Sunday, October 7, 2018

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କଥା

ଵର୍ତ୍ତମାନକାଳରେ ମହାନକାର୍ଯ୍ୟର, ମହାନଵ୍ୟକ୍ତିର ତତ୍କାଳିନ ସମ୍ମାନ ହୁଏନାହିଁ
କିନ୍ତୁ ସମୟ ଗଡ଼ିଯିବା ସହ ସମାଜ ଉପଲବ୍ଧି କରେ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତା....

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଯେତେବେଳେ ଲେଖାହୋଇ ଛପାଗଲା ସେହି
ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ ।
ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।

ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । ବଡ଼ ଦୁଃଖର ସହିତ କହିବାକୁ ପଡୁ଼ଛି ଯେ ତନ୍ମଧ୍ୟରୁ ଜଣେ ହେଉଛନ୍ତି “ଗୋଦାବରୀଶ ମହାପାତ୍ର” !

ଏ ବାବୁ ଥରେ ସହକାର କିମ୍ଵା ନଵଭାରତ ପତ୍ରିକାରେ ଆପଣାର ମୂର୍ଖତାର ପରିଚୟ ଦେବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ଆଖ୍ୟା ଦେଇଥିଲେ ।
ସମାଲୋଚନା ଦ୍ଵାରା ପ୍ରହରାଜଙ୍କୁ ତାଙ୍କର ପ୍ରଧାନ ପ୍ରଶ୍ନ ଥିଲା ଯେ ଗୋଟିଏ ଭାଷାକୋଷରେ ଏକ ମାନକ ଶବ୍ଦର ଅନେକ ଆଞ୍ଚଳିକ ରୂପକୁ କାହିଁକି ସ୍ଥାନିତ କରି ଅଯଥା ତାହାର କଳେଵର ବୃଦ୍ଧି କରାଯାଇଛି ?
ଉଦାହରଣ ସ୍ୱରୂପ ଏଇକ୍ଷଣି,ଏକ୍ଷଣି,ଏଖୁଣିକା,ଅଇଛୁଣି ଓ ଅଇଛୁଣିକା
ତଥା
କଣ୍,କିୟଣ,କିସ,କିରା,କି,କେନ୍ତା,କେମ୍ତା,କେନେ ଇତ୍ୟାଦି........

ବାବୁ କେଵଳ ଵୈଚାରିକ ଭିନ୍ନତାରୁ ସୃଷ୍ଟ ପାରସ୍ପରିକ ଘୃଣା,ଦ୍ଵେଷ ଯୋଗୁଁ ଏତେ ମାତ୍ରାରେ
ଅନ୍ଧ ହୋଇଯାଇଥିଲେ ଯେ ତାଙ୍କ ମୁଣ୍ଡରେ ଏତିକି ମାତ୍ର କଥା ପଶିପାରିନଥିଲା କି
ଏ ସମସ୍ତ ଶବ୍ଦ ଗୋଟିଏ ଭାଷାର ଅଵିଛେଦ୍ୟ ଅଙ୍ଗ ଅଟନ୍ତି । ଆଞ୍ଚଳିକ ଶବ୍ଦ ଗୁଡ଼ିକ ବିନା ଓଡ଼ିଆ ଭାଷା ଅପୂର୍ଣ୍ଣ ଓ ସୌନ୍ଦର୍ଯ୍ୟହୀନ । ଗୋଟିଏ ଉପଵନରେ ଯେମନ୍ତ ଏକପ୍ରକାର ର ପୁଷ୍ପବୃକ୍ଷ ରଖିