Wednesday, October 31, 2018

କ୍ଷମାଵାଣୀ ଉତ୍ସଵ

କିଛି ଦିନ ପୂର୍ଵେ ପର୍ଯ୍ୟୁଷଣ ପର୍ଵ ଉପଲକ୍ଷେ ଏକ  ଧାର୍ମିକ ଜୈନ ସଜ୍ଜନଙ୍କୁ ଭେଟିବା ହେତୁରୁ ତାଙ୍କର ଜଣେ ସାଙ୍ଗ ଯାଇଥାଏ...

ସେ ବହୁତ ଵ୍ୟସ୍ତ ଥାଆନ୍ତି । କହିଲେ, ଆମର କ୍ଷମାଵାଣୀ ଉତ୍ସଵ ପାଳିତ ହେଉଛି ଅଛି ତେଣୁ ତହିଁରେ ଲାଗିଛି ।

କାର୍ଯ୍ୟଭାର ଯୋଗୁଁ ମସ୍ତକ ଭାରି ହୋଇଗଲାଣି । ୧୧ଦିନ ହେଲା ଏ ଵ୍ରତ ପାଳନ ହେଉଚି ଆଉ ଆଜି ତ ଶାନ୍ତିରେ ନିଶ୍ଵାସ ମାରିବାକୁ ମଧ୍ଯ ଅଵସର ନାହିଁ ।

ସାଙ୍ଗ ଜଣକ ପଚାରିଲା―ଏ ପୁଣି କି ପ୍ରକାରର ଉତ୍ସଵ ଯେ ?
ସେ କହିଲେ―
“ଭାଇ,ଏ ଉତ୍ସଵରେ ସବୁ ଲୋକ ରାଗରୁଷା ଭୂଲି ସ୍ନେହରେ ଆଲିଙ୍ଗନ କରିଥାଆନ୍ତି ଏଵଂ ପରସ୍ପରକୁ କ୍ଷମା କରିଦେଇଥାନ୍ତି । ସତରେ ଏ ପର୍ଵଟି ପ୍ରେମ ଆଉ ସଦଭାଵର ଉତ୍ସଵ ଅଟେ”

ଏତିକି କହି ସେ ପ୍ରେମ ଵିଭୋର ହୋଇଗଲେ.....

ତାଙ୍କ ସାଙ୍ଗ କହିଲା,
“ଆଉ ବଡ଼ ଭାଇ କାହାନ୍ତି ? ଆସିଛି ଯେତେବେଳେ ତାଙ୍କୁ ବି ଭେଟି ଯାଆନ୍ତି ?”

ସେ କହିଲେ,
" ସେଇ ପାଖର ତିନି ବଖରାଯାକ  ତାଙ୍କର । ଆମର ଟିକିଏ ପାଟିତୁଣ୍ଡ ହେଇଯାଇଛି,କଥାଵାର୍ତ୍ତା ହେଉନାହିଁ । ତମେ ଡାକ ପକାଅ କାଳେ ଶୁଣିବେ......"

ଏତିକି କହି ସେ କ୍ଷମାଵାଣୀ ଉତ୍ସଵ
ପାଳନରେ ଲାଗିଗଲେ.....

ଆଗନ୍ତୁକ ସାଙ୍ଗଟା ବାହାରକୁ ଯାଇ ଦେଖିଲା–
ପୈତୃକ ଗୃହର ଠିକ ମଧ୍ୟଭାଗରେ ଦୁଇଭାଇ ଗୋଟାଏ ଆଠଫୁଟିଆ କାନ୍ଥ ଉଠେଇ ଦେଇଛନ୍ତି ।
ମାଟି ତ ମାଟି ଆକାଶଟାକୁ ବି
ଏ ଦି ଭାଇ ବାଣ୍ଟି ସାରିଛନ୍ତି.....

ପରସ୍ପରରେ କଥାଵାର୍ତ୍ତା ବନ୍ଦ ହେଲେ
ଦୁହେଁ ବଡ଼ ଉତ୍ସାହ ସହକାରେ
କ୍ଷମାଵାଣୀ ଉତ୍ସଵ ପାଳୁଥାନ୍ତି......

【ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କର क्षमावाणी ଵ୍ୟଙ୍ଗକଥାର ଓଡ଼ିଆ ଭାଵାନୁଵାଦ】

Tuesday, October 30, 2018

ନେତାଙ୍କ ଗଳା

ଜଣେ ନେତାଙ୍କର ଦେଶରେ ବଡ଼ ହୀନସ୍ତା ହୋଇଗଲା । ଘୋଡ଼ା ଗାଡ଼ିରେ ଉଡୁ଼ଥିଲେ,ରାଜାପୁଅ ଭଳି ଚଳୁଥିଲେ ହେଲେ କିଛି ପ୍ରଗଳ୍ଭ ଲୋକଙ୍କ ଯୋଗୁଁ ତାଙ୍କ ସୌଭାଗ୍ୟରେ ଶନିଦଶା ଲାଗିଗଲା ।

ଏବେ ସେ ବାବୁ ବଡ଼ ଅଵସାଦରେ ବୁଡ଼ି ରହିଛନ୍ତି, ପୂର୍ଵ ଗୌରଵ ଏଵଂ ହୃତ ସମ୍ମାନକୁ ଝୁରି ହଉଛନ୍ତି....

ତେବେ କିଛି ଦିନ ତଳେ ସେ ଏତେ ମାତ୍ରାରେ ଧୌର୍ଯ୍ୟହରା ହୋଇଗଲେ ଯେ ଆତ୍ମହତ୍ୟା କରିବାର ସାହସିକ ନିର୍ଣ୍ଣୟ ନେଇଯାଇଥିଲେ ।
ସେଦିନ ଛୁରିଟାଏ ଧରି ଆପଣାର ଗଳାକୁ କାଟିଦେବାକୁ ଉଦ୍ୟତ ହେଉଥାନ୍ତି କି ତାଙ୍କ ପରମ ପ୍ରିୟ ଚେଲାଟା ଆସି ପହଞ୍ଚିଗଲା.....

ଚେଲା ଆଖିରେ ଯେମିତି ଅଭାବନୀୟ ଦୃଶ୍ୟଟି ପଡି଼ଗଲା ସେ ଆଶ୍ଚର୍ଯ୍ୟ ମିଶା କଣ୍ଠରେ କହିଲା ଏ......

