Sunday, August 14, 2022

ଢେଙ୍କାନାଳର କଥା — ଭାଗ ୨ (ବଣିଆପଡ଼ାର ଧୀର ସାମନ୍ତ)

    

ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା — ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ।


ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ "ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି" ପୁସ୍ତକରେ ଏହି ନାମକରଣ ପଛର ଐତିହାସିକ କାରଣ ଲିପିବଦ୍ଧ କରିଛନ୍ତି ।‌ 


ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଏହି ପୁସ୍ତକ ଅନୁସାରେ ପୂର୍ଵେ କରମୂଳ ନଗରୀର ଦକ୍ଷିଣ ପାର୍ଶ୍ଵସ୍ଥିତ ଭୂଖଣ୍ଡ କରମୂଳ ରାଜ୍ୟଭୁକ୍ତ ଥିଲା କିନ୍ତୁ ବଣିଆପଡ଼ାର ଧୀର ସାମନ୍ତମାନେ ଏହି ଭୂଖଣ୍ଡର ଭୂମ୍ୟାଧିକାରୀ ବୋଲାଇ ଆପଣାକୁ ସ୍ଵାଧୀନ ଘୋଷଣା କରିଥିଲେ । ଡମରାଜା କଟକରେ ରାଜତ୍ଵ କରୁଥିଵା ନାଗ ବଂଶୀୟ ରାଜାମାନଙ୍କୁ ପରାସ୍ତ କରି ଧୀର କ୍ଷତ୍ରିୟଵୃନ୍ଦ ଏହି ରାଜ୍ୟ ଅଧିକାର କରିଥିଲେ ହେଁ କରମୂଳ ଅଧିପତିଙ୍କର ସାମନ୍ତ ଭୂମ୍ୟାଧ୍ୟାକାରୀ ରୂପେ ପରିଗଣିତ ହେଉଥିଲେ । କିନ୍ତୁ ପରେ ବଣିଆପଡ଼ାର ଧୀର କ୍ଷତ୍ରିୟ ବଂଶଜ ରାଜାମାନେ କରମୂଳ ରାଜାଙ୍କ ଦୁର୍ଵଳତାର ସୁଯୋଗ ନେଇ ଆପଣା ଅଞ୍ଚଳକୁ ସ୍ଵାଧୀନ ଘୋଷଣା କରିଦେଲେ ।

ଧୀର ରାଜବଂଶର ରାଜନ୍ୟଵୃନ୍ଦ ଶୈଵ ଧର୍ମାବଲମ୍ବୀ ଥିଲେ ବୋଲି ଜଣାଯାଏ । ବଣିଆପଡ଼ାରେ ସ୍ଥିତ ଶୈଵପୀଠ ସ୍ଵପ୍ନେଶ୍ଵର ମନ୍ଦିର ଏହି ବଂଶର କୀର୍ତ୍ତି । ଗଙ୍ଗାଧର ଧୀର ନାମରେ ଏହି ରାଜବଂଶର ଜଣେ ରାଜା ପଞ୍ଚରଥ ଶୈଳୀରେ ବଣିଆପଡ଼ାରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରିଵା ସହିତ ନୀତିନିଯୋଗ ଓ ଯାନିଯାତ୍ରା ନିମିତ୍ତ ଭୂସମ୍ପତ୍ତି ଖଞ୍ଜା କରିଥିଲେ ବୋଲି ମନ୍ଦିର ଗାତ୍ରରେ ଥିଵା ଉଲ୍ଲେଖରୁ ଜଣାଯାଏ । କିନ୍ତୁ ବଣିଆପଡ଼ା ଅଞ୍ଚଳରେ ସପ୍ନେଶ୍ବର ମନ୍ଦିର ଛଡ଼ା ଧୀରବଂଶର ଅନ୍ୟ କୌଣସି କୀର୍ତ୍ତି ଆଵିଷ୍କୃତ ହୋଇନାହିଁ । 


ହରିସିଂହ ବିଦ୍ୟାଧର ବଣିଆପଡ଼ାର ଏହି ଧୀର ସାମନ୍ତମାନଙ୍କୁ କର ଦେବାକୁ ସନ୍ଦେଶ ପଠାଇବାରୁ ଧୀର ସମାନ୍ତ ଚିଟାଉରେ ଲେଖି ପଠାଇଲେ ଯେ "ଵିନା ଯୁଦ୍ଧରେ ଆମ୍ଭେ ଛଦାମ ଦେବୁ ନାହିଁ ।" 

