Tuesday, August 30, 2022

ପ୍ରକୃତ କାରଣ

ଜଣେ ଲୋକ ଜନୈକ ଜମିଦାରଙ୍କ ପାଖକୁ ପୂଜାରୀ କାମ ପାଇଁ ଆସିଥିଲା । ଜମିଦାରଙ୍କୁ ଲଗିଲା ଲୋକଟି ନିହାତି ଭୁଲା ମଣିଷ । ସେ ପଚାରିଲେ , “ ତମେ କହୁଛ ଯେ କେତେ ଜାଗାରେ ତମେ ପୂଜାରୀ କାମ କରିଛ । ତେବେ ସେ ସବୁ ସ୍ଥାନରୁ ଚାକିରୀ ଛାଡ଼ି ଆସିଲ କାହିଁକି ? କ’ଣ ତମେ ବେଶି ସମୟ ଅନୁପସ୍ଥିତ ରୁହ କି ? ” 

ଆଗନ୍ତୁକ ରାନ୍ଧୁଣିଆ ଲୋକଟି କହିଲା “ଆଜ୍ଞା ! ରାନ୍ଧୁଣିଆ ଅନୁପସ୍ଥିତ ରହିଲେ ସମସ୍ତେ ହଇରାଣ ହେବେନାହିଁ ? 

“ତେବେ ରୋଷେଇ କରିଵା ବେଳେ ଚାଖିଵାକୁ ଯାଇ ତମେ ସବୁ ଖାଇ ଦେଵାର ବଦଭ୍ୟାସ ଅଛି କି ? ” ଜମିଦାର ପଚାରିଲେ । 

ନା , ନା , ସମସ୍ତେ ଖାଇ ସାରିଲା ପରେ ଯାହା ବଳେ ମୁଁ ଖାଏ । ” ରାନ୍ଧୁଣିଆ କହିଲା । 


ସେଇଠୁ ଜମିଦାର ପଚାରିଲେ...

ଆଚ୍ଛା ତେବେ କିଛି ଚୋରାଇଵାର ବଦଭ୍ୟାସ ଅଛି କି ? ” 

 “ଯେତେବେଳେ ସାରା ରେଷେଇଘର ମୋ ହାତରେ ଥାଏ ସେତେବେଳେ ମୁଁ ସେପରି କାହିଁକି କରିବି ? ” ରନ୍ଧୁଣିଆ କହିଲା । “ 

ଜମିଦାର ପୁଣି ପ୍ରଶ୍ନ କଲେ । 
“ତେବେ ତୁମେ ସବୁ ଜାଗାରୁ କାମ ଛଡ଼ଦେଲ କାହିଁକି ? ”

ରନ୍ଧୁଣିଆ କହିଲା ଶୁଣନ୍ତୁ ଆଜ୍ଞା
 “ ପ୍ରକୃତରେ ମୋର ମନ ସ୍ଥିର ନୁହେଁ । ମୁଁ ଭୁଲିଯାଏ ଯେ ମୁଁ ଜଣେ ରାନ୍ଧୁଣିଆ । କେତେବେଳେ ମାଳୀ କାମ କଲଣି ତ କେତେବେଳେ ଘୋଡ଼ାଶାଳକୁ ଚାଲିଯାଏ । ସେଥିପାଇଁ ମୋତେ ଚାକିରୀରୁ ବାହାର କରି ଦିଅନ୍ତି । ” 


(୧୯୮୨ ଜାନୁଆରୀ ଓଡ଼ିଆ ଜହ୍ନମାମୁଁ ପତ୍ରିକାର ଗଳ୍ପ)

Sunday, August 28, 2022

ମନ୍ତ୍ର

ରାମସାହୁ ଖାଦ୍ୟ ଅଭାଵରୁ ଦିନକୁ ଦିନ ଶୁଖି ଶୁଖିଗଲା ପୁଣି ତାକୁ ରୋଗ ବି ହୋଇଗଲା । ସେ ଆଉ ଭଲ କାମଦାମ ନକରିପାରି ଘରୁ ଅନ୍ୟତ୍ର ଚାକିରୀ କରିଵାକୁ ଚାଲିଆସିଲା । ହେଲେ ପତଳା ରୋଗିଣା ଲୋକକୁ କାମ କିଏ ଦେଵ ? କୋଉଠି ବି କାମ ନପାଇଵାରୁ ସେ ଆତ୍ମହତ୍ୟା କରିଵାକୁ 
ଏକ ନଦୀକୁ ଡେଇଁପଡି଼ଲା । ପାଖରେ ମୁନି ଜଣେ ତପସ୍ୟା କରୁଥାନ୍ତି ।

 ନଦୀକୁ ଡେଇଁଵା ଶବ୍ଦ ଶୁଣି ସେ ଧାଇଁ ଆସି ରାମସାହୁକୁ ବଞ୍ଚାଇଲେ । ତାକୁ ଗୋଟିଏ ମନ୍ତ୍ର ଦେଇ କହିଲେ ଏହି ମନ୍ତ୍ର ତିନି ଦିନ କାମ କରିଵ । ତମେ ଏହି ମନ୍ତ୍ର ଜାପ କଲେ ତିନିଦିନ ପାଇଁ ଯାହା ଚାହିଁଵ କରିପାରିଵ ଏଵଂ ତିନି ଦିନ ପରେ ୟେ ମନ୍ତ୍ର ତୁମ ପରି ଅନ୍ୟ କୌଣସି ଅଭାବୀ ଲୋକକୁ ଦେଇ ଦେଵ । ରାମସାହୁ ଖୁସି ମନରେ ଘରକୁ ଆସି ସବୁକଥା ସ୍ତ୍ରୀକୁ କହିଲା । ସ୍ତ୍ରୀ ତ ବଡ଼ କୋଠା ବାଡ଼ି ଚାହୁଁଥିଲା ତେଣୁ ସେ ଭଲ ଓ ବଡ଼ ଘରଟିଏ ମାଗିଵାକୁ ରାମସାହୁକୁ ମନ୍ତ୍ରଣା ଦେଲା । ରାମସାହୁ ମନ୍ତ୍ର ଜାପି ସେଇଆ ମାଗିଵାରୁ ଆପେ ତାହାର ଚାଳଘର ଏକ ତିନିମହଲା କୋଠା ହୋଇଗଲା । ଦ୍ଵିତୀୟ ଦିନ ରାମସାହୁର ସ୍ତ୍ରୀ 
ଲକ୍ଷେ ଟଙ୍କା ମାଗିଵାକୁ କହିଲା । ସେତିକି ଟଙ୍କା ପାଖରେ ଥିଲେ ସାହୁକାରୀ ନହେଲେ ବେପାର କରି ସହଜରେ ଅନେକ ଦିନ ଘର ଚଳେଇ ହେଵ । ରାମସାହୁ ସେଇଆ ଇଚ୍ଛା କରି ମନ୍ତ୍ର ଜାପ କଲାରୁ ତାକୁ ଲକ୍ଷେ ଟଙ୍କା ମିଳିଗଲା । ତୃତୀୟ ଦିନ ରାମସାହୁ କ'ଣ ମାଗିଵ ବୋଲି ନିଜ ସ୍ତ୍ରୀକୁ ପଚାରିଲାରୁ ତା ସ୍ତ୍ରୀ ତାକୁ ୧୦୦ ବସ୍ତା ଚାଉଳ ମାଗିଵାକୁ କହିଲା । ୧୦୦ଟି ଚାଉଳ ବସ୍ତା ଥିଲେ ଖାଦ୍ୟାଭାଵ ଦୂର ହେଵା ସହ ବାକି ଚାଉଳ ବସ୍ତା ଵିକ୍ରି କରି ଘର ଚଳାଇ ହେଵ । ରାମସାହୁ ସ୍ତ୍ରୀ କହିଵା ଅନୁସାରେ ସେଇଆ କଲା । ଚତୁର୍ଥ ଦିନ ଆଉ ମନ୍ତ୍ର କାମ କରିଵ ନାହିଁ ଜାଣି ସେ ଆଉ ସେହି ମନ୍ତ୍ର ଵ୍ୟଵହାର କଲା ନାହିଁ । କେବେ ଦାଣ୍ଡର ଫକୀର ଥିଵା ରାମସାହୁ ଏବେ ବଡ଼ ଧନିକ ହୋଇଯାଇଥାଏ । ତା ଘରକୁ ଅନେକ ଅଭାବୀ ଦରିଦ୍ର ଲୋକ ଆସୁଥାନ୍ତି । ଏମତି ଦିନେ ଜଣେ ଭିକାରୀ ତା ଘରକୁ ଗୀତ ବୋଲି ବୋଲି ଭିକ୍ଷା ମାଗିଵାକୁ ଆସନ୍ତେ ଗୃହ ସମ୍ମୁଖରେ ମୁର୍ଚ୍ଛା ହୋଇଗଲା । 



ରାମସାହୁ ତାହାର ଦୁର୍ଵଳ ଶରୀର ଦେଖି ବୁଝିଗଲା ଯେ ଏହି ଲୋକକୁ ମନ୍ତ୍ରଟି ଦେଲେ ସେ ମଧ୍ୟ ତାପରି ସୁଖରେ କାଳାତିପାତ କରନ୍ତା । ତେଣୁ ସେ ଭିକାରୀକୁ ଦାଣ୍ଡରୁ ଉଠାଇ ଆଣି ଖାଇଵାକୁ ପିଇଵାକୁ ଦେଲା ଭୁରି ଭୋଜନ କରାଇଲା ଏଵଂ ତା କାନରେ ମନ୍ତ୍ରଟି ଶୁଣାଇ ତାକୁ ତିନି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ର ଦ୍ଵାରା ସେ ଯାହା ମାଗିଵ ପୂର୍ଣ୍ଣ ହେଵ ବୋଲି କହିଲା । 

ଭିକାରୀ ଜଣକ ନିଜ ସ୍ତ୍ରୀ ପାଖକୁ ଯାଇ ସବୁକଥା ମୂଳରୁ ଶେଷ ଯାଏଁ ଗୋଟି ଗୋଟି କରି ଶୁଣେଇଲା । ଭିକାରୀର ସ୍ତ୍ରୀ ବଡ଼ ଲୋଭୀ ଥିଲା ଏଵଂ ସେ ଗାଆଁ ତଥା ଦେଶର ଲୋକଙ୍କ ପ୍ରତି ତାହାର ମନରେ ରାଗ ଥିଲା । "ଅଭାଵ ଅନଟନ ମଣିଷକୁ ଲୋଭୀ ଏଵଂ ବେଳେ ବେଳେ ଇର୍ଷାଳୁ ଓ ଦ୍ଵେଷୀ ମଧ୍ୟ କରିଦିଏ" । ନିଜର ଦୁରାଵସ୍ଥା ପାଇଁ ଭିକାରୀର ସ୍ତ୍ରୀ ସବୁବେଳେ ଗ୍ରାମ ତଥା ଦେଶଵାସୀଙ୍କୁ ଦୋଷୀ ମନେକରୁଥିଲା । ତେଣୁ ଭିକାରୀର ସ୍ତ୍ରୀ ଭିକାରୀକୁ ମନ୍ତ୍ରଣା ଦେଲା ଏହି ମନ୍ତ୍ର ସାହାଯ୍ୟରେ ସେମାନେ ଧନୀ ହେଵା ସହ ଏହି ଦେଶର ଲୋକମାନଙ୍କଠାରୁ ପ୍ରତିଶୋଧ ବି ନେଇପାରିବେ । ପ୍ରଥମେ ପ୍ରଥମେ ଭିକାରୀ ଜଣକ ତା ସ୍ତ୍ରୀ କଥାରେ ସମ୍ମତ ହେଉନଥାଏ ହେଲେ କଥାରେ ଅଛି “ପାଖରେ ଶୁଏ କାନରେ କୁହେ ତା କଥା କି ଅନ୍ୟଥା ହୁଏ ?” । ଶେଷରେ ବହୁତ କହିଵାରୁ ଭିକାରୀ ନିଜ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ଦିନ ମନ୍ତ୍ର ବଳରେ ଗାଆଁ ପାଖ ଜଙ୍ଗଲରେ ଗୋଟିଏ ଵିଶାଳ ପ୍ରାସାଦ ନିର୍ମାଣ କରାଇଲା । ତହୁଁ ଦ୍ଵିତୀୟ ଦିନ ତା ସ୍ତ୍ରୀ ତାକୁ କହିଲା ଏ ଦେଶର ଲୋକମାନଙ୍କ ଯୋଗୁଁ ଆମେ ଦରିଦ୍ର ହୋଇଛେ । ଯେଉଁ ଚାଉଳ ଗଣ୍ଡେ ପାଇଁ ଆମେ ଆଜିଯାଏଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛେ ତାକୁ ସମସ୍ତଙ୍କଠୁଁ ଛଡ଼େଇ ନେଵା। ଭିକାରୀ ଅନ୍ୟ ଉପାୟ ନପାଇ ସେଇଆ ମନରେ ଇଚ୍ଛା କରି ମନ୍ତ୍ର ପଢି଼ଵାରୁ ସେ ଦେଶରେ ଯାହା ପାଖରେ ଯେତେ ଚାଉଳ ଥିଲା ସେ ସବୁ ଜଙ୍ଗଲ ଭିତରେ ଥିଵା ଵିଶାଳ ପ୍ରାସାଦ ମଧ୍ୟରେ ଗଚ୍ଛିତ ହୋଇଗଲା । 


ଏଣେ ଦେଶଯାକ ଲୋକ ଚାଉଳ ନପାଇ ଫଳମୂଳ ଖାଇ ରହିଲେ । ରାଜାଘରେ ବି ମୁଠେ ଚାଉଳ ବଞ୍ଚିଲା ନାହିଁ । ରାଜା ଜାଣି ଚିନ୍ତାରେ ପଡି଼ଲେ ଏଵଂ ଏହାର କାରଣ ଜାଣିଵାକୁ ସୈନ୍ୟ ତଥା ଗୁପ୍ତଚର ପଠାଇଲେ । ସମସ୍ତଙ୍କ ଘରୁ ଚାଉଳ ଚାଲିଯିଵାରୁ ମୂଷାମାନେ ଲୋକଙ୍କ ଘରୁ ବାହାରି ପଦରେ ବୁଲିଲେ ଆଉ ହଠାତ୍ କ'ଣ ହେଲା କେଜାଣି ସେମାନେ ଗୋଟିଏ ଦିଗକୁ ବଢି଼ଚାଲିଲେ । ରାଜାଙ୍କ ସୈନ୍ୟମାନେ ମୂଷା ଯାଉଥିଵା ଦିଗକୁ ଘୋଡ଼ା ଝପଟାଇ ଦେଲେ ‌ ।

 ସୈନିକମାନେ ଆସି ଜଙ୍ଗଲ ଭିତରେ ଭିକାରୀର ଵିଶାଳ ପ୍ରାସାଦ ନିକଟରେ ପହଞ୍ଚିଲେ । ପ୍ରାସାଦ ଭିତରେ ଅମାପ ଚାଉଳ ବସ୍ତା ଦେଖି ସେମାନଙ୍କର ଆଉ କିଛି ବୁଝିଵା ବାକି ରହିଲା ନାହିଁ । ଭିକାରୀ ଓ ତାହାର ସ୍ତ୍ରୀ ବନ୍ଧା ହୋଇ ରାଜାଙ୍କ ପାଖକୁ ନିଆଗଲେ । ରାଜା ସବୁ ବୁଝିଵାରୁ ଜାଣିଲେ ଯେ ଏସବୁ କାଣ୍ଡ ଭିକାରୀ ତା ସ୍ତ୍ରୀର କଥାରେ ପଡ଼ି କରିଛି । ରାଜା ସେହି ଭିକାରୀଠାରୁ ମନ୍ତ୍ର ନେଇ ଯାହା ଘରେ ଯେତିକି ଚାଉଳ ଚାଲିଯାଇଥିଲା ସେତିକି ଫେରେଇ ଦେଲେ । ତାପରେ ଭିକାରୀ ଓ ଭିକାରୀର ସ୍ତ୍ରୀ କାରାଗାରକୁ ପଠାଗଲେ । ଭିକାରୀ ତା ସ୍ତ୍ରୀର ବୁଦ୍ଧି ଯୋଗୁଁ ଆଗକୁ ରାଜଦଣ୍ଡ ଭୋଗିପାରେ ବୋଲି ଅନୁମାନ କରିଥିଲା ତେଣୁ ମନ୍ତ୍ର ଶକ୍ତି ରାଜାଙ୍କୁ ଦେଵା ଆଗରୁ ସେ ମନ୍ତ୍ର ପଢି଼ ରାଜଦଣ୍ଡ ମିଳିଲେ ତାକୁ ଅନ୍ୟ ରାଜ୍ୟକୁ ପଠାଇ ଦେବା ପାଇଁ ମାଗିଦେଇଥିଲା । ଫଳତଃ କାରାଗାରରେ ପହଞ୍ଚିଵାର କେତେକ ସମୟ ପରେ ଭିକାରୀ ସେଠାରୁ ଅଦୃଶ୍ୟ ହୋଇଗଲା ଏଵଂ ତାହାର ସ୍ତ୍ରୀ ସେଇ କାରାଗାରରେ ବାକି ଜୀଵନ କଟେଇଲା । 

(ହିନ୍ଦୀ चंदामामाର ୧୯୬୬ ସଂଖ୍ୟା ଫେବୃଆରୀ ମାସରେ ପ୍ରକାଶିତ ଗଳ୍ପ "लापता चावल"ର ଓଡ଼ିଆ ଅନୁଵାଦ । ମୂଳ କାହାଣୀକୁ କେତେକାଂଶରେ ପରିଵର୍ତ୍ତିତ କରାଯାଇଛି । )

Wednesday, August 24, 2022

ଅଲୌକିକ କନ୍ୟା କଥା

ଆନ୍ଧ୍ରକ ଦେଶର ଦୁର୍ଗାପୁରମ୍ ବୋଲି ଏକ ଗାଆଁରେ ରାଜାମଣି,ହୀରାମଣି ଓ ନାଗମଣି ନାମରେ ତିନି ଭାଇ ସାଧଵ ଥିଲେ । ସେମାନେ କାମ ପାଇଁ ସ୍ଥାନୀୟ ରାଜାଙ୍କ ପାଖକୁ ଆସିଲେ । ରାଜା ବୋଇଲେ ଏବେ ବଡ଼ କାମ କିଛି ନାହିଁ ହଁ ରୋଷେଇ ଶାଳରେ କାମ କରିଵ ଯଦି କୁହ । ସେମାନେ ରାଜି ହୋଇ କାମ କଲେ । 

କିଛି ଦିନ ପରେ ରାଜା ଦେଖିଲେ ସାନଭାଇ ନାଗମଣି ଭଲ କାମ କରୁଛି । ସେ ବଡ଼ ଦୁଇଭାଇଙ୍କ ଆଗେ ତାହାର ପ୍ରଶଂସା କଲେ । ବଡ଼ ଦୁଇଭାଇ ଏକଥା ସହି ପାରିଲେ ନାହିଁ । ସେମାନେ କପଟ କରି ରାଜାଙ୍କ ଛାମୁରେ ଜଣେଇଲେ ଯେ ସେମାନଙ୍କର ସାନ ଭାଇ ନାଗମଣି ବଡ଼ ଯୋଗ୍ୟ ,ସେ ବଡ଼ ବଡ଼ ଅଦ୍ଭୁତ ଅସାଧ୍ୟ କାର୍ଯ୍ୟ ସହଜରେ କରିପାରେ ‌ । ଛାମୁଙ୍କର ତ ପତ୍ନୀ ନାହାନ୍ତି ରାଜା ଯଦି ନାଗମଣି ଆଜ୍ଞା ଦିଅନ୍ତି ସିଏ ସୁନ୍ଦର ଅଲୌକିକ କନ୍ୟାଟିଏ ନେଇ ଆସନ୍ତା । 

ରାଜା ବହୁତ ଭାବିଲେ । ତାଙ୍କର ମଧ୍ୟ ଵିଵାହ କରିଵାକୁ ବଡ଼ ମନ ଥିଲା କିନ୍ତୁ ମନଲାଖି କନ୍ୟା ମିଳୁନଥିଲେ । ନାଗମଣିକୁ ରାଜା ଡକେଇ ପଠେଇଲେ ଆଉ ବାର ମାସ ମଧ୍ୟରେ ଅଲୌକିକ କନ୍ୟାଟିଏ ନେଇ ଆସିଵାକୁ ଆଦେଶ ଦେଲେ । ନାଗମଣି ଅଲୌକିକ କନ୍ୟା ନ ଆଣି ପାରିଲେ ତାହାର ମୁଣ୍ଡକାଟ ହେଵ ।  

କଳିଙ୍ଗ ଦେଶର ପଶ୍ଚିମରେ ସେତେବେଳେ ଉଡ୍ରଦେଶ ଅଵସ୍ଥିତ ଥିଲା । ସେହି ଉଡ୍ର ଦେଶରେ କୁଆଁରୀ ପାଟଣା ବୋଲି ଏକ ଅଲୌକିକ ସ୍ଥାନ ଥିଲା । ନାଗମଣି ସେହି କୁଆଁରୀ ପାଟଣା ଵିଷୟରେ ଜାଣିଥିଲା ତେଣୁ ବାର ମାସ ଭିତରେ କେମିତି ଅଲୌକିକ କନ୍ୟା ମିଳିଵ ସେହିକଥା ଵିଚାର କରି ସେଆଡ଼କୁ ବଢି଼ ଚାଲିଲା । ବାଟରେ ତାକୁ ଭୋକ ଲାଗିଲା । ରାଜପ୍ରାସାଦରୁ ଆଣିଥିଵା ଖାଦ୍ୟ ଖାଇଵାକୁ ବସିଥାଏ ଏତିକିବେଳେ ଜଣେ ବୃଦ୍ଧା ମହିଳା ତା ପାଖକୁ ଆସିଲେ ।

 ନାଗମଣି ବୃଦ୍ଧା ମହିଳାଙ୍କୁ ସେ ବାଢି଼ଥିଵା ଭୋଜନ କରିଵାକୁ ଅନୁରୋଧ କଲା । ବୃଦ୍ଧା ମହିଳା ସେ ଅନୁରୋଧ ସ୍ଵୀକାର ପୂର୍ଵକ ଖାଇ ବସିଲେ । ଭୋଜନ ପରେ ଵୃଦ୍ଧା ଜଣକ ତୃପ୍ତି ଲାଭ କରି ନାଗମଣିକୁ କହିଲେ 
 
"ବାପ ମୁଁ କାହା ଋଣ ରଖେନି ଆଉ ତୁ ଯୋଉ କୁଆଁରୀପାଟଣାକୁ ଅଲୌକିକ କନ୍ୟାଟିଏ ପାଇଁ ଯାଉଛୁ ତାହା ମୁଁ ଜାଣେ । ମୁଁ ତୋତେ ଗୋଟିଏ ଶଙ୍ଖ ଦେଉଛି । 
କୁଆଁରୀପାଟଣାରେ ପହଞ୍ଚି ଏହି ଶଙ୍ଖ ବଜାଇଲେ ତୋତେ କାହାର ମାୟା ଛୁଇଁ ପାରିଵ ନାହିଁ ଏଵଂ ମାୟାଵୀ ବେତାଳ ତୋହର ବୋଲ କରିବେ ‌। କୁଆଁରୀପାଟଣାର ପୁରୁଣାଗଡ଼ରେ ଗୋଟିଏ ଭଙ୍ଗା ରାଜପ୍ରସାଦ ମଧ୍ୟରେ ତିନିଜଣ ଅଲୌକିକ କନ୍ୟା ଅଛନ୍ତି । ତୁ ସେମାନଙ୍କୁ ପ୍ରାପ୍ତ କର ମୁଁ ଆଶିର୍ଵାଦ କରୁଛି ।"

 ଏତିକି ବୋଲି ଵୃଦ୍ଧା ମହିଳା ସେଠାରୁ କୁଆଡେ଼ ଉଭେଇ ଗଲେ । ନାଗମଣି କୁଆଁରିପାଟଣାରେ ପହଞ୍ଚିଵାରୁ ଶଙ୍ଖ ବଜାଇଲା ଫଳତଃ କୁଆଁରୀ ପାଟଣାରେ ଵ୍ୟାପ୍ତ ମାୟାଜାଲ ତାକୁ ସ୍ପର୍ଶ କରିପାରିଲା ନାହିଁ କି ସେଠାକାର କୌଣସି ଟେଣ୍ଟେଇ ତା ଉପରେ ଆକ୍ରମଣ କଲା ନାହିଁ। ତାପରେ ପୁରୁଣା ରାଜପ୍ରସାଦରେ ପହଞ୍ଚିଯାଇ ନାଗମଣି ପୁଣି ଶଙ୍ଖ ଫୁଙ୍କିଲା । ଶଙ୍ଖଧ୍ଵନି ଶୁଣି ଗୋଟିଏ ମାୟାବୀ ବେତାଳ ତାହାର ସ୍ଵାଗତ ପାଇଁ ସେଠାକୁ ଆସିଲା । ନାଗମଣି ମାୟାବୀ ବେତାଳକୁ ଅଲୌକିକ କନ୍ୟା ଆଣି ଦେଵାକୁ କୁହନ୍ତେ ବେତାଳ ବୋଇଲା 
 
"ଶୁଣ ସାଧଵ ! ଆମ୍ଭେ ବେତାଳମାନେ ଅଲୌକିକ କନ୍ୟାଙ୍କର ରକ୍ଷକ ଅଟୁ । ଆମ୍ଭେ ସେମାନଙ୍କୁ ଛୁଇଁଵାକୁ ଅଯୋଗ୍ୟ ଵରଂ ତୁମ୍ଭେ ନିଜେ ତାଙ୍କ ମଧ୍ୟରୁ ଜଣକୁ ଚୟନ କରି ବୁଝାଇ ସୁଝାଇ ନିଜ ସହିତ ନେଇପାର ‌ । କିନ୍ତୁ ସାଵଧାନ ! ସେମାନଙ୍କୁ ବଳପ୍ରୟୋଗ କରି ନେଵାକୁ ଚାହିଁଲେ ସେମାନେ କୋପ କରି ଅଦୃଶ୍ୟ ହୋଇଯିବେ ।"


ନାଗମଣି ସାଧଵ ପୁରୁଣାଗଡ଼ ମଧ୍ୟରେ ପଶି ତିନିଜଣ ଅଲୌକିକ କନ୍ୟାଙ୍କୁ ବହୁତ ବୁଝାଇଲା କିନ୍ତୁ କେହି ମାନିଲେ ନାହିଁ ଶେଷରେ ସେ ଵାଧ୍ୟ ହୋଇ ସେମାନଙ୍କ ମଧ୍ୟରେ ଜଣକୁ ଧରି ନେଵାକୁ ଉଦ୍ୟତ ହୁଅନ୍ତେ ସେମାନେ ଅଦୃଶ୍ୟ ହୋଇଗଲେ । 

ଵ୍ୟସ୍ତ ଵିଵ୍ରତ ହୋଇ ନାଗମଣି ସାଧଵ ପୁଣିଥରେ ବୃଦ୍ଧା ମହିଳା ଦେଇଥିଵା ମାୟାବୀ ଶଙ୍ଖ ବଜାଇଲା । ଏଥର ଶଙ୍ଖ ବାଇଵାରୁ ସେଠାରେ ଉପରୁ ତିନିଗୋଟି ଲେମ୍ବୁ ଆସି ପଡି଼ଲା । ବାଟରେ ଲେମ୍ବୁପାଣି କରି ପିଇ ହେଵ ଵିଚାର କରି ନାଗମଣି ସେହି ତିନୋଟିଯାକ ଲେମ୍ବୁ ଝୁଲାରେ ଧରି
 ବହେ ମନଦୁଃଖ କରି ଫେରିଲା । ତାହାର ଭୂଲ ଯୋଗୁଁ ତିନିଜଣ ଅଲୌକିକ କନ୍ୟା ତାକୁ ମିଳିଥାଇ ମଧ୍ୟ ଅଦୃଶ୍ୟ ହୋଇଗଲେ । ଏବେ ରାଜାଙ୍କ ହସ୍ତରେ ପ୍ରାଣ ହରାଇଵା ଅପେକ୍ଷା ଅନ୍ୟ ଦେଶକୁ ଚାଲିଯିଵା ଉତ୍ତମ ଭାବି ନାଗମଣି ସାଧଵ ଉଡ୍ରଦେଶ ତ୍ୟାଗ କରି କେକଳ ଦେଶ ପାରକରି ମେକଳ ଦେଶକୁ ଯାଉଥାଏ । ମେକଳ ଅଞ୍ଚଳଟି ଗୋଟିଏ ମାଳଭୂମି ଅଞ୍ଚଳ । ଆଜିଭଳି ସେ ଯୁଗରେ ସେହି ଅଞ୍ଚଳରେ ଏତେ କୂପ ଓ ପୁଷ୍କରିଣୀ ନଥିଲା ଵରଂ ଅନେକ ଅଚ୍ଚ ନିଚ୍ଚ ମଧ୍ୟମ ପର୍ଵତ ମଧ୍ୟରେ ଅନୁର୍ଵର ଵୃକ୍ଷହୀନ ଭୂଭାଗ ପଡି଼ ରହିଥିଲା । ମେକଳ ଦେଶର ରାଜଧାନୀକୁ ଯାଉଥିଲା ବେଳେ ବାଟରେ ତାକୁ ଭୀଷଣ ଶୋଷ ଲାଗିଲା । କୋଉଠି ପାଣି ମୁନ୍ଦାଏ ମିଳିନଥାଏ । ଲେମ୍ବୁଟିଏ ଚିପୁଡି଼ ତାହା ପାଣି ପିଇଵାକୁ ଝୁଲାରୁ କାଢ଼ି କାଟିଵାରୁ ସେଥିରୁ କୀଟାକାର ଏକ କ୍ଷୁଦ୍ର କନ୍ୟା ବାହାରି କହିଲା "ପିଣି ମୁନ୍ଦେ ଦିଅ ଗୋ ବଡ଼ ଶୋଷ ! " 
ନାଗମଣି ଚାରିଆଡ଼େ ଉଣ୍ଡିଲା ହେଲେ ଏ ଗ୍ରୀଷ୍ମ କାଳର ରିଗ୍‌ରିଗିଆ ଖରାରେ କୋଉଠୁ ପାଣି ମିଳୁଛି ? 
ଫେରି ଆସି ଦେଖିଲା ବେଳକୁ ଅଲୌକିକ କନ୍ୟା ମରି ସାରିଛି ।


ଏ ସବୁ ଦେଖି ମନରେ କେତେ କ'ଣ ଭାବି ଭାବି ନାଗମଣି ଆଉ ଖଣ୍ଡେ ଦୂର ଚାଲି ଆସିଲା । ବାଟରେ ସେ ଆଉ ଶୋଷ ସହିପାରିଲା ନାହିଁ । ଦ୍ଵିତୀୟ ଲେମ୍ବୁ କାଟିଵାରୁ ପୂର୍ଵପରି ସେଥିରୁ ମଧ୍ୟ ଗୋଟିଏ କ୍ଷୁଦ୍ରାକାର ଅଲୌକିକ କନ୍ୟା ବାହିରି ପଡ଼ି ପୂର୍ଵ ଭଳି "ବଡ଼ ଶୋଷ ,ପାଣି ଟୋପାଏ ଦିଅ ହେ” କହିଲା । ଏଥର ବି ପାଣି ପାଇଁ ନାଗମଣି ଚାରିଆଡ଼େ ବୁଲିଲା ହେଲେ କୋଉଠି ଟୋପେ ପାଣି ପାଇଲା ନାହିଁ । ଫେରିଲା ବେଳକୁ ଦ୍ଵିତୀୟ ଅଲୌକିକ କନ୍ୟା ମଧ୍ୟ ମରି ସାରିଥାଏ । 

ନାଗମଣି ମନରେ କିଛି ଚିନ୍ତାକଲା ଏଵଂ ପୂର୍ଵେ ବୃଦ୍ଧା ମହିଳା ଦେଇଥିଵା ଚମତ୍କାରୀ ଶଙ୍ଖ ଫୁଙ୍କିଵାରୁ ସିଧା ନିଜ ଦେଶରେ ଆସି ପହଞ୍ଚିଗଲା । ରାଜବାଟୀ ଖଣ୍ଡେ ଦୂର ଥାଏ କିନ୍ତୁ ସେତେବେଳକୁ ଆଉ ନାଗମଣି ଶୋଷ ସହିପାରୁନଥାଏ । କଷ୍ଟେ ମଷ୍ଟେ ପେଲି ମୁସାଣ୍ଡି ସେ ଯେନ ତେନ ପ୍ରକାରେ ରାଜବାଟୀ ମଧ୍ୟସ୍ଥ ପୋଖରୀରୁ ଆଞ୍ଜୁଳାଏ ପାଣି ଆଣି ପିଇ ନିଜର ଶୋଷ ମେଣ୍ଟାଇଲା ଏଵଂ ସଙ୍ଗେ ସଙ୍ଗେ ତୃତୀୟ ଲେମ୍ବୁଟି କାଟି ତହିଁରୁ ବାହାରିଥିଵା କ୍ଷୁଦ୍ର ଅଲୌକିକ କନ୍ୟାକୁ ଜଳ ପାନ କରାଇଲା । ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା । ସେହି ଅଲୌକିକ କନ୍ୟାଟି ପାଣି ପିଇ ବଡ଼ ହୋଇଗଲା । ରୂପ ରଙ୍ଗ ଗଢ଼ଣ ଦୃଷ୍ଟିରୁ ସେ ଭୁଵନସୁନ୍ଦରୀ ପ୍ରତିଭାତ ହେଉଥାଇ । ନାଗମଣି ତାକୁ ସେଇଠି ରହିଵାକୁ କହି ରାଜପ୍ରସାଦ ମଧ୍ୟକୁ ଦୌଡ଼ି ଯାଇ ରାଜାଙ୍କୁ ସମସ୍ତ କଥା ଜଣାଇଲା । 


ଇତି ମଧ୍ୟରେ ସେହି ପୋଖରୀକୁ ରାଜାଙ୍କ ରୋଷେଇଆର ଝୁଅ ପାଣି ନେଵାକୁ ଆସିଲା । ସେ ତଳକୁ ନଇଁକରି କଳସୀରେ ପାଣି ପୂରାଉଥାଏ ଏତିକିବେଳେ ପୋଖରୀ ପାଣିରେ ଅଲୌକିକ କନ୍ୟାଟିର ମୁଖ ଦେଖି ହଠାତ୍ ବଡ଼ ଉଷତ ହେଇଗଲା । ସେ ଯେ ଏତେ ସୁନ୍ଦର ଏକଥା ତ ସେ ଆଜିଯାଏଁ ଜାଣିନଥିଲା । କିନ୍ତୁ ପଛରେ ଜଣେ ସୁନ୍ଦରୀ ଅପରୂପା ସୁନ୍ଦରୀ ଯୁଵତୀ ଦେଖି ରୋଷେଇଆର ଝିଅ ରାଗିକି ନିଆଁ ହୋଇଗଲା । ସେ ସେହି ସୁନ୍ଦରୀ ଅଲୌକିକ କନ୍ୟାର ଦିହରୁ ଵସ୍ତ୍ର ଛଡ଼ାଇ ନେଇ ତାକୁ ପୋଖରୀକୁ ଠେଲି ଦେଲା ଏଵଂ ନିଜେ ସେ ଵସନ ପିନ୍ଧି ସେଠାରେ ହାତେ ଓସାରର ଓଢ଼ଣା ଟାଣି ଛିଡ଼ା ହେଲା । 

ତହୁଁ କେତେକ କାଳ ପରେ ରାଜାଙ୍କୁ ଘେନି ନାଗମଣି ସେଠାରେ ଆସି ପହଞ୍ଚିଲା । ରାଜା ଉତ୍କଣ୍ଠିତ ହୋଇ ସେଠାରେ ଛିଡ଼ା ହୋଇଥିଵା ଯୁଵତୀର ଓଢ଼ଣା ଟେକି ମୁଖ ଦେଖନ୍ତେ ଅତ୍ୟନ୍ତ କ୍ରୋଧିତ ହୋଇଉଠିଲେ । ସେଇ ରୋଷେଇୟାର ଝିଅଟି ନିତାନ୍ତ ଅସୁନ୍ଦର ଥିଲା ତେଣୁ ରାଜା ତା ମୁଖ ମଣ୍ଡଳ ଦେଖିଵା ମାତ୍ରେ ଚିଡ଼ିଯାଇ ନାଗମଣିକୁ କାରାଗାର ପଠେଇ ଦେଵାକୁ ଆଦେଶ ଦେଲେ । 

ଏହି ଘଟଣାର କେତେକ ଦିନ ପରେ ଯୋଉ ପୋଖରୀରେ ଅଲୌକିକ କନ୍ୟାକୁ ରୋଷେଇୟାର କନ୍ୟା ପକାଇଦେଇଥିଲା ସେଇ ପୋଖରୀରୁ ଭାକୁର ମାଛଟିଏ ଧରା ହେଲା । ରୋଷଶାଳରେ ତାକୁ କାଟିଲାବେଳେ ସେଥିରୁ ଗୋଟିଏ ଅପରୂପା ସୁନ୍ଦରୀ କନ୍ୟା ବାହାରି ବଡ଼ ହୋଇଗଲା । ସଙ୍ଗେ ସଙ୍ଗେ ସେ କନ୍ୟାକୁ ଧରି ରୋଷେଇୟା ରାଜାଙ୍କ ପାଖକୁ ଗଲା । ରାଜା ସବୁଜାଣି ସେହି ଅଲୌକିକ କନ୍ୟାକୁ ଵିଵାହ କଲେ ଆଉ ରୋଷେଇୟାର ଝିଅକୁ ତାହାର ପୋଇଲି କରି ଖଟେଇଲେ । ରାଜା ତାପରେ ନାଗମଣିକୁ କାରାଗାରୁ ମୁକ୍ତ କରି ତାକୁ ନିଜର କରିଲେ । ଏପଟେ ନାଗମଣିର ବଡ଼ ଦୁଇ ଭାଇ ରାଜାମଣି ଓ ହୀରାମଣି ଭାଗ୍ୟ ଆଦରି ଏବେବି ରୋଷଶାଳକୁ ପାଣି ଯୋଗାଉଥାନ୍ତି। 


•••••••••••••••••••••••••••
(ଜହ୍ନମାମୁଁ ହିନ୍ଦୀ ସଂଖ୍ୟା ୧୯୬୬ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଏକ ଗପ तिन निम्बूରେ କେତେକ ପରିଵର୍ତ୍ତନ କରି ଗଳ୍ପଟି ଲିଖିତ ହୋଇଛି । ମୂଳ ଗଳ୍ପର ଲେଖକ ରାଜାମଣି ଅଟନ୍ତି । ଗଳ୍ପରେ ଉତ୍କଳୀୟ ପ୍ରଭାଵ ପାଇଁ କୁଆଁରୀପାଟଣାର ନାମୋଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଧୁନିକ ପାଟଣାଗଡ଼ ପୂର୍ଵେ କୁଆଁରୀପାଟଣା ଭାବେ ଖ୍ୟାତ ଥିଲା । )
••••••••••••••••••••••••••

Sunday, August 21, 2022

ଭିନ୍ନ କାର୍ଯ୍ୟ (କିଶନ୍ ଆର୍ଯ୍ୟ)

ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ ।ରାସ୍ତାରେ କିଛିବାଟ ଚାଲିଲାପରେ ନଦୀଟିଏ ପଡ଼ିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀପାର ହେଵା ପରେ ସେମାନେ କିଛି ବାଟ ଚାଲିଲା ପରେ ମନ୍ଦିରରେ ପହଞ୍ଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଭଲ । ନିରୋଳା ଓ ପଵିତ୍ର । ଧର୍ମାନନ୍ଦ ଚାହୁଁଥିଲେ ସ୍ତ୍ରୀ ପିଲାଙ୍କୁ ନେଇ ଆଉ ଦିନେ ଦୁଇଦିନ ରହିଥାନ୍ତେ । କିନ୍ତୁ ସେଠାରେ ପରିଵାର ନେଇ ରହିଵାର କୌଣସି ଵ୍ୟଵସ୍ଥା ନାହିଁ । ଅଗତ୍ୟା ଵାଧ୍ୟ ହୋଇ ସେ ପିଲା ସ୍ତ୍ରୀଙ୍କୁ ନେଇ ଫେରି ଆସିଲେ ‌। ଫେରିଵା ବେଳେ ସେ ନଦୀ ପାର ହେଵା ପାଇଁ ନଦୀ ଘାଟକୁ ଆସିଲେ । 

ସେଠାରେ ପହଞ୍ଚି ନାଉରୀକୁ କହିଲେ ପାର କରି ଦେଵାପାଇଁ । ସେ ଟିକିଏ କୁନ୍ଥମୁନ୍ଥ ହୋଇ କହିଲେ , 
 
“ ବାବୁ , ପାରିକରି ଦେଵାପାଇଁ ତ ମୁଁ ଏଠାରେ ଅଛି । ହେଲେ ନଦୀ ପାର ହେଵାକୁ ଗଲେ ଜଣ ପିଚ୍ଛା ମୁଁ ପାଞ୍ଚଶଙ୍କା ନେବି । ” 


“ଏପରି କାହିଁକି ? ସକାଳ ଓଳି ଆମେ ନଦୀ ପାର ହେଲୁ ଟଙ୍କାଏ ଲେଖା ଦେଇ ଏବେ ପାଞ୍ଚ ଟଙ୍କା ? 
ଇଏ କେଉଁ ଯୁଗର କଥା ? ଯାହା ନେଵ ଟିକିଏ ଭାବି ଚିନ୍ତି କୁହ ! ଯାହା ଇଚ୍ଛା ତାହା କହି ଦେଉଛ ଯେ ? ”

“ଶୁଣନ୍ତୁ ! ମୋ ପ୍ରାପ୍ୟ ଜଣ ପିଚ୍ଛା ପାଞ୍ଚଟଙ୍କା କିନ୍ତୁ ଆପଣ ତୀର୍ଥଯାତ୍ରା କରୁଥିଲେ ବୋଲି କମ୍ ନେଇ ପୁଣ୍ୟ ଅର୍ଜିଲି ‌ । ଆପଣ ଗୃହଯାତ୍ରା କଲାବେଳେ କମ୍ ନେବି କାହିଁକି ?”

(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୧ ସଂଖ୍ୟା ଜୁନ ମାସରେ ପ୍ରକାଶିତ ଗଳ୍ପ । ହିନ୍ଦୀ चंदामामाର ୧୯୯୧ ସଂଖ୍ୟା ମଇ ମାସରେ धंधे का भेद ନାମରେ ଏହା ପ୍ରକାଶିତ ହୋଇଥିଲା । ହିନ୍ଦୀରେ କାହାଣୀର ଶେଷରେ ନାଵିକ ଦେଇଥିଵା ଉତ୍ତର ସାମାନ୍ୟ ଭିନ୍ନ ଥିଲା ଟିପ୍ପଣୀ ପେଟିକାରେ ହିନ୍ଦୀ କାହାଣୀ ଦ୍ରଷ୍ଟଵ୍ୟ )




Thursday, August 18, 2022

ଦାୟିତ୍ବ(ରାମକୃଷ୍ଣ ଶାସ୍ତ୍ରୀ)

ଗୋଟିଏ ଗ୍ରାମରେ ମଦନସିଂହ ନାମକ ଜଣେ ପହିମାନ ରହୁଥାନ୍ତି ।‌ ସେ କୁସ୍ତି ଲଢି ବହୁତ ପୁରସ୍କାର ପାଇଥା'ନ୍ତି । ପାଖ ଗ୍ରାମର ମୁଖିଆମାନେ ଏକଥା ଜାଣିଥିଲେ । ତେଣୁ ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ କର ଅସୁଲ କରିବାର ଦାୟିତ୍ଵ ଦିଆଗଲା । ସେ ସହୁତ ଭଲ ଭାବରେ ନିଜ କାମ ତୁଲାଇଥାନ୍ତି । 

ଥରେ ଜଣେ ଚୋର ତାଙ୍କ ଉପରେ ଆଖି ରଖିଲା । ଯେତେବେଳେ ବହୁତ ଟଙ୍କା ପଞ୍ଚାୟତ ଘରେ ରଖା ହୋଇଥିଲା ଚୋରଟା ତାଲା ଭାଙ୍ଗି ଟଙ୍କାସବୁ ନେଇ ଚମ୍ପଟ ହେଲା ।

ଗ୍ରାମ ମୁଖିଆ ଏକଥା ଶୁଣି ବହୁତ ରାଗିଲେ ; ମଦନଙ୍କୁ ଡାକି କହିଲେ , 

“ ତୁମେ ଏତେ ବଳୁଆ ବୋଲି ତୁମକୁ ଏ କାମରେ ରଖା ହୋଇଛି । ଚୋରକୁ ଧରିଲ ନାହିଁ କାହିଁକି ? ” 


ମଦନସିଂହ ସହଜଭାବରେ କହିଲେ , “ ଶୁଣନ୍ତୁ , ମୁଁ ଯେତେବେଳେ କୁସ୍ତି ଲଢେ , ଲୋକମାନେ ସିଟି ମାରି ଚାଳିମାରି ମୋତେ ଉତ୍ସାହ ଦିଅନ୍ତି , ଯେଉଁଥରେ ମୋର ବଳ ଅଧିକ ହୁଏ , ମୁଁ ଜିତେ । ଏଠାରେ କେହି ଉତ୍ସାହ ଦେଵାକୁ ନଥିଵାରୁ ମୁଁ ଚୋର ଧରିପାରିଲି ନାହିଁ ।”

 ମଦନସିଂହଙ୍କ କଥା ଶୁଣି ମୁଖୁଆ ଏଥର ବୁଝିଗଲେ ଯେ ବାହାରୁ କାହାର ବଳିଷ୍ଠ ଦେହ ଦେଖି କାମ ଦେଵା ଉଚିତ୍ ନୁହେଁ । ତାର ‘ ସ୍ଵଭାଵ ଵିଷୟରେ ଯଥେଷ୍ଟ ଜ୍ଞାନ ରହିଥିଵା ଆଵଶ୍ୟକ । 

(ଓଡ଼ିଆ #ଜହ୍ନମାମୁଁ ପତ୍ରିକାର ୧୯୯୩ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଗଳ୍ପ / ହିନ୍ଦୀ #ଚନ୍ଦାମାମା ପତ୍ରିକାରେ ୧୯୯୨ ଵର୍ଷ ଡିସେମ୍ବର ମାସରେ दायित्व किसे सौंपे ନାମରେ ପ୍ରକାଶିତ ହୋଇଥିଲା‌ ।)

Wednesday, August 17, 2022

ସିନ୍ଧୁ - ସିନ୍ଧୁନଦୀ ଓ ଭାରତଵର୍ଷ

ସିନ୍ଧୁ ନଦୀ ଓ ଭାରତଵର୍ଷ ଆଵାହମାନ କାଳରୁ ଓତଃପ୍ରୋତ ଭାବେ ଜଡ଼ିତ । ଵର୍ତ୍ତମାନ ମୋଟ 1.12 million km2 ଆୟତନ ଵିଶିଷ୍ଟ ସିନ୍ଧୁ ଉପତ୍ୟକା ମଧ୍ୟରୁ ପାକିସ୍ତାନରେ ୪୭ଭାଗ,ଭାରତରେ ୩୯ଭାଗ ,ଚୀନରେ ୮ ଭାଗ ଏଵଂ ଆଫଗାନିସ୍ତାନରେ ୬ ଭାଗ ରହିଛି । ତେବେ ଆଜକୁ ୭୫ ଵର୍ଷ ତଳେ ଏ ସମସ୍ତ ଭୂଭାଗ ଭାରତଵର୍ଷର ଅଂଶଵିଶେଷ ଭାବେ ହିଁ ପରିଗଣିତ ହେଉଥିଲା । 

ସିନ୍ଧୁ ଶବ୍ଦଟି ମୂଳତଃ ଏକ ସଂସ୍କୃତ ଶବ୍ଦ ଏଵଂ ଵେଦରେ ଅଳ୍ପ ସ୍ଥାନରେ ହେଉ ପଛେ ଏହି ଶବ୍ଦର ପ୍ରୟୋଗ ହୋଇଛି । 

ସିନ୍ଧୁ ଶବ୍ଦକୁ ସ୍ଯନ୍ଦ୍ ଧାତୁରୁ ନିଷ୍ପନ୍ନ କରଯାଇଛି । 

ସ୍ଯନ୍ଦତେ ଇତି । ସ୍ଯନ୍ଦୂ ପ୍ରସ୍ରଵଣେ + “ସ୍ଯନ୍ଦେଃ ସମ୍ପ୍ରସାରଣଂ ଧଶ୍ଚ । ” 

ସ୍ୟନ୍ଦ୍ ଧାତୁରୁ ସ୍ରବିଵା, ବୋହିଵା, କ୍ଷରିଵା, ଗମନ କରିଵା ଓ ଗତି କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ କରଯାଇଥାଏ । ଵୈଦିକ ଯୁଗରେ ଜଳଧାରାକୁ ସିନ୍ଧୁ କୁହାଯାଉଥିଲା ବୋଲି Vedic Reference ନାମକ ଇଂରାଜୀ ଜ୍ଞାନକୋଷରେ ଲିଖିତ ହୋଇଛି । ଵେଦରେ କାଁ ଭାଁ ଅଳ୍ପ ସ୍ଥାନରେ ସିନ୍ଧୁ ନଦୀକୁ ସିନ୍ଧୁ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ । ତେବେ ଏହି ସିନ୍ଧୁ ଶବ୍ଦଟି ବହୁ ଅର୍ଥବୋଧକ । 

ପ୍ରଥମତଃ ସମୁଦ୍ରକୁ ସିନ୍ଧୁ କୁହାଯାଉଥିଲା ।

"ତାଵତ୍ତ୍ରିଭୁଵନଂ ସଦ୍ଯଃ କଳ୍ପାନ୍ତୈ ଧିତସିନ୍ଧଵଃ । ପ୍ଲାଵୟନ୍ତ୍ଯୁତ୍କଟାଟୋପଚଣ୍ଡଵାତେରିତୋର୍ମ୍ମୟଃ ॥"
(ଭାଗଵତ/ ୩ । ୧୧ । ୩୧ ।)

ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଶତାଧିକ ପ୍ରୟୋଗ କରାଯାଇଛି । ଯଥା—

ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ ଅଣାକାରଙ୍କର ଆଜ୍ଞାକାରୀ ।
ବାଲମିକ ମୁନି ବାଳୁତ କାଳରୁ ଅବଧୂତ ଦୀକ୍ଷା ଆଶ୍ରେ କରି ॥
(ଭୀମଭୋଇଙ୍କ ଭଜନ)

ଆହେ ପ୍ରଭୁ ଜଗତଜନ-ବନ୍ଧୁ । ଦୀନ-ଉଦ୍ଧାରଣ କରୁଣାସିନ୍ଧୁ । 
ତୁମ୍ଭେ ଦୁଃଖ-ସିନ୍ଧୁ । 
କରୁଣା କଲେ କରିପାର ବିନ୍ଦୁ । 
(ଜଗନ୍ନାଥ ଦାସଙ୍କ ମୃଗୁଣୀ ସ୍ତୁତି)

ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ॥
(ଭାଗଵତ, ଜଗନ୍ନାଥ ଦାସ)

ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ ସଙ୍ଗେ ଘେନିଗଲେ ଚିତ୍ର ଵିଚିତ୍ରଵୀର୍ଯ୍ୟକୁ । 
(ସାରଳା ମହାଭାରତ, ସାରଳା ଦାସ)

ପୁନଶ୍ଚ ନଦୀକୁ ମଧ୍ୟ ସିନ୍ଧୁ କୁହାଯାଉଥିଲା 

"ଵିନୀତାଧ୍ଵଶ୍ରମାସ୍ତସ୍ଯ ସିନ୍ଧୁ ତୀରଵିଚେଷ୍ଟନୈଃ ।
ଦୁଧୁଵୁର୍ଵାଜିନଃ ସ୍କନ୍ଧାନ୍ ଲଗ୍ନକୁଙ୍କୁମକେଶରାନ୍ ॥"
(ରଘୁବଂଶମ୍ । ୪ । ୬୭ ।)

ନବ ଲକ୍ଷ ବଙ୍ଗ ଅନେଶ୍ୱତ ରାଣୀ ଷୋଳଶତ ହସ୍ତୀ ଘୋଡ଼ା, ଚାରିଦେଗେ ସିନ୍ଧୁ ମଧ୍ୟରେ ନବର ଘର ତ‌ହିଁ ହୀରା ଯଡ଼ା ।
(ଟୀକା ଗୋଵିନ୍ଦ ଚନ୍ଦ୍ର ,ଯୋଗୀନ୍ଦ୍ର ଵିପ୍ର)

ସେହିପରି ମୁଣ୍ଡକୋପନିଷଦ(। ୨ । ୧ । ୯ ।)ରେ ସିନ୍ଧୁ ନଦୀ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି 

"ଅତଃ ସମୁଦ୍ରା ଗିରୟଶ୍ଚ ସର୍ଵ୍ଵେଽସ୍ମାତ୍ ସ୍ଯନ୍ଦନ୍ତେ ସିନ୍ଧଵଃ ସର୍ଵ୍ଵରୂପାଃ ।
 ଅତଶ୍ଚ ସର୍ଵ୍ଵା ଓଷଧୟୋ ରସଶ୍ଚ ଯେନୈଷ ଭୂତୈସ୍ତିଷ୍ଠତେ ହ୍ଯନ୍ତରାତ୍ମା ॥"

ରାଜନିର୍ଘଣ୍ଟଃ ଗ୍ରନ୍ଥରେ ସିନ୍ଧୁ ନଦୀ ଜଳର ଗୁଣ ଵିଷୟରେ ଆଲୋଚନା କରାଯାଇଛି 

"ଶତଦ୍ରୋର୍ଵିପାଶାୟୁଜଃ ସିନ୍ଧୁନଦ୍ଯାଃ ସୁଶୀତଂ ଲଘୁ ସ୍ଵାଦୁ ସର୍ଵ୍ଵାମୟଘ୍ନମ୍ ।
ଜଳଂ ନିର୍ମ୍ମଳଂ ଦୀପନଂ ପାଚନଞ୍ଚ ପ୍ରଦତ୍ତେ ବଳଂ ବୁଦ୍ଧିମେଧାଯୁଷଞ୍ଚ ॥"

ଏ ନଦୀର ନାମୋଲ୍ଲେଖ ଓଡ଼ିଆ ପୁରାଣରେ ଅଳ୍ପ ଦେଖିଵାକୁ ମିଳେ ତେବେ ମଧୁସୂଦନ ରାଓ ତାଙ୍କର ଜନ୍ମଭୂମି କଵିତାରେ ଏହି ନଦୀର ଏମନ୍ତ ନାମ ଉଲ୍ଲେଖ କରିଛନ୍ତି

"ଧନ୍ୟ ମହିମା ତୋହର 
ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତଵର
ଦୁଇ ପାରୁଶେ ଜଳଧି 
ବ୍ରହ୍ମପୁତ୍ର ସିନ୍ଧୁ ନଦୀ
ଚରଣରେ ବିରାଜିତ ମହାସାଗର ।
ବିନ୍ଧ୍ୟ ଗିରିବର କଟିରେ
ଗଙ୍ଗା ଆଦି କେତେ ନଦୀ 
ଶୋଭେ ଶରୀରେ ॥"

ସିନ୍ଧୁ ନଦୀ ଉପତ୍ୟକାକୁ ସିନ୍ଧୁ ତଥା ସିନ୍ଧୁ ଦେଶ କୁହାଯାଉଥିଲା

"ଯୁଧାଜିତଶ୍ଚ ସନ୍ଦେଶାତ୍ ସ ଦେଶଂ ସିନ୍ଧୁନାମକମ୍ ।
ଦଦୌ ଦତ୍ତପ୍ରଭାଵାୟ ଭରତାୟ ଭୃତପ୍ରଜଃ ॥"
(ରଘୁଃ । ୧୫ । ୮୭ ।)

ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵିଭିନ୍ନ ଦେଶର ନାମୋଲ୍ଲେଖ ସମୟରେ ସିନ୍ଧୁଦେଶର ମଧ୍ୟ ନାମ ଲେଖିଛନ୍ତି 

"ବିତପନ କଲେ ନେଇ ତପନବଂଶିକ ତହିଁ ସଭାରେ ଲୋଭା ଅନାଇ ନୃପ ସକଳ।

ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ।
ବହ୍ନିକ, ତୁରଷ୍କ, ନିଷେଧ।
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡଙ୍ଗ, ମଗଧ।

ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ, ଗଉଡ, ମ୍ଳେଚ୍ଛ, ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ।

ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ, ଗଳ, ଡାହାଳ, ଲୋମଶ, ପୁଣ୍ଡ୍ର, କୋଶଳ(ଅଯୋଧ୍ୟା)।”

ସଂଗୀତ ଶାସ୍ତ୍ରରେ ଏକ ରାଗକୁ ସିନ୍ଧୁରାଗ କୁହାଯାଉଥିଲା । ଏହା ମାଳକୋଶ ରାଗର ପୁତ୍ର ବୋଲି କଳ୍ପିତ। ଏଥିରେ ଗାନ୍ଧାର ରେ ନିଷାଦ, ଦୁଇ କୋମଳ ସ୍ବର ଲାଗେ। 

"ମାଧଵଃ ଶୋଭନଃ ସିନ୍ଧୁ ର୍ମ୍ମାରୁମେଵାଡୁକୁନ୍ତଳାଃ ।
କଳିଙ୍ଗଃ ସୋମସଂଯୁକ୍ତଃ କୌଶିକସ୍ଯ ସୁତା ଇମେ ॥"
(॥ ସଙ୍ଗୀତସିନ୍ଧୁ ଶାସ୍ତ୍ର ॥)

ସିନ୍ଧୁଵାର ଵା ବେଗୁନିଆ ଗଛକୁ ମଧ୍ୟ କେଵଳ ସିନ୍ଧୁ କୁହାଯାଉଥିଲା । ଶବ୍ଦରତ୍ନାଵଳୀ ଗ୍ରନ୍ଥ ଅନୁସାରେ 

ଵିସୁନ୍ଧକଃ ସିନ୍ଧୁ ଵାରଃ ସିନ୍ଧୁକଂ ସୁରସୋଽପି ଚ ।
ତଥେନ୍ଦ୍ରସୁରସସ୍ତ୍ଵିନ୍ଦ୍ରସୁରିସଃ ସିନ୍ଧୁ ଵାରିତଃ । ନିର୍ଗୁଣ୍ଡୀନ୍ଦ୍ରାଣିକେନ୍ଦ୍ରାଣୀ ସୁରସା ସିନ୍ଧୁଵାରକଃ ॥"

ଏତଦଵ୍ୟତୀତ ଶ୍ବେତ ଟଙ୍କଣ,ଦଣ୍ଡ,ଵମନ,ହସ୍ତି,ହସ୍ତି,ହାତୀର ଶୁଣ୍ଢରୁ ବୋହିଵା ପାଣି (ଲାଳ),ଆଦ୍ରତା,ବରୁଣ ଦେବତାଙ୍କୁ ମଧ୍ୟ ସିନ୍ଧୁ କୁହାଯାଉଥିଲା । 

ତେବେ ସିନ୍ଧୁ ଶବ୍ଦର ଏତେ ସବୁ ଅର୍ଥ ଥିଲେ ମଧ୍ୟ ଵିଶେଷତଃ ସିନ୍ଧୁ ନଦୀ,ନଦୀ, ସମୁଦ୍ର ତଥା ସିନ୍ଧୁ ଦେଶର ନାମ ସିନ୍ଧୁ ବୋଲି ସମସ୍ତେ ଜାଣିଥିଲେ । 

ଭାରତର ପଶ୍ଚିମ ପ୍ରଵେଶ ପଥରେ ସିନ୍ଧୁନଦୀ ଅଵସ୍ଥିତ ଥିଵାରୁ ପଶ୍ଚିମ ତଥା ମଧ୍ୟପ୍ରାଚ୍ୟର ଲୋକେ ଭାରତକୁ ଆସିଵାକୁ ଚେଷ୍ଟା କଲାବେଳେ ସିନ୍ଧୁ ନଦୀ ସହିତ ପରିଚିତ ହେଉଥିଲେ । ଫଳତଃ ସିନ୍ଧୁ ନଦୀର ନାମାନୁସାରେ ସେମାନେ ଭାରତଵର୍ଷର ନାମକରଣ କରିଛନ୍ତି । ଏହି ଆଧାରରେ ଭାରତଵର୍ଷର ଏକ ନାମ ଦିଆ ହେଲା ଏଵଂ ତାହା ହେଉଛି india !

ପର୍ତ୍ତୁଗୀଜ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ଦ୍ଵାରା ଭାରତଵର୍ଷକୁ ପ୍ରଦତ୍ତ ଏହି ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । 

ପୂର୍ଵେ ଇଂରାଜୀରେ ଭାରତକୁ Indea କୁହାଯାଉଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ଲାଟିନ୍‌ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍‌ରୁ ସିଧାସଳଖ ଗ୍ରହଣ କରାଯାଇଛି ତଥା ସେଇ ମୂଳଗ୍ରୀକ୍ ଶବ୍ଦଟି ହେଉଛି Ἰνδία(Indía) ।

ଵସ୍ତୁତଃ ମୂଳ ଗ୍ରୀକ୍ Ἰνδία(Indía) ଶବ୍ଦଟି Ἰνδός(Indós) ଶବ୍ଦରୁ Ἰνδ
ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ ସୃଷ୍ଟ ।

Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ ଆସିଅଛି ।

 ଏହାର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ
 ରୂପ *síndʰuš(ନଦୀ/ସାଗର) ଥିଲା ।

ଆଗେ ଇଂରାଜୀ ଲୋକେ ଆରବୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ ।

 ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି । 

ସେହିପରି ସିନ୍ଧୁ ନଦୀର ନାମ ଆଧାରରେ ଭାରତଵର୍ଷର ଅନ୍ୟ ଏକ ନାମ ମଧ୍ୟ ରଖାଯାଇଥିଲା ଏଵଂ ତାହା ହେଉଛି ହିନ୍ଦୁସ୍ତାନ । 

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । 

ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ସ୍ଥାନୀୟ ବ୍ରଜବୋଲୀ ଭାଷାରେ ଆରବୀ ପାର୍ସୀ ତୁର୍କ ଶବ୍ଦର ମିଶ୍ରଣ କରି ସେହି ଭାଷାକୁ ହିନ୍ଦୀ ନାମ ଦିଆଗଲା । 

ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି ।

 ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାରୋପୀୟ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ ।
 
 ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!!
 
 ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଏଵଂ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣ ପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

କିନ୍ତୁ କେଵଳ ଵିଦେଶୀ ହିଁ ନୁହନ୍ତି ଭାରତଵାସୀ ମଧ୍ୟ ସିନ୍ଧୁ ନଦୀର ନାମାନୁସାରେ ଭାରତଵର୍ଷର ଏକ ଵିଶିଷ୍ଟ ଶାସ୍ତ୍ରୀୟ ନାମ ରଖିଥିଲେ । ଭାରତଵର୍ଷର ସେହି ନାମଟି ହେଉଛି "କୁମାରଖଣ୍ଡ" । 

  ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁମାର ଶବ୍ଦ ତଳେ ଉଲ୍ଲେଖ କରାଯାଇଛି । 
  
କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । 

କିନ୍ତୁ ଭାଷାଵିଦଙ୍କ ମଧ୍ୟରେ ଏହାକୁ ନେଇ ମତାନ୍ତର ରହିଛି । କେତେକ ଗଵେଷକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

ହେଲେ ଏକଦା ଭାରତଵର୍ଷର ପରିଚୟ ପାଲଟିଥିଵା ସିନ୍ଧୁନଦୀ ଉପତ୍ୟକାର ଅର୍ଦ୍ଧାଧିକ ଭୂଭାଗ ଭିନ୍ନ ଦେଶରେ ଵିଦ୍ୟମାନ । ପୁଣି ଭାରତୀୟ ଜାତୀୟ ସଂଗୀତ ଲେଖିଲାବେଳେ ଏକଦା ରଵିନ୍ଦ୍ରନାଥ ଠାକୁର ଯେଉଁ ସିନ୍ଧୁ ଦେଶ ପାଇଁ ଲେଖିଲେ "ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା" ଆଜି ତାହା ଆଧୁନିକ ପାକିସ୍ତାନ ଦେଶରେ ଅଵସ୍ଥିତ ।
••••••••••••••••••••••••••
ତଥ୍ୟ ଉତ୍ସ—
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© କଳ୍ପଦ୍ରୁମ ସଂସ୍କୃତ ଅଭିଧାନ
     ଶିଶିର ସାହୁ ମନୋଜ 
••••••••••••••••••••••••••

Tuesday, August 16, 2022

•ଇଂରେଜମାନଙ୍କ ଦ୍ଵାରା ଓଡ଼ିଆ ଲୋକଙ୍କ ଶୋଷଣର କାହାଣୀ•


ଇତିହାସରୁ ଜଣାଯାଏ ଯେ ପୃଥିଵୀର ଅଳ୍ପ କେତୋଟି ଜାତିର ଲୋକେ ଵିଶ୍ଵର ଵିଭିନ୍ନ ଦେଶ ଵା ଭୂଭାଗରେ ଶାସନ କରିଥିଲେ ଵା ଉପନିଵେଶ ସ୍ଥାପନ କରିଥିଲେ । ରୋମାନ,ଆରବୀ,ଚୀନା ଓ ଭାରତୀୟ ତଥା ଭାରତୀୟ ତନ୍ମଧ୍ୟରେ ଅନ୍ୟତମ । ଭାରତୀୟ ଜାତିମାନଙ୍କ ମଧ୍ୟରେ ଆଷ୍ଟ୍ରୋଏସୀୟମାନେ ପ୍ରଥମେ ଆଜକୁ ତିରିଶରୁ ଚାଳିଶ ହଜାର ଵର୍ଷ ତଳେ ଭିଏତନାମଠାରୁ ଆରମ୍ଭ କରି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ ଯାଏଁ ଵ୍ୟାପି ଯାଇ ସେସବୁ ଅଞ୍ଚଳରେ ସ୍ଥାୟୀ ଅଧିଵାସୀ ହୋଇଥିଲେ । ସେମାନେ କଳିଙ୍ଗ ଦେଶର ଆଦିମ ଅଧିଵାସୀ ମୁଣ୍ଡା ଶଵରମାନଙ୍କ ଜାତିଭାଇ । ହଜାର ହଜାର ଵର୍ଷ ପରେ ସେହି କଳିଙ୍ଗର ଲୋକେ ଵର୍ମା, ଶ୍ରୀଲଙ୍କା,ମାଳୟ, ଇଣ୍ଡୋନେସିଆ, ଫିଲିପାଇନ୍ସ ଆଦି ଦେଶମାନଙ୍କରେ ଉପନିଵେଶ ସ୍ଥାପନ କରିଥିଲେ । 

ପୁଣି ଏକ ଯୁଗ ଆସିଲା ୟୁରୋପରୁ ଦଳ ଦଳ ହୋଇ ଵିଦେଶୀ ଆସି ସେହି ଭାରତରେ ଉପନିଵେଶ ସ୍ଥାପନ କରିଲେ । ସେସବୁ ମାନଵ ଜାତିଙ୍କ ମଧ୍ୟରେ ଶକ୍ତିଶାଳୀ ହୋଇ ଉଠିଲା ଇଂରେଜ ଜାତି । ଭାରତର ଵିଭିନ୍ନ ମାନଵଜାତି ଇଂରେଜ, ଫ୍ରେଞ୍ଚ୍ ଓ ଅନ୍ୟାନ୍ୟ ୟୁରୋପୀୟ ଜାତିମାନଙ୍କ ଵିପକ୍ଷରେ ଆନ୍ଦୋଳନ କରିଥିଲେ କିନ୍ତୁ ଗୋଟିଏ ଭାରତୀୟ ଜାତି ସର୍ଵାଧିକ ୧୦୦ରୁ ଉର୍ଦ୍ଧ୍ବ ଵର୍ଷ ଧରି ଇଂରେଜମାନଙ୍କ ଵିପକ୍ଷରେ ସଶସ୍ତ୍ର ଆନ୍ଦୋଳନ କରିଥିଲା ସେହି ଜାତି ଥିଲା ଭାରତର ସବୁଠାରୁ ଶକ୍ତିଶାଳୀ ଜାତି କଳିଙ୍ଗୀ ଉତ୍କଳୀ ଵା ଓଡ଼ିଆ ଜାତି । 

ଵିଶେଷତଃ ଓଡ଼ିଶାର ଓଡ଼ିଆ ଜାତିର ଵୀରପୁରୁଷମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରି ଆଜକୁ ୨୫୦ ଵର୍ଷ ତଳେ ସର୍ଵପ୍ରଥମେ ଘୁମୁସର ରାଜ୍ୟରେ ୧୭୫୬-୫୭ରେ ଆନ୍ଦୋଳନ କରିଥିଲେ । 

ଉଭୟ ଇଂରେଜ ଓ ଓଡ଼ିଆ ଜାତି ମଧ୍ଯରେ କେତେକ ସମାନତା ଓ ଅନେକ ଅସମାନତା ଅଛି ! ସମାନତା ଗୁଡ଼ିକ ଯଥା-  

(କ) ଉଭୟ ଜାତିର ନାମ ସ୍ବରଵର୍ଣ୍ଣରୁ ଆରମ୍ଭ ହୁଏ ଏଵଂ ଦୁଇଟିଯାକ ନାମ ତିନିଅକ୍ଷର ଵିଶିଷ୍ଟ !

 (ଖ) ଉଭୟ ଜାତିର ଲୋକ ଅତୀତରେ ଉପନିଵେଶ ସ୍ଥାପନ କରିସାରିଛନ୍ତି !

 (ଗ) ଇଂରେଜ ଜାତିର କିମ୍ବଦନ୍ତୀ ପାଖରେ କିଙ୍ଗ୍ ଆର୍ଥର ଥିଲାବେଳେ ଓଡ଼ିଆ ଜାତି ପାଖରେ ରାଜା ଇନ୍ଦ୍ରଦ୍ଯୁମ୍ନ ଅଛନ୍ତି ଏଵଂ ଉଭୟ ଦେଶର ଏହି ମହାନାୟକଙ୍କୁ ଵୈଦେଶିକ ଅଭିହିତ କରାଯାଇଛି ଅର୍ଥାତ୍ କିଙ୍ଗ୍ ଆର୍ଥର ରୋମାନ୍ ଓ ରାଜା ଇନ୍ଦ୍ରଦ୍ଯୁମ୍ନ ମାଳଵ ଦେଶର ବୋଲି ଲୋକଵିଶ୍ବାସ ଚଳେ ! 

(ଘ) ଉଭୟ ଦେଶରେ ରାଣୀ ଶାସିକା ହୋଇଛନ୍ତି ! 

(ଙ)ଉଭୟ ଦେଶରେ ତିନୋଟି ଲେଖାଏଁ ଦେଶର ସମନ୍ବୟ ଦେଖାଯାଏ !

 (ଚ) ଉଭୟ ଦେଶର ଭାଷା ଉପରେ ପଡ଼ୋଶୀ ଭାଷାଭାଷୀଙ୍କ ଆକ୍ରମଣ ହୋଇଛି ! ଇଂରାଜୀକୁ ମାରିଦେଵାକୁ ଫ୍ରେଞ୍ଚମାନେ ଚେଷ୍ଟା କରିଥିଲେ ସେହିପରି ଓଡ଼ିଆ ମାରଣ ପାଇଁ ହିନ୍ଦିଆ ବଙ୍ଗାଳୀ ତେଲେଙ୍ଗା ଆଦି ପୂର୍ଵେ ଓଡ଼ିଆ ଭାଷା ମାରି ଦେଵାକୁ ଅଣ୍ଟା ଭିଡ଼ିଥିଲେ ଆଜି ବି ଚେଷ୍ଟା କରୁଛନ୍ତି !

 (ଛ)ଉଭୟ ଜାତି ସମୁଦ୍ର ଯାତ୍ରାରେ ପ୍ରଵୀଣ ଥିଲେ ! 

 କେତୋଟି ମୁଖ୍ୟ ମୁଖ୍ୟ ସମାନତା ଛଡ଼ା ଅସାମନତା ଅନେକ । ଯଥା ଇଂରେଜମାନେ ଓଡ଼ିଆ ଲୋକଙ୍କର କଳା ଭାସ୍କର୍ଯ୍ୟ ସାହିତ୍ୟ ସଂସ୍କୃତି ସଭ୍ୟତା ଭାଷା ସଂଗୀତ ଏମନ୍ତକି ପ୍ରାଚୀନ ଗୌରଵମୟ ଅତୀତ ଦୃଷ୍ଟିରୁ ନିକୃଷ୍ଟ ଥିଲେ ।

ତେବେ ଓଡ଼ିଆ ଭଳି ଏକ ଶ୍ରେଷ୍ଠ ଜାତି ରାଜନୈତିକ ଆର୍ଥିକ ଦୃଷ୍ଟିରୁ ଦୁର୍ଵଳ ଥିଲାବେଳେ ଇଂରେଜମାନେ ଓଡ଼ିଶା ଆକ୍ରମଣ କରିଥିଲେ । 

ସେତେବେଳେ ସାରା ଭାରତରେ ଓଡ଼ିଆ ଏକମାତ୍ର ଜାତି ଥିଲା ଯେଉଁ ଜାତିର ଲୋକେ ୧୭୫୭ରୁ ୧୮୬୬ଯାଏଁ ଦୀର୍ଘ ୧୦୦ ଵର୍ଷ ଧରି ଇଂରେଜମାନଙ୍କ ଵିପକ୍ଷରେ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ ଏଵଂ ପରେ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ସହସ୍ରାଧିକ ଓଡ଼ିଆ ଲୋକେ । 

ଅଵଶ୍ୟ ଓଡ଼ିଶାରେ ଇଂରେଜ ସରକାର ଵିପକ୍ଷରେ ଶହେ ଵର୍ଷର ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ମଧ୍ୟରେ ଓଡ଼ିଆ ଜାତି ଶ୍ରୀହୀନ ହୋଇଯାଇଥିଲା । କିନ୍ତୁ ଓଡ଼ିଆ ଜାତିଠାରୁ ପ୍ରତିଶୋଧ ନେଵା ପାଇଁ ସେତେବେଳେ ଇଂରେଜମାନେ ଅନେକ ଅନୈତିକ କାର୍ଯ୍ୟକଳାପ କରିଥିଲେ । 