କଣ୍ ଆଜ୍ଞା ?????

ନେତା କହିଲେ―ଦେଖୁନାହଁ କି ଗଳା କାଟୁଛି....

ଏ ଜୀଵନ ରଖି ଆଉ କି ଲାଭ ଯେ....

ସମ୍ମାନ ନାହିଁ କି ମାସେ ହେବ ଏ ଗଳାରେ ଗୋଟାଏ ହେଲେ ମାଳାଟେ ପଡି଼ନାହିଁ .....

ଚେଲା ଟା କଣ୍ ଭାବି କହିଲା
ରୁହନ୍ତୁ, ମୁଁ ଏଇଠୁଁ ଯାଇ ଫେରିଆସିଲେ ଏ ଵିଷୟରେ କଥା ହେବା ।

କିଛି ସମୟପରେ ଚେଲା ଟା ଆଉ କିଛି ଚେଲା ଓ ମାଳା ଗୁଡି଼ଏ ଧରି ଫେରିଲା । ସେତେବେଳେ ଯାଇ ନେତାଜଣକର ଜୀଵନ ରକ୍ଷା ହୋଇପାରିଥିଲା....

((ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କର
उद्घाटन शिलान्यास रोग ଵ୍ୟଙ୍ଗ ରଚନାର ଏକ ଅଂଶର ଅନୁକରଣରେ ବର୍ଦ୍ଧିତ ଭାଵାନୁଵାଦ........))




Saturday, October 27, 2018

ପରସାଈଙ୍କର ଵ୍ୟଙ୍ଗବାଣ

●→ଉତ୍ତମ ଆତ୍ମା ଫୋଲ୍ଡିଂଗ୍ ଚଉକି ପରି ହେବା କଥା.....

●→ଆଵଶ୍ୟକ ପଡିଲେ ବିଛେଇ ଦେଇ ବସିଗଲ ନହେଲେ ମୋଡି଼ ମାଡି଼କି ଘରକୋଣରେ ଡେରିଦେଲେ ଗଲା ....

●→ଅପମାନିତ ହେଉଥିଲା ବେଳେ ସେଥିରୁ ଯଦି କୌଶଳ ପୂର୍ଵକ ଆଉ ଜଣକୁ ଭାଗ ଦେଇ ଦେଲ ତେବେ ଅଧା ଇଜ୍ଜତ ବଞ୍ଚିଯିବ.....

●→ଅର୍ଥଶାସ୍ତ୍ର ଯେତେବେଳେ ଧର୍ମଶାସ୍ତ୍ର ଉପରେ ଆଧିପତ୍ୟ ଵିସ୍ତାର କରିବା ଆରମ୍ଭ କରିଦିଏ ସେତେବେଳେ ଗୋରକ୍ଷା ଆନ୍ଦୋଳନକାରୀ ନେତା ଜୋତା ଦୋକାନ ଖୋଲି ପକାନ୍ତି.....

●→ଯିଏ ପାଣି ଛାଣି କି ପିଅନ୍ତି ସେ ମଣିଷ ରକ୍ତ ବିନା ଛଣା ବି ପିଇଯାନ୍ତି.....

●→ଏ ଦେଶର ଵ୍ୟକ୍ତି ପାଖରେ ଅଦ୍ଭୁତ ସହନଶୀଳତା ଓ ଭୟଙ୍କର ତଟସ୍ଥତା ଗୁଣ ରହିଛି । ଯଦି କେହି ତାକୁ ପିଟିକିରି ପଇସା ଛଡେ଼ଇ ନିଏ  ତେବେ ସେ ଦାନର ମନ୍ତ୍ର ପଢିବା ଆରମ୍ଭ କରିଦିଏ.....

●→ଆମେରିକୀୟ ଶାସକ ପର ଦେଶ ଆକ୍ରମଣକୁ ସଭ୍ୟତାର ପ୍ରସାର କୁହନ୍ତି। ବମ୍ ଵର୍ଷା ହେଲାବେଳେ ମଲା ଲୋକ ଭାବନ୍ତି ସଭ୍ୟତା ବରଷୁ ଅଛି .....

●→ଚୀନଦେଶୀୟ ନେତା ଟୋକାଙ୍କ ଗୋଳକର୍ମକୁ ସାଂସ୍କୃତିକ କ୍ରାନ୍ତି କହିହୁଅନ୍ତି ସେତେବେଳେ ପିଟା ଖାଇଥିବା ନାଗରିକଟା ଭାବେ ମୁଁ ସୁସଂସ୍କୃତ ହେଉଅଛି....

●→ଏ ଜାତିର(ମହାଭାରତୀୟ ଜାତି) ଅଧା ବଳ ତ ଝିଅ ମାନଙ୍କ ବାହାଘରରେ ଚାଲିଯାଇଥାଏ ....

●→ନିଶା ମାମଲାରେ ଅନ୍ୟ ଜାତି ମାନଙ୍କ ତୁଳନାରେ ଆମେ ବହୁତ ଉଚ୍ଚ ସ୍ଥାନରେ ଅଛନ୍ତି । ଦୁଇ ପ୍ରକାରର ନିଶା ଉଲ୍ଲେଖଯୋଗ୍ୟ;
ହୀନତାର ନିଶା ଓ ଶ୍ରେଷ୍ଠତାର ନିଶା ।
ଯାହାକୁ ଯେତେବେଳେ ଯୋଉ ନିଶା ଘାରିଲା ସେ ସେମନ୍ତ ପ୍ରକାରେ ଝୁଲିଲା......

●→ଯେଉଁ ଜାତି ଭୋକେ ମରୁଥିଲେ ସିନେମାରେ ଯାଇ ବସିଯାଏ ସେ ନିଜ ଅଵସ୍ଥା କେମିତି ବଦଳିବ......

●→ଏ ଦେଶର ବୁଦ୍ଧିଜୀବୀ ସିଂହ ଠାରୁ ବି ଶତଗୁଣ ଅଧିକ ଶକ୍ତିଶାଳୀ କିନ୍ତୁ ସେମାନେ ଶିଆଳର ବାହାଘର ବରଯାତ୍ରୀ ହୋଇ ଅଯଥାରେ ନାଚୁଥାଆନ୍ତି .....

■ଵ୍ୟଙ୍ଗସମ୍ରାଟ हरिशंकर परसाईଙ୍କର ଵିଭିନ୍ନ ଵ୍ୟଙ୍ଗରୁ ସଂଗୃହିତ କିଛି ଵ୍ୟଙ୍ଗ ବାଣ■

ପୁଞ୍ଜିପତି


###ଖଲୀଲ୍_ଜି଼ବ୍ରାନ୍###

ମୋ ଜୀବନରେ ମୁଁ ଅନେକ ଯାତ୍ରା କରିଥିବି ତେବେ ଥରେ ଗୋଟେ ଦ୍ଵୀପରେ ଏମିତି ଏକ ଜୀଵ ଦେଖିଥିଲି ଯାହାର ମୁଣ୍ଡ ତ ମନୁଷ୍ୟ ପରି ଥିଲା କିନ୍ତୁ ତା ପିଠି ଟା ଲୁହାର ଥିଲା ।
ସେ କ୍ଷଣେ କ୍ଷଣେ ମାଟି ଖାଇଚାଲିଥିଲା ଆଉ ସମୁଦ୍ରର ପାଣି ପିଇ ଚାଲିଥିଲା ।
ମୁଁ ବହୁତ ସମୟ ଯାଏଁ ତାକୁ ସ୍ଥାଣୁ ଭଳି ଛିଡ଼ା ହୋଇ ଦେଖୁଥାଏ....
ଶେଷରେ ତା ପାଖକୁ ଯାଇ ପଚାରିଲି
ଏତେ ପଣଡଣିଆ ଭଳିଆ କିମ୍ପାଇଁ ହଉଚ କିଓ ତମେତିକି କିୟଣ ଖଖିବାକେ ମିଳୁନଥିଲା କିୟେ ? ନା ଯେତେ ଖାଇଲେ ବି ତମ ଭୋକ ଶୋଷ କେବେବି ଶାନ୍ତ ହୁଏ ନାହିଁ ବୋଲି ତମେ ସବୁବେଳେ ଏମନ୍ତ ଖାଇ ଚାଲିଛ ?

ସେ ଜୀଵଟା କହିଲା―ହଁ ମୁଁ ତୃପ୍ତ । ଆଦୌ ଭୋକିଲା ନୁହେଁ, ଖାଇ ଖାଇ ନୟାନ୍ତ ହେଲିଣି । ହେଲେ ମୋର ଖାଲି ଗୋଟାଏ କଥାକୁ ଡର―କାଲି ପାଇଁ ଖାଇବାକୁ ମାଟି ଓ ପିଇବାକୁ ସମୁଦ୍ର ରହିଥିବ ତ ???????

Friday, October 26, 2018

ଭାଗ୍ୟ

ଆମର ଏଠି ଦାସବାବୁଙ୍କୁ କିଏ ନ ଜାଣେ ?  ଏଇ ଗାଁରେ ସବୁଠାରୁ ଧନୀ ବୋଇଲେ ସେଇ ଏକ୍କା....
ଏବେ ତିନି ତିନିଟା ପୁଅ ଚାକିରୀ କରନ୍ତି
ଘରକୁ ଅଭାବ କହିଲେ ଖାଲି ପରିବାର ଲୋକଙ୍କର ସେତେ  ଭେଟ ସାକ୍ଷାତ ହୁଏନି ନୋହିଲେ ଜଗତ ଯାକରେ ଜୀଵନକୁ ଛାଡ଼ି ଆଉ ସବୁ କିଣି ପାରିବାର ବଳ ଅଛି .....
ହେଲେ ତିରିଶ ଵର୍ଷ ତଳେ....
ଦାସେ ଏତେ ଧନୀ ନଥିଲେ....
ଧନ ପାଇଁ ପେଟ କାଟି ଟଙ୍କା ରଖିଛନ୍ତି....
ପଖାଳ ଭାତ ସହ ଆଳୁ ପୋଡା଼ ଖାଇ ଓ ଖୁଆଇ ଆଜି ତାଙ୍କ ପରିବାର ଧନୀ ହୋଇଛି ବୋଲି ସାରା ଗାଆଁକୁ କୁହନ୍ତି.....
ଦାସେଙ୍କର ଯେତେବେଳେ କିଛି ନଥିଲା ସରକାର ବାହାଦୂର ତାଙ୍କ ନାଆଁରେ ଗୋଟାଏ ବିପିଏଲ କାର୍ଡ କରିଦେଇଥିଲେ...
ସେ ଯୁଗରେ ଶଶୁରଘର ଧନ ସହ ସରକାରୀ ଇନ୍ଦିରାଆଵାସ ଟଙ୍କା ମିଶେଇ ଗୋଟାଏ ଦି ବଖରିଆ ପଥରଘର କରିଥିଲେ....
କିନ୍ତୁ
ସେହି ବିପିଏଲ କାର୍ଡ ଯୋଗୁଁ ଆଜି ଦାସେଙ୍କର ଅନେକାନେକ ଉନ୍ନତି ସାଧିତ ହେଉଅଛି ଏବଂ ବହୁମାତ୍ରାରେ ତାଙ୍କର ଲାଭାଂଶ ସ୍ଵରୂପ ଧନରାଶୀ ବ୍ୟାଙ୍କ ଖାତାରେ ମଧ୍ଯ ଜମା ହେଉଛି ।
ଦାସେଙ୍କ ଯୁଆନ କାଳରେ ସରକାର ବାହାଦୂର ଖାଲି ଇନ୍ଦିରାଆଵାସ ଦେଉଥିଲେ
ଏବେ କିନ୍ତୁ ଘର ସହ ଘରକୁ ଶସ୍ତାଦରରେ ଵିଜୁଳୀ ବି ଦଉଚି..
ଦାସେଙ୍କର ତ କଚେ ପୁଅ ବାର ନୋହିଲେ ଆଉ କଣ୍ ?
ବେଲେ ଗାଆଁର ସବୁଠାରୁ ଧନୀ ଲୋକ ହେଇ ବି ତାଙ୍କେ ଵିଦ୍ୟୁତ ଵିଭାଗକୁ ମାସିକ ମାତ୍ର ୮୦ ଟଙ୍କା ଦେୟ ପ୍ରଦାନ କରିଥାନ୍ତି....
ଏଣେ ତିନିପୁଅଙ୍କର ହାତଗଣ୍ଠି ପଡି଼ସାରିଛି ଯେ
ଆପଣା ଧନ ସହ ଇନ୍ଦିରାଆଵାସ ଯୋଜନାର ଟଙ୍କା ମିଶେଇ କେଡେ଼ କେଡେ଼ ଘର ତୋଳିଛନ୍ତି ଥରେ ଦେଖିଲେ ଆଖିରେ ଧୂଳି ପଡି଼ଯିବ !!!!

ସେଇ ଟିକିଏ ଡାହାଣ ପାଖରେ
ଦାସେ ଆପଣେଙ୍କ ହତାକୁ ନାଗିଥିବା ଦି ବଖରିଆ ପୁରୁଣା ଅଧାଭଙ୍ଗା ପଥରଘରଟା ହେଉଛି ବୃଦ୍ଧ ଋଗ୍ଣ ଦିନା ସାହୁର.....

ଦାସେଙ୍କ ପରି ତା ଭାଗ୍ୟରେ ହାତୀ,ସୁନାକଳସ କି କଳସ ମଧ୍ୟର ଧନରାଶୀ ନାହିଁ....
ତାହାର ଫଟା କପାଳ ବୋଇଲେ ମିଛ ହବନି....

ଦାସେ ଯେତେବେଳେ ପରମ ନିର୍ଦ୍ଧନ ଥାନ୍ତି ଏ ଦିନା ସାହୁ ଦୋକାନ କରି ନିଜ ପରିଶ୍ରମ ଓ ଧନ ବଳରେ ଘରଟିଏ,ପାଇଖାନା ଟିଏ ଓ କୂଅ ଗୋଟାଏ ଖୋଳାଇଥିଲା ।
ଏଇ ମାତ୍ର ଦଶ ଵର୍ଷ ତଳେ ମଧ୍ଯ ତା ପାଖରେ ବହୁତ ଧନ ଥିଲା କିନ୍ତୁ ଆପଣା କର୍ମର ଫଳ ଯୋଗୁଁ ଆଜି ସେ ଧନ ଓ ଧନ ଆଧାରିତ ମାନ ସମ୍ମାନରେ ଦାସେଙ୍କ ଠାରୁ ବହୁ ପଛରେ ପଡି଼ଯାଇଛି....
ଦିନା ସାହୁ ଟା ନିପଟ ଓଲୁ ଥିଲା । ସେ ଆଳୁ ବେପାର କରୁ କରୁ ତେଜରାତି ଦୋକାନଟେ କରିପକେଇଥିଲା କିନ୍ତୁ ଦାସେଙ୍କ ପରି ସେ ଚେଣ୍ଟା ହୋଇପାରିଲାନି.....
ନା ଆଦୌ ନୁହେଁ...........

ଦିନା ସାହୁକୁ ଲୋକଙ୍କ ସ୍ନେହ ଆଦର ଦେଖି କି ମାୟା ଲାଗିଲା କେଜାଣି
ଆପଣା ବନ୍ଧୁ ବାନ୍ଧବ ଛଡ଼ା ଆଉରି ପାଞ୍ଚ ଦଶ ଘର ଅଜାତିଆ ଧରମ ବନ୍ଧୁ କରିପକେଇଲା । ଏଣେ ଜାତିଆ ବନ୍ଧୁ ପଚାଶ କୁ ତେଣେ ଧରମ ବନ୍ଧୁ ଦଶ ଘର,
ତାଙ୍କ ଘରମାନଙ୍କୁ ଭଲ ମନ୍ଦରେ ଜିନିଷ ପତ୍ର ନେଇ ନେଇ
ଆଉ ପଇସାପତର ସଞ୍ଚି ପାରିଲାନି ଏଣେ
ଝୁଅ ବାହାଘରରେ ଚାରି ପାଞ୍ଚ ଲକ୍ଷ ସାରିଦେଲା ତେଣେ ସୁଗାର ରୋଗ ବି  ଧରିପକେଇଲା......

ପୁଅ ଦିଇଟା ବି କୋଉ କାମକୁ ସରି ହେଲେନି
ଦାସେ ଆପଣେଙ୍କ ପୁଅମାନଙ୍କ
ବଡ଼ ସାହିବ ନହୋଇ  ପର ରାଇଜକୁ ଦାଦନ ଖଟିବାକୁ ପଳେଇଲେ.....
ଆଉ କିସ ଯେ
ଦିନା ସାହୁ ଟା ଶେଷକୁ ଏହି ସବୁ କାରଣରୁ
ଗରିବ ହୋଇଗଲା ବୋଲି ଅନେକ ପୁରୁଖା ଲୋକେ କୁହାକୁହି ହୁଅନ୍ତି.....

ତେବେ ସେତେବେଳେ
ଦିନା ସାହୁର ସବୁଠାରୁ ବଡ଼ ଭୂଲ ଥିଲା....

ସେ ବିପିଏଲ କାର୍ଡଟିଏ ପାଇବାକୁ ଚେଷ୍ଟା କରିବା ତ ଦୂରର କଥା ଵରଂ ତା ଘରର ସ୍ଵଚ୍ଛଳତା ଆଦି ତଥ୍ୟ ନେବାକୁ ଆସିଥିବା ଅଧିକୃତ ସରକାରୀ କର୍ମଚାରୀଙ୍କୁ ତାହାର ଘର,କୂଅ,ପାଇଖାନା, ଗାଡ଼ି ଓ ଗ୍ୟାସ ଦେଖେଇ ଆପଣାକୁ ଧନୀ ଦେଖେଇବାରେ ଲାଗିପଡି଼ଥିଲା.....

ଆଜି ଫଳ ଏମନ୍ତ ହୋଇଛି.....
ଦିନା ସାହୁକୁ ମାସିକ ୩୦୦ ରୁ ୫୦୦ ବିଜୁଳି ଦେୟ ଭରିବାକୁ ପଡୁଥିଲା ବେଳେ ଦାସେ
ଭରୁଛନ୍ତି ମାତ୍ର ୮୦ ଟଙ୍କା ଏଣେ ଆହୁରି ଅନେକ ସରକାରୀ ସହାୟତା ପାଇ ପାଇ ଦାସେ ଆପଣେ ଯେତିକି ଯେତିକି ଚହଟୁଛନ୍ତି ଦିନା ବୁଢାଟା ବିଚରାର ଭାଗ୍ୟ ଟା ସେତିକି ସେତିକି ମଉଳା ଫୁଲ ଭଳିଆ ହେଇ ହେଇ ଯାଉଛି....

