Sunday, December 25, 2022

ଉତ୍କଳୀୟ ସଂସ୍କୃତିରେ ତୁଳସୀପୂଜନ

ସନାତନ ସଂସ୍କୃତିରେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ପାଦପ ବୋଲି ସର୍ଵଵିଦିତ । ସନାତନ ପୂଜା ଆରାଧନା ସମୟରେ ଜଳ ପଦ୍ମ, ଧୌତ ଵସ୍ତ୍ର, ତୁଳସୀ , ବିଲ୍ୱପୁଷ୍ପଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ୱାରା ଆରାଧନା କରାଯାଏ ଏଵଂ ଏହାକୁ ନିରାଜନ ଵା ନିରାଜନା ବୋଲାଯାଏ । ଶ୍ରୀଵିଷ୍ଣୁଙ୍କ ପୂଜା ସମୟରେ ତୁଳସୀ ପତ୍ରର ଆଵଶ୍ୟକତା ସର୍ଵତ୍ର ଓ ସର୍ଵଦା ହୋଇଥାଏ ।‌ ଏ ଦେଶରେ ସନାତନୀମାନଙ୍କର ଦେଵପୂଜା, ସ୍ତୁତିପାଠ, ସନ୍ଧ୍ୟା ଵନ୍ଦନା, ମାଳା ଗଡ଼ାଇଵା, ସଂକୀର୍ତ୍ତନ କରିଵା, ଚିତା ଘେନିଵା, ନିର୍ମାଲ୍ୟ ସେବା କରିଵା, ଧର୍ମଶାସ୍ତ୍ର ପଢ଼ିଵା, ହୋମ କରିଵା ଓ ତୁଳସୀ ମୂଳରେ ପାଣି ଦେଵା ପ୍ରଭୃତି ଦୈନିକ ପୂଜାର ଅନ୍ତର୍ଗତ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଓଡ଼ିଶାର ସଧଵାମାନେ ପ୍ରତିଦିନ ସକାଳେ ଗାଧୋଇ ସାରି ତୁଳସୀକୁ ଜଳଦାନ କରନ୍ତି ଓ ସନ୍ଧ୍ୟାରେ ତୁଳସୀ ମୂଳରେ ସନ୍ଧ୍ୟାଵତୀ ଦିଅନ୍ତି । ଓଡ଼ିଶା, କଳିଙ୍ଗ ଵା ଉତ୍କଳ ତୁଳସୀକ୍ଷେତ୍ରର ଦେଶ, ଶ୍ରୀଜଗନ୍ନାଥଙ୍କ ଦେଶ ସେଥିପାଇଁ ଭାରତର ଅନ୍ୟ ଭୂଭାଗ ଅପେକ୍ଷା ଏ ଦେଶରେ ପାରମ୍ପରିକ ତୁଳସୀ ପୂଜନ ସର୍ଵାଧିକ ହୋଇଥାଏ । ଓଡ଼ିଶାର ଲୋକେ କେଵଳ ତୁଳସୀ ପୂଜା କରୁନଥିଲେ ଵରଂ ତୁଳସୀ ଗଛର ଔଷଧୀୟ ଗୁଣ ଵିଷୟରେ ମଧ୍ୟ ଏଠାକାର ସାଧାରଣ ଜନତାଙ୍କୁ ଜଣାଥିଲା । ଆଜକୁ ମାତ୍ର କୋଡି଼ଏ ତିରିଶ ଵର୍ଷ ତଳେ ଗ୍ରାମାଞ୍ଚଳରେ ଅଧିକାଂଶ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା କାଶ ହେଲେ ମହୁ ସହିତ ତୁଳସୀ ପତ୍ର ବାଟି ପିଆଉଥିଲେ । ତୁଳସୀ ପତ୍ର ଖାଇଲେ ପିଲାଙ୍କର ସ୍ମୃତିଶକ୍ତି ବୃଦ୍ଧି ପାଏ ତେଣୁ ପିଲାଏ ପ୍ରତିଦିନ ଗୋଟିଏ ତୁଳସୀ ପତ୍ର ଖାଇଵା ପୂର୍ଵେ ଏ ଦେଶରେ ପରମ୍ପରା ପ୍ରଚଳିତ ଥିଲା । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ତାଛଡା ମୂଖ ଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇଵାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ । ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ । ତୁଳସୀ ଗଛର ଏହିପରି ଅନେକ ଔଷଧୀୟ ଗୁଣ ଅଛି । ଆମ ପୂର୍ଵଜମାନେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଗୁଳ୍ମ ଜାଣି ଏହାର ରକ୍ଷଣାବେକ୍ଷଣ ହେତୁକ ଘରେ ଘରେ ତୁଳସୀ ଲଗାଉଥିଲେ ଏଵଂ ପୂଜାର୍ଚ୍ଚନା କରୁଥିଲେ । ପୂଜାର୍ଚ୍ଚନା ମଧ୍ୟରେ ତୁଳସୀପତ୍ରଟିଏ ଭକ୍ଷଣ ଦ୍ଵାରା ଶରୀର ନିରୋଗ ରଖିଵା ହିଁ ତୁଳସୀ ପୂଜନର ମୂଳ ଉଦ୍ଦେଶ୍ୟ ଥିଲା । ପ୍ରାଚୀନ ଓଡ଼ିଆ ସଂଗୀତରେ (କଳା)ତୁଳସୀ ଗଛର ଉପକାରିତା ଵର୍ଣ୍ଣିତ ହୋଇଛି 

କଫ ଵାତ କଣ୍ଠାଗ୍ରତେ ଯେବେ ରୁନ୍ଧିଵ; 
ଶ୍ୟାମ ତୁଳସୀମଞ୍ଜରୀ, 
ଵଦନେ ଦେଵ ମୋହରି, 
ଶ୍ୟାମ ନାମ ଯତ୍ନ କରି, 
କର୍ଣ୍ଣରେ ଶୁଣାଉଥିଵ। 
(ପ୍ରାଚୀନ ସଙ୍ଗୀତ)

ତୁଳସୀକୁ ଓଡ଼ିଶାର ଲୋକେ ସବୁଠାରୁ ପଵିତ୍ର ପାଦପ ମାନୁଥିଲେ ତେଣୁ ଉତ୍କଳୀୟ ସଂସ୍କୃତିରେ ତୁଳସୀର ସ୍ଥାନ ସର୍ଵୋଚ୍ଚ ହୋଇପାରିଛି । 

ନିମ୍ନରେ ଓଡ଼ିଶାରେ ତୁଳସୀ ପୂଜାର କେତେକ ଉଦାହରଣ ପ୍ରଦତ୍ତ ହେଲା —

୩୬୫ ଦିନ ତୁଳସୀ ପୂଜା ଵା ଚଉରାସେଵା :

ଓଡ଼ିଶାର ସଧଵାମାନେ ଵର୍ଷକ ବାରମାସ ପ୍ରତ୍ୟେକ ଦିନ ତୁଳସୀ ପୂଜା କରନ୍ତି ‌ । ସକାଳୁ ଗାଧୋଇ ସାରି ଜଳଦାନ ଏଵଂ ସନ୍ଧ୍ୟାରେ ଦୀପଦାନ ଓଡ଼ିଆ ଘରର ଝିଅଵୋହୂଙ୍କର ମୁଖ୍ୟ କର୍ତ୍ତଵ୍ୟକର୍ମ ଅଟଇ । ତୁଳସୀଚଉରାରେ ରୋପିତ ଓ ସଯତ୍ନବର୍ଦ୍ଧିତ ତୁଳସୀ ଵା ଵୃନ୍ଦାଵତୀଙ୍କୁ ଜଳଦାନ, ଦୀପଦାନ ଓ ପୂଜାଆଦି କରିଵା ରୂପ ଏହି କର୍ତ୍ତଵ୍ୟ କାର୍ଯ୍ୟକୁ #ଚଉରାସେଵା କୁହାଯାଏ । ସେହିପରି ଆଗେ ଘରର ପୁରୁଷମାନେ ଘରୁ ବାହାରି ଗଲା ବେଳେ ତୁଳସୀ ଚଉରାକୁ ପ୍ରଣାମ କରି ତୁଳସୀ ପତ୍ରଟିଏ ସେଵନ କରି ଦୂରକୁ ଯାତ୍ରା କରିଵାର ପରମ୍ପରା ପ୍ରଚଳିତ ଥିଲା । ଏ ଦେଶର ଵୈଷ୍ଣଵମାନେ ଗାଧୋଇ ସାରି ତୁଳସୀଗଛରେ ଜଳଦାନ ପରେ ତୁଳସୀ ପତ୍ରଟିଏ ସେଵନ କରିଵାର ପରମ୍ପରା ମଧ୍ୟ ରହିଛି । ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପଦାନ କରିଵାକୁ ଓଡ଼ିଆ ମାନେ ସନ୍ଧ୍ୟା ଦେଵା ,ସଞ୍ଜ ଦେଵା 
,ସଞ୍ଜ ବସାଇଵା ,ସଞ୍ଜଵତୀ ଦେଵା ଓ ବଳିତା ବସାଇଵା ଆଦି କହିଥାନ୍ତି । 

 

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜା :

ଆଗେ ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଉଥିଲା ଓ ଵିଶେଷ ପୂଜାର ଆୟୋଜନ କରାଯାଉଥିଲା । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼ୁଥିଲା ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଉଥିଲା । ଆଗେ ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଉଥିଲା । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଉଥିଲା । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । 

ମାର୍ଗଶୀର କୃଷ୍ଣନଵମୀରେ ତୁଳସୀ ପୂଜା :

ମାର୍ଗଶିରମାସ କୃଷ୍ଣନଵମୀରେ‌ କାଞ୍ଜି ଅଅଁଳା ପର୍ଵ ପଡି଼ଥାଏ ‌ । ଏ ଦିନ ସ୍ତ୍ରୀ ଲୋକେ ଅଅଁଳା କୋଳି ପଡି଼ଥିଵା କାଞ୍ଚି ନେଇ ତୁଳସୀ ଚଉରାମୂଳେ ସନ୍ଧ୍ୟାବେଳେ ପୂଜା କରନ୍ତି। 

କାର୍ତ୍ତିକ ମାସରେ ତୁଳସୀ ପୂଜା :

କାର୍ତ୍ତିକ ମାସକୁ ତୁଳସୀ ମାସ କୁହାଯିଵା କଥା କାରଣ ଏ ମାସରେ କଳିଙ୍ଗ ଦେଶରେ ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ । କାର୍ତ୍ତିକ ମାସସାରା ଏ କଳିଙ୍ଗ ଦେଶର ହବିଷିଆଳିମାନେ ତୁଳସୀ ମୂଳରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ଚିତ୍ର ଅଙ୍କନ କରି କାର୍ତ୍ତିକପୂଜା ଓ ଦୀପଦାନ ଆଦି କରନ୍ତି । ଯାହା ଦାଣ୍ଡରେ ତୁଳସୀ ଗଛ ଥାଏ ସେଠାରେ ଗୋଟିଏ ବଡ଼ ଦଣ୍ଡ ପୋତାଯାଇ ପିତୃପୁରୁଷଙ୍କୁ ଦୀପଦାନ କରାଯାଏ । 

କାର୍ତ୍ତିକ ଵ୍ରତ ଵା ରାଇଦାମୋଦର ଵ୍ରତ ଓ ତୁଳସୀ :

କାର୍ତ୍ତିକ ମାସରେ କରାଯିଵା ଵ୍ରତକୁ କାର୍ତ୍ତିକ ଵ୍ରତ, 'ରାଇଦାମୋଦର ଵ୍ରତ' ଵା 'ରାଇଦାମୋଦର ପୂଜା' ବୋଲାଯାଏ। ଏହି କାର୍ତ୍ତିକ ଵ୍ରତ ଵା ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ଵର୍ଣ୍ଣିତ ହୋଇଅଛି। କୁମାରପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ଵ୍ରତ ଵା ଊର୍ଜ୍ଜଵ୍ରତ କରାଯାଏ। ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତଵ୍ୟ ଅଟଇ। ଵିଧଵା ଓ ହବିଷିଆଳିମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କ ରୂପ ଅଙ୍କିତ କରି ପୂର୍ଵଦିଗକୁ ମୁହଁ କରି ନୈଵେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି। ଵିଧଵା ଓ ହବିଷିଆଳିମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ସମୟରେ କାପତାକାପତୀ (କପୋତ କପୋତୀ ଦ୍ୱୟ)ଙ୍କୁ ମଧ୍ୟ ନୈଵେଦ୍ୟ (ଭୋଗ) ଦିଆଯାଏ। ଏହି ନୈଵେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ଵିଧଵା ଓ ହବିଷିଆଳି ଵ୍ରତିନୀମନେ ଉତ୍ସର୍ଗ କରନ୍ତି। ସାଧାରଣତଃ ବୃଦ୍ଧାମାନେ ରାଧାଦାମୋଦର ପୂଜା କରିଥାନ୍ତି । ରାଇଦାମୋଦର ବିଷୟରେ ଢଗଟିଏ ଓଡ଼ିଆ ଭାଷାରେ ପ୍ରଚଳିତଏଵଂ ସେଥିରୁ ଏକଥା ଜଣାଯାଏ । 

“ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ବର, 
ଝିଅଙ୍କୁ ସୁନ୍ଦର ନେତ, 
ବୁଢ଼ୀଙ୍କି ସୁନ୍ଦର ରାଇଦାମୋଦର, 
ବୁଢ଼ାଙ୍କୁ ସୁନ୍ଦର ଶୀତ।”

କାର୍ତ୍ତିକ ପୂର୍ଣ୍ଣିମା ଓ ତୁଳସୀ ଗଛ :

କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା କରିଵା ପାଇଁ ଛେନାଗୁଡ଼ ଵା ଖଇଚକଟା ତୁଳସୀଚଉରା ମୂଳେ ଥୋଇଵାକୁ ହୋଇଥାଏ ‌। ଏ ଦିନ ତୁଳସୀ ଚଉରାକୁ ଲିପି ଵିଶେଷ ଭାବେ ଧୂପ ଦୀପ ଦ୍ଵାରା ପୂଜା କରାଯାଏ ‌ । ଚନ୍ଦ୍ରଙ୍କ ପାଇଁ ପ୍ରସ୍ତୁତ ଭୋଗକୁ ସଜ୍ଜିତ ତୁଳସୀ ଚଉରା ମୂଳରେ ବଢ଼ାଯାଏ ଯାହାକୁ ଚାନ୍ଦ ବାଢି଼ଵା କୁହନ୍ତି । 

ତୁଳସୀ ଵିଵାହ : 
ତୁଳସୀ ଵିଵାହୋତ୍ସଵ କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ଦିନ ପାଳିତ ହୋଇଥାଏ । ଏହି ଦିନ ଶ୍ରୀଵିଷ୍ଣୁଙ୍କ ସହିତ ଵୃନ୍ଦାଵତୀ ଵା ତୁଳସୀ ଚଉରାରେ ଥିଵା ତୁଳସୀ ଗଛର ଵିଵାହ ରୂପକ ଉତ୍ସଵ ପାଳିତ ହୁଏ ‌ । 

ଅଷ୍ଟପ୍ରହରୀ ସମୟରେ ତୁଳସୀ ପୂଜା :
ଅଷ୍ଟପ୍ରହରୀ ସମୟରେ ଵିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ଆସିଥାନ୍ତି । ସେତେବେଳେ ଠାକୁରମାନଙ୍କୁ ଓ ସଂକୀର୍ତ୍ତନଦଳକୁ ମେଳନ ଆଦିକୁ ନିମନ୍ତ୍ରଣ କରିଵା ପାଇଁ ଫୁଲ ଓ ତୁଳସୀ ପ୍ରେରଣ କରାଯାଏ । ଏତଦଵ୍ୟତୀତ ଅଷ୍ଟପ୍ରହରୀ ଆରମ୍ଭ ଓ ଶେଷରେ ଗ୍ରାମର ଭାଗଵତ ଘର ଆଗରେ ଥିଵା ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ ‌ । 

ଜହ୍ନି ଓଷା ଓ ତୁଳସୀ :
ଗାଆଁ ଝିଅମାନେ ତୁଳସୀ ଚଉରା ମୂଳରେ ଜହ୍ନିଓଷା କରିଥାନ୍ତି । ଏହି ଜହ୍ନି ଓଷା ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା (କୁମାର ପୁର୍ଣ୍ଣିମା) ଯାଏ ପାଳିଵାକୁ ହୁଏ। ଏହି ଓଷା ଏକ ମାସ ଵ୍ୟାପି ପାଳିତ ହୁଏ ଏଵଂ ଏହି ଓଷାରେ ପ୍ରତିଦିନ ତୁଳସୀ ଗଛର ଵିଶେଷ ପନ୍ଦାପନା କରାଯାଇ ପିଲାଙ୍କ ମଧ୍ୟରେ ଭୋଗ ବଣ୍ଟନ କରାଯାଏ । ଏଥିର ଶେଷ ପାଳି ଦିନ ବାଳିକାମାନେ ସନ୍ଧ୍ୟାବେଳେ ଗୁଡ଼ିଏ ଜହ୍ନି ଫୁଲ ତୋଳି ଆଣି ତିନି ଗୋଟି ମଣ୍ଡଳ କାଟି ତିନି ଗୋଟି ଜହ୍ନି ପତ୍ରରେ ଫୁଳଗୁଡ଼ିକ ରଖି ନିଜନିଜର ଭାଇ ବାପାଙ୍କ ମଙ୍ଗଳକାମନାରେ ତାକୁ ଚାଳ ଉପରକୁ ଫୋଫାଡ଼ନ୍ତି ।

ଶାମ୍ବ ଦଶମୀ ଓ ତୁଳସୀ :
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ଵ କିନ୍ତୁ ଓଡ଼ିଆ ଘରର ଝିଅ ଵୋହୂମାନେ ତୁଳସୀ ଚଉରା ମୂଳରେ ସାମୁହିକ ଭାବରେ ଏକତ୍ରିତ ହୋଇ ଏହାର ଆୟୋଜନ କରିଥାନ୍ତି ଏଵଂ ଏହି ପୂଜାର ଆୟୋଜନ ଶେଷରେ ସୂର୍ଯ୍ୟ ଦେଵଙ୍କୁ ଧୂପ ଓ ନୈଵେଦ୍ୟ ଅର୍ପଣ କରାଯାଏ । ଶାମ୍ବ ଦଶମୀର ପୂଜା ତୁଳସୀ ଚଉରା ମୂଳରେ ହେଉଥିଵାରୁ ପ୍ରଥମେ ତୁଳସୀ ପୂଜନ କରାଯାଇ ତହିଁ ମୂଳରେ ଦୀପଦାନ କରାଯାଏ

ବଡ଼ ଓଷା ଓ ତୁଳସୀ 
ଓଡ଼ିଶାରେ ଦୁଇ ଜାତୀୟ ବଡ଼ଓଷା ପାଳନ କରାଯାଏ । 

(କ) କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ 
କଟକ ଓ ପୁରୀ ଆଦି ଜିଲ୍ଲାରେ ଆଠଗଡ଼ର ଧବଳେଶ୍ୱର ମହାଦେଵଙ୍କଠାରେ କାର୍ତ୍ତିକ ପୂର୍ଣ୍ଣିମାର ପୂର୍ଵଦିନ ଏହି ଓଷା କରିଥିଵା ଲୋକମାନେ ଭୋଗ ଲଗାନ୍ତି। 

(ଖ)ସୋମନାଥ ଵ୍ରତକୁ ଗଞ୍ଜାମ ଜିଲ୍ଲାରେ 'ବଡ଼ ଓଷା' ବୋଲି କହନ୍ତି। ଏହି ଵ୍ରତ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ ଆରମ୍ଭ କରାଯାଇ ଆଶ୍ୱିନ ଶୁକ୍ଳଦଶମୀ (ଦଶହରା) ଦିନ ଉଦ୍ୟାପନା କରାଯାଏ।

ତେବେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ ଯେଉଁ ବଡ଼ ଓଷା ହୋଇଥାଏ ତାହା ତୁଳସୀ ଗଛର ଚଉରା ମୂଳରେ ଅନେକ ସ୍ତ୍ରୀ ଲୋକଙ୍କ ଦ୍ଵାରା ସାମୁହିକ ଭାବରେ ଆୟୋଜିତ ହୋଇଥାଏ । ଗ୍ରାମାଞ୍ଚଳରେ ଯାହା ଯାହା ଘରେ ତୁଳସୀ ଚଉରା ରହିଛି ସେମାନଙ୍କ ଘରେ ହିଁ ବଡ଼ ଓଷା ପାଳନ ହୋଇଥାଏ । ଏଥିରେ ପ୍ରଥମେ ତୁଳସୀ ଚଉରାକୁ ବନ୍ଦାପନା କରି ଦୀପଦାନ କରାଯାଏ ଏଵଂ ତତ୍ପରେ ଗାତ ଖୋଳି ସେଥିରେ ଚୂଲି କରି ଭୋଗ ପ୍ରସ୍ତୁତ କରାଯାଏ ।  

