Friday, June 29, 2018

ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ

■■■■■ମାନକ ଓଡ଼ିଆ■■■■■

ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ବରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦ କୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ ।
ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂସ
୧→ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର ଵସ୍ତର ରାୟପୁର ଆଦି ଵିଚ୍ଛିନାଞ୍ଚଳ)
୨→ଉତ୍କଳୀ((ଉତ୍ତର ଓ ମଧ୍ୟ ଓଡ଼ିଶା ତଥା ସିଂହଭୂମି, ହିରଣ୍ୟଭୂମି ଏବଂ ଷଡୈକଳା ଖରସୁଆଁ))
୩→କାଳିଙ୍ଗ୍ୟ((ମଧ୍ୟ କଳିଙ୍ଗ(ମୁଡ୍ଡୁ କଳିଙ୍ଗ(ତେ)-ସମସ୍ତ ଦକ୍ଷିଣ ଓଡ଼ିଶା ଏଵଂ ଦକ୍ଷିଣ ପଶ୍ଚିମ ଓଡ଼ିଶାଞ୍ଚଳ,ଦକ୍ଷିଣ କଳିଙ୍ଗ-ତେଲୁଗୁ ଅଞ୍ଚଳରେ ମିଶ୍ରିତ ଗୋଦାବରୀ ର ପୂର୍ବାଞ୍ଚଳ ଠାରୁ ଓଡ଼ିଶା ସୀମାପର୍ଯ୍ୟନ୍ତ ପରିଵ୍ୟାପ୍ତ ଭୂଭାଗ))
ର ମାନକିକରଣରୁ ଵିକଶିତ ହୋଇଥିବା ଅନୁମାନ କରାଯାଏ ।

■■■■■■କଟକୀ ଓଡ଼ିଆ■■■■■■

କଟକୀ ଓଡ଼ିଆ ପ୍ରାୟତଃ ମୋଗଲଵନ୍ଦୀ ତଥା ତହିଁ ସହ ଯୁକ୍ତ କେତେକ ଗଡ଼ଜାତ ଅଞ୍ଚଳରେ ବୋଲାଯାଏ ଏବଂ ଏହାର ଅଞ୍ଚଳ ଭେଦରେ ଅନେକ ବୋଲୀ ଵା ଶୈଳୀ ମଧ୍ଯ ରହିଛି ।
ଖୋର୍ଦ୍ଧା, ପୁରୀ,କଟକ,ଯାଜପୁର,ଜଗତସିଂହପୁର, କେନ୍ଦ୍ରପଡା଼,ନୟାଗଡ଼ ଆଦି ବୋଲାଯାଉଥିବା ଓଡ଼ିଆ ହେଉଛି କଟକୀ ଓଡ଼ିଆ । ଅନୁଗୁଳ-ଢେଙ୍କାନାଳ ଶୈଳୀଟି ଉଭୟ କଟକୀ ,ଦେଶିଆ ତଥା ସମ୍ଵଲପୁରୀ ଓଡ଼ିଆ ଦ୍ଵାରା ପ୍ରଭାବିତ ହୋଇଥିଲେ ହେଁ କିଛି ଲୋକ ତାହାକୁ କଟକୀ ଓଡ଼ିଆ ରେ ଗଣନା କରିଥାନ୍ତି । 

■■■■■ମେଦିନୀପୁରୀ ଓଡ଼ିଆ■■■■■■

ପଶ୍ଚିମବଙ୍ଗରେ ଥିବା ପ୍ରାଚୀନ କଳିଙ୍ଗର ଵିଚ୍ଛିନାଞ୍ଚଳ ମେଦିନୀପୁରର କଥିତ ଓଡ଼ିଆ ଶୈଳୀକୁ ମେଦିନୀପୁରୀ ଓଡ଼ିଆ କୁହାଯାଏ । ମେଦିନୀପୁରର ଓଡ଼ିଆ ମାନେ ବଙ୍ଗଳା ସଂସ୍କୃତି ଗ୍ରହଣ କଲେ ହେଁ ଆଜି ଵି ଓଡ଼ିଆ ଭାଷାରେ କଥାଭାଷା ହୁଅନ୍ତି ଏମନ୍ତ କି ପ୍ରାଞ୍ଜଳ ଓଡ଼ିଆ ମଧ୍ଯ କହିପାରନ୍ତି । କେହି କେହି ମେଦିନୀପୁରୀ ଓଡ଼ିଆ କୁ ଉତ୍ତର ଓଡ଼ିଆ ଶୈଳୀର ଗୋଟାଏ ଭିନ୍ନ ରୂପ ବୋଲି ମତ ଦିଅନ୍ତି । ପ୍ରାଚୀନ ଉତ୍କଳୀ ଅପଭ୍ରଂସରୁ ସମ୍ଭଵତଃ ଏହି ଶୈଳୀଟି ଵିକଶିତ ହୋଇଅଛି ।

■■■■■■ସିଂହଭୂମି ଓଡ଼ିଆ■■■■■■

ଝାଡ଼ଖଣ୍ଡ ର ପୂର୍ବ ଓ ପଶ୍ଚିମ ସିଂହଭୂମରେ ବୋଲାଯାଉଥିବା କଥିତ ଓଡ଼ିଆ ଭାଷାକୁ ସିଂହଭୂମି ଓଡ଼ିଆ ଶୈଳୀ କୁହାଯାଏ । କେହି କେହି ଏହି ଓଡ଼ିଆ ଶୈଳୀରେ ଷଡୈକଳା ଖରସୁଆଁ ର ଷଡ଼ଶୀ ଶୈଳୀକୁ ଗଣି ଏହି ଉଭୟ ଶୈଳୀକୁ ଗୋଟିଏ ବୋଲି ମତ ଦେଇଥାନ୍ତି । ଏହି ଶୈଳୀଟି ଉତ୍କଳ ତଥା ଉଡ୍ର ଉଭୟ ଅପଭ୍ରଂସ ଦ୍ଵାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଏ ।

■■■■ଉତ୍ତର ଓଡ଼ିଆ ଶୈଳୀ ଵା ବାଲେଶ୍ବରୀ ଶୈଳୀ■■■■■

ଉତ୍ତର ଓଡ଼ିଆ ଭାଷା ସାଧାରଣତଃ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଅଞ୍ଚଳରେ ବୋଲାଯାଇଥାଏ । ଅଞ୍ଚଳ ଭେଦରେ ଏହାର ଭିନ୍ନ ଭିନ୍ନ ସ୍ଥାନରେ ଵିଭିନ୍ନ ବୋଲୀମାନ ଚଳୁଅଛି ।

■■■■■■ଗଞ୍ଜାମୀ ଓଡ଼ିଆ■■■■■■■

ଏହି ଓଡ଼ିଆ ଶୈଳୀ ଟି
ଓଡ଼ିଶାର ଗଞ୍ଜାମ ଓ ଗଜପତି ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲା ରେ ବୋଲାଯାଏ । ବହୁତ ସମ୍ଭଵ ପ୍ରାଚୀନ କାଳିଙ୍ଗ୍ୟ ଅପଭ୍ରଂସ ଏହାର ମୂଳ ହୋଇଥାଇପାରେ ।

■■■■■■■■■■■ସମ୍ଵଲପୁରୀ ଓଡ଼ିଆ ଵା ପଶ୍ଚିମୀ ଓଡ଼ିଆ■■■■■■■■■■■■■

ଓଡ଼ିଆ ଭାଷାର ଏହି ଶୈଳୀ ଟି ଵିଶେଷତଃ ବରଗଡ଼, ବଲାଙ୍ଗୀର ପାଟଣା ଓ ସମ୍ଵଲପୁରରେ ତଥା ସାମାନ୍ୟ ଭିନ୍ନତା ସହ ବୌଦ,ଦେଵଗଡ଼,ଝାରସୁଗୁଡା, କଳାହାଣ୍ଡି, ନୂଆପଡ଼ା, ସୁଵର୍ଣ୍ଣପୁର(ସୋନପୁର) ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଳିତ । ସମ୍ଵଲପୁରୀ ଠାରୁ ସାମାନ୍ୟ ଭିନ୍ନ “ଛତିଶଗଡୀ଼ ଓଡ଼ିଆ” ପ୍ରଭାଵିତ ଏକ ଶୈଳୀର ଏକପ୍ରକାରର “ପଶ୍ଚିମୀ ଓଡ଼ିଆ ବୋଲୀ” ଛତିଶଗଡ଼ ର ରାୟଗଡ଼,ମହାସମୁନ୍ଦ ଏଵଂ ରାୟପୁର ଜିଲ୍ଲା ରେ ମଧ୍ଯ ବୋଲାଯାଇଥାଏ । ସମ୍ଵଲପୁରୀ ଟି ଉଡ୍ର ଅପଭ୍ରଂସ ଓ କାଳିଙ୍ଗ୍ୟ ଅପଭ୍ରଂସର ଏକ ମିଶ୍ରିତ ରୂପ ତଥା ଏହା କୋଟିଆ-ଦେଶିଆ ଓଡ଼ିଆ ଦ୍ଵାରା ପ୍ରଭାବିତ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି । ଆଗେ ପଶ୍ଚିମ ଓଡିଶା ଵିଶେଷତଃ ମହାନଦୀ କୂଳସ୍ଥ ଅଞ୍ଚଳକୁ ଉଡ୍ରଦେଶ କୁହାଯାଉଥିବାର ଐତିହାସିକ ପ୍ରମାଣ ମିଳେ । ସପ୍ତମ ଶତାବ୍ଦୀରେ ଏଠାରେ ଉଡ୍ଡିୟାନ୍ ସଭ୍ୟତାର ଵିକାଶ ହୋଇଥିଲା ଫଳରେ କଳିଙ୍ଗ ଦେଶର କାହ୍ନୁପା,ଲୁଇପା ଆଦି ଅନେକାନେକ ବୌଦ୍ଧଧର୍ମୀ ସନ୍ଥକଵି
ଚର୍ଯ୍ୟାଗୀତି ମାନ  ଉଡ୍ର ଵିଭାଷାରେ ଲେଖିଥିଲେ । ସେତେବେଳେ ଉକ୍ତ ପଦ୍ୟଗୁଡି଼କର ପ୍ରଭାଵ ସମସ୍ତ ଓଡ଼ିଶାରେ ପଡି଼ଥିଲା ଏବଂ ତ୍ରୀକଳିଙ୍ଗରେ ଭାଷାଗତ ମାନକିକରଣ ଆରମ୍ଭ ହୋଇଯାଇଥିଲା ।

■■■■ଦେଶିଆ ଓଡ଼ିଆ  ଵା କୋଟିଆ ଓଡ଼ିଆ■■■■■

ଦେଶିଆ ଓଡ଼ିଆ କାଳିଙ୍ଗ୍ୟ ଅପଭ୍ରଂସ ର ଆଧୁନିକ ରୂପ ଏବଂ ଏହା କୋରାପୁଟ, ରାୟଗଡ଼,ନବରଙ୍ଗପୁର, ମାଲକାନଗିରି ଆଦି ଦକ୍ଷିଣ ପଶ୍ଚିମ ଓଡିଶା ତଥା ଵିଶାଖାପଟନମ୍ ଓ ଵିଜୟନଗରମ୍ ଵିଚ୍ଛିନାଞ୍ଚଳରେ ବୋଲାଯାଏ । 
ଦେଶିଆ ଭାଷାଶୈଳୀରେ ଓଡ଼ିଆ ଭାଷାର ଅନେକ ପ୍ରାଚୀନ ଶବ୍ଦ ଆଜି ଵି ଚଳୁଅଛି ଯେଉଁ ଶବ୍ଦ ମାନ ଓଡ଼ିଆ ମାନକ ଭାଷାର ସଂସ୍କୃତନିଷ୍ଠ ଓ ଆରଵୀ ପାର୍ସୀ ଅନୁକୃତ ଶବ୍ଦାଵଳୀ ଯୋଗୁଁ ହଜିବାକୁ ବସିଛି ।
■■■ଭତରୀ ଵା ଭତ୍ରୀ ଶୈଳୀ■■■
ଭତ୍ରୀ- ଵସ୍ତର ଆଦି ଵିଚ୍ଛିନାଞ୍ଚଳ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଚଳୁଥିବା ଏକ ଵିଶିଷ୍ଟ ଶୈଳୀ ।

■ହଲବୀ■
ଅଵିଭକ୍ତ ଵସ୍ତର ଜିଲ୍ଲା, ଛତିଶଗଡ଼ ରେ ବୋଲାଯାଉଥିବା ଓଡ଼ିଆ ଭାଷାର ଏକ ଉପଭାଷା ହେଉଛି ହଲଵୀ । ଏ ଭାଷା ଅନେକାଂଶରେ ମରାଠୀ ଓ ଆଷ୍ଟ୍ରୋଏସିଆଟିକ୍ ଭାଷା ଦ୍ଵାରା ପ୍ରଭାବିତ ହୋଇଅଛି । 

*.ଫୁଲଵାଣୀ ଓଡ଼ିଆ- ଫୁଲଵାଣୀ,ଫୁଲଵାଣୀ ନଗର,କନ୍ଧମାଳ ର ଖଜୁରୀପଡା଼ ବ୍ଲକ ଏଵଂ ବୌଦ୍ଧ କୁ ଲାଗିଥିବା ସୀମାନ୍ତ ଅଞ୍ଚଳରେ ବୋଲାଯାଏ । ଅଵିଭକ୍ତ ଫୁଲଵାଣୀ ଜିଲ୍ଲା ଵିଭାଜିତ ହୋଇ କନ୍ଧମାଳ ଓ ବୌଦ୍ଧ ହେଲାପରେ ମଧ୍ଯ ଏ ଉଭୟ ଉପଖଣ୍ଡରେ ଫୁଲଵାଣୀ ଶୈଳୀର ଲୋକପ୍ରିୟତା ଓ ଵ୍ୟଵହାର କମ୍ ହୋଇଯାଇନାହିଁ ।

◆◆◆◆◆◆◆ଆଦିବାସୀ ଭାଷାଗୁଡିକ ଦ୍ଵାରା ପ୍ରଭାଵିତ ଓଡ଼ିଆ ଶୈଳୀ◆◆◆◆◆◆

■■■■■■ସୁନ୍ଦରଗଡୀ଼ ଓଡ଼ିଆ■■■■■■

ସୁନ୍ଦରଗଡୀ଼ ଓଡ଼ିଆ ସୁନ୍ଦରଗଡ଼ ଜିଲ୍ଲା ତଥା ତହିଁ କୁ ଲାଗିକିରି ଥିବା ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବୋଲାଯାଏ ।

*.କଳାହାଣ୍ଡି ଓଡ଼ିଆ
କଳାହାଣ୍ଡି ଓଡ଼ିଆ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ତଥା  ଏହା ସହ ଲାଗିକି ଥିବା ଛତିଶଗଡୀ଼ ଅଞ୍ଚଳରେ ବୋଲାଯାଏ ।

■■■■■କୁର୍ମି ଓଡ଼ିଆ■■■■■
କୁର୍ମି ଓଡ଼ିଆ ଉତ୍ତର ଓଡ଼ିଶା ତଥା ଦକ୍ଷିଣ ପଶ୍ଚିମ ଵଙ୍ଗରେ ପ୍ରଚଳିତ ।

■■■ସାଉଁତି ଓଡ଼ିଆ■■■■
କୁର୍ମି ଓଡ଼ିଆ ପରି ସାଉଁତି ଓଡ଼ିଆ ମଧ୍ଯ ଉତ୍ତର ଓଡ଼ିଶା ତଥା ଦକ୍ଷିଣ ପଶ୍ଚିମ ଵଙ୍ଗରେ ବୋଲାଯାଇଥାଏ ।

■■■■ବାଥୁଡି଼ ଓଡ଼ିଆ■■■■■:
ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗରେ ବୋଲାଯାଏ  ।