ଏସବୁ ଦେଖି ଦେଖେଇ ଲୋକେ ବି କହିବା ଆରମ୍ଭ କରିଦେଲେଣି
ହଁ ଵା ଭାଗ୍ୟ ବୋଲି କିଛି ଗୋଟେ ଅଛି ନା ଆଉ...
ନୋହିଲେ
“ଚେଣ୍ଟା କି ଧନୀକ ହୁଅନ୍ତା
ଧନୀ ଟା ଅଭାବେ ମରନ୍ତା”

Thursday, October 18, 2018

ପେଣ୍ଡାଲ୍ ପନ୍ତାଡ଼ ପନ୍ତାଳ ପ୍ରାନ୍ତର

ମଣ୍ଡପ ନକହି ଆଜିକାଲି ଲୋକେ ପେଣ୍ଡାଲ୍ ଓ ପଣ୍ଡାଲ୍ କହିଲେଣି.......
ଇଂରାଜୀ Wiktionary ରେ ଯୋଡା଼ହୋଇଛି
ଯେ ଏହି ଇଂରାଜୀ ଶବ୍ଦଟିର ମୂଳ ହେଉଛି ଏକ ତାମିଳ ଶବ୍ଦ பந்தல(Pantala―ପଣ୍ତାଳ/ପନ୍ତାଳ).....
ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପନ୍ତାଳ ଶବ୍ଦ ତ ନାହିଁ କିନ୍ତୁ ସେହି ଶବ୍ଦ ସହ ମିଶୁଥିବା ଏବଂ ଵ୍ୟାକରଣ ର ପରିବୃତି ନିୟମ ଅନୁସାରେ ପନ୍ତାଳରେ ପରିଣତ ହୋଇପାରିଲା ଭଳିଆ ଦେଶଜ ଶବ୍ଦଟେ ଅଛି ତାହା ହେଉଛି
ପନ୍ତାଡ଼(ର).......
ଏହି ଓଡ଼ିଆ ଦେଶଜ ଶବ୍ଦର କେତୋଟି ମୁଖ୍ୟ ମୁଖ୍ୟ ଅର୍ଥ ଏଠାରେ ଉଲ୍ଲେଖଯୋଗ୍ୟ

୧―ପ୍ରାନ୍ତ(end)
୨―ପ୍ରାନ୍ତର(ଦୀର୍ଘ ପ୍ରଶସ୍ତ ପଡି଼ଆ)
୩―ବୃକ୍ଷାଦିଶୂନ୍ୟ ମରୁଭୂମି
୪―ପୋଖରୀ ବନ୍ଧ ଓ ପାଣିଧାର ମଧ୍ୟଵର୍ତ୍ତୀ ସ୍ଥାନ;ବଗଚରା
୫―ଦୁଇଗ୍ରାମ ମଧ୍ୟସ୍ଥ ବୃକ୍ଷହୀନ ପଡି଼ଆ;ଗହୀର
୬―ନଈ ଆଦିର କୂଳ

ଓଡ଼ିଆ ଭାଷାର ପନ୍ତାଡ଼ ଶବ୍ଦଟି ଓଡ଼ିଶାରେ କେଉଁଠି କେଉଁଠି ପନ୍ତାର ହୋଇ ଚଳୁଅଛି । ଏଵଂ ଓଡ଼ିଆ ଭାଷାର ଏମିତି ଅନେକ ଶବ୍ଦ ରହିଛି ଯହିଁରେ ର,ଳ ଓ ଡ଼  ଆଦି ଵର୍ଣ୍ଣ ପରିବୃତି ଯୋଗୁଁ ସେଗୁଡ଼ିକର ଦୁଇ ଵା ତତୋଧିକ ରୂପ ଚଳୁଅଛି ।

ଦେଵୀ ମାତୃକାଙ୍କର ମଣ୍ଡପ ପୂଜାର ଆରମ୍ଭ ଓଡ଼ିଶାରୁ ହୋଇ ବଙ୍ଗ ଦେଶକୁ ଯାଇ ଚଳିଥିବା ନିକଟ ଅତୀତରେ ଏକ ଓଡ଼ିଆ ପୁସ୍ତକରେ ପଢିଥିଲି(ଉକ୍ତ ବହିଟି ଆପଣ ଓଡ଼ିଆ ବିଭବ ଜାଲସ୍ଥଳରୁ ପାଇପାରିବେ) ! ଦକ୍ଷିଣ ଭାରତରେ ମଧ୍ଯ ମଣ୍ଡପ କରି ଵିଵାହ ଆଦିର ଆୟୋଜନ କରାଯିବାର ସଂସ୍କୃତି ବହୁ ପ୍ରାଚୀନ କାଳରୁ ରହିଆସିଛି । ଦାକ୍ଷିଣାତ୍ୟ ଵିଶେଷତଃ ତାମିଳନାଡୁ଼ରେ ଵିଵାହ ଆଦି ଆୟୋଜନ ଏହିଭଳି ପନ୍ତାଡ଼ ଵା ପନ୍ତାର ସ୍ଥାନରେ ଆଜି ବି ଊଣା ଅଧିକେ ହେଉଅଛି ।
ତେଣୁ ବହୁତ ସମ୍ଭବ ତାମିଳର ପନ୍ତାଳ,
ଓଡ଼ିଆ ଭାଷାର ପନ୍ତାଡ଼ ତଥା ପନ୍ତାର,ସଂସ୍କୃତର ପ୍ରାନ୍ତର ତଥା ଇଂରାଜୀ ଭାଷାର ପଣ୍ଡାଲ ଏ ସମସ୍ତ ଶବ୍ଦଯାକ ସଗୋତ୍ରୀୟ ହୋଇଥାଇପାରନ୍ତି ।

Tuesday, October 16, 2018

ଅଵ୍ୟୟ

★::::::: ଅଵ୍ୟୟ ଶବ୍ଦର ଶାବ୍ଦିକ ଅର୍ଥ :::::::★

ଯାହା ଵ୍ୟୟ ହୁଏନାହିଁ(lndeclinable words,not liable to change) ତାହା ଅଵ୍ୟୟ ଅଟେ

    ★:::::::::ଅଵ୍ୟୟର ସଂଜ୍ଞା ::::::::::★

ଵ୍ୟାକରଣରେ ଯାହାର ପ୍ରୟୋଗ ସବୁ ଲିଙ୍ଗ, ସମସ୍ତ ଵିଭକ୍ତି ଓ ସବୁ ଵଚନରେ ସମାନ ରୂପେ ହୋଇଥାଏ.......