ଏଠାରେ ଛଦାମ ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରିଦେଲେ ଉଚିତ୍ ହେଵ । 
ଓଡ଼ିଆ ଭାଷାରେ ଏହି ଛଦାମ ଶବ୍ଦଟି ଅନେକ ଅର୍ଥରେ ପ୍ରୟୋଗ କରାଯାଏ । ପୂର୍ଵେ ଏକ ପଇସାର ଚାରିଭାଗରୁ ଏକଭାଗକୁ ଛଦାମ କୁହାଯାଉଥିଲା । ପରେ ଏକ ପଇସି ଦୁଇପଇସି ଇତ୍ୟାଦିର ପ୍ରଚଳନ ବନ୍ଦ ହୋଇଗଲା । ତହୁଁ କେତେକ ଅଞ୍ଚଳରେ ଚାରଣିକୁ ମଧ୍ୟ ଏକଟଙ୍କାର ଚାରିଭାଗରୁ ଭାଗେ ଅଂଶ ହୋଇ ଥିଵାରୁ ଛଦାମ କୁହାଯାଉଥିଲା । ପଇସାର ଚାରିଭାଗର ଭାଗେ ହୋଇଥିଵାରୁ ଛଦାମ ଅତି ଅଳ୍ପ ଅର୍ଥ ପରିମାଣକୁ ବୁଝାଇଥାଏ । ଫଳତଃ ଏହି ଛଦାମ ଶବ୍ଦଟି ଓଡ଼ିଆ ଭାଷାରେ ଅଳ୍ପ ଅର୍ଥରେ ପ୍ରୟୋଗ କରାଯାଏ ପୁଣି ଆଜି ବି ଯାଜପୁର ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ "ସାମାନ୍ୟ ଟିକିଏ ମଧ୍ୟ" ଅର୍ଥରେ "ଛଦାମେ" ଶବ୍ଦ ଵ୍ୟଵହୃତ ହୋଇଥାଏ । ସମ୍ଭଵତଃ କ୍ଷୁଦ୍ରମ୍ ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ କାରଣ ଏହା ଏକଦା ଭାରତୀୟ ମୂଦ୍ରାର ସର୍ଵନିମ୍ନ ମୂଲ୍ୟ ଥିଲା । କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଛଦାମ ଶବ୍ଦଟି "ଟଙ୍କାପଇସା" ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । 

କିନ୍ତୁ ଏଠାରେ ଯୁଦ୍ଧ ଵିନା ଛଦାମ ଦେବୁ ନାହିଁ ଅର୍ଥ ସମ୍ଭଵତଃ ଵିନା ଯୁଦ୍ଧରେ କର ଵା ଧନ ଦେବୁ ନାହିଁ ହୋଇଥାଇପାରେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଛଦାମ ଶବ୍ଦର ଅର୍ଥ ସ୍ପଷ୍ଟ କରିନାହାନ୍ତି । ସେ ଯାହା ହେଉ ବଣିଆପଡ଼ାର ଧୀର ସାମନ୍ତମାନଙ୍କଠାରୁ ଏଭଳି ପ୍ରତ୍ୟୁତ୍ତର ପାଇଵାରୁ କ୍ରୁଦ୍ଧ ହୋଇ ହରିସିଂହ ବଣିଆପଡ଼ା ଧୀର ସାମନ୍ତଙ୍କ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଲେ । କିଛି ଦିନ ଉତ୍ତାରୁ ଆଜିର ଗଁଦିଆ ନିକଟରେ ଦୀର୍ଘ ଦଶଦିନ ଧରି ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିଲା । 

ଏହି ଯୁଦ୍ଧରେ ଧୀର ସାମନ୍ତ ପରାଜିତ ହୋଇ ପଳାୟନ କଲେ ଏଵଂ ପରଵର୍ତ୍ତୀ କାଳରେ ବ୍ରାହ୍ମଣୀ ଉତ୍ତର ତୀରସ୍ଥ ବଳରାମପୁରଠାରେ ଗଡ଼ ନିର୍ମାଣପୂର୍ଵକ ଏକ କ୍ଷୁଦ୍ର ରାଜ୍ୟ ଗଠନ କଲେ । ଏପଟେ 
ହରି ଵିଦ୍ୟାଧରଙ୍କ ବଣିଆ ପଡ଼ା ଅଞ୍ଚଳ ଵିଜୟ ପରେ କରମୂଳ ନଗରୀଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ସମଗ୍ର ଭୂଖଣ୍ଡ କରମୂଳ ରାଜ୍ୟଧୀନ ହୋଇଥିଲା ।ଏହାଦ୍ଵାରା କରମୂଳ ରାଜ୍ୟ ତାହାର ପୂର୍ଵ ଗୌରଵ ଫେରି ପାଇଥିଲା । 