ପ୍ରଥମତଃ ସୂର୍ଯ୍ୟାସ୍ତ ଆଇନ ବଳରେ ବଙ୍ଗାଳୀଙ୍କୁ ଓଡ଼ିଶାର ଜମିଦାରୀ ଦେଲେ । ଏହି ବଙ୍ଗାଳୀ ଜମିଦାରମାନେ ଅଣଓଡ଼ିଆ ହୋଇଥିଵାରୁ ଓଡ଼ିଆ ଲୋକଙ୍କ ପ୍ରତି ତାଙ୍କର କୌଣସି ଅନୁକୁମ୍ପା କି ଆଦର ନଥିଲା । ସେମାନେ ଦୁଇଗୁଣ ଚାରିଗୁଣ କର ଆଦାୟ କରି ଓଡ଼ିଶାର ଲୋକମାନଙ୍କୁ ଶୋଷଣ କରି ଚାଲିଲେ । ଓଡ଼ିଶାର ଲୋକଙ୍କୁ ଆହୁରି ଦରିଦ୍ର କରି ଦେଵା ପାଇଁ ୧୮୧୦ରେ କଉଡ଼ିର ମୂଲ୍ୟ ହ୍ରାସ କଲେ ଆଉ ସମ୍ପୂର୍ଣ୍ଣ ପ୍ରଚଳନ ହଟାଇ ଦେଲେ । ୧୨୧୦ କଉଡି଼କୁ ଏକ ରୌପ୍ୟ ମୁଦ୍ରା ମୂଲ୍ୟ ନିର୍ଦ୍ଧାରଣ କରି ଏଣେ ଅଣଓଡ଼ିଆ ଲୋକ ଲଗାଇ ୧୦୦୦୦ ,୨୦୦୦୦ କଉଡ଼ିକୁ ଏକ ରୌପ୍ୟ ମୁଦ୍ରା ପ୍ରଦାନ କରାଇଲେ । ଫଳରେ କାଲିର କୋଟିପତି ଓଡ଼ିଆ ରାତି ପାହିଲା କ୍ଷଣି ଦାଣ୍ଡର ଫକୀର ହୋଇଗଲା ।
ମରାଠା ଶାସନ ସମୟରେ ଓଡ଼ିଆ ଅଞ୍ଚଳ ତଥାପି କେତେକାଂଶରେ ଏକ ଥିଲା ଅଭିନ୍ନ ଥିଲା କିନ୍ତୁ ଇଂରେଜମାନେ ଓଡ଼ିଶାକୁ ଗୋଟିଏ ଦେଶ ନକରି ତିନି ଭାଗରେ ବାଣ୍ଟି ଦେଲେ ଏଵଂ ତିନୋଟି ଅଞ୍ଚଳରେ ମିଶେଇ ଦେଲେ । ନଵତାଳ ପ୍ରାସାଦ ଓ ବାରବାଟି ଦୁର୍ଗ ଭଳି ଅନେକ ପ୍ରାଚୀନ କଳିଙ୍ଗଦେଶୀୟ ଭାସ୍କର୍ଯ୍ୟ ଭାଙ୍ଗି ଦେଇ ତହିଁର ପଥର ନେଇ ବାଟଘାଟ ଗଢ଼ିଲେ । ରାସ୍ତା କରିଵା ବାହାନା ଥିଲା , ଓଡ଼ିଶାର ଲୋକମାନଙ୍କର ଜାତୀୟତାବୋଧ କ୍ଷୁଣ୍ଣ କରିଵା ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା । ଆଇନ ବଳରେ ଓଡ଼ିଆ ଜାତିର ଲୋକଙ୍କ ହାତରୁ ଅସ୍ତ୍ର ଛଡ଼ାଇ ନେଇଥିଲେ ପୁଣି କାଳେ ଓଡ଼ିଆ ଜାତିର କେହି ଵୀର ଜାତ ନହେଉ ଏଵଂ ଓଡ଼ିଆ ଗୋଟିଏ ଦୁର୍ଵଳ ଜାତି ବୋଲି ଭାରତରେ ପରିଚିତ ହେଉ ତେଣୁ ଭାରତୀୟ ବ୍ରିଟିଶ ସେନାରେ କଳିଙ୍ଗ ରେଜିମେଣ୍ଟ କି ବାଟାଲିୟନ କଲେ ନାହିଁ । କାଳେ ଭଵିଷ୍ୟତରେ ଓଡ଼ିଶାର ଲୋକେ ଓଡ଼ିଶାର ପ୍ରାଚୀନ ଗୌରଵପୂର୍ଣ୍ଣ ଇତିହାସ ପଢି଼ ସ୍ଵାଭିମାନୀ ହୋଇଯିବେ ସେଥିପାଇଁ ଓଡ଼ିଶାର ଇତିହାସକୁ ଭୁଲ୍ ଭାବରେ ଲେଖାଇଲେ । 

ଇଂରେଜ ଶାସନ କାଳରେ ଓଡ଼ିଆ ଲୋକଙ୍କୁ ବହୁ ମାତ୍ରାରେ ଦରିଦ୍ର ନିଃସ୍ଵ କଲାପରେ ସେମାନଙ୍କ ମଧ୍ୟରୁ ଖଟିଖିଆଙ୍କୁ ନେଇ ଓଡ଼ଶା ବାହାରେ ଦାଦନ/ଗିରମାଟିଆ ଶ୍ରମିକ କରେଇ ଖଟାଇଲେ । ଲକ୍ଷ ଲକ୍ଷ ଓଡ଼ିଆ ବର୍ମା, ଦକ୍ଷିଣ ଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜକୁ ଦାଦନ ଶ୍ରମିକ ଭାବେ ଚାଲାଣ ହେଲେ ।  

ଇଂରେଜ ଶାସନ କାଳରେ ଓଡ଼ିଶା ହୋଇଯାଇଥିଲା ଉପନିଵେଶର ଉପନିଵେଶ ଏଵଂ ଶୋଷକଗୋଷ୍ଠୀଙ୍କର ସ୍ଵର୍ଗ । ୧୮୧୪ରୁ ଭାରତରେ ରେଳପଥ ନିର୍ମାଣ ଆରମ୍ଭ ହେଲା ସତ କିନ୍ତୁ ତତ୍ପରେ ଶହେ ଵର୍ଷ ପର୍ଯ୍ୟନ୍ତ ଭାରତର ଅନ୍ୟାନ୍ୟ ଭୂଭାଗରେ ରେଳପଥ ବିଛାଇଲେ ସତ ଓଡ଼ିଶାରେ ରେଳର ଵିକାଶ କଲେନି । ୧୭୮୦ରୁ ୧୮୪୦ ଯାଏଁ ଲକ୍ଷ ଲକ୍ଷ ଜନଜାତୀୟ କଳିଙ୍ଗୀମାନେ ସଶସ୍ତ୍ର ସଂଗ୍ରାମ କରିଥିଵାରୁ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କଲେ । ଶହେ ଵର୍ଷ ଧରି ଓଡ଼ିଶାର ଶୋଷଣ କଲେ ସିନା ଭଲ କାମ କିଛି କଲେ ନାହିଁ । ଭାରତର ଅନ୍ୟାନ୍ୟ ଭୂଭାଗରେ ଵିଦ୍ୟାଳୟ ଖୋଲିଲେ ଓଡ଼ିଶାର ଲୋକଙ୍କୁ ଅର୍ଦ୍ଧ ଶତାବ୍ଦୀ ଧରି ଅପାଠୁଆ କରି ରଖିଲେ । ଏସବୁ ଥିଲା ଯୋଜନାବଦ୍ଧ କାରଣ ଓଡ଼ିଆମାନେ ଅଶିକ୍ଷିତ ରହିଲେ ବାହାର ଅଞ୍ଚଳରୁ ଲୋକ ଅଣେଇ ରାଜକର୍ମଚାରୀ କରି ଓଡ଼ିଆଙ୍କର ଶୋଷଣ କରି ଅତ୍ୟାଚାରିତ କରିଵା ଥିଲା ଇଂରେଜମାନଙ୍କର ମୂଳ ଲକ୍ଷ୍ୟ । ସେଥିପାଇଁ ୰ଶ୍ରୀରାଜୀଵ ଦିକ୍ଷୀତ ଥରେ କହିଥିଲେ ଇଂରେଜମାନେ ଯାହା କରୁଥିଲେ ତହିଁର ଯୋଜନା ପଚାଶ ଵର୍ଷ ଆଗରୁ ରହୁଥିଲା । ତେଣୁ ଓଡ଼ିଶାରେ ବଙ୍ଗାଳୀ ବିହାରୀ ରାଜକର୍ମଚାରୀଙ୍କର ଏକ ନଵ୍ୟଗୋଷ୍ଠୀ ଆସିଲା ଏଵଂ ସେମାନେ ଓଡ଼ିଶାର ଓଡ଼ିଆ ଜାତିର ଭାଷା ସଂସ୍କୃତିକୁ ଲୁପ୍ତ କରି ଦେଵାକୁ ଆପ୍ରାଣ ଉଦ୍ୟମ ଚଳାଇଲେ । 

ଅନେକ ଅକଥନୀୟ ଅତ୍ୟାଚାର କଲାପରେ ବି ଓଡ଼ିଆ ଲୋକଙ୍କ ପ୍ରତି ଇଂରେଜମାନଙ୍କ ରାଗ କମିଲା ନାହିଁ । କୃତ୍ରିମ ଖାଦ୍ୟାଭାଵ ଘଟାଇ ନ ଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରାଇଥିଲେ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଲୋକଙ୍କୁ ଭୋକ ଉପାସରେ ମାରି ଵର୍ତ୍ତିଯାଇଥିଵା ଲୋକଙ୍କୁ ଖାଦ୍ୟ ଦେଇ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରିଵା ଏଵଂ କିଛି ଲୋକ ଏହି ଚକ୍ରାନ୍ତରେ ଫସି ଛତରଖିଆ ହେଵାକୁ ଵାଧ୍ୟ ହେଲେ । 

କିନ୍ତୁ ଓଡ଼ିଆ ଜାତି ସହଜେ ନୋଇଁ ନଥାଏ ବୋଲି ଇଂରେଜମାନେ ଜାଣିନଥିଲେ । ଓଡ଼ିଶାର ଲୋକେ ଗାତ ଖୋଳି ତହିଁ ମଧ୍ୟରେ କଦଳୀ ପତ୍ର ପୁରାଇ ପଖାଳ ଭାତ ଖାଇ ରହିଗଲେ ପଛେ ଧର୍ମାନ୍ତରୀକରଣର ଶିକାର ହେଲେ ନାହିଁ । ଇଂରେଜମାନେ ବୁଝିଲେ ଓଡ଼ିଆଙ୍କ ଆତ୍ମା ଜଗନ୍ନାଥଙ୍କ ପାଖରେ ଅଛି । ଜଗନ୍ନାଥ ମନ୍ଦିରକୁ ଚର୍ଚ୍ଚ କରିଦେଲେ ସବୁ ଓଡ଼ିଆମାନେ ଆପେ ଖ୍ରୀଷ୍ଟିଆନ ହୋଇଯିବେ । 
ଜଗନ୍ନାଥ ମନ୍ଦିରକୁ ଅକ୍ତିଆର କରିଵା ପାଇଁ ତତ୍କାଳୀନ ଓଡ଼ିଶା ରାଜାଙ୍କୁ ମିଛ କେଶରେ ଜେଲ୍ ପଠାଇ ଦେଲେ ଏଵଂ ଶ୍ରୀମନ୍ଦିର ଭିତରେ ମୁସଲମାନ ସୈନ୍ୟ ମୁତୟନ କରିଦେଲେ । ସେତେବେଳେ ମଧୁବାବୁଙ୍କ ପ୍ରଚେଷ୍ଟା ଯୋଗୁଁ ଆଇନ ବଳରେ ଶ୍ରୀମନ୍ଦିର ରକ୍ଷା ପାଇଥିଲା । କଳିଙ୍ଗ ସାଗର ଵା ମହୋଦଧିକୁ ବଙ୍ଗୋପସାଗର ନାମ ଦେଇ ଓଡ଼ିଆ ଜାତିର ନୌଵାଣିଜ୍ୟ ପରମ୍ପରାର ଉପହାସ କଲେ । ଓଡ଼ିଶାର ବାଲେଶ୍ବରର ପିପିଲି ଭଳି ଏକାଧିକ ବନ୍ଦର ସୁନାମୀ ଯୋଗୁଁ ୧୮୦୩ରେ ଭାଙ୍ଗିଗଲା ସିନା ଇଂରେଜମାନେ କଳିଙ୍ଗ ଦେଶର ଉପକୂଳଵର୍ତ୍ତୀ ବନ୍ଦରଗୁଡି଼କର ଵିକାଶ ଓ ଉନ୍ନତି ପ୍ରତି ଆଦୌ ଧ୍ୟାନ ଦେଲେ ନାହିଁ। 

ଓଡ଼ିଶାରେ ଲୁଣମାରିଵା ୧୮୮୮ରେ ବନ୍ଦ କରି ଦେଇ ବାଲେଶ୍ବର ଭଦ୍ରକର ଲକ୍ଷ ଲକ୍ଷ ଲୋକଙ୍କୁ କର୍ମହୀନ କରିଦେଲେ ।  

ଇଂରେଜମାନଙ୍କର ଏହି ସବୁ କୁକୃତ୍ୟ ଯୋଗୁଁ ବଙ୍ଗାଳୀମାନେ ଶକ୍ତିଶାଳୀ ହୋଇ ଓଡ଼ିଆ ଭାଷା ମାରିଵା ପାଇଁ ଚକ୍ରାନ୍ତ ଆରମ୍ଭ କରିଦେଲେ ‌ । 

ଭାରତରେ ଇଂରେଜମାନଙ୍କ ଦ୍ଵାରା ସବୁଠାରୁ ଅଧିକ ଶୋଷଣର ଶିକାର ହୋଇଥିଵା ଓଡ଼ିଆ ଜାତିର ଅଭିଶାପ ମଧ୍ୟ ଫଳିଲା । ସୂର୍ଯ୍ୟ ଅସ୍ତ ହେଉନଥିଵା ପାପ ସାମ୍ରାଜ୍ୟ ଭାଙ୍ଗିଗଲା ଆଉ ଆଜି United Kingdom ନାଆଁରେ ନାମକୁ ମାତ୍ର ଗୋଟିଏ ଦେଶ ବୋଲାଉଥିଵା ବ୍ରିଟେନ ରାଷ୍ଟ୍ର ଵିଭାଜନର ଭୟରେ ସଂକ୍ରମିତ । ଯେଉଁ ଭାରତୀୟମାନଙ୍କ ଉପରେ ଏକଦା ଇଂରେଜମାନେ ଅତ୍ୟାଚାର କରୁଥିଲେ ଆଜି ସେହି ଭାରତୀୟମାନଙ୍କ ଵର୍ତ୍ତମାନ ବଂଶଜ ବ୍ରିଟେନର ବଡ଼ ବଡ଼ ପଦରେ ରହି ସେ ଦେଶକୁ ଚଳାଉଛନ୍ତି ।

Sunday, August 14, 2022

ଢେଙ୍କାନାଳର କଥା — ଭାଗ ୨ (ବଣିଆପଡ଼ାର ଧୀର ସାମନ୍ତ)

    

ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା — ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ।


ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ "ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି" ପୁସ୍ତକରେ ଏହି ନାମକରଣ ପଛର ଐତିହାସିକ କାରଣ ଲିପିବଦ୍ଧ କରିଛନ୍ତି ।‌ 


ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏହି ପୁସ୍ତକ ଅନୁସାରେ ପୂର୍ଵେ କରମୂଳ ନଗରୀର ଦକ୍ଷିଣ ପାର୍ଶ୍ଵସ୍ଥିତ ଭୂଖଣ୍ଡ କରମୂଳ ରାଜ୍ୟଭୁକ୍ତ ଥିଲା କିନ୍ତୁ ବଣିଆପଡ଼ାର ଧୀର ସାମନ୍ତମାନେ ଏହି ଭୂଖଣ୍ଡର ଭୂମ୍ୟାଧିକାରୀ ବୋଲାଇ ଆପଣାକୁ ସ୍ଵାଧୀନ ଘୋଷଣା କରିଥିଲେ । ଡମରାଜା କଟକରେ ରାଜତ୍ଵ କରୁଥିଵା ନାଗ ବଂଶୀୟ ରାଜାମାନଙ୍କୁ ପରାସ୍ତ କରି ଧୀର କ୍ଷତ୍ରିୟଵୃନ୍ଦ ଏହି ରାଜ୍ୟ ଅଧିକାର କରିଥିଲେ ହେଁ କରମୂଳ ଅଧିପତିଙ୍କର ସାମନ୍ତ ଭୂମ୍ୟାଧ୍ୟାକାରୀ ରୂପେ ପରିଗଣିତ ହେଉଥିଲେ । କିନ୍ତୁ ପରେ ବଣିଆପଡ଼ାର ଧୀର କ୍ଷତ୍ରିୟ ବଂଶଜ ରାଜାମାନେ କରମୂଳ ରାଜାଙ୍କ ଦୁର୍ଵଳତାର ସୁଯୋଗ ନେଇ ଆପଣା ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଦେଲେ ।

ଧୀର ରାଜବଂଶର ରାଜନ୍ୟଵୃନ୍ଦ ଶୈଵ ଧର୍ମାବଲମ୍ବୀ ଥିଲେ ବୋଲି ଜଣାଯାଏ । ବଣିଆପଡ଼ାରେ ସ୍ଥିତ ଶୈଵପୀଠ ସ୍ଵପ୍ନେଶ୍ଵର ମନ୍ଦିର ଏହି ବଂଶର କୀର୍ତ୍ତି । ଗଙ୍ଗାଧର ଧୀର ନାମରେ ଏହି ରାଜବଂଶର ଜଣେ ରାଜା ପଞ୍ଚରଥ ଶୈଳୀରେ ବଣିଆପଡ଼ାରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରିଵା ସହିତ ନୀତିନିଯୋଗ ଓ ଯାନିଯାତ୍ରା ନିମିତ୍ତ ଭୂସମ୍ପତ୍ତି ଖଞ୍ଜା କରିଥିଲେ ବୋଲି ମନ୍ଦିର ଗାତ୍ରରେ ଥିଵା ଉଲ୍ଲେଖରୁ ଜଣାଯାଏ । କିନ୍ତୁ ବଣିଆପଡ଼ା ଅଞ୍ଚଳରେ ସପ୍ନେଶ୍ବର ମନ୍ଦିର ଛଡ଼ା ଧୀରବଂଶର ଅନ୍ୟ କୌଣସି କୀର୍ତ୍ତି ଆଵିଷ୍କୃତ ହୋଇନାହିଁ । 


ହରିସିଂହ ବିଦ୍ୟାଧର ବଣିଆପଡ଼ାର ଏହି ଧୀର ସାମନ୍ତମାନଙ୍କୁ କର ଦେବାକୁ ସନ୍ଦେଶ ପଠାଇବାରୁ ଧୀର ସମାନ୍ତ ଚିଟାଉରେ ଲେଖି ପଠାଇଲେ ଯେ "ଵିନା ଯୁଦ୍ଧରେ ଆମ୍ଭେ ଛଦାମ ଦେବୁ ନାହିଁ ।" 

ଏଠାରେ ଛଦାମ ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରିଦେଲେ ଉଚିତ୍ ହେଵ । 
ଓଡ଼ିଆ ଭାଷାରେ ଏହି ଛଦାମ ଶବ୍ଦଟି ଅନେକ ଅର୍ଥରେ ପ୍ରୟୋଗ କରାଯାଏ । ପୂର୍ଵେ ଏକ ପଇସାର ଚାରିଭାଗରୁ ଏକଭାଗକୁ ଛଦାମ କୁହାଯାଉଥିଲା । ପରେ ଏକ ପଇସି ଦୁଇପଇସି ଇତ୍ୟାଦିର ପ୍ରଚଳନ ବନ୍ଦ ହୋଇଗଲା । ତହୁଁ କେତେକ ଅଞ୍ଚଳରେ ଚାରଣିକୁ ମଧ୍ୟ ଏକଟଙ୍କାର ଚାରିଭାଗରୁ ଭାଗେ ଅଂଶ ହୋଇ ଥିଵାରୁ ଛଦାମ କୁହାଯାଉଥିଲା । ପଇସାର ଚାରିଭାଗର ଭାଗେ ହୋଇଥିଵାରୁ ଛଦାମ ଅତି ଅଳ୍ପ ଅର୍ଥ ପରିମାଣକୁ ବୁଝାଇଥାଏ । ଫଳତଃ ଏହି ଛଦାମ ଶବ୍ଦଟି ଓଡ଼ିଆ ଭାଷାରେ ଅଳ୍ପ ଅର୍ଥରେ ପ୍ରୟୋଗ କରାଯାଏ ପୁଣି ଆଜି ବି ଯାଜପୁର ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ "ସାମାନ୍ୟ ଟିକିଏ ମଧ୍ୟ" ଅର୍ଥରେ "ଛଦାମେ" ଶବ୍ଦ ଵ୍ୟଵହୃତ ହୋଇଥାଏ । ସମ୍ଭଵତଃ କ୍ଷୁଦ୍ରମ୍ ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ କାରଣ ଏହା ଏକଦା ଭାରତୀୟ ମୂଦ୍ରାର ସର୍ଵନିମ୍ନ ମୂଲ୍ୟ ଥିଲା । କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଛଦାମ ଶବ୍ଦଟି "ଟଙ୍କାପଇସା" ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । 

କିନ୍ତୁ ଏଠାରେ ଯୁଦ୍ଧ ଵିନା ଛଦାମ ଦେବୁ ନାହିଁ ଅର୍ଥ ସମ୍ଭଵତଃ ଵିନା ଯୁଦ୍ଧରେ କର ଵା ଧନ ଦେବୁ ନାହିଁ ହୋଇଥାଇପାରେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଛଦାମ ଶବ୍ଦର ଅର୍ଥ ସ୍ପଷ୍ଟ କରିନାହାନ୍ତି । ସେ ଯାହା ହେଉ ବଣିଆପଡ଼ାର ଧୀର ସାମନ୍ତମାନଙ୍କଠାରୁ ଏଭଳି ପ୍ରତ୍ୟୁତ୍ତର ପାଇଵାରୁ କ୍ରୁଦ୍ଧ ହୋଇ ହରିସିଂହ ବଣିଆପଡ଼ା ଧୀର ସାମନ୍ତଙ୍କ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ । କିଛି ଦିନ ଉତ୍ତାରୁ ଆଜିର ଗଁଦିଆ ନିକଟରେ ଦୀର୍ଘ ଦଶଦିନ ଧରି ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । 

ଏହି ଯୁଦ୍ଧରେ ଧୀର ସାମନ୍ତ ପରାଜିତ ହୋଇ ପଳାୟନ କଲେ ଏଵଂ ପରଵର୍ତ୍ତୀ କାଳରେ ବ୍ରାହ୍ମଣୀ ଉତ୍ତର ତୀରସ୍ଥ ବଳରାମପୁରଠାରେ ଗଡ଼ ନିର୍ମାଣପୂର୍ଵକ ଏକ କ୍ଷୁଦ୍ର ରାଜ୍ୟ ଗଠନ କଲେ । ଏପଟେ 
ହରି ଵିଦ୍ୟାଧରଙ୍କ ବଣିଆ ପଡ଼ା ଅଞ୍ଚଳ ଵିଜୟ ପରେ କରମୂଳ ନଗରୀଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ କରମୂଳ ରାଜ୍ୟଧୀନ ହୋଇଥିଲା ।ଏହାଦ୍ଵାରା କରମୂଳ ରାଜ୍ୟ ତାହାର ପୂର୍ଵ ଗୌରଵ ଫେରି ପାଇଥିଲା । 

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ଏହାପରେ ତାଙ୍କର ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଢେଙ୍କାନାଳରେ ଗଁଦିଆ ନିକଟରେ ଥିଵା ଛଅଗୋଟି ଗ୍ରାମ ଯଥା: ପଦ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦାରେ "ଦା' କାହିଁକି ଲାଗିଛି ତାହା ଉଲ୍ଲେଖ କରିଅଛନ୍ତି । 

ଶ୍ରୀମିଶ୍ରଙ୍କ ଅନୁସାରେ ଧୀର ସାମନ୍ତ ଵିନାଯୁଦ୍ଧରେ ଛଦାମ ଦେଵାକୁ ମନା କରିଥିଵାରୁ କରମୂଳ ରାଜା ହରିଵିଦ୍ୟାଧର ଵିଜିତ ଅଞ୍ଚଳରେ ଛଅ ଗୋଟି ‘ ଦା ’ ଯୁକ୍ତ ଗ୍ରାମ ସ୍ଥାପନ କରାଇଥିଲେ । ସେହି ଗ୍ରାମଗୁଡ଼ିକ ଅଦ୍ୟାଵଧି ମଧ୍ୟ ଵିଦ୍ୟମାନ । ଏ ଅଞ୍ଚଳରେ କିମ୍ବଦନ୍ତୀ ରହିଛି ଯେ ହରିଵିଦ୍ୟାଧର କପିଳାସ ଠାକୁରଙ୍କ କୃପାରୁ ଏହି ଅଞ୍ଚଳ ଜୟଲାଭ କରିଥିଲେ ତେଣୁ ସେ ରାଜା ସେହି ଗ୍ରାମଗୁଡ଼ିକ ଶିଖରେଶ୍ଵରଙ୍କ ସେଵା ପୂଜା ନିମିତ୍ତ ଦାନ କରିଥିଲେ । ଵର୍ତ୍ତମାନ ମଧ୍ୟ ସେହି ଗ୍ରାମମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଦେବୋତ୍ତର ଜମି ରହିଅଛି ବୋଲି ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । 

କିନ୍ତୁ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ଆଦି ଗ୍ରାମ ଛଡ଼ା ନିକଟସ୍ଥ ଯୋରନ୍ଦା ଓ ବାଲି ଯୋରନ୍ଦା ଗ୍ରାମର ନାମ ଶେଷରେ ମଧ୍ୟ ଦା ଵର୍ଣ୍ଣ ଥିଵା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଆମର୍ଦା ବୋଲି ଏକ ଅଞ୍ଚଳ ରହିଛି ଏଵଂ ଓଡ଼ିଶାରେ ଏହି ଭଳି 'ଦା' ପଦଯୁକ୍ତ ଆହୁରି ଗ୍ରାମ ଥାଇପାରେ । 

ଆମର ଗାଆଁ ନାମ ସହିତ ପୁର,ପାଳ, ପାଲି,ପଡ଼ା,ସାହି,ସିଙ୍ଗା,ତୈଳା,ବେରଣା ଓ ପଦର ଆଦି ଯେତେ ଶବ୍ଦ ଯୁକ୍ତ ହୋଇଥାଏ ସେସବୁ ଏକ ଵିଶିଷ୍ଟ ସ୍ଥାନକୁ ଦର୍ଶାଇଥାଏ । ସମ୍ଭଵତଃ ଏହି "ଦା" ପଦଟି ସେହି ଧରଣର ଏକ ଶବ୍ଦ ହୋଇଥାଇପାରେ । 

••••••••••••••••••••••••••
ତଥ୍ୟ ଉତ୍ସ—
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
••••••••••••••••••••••••••
  

Thursday, August 11, 2022

ଗହ୍ମା ପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷା ବନ୍ଧନ ପରମ୍ପରା

ଓଡିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ କଥିତ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଵିଭିନ୍ନ ନାମରେ ପୂଜା ପାଆନ୍ତି । 


ଆଗେ କଳିଙ୍ଗୋଡ୍ରୋତ୍କଳରେ ଗହ୍ମାପୂର୍ଣିମା ଦିନ ବଳଦେଵ ଜୀଉଙ୍କ ଵିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାଵଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେଵ ଜୀଉ ଦେଉଳରେ ବଳଦେଵଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ ।

ଗହ୍ମା ଶବ୍ଦ ଗୋମାତା ଶବ୍ଦରୁ ଆସିଛି ବୋଲି ଏକ ଲୋକପ୍ରିୟ ମତ ପ୍ରଚଳିତ । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ସମ୍ଭଵତଃ ଗୋମତା ଶବ୍ଦ କ୍ରମଶଃ ଗୋମା ଏଵଂ ପରେ ଗହ୍ମା ହୋଇଥାଇପାରେ । ଗାଭୀ ପୂଜନର ପର୍ଵ ହୋଇଥିଵାରୁ ଏମନ୍ତ ହୋଇଥିଵା ଅସମ୍ଭଵ ନୁହେଁ ।

ମତାନ୍ତରେ ଓଡ଼ିଆ ଗମାଇଵା କ୍ରିୟା ସହିତ ଗହ୍ମା ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଗମିଵା କ୍ରିୟାର ଅର୍ଥ ଗମନ କରିଵା ଵା ଯିଵା ଏଵଂ ଏହାର ଜିଣନ୍ତ ଧାତୁରୂପ ଗମାଇଵା ଅଟଇ । ଗମାଇଵା କ୍ରିୟାଟି ଅନ୍ୟଦ୍ଵାରା ଯିଵା,ଗତି କରାଇଵା, କାଟିଵା ଵା ଗତ କରିଵା,ପାରକରିଵା, ଅତିଵାହିତ କରିଵା, କଟାଇଵା,ହଜାଇଵା(ଗୁପ୍ତ ଧାତୁ),ଗମର କରିଵା ଵା ସଢ଼ାଇଵା ଅର୍ଥରେ ଆମ ଭାଷାରେ ପ୍ରୟୋଗ କରାଯାଏ । ଗହ୍ମାଡିଆଁ ସମୟରେ ପ୍ରଥମେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାଵେଦୀକୁ ଡିଆଁଇ ଦେଵାର ଵିଧି ପ୍ରଚଳିତ ଏଵଂ ତତ୍ପରେ ମାନଵମାନେ ଵିଶେଷତଃ କିଶୋର/ଯୁଵକମାନେ ଗହ୍ମାଡିଆଁ କରିଥାନ୍ତି । ତେଣୁ ପ୍ରଥମେ ଲୋକେ ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଉଥିଵାରୁ ଗମାଇଵା କ୍ରିୟାର "ଅନ୍ୟଦ୍ଵାରା ଡିଆଁଇ ଗତି କରାଇଵା" ଅର୍ଥ ଘେନି ଗମା ଓ ପରେ ଗହ୍ମା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵପର ହୃଦବୋଧ ହୁଏ । 


ଅନ୍ୟ ଏକ ମତ ଅନୁସାରେ ଗମା ଶବ୍ଦଟି ଆଗେ ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥରେ ପ୍ରୟୋଗ କରାଯାଉଥିଲା । ଏହାର ପ୍ରମାଣ ସ୍ବରୂପ ଆଜି ବି ଓଡ଼ିଶାରେ ବଡ଼ମୁଣ୍ଡିଆକୁ ଗହ୍ଭାମୁଣ୍ଡିଆ କୁହାଯାଏ ଏଵଂ ମାଟିଗଦା ତଥା ଉଚ୍ଚାସ୍ଥାନକୁ ଆଜି ମଧ୍ୟ ଗଡ଼ଜାତରେ ଗୁମା କୁହାଯାଏ ।‌ ଗହ୍ମାଡିଆଁ ସମୟରେ ଗହ୍ମାଵେଦୀ ମଧ୍ୟ ମାଟିଗଦାକୁ ନେଇ ଗଢ଼ାଯାଏ ତେଣୁ ହୁଏତ ଗହ୍ଭା,ଗୁମାର ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥ ଘେନି ଗହ୍ମାପୂର୍ଣ୍ଣିମା ଓ ଗହ୍ମାଡିଆଁର ନାମକରଣ କରାଯାଇଛି ।‌

ସେ ଯାହା ହେଉ ଆଗେ ନିଜ ନିଜ ଗୃହରେ ସମସ୍ତ ଉତ୍କଳୀୟ ପ୍ରଜା ଏହିଦିନ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖୁଆଇଵା ସହ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖୁଥିଲେ । ଚରିଵାକୁ ଯାଇଥିଵା ଗାଈ ଅପରାହ୍ନ ସମୟରେ ଫେରିଵା ବେଳେ ଲୋକେ ତାଙ୍କ ଦାଣ୍ଡଗୁଡି଼କରେ ରଖିଥିଵା ଘାସ ଖାଉଥିଲେ । ଆଜି ମଧ୍ୟ ଓଡି଼ଶାର କେତେକ ଅଞ୍ଚଳରେ ଏହି ପରମ୍ପରା ବଞ୍ଚିରହିଛି । 

ଗହ୍ମାପୂର୍ଣ୍ଣିମା ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । 


ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଗହ୍ମା ପୂର୍ଣ୍ଣିମାରେ ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ଵଳୀଵୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାଵେଦୀ କହିଥାନ୍ତି । 
 

 ଗହ୍ମାଵେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି । ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଇଵା ପରେ କିଶୋର ଯୁଵକମାନେ ଗହ୍ମାଵେଦୀ ଉପରୁ ଲମ୍ଫ ପ୍ରଦାନ କରନ୍ତି । ଏହିପରି ଭାବେ ଗହ୍ମାପୂର୍ଣ୍ଣିମା ପର୍ଵ ସହ ମନୋରଞ୍ଜନ ଧର୍ମୀ କ୍ରୀଡ଼ା ଗହ୍ମା ଡିଆଁ ପରମ୍ପରା ଯୋଡ଼ି ହୋଇଛି । ଗହ୍ମାଡିଆଁ ପରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । 


ଆଗେ ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାଵେଦୀଠାରେ ହୋଇଥିଵା ଭୋଗରୁ ପ୍ରତ୍ଯେକ ମହାଜନଙ୍କ ଭାଗ ଅନୁସାରେ ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଉଥିଲା ଏଵଂ ଏହାକୁ ଗହ୍ମା ହକରା କୁହାଯାଉଥିଲା ।‌ ଗହ୍ମାପୂର୍ଣ୍ଣିମୀଦିନ ଗହ୍ମାଵେଦୀଠାରେ ବଳଦେଵଙ୍କୁ ଭୋଗ ହୋଇଥିଵା ହକରା ନେବାକୁ ଉପସ୍ଥିତ ହେଵାପାଇଁ ବ୍ରାହ୍ମଣଶାସନ ଗ୍ରାମଵାସୀ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଆହ୍ବାନ କରାଯାଉଥିଲା । ଏହି ଵିଧିକୁ ଲୋକେ ଗହ୍ମା ଡାକରା କହୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଵିଵାହର ପ୍ରଥମ ଵର୍ଷମଧ୍ୟରେ କୁମାର ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଛଡ଼ା ଗହ୍ମାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିଵାପାଇଁ ଜ୍ବାଇଁକୁ ନିମନ୍ତ୍ରଣ କରାଯିଵାର ପରମ୍ପରା ଓଡ଼ିଶାରେ ପ୍ରଚଳିତ ଥିଲା ଏଵଂ ତାକୁ ମଧ୍ୟ ଗହ୍ମାଡାକରା କୁହାଯାଉଥିଲା । 

ଗହ୍ମା ଶବ୍ଦଯୁକ୍ତ କେତେକ ଗଡ଼ଜାତିଆ ଶବ୍ଦ ରହିଛି ଯାହା ପ୍ରମାଣ କରେ ଯେ ଏକଦା ଗଡ଼ଜାତରେ ମଧ୍ୟ ଗହ୍ମା ପୂର୍ଣ୍ଣିମାରେ ଗୋପୂଜା ପରମ୍ପରା ବହୁପରିମାଣରେ ପ୍ରଚଳିତ ଥିଲା । 

ସମ୍ବଲପୁରରେ ତେଲୁଣି ଵା ତେଲଗୁଣି ପୋକକୁ ଗମାକୀଡ଼ା, ଗମିକୀଡ଼ା,ଗମ୍‌କିରା,ଗମ୍‌ପୋକ୍ ,କନ୍ଧମାଳରେ ଗମାପୁକ୍ ତଥା ଢେଙ୍କାନାଳ ଓ ଅନୁଗୋଳରେ ଗମିପୋକ କୁହାଯାଏ । ଏହି ତେଲୁଣି ପୋକ ସାଧାରଣତଃ ଶ୍ରାଵଣ ମାସରେ ବହୁପରିମାଣରେ ଦୃଶ୍ୟ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ ଗଡ଼ଜାତରେ ଧାନରେ ଲାଗୁଥିଵା ଏକପ୍ରକାରର ଧଳାପୋକକୁ ଗହ‌୍‌ମା ପୋକ୍ କୁହାଯାଏ କାରଣ ଏହା ଗମୁଆ ଗମୁଆ ଗନ୍ଧଯୁକ୍ତ ହୋଇଥାଏ । ବହୁତ ସମ୍ଭଵ ଗହ୍ଭାପୂର୍ଣ୍ଣିମାର ଗହ୍ମା ଶବ୍ଦ ଆଧାରରେ ତେଲୁଣି ପୋକର ଗମ୍‌କିରା ଓ ଗମିପୋଟ ନାମ ରଖାଯାଇଥିଲା । ଏହାର ପ୍ରମାଣ ସ୍ବରୂପ ଆଉ ଏକ ଶବ୍ଦ ଆମ ଭାଷାରେ ରହିଛି । ଓଡ଼ିଶାରେ ଗହ୍ମାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିଵା ଛୋଟ ନଡି଼ଆକୁ
ଗହ୍ମାକଠା କୁହାଯାଏ । ନଡ଼ିଆ କଷି ହେଵାଠାରୁ ପାଚିଵା ପର୍ଯ୍ୟନ୍ତ ୧୦ ମାସ ସମୟ ଲାଗେ । ମାର୍ଗଶିର ମାସରେ ଯେଉଁ ନଡି଼ଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ହୋଇଥାଏ ଏଵଂ ତାହା ଗହ୍ମାପୂର୍ଣ୍ଣିମୀକୁ ତୋଳା ହେଵା ସମୟରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ଫଳତଃ ଏ ଜାତୀୟ ନଡି଼ଆକୁ ଗହ୍ମାକଠା କୁହାଯାଏ । 

ତେବେ ଆଜି ଗହ୍ମାପୂର୍ଣ୍ଣିମା ସହିତ ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା । ଭାଇ ଭଉଣୀଙ୍କ ପଵିତ୍ର ସମ୍ପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଵୈଦିକକାଳରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁଙ୍କ ଦ୍ଵାରା ଶିଷ୍ୟକୁ ସୂତ୍ର ବନ୍ଧନର ପରମ୍ପରା ପ୍ରଚଳିତ ଥିଲା । କେତେକ ଗବେଷକଙ୍କ ମତରେ କ୍ରମଶଃ ସେହି ପରମ୍ପରା ପରିଵର୍ତ୍ତିତ ହୋଇ ରକ୍ଷାବନ୍ଧନର ରୂପ ନେଇଅଛି । ସେହିପରି ଯୁଦ୍ଧକ୍ଷେତ୍ରକୁ ଯାଉଥିଵା ଵୀର ହସ୍ତରେ ଭାରତୀୟ ସଧଵାମାନେ ରକ୍ଷାସୂତ୍ର ବାନ୍ଧୁଥିଲେ । ଯୁଦ୍ଧକୁ ଯାଉଥିଵା ଵୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଉଥିଲା । ଏହି ପରମ୍ପରା ଆଧାରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ପରମ୍ପରା ପ୍ରଚଳିତ ହୋଇଥିଵା ଅନୁମାନ କରାଯାଏ । ଆମ ତଥାକଥିତ ସମାଜରେ ନାରୀ ସର୍ଵଦା ଅବଳା ଓ ଦୁର୍ଵଳା ଭାବେ ଵିଵେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିତାନ୍ତ ଆଵଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ମତାନ୍ତରରେ ଭାଇର ସୁରକ୍ଷା ପାଇଁ ଭଉଣୀ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧି ଦିଏ । ଭାଇ ଭଉଣୀର ଏହି ଅନାଵିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଏ ରକ୍ଷା ସୂତ୍ର ସମ୍ପର୍କର, କର୍ତ୍ତଵ୍ୟବଦ୍ଧତାର, ସ୍ନେହ ପ୍ରେମର, ସୁରକ୍ଷାର ଓ ଭରସାର ସେତୁ ଅଟଇ ।

କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ଵର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ଵା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା । କେତେକ ଗଵେଷକଙ୍କ ମତରେ ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା କିନ୍ତୁ ଆଉ କେତେକ ଗଵେଷକ ଏହି ମତକୁ ଖଣ୍ଡନ କରନ୍ତି । କୁହାଯାଏ ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା ରକ୍ଷାସୂତ୍ର ବନ୍ଧନର ନଵ୍ୟ ପରମ୍ପରା । ବୋଧହୁଏ ଓଡିଶାରେ ଵୈଷ୍ଣଵ ସମ୍ପ୍ରଦାୟର ପ୍ରଭାଵରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି । ଆଜକୁ ଚାଳିଶ ପଚାଶ ଵର୍ଷ ତଳେ କେଵଳ ଓଡ଼ିଶାର ନଗରଵାସୀ ଧନୀକ ଧାର୍ମିକ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ଵୈଦିକ ରୀତିନୀତିରେ ପାଳନ କରୁଥିଲେ । 

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ଵ୍ୟଵହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀଵକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିଵ ! 

କ୍ରମେ ବଲିଉଡ ତଥା ଓଲିଉଡ ଚଳଚ୍ଚିତ୍ରରେ ରକ୍ଷାବନ୍ଧନ ପରମ୍ପରାର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ଲୋକେ ତହିଁରୁ ପ୍ରଭାଵିତ ହୋଇ ରାକ୍ଷୀ ବାନ୍ଧିଵା ଆରମ୍ଭ କରିଛନ୍ତି । 

ମାତ୍ର ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ସମ୍ବାଦପତ୍ର, ସାହିତ୍ୟ କୃତି, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଓଡ଼ିଆଙ୍କ ପାଇଁ ଆଜି ଗହ୍ମାପୂର୍ଣିମାଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରାକ୍ଷୀ ସହିତ ଗହ୍ମାର କୌଣସି ସମ୍ପର୍କ ନାହିଁ ଅଧିକନ୍ତୁ ଗହ୍ମା ପୂର୍ଣ୍ଣିମା ଓଡ଼ିଶାର ନିଜସ୍ଵ ପାରମ୍ପରିକ ପର୍ଵ ଯାହା ଭାରତରେ ଅନ୍ୟତ୍ର ଦେଖିଵାକୁ ମିଳେନାହିଁ ।

•••••••••••••••••••••••••
ଶିଶିର ସାହୁ ମନୋଜ
କାମାକ୍ଷାନଗର, ଢେଙ୍କାନାଳ 
••••••••••••••••••••••••

Tuesday, August 9, 2022

ଢେଙ୍କାନାଳର କଥା — ଭାଗ ୧




ଢେଙ୍କାନାଳର "ଢେଙ୍କାନାଳ ସଦର" ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା—
ବଡ଼ ନାଗେନା,ସାନ ନାଗେନା,ନାଗେନା ରୟତି ଓ ନାଗେନାଵସ୍ତି । ଆତିଣ୍ଡାର ପଶ୍ଚିମ ପାର୍ଶ୍ଵସ୍ଥ ଭୂଖଣ୍ଡରେ ଏହି ପ୍ରାଚୀନ ନାଗନା ନଗରୀ ଅଵସ୍ଥିତ । ଏକଦା ଏଠାରେ ନାଗ ବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା । ସମ୍ରାଟ ଶତ୍ରୁଭଞ୍ଜଙ୍କ ସମୟରେ ଏ ଅଞ୍ଚଳ ଓଡି଼ଶାର ଏକ ସମୃଦ୍ଧ ଓ ମହତ୍ତ୍ଵପୂର୍ଣ୍ଣ ଅଞ୍ଚଳ ପରିଗଣିତ ହେଉଥିଲା ‌।  

 ଗଙ୍ଗ ବଂଶୀ ଶାସକ ଅନଙ୍ଗଭୀମ ଦେଵଙ୍କ ରାଜତ୍ଵ ସମୟରେ ନାଗନାର ଶିଵ ମନ୍ଦିର ନିର୍ମାଣ ହୋଇଥିଲା ।  

କିମ୍ବଦନ୍ତୀ କହେ ଅନଙ୍ଗଭୀମ ଦେଵ ନାଗେନା ଗ୍ରାମ ନିକଟରେ ନିଜ ନାମରେ ଭୀମପୁର ବୋଲି ଏକ ଗ୍ରାମ ସ୍ଥାପନ କରାଇଥିଲେ ଯାହା ଆଜି ଭୂଇଁପୁର ଵା ଭୀଁପୁର ଗ୍ରାମ ନାମରେ ଜଣାଶୁଣା । କେହି କେହି କୁହନ୍ତି ଏହି ଗାଆଁରେ ଅନଙ୍ଗଭୀମ ଦେଵଙ୍କ ଜନ୍ମ ହୋଇଥିଲା । 

ସେହିପରି ଅନଙ୍ଗଭୀମ ଦେଵଙ୍କ ପୁତ୍ର ଲାଙ୍ଗୁଳା ନରସିଂହଦେଵ କପିଳାସ ମନ୍ଦିର ନିର୍ମାଣ କରି ସେଵାପୂଜା ନିମିତ୍ତ ନାଗେନା ଓ ଭୀମପୁର ଵା ଭୀଁପୁର ଜନପଦ ଦାନ କରିଥିଲେ । 

ସେହିଦିନ ଠାରୁ ଏହି ଅଞ୍ଚଳ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନାଧୀନରେ ଅନେକ କାଳ ଯାଏଁ ଥିଲା । 

ତେବେ କାଳକ୍ରମେ କରମୂଳ ରାଜଗାଦୀରେ ଅରାଜକତାର ସୁଯୋଗ ଉଣ୍ଡି ପ୍ରାଚୀନ ନାଗବଂଶର ଜନୈକ ରାଜା ନାଗନା ସନ୍ନିକଟ ରୂପାବଳିଆ ପର୍ବତରେ ଏକ ଗିରିଦୁର୍ଗ ନିର୍ମାଣ କରି ଏହି ଅଞ୍ଚଳରେ କେତେକ ଵର୍ଷ ଶାସନ କଲେ ।

କରମୂଳ ରାଜ୍ୟର ରାଜା ହରିସିଂହ ଵିଦ୍ୟାଧର ସେହି ରୂପାବଳିଆ ପାର୍ବତ୍ୟ ଦୁର୍ଗସ୍ଥିତ ନାଗରାଜାଙ୍କୁ ଅଧୀନତା ସ୍ବୀକାର କରିଵାକୁ ବାର୍ତ୍ତା ପଠାଇଲେ । 

ନାଗରାଜା ଏହାର ପ୍ରତ୍ୟୁତ୍ତରରେ ଲେଖି ପଠେଇଲେ

  ‘ ‘ ହରିସିଂହ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି । ’ ’ 

ସେଇଠୁ ହରିସିଂହ ରାଗି ପାଚି ଅଵିଳମ୍ବେ ରୂପାବଳିଆ ପର୍ଵତ ଘେରାଉକଲେ । 

୧୫୩୯ ଖ୍ରୀଷ୍ଟାବ୍ଦରେ ବଣସିଂହ ଗ୍ରାମ ନିକଟ ରଣ ପ୍ରାଙ୍ଗଣରେ ଦୀର୍ଘ ଛଅଦିନ କାଳ ଯୁଦ୍ଧ ଲାଗିଲା । ଫଳସ୍ଵରୂପ ଏହି ଯୁଦ୍ଧରେ ରୂପାବଳିଆର ନାଗ ରାଜା ପରାସ୍ତ ଓ ନିହତ ହେଲେ । ତହୁଁ ପ୍ରାଚୀନ ନାଗନା ଅଞ୍ଚଳ କରମୂଳ ସାମ୍ରାଜ୍ୟ ଭୁକ୍ତ ହେଲା । 

ଏହି ପ୍ରାଚୀନ ଓ ସମୃଦ୍ଧ ଅଞ୍ଚଳ ରାଜ୍ୟର "ଅପର ଅଙ୍ଗ" ହୋଇଥିଵାରୁ ହରି ଵିଦ୍ୟାଧର ଏ ଭୂଖଣ୍ଡଟିର ନାମ "ଅପଙ୍ଗା" ରଖିଲେ । 

ରୂପାବଳିଆ ନାଗରାଜା ହରିସିଂହଙ୍କୁ ବଣରେ ନୂଆ ରାଜା ହୋଇ ସିଂହ ପଣିଆ ଦେଖାଉଛନ୍ତି ବୋଲି କହିଥିବାରୁ କରମୂଳ ଅଧିପତି ଯୁଦ୍ଧ କ୍ଷେତ୍ରରେ ବଣସିଂହ ଓ ନୂଆପଡ଼ା ନାମରେ ଦୁଇଟି ନୂତନ ଗ୍ରାମ ସ୍ଥାପନ କରିଥିଲେ ଏଵଂ ଏହି ଦୁଇଟି ଗ୍ରାମ ଭୂଇଁପୁର ଵା ଭୀଁପୁର ଗ୍ରାମ ନିକଟରେ ଅଵସ୍ଥିତ ।

Monday, August 8, 2022

ଥେବ୍ସ୍ ନଗର ପ୍ରତିଷ୍ଠାର କାହାଣୀ

ପ୍ରାଚୀନ Phoenicia ନଗରରେ Cadmus ନାମରେ ଜଣେ ରାଜକୁମାର ଥିଲେ ( ଏହି Phoenicia ନଗରକୁ ଲେବାନନ ଦେଶରେ ଚିହ୍ନଟ କରାଯାଇଛି) । 

ତାଙ୍କର ଭଉଣୀ Europaଙ୍କୁ Zeus ଅପହରଣ କରିଵାରୁ ସେ ନିଜର ଭଉଣୀକୁ ଫେରାଇ ଆଣିଵାକୁ ବାହାରି ପଡି଼ଲେ । ବହୁ କଷ୍ଟ ସ୍ବୀକାର ପୂର୍ଵକ ନାନା ଦୁଃଖ କଷ୍ଟ ସହି ସେ ଆଗକୁ ଆହୁରି ଆଗକୁ ବଢ଼ିଚାଲିଲେ । 

ବାଟରେ ଭଵିଷ୍ୟତଵାଣୀ ହେଲା 
ହେ Cadmus ! ତୁମେ ଏହି ଵିପଦପୂର୍ଣ୍ଣ ପଥ ମଧ୍ୟରେ ଯଦି କୌଣସି ଵିଚିତ୍ର ଚିହ୍ନ ଯୁକ୍ତ ଗାଭୀ ଦେଖ ତେବେ ସେହି ଗାଈ ଯେଉଁ ସ୍ଥାନରେ ଶୋଇଵା ଦେଖିଵ ସେଠାରେ ନିଶ୍ଚୟ ଗୋଟିଏ ନଗର ପ୍ରତିଷ୍ଠା କରିଵ । 

ରାଜକୁମାର Cadmus ଲେବାନନର Phoeniciaରୁ ଗ୍ରୀସ୍ ଦେଶର ଏକ ଜନଶୂନ୍ୟ ଅଞ୍ଚଳରେ ଆସି ପହଞ୍ଚିଲେ । 

ଗ୍ରୀସ ଦେଶ ଦେଇ ଯାଉଥିଵା ବେଳେ ସେ ଏକ ସ୍ଥାନରେ ଏକ ଵିଚିତ୍ର ଵର୍ଣ୍ଣା ଓ ଚିହ୍ନଯୁକ୍ତ ଗାଭୀ ଦେଖିଲେ । 

ତାଙ୍କର ଆକାଶଵାଣୀ କଥା ମନେ ପଡ଼ିଲା । ତେଣୁ Cadmus ସେ ଗାଈଟି ପଛରେ ଚାଲିଲେ । କିଛି ଦୂର ଯାଇ ଗାଈଟି ଏକ ସ୍ଥାନରେ ଶୋଇପଡି଼ଲା । Cadmus ସେ ସ୍ଥାନକୁ ଚିହ୍ନଟ କରି ସେଠାରେ ନଗର ପ୍ରତିଷ୍ଠା କରିଵାକୁ ମନେ ମନେ ସ୍ଥିର କଲେ । ସେ ନିଜର ଅନୁଚରମାନଙ୍କୁ ସେ ସ୍ଥାନରେ ଜଳ ଓ ଖାଦ୍ୟ ତଥା ସୁଵିଧା ଅସୁଵିଧା ଜାଣିଵାପାଇଁ ନିର୍ଦ୍ଦେଶ ଦେଲେ ।