ଏହିପରି ଆହୁରି ଅନେକ ଉତ୍କଳୀୟ ପର୍ଵପର୍ଵାଣୀରେ ତୁଳସୀ ଗଛର ପ୍ରଥମେ ପୂଜାର୍ଚ୍ଚନା ହୋଇଥାଏ । 

ଉତ୍କଳୀୟ ସଂସ୍କୃତି ସାହିତ୍ୟ ଓ ସମାଜରେ ତୁଳସୀ :—

ଉତ୍କଳୀୟ ସମାଜ ସହିତ ତୁଳସୀ ଓତଃପ୍ରୋତଭାବେ ଜଡ଼ିତ । ଶ୍ରୀଜଗନ୍ନାଥ ଆଉ ତୁଳସୀ ମଧ୍ୟ ପରସ୍ପର ସହିତ ଜଡ଼ିତ । ଅଚ୍ୟୁତାନନ୍ଦ ଦାସଙ୍କ କଵିତାର ନିମ୍ନୋକ୍ତ ପଦଟି ପାଠକଲେ ଆମେ ଏକଥା ସ୍ପଷ୍ଟ ଅନୁଭଵ କରିଥାନ୍ତି ...

“ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ ॥”
(ଅଚ୍ୟୁତାନନ୍ଦ)

ଶ୍ରୀଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ପାଇଁ ତୁଳସୀ ଗଛ କେତେ ମହତ୍ତ୍ୱପୂର୍ଣ୍ଣ ତାହା ଆମେ ସାଲବେଗଙ୍କ ଭଜନରୁ ଜଣିଵାକୁ ପାଆନ୍ତି ...

“ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,
 ଜପୁଛନ୍ତି ନାମ ସଂଖ୍ୟା କରି ।୧।”

ପୁଣି ଵନମାଳୀ ଦାସଙ୍କ ଭଜନରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥଙ୍କ ଛଡ଼ା ତୁଳସୀ ମଧ୍ୟ ଭକ୍ତମାନେ ଅତି ଆଦରର ସହିତ ନିଜ ପାଖରେ ରଖୁଥିଲେ

“ନାସା ମୋର ତୃପ୍ତି ନ ଲଭଇ ଆନ
ସୁଵାସ ଦ୍ରଵ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।”

ସାଲବେଗଙ୍କ ଭଜନରୁ ଜଣାଯାଏ ଯେ ଭକ୍ତମାନେ ସେହି ଛଡ଼ା ତୁଳସୀ ଭକ୍ଷଣ ମଧ୍ୟ କରୁଥିଲେ

“ଶ୍ରୀ ପୁରୁଷୋତ୍ତମ ରହଣି କରିଵା
ଖାଇଵା ଛଡା଼ ତୁଳସୀ 
କହେ ସାଲବେଗ ସିଂହଦ୍ୱାରଠାରେ
ହୋଇଥିଵା କ୍ଷେତ୍ରଵାସୀ”

ତୁଳସୀ ଶ୍ରୀଜଗନ୍ନାଥଙ୍କର ଵା ଶ୍ରୀଵିଷ୍ଣୁ ଭଗଵାନଙ୍କର ଅତି ପ୍ରିୟ । ତୁଳସୀ ପତ୍ର ଵିନା ଶ୍ରୀଵିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ଵୈଷ୍ଣବୀ, ଵିଷ୍ଣୁ ବଲ୍ଲଭା ଓ ହରିପ୍ରିୟା ଇତ୍ୟାଦି ରଖାଯାଇଛି ।

ସେଥିପାଇଁ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ , ଶ୍ରୀକୃଷ୍ଣ ଵା ଶ୍ରୀଵିଷ୍ଣୁଙ୍କ ଚରଣରେ ତୁଳସୀ ପତ୍ର ଦାନର ଉଲ୍ଲେଖ ଅଛି । 

ଶ୍ରୀକୃଷ୍ଣ-ଚରଣ-ତୁଳସୀ । 
ପାଦଉଦକରଜେ ମିଶି ॥ 
(ପ୍ରଥମ ସ୍କନ୍ଦ,ଭାଗଵତ)

ଶ୍ରୀକୃଷ୍ଣଚରଣ ତୁଳସୀ । 
ତା'ର ରସନା ତେଣେ ରସି ॥
(ନଵମ ସ୍କନ୍ଦ,ଭାଗଵତ)

ତୋହର ଚରଣ ତୁଳସୀ । 
କବରୀଭାରେ ତାହା ଖୋସି ॥
(ଦଶମ ସ୍କନ୍ଦ,ଭାଗଵତ)

ଓଡ଼ିଶାରେ ସାରଳା ଦେଵୀଙ୍କୁ ଲୋକେ ଵିଦ୍ୟାଦାତ୍ରୀ ଵାଗ୍ଦେଵୀ ବୋଲି ମଧ୍ୟ ଗ୍ରହଣ କରନ୍ତି। ବନଦୁର୍ଗା ମନ୍ତ୍ରରେ ଏହାଙ୍କ ପୂଜାହୁଏ; କିନ୍ତୁ ଏହାଙ୍କ ପୂଜାରେ ତୁଳସୀ ଓ ବେଲେପତ୍ରୀ ଉଭୟ ଲାଗେ। 