■■■■କନ୍ଧ ଓଡ଼ିଆ■■■■
ପଶ୍ଚିମ ଓଡ଼ିଶାରେ କନ୍ଧଭାଷୀଙ୍କ ଦ୍ଵାରା କଥିତ ଓଡ଼ିଆ ଭାଷାକୁ କନ୍ଧ ଓଡ଼ିଆ କୁହାଯାଏ ।

■■■■ଲରିଆ■■■■
ଲରିଆ ଛତିଶଗଡ଼ ତଥା ପଶ୍ଚିମ ଓଡିଶାରେ ବୋଲାଯାଉଥିବା ଏକ ଓଡ଼ିଆ ଉପଭାଷା ।

■■■■ଅଘରିଆ■■■■
ପଶ୍ଚିମ ଓଡ଼ିଶାର ଅଘରିଆ ଜାତିର ଲୋକଙ୍କ ଦ୍ଵାରା ବୋଲାଯାଉଥିବା ଓଡ଼ିଆ ଭାଷାକୁ ଅଘରିଆ ଓଡ଼ିଆ କୁହାଯାଏ ।

■■■■ଭୁଲିଆ■■■■
ପଶ୍ଚିମ ଓଡ଼ିଶାର ଏକ ଆଦିବାସୀ ଶବ୍ଦ ମିଶ୍ରିତ ଓଡ଼ିଆ ଭାଷା ହେଉଛି ଭୁଲିଆ ।

■■■■ସାଦ୍ରୀ■■■■
ଓଡ଼ିଆ, ହିନ୍ଦୀ ଓ ଆଦିବାସୀ ଭାଷା ମିଶ୍ରିତ ଏକ ଭାଷା ହେଉଛି ସାଦ୍ରୀ । ସାଦ୍ରୀ ଭାଷାକୁ ଆଜିକାଲି ଅଧିକାଂଶରେ ନାଗରୀ ଲିପିରେ ଲେଖାଯାଉଥିଲେ ହେଁ ଏହାର ମୂଳ ଯେ ଓଡ଼ିଆ ଏକଥାକୁ ଭୂଲ କୁହାନଯାଇପାରେ ।

■■■■ବୋଡୋ଼ ପରଜା:ଝରିଆ■■■■
ବୋଡୋ଼ ପରଜା-ଝରିଆ ଜାତିର ଲୋକଙ୍କ ଦ୍ଵାରା କଥିତ ଓଡ଼ିଆ ଭାଷାକୁ ବୋଡୋ଼ ପରଜା ଵା ଝରିଆ ଓଡ଼ିଆ ଭାଷା କୁହାଯାଏ । ଏମାନେ ଵିଶେଷତଃ କୋରାପୁଟ ଜିଲ୍ଲାରେ ଦେଖାଯାନ୍ତି ।

■■■■ମାଟିଆ■■■■
ପଶ୍ଚିମ ଓଡିଶାର ମାଟିଆ ଜାତିର ଲୋକଙ୍କ କଥିତ ଓଡ଼ିଆ ଭାଷାକୁ ମାଟିଆ ଓଡ଼ିଆ କୁହାଯାଏ ।

■■■■ଭୂଇଁଆ ଓଡ଼ିଆ■■■■
ଦକ୍ଷିଣ ଓଡ଼ିଶାର ଭୂୟାଁ ଜାତିର ଲୋକଙ୍କ ଦ୍ଵାରା କଥିତ ଓଡ଼ିଆ ଭାଷାକୁ ଭୂଇଁଆ ଓଡ଼ିଆ କୁହାଯାଏ ।
■■■■ରେଲୀ■■■■
ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କେତେକ ଅଞ୍ଚଳରେ ଏହି ଭାଷା ଚଳୁଅଛି ।

■■■■କୁପିଆ■■■■
ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ର ବାଲ୍ମୀକି ଜାତିର ଲୋକଙ୍କ ଦ୍ଵାରା ଵ୍ୟଵହୃତ କଥିତ ଓଡ଼ିଆ ଭାଷାକୁ କୁପିଆ କୁହାଯାଏ । ଏହି ଓଡ଼ିଆ ବାଲ୍ମୀକି ଜାତି ଵିଶେଷତଃ ହାଇଦ୍ରାଵାଦ,ମେହବୁବନଗର,ଶ୍ରୀକାକୁଲମ, ଵିଜୟନଗରମ୍, ପୂର୍ବ ଗୋଦାଵରୀ ଓ ଵିଶାଖାପଟନମ୍ ଜିଲ୍ଲାରେ ଦେଖାଯାଅନ୍ତି ।

