ ଆମକୁ ଦୂରେଇ ରହିଵାକୁ ସୂଚନା ଦିଏ କିନ୍ତୁ ଆମେ ତାହାର ସୁନ୍ଦର ରୂପରେ ମୋହିତ ହୋଇ ଛୁଇଁ ଦେଲେ ହାତ କୁଣ୍ଡେଇ ହେଵା ସାର ହୁଏ । ଏଥିରୁ ଶିକ୍ଷା ମିଳେ ଯେ ସବୁ ସୁନ୍ଦର ଦରଵ ଉତ୍ତମ ନୁହେଁ । 

ବାଇଢଙ୍କ ଲତିକାର ଶୂକ ପଵନ ହେଲେ ଉଡି଼ ଉଡ଼ି ବହୁ ଦୂରକୁ ଚାଲିଯାଏ ଏଵଂ ଜୀଵଙ୍କ ଦେହରେ ସେ ଶୂକ ଲାଗିଲେ ଦେହହାତ କୁଣ୍ଡେଇ ହୁଏ । ବାଇଢଙ୍କ ଲତିକା ଭଳି ଦୁଷ୍ଟ ଲୋକଙ୍କର “ଶୂକ ରୂପ ଅନୁଚିତ୍ କଥାମାନ” ଅତି ଶ୍ରୀଘ୍ର ଓ ସହଜରେ ସଂସାରରେ ପ୍ରଚାରିତ ହୋଇଯାଏ ଏଵଂ ଅନେକ ମାନଵଙ୍କର କ୍ଷତି ଘଟାଇ ଥାଏ । 

ଏହିପରି ଓଡ଼ିଶାର ଲୋକସମାଜରେ ବାଇଢଙ୍କର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି ଯାହା ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଅଛି । 

Monday, December 5, 2022

ଭାରତରେ ମୁସଲମାନ(ଏକ)

ମୋହମଦ(ମରଣ—୬୩୨) ମରିଵାର ଚାରିଵର୍ଷ ପରେ ଅର୍ଥାତ୍ ୬୩୬ରେ (ସେତେବେଳକୁ କେରଳରେ ଖ୍ରୀ:ଦ୍ଧ ୬୦୦ ପରେ ପରେ ମୁସଲମାନ ମୂର୍‌ମାନେ ଆସି ସାରିଥିଲେ) କିଛି ମୁସଲମାନ ଫକୀର ଓ ଆରବୀ ବେପାରୀ ଭାରତ ଆସିଲେ । ଏମାନେ ଦକ୍ଷିଣ ଭାରତ ଓ ଗୋଆ ଆଦି ଅଞ୍ଚଳରେ ବେପାର କମ୍ ଧର୍ମପରିଵର୍ତ୍ତନ ଉଦ୍ଦେଶ୍ୟରେ ଭାରତକୁ ଆସିଥିଲେ । ଏହା ପୂର୍ଵରୁ 

ୟୁରୋପୀୟମାନଙ୍କ ପୂର୍ଵରୁ ଆରବୀୟମାନେ ଭାରତକୁ ବେପାର ନାଆଁରେ ଆସିଥିଵା କଥାକୁ ସେତେ ଗୁରୁତ୍ଵ ଦିଆଯାଏ ନାହିଁ କିନ୍ତୁ କଥିତ ଅଛି 
ଇତିହାସ ନିଜକୁ ଦୋହରାଇଥାଏ । 

ସେସମୟରେ ଆରବୀ ମୁସଲମାନମାନେ ଭାରତର ଧନ ଦୌଲତକୁ ଲୋଲୁପ ଦୃଷ୍ଟିରେ ଦେଖି ନାନା ଯୋଜନା କରୁଥିଲେ କେମିତି ଏ ଦେଶକୁ ଅକ୍ତିଆର କରିଵା , କେମିତି ଏମାନଙ୍କର ଧର୍ମାନ୍ତରୀକରଣ କରି ଶୋଷଣ କରିଵା ...! 

ଆରବୀୟ ବେପାରୀ ଓ ଫକୀର ସବୁ ପ୍ରକୃତରେ ଗୁପ୍ତଚର ଭଳି ଥିଲେ । ସେମାନେ ଭାରତକୁ ଆସି ଦେଖିଲେ ଏଠାକାର ଲୋକ ସରଳ,ସାଧୁ,କର୍ମଠ ଓ ଧାର୍ମିକ । ଭାରତୀୟ ଲୋକଙ୍କର ଏତେ ଭଲଗୁଣ ଥାଇ ବି ଏମାନଙ୍କ ମଧ୍ୟରେ ଏକତା ନାହିଁ ଏଵଂ ସନାତନୀ ସଂସ୍କୃତିକୁ ପାଳୁଥିଲେ ବି ଏମାନେ ଜାତି,ରାଇଜ ନାଆଁରେ ଵିଭାଜିତ ଅଛନ୍ତି ।‌ ଆରବୀୟ ଫକୀର ଓ ବେପାରୀଙ୍କ ଦ୍ଵାରା ଭାରତରେ ଏସବୁ ନିରୀକ୍ଷଣ ଭଵିଷ୍ୟତ ମୁସଲମାନ ଆକ୍ରମଣକାରୀଙ୍କ ପାଇଁ ଅନେକ ଲାଭପ୍ରଦ ହେଲା । ଏହାର କେତେକ ଵର୍ଷ ପରେ ୭୧୨ ଖ୍ରୀଷ୍ଟାବ୍ଦରେ ମହମ୍ମଦ କାସିମ୍ 
ସିନ୍ଧୁପ୍ରଦେଶ ଜୟଲାଭ କରି ହଜାର ହଜାର ସନାତନୀମାନଙ୍କୁ ମାରିଵା ସହିତ ଅନେକଙ୍କୁ ଧର୍ମାନ୍ତରୀତ କଲା । ଫଳତଃ କୁହାଯାଇପାରେ ଯେ ସିନ୍ଧୁ ପ୍ରଦେଶରେ ୭୧୨ରୁ ହିଁ ପାକିସ୍ତାନ ନାମକ ଵିଷ ଵୃକ୍ଷର ଵୀଜ ରୋପଣ ହୋଇଯାଇଥିଲା । ଏ ଦେଶରେ ୭୧୨ରେ ମୁସଲମାନମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିଵାକୁ ପାଇଲେ କିନ୍ତୁ ଭାରତୀୟମାନେ ତଥାପି ଏକଜୁଟ ହେଲେ ନାହିଁ । ଆରବ ବେପାରୀଙ୍କର ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ଲୁଣ୍ଠନ ଏଵଂ ସେମାନଙ୍କ ସମ୍ମୁଖରେ ଯୋଉ ଅଞ୍ଚଳ ପଡୁ଼ଥିଲା ସେମାନେ ସେସବୁ ଅଞ୍ଚଳରେ ସନାତନୀ ମନ୍ଦିର ଭାଙ୍ଗିଵା ସହିତ ଲୁଣ୍ଠନ ଓ ଧର୍ମାନ୍ତରୀକରଣ କରୁଥିଲେ । 

ଅଷ୍ଟମ ଶତାବ୍ଦୀରେ ସିନ୍ଧୁ ପ୍ରଦେଶର ପତନ ପରେ ୯୯୧ରେ ପେଶାୱର ମୁସଲମାନମାନଙ୍କ ଦ୍ଵାରା ଅଧିକୃତ ହେଲା । ମହମ୍ମଦ ଗଜନବୀ ୯୯୭ରୁ ୧୦୩୦ ମଧ୍ୟରେ ତଥାକଥିତ ଵୀରଙ୍କର ରାଇଜ ପଞ୍ଜାବକୁ ଜୟକରି ପଞ୍ଜାବୀମାନଙ୍କୁ ପରାଧୀନ କଲେ । 

ପୂର୍ଵରୁ କୁହାଯାଇଛି ଯେ ଆରବୀୟ ବେପାରୀ ଓ ଫକୀରମାନେ ପ୍ରଥମେ ଭାରତକୁ ଭଲ ଭାବରେ ଜାଣିଵା ପାଇଁ ବେପାର ଓ ଧର୍ମପ୍ରଚାର ନାମରେ ଆସି ଭଲ ଭାବେ ବୁଝାବୁଝି କରି ଫେରି ଯାଇଥିଲେ ‌ । ଅଲ୍ ବରୁନୀ(୯୭୩-୧୦୪୮) ସେହିପରି ଜଣେ ଲୋକ ଥିଲେ । ସେ ନିଜ ଭାରତ ଯାତ୍ରା ସମ୍ବନ୍ଧୀୟ ପୁସ୍ତକରେ ଭାରତର ଧନଧାନ୍ୟ ଵିଷୟରେ ଏଭଳି ଲେଖା ଲେଖିଲେ ଯେ ମହମ୍ମଦ ଗଜନବୀ ତଦ୍ଵାରା ପ୍ରଭାଵିତ ହୋଇ ଭାରତ ଆକ୍ରମଣ କରିଵାକୁ ବାରମ୍ବାର ଚେଷ୍ଟା ଚଳାଇଥିଲା । ୧୦୨୨ରୁ ୧୦୨୪ ମଧ୍ୟରେ ଗଜନବୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳତଃ ପଚାଶ ହଜାରରୁ ଏକ ଲକ୍ଷ ସନାତନୀଙ୍କର ପ୍ରାଣ ଯିଵା ସହିତ ତତ୍କାଳୀନ ଆର୍ଥିକ ମୂଲ୍ୟଯୁକ୍ତ ଦୁଇକୋଟି ଟଙ୍କା ଲୁଣ୍ଠିତ ହୋଇଥିଲା । 

୧୧୯୨ରେ ମହମ୍ମଦ ଘୋରୀ ଭାରତ ଉପରେ ଆକ୍ରମଣ କଲା ଏଵଂ ଏକ ଵର୍ଷ ମଧ୍ୟରେ ୧୧୯୩ରେ ଦିଲ୍ଲୀ ମୁସଲମାନମାନଙ୍କ ଆଗରେ ନୋଇଁ ଯାଇଥିଲା । ୧୧୯୩ରେ ଉତ୍ତର ଭାରତୀୟ ଵା ଆଜିର ହିନ୍ଦୀବେଲ୍ଟ'ର ତତ୍କାଳୀନ ଲୋକେ ସେତେବେଳେ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ହୋଇଗଲେ । 

ଏହି ସମୟରେ ଓଡ଼ିଶାର ସମ୍ରାଟ ନରସିଂହ ଦେଵ ପ୍ରଥମ ଓ ଦ୍ବିତୀୟଙ୍କ ଶାସନକାଳରେ ଓଡ଼ିଶା ଉପରେ ଛୋଟ ବଡ଼ କେତେକ ଆକ୍ରମଣ କରି ମୁସଲମାନମାନେ ପଳାୟନପନ୍ଥୀ ସାଜିଥିଲେ । 

କିନ୍ତୁ ଆମ ପଡ଼ୋଶୀ ବିହାରୀ ଓ ବଙ୍ଗାଳୀଙ୍କର ତତ୍କାଳୀନ ପୂର୍ଵଜ ସେତେବେଳେ ମୁସଲମାନମାନଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇ ପାରିନଥିଲେ । 

ମୋହମଦ ବକ୍ତିଆର୍ ଖିଲଜୀ ୧୨୦୩ରୁ ୧୨୦୬ ଯାଏଁ ଅଳ୍ପ ସମୟ ପାଇଁ ବିହାର ତଥା ବଙ୍ଗର କେତେକ ଅଞ୍ଚଳକୁ ଅକ୍ତିଆର କରି ଶାସକ ହୋଇଥିଲା । ଏହି ଆକ୍ରାନ୍ତା ପାଇଁ ବଙ୍ଗାଳୀମାନେ ଇଂରେଜମାନଙ୍କ ଆଗମନ ପର୍ଯ୍ୟନ୍ତ ପ୍ରାୟ ୬୦୦ ଵର୍ଷ କାଳ ମୁସଲମାନ ଶାସକଙ୍କ ଦ୍ଵାରା ପରାଧୀନ ହୋଇ ରହିଥିଲେ । ତେବେ ସାମସୁଦ୍ଦିନୀ ଇଲିଆସ୍ ଶାହ ୧୩୫୨ରୁ ୧୩୫୮ ଯାଏଁ ସମ୍ପୂର୍ଣ୍ଣ ବଙ୍ଗର ପ୍ରଥମ ମୁସଲମାନ ଶାସକ ଭାବେ ଶାସନ କଲା । ଏପଟେ ୧୩୪୭ରୁ ୧୫୨୭ ମଧ୍ୟରେ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ସହିତ କର୍ଣ୍ଣାଟକ , ତେଲେଙ୍ଗାନା ତଥା ପ୍ରାଚୀନ ଓଡ଼ିଶାର ଵସ୍ତର ତଥା ଦକ୍ଷିଣ ଓଡ଼ିଶାର ଅଳ୍ପ ଅଞ୍ଚଳରେ ବାହମାନୀ ଶାସକମାନେ ଶାସନ କରିଥିଲେ । ଏହାପରେ ୧୪୯୦ରୁ ୧୬୮୬ ଯାଏଁ ଡେକାନ୍ ସୁଲାତନୀମାନେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶାସକ ହୋଇଥିଲେ । ମୋଟ ଉପରେ କହିଵାକୁ ଗଲେ ଆଜି ନିଜକୁ ଵୀର ଜାତି ବୋଲି ଛାତିପିଟି ପରିଚୟ ଦେଉଥିଵା ମରାଠୀମାନେ ୧୩୪୭ରୁ ୧୬୭୪ ଯାଏଁ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ଥିଲେ । 

ଏଣେ ଦକ୍ଷିଣ ଭାରତର କେରଳ ଅଞ୍ଚଳରେ 
ଷଷ୍ଠ ଶତାବ୍ଦୀରୁ ମୁସଲମାନ ମୂର୍‌ମାନେ ଧର୍ମପ୍ରଚାର କରିଵାରେ ସଫଳ ହୋଇଥିଲେ ଏଵଂ କଥିତ ହୁଏ ଯେ ଭାରତର ପ୍ରଥମ ମସଜିଦ ମଧ୍ୟ କେରଳରେ ୬୨୯ ଖ୍ରୀଷ୍ଟାବ୍ଦ ସମୟରେ ନିର୍ମିତ ହୋଇଥିଲା ଯାହାର ନାମ ଚେରମଣ ଜୁମା ମସ୍ଜିଦ୍‌ ଅଟେ । ୧୩୧୦ରୁ ୧୩୧୧ ପର୍ଯ୍ୟନ୍ତ ସ୍ଵଳ୍ପ କାଳପାଇଁ ଏଵଂ ୧୩୩୫ରୁ ୧୩୭୮ ଯାଏଁ ତାମିଲନାଡୁ ଅଞ୍ଚଳରେ ମୁସଲମାନ ଶାସକ ଶାସନ କରୁଥିଲେ ଏଵଂ ଵିଜୟ ନଗର ରାଜ୍ୟର ପତନ ପରେ ଏ ଅଞ୍ଚଳରେ ପୁଣି ମୁସଲମାନ ଶାସକ ସକ୍ରିୟ ହେଲେ । 

ସାରା ଭାରତରେ ସବୁ ତଥାକଥିତ ଵୀର ଜାତି ବଙ୍ଗାଳୀ, ରାଜସ୍ଥାନୀ ,ମରାଠୀ,ଦକ୍ଷିଣୀ ,ଫଞ୍ଜାବୀ,ବିହାରୀ ଇତ୍ୟାଦି ଇତ୍ୟାଦିମାନେ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ହେଲାପରେ ବଙ୍ଗ ନବାବ ସୁଲେମାନ ଖାନ କର୍ରାନୀ ଦ୍ଵାରା ୧୫୬୮ରେ ମୁସଲମାନ ଶାସନ ଆରମ୍ଭ ହେଲା କିନ୍ତୁ ଏହାର କେତେକ ଵର୍ଷ ମଧ୍ୟରେ ମରାଠୀମାନେ ଓଡ଼ିଶାକୁ ଅକ୍ତିଆର କରିନେଲେ । ମରାଠୀଙ୍କ ପରେ ଆସିଲେ ଇଂରେଜ ଏଵଂ ଏହି ମୁସଲମାନ,ମରାଠୀ ତଥା ଇଂରେଜମାନଙ୍କ ଵିପକ୍ଷରେ ଭାରତର ଏକମାତ୍ର ଯୋଦ୍ଧା ଜାତି ଓଡି଼ଆ ଜାତି ଦୀର୍ଘ ଏକ ସହସ୍ରାଧିକ କାଳ ଯୁଦ୍ଧ କରି କରି ଧିରେ ଧିରେ ଦରିଦ୍ର ହୋଇ ହୋଇ ଗଲା । ତେବେ ଆଜି ସ୍ଵାଧୀନତାକୁ ୭୫ ଵର୍ଷ ହୋଇଗଲାଣି ତଥାପି କାହିଁକି ଭାରତୀୟ ସୈନ୍ୟ ଵାହିନୀରେ କଳିଙ୍ଗୀମାନଙ୍କୁ ଗର୍ଵିତ କଲା ଭଳି କୌଣସି ରେଜିମେଣ୍ଟ କି ବାଟାଲିୟନ ହୋଇନାହିଁ ? 

କୋଉ ଗୋଟେ ଯୁଗରେ ଇଂରେଜମାନଙ୍କ ଦ୍ଵାରା କିଛି ବାଟାଲିୟନ ଆଈ ରେଜିମେଣ୍ଟ ଗଢ଼ା ହୋଇଥିଲା ଵିଭିନ୍ନ ଅଞ୍ଚଳ ଓ ଜାତି ଆଧାରରେ ତେବେ ସେଥିରେ କଳିଙ୍ଗ ନଥିଲା !!! 

ସେତେବେଳେ ନଥିଲା ବୋଲି ଏବେ ଗଢ଼ଯାଇ ପାରିଵ ନାହିଁ କି ?

Thursday, December 1, 2022

କଟକମା : ହଜିଯାଉଥିଵା ଏକ ସାଂସ୍କୃତିକ ଶବ୍ଦ

କଟକମା ଶବ୍ଦ ଶୁଣିଲେ ଓଡ଼ିଶାର ନଗରାଞ୍ଚଳର ଲୋକେ କ'ଣ ବୁଝିବେ ? 

“କଟକ ଓ ମାଆ”ରୁ #କଟକମା ହୋଇଥିଵ !!!

କିନ୍ତୁ ନାଇଁ ଆଜ୍ଞା ! ପ୍ରକୃତରେ ସେଇଆ ନୁହେଁ । କଟକମା ଏକ ସାଂସ୍କୃତିକ ଶବ୍ଦ ତଥା ଵିଵାହ କର୍ମକାଣ୍ଡ ସହିତ ସମ୍ପର୍କିତ ଶବ୍ଦ ଅଟେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ 
ଆଗେ ଵିଵାହରେ କନ୍ୟାଦାନ ସମୟରେ କନ୍ୟାପିତା ବେଦୀ ଉପରେ ଗୁଡ଼ା ହୋଇଥିଵା ଯେଉଁ ମଶିଣା ଵା ଛଣ ଉପରେ ବସୁଥିଲେ ତାକୁ କଟକମା କୁହାଯାଉଥିଲା । 

ପୁଣି ଭାଷାକୋଷରେ ଏହି ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରୁ ଜଣାଯାଏ ପୂର୍ଵେ ‘କଟକମା‘ ଶବ୍ଦକୁ ନେଇ ଓଡ଼ିଶାରେ ଗୋଟିଏ ଲୋକଵିଶ୍ଵାସ ପ୍ରଚଳିତ ଥିଲା। 


କୁହାଯାଏ ସୀତା ଓ ରାମଙ୍କ ଵିଵାହ ସମୟରେ କଟକମା ନାମକ ଅସୁର ଵରକନ୍ୟାଙ୍କୁ ଖାଇଵା ନିମନ୍ତେ ବେଦୀରେ ପହୁଞ୍ଚିଵାରୁ ଦଶରଥ ତାକୁ ମାରିପକାଇ ତା ଶଵ ଉପରେ ବସି ଵିଵାହ କାର୍ଯ୍ୟ ସମାଧା କରିଥିଲେ।ଗୁଡ଼ାହୋଇଥିଵା ମଶିଣା ଵା ଛଣ ସେହି ଶଵର ଚିହ୍ନ ସ୍ଵରୂପ ଵିଵାହ କାଳରେ ରଖାଯାଉଥିଲା । ଏହି କଟକମା ସାଧାରଣତଃ ପରୁଡ଼ି ମଶିଣା ତେବେ କେତେକ ଜାତିରେ ଆଗେ କନ୍ୟାପିତା ମଶିଣା ପରିଵର୍ତ୍ତେ ଛଣ ଉପରେ ବସୁଥିଵାର ମଧ୍ୟ ଭାଷାକୋଷରେ ଉଲ୍ଲେଖ ଅଛି । 

କଟକମା ଶବ୍ଦ କେତେକ ଅଞ୍ଚଳରେ #କଟକମ୍ପା ତଥା #କଟକମ୍ବା ରୂପେ ପ୍ରଚଳିତ ଥିଲା ବୋଲି ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୨୩୬ତମ ପୃଷ୍ଠାରୁ ଜଣାପଡ଼େ । ତେବେ କଟକମା,କଟକମ୍ପା ଵା କଟକମ୍ବା ଓଡ଼ିଆ ଭାଷାର ଶବ୍ଦ ଏଵଂ ଓଡ଼ିଆ ଭାଷା ଛଡ଼ା ହିନ୍ଦୀ, ବଙ୍ଗାଳୀ,ମରାଠୀ ଓ ନେପାଳୀ ଆଦି ଅନ୍ୟ ସଗୋତ୍ରୀୟ ଭାଷାଗୁଡି଼କରେ ଏହି ଶବ୍ଦ କିମ୍ବା ଏହାର ଆଖପାଖ ଶବ୍ଦ ଥିଵା ଦୃଶ୍ୟ ହୁଏ ନାହିଁ । 

ତେବେ ସଂସ୍କୃତ ଭାଷାରେ ପୂର୍ଵେ ପ୍ରଚଳିତ କଟ ଶବ୍ଦ ସହିତ ଓଡ଼ିଆ ଭାଷାର ଏହି କଟକମା ଶବ୍ଦଟି ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ସଂସ୍କୃତ ଭାଷାରେ କଟ ଶବ୍ଦର ଵିଭିନ୍ନ ଅର୍ଥରେ ପ୍ରୟୋଗ ଥିଲା । ଭାଷାକୋଷରେ କଟ ଶବ୍ଦର ନିମ୍ନୋକ୍ତ ଅର୍ଥ ସବୁ ଲେଖାଅଛି...