 Cadmusଙ୍କ ଅନୁଚରମାନଙ୍କ ମଧ୍ୟରେ କେତେକ ନିକଟସ୍ଥ ଗୁମ୍ଫାରେ ଏକ ଡ୍ରାଗନ ହସ୍ତରେ ନିହତ ହେଲେ । ସେମାନଙ୍କ ଆର୍ତ୍ତଚିତ୍କାର Cadmus ଶୁଣିପାରିଲେ । ସେ ଦେଵୀ ଏଥିନାଙ୍କୁ ପ୍ରାର୍ଥନା କରି ସେହି ଦେଵୀଙ୍କ ସାହାଯ୍ୟ ତଥା ପରାମର୍ଶ ବଳରେ ନିଜର ଅସ୍ତ୍ରଶସ୍ତ୍ର ଧରି ଡ୍ରାଗନ୍ ସହିତ ଯୁଦ୍ଧ କରି ତାକୁ ମାରିଦେଲେ । ଡ୍ରାଗନ ମରି ଯିଵାରୁ ତାହାର ଦାନ୍ତଗୁଡ଼ିକୁ ଗୋଟିଏ ସ୍ଥାନରେ ପୋତି ଦିଆଗଲା । ଫଳରେ ଦାନ୍ତ ପୋତା ଯାଇଥିଵା ସ୍ଥାନରୁ ଅନେକ ଶକ୍ତିଶାଳୀ ପୁରୁଷ ଜାତ ହେଲେ ।

 ସେମାନେ ହାଵଭାଵରୁ ହିଂସ୍ର ଜଣାପଡ଼ୁଥିଲେ । ରାଜକୁମାର Cadmus ଏକାବେଳକେ ଏତେ ସଂଖ୍ୟକ ଵୀରମାନଙ୍କୁ ଦେଖି ସାଵଧାନତାର ଏକ ସ୍ଥାନରେ ଲୁଚିଗଲେ ଏଵଂ ମନରେ କିସ ଗୋଟେ ଵିଚାର କରି ସେମାନଙ୍କ ଉପରକୁ ପଥରଟିଏ ମାରିଦେଲେ । 

 
ଡ୍ରାଗନ ଦାନ୍ତରୁ ଜାତ ଶକ୍ତିଶାଳୀ ପୁରୁଷମାନେ ପଥର ମାଡ଼ ପାଇଁ ନିଜ ନିଜ ଭିତରେ ବାଡ଼ାବାଡି଼ ହୋଇଗଲେ ଏଵଂ ସେମାନଙ୍କ ଭୀଷଣ ରଣସଂଗ୍ରାମ ଯୋଗୁଁ ଚତୁର୍ଦିଗ ପ୍ରକମ୍ପିତ ହେଵାକୁ ଲାଗିଲା। ଶେଷରେ ସେମାନଙ୍କ ମଧ୍ୟରୁ ମାତ୍ର ପାଞ୍ଚଜଣ ଜୀଵିତ ବଞ୍ଚିଲେ ଏଵଂ ସେମାନଙ୍କୁ Cadmus ସହଜରେ ହରାଇ ଦେଲେ ।

 ତହୁଁ ପୂର୍ଵୋକ୍ତ ଗାଈଟି ଯେଉଁ ସ୍ଥାନରେ ଆସି ଶୋଇପଡି଼ଥିଲା ସେଠାରେ 
ରାଜକୁମାର Cadmus ଗୋଟିଏ ନଗର ସ୍ଥାପନ କଲେ ଏଵଂ ତାହାର ନାମ Thebes ରଖିଲେ । ଏହି Thebes ନଗର ଆଜିକାଲି ଗ୍ରୀସ୍ ଦେଶରେ Thiva ନଗର ଭାବେ ଵିଦ୍ୟମାନ । 


(ଆମ ଦେଶରେ ଵିଶେଷତଃ ଓଡ଼ିଶାରେ ତାଳଚେର,ବୋଡ଼ାସମ୍ବର ଭଳି କେତେକ ନଗର ପ୍ରତିଷ୍ଠାର କାହାଣୀ ଏହି ଧରଣର ହୋଇଥିଵା ଦେଖାଯାଏ । ୧୯୯୦ ଜାନୁଆରୀ ମାସରେ ପ୍ରକାଶିତ ଜହ୍ନମାମୁଁ ପତ୍ରିକା(ହିନ୍ଦୀ)ରେ Cadmusଙ୍କ ଵିଷୟରେ ଏହିପରି ଏକ କାହାଣୀ ପ୍ରକାଶିତ ହୋଇଥିଲା )

Friday, August 5, 2022

ସୁନାଵୋହୂ(ଫକୀରମୋହନ ସେନାପତି)


ରାମହରି ପଟ୍ଟନାୟକେ ଥିଲେ ପୋଲିସ୍‌ର ଦାରୋଗା । ସାଲେପୁର୍ ପ୍ରଗନା ଗୋପୀନାଥପୁର ଗାଁରେ ଜଣେ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡ଼ିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକ ପରାମର୍ଶ ଲୋଡ଼ିବାକୁ ତାଙ୍କ ପାଖକୁ ଧାଇଁ ଆସନ୍ତି । ପଞ୍ଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରି ବାବୁ ଆସିବେ, ତେବେ କଥା ପଡ଼ିବ । ବାବୁ ପେନ୍‌ସନ୍ ପାଇ ପାଞ୍ଚ ବର୍ଷଯାଏ ଘରେ ବସିଥିଲେ । ତାଙ୍କ ବିଯୋଗ ବେଳକୁ ପୁତ୍ର ଶିବସୁନ୍ଦରର ବୟସ ଦଶ । କନ୍ୟା ଚମ୍ପା ଦେଇକୁ ପାଞ୍ଚ ବର୍ଷ ପଶିଥିଲା । ବିଧବା ବିମଳା ଦେଈ ବଡ଼ ଦୟାବତୀ, ବଡ଼ ହେଙ୍ଗ୍ଲୀ, ବଡ଼ ସରଳା ଥିଲେ । ଏବେ ବଡ଼ ଦୁଃଖରେ ପଡ଼ି ବଡ଼ ଘରଣୀ ହଇ ପଡ଼ିଲେଣି । ପିଲା ଦିଓଟି ଆଉ ଘରକରଣା ସମ୍ଭାଳି ସମ୍ଭୁଳି ରଖିଥିଲେ । ରାମହରି ବାବୁଙ୍କର ଦରମା ଉପୁରି ସୁପୁରି ମିଶାଇ ବେଶ ଦଶଟଙ୍କା ରୋଜଗାର ଥିଲା । ହେଲେ କ’ଣ ହେଲା, ମଣିଷଟା ଥିଲେ ବଡ଼ ସାହାଖର୍ଚ୍ଚୀ, ତୁଚ୍ଛା ହାତରେ ମରିଛନ୍ତି । ବିମଳା ଦେଇ ଲୁଚାଛପା କରି ହାତରେ ଯେ ଦଶଟଙ୍କା ରଖିଥିଲେ, ଆଉ ଦେହର ଗହଣାଗାଣ୍ଠି ଦି’ଖଣ୍ଡ ବିକାବିକି କରି ଆଜିଯାଏଁ ଘର ଚଳାଇ ନେଲେ । ଆଉ ଆଉ ଖରଚ ଟାଣୁଟୁଣ କରି ପୁଅଟିର ପାଠ ପଢ଼ାରେ ସବୁ ସାରିଛନ୍ତି । ସବୁବେଳେ ବୋଲୁଥାନ୍ତି, ଶିବୁ ଦି’ଅକ୍ଷର ପଢୁ, ଦେହରେ ଗୁଣ ଥିଲେ କାଲି ସକାଳେ ଘରକରଣା କରି ବସିବ ଯେ ।

ଝିଅ ଚମ୍ପାଟି ଦେଖିବାକୁ ବେଶ ଡୌଲଡ଼ାଉଲ । ନାକଟି ଖଣ୍ଡଧାର ପରି ସିଧା । କଳା କଳା ବଡ଼ ବଡ଼ ଆଖି ଯୋଡ଼ିକ ଢଳ ଢଳ ଦିଶୁଥାଏ । ମୁଣ୍ଡର ଅଳକା ଆଉ ଦାନ୍ତଗୁଡ଼ିକ ସୁନ୍ଦର, ମୁହଁଟିକୁ ସୁନ୍ଦରମାନେ । କୁଙ୍କୁମ ବୋଳି ହେଲା ପରି ଦେହଟିର ରଙ୍ଗ । ଯିମିତି ରୂପ, ସିମିତି ଗୁଣ । ମା’ପାଖରୁ ବେଶ ରନ୍ଧାବଢ଼ା ଶିଖିଛି । ଆଉ ଗୁଣରେ ତାକୁ କେହି ବାରି ପାରିବ ନାହିଁ । ଶିବୁଭାଇ ଶ୍ରଦ୍ଧା କରି କିଛି ପାଠ ପଢ଼ାଇ ଦେଇଛନ୍ତି । ହାତରେ କାମ ପାଇଟି ନ ଥିଲେ ସଞ୍ଜବେଳେ ମା’ପାଖରେ ବସି “କୃପାସିନ୍ଧୁ ଭଜନ” ଆଉ “ଛାନ୍ଦମାଳା”ରୁ କେତେ ଗୀତ ବୋଲେ ।

ଶିବୁବାବୁ କଚେରିରେ କିରାଣୀଗିରି କାମ କରନ୍ତି । ଚାକିରି ଖଣ୍ଡିକ ପାଇଲା ଦିନରୁ ତାଙ୍କର ଇଚ୍ଛା, ଅଳ୍ପସଳ୍ପ ଦରମା ଦେଇ ପିଲାଭଳିଆ ଗୋଟିଏ ରୋଷେୟା ରଖିଲେ ମା’ ଟିକିଏ ଆରାମରେ ରହିବେ । ବିମଳା ଦେଈ ଶୁଣି ନିହାତି ନାରାଜ । ଚାଉଳ ଅଧସେରେ ଫୁଟାଇ ଦେଲେ ପାଇଟି ଛିଡ଼ିଲା, ପିଲାଟା କେତେ ଦରମା ପାଏ ଯେ ଖର୍ଚ୍ଚଟାଏ ବଢ଼ାଇ ବସିବ ।

ଦିନ ପାଣି ପରି ବହି ଯାଉଛି । ଆସନ୍ତା ବିଛା ଛ’ଦିନକୁ ଚମ୍ପାର ବାର ପୂରି ଯାଇ ତେର ବର୍ଷ ପଶିବ । ତେଣିକି ଚଉଦ ଯୋଡ଼ା ବୟସ ପଶିଲେ ବାହା ମନା । ଏହି ବର୍ଷ ବିଭା ନ ହେଲେ ନୁହେଁ । କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ ରଖିବା, ସେହିଟା ନିହାତି ନିଲଜପଣିଆ କଥା । ଘର ଭଲ, କନ୍ୟାଟି ସୁଲକ୍ଷଣୀ, ଭଲ ଭଲ ଜାଗାରୁ ଜବାବ୍ ଆସିଲାଣି । ବିମଳା ଦେଈଙ୍କର ତୁରନ୍ତ ଜବାବ୍, ନା । ଯେ ଯେତେ ବୁଝାଉ, ଏକା ରା-ନା ।

ଦିନେ ସଞ୍ଜବେଳେ ବିମଳା ଦେଈ ଅନୀ ପିଉସୀ ଆଉ ଶିବୁବାବୁଙ୍କୁ ପାଖରେ ବସାଇ ଆପଣା ମନ କଥା ଫିଟାଇ କହିଲେ, “ଦେଖ ପିଉସୀ, ଝିଅକୁ ଜୁଆଇଁ ନେଲେ ଗଲା, ଯମ ନେଲେ ମଲା । ବଡ଼ ଲୋକ ଦେଖି ଦୂରଦୂରାନ୍ତରକୁ ଝିଅଟାକୁ ପେଲି ଦେବି, ଆଉ ତ ଆଖିସୁଲଭ ଦେଖି ପାରିବି ନାହିଁ । କରଣକୁଳ, ଯେ ଗଲା, ଏକମୁହଁ । ସେହି ଗଲା । ମୋର ଦି’ଓଟି ଆଖି, ଗୋଟିଏ ଗଲେ କାଣୀ ହୋଇ ମରିଯିବି ଯେ । ଇମିତି ଆଖ ପାଖରେ ଦେବି ଯେ ଯିମିତି ଡାକି ଦେଲେ ଓ କରୁଥିବ । ଏ ତ ଗଲା ଗୋଟାଏ ବାଡ଼ । ଅସଲ କଥା ମୁଁ ସତ୍ୟ ଲଙ୍ଘିବି ନାହିଁ । ବାବୁମାନେ ଆଉ ବଉଳ ଚାଲି ଯାଇ ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ସତ୍ୟ ଲଙ୍ଘିଲେ ମୋତେ ନରକରେ ବି ଠାବ ହେବ ନାହିଁ ।

ରାମହରିବାବୁଙ୍କ ଚାରି ଘର ଛଡ଼ା ପଡ଼ୋଶୀ ନବଘନ ଦାସେ ପୋଲିସର ଜମାଦାର ଥିଲେ । ଗୋଟିଏ ଥାନ୍ତାରେ ଏକ ସଙ୍ଗରେ ଚାକିରୀରେ ତେରଦିନ ବିତି ଯାଇଥିଲା । ନବଘନବାବୁଙ୍କ କୁଟୁମ୍ୱ ମଧ୍ୟରେ ଭାର୍ଯ୍ୟା କମଳା ଦେଈ ଆଉ ଗୋଟିଏ ପୁଅ ଦିବାକର । ଦୁଇବାବୁଙ୍କ ମଧ୍ୟରେ ଯିମିତି ମନ ମିଳେ, ଖୁବ୍ ଭାବ, ଏଣେ ଘରଆଡ଼େ ବିମଳା ଦେଈ ଆଉ କମଳା ଦେଈଙ୍କ ମଧ୍ୟରେ ସିମିତି ମିଳାପ, ସିମିତି ଏକ ମନ । ଦୁଇଜଣ୍ ଯେତେବେଳେ ଭୁଆସୁଣୀ ଥିଲେ, ରୋଜ ସକାଳେ ବାଡ଼ି ଆଡ଼େ ପୋଖରୀ ତୁଠରେ ଘଡ଼ିଏ ଯାଏ ବସି ଦାନ୍ତ ଘଷନ୍ତି, ଆଉ ଦୁଃଖ ସୁଖ କଥା, ହସି ଖୁସି କଥା, ରନ୍ଧବଢ଼ା କଥା, ଘରକରଣା କଥା ହୁଅନ୍ତି । ଦୋଳପୂର୍ଣ୍ଣମୀ ଦିନ ଦୁଇ ଜଣ ଆମ୍ୱ ବଉଳ ବସିଲେ । ଚମ୍ପା ଯେତେବେଳେ ପେଟରେ ଥାଏ, କମଳା ଦେଈ କହିଲେ, “ବଉଳ, ତମର ଯେବେ ଗୋଟିଏ ଝିଅ ହେବ, ମୋ ଦିବୁକୁ ଦେବ ।” ବିମଳା ଦେଈ କହିଲେ, “ହଁ ବଉଳ, ଦେବି । କମଳା ଦେଈ, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ । କମଳା, ସତ୍ୟ । ବିମଳା, ସତ୍ୟ ।” ତିନି ସତ୍ୟ ଉତ୍ତାରେ ଆଉ କ’ଣ କଥା ଥାଏ । ନବଘନ ବାବୁ, କମଳା ଦେଈ ଚାଲି ଯାଇଛନ୍ତି । ପୁଅ ଦିବାକର ଘରକୁ ଏକୁଟିଆ, ପିଲାଟା ଯୋଗ୍ୟ, ଇଂରାଜୀ ବି ଦି’ଅକ୍ଷର ଜାଣେ, ଯୁବା ବୟସ, ଦେଖିବାକୁ ସୁନ୍ଦର, କାକଟପୁର ଜମିଦାର ସିରସ୍ତାର ନାଏବ । ବିମଳା ଦେଈ ସେ ସତ୍ୟକୁ ହୃଦରେ ଲେଖି ରଖିଛନ୍ତି । କହିଲେ ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି । ବିଭା ହୋଇଗଲା । ଦିବାକର ଚମ୍ପା ମାଣିକଯୋଡ଼ା ପରି ପରମ ସୁଖରେ ଘରେ ଥାନ୍ତି । ଦୁଇ ଜଣଙ୍କର ଏକ ମନ, ଏକ କଥା, ଏକ ଇଚ୍ଛା । ପୃଥିବୀରେ ସ୍ୱର୍ଗୀୟ ସୁଖ ଯଦି କିଛି ଥାଏ, ସେହିଟା ହେଲା ଦାମ୍ପତ୍ୟପ୍ରେମ ।

ମା’ ବିମଳା ଦେଈ ଏଣିକି ଅଡ଼ି ବସିଲେଣି, ଘରକୁ ବୋହୂଟିଏ ଆଣିବାକୁ ହେବ । ଦିନେ ରବିବାର, କଚେରି ବନ୍ଦ, ପୁଅ ଘରେ ଅଛି । ଶିବୁବାବୁ ବସି ଖଣ୍ଡିଏ ପୋଥି ପଢୁଥିଲେ । ବୁଢ଼ୀ ଧୀରେ ଧୀରେ ଯାଇ ପାଖରେ ବସିଲେ । କଅଁଳେଇ କଅଁଳେଇ କହିଲେ, “ଆରେ ବାପା ଶିବୁ । ଆଜିକି ପାଞ୍ଚ ବର୍ଷ ହେଲା ତୋ ସାଙ୍ଗରେ ଲାଗିଛି, କେତେ ଥର କହିଲି, ଶୁଣିଲୁ ନାହିଁ । ପହିଲୁ ପହିଲୁ କହିଲୁ, ପାଠ ପଢ଼ି ସାରିଲେ ବାହା ହେବୁ । ପଢ଼ା ସରିଲା । 

ଫେର୍ ଧରିଲୁ, ଚାକିରୀ କଲେ ବାହାଘର ହେବ । ଚାକିରୀ ବି ହେଲା । କାହିଁ, ବାହାଘରର ନା ଚର୍ଚ୍ଚା ବି ନାହିଁ । ମୋର କ’ଣ ଆଉ ବଳ ବୟସ ଆସୁଛିରେ । ମୁଁ କ’ଣ ଆଉ କାମ ପାଇଟିକି ପାରିବିକିରେ । ବିଦ୍ୟା ମା’ ସିନା ବାହାରଘର କାମ ପାଇଟି କରି ଦେଇଗଲା, ଭିତର ପାଇଟି ରନ୍ଧାବଢ଼ା କରୁଛି କିଏ ? ଏଣିକି ସଞ୍ଜ ହେଲା ତ ଆଖିକି କିଛି ଦିଶିବ ନାହିଁ, ପାଞ୍ଚ ଜାଗା ହାବୁଡ଼ି ପଡ଼ିବି, କାମ ପାଇଟି ହାତକୁ ଲାଗିବ ନାହିଁ । ଦିନେ ଦିନେ ଦିହପା’କୁ ଲାଗିଲେ ଚମ୍ପା ଆସି ଦି’ଟା ସିଝାସିଝି କରି ଦେଇଯାଏ, ସେ କ’ଣ ସବୁଦିନେ ଆସୁଥିବ ? ଯେତେ ହେଲେ ସେ ହେଲା ପରଘରୀ, ତା’ର ଫେର ଘରକରଣା ଅଛି ନା ! ପୁଣି ଘରକୁ ଏକୁଟିଆ, ଶାଶୁ ନଣନ୍ଦ କେହି ନାହିଁ ବୋଲି ସିନା ଯେତେବେଳେ ପାରେ ଧାଇଁ ଆସେ, ନୋହିଲେ କ’ଣ ଆସି ପାରନ୍ତା ? ଆଉ ଦେଖ, ତିନି ପ୍ରସ୍ତ ଘର, ମୁଁ ଗୋଟାଏ କଣରେ କେଉଁଠି ପଡ଼ି ରହିଥାଏ, ତୁ କଚେରିକୁ ବାହାରିଗଲେ ଘରଗୁଡ଼ାକ କିମିତିକା ଖାଁ ଖାଁ ଗୋଡ଼ାଏ । ଏଇ ଘର କ’ଣ ଥିଲା, କ’ଣ ହେଲା ! ହାଇରେ- ହା ! ମୁଁ ଆଉ କେତେ କାଳ ବଞ୍ଚି ରହିବି ରେ ? ମତେ ଟିକିଏ ଅନାରେ ଭଲା । ସେ ନାହାନ୍ତି ବୋଲି ସିନା, ତୁ କ’ଣ ଆଜିଯାଏ ଅଭିଆଡ଼ା ବସିଥାନ୍ତୁ ?” ବୁଢ଼ୀ ଆଉ କିଛି କହି ପାରିଲେ ନାହିଁ, ଧକେଇ ଧକେଇ କାନ୍ଦି ବସିଲେ, ସୁଁ ସୁଁ କରି ନାକ ପୋଛି ପକାଉଥାନ୍ତି ।

ମା’ଙ୍କ ଦୁଃଖ ଦେଖି ଶିବୁବାବୁଙ୍କ ମନରେ ଭାରି ଦୁଃଖ ହେଲା, ପୋଥି ଖଣ୍ଡିକ ମେଜ ଉପରେ ଥୋଇ ଦେଇ ଅନୀ ଆଈ ଦୁଆରକୁ ଚାଲିଗଲେ । ଅନୀ ଆଈ ଲେଖାଯୋଖାରେ ବିମଳା ଦେଈଙ୍କ ପିଉସୀ, ଶିବୁ ଆଉ ଚମ୍ପାକୁ କୋଳରେ କାଖରେ କରି ବଢ଼ାଇଛି । ବିମଳା ଦେଈ ତାକୁ ମା’ ପରି ମାନନ୍ତି, ଅନୀ ବି ବିମଳା ଦେଈଙ୍କୁ ଝିଅ ପରି ମଣେ, ଭଲ ପାଏ, ସବୁ କଥାରେ ସାହା ହୁଏ । ଅନୀ ଘର ଆଉ ବିମଳା ଦେଈଙ୍କର ପାଚିରୀ ଲଗାଲଗି, ଦୁଆର ଅଲଗା ଅଲଗା । ଅନୀ ଆଈ ବଂଶଲତା ଆମ୍ଭେମାନେ ପାଇ ନାହୁଁ, ଏଥକୁ ଉପର ପୁରୁଷର କାହାରି ପରିଚୟ ଦେବାକୁ ଅକ୍ଷମ । ବିଭାପ୍ରସଙ୍ଗରେ ଆଈ ନାତି ମଧ୍ୟରେ ଢେର କଥାଭାଷା ହେଲା । ଆଈ କହିଲେ, “ଆଚ୍ଛା ଶିବୁ, ତତେ ଗୋଟିଏ ଭଲ ସୁନ୍ଦରୀ ବୋହୂ ଆଣି ଦେବି, ମାଣିଆବନ୍ଧି ଲୁଗାଟିଏ ପିନ୍ଧାଇବୁ ଏକା ।”

ବୟସ ଥିବାବେଳେ ଅନୀ ଆଈ ବଡ଼ କଳିହୁଡ଼ି ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ଆଗ । ବୁଦ୍ଧିମତୀ, ଦରକାର ପଡ଼ିଲେ ଗୋଟାଏ ଠିକ୍ ବୁଦ୍ଧି ଫାନ୍ଦି ଦେବାକୁ ବି ଖୁବ୍ ପାରେ । ରାଣ୍ଡ ମାଇ-କନିଆଟିଏ ହେଲେ କ’ଣ ହେଲା, ଭୁଲ ଭଟକାରେ ଗାଁ ଲୋକେ ତାକୁ ପରାମର୍ଶ ପଚାରନ୍ତି ଉଛୁଣି ଆଈ ବଡ଼ ବୁଢ଼ୀ ହୋଇଗଲାଣି । ବାଡ଼ି ଖଣ୍ଡିଏ ଧରି ଠୁକୁର ଠୁକୁର କରି ବାହାରିଲା । ଦାଣ୍ଡ ଦୁଆରୁ “ରେ ବିମଳା ! ରେ ମା’ ବିମଳା !” ଡାକି ଡାକି ଯାଇ ଝିଆରୀ ପାଖରେ ବସିଲା । ଏ କଥା, ସେ କଥା, ଦୁଇଟା କଥା ବାଦେ କହିଲା, “ଆରେ ମା’ ! ଶିବୁ କହିଛି, ବାହା ହେବ । ହଁ, ଭଲଲୋକ ଘର ଝିଅଟିଏ ହୋଇଥିବ, ଦି’ଅକ୍ଷର ପଢ଼ିଥିବ, ଇମିତିକା କନ୍ୟାଟିଏ ପାଇଲେ ବାହା ହେବ ।” ଶିବୁ ବାବୁଙ୍କର ଆଉ ଗୋଟିଏ କଥା, କନ୍ୟାଟି ସୁନ୍ଦରୀ ହୋଇଥିବ, ଆଈ କିନ୍ତୁ ଏ କଥାଟା ଝିଆରୀକୁ କହିଲେ ନାହିଁ । ଏକା ଶିବୁ କିଆଁ, ସୁନ୍ଦରୀ କନ୍ୟା ବିଭା ହେବାକୁ କାହାର ଇଚ୍ଛା ନ ବଳେ । ପାଠକ ପାଠିକା ବୋଲନ୍ତୁ ଭଲା, କଥାଟା କ’ଣ ମିଛ ? ବିମଳା ଦେଈ ଆନନ୍ଦରେ ପିଉସୀକୁ କୁଣ୍ଢାଇ ପକାଇ କହିଲେ, “ପିଉସି, ତୁ ଟିକିଏ ଲାଗି ଯା’, ମୋର ଆଉ କିଏ ଅଛି ? ବାପଛେଉଣ୍ଡଟି ଲାଗି କିଏ ଧାଇଁବ ? ଯାହା କରିବେ ଜୁଆଇଁ ବାବୁ । ମୁଁ ତ କହିବି ନାହିଁ, ତୁ ଯା’ ତାଙ୍କୁ କହିବୁ, ସେ ଖୋଜା ଲୋଡ଼ା କରି ଘଟଣା କରି ଦିଅନ୍ତୁ । ଚମ୍ପାକୁ କହିବି, ସେ ବି ଜୁଆଇଁ ବାବୁଙ୍କୁ କହିବ । ଯେତେ ହେଲେ ସେଇଟା ହେଲା ପିଲାଲୋକ । କହି ଜାଣିବ ନାହିଁ, ତୁ ଯା’, ତାଙ୍କୁ ବୁଝେଇ ବନେଇ ବନେଇ କହିବୁ ।”