●ଓଡ଼ିଆ ଆଞ୍ଚଳିକ ଶବ୍ଦାଵଳୀ ୩●

→ଅଞ୍ଚଳଗଣ୍ଠି ଟାଣିବା―ପ୍ରତିଜ୍ଞା କରି କାନିରେ ଗଣ୍ଠି ପକେଇବା
→ଅଞ୍ଚଳା/ଅଁଚଳା―ସ୍ତ୍ରୀ ମାନଙ୍କର ଶାଢ଼ୀ ର ଯେଉଁ ଅଂଶ କାନ୍ଧ ଉପର ଦେଇ ପିଠି ଆଡ଼କୁ ଲମ୍ଵିଥାଏ(ହିନ୍ଦୀ―आंचल)
→ଅଞ୍ଚାଅଞ୍ଚି―ଉହୁଙ୍କେଇବା,ଉହୁଙ୍କାଉହୁଙ୍କି,ପରସ୍ପରକୁ ଆକ୍ରମଣ
→ଅଞ୍ଚାଡ଼―ଶଗଡ଼ ର ଅଖ(କଳାହାଣ୍ଡି, ମହାକାନ୍ତାର ଦେଶ)
→ଅଞ୍ଜନକାଠି―ଆଖିରେ କଜଳ ଲଗେଇବା ପାଇଁ ଵ୍ୟଵହୃତ କାଠ ଵା ଧାତୁର ଶଳାକା
→ଅଞ୍ଜୁଳା―ଆଞ୍ଜୁଳା,ଦୁଇକର ଯୁକ୍ତ କରି ପାତ୍ର ସଦୃଶ କରାଇବା ଅଵସ୍ଥା
→ଅଟ୍ ପଟ୍―କଷ୍ଟସାଧ୍ୟ, ଦୁଃସାଧ୍ୟ(ପ.ଓ)
→ଅଟ―ଆଚ୍ଛାଦନ,କଜଳ
→ଅଟ―ଭୁ ଧାତୁର ଵର୍ତ୍ତମାନ କାଳରେ ଵ୍ୟଵହୃତ ଅଦ୍ୟାଂଶ(ଅଟ,ଅଟୁ,ଅଟଇ,ଅଟନ୍ତି ଇତ୍ୟାଦି)
→ଅଟକଳ―ଅନୁମାନ,ପରିମାଣ, ଇୟତ୍ତା,
→ଅଟକାଳି―ଘନାଜାଉ,ଶସ୍ୟଚୂର୍ଣ୍ଣ ଦ୍ଵାରା ପ୍ରସ୍ତୁତ କ୍ଷୀରି
→ଅଟଙ୍କା―ହାତର ପ୍ରସାରିତ ମୁଠା;ଧାନଗଛ ଧରି କାଟିବାର ଶୈଳୀ ଵିଶେଷ(ଅନ୍ୟ ରୂପ:-ଅଟଙ୍ଗା)
→ଅଟଜଟ―ଅସମ୍ଵନ୍ଧ ଵାକ୍ୟ, ପ୍ରଳାପ,ଅମୂଳକ ଅପଵାଦ,ଅଝଟ
→ଅଟଜଟିଆ―ଅଝଟିଆ
→ଅଟପା―ଅଖଞ୍ଜିଆ,ଅସୁଵିଧାଜନକ
→ଅଟରପଟର―ଗୋଳମାଳିଆ,ଅସମ୍ଵନ୍ଧ କଥା,ଅସ୍ଥିର; ଏକ ସ୍ଥାନରୁ ଅନ।ୟ ସ୍ଥାନକୁ ଖସିଯିବା ଅଵସ୍ଥା
→ଅଟରି―ଖୋର୍ଦ୍ଧା ର ଗୋଟାଏ ଉଷ୍ମପ୍ରସବଣ ର ନାମ(ଅନ୍ୟନାମ:-ଅଟ୍ରି)
→ଅଟଳଟଳ―ଯାହା ଟଳଟଳ ଵା ଟଳମଳ ହେଉଥାଏ,ଅସ୍ଥିର, ପଵନୋନ୍ମୁଖ
→ଅଟିଳ―Machilus ପାଦପ ପ୍ରଜାତିର ଏକ ଜାତୀୟ ବୃକ୍ଷ(ଗଡ଼ଜାତ)
→ଅଟୁଟ୍―ଅତୁଟ,ଅକ୍ଷୟ(ଵସ୍ତର-ଭତ୍ରୀ ହଲବୀ ଶୈଳୀ)
→ଅଟେଇ―ଗୋରୁ ରଖାହେବା ବଡ଼ ଘେରାସ୍ଥାନ(ତାମିଲ=ଅଡେ଼ଇ-ଘେରାଇବା,ବେଢାଇବା),ଅମାର,ଗଡ଼ଜାତ ଅଞ୍ଚଳରେ ଏ ଶବ୍ଦ ବଡ଼ କୋଡ଼ମେଇ ଅର୍ଥ ରେ ଵ୍ୟଵହୃତ ହୋଇଥାଏ
→ଅଟାଳି―ଅଟ୍ଟାଳିକା
→ଅଠଉର―ଅସ୍ଥିର,ଅନିଶ୍ଚିତ, ଭ୍ରମଣଶୀଳ
→ଅଠଣ―ଅଘଧଣ,ଅସୁନ୍ଦର
→ଅଠା―Gum,ଘନ ନିର୍ଯ୍ୟାସ
→ଅଠାକାଠି―କେଳାଙ୍କ ଅଠାଯୁକ୍ତ କାଠି,ଚକ୍ରାନ୍ତ, ବିପଦ,ଫାନ୍ଦ,(ଅନ୍ୟରୂପ:-ଅଠିକାଣ୍ଡିଆ)
→ଅଠାଠିକ୍―ମୂର୍ମୂଷୁ ଅଵସ୍ଥା,
→ଅଠାଣଉ―୯୮(ଅଠାନବେ ପାଇଁ ପ୍ରାଚୀନ ଓଡ଼ିଆରେ ଏହି ଶବ୍ଦ ର ବହୁତ ଵ୍ୟଵହାର ଥିଲା ତେବେ ଏହା ଵର୍ତ୍ତମାନ କମ୍ ପ୍ରଚଳିତ)
→ଅଠାଣିଆ―ଅସୁନ୍ଦର, ଅଘଟଣ
→ଅଠାବୁଆ―(ଅଣଠାବୁଆ),ଅସୁଵିଧାଜନକ,ଯେଉଁ ଵ୍ୟକ୍ତି ଵିପଦସଙ୍କୁଳ ସ୍ଥାନରେ ଵିଚରଣ କରେ
→ଅଠାଶଟା/ଅଠାଶଠା―ଯତ୍ନ ପୂର୍ଵକ କରା ନ ଯିବା କାର୍ଯ୍ୟ
→ଅଠାସିଆ―ଯେଉଁ ପିଲା ଆଠ ମାସରେ ଜନମିଥାଏ
→ଅଠାସୁଆ―ଉତ୍ତମ ରୂପ ତଞ୍ଛା ଵା ସୁଆଁସ ହୋଇନଥିବା ପଥରଖଣ୍ଡ
→ଅଠିଲ୍―ଭୁରି,ଯଥେଷ୍ଟ ଅପେକ୍ଷା ଅଧିକ,ଦୃଢ଼,ବଳୁଆ,ଅତିରିକ୍ତ,ପୂର୍ଣ୍ଣ
→ଅଠିଲ―କାଠର ଛୋଟଦାନା ଯୁକ୍ତ ମାଳି(ଅନ୍ୟ ରୂପ-ଅଠେଲ୍-ସମ୍ଵଲପୁର)
→ଅଡ୍.ହା―ଦାନ୍ତପାଟି(ଵସ୍ତର-ହଲ୍ଵୀ-ଭତରୀ ଓଡ଼ିଆ)
→ଅଡ଼―ଅଭିମାନ,ରୁଷା,ହଟ,କବାଟର ଅର୍ଗଳ ବା କିଳିଣି
→ଅଡଂ―ଅଡଙ୍ଗ
→ଅଡ଼କ୍―ଏତେ(ଭତରୀ ଭାଷା;ସଂ ସମାନାର୍ଥକ ଶବ୍ଦ ଏତତ୍)
→ଅଡ଼କ୍ ଦାଇଁ―ତତ୍ କ୍ଷଣାତ୍,ଏତେ ଶିଘ୍ର
→ଅଡ଼କରା―ଅନିମନ୍ତ୍ରିତ,ଅନାହୁତ-ନ ଡାକି ମଧ୍ଯ ଯେ ଆସେ(ଅନ୍ୟରୂପ:-ଅଡ଼କା-ସମ୍ଵଲପୁର,
→ଅଡ଼ଙ୍କଳା―ଆଡ଼କଳା,ଈଷତପକ୍ଵ,ଅର୍ଦ୍ଧ ପକ୍ଵ(ଗଡ଼ଜାତ)
........
କ୍ରମଶଃ
….....

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Thursday, June 28, 2018

ଆହ୍ଵାନ

ପଢି ଶୁଣି ଦେଖି ସବୁ କାଢିଲୁ ଏ  ନିଷ୍କର୍ଷ
ଯୋଦ୍ଧା ପରି ଲଢୁଥାଅ ଜୀବନ ହିଁ ସଂଘର୍ଷ ।।
ସର୍ବେ ଆପଣାର ସ୍ଵାର୍ଥ ଦେଖନ୍ତି ଜଗତେ
କେଵଳ ତୋ କର୍ମ ଅଛି ତୋହରି ହାତେ ।।
କର୍ମକ୍ଷେତ୍ରେ ଯେ ନିଜ ଲକ୍ଷ୍ୟ ସାଧି ପାରେ
ସେହି ସିନା ଵିଜୟର ମଧୁ ଚାଖିପାରେ ।।
ପ୍ରକୃତିର ନିୟମ ଏ ବଦଳି ଥାଏ ସଦା
ଚାଲେ ଯେ ଯୁଗ ସାଥେ ନ ହାରଇ କଦା ।।
ମୌନ ଏବେ ପରିଵେଶ ଚାହୁଁଅଛି ହୁଁକାର
ଉଠ ଉଠ ତୁମେ ମାନେ ମଠ ଆଉ ନକର ।।
ଜାଗ ଆଗେ ବଢି ଚାଲ କର ଶକ୍ତି ସନ୍ଧାନ
ଦୃଢ ସଂକଳ୍ପ ନେଲେ ହିଁ ହେବ ନଵନିର୍ମାଣ ।।
ଏମିତି କିଛି କରିଚାଲ ବଢୁ଼ ଵିଶ୍ଵେ ମାନ
ଜଗତର ଭିଡ଼ ମଧ୍ୟେ ମିଳିଯାଉ ସମ୍ମାନ ।।

Tuesday, June 26, 2018

ଅଧା ରହିଯାଏ ମୋ କଥା

ଆଗେ ଯେଉଁ ସ୍ମୃତିରୁ
ଦିନ ମୋହର ରଙ୍ଗୀନ
ହୋଇଯାଉଥିଲା....

ଆଜି ଭାବୁଛି ଯେବେ
ସେହି ସ୍ପର୍ଶ,
ସେହି ପିଲାଦିନ,
ସେହି ସମ୍ପର୍କ ର କଥା ।।

ଲେଖିବାକୁ ଯାଇ ଲେଖି ହେଉ ନାହିଁ
ହାତ ଥରିଯାଏ
ମନ ଡରିଯାଏ
ଦୁଃଖରେ ହୃଦୟୁଁ ଉଠଇ ଵ୍ୟଥା ।।

ତଥାପି ସ୍ଵୟଂ କୁ ସମ୍ଭାଳି
ଲେଖି ବସେ ଯେବେ
ହୃଦୟ କାଗଜେ
ସ୍ମୃତି ର ସେସବୁ ଗାଥା ।।

କି ଭାସିଯାଏ ମୋର
କାଗଜେ ଶବ୍ଦ
ହଜିଯାଏ କାହିଁ
ଲେଖିଲା ଫର୍ଦ୍ଦ
ଗଡି଼ଯାଏ ଦିନ
ବଦଳେ ଜଗତ
ହେଲେ
ଅଧା ରହିଯାଏ ମୋ କଥା ।।

ଭକ୍ତ ହୁଅ କି ଚାମଚା

“There are two ways of spreading light: to be the candle, or the mirror that reflects it.”

Edith Wharton ଙ୍କ ହିସାବରେ ସମସ୍ତ ବିଶ୍ବକୁ ଆଲୋକରେ ଆଲୋକିତ କରିବାକୁ ଚାହୁଁଥିଲେ ତୁମ ପାଖରେ ଦୁଇଟି ରାସ୍ଥା ଅଛି ।
୧.ନିଜେ ମହମବତୀ ହୋଇଯାଅ
କିମ୍ବା
୨.ସେଇ ଦର୍ପଣ ହୁଅ ଯିଏ ମହମବତୀର ଆଲୋକକୁ ଅନ୍ୟତ୍ର ପ୍ରତିଫଳିତ କରିପାରେ ।

ଏଇକଥାକୁ ସିଧାସଳଖ କହିବାକୁ ହେଲେ
ଆମେ କହିପାରିବା ....
ତୁମେ ନିଜେ ଭଗବାନ ହୋଇଯାଅ କିମ୍ବା  ଭଗବାନଙ୍କ ଭକ୍ତ ହୋଇ ତାଙ୍କ ନାମ ସଂକୀର୍ତ୍ତନ କର ....
ଧୁଆମୂଳା ଅଧୁଆମୂଳା ସମାନ
ତେଣୁ ଭକ୍ତ ଓ ଚାମଚା ମଧ୍ୟ ସମାନ
କାରଣ ମୋଦୀ ଜଣେ ଭଗବାନ ନୁହେଁ ତାଙ୍କ
ଚାମଚାଙ୍କୁ ଭକ୍ତ କହି ବିପକ୍ଷ ଦଳ ନିଜେ ହିଁ ଲୋକହସାର କାରଣ ହୋଇଛନ୍ତି .....

ଆମ ଓଡ଼ିଆ ଫିଲ୍ମ ଯାଯାବରରେ ସେଭଳି ପାର୍ଟିବାଦୀ ଚାମଚାଙ୍କ ପାଇଁ ଗୀତଟିଏ ଅଛି

*ଦନେଇ ଦାସ କହେ ରେ ଭାଇ
କଥା ଏ ପୁରା ସଚ୍ଚା
ଏ ଦୁନିଆରେ କେହି ନା କେହି
କାହାର ତ ଚମଚା*

ତେଣୁ ନିଜକୁ ଭକ୍ତ କହି ତୁଚ୍ଛା ଗର୍ବ କରୁଥିବା ଗାଲୁଆ ମାନେ ମଧ୍ଯ ଅଧିକ ଉତ୍କଣ୍ଠିତ ହୋଇଯିବାରେ କୌଣସି ଲାଭ ନାହିଁ
ସେମାନେ ମାନନ୍ତୁ କି ନ ମାନନ୍ତୁ
ଦୁନିଆ ତାଙ୍କୁ​ ଚାମଚା ହିଁ କହିବ

😂😂😂😂😇

Monday, June 25, 2018

■■■■■ସଲି ଯିବା ଓ ଶଲ■■■■■


କଟକ ଜିଲ୍ଲାରେ କୁହନ୍ତି  ଦେହ ହାତ #ସଲି_ଯାଉଛି ଵା #ସଲି_ଯିବା  l
ସ୍ଥାନୀୟ ଲୋକଙ୍କୁ ପଚାରିଲେ ସେମାନେ ସଲି ଶବ୍ଦ ର ଅର୍ଥ କରି କୁହନ୍ତି–
#ସଲୁଛି ମାନେ
→ଝିମ୍ ଝିମ୍ ଲାଗୁଛି ,
→ଦୁର୍ବଳ ଲାଗୁଛିି ।

କିନ୍ତୁ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉକ୍ତ ଶବ୍ଦ ଖୋଜାଗଲା ‛ସଲି ଯିବା’ ବୋଲି କୌଣସି ଶବ୍ଦ ମିଳିଲାନି ।
ହଁ ସଲୀ/ସଳୀ  ବୋଲି ଗୋଟାଏ ଶବ୍ଦ ମିଳିଲା
ଯହିଁ ର ଅର୍ଥ ଲେଖାଥିଲା
୧.ଶତ୍ରୁ
୨.ଦୂର୍ଘଟଣା
୩.ଵିଵାଦ
୪.ଅରିଷ୍ଟ
୫.ଶତୃତା

ତେବେ
ଆମର ଯେଉଁ ଶବ୍ଦ ମାନ ଦନ୍ତ୍ୟ ‛ସ' ରେ ମିଳେ ନାହିଁ ସେସବୁ ତାଲଵ୍ୟ ‛ଶ’ ଏଵଂ ମୂର୍ଦ୍ଧନ୍ୟ ‛ଷ’ ରେ ଖୋଜିବା ଵିଧେୟ ।
ତେଣୁ ଯେତେବେଳେ ତାଲଵ୍ୟ ‛ଶ' ରେ
‛ସଲି’ ଭଳିଆ ଶବ୍ଦ ଖୋଜାଗଲା
‛ସଲି’ ପରି ସମାର୍ଥକ ଶବ୍ଦ ‛ଶଲି’ ତ  ମିଳିଲାନି
କିନ୍ତୁ ‛ଶଲ’(ସଂ-ଶଲ୍ୟ) ବୋଲି ଏକ ଶବ୍ଦ ମିଳିଲା ଏଵଂ ବହୁତ ସମ୍ଭବ ଏ ଶବ୍ଦ ସହିତ ଶଲି/ସଲି ଶବ୍ଦ ର ସମ୍ବନ୍ଧ ଥିବା ଅନୁମାନ କରାଯାଇପାରେ ।
■ଏହି ଦେଶଜ ‛ଶଲ’ ଶବ୍ଦ ର ଅର୍ଥ■
          ◆(କ)ଵିଶେଷ୍ୟ◆
୧.ଵାଧା ଵିଘ୍ନ
୨.ଅନିଷ୍ଟକାରୀ ଵ୍ୟକ୍ତି
୩.ଅମଙ୍ଗଳ
୪.କଣ୍ଟା
୫.ଶତ୍ରୁ
           ◆(ଖ)ଵିଶେଷଣ ◆
୧.ମନ୍ଦ
୨.ଅମଙ୍ଗଳ
୩.ଅନିଷ୍ଟକାରୀ

ତେବେ ଦେଶଜ ଶବ୍ଦ  #ଶଲ ର ଆର୍ଥିକ ଵ୍ୟାଖ୍ୟା କରି ଦେଖାଯାଉ
ତହିଁ ରୁ ଶଲି/ସଲି ଆଞ୍ଚଳିକ ଶବ୍ଦ ର ଅର୍ଥ ପରି ଅର୍ଥ ସୃଷ୍ଟି ସମ୍ଭବ ହୋଇପାରୁଛି କି .....

ଆମ ଦେହକୁ ଝିମ୍ ଝିମ୍ ଲାଗିଲେ ଅନୁଭମ ହୁଏ
ଯେମିତି କିଏ ଅନେକ ଅତି ସରୁଆ ସରୁଆ #କଣ୍ଟା ଫୋଡୁଛି କି......
ପୁଣି ଦେହ ଝିମ୍ ଝିମ୍ ଲାଗିବା ଓ ଦୂର୍ଵଳ ଲାଗିବା
#ଜୀଵନ ପ୍ରତି #ଵାଧା #ଵିଘ୍ନ ସୃଷ୍ଟିକାରୀ...

ଏହା #ରୋଗ ର ଲକ୍ଷଣ ପ୍ରକାଶ କରେ ତେଣୁ #ଅମଙ୍ଗଳ ସୂଚକ
ଆଉ ରୋଗ ଟା ଶରୀରର,ସ୍ଵାସ୍ଥ୍ୟର ଓ। ଜୀଵନର ସବୁଠାରୁ ବଡ଼ #ଶତ୍ରୁ ନୁହେଁ କି ?

ପୁଣି ଶଲ ଶବ୍ଦ ର ଦେଶଜ ଵିଶେଷଣ ଅର୍ଥ
ମନ୍ଦ ,ଅମଙ୍ଗଳ ତଥା ଅନିଷ୍ଟକାରୀ
ଏ ସମସ୍ତ ଵିଶେଷଣ ଅର୍ଥ  ରୋଗ ର ଗୁଣ କୁ ସୂଚାଉ ଅଛି ।
ରୋଗ ମନୁଷ୍ୟ ପାଇଁ ଅତ୍ୟନ୍ତ ମନ୍ଦ,ଅମଙ୍ଗଳ ସୂଚକ ପୁଣି ମୃତ୍ୟୁ ମୁଖରେ ପକେଇପାରୁଥିବା ଅନିଷ୍ଟକାରୀ ଶତ୍ରୁ ମଧ୍ୟରେ ଅନ୍ୟତମ ।

ଶଲ ପରି ସଳୀ ଵା ସଲୀ ମଧ୍ଯ ଶଲ୍ୟ ଶବ୍ଦ ସହିତ ସମ୍ବନ୍ଧିତ ଏବଂ ଏ ଉଭୟ ଶବ୍ଦ ମଧ୍ୟରେ କେତେକ ଅର୍ଥଗତ ସାମଞ୍ଜସ୍ୟତା ଵି ଅଛି

ତେଣୁ ଶଲ ଶବ୍ଦ ର ଆର୍ଥିକ ଵ୍ୟାଖ୍ୟା ରୁ ଅନୁଭୁତ ହେଉଛି ଯେ ସମ୍ଭଵତଃ ଏହି ସଲି ଵା ଶଲି ଶବ୍ଦ ର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ଵନ୍ଧ ଦେଶଜ ଶଲ ଶବ୍ଦ ସହିତ ଥାଇପାରେ ।

★ତଥ୍ୟ ସହାୟତା★
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଭାଗ
#ପୂର୍ଣ୍ଣଚନ୍ଦ୍ର_ଭାଷାକୋଷ

●ତୁ ମନ କାହିଁକି ଏତେ ଅହଂ ଭାବେ ବୁଡି଼ଛୁ●

ତୁ ମନ କାହିଁକି ଏତେ ଅହଂ ଭାବେ ବୁଡିଛୁ,
ହୃଦେ କାମ କ୍ରୋଧ ମୋହ ଧରି ଉଡୁଛୁ ?
ତୋ ଠୁଁ ଵି ବଡ଼ ବଡ଼ ଜନ ଆସି ଗଲେଣି
ଅହଂ ନ ସହଇ କାଳିଆ ନା ସହେ ଧରଣୀ ।

ଥିଲା ଜଣେ ରଜା  ଲଙ୍କା ନଗରୀ ମଧ୍ୟରେ
ଅହଂକାର କରି ବଞ୍ଚି ଥିଲା ସେହି ଯୁଗରେ
ନେଲେ ଅଵତାର ଜଗନ୍ନାଥ ରାମ ରୂପରେ
ଏ ମୂର୍ଖ ଲାଗିଲା କଳି ଯାଇ ତାଙ୍କ ସାଙ୍ଗରେ ।

ମାତାଙ୍କୁ ଚୋରେଇ ଅଶୋକ ବନେ ରଖିଲା
ଵିଶ୍ଵପତିଙ୍କୁ ଲଢିବାକୁ ଯୁଦ୍ଧକ୍ଷେତ୍ରେ ଡାକିଲା
ପ୍ରଭୁ ଦେଖିଲେ ଏଟା କେଡ଼େ ନିପଟ ମୂର୍ଖ
ତଥାପି ଶେଷଥରକ ତା ମନ କଲେ ପରଖ ।

ପଠାଇଲେ ଶାନ୍ତିଦୂତ ରାଵଣ ସଭାଗୃହକୁ
ବାଳିପୁତ୍ର ଅଙ୍ଗଦ ପରମ ଵୀରଵରଙ୍କୁ
କିନ୍ତୁ ସେ ମୃଢ ରାବଣ କିଛି  ନ ଶୁଣିଲା
ଅଙ୍ଗଦଙ୍କୁ ମାରିଦେବାକୁ ଉଦ୍ୟତ୍ତ ହେଲା ।

କୁହନ୍ତି ଅଙ୍ଗଦ ଦର୍ପେ ଆରେ ହେ ଲଙ୍କାପତି
ଭୂଲିଗଲୁ କି ମୋ ପିତାଙ୍କ ଅମର ଖ୍ୟାତି ?
ମୁଁ କିନ୍ତୁ ଶ୍ରୀରାମ ଭକ୍ତ ପ୍ରଣ କରି କହୁଛି
ସାମର୍ଥ୍ୟ ଅଛି ତ ଉଠା ମୋ ଗୋଡ଼ ଗୋଟି ।

ଉଠାଇ ଦେଉ ଯଦି ତୁ ମୋ ପାଦ ଟା ତଳୁ
ରାମଙ୍କ ରାଣ ଛାଡ଼ି ଯିବୁ ଆମେ ଲଙ୍କାପୁରୀକୁ
ତହୁଁ ଵୀର ଅଙ୍ଗଦ ଭୂମିରେ ପାଦ ଥାପିଲେ
ଶ୍ରୀରାମ ଙ୍କୁ ସୁମରି ପ୍ରଭୁ ନାମ ଜପିଲେ ।

କ୍ରୋଧରେ ରାବଣ ପାଦ ଧରିବାକୁ ଉଠିଲା
ତା ଦେଖି ଅଙ୍ଗଦ ବହେ  ହସି ବୋଇଲା,
ରାମଙ୍କ ସଙ୍ଗେ ଯେ ଯେବେ ଵୈର କରେ
କେ କେତେ ଲୋକଙ୍କ ସେ ପାଦ ନ ଧରେ !

ସେ ରାଵଣ ରାକ୍ଷସ ରାମଵାଣରେ ମଲା
ରାମ ନୁହେଁ ତାକୁ ତା’ର ଅହଂ ମାରିଲା
ମୋ ମନ ଶିକ୍ଷା ନେ ତୁ ଯେ ଏହି କଥାରୁ
ଦୂରେ ରହ ଅହଂକାର ଗୁଣ କର୍ମ ଆଦିରୁ ।

ସହସ୍ର ଯୁଗ ଵିତିଛି କେତେ  ଜନ୍ମ ହେଇ
ଏଥୁଁ ତରିବା ଆସ ଶ୍ରୀରାମ ନାମ ନେଇ
ଭଣଇ ଦୀନ ଶିଶିର ଶ୍ରୀରାମ କୃପାରୁ
ଏ ହୀନ ମୁଖ ସଦା ରାମନାମ ଗାଉଥାଉ ।

Sunday, June 24, 2018

ଶ୍ଲୋକାନୁଵାଦ-୧


ଇଏ ମୋ ନିଜର
        ସିଏ ଯେ ପର
ବିଚାର ଏ ସଙ୍କୁଚିତ ଭାବଧାରା
ଥାଏ କିଛି ଲୋକଙ୍କର....