୧)ହସ୍ତୀର ଗଣ୍ଡଦେଶ
୨)ପିଚା; ଶ୍ରୋଣୀ; କଟିପ୍ରଦେଶ
୩)କଡ଼; ଏକପ୍ରାନ୍ତ
୪)କ୍ରିୟାକାର; ଚାକର
୫)ନୂତନ ଛାତ୍ର
୬)ତୃଣଵିଶେଷ
୭)ଵୃକ୍ଷଵିଶେଷ
୮)ତୃଣାଦି ନିର୍ମିତ ଆସନ ଵା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ଵା ଛାପା*
୯)ବାଣ; ଶର
୧୦)ତୃଣନିର୍ମିତ ପରଦା ଵା ତାଟି*
୧୧)ତୃଣନିର୍ମିତ ରଜ୍ଜୁ
୧୨)ଶଵ*
୧୩)ଶଵରଥ; କୋକେଇ*
୧୪)ତକ୍ତା; ପଟା*
୧୫)କଣ୍ଟ; ସମୟ; ମିଆଦ
୧୬)ଅତିଶୟ
୧୭)ଶ୍ମଶାନ
୧୮)ଅସୁର ଵିଶେଷ*

କଟ ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକ ମଧ୍ୟରେ 
ଆସନ ଵା ପଟି,ତୃଣ ପରଦା ଵା ତାଟି,ଶଵ ଓ କଟ ନାମକ ଅସୁରର ନାମୋଲ୍ଲେଖରୁ ଜଣାଯାଏ ଯେ ନିଶ୍ଚୟ ସଂସ୍କୃତ ଭାଷାର ଏହି କଟ ଶବ୍ଦ ସହିତ ଓଡ଼ିଆ କଟକମା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଅଛି । 

କଳ୍ପଦ୍ରୁମ ସଂସ୍କୃତ ଅଭିଧାନରୁ ମଧ୍ୟ ଜଣାଯାଏ ଯେ ରାମାୟଣରେ ଏହି କଟ ଅସୁରର ନାମୋଲ୍ଲେଖ ହୋଇଛି । 

  “ଶୁକନାସସ୍ଯ ଵକ୍ରସ୍ଯ କଟସ୍ଯ ଵିକଟସ୍ଯ ଚ । 
  ରକ୍ଷସୋ ଲୋମହର୍ଷସ୍ଯ ଦଂଷ୍ଟ୍ରାଳହ୍ରସ୍ଵକର୍ଣ୍ଣୟୋଃ” ॥
  (ରାମାୟଣ—୫ । ୧୨ । ୧୩)

ତେବେ ବାଲ୍ମିକୀ ରାମାୟଣର ବାଳକାଣ୍ଡ ତ୍ରିସପ୍ତତିତମ ସର୍ଗରେ ଶ୍ରୀରାମଚନ୍ଦ୍ରଙ୍କ ଵିଵାହ ଵିଷୟରେ ସଂକ୍ଷେପରେ ଵର୍ଣ୍ଣନା ଥିଲେ ବି କୌଣସିଠାରେ ମଧ୍ୟ କଟ ରାକ୍ଷସର ଉଲ୍ଲେଖ ନାହିଁ । ସମ୍ଭଵତଃ ପରଵର୍ତ୍ତୀକାଳରେ ଓଡ଼ିଶାରେ ଵିରଚିତ କୌଣସି ଓଡ଼ିଆ ରାମାୟଣ କାଵ୍ୟରେ କଟ ରାକ୍ଷସର କଥାକୁ ଯୋଡ଼ାଯାଇଥିଲା ।

Sunday, November 27, 2022

•ଵିଶ୍ଵ,ଭାରତ ଓ ଓଡ଼ିଶାରେ ବାଲ୍ୟଵିଵାହ ପ୍ରଥା•

ପୃଥିଵୀରେ ପୂର୍ଵେ ପ୍ରାୟତଃ ଅଧିକାଂଶ ଅଞ୍ଚଳରେ ବାଲ୍ୟଵିଵାହ ପ୍ରଥା ପ୍ରଚଳିତ ଥିଵାର ଅନେକ ଐତିହାସିକ ପ୍ରମାଣ ମିଳେ । ଏକ ରିପୋର୍ଟ ଅନୁସାରେ ପ୍ରତିଵର୍ଷ ଵିଶ୍ଵରେ ବାର ମିଲିଅନରୁ ଅଧିକ କନ୍ୟା ୧୮ ଵର୍ଷରୁ ଅଳ୍ପ ଵୟସରେ ଵିଵାହ କରୁଛନ୍ତି ଵା ସେମାନଙ୍କର ଯୋର୍ କରି ଵିଵାହ କରାଇ ଦିଆଯାଉଛି । ପୃଥିଵୀରେ ୨୧% ମହିଳା ୧୮ ଵର୍ଷରୁ କମ୍ ଵୟସରେ ଵିଵାହ କରନ୍ତି ଵା ସେମାନଙ୍କୁ ଵାଧ୍ୟ କରାଯାଏ ! ୬୫୦ ମଲିଅନ୍‌ରୁ ଅଧିକ ଜୀଵିତ ଥିଵା ମହିଳା ଓ କନ୍ୟା ଅଠର ଵର୍ଷରୁ କମ୍ ଵୟସରେ ଵିଵାହ କରିଛନ୍ତି । 

ଵର୍ତ୍ତମାନ ସମୟରେ ସର୍ଵାଧିକ ବାଲ୍ୟ ଵିଵାହ ନାଇଜର,ଚାଡ୍,ମାଲି, ବଙ୍ଗଳାଦେଶ,ଗୁଏନା , ମଧ୍ୟ ଆଫ୍ରିକା ଗଣତନ୍ତ୍ର,ଏଥିଓପିଆ,ମୋଜାମ୍ବିକ ତଥା ନେପାଳରେ ଦେଖିଵାକୁ ମିଳେ । ଏହି ସବୁ ଦେଶମାନଙ୍କ ମଧ୍ୟରେ ସର୍ଵାଧିକ ବାଲ୍ୟଵିଵାହ ନାଇଜର ଦେଶରେ ହୋଇଥାଏ । ଆଫ୍ରିକାର ସାହାରା ମରୁଭୂମି ଅଞ୍ଚଳରେ 37% କନ୍ୟା ବାଲ୍ୟଵିଵାହ କରିଥାନ୍ତି । ନାଇଜର,ମଧ୍ୟ ଆଫ୍ରିକା ଗଣତନ୍ତ୍ର, ଓ ଚାଡ୍ ଭଳି ଦେଶରେ ୦% କନ୍ୟା ୧୮ ଵର୍ଷ ପର୍ଯ୍ୟନ୍ତ ଅଵିଵାହିତ ରୁହନ୍ତି । 

ବଙ୍ଗଳାଦେଶ,ପାକିସ୍ଥାନ ଓ ଆଫଗାନିସ୍ତାନ ଭଳି ମୁସଲମାନମାନଙ୍କ ଦେଶରେ ଛୋଟ ଛୋଟ ଝିଅମାନଙ୍କୁ ଅଳ୍ପ ଵୟସରେ ଵିଵାହ କରିଵାକୁ ଵାଧ୍ୟ କରାଯାଉଛି । ଆଫଗାନିସ୍ତାନରେ ତ କନ୍ୟା ଓ ମହିଳାମାନଙ୍କର ଅଵସ୍ଥା ସର୍ଵାଧିକ ଶୋଚନୀୟ । ପାକିସ୍ଥାନରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କର ଅଳ୍ପ ଵୟସ୍କା କନ୍ୟାମାନଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ ତଥା ଯୋର ଯଵରଦସ୍ତି ମୁସଲମାନ ଯୁଵକ ତଥା ପ୍ରୌଢ଼ମାନଙ୍କ ସହିତ ଵିଵାହ କରାଯିଵାର ସମ୍ଵାଦ ମଧ୍ୟ ଦୁର୍ଲଭ ନୁହେଁ । 

ଭାରତରେ ବି ରାଜସ୍ଥାନ ଠାରୁ ଉତ୍ତର ପ୍ରଦେଶ ଯାଏଁ ଆଉ ମହାରାଷ୍ଟ୍ର ଠାରୁ କେରଳ ପର୍ଯ୍ୟନ୍ତ ଆଜି ବି ଅନେକ ସ୍ଥାନରେ ଲୁଚାଛପା ହେଉ ଵା ପ୍ରକାଶ୍ଯରେ ହେଉ ଅନେକ ବାଲ୍ୟ ଵିଵାହ କରାଯାଉଛି । ଭାରତର କେତେ ଜନଜାତିରେ ଆଜି ବି ବାଲ୍ୟ ଵିଵାହ ପ୍ରଥା ପ୍ରଚଳିତ ସେହିପରି ତଥାକଥିତ ଶିକ୍ଷିତ ରାଜ୍ୟ କେରଳରେ ଏବେ ବି ବାଲ୍ୟ ଵିଵାହ ପ୍ରଥା ରହିଛି । ଆଜି ବି ଭାରତରେ ୪୯% କନ୍ୟାମାନଙ୍କୁ ୧୮ ଵର୍ଷ ପୂର୍ଵରୁ ଵିଵାହ କରେଇ ଦିଆଯାଏ । ମିଳିତ ଜାତିସଂଘର ଆନ୍ତର୍ଜାତୀୟ ବାଳ ଆପାତ ନିଧି(ୟୁନିସେଫ୍)ର ଏକ ରିପୋର୍ଟ ଅନୁସାରେ ଭାରତରେ ସର୍ଵାଧିକ ବାଳଵିଵାହର ଘଟଣା ବିହାର ରାଜ୍ୟରେ(୬୮%) ଓ ସର୍ଵନିମ୍ନ ବାଳଵିଵାହ ଘଟଣା ହିମାଚଳ ପ୍ରଦେଶରେ(୯%) ହୋଇଥାଏ । ତେବେ ଗତ ଦଶନ୍ଧିରେ 25 ମିଲିଅନ୍ ବାଲ୍ୟଵିଵାହ କମିଛି ଏଵଂ ଵିଶେଷକରି ଦକ୍ଷିଣ ଏସିଆରେ ବାଲ୍ୟଵିଵାହ ସବୁଠାରୁ କମ୍ ହୋଇଛି ଏଵଂ ଏହାର ସ୍ତର ୪୯%ରୁ ୩୦%କୁ କମି ଯାଇଛି ‌ । 

ଯେତେବେଳେ ଭାରତଵର୍ଷରେ ଵାହ୍ୟ ଶତ୍ରୁ ଆକ୍ରମଣ କମ୍ ଥିଲା ସେତେବେଳେ ବାଳଵିଵାହ ପ୍ରଥା ପ୍ରଚଳିତ ନଥିଲା । ଋକଵେଦରେ ବାଳଵିଵାହ ପ୍ରଥା ଵିଷୟରେ କୌଣସି ଉଲ୍ଲେଖ ନଥିଵାରୁ କେହି କେହି ଅନୁମାନ କରନ୍ତି ଯେ ଵୈଦିକ ଯୁଗରେ ବାଳଵିଵାହ ପ୍ରଥା ନଥିଲା ଵରଂ ଯୁଵତୀ ଵିଵାହକୁ ଅଗ୍ରାଧିକାର ଦିଆଯାଉଥିଲା । 




ଧିରେ ଧିରେ ଭାରତ ଧନୀକମାଳଙ୍କର ଦେଶ ହେଵାକୁ ଲାଗିଲା ଏଠାକାର ଧନଧାନ୍ୟ ଦ୍ଵାରା ଆକର୍ଷିତ ହୋଇ ଯଵନମାନେ ଭାରତ ଉପରେ ଘନ ଘନ ଆକ୍ରମଣ କଲେ । ମଧ୍ୟଯୁଗରେ ଯେତେବେଳେ ଭାରତକୁ ମୁସଲମାନ ଆସିଲେ ସେମାନେ ସ୍ଵଭାଵତଃ କ୍ରୁର ହୋଇଥିଵାରୁ ତଥା ନାରୀ ଵିଶେଷତଃ ଅଵିଵାହିତ ମହିଳାମାନଙ୍କର ବଳାତ୍କାର ଓ ଅପହରଣ କରି ନେଉଥିଵାରୁ ଭାରତୀୟ ସମାଜରେ ବାଲ୍ୟ ଵିଵାହ ତଥା ପରଦା ପ୍ରଥା ପ୍ରଚଳିତ ହେଲା । ନିଜ ଘରର ଝିଅ ଵୋହୂଙ୍କୁ ରାକ୍ଷସ ସ୍ଵଭାଵର ମୁସଲମାନମାନଙ୍କଠାରୁ ରକ୍ଷା କରିଵା ପାଇଁ ଭାରତୀୟ ସନାତନୀମାନେ ବାଲ୍ଯ ଵିଵାହ ପ୍ରଥା ପ୍ରଚଳନ ତ କରିଦେଲେ କିନ୍ତୁ ଏଥିଯୋଗୁଁ ସମାଜରେ ଅଜ୍ଞାନୀ ଓ ରୁଗ୍ଣ ସନ୍ତାନମାନେ ଅଧିକ ସଂଖ୍ୟାରେ ଜନ୍ମ ଲଭିଲେ । କାରଣ ଅଳ୍ପ ଵୟସରେ ଵିଵାହ କରୁଥିଵାରୁ କନ୍ୟାମାନେ ଉଚିତ୍ ଶିକ୍ଷା ପାଇପାରିଲେ ନାହିଁ ଫଳରେ ତାଙ୍କର ସନ୍ତାନମାନେ ମଧ୍ୟ ବାଳୁତ କାଳରେ ମାଆଠାରୁ ଵିଶେଷ କିଛି ଜାଣିଵାକୁ ପାଇଲେ ନାହିଁ । ପୁଣି ସମ୍ପୂର୍ଣ୍ଣ ଭାବେ ଶିଶୁ ଜନ୍ମ କରିଵାକୁ ଯୋଗ୍ୟ ନହୋଇ ଥିଵା ସମୟରେ କନ୍ୟାମାନେ ଶିଶୁ ଜନ୍ମ ଦେଉଥିଵା ହେତୁ ତତ୍କାଳୀନ ନାରୀ ତଥା ଶିଶୁମାନେ ରୁଗ୍ଣ ହେଵାକୁ ଲାଗିଲେ । ଏଥିଯୋଗୁଁ ଭାରତରେ ଶକ୍ତିଶାଳୀ ବଳଵାନ ସନାତନୀମାନଙ୍କ ସଂଖ୍ୟା ହ୍ରାସ ପାଇଲା ଯାହାର ଲାଭ ଆକ୍ରାନ୍ତା ମୁସଲମାନମାନଙ୍କୁ ମିଳିଲା । ମାଂସ ଭକ୍ଷକ ଅସୁରମାନେ ଭାରତଵର୍ଷର ଅଧିକାଂଶ ଅଞ୍ଚଳରେ ନିଜର ପ୍ରଭାଵ ଵିସ୍ତାର କରିଵା ଆରମ୍ଭ କରିଦେଲେ । ପଞ୍ଜାବ, ରାଜସ୍ଥାନ , ଉତ୍ତର ପ୍ରଦେଶ , ଦକ୍ଷିଣ ଭାରତ ଓ ବଙ୍ଗ ଦେଶର ଲୋକେ ସର୍ଵପ୍ରଥମେ ମୁସଲମାନମାନଙ୍କ ଦ୍ଵାରା ଶାସିତ ହେଲେ । କିନ୍ତୁ ଓଡ଼ିଶା ଅକ୍ତିଆର କରିଵାକୁ ମୁସଲମାନମାନଙ୍କୁ ପାଞ୍ଚଶହ ଵର୍ଷ ଲାଗିଗଲା କାରଣ ଓଡ଼ିଶାରେ ପନ୍ଦରଶହ ଶତାବ୍ଦୀ ପରେ ସମାଜ ମୌଳିଵାଦୀ ହେଵାକୁ ଲାଗିଲା । ଏହି ସମୟଠାରୁ କ୍ରମଶଃ ଓଡ଼ିଶାରେ ଜାତିପ୍ରଥା,ସତୀଦାହପ୍ରଥା,ବାଲ୍ୟଵିଵାହ ଓ ପରଦାପ୍ରଥା ଭଳି ଉତ୍ତର ଭାରତୀୟ ପରମ୍ପରା ପ୍ରଚଳନ ହେଵାକୁ ଲାଗିଲା କାରଣ ପନ୍ଦରଶହ ଶତାବ୍ଦୀ ବେଳକୁ ଧିରେ ଧିରେ ଓଡ଼ିଶାରେ ମୁସଲମାନ ଆକ୍ରମଣ ବଢି଼ଵାକୁ ଲାଗିଥିଲା, ଓଡ଼ିଆ ଝିଅ ଵୋହୂଙ୍କର ଅପହରଣ ବୃଦ୍ଧି ପାଇଵାକୁ ଲାଗିଥିଲା । 

ସେ ଯାହା ହେଉ ସମାଜରେ କନ୍ୟାମାନେ ବାଲ୍ୟ ଵିଵାହ ଯୋଗୁଁ ଅଶିକ୍ଷିତ ହେଵାକୁ ଲାଗିଲେ ଏଵଂ ସେମାନେ ସଂସ୍କୃତ ଓ ପ୍ରାକୃତ ଭାଷାରେ ଜ୍ଞାନ ଲାଭ କରିପାରିଲେ ନାହିଁ । ଫଳତଃ ସମାଜରେ
ସଂସ୍କୃତ ଭାଷାରେ ଉପଲବ୍ଧ ଶିକ୍ଷାର ସ୍ତର ହ୍ରାସ ପାଇଵାକୁ ଲାଗିଲା ଏଵଂ ଅଠରଶହ ଶତାବ୍ଦୀ ବେଳକୁ ସଂସ୍କୃତ କେଵଳ ପଣ୍ଡିତଙ୍କ ଭାଷା ହୋଇ ରହିଯାଇଥିଲା । 

ସମାଜର ସାଧାରଣ ଵର୍ଗଙ୍କ ମଧ୍ୟରେ ସଂସ୍କୃତ ଓ ପ୍ରାକୃତ ଉଭୟ ଭାଷା ମହତ୍ତ୍ଵ ହରାଇଵାରୁ ପ୍ରାକୃତ ଭାଷା ମୂଳର ଉଡ୍ରଭାଷା,କନୌଜୀ,ଅଵଧୀ,ମଗହୀ,ମୈଥିଳୀ,ସୌରାଷ୍ଟ୍ରୀ,ମହାରାଷ୍ଟ୍ରୀ ଭଳି ଵିଭିନ୍ନ କଥିତ ଶୈଳୀକୁ ସମାଜରେ ପ୍ରତିଷ୍ଠିତ ହେଵାକୁ ସୁଵର୍ଣ୍ଣ ସୁଯୋଗ ମିଳିଗଲା । ଭାରତରେ ତତ୍କାଳୀନ ଵିଭିନ୍ନ ଆଞ୍ଚଳିକ ଭାଷାରେ ସାହିତ୍ୟ ରଚନା ଆରମ୍ଭ ହୋଇଥିଲା ଫଳତଃ ସଂସ୍କୃତ ଓ ପ୍ରାକୃତ ଜାଣିନଥିଵା ମାଆମାନେ ସେସବୁ କାଵ୍ୟ କଵିତାମାନ ଶୁଣି ମନେ ରଖି ଆପଣା ଛୁଆଙ୍କୁ ଶୁଣାଉଥିଲେ । ସେହିପରି ସମାଜରେ ସଂସ୍କୃତ ଭାଷାର ଜ୍ଞାନ ନଥିଵା ଏହି ମାଆମାନେ ହିଁ ଆଞ୍ଚଳିକଭାଷାରେ ପ୍ରଥମେ ସାହିତ୍ୟ ରୂପ ଲୋକଗୀତ,ଲୋକକଥା ଓ ଢଗଢମାଳି ଆଦିର ସୃଷ୍ଟି କରି ଆପଣାର ସନ୍ତାନ ସନ୍ତତିମାନଙ୍କୁ ଶୁଣାଉଥିଲେ ଯାହା ପରେ ଭାରତରେ ଭାଷା ଵିପ୍ଳଵର ସୂତ୍ରପାତ କରିଥିଲା । ସମାଜରେ ମାଆମାନେ ବହୁ ସଂଖ୍ୟାରେ ଅଶିକ୍ଷିତ ହୋଇଯିଵାରୁ ଵା ସଂସ୍କୃତ ଓ ପ୍ରାକୃତ ଭାଷାରେ ଜ୍ଞାନ ଶୂନ୍ୟ ହୋଇଯିଵାରୁ ସ୍ଥାନୀୟ ଭାଷାଗୁଡି଼କୁ ପ୍ରାଧାନ୍ୟ ଦେଲେ ଫଳତଃ ଏକ ପକ୍ଷରେ ସମାଜରୁ ସଂସ୍କୃତ ଭାଷାର ଏକାଧିପତ୍ୟ ଲୋପ ପାଇଲା ଏଵଂ ଓଡ଼ିଆ, ତାମିଲ,ମରାଠୀ,ଅଵଧୀ,ମଗହୀ ଓ ମୈଥିଳୀ ଭଳି ଭାଷାରେ ସାହିତ୍ୟ ସର୍ଜନା ହେଵାକୁ ଲାଗିଲା । କେହି କେହି ଗଵେଷକ ଏଥିପାଇଁ କୁହନ୍ତି ଯେ ପରୋକ୍ଷ ଭାବରେ ବାଲ୍ୟଵିଵାହ ପ୍ରଥା ସଂସ୍କୃତ ଭାଷାର କ୍ଷମତା ହ୍ରାସର କାରଣ ହୋଇଥିଲା । 

ଆଉ କିଛି ଗଵେଷକ କୁହନ୍ତି ବାଲ୍ୟ ଵିଵାହ ପ୍ରଥାର ଅନ୍ୟ ଏକ ଦିଗ ମଧ୍ୟ ରହିଛି । ଏହି ଦିଗଟି ହେଉଛି ଭାରତୀୟ ସମାଜର ଅଧୋଃପତନ । ଆମ ସମାଜରେ ଆଗେ ମହିଳାମାନଙ୍କୁ ସମାନ ଅଧିକାର ପ୍ରାପ୍ତ ଥିଲା କିନ୍ତୁ ପରେ ଭାରତୀୟ ସମାଜ ପୁରୁଷଵାଦୀ ହେଵାକୁ ଲାଗିଲା । ଲୋକେ କନ୍ୟାମାନଙ୍କୁ ଭାର ଵିଚାର କରିଵାକୁ ଲାଗିଲେ ଫଳତଃ ସେମାନଙ୍କର ଯଥାଶୀଘ୍ର ଵିଵାହ କରାଇଦେଲେ ଜଞ୍ଜାଳ ତୁଟିଵ ବୋଲି ଭାବିଵାକୁ ଲାଗିଲେ । ପରେ ସମାଜରେ ଅନ୍ଧଵିଶ୍ଵାସ ଓ ଋଢ଼ିଵାଦ ଯୋଗୁଁ ଏହା ଆହୁରି ଉତ୍କଟ ରୂପ ଧାରଣ କଲା ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଗେ ପ୍ରଚଳିତ ଥିଵା ବାଲ୍ୟଵିଵାହ ପ୍ରଥା ସମ୍ବନ୍ଧରେ କେତେକ ତଥ୍ୟ ପଢି଼ଵାକୁ ମିଳିଥାଏ । ଏଥିରୁ ଜଣାଯାଏ ଯେ ଓଡ଼ିଶାର କେତେକ ଜାତିରେ ଓ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଗେ ବାଲ୍ୟଵିଵାହ ପ୍ରଥା ପ୍ରଚଳିତ ଥିଲା । ସେତେବେଳେ ବାଲ୍ୟଵିଵାହିତା କନ୍ୟା ରଜୋଵତୀ ନହେଲା ଯାଏଁ ପିତୃଗୃହରେ ଵାସ କରୁଥିଲେ । 

ଯେଉଁ ବାଳିକା ରଜସ୍ୱଳା ହେଵା ପୂର୍ଵରୁ ଵିଵାହିତା ହେଉଥିଲା ତାକୁ ସେକାଳରେ ବାଳୁତ କନ୍ୟା ଵା ବାଳୁତ କନିଆଁ କୁହାଯାଉଥିଲା । 

ପୂର୍ଵେ ବ୍ରାହ୍ମଣ, ବଣିଆ ଆଦି ଯେଉଁ ସମାଜରେ ବାଳିକା ଵିଵାହ ପ୍ରଥା ଚଳୁଥିଲା ସେ ସମାଜର କୌଣସି କନ୍ୟା ଅଵିଵାହିତା ଥାଇ ରଜସ୍ୱଳା ହେଲେ ତାକୁ ସମାଜଚ୍ୟୂତ କରି ଗ୍ରାମମୁଣ୍ଡର କିଛି ଦୂରରେ ଯେଉଁ ନିର୍ଜନ ପ୍ରାନ୍ତରକୁ ନିର୍ଵାସିତ କରାଯାଉଥିଲା ତାକୁ "ଅଭିଆଡ଼ୀପଦା" କୁହାଯାଉଥିଲା । ପରେ ସେହି ଅଵିଵାହିତ ରଜସ୍ୱଳା କନ୍ୟାର ଵିଵାହ ହେଵା ପରେ ଯାଇ ସେ ସେହି ଅଭିଆଡ଼ୀପଦାରୁ ମୁକୁଳି ସ୍ଵାମୀଘରକୁ ଯାଉଥିଲା । 

ପିତୃ ଗୃହରେ ପ୍ରଥମ ରଜୋଦର୍ଶନ ହେଲେ ଯେଉଁ ହଳଦୀବୋଳା ତାଳ ପତ୍ରରେ ଏ ସମ୍ବାଦ ସ୍ୱାମୀଙ୍କ ଗୃହକୁ ପ୍ରେରିତ ହେଉଥିଲା ତାକୁ ହଳହିଆ ପତ୍ର 
କୁହାଯାଉଥିଲା । 

ବାଲ୍ୟଵିଵାହିତା କନ୍ୟା ରଜୋଵତୀ ହେଵା ପରେ ପରେ ଶୁଭ ଦିନ ଧରାଯାଇ ହୋମାଦି ମଙ୍ଗଳ ଅନୁଷ୍ଠାନ ପରେ ସ୍ୱାମୀସ୍ତ୍ରୀଙ୍କର ମିଳନ ହେଉଥିଲା ଯାହାକୁ ଆଶୀର୍ଵାଦଘର କୁହାଯାଉଥିଲା । 

ବାଲ୍ୟଵିଵାହିତା କନ୍ଯା ରଜସ୍ୱଳା ହେଵା ପରେ ପ୍ରଥମେ ଶ୍ୱଶୁରାଳୟକୁ ଯିଵାକୁ ଆଗେ ପହିଲିପାଳି ଯିଵା,ଭାର ଘେନି ଯିବା,ଖଟି ଯିଵା,ପୁଆଣି,ଡୋଲିରେ ବସିଵା ଆଦି କୁହାଯାଉଥିଲା । 

କେତେକ ଅଞ୍ଚଳରେ ବାଲ୍ୟ ଵିଵାହିତା କନ୍ୟା ରଜସ୍ୱଳା ହେଵା ପରେ ପ୍ରଥମେ ଶ୍ୱଶୁରାଳୟକୁ ସମ୍ଭାର ସହିତ ଯାତ୍ରା କରୁଥିଲା ତାକୁ ସାଧାରଣ ଭାଷାରେ "ପଇଲି ପାଳି ଵା ପହିଲିପାଳି" ଯାତ୍ରା ତଥା ନଵଵଧୂ ଯାତ୍ରା କୁହାଯାଉଥିଲା । 

ବାଲ୍ୟ ଵିଵାହରେ ଓଡ଼ିଶାରେ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମ ଥିଲା ଯଥା— କନିଆଁ ବାହା, କନିଆଁ ବିହା,ବାଳୁତ ବିଭା ,ବାଳୁତ ଵିଵାହ ଓ ବାଳ ବିଭା ଇତ୍ୟାଦି । 

ପରାଧୀନ ଭାରତରେ ୧୯୨୯ରେ 
ବାଲ୍ଯ ଵିଵାହ ନିରୋଧକ ଆଇନ ପ୍ରଣୟନ ହୋଇଥିଲା । ଏହି ଆଇନ୍ ହରବିଳାସ ଶାରଦାଙ୍କ ଦ୍ଵାରା ଅଣାଯାଇଥିଵାରୁ ଏହାକୁ ଶାରଦା ଆଇନ୍ କୁହାଯାଏ । ଏ ଆଇନ ଅନୁସାରେ ସେବେଠାରୁ ଅଠର ଵର୍ଷରୁ ଅଳ୍ପ ଵୟସ୍କ ବାଳକ ତଥା ଚଉଦରୁ ଅଳ୍ପ ଵୟସ୍କା ବାଳିକାମାନଙ୍କର ଵିଵାହ ଆଇନ୍ ଦ୍ଵାରା ନିଷିଦ୍ଧ କରାଯାଇଥିଲା । 

ଆଇନ୍ ଥାଇ ମଧ୍ୟ ଆଜି ବି ଭାରତରେ ବାଲ୍ୟଵିଵାହ ହେଉଛି ଏଵଂ ଵିଶେଷତଃ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,କର୍ଣ୍ଣାଟକ, ଛତିଶଗଡ଼ ଓ ମହାରାଷ୍ଟ୍ର ଅଞ୍ଚଳରେ ହେଉଛି ‌। 

ବାଲ୍ୟଵିଵାହ ସମାଜକୁ ରୁଗ୍ଣ କରିଦିଏ ,ଶକ୍ତିହୀନ ତଥା ଅଶିକ୍ଷିତ କରିଦିଏ । ବାଲ୍ୟଵିଵାହ ପ୍ରଥା ଯୋଗୁଁ ଅତୀତରେ ସଂସ୍କୃତ ଭଳି ସମୃଦ୍ଧ ଭାଷା ମଧ୍ୟ ଅଳ୍ପ କେତେକ ଦଶନ୍ଧି ମଧ୍ୟରେ ଧରାଶାୟୀ ହୋଇଯାଇଛି । ବାଲ୍ୟଵିଵାହ ପ୍ରଥା ଯୋଗୁଁ ଭାରତୀୟମାନେ କ୍ରମଶଃ ଶକ୍ତିହୀନ ହୋଇଯାଇଥିଲେ ଫଳତଃ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ଦ୍ଵାରା ଅନେକ ଶତ ଵର୍ଷ ଧରି ପରାଧୀନ ହୋଇ ରହିଥିଲେ । ଏହା ହିଁ ବାଲ୍ୟଵିଵାହ ପ୍ରଥାର ସବୁଠାରୁ ଭୟଙ୍କର ରୂପ । 





Saturday, November 26, 2022

ଲଙ୍କାମରିଚର ଇତିହାସ


ପୋଡ଼ା କି ସିଜା ପରିଵା'କୁ ଚକଟି ଲୁଣ ଓ ଲଙ୍କାମରିଚ ଦେଇ ଓଡ଼ିଆମାନେ ପଖାଳ ଭାତ ଖାଆନ୍ତି । ପଖାଳ ଭାତ ଖାଇଲାବେଳେ ଲଙ୍କାମରିଚଟିଏ ଅଧିକାଂଶଙ୍କୁ ଲୋଡ଼ା ହୋଇଥାଏ ।‌ ପଖାଳଖିଆ ଓଡ଼ିଆ ଜାତି ପାଇଁ ଲଙ୍କାମରିଚ ଗୋଟିଏ ଅତି ଆଵଶ୍ୟକ ଖାଦ୍ୟ ଦରଵ ହୋଇଯାଇଛି । 

କଵିଵର ରାଧାନାଥ ରାୟ ତାଙ୍କର ଏକ କୃଷି ସମ୍ବନ୍ଧୀୟ କଵିତାରେ ଲଙ୍କାମରିଚ ଵିଷୟରେ ଲେଖିଥିଲେ

"ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ
କଟୁ ହୋଇ ରସନା ରଞ୍ଜକରେ ପଟୁ
ଶାଳୀ ଗାଳି ପରାଏ ,ଆଦର ତାହାର
ଘରେ ଘରେ ଵ୍ୟଞ୍ଜନେ ଅଞ୍ଜନେ 
,ସର୍ଵଦା ଵ୍ୟଵହାର ।"

ସେହିପରି ହାସ୍ୟ କଲ୍ଲୋଳରେ କଵିସୂର୍ଯ୍ୟ ଵଳଦେଵ ରଥ ଲଙ୍କାମରିଚର କଥା ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିଛନ୍ତି

“କପିରାଜ ଜଣାଇଲେ , ‘ ମଣିମା ! ଲଙ୍କାମରିଚ ରାଗ , କଳାହାଣ୍ଡିଆ ତାଳ , ପିଲାମାନଙ୍କର ମାଆ ନ ଥାଇ ଲୟେ , କଳ୍ପ - ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି ।”

ଓଡ଼ିଶାରେ ଲଙ୍କାମରିଚ ଵା Red pepperର ଅନେକ ନାଆଁ । ଯଥା — ଆମିରି,କାଁଚ୍ମାରି,ଝାଳ ଵା ଝାଲ,ଲକା,ଲଙ୍କା,ନଙ୍କା,ନଂକମାରିଚ,
ନକମାରିଚ,ମିରି,ମର୍ଚି,ମିରିଚା,ମରିଚି,ମରିଚ,ନାଲିମରିଚ,ରଙ୍ଗମରିଚ,ଲଙ୍କା ମାରିଚ,ଲାଲ୍ ମିର୍ଚା ଓ ଲଙ୍କ ମାରିଚ ଇତ୍ୟାଦି । ତେବେ ମାନକ ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଛି । 

ତେବେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏ ଦେଶରେ ଆଜକୁ ୬୦୦ ଵର୍ଷ ତଳେ କୌଣସି ଲଙ୍କାମରିଚ ପାଦପ ନଥିଲା । କାରଣ ଲଙ୍କାମରିଚ ମୂଳତଃ ଏକ ଆମେରିକୀୟ ପାଦପ ଏଵଂ ୟୁରୋପୀୟମାନେ ଏହା ଭାରତକୁ ଆଣିଥିଲେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ “ଲଙ୍କାମରିଚ ନାମଟି ଏକ ଆଧୁନିକ ନାମ। ସଂସ୍କୃତରେ ପୂର୍ଵେ 'ମରିଚ'ର ଅର୍ଥ ଗୋଲମରିଚ ଵା କଳାମରିଚ ଥିଲା । ଲଙ୍କାମରିଚର ନାମ ୩୦୦ ଵର୍ଷ ପୂର୍ଵର ପ୍ରାଚୀନ ଵୈଦ୍ଯକ ଗ୍ରନ୍ଥମାନଙ୍କ (ଯଥା, ଭାଵପ୍ରକାଶ)ରେ ନାହିଁ। ଆଧୁନିକ କେତେକ ଵୈଦ୍ଯକ ଗ୍ରନ୍ଥରେ ଲଙ୍କାମରିଚ ପାଇଁ (ଯଥା— ଵୈଦ୍ଯକ ଶବ୍ଦ ସିନ୍ଧୁ କୋଷ) କୁମରିଚ ଓ ଜ୍ୱାଳାମରିଚ ଶବ୍ଦର ପ୍ରୟୋଗ ଦେଖାଯାଇଛି। ଏ ଗୁଳ୍ମର ଆଦି ନିଵାସ ଆମେରିକା ଏଵଂ ସେଠାରୁ ପର୍ଟୁଗୀଜ୍ ମାନେ ପ୍ରଥମେ ଏହାକୁ ଦକ୍ଷିଣ ଭାରତର ଗୋଆ, କାଲିକଟ ଆଦି ସ୍ଥାନକୁ ଆଣିଲେ। ସେହିଠାରୁ ଏହାର ଚାଷ ଭାରତରେ ଵିସ୍ତୃତ ହେଲା।”



କେତେକ ଭାଷାଵିଦ୍ କୁହନ୍ତି ଏ ଗଛ ଯେହେତୁ ଇନକା,ଆଜଟେକ୍ସ,ମାୟା ସଭ୍ୟତାର ଦେଶ ଆମେରିକା ମହାଦେଶଦ୍ଵୟରୁ ଆସିଥିଲା ଏଵଂ ସେ ସବୁ ଭୂଭାଗର ପ୍ରାଚୀନ ଅଧିଵାସୀଙ୍କ ଵିଷୟରେ ଜାଣିଵା ପରେ ଭାରତୀୟମାନେ ସେମାନଙ୍କୁ ପୁରାଣୋକ୍ତ ଅସୁରରାଜ୍ୟ କଳ୍ପନା କରିଥିଲେ । ତେଣୁ ଏ ଗଛର ନାମ ଆମଭାଷାରେ ରକ୍ଷନଗରୀ ଲଙ୍କାପୁରୀ ଆଧାରରେ ଲଙ୍କାମରିଚ ଦିଆଯାଇଛି । ତେବେ ଲଙ୍କା ମରିଚ ନକହି ହିନ୍ଦୀଭାଷୀମାନେ ସାଧାରଣତଃ chilli pepper କୁ ଲାଲ୍ ମିର୍ଚ୍ଚ କୁହନ୍ତି ।

କେତେକ ଗଵେଷକଙ୍କ ମତରେ ଲଙ୍କାମରିଚ ଶବ୍ଦରେ ଥିଵା ଲଙ୍କା ଶବ୍ଦଟି ଆଷ୍ଟ୍ରିକ ଭାଷା ମୂଳର ଶବ୍ଦ ଏଵଂ ଦକ୍ଷିଣ ଓଡ଼ିଶାରେ ଏହି ଲଙ୍କା ଶବ୍ଦ ଆଗେ ଓଡ଼ିଆ ଭାଷାରେ ଦୂର ଓ ଦୂରସ୍ଥାନ ଅର୍ଥରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲଙ୍କା ଶବ୍ଦର‌ ଦେଶଜ ଅର୍ଥ ଲେଖାଅଛି "ଯଥେଷ୍ଟ" ଏଵଂ ଏ ଶବ୍ଦ ତତ୍କାଳୀନ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଥିଲା ବୋଲି ମଧ୍ୟ ଉଲ୍ଲେଖ ରହିଛି । ସମ୍ଭଵତଃ ପୂର୍ଵେ ଓଡ଼ିଶାରେ ଲଙ୍କା ଶବ୍ଦଟି ଦୂର,ଦୂରସ୍ଥାନ ଅର୍ଥରେ ଵ୍ୟଵହୃତ ହେଉଥିଲା କିନ୍ତୁ ସମୟ ସହିତ ଏହା ଯଥେଷ୍ଟ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା । ସମୁଦ୍ର ପାର ଦୂରସ୍ଥାନରୁ ଅଣାଯାଇ ଭାରତରେ ଲଗାଯାଇ ଥିଵା କେତେକ ଗଛକୁ ଏହି ଆଧାରରେ ଲଙ୍କା ଶବ୍ଦ ଯୁକ୍ତ କରି ଅଭିହିତ କରାଯାଇଅଛି ‌। 

ଓଡ଼ିଆ ଭାଷାରେ Red pepperକୁ କାହିଁକି ଲଙ୍କାମରିଚ କୁହାଯାଏ ତାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ଭାଷାକୋଷ ଅନୁଯାୟୀ— "Red pepper ଦକ୍ଷିଣ ଦିଗରୁ ଦରିଆପାରିରୁ ଏ ଦେଶକୁ ପ୍ରଥମେ ଆସିଥିଵାରୁ ଓଡ଼ିଆମାନେ ଏହା ଲଙ୍କାଦ୍ଵୀପରୁ ଆସିଥିଵା ଅନୁମାନ କରି ଏହାକୁ ଲଙ୍ଗାମରିଚ ନାମ ଦେଇ ଅଛନ୍ତି। ଏହିପରି ପୂର୍ଵେ ଵିଦେଶରୁ ଆସିଥିଵା ଲଙ୍କା ଆମ୍ବ, ଲଙ୍କା ସିଝୁ, ଲଙ୍କା ପଣସ, ଲଙ୍କା ଗବ ଶବ୍ଦମାନ ଭାଷାରେ ଚଳିଅଛି।”

କେହି କେହି କୁହନ୍ତି ଶ୍ରୀଲଙ୍କାର ନାମରୁ ଲଙ୍କା ଶବ୍ଦ ସୃଷ୍ଟି ହୋଇଛି, ଶ୍ରୀରାମଚନ୍ଦ୍ରଙ୍କ ସହିତ ଵା ତାଙ୍କ ପଛେ ପଛେ ଭାରତକୁ ଚାଲିଆସିଥିଵା କିଛି ସିଂହଳଵାସୀ ଶ୍ରୀଲଙ୍କାରୁ ଲଙ୍କାମରିଚ ଗଛ ଭାରତକୁ ଆଣିଥିଲେ । କିନ୍ତୁ ଏହି ମତ ସମ୍ପୂର୍ଣ୍ଣ ଅମୂଳକ ,ଅଵୈଜ୍ଞାନିକ ତଥା ପ୍ରମାଣହୀନ । ଲଙ୍କାମରିଚ ମୂଳତଃ ଆମେରିକୀୟ ପାଦପ ଵିଶେଷତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଏ ଗଛ ହଜାର ହଜାର ଵର୍ଷ ଧରି "ଆଦିମ ଲୋହିତ ଭାରତୀୟ"ଙ୍କ ଦ୍ଵାରା ଚାଷ ହେଉଥିଲା । ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଥିଵାରୁ ଏହି ଗଛକୁ ନେଇ ଏଭଳି ଭ୍ରାନ୍ତ ଧାରଣା ଜନ୍ମ ନେଇଛି । ଲଙ୍କାମରିଚ ଶବ୍ଦ ସହିତ ଶ୍ରୀଲଙ୍କାର କୌଣସି ସମ୍ପର୍କ ନାହିଁ ଵରଂ ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ୟୁରୋପୀୟମାନେ ଲଙ୍କାମରିଚ ନେଇ ଯାଇଥିଲେ।

ଆଜକୁ ପ୍ରାୟ 13.8 ନିୟୁତ ଵର୍ଷ ପୂର୍ଵେ, ଦକ୍ଷିଣ / ମଧ୍ୟ ଆମେରିକାର Solanaceae ପାଦପ ପରିଵାରର ଏକ ଉଦ୍ଭିଦ "କ୍ୟାପସାଇସିନଏଡ୍ ପ୍ରୋଟିନ୍" ଯୁକ୍ତ କୋଳି ଆକାର ପରି ଫଳ ସୃଷ୍ଟି କରିଥିଲା ! କ୍ୟାପସାଇସିନଏଡ୍ ଯୋଗୁଁ ଲଙ୍କାମରିଚର ରଙ୍ଗ ଲାଲ୍ ହୋଇଥାଏ ‌ । ଏହି କୋଳି ରାଗ ଥିଵା ଯୋଗୁଁ ସ୍ତନ୍ୟପାୟୀ ପ୍ରାଣୀମାନେ ଖାଇପାରୁନଥିଲେ କିନ୍ତୁ ପକ୍ଷୀମାନେ ସେ କୋଳିକୁ ସହଜରେ ଖାଇପାରୁଥିଲେ । ସେହି ପ୍ରାଚୀନ ମୂଳ ପାଦପରୁ ପରେ Capsicum ପ୍ରଜାତି(Genus)ର କୋଡ଼ିଏରୁ ଶତେଇଶ ଗୋଟି ଲଙ୍କାମରିଚ ଜାତି(species) ସୃଷ୍ଟି ହୋଇଛି । ସାରା ଵିଶ୍ଵରେ ଵ୍ୟାପକ ଭାବରେ ଚାଷ ହେଵାରୁ ଲଙ୍କାମରିଚଗଛର ଇତିମଧ୍ୟରେ ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ମଧ୍ୟ ମାନଵକୃତ ପରିଵର୍ତ୍ତନ ତଥା Capsicum ଜାତୀୟ ଗଛଗୁଡ଼ିକ ମଧ୍ୟରେ ସଙ୍କର କିସମ ସୃଷ୍ଟି କରିଵାର ପ୍ରାକୃତିକ କ୍ଷମତା ଯୋଗୁଁ ସୃଷ୍ଟି ହୋଇଛି । ପରିଣାମ ସ୍ବରୂପ "ଭୁତ୍ ଜଲକିଆ ଵା ନାଗା ଜଲକିଆ" ଭଳି ଅତି ରାଗ ଲଙ୍କା ଭାରତର ପୂର୍ଵୋତ୍ତର ରାଜ୍ୟ ଆସାମରେ ଵିକଶିତ ହୋଇପାରିଛି‌ । 

ଭାରତରେ ଅନେକ ପ୍ରକାରର ଲଙ୍କାମରିଚ କିସମ ଥିଵାରୁ ଅନେକେ ଵିଶ୍ଵାସ କରନ୍ତି ନାହିଁ ଯେ ଲଙ୍କାମରିଚ ଏକ ଵୈଦେଶିକ ପାଦପ । ତେବେ
ଦକ୍ଷିଣ ଆମେରିକାରେ ଛଅରୁ ସାତ ହଜାର ଵର୍ଷ ପୂର୍ଵେ ଲଙ୍କାମରିଚ ଚାଷ ହେଉଥିଵାର ଵୈଜ୍ଞାନିକ ପ୍ରମାଣ ମିଳିଛି । ପଶୁମାନେ ଉତ୍କଟ ରାଗ ଯୋଗୁଁ ସିନା ଲଙ୍କାମରିଚ ଖାଇପାରନ୍ତି ନାହିଁ କିନ୍ତୁ ପକ୍ଷୀମାନେ ଲଙ୍କାମରିଚ ଖାଇଵାର ଦୃଶ୍ୟ ହୋଇଥାଏ ‌ । ତେଣୁ କେହି କେହି ଅନୁମାନ କରନ୍ତି ଯେ ପକ୍ଷୀମାନଙ୍କ ଦ୍ଵାରା କୋଡ଼ିଏରୁ ସତେଇଶ ଗୋଟି ଲଙ୍କାମରିଚ ଜାତୀୟ ଗଛ ମଧ୍ୟରୁ କେତେକ ଲଙ୍କାମରିଚ ଜାତୀୟ ଗଛର ମଞ୍ଜି ଦକ୍ଷିଣ ଆମେରିକାରୁ ମଧ୍ୟ ଆମେରିକାରେ ଆସି ପହଞ୍ଚିଥିଲା । ଦକ୍ଷିଣ ଓ ମଧ୍ୟ ଆମେରିକାରେ ରହୁଥିଵା ପ୍ରାଚୀନ ଅଧିଵାସୀମାନେ ହଜାର ହଜାର ଵର୍ଷ ଧରି ଲଙ୍କାମରିଚକୁ ଖାଦ୍ୟ ତଥା ଔଷଧ ଭାବରେ ଵ୍ୟଵହାର କରୁଥିଲେ । ପ୍ରାଚୀନ ଆମେରିକୀୟ ଜନଜାତୀୟ ସଂସ୍କୃତିରେ ଲଙ୍କାମରିଚ ମହତ୍ତ୍ୱପୂର୍ଣ୍ଣ ଥିଲା । 

ପୂର୍ଵେ ୟୁରୋପରେ ସେତେ ମସଲାଦ୍ରଵ୍ୟର ଚାଷ ହେଉନଥିଲା ଵରଂ ୟୁରୋପୀୟମାନେ ଵିଭିନ୍ନ ମସଲାଦ୍ରଵ୍ୟ ପାଇଁ ଭାରତ ଉପରେ ନିର୍ଭରଶୀଳ ଥିଲେ । ୟୁରୋପୀୟମାନେ ଭାରତୀ ମରିଚ କଳାମରିଚ ଵା ଗୋଲମରିଚ ତଥା ପିପ୍ପଳୀକୁ Pepper କହୁଥିଲେ ‌ । ଏହି Pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି । ପ୍ରକୃତରେ ଉଭୟ ଗୋଲମରିଚ ଓ ପିପ୍ପଳୀକୁ ପାଶ୍ଚାତ୍ୟ ସଂସ୍କୃତି ର ଲୋକେ ଆଗେ pepper କହୁଥିଲେ । ଯେହେତୁ ଏ ଉଭୟ ଏକ ପରିଵାରର ପାଦପ ପୁଣି ପ୍ରାୟ ଏକା ପ୍ରକାରର ଗୁଣ ଵହନ କରନ୍ତି
ତେଣୁ ୟୁରୋପୀୟମାନେ ଏଭଳି ନାମକରଣ କରିଥିଲେ । ଭାରତୀୟ ମାନେ ଆଗେ ଗୋଲମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ଗଛର ମଞ୍ଜି) ଆଦିର ଵ୍ୟଵହାରରେ ଖାଦ୍ୟ ତିକ୍ତ ସ୍ଵାଦ ପାଇଁ କରୁଥିଲେ । ଦକ୍ଷିଣ ଏସିଆ ରେ ପ୍ରାୟ ୨୦୦୦ ଖ୍ରୀଷ୍ଟପୂର୍ଵରୁ କଳାମରିଚ,ପିପ୍ପଳୀ ଓ ଧଳାମରିଚ ଆଗରୁ ବ୍ୟବହାର ହୋଇ ଆସୁଛି । 

ଐତିହାସିକ J. Innes Miller ଲେଖିଛନ୍ତି
  “while pepper was grown in southern Thailand and in Malaysia, its most important source was India, particularly the Malabar Coast, in what is now the state ofKerala”

କେରଳର ପ୍ରାଚୀନ ଲୁପ୍ତ ବନ୍ଦର Muzirisin
ଗୋଲମରିଚ ରପ୍ତାନୀ ପାଇଁ ସାରା ଵିଶ୍ଵରେ
ଲୋକପ୍ରିୟ ଥିଵା ଅନେକ ଵୈଦେଶିକ ଐତିହାସିକ ତଥ୍ୟାତ୍ମକ ପାଣ୍ଡୁଲିପି ଗୁଡିକରୁ ମିଳୁଅଛି । କୁହାଯାଏ କଳାମରିଚ ଲଙ୍କାମରିଚ ଜଗତକୁ ମିଳିଵା ପୂର୍ଵରୁ "black gold" ର ଆଖ୍ୟା ଲାଭ କରିଥିଲା ଏମନ୍ତକି ଆଗେ ଗୋଲମରିଚର ଵ୍ୟଵହାର commodity money ଭାବରେ ବି ହେଉଥିଲା ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ଗୋଲମରିଚ ଓ ପିପ୍ପଳୀ ଜାଵା,ସୁନ୍ଦା, ସୁମାତ୍ରା, ମାଡାଗାସ୍କର, ମାଲେସିଆ ,ଭାରତ ଓ ଚୀନ ଆଦି ଦେଶର ଖାଦ୍ୟଦ୍ରଵ୍ୟର ଏକ ମୁଖ୍ୟ ଅଙ୍ଗ ଥିଲା । ଗୋଲମରିଚକୁ ହିଁ ଆଗେ କେଵଳ ମରିଚ କୁହାଯାଉଥିଲା ତେଣୁ ପ୍ରାଚୀନ ସାହିତ୍ୟ ତଥା ପୁରାଣାଦି ଗ୍ରନ୍ଥରେ ଆମ୍ଭେମାନେ ଯେଉଁ ମରିଚ ଶବ୍ଦ ଉଲ୍ଲେଖ ଥିଵା ଦେଖନ୍ତି ତାହା ପ୍ରକୃତରେ ଗୋଲମରିଚ ଅର୍ଥରେ ପ୍ରୟୋଗ କରାଯାଇଥିଲା । 

ଉଦାହରଣ ସ୍ୱରୂପ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ମରିଚ ଶବ୍ଦ ପ୍ରୟୋଗ କରାଯାଇଛି 

"ବସିଲା ଘୃତ ଆବର ଦେଲେ ଅଦା ଲୁଣ । ନିରମିଷ ଆମିଷ ଯେ ଅନେକ ତିଉଣ॥ 
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା । 
ଘୃତରେ କରି ନାନାଦି ପିଷ୍ଟକ ରଚନା ॥”

ଏଠାରେ ଵ୍ୟଵହାର ହୋଇଥିଵା ମରିଚ ଶବ୍ଦର ଅର୍ଥ ଗୋଲମରିଚ ଅଟେ କାରଣ ବଳରାମ ଦାସଙ୍କ ସମୟରେ ଵା ତାପରେ ଲଙ୍କାମରିଚ ନୂଆ ନୂଆ ଭାରତକୁ ଆସିଥିଵାରୁ ସର୍ଵତ୍ର ଲୋକପ୍ରିୟ ହୋଇନଥିଵା ସହଜେ ଵିଶ୍ଵାସଯୋଗ୍ୟ । 

ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ 'ମରିଚଂ' ଶବ୍ଦର ନିରୁକ୍ତି ଲେଖାଅଛି “ମ୍ରିୟତେ ନଶ୍ଯତି ଶ୍ଲେଷ୍ମାଦିକମନେନେତି । ମୃ + ବାହୁଳକାତ୍ ଇଚଃ ।” ଗୋଲମରିଚର ସଂସ୍କୃତ ପର୍ଯ୍ୟାୟଵାଚକ ଶବ୍ଦଗୁଡ଼ିକ ହେଲା ପଵିତମ୍, ଶ୍ଯାମମ୍,କୋଳମ୍ ,ଵଲ୍ଲୀଜମ୍ ,ଊଷଣମ୍ ,ଯଵନେଷ୍ଟମ୍ ,ଵୃତ୍ତଫଳମ୍ ,ଶାକାଙ୍ଗମ୍ ,ଧର୍ମ୍ମପତ୍ତନମ୍ , କଟୁକମ୍ , ଶିରୋଵୃତ୍ତମ୍ , ଵୀରମ୍ , କଫଵିରୋଧି ,ମୃଷମ୍ ,ସର୍ଵ୍ଵହିତମ୍ ,କୃଷ୍ଣମ୍ ଓ ଵେଲ୍ଲଜମ୍ ଇତ୍ୟାଦି । ସୁଶ୍ରୁତଙ୍କ ସୂତ୍ରସ୍ଥାନର ୩୮ ଅଧ୍ଯାୟରେ ଗୋଲମରିଚକୁ ହିଁ ମରିଚ ଭାବେ ଉଲ୍ଲେଖ କରାଯାଇଛି
 “ପିପ୍ପଳୀମରିଚଶୃଙ୍ଗଵେରାଣି ତ୍ରିକଟୁକମ୍ ॥” 
 
ମୁସଲମାନମାନେ କନସ୍ଟାଣ୍ଡିନୋପଲ୍ ଅଧିକାର କରିନେଲା ପରେ ଦକ୍ଷିଣ ଏସୀୟ ବାଣିଜ୍ୟ ପଥ  
 ଦେଇ ଆଉ ଇଉରୋପରେ ଭାରତୀୟ ମସଲା ଵିଶେଷ କରି ଗୋଲମରିଚ ଓ ପିପ୍ପଳୀ ସହଜରେ ପହଞ୍ଚି ପାରିଲା ନାହିଁ । ଯଦି ଵା କିଛି ପରିମାଣରେ ପହଞ୍ଚିଲା ତାହାର ମୂଲ୍ୟ ଆକାଶଛୁଆଁ ହେଲା । ତେଣୁ ନିଜ ଥଣ୍ଡା ଦେଶରେ ଜନ୍ମିତ ଶରୀରକୁ କଟୁ ରାଗ ରସ ଆସ୍ଵାଦ ସୁଖରେ
ରେ ଭରିଵା ପାଇଁ ଇଉରୋପୀୟ ମାନେ ଅନେକ ଗୁଡିଏ ଜଳଯାତ୍ରା କରିଥିଲେ । ସଵୁ ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସ୍ପେନ ତଥା ପର୍ତ୍ତୁଗୀଜମାନେ ସର୍ଵାଧିକ ଜଳଯାତ୍ରା କରୁଥିଲେ । 

କଲମ୍ବସ ଭାରତକୁ ଉଣ୍ଡୁ ଉଣ୍ଡୁ ଆମେରିକାର ଭୂଭାଗ ପାଇଵା ପରେ ପର୍ତ୍ତୁଗୀଜମାନେ ହାଇତି ଦ୍ଵୀପରେ ପ୍ରଥମେ ଲଙ୍କାମରିଚ ଜାତୀୟ ଏକ ଗଛ ଜାତିର ସନ୍ଧାନ ପାଇ ଏହାର ନାମ ଦେଇଥିଲେ pimiento , ଏହି pimiento ଭାରତୀୟ ଗୋଲମରିଚର ୟୁରୋପୀୟ ପ୍ରତିଶବ୍ଦ ଥିଲା । ଆଜିକାଲି ସାଧାରଣତଃଶିମିଳା ଲଙ୍କାକୁ pimiento କୁହାଯାଉଛି ।

 ଇଂରାଜୀରେ ଲଙ୍କାମରିଚକୁ Chili pepper କୁହାଯାଏ ଏଵଂ ଏହି Chili ଶବ୍ଦଟି ଆଜଟେକ୍ ମୂଳ ଆମେରିକୀୟ ଆଦିଵାସୀମାନଙ୍କର Nahuatl ଭାଷାରୁ ନିଆଯାଇଛି । ଏହାର ମୂଳରୂପ chīlli ଥିଲା । ପର୍ତ୍ତୁଗୀଜମାନେ ଭାରତ,ପାରସ୍ୟ, ଇଣ୍ଡୋନେସିଆ ଆଦି ଅନେକ ଦେଶରେ ଲଙ୍କାମରିଚ ଗଛକୁ ପ୍ରଥମେ ପହଞ୍ଚାଇଥିଲେ । କିନ୍ତୁ ଲଙ୍କାମରିଚ ଭାରତରେ ଏଭଳି ଭାବେ ଵ୍ୟାପିଗଲା ଯେ ପାଞ୍ଚଶହ ଵର୍ଷ ମଧ୍ୟରେ ଗୋଲମରିଚ ଵା କଳାମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ମଞ୍ଜି)ର ସ୍ଥାନ ସମ୍ପୂର୍ଣ୍ଣ ଭାବରେ ନେଇଗଲା ।

ଲଙ୍କାମରିଚ ଏକ ଅଦ୍ଭୁତ ପାଦପ । ଏଥିରେ ଗୋଟିଏ ଯାଦୁ ଵା କିମିଆ ଅଛି ବୋଲି ପ୍ରାଚୀନ ଆମେରିକୀୟ ମୂଳନିଵାସୀ ଵିଶ୍ଵାସ କରୁଥିଲେ । ସେମାନଙ୍କ ଅନୁମାନ ସତ ବି ହୋଇଛି କାରଣ ପୃଥିଵୀର ଆଦ୍ର ତଥା ଶୁଷ୍କ ମରୁଭୂମି ଅଞ୍ଚଳଗୁଡି଼କୁ ଛାଡ଼ିଦେଲେ ପୃଥିଵୀରେ ପ୍ରାୟ ସର୍ଵତ୍ର ଲଙ୍କାମରିଚର ଚାଷ ହେଉଅଛି । ପୁଣି ପୃଥିଵୀର ସବୁ ଦେଶର ଲୋକେ ଲଙ୍କାମରିଚ ସହିତ ପରିଚିତ । ପୃଥିଵୀର ଏମିତି କୌଣସି ଦେଶ ନଥିଵ ଯେଉଁ ଦେଶରେ ଲଙ୍କାମରିଚ ମିଳୁନଥିଵ । 
ଲଙ୍କାମରିଚ ପ୍ରଜାତି Capsicumରେ ମୁଖ୍ୟତଃ ୨୦ରୁ ୨୭ଗୋଟି ମୂଳ ଜାତି ତଥା ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ରହିଛି । ମାତ୍ର ପାଞ୍ଚଶହ ଵର୍ଷ ମଧ୍ୟରେ ଲଙ୍କାମରିଚର ୨୦ରୁ ୨୭ଟି ମୂଳ ପାଦପଜାତି ମଧ୍ୟରୁ ପଚାଶ ହଜାରରୁ ଅଧିକ ଚାଷ କିସମ କେମିତି ସୃଷ୍ଟି ହୋଇଗଲା ତାହା ଆଜି ବି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । 

ଵୈଜ୍ଞାନିକମାନେ କୁହନ୍ତି ଏହି ୫୦୦୦୦ ଲଙ୍କାମରିଚ ଚାଷକିସମ ଵା cultivar ମଧ୍ୟରେ କେଵଳ ଚାରିହଜାର ଚାଷକିସମ(cultivar) ଲଙ୍କାମରିଚ ଜାତି Capsicum annuum ସହିତ ସମ୍ପର୍କିତ । ସେହିପରି ୬୦୦୦ରୁ ଅଧିକ ଲଙ୍କାମରିଚ ଚାଷ କିସମର ମୂଳ ଲଙ୍କାମରିଚ ଜାତି ଵିଷୟରେ ସମ୍ପୂର୍ଣ୍ଣ ଦ୍ଵନ୍ଦ୍ଵହୀନ ତଥ୍ୟ ମିଳିପାରିନାହିଁ । ଏଥିରୁ ସହଜେ ହୃଦବୋଧ ହୁଏ ଯେ କେତେ ଭୀଷଣ ଭାବରେ ଗତ ପାଞ୍ଚଶହ ଶତାବ୍ଦୀ ମଧ୍ୟରେ ନାନା ଚାଷକିସମ ସୃଷ୍ଟି ହୋଇଛି । କେତେକ ଜଣାଶୁଣା ଲଙ୍କାମରିଚ ଚାଷକିସମ ଓଡ଼ିଶାରେ ବହୁଳ ଭାବରେ ଲଗାଯାଏ ଯଥା — କୋଳିଲଙ୍କାମରିଚ,ଠିଆଲଙ୍କାମରିଚ,ଧଳାଲଙ୍କାମରିଚ,ରାଗ ଲଙ୍କାମରିଚ ଵା ଜହରି ଲଙ୍କାମରିଚ,ସଜି ଲଙ୍କାମରିଚ,ଦକ୍ଷିଣୀ ଲଙ୍କାମରିଚ ଓ ଧାନୁଆ ଲଙ୍କାମରିଚ ଇତ୍ୟାଦି । 

ଲଙ୍କାମରିଚ ତୀଵ୍ର, କଟୁରସ, ଉଷ୍ଣଵୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ରୁଚିକର। ପ୍ରାୟ ସମସ୍ତ ରୋଗପକ୍ଷରେ ଏହା ଅନିଷ୍ଟକର କିନ୍ତୁ ଭାରତୀୟମାନେ ଏହାକୁ ଅଧୁନା ଏତେ ପରିମାଣରେ ଵ୍ୟଵହାର କରୁଛନ୍ତି ଯେ ହୃଦରୋଗ, ମଧୁମେହ,ଅର୍ଶାଦି ଵିଭିନ୍ନ ରୋଗ ଭୋଗ କରୁଛନ୍ତି । ଲଙ୍କାମରିଚ ଗୋଟିଏ ଦୁଇଧାରିଆ ଖଣ୍ଡାପରି ଏହାକୁ ବୁଝି ଵିଚାରି ଖାଦ୍ଯଦ୍ରଵ୍ୟରେ ଵ୍ୟଵହାର କଲେ ଏଵଂ ଯଥା ସମ୍ଭଵ ଭାରତୀୟ ମରିଚ କଳାମରିଚ ଵା ଗୋଲମରିଚକୁ ମହତ୍ତ୍ଵ ଦେଲେ ଭାରତୀୟମାନେ ନିରୋଗ ରହିପାରନ୍ତେ ।

Thursday, November 24, 2022

ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ

ଢେଙ୍କାନାଳର ଵର୍ତ୍ତମାନ ରାଜବଂଶର ପ୍ରତିଷ୍ଠାତା ଥିଲେ ରାଜା ହରିସିଂହ ଵିଦ୍ୟାଧର । ତାଙ୍କ ପରେ ତାଙ୍କ ପୁତ୍ର ଲୋକନାଥ ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନ ଦାୟିତ୍ୱ ଗ୍ରହଣ କଲେ । ଢେଙ୍କାନାଳ ରାଜା ଲୋକନାଥ (ରାୟସିଂହ) ଭ୍ରମରବରଙ୍କ ଵୀରତ୍ଵ, ଦିଗଵିଜୟ ଓ ସହୃଦୟତାର ଅନେକ କାହାଣୀ ରହିଛି ‌ । 

ମଧୁପୁର ଗଡ଼ ଚଣ୍ଡିଖୋଲ ଓ ଜେନାପୁରର ମଧ୍ୟ ଭାଗରେ ବ୍ରାହ୍ମଣୀ ନଦୀର ପଶ୍ଚିମ ପାଖରେ ଅଵସ୍ଥିତ । ଲୋକନାଥ ଭ୍ରମରବରଙ୍କ ସମୟରେ ଏଠାରେ ଜଣେ ରାଜା ଶାସନ କରୁଥିଲେ । ଢେଙ୍କାନାଳ ରାଜା ପୂର୍ଵ ଦିଗରେ ଦିଗଵିଜୟ କରିଵାକୁ ବାହାରି ଥାଆନ୍ତି । ସେ ମଧୁପୁର ନିକଟରେ ପହଞ୍ଚିଵା ଜାଣି ମଧୁପୁର ରାଜା ଭୟଭୀତ ହେଲେ। ସେ ସମୟରେ ଢେଙ୍କାନାଳ ରାଜ୍ୟର ସୈନ୍ୟଶକ୍ତିକୁ ସାମ୍ନା କରିଵାକୁ ମଧୁପୁର ରାଜାଙ୍କ ପାଖରେ ସେଭଳି ଶକ୍ତିଶାଳୀ ସୈନ୍ଯଵାହିନୀ ନଥିଲା । ତେଣୁ ସେ ବୁଦ୍ଧି ବଳରେ ଏହି ସମସ୍ୟାର ସମାଧାନ କରିଵାକୁ ଚେଷ୍ଟା କଲେ । ମଧୁପୁର ରାଜାଙ୍କ ପାଖରେ ଜଣେ ଵିଦୂଷକ ଥିଲେ ‌। ଉକ୍ତ ଵିଦୂଷକ ରାଜାଙ୍କୁ ଏହି ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ଏଵଂ ତାଙ୍କୁ ଢେଙ୍କାନାଳ ରାଜାଙ୍କ ଛାମୁକୁ ଦୂତ ଭାବେ ପଠାଇଵାକୁ ସଵିନୟ ଅନୁରୋଧ କଲେ । 
 ରାଜଆଦେଶ ପାଇ ଚତୁର ଵିଦୂଷକ ମଧୁପୁର ଗଡ଼ର ରାଜଦୂତ ଭାବରେ ସନ୍ଧି କରିଵା ନିମିତ୍ତ ଢେଙ୍କାନାଳ ରାଜାଙ୍କ ନିକଟକୁ ଗଲେ ।
 
ରାଜା ଲୋକନାଥଙ୍କ ଛାମୁରେ ପହଞ୍ଚି ମଧୁପୁର ରାଜଦୂତ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଜଣାଇଲେ “ମଣିମା ! ଆପଣଙ୍କ ରାଇଜର ନାମ ଢେଙ୍କାନାଳ ଏଵଂ ତାହା 'ଢ' ଅକ୍ଷରରୁ ଆରମ୍ଭ ହୋଇଥିଵାରୁ ଢ , ଢା , ଢୀ , ଢୁ । ଆମ ମଧୁପୁରର ଆଦ୍ୟ ଅକ୍ଷର ହେଉଛି 'ମ' ଅର୍ଥାତ୍ ଆମେ ମ , ମା , ମି , ମୁ । ଏହାର ଭାବ ହେଲା ଆପଣ ସିଂହ ସଦୃଢ଼ ଢ , ଢା , ଢୀ ଢୁ କଲାବେଳକୁ ଆମେ ଛେଳି ସଦୃଶ ମ , ମା , ମୀ , ମୁ ହେବ । ଦୟାକରି ଆପଣ ଛାର ମଧୁପୁର ପ୍ରତି କୃପା କରନ୍ତୁ ।”
  
ରାଜଦୂତଙ୍କର ଚାଟୁ ଵାକ୍ୟରେ ପ୍ରୀତ ହୋଇ ଢେଙ୍କାନାଳଧୀଶ୍ଵର ଲୋକନାଥ କହିଲେ 
“ଆମ୍ଭେ ଏହି ସ୍ଥାନରୁ ଫେରି ଯାଉଛୁଁ ।” ତହୁଁ ଢେଙ୍କାନାଳ ରାଜା ମଧୁପୁରଗଡ଼ର ରାଜଦୂତଙ୍କୁ ନିକଟସ୍ଥ ପର୍ଵତରୁ ଦେଖାଇ କହିଲେ “ଏହି ପର୍ଵତ ଆଜିଠାରୁ ଦୁଇ ରାଜ୍ୟ ମଧ୍ୟସ୍ଥ ସୀମା ହେଵ । ମଧୁପୁର ରାଜାଙ୍କୁ ଜଣାଇ ଦେବେ ପର୍ଵତର ପୂର୍ଵ ଦିଗରେ ସେ ନିଶ୍ଚିନ୍ତରେ ଶାସନ କରନ୍ତୁ ।”

କୁହାଯାଏ ଯେଉଁ ସ୍ଥାନରେ ଢେଙ୍କାନାଳ ରାଜ୍ୟର ସେତେବେଳେ ସେନାଛାଉଣୀ ପଡ଼ିଥିଲା ଏଵଂ ଯେଉଁଠାରୁ ଲୋକନାଥ ଫେରି ଆସିଥିଲେ ସେହି ସ୍ଥାନର ନାମ ତତ୍ପରେ ଇଚ୍ଛାପୁର ତଥା ତତ୍ ସନ୍ନିକଟ ପର୍ଵତର ନାମ ନିଶ୍ଚିନ୍ତା ପର୍ଵତ ରଖାଯାଇଥିଲା । ମଧୁପୁର ସନ୍ଧି ଫଳରେ ରାଜା ଲୋକନାଥ ଯେଉଁ ଭୂଖଣ୍ଡ ଲାଭ କଲେ ତାକୁ “ରାୟ ସିଂହ ପ୍ରସାଦ” ପ୍ରଗଣା ଵା ଵିଷ ନାମ ଦେଇ ଢେଙ୍କାନାଳ ରାଜ୍ୟଭୁକ୍ତ କଲେ । 

ଓଡ଼ିଶାରେ ଏକାଧିକ ଗଡ଼ମଧୁପୁର , ମଧୁପୁରଗଡ଼ ଵା ମଧୁପୁର ନାମରେ ସ୍ଥାନ ଥିଵା ଜଣାଯାଏ । ଗୋଟିଏ ଗଡ଼ମଧୁପୁର(୭୫୪୦୩୨) କଟକ ଜିଲ୍ଲାର ନରସିଂହପୁର ନିକଟରେ ମହାନଦୀ କୂଳରେ ଅଵସ୍ଥିତ । 

ଆଉ ଏକ ମଧୁପୁର ପୁରୀ ଜିଲ୍ଲାରେ ଅଵସ୍ଥିତ ,ଏକ ମଧୁପୁର ଦେଵୀ ନଦୀ କୂଳରେ ନୂଆଗଡ଼ ନିକଟରେ ଅଵସ୍ଥିତ । 

ଏଠାରେ ଉଲ୍ଲେଖ ଥିଵା ଗଡ଼ମଧୁପୁର (୭୫୫୦୨୩) ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏଵଂ ଏହି ଗଡ଼ମଧୁପୁରଠାରୁ ପ୍ରାୟ ୭୮ କିମି ଦୂରରେ ଇଚ୍ଛାପୁର(୭୫୯୦୧୫) ବୋଲି ଏକ ଗ୍ରାମ ରହିଛି । ଭାପୁର ଗ୍ରାମ ଓ ସପ୍ତଶଯ୍ୟା ଜଙ୍ଗଲ ମଝିରେ ଏହି ଇଚ୍ଛାପୁର ଗ୍ରାମ ଅଛି । ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏହି ଗଡ଼ମଧୁପୁର ନିକଟରେ ରାୟ ସିଂହ ପ୍ରସାଦ(୭୫୯୦୧୬) ବୋଲି ଏକ ଗ୍ରାମ ମଧ୍ୟ ଅଛି । ଏହି ମଧୁପୁରଗଡ଼ଟି ଯାଜପୁର ଜିଲ୍ଲାରେ ଅଵସ୍ଥିତ ଏଵଂ ଲୋକକଥାରୁ ଜଣାଯାଏ ଯେ ଏହି ମଧୁପୁରଗଡ଼ରେ ଜଣେ ବ୍ରାହ୍ମଣ ରାଜା ମଧୁସୂଦନ ଵିଦ୍ୟାରତ୍ନ ଶାସନ କରୁଥିଲେ । ତେବେ ସେତେବେଳେ ଏହି ରାଜ୍ୟର ନାମ କମାଗଡ଼ ଥିଲା । ପରେ ୧୫୦୨ରେ ଅନ୍ୟ ଜଣେ ରାଜାଙ୍କ ଦ୍ଵାରା ଏ ଅଞ୍ଚଳ ଶାସନାଧୀନ ହେଵାରୁ ଏହି ରାଜ୍ୟର ନାମକରଣ ମଧୁସୂଦନ ଵିଦ୍ୟାରତ୍ନଙ୍କ ସ୍ମୃତିରେ ମଧୁପୁର ରଖାଯାଇଥିଲା । 

•••••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି
ପୁସ୍ତକ(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର) 
•••••••••••••••••••••••••••••••••••

Friday, November 18, 2022

ଜାପାନୀ କୋଦାମାଠାରୁ ଓଡ଼ିଆ କୋଦମା ଯାଏଁ (ଶବ୍ଦଯାତ୍ରା)

କାଲି Studio ghibli ଦ୍ଵାରା ନିର୍ମିତ ଜାପାନୀ ଚଳଚ୍ଚିତ୍ର Princess Mononoke(ଜାପାନୀ—もののけ姫)କୁ ଆଉଥରେ ଦେଖୁଥିଲି । ଏହି ଚଳଚ୍ଚିତ୍ରରେ ଜାପାନର ଜଣାଶୁଣା tree spirit ଵା ଗଛୁଆ ଭୂତ こだま(କୋଦାମା)କୁ ଚିତ୍ରିତ କରାଯାଇଛି (ଚିତ୍ର—୧)। 


ଜାପାନର ଭିନ୍ନ ଭିନ୍ନ ଚଳଚ୍ଚିତ୍ର,ତୈଳଚିତ୍ର ଓ ନାଟକାଦିରେ କୋଦାମାକୁ ଵିଭିନ୍ନ ରୂପେ ଚିତ୍ରିତ କରାଯାଇଛି ତେବେ Princess Mononoke ଚଳଚ୍ଚିତ୍ରରେ ଦର୍ଶିତ କୋଦାମାର ଚିତ୍ରଣ ଜାପାନରେ ଅଧିକ ଲୋକପ୍ରିୟ ହୋଇଅଛି(ଚିତ୍ର-୧) ।

 ଜାପାନୀ କୋଦାମା ଶବ୍ଦଟି 木こ (ko, “ଗଛ”) ଓ 霊たま (tama, “ଆତ୍ମା”) ଏହିପରି ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ସୃଷ୍ଟ । ଜାପାନୀ ଲୋକକଥା ଅନୁଯାୟୀ କୋଦାମାମାନେ ଗଛରେ ଵାସ କରନ୍ତି ଏଵଂ ଯେଉଁ ଗଛରେ କୋଦମା ଵାସକରନ୍ତି ବୋଲି ଵିଶ୍ଵାସ କରାଯାଏ ସେ ଗଛକୁ ମଧ୍ୟ କୋଦାମା କୁହାଯାଏ । ଓଡ଼ିଶାରେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଵୃକ୍ଷ ମଧ୍ୟରେ ବାବନାଭୂତ, ବ୍ରହ୍ମରାକ୍ଷସ,ଯକ୍ଷ,ପିଶାଚ,ପ୍ରେତ ଓ ଓଥରା ଆଦି ଵାସ କରିଵାର ଲୋକଵିଶ୍ଵାସ ପ୍ରଚଳିତ । 

ଜାପାନରେ ପର୍ଵତ ଦେଵତାଙ୍କୁ "yamabiko" କୁହାଯାଏ ଏଵଂ ଏହାଙ୍କର ଶ୍ଵାନ ଓ ମର୍କଟ ମିଶ୍ରିତ ରୂପ କଳ୍ପିତ ହୋଇଛି । ପ୍ରକୃତରେ ପର୍ଵତ ଓ ଉପତ୍ୟକାଦିରେ ସୃଷ୍ଟି ହେଉଥିଵା ଏକ Natural phenomenon ଵା ପ୍ରାକୃତିକ ଘଟଣାକୁ ଜାପାନୀମାନେ yamabiko କୁହନ୍ତି ଏଵଂ ସେମାନେ ଵିଶ୍ଵାସ କରନ୍ତି ଯେ ଏହି ପ୍ରାକୃତିକ ଶବ୍ଦ ପର୍ଵତଦେଵ yamabiko କିମ୍ବା ମତାନ୍ତରେ ଵୃକ୍ଷଦେଵ କୋଦାମା କରୁଅଛନ୍ତି । ପର୍ଵତ ଓ ଉପତ୍ୟକାଗୁଡ଼ିକରେ ପଵନ ବହିଵା ଯୋଗୁଁ ଯେଉଁ ସାଇଁ ସାଇଁ ଶବ୍ଦ ହୁଏ ତାକୁ ଜାପାନରେ କେହି କେହି yamabiko ତ ଆଉ କେତେକ ଲୋକେ କୋଦାମା ଅଭିହିତ କରନ୍ତି । 

ଜାପାନରେ ଲୋକଵିଶ୍ଵାସ ପ୍ରଚଳିତ ଯେ କୋଦାମାମାନେ କେତେକ ନିର୍ଦ୍ଦିଷ୍ଟ ଗଛରେ ହିଁ ଵାସ କରନ୍ତି ଏଵଂ ଵିଶେଷତଃ ପର୍ଵତାଦିର ଵିଶାଳ ଵୃକ୍ଷକୁ ରକ୍ଷା କରି ତହିଁରେ ଏଣେ ତେଣେ ଵିଚରଣ କରିଥାନ୍ତି ‌ । କୁହାଯାଏ ଯେଉଁ ଗଛରେ କୋଦାମା ରୁହନ୍ତି ସେ ଗଛକୁ କାଟିଲେ ରକ୍ତ ଝରେ ଏଵଂ ଯିଏ ସେ ଗଛ କାଟେ ସେ ଵ୍ୟକ୍ତି ଅଭିଶପ୍ତ ହୋଇଯାଏ । ଜାପାନୀମାନେ ଆଧୁନିକ ଯୁଗରେ ଏତେ ଵୈଷୟିକ ଅଗ୍ରଗତି ତଥା ଵାସ୍ତୁଵାଦୀ ଵିକାଶ ପରେ ମଧ୍ୟ ନିଜ ପୂର୍ଵଜଙ୍କର ଏହି ଲୋକଵିଶ୍ଵାସକୁ ବଞ୍ଚାଇ ରଖିଛନ୍ତି । ଏଠାରେ ଵାର୍ଷିକ କିଦାମୀ ସାମା ଉତ୍ସଵ ଏହି ଵୃକ୍ଷ ଦେଵତା କୋଦାମାଙ୍କୁ ଆରାଧନା ହେତୁ ଆୟୋଜିତ ହୋଇଥାଏ । ସେହିପରି ଆଜି ବି କୋଦାମା ରହୁଥିଵା ଗଛ ବୋଲି ଵିଶ୍ଵାସ କରାଯାଉଥିଵା ଗଛକୁ କାଟିଵାକୁ ଜାପାନରେ ବାରଣ କରାଯାଏ ଏଵଂ ସେ ଗଛର ସୁରକ୍ଷା ପାଇଁ ସେହି ଗଛରେ shimenawa ଦଉଡ଼ି ବନ୍ଧା ହୁଏ । ଜାପାନରେ କୋଦାମା ବହୁତ ଜଣାଶୁଣା ତେଣୁ ଜାପାନର ଏକ ସାଙ୍ଗିଆ ମଧ୍ୟ କୋଦାମା ଅଟଇ । ବୋଧହୁଏ କେତେକ ନିର୍ଦ୍ଦିଷ୍ଟ ଜାତିର ଗଛକୁ ରକ୍ଷା କରିଵା ପାଇଁ ପ୍ରାଚୀନ ଜାପାନରେ ଏଭଳି ଲୋକପରମ୍ପରା ପ୍ରଚଳିତ ଥିଲା । ଜାପାନ ଭଳି ଭୂମିକମ୍ପ ପ୍ରଵଣ ଅଞ୍ଚଳରେ ସବୁବେଳେ ଦୈଵୀ ଦୁର୍ଵିପାକ ଵା ପ୍ରାକୃତିକ ଵିପର୍ଯ୍ୟୟ ଲାଗିରହୁଥିଵାରୁ ଏଭଳି ଲୋକଵିଶ୍ଵାସ ପ୍ରଚଳିତ ହେଵା ଅସମ୍ଭଵ ବି ନୁହେଁ । 

ତେବେ ଜାପାନରେ ପ୍ରଚଳିତ ଏହି କୋଦାମା ଶବ୍ଦ ଶୁଣିଲେ କାହିଁକି କେଜାଣି ତାହା ଭାରତୀୟ ଶବ୍ଦ ଵିଶେଷତଃ ଓଡ଼ିଆ ଭାଷାର ଶବ୍ଦ ଭଳି ହୃଦବୋଧ ହୋଇଥାଏ । ହିନ୍ଦୀ,ମରାଠୀ, ନେପାଳୀ ଆଦି ଭାଷାରେ ଅଵଶ୍ୟ କୋଦାମା ବୋଲି କୌଣସି ଶବ୍ଦ ଥିଵା ଜଣାଯାଏ ନାହିଁ ‌। 

କିନ୍ତୁ ଓଡ଼ିଆ ତଥା ତେଲୁଗୁ ଭାଷାରେ କୋଦାମା ସହିତ ସାମଞ୍ଜସ୍ୟ ଥିଵା ଦୁଇଗୋଟି ଶବ୍ଦ ରହିଛି କୋଦମ ଓ କୋଦମା । 

ତେଲୁଗୁ ଭାଷାରେ కొదమ(କୋଦମ) ଶବ୍ଦର ଅର୍ଥ ଯୁଵା, ପଶୁ ଛୁଆ । ସେହିପରି ଯୁଵା ସିଂହକୁ ତେଲୁଗୁ ଭାଷାରେ కొదమసింగము(କୋଦମସିଂଗମୁ) କୁହାଯାଏ । 

ହେଲେ ଓଡ଼ିଆ ଭାଷାରେ କୋଦମା ଶବ୍ଦର ମୁଖ୍ୟତଃ ତିନୋଟି ଅର୍ଥରେ ଵ୍ୟଵହାର ରହିଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ କୋଦମା 
ଶବ୍ଦର ଅର୍ଥ ଘାଣ୍ଟ ତିଅଣ,ସ୍ଥୂଳକାୟ ଓ ମୋଟାସୋଟା ତଥା ଏହି ଶବ୍ଦଟି ମୋଟା ଅର୍ଥରେ ଯାଜପୁର ଜିଲ୍ଲାରେ କଥିତ ହୋଇଥାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୭୯୫ତମ ପୃଷ୍ଠାରେ କୋଦମା ଓ କୋଦମୀ ଶବ୍ଦ ଅଛି ‌।ଭାଷାକୋଷରେ କୋଦା ଶବ୍ଦର ଅର୍ଥ ମୋଟା ଓ କୋଦୁଅ ଧାନ ଲେଖା ହୋଇଥିଵା ବେଳେ କୋଦମା ଶବ୍ଦର ଅର୍ଥ ଲେଖାଅଛି ସ୍ଥୂଳକାୟ,ମୋଟା,ପେଟୁଆ ଓ ଥାକୁଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁମାନ କରାଯାଇଛି ଯେ କୋଦମା ଶବ୍ଦଟି କୋଦାଳ ଵା କୁଦ୍ଦାଳ ସହିତ ସମୋଦ୍ଧୃତ ହୋଇଥାଇପାରେ କାରଣ ମୋଟା ଲୋକେ କୋଡ଼ି ପରି ଚଉଡ଼ା ହୋଇଥାନ୍ତି ‌ । 

ତେବେ ଏତଦଵ୍ୟତୀତ ଆହୁରି ଦୁଇଟି ସମ୍ଭାଵିତ ନିରୁକ୍ତିମତ ଦିଆଯାଇପାରେ । 

କ)କୋଦା/କୁଦା
ଢେଙ୍କାନାଳ ଜିଲ୍ଲାରେ ହନୁମାଙ୍କଡ଼ଙ୍କ ମୁଖ୍ୟ ବଡ଼ ହନୁକୁ କୋଦା ଵା କୁଦା କୁହାଯାଏ । କେଉଁଠି କେଉଁଠି ହନୁମାଙ୍କଡ଼ଙ୍କ ମୁଖିଆ ହନୁକୁ ଗୋଦା ମଧ୍ୟ କୁହନ୍ତି । ଏହି ମୁଖିଆ ହନୁମାଙ୍କଡ଼ଟି ହୃଷ୍ଟପୁଷ୍ଟ ଓ ମୋଟା ହୋଇଥାଏ । ସମ୍ଭଵତଃ ଏହି ମୁଖିଆ ହନୁମାଙ୍କଡ଼ ରାଗିଲେ ଵା ଡରିଲେ ବହୁତ କୁଦାକୁଦି ଵା ଡିଆଁଡେଇଁ କରେ ବୋଲି ଏହାକୁ କୋଦା ଵା କୁଦା ନାମ ଦିଆଯାଇଛି । ତେବେ କୋଦା ହନୁ ସହିତ ତୁଳନା କରି କୋଦା ହନୁମାଙ୍କଡ଼ ପରି ମୋଟା ଲୋକକୁ କୋଦମା କୁହାଯାଇଥାଇପାରେ ‌। 


ଖ)କୋଦ/କୋଦା/କୋଦୁଅ/କୁଦୁଅ
Paspalum scrobiculatum
ଵା କୋଦୁଅ ଏକ ଖାଦ୍ୟଶସ୍ୟ ଏଵଂ ଓଡ଼ିଶାରେ ଏହି ଖାଦ୍ୟଶସ୍ୟ ଚାଷ ମଧ୍ୟ ହୋଇଥାଏ(ଚିତ୍ର—୩) । ଏହାକୁ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ କୋଦ,କୋଦା,କୁଦୁଅ,କୋଦୁଅ ଆଦି ନାମରେ ଜଣାଯାଏ ‌ । ଧାନର ଶସ୍ୟ ଅପେକ୍ଷା କୋଦୁଅର ଶସ୍ୟ ଦେଖିଵାକୁ ମୋଟା ହୋଇଥାଏ । ବୋଧହୁଏ ସେଥିପାଇଁ କୋଦୁଅ ଆଧାରରେ ମୋଟା ଲୋକଙ୍କୁ କୋଦା ଓ କୋଦମା ନାମକରଣ କରାଯାଇଛି । 

ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ କୋଦମା ବୋଲି ଏକ ପଞ୍ଚାୟତ ଅଛି ସେହିପରି ଓଡ଼ିଶାରେ କ୍ଷତ୍ରିୟମାନଙ୍କର କୋଦମାସିଂହ ସାଙ୍ଗିଆ ବି ରହିଛି(ଚିତ୍ର —୩) । 


ଓଡ଼ିଆ ଭାଷାରେ ମୋଟା ଅର୍ଥରେ ପ୍ରଚଳିତ କୋଦମା ଶବ୍ଦଟି ସହିତ ତେଲୁଗୁ కొదమ(କୋଦମ) ଶବ୍ଦର ଅର୍ଥଗତ ସାମ୍ୟ ନାହିଁ । କାରଣ ତେଲୁଗୁ ଭାଷାରେ ଛୋଟ ପଶୁଶାଵକ ଓ ତଥା ଯୁଵା ଅର୍ଥରେ କୋଦମ ଶବ୍ଦ ପ୍ରୟୋଗ ହେଲାବେଳେ ଓଡ଼ିଆ ଭାଷାରେ କୋଦା ଶବ୍ଦଟି 
କୁଦାହନୁ ଵା ମୁଖିଆ ହନୁ,କୋଦୁଅ ଓ ମୋଟା ତଥା କୋଦମା ଶବ୍ଦ ଘାଣ୍ଟତିଅଣ,ମୋଟା,ସ୍ଥୂଳକାୟ ଅର୍ଥରେ ପ୍ରୟୋଗ ହେଉଅଛି । 

ତେବେ ଓଡ଼ିଶାରେ ପ୍ରଚଳିତ କ୍ଷତ୍ରିୟମାନଙ୍କର କୋଦମାସିଂହ ସାଙ୍ଗିଆ ସହିତ ତେଲୁଗୁ ଭାଷାରେ ପ୍ରଚଳିତ ଯୁଵାସିଂହ ଅର୍ଥଜ కొదమసింగము(କୋଦମସିଂଗମୁ)ର ସମୋଦ୍ଧୃତଗତ ସମ୍ପର୍କ ଥିଵା ସମ୍ଭଵ । ଏହା ମଧ୍ୟ ହୋଇପାରେ ଯେ ଓଡ଼ିଆ କୋଦମା ଶବ୍ଦଟି ମୋଟା ଆକାର ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କୋଦମାସିଂହ ସାଙ୍ଗିଆ ମଧ୍ୟରେ କୋଦମା ଶବ୍ଦକୁ ଵିଶାଳ , ବଡ଼ ଅର୍ଥରେ ଵ୍ୟଵହାର କରି କୋଦମାସିଂହ ସାଙ୍ଗିଆ ସୃଷ୍ଟି ହୋଇଛି । 

ସେ ଯାହା ହେଉ ଓଡ଼ିଶାରେ କୋଦମା ଶବ୍ଦ ଅଛି କିନ୍ତୁ କୋଦାମା ବୋଲି କୌଣସି ଶବ୍ଦ ପ୍ରଚଳିତ ଥିଵା ଜଣାଯାଏ ନାହିଁ ‌ । ଆପଣଙ୍କ ଅଞ୍ଚଳରେ କୋଦାମା ବୋଲି କୌଣସି ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Monday, November 14, 2022

ଵୈଦେଶିକ ମସଲା ଶବ୍ଦର ଓଡ଼ିଆ ପ୍ରତିଶବ୍ଦ


'ମସଲା' ଶବ୍ଦଟିକୁ ଆମେ ଆମ ଦୈନନ୍ଦିନ ଜୀଵନରେ ବହୁଳ ଭାବରେ ଵିଭିନ୍ନ ଅର୍ଥରେ ଵ୍ୟଵହାର କରନ୍ତି କିନ୍ତୁ ଏହି ମସଲା ଶବ୍ଦଟି ପ୍ରକୃତରେ ଏକ ଵୈଦେଶିକ ଶବ୍ଦ । ମୂଳତଃ ଏହା ଏକ ପାର୍ସୀ ଶବ୍ଦ مصالح‎ (maṣālih)ରୁ ନିଆଯାଇଛି।ସେହିପରି ପାର୍ସୀ ଭାଷାରେ مصالح(maṣālih)‎ ଶବ୍ଦଟି ଆରବିକ صَلَحَ‎ (ṣalaḥa, “be fit, usable”) ଶବ୍ଦକୁ ନେଇ ସୃଷ୍ଟି ହୋଇଛି ‌। 

ଓଡ଼ିଆ ଭାଷାରେ ଵିଶେଷତଃ ନିଷ୍ଠାନ ଵା spices ଅର୍ଥରେ ମସଲା ଶବ୍ଦ ଵ୍ୟଵହୃତ ହୋଇଥାଏ ତେବେ ଏ ଶବ୍ଦର ଆହୁରି ଅନେକ ଅର୍ଥରେ ଵ୍ୟଵହାର ରହିଛି ‌ । ଯଥା— 

କ)ମାଛ ଧରିଵା ପାଇଁ ଵ୍ୟଵହୃତ ଚାରା

ଖ)ଘର ତିଆରିରେ ଲାଗିଵା ବାଲି ଓ ସିମେଣ୍ଟର ମିଶ୍ରଣ 

ଗ)ତମାଖୁ ଵା ଧୂଆଁ ପତ୍ରର ଗୁଣ୍ଡା ସଙ୍ଗେ ଧନିଆ ଓ ପାନମହୁରୀ ଆଦି ମିଶାଯାଇ ପାନ ସଙ୍ଗେ ଖିଆଯିଵା ଗୁଣ୍ଡି

ଘ)ବୁଦ୍ଧି ଵା ମଗଜ(ଲକ୍ଷଣାର୍ଥ)

ଙ)ଦକ୍ଷତା(ଲକ୍ଷଣାର୍ଥ)

ତେବେ ପ୍ରଶ୍ନ ଉଠେ ଯଦି "ମସଲା" ଏକ ଵୈଦେଶିକ ଶବ୍ଦ ଏଵଂ ମୂଳତଃ ମୁସଲିମମାନଙ୍କ ଦ୍ଵାରା ପ୍ରଦତ୍ତ ଶବ୍ଦ ତାହେଲେ ତିନି ସହସ୍ରାଧିକ ଵର୍ଷ ପୁରାତନ ଓଡ଼ିଆ ତଥା ସଂସ୍କୃତ ଭାଷାରେ କ'ଣ ମସଲା ଅର୍ଥଜ କୌଣସି ଶବ୍ଦ ପୂର୍ଵେ ଚଳୁଥିଲା କି ?

ହଁ ଚଳୁଥିଲା କିନ୍ତୁ ଵୈଦେଶିକ ମସଲା ଶବ୍ଦର ବହୁଳ ଭାବରେ ପ୍ରୟୋଗ ଯୋଗୁଁ ଆମ ଦେଶର ମସଲା ଅର୍ଥଜ ଶବ୍ଦଗୁଡ଼ିକ ଅଧୁନା ଅପ୍ରଚଳିତ ହୋଇଯାଇଛି । 

ପ୍ରାଚୀନ ଭାରତରେ ମସଲାକୁ ସମ୍ବାର(ଏଥିରୁ ଦାକ୍ଷିଣାତ୍ୟର ସାମ୍ବର ତୁଣର ନାମକରଣ କରାଯାଇଛି),ନିଷ୍ଠାନ,ପରିଵ୍ୟୟ ଇତ୍ୟାଦି କୁହାଯାଉଥିଲା । ଭାରତରେ ଏକ ଜାତୀୟ ମସଲାକୁ ତ୍ରିଜାତ କୁହାଯାଉଥିଲା ଏଥିରେ ତିନିପ୍ରକାରର ଗନ୍ଧଦ୍ରଵ୍ୟ ମିଶୁଥିଲା ସେହିଭଳି ତ୍ରିକଟୁ,ପଞ୍ଚକୋଳ,ଶ୍ଲେଷ୍ମଘ୍ନୀ,ଚତୁରୁଷଣ,କଟୁତ୍ରୟ ଭଳି ନାନାଜାତୀୟ ଗନ୍ଧଦ୍ରଵ୍ୟ ମିଶ୍ରିତ ମସଲାର ନାମକରଣ ‌ହୋଇଥିଲା । 

ପ୍ରକୃତରେ ଭାରତରେ ଯେହେତୁ ଵିଭିନ୍ନ ପ୍ରକାରର ମସଲା ଯଥା ହଳଦୀ,ଅଦା,ପିଆଜ,ରସଣ ଆଦି ପାଇଁ ଵିଭିନ୍ନ ନାମ ଥିଲା ତେଣୁ ଏସବୁର ସାମୁହିକ ମିଶ୍ରଣର ନାମକରଣ କରିଵାକୁ ଲୋକେ ସେତେଟା ଆଗ୍ରହ ପ୍ରକାଶ କରିନଥିଲେ । ତେବେ ତଥାପି ସମ୍ବାର,ନିଷ୍ଠାନ ଭଳି ଏକାଧିକ ଶବ୍ଦ ଭାରତରେ ମସଲା ଅର୍ଥରେ ପ୍ରଚଳିତ ଥିଲା ପୁଣି ଭିନ୍ନ ଭିନ୍ନ ଗନ୍ଧଦ୍ରଵ୍ୟ ଯୁକ୍ତ ମସଲାର ମଧ୍ୟ ଭିନ୍ନ ଭିନ୍ନ ନାମକରଣ କରାଯାଇଥିଲା । 

 ଆଗେ କଞ୍ଚା ମସଲାର ଵ୍ୟଵହାର ଅଧିକ ଥିଲା ତେବେ ଯୁଗ ବଦଳିଲା ଲୋକେ ଧିରେ ଧିରେ ଶୁଖିଲା ଗୁଣ୍ଡ ମସଲା ମଧ୍ୟ ଵ୍ୟଵହାର କରିଵାକୁ ଲାଗିଲେ କିନ୍ତୁ ବଟା ମସଲାର ଆଦର ବିଂଶ ଶତାବ୍ଦୀର ନବେ ଦଶକ ଯାଏଁ ଭାରତୀୟମାନଙ୍କର ପ୍ରଥମ ପସନ୍ଦ ଥିଲା । ଆଜି ମଧ୍ୟ ଭାରତରେ ବଟା ମସଲାକୁ ଲୋକେ ଅଧିକ ମହତ୍ତ୍ଵ ଦିଅନ୍ତି କିନ୍ତୁ ହାଟ ଵିପଣିରେ କ୍ରମେ ଗୁଣ୍ଡ ମସଲାର ଚାହିଦା ବଢ଼ିଛି ଏଵଂ ପ୍ଲାଷ୍ଟିକ ଜରିରେ ପ୍ଯାକ୍ ହୋଇ ବିକ୍ରି ହେଉଥିଵା ଗୁଣ୍ଡ ମସଲାକୁ ଲୋକେ ଏବେ ଅଧିକ ପରିମାଣରେ କିଣୁଛନ୍ତି ।

ଓଡ଼ିଶାରେ ମୁସଲମାନମାନଙ୍କ ଆଗମନ ପୂର୍ଵରୁ ଶିଳରେ ବଟା ଯାଇଥିଵା ମସଲାକୁ ବାଟଣ,ବାଟଣା ଓ ବାଟେଣା କୁହାଯାଉଥିଲା ‌।‌କେତେକ ଅଞ୍ଚଳରେ ଏହି ବଟା ମସଲାକୁ ଫୁଟଣା/ଫୁଟୁଣା/ଫୁଟା ମଧ୍ୟ କୁହାଯାଉଥିଲା । କେତେକ ଅଞ୍ଚଳରେ ଲୋକେ ଗୋଟାମସଲାକୁ ହାଣ୍ଡିଫୁଟା ବି କହୁଥିଲେ ‌ । ଉତ୍ତର ଓଡ଼ିଶାରେ ହାଣ୍ଡିଫୁଟା ମସଲାକୁ ସ୍ଥାନୀୟ ଲୋକେ ସୁମୁରା କହୁଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ପୁଣି କେତେକ ଅଞ୍ଚଳରେ ତିଅଣରେ ଦିଆଯାଉଥିଵା ମସଲାବଟା ପାଣିକୁ ପିଠୁଆର କହୁଥିଲେ । ଗଡ଼ଜାତ ଓଡ଼ିଶା ତଥା ପଶ୍ଚିମ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ ମସଲାକୁ ବେଶବାର କୁହାଯାଉଥିଲା । କେଵଳ ସୋରିଷ ବଟାକୁ ବେସର କୁହାଯାଉଥିଲା । 

ପ୍ରାଚୀନ କାଳରେ ଓଡ଼ିଶାରେ ମସଲା ବିକ୍ରି ପାଇଁ ସ୍ଵତନ୍ତ୍ର ସାଧଵଗୋଷ୍ଠୀ ସୃଷ୍ଟି ହୋଇଥିଲେ ସେମାନଙ୍କୁ ଗନ୍ଧବଣିକ ଓ ପୋଟଳି ବଣିଆ କୁହାଯାଉଥିଲା । ନାନା ଗନ୍ଧଦ୍ରଵ୍ୟ(ମସଲା) ବିକ୍ରି କରୁଥିଲେ ବୋଲି ଏମାନଙ୍କୁ ଲୋକେ ଗନ୍ଧବଣିକ କହୁଥିଲେ । ଏକ ସମୟରେ ସମସ୍ତପ୍ରକାରର ଔଷଧାଦି ମସଲାକୁ ସାମୁହିକ ଭାବରେ ଗନ୍ଧଦ୍ରଵ୍ୟ କୁହାଯାଉଥିଲା । ଏହି ଗନ୍ଧବଣିକମାନେ ମସଲା ଆଦିର ପୋଟଳା ବାନ୍ଧି ଗରାଖକୁ ଦେଉଥିଲେ ବୋଲି ଏମାନଙ୍କୁ ପୋଟଳି ବଣିକ କୁହାଯାଉଥିଲା । ଆଜି ଯେଉଁ ପ୍ଲାଷ୍ଟିକ ପୁଡ଼ିଆରେ ମସଲା ବିକ୍ରିର ପରମ୍ପରା ଚଳୁଛି ତହିଁର ପରମ୍ପରା ଭାରତରେ ଵିଶେଷତଃ ଓଡ଼ିଶାରେ ଏହି ଗନ୍ଧବଣିକ ଵା ପୋଟଳି ବଣିଆମାନେ ହିଁ ଥିଲେ । ଏମାନେ ଵିଦେଶରେ ତଥା ଦେଶ ମଧ୍ୟରେ ମସଲା ବିକ୍ରି କରୁଥିଲେ । 

ପ୍ରାଚୀନ କାଳରେ ପୋଟଳି ବଣିକଠାରୁ କିଣିଥିଵା ଗୁଣ୍ଡ ମସଲାକୁ ଧନିକ ଲୋକେ ଅନେକ ଘରା ଥିଵା ରୂପାର ପାତ୍ର ଵା ଚାଙ୍ଗୁଡ଼ାରେ ରଖୁଥିଲେ ତାକୁ ଚଉଘରା କୁହାଯାଉଥିଲା । 

ଓଡ଼ିଶାରେ ପିଠଉ ଭଳି ପାଣିଆ ପାଣିଆ ମସଲପାଣିକୁ ପିଠୁଆର କୁହାଯାଉଥିଲା । 

ଯେଉଁ କଞ୍ଚା ମସଲାକୁ ଶିଳରେ ବଟାଯାଇ ପ୍ରସ୍ତୁତ ହେଉଥିଲା ତାକୁ ବାଟଣ,ବାଟଣା ଓ ବାଟେଣା କୁହାଯାଉଥିଲା । 

ତରକାରୀ ଆଦି ଘିଅ ଵା ତେଲରେ ବଘାରିଵା ପାଇଁ ଵ୍ୟଵହୃତ ଏହି ଜାତୀୟ ମସଲାକୁ କୋଉଠି କୋଉଠି ଫୁଟା,ଫୁଟଣା ଓ ଫୁଟୁଣା କୁହାଯାଉଥିଲା । 

ଏହି ଗୋଟାମସଲାକୁ ହାଣ୍ଡିରେ ତେଲ ସହିତ ବଘାରିଵା ସମୟରେ ଫୁଟ୍ ଫୁଟ୍ ଶବ୍ଦ କରେ ବୋଲି ତାକୁ ଓଡ଼ିଶାରେ ଲୋକେ ହାଣ୍ଡିଫୁଟା କହୁଥିଲେ ଏଵଂ ପରେ ମସଲା ଶବ୍ଦର ଆଗମନ ପରେ ଏହାକୁ ହାଣ୍ଡି ମସଲା କୁହାଗଲା । ପ୍ରକୃତରେ ହାଣ୍ଡିଫୁଟା ମସଲା ବଟା ଯାଉନଥିଲା ଵରଂ ଗୋଟା ତିଅଣରେ ପଡ଼ୁଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ତିଅଣ ବଘାରିଵା ପାଇଁ ନିଆଁ ଉପରେ ସ୍ଥାପିତ ହାଣ୍ଡିରେ ଘିଅ ଵା ତେଲ ଦେଇ ସେ ତେଲ ଜାରିହେଵାପରେ ସେଥିରେ ଗୋଟା ସୋରିଷ, ଲଙ୍କାମରିଚ, ମେଥି, ପାନମହୁରୀ, କଳାଜୀରା ଓ ଜୀରାଆଦି ମସଲା ଦେଇ ଫୁଟାଯାଉଥିଲା ଏଵଂ ଏହି ଗୋଟା ମସଲାକୁ ହିଁ ହାଣ୍ଡିଫୁଟା କୁହାଯାଉଥିଲା । କେହି କେହି ଏହି ଜାତୀୟ ମସଲାକୁ ଅବଟା ମସଲା କହୁଥିଲେ । ଉତ୍ତର ଓଡ଼ିଶାରେ ହାଣ୍ଡିଫୁଟା ମସଲାକୁ ଲୋକେ ସୁମୁରା କହୁଥିଲେ । ଓଷଧି ଦ୍ରଵ୍ୟ ମିଶ୍ରିତ କୁଟା ମସଲାକୁ ଓଡ଼ିଶାରେ ମଥାଘଷା ଓ ସୁନ୍ଦା(ସୁଗନ୍ଧା ?) କହୁଥିଲେ । ଏହି ମଥାଘଷା ଵା ସୁନ୍ଦା ଔଷଧ ରୂପେ ଵ୍ୟଵହୃତ ହେଉଥିଲା । ଏହିପରି Sauce ଜାତୀୟ ଖାଦ୍ୟଦ୍ରଵ୍ଯକୁ ଆଗେ ଓଡ଼ିଶାରେ ଚଟୁଣୀ କୁହାଯାଉଥିଲା । 


ଆମ ପାଖରେ ମସଲା ପାଇଁ ବାଟଣା(ବାଟଣ,ବାଟେଣା),ଫୁଟଣା(ଫୁଟା,ଫୁଟୁଣା),ହାଣ୍ଡିଫୁଟା,ସୁମୁରା ,ବେଶବର ଓ ପିଠୁଆର ଭଳି ଅନେକ ଶବ୍ଦ ଥିଲା ବେଳେ ମସଲା ଶବ୍ଦ ଆସି ପ୍ରଚଳିତ ହେଵାରୁ ଏସବୁ ଶବ୍ଦ କ୍ରମେ ନଗରାଞ୍ଚଳ ଓ ଶେଷରେ ଗ୍ରାମାଞ୍ଚଳରୁ ଲୁପ୍ତ ହୋଇଗଲାଣି । 

କିନ୍ତୁ ଏତେ ସବୁ ଶବ୍ଦ ଥାଇ ମଧ୍ୟ ଓଡ଼ିଶାରେ ପାର୍ସୀ ମୂଳର ଵୈଦେଶିକ ମସଲା ଆସି କେମିତି ପ୍ରଚଳିତ ହୋଇପାରିଥିଲା ? 

ଏଠାରେ ବୁଝିଵାକୁ ହେଵ ଯେ ଭାରତରେ ଗୁଣ୍ଡ ମସଲା ଅପେକ୍ଷା ବଟାମସଲାର ପ୍ରୂଚଳନ ଅଧିକ ଥିଲା କାରଣ ଆମ ଦେଶରେ ସବୁ ପ୍ରକାରର ମସଲା କଞ୍ଚା ମିଳିଯାଏ କିନ୍ତୁ ଭାରତୀୟ ମସଲାକୁ ମଧ୍ୟପ୍ରାଚ୍ୟ ତଥା ୟୁରୋପୀୟ ଲୋକେ ଗୁଣ୍ଡ କରି ଅଧିକ ଵ୍ୟଵହାର କରୁଥିଲେ । 

ସମ୍ଭଵତଃ ଓଡ଼ିଆ ଭାଷାରେ ପ୍ରଥମେ ପ୍ରଥମେ କେଵଳ ଗୁଣ୍ଡ ମସଲାକୁ ହିଁ ମସଲା କୁହାଯାଉଥିଲା ଯହିଁରେ ନାନା ଜାତୀୟ ଗନ୍ଧଦ୍ରଵ୍ୟ ମିଶ୍ରିତ ହେଉଥିଲା ପରେ ଲୋକେ ବଟାମସଲାକୁ ମଧ୍ୟ ମସଲା କହିଵାକୁ ଲାଗିଲେ ଫଳତଃ ଅଧୁନା ସବୁ ଜାତୀୟ ଗନ୍ଧଦ୍ରଵ୍ୟର ମିଶ୍ରଣକୁ(ବଟା ଓ ଗୁଣ୍ଡ ଉଭୟ) କେଵଳ ମସଲା କୁହାଯାଉଛି । 

ଭାରତୀୟମାନଙ୍କ ଦ୍ଵାରା ଵିଶ୍ଵ ଭାରତୀୟ ଔଷଧାଦି ଗନ୍ଧଦ୍ରଵ୍ୟଗୁଡ଼ିକ ସହିତ ପ୍ରାଚୀନ କାଳରୁ ପରିଚିତ ହୋଇଥିଲା । ଭାରତୀୟ ଗନ୍ଧଦ୍ରଵ୍ୟ ଯୋଗୁଁ ମଧ୍ୟ ପ୍ରାଚ୍ୟ ତଥା ୟୁରୋପୀୟ ଦେଶଗୁଡ଼ିକରେ ଲୋକେ ଭଲ ଖାଦ୍ୟ 
ଖାଉଥିଲେ ନିରୋଗ ରହୁଥିଲେ । ତେବେ ଏହା ଏକ ନିଷ୍ଠୁର ସତ୍ୟ ଯେ ପ୍ରତିଦାନ ସ୍ବରୂପ ମଧ୍ୟପ୍ରାଚ୍ୟ ତଥା ୟୁରୋପୀୟ ଜାତିମାନେ ପ୍ରାଚୀନ ଭାରତୀୟଙ୍କୁ ଦେଲେ ଗନ୍ଧଦ୍ରଵ୍ୟ ପାଇଁ ତାଙ୍କର ମସଲା ଓ spices ଭଳି ଶବ୍ଦ ତଥା ଭାରତ ଉପରେ ଘନ ଘନ ଆକ୍ରମଣର କଷଣ । ମାନଵ ଇତିହାସରେ କୃତଘ୍ନତାର ଏହାଠାରୁ ବଡ଼ ଉଦାହରଣ ଆଉ କୋଉଠି ଦେଖିଵାକୁ ମିଳେନାହିଁ । ତଥାପି ଭାରତୀୟମାନେ ଵିଶ୍ଵଵାଶୀଙ୍କଠାରୁ ନାନା ଅନ୍ୟାୟ ଅତ୍ୟାଚାର କଷଣ ଵିଶ୍ବାସଘାତକତା ସହି ମଧ୍ୟ ପ୍ରାଚୀନ କାଳରୁ ଏଯାଵତ୍ ଵସୁଧୈଵ କୁଟୁମ୍ବକମ୍‌'ର ମନ୍ତ୍ର ଵିଶ୍ଵରେ ଗାଇ ଚାଲିଛନ୍ତି । 

•••••••••••••••••••••••••••
ଶିଶିର ସାହୁ ମନୋଜ
କନ୍ତିଓ ପୁଟସାହି(ପାରିମାଳ)
ଫୋନ— 9328629910
ତଥ୍ୟ ଉତ୍ସ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, କଥିତ ଓଡ଼ିଆ ଶବ୍ଦକୋଷ, ସଂସ୍କୃତ କଳ୍ପଦ୍ରୁମ, ହିନ୍ଦୀ ଶବ୍ଦସାଗର,Hayyim persian English dictionary, ଓଡ଼ିଆ ଲୋକ ସାଂସ୍କୃତି ଶବ୍ଦକୋଷ ଇତ୍ୟାଦି)

Monday, November 7, 2022

ବୋଇତ ଶବ୍ଦ ଯୁକ୍ତ ଓଡ଼ିଆ ଶବ୍ଦ ସମ୍ଭାର:



🔴(ଫଳ/ପନିପରିଵାରେ ବୋଇତ)
(କ)ବୋଇତାଳୁ— କେତେକ ଅଞ୍ଚଳରେ ଏହାକ କଖାରୁ କୁହାଯାଏ କେତେକ ଅଞ୍ଚଳରେ ମଖନା କୁହାଯାଏ । କଥିତ ହୁଏ ପୂର୍ଵକାଳରେ ବୋଇତିଆଳମାନେ ଏହାକୁ ବୋଇତରେ ନେଇଯାଉଥିଵାରୁ ଏହାର ନାମକରଣ ଏପରି କରାଯାଇଛି । ମତାନ୍ତରେ କଖାରୁ ଵା ବୋଇତାଳୁ ମୂଳତଃ ଏକ ଵୈଦେଶିକ ଲତିକା ଵିଶେଷତଃ ଆମେରିକା ମହାଦେଶର ଲତିକା ଅଟେ । ଏହା ଵୈଦେଶିକମାନଙ୍କ ଦ୍ଵାରା ପ୍ରଥମେ ଓଡ଼ିଶାକୁ ଅଣାଯାଇଥିଵାରୁ ଏହାର ନାମକରଣ ବୋଇତାଳୁ ହୋଇଥିଲା । ଅନ୍ୟ ଏକ ମତ ଅନୁସାରେ ବୋଇତାଳୁ ପରିଵାର ଖୋଳପାକୁ ଶୁଖାଇ ପୂର୍ଵକାଳରେ ପିଲାଏ ଡଙ୍ଗା କରି ଭସାଉଥିଲେ ଵା ବୋଇତ ଭସାଣୀ ସମୟରେ ଏହାର ଖୋଳପାକୁ ଡଙ୍ଗା କରି ଭସା ଯାଉଥିଲା ବୋଲି ବୋଇତାଳୁ ନାମକରଣ ହୋଇଛି ।

🔴(ଖେଳରେ ବୋଇତ)
(ଖ)କାଞ୍ଜିଗାତ ଖେଳର ଗାତକୁ କେତେକ ଅଞ୍ଚଳରେ ବୋଇତ ଓ କେତେକ ଅଞ୍ଚଳରେ କାଞ୍ଜିଗାତ କୁହାଯାଉଥିଲା । ଏ ଖେଳରେ ଗୋଟିଏ ଧାଡ଼ିରେ ୭ଟି ଗାତ ଥାଏ, କିନ୍ତୁ ୬ଟି ଗାତରେ ୧୨ଖଣ୍ଡି ଲେଖାଏଁ ସାର ରଖାଯାଏ । ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଳିର କାଞ୍ଜିଗାତ ଵା ବୋଇତ। ସେଥିରେ କିଛି ସାର ନ ଥାଏ। ପ୍ରଥମେ ଜଣେ ଖେଳାଳି ଆପଣା ମନଇଚ୍ଛା ଗୋଟିଏ ଗଦାରୁ ସାରଯାକ ଉଠାଇ ଡାହାଣ ଆଡ଼କୁ ଥିଵା ପ୍ରତି ଗାତରେ (କେଵଳ ଵିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଇଯାଏ। ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିଵା ସବୁ ସାରଯାକ ନିଃଶେଷିତ ହୋଇଯାଏ, ତେବେ ସେ ମଲା। ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ଯ ଖେଳାଳିର ଗାତ ଅପେକ୍ଷା ବେଶି ସାର ଥିଵାର ଦେଖାଯାଏ ତେବେ ସେ ଜିତେ। ତା ପରେ ଅନ୍ଯ ଖେଳାଳି ଖେଳେ। 


🔴(ଜାହାଜରେ ଯାଉଥିଲେ ଯେଉଁମାନେ ସେମାନେ ବୋଇତିଆଳ ବୋଲାଉଥିଲେ)
ଗ) ବୋଇତିଆଳ— ପୂର୍ଵକାଳରେ ଵ୍ୟାପାରୀ ,ନାଵିକ,ପୂଜକ,ଜ୍ୟୋତିଷ, ଖଣ୍ଡାୟତ ଵା କ୍ଷତ୍ରିୟମାନେ ବୋଇତିଆଳ ରୂପେ ଯାଉଥିଲେ । ସାଧଵ ଵ୍ୟାପାରୀମାନେ ଵ୍ୟାପାର କରିଵାକୁ ଯାଉଥିଲେ । ପଥ ପ୍ରଦର୍ଶକ ଭାବେ ନାଵିକ ତଥା ଜ୍ୟୋତିଷମାନେ ମଧ୍ୟ ଯାଉଥିଲେ । ସେହିପରି ଶୁଭକାମନା ତଥା ପୂଜାର୍ଚ୍ଚନା ହେତୁ ବ୍ରାହ୍ମଣମାନେ ଯାଉଥିଲେ ଏଵଂ ଏସମସ୍ତଙ୍କୁ ବୋମ୍ବାଟିଆ ଵା ଜଳଦସ୍ୟୁଙ୍କଠାରୁ ରକ୍ଷା କରିଵା ହେତୁକ ଖଣ୍ଡାୟତ ଵା କ୍ଷତ୍ରିୟମାନେ ବୋଇତରେ ରକ୍ଷକର କାର୍ଯ୍ୟ ତୁଲାଉଥିଲେ । 

🔴(କୁଦର ନାମ ବୋଇତକୁଦ )
(ଘ)ବୋଇତକୁଦ— ବୋଇତ ଯେଉଁ କୁଦରେ ଲାଗେ ତାହା ବୋଇତକୁଦ ବୋଲାଏ । କୌଣସି କୌଣସି ନଦୀର ମୁହାଁଣରେ କୂଳ ଖୋଳା ହୋଇ କୂଳଆଡ଼କୁ ଲାଗି ଯେଉଁ କୁଦ ଦୁଇଟି କରାଯାଇ ଥାଏ ଓ ବୋଇତ ସମୁଦ୍ରରୁ ଆସି ଯହିଁର ମଝିରେ ରହେ ତାକୁ ବୋଇତକୁଦ କୁହାଯାଉଥିଲା । ପ୍ରାଚୀ ନଦୀକୂଳରୁ ପ୍ରାୟ ୧/୪ ମାଇଲ ଦୂର ଯାଏଁ ଜମି ଖୋଳାଯାଇ, ତାହାର ଦୁଇ ଦିଗରେ ଦୁଇଟି ମାଟିକୁଦ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସେହି ସ୍ତୂପ ଦ୍ୱୟର ମଧ୍ୟସ୍ଥାନକୁ ଆସି ବୋଇତମାନ ରହୁଥିଲା । ତୁଳସୀପୁର ନାମକ ସ୍ଥାନର କିୟତ୍ ଦୂରରେ ସେହିପରି ଗୋଟିଏ କୁଦରେ ଗୋଟିଏ ପ୍ରକାଣ୍ଡ ଲୁହା ଶାବଳ ପୋତା ଯାଇଥିଲା । ବୋଧହୁଏ ଦଉଡ଼ିଦ୍ୱାରା ବୋଇତମାନ ସେହି ଶାବଳରେ ଖଟାଇ ରଖା ଯାଉଥିଲା । 

🔴(ବୋଇତ ଲଙ୍ଗର ପକାଇଵାର ଓଡ଼ିଆ କ୍ରିୟା ପ୍ରତିଶବ୍ଦ)

(ଙ)ବୋଇତ ଖଟାଇଵା ଵା ବୋଇତ ଖଟେଇଵା—

ଆଗକାଳରେ ବୋଇତ ଵା ଜାହାଜକୁ କୌଣସି ସ୍ଥାନରେ ନଙ୍ଗର କରିଵାକୁ ବୋଇତ ଖଟାଇଵା/ଖଟେଇଵା କୁହାଯାଉଥିଲା । ଏ ଶବ୍ଦ ଅଧୁନା ପ୍ରାୟତଃ ଵିଲୁପ୍ତ । 


🔴(ବୋଇତ ସମ୍ବନ୍ଧୀୟ ପରମ୍ପରା)
(ଚ)ବୋଇତ ବନ୍ଦାଇଵା/,ବନ୍ଦେଇଵା

ବାଣିଜ୍ୟପୋତ ଵ୍ୟଵସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିଵା ସମୟରେ ଓ ବିଦେଶରୁ ଫେରିଆସିଵା ସମୟରେ ଆଗେ ସାଧଵ ବଣିକମାନଙ୍କ ସାଧବାଣୀ ସ୍ତ୍ରୀମାନେ ସାତଦୀପ ଆଦି ଦ୍ୱାରା ଵାଣିଜ୍ୟପୋତକୁ ବନ୍ଦାପନା କରୁଥିଲେ ତାକୁ ବୋଇତ ବନ୍ଦାଣ କୁହାଯାଉଥିଲା । ପରଵର୍ତ୍ତୀକାଳରେ ନୌଵାଣିଜ୍ୟ ବନ୍ଦ ହେଵା ପରେ ଏହା ସାଂସ୍କୃତିକ ପରମ୍ପରାରେ ପରିଣତ ହେଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ବଣିକ ପରିଵାରର ସ୍ତ୍ରୀମାନେ ଫୁଲ ଓ ସାତଦୀପ ନେଇ ବୋଇତକୁ ବନ୍ଦାପନା କରୁଥିଲେ । ଭାଷାକୋଷ ଲେଖନ ସମୟରେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ଏ‌ହି ପରମ୍ପରା ଏବେ କେଵଳ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଶୟଙ୍କ ଭଳି କେତେକ ସାଧଵ ପରିଵାର ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଅଟେ । ସେହିପରି ରଜ ସଂକ୍ରାନ୍ତି ଵା ତତ୍ ପରଦିନ ଅର୍ଥାତ୍ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ ବୋଲି ଭାଷାକୋଷରେ ଲେଖାଅଛି। ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ ବୋଲି ସହଜେ ଅନୁମେୟ କାରଣ ପୂର୍ଵକାଳରେ ସାଧାରଣତଃ ମହାଵିଷୁଵ ପଣା ସଂକ୍ରାନ୍ତିଠାରୁ ରଜସଂକ୍ରାନ୍ତି ମଧ୍ୟରେ ଵିଦେଶକୁ ଯାଇଥିଵା ବୋଇତିଆଳମାନେ ଘରକୁ ବାହୁଡ଼ି ଆସୁଥିଲେ ଏଵଂ ରଜସଂକ୍ରାନ୍ତି ବେଳକୁ ପ୍ରାୟ ସମସ୍ତ ବୋଇତିଆଳ ଗରକୁ ଫେରି ଆସୁଥିଲେ । ତାହା ପରେ ଫରି ଆସିଥିଵା ବୋଇତକୁ ବନ୍ଦାପନା କରାଯିଵା ସହିତ ମଙ୍ଗଳା ଓ ଗଙ୍ଗାମାତାଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ରଜ ସଂକ୍ରାନ୍ତି ଵା ତତ୍ପରଦିନ ବୋଇତ ବନ୍ଦାଣ ପରମ୍ପରା ଆଉ ବଞ୍ଚିଛି କି ଲୁପ୍ତ ତାହା ଅସ୍ପଷ୍ଟ । 

🔴(ବୋଇତ ସମ୍ବନ୍ଧୀୟ ପର୍ଵ)
(ଛ)ବୋଇତ ଭସାଣ—
ଓଡ଼ିଶାର ଲୋକେ ଅଧୁନା କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇଵାକୁ ନଦୀକୁ ପ୍ରତ୍ୟୂଷକୁ ଯାଉଅଛନ୍ତି । ଏହା ପ୍ରାଚୀନ ବୋଇତ ଗମନ ସ୍ମୃତିରେ ବଞ୍ଚି ରହିଥିଵା ଓଡ଼ିଆ ପରମ୍ପରା ମାତ୍ର । କାର୍ତ୍ତିକ ମାସରେ ଶ୍ରୀଲକ୍ଷ୍ମୀଙ୍କୁ ଆରାଧନା କରିସାରିଵା ପରେ ଵିଦେଶକୁ ଯିଵାକୁ ଥିଵା ବୋଇତରେ ମୂଲ୍ୟଵାନ ସୂକ୍ଷ୍ମ ଵସ୍ତ୍ର ଓ ସମ୍ବଲପୁରୀ ପାଟ ଆଦି ଵସ୍ତ୍ର,ଚିଲିକାରୁ ପ୍ରାପ୍ତ ମୋତି,ତାରକସି ଅଳଙ୍କାର,ଚାଉଳ ଓ ଭାରତୀୟ ମସଲା ତଥା ଭାରତୀୟ ଔଷଧ ଆଦି ବୋଝେଇ ହେଉଥିଲା । କାର୍ତ୍ତିକ ଅମାଵାସ୍ୟାରେ ବୋଝେଇ ହୋଇ ରହିଥିଵା ବୋଇତକୁ ବନ୍ଦାପନା କରାଯାଉଥିଲା ଏଵଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଗୁଡି଼କୁ ଓଡ଼ିଶାର ଲୋକେ ଵିଦା କରିଵାକୁ ନଦୀ ତଥା ସମୁଦ୍ର କୂଳକୁ ଆସୁଥିଲା । ଏହି ସମୟରେ ବୋଇତାଳଙ୍କ ଶୁଭ ମନାସିଵାକୁ ଯାଇ ଭଗଵାନ ଶିଵ,ଗଙ୍ଗାମାତା ତଥା ମାଆ ମଙ୍ଗଳାଙ୍କର ଆରାଧନା କରାଯାଉଥିଲା । 