ଭାରତରେ ଦେଵଵିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିଵାର ଵା ପ୍ରଦକ୍ଷିଣା କରିଵାର ପରମ୍ପରା ପ୍ରଚଳିତ ଏଵଂ ଏହାକୁ ପରିକ୍ରମ ବୋଲାଯାଏ ।

କନ୍ୟାକୁ ଗୋଟିଏ ତୁଳସୀ ପତ୍ର ସହିତ ଜାମାତାଙ୍କ ହସ୍ତରେ ଅର୍ପଣ କରି ଦେଵାକୁ "ତୁଳସୀ ପତ୍ର ପାତ୍ର କରି ଟେକି ଦେଵା" କୁହାଯାଏ । ତୋଳାକନ୍ୟା ଵିଵାହ ପ୍ରଥାରେ ଏହିପରି କରାଯାଏ । ଅଭାଵଗ୍ରସ୍ତ ପିତା ଵିଵାହଵ୍ୟୟ ଵହନ କରିଵାକୁ ଅକ୍ଷମ ହୋଇ କନ୍ୟାକୁ ଵିଵାହ ପୂର୍ଵେ ବର ହସ୍ତରେ ତୁଳସୀପତ୍ର ସହିତ ସମର୍ପଣ କରେ ଏଵଂ ବର ନିଜ ଗୃହରେ ସେହି କନ୍ୟାର ପାଣିଗ୍ରହଣ କରେ । 

ଵୈଷ୍ଣଵ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କରେ। ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟିଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି । 

ପୂର୍ଵେ ତୁଳସୀ ପତ୍ର ଵା ଗଛ ଦିଆଦେଇ ହୋଇ ଓଡ଼ିଶାରେ ମିତ ବସୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି କଥା ଉଲ୍ଲେଖ କରାଯାଇଛି । ଜ୍ଞାତିତ୍ୱ, ରକ୍ତସଂପର୍କ ଵା ଵିଵାହ ଦ୍ୱାରା ସମ୍ବନ୍ଧଯୁକ୍ତ ହୋଇ ନଥିଵା ବ୍ଯକ୍ତିମାନେ ଧର୍ମକୁ, ଇଷ୍ଟ ଦେଵତା ଅଥଵା ତାଙ୍କର ପ୍ରସାଦକୁ କିମ୍ବା ତୁଳସୀ ଆଦି ପଵିତ୍ର ଵୃକ୍ଷଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି।
ଦୁଇ ଜଣ ଵ୍ୟକ୍ତି ପରସ୍ପର ସଙ୍ଗେ ଧର୍ମବାପ, ଧର୍ମପୁଅ, ଧର୍ମଭାଇ, ଧର୍ମଭଉଣୀ, ଧର୍ମ ମାଆ, ଧର୍ମଝିଅ, ସଙ୍ଗାତ, ମୈତ୍ର, ଓଶକା, ସରପୁଳି, ଅଭଡ଼ା, ଚାନ୍ଦ, ବଉଳ, ଗଙ୍ଗାଜଳ, ତୁଳସୀ, ଗୋଦାବରୀ, ପହିଲି ଭୋଗ, ଏହିପରି ନାନାପ୍ରକାର ଧର୍ମ-ବନ୍ଧୁତା ସ୍ଥାପନ କରନ୍ତି । ଏମାନଙ୍କୁ ପ୍ରୀତିବନ୍ଧୁ ଵା ଧର୍ମବନ୍ଧୁ ବୋଲାଯାଏ।