ଉଦାର ଯା'ର ହୃଦୟ ବିଶ୍ବେ
ବିଶ୍ବକୁ ଭାବେ ଘର
ବିଶ୍ବବାସୀ ବନ୍ଧୁ ଭ୍ରାତା ଜଗତ କୁଟୁମ୍ବ ତା'ର

ମୂଳ:-
अयं निज: परो वेति गणना लघुचेतसाम् ।
उदारचरितानां तु बसुधैव कुटुम्बकम् ।।
(पंचतंत्र,अपरीक्षित-३८)

Saturday, June 23, 2018

ଜନତା

କେତେଜଣ ଜନତା ମିଶିକି ଗୋଟାଏ ଦଳ ଗଢିବେ ବୋଲି ମନସ୍ତ କଲେ । ତନ୍ମଧ୍ୟରୁ
ଜଣେ ଜନତା ଉଠିପଡ଼ି କହିଲେ ପାଞ୍ଚ ଛଅ ଜଣ  ମହିଳା ଲୋକ ଖୋଜୁଛୁ ।
ମୁଁ କହିଲି
“ସତେ ତ ! ଖେଳରେ ଚିଅରଲିଡର୍ ନରହିଲେ ଆଦୌ ମଜା ଆସିବନି ।"

ଜନତାଙ୍କ ପ୍ରତ୍ୟୁତ୍ତର ଥିଲା.....
“ଆଜିକାଲି ତ କୁକୁର ଵିଲେଇ ଵି କଵିତା ପ୍ରଵନ୍ଧ ଲେଖିଲେଣି ଏଇଟା କୋଉ ଅସମ୍ଭଵ କଥା 😂ଆମକୁ କିନ୍ତୁ ସରକାର ଙ୍କ ମୁହଁରେ କଥା କହିପାରିଲା ଭଳିଆ ମହିଳା ଲୋଡା଼.....”

ତେବେ ଜନତାଙ୍କ କହିବା ମୁତାବକ
ମୁଁ ଆଜିଯାଏଁ  ଏମିତି କୌଣସି କୁକୁର କି ବିଲେଇ ଦେଖିନି ଯିଏ କି ପଢି ଲେଖି ପାରୁଥିବେ.....😀😀😀
ବୋଧହୁଏ ଜନତା ଏଠାରେ କହିବାକୁ ଚାହୁଁଛନ୍ତି
ଯେ
“କଵିତା ଓ ଲେଖା ଲେଖିବାଟା କିଛି ବଡ଼ କଥା ନୁହେଁ କେହି ଵି ଲେଖିପାରେ ।”
ଵା
“ଆଜିକାଲି ରାମା ଗାମା ଶାମା ସଭିଏଁ କଵିତା କାହାଣୀ ଲେଖିଲେଣି”
କିମ୍ବା
(ମୋ ପ୍ରତି ବୁମେରାଂ ଵାକ୍ୟ ପ୍ରୟୋଗ) ହଁ ଵା ଲେଖିକି କୋଉ ତାଡି଼ ପକେଇବ ତେମେ ଲେଖକ କଵି ମାନେ ଯଦି ପାରୁଛ ସମାଜ ପାଇଁ କିଛି କର !

ଜାଣିନି ଜନତାଙ୍କର ଏମନ୍ତ କହିବାର ଅସଲ ଅର୍ଥ କଣ୍ ଥିଲା ତେବେ ମୁଁ  ତାଙ୍କୁ ପ୍ରତ୍ୟୁତ୍ତର ଦେବାକୁ ଯାଇ କେଵଳ ଏତିକି କହିଲି

“କଵିତା କାହାଣୀ ପ୍ରବନ୍ଧ ଲେଖୁଥିବା କୁକୁର ଵିଲେଇଙ୍କ ଭିତରେ ଵି ଜାତୀୟତା ଥାଇପାରେ
ଟିକିଏ ନିରିକ୍ଷେଇ କି ଦେଖନ୍ତୁ ସମ୍ଭଵତଃ
ଗୁଡାଏ ଲୋକ ମିଳିଯିବେ”

ଏ ଵିଷୟରେ ଲେଖାଯିବା ସୁଦ୍ଧା ଜନତାଙ୍କର ଆଉ ପ୍ରତ୍ୟୁତ୍ତର ଆସିନାହିଁ

ଏସିଆ ର ଦେଶ

ASIA ରେ ବର୍ତ୍ତମାନ ଆଧିକାରିକ ମୋଟ 44ଟି ଦେଶ ରହିଛି । ନିମ୍ନରେ ସେଗୁଡ଼ିକ ନାମ ପ୍ରଦାନ କରାଗଲା ।

ଆଫଗାନିସ୍ତାନ
ଇଣ୍ଡୋନେସିଆ
ଇରାନ୍
ଇରାକ୍ ଇଜ୍ରାଏଲ୍
ଉଜବେକିସ୍ଥାନ
ଉତ୍ତର କୋରିଆ
ଓମାନ
କଜାକସ୍ଥାନ
କାମ୍ଵୋଡିଆ
କିରଗିଜ୍ ସ୍ଥାନ
କୁଏତ୍
କ୍ଵା଼ତ଼ର
ଚୀନ
ଜାପାନ
ଜୋର୍ଡାନ୍
ତାଜିକିସ୍ତାନ
ତୁର୍କମେନିସ୍ତାନ
ତୁର୍କୀ
ଥାଇଲାଣ୍ଡ
ଦକ୍ଷିଣ କୋରିଆ
ନେପାଳ
ପାକିସ୍ତାନ
ପୂର୍ବ ଟିମୋର୍
ଫିଲପାଇନ୍ସ
ବାଙ୍ଗ୍ଲାଦେଶ
ବାହାରିନ୍
ବୃନେଇ
ଭାରତ
ଭୀଏତନାମ
ଭୁଟାନ
ମଙ୍ଗୋଲିଆ
ମାଲେସିଆ
ମାଲଡିଵ୍ସ
ମିୟାଁମାର
ରୁଷିଆ
ଲାଓସ୍
ଲେବାନନ୍
ସାଉଦି ଆରବ
ସିଙ୍ଗାପୁର
ସିରିଆ
ଶ୍ରୀଲଙ୍କା
ୟୁଏଇ(United Arab Emirates)
ୟେମନ୍

Friday, June 22, 2018

ପାଦେ ହାଇହିଲ ଜୋତା

ପାଦେ ହାଇହିଲ୍ ଜୋତା
ହାତରେ ରଙ୍ଗୀନ ଛତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା-୨
ପାଦେ ହାଇହିଲ୍ ଜୋତା....

ଅଧରେ ମୋହର ଲିପିଷ୍ଟିକ୍ ଗାର
ଶୋଭଇ କୁଞ୍ଚିତ କେଶ
ଶୋଭଇ କୁଞ୍ଚିତ କେଶ

ଉଚ୍ଛୁଳାଇ ମୋର ସୁଗନ୍ଧି ସମ୍ଭାର
ଇଭିଇନିଂଗ୍ ଟେରିସନ
ଇଭିଇନିଂଗ୍ ଟେରିସନ...
ମୁଣ୍ଡେ ଉଡେ଼ ନାଲି ଫିତା
ଖୋଲା ମୋର ବାହୁଲତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା .....

ପଟା ବ୍ଲାଉଜର ଫାଙ୍କ ଉହାଡେ଼
ଉଙ୍କି ମାରେ ମାଦକତା
ଉଙ୍କି ମାରେ ମାଦକତା
ଝିନ୍ନ ଵସନର ପଣତ ଗଉଡେ଼
କହିବୁଲେ କେତେ କଥା
କହିବୁଲେ କେତେ କଥା

ନାହିଁ ପାଦରେ ଅଳତା
ଅଙ୍ଗେ ଅଙ୍ଗେ ନୂତନତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା .....

ଯେବେ ମୁଁ ଟହଲେ ନଈ କୂଳେ କୂଳେ
ଖୋଲେ ଜଟକାଙ୍କ ଦଳ
ଖୋଲେ ଜଟକାଙ୍କ ଦଳ
ଭ୍ରୁଲତା ନଚାଇ ଗୀତ ଗାଇ ଗାଇ
କରନ୍ତି ଗୋ ଗଣ୍ଡଗୋଳ
କରନ୍ତି ଗୋ ଗଣ୍ଡଗୋଳ
ମୁଖେ ସୁମଧୁର କଥା
ନାମ ମୋହର ଵନିତା

ପାଦେ ହାଇହିଲ୍ ଜୋତା
ହାତରେ ରଙ୍ଗୀନ ଛତା
ଛାତି ଫୁଲାଇ ଚାଲେ ଗୋ
ମୁଁ ଏ ଯୁଗର ଦୁହିତା
ପାଦେ ହାଇହିଲ୍ ଜୋତା....

(ଏ ଗୀତ ଟି ଏକ ରାଜକପୁରଙ୍କ ଏକ ପ୍ରଶିଦ୍ଧ ଗୀତର ସଂଗୀତ ଅନୁକରଣରେ କରାଯାଇଛି ।ଏ ଗୀତ କୁ ରମ୍ଭା,ଗଞ୍ଜାମ ଜିଲ୍ଲାର ଵିନୋଦିନୀ ଦେଵୀ ଗାଇଥିଲେ । 50 ଦଶକରେ ଓଡ଼ିଆ ଗୀତ ଗାଉଥିବା ଗାୟିକାଙ୍କ ମଧ୍ୟରେ ଏ ଥିଲେ ଅନ୍ୟତମା । କଟକ ଵେତାର କେନ୍ଦ୍ର ଖୋଲିଲା ବେଳକୁ ଵିନୋଦିନୀ ଦେଵୀ ସେଥିରେ ଯୋଗ ଦେଇଥିବା ପ୍ରଥମ ଗାୟିକା ଥିଲେ । ସେ ଚାରୋଟି ଆଲବମ୍ ସହ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତରେ ମଧ୍ଯ କଣ୍ଠଦାନ ଦେଇଛନ୍ତି)

ଲାଜକୁଳୀ ଲତା କାହିଁକି ଝାଉଁଳି ଯାଏ

ଛୁଇଁଦେଲେ ଲାଜକୁଳୀ ଲତା ଝାଉଁଳି ପଡେ଼ । ସ୍ପର୍ଶଜନିତ ଏହି ଗତିକୁ ଅନ୍ତର୍କୁଞ୍ଚନ (Nastic movement) କୁହାଯାଏ ।

ଲାଜକୁଳୀ ଗୁଳ୍ମର ଅନେକ ପ୍ରଜାତି ଦେଖାଯାଏ।l ଅପେକ୍ଷାକୃତ ଡେଙ୍ଗା ଗୁଳ୍ମ ପ୍ରଜାତି ଗୁଡ଼ିକର ସ୍ପର୍ଶ ପ୍ରତିକ୍ରିୟା ମନ୍ଥର ଥିବା ବେଳେ ଅବନିଙ୍ଗତ (ଭୂମି ସହ ଶୋଇ ରହୁଥିବା) ପ୍ରଜାତି ଗୁଡ଼ିକର ପତ୍ରକୁ ଛୁଉଁ ଛୁଉଁ ନଇଁ ଯାଏ ।
ଏଥିରୁ ସିଦ୍ଧାନ୍ତ ନେଇହୁଏ ଯେ ଏହି ଲାଜକୁଳୀ ଗଛର ବିବର୍ତ୍ତନ ନିଜକୁ ତୃଣ ଭୋଜି ପ୍ରାଣୀଙ୍କଠାରୁ ଦୂରେଇବା ପାଇଁ ହୋଇଛି l ତେଣୁ ଗାଈ ଗୋରୁ ଛେଳି ଆଦି ତାକୁ ଖାଇବାକୁ ଆସି ଜିଭରେ ଛୁଇଁବା ମାତ୍ରେ ପତ୍ର ପାଞ୍ଚ ମିନିଟ ପାଇଁ ବୁଜି ହୋଇଯାଏ ଫଳତଃ ତାହା ଚର୍ବଣରୁ ବଞ୍ଚିଯାଏ l
ଅବନିଙ୍ଗତ ଗୁଳ୍ମ ଅଧିକ ସକ୍ରିୟ ହେବାର ବିବର୍ତ୍ତନକୁ population geneticsର ଗୁଣସୂତ୍ର ବୀଜଗଣିତ ଦ୍ୱାରା ବର୍ଣ୍ଣନା କରାଯାଇପାରେ l
ସଂସ୍କୃତରେ ଏହାକୁ ଲଜ୍ଜାଳୁ, ଅଞ୍ଜଳିକାରିକା, କନ୍ଦିରୀ, ରକ୍ତପାଦୀ, ଶମୀପତ୍ରା, ସ୍ପୃକ୍କା, ଖଦିରପତ୍ରିକା, ସଙ୍କୋଚିନୀ, ଖଦିରୀ, ସମଙ୍ଗା(ଙ୍ଗୀ), ନମସ୍କାରୀ, ପ୍ରସାରଣୀ, ସପ୍ତପର୍ଣ୍ଣୀ, ଗଣ୍ଡମାଳିକା, ଲଜ୍ଜା, ଲଜ୍ଜିରୀ, ସ୍ପର୍ଶଲଜ୍ଜା, ଅସ୍ରରୋଧିନୀ, ରକ୍ତମୂଳା, ଲଜ୍ଜାବତୀ, ଲଜ୍ଜାସ୍ପର୍ଶ, ତାମ୍ରମୂଳା, ସୂଗୁପ୍ତା, ମହାଭୀତା, ଖଣ୍ଡକାଳୀ, ବଶିନୀ, ମହୌଷଧି, ବାରାହକ୍ରାନ୍ତ[୩]ଓ ହିନ୍ଦୀରେ ଲାଜଓ୍ଵନ୍ତୀ, ଛୁଇମୁଇକହାଯାଏ ।
ଏହାର ଅନ୍ୟାନ୍ୟ ନାମଗୁଡ଼ିକ ହେଲା:
ମରାଠୀ:→ଲଜାଳୁ, ଲାଜରୀ, ସଂକୋରଣୀ,
ଗୁଜରାଟୀ:→ରିଶାମଣୀ ।

ଲାଜକୁଳୀ ଗୁଳ୍ମର ଵୈଜ୍ଞାନିକ ନାମ ହେଉଛି।Mimosa pudica ....
ଲାଟିନ ଭାଷାରେ
pudica ଶବ୍ଦ ର ଅର୍ଥ ଲଜ୍ଜା, ଶଙ୍କୋଚ(ନ) ଇତ୍ୟାଦି । ଏ ଗୁଳ୍ମକୁ ସାଧାରଣ ଇଂରାଜୀ ଭାଷାରେ
→sensitive plant
→sleepy plant
→action plant
→Dormilones
→touch-me-not
→shameplant
→orshy plant
ଇତ୍ୟାଦି ଅନେକ ନାମ ଦିଆଯାଇଛି ।
ଲାଜକୁଳୀ ଗୁଳ୍ମ pea/legume ପରିବାର Fabaceae ର ଅନ୍ତର୍ଗତ ଏକ ପାଦପ ।

ଲାଜକୁଳୀ କୁ ମୂଳତଃ ଦକ୍ଷିଣ ଓ ଉତ୍ତର ଆମେରିକା ର ପାଦପ ବୋଲି ଵୈଜ୍ଞାନିକ ମାନେ ଦାବି କରୁଥିଲା ଵେଳେ
ଏସିଆ ଠାରୁ ଅଷ୍ଟ୍ରେଲିଆ ଯାଏଁ ସବୁଠିଁ କି ଵନାଞ୍ଚଳ କି ପାର୍ଵତ୍ୟାଞ୍ଚଳ ମିଳିଯାଉଥିବା ହେତୁରୁ ଏହା କେତେକ ପରିମାଣରେ ଭିତ୍ତିହୀନ ମନେ ହେଉଛି ।
ଲାଜକୁଳୀ ପାଇଁ ଏତେ ସଂଖ୍ୟକ ସଂସ୍କୃତ ପର୍ଯ୍ୟାୟଵାଚକ ଶବ୍ଦ ଥିବାରୁ ଏହା ମଧ୍ଯ କହିଲେ ଭୂଲ ହେବ ଯେ ଆଧୁନିକ ଯୁଗ(1500ରୁ ଏଯାବତ) ରେ ମନୁଷ୍ୟର
ଵିଭିନ୍ନ ଭୂଭାଗ ମଧ୍ୟରେ ପାରସ୍ପରିକ ସହାଵସ୍ଥାନ ଯୋଗୁଁ ଏ ଗଛ ଚାରିଆଡେ଼ ଵ୍ୟାପୀ ଅଛି ।

ତଥ୍ୟ:-Dr. Devasisa Jeistthi

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...