🔴ବୋଇତ ସମ୍ବନ୍ଧୀୟ ଲକ୍ଷଣାର୍ଥକ ଶବ୍ଦ
(ଜ)ବୋଇତ ବୁଡ଼ିବା—

ଜାହାଜ ଶବ୍ଦ ଵୈଦେଶିକ ଆଗେ ଜାହାଜ ବୁଡ଼ିଵା ନକହି ଓଡ଼ିଆମାନେ ବୋଇତ ବୁଡ଼ିଵା କହୁଥିଲେ । ତେବେ ଏ ଶବ୍ଦଟି ଲକ୍ଷଣାର୍ଥ ଜୀଵିକା ନିର୍ଵାହର ଉପାୟ ଵା ଆଶା ଭାଙ୍ଗିଯିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । ଅଧୁନା ଏହାର ପ୍ରୟୋଗ କ୍ଵଚିତ ଦେଖାଯାଏ ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନିତ ହୋଇଅଛି । 

🔴ବୋଇତ ନାମରେ ତୁଠ
(ଝ)ବୋଇତ ଭଙ୍ଗା ତୁଠ— 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ପୂର୍ଵେ ପୁରୀଜିଲ୍ଲା ଅଣିଆସାହି ଗ୍ରାମ ନିକଟରେ କୁଶଭଦ୍ରା ନଦୀର ତୁଠକୁ ବୋଇତ ଭଙ୍ଗା
ତୁଠ କୁହାଯାଉଥିଲା।ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ପୁସ୍ତକ ଅନୁସାରେ କିମ୍ବଦନ୍ତୀ ଅଛି ଯେ ପ୍ରାଚୀନ କାଳରେ ଏ ନଦୀରେ ବୋଇତ ଯାତାୟତ କରୁଥିଲା ଏଵଂ ଏଠାରେ ଖଣ୍ଡିଏ ବୋଇତ ଭାଙ୍ଗି ବୁଡ଼ି ଯାଇଥିଲା ।‌

🔴(ବୋଇତ ଵା ବୋଇତାଳ ନାମରେ ମନ୍ଦିର)
(ଞ)ବୋଇତାଳ ଦେଉଳ(ବୋଇତିଆଳ ଦେଉଳ, ବୈତାଳ ଦେଉଳ, ବୈତିଆଳ ଦେଉଳ)—
ଭୁବନେଶ୍ୱରରେ କପାଳୀ ଠାକୁରାଣୀଙ୍କ ଦେଉଳକୁ ବୋଇତାଳ ଦେଉଳ କୁହାଯାଏ ‌ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ମନ୍ଦିର ଵିଷୟରେ ଲେଖାଅଛି ଯେ "ଏହା ବୋଇତର ଵା ଜାହାଜର ଆକାରରେ ନିର୍ମିତ ଓ ଜାହାଜର ୩ ଗୋଟି ମାସ୍ତୁଲ ପରି ଏହାର ୩ ଗୋଟି ଅଅଁଳା ଉପରେ ୩ ଗୋଟି ତ୍ରିଶୂଳ ଅଛି । ଏପରି ଗଢ଼ଣର ଦେଉଳ ଭୁବନେଉପରେ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ । ଏହା ମାନ୍ଦ୍ରାଜ ଅଞ୍ଚଳର ଶିଳ୍ପକଳା ଅନୁସାରେ ରଚିତ । ଏ ଦେଉଳରେ କପାଳେଶ୍ୱରୀ ଠାକୁରାଣୀ ଅଛନ୍ତି ।"

🔴ବୋଇତ ନାମରେ ଧାନର ନାମକରଣ
(ଟ)ବୋଇତାଳ ପଖିଆ —
ଏକ ଜାତୀୟ ମୋଟ ଓ ବଡ଼ ଧାନକୁ ବୋଇତାଳ ପଖିଆ କୁହାଯାଉଥିଲା । ଏହି ଧାନର ଏଭଳି ନାମକରଣ ପଛରେ କ'ଣ ଇତିହାସ ରହିଛି ତାହା ଅସ୍ପଷ୍ଟ । ପଖିଆ ଶବ୍ଦଟି ପକ୍ଷରୁ ସୃଷ୍ଟି ହୋଇଛି । ସମ୍ଭଵତଃ ବୋଇତ ଗମନ କାଳରେ ଏହା ଅମଳ କରାଯାଉଥିଲା ବୋଲି ଏହାର ଏଭଳି ନାମକରଣ ହୋଇଥିଲା । ବୋଧହୁଏ ବୋଇତରେ ବୋଇତିଆଳମାନେ ଯେଉଁ ଧାନର ଚାଉଳ ନେଇ ଯାଉଥିଲେ ଏହା ସେହି ବୋଇତପଖିଆ ଧାନ ଥିଲା କାରଣ ଏହା ଏକପ୍ରକାର ଉତ୍କୃଷ୍ଟ ଧାନ ଥିଲା ଯେହେତୁ ଆକାରରେ ମୋଟ ଲମ୍ବା ହେଉଥିଲା ।

🔴(ବୋଇତ ନାମରେ ଵସ୍ତ୍ର)
(ଠ)କଳା ବୋଇତ—
କଳାବୋଇତ— ଏକ ଜାତୀୟ କୃଷ୍ଣଵର୍ଣ୍ଣ ପଟ୍ଟଵସ୍ତ୍ରକୁ ଆଗେ କଳାବୋଇତ କୁହାଯାଉଥିଲା । କୃଷ୍ଣଵର୍ଣ୍ଣ ମୋଟା ସୂତାଲୁଗାକୁ ମଧ୍ୟ କଳାବୋଇତ କୁହାଯାଉଥିଲା । 

“ଝିଅକୁ ପିନ୍ଧାଏ କଳାବୋଇତ, ଉଡ଼େଇ ନଉଛି ଭୂତ। ”(ଧୋରେବାୟା ଶିଶୁଗୀତ।)

ସମ୍ଭଵତଃ ଏ ପାଟଵସ୍ତ୍ର ବୋଇତ ଦ୍ଵାରା ଵିଦେଶରେ ଵିକ୍ରୟ ହେଉଥିଲା ବୋଲି ଏଭଳି ନାମକରଣ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନ ଲଭିଛି । 

🔴(ହାତୀ ନେଵା ଆଣିଵା କରାଯିଵା ବୋଇତ)
ହାତି ବୋଇତ—
ସମୁଦ୍ରରେ ହାତିଙ୍କୁ ବୋହିନେଵା ସକାଶେ ପ୍ରସ୍ତୁତ ଜାହାଜକୁ ହାତୀ ବୋଇତ କୁହାଯାଉଥିଲା । କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସରେ ଲିଖିତ ଅଛି ଯେ ଖାରବେଳ ଯେଉଁ 'ହାତି ବୋଇତ' ମାନ ପାଣ୍ଡ୍ୟ ରାଜାଙ୍କଠାରୁ ଅଧିକାର କରିଥିଲେ ସେମାନ ଆଶ୍ଚର୍ଯ୍ୟଜନକ ଥିଲା। କଳିଙ୍ଗ ବଣିକମାନେ ଏହିପରି ବଡ଼ ବଡ଼ ବୋଇତ ଚଳାଉଥିଲେ । 

ସେହିପରି ଓଡ଼ିଆ ଭାଷାରେ ବୋଇତ ମେଲିଵା,ବୋଇତ ରଖିଵା ଆଦି ଅନ୍ଯ ଅନେକ ଶବ୍ଦ ପ୍ରଚଳିତ ଥିଲା କିନ୍ତୁ କ୍ରମେ ବୋଇତର ପ୍ରଚଳନ ବନ୍ଦ ହେଵା ସହ ସେସବୁ ଶବ୍ଦ ଲୁପ୍ତ ହୋଇଗଲାଣି ।‌

(ତଥ୍ୟ — ଶବ୍ଦଗୁରୁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ଵାରା ସଂକଳିତ ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)

Tuesday, November 1, 2022

ବାଲେଶ୍ବର : ନାମ ଗୋଟିଏ କିନ୍ତୁ ନିରୁକ୍ତି ମତ ଅନେକ


ସିଜର ଫେଡରିକ୍ ନାମରେ ଜଣେ ଇଟାଲୀୟ ଵଣିକ ଥିଲେ । ସେ ୧୫୬୩ ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆ ଵିଶେଷତଃ ପୂର୍ଵଭାରତୀୟ ଦ୍ଵୀପପୁଞ୍ଜଗୁଡି଼କୁ ବୁଲିଵାକୁ ଆସିଥିଲେ । ସେ ନିଜ ଦେଶକୁ ଫେରିଯାଇ ନିଜ ଯାତ୍ରାର ଵିଵରଣୀ ଇଟାଲୀୟ ଭାଷାରେ ଲେଖିଥିଲେ ‌‌। ପରେ ସେହି ଯାତ୍ରା ଵିଵରଣୀକୁ ମାଷ୍ଟର୍ ଥୋମାସ୍ ହିକକ୍(Master thomas hikak) ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁଵାଦ କରିଥିଲେ । ସିଜର୍ ଫେଡରିକ୍‌ଙ୍କ ଯାତ୍ରା ଵିଵରଣୀର ଇଂରାଜୀ ଅନୁଵାଦିତ ସଂସ୍କରଣରେ ଓଡ଼ିଶାର ନୌଵାଣିଜ ତଥା ଚାଉଳ ଓ ଵସ୍ତ୍ର ରପ୍ତାନୀ ଵିଵରଣୀ ଵିଷୟରେ ଯାହା ଲେଖାଅଛି ତାହା ଏଠାରେ ପ୍ରଦତ୍ତ ହେଲା...

“Orissa was a fair Kingdom and a trusted one ...

Every year in the coast of orissa were laden five and twenty or thirty ships, great and small with rice and diverse sorts of fine and white bunbate(inflated style) cloth”

ଏହାର ଓଡ଼ିଆ ଭାଵାର୍ଥ ଏଇଆ ଯେ "ଓଡ଼ିଶା ଏକ ମନୋରମ ରମଣୀୟ ସ୍ଥାନ । ପ୍ରତିଵର୍ଷ ଓଡ଼ିଶା ବନ୍ଦରରୁ ଛୋଟ ବଡ଼ ପଚିଶ ତିରିଶ ଗୋଟି ବୋଇତରେ ଚାଉଳ ଓ ସୂକ୍ଷ୍ମ ଧଳାଵସ୍ତ୍ର ବୋଝେଇ ହୋଇ ଏଠାକୁ ଆସେ ।”

ସୂଚନାଯୋଗ୍ୟ ଯେ ସେ ସମୟରେ ଓଡ଼ିଶାର ନୌଵାଣିଜ୍ୟ କ୍ଷେତ୍ରରେ ସବୁଠାରୁ ଆଗରେ ଥିଲା ବାଲେଶ୍ଵର ଜିଲ୍ଲାର ଆଠଗୋଟି ବନ୍ଦର । ଏଥିରେ ସବା ଆଗରେ ଥିଲା ବାଲେଶ୍ଵର ଓ ପିପିଲି ବନ୍ଦର । ବୁଢ଼ାବଳଙ୍ଗ ନଦୀର ମୁହାଣ ନିକଟରେ ବାଲେଶ୍ବର ଆଗେ ଏକ ବଡ଼ ବନ୍ଦର ଥିଲା । 

ସିଜର ଫେଡରିକଙ୍କ ପୁସ୍ତକରୁ ଜଣାଯାଏ ଯେ ସେତେବେଳେ ବାଲେଶ୍ଵରରେ ଆଠଟି ବନ୍ଦର ଥିଲା । ଯଥା— ବାଲେଶ୍ଵର,ପିପିଲି, ଚାନ୍ଦବାଲି,ସାରଥା,ଛାନୁଆ,ଲଇଛଣପୁର,ଚୁଡ଼ାମଣି ଓ ଧାମରା । "ଯୁଗେ ଯୁଗେ ବାଲେଶ୍ଵର" ପୁସ୍ତକରୁ ଜଣାଯାଏ ଯେ ଆଗକାଳରେ ସ୍ଥାନୀୟ ଲୋକେ ନିଜ ପଣ୍ୟଦ୍ରଵ୍ୟ ବାଲେଶ୍ଵରକୁ ଵିକ୍ରି କରିଵାକୁ ଆଣିଵା ବେଳେ “ବ-ଅନଦର”କୁ ଯାଉଛୁ ବୋଲି କହୁଥିଲେ । ପୂର୍ଵେ ଏ ଅଞ୍ଚଳରେ ନୌଵାଣିଜ୍ୟ ଥିଲା,ବୋଇତ ନିର୍ମାଣ ହେଉଥିଲା ତଥା ଲଵଣ ପ୍ରସ୍ତୁତ କରାଯାଉଥିଲା ତେଣୁ ସତରଶହ ଶତାବ୍ଦୀ ଯାଏଁ ବାଲେଶ୍ଵର ଏକ ଵୈଭଵଶାଳୀ ଅଞ୍ଚଳ ଥିଲା । ୧୮୮୮ ଯାଏଁ ବାଲେଶ୍ଵରରେ ଲୁଣ ତିଆରି କାରଖାନା ଥିଵାରୁ ଲୋକଙ୍କୁ ସେତେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ୁନଥିଲା । କିନ୍ତୁ ନିମିକି ମାହାଲ ସୁଦୂର ମାନ୍ଦ୍ରାଜକୁ ଉଠେଇ ଦେଇ ବାଲେଶ୍ବରିଆଙ୍କୁ ରାତାରାତି ଇଂରେଜମାନେ କାଙ୍ଗାଳ କରିଦେଲେ । ଇଂରେଜମାନେ ଜନସାଧାରଣଙ୍କ ଦ୍ଵାରା ଲୁଣ ମାରିଵାକୁ ଆଇନ ବଳରେ ଅସିଦ୍ଧ ଘୋଷଣା କରି ଓଡ଼ିଆ ଲୋକଙ୍କୁ ଟିପେ ଲୁଣ ପାଇଁ ଚାରି ଦୁଆର ସୁଣ୍ଡିପିଣ୍ଡା ହେଵାକୁ ବାଧ୍ୟ କଲେ ‌ । ଚିନ୍ତା କରନ୍ତୁ କିଛି ଶହ ଵର୍ଷ ପୂର୍ଵେ ଯୋଉ ଜାତି ଏତେ ଆର୍ଥିକ ସମୃଦ୍ଧ ଥିଲା ସେ ଆଜି ଭାରତର ଏକ ଦରିଦ୍ର ଜାତିରେ କାହିଁକି ଗଣା ହେଉଛି ? କାରଣ ସ୍ପଷ୍ଟ ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରକୃତ ଓଡ଼ିଆ ଶାସକ ଥିଲେ, ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଜାତି-ଏକତା ଥିଲା ଏଵଂ ଓଡ଼ିଶା ସ୍ଵାଧୀନ ଥିଲା ସେତେ ଦିନ ଯାଏଁ ଓଡ଼ିଶାରେ ଧନ ଧାନ୍ୟର ଅଭାଵ ନଥିଲା । ଯୋଉ ଦିନଠାରୁ ଦିଲ୍ଲୀ -କଲିକତା ଆଉ ମାନ୍ଦ୍ରାଜର ଲୋକଙ୍କ ନିକଟରେ ଓଡ଼ିଆ ଲୋକେ ପ୍ରଥମେ ରାଜନୈତିକ ତାପରେ ଆର୍ଥିକ ତଥା ଶେଷରେ ସାମାଜିକ ଓ ସାଂସ୍କୃତିକ ପରାଧୀନତା ସ୍ଵୀକାର କଲେ ସେଇ ଦିନଠାରୁ ଓଡ଼ିଶାର ଧିରେ ଧିରେ ରାଜନୈତିକ ଆର୍ଥିକ ସାମାଜିକ ସାଂସ୍କୃତିକ ଅଧୋଃପତନ ହୋଇ ଚାଲିଛି । 

 
ତେବେ ସତରଶହ ଶତାବ୍ଦୀ ପର୍ଯ୍ୟନ୍ତ ଏକ ସମୃଦ୍ଧ ନଗର ଥିଵା ବାଲେଶ୍ଵରର ନାମକରଣକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ ବାଲେଶ୍ବର ମୂଳତଃ ଏକ ଯାଵନିକ ଶବ୍ଦ । ସମ୍ଭଵତଃ ଵାଲା-ଏ଼-ଶୋ଼ର ଶବ୍ଦ କ୍ରମେ ବାଲେଶ୍ବର ହୋଇଅଛି । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର । ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ ଵାଲାଏ(ଉପରେ)+ସୋର(ସହର) ଶବ୍ଦ ଯୁକ୍ତ ହୋଇ ବାଲେଶ୍ବର ନାମ ହୋଇଛି । 

କେତେକ ଲୋକେ କହିଥାନ୍ତି ଯେ ବାଲି ଓ ସହର ଶବ୍ଦର ମିଶ୍ରଣରୁ ବାଲିସହର ଶବ୍ଦ ସୃଷ୍ଟି ହୋଇଥିଲା ଏଵଂ ତାହା କ୍ରମଶଃ ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଅଛି ‌ । ଐତିହାସିକ ବାଲି ଦ୍ଵୀପକୁ ଏଠାରୁ ଯାତ୍ରା କରାଯାଉଥିଵାରୁ ପୂର୍ଵେ ବାଲେଶ୍ଵର ନଗରର ନାମକରଣ ମଧ୍ୟ ବାଲି ହୋଇଥିଲା ବୋଲି ଏମାନେ ଅନୁମାନ କରନ୍ତି । ତେବେ ଏହାର କୌଣସି ସ୍ପଷ୍ଟ ପ୍ରମାଣ ଥିଵା ଜଣାଯାଏ ନାହିଁ ଯେ ପୂର୍ଵେ ବାଲେଶ୍ଵର ନଗରର ନାମ ବାଲି ଦ୍ଵୀପ ଆଧାରରେ ବାଲି ହିଁ ଥିଲା । ଐତିହାସିକ କୁହନ୍ତି ଆଗେ ବାଲେଶ୍ଵର ନଗରର ନାମ କୋଶାମ୍ବ ଥିଲା । 

ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ କୋଶାମ୍ବ ଵା ବାଲେଶ୍ଵର ନଗରକୁ ତୃତୀୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ଏ ନଗରର ନାମ ସର଼ଵପ୍ରଥମେ ତାଙ୍କ ନାମାନୁସାରେ ବାଲୁଙ୍କେଶ୍ୱର ନାମକରଣ ହୋଇଥିଲା ଯାହା ପରେ ପରେ ବାଲେଶ୍ଵର ହୋଇଅଛି ।ପୁଣି କିଛି ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିଵଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିଵା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର,ପଞ୍ଚଲିଙ୍ଗେଶ୍ଵର,ଚନ୍ଦନେଶ୍ଵର,ଭୂଷଣ୍ଡେଶ୍ଵର,ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର ବାଲୁଙ୍କେଶ୍ଵର ନାମରେ ଏ ସହରର ନାମ ଅପଭ୍ରଂଶ ହୋଇ ବାଲେଶ୍ବର ହୋଇଥାଇପାରେ ।

ଆଉ କେତେକଙ୍କ ମତରେ ବାଣେଶ୍ଵର ଭଗଵାନଙ୍କ ନାମାନୁସାରେ ଏ ନଗରର ନାମକରଣ ବାଣେଶ୍ୱର ହୋଇଥିଲା ଯାହା କ୍ରମେ ବାଲେଶ୍ଵର ହୋଇଅଛି । ଏହିପରି ଅନ୍ୟ ଏକ ନଗର ଜଳେଶ୍ଵର ମଧ୍ୟ ଏ ଜିଲ୍ଲାରେ ଥିଵାରୁ ଏହି ମତକୁ ଅନେକେ ଵିଶ୍ୱାସ କରନ୍ତି । ପୁରୁଣା ବାଲେଶ୍ଵର ନଗରରେ ଆଜି ବି ବାଣେଶ୍ୱର ଭଗଵାନଙ୍କ ମନ୍ଦିର ଅଵସ୍ଥିତ । ଏହି ମତକୁ ସେଥିପାଇଁ ଅଧିକ ଲୋକେ ଗ୍ରହଣ କରିଥାନ୍ତି । 

ଅନ୍ୟ ଏକ ମତ ଅନୁସାରେ ଅଵିଭକ୍ତ ବାଲେଶ୍ବର ଜିଲ୍ଲା ଯେହେତୁ ପ୍ରାଚୀନକାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌଵାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏଵଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତ ମାନ ଆତଯାତ ହେଉଥିଲା ତେଣୁ ଏ ବାଲି ଶବ୍ଦ ବଦଳିଯାଇ ପରଵର୍ତ୍ତୀ କାଳରେ ବାଲେଶ୍ବର ନାମ ହୋଇଛି । ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଧ୍ଵଂସ ହୋଇଯାଇଥିଵା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ବି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌଵାଣିଜ୍ୟ ତଥା ନୌଯାତ୍ରାର ପ୍ରମାଣ ଦେଇଥାଏ । 

ବାଲେଶ୍ଵର ନାମକରଣକୁ ନେଇ ଆଉ ଏକ ମତ ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। କିଛି ଲୋକଙ୍କ ମତରେ ବାଲେଶ୍ଵର ନଗରର ପାଖରେ ଆଉ ଏକ ନଗର ଅଛି 'ସୋର' ଵା ସୋରୋ । ଏହି ସୋର ନଗର ସହିତ ବାଲି ଯୁକ୍ତ ହୋଇ ପ୍ରଥମେ ବାଲିସୋର ହୋଇଥିଵ ଏଵଂ ପରେ ତାହା ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଥିଵ । ଏଭଳି ନାମକରଣର ଅନ୍ୟ କେତେକ ଉଦାହରଣ ଏଇ ଓଡ଼ିଶାରେ ହିଁ ଦେଖିଵାକୁ ମିଳିଯାଏ । ଢେଙ୍କାନାଳରେ ମହିମାଗାଦି ପାଇଁ ଜଣାଶୁଣା ଯୋରନ୍ଦା ପାଖରେ ଗୋଟିଏ ଗ୍ରାମ ରହିଛି ବାଲିଯୋରନ୍ଦା । 

କିନ୍ତୁ ଅଧିକାଂଶ ଭାଷାଵିଦ କୁହନ୍ତି ଯେ ବାଲେଶ୍ବର ନାଁ ପର୍ତ୍ତୁଗୀଜ ଶବ୍ଦ ବେଲ -ଇ -ଶୋର ବା ପୋତାଶ୍ରୟ ଵା ସମୁଦ୍ର କୂଳ ସହରରୁ ସୃଷ୍ଟି । ପର୍ତ୍ତୁଗାଲୀ ଭାଷାରେ ଥିଵା ଯେଉଁ ଶବ୍ଦଟି ଵିଷୟରେ ଭାଷାଵିଦମାନେ ଉଲ୍ଲେଖ କରନ୍ତି ସେ ଶବ୍ଦଟି କେହି ଠିକ୍‌ରେ ଜଣାଇ ପାରନ୍ତି ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପର୍ତ୍ତୁଗାଲୀ ଭାଷାରେ ପୋତାଶ୍ରୟ ଓ ପୋର୍ଟ‌୍‌ର ନିମ୍ନଲିଖିତ ପ୍ରତିଶବ୍ଦ ସବୁ ରହିଛି । 

ଯଥା—porta,portão,portinhola,porto,bombordo,escotilha,orifício,praia,costa,margem,orla ଓ a escora ଇତ୍ୟାଦି । 

ଏହି ସବୁ ଶବ୍ଦ ମଧ୍ୟରେ a escora ଶବ୍ଦଟି କୁ ଛାଡ଼ି ଦେଲେ ଅନ୍ୟ କୌଣସି ଶବ୍ଦରୁ ବାଲେଶ୍ଵର ଶବ୍ଦ ସୃଷ୍ଟି ହେଵା ଅସମ୍ଭଵ । ଏହି a escora ଶବ୍ଦଟିରୁ ସୋରୋ ଓ ବାଲେଶ୍ଵର ଶବ୍ଦ କେମିତି କିପରି କେଉଁ ପରିଵୃତ୍ତି ପ୍ରକ୍ରିୟାରେ ସୃଷ୍ଟି ହୋଇଅଛି ତାହା ଆଜିଯାଏଁ କୌଣସି ଭାଷାଵିଦ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିନାହାନ୍ତି । ପର୍ତ୍ତୁଗୀଜ୍ ଶବ୍ଦ a escora ଅପେକ୍ଷା ଇଂରାଜୀ shore ଶବ୍ଦ ସହିତ ଵରଂ ଓଡ଼ିଆ ସୋର ଵା ସୋରୋ ଓ ବାଲେଶ୍ଵରର ଅଧିକ ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । ସମ୍ଭଵତଃ shore ସହିତ ଵାହ୍ୟ ସାମ୍ୟ ଥିଵାରୁ ବାଲା -ଏ -ସୋରରୁ ବାଲେଶ୍ଵର ନାମକରଣ କରାଯାଇଛି ବୋଲି କେହି କେହି ଅନୁମାନ କରି ମତ ଦେଵା ଆରମ୍ଭ କରିଥିଲେ । 
 
ପୁନଶ୍ଚ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗକାଳରେ ଵୟସ୍କ ଲୋକେ ବାଲେଶ୍ଵରକୁ ବାଲିସର କହୁଥିଲେ । ଓଡ଼ିଆ ଭାଷାରେ ବାଲୁକାମୟ ସ୍ଥାନ,ବାଲୁ ଯୁକ୍ତ ପୋଖରୀ ଯେଉଁଠି ବାଲି ତଳେ ନିର୍ମଳ ଜଳ ଦୃଶ୍ୟ ହୋଇଥାଏ ଉକ୍ତ ସ୍ଥାନକୁ ବାଲିସରା କୁହାଯାଏ । ତାହେଲେ କ'ଣ ବାଲିସରା ଵା ବାଲିସର ଶବ୍ଦରୁ ବାଲେଶ୍ଵର ଶବ୍ଦ ସୃଷ୍ଟି ହୋଇଅଛି ? 