ସେହିପରି ଆଗକାଳରେ ତୁଳସୀକୁ ଛୁଇଁ ଲୋକେ ଶପଥ କରୁଥିଲେ । କଳିଙ୍ଗ ଦେଶରେ ଲୋକଵିଶ୍ୱାସ ଥିଲା ଯେ ତମ୍ବା, ତୁଳସୀ, ଶାଳଗ୍ରାମ ଵା ହରିବଂଶ ପୋଥି ଛୁଇଁ ନିୟମ ଵା ହଲପ କରି ମିଛ କହିଲେ ହଲପ କରିଵା ଵ୍ୟକ୍ତିର ସର୍ଵନାଶ ଘଟେ। ଏଣୁ ନ୍ଯାୟନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ଵିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନୁଥିଲେ, ଅର୍ଥାତ୍ ଵିପକ୍ଷପକ୍ଷ 'ତମ୍ବାତୁଳସୀ', 'ତମ୍ବାତୁଳସୀ ଶାଳଗ୍ରାମ' ବା 'ତମ୍ବାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିଵ ତାହାଦ୍ୱାରା ହଲପ ଦିଆଇଵା ଲୋକ ବାଧ୍ୟ ହେଵ ବୋଲି ସ୍ୱୀକାର କରୁଥିଲେ । ଆଜିକାଲି ଏସବୁ ପରମ୍ପରା ପ୍ରାୟତଃ ଲୁପ୍ତ ଏଵଂ ଅଦାଲତରେ ତୁଳସୀ ପ୍ରଭୃତି ପ୍ରୋକ୍ତ ପଵିତ୍ର ଦ୍ରଵ୍ୟାଦିର ସ୍ଥାନ ଭାଗଵତ ଗୀତା ନେଇଅଛି । 

ତୁଳସୀକୁ ନେଇ ଭାରତରେ ଅନେକ ଅନ୍ଧଵିଶ୍ଵାସ ମଧ୍ୟ ପ୍ରଚଳିତ ଯଥା — ରଵିଵାର ତୁଳସୀରେ ଜଳଦାନ କରିଵ ନାହିଁ ଲକ୍ଷ୍ମୀ ରାଗିବେ । କେତେକ ପାଶ୍ଚାତ୍ୟ ଵୈଜ୍ଞାନିକ ନିଜ ପାଶ୍ଚାତ୍ୟ ଔଷଧ ଵିକ୍ରି ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ଯେ ତୁଳସୀ ପତ୍ର ଚୋବାଇଲେ ଦାନ୍ତ କ୍ଷତି ହୁଏ ଇତ୍ୟାଦି । କୌଣସି ଦ୍ରଵ୍ୟ ଅତି ପ୍ରୟୋଗ ଭଲ ନୁହେଁ । ସେହିପରି ତୁଳସୀ ପତ୍ର ଅଧିକ ଚୋବାଇଵା କ'ଣ ଆଵଶ୍ୟକ କିନ୍ତୁ ପ୍ରତ୍ୟହ ଗୋଟିଏ ତୁଳସୀ ପତ୍ର ଚୋବାଇଲେ କ୍ଷତି ନାହିଁ । ରଵିଵାର ଦିନ ଜଳଦାନ ନକରିଵାର କୌଣସି ଵୈଜ୍ଞାନିକ କାରଣ ନାହିଁ ତେଣୁ ଏସବୁ ପ୍ରତି ଧ୍ୟାନ ନଦେଇ ତୁଳସୀ ଗଛରେ ଜଳ ଦିଆଯିଵା ଉଚିତ୍ ।

“ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍ ।
ତୁଳସୀସମ୍ବଵଂ ସର୍ଵଂ ପାଵନଂ ମୃତ୍ତିକାଦିକମ୍ ॥”

ଅର୍ଥାତ୍ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପଵିତ୍ର ଅଟେ । ଏଠାରେ ପଵିତ୍ର କହିଲେ ଔଷଧୀୟ ବୋଲି ବୁଝିଵାକୁ ହେଵ ‌। ତୁଳସୀ ପ୍ରଥମେ ଏକ ଔଷଧୀୟ ପାଦପ ବୋଲି ଆମକୁ ହୃଦୟଙ୍ଗମ କରିଵାକୁ ହେଵ । ତୁଳସୀ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ପାଦପ ଏଵଂ ଏହାକୁ ବଞ୍ଚାଇ ରଖିଵାକୁ ହେଲେ ପ୍ରତ୍ୟେକ ସନାତନୀ ତାହାର ଘରେ ଵର୍ଷର ଗୋଟିଏ ଦିନ ନୁହେଁ ଵରଂ ଚଉରା ପ୍ରସ୍ତୁତ କରି ଵର୍ଷକୁ ୩୬୫ ଦିନ ଜଳଦାନ,ଦୀପଦାନ ପୂର୍ଵକ ତୁଳସୀ ପୂଜନ ଦିଵସ ପାଳନ କରିଵା ଆଵଶ୍ୟକ । 

ଜୟ ଜଗନ୍ନାଥ 
ଜୟ କଳିଙ୍ଗ 🙏

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...