ଶିବୁବାବୁ ବର୍ତ୍ତମାନ ମହା ହଇରାଣରେ ପଡ଼ିଲେଣି । ଉଠୁଣୁ ବସୁଣୁ ଚମ୍ପା ତାଙ୍କ ସଙ୍ଗରେ ଲାଗିଛି ମୋ ଭାଇ ପାଇଁ ଗୋଟିଏ କନ୍ୟା ଠିକଣା କରି ଦିଅ । ଦିବୁବାବୁ ବାହାରୁ କୁଆଡୁ ବୁଲି ଆସି ଘରେ ଗୋଡ଼ ଦେଇଥିବେ କି ନାହିଁ, ଚମ୍ପା ଧାଇଁ ଆସି ପଚାରିବ “କ’ଣ, କନ୍ୟା ଠିକଣା ହେଲା ?” ମଲା ଯା’ । କନ୍ୟାଟାଏ କ’ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।

ଦିବୁବାବୁ ଜମିଦାର ନାଏବ । ମଫସଲର ଖବର ଜଣା । ପାଞ୍ଚ ଜାଗାକୁ ଖବର ପଠାଇଲେ । ଦୁଇପକ୍ଷରୁ ଲୋକ ଯା’ ଆସ କଲେ । କଥା ପଟିଲା ନାହିଁ, ଭାଙ୍ଗିଗଲା । ଶେଷରେ ପ୍ରସଙ୍ଗ ଚଳିଲା । ଦୁମଦୁମପୁରରେ କନ୍ୟାଟି ଘରଯୋଗା ହେଲାଣି । ବୟସ ସତର ବରଷ ଚାଲିଛି । ବିଧବାର ଝିଅ, ବଡ଼ଭାଇ ବଳରାମ ଦାସେ ଗାଁର ଅବଧାନ ।

ସବୁ ପ୍ରସଙ୍ଗ ଶିବୁବାବୁ ଟିକିଏ ମୋଡ଼ ମାଡ଼ ହେଉଥିଲେ । କନ୍ୟାଟି ବଡ଼ ଲୋକର ଝିଅ, ଆଉ ସୁନ୍ଦରୀ ହୋଇଥିବ, ଏଇଟା କିଏ ନ ଲୋଡ଼େ ? ହେଲେ, ସେଇଟା କ’ଣ ସମସ୍ତଙ୍କ କପାଳକୁ ଘଟିଥାଏ ? ବିଭା କଥାଟା ଜାଣ ପ୍ରଜାପତି ଘଟସୂତ୍ର କଥା, ତାଙ୍କ ନିର୍ବନ୍ଧକୁ କିଏ ମେଣ୍ଟିବ, କନ୍ୟା ଯେ ଈଶାଣରେ ଚାଉଳ ଦେଇଛି, ଧରି ବାନ୍ଧି ସେଇଠି କି ଯିବ । ଶିବୁବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ଠିକଣା ନାହିଁ । ଏଣେ ମା’ ହେଲେଣି ଅଥୟ । କ’ଣ କରିବେ, ରାଜି ହୋଇଗଲେ । ବିମଳା ଦେଈଙ୍କ ଆନନ୍ଦ ଦେଖେ କିଏ, ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ । ବୋହୂ ବୋହୂ ଭଜି ହେଉଥିଲେ, ବୋହୂ ଠିକଣା ହେଲା, ଆଉ କ’ଣ ? ଚମ୍ପା ମନରେ କଲା, ପାରିଲା ବୋହୂ ଆସିବ, ଏକାବେଳକେ ହାଣ୍ଡିଶାଳରେ ପଶିଯିବ, ମା’ ଖଲାସ ପାଇଲେ, ଭଲ ହେଲା ।

ଦିବୁବାବୁ ଖବର ଆଣିଲେ, କନ୍ୟା ଦେହ ବର୍ଣ୍ଣ ଟିକିଏ କଳା, ନାମ- ନିମା ! ନାମଟା ବିଚିକିଟିଆ କିଆଁ, ସେଥିର ମଧ୍ୟ ଖବର ଆସିଲା । କନ୍ୟାର ଉପର ଦୁଇ ଭାଇ ଲାଗ ଲାଗ ବାହୁଡ଼ିବା ବାଦେ କନ୍ୟାଟି ଜନ୍ମ ହେଲା । ମା’ ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ । ଅର୍ଥାତ୍ ନିମ ଭାରି ପିତା, ଯମକୁ ରୁଚିବ ନାହିଁ ।

ସେସବୁ କଥା ଯାଉ, ନିମା ସଙ୍ଗରେ ଶିବୁର ବିଭା ହୋଇଗଲା । ବଡ଼ ପ୍ରେମରେ, ବଡ଼ ଆନନ୍ଦରେ ଶାଶୁ ବୋହୂଟିକୁ ଘରକୁ ନେଲେ ।

ନୂଆବୋହୂଟି ଘରେ ପଶିଛି, ତାକୁ ହଠାତ୍ କିମିତି କିଏ କହିବ, ତୁ ଏ କାମ କର, ସେ କାମ କର । ବୋହୂଟି ଢାଙ୍କିଢୁଙ୍କି ହୋଇ ଘରେ ପଶିଥାଏ । ଚମ୍ପା ଆପଣା ଘର ବାସିପାଇଟି ସାରି ଆସି ବୋହୂକୁ ଉଠାଏ । ସାଙ୍ଗରେ ଘେନି ଯାଇ ଗାଧୁଆପାଧୁଆ କରାଇ ଆଣେ । ବିମଳା ଦେଈ ରନ୍ଧାବଢ଼ା କରି ଭାତ ପରଷି ଦିଅନ୍ତି, ବୋହୂ ଖାଇ ହାତ ଧୋଇ ଶୋଇପଡ଼େ । ବିଦାମା ଆସି ସଙ୍ଖୁଡ଼ି ବାସନ ଖଣ୍ଡ ଧୋଇ ପକାଏ ।

ପନ୍ଦର ଦିନ ଗଲା, ମାସେ ଗଲା, ଦି’ମାସ ବି ଗଲାଣି । କାହିଁ, ବୋହୂ ତ ଗମ୍ଭୀରାରୁ ବାହାରୁ ନାହିଁ । କାମ ପାଇଟି କିଛି କରୁ ନାହିଁ । ଚମ୍ପା ଦି’ଥର, ଚାରିଥର କହିଲାଣି, “ବୋହୂ ଉଠ, କାମ ପାଇଟିରେ ଲାଗ, ରନ୍ଧାବଢ଼ା କର, ତୁଚ୍ଛାଟା ବିଛଣାରେ ପଡ଼ିଛୁ କିଆଁ !” ବୋହୂ ଘାଲେଇ ଦିଏ, ଶୁଣି ନ ଶୁଣିଲା ପରି କିଛି କଥା କହେ ନାହିଁ । ମନରେ କଲା, କ’ଣ ? ମା’ କହିଛି, ମୋ ଗେରସ୍ତ ରୋଜଗାରିଆ, ମୁଁ ଏ ଘରେ ସାନ୍ତାଣୀ ! ଏ ଗୁଡ଼ାକ ମୋ ଘରେ ଖାଇବେ, କାମ ପାଇଟି କରିବେ ସିନା, ମୁଁ କିଆଁ ଗତର ଖଟାଇବି । ମା’ ଯେତିକି ଉପଦେଶ ଦେଇଥିଲା, ବୋହୂ ଭଲ କରି ମନରେ ରଖିଛି । ମା’ କହିଛି, ଶାଶୁକୁ ଅନାଇ କଥା କହିବୁ ନାହିଁ, ଠାରି ଠାରି ଦେବୁ । ବୋହୂ ଖାଇ ବସିଥାଏ, ଭାତ ତିଅଣ ଲୋଡ଼ା ହେଲେ କଂସା କି ଗିନାଟା ମାଟିରେ ଠୁକ୍ ଠୁକ୍ ମାରି ଠାରି ଦିଏ । ବୋହୂଟି ଟିକିଏ ଭୋକ କାଉଳି, ଭାତ ରନ୍ଧାରେ ଶାଶୁ ଟିକିଏ ଡେରି କଲେ ବୋହୂ ରୋଷେଇ ଘରକୁ ଯାଇ ହୁଁ ହୁଁ କରି ପେଟରେ ହାତ ହୁଲାଇ ଠାରି ଦିଏ । ବିମଳା ଦେଈ ବି ବୁଝିପାରନ୍ତି ବୋହୂଟିକୁ ଭୋକ ଲାଗିଲାଣି ।

ଚମ୍ପା ଆଉ ସହି ପାରିଲା ନାହିଁ । ବୋହୂକୁ ବକାବକି କଲାଣି । ବୋହୂ ବି କେତେ ସହିବ । କିଆଁ ସହିବ । ସେ ଯେ ଘରର ସାନ୍ତାଣୀ । ପହିଲୁ ପହିଲୁ ରାଗରେ ଗୁଇଁ ଗାଇଁ ହେଉଥିଲା, ଏଣିକି ସାଫ ଜବାବ୍ ଦେଲାଣି । ଦିନେ ଚମ୍ପା ଭାରି ରାଗି ଯାଇ ବୋହୂକୁ ଗାଳିଦେଲା । ବୋହୂ ବି ଗାଳି ଆରମ୍ଭ କଲା । ବିମଳା ଦେଈ ଧାଇଁ ଆସି କହିଲେ, “ନା ରେ ମା’ ଚମ୍ପା ! ଛୁଆଟା ମା’କୁ ଛାଡ଼ି ଆସି ମନ ଦୁଃଖରେ ଅଛି, ସବୁ କାମ ପାଇଟି ପଛେ କରିବ ଯେ । ଢୋଲ କାନ୍ଧରେ ପଡ଼ିଲେ ଆପେ ବଜାଇବ ।” ଚମ୍ପା କହିଲା, “ନାହିଁ ମା’ ! ଯେ ବୋହୂ ଦେଖୁଛି, ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡ଼ିଲେ ବି ହଲଚଲ ହେବାର ନୁହଁ ।”

ଦିନେ ଅନୀ ଆଈ ନାତୁଣୀକୁ ପଚାରିଲା, “କି ଲୋ ଚମ୍ପି । ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ଉଠି କାମ ପାଇଟି କଲାଣି ନା ।”

ଚମ୍ପା କହିଲା, “ନାହିଁ ଲୋ ଆଈ, ତୁ ଯେତେ ମାଠିବୁ ମାଠ, ସେ ତ ସେଇ ଦରପୋଡ଼ା କାଠ ।”

ରନ୍ଧା ବଢ଼ାରେ ଟିକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସଙ୍ଗରେ ଭଟ୍ ଭଟ୍ ଲଗାଇଲାଣି । ହେଲେ, ବୋହୂ ତା’ ମା’ କଥା ଭୁଲି ନାହିଁ । ଶାଶୁ ମୁହଁକୁ ଚାହିଁ ଗାଳି ଦିଏ ନାହିଁ, ଓଢ଼ଣା ପଡ଼ିଥାଏ । ପଛ କରି ବରବର କରି ବକିଯାଏ ।

ବୋହୂର ଯେ ଏତେ ଗୁଣ, ଶିବୁବାବୁ ସବୁ ଜାଣନ୍ତି ନାହିଁ । ମା’ ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ । ହେଲେ ଘର କଥା ବାବୁ କ’ଣ ବୁଝି ପାରିବେ ନାହିଁ । ସବୁ ନ ଶୁଣନ୍ତୁ, କେତେ କେତେ କଥା ବୁଝିଲେଣି । ଏଣିକି ଚମ୍ପାକୁ ବଳେଇଲାଣି । ଭାଇଙ୍କୁ ସବୁ କଥା ନ କହିଲେ ନୁହେଁ । ଘରେ ଯେବେ କହେ, ମା’ ଧାଇଁ ଆସି ପାଟି ବନ୍ଦ କରାଇବ, ସବୁ କଥା କୁହାଇ ଦେବ ନାହିଁ ।

ଦିନେ ସଞ୍ଜବେଳେ ଅନୀ ଆଈ ଦୁଆରେ ନାତି ନାତୁଣୀ ଆଈ ତିନିହେଁ ବସି ଢେର ବେଳଯାଏ କ’ଣ ପରାମର୍ଶ କଲେ । ଅର୍ଥାତ୍ ସାଧୁଭାଷାରେ ଲେଖାଯିବ, କମିଟି ବସିଲା । ଏତେ ତୁନି ତୁନି କଥା ହେଲେ ଯେ, କେହି କିଛି ଜାଣିପାରିଲେ ନାହିଁ । ଶେଷରେ ଶିବୁ ବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁଶନ୍ ପାସ୍ ହେଲା- ଦେଖ ଚମ୍ପା । ଆସନ୍ତା ଶୁକ୍ରବାର କତିରୁ ସୋମବାର ଯାଏ ଗୁଡ଼ଫ୍ରାଇଡ଼େ, ଚାରିଦିନ କଚେରି ବନ୍ଦ ହେବ, ସେହି ସମୟରେ ସବୁ କଥା ଠିକ୍ ଠିକଣା କରିବା ।

ଆଜି ଶୁକ୍ରବାର । ଜୁଆଇଁ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେଣି, ଦୁଇ ଦିନ ଆସିବେ ନାହିଁ । ଚମ୍ପା ଦୁଆରେ କଞ୍ଚି ଲଗାଇ ଦେଇ ମା’ ଘରକୁ ଅଇଲା । ଭାଇ ପିଣ୍ଡାରେ ବସିଥିଲେ, ଚମ୍ପାକୁ ଦେଖି ଟିକିଏ ହସି ଦେଇ ଦାଣ୍ଡପଟକୁ ଚାଲିଗଲେ । ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା । ବୋହୂର ନିଦ ଭାଙ୍ଗିଲାଣି, ତୁଚ୍ଛାଟାରେ ବିଛଣାରେ ପଡ଼ି ଏକଡ଼ ସେକଡ଼ ଗଡ଼େଇ ପଡ଼େଇ ହେଉଛି । ଚମ୍ପା ଭାରି ଖପା ହେଲାପରି ଗର୍ଜନ କରି କହିଲା, “କି ଲୋ ବୋହୂ । କିମ୍ଭୀରଟା ପରି ପେଟେ ଖାଇ ବିଛଣାରେ ପଡ଼ି ଗଡ଼େଇ ହେଉଛୁ, ଘରେ ପାଇଟି କରିବ କିଏ ଲୋ ? ତୁ ସାଙ୍ଗରେ କ’ଣ ଗୋଟାଏ ପୋଇଲୀ ଆଣିଛୁ କି ଲୋ ?” ଆଉ କ’ଣ ସମ୍ଭଳା ଯାଏ । ବୋହୂଟା ତ ସହଜରେ ଥିଲା ବଦ୍‌ରାଗୀ, ପୁଣି ତା’ର ବିଶ୍ୱାସ, ସେ ହେଲା ଘରେ ସାନ୍ତାଣୀ, ଏମାନେ କେହି ନୁହଁନ୍ତି । ଏଇଟା ପୁଣି ଆସି ଗାଳି ଦବ । କୋପରେ ଧଡ଼ପଡ଼ ହୋଇ ଉଠିଲା, ଲୁଗାଖଣ୍ଡ ସଜାଡ଼ି ପିନ୍ଧିବାକୁ ବେଳ ନାହିଁ, ମୁଣ୍ଡ ମୁକୁଳା, ଗର୍ଜନ କରି ଏକାବେଳକେ ଆରମ୍ଭ କରିଦେଲା, “ପୋଇଲି ! ନିଆଁ ଲଗି, ଦୂର ହୋ ! ମୋ ଘରୁ ଦୂର ହୋ ! ମୁଁ ତ ସାନ୍ତାଣୀ, ତୁ କିଏ ଲୋ ?” ଗାଳି ଦେଉଛି ତ ଦେଉଛି, ସେଇ କଥା ସେଇ କଥା ବାରବାର କହୁଛି । ଏଣେ ଚମ୍ପା ହସି ହସି ଯାଇ ମା’ ହାତରୁ ଛାଞ୍ଚୁଣିଟା ଛଡ଼ାଇ ନେଇ ଘର ପହଁରି ବସିଲା ।

ବିମଳା ଦେଈଙ୍କୁ କିଛି ଜଣାନାହିଁ । କଳି ଶୁଣି ଅଥୟ ହେଲେ । କଳିକୁ ସେ ବଡ଼ ଡରନ୍ତି, କଳି ଜାଗାରୁ ପଳାନ୍ତି । ଦାଣ୍ଡରେ କେହି କଳି କଲେ କବାଟ କିଳି ପକାନ୍ତି । ବୋହୂକୁ ତୁନି କରାଇବାକୁ ଆସୁଥିଲେ, ଚମ୍ପା ହାତ ଧରି ଭିଡ଼ି ଘେନିଗଲା ।

ବୋହୂଟା ଗର୍ଜି ଗର୍ଜି ଥକି ଯାଇ ଦୁଲକରି ବିଛଣାରେ ପଡ଼ିଗଲା । ତେତିକି ବେଳେ ଚମ୍ପା ପାଇଟି ଛାଡ଼ି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲା ପରି କହିଲା, “କାହିଁ ଗଲା ସେ ପୋଇଲୀ ନିଆଁଲଗୀ । ଛାଞ୍ଚୁଣିରେ ତା’ ମୁଣ୍ଡରେ ଦଶପାହାର ପିଟିବି । ଅଳପାଇସିଆଁ ନିଆଁ ଲଗା ତା’ ଭାଇକୁ ଧରି ଆଣି ଗୋଟି ଗୋଟି ଗଣି ଗଣି ତା’ ମୁଣ୍ଡରେ ବୋଡ଼ିଏ ଛାଞ୍ଚୁଣି ପିଟିବି ।” ପୁଣି ବୋହୂ ରାଗି ଉଠିଲା, ଚମ୍ପାକୁ ଗାଳି ଦେବାକୁ ଲାଗିଲା । ବିମଳା ଦେଈ ଧାଇଁ ଆସି କହିଲେ, “ନାହିଁରେ ମା’, ନାହିଁରେ, ତାକୁ ଗାଳି ଦେ ନାରେ ମା’, ତା’ ମା’ କତିରେ ନାହିଁରେ, ଶୁଣିଲେ କାନ୍ଦିବରେ ।” ଚମ୍ପା କହିଲା, “ତା’ ମା’ କାନ୍ଦୁ, ଏ ନିଆଁ ଝିଅକୁ କିଆଁ ମାରି ନ ପକାଇ ଏଠିକି ପଠାଇଛି । ଏଇ ଛାଞ୍ଚୁଣିରେ ଏ ପୋଇଲୀଟାକୁ ମାରି ପକାଇବି । ଗୋଟିଏ ବଡ଼ ସୁନ୍ଦର ବୋହୂ ଠିକ୍ ହେଲାଣି, ଆଜି ବାହାଘରର ସବୁ ଠିକ୍ ହୋଇଯିବ ।”

ଶିବୁବାବୁ ଦାଣ୍ଡପଟରେ ଥିଲେ, ଧାଇଁ ଆସି ଚମ୍ପା ହାତ ଧରି ଭିଡ଼ି ଭିଡ଼ି ନେଇ ଚାଲିଗଲେ, ଆ’, ଚମ୍ପା ଆ’, ମା’ ତାଙ୍କ ସୁନାବୋହୂକୁ ନେଇ ଘରେ ଥା’ନ୍ତୁ, ଆମେ ଦୁଇଜଣ ଘରୁ ବାହାରିଯିବା । ଦୁଇଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ । ବୁଢ଼ୀ ନସରପସର ହୋଇ ପଛରେ ଧାଇଁଛନ୍ତି, “ଆରେ ତୁମ୍ଭେମାନେ ଯାଅ ନାହିଁରେ, ଆରେ ଶିବୁ, ଢେର ବେଳ ହେଲାଣିରେ, ଚମ୍ପା ଭାତ ବସାଇଛି, ଦି’ଟା ମୁହଁରେ ଦେଇ ଯା’ରେ ।”

ଶିବୁ- “ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି କହିବୁ ନାହିଁ । ନୋହିଲେ, ଆମେ ଦୁହେଁ ଖାଇବା ପିଇବା ନାହିଁ, ଘରୁ ବାହାରିଯିବା ।”

ବିମଳା ଦେଈ- “ମୋ ମା’ ରାଣ ପକାଉଛି, ଆଖି ଛୁଉଁଛି, କିଛି କହିବି ନାହିଁ ।”

ଏଣିକି ପୁଅ ଝିଅ ଡରରେ ବିମଳା ଦେଈ କିଛି କହି ପାରୁନାହାନ୍ତି, ଖାଲି ବାଡ଼ିଘର ହେଉଛନ୍ତି । ପୁଅ ଝିଅ ନ ଥିବାବେଳେ ଟିକିଏ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି ।

ଚମ୍ପା ଭାତ ଗାଳି ପକାଇ ଫେର ବୋହୂ ଦୁଆରକୁ ଗଲା । ପୁଣି ଗାଳି ଆରମ୍ଭ କଲା । ଦେଖିଲା, ବୋହୂର ଆଉ ଉଠିବାର ଶକ୍ତି ନାହିଁ । ବାଛୁରୀ ତତଲା ଲୁହା ଦାଗ ଦେବାବେଳେ ଯିମିତି ଗଁ, ଗଁ ଗର୍ଜେ ସେହିପରି ଗର୍ଜୁଛି ।

ବୋହୂ ବିଛଣାରେ ପଡ଼ି ପଡ଼ି ମନରେ କଲାଣି, ମୁଁ ଆଉ କ’ଣ ସାନ୍ତାଣୀ ? ନଣନ୍ଦଟା ଏତେ ଗାଳି ଦେଉଛି, ମୋ ଲାଗି କେହି ପଦେ କହୁ ନାହିଁ । ପୁଣି ଭାଇ ଭଉଣୀ ମିଳି ଗଲେଣି । କ’ଣ, ସେ ପୁଣି ଆଉ ଗୋଟାଏ ବିଭା ହେବେ ? ମୋ ଦଶା କ’ଣ ହେବ ? ଶାଶୁ ତ ପାଖ ପଶୁ ନାହାନ୍ତି । ମୁଁ କ’ଣ କରିବି ? ତୁନି ହୋଇ ବିଛଣାରେ ପଡ଼ିଥାଏ, ବାହାରେ କ’ଣ କଥା ହେଉଛି, କାନ ଡେରି ଶୁଣୁଥାଏ ।

ତେତିକିବେଳେ ଚମ୍ପା ଭୋଁ, ଭୋଁ କରି ଶଙ୍ଖଟାଏ ବଜାଇ ଦେଲା । ଆଲୋ ବାରିକାଣି । ଯା’, ଦୁବ ବରକୋଳିପତ୍ର ଚନ୍ଦନ ସିନ୍ଦୂର ଆଉ ଆଉ ଚିଜ ସବୁ ସଜିଲ କରି ରଖିଦେ । ଏ ବାରିକପୁଅ, ବଡ଼ ଘର ଝାଡ଼ିଝୁଡ଼ି ଆସନ ପକାଇ ରଖ, ପାଣିପଣା ସବୁ ଠିକ୍ କର, ଆଉ କ’ଣ ବେଳ ଆସୁଛି । ସେତେବେଳକୁ ସାନ୍ତମାନେ ଆସିଗଲେ କ’ଣ କରିବୁ ? (ଭୋଁ, ଭୋଁ, ଭୋଁ ଶଙ୍ଖ ବାଜିଲା) ଆରେ ଶାମା । ମିଠାଇ ଥାଳିଟା ଭିତରେ ରଖିଦେ । କ’ଣ କହିଲୁ ରାଧିକା ? ଦହି ସର ବିଲେଇ ଖାଇଗଲା । ମଲା ଯା’ । ସାନ୍ତମାନେ ଜଳଖିଆ କରିବେ କ’ଣ ?

ଚମ୍ପା ରନ୍ଧା ବଢ଼ା କରି ଭାଇଙ୍କୁ ମା’ଙ୍କୁ ଖୁଆଇଲା । ମା’ କହିଲେ, “ତୁ ଦି’ଟା ଖା’, ଆଉ ବୋହୂ- ପୁଅ ଉପରେ ନଜର ପଡ଼ିଗଲା- ଡରି ଯାଇ କହିଲେ, ନାହିଁ, ନାହିଁ ମୁଁ କହୁଛି, ଚମ୍ପୀ ଏକା ଖାଇବ ।” ଶିବୁବାବୁ କହିଲେ, “ହଁ ଖବରଦାର, ବୋହୂ ନାମ ଧର ନା ।” ମା’ ବାଡ଼ି ଦୁଆରକୁ ପଳାଇଲେ ।

ବେଳ ବୁଡ଼ ବୁଡ଼ ହେଲାଣି । ଅନୀ ଆଈ ବାଡ଼ି ଖଣ୍ଡିଏ ଧରି ଅଇଲେ । ବୋହୂକୁ ଶୁଣାଇ ଶୁଣାଇ କହିଲେ, “କିଲୋ ଚମ୍ପି ! କ’ଣ ହେଉଛି ? ଏ ଫୁଲମାଳ ଚନ୍ଦନ ସିନ୍ଦୂର ସବୁ କ’ଣ ହେବ ?”