ବାଲେଶ୍ଵର ନଗରର ୫୦୦ ଵର୍ଷ ଵା ତା ପୂର୍ଵଵର୍ତ୍ତୀ ନାମ କ'ଣ ଥିଲା ତାହାର ଯୁକ୍ତିଯୁକ୍ତ ତଥ୍ୟ ଏ ଅକିଞ୍ଚନ କୌଣସି ସ୍ଥାନରୁ ଏଯାଵତ୍ ପ୍ରାପ୍ତ କରି ପାରିନାହିଁ । ବାଲେଶ୍ଵରର ହିଁ କେତେକ ସ୍ଥାନୀୟ ଵିଦ୍ଵାନ କୁହନ୍ତି ଆଗେ ବାଲେଶ୍ଵର ବୋଲି କୌଣସି ନଗର ନଥିଲା ତେଣୁ ପ୍ରାଚୀନ ଇତିହାସରେ ଏ ନଗରର ନାମ ମିଳେନାହିଁ । ଅଵଶ୍ୟ କେତେକ ଐତିହାସିକ ପୁସ୍ତକରେ ବାଲେଶ୍ଵରର ପ୍ରାଚୀନ ନାମ କୋଶାମ୍ବ ଥିଵା ଉଲ୍ଲେଖ ଅଛି ।

ସୋର ଶବ୍ଦ ସହିତ ବାଲି ଶବ୍ଦ ଯୁକ୍ତ ହୋଇ ବାଲିସୋର ହୋଇଥିଵା ଏଵଂ ପରେ ତାହା ଇଂରାଜୀ ଭାଷାରେ ରୋମାନ ଲିପିରେ balasore ଲେଖାଯିଵା ଯୋଗୁଁ କ୍ରମଶଃ ବାଲାସୋର,ବାଲେସୋର ଓ ବାଲେଶ୍ଵର ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ । 

ଆମେ ସମସ୍ତେ ଜାଣନ୍ତି ଯେ ବାଲେଶ୍ଵର ଜିଲ୍ଲାରେ ସୋର ବୋଲି ଗୋଟିଏ ନଗର ଅଛି । କିନ୍ତୁ ଯଦି ସୋର'ର ନାମରେ ବାଲି ଶବ୍ଦ ଯୁକ୍ତ ହୋଇ ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଅଛି ତାହେଲେ ଆମକୁ ସେଇ ସୋର ନଗରର ନାମକରଣ ପଛର ଇତିହାସ ମଧ୍ଯ ଦେଖିଵାକୁ ହେଵ । ହୁଏତ ସୋର ଶବ୍ଦଟି ଏକ ଜନଜାତୀୟ ସାନ୍ତାଳୀ ଶବ୍ଦ ହୋଇଥିଵ ଯେହେତୁ ଉତ୍ତର ଓଡ଼ିଶାରେ ସାନ୍ତାଳମାନେ ବହୁସଂଖ୍ୟାରେ ରହୁଛନ୍ତି। କିନ୍ତୁ ସାନ୍ତାଳମାନେ ଏଭଳି କୌଣସି ଶବ୍ଦ ଵ୍ୟଵହାର କରୁଥିଵାର ଜଣାଯାଏ ନାହିଁ ଏଵଂ ସୋର ଅଞ୍ଚଳରେ ମଧ୍ୟ ସେତେ ସାନ୍ତାଳୀ ନାହାନ୍ତି । 

କଵିଵର ରାଧାନାଥ ରାୟଙ୍କ ଜନ୍ମ ଓ ପୈତୃକ ଗୃହ ସୋର ନଗର ନିକଟସ୍ଥ କେଦାରପୁର ଅଞ୍ଚଳରେ ହୋଇଥିଲା । ରାଧାନାଥ ରାୟ ଉଷା କାବ୍ୟରେ ଲେଖିଛନ୍ତି

"ରଣ ଵିଶାରଦ ଶୂରଙ୍କର ସ୍ଥଳି ସୋର ଵିଦିତ କମଳାଳଙ୍କୃତ ସର ରାଜେ ଯହିଁ ସ୍ମରଣାତୀତ"

ସୋରଵାସୀଙ୍କ ମଧ୍ୟରେ ଗୋଟିଏ ଲୋକଵିଶ୍ଵାସ ପ୍ରଚଳିତ ଯେ ସୋର ଅଞ୍ଚଳ ସୂର ଵା ଵୀରମାନଙ୍କର ଭୂମି ଥିଲା ବୋଲି ଏ ଅଞ୍ଚଳର ନାମକରଣ ସୂର ହୋଇଥିଲା ଯାହା ପରେ ସୋର ହୋଇଅଛି । 

ତାହେଲେ ‘ସୋର'ର ଠିକ୍ ପଶ୍ଚିମ ପାର୍ଶରେ ବାଲିସୋର ବୋଲି କୌଣସି ସ୍ଥାନ ଥିଲା କି ? ସେହି ପାଖରେ ବାଲିଆପାଳ ବୋଲି ସ୍ଥାନଟିଏ ମଧ୍ୟ ଅଛି । ବାଲିଆ ମାଟି ଯୁକ୍ତ ହୋଇଥିଵାରୁ ସମ୍ଭଵତଃ ଏଭଳି ନାମ ଦିଆଯାଇଥାଇପାରେ । ତାହେଲେ କ'ଣ ବାଲେଶ୍ଵର ନଗରର ମାଟି ବାଲିଆ ? 
ବାଲେଶ୍ଵର ଜିଲ୍ଲାର ମାଟି ସମ୍ବନ୍ଧରେ କରାଯାଇଥିଵା ଏକ ଗଵେଷଣାରୁ ଜଣାଯାଏ ଯେ ଏ ଜିଲ୍ଲାରେ ମୁଖ୍ୟତଃ ଚାରିପ୍ରକାରର ମାଟି ଦେଖାଯାଏ । Saline soil ଵା ଲୁଣିମାଟି, alluvial soil ଵା ପଟୁମାଟି,sandy soil ଵା ବାଲିଆ ମାଟି ଏଵଂ laterite soil ଵା ମାଙ୍କେଡ଼ା (ପଥର )ମାଟି । ଅନୁସନ୍ଧାନରୁ ଜାଣିପଡ଼ିଛି ଯେ ଲୁଣିମାଟି(saline soil) ବାଲେଶ୍ଵର ଜିଲ୍ଲାର ଭୋଗରାଇ,ବାଲିଆପାଳ, ବାଲେଶ୍ଵର,ରେମୁଣା,ବାହାନଗା ଓ ସୋର ବ୍ଲକରେ ଦେଖିଵାକୁ ମିଳେ । 

ସେହିପରି ପଟୁମାଟି(Alluvial soil) ସିମୁଳିଆ,ସୋର,ରେମୁଣା, ବାଲେଶ୍ଵର,ବସ୍ତା,ଭୋଗରାଇ ଓ ଜଳେଶ୍ଵର ବ୍ଲକରେ ଦେଖିଵାକୁ ମିଳିଥାଏ । 

Laterite soil ଵା ମାଙ୍କେଡ଼ା ପଥର ମୁଖ୍ୟତଃ ଜଳେଶ୍ଵରର ରାଇବଣିଆ ଅଞ୍ଚଳ,ବସ୍ତା,ରେମୁଣା, ନୀଳଗିରି,ଅଉପଡ଼ା ଓ ଖଇରା ବ୍ଲକରେ ମିଳେ । 

କିନ୍ତୁ sandy soil ଵା ବାଲିଆମାଟି ଵିଶେଷ କରି ବାଲେଶ୍ଵର,ରେମୁଣା, ଅଉପଡ଼ା, ବାହାନଗା,ସୋର,ସିମୁଳିଆ ଓ ଖଇରା ବ୍ଲକରେ ଦେଖାଯାଏ । 

ବାଲେଶ୍ଵର ବ୍ଲକରେ ମୁଖ୍ୟତଃ ଲୁଣିମାଟି ସମୁଦ୍ର କୁଳ ଅଞ୍ଚଳରେ ଓ ପଟୁମାଟି ବୁଢ଼ାବଳଙ୍ଗ ନଦୀ ପାର୍ଶ୍ଵରେ ମିଳିଥାଏ କିନ୍ତୁ ପୁରୁଣା ବାଲେଶ୍ଵର ଯେଉଁଠାରେ ବାଣେଶ୍ୱର ଭଗଵାନଙ୍କ ମନ୍ଦିର ଅଵସ୍ଥିତ ସେଠାକାର ମାଟି ବାଲିଆ ଏଵଂ କେଉଁଠି କେଉଁଠି ପଟୁ ମାଟି ମଧ୍ୟ ମିଳିଥାଏ ବୋଲି ସ୍ଥାନୀୟ ଲୋକଙ୍କୁ ପଚାରିଵାରୁ ଜାଣିଵାକୁ ମିଳିଛି । ତେଣୁ ବହୁତ ସମ୍ଭଵ ବାଲି ସହିତ ବାଲେଶ୍ଵର ନଗରର କୌଣସି ନା କୌଣସି ସମ୍ପର୍କ ଥାଇପାରେ ବୋଲି ହୃଦବୋଧ ହେଉଅଛି । ଏସବୁ ଆଲୋଚନରୁ ହୃଦୟଙ୍ଗମ ହେଉଅଛି ଯେ ସୋର ସହିତ ବାଲି ଶବ୍ଦ ଯୁକ୍ତ ହୋଇ ମଧ୍ୟ ବାଲିସୋର ଓ ଶେଷରେ ବାଲେଶ୍ବର ହୋଇଥାଇପାରେ। 

ଏଠାରେ ସୂଚନାଯୋଗ୍ୟ ଯେ ସଂସ୍କୃତରେ ସୋର ଶବ୍ଦର ଏକ ଅର୍ଥ "ଵକ୍ରଗତି" । ଆମେ ମାନଚିତ୍ର ଦେଖିଲେ ସ୍ପଷ୍ଟ ଭାବରେ ଜାଣିପାରନ୍ତି ଯେ ବାଲେଶ୍ଵର ଓ ସୋର ଏ ଉଭୟ ଅଞ୍ଚଳର ବେଳାଭୂମି କିଭଳି ଵକ୍ରକାର ଦୃଶ୍ୟ ହୋଇଥାଏ । ତାହେଲେ କ'ଣ ସୋର ନଗରର ନାମକରଣ ଵକ୍ରଗତି ଲାଭ କରିଥିଵା ବେଳାଭୂମି ନିକଟରେ ସ୍ଥିତ ନଗର ଭାବେ ପୂର୍ଵେ କରିଯାଇଥିଲା ଏଵଂ ଏହାର ପୂର୍ଵରେ କିଛି ଦୂରରେ ଅନ୍ୟ ଏକ ନଗରୀକୁ ବାଲିସୋର ନାମ ଦିଆଯାଇଥିଲା ଯାହା ପରେ ବାଲେଶ୍ଵର ହୋଇଅଛି ?
ସଂସ୍କୃତ ବାଲେଶ୍ଵରରେ ଏମିତି ଅନେକ ସ୍ଥାନର ନାମ ସଂସ୍କୃତମୂଳର ଯଥା ପାଂସକୁଲି ! ବାଲେଶ୍ଵର ଜିଲ୍ଲାର ଏହି ଛୋଟ ନଗରଟି ରାଜପଥ ନିକଟରେ ଅଵସ୍ଥିତ । ସଂସ୍କୃତ ଭାଷାରେ ପାଂଶୁକୁଳୀ ଶବ୍ଦର ଅର୍ଥ ରାଜପଥ ‌ । ତେଵେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ । ବାଲେଶ୍ଵର ନଗରର ଅତୀତ ଇତିହାସ ଆଜି ବି ଅନେକାଂଶରେ ଅନାଲୋଚିତ ହୋଇରହିଛି। ଏଭଳି ପରିସ୍ଥିତିରେ ବାଲେଶ୍ଵର ନଗର ନାମକରଣ ପଛରେ ଥିଵା ନାନା ମତ ମଧ୍ୟରେ କୌଣସି ଗୋଟିଏକୁ ଅଧିକ ମହତ୍ତ୍ଵ ଦେଵା ଅପେକ୍ଷା ଏ ଵିଷୟରେ ଆହୁରି ଅଧିକରୁ ଗଵେଷଣା କରାଯିଵା ନିତାନ୍ତ କର୍ତ୍ତଵ୍ୟ ।

Monday, October 31, 2022

ଅତରପିତର କରିଵା : ଏକ ସାଂସ୍କୃତିକ ଓଡ଼ିଆ ଶବ୍ଦ

ପୂର୍ଵ କାଳରେ ଓଡ଼ିଶାର ଲୋକେ ଵେଦ ଓ ସଂସ୍କୃତ ଭାଷାର ଜ୍ଞାତା ଥିଲେ ସେଥିପାଇଁ ସାରା ଭାରତରେ ମିଳୁନଥିଵା ଅଥର୍ଵଵେଦ ଆମ ଓଡ଼ିଶାରୁ ହିଁ ମିଳିଥିଲା । 

ଓଡ଼ିଆ ଭାଷା ସର୍ଵାଧିକ ସଂସ୍କୃତନିଷ୍ଠ ତଥା କଦଳୀ,ପଣସ, ସୂର୍ଯ୍ୟ,ଜଳ ଆଦି ସଂସ୍କୃତ ଶବ୍ଦର ଠିକ୍ ଉଚ୍ଚାରଣ ଅଧୁନା କେଵଳ ଓଡ଼ିଆ ଭାଷାରେ ହିଁ ଦୃଶ୍ୟ ହୋଇଥାଏ ‌ ।

ଓଡ଼ିଆ ଭାଷାରେ ଅନେକ ଶବ୍ଦ ରହିଛି ଯାହା ଆମକୁ ସନାତନୀ ସଂସ୍କୃତି ସହିତ ପ୍ରତ୍ୟକ୍ଷ ଭାବେ ପରିଚିତ କରାଇଥାଏ । 

ସେହିପରି ଏକ ଓଡ଼ିଆ କ୍ରିୟା ଶବ୍ଦ “ଅତରପିତର କରିଵା” ଅଟେ । 

ସାଧାରଣତଃ “ବହୁ ଵସ୍ତୁକୁ ଏକତ୍ର କରିଵା ,ମିଳାଇ ଦେଵା ଵା ମିଶ୍ରଣ କରିଵାକୁ ଓଡ଼ିଆ ଭାଷାରେ ଅତରପିତର କରିଵା କୁହାଯାଏ । 

ଯଥା— “ମୁଁ ସବୁ ଦରଵକୁ ଭିନେ କରି ରଖିଥିଲି, ସେ ପହଞ୍ଚି ତାକୁ ଅତରପିତର କରି ଦେଲା।”

କିନ୍ତୁ ବହୁତ ଓଡ଼ିଆ ଲୋକେ ଜାଣିନଥିବେ ଯେ ଏହି "ଅତରପିତର କରିଵା" ଶବ୍ଦଟି ଏକ ସାଂସ୍କୃତିକ ଶବ୍ଦ ଏଵଂ ଏହା ଭାରତୀୟ ସନାତନୀ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵେଦୋକ୍ତ "ଅତ୍ର ପିତରୋ ମାଦୟଧ୍ୱଂ" ଇତ୍ୟାଦି ମନ୍ତ୍ରପାଠ ପୂର୍ଵକ ଶ୍ରାଦ୍ଧ ପତ୍ରରେ ପିଣ୍ଡାଵଶିଷ୍ଟ ଅନ୍ନ ଵ୍ୟଞ୍ଜନାଦିକୁ ଠୁଳ କରି ଶ୍ରାଦ୍ଧକର୍ତ୍ତା ପିତୃଲୋକଙ୍କୁ ଉତ୍ସର୍ଗ କରନ୍ତି। 

 ଉକ୍ତ ମନ୍ତ୍ରର ପ୍ରଥମ ଓ ଦ୍ୱିତୀୟ ଶବ୍ଦ ଦ୍ୱୟ ଯଥା “ଅତ୍ର ଓ ପିତରୋ”ର ପରିଵର୍ତ୍ତନ ଯୋଗୁଁ ଏହି "ଅତର ପିତର କରିଵା" କ୍ରିୟାଟି ସୃଷ୍ଟି ହୋଇଅଛି । 
 
ଯେହେତୁ ଶ୍ରାଦ୍ଧକର୍ତ୍ତା ପିଣ୍ଡଦାନ କରାଯାଇଥିଵା ଅନ୍ନାଦିକୁ ଠୁଳ କଲାବେଳେ ଏହି ମନ୍ତ୍ର ପାଠ କରୁଥିଲେ ତେଣୁ ସେହି ଵିଧି କ୍ରମେ ଅତ୍ର ପିତରୋ ବୋଲାଇ ଶେଷରେ ଅତରପିତର କରିଵା ହୋଇଅଛି । 

ପ୍ରତ୍ୟେକ ଭାଷା ଏକ ଵା ଏକାଧିକ ସଂସ୍କୃତି ସହିତ ଜଡ଼ିତ ହୋଇଥାଏ । ସଂସ୍କୃତିକୁ ନେଇ ଭାଷା ସମୃଦ୍ଧ ଓ ଶ୍ରେଷ୍ଠ ହୋଇଥାଏ । ଭାରତୀୟ ସଂସ୍କୃତି ଆଧାରରେ ସଂସ୍କୃତ, ଓଡ଼ିଆ,ତାମିଳ, ମୁଣ୍ଡାରୀ ଆଦି ଭାଷା ସୃଷ୍ଟି ହୋଇଛି । ୟୁରୋପୀୟ ଜର୍ମାନିକ୍ ସଂସ୍କୃତି ଘେନି ଇଂରାଜୀ ଭାଷାର ଜନ୍ମ ସେହିପରି ଆରବୀୟ ସଂସ୍କୃତିକୁ ନେଇ ଆରବୀ ଭାଷାର ସୃଷ୍ଟି ହୋଇଅଛି । 

ପ୍ରତ୍ୟେକ ଭାଷାର ଆତ୍ମା ତାହାର ମୌଳିକ ଧ୍ଵନ୍ୟାନୁକରଣ ଵିଶେଷ୍ୟ- ଵିଶେଷଣ ଶବ୍ଦ, ସାଂସ୍କୃତିକ ଵିଶେଷ୍ୟ- ଵିଶେଷଣ ଶବ୍ଦ ଓ ଅଵ୍ୟୟ,ପ୍ରତ୍ୟୟ,ସର୍ଵନାମ, କ୍ରିୟା, କ୍ରିୟା ଵିଶେଷଣ ମଧ୍ୟରେ ଥାଏ । 

ସଂସ୍କୃତି ପରିଵର୍ତ୍ତନ ଯୋଗୁଁ ଭାଷାରେ ମଧ୍ୟ ଭୀଷଣ ପରିଵର୍ତ୍ତନ ଦେଖାଦିଏ । ଆଗେ ପାରସ୍ୟର ଲୋକେ ଅଗ୍ନି ଉପାସକ ଥିଵା ବେଳେ ଵୈଦିକ ଯୁଗର ଅନେକ ଭାରତୀୟ ଶବ୍ଦ ଵ୍ୟଵହାର କରୁଥିଲେ କିନ୍ତୁ ସେମାନଙ୍କର ଧର୍ମ ଓ ସଂସ୍କୃତିରେ ପରିଵର୍ତ୍ତନ ହେଵାରୁ ସେମାନେ ଅନେକ ଆରବୀୟ ଓ ତୁର୍କ ଶବ୍ଦକୁ ଗ୍ରହଣ କରିନେଇ 
ମଧ୍ୟ ଯୁଗରେ ପାର୍ସୀ ଭାଷାକୁ ଅଶାସ୍ତ୍ରୀୟ କରିଦେଲେ । 

ଇଂରେଜମାନଙ୍କ ସହିତ ମଧ୍ୟ ସେଇଆ ହିଁ ହେଲା । ଇଂରେଜମାନେ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେଵା ପରେ ଅନେକ ଲାଟିନ ଓ ପରେ ଫ୍ରେଞ୍ଚ୍ ଶବ୍ଦ ଗ୍ରହଣ କଲେ ଫଳରେ ଜର୍ମାନିକ ଭାଷା ମୂଳର ହୋଇ ବି ଇଂରାଜୀ ଭାଷାରେ ଫ୍ରେଞ୍ଚ ଓ ଲାଟିନ୍ ମୂଳର ଶବ୍ଦାଧିକ୍ୟ ହୋଇଗଲା । ଭିଏତନାମ ଦେଶର କଥିତ ଭାଷା ଭିଏତନାମୀ ସେହିପରି ଗୋଟିଏ ଆଷ୍ଟ୍ରୋଏସୀୟ ଭାଷା ହୋଇ ସୁଦ୍ଧା ଚୀନୀ ମାଣ୍ଡାରିନ ଦ୍ଵାରା ବହୁ ପରିମାଣରେ ପ୍ରଭାଵିତ ତେଣୁ ତାହାର ମୂଳ ସ୍ଵରୂପ ହରାଇ ଏକ ମିଶ୍ରିତ ଭାଷା ରୂପେ ଚଳୁଅଛି । 

ତେଣୁ ଵୈଦେଶିକ ଶବ୍ଦଗୁଡ଼ିକୁ ଭାବିଚିନ୍ତି ପ୍ରୟୋଗ କରାଯିଵା ଵିଧେୟ । ଆମ ପାଖରେ ଲକ୍ଷ ଲକ୍ଷ ଶବ୍ଦ ଅଛି ତଥାପି ଆମେ "and ,but ,ଫିର୍ ଭି,ଲେକିନ୍,କାସ୍,ଥୋଡ଼ା ,ଦିଲ୍,ଦିୱାନା,ଆଶିକି” କହିଵା କ'ଣ ଆଵଶ୍ୟକ ? 

ମନେ ରଖନ୍ତୁ 
ନିଜ ଭାଷାରେ ଆପଣ ଯେତିକି ଯେତିକି ଵୈଦେଶିକ ଶବ୍ଦ "ଅତରପିତର କରିବେ" ଆପଣଙ୍କ ଭାଷା ସେତିକି ସେତିକି ଆପଣା ସ୍ଵରୂପ ହରାଇ ହରାଇ ଯିଵ ଏଵଂ ଶେଷରେ ଶାସ୍ତ୍ରୀୟତା ଓ ମୌଳିକତା ହରାଇ ଗୁରୁତ୍ଵହୀନ ହୋଇଯିଵ । ଉଦାହରଣ ସ୍ୱରୂପ ଭଵିଷ୍ଯତରେ ଯଦି ଓଡ଼ିଆ ଭାଷାରେ ଲୋକେ ଯହ "ଖୁରାଣ୍ଟି ଚାଳାଇଲେ" ଅର୍ଥାତ୍ ଅତି ମାତ୍ରାରେ ହିନ୍ଦୀ ଭାଷା ଦ୍ଵାରା ପ୍ରଭାଵିତ ହୋଇ ତହିଁର କାସ୍ ,କମ୍ ସେ କମ୍, ଇସ୍କ୍,ଦିଲ୍,ଦିମାଗ୍ ଆଦି ଶବ୍ଦ ମିଶାଇ ତାକୁ ଦୂଷିତ କରିଦେଲେ ତେବେ ଓଡ଼ିଆ ଭାଷା ଆଉ ଶାସ୍ତ୍ରୀୟ ଭାଷା ହୋଇ ରହିଵ ନାହିଁ ଵରଂ ହିନ୍ଦୀ ଭାଷାର ଏକ ଉପଭାଷା ବୋଲାଇଵ । 

ତେଣୁ ହେ ମୋର ଓଡ଼ିଆ ଭାଇ ଭଉଣୀ ଦାଦା ନାନୀମାନେ ସାଵଧାନ !!! ଆମ ଭାଷା ସଂସ୍କୃତିର ଭଵିଷ୍ୟତ ଆମ ହାତରେ ଆମେ ହିଁ ତାକୁ ବଞ୍ଚେଇ ପାରିଵା ଆଉ କେହି ନୁହେଁ ...!!!

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...