Sunday, May 31, 2020

●ତେନ୍ତୁଳି-ଲିମ୍ବ କଥା●

ଥରେ ପୂର୍ବଭାରତୀୟ ଦ୍ବୀପପୁଞ୍ଜର ଜଣେ
ରାଜା ଭାରତର ତେନ୍ତୁଳି ଫଳ ଖାଇ
ଅତି ଆମୋଦିତ ହେଲେ
ସେ ଏହି ତେନ୍ତୁଳି ଗଛରୁ ଏତେ ପ୍ରଭାବିତ ହେଲେ ଯେ ନିଜ ଦେଶରେ ଘୋଷଣା କରିଦେଲେ
ସମସ୍ତ ପ୍ରଜା ଆଜିଠୁଁ ତେନ୍ତୁଳି ଗଛ ଲଗେଇବେ,
ଏହାର ପତ୍ର ଶାଗ କରିବେ...
ଏହାର ମଞ୍ଜିକୁ ତରକାରୀ କରି ଖାଇବେ ....
ଏହାର କାଠରେ ଘର ତୋଳିବେ....
ଏ ଗଛର ମୂଳରେ ଦ୍ବୀପହର କାଳରେ
ଶୟନ କିମ୍ବା ଉପବେଶନ କରିବେ....
ଏହାର ବାହି କୁ ଦାନ୍ତକାଠି କରିବେ ଆଦି ଆଦି..
ରାଜ ଆଜ୍ଞା ପାଳନ ହେଲା...

ହେଲେ ଦେଖାଗଲା ଦେଶରେ
ଲୋକଙ୍କର ଦିନକୁ ଦିନ ସ୍ବାସ୍ଥ୍ୟହାନୀ ହେବାକୁ ଲାଗିଲା....
ରାଜା ଚିନ୍ତାରେ ପଡି଼ଗଲେ....
ଦିନେ ସେ ରାଜାଙ୍କର
କଳିଙ୍ଗ ଦେଶର ଜଣେ ସାଧବଙ୍କ ସହ ଭେଟ ହେଲା....
ରାଜା ଅନ୍ୟ କଥା ସବୁ ହେଲାପରେ
ତାଙ୍କୁ ତେନ୍ତୁଳି ଗଛର ଅପକାରିତା ଯୋଗୁଁ ସୃଷ୍ଟି ହୋଇଥିବା ଅପକାରିତା ସବୁ କହି ଶୁଣେଇଲେ...
ସାଧବପୁଅ
ସେଇଠୁ ରାଜାଙ୍କୁ
କିଛି ଦିନ ସମୟ ଦିଅନ୍ତୁ
ସେ ଏ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ବୋଇତରେ ବସି କଳିଙ୍ଗ ଫେରିଲେ....

କିଛିଦିନ ପରେ
ରାଜଦରବାର ବସିଥାଏ ...
କଳିଙ୍ଗର ସାଧବପୁଅ କେତୁଟା ଗଛ
ଆଉ କେତେ 'କୋରଟିଆ ବୋଝ'
ମଞ୍ଜି ଆଣି ସେଠାରେ ଉପସ୍ଥିତ ହୋଇଲେ....

ରାଜା ବୋଲନ୍ତି ଏ କିସ ?

ସାଧବପୁଅ କହିଲେ
ଏ ହେଉଛି ଲିମ୍ବଗଛ.....
ଏହାର ପତ୍ର ପିତା,ଫଳ ପାଚିଲେ ମିଠା...
ଆପଣ ଏ ଗଛର ଫୁଲକୁ ଏମନ୍ତ ଉପାୟରେ ତରକାରୀ କରି ଖାଇପାରିବେ....
ଏହାର ଫଳ ଖାଇପାରିବେ....
   ଏ ଗଛ ମଧ୍ଯ ଛାୟାପ୍ରଦାନକାରି
ଏ ଗଛ ମୂଳରେ ବସିପାରିବେ....
ଏହାର ବକ୍କଳ ଚର୍ମରୋଗ ଆରୋଗ୍ୟକାରୀ...
ଏ ଗଛର ପତ୍ର,ମୂଳ ପ୍ରତ୍ୟେକ ଅଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ....

ରାଜା ସେ ଗଛର ଗୁଣ ଜାଣି ତାହାକୁ
ତାଙ୍କ ରାଜ୍ୟରେ ଲଗାଇବାକୁ ଆଦେଶ ଦେଲେ
ଏବଂ ସାଧବପୁଅକୁ ଶତସହସ୍ର ସ୍ବର୍ଣ୍ଣମୂଦ୍ରା ଦେଇ ସମ୍ମାନ ସହକାରେ ବିଦାକଲେ....
...................
..............
........
...
ଲେଖାଟି ପାଠ କରିଥିବାରୁ ଧନ୍ୟବାଦ
ରହୁଛି,
କିଛି ଦିନ ପରେ ଦେଖାହେବ...._/\__/\__/\_

ଶାସ୍ତ୍ରୀୟ ଓ classical

         
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି ।  ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି:—

୧— (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ ତନ୍ତ୍ର; ସ୍ମୃତି ପୁରାଣାଦି ଧର୍ମଗ୍ରନ୍ଥ; ଦେଵତା ବା ମୁନିପ୍ରଣୀତ ଗ୍ରନ୍ଥ

2—ଵିଜ୍ଞାନ; କୌଣସି ଵିଶିଷ୍ଟ ଵିଷୟ ଵା ପଦାର୍ଥ ସମ୍ବନ୍ଧେ ଧାରାଵାହିକ ସଂଗୃହୀତ ଜ୍ଞାନ (ୟଥା—ପ୍ରାଣୀଶାସ୍ତ୍ର, ଅର୍ଥଶାସ୍ତ୍ର, ବନସ୍ପତିଶାସ୍ତ୍ର)

3— (ଶାସ୍ ଧାତୁ=ଶାସନ କରିଵା +ଭାଵ. ତ୍ର) ଶାସନ

4—ଆଜ୍ଞା

ଏଠାରେ ଥିବା ଵୈଜ୍ଞାନିକ ମୂଳଧାତୁ—ଶାସ୍ (ଧାତୁ) ର ଅର୍ଥ— ଶାସନ କରିଵା,ଦମନ କରିଵା,ଆଜ୍ଞା ବା ଆଦେଶ ଦେଵା,ଉପଦେଶ ଦେଵା,ଶିକ୍ଷା ଦେଵା; ତାଲିମ୍ କରିଵା,କହିଵା; ଜଣାଇଵା,ଵ୍ୟଵସ୍ଥା କରିଵା; ଆଇନ୍ କରିଵା,ଦଣ୍ଡ ଦେଵା,ଇଚ୍ଛା କରିଵା, ପୋଷିଵା; ଵଶ କରିଵା ଇତ୍ୟାଦି ଅଟେ...

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ‘ଶାସ୍ତ୍ରୀୟ’ ଶବ୍ଦର ଯେଉଁ ଆଧୁନିକ ଵ୍ୟଵହାର ‘Classical’ର ‘ପ୍ରାଚୀନ’ ଅର୍ଥରେ ହେଉଅଛି ତାହା ଅର୍ଵାଚୀନ ଅଟେ । ତେଣୁ କୌଣସି ଭାଷାକୁ ଶାସ୍ତ୍ରୀୟ କୁହାଯିବାର ଅର୍ଥ ତାହାର କେଵଳ ପ୍ରାଚୀନତା ଗୁଣକୁ ବୁଝାଏ ନାହିଁ ଵରଂ ‘ଶାସ୍ତ୍ର’ ଶବ୍ଦର ଵ୍ୟାପକ ଅର୍ଥ ଘେନି ଏହାର ଅନ୍ୟ ଗୁଣଗୁଡ଼ିକୁ ବି ଜଣାଯାଇପାରିଵ ।

‘ଶାସ୍ତ୍ର’ ଶବ୍ଦର ପ୍ରଥମ ଅର୍ଥ ହେଲା— “ଵେଦ ତନ୍ତ୍ର; ସ୍ମୃତି ପୁରାଣାଦି ଧର୍ମଗ୍ରନ୍ଥ” । ଏସବୁ ଗ୍ରନ୍ଥ ପ୍ରାଚୀନ ହୋଇଥିଵା ହେତୁରୁ ପରଵର୍ତ୍ତୀକାଳରେ ‘ଶାସ୍ତ୍ରୀୟ’ ଶବ୍ଦର ‘ପ୍ରାଚୀନ’ ଅର୍ଥରେ ଵ୍ୟଵହାର ଲାଗି ପ୍ରେରିତ କରିଥିଵା ଅନୁମାନ କରାଯାଇପାରେ । ଦ୍ୱିତୀୟ ଅର୍ଥ ହେଉଛି—‘ଵିଜ୍ଞାନ’ ।

ଏହା ଭାଷାରେ ଧ୍ୱନିତତ୍ୱର ଵୈଜ୍ଞାନିକତା,ଶବ୍ଦ,ଵ୍ୟାକରଣ,ଲିପି ତଥା ଲିଖନଶୈଳୀର ମୌଳିକତା ଓ ସମୃଦ୍ଧିକୁ ଦର୍ଶାଇଥାଏ । ଓଡ଼ିଆଭାଷାରେ ଵିଭିନ୍ନ ଅଞ୍ଚଳର ଶୈଳୀରେ ଥିବା ଧ୍ୱନିତତ୍ୱ(ଛ,ଷ,କ,ଖ=କ୍ଷ),ଵ୍ୟାକରଣ(ଡ଼,ଢ଼ ଉଚ୍ଚାରଣ,ଅଵର୍ଗ୍ୟ ଯ,ଵର୍ଣ୍ଣ ଦ୍ୱିତକରଣ=ର୍ଣ୍ଣ,ର୍ମ୍ମ/ର-ଲ-ଡ଼-ଣ=ଳ/) ଓ ଅଶିଷ୍ଟ ଶବ୍ଦଗୁଡ଼ିକୁ(ଗାଣ୍ଡି,ବାଳ ଆଦି) ଧ୍ୟାନରେ ରଖି ଭାଷାର ମାନକୀକରଣ କରାଯାଇଛି,ଉଚ୍ଚାରଣ ଅନୁଯାୟୀ ଵିଭିନ୍ନ ଯୁକ୍ତାକ୍ଷର ଵ୍ୟଵହାର ହେଉଛି(ଙ୍କ,ଙ୍ଖ,ଙ୍ଘ,ତ୍ତ ଇତ୍ୟାଦି) ପୁଣି ଲିପିରେ ଲେଖିଲାବେଳେ ସହଜ,ଶିଘ୍ର ଓ ଇଂରାଜୀ ଭଳି ହାତ ନ ଉଠାଇ ନିରବଚ୍ଛିନ୍ନ ଲିଖନ ହେତୁ ଅନେକ ଵର୍ଣ୍ଣ ଓ ଯୁକ୍ତାକ୍ଷରକୁ ଵିଭିନ୍ନ ପ୍ରକାରରେ ଲେଖାଯାଉଛି(ତ ଫଳା=ଦ୍ମ-ତ୍ମ, ) ।

ମୋଟ ଉପରେ ଦେଖିଵାକୁ ଗଲେ ଓଡ଼ିଆ ଭାଷାରେ ଆଞ୍ଚଳିକତା ଵିରୁଦ୍ଧରେ ସାଧୁ ଉଦ୍ୟମ କରାଯାଇ ସବୁ ଅଞ୍ଚଳର ଶବ୍ଦ ଶୈଳୀ ଓ ଵ୍ୟାକରଣକୁ ଗ୍ରହଣ କରାଯାଇ ମାନକୀକରଣ ହୋଇଛି ଯାହା ଵିଶ୍ୱରେ,ଭାରତରେ ଏକ ଵିରଳ ଉଦାହରଣ ଅଟେ ।      

ତୃତୀୟ ଅର୍ଥ ‘ଶାସନ’ ଆଧାରରେ ମଧ୍ୟ କୁହାଯାଇପାରେ ଯେ ଯେଉଁ ଭାଷା ତହିଁର ଵ୍ୟାକରଣ ଦ୍ୱାରା ସ୍ୱଶାସିତ ଥିଵା ଯୋଗୁଁ ତାହାର ସ୍ୱାତନ୍ତ୍ର୍ୟ ଵଜାୟ ରଖିବାରେ ସମର୍ଥ ନିଃସନ୍ଦେହ ତାହା ଏକ ‘ଶାସ୍ତ୍ରୀୟ ଭାଷା’ ଅଟେ ।

ତେବେ ଏହି ‘ଶାସ୍ତ୍ରୀୟ’ ଶବ୍ଦଟି ଆଧୁନିକକାଳରେ ‘Classical’ଶବ୍ଦର ପ୍ରତିଶବ୍ଦ ଭାଵରେ ଵ୍ୟଵହାର ହେଉଅଛି । ଆମ୍ଭେମାନେ ଏ ଶବ୍ଦର ଵ୍ୟଵହାର ସଂଗୀତ କ୍ଷେତ୍ରରେ ବହୁଳ ଭାବରେ ହେଉଥିଵାର ଦେଖିଥାନ୍ତି ।

ଇଂରାଜୀରେ ଚଳୁଥିବା  ‘Classical’ ଶବ୍ଦର
ଓଡ଼ିଆ ଵିଶେଷ୍ୟ ଅର୍ଥ—

ଶାସ୍ତ୍ରୀୟ(academic),ଵରେଣ୍ୟ,ପ୍ରତିଷ୍ଠିତ,ମାନ୍ୟ(valid, recognized, accepted), ଏବଂ ବିଶେଷଣ ଅର୍ଥ— ଅତି ଉତ୍କୃଷ୍ଟ (excellent, fine, best),ଶ୍ରେଷ୍ଠ(surpassing, nailing, spanking) ଓ ପ୍ରାଚୀନକାଳୀନ(Ancient,Older) ରେ ଵ୍ୟଵହାର ହେଉଥିବା ଦେଖାଯାଏ ।

ପୂର୍ଵେ ଭାରତରେ ସଂସ୍କୃତକୁ ‘ଶାସ୍ତ୍ରୀୟ’ ଶବ୍ଦର ପ୍ରୋକ୍ତ ପ୍ରାଚୀନ ଅର୍ଥ ଆଧାରରେ କୁହାଯାଉଥିଲା । ସଂସ୍କୃତକୁ ଅନେକ ପ୍ରାଚ୍ୟ ପାଶ୍ଚାତ୍ୟ ପଣ୍ଡିତ ସୁସମୃଦ୍ଧ ସ୍ୱଶାସିତ ଵୈଜ୍ଞାନିକ ଭାଷା କେଵଳ କହିନାହାନ୍ତି ପ୍ରମାଣ ବି କରିସାରିଛନ୍ତି ।

ସଂସ୍କୃତ ପରେ ‘ଶାସ୍ତ୍ରୀୟତା’ ଶବ୍ଦର ପ୍ରାଚୀନ ଅର୍ଥ ଆଧାରରେ ଭାରତଵର୍ଷରେ ଓଡ଼ିଆଭାଷା ଅନ୍ୟତମ ଶାସ୍ତ୍ରୀୟ ଭାଷା ବୋଲାଇପାରେ ।

ବାକି ଚାରୋଟି ଦକ୍ଷିଣ ଭାରତୀୟ ଭାଷାକୁ(ତାମିଲ,ତେଲୁଗୁ,କନ୍ନଡ଼,ମଲାୟଲମ) ବହୁତ ସମ୍ଭବ ‘classical’ ଶବ୍ଦର−ପ୍ରାଚୀନ ଓ ସାହିତ୍ୟ ଦ୍ୱାରା ପ୍ରତିଷ୍ଠିତ ଲୋକପ୍ରିୟତା ଏଵଂ ରାଜନୈତିକ ଚାପ ପ୍ରୟୋଗ ଦ୍ୱାରା ପ୍ରାପ୍ତ କରାଯାଇଛି ।

ଦକ୍ଷିଣଭାରତୀୟ ଭାଷାଗୁଡ଼ିକ ସାହିତ୍ୟ ଦୃଷ୍ଟିରୁ ସମୃଦ୍ଧ ହୋଇପାରନ୍ତି କିନ୍ତୁ ଧ୍ୱନିତତ୍ୱ ଆଧାରରେ ଦେଖିଲେ ସେସବୁ ଭାଷାର ସେତେ ଵିକାଶ ହୋଇପାରିନାହିଁ ।

ସଂସ୍କୃତ ପରେ ରାଜନୈତିକ ଚାପ ପ୍ରୟୋଗ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ତାମିଳରେ ‘କ,ଖ,ଗ,ଘ’ ଵର୍ଣ୍ଣଗୁଡ଼ିକ କେଵଳ ‘କ’ ଉଚ୍ଚାରିତ ହୋଇଥାଏ ଫଳରେ ‘କର’,’ଖର’,’ଗର’ ଓ ‘ଘର’ ଏକାକାର ହୋଇଗଲା ଓ ଧ୍ୱନିତତ୍ୱ ଏଠାରେ ଆତ୍ମହତ୍ୟା କଲା ବୋଲି ବୁଝିବାକୁ ହେବ ।

ଭାଷାର କେଵଳ ପ୍ରାଚୀନତା ଆଧାରରେ ଶାସ୍ତ୍ରୀୟତା ମିଳୁଥିଲେ କଳିଙ୍ଗୋତ୍କଳର ସର୍ଵପ୍ରାଚୀନ ଦ୍ରାଵିଡ଼ଭାଷା ‘କୁଈ’ ଓ ଆଷ୍ଟ୍ରିକଭାଷା ‘ମୁଣ୍ଡାରୀ’କୁ ବହୁ ପୂର୍ଵରୁ ଶାସ୍ତ୍ରୀୟତା ମିଳିଯିଵାର ଥିଲା । ଅସ୍ତୁ, ଶାସ୍ତ୍ରୀୟତାର ହେତୁ କେବଳ ‘ପ୍ରାଚୀନତା’ ନୁହେଁ ଵରଂ ଏହାର ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମଧ୍ୟ ରହିଅଛି ।

ଓଡ଼ିଶାରେ କିଛି ମୂର୍ଖ ତିନୋଟି ଶଷସ ହଟେଇ କେଵଳ ସ ଵ୍ଯଵହାର କରୁଛନ୍ତି,କିଛି ଲୋକ ଅଵର୍ଗ୍ୟ ଯ ଯୁକ୍ତ ଶବ୍ଦରେ ଯ ପରିଵର୍ତ୍ତେ ୟ ଓ ଜ ଵ୍ଯଵହାର କରିଵାକୁ ପଵର୍ତ୍ତାଉଛନ୍ତି ।

ନିକଟରେ ଏକ ଓଡ଼ିଆ ଶୈଳୀର ନୂଆ ଲିପି ତିଆରି କରିଵାକୁଯାଇ କିଛି ଧ୍ଵନିତତ୍ଵ ଵିଷୟକ ଜ୍ଞାନ ଶୂନ୍ୟ ଲୋକେ ତହିଁରୁ 'ଯ','ଵ','ୱ','ଶ','ଷ';ଯୁକ୍ତାକ୍ଷର ହଟାଇ ଦେଇଦେଇଛନ୍ତି ।

ଏଭଳି ଅଵୈଜ୍ଞାନିକ ଲିପିରେ ଲିଖନ ଦ୍ଵାରା ଉକ୍ତ ଭାଷାଶୈଳୀର ଦୁଇଗୋଟି କ୍ଷତି ହେଵ ―

୧)ତାଙ୍କ କଥିତ ଶୈଳୀରେ ଥିଵା ଓଡ଼ିଆ ଭାଷାର ସବୁ ଵୈଜ୍ଞାନିକ ଗୁଣ ଲୁପ୍ତ ହେଵ ଏଵଂ ଉକ୍ତ ଭାଷାଶୈଳୀଟି ଅଵୈଜ୍ଞାନିକ ହୋଇଯିଵ

୨)ଉକ୍ତ ଭାଷା ଶୈଳୀରେ ପ୍ରଚଳିତ ଶବ୍ଦଗୁଡି଼କର ନିରୁକ୍ତି ନିର୍ଣ୍ଣୟ କଷ୍ଟକର ହୋଇଯିଵ ଫଳତଃ ଯେତେ ସାହିତ୍ୟ ରଚନା ହେଁସେହି ଭାଷା ଵିଷୟରେ ଗଵେଷଣା ନହେଲେ ତହିଁର ଵୈଜ୍ଞାନିକତା ଯଥାର୍ଥତା ସାର୍ଥକତା ପ୍ରମାଣିତ ହୋଇପାରିଵ ନାହିଁ ।

ଓଡ଼ିଶାରେ ଓଡ଼ିଆ ଭାଷାଦ୍ଵେଷୀ ଲୋକେ,ଵର୍ଣ୍ଣହନ୍ତା ସମ୍ପ୍ରଦାୟ ଓ ସ୍ୱନିମ ଵିନ୍ଦୁ,ତିନି ଶଷସ  ତଥା ଅଵର୍ଗ୍ୟ ‘ଵ’ ଆଦି ଆମ ଭାଷାର ଵୈଜ୍ଞାନିକତା ଵିରୁଦ୍ଧରେ ମସିଯୁଦ୍ଧ କରୁଥିଵା ଲୋକେ ଉପରୋକ୍ତ ଵିଷୟକୁ ହୃଦୟଙ୍ଗମ କରନ୍ତେ ତେବେ ଓଡ଼ିଆଭାଷାର ଅନେକ ମଙ୍ଗଳ ହୋଇପାରନ୍ତା ।



Thursday, May 28, 2020

ଏକତାର ବଳ

ପିମ୍ପୁଡ଼ିଙ୍କ ଦିନେ ବସିଲା ସଭା ।

ବିଚାରିଲେ ଆଖୁ ଚାଷ କରିବା ।

ଯତନେ କିଆରି ତିଆରି କଲେ ।

ବାଛି  ବାଛି  ଚାରା  ଲଗାଇଦେଲେ ।

କିଆରିରେ ଦେଲେ ବାଡ଼ ଘେରାଇ ।

ପାତି ମାଙ୍କଡ଼କୁ ଦେଲେ ଜଗାଇ ।

ବଢିଗଲା ଆଖୁ ହେଲା ପାକଳ ।

ହାତୀର ପାଟିରୁ ଗଡ଼ିଲା ଲାଳ ।

ଆଖୁ  କିଆରିରେ  ପଶିଲା ହାତୀ ।

ଚମ୍ପା ଗଛଡାଳୁ ଡାକିଲା ପାତି ।

ଶୁଣିଲେ ପିମ୍ପୁଡ଼ି ଆସିଲେ ଧାଇଁ ।

ହାତୀ ପିମ୍ପୁଡ଼ି ଙ୍କ ହେଲା ଲଢେଇ ।

ପିମ୍ପୁଡ଼ି  କାମୁଡ଼ା  ସହି  ନପାରି ।

ହାତୀ  ପଳାଇଲା  ଜୀବନଧରି ।

କିଆରିରେ ହାତୀ ରହିଲା ନାହିଁ ।

ଖୁସିରେ ପିମ୍ପୁଡ଼ି ଉଠିଲେ ଗାଇ ।

ହାତୀ ଖାଇଯିବ ଆମ ସମ୍ପତ୍ତି ।

ଛାଡ଼ିଦେବୁ  ଆମେ  ପିମ୍ପୁଡ଼ି  ଜାତି ।

(ଓଡ଼ିଆ ଲୋକଗୀତ )

Wednesday, May 27, 2020

ଗଞ୍ଜାମର କାଳିଞ୍ଜି ଜାତି

ସାରା ଭାରତର ଵିଵାହ ଵ୍ଯଵସ୍ଥାଠାରୁ ଭିନ୍ନ ପରମ୍ପରା ରହିଛି ଗଞ୍ଜାମ ଜିଲ୍ଲାରେ...

ଏହି ନିଆରା ଵୈଵାହିକ ପରମ୍ପରା ଗଞ୍ଜାମ ଜିଲ୍ଲାର କାଳିଞ୍ଜି ଜାତିରେ ପ୍ରଚଳିତ । କାଳିଞ୍ଜି ଜାତିରେ ପୁଅ ବରଯାତ୍ରୀଙ୍କୁ ଧରି ଝିଅଘରକୁ ଯାଏ ନାହିଁ ଵରଂ ଝିଅଘରର ଲୋକ ପୁଅ ଘରକୁ ବାହାଘର ପାଇଁ ଆସିଥାଆନ୍ତି ।

ଗଞ୍ଜାମ ଜିଲ୍ଲା ଭିନ୍ନ ଏଭଳି ପରମ୍ପରା ଅନ୍ଯତ୍ର ପ୍ରାୟ ଦୃଶ୍ଯ ହୁଏନାହିଁ ।

କାଳଞ୍ଜି ଜାତିର ଏହି ନିଆରା ଵିଵାହ ପରମ୍ପରାକୁ ଆମ ଭାଷାରେ ତୋଳାକନ୍ଯା ଵିଵାହ କୁହାଯାଏ ।

କାଳିଞ୍ଜିଜାତିର ପ୍ରାଚୀନ ନାମ କାଳିଙ୍ଗ ଥିଲା । ଏ ଜାତି ଅଧୁନା ଦୁଇଭାଗରେ ଵିଭକ୍ତ ହୋଇ ଗଞ୍ଜାମ, ଗଜପତି ଓ ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ କାଳିଞ୍ଜି ଓ କାଳିଙ୍ଗୀ ଭାଵେ ଅଭିହିତ ହେଉଅଛନ୍ତି ।

ସାଧାରଣତଃ କାଳିଙ୍ଗୀମାନେ ତେଲୁଗୁ ଅଞ୍ଚଳରେ ରହୁଥିଵା ହେତୁ ତେଲୁଗୁଭାଷୀ ଏଵଂ କାଳିଞ୍ଜିମାନେ ଓଡ଼ିଆ ଭାଷାଭାଷୀ କିନ୍ତୁ ଏ ଉଭୟ ଜାତି  ପ୍ରାଚୀନ କଳିଙ୍ଗଦେଶୀୟ ପାଇକ ଜାତି ଅଟନ୍ତି।

ଵର୍ତ୍ତମାନ ସମୟରେ କାଳିଞ୍ଜିଜାତିକୁ ଖଣ୍ଡାୟତ ଜାତିର ଏକ ଉପଜାତି ଭାଵେ ଗଣନା କରାଯାଉଅଛି ।

ହୁଏନସାଂଙ୍କ କଳିଙ୍ଗ ଆଗମନ ବେଳେ ସେଠାରେ ସେ ଗୋଟିଏ ଯୁଦ୍ଧପ୍ରିୟ ଜାତି ଅଧିବାସ କରିଥିବାର ଦେଖିଥିଲେ ଏହି ଯୁଦ୍ଧପ୍ରିୟ ଜାତିଟି କାଳିଙ୍ଗୀ ବା କାଳିଞ୍ଜି ଜାତି ବୋଲି ନିର୍ଦ୍ଦେଶ କରାଯାଇ ପାରେ ।

କଳିଙ୍ଗର ଗଙ୍ଗବଂଶୀ ରାଜାମାନଙ୍କ ଅଧୀନରେ (ଖ୍ରୀ. ୭: ମ ଶତାବ୍ଦି ପରେ) ଉଡ଼୍ରଜାତି ପରି କାଳିଞ୍ଜି ଜାତି ସୁଦ୍ଧା ସୈନିକ କର୍ଯ୍ୟ କରୁଥିଵାର ସ୍ପଷ୍ଟ ଜଣାଯାଏ । 

ଥଷ୍ଟନ ସାହେବ ତାଙ୍କର Castes and tribes of southern India ଗ୍ରନ୍ଥର ୨: ୟ ଖଣ୍ଡ ୪୯: ପୃଷ୍ଟାରେ କାଳିଙ୍ଗୀମାନଙ୍କୁ ତେଲେଙ୍ଗା ଓ କାଳିଞ୍ଜିମାନଙ୍କୁ ଓଡ଼ିଆରୂପେ ଧରିଅଛନ୍ତି ।

ମୂଳତଃ ଏ ଦୁଇ ଜାତିମଧ୍ୟରେ କାଳିଙ୍ଗୀ ଜାତି ବି ଆଗେ  ଓଡ଼ିଆଭାଷୀ  ଥିଲେ କିନ୍ତୁ ତେଲଗୁ ପ୍ରଭାବରେ କାଳିଙ୍ଗୀମାନେ ନିଜର ମାତୃଭାଷା ଓଡ଼ିଆକୁ ଭୁଲି ଯାଇଅଛନ୍ତି ।

କାଳିଞ୍ଜିମାନେ ମୁଖ୍ୟତଃ ତିନିଗୋଟି ପ୍ରଧାନ ଶାଖାରେ ଵିଭକ୍ତ—

୧: ବୁରୁଗାଁ କାଳିଞ୍ଜି
୨: କିନ୍ତାଳ କାଳିଞ୍ଜି
୩: ଓଡ଼ିଆ କାଳିଞ୍ଜି

କାଳିଞ୍ଜିମାନେ ପୂର୍ଵେ ଦେଵସେଵା କରୁଥିଲେ ।  ଏମାନେ ବ୍ରାହ୍ମଣଙ୍କ ପରି ଯଜ୍ଞୋପଵୀତ ଧାରଣ କରନ୍ତି ଓ କ୍ଷୌର ହୋଇ ଶିଖା ରଖନ୍ତି ଏମାନେ ରାଧାକୃଷ୍ଣ ଓ ଚୈତନ୍ୟଙ୍କର ଭକ୍ତ ଓ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟଭୁକ୍ତ ଅଟନ୍ତି ।

ଏମାନଙ୍କ ମଧ୍ୟରେ ବାଲ୍ୟବିବାହ ଓ ବିଧବାବିବାହ ପ୍ରଚଳିତ ଓ ଏମାନେ ମୃତଵ୍ଯକ୍ତିର ଶଵ ପୋଡ଼ନ୍ତି ।

ଏମାନଙ୍କର କୁଳ ସଙ୍ଗ୍ଯା  ଵିଶେଷତଃ ବରାଡ଼, ଦଳେଇ, ବାରିକ, ବେହେରା, ପାତ୍ର, ଗଉଡ଼, ଜେନା, ମଳିକ, ନାୟକ, ବିଷୋୟୀ, ପ୍ରଧାନ, ପୋଲେଇ, ସ୍ଵାଇଁ, 'ସାନ୍ତ', ସାହୁ, ରାଉତ, ଗୁରୁ ପ୍ରଭୃତି ହୋଇଥାଏ ।  

ଏମାନଙ୍କ କୁଳାଧିକାରିମାନେ 'ସାନ୍ତ' କୁଳ ପ୍ରତିନିଧିମାନେ 'ପାତ୍ର' ଓ କୁଳପରିଚାଳମାନେ 'ଭଲଭାୟା' ଉପାଧୀ ଗ୍ରହଣ କରଥାଆନ୍ତି ।

Tuesday, May 26, 2020

ଉତ୍କଳମଣି ସୂକ୍ତିମାଳା ୧

୧)ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ,ସେମାନେ ସମସ୍ତେ ଓଡ଼ିଆ ଜାତି ।

୨)କେହି କେହି ଉତ୍କଳ ଓ ଓଡ଼ିଶା ମଧ୍ୟରେ ପାର୍ଥକ୍ୟ କରନ୍ତି । ଯଥାର୍ଥରେ ଏ ଉଭୟରେ କୌଣସି ପାର୍ଥକ୍ୟ ନାହିଁ କିଂଵା ରହିଵା ଉଚିତ୍ ନୁହେଁ ।

୩)ବଙ୍ଗଳାର ହୁଅନ୍ତୁ ଵା ପଞ୍ଜାଵର ହୁଅନ୍ତୁ,ମାରଵାର୍'ର ହୁଅନ୍ତୁ ଵା ମାନ୍ଦ୍ରାଜର ହୁଅନ୍ତୁ,ହିନ୍ଦୁ ହୁଅନ୍ତୁ ଵା ମୁସଲମାନ ହୁଅନ୍ତୁ,ଆର୍ଯ୍ୟ ହୁଅନ୍ତୁ ଵା ଆଦିମ ଆଦିଵାସୀ ହୁଅନ୍ତୁ, ଯେ ଉତ୍କଳ ଵା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସତ୍ଵ ଓ ସ୍ଵାର୍ଥ ମିଳାଇଦେଇଛନ୍ତି , ଓଡ଼ିଶା ତାଙ୍କର ସେ ଓଡ଼ିଶାର...

୪)ପୃଥିଵୀରେ ଏପରି ପ୍ରାୟ ସ୍ଥାନ ନାହିଁ ଯେଉଁଠାରେ ଭିନ୍ନ ଭିନ୍ନ ଜାତି ରହୁନାହାନ୍ତି । ମାତ୍ର ସେମାନଙ୍କର ସ୍ଵାର୍ଥର କେନ୍ଦ୍ର ଏକ । ତେଣୁ କାଳକ୍ରମେ ଏକୀଭୂତ ହେଵା  ସେମାନଙ୍କ ପକ୍ଷେ ସ୍ଵାଭାଵିକ ଓ ଶ୍ରେୟସ୍କର ।

୫)ଭାଇ ଉତ୍କଳଵାସୀ, ତୁମେ ଯେ ହୁଅ, ବଙ୍ଗାଳୀ, ଓଡ଼ିଆ,ତେଲେଙ୍ଗା,ହିନ୍ଦୁସ୍ତାନୀ(ହିନ୍ଦିଆ),କୋଲ୍ହ,ହିନ୍ଦୁ, ଖ୍ରୀଷ୍ଟାନ,ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମକୁ ଆପଣା ଶରୀରରେ ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି । ତୁମ୍ଭେ ଓଡି଼ଆ,ତୁମ୍ଭେ ଉତ୍କଳୀ, ଉତ୍କଳ ସମ୍ମିଳନୀରେ ତୁମ୍ଭ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଅଛି । ଉତ୍କଳମାତା ମଧ୍ୟ ତୁମ୍ଭର ସେଵା ପୂଜା ଗ୍ରହଣ କରିଵାକୁ ସତୃଷ୍ଣ ନୟନରେ ଅନାଇ ରହିଛନ୍ତି ।

୬)ଭାରତରେ ଜାତୀୟତା ଗଠନର ନାନା ଅନ୍ତରାୟ ରହିଅଛି । ନାନା ଭାଷା, ନାନା ଧର୍ମ, ନାନା ଵିଧି ନାନା ଆଚାର ଵ୍ଯଵହାର ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ରହିଅଛି ଯେ,ଭାରତ ଜାତୀୟତା କେହି କେହି ଅସମ୍ଭଵ ମନେ କରନ୍ତି; ସେଥିରେ ପୁଣି କୌଣସି ଏକ ପ୍ରଦେଶ ଵା  ଅଞ୍ଚଳରେ ସେହି ପ୍ରକାରର ଭେଦ ଘଟିଲେ ଭଖରତର ଜାତୀୟ ସମସ୍ଯା ଅଧିକ ଦୁଃସାଧ୍ୟ ଓ ଜଟିଳ ହେଵ ।

୭)ଏ ପ୍ରଦେଶରେ ଵାସ କରି ସମସ୍ତ ଶ୍ରେୟ ― ସ୍ଵାର୍ଥ ― ମମତା ତହିଁ ସଙ୍ଗେ ମିଶାଇ ନଦେଇ ଯେଉଁମାନେ ସ୍ଵତନ୍ତ୍ର ଓ ସତ୍ଵ ଦାଵୀ କରନ୍ତି ସେମାନେ ସେ ପ୍ରଦେଶର ଉନ୍ନତି ପଥରେ କଣ୍ଟକ ସ୍ଵରୂପ । ନିଜର ଆପାତ ସ୍ଵାର୍ଥ ଲାଗି ଅନ୍ୟ ଜାତିର ଉନ୍ନତିର ଅନ୍ତରାୟ ଏକ ପ୍ରଦେଶ ମଧ୍ୟରେ ସ୍ଵାର୍ଥର ଅନୈକ୍ୟ ଘଟାଇଵା ଦ୍ଵାରା ଭାରତର ସମୂହ କଲ୍ଯାଣର ସେମାନେ ଶତ୍ରୁ; ସୁତରାଂ ଆତ୍ମଘାତୀ ।

୮)କେହି କେହି ପଣ୍ଡିତ ମନୁଷ୍ୟକୁ ରାଜନୈତିକ ପ୍ରାଣୀ ବୋଲି କହିଅଛନ୍ତି । ଯେଉଁମାନେ କୁହନ୍ତି ପରାଧୀନ ଜାତିର ରାଜନୀତି ନାହିଁ ସେମାନେ ମାନଵ ଜୀଵନକୁ ପୂର୍ଣ୍ଣ ଭାଵରେ ଦେଖନ୍ତି ନାହିଁ । ପରାଧୀନ ହେଉ ଵା ସ୍ଵାଧୀନ ଯେଉଁ ଜାତି ଵା ସମାଜ କୌଣସି ରାଜ୍ୟରେ ଵାସକରେ ଏଵଂ କୌଣସି ସୁଗଠିତ ଓ ଶୃଙ୍ଖଳାବଦ୍ଧ ଶାସନଶକ୍ତିର କର୍ତ୍ତୃତ୍ଵ ସ୍ଵୀକାର କରେ,ତାହାର କୌଣସି ନା କୌଣସି ପ୍ରକାରେ ରାଜନୀତି ରହିଵ ।

୯)ଭାରତୀୟ ଆକାଙ୍କ୍ଷା ସହିତ ଉତ୍କଳୀୟ ଆକାଙ୍କ୍ଷାର ସାମଞ୍ଜସ୍ୟ ରହିଵା ଉଚିତ୍ । ଭାରତ ସଙ୍ଗେ ଉତ୍କଳର ନିତ୍ୟ ସମ୍ବନ୍ଧ ରହିଵ ହିଁ ରହିଵ । ଏ ସମ୍ବନ୍ଧ ଚିରଦିନ ରହିଅଛି ।

୧୦)ମନେ ରଖିଵାକୁ ହେଵ,ଆମ୍ଭେମାନେ (ଭାରତ)ଭାରତୀୟ ଜାତିର ଅନ୍ତର୍ଗତ । ଭାରତ ଏକ (ଉପ)ମହାଦେଶ । (ତେଣୁ) ସେଥିରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଜାତି,ପ୍ରାଦେଶିକ ପାର୍ଥକ୍ୟ ଅନୁସାରେ କାଳକ୍ରମେ ଉଦ୍ଭଵ ହୋଇଛନ୍ତି;ମାତ୍ର ସେ ସମସ୍ତଙ୍କ ଭାଗ୍ଯ ଭାରତର 
ଭାଗ୍ଯ ସଙ୍ଗେ ସୀମାବଦ୍ଧ ।

୧୧)ଜାତୀୟତାର ଲକ୍ଷ୍ୟରେ ଉଦାର ମାନଵିକତା,ସମଗ୍ର ସାରତଵର୍ଷରେ କେଵଳ ଓଡ଼ିଆ ହିଁ ବୁଝିଥିଲେ ।

୧୨)ଵିଶ୍ଵପ୍ରୀତି ହିଁ ଓଡ଼ିଆର ଜାତୀୟତା,ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ଯତା।

୧୩)ଓଡ଼ିଆର ଜାତୀୟତା, ଦେଶାନୁରାଗ କେଵେ ଜଡ଼, ନିର୍ଜୀଵ, ନୀରସ ଓ ସ୍ୱାର୍ଥ କଳୁଷିତ ନୁହେଁ । ରାଜ୍ୟଲାଭ ଵା ରକ୍ତପାରେ ଏହାର ପ୍ରତିଷ୍ଠାୁ ନୁହେଁ। ଗଭୀର ଧର୍ମଭାଵ ଏଵଂ ଦୃଢ଼ଵିଶ୍ୱାସ ଏହାର ଭିିତ୍ତି। ସାମ୍ୟ, ମୈତ୍ରୀ, ସ୍ୱାଧିନତା ଏହାର ଵିଗ୍ରହ। ଓଡ଼ିଆର ଏହି ଭାଵ ନୀଳାଚଳାଧାମରେ ପ୍ରକଟିତ, ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟ ଦେଵତା । ବଦ୍ରୀନାଥ, ରାମନାଥ,ଦ୍ଵାରିକାନାଥ ସ୍ଥାନ ଵିଶେଷର 'ନାଥ', ମାତ୍ର ଜଗତର ନାଥ ନୁହନ୍ତି। ପ୍ରାଚୀନ କାଶୀଧାମରେ ଵିଶ୍ୱନାଥ ଅଛନ୍ତି, କିନ୍ତୁ ସମଗ୍ରଵିଶ୍ୱକୁ ଆଲିଙ୍ଗନ କରିଵାର ଉଦାରତା ସେଠାରେ ନାହିଁ ।

୧୪) ନୀଳାଚଳର ନୀତିରେ କ୍ଷୁ୍ଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ, ବ୍ରାହ୍ମଣ-ଚାଣ୍ଡାଳ ନାହିଁ, ପାମର-ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁବୌଦ୍ଧର ଭେଦ ନାହିଁ। ପରଵର୍ତ୍ତୀ  ଚୈତନ୍ଯଯୁଗରେ ମଧ୍ଯ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଏଠାରେ ଲୁଚିଯାଇଥିଲା । ଏହି ଉଦାରତାର ମାନଵିକତା ଏବଂ ମହାଭାରତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି  ତ କାଳେକାଳେ ଭାରତର ଦଦିଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଛନ୍ତି ।

୧୫)ଓଡ଼ିଆ କେଵେ କାହାକୁ ଵିଦ୍ଵେଷ ଦୃଷ୍ଟିରେ ଦେଖି ନାହିଁ।

୧୬)ଭାଇ ଓଡ଼ିଆ, ଵର୍ତ୍ତମାନ ତୁମ୍ଭେ ଯାହା ହୁଅ କି ତୁମ୍ଭଙ୍କୁ ଅନ୍ୟ ଯାହାବୋଲି ମନେକେରୁ ପଛକେ, ଯେତେଦିନ ଯାଏଁ ନୀଳାଚଳରେ ସାମ୍ୟ-ମୈତ୍ରୀର ଧ୍ଵଜା ଉଡ଼ୁଥିଵ, ସେତେଦିନ ଯାଏଁ ଓଡ଼ିଶା ସମଗ୍ର ଭାରତର ଏକତାର କେନ୍ଦ୍ରଭୂମି ହୋଇ ଵିରାଜୁଥିଵ । ତୁମ୍ଭେ ଏହି ଭାରତୀୟ ଜାତୀୟତା କେନ୍ଦ୍ରରେ ଅଧିକାରୀ । ଏ ଅଧିକାରର ଉପଯୁକ୍ତ କାର୍ଯ୍ୟ  କଲେ ଆମ୍ଭମାନଙ୍କୁ ଭାରତ  ନିକଟରେ ଅପମାନିତ ହେଵାକୁ ହେଵ ଏଵଂ ଭବିଷ୍ୟତ ପୁରୁଷମାନେ ଆମ୍ଭମାନଙ୍କର ସଂର୍କୀର୍ଣ୍ଣତା ଓ ଅଦୂରଦର୍ଶିାତର  ନିନ୍ଦା କରିଵେ ।

(ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତ)

Monday, May 25, 2020

କଳିଙ୍ଗ ସାଗର ଓ ବଙ୍ଗୋପସାଗର

ବଙ୍ଗୋପସାଗର କୁ ଓଡି଼ଆ ଲୋକେ କଳିଙ୍ଗସାଗର ତଥା ମହୋଦଧୀ କହିବା ଆରମ୍ଭ କରିଦିଅନ୍ତୁ ।
କାରଣ
ଆକାର ଦୃଷ୍ଟିରୁ ମହୋଦଧୀକୁ ଏକ ଉପସାଗରର ଆଖ୍ଯା ଦେବା ଟା ମସ୍ତବଡ଼ ଭୂଲ ।

ମୃତସାଗର-Dead sea ଅପେକ୍ଷା ମହୋଦଧୀ ବହୁତ ବିଶାଳ
ପୁଣି କାସ୍ପିଆନସାଗର ଏକ ବିଶାଳ ହ୍ରଦ କିନ୍ତୁ ଯେହେତୁ
ପୂର୍ବରୁ ଲୋକେ ଏସବୁ ଜଳଭାଗକୁ ଏକ ଏକ ସାଗରର ଆଖ୍ଯା ଦେଇ ଆସିଛନ୍ତି ଏବଂ ପରବର୍ତ୍ତୀକାଳରେ ମଧ୍ଯ ତାହା ପ୍ରଚଳିତ ସେସବୁ ଜଳଭାଗକୁ ଆଜି ମଧ୍ଯ ସାଗର କୁହାଯାଏ  ।

କେହି କେହି ମତ ଦିଅନ୍ତି ତିନିପାର୍ଶ୍ବରେ ସ୍ଥଳଭାଗ ପରିବେଷ୍ଟିତ ଜଳଭାଗ କୁ ଉପସାଗର
କୁହାଯିବା ଦରକାର ତେବେ ସେହି ନିୟମ ଅନୁଯାୟୀ Red sea~ଲୋହିତ ସାଗର କୁ ସାଗର ନ କହି ଉପସାଗର କୁହାଯିବା କଥା !
କାରଣ ଲୋହିତ ସାଗରର ତିନିପାର୍ଶ୍ବରେ ସ୍ଥଳଭାଗ ବେଢି ଅଛି ।
କିନ୍ତୁ ସେଭଳି ହୋଇଅଛି କି ?

ଆଉ କିଛି ଲୋକଙ୍କ ମତ ଅଳ୍ପ ଗଭୀର ସମୁଦ୍ର ବିଶେଷକୁ bay ବା ଉପସାଗର କୁହାଯିବା ଭୌଗଳିକ ବିଦ୍ଧି ସମ୍ମତ ।
ଏକଥା ମଧ୍ଯ ନିହାତି ଅମୂଳକ ।
ଆମ ମହୋଦଧୀର ହାରାହାରୀ ଗଭୀରତା 2,600 ମିଟର ଅର୍ଥାତ୍ ପ୍ରାୟ 8,500 ଫୁଟ୍ ଥିଲାବେଳେ ସର୍ବାଧିକ ଗଭୀରତା ହେଉଛି 4,694 ମିଟର ବା 15,400 ଫୁଟ୍ ।
ଏଣେ yellow sea ର ହାରାହାରୀ ଗଭୀରତା 44 ମି.  (144 ଫୁଟ). ଏବଂ ସର୍ବାଧିକ ଗଭୀରତା
152 ମି.(499 ଫୁଟ) ।
ଗଭୀରତା ଦୃଷ୍ଟିରୁ ମହୋଦଧୀ ପିତ୍ତସାଗର ଠାରୁ ଢେର ଗୁଣରେ ଉତ୍ତମ....

ତେଣୁ କଳିଙ୍ଗସାଗର ଯାହାକି ଆଜି ଇଂରେଜ ମାନଙ୍କ କୂଟ ଚକ୍ରାନ୍ତ ବଳରେ ହେଉ କି ଆମ ପଡୋଶୀଙ୍କ ଅତ୍ଯଧିକ ବୁଦ୍ଧିମତା ତଥା ଜ୍ଞାନ ଯୋଗୁଁ ବଙ୍ଗୋପସାଗର ହୋଇଅଛି ତାହା ଆମ୍ଭେମାନେ ଗ୍ରହଣ କରିନେବା ଟା  ଯୁକ୍ତିଯୁକ୍ତ ଲାଗୁନାହିଁ  ।

ଇତିହାସ କିମ୍ବଦନ୍ତୀ ଏବଂ ପୁରାଣ ମାନଙ୍କରେ
ଆଜିର ବଙ୍ଗୋପସାଗରର ଯେତେକ ନାମୋଲ୍ଲେଖ ହୋଇଅଛି ତନ୍ମଧ୍ୟରୁ ମହୋଦଧୀ,
ପରେ ପରେ କଳିଙ୍ଗସାଗର ତଥା ଦାକ୍ଷିଣାତ୍ଯରେ ଚୋଳ ସରୋବର ନାମ ଅଳ୍ପବହୁତେ ପ୍ରଚଳିତ ଥିବା ଜଣାଯାଏ ।

ମଧ୍ୟକାଳୀନ ଇଉରୋପୀୟ ପୁସ୍ତକ ମାନଙ୍କରେ
ମହୋଦଧୀକୁ  Gangetic kolpos(( κόλποςଗ୍ରୀକ୍)) କୁହାଯାଉଥିଲା ।
ଇଂରେଜ ମାନେ ସହଜେ ଇଉରୋପୀୟ ତେଣୁ ନିଜ ଅଞ୍ଚଳରେ ଲେଖାଯାଇଥିବା ଇତିହାସ ଗ୍ରନ୍ଥ ସବୁକୁ ସର୍ବପ୍ରଥମେ ଅନୁସନ୍ଧାନ କରିବେ ହିଁ କରିବେ ।

ସେମାନେ କଲିକତାରେ ନିଜ ବାଣିଜ୍ଯକୋଠି ସ୍ଥାପନ ପରେ ପରେ
ସେଇ ପୁରୁଣା ନାମକୁ ସାମାନ୍ଯ ପରିବର୍ତ୍ତନ କରି  କିଛିକାଳ ଧରି ଗାଂଗେଟିକ ସାଇନସ୍ ବୋଲିଲେ ।
sinus ଶବ୍ଦଟି ଗ୍ରୀକ kolpos ଶବ୍ଦର ଇଂରାଜୀ ପ୍ରତିଶବ୍ଦ ।

ପରେ କେତେକ ଅତି ବୁଦ୍ଧିମାନ ବଙ୍ଗାଳୀ ପଣ୍ଡିତ ଙ୍କ ପରୋଚନାରେ ପଡି଼ ମହୋଦଧୀର ନାମକରଣ
ବଙ୍ଗୋପସାଗର କରାଗଲା ।

ଗଙ୍ଗା ଉପସାଗର ନାମ ଦେଇଥିଲେ ତାହା ସନାତନ ହିନ୍ଦୁ ଧର୍ମର ମାନବୃଦ୍ଧି କରିଦେଇଥାନ୍ତା ଏଣୁକରି ଖ୍ରୀଷ୍ଟିଆନ ବେପାରୀ ମାନେ ବଙ୍ଗ ଉପସାଗର କରିଦେଲେ ।

ବଙ୍ଗରେ ବଙ୍ଗାଳୀଲୋକଙ୍କ ସହୃଦୟତା ଯୋଗୁଁ  ଇଂରେଜ ଦଳ ପ୍ରଥମ କରି ସୁରକ୍ଷିତ ଘରଟିଏ ଗଢିପାରିଥିଲେ
ତେଣୁ ବଙ୍ଗ କୁ କିଛି ତ ସମ୍ମାନ ଦେବାକୁ ହେବ ନା !!!!

ପରବର୍ତ୍ତୀ କାଳରେ ଓଡିଆଙ୍କ ଜମିଦାରୀ ବଙ୍ଗାଳୀ ଲୋକଙ୍କୁ ଏହି ପ୍ରାଚୀନ ଭାବସ୍ନେହ ଯୋଗୁଁ ମିଳିଥିବା ଅନୁମାନ କରାଯାଏ ।

ଅନେକ ଇଂରେଜ ଐତିହାସିକ ମାନେ ସ୍ବୟଂ ଏ କଥା ସ୍ଵୀକାର କରନ୍ତି ଯେ ମହୋଦଧୀର ବଙ୍ଗୋପସାଗର ନାମ ଇଂରେଜ ମାନେ ଭାରତକୁ ଆସିଲା ପରେ ହିଁ ହୋଇଅଛି ।

ପୁଣି କୌଣସି ପ୍ରାଚୀନ ଗ୍ରନ୍ଥରେ ବଙ୍ଗୋପସାର ନିମୋଲ୍ଲେଖ ହୋଇନାହିଁ ବରଂ ମହୋଦଧୀ ନାମ ପ୍ରାଚୀନ ପୁରାଣ ମାନଙ୍କରେ ସର୍ବାଧିକ ପ୍ରଚଳିତ ।

ଚତୁର୍ଦ୍ଦଶ ଶତାବ୍ଦୀର ଦିଲ୍ଲୀର ଆଲ୍ଲାଉଦ୍ଦିନ ଖିଲିଜଙ୍କର ରାଜକବି ମାଲିକ୍ ମହମ୍ମଦ ଜାୟସୀ ଙ୍କ ପଦ୍ମାବତ୍ କାବ୍ୟରେ କଳିଙ୍ଗ ସାଗରର ନାମ ଉଲ୍ଲେଖ ରହିଛି  l

ସେଥିରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯେ ମେବାରର ରାଣା ରତନ ସିଂ ଓ ରାଣୀ ପଦ୍ମାବତୀ ସିଂହଳ ଯିବା ପାଇଁ ଗୁଜୁରାଟର ଆରବ ସାଗରରେ ଯାତ୍ରା ଅପେକ୍ଷା କଳିଙ୍ଗ ସାଗରରେ ଯାତ୍ରାକୁ ସୁରକ୍ଷିତ ମଣିଥିଲେ  l

ଇଟାଲୀ ପରିବ୍ରାଜକ ରୋଜର ଫ୍ରେଡରିକ୍ (ଷୋଡ଼ଶ ଶତାବ୍ଦୀ) ତାଙ୍କର ଭ୍ରମଣ ପୁସ୍ତକରେ ମଧ୍ୟ ସୁଦୃଢ଼ ଅର୍ଥନୀତି ସହ କଳିଙ୍ଗ ସାଗର ନାମ ଓ ସେଥିରେ ସମୃଦ୍ଧ ନୌବାଣିଜ୍ୟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି l

ଇଂରେଜ ଭାରତର ମାନଚିତ୍ରକୁ ବିକୃତ ନାମକରଣ କରିବା ପୂର୍ବରୁ ଡଚ୍ ମାନେ ଓ ପର୍ତ୍ତୁଗିଜୀୟ ମାନେ ମଧ୍ୟ କଳିଙ୍ଗ ସାଗରକୁ ଏହି ନାମ ସହ ଚିହ୍ନିତ କରିଛନ୍ତି  l

ମାଦଳାପାଞ୍ଜିରେ ବାରମ୍ବାର ମହୋଦଧି ବୋଲି ଉଲ୍ଲେଖ ଅଛି  l
କୌଣସି ପ୍ରାଚୀନ ପାଣ୍ଡୁଲିପିରେ ବଙ୍ଗୋପସାଗର ବୋଲି ଅଭିହିତ କରାଯାଇ ନାହିଁ 
l  ଅପର ପକ୍ଷରେ
ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି-
ଯେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପ୍ରଶିଦ୍ଧ ଏବଂ
କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗରାଜାଙ୍କୁ ‘ମହୋଧିପତି’ ବୋଲି କୁହାଯାଇଛି ।

ଏହି ସବୁ ତଥ୍ଯ ରୁ ପ୍ରମାଣିତ ହୁଏ ଯେ ମହୋଦଧୀ ବା କଳିଙ୍ଗ ସାଗରର ବଙ୍ଗୋପସାଗର ନାମକରଣ ଇଂରେଜ ମାନଙ୍କ ମୂର୍ଖତା ର ସର୍ବୋତ୍ତମ ପ୍ରମାଣ ।

ଏକ ମହାମୂର୍ଖ ଡକାୟତ ଜାତି  ଦ୍ବାରା ଦିଆଯାଇଥିବା ବଙ୍ଗୋପସାଗର ନାମ ବଦଳରେ ମୁଁ ସଂକଳ୍ପ କରୁଅଛି
ଯେ ଆଜିଠାରୁ ମହୋଦଧୀ ଏବଂ କଳିଙ୍ଗସାଗର କହିବା ଆରମ୍ଭ କରିଦେବି ।

(Dr. ଦେବାଶିଷ ଜେଠୀ ମହାଶୟଙ୍କ ଏକ ଟିପ୍ପଣୀ ସହ ଅନ୍ଯ କିଛି ତଥ୍ଯ ସମ୍ମିଳିତ କରି ପୋଷ୍ଟ ଟି ପ୍ରସ୍ତୁତ କରାଯାଇଅଛି)

ତେନ୍ତୁଳିଆପଡା଼ ଗାଆଁର କଥା...