【•】ଏହାର ଲିଙ୍ଗ, ଵଚନ, ପୁରୁଷ, କାରକ ଓ କାଳ ଇତ୍ୟାଦି ଯୋଗୁଁ କୌଣସି ପରିଵର୍ତ୍ତନ ପରିଲକ୍ଷିତ ହୁଏନାହିଁ
【•】ଯେକୌଣସି ସ୍ଥିତିରେ ସୁଦ୍ଧା ଆପଣା ମୂଳରୂପ ଧାରଣ ପୂର୍ଵକ ରହିଥାନ୍ତି
【•】ରୂପାନ୍ତର ହୁଏ ନାହିଁ ତେଣୁ ଅଵିକାରୀ ପରିଗଣିତ ହୋଇଥାନ୍ତି 

【•】ଅଵ୍ୟୟର ସଂଜ୍ଞା ନିରୂପଣ କରିବାକୁ ହେତୁରୁ ଏକ ଶ୍ଲୋକ ରହିଛି
“ସଦୃଶଂ ତ୍ରିଷୁ ଲିଙ୍ଗେଷୁ ସର୍ଵାଷୁ ଚ ଵିଭକ୍ତିଷୁ ।
ଵଚନେଷୁ ଚ ସର୍ଵେଷଃ ଯନ୍ନଵ୍ୟେତି ତଦଵ୍ୟୟଂ ।।

【•】ସବୁପ୍ରକାରର ଉପସର୍ଗ, ଵିସ୍ମୟସୂଚକ ଶବ୍ଦ, ସମ୍ବୋଧନ ସୂଚକ ଶବ୍ଦ,ଧ୍ଵନ୍ୟାତ୍ମକ ଶବ୍ଦ ମାନ ଅଵ୍ୟୟ ପଦଵାଚ୍ୟ ହୋଇଥାନ୍ତି ।”

  ★::::::: ଅଵ୍ୟୟର ପ୍ରକାର ଭେଦ :::::::★

→ଅଵ୍ୟୟ ମୁଖ୍ୟତଃ ପାଞ୍ଚ ପ୍ରକାରର........

●୧●―କ୍ରିୟା ଵିଶେଷଣ―●୧●

ଯେଉଁ ଵିଶେଷଣମାନ କ୍ରିୟାର ଵିଶେଷତା ପ୍ରକାଶ କରନ୍ତି ତାହାକୁ କ୍ରିୟା ଵିଶେଷଣ ଅଵ୍ୟୟ କୁହାଯାଏ......

       ★::::: ଏହା ଚାରିପ୍ରକାରର :::::★

【■】(କ)କାଳଵାଚକ କ୍ରାୟାଵିଶେଷଣ:
―ଯେଉଁ ଅଵ୍ୟୟ ଗୁଡି଼କ ଦ୍ଵାରା କାଳସମ୍ଵନ୍ଧୀ କ୍ରିୟାର ଵିଶେଷତା ବୋଧ ହୋଇଥାଏ
ଉଦାହରଣ ସ୍ୱରୂପ:-ଆଜି, କାଲି, ପରଦିନ, ଯେବେ, ତେବେ, ଏବେ ଇତ୍ୟାଦି
【■】(ଖ) ସ୍ଥାନଵାଚକ କ୍ରିୟା ଵିଶେଷଣ:
―ଯେଉଁ କ୍ରିୟା ଵିଶେଷଣ ଅଵ୍ୟୟ କ୍ରିୟାର ହେବା / ନ ହେବାର ସ୍ଥାନ ବୋଧ କରାଇଥାଏ ।
ଉଦାହରଣ ସ୍ୱରୂପ ― ଏଠି, ସେଠି, ଏପଟେ, ସେପଟେ, ଆଗରେ, ପଛରେ, ସାମ୍ନାରେ, ଇଆଡେ଼, ସିଆଡେ଼, ଏକାନି, ସେକାନି ଇତ୍ୟାଦି
【■】(ଗ)ପରିମାଣଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
- ଯେଉଁ ଅଵ୍ୟୟ ଦ୍ଵାରା କ୍ରିୟାର ପରିମାଣ/ମାତ୍ରା ଆଦି ଵିଶେଷତାର ବୋଧ ହୋଇଥାଏ
-ଟିକେ, କିଛି, ଅଧିକ, ଅଳ୍ପ, କେଵଳ ଇତ୍ୟାଦି
【■】(ଘ)ରୀତିଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
ଏହି ଅଵ୍ୟୟ ଗୁଡିକ ଦ୍ଵାରା କ୍ରିୟା ର ଢଙ୍ଗ ଜଣାପଡି଼ଥାଏ
ଜ଼ୋର୍ ରେ, ଧୀରେ ଧୀରେ, ଏମିତି, ସହସା, ନାହିଁ, କେମିତି, ସେମିତି, ଯେମିତି ଇତ୍ୟାଦି

●୨●―ସମ୍ଵନ୍ଧବୋଧକ ଅଵ୍ୟୟ―●୨●

―ଯେଉଁ ଅଵିକାରୀ ଶବ୍ଦ ସଂଜ୍ଞା ଅଥଵା ସର୍ଵନାମ ଶବ୍ଦ ସହିତ ଯୋଡି଼ହୋଇ ଅନ୍ୟ ଶବ୍ଦ ସହିତ ସେମାନଙ୍କ ସମ୍ପର୍କ ପ୍ରକାଶ କରନ୍ତି ସେହି ଅଵ୍ୟୟ ଗୁଡି଼କୁ ସମ୍ଵନ୍ଧବୋଧକ ଅଵ୍ୟୟ କୁହାଯାଏ ।
ପରେ, ଉପରେ, କାରଣେ, ନେଇ, ଯାଏଁ, ଅନୁସାରେ, ଭିତରେ, ପାଇଁ, ବିନା ଇତ୍ୟାଦି

●୩●―ସମୁଚ୍ଚୟବୋଧକ ଅଵ୍ୟୟ―●୩●

―ଦୁଇଟି ଶବ୍ଦ, ଵାକ୍ୟାଂଶ ଵା ଵାକ୍ୟକୁ ପରସ୍ପର ସହ ଯୋଡୁ଼ଥିବା ଅଵିକାରୀ ଶବ୍ଦ  ଗୁଡି଼କୁ ସମୁଚ୍ଚୟବୋଧକ ଅଵ୍ୟୟ କୁହାଯାଏ ।
ଯେ, ଆଦି, ଏବଂ, ଓ, ଅଥଵା, ଅର୍ଥାତ୍, ଏଥିପାଇଁ, କିନ୍ତୁ, ତଥାପି, ଯେହେତୁ ଇତ୍ୟାଦି l

●୪●―ଵିସ୍ମୟାଦିବୋଧକ ଅଵ୍ୟୟ―●୪●

―ଯେଉଁ ଅଵିକାରୀ ଶବ୍ଦ ଆମ୍ଭ ମନର ହର୍ଷ, ଵିଷାଦ, ଘୃଣା, ପ୍ରଶଂସା, ଵିସ୍ମୟ ଆଦି ଭାଵ ଗୁଡି଼କୁ ଵ୍ୟକ୍ତ କରନ୍ତି ସେଗୁଡ଼ିକୁ ଵିସ୍ମୟାଦିବୋଧକ ଅଵ୍ୟୟ କୁହାଯାଏ ।
ଉଦାହରଣ ସ୍ୱରୂପ:::-
ଆ ! ଓ ! ହାୟ !  ହେ ! ଇତ୍ୟାଦି ....

        ●୫●―ନିପାତ―●୫●

―ଯେଉଁ ଅଵିକାରୀ ଶବ୍ଦ କୌଣସି ଶବ୍ଦ ଵା ପଦରେ ଯୋଡ଼ି ହେଲେ ତାହାର ଅର୍ଥରେ ଵିଶେଷ ପ୍ରକାରର ବଳ ବଢା଼ଇ ଦିଅନ୍ତି ସେଗୁଡି଼କୁ ନିପାତ ଅଵ୍ୟୟ ପଦ କୁହାଯାଏ ।
ହିଁ,ବି,ତ,ଯାଏଁ,କେଵଳ,ମାତ୍ର ଇତ୍ୟାଦି......!

●●●●●●●●●●●●●●●●
-------ଶାସ୍ତ୍ରୀୟ ସଂସ୍କୃତଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
ଅକସ୍ମାତ,ଅଗ୍ରତଃ,ଅଗ୍ରେ,ଅଜ୍ଞାନତଃ,ଅନ୍ତର୍,ଅତଃ,ଅତୀଵ,ଅତ୍ର,ଅଦ୍ୟ,ଅଧଃ,ଅଧୁନା,ଅନ୍ୟତ୍ର,ଅପି,ଅରେ,ଅଳମ୍,ଅଵଶ୍ୟମ୍,ଆମ୍,ଇତଃ,ଇତଃସ୍ଥତଃ,ଇଦାନୀମ୍,ଇଵ,ଇହ,ଉଚୈଃ,ଉଭୟତଃ,ଋତେ(ବିନା),ଏକତ୍ର,ଏକଦା,ଏଵ,ଏଵମ୍,କତି,କଥମ୍,କଥମପି,କଦା,କଦାଚିତ୍,କଶ୍ଚିତ୍,କିନ୍ତୁ,କିମ୍,କିମର୍ଥମ୍,କିଳ୍(ନିଶ୍ଚୟ),କୁତଃ,କୁତ୍ର,କୁତ୍ରଚିତ୍,କେଵଳମ୍,କ୍ଵଚିତ,ଖଳୁ(ନିଶ୍ଚୟ),ଚ,ଚେତ୍(ତ,ତେଣୁ)ନୋ ଚେତ୍(ନାହିଁ ତ),ଝଟତି,ତତଃ,ତଥା,ତଦର୍ଥମ୍,ତଦା,ତଦ୍ବତ୍,ତସ୍ମାତ୍,ତର୍ହି(ତେଣୁ),ତାଵତ୍(ଯାଏଁ),ତୁଷ୍ଣୀମ୍(ଚୁପ୍),ଦୂରମ୍,ଧିକ୍,ନ,ନନୁ,ନୁ,ନମଃ,ନାମ,ନୀଚୈଃ,ପରନ୍ତୁ, ପରଶ୍ଵଃ,ପରିତଃ,ପର୍ଯ୍ୟାପ୍ତମ୍,ପଶ୍ଚାତ୍,ପୁନଃ, ପୁରତଃ,ପୃଥକ୍,ପ୍ରତି,ପ୍ରତିଦିନମ୍,ପ୍ରାକ୍,ପ୍ରାତଃ,ବଲାତ୍,ବହିଃ,ଭୂୟଃ,ମା,ଯତ୍,ଯତଃ,ଯତ୍ର,ଯଥା,ତଥା,ଯଦା,ଯଦ୍ୟପି,ଯାଵତ୍,ଵା,ଵିନା,ଵିଶେଷତଃ, ଶନୈଃ,ଶୀଘ୍ରମ୍,ଶ୍ଵଃ,ସତତମ୍,ସଦା,ସତ୍ୟମ୍,ସମୀପମ୍,ସମୀଚୀନମ୍,ସମ୍ୟକ୍,ସର୍ଵତଃ,ସର୍ଵତ୍ର,ସର୍ଵଦା,ସହ,ସହିତମ୍,ସାକ୍ଷାତ୍,ସାମାନ୍ୟତଃ,ସାୟମ୍,ସ୍ଵୟମ୍,ହି,ହ୍ୟ.........

●●●●●●●●●●●●●●●●
-------କଳିଙ୍ଗ ଭାଷା/କୁଈ ଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
→ହୁଁ,ହାଁଆଁ(ହଁ)
→ଆ’ଏ(ନା)
→କି,କିଡା଼(କି ?)
→କା’ଏ(କି ନାହିଁ)
→ଏ(ଏଵଂ)
→ତଅଲେ(ସହିତ)
→ନୈଲେ(ନହେଲେ)
→ଯକା(ବି ମଧ୍ଯ)
→ମାତ୍ର(କିନ୍ତୁ)
→ଇଚେଏଁ(ଯଦି)
→ପତା,ପତ୍ତା(ପର୍ଯ୍ୟନ୍ତ)
→ଓଡେ଼,ଓଡ଼ନେଏ(ପୁନଶ୍ଚ)
→ଓଡେ଼ଏନି(ତଥାପି)
→ଆତେ(ହେଲା)
→ପିସାନା(ହିଁ)ଈ(ଛାଡ଼ି, ଛଡା଼)
→ଏଟ୍କେ,ଏଟ୍କେ(ଅନ୍ୟାନ୍ୟ)
→ଏଚି,ଏଚାକା,ଏଚଣା(କେତେ)
→ଇଚାକା,ଇଚଣ(ଏତିକି)
→ଏଚାକା(ସେତିକି)
→ଇଚି(ସାନ)
→କାଜ୍ଜା,କାଜ୍ଜାତାୟୁଁ(ବଡ଼)
→ଗାଟ୍ଟି,ଗାଟ୍ଟିଦିଁ(ବହୁତ)
→ନି’ଏ(ଏବେ,ବର୍ତ୍ତମାନ)
→ନିଞ୍ଜୁ(ଆଜି)
→ରେ’ଏନି,ରେ’ଏଲା(ଗତକାଲି)
→ଵି(ଓ୍ଵି)ଏ(ଆସନ୍ତାକାଲି)
→ମା’ଏ(ପହରଦିନ)

Sunday, October 14, 2018

ଠିକ ଓ ଠିକ୍

ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି......

ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ ଓ ଠିକ୍ ଏ ଉଭୟ ଶବ୍ଦ ସହଜରେ ବାରିହୋଇପଡନ୍ତି
କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।

ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’  ରେ ହର୍ସ୍ଵ ଇ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ଈକାର ହୋଇ ठीक ଲେଖା ଯାଇଥାଏ ।

ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।

ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ ଓ ଠିକ୍ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।

→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା.....

●୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି;ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
●୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି;ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
●୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता  ଵା तुम्हारे लिये कहना ठीक नहीं है )
●୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
●୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ   ନାହିଁ)
●୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
●୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
●୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
●୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
●୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
●୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା;ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
●୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
●୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
●୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା;ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
●୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
●୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
●୧୭.ସୁବ୍ୟବସ୍ଥିତ — ୧୭

ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ ....
ଯଥା:::::-

■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
●୧. ସତ୍ୟରେ; ସତେ ସତେ
●୨. ସମ୍ପୂର୍ଣ୍ଣରୂପେ
●୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
●୪. ନିୟମିତରୂପେ
●୫. ପ୍ରକୃତିରେ
●୬. ଅବିକଳ
●୭. ନ୍ୟାୟତଃ
●୮. ଅବିକଳ
●୯. ଉପଯୁକ୍ତରୂପେ
●୧୦. ଅଭ୍ରାନ୍ତରୂପେ
●୧୧. କ୍ଷଣମାତ୍ର ଆଗପଛ ନକରି
●୧୨. ସମାନଭାବରେ
●୧୩. ସୁନ୍ଦରଭାବରେ

ସେହିପରି
ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।

ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର  ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି.......

ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ.....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି   ସେଗୁଡ଼ିକ ହେଲା―

କ→ନିଶ୍ଚୟ
ଖ→ସମଷ୍ଟି
(ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ―କୃଷ୍ଣଚନ୍ଦ୍ର ମହାଭାରତ)
ଗ→ସ୍ଥିରତା

ଘ→ସାରକଥା;ସଂକ୍ଷିପ୍ତ
(ଯେତେ କହିଲ ଵେଦ ଠିକ―ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)

ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି-
ଯଥା―

କ―ସାର;ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ―ସୁନ୍ଦର; ମନୋହର
(ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି !―କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
(ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ―କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)

ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ....

➡ଦୁଃଖର ଵିଷୟ ଆଜିକାଲି
ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ
ଦୁଇଗୋ ଦୋଷ କରୁଅଛନ୍ତି
୧―ଅନେକ ଲୋକ ଠିକ ଓ ଠିକ୍ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ  ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ
ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି....
୨―ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି......

ଜିଭ ହୁଡି଼ଲେ.....

ଦୁଇଟି ଭିନ୍ନ ଭିନ୍ନ ଭାଷା....
ଦୁଇଟି ଭିନ୍ନ ସଂସ୍କୃତି....
କିନ୍ତୁ ଏଠାରେ ଗୋଟାଏ କଥାକୁ ଭିନ୍ନ ଭାବରେ କୁହାଯାଇଛି ।

*** A slip of foot you can soon recover.....
but a slip of tongue you can naver get over....***
“ଜିହ୍ଵା ଉପରେ ସଂଯମ ବହୁତ ଆଵଶ୍ୟକ କାରଣ  ବାଟରେ ଗୋଡ଼ ଖସିଯାଇ ପଡି଼ଗଲେ ପୁଣି ଉଠି ଠିଆ ହୋଇପାରିବ କିନ୍ତୁ ଜିଭରୁ କଥା ଖସିଗଲେ ଅର୍ଥାତ୍ ଜିଭ ହୁଡି଼ଲେ ବହୁତ ଅସୁଵିଧା ଭୋଗ କରିବାକୁ ହୋଇଥାଏ ।”

***ଵ୍ୟାଘ୍ରୀ ଯଥା ହରେତ୍ ପୁତ୍ରାନ୍ ଦନ୍ତଷ୍ଟ୍ରର୍ଯ୍ୟେର୍ମଧ୍ଧେ ସଂସ୍ଥିତାନ୍ ।
ଭୀତା ପତନଭେଦାଭ୍ୟାଂ ତଦ୍ ଵତ୍ ଵର୍ଣ୍ଣାନ୍ ପ୍ରୟୋଜନମ୍ ।।***

“ଜଙ୍ଗଲରେ ବାଘୁଣୀଟିଏ ତା ଛୁଆକୁ ପାଟି ଓ ଦାନ୍ତ ମଧ୍ୟରେ ବଡ଼ କୌଶଳରେ ଉଠେଇ ଚାଲିଯାଏ । ସେଥିରେ ଯଦି ଟିକିଏ ବି ଆଗପଛ ହେଲା ବୋଇଲେ ବାଘଛୁଆ ଟା ତଳେ ଗଳିପଡିବ ନହେଲେ ଦନ୍ତାଘାତରେ ମରିଯିବ ।”

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...