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ଏହାପରେ ତାଙ୍କର ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି ପୁସ୍ତକରେ ଢେଙ୍କାନାଳରେ ଗଁଦିଆ ନିକଟରେ ଥିଵା ଛଅଗୋଟି ଗ୍ରାମ ଯଥା: ପଦ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦାରେ "ଦା' କାହିଁକି ଲାଗିଛି ତାହା ଉଲ୍ଲେଖ କରିଅଛନ୍ତି । 

ଶ୍ରୀମିଶ୍ରଙ୍କ ଅନୁସାରେ ଧୀର ସାମନ୍ତ ଵିନାଯୁଦ୍ଧରେ ଛଦାମ ଦେଵାକୁ ମନା କରିଥିଵାରୁ କରମୂଳ ରାଜା ହରିଵିଦ୍ୟାଧର ଵିଜିତ ଅଞ୍ଚଳରେ ଛଅ ଗୋଟି ‘ ଦା ’ ଯୁକ୍ତ ଗ୍ରାମ ସ୍ଥାପନ କରାଇଥିଲେ । ସେହି ଗ୍ରାମଗୁଡ଼ିକ ଅଦ୍ୟାଵଧି ମଧ୍ୟ ଵିଦ୍ୟମାନ । ଏ ଅଞ୍ଚଳରେ କିମ୍ବଦନ୍ତୀ ରହିଛି ଯେ ହରିଵିଦ୍ୟାଧର କପିଳାସ ଠାକୁରଙ୍କ କୃପାରୁ ଏହି ଅଞ୍ଚଳ ଜୟଲାଭ କରିଥିଲେ ତେଣୁ ସେ ରାଜା ସେହି ଗ୍ରାମଗୁଡ଼ିକ ଶିଖରେଶ୍ଵରଙ୍କ ସେଵା ପୂଜା ନିମିତ୍ତ ଦାନ କରିଥିଲେ । ଵର୍ତ୍ତମାନ ମଧ୍ୟ ସେହି ଗ୍ରାମମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଦେବୋତ୍ତର ଜମି ରହିଅଛି ବୋଲି ଶ୍ରୀଅନ୍ତର୍ଯ୍ୟାମୀ ମିଶ୍ର ମହାଶୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । 

କିନ୍ତୁ ଏଣଦା , କୁଶିଦା , ବରଦା , ଝାରଦା , ଆଙ୍କୁର୍ଦା ଓ କୋକୀଦା ଆଦି ଗ୍ରାମ ଛଡ଼ା ନିକଟସ୍ଥ ଯୋରନ୍ଦା ଓ ବାଲି ଯୋରନ୍ଦା ଗ୍ରାମର ନାମ ଶେଷରେ ମଧ୍ୟ ଦା ଵର୍ଣ୍ଣ ଥିଵା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଆମର୍ଦା ବୋଲି ଏକ ଅଞ୍ଚଳ ରହିଛି ଏଵଂ ଓଡ଼ିଶାରେ ଏହି ଭଳି 'ଦା' ପଦଯୁକ୍ତ ଆହୁରି ଗ୍ରାମ ଥାଇପାରେ । 

ଆମର ଗାଆଁ ନାମ ସହିତ ପୁର,ପାଳ, ପାଲି,ପଡ଼ା,ସାହି,ସିଙ୍ଗା,ତୈଳା,ବେରଣା ଓ ପଦର ଆଦି ଯେତେ ଶବ୍ଦ ଯୁକ୍ତ ହୋଇଥାଏ ସେସବୁ ଏକ ଵିଶିଷ୍ଟ ସ୍ଥାନକୁ ଦର୍ଶାଇଥାଏ । ସମ୍ଭଵତଃ ଏହି "ଦା" ପଦଟି ସେହି ଧରଣର ଏକ ଶବ୍ଦ ହୋଇଥାଇପାରେ । 

••••••••••••••••••••••••••
ତଥ୍ୟ ଉତ୍ସ—
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର)
••••••••••••••••••••••••••
  

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...