ବ୍ରାହ୍ମଣୀ ନଦୀର ପୂର୍ଵ ପାର୍ଶ୍ବରେ ତେନ୍ତୁଳିଆପଡା଼ ଗାଆଁ । ଆମ କନ୍ତିଓ ଗାଁର ଵୃଦ୍ଧଵୟସ୍କ ଲୋକ କହନ୍ତି ସେ ଗାଁରେ କୁଆଡେ଼ ଆଗେ ଖରାଦିନିଆ ହଟାତ୍ ନିଆଁ ଲାଗିଯାଉଥିଲା । ତେଣୁ ତେନ୍ତୁଳିଆପଡା଼ ଗାଁର ଲୋକେ ଦିନ ଓଳିଟା ବିଲରେ ରହି ସେଇଠି ହାଣ୍ଡି ବସେଇ ରୋଷେଇ କରି ଖାଉଥିଲେ ।

ଯୁଗ ବଦଳିଲାଣି...

ସେଇବାଟ ଦେଇ ରେଳଲାଇନ୍ ଗଲା । ସେ ଗାଁ ନିକଟସ୍ଥ ସଦାଶିବପୁର ଠାରେ ଏକ ଲୋକାଲ୍ ଟ୍ରେନ୍ ଷ୍ଟେସନ ଖୋଲିଲା । ଗାଁ ଲୋକ ଚାଲାକ ହେଲେ ଦଶ ପାଞ୍ଚଲୋକଙ୍କ ସହ ନିଇତି ମିଶିଲେ । ବେପାର ବଣିଜକରି ଧୀରେ ଧୀରେ ଧନୀ ହେଲେ ....

ଅଶି ଦଶକ ରେ ସେଇ ଗାଁରେ ଏକ ପଲିଷ୍ଟର କପଡା଼ ତିଆରି କାରଖାନା ଖୋଲିଥିଲା । କେତୋଟି ବର୍ଷ ମାତ୍ର ଚାଲିଲାପରେ ବାମପନ୍ଥୀଙ୍କ ଧର୍ମଘଟ ଆଉ କଂଗ୍ରେସିଆଙ୍କ ଖାଅଲୁଟ ନୀତି ଯୋଗୁଁ କମ୍ପାନୀ ବନ୍ଦ ହେଲା ଯେ ହେଲା ଏଯାବତ ବନ୍ଦ ଅଛି ।

ତେନ୍ତୁଳିଆ ପଡା଼ ସହ ଆମ ଗାଁର ବହୁତ ପୁରୁଣା ସମ୍ପର୍କ ରହିଅଛି । ଦୁଇ ଗାଆଁ ମଝିରେ ବ୍ରାହ୍ମଣୀ ନଦୀ ବହିଯାଇଛି ଦୂରକୁ ବହୁ ଦୂରକୁ ଯାଇ କଳିଙ୍ଗସାଗରରେ ମିଶିଛି ।

ଆଗେ କନ୍ତିଓ ଓ ତେନ୍ତୁଳିଆପଡା଼ ଲୋକଙ୍କ ଆର୍ଥିକ ସ୍ଥିତି ସମାନ ଥିଲା ତେଣୁ ସେ ଗାଆଁରୁ ଝିଅ କନ୍ତିଓ ଗାଆଁରେ ବାହା ହେଉଥିଲେ ଏଵଂ କନ୍ତିଓ ଗାଆଁର ଝିଅ ମଧ୍ୟ ତେନ୍ତୁଳିଆପଡା଼ରେ ବାହା ହେଉଥିଲେ ।

ତେନ୍ତୁଳିଆପଡା଼ରେ ପଲିଷ୍ଟର କମ୍ପାନୀ ବସିଲାରୁ ସେ କମ୍ପାନୀକୁ ଚଢା଼ ମୂଲ୍ୟରେ ମାଆମାଟି ଭିଟାମାଟି ବିକିଥିଵା ଲୋକେ ଆର୍ଥିକ ସ୍ଵଚ୍ଛଳ ହୋଇଗଲେ ,କେହି କେହି ଦୋକାନ ଦେଇ ତ କେତେକ ରାଜନୀତି କରି ଧନୀ ହେଲେ । କିଛି ଲୋକ ଗାଆଁପାଖରେ ଚାକିରୀ ପାଇ ସ୍ଵଚ୍ଛଳ ହେଲେ ।

ଫଳରେ ତେନ୍ତୁଳିଆପଡା଼ ସହ ଆର୍ଥିକ ଅନଗ୍ରସର କନ୍ତିଓ ଗ୍ରାମର ଥିଵା ଵୈଵାହିକ ସମ୍ପର୍କ ଆଉ ସୁଦୃଢ଼ ରହିଲା ନାହିଁ ...

ଆଜି କାଁ ଭାଁ ଆଠ ଦଶ ଵର୍ଷରେ ପଟେ ଅଧେ କନ୍ତିଓ ଝିଅ ତେନ୍ତୁଳିଆପଡା଼ରେ ବାହା ହେଉଛନ୍ତି ସତ କିନ୍ତୁ ସେ ଗାଆଁରୁ କେହି ବାହା ହୋଇ କନ୍ତିଓକୁ ଝିଅ ଆଣିଵା ଆଉ ଶୁଣାଯାଏନାହିଁ ।

ମୋ ଆଈର ପୈତୃକ ଗ୍ରାମ ତେନ୍ତୁଳିଆପଡା଼, ମୋ ସ୍ଵର୍ଗତା ବଡ଼ ମମା(ପ୍ରଥମ ବଡ଼ମାଆ)ଙ୍କର ବାପଘର ସେହି ତେନ୍ତୁଳିଆପଡା଼ର ଗ୍ରାମରେ ଏଵଂ ଆହୁରି ଅନେକ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କ ଘର ସେଇ ଗାଆଁରେ ...

ଆଜିକାଲି ତେନ୍ତୁଳିଆପଡା଼ର ଲୋକେ କଟକର ଆଠଗଡ଼,ଓଡ଼ପଡା଼ ଓ ଢେଙ୍କାନାଳ ସଦରର ଧନୀକମାନଙ୍କୁ ତାଙ୍କ ଝିଅ ଦିଅନ୍ତି ଏଥିପାଇଁ ଵେଳେ ଵେଳେ ଵିଵାଦ ବି ହୁଏ  ...

କିଛି ଵର୍ଷ ତଳେ କଟକର ଅଚଳକୋଟ ଗାଆଁର ଏକ ବର ପିଲା ମଦ ପିଇ ତେନ୍ତୁଳିଆପଡା଼ ବାହା ହଵାକୁ ଆସିଥିଲା ଓ ଅଭଦ୍ର ଵ୍ଯଵହାର ଯୋଗୁଁ ସେ ଗାଆଁର ଲୋକ ବର ସହ ବରଯାତ୍ରୀଙ୍କୁ ଉତ୍ତମ ମଧ୍ଯମ ଦେଇ ଵିଦା କରିଦେଇଥିଲେ 🤣🤣🤣

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...