ଆଲୋକର ପର୍ବ ଦୀପାବଳି 
ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ 
ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ ।
ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାବଳି ପାଳନ୍ତି । 
ଶକ୍ତି ଉପାସକଙ୍କ ପାଇଁ ଦୀପାବଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନା ର ଦିବସ ।
ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ ରାଜା ବଳୀଙ୍କ ପାଇଁ ପାଳନ୍ତି ଦୀପାବଳି ପର୍ବ....
ଓଡ଼ିଶାରେ ସ୍ବତନ୍ତ୍ର ଶୈଳୀରେ ଦୀପାବଳି ପାଳନ ହେଉଥିଲେ ହେଁ ତାହା ଯେ 
ରାଜା ବଳୀଙ୍କ ସକାଶେ ଉଦିଷ୍ଟ 
ତାହା ଅଧିକାଂଶ ବୁଦ୍ଧିଜୀବୀ ମାନନ୍ତି ।
ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟା କୁ ପିପେଇ ଅମାବାସ୍ୟା କୁହାଯାଏ ।
ଆଞ୍ଚଳିକ ଶୈଳୀରେ ଏହି ଶବ୍ଦ 
ପିପେଇ,ପିମ୍ପେଇ,ପିପାଇ,ପିପୋଇ,ପିମ୍ପା,ପିମ୍ପାଇ ଆଦି ହୋଇଅଛି ।
ପିପେଇ ର ଅର୍ଥ ପୂପଦୀପ ବା ପୂପାଳି
ଆଗେ ଏ ଦିନ ଓଡ଼ିଶାରେ 
ପୂପ ବା ପିଠାରେ ଦୀପକାଠି ପୋତି ପିତୃପୁରୁଷଙ୍କୁ 
ଶ୍ରାଦ୍ଧ କରାଯାଉଥିଲା ବୋଲି କାର୍ତ୍ତିକ ଅମାବାସ୍ୟା କୁ 
ପିପେଇ ଅମାବାସ୍ୟା କୁହାଯାଏ ।
ଓଡ଼ିଶାରେ କାର୍ତ୍ତିକ ଅମାବାସ୍ୟା ଦିନ ସଂଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ।
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଦିପାବଳୀ ଉତ୍ସବର ପାଳନ ବିଧି ପ୍ରାଚୀନ ଓଡ଼ିଆ ବିଧିବିଧାନ ଠାରୁ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ ।
ଢେଙ୍କାନାଳରେ
ପ୍ରଥମେ ରୋଷେଇ ଘରେ(ଭିତର ଘରେ) 
ଐଶାନ୍ୟ କୋଣର ସ୍ଥାପିତ ଦେବତାଙ୍କୁ ପୂଜାର୍ଚ୍ଚନା କରି ତତ୍ପରେ  ଘର ଦୁଆରରେ 
ଲିପାପୋଛା କରାଯାଏ ।
ତତ୍ପରେ ଦୁଆରରେ ଝୋଟି ପକାଇ ସାତୋଟି ପିଣ୍ଡ ସ୍ଥାପନ କରାଯାଏ । 
ସପ୍ତ ପିଣ୍ଡରେ ପିଠା,କାକରା,ଆରିସା ଆଦି ମିଷ୍ଟାନ୍ନ ସହ ତାଳଟାଙ୍କୁଆ ଭୋଗ ଲଗାଯାଏ ।
ଆଗେ 
ରାତ୍ରରେ ପିତୃଲୋକଙ୍କୁ ପୂପଦୀପ ଅର୍ଥାତ୍ 
ପିଠା ଉପରେ ଦୀପ ପୋତି ଦାନକରାଯାଉଥିଲା ବୋଲି ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଲେଖା ଅଛି ତେବେ
ଆଧୁନିକ ଯୁଗରେ ପିଠାରେ ଦୀପ ପୋତିବା ବିଧି କେତେକ ଅଞ୍ଚଳରେ ଆଉ ନାହିଁ ବିଶେଷତଃ ଢେଙ୍କାନାଳ ଜିଲ୍ଲାରେ......
ଓଡ଼ିଶାରେ ପାଳିତ ହେଉଥିବା 
ଦୀପାବଳି ରେ  କାଉଁରିଆ କାଠି ଦରକାର ହୁଏ ।
ଢେଙ୍କାନାଳରେ କାଉଁରିଆ କାଠିରେ ଗୃହ ସଦସ୍ୟଙ୍କ ସଂଖ୍ୟା ଅନୁଯାୟୀ ପିମ୍ପେଇ କାଠି ତିଆରି ହୁଏ । ଏହି ପିମ୍ପେଇ କାଠିର ଓଡ଼ିଶାରେ ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ  ବାଲେଶ୍ବରରେ ଏହାକୁ 
ପୟା କାଠି ମଧ୍ୟ କୁହାଯାଏ ।
ପିମ୍ପେଇ କାଠି ବା ପୟାକାଠି ତିଆରି କରିବା ବିଧି ସହଜ ....
ଦୁଇ ହାତ ଲମ୍ଵ ମୁଠାଏ କାଉଁରିଆ କାଠିକୁ  
ଝୋଟରେ ବାନ୍ଧି ତହିଁରେ ସୁଆମ ଲଈ(ଲତା) 
ଓ ବାଳୁଙ୍ଗା ଗଛ,ରାଶିଫୁଲ ଦେଇ 
ପିମ୍ପେଇ କାଉଁରିଆ ଆଗରୁ ତିଆରି କରି ରଖାଯାଇଥାଏ ।
ଦୁଆରରେ ତିଆରି କରାଯାଇଥିବା 
ଝୋଟି ମଧ୍ୟରେ ପିଣ୍ଡ ସ୍ଥାପନ ସମ୍ପୂର୍ଣ୍ଣ ହୋଇଗଲା ପରେ 
ଅବ୍ରାହ୍ମଣ ପୂଜା ହୋଇଥାଏ ।
ସ୍ତ୍ରୀଲୋକ ମାନେ ହୁଳହୁଳି ମଙ୍ଗଳ ଆଳତୀ ସହ 
ପ୍ରଥମେ ରୋଷେଇ ଘରର ଐଶାନ୍ୟକୋଣରେ 
କୁଳ ଦେବତାଙ୍କୁ ଧୂପ ଦୀପ ଦିଅନ୍ତି ।
ରୋଷେଇ ଘରେ ପିମ୍ପେଇ କାଠିରେ  ଅଗ୍ନି ସଂଯୋଗ କରି ତାହାକୁ 
ଝୋଟି ଉପରେ ସ୍ଥାପିତ ସପ୍ତ ପିଣ୍ଡ ପାଖକୁ ଅଣାଯାଏ ।
ସେଠାରେ ହୁଳହୁଳି ଆଦି ମଙ୍ଗଳ ଧ୍ଵନି ଓ ବନ୍ଦାପନା କରି ନିଆଁ ଧରାଇଥିବା 
ପିମ୍ପେଇ କାଉଁରିଆ ମାନ ଧରି ଗୃହର ସଦସ୍ୟ ମାନେ ଜଣ ଜଣ କରି ଦାଣ୍ଡକୁ ଆଣନ୍ତି ଏବଂ 
ଆଣିଲା ବେଳେ 
ଗାଅନ୍ତି 
“ଗଙ୍ଗା ଯା ଗୟା ଯା 
ଶ୍ରୀପୁରସ୍ତମ ଯା 
ଶରଧାବାଲିରେ ଗଡ଼ଗଡା଼ଉ ଥା ....
ହେ ବଡ଼ବଡୁଏ.....! 
ଅନ୍ଧାରେ ଆସି ଆଲୁଏ ଯା 
ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ହେ ବଡ଼ବଡୁଏ....! ”
ବଡ଼ବଡି଼ଆ ବା ବଡ଼ବଡୁ଼ଆଙ୍କୁ ଡକାଯାଉଥିବାରୁ 
କାର୍ତ୍ତିକ ଅମାବାସ୍ୟା କୁ କେହି କେହି ବଡ଼ବଡି଼ଆ/ବଡ଼ବଡୁ଼ଆ ଅମାବାସ୍ୟା ବି କହିଥାନ୍ତି ।
ଢେଙ୍କାନାଳରେ ଏଇ ଭଳି ସମ୍ପାଦିତ ହୋଇଥାଏ ଦୀପାବଳି.....
 
 
No comments:
Post a Comment