ଚମ୍ପା- ଏଇ ଦେଖୁନାହୁଁ, ଭାଇ ସାନ୍ତ ଆଉ ଗୋଟିଏ ବିଭା ହେବେ ପରା । ଆଜି ମହାପ୍ରସାଦ ଉଠା ପରା । ତୁ ଯା’, ସେଇ ଘରେ ମିଠାଇ ଦହି ଅଛି, ଆଣ, ଖା’ ଯା’, ତତେ ବାଢ଼ି ଦେବାକୁ ମୋର ବେଳ ନାହିଁ ।

ଭୋଁ-ଭୋଁ-ଭୋଁ ଶଙ୍ଖ ବାଜିଲା । ସାଙ୍ଗେ ସାଙ୍ଗେ ହୁଳହୁଳି ।

ଆଈ- ଆଚ୍ଛା, ନୂଆବୋହୂ ଆସିବ, ଏ ବୋହୂଟା କ’ଣ କରିବ ?

ଚମ୍ପା- ମଲା ଯା’ । ଏଇଟା କି ବୋହୂ ମ ! ଘର ଦୂଆର ପାଇଟି କରିବ, ରନ୍ଧାବଢ଼ା କରିବ, ଏଇଥିଲାଗି ସିନା ଭାଇ ଏଟାକୁ ଆଣିଥିଲେ- ଏଟା ତ କିଛି କଲା ନାହିଁ, ବୋହୂ କ’ଣ ?

ଆଈ- ଆଚ୍ଛା ଏ ବୋହୂଟା ଖାଇବ କ’ଣ ?

ଚମ୍ପା- କ’ଣ ଖାଇବ ? ସେ ବୋହୂ ଖାଇଲେ ଯାହା ଛାଡ଼ିଯିବ, ଏଟା ତା’ ଅଇଁଠା ଖାଇ ବାସନ ମାଜି ପକାଇବ ।

ଆଈ- ଆଚ୍ଛା, ମୁଁ ଟିକିଏ ବୋହୂଟାକୁ ଦେଖି ଆସେ ।

ଚମ୍ପା- ନା ଲୋ ଆଈ, ନା- ନା, ତା’ ପାଖକୁ ଯା’ ନା । ସେଟା ସିମିତି ପଡ଼ି ପଡ଼ି ଉପାସରେ ମରି ଯାଉ ।

ଚମ୍ପା ମୁରୁକି ମୁରୁକି ହସି କ’ଣ ଠାରି ଦେଲା । ଆଚ୍ଛା ଆଚ୍ଛା ଥରେ ଦେଖେ, କହି ଅନୀ ଆଈ ଯିମିତି ପାଖକୁ ଯାଇଛି, ବୋହୂ ଉଠିପଡ଼ି ବୁଢ଼ୀର ଦୁଇ ଗୋଡ଼ ଜାବୁଡ଼ି ଧରିଲା । କଥା କହିପାରୁ ନାହିଁ, ଗୋଡ଼ ଯୋଡ଼ାକ ଧରି ଧକେଇ ଦେଉଛି । ବହୁତ କଷ୍ଟରେ କହିଲା, “ଆଈ- ତା-ଙ୍କୁ-କ-ଅ-ବା-ଏ-ବେ-ନା-ଇଁ ।”

ଅନୀ ଆଈ- ମୋ କଥା କ’ଣ ସେ ଶୁଣିବ ? ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।

ବୋହୂ- ମୁଁ-ସ-ବୁ-କ-ରି-ବି ।

ଅନୀ ଆଈ- ଆଚ୍ଛା, ତୁ ଶିବୁକୁ କହ । ଆରେ ଶିବୁ, ଏଠିକି ଆ’ ତ, ବୋହୂ କ’ଣ କହୁଛି, ଶୁଣ ।

ଶିବୁ ନା, ନା, ମୁଁ ଯାଇ ପାରିବି ନାହିଁ ।

ଏଣେ ବୋହୂର ଯେତେ ବଳ ଅନୀ ଆଈର ଗୋଡ଼ ଜାବୁଡ଼ି ଧରିଛି । କେଜାଣି ଗୋଡ଼ ଯୋଡ଼ାକ ଭାଙ୍ଗି ପକାଇବ । ସେହି ଆଈ ପଦ୍ମପାଦ ଛଡ଼ା ଯେ ବର୍ତ୍ତମାନ ନିମା ଦେଈଙ୍କର ସଂସାରରେ ଆଉ ଭରସା ନାହିଁ । ଅନୀ ଆଈ ପାଟି କରି ଡାକିଲେ, “ଆରେ ଶିବୁ, ଆ’, ମୋ ଗୋଡ଼କୁ ବଡ଼ କାଟିଲାଣିରେ ।”

ଶିବୁ ବାବୁ ଯିମିତି ପାଖକୁ ଆସିଛନ୍ତି, ଅନୀ ଆଈ ତ ତାଙ୍କ ଗୋଡ଼ ଯୋଡ଼ିକ ବୋହୂ ଜିମା କରିଦେଇ ଅଲଗା ହୋଇଗଲେ । ବୋହୂ ଭଲ କରି ସ୍ୱାମୀର ଗୋଡ଼ ଜାବୁଡ଼ି ଧଇଲା । ଗୋଡ଼ ଛାଡ଼ିଲେ ସିନା କୁଆଡ଼େ ଯିବେ । ସଂସାରଯାକ ସବୁ ଅନ୍ଧାର- ପଦ୍ମପାଦ ଯୋଡ଼ିକ ଭରସା । ଅନୀ ଆଈ ବୋହୂ ଲାଗି ସୁପାରିସ କରି କହିଲା, “ଆରେ ଶିବୁ ! ବୋହୂ ଏଣିକି ଘର କାମ ପାଇଟି ସବୁ କରିବ, ତୁ ବାହା ହୋ ନା ।” ଶିବୁ ବାବୁ କହିଲେ, “କାହିଁ ସେ ତ ଆପେ କହୁ ନାହିଁ । ଏହି କଥା ପଦକ ଶୁଣି ବୋହୂର ବଡ଼ ଭରସା ହୋଇଗଲାଣି । ଚଞ୍ଚଳ କହି ପକାଇଲା, ହୁଁ-ହୁଁ-ଉଁ-ଉଁ ।”

ଶିଶୁବାବୁ କହିଲେ, “ମୁଁ ହୁଁ-ହୁଁ-ଉଁ-ଉଁ ବୁଝେ ନାହିଁ । ସଫା କରି ଗୋଟି ଗୋଟି କଥା କହୁ ।” ଶିବୁବାବୁ ଯେମିତି କହିଲେ, ବୋହୂ ଠିକ୍ ସିମିତି ଗୋଟି ଗୋଟି କରି ସବୁ କଥା ଜବାବ୍ କଲା ।

ଶିବୁ ବାବୁ ତାହା ବାଦେ କହିଲେ, “ଆଚ୍ଛା ଆଈ, ସେ କିଆଁ ଚମ୍ପା ସାଙ୍ଗରେ କଳି ଲଗାଇଲା । ଘଷୁ ଭୂଇଁରେ ନାକ । କିଛି ଓଜର ନାହିଁ”- ବୋହୂ ଭୂଇଁରେ ନାକ ଘଷିଲା । ଚମ୍ପା ଠିଆ ହୋଇ ହସୁଥିଲା, ବୋହୂ ନାକଘଷା ବେଳେ ପଳାଇଲା । ବୋହୂ ଆଈ ପାଖରେ ବି ନାକ ଘଷିଲା- ଶିବୁ କହିଲେ- “ଆଚ୍ଛା ଆଈ, ମା’ଙ୍କ ପାଖରେ ଏହିପରି କହୁ ।” ଗଲେ ସମସ୍ତେ ମା’ଙ୍କ ପାଖକୁ, ବୋହୂ ଗୋଟି ଗୋଟି କରି ସବୁ କଥା କହିଲା । ମାଟିରେ ନାକ ଘଷିବାବେଳେ ମା’ ଟିକିଏ ଦୁଃଖ କରି କହିଲେ, “ହଁ’ରେ ହେଲାଣିରେ, ବୋହୂ ସବୁ କରିବରେ । ଶିବୁବାବୁ କଟମଟ କରି ଚାହିଁବାରୁ ନା’ରେ-ନା’ରେ, କହି ବିମଳା ଦେଈ ବାଡ଼ିଆଡ଼କୁ ପଳାଇଲେ ।”

ଶିବୁ ବାବୁ କହିଲେ, “ଆଚ୍ଛା, ଏଥର ଚମ୍ପା ଗୋଡ଼ ଧର ।” ଚମ୍ପା ଧାଇଁ ଆସି ବୋହୂକୁ କୁଣ୍ଢାଇ ପକାଇଲା । ନା ନା, ଯେତେହେଲେ ମୋ ବଡ଼ ଭାଉଜ, ମା’ ପରି, ମୁଁ ସିନା ତା’ ଗୋଡ଼ ତଳେ ପଡ଼ିବି । ଚମ୍ପା ବୋହୂକୁ ଜୁହାରଟିଏ କରି କୁଣ୍ଢେଇ ପକେଇଲା । ନଣନ୍ଦ ଭାଉଜ ଦୁହେଁ ଟିକିଏ କନ୍ଦାକନ୍ଦି ହେଲେ । ଚମ୍ପା କିଆଁ କାନ୍ଦିଲା । ମାତ୍ର ସେ କାନ୍ଦିଛି । ଚମ୍ପା ବୋହୂକୁ ବାଡ଼ିଆଡ଼କୁ ଭିଡ଼ି ନେଇଗଲା । ଅଧଗିନାଏ ମାଲପା ଲଗାଇ ଦେଇ ଗାଧୋଇ ଆଣିଲା । ଚମ୍ପା ରନ୍ଧାବଢ଼ା କରି ମା’ ଭାଇଙ୍କୁ ଖୁଆଇଲା । ବୋହୂଟା ଉପାସ ଅଛି, ନିଜେ କିମିତି ଖା’ନ୍ତା । ନଣନ୍ଦ ଭାଉଜ ଏକ ସାଙ୍ଗରେ ବସି ଖାଇଲେ । ବୋହୂ ଟୁକୁଣାଏ ପାଣି ପିଇ ଲଥକରି ଭୂଇଁରେ ପଡ଼ିଗଲା ।

ତହିଁ ଆରଦିନ କାଉ କା’ କରିବାବେଳକୁ ବୋହୂ ବାସି ପାଇଟି ସାରି ବସିଛି । ଟିକିଏ ଖରା ଉଠିଲା ବେଳକୁ ଚମ୍ପା ଆସି ଦେଖିଲା, ସବୁ ବାସି ପାଇଟି ସରିଲାଣି । ମନ ମଧ୍ୟରେ ଟିକିଏ ଖୁସି ହେଲା । ନଣନ୍ଦ ଭାଉଜ ଦୁହେଁ ସାଙ୍ଗସୁଙ୍ଗା ହୋଇ ଗାଧୋଇ ଗଲେ । ପ୍ରଥମ ପ୍ରଥମ ବୋହୂ ରାନ୍ଧି ଜାଣୁ ନଥିଲା, ଚମ୍ପା ଶିଖାଇ ଦେବାରୁ ଏବେ ବେଶ୍ ରାନ୍ଧେ । ଶାଶୁ କିଛି ପାଇଟି କରିବାକୁ ଗଲେ ବୋହୂ ହାତରୁ ଛଡ଼ାଇ ନିଏ । ପୁଅ ଝିଅ ଡରରେ ବି ବୁଢ଼ୀ କିଛି ପାଇଟିରେ ହାତ ଦିଅନ୍ତି ନାହିଁ । ଏକ ଜାଗାରେ ବସି ବୋହୂକୁ କହି ଦେଉଥାନ୍ତି ।

ବିମଳା ଦେଈ ଏକ ଜାଗାରେ ବସି ଦିନରାତି ମାଳାଟିଏ ଗଡ଼ାଉଥାନ୍ତି । କେହି ଲୋକ ଗାଁରୁ ଆସିଲେ ତା’ ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ ଖାଲି ବୋହୂର ପ୍ରଶଂସା । ଦିନକୁ କୋଡ଼ିଏ ଥର ଯାହା ତାହା ପାଖରେ କହନ୍ତି “ମୋର ତ ସୁନା ବୋହୂ”।

© ଫକୀର ମୋହନ ସେନାପତି 

Monday, August 1, 2022

ପଶ୍ଚିମ ଓଡ଼ିଶାର ଵିସ୍ମୃତ ଓଡ଼ିଆ କଵି ରତ୍ନା ଦାସ ଵା ରତ୍ନାକର ଦାସ

ଆମ ଓଡ଼ିଶାରେ ଅଧିକାଂଶ ପ୍ରାଚୀନ କଵି ପୁରୀ ଓ ଗଞ୍ଜାମ ଏହି ଦୁଇଟି ଜିଲ୍ଲାରୁ ହିଁ ଆସିଛନ୍ତି । କାରଣ ପୁରୀ ହେଉଛି ଯୁଗ ଯୁଗ ଧରି ଓଡ଼ିଆ ଜାତିର ଓଡ଼ିଶା ମାଟିର ସାଂସ୍କୃତିକ ରାଜଧାନୀ । ପୁରୀରେ ଵିରାଜିତ ଶ୍ରୀଜଗନ୍ନାଥଙ୍କୁ ଘେନି ଓଡ଼ିଆ ଭାଷା ସଂସ୍କୃତି ଓ ସମାଜ ପୃଷ୍ଟ । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ତଥା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ପୂର୍ଵେ ପ୍ରାୟତଃ ଆଧ୍ୟାତ୍ମିକ ସାହିତ୍ୟ ସର୍ଜନା କରାଯାଉଥିଲା ଏଵଂ ଜଗନ୍ନାଥ ପୁରୀ ଅନେକ କାଳରୁ ଯେହେତୁ ସନାତନ ଧର୍ମ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ଥିଲା ତେଣୁ ଏ ଅଞ୍ଚଳରେ ସାହିତ୍ୟ କ୍ଷେତ୍ରରେ ଵିକାଶ ସର୍ଵାଧିକ ହୋଇଥିଲା । 


ତେବେ ପ୍ରାଚୀନ କାଳରୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ଶହ ଶହ କଵି ହୋଇଛନ୍ତି କିନ୍ତୁ ଆମ ଦେଶରେ ଅନେକ କଵି ନିଜ ଜନ୍ମସ୍ଥାନ ନିଜ ସାହିତ୍ୟ କୃତିରେ ଲେଖିନଥିଵାରୁ ସେମାନଙ୍କ ଜନ୍ମସ୍ଥାନ ଵିଷୟରେ ସ୍ପଷ୍ଟ ଭାବରେ ଜଣାଯାଇପାରେ ନାହିଁ । ପଶ୍ଚିମ ଓଡ଼ିଶାର ପ୍ରାଚୀନ ଓଡ଼ିଆ କଵିମାନଙ୍କ ମଧ୍ୟରେ ଜଣେ ହେଲେ ରତ୍ନାକର ଦାସ ଵା ରତ୍ନାଦାସ । ତାଙ୍କର ସମୟକାଳ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀ ହୋଇଥିଵା ସମ୍ଭଵ । ଏହାଙ୍କର ପିତାଙ୍କର ନାମ ଶ୍ୟାମସୁନ୍ଦର ଦାସ ବୋଲି ଜଣାଯାଏ। କଵି ରତ୍ନାକର ଦାସ ସୋନପୁର ଅଞ୍ଚଳର ଅଧିଵାସୀ ଥିଲେ । ସେ ଜାତିରେ ଲୁଗା ବୁଣାଳୀ ଭୁଲିଆ ଜାତିର
ଲୋକ ଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୯୮୦ତମ ପୃଷ୍ଠାରେ ରତ୍ନାକର ଶବ୍ଦ ତଳେ ଏହି କଵିଙ୍କ ନାମୋଲ୍ଲେଖ କରାଯାଇଛି । ରତ୍ନାକର ଦାସ ଜଣେ ପ୍ରାଚୀନ ଓଡ଼ିଆ କଵି ତଥା ସେ ମହିମାଧର୍ମ ଗ୍ରହଣ କରିଥିଲେ ବୋଲି ମଧ୍ୟ କୁହାଯାଇଛି ‌। ଉଲ୍ଲେଖଯୋଗ୍ୟ ଯେ ମହାକଵି ବାଲ୍ମିକୀଙ୍କର ପୂର୍ଵନାମ ମଧ୍ୟ ରତ୍ନାକର ଥିଲା । 

ସମ୍ବଲପୁରର ଏହି ପ୍ରାଚୀନ ଓଡ଼ିଆ କଵି ରତ୍ନାକର ଦାସ "ସାରସ୍ବତ ଗୀତା"ର ପ୍ରଣେତା ରୂପେ ପ୍ରଖ୍ୟାତ । 

ଏହି ସାରସ୍ବତ ଗୀତାରେ ସେ ଯୋଗଶାସ୍ତ୍ର ଓ ଧର୍ମତତ୍ତ୍ଵ ସମ୍ବନ୍ଧୀୟ ନିଗୂଢ଼ ଵିଷୟ ଅତି ସରଳ ନଵାକ୍ଷରୀ ଵୃତ୍ତରେ ବୁଝାଇ ଅଛନ୍ତି । 

ଓଡ଼ିଆ ସାହିତ୍ୟରେ ବହୁ "କୃଷ୍ଣ ଦାସ"ଙ୍କ ମଧ୍ୟରୁ ଜଣେ କୃଷ୍ଣ ଦାସ ଏହାଙ୍କର ଶିଷ୍ୟ ଥିଵାର ଜଣାଯାଏ । 

କଵି ରତ୍ନାକର ଦାସ ତାଙ୍କ ସାରସ୍ଵତ ଗୀତାର ପ୍ରଥମ ଅଧ୍ୟାୟରେ ପ୍ରଭୁଙ୍କୁ ବନ୍ଦନା କରି ଲେଖିଛନ୍ତି

"ତୁମ୍ଭେ ସବୁର ଅଂଶ ବଂଶ
ସବୁରି ସତ୍ତାନ ପୁରୁଷ
ତିନି ଭୁଵନେ ଯେତେ ଛନ୍ତି
ସମସ୍ତେ ତୁମ୍ଭର ସମ୍ପତ୍ତି ।
କୀଟରୁ ବ୍ରହ୍ମଲୋକ ଯାଏ
ତୁମ୍ଭର ସମ୍ପତ୍ତି ସବିହେଁ ।
ସତ୍ତାନପୁରୁଷଟି ତୁହି
ଅଜପା ପିତୃଟି ଗୋସାଇଁ। 
ବ୍ରହ୍ମ କ୍ଷତ୍ରିୟ ଶୂଦ୍ର ବୈଶ୍ୟ
ତୁ ପ୍ରଭୁ ସବୁଙ୍କର ଅଂଶ । 
ତୁମ୍ଭେ ଯାହାକୁ ଦୟା କର 
ସମ୍ପତ୍ତି ହୋଇଵ ତାହାର ।
କେ ଅବା ନୀଚ ଉଚ୍ଚ ହେଉ 
ତୁମ୍ଭ ଦୟାରେ ଵକ୍ତା ସେହୁ ।
ତେଣୁ ମୋ ହୋଇଲା ଭରସା 
ପାଦପଦ୍ମକୁ କଲି ଆଶା ।”

ଯେକେହି ଵ୍ୟକ୍ତି ପ୍ରଭୁଙ୍କର କୃପା ଲାଭ କରି ତାଙ୍କର ବନ୍ଦନା କରିପାରିଵ ଜଣେ ଵକ୍ତା ଵା କଵି ହୋଇ ଆଧ୍ୟାତ୍ମିକ ରଚନା ଲେଖିପାରିଵ ବୋଲି କଵି ଏଠାରେ ଯୁଧିଷ୍ଠିରଙ୍କ ମୁଖରେ କୁହାଇଛନ୍ତି । 

ଓଡ଼ିଶାରେ ଭୀମା ଧୀଵର,ସଦାଶିଵ ଵୈଶ୍ୟ,ଲିମ୍ବ ମାଝି,ହରିକୃଷ୍ଣ ମହାରଣା,ଲୋହି ନାଥ, ହରି ଵୈଶ୍ୟ,ହାଡି଼ବନ୍ଧୁ ଦାସ(କମାର),ଲୋକନାଥ ଧୀଵର ଓ ସାଲବେଗଙ୍କ ଭଳି ଅନେକ କଵି ହୋଇଛନ୍ତି ଯେଉଁମାନେ ଭଗଵାନଙ୍କ ଗୁଣ କୀର୍ତ୍ତନ କରିଛନ୍ତି, ଆଧ୍ୟାତ୍ମିକ ସାହିତ୍ୟ ରଚନା କରିଛନ୍ତି । ଓଡ଼ିଶାରେ ସାହିତ୍ୟ ସର୍ଜନା କ୍ଷେତ୍ରରେ ଥିଵା ଏଭଳି ଉଦାରତା ଭାରତରେ ତତ୍କାଳୀନ ସମାଜରେ ଅନ୍ୟତ୍ର ଅଳ୍ପ ଦେଖାଯାଏ । ଏଥିରୁ ଏହା ମଧ୍ୟ ଜଣାଯାଏ ଯେ ଏ ଓଡ଼ିଶାରେ କଵିର ଗୁଣ ଓ କର୍ମ ଦେଖାଯାଉଥିଲା ଏଵଂ ଯେକୌଣସି ଜାତିର ଵ୍ୟକ୍ତି ଆଧ୍ୟାତ୍ମିକ ସାହିତ୍ୟ ସର୍ଜନା କରିପାରୁଥିଲେ । 

ସାରସ୍ବତ ଗୀତାର ଆଧାର ମହାଭାରତ କଥାକୁ ନେଇ ଗଢ଼ିଉଠିଛି । ଧର୍ମଙ୍କ ଦ୍ଵାରା ପାଣ୍ଡଵ ଵିଶେଷତଃ ଯୁଧିଷ୍ଠିରଙ୍କର ପରୀକ୍ଷା ନେଵା ଵିଷୟକ କଥା ମହାଭାରତରେ କଥିତ ଅଛି । ସେହି କଥା ଅନୁସାରେ ଧର୍ମଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଵାରୁ ଧର୍ମ ନିଜ ପୁତ୍ର ଯୁଧିଷ୍ଠିରଙ୍କୁ ଧର୍ମୋପଦେଶ ଦେଇଥିଲେ । ସାରସ୍ବତ ଗୀତାରେ ମଧ୍ୟ ଧର୍ମ ନିଜ ପୁତ୍ର ଯୁଧିଷ୍ଠିରଙ୍କୁ ଧର୍ମୋପଦେଶ ଦେଉଅଛନ୍ତି । 

 କଵି ରତ୍ନାକର ଦାସ ଵା ରତ୍ନାଦାସ ସାରସ୍ବତ ଗୀତାର ପଞ୍ଚବିଂଶତମ ଅଧ୍ୟାୟରେ ନିଜର ତଥା ଶ୍ରୀଜଗନ୍ନାଥଙ୍କ ନାମୋଲ୍ଲେଖ ସହିତ ଏହିକଥାକୁ ଏପରି ଲେଖିଅଛନ୍ତି

“ସେ ପ୍ରଭୁ ଜାଣନ୍ତି ମୋ ଜନ୍ମ
କହଇ ରତ୍ନଦାସ ହୀନ ।
ତେଣୁ କହନ୍ତି ଯୋଗଜ୍ଞାନ
ଶ୍ରୀଜଗନ୍ନାଥଙ୍କ ପ୍ରସନ୍ନ ॥
ସେ ପ୍ରଭୁ ମୋର ହୃଦେ ଥାଇ
ଗୀତା କହନ୍ତି ଦୟା ବହି ।
ଏ ସାରସ୍ବତ ଗୀତା ଗ୍ରନ୍ଥ
ଧର୍ମ୍ମ କହନ୍ତି ଶୁଣ ପୁତ୍ର‌ ॥”

ସାରସ୍ବତ ଗୀତାର ରଚୟିତା କଵି ରତ୍ନାକର ଦାସ ଆଜି ଓଡ଼ିଆ ସମାଜରୁ ଵିସ୍ମୃତ ହୋଇଯାଇଛନ୍ତି । ପଶ୍ଚିମ ଓଡ଼ିଶା ଏମନ୍ତକି ସୋନପୁରର ଅନେକ ଲୋକେ ମଧ୍ୟ ଏହାଙ୍କ ଵିଷୟରେ ସେତେ ଜାଣିନାହାନ୍ତି । 

ଗଙ୍ଗାଧର ମେହେରଙ୍କ ଜନ୍ମ ହେଵା ପୂର୍ଵରୁ ତାଙ୍କରି ଭୁଲିଆ ଜାତିରେ ଜନ୍ମ ଲଭିଥିଵା ଜଣେ କଵି ସାରସ୍ବତ ଗୀତା ଲେଖି ଯାଇଛନ୍ତି କିନ୍ତୁ ଆଜି ସେ ଓଡ଼ିଆ ସମାଜରୁ ଵିସ୍ମୃତ କାହିଁକି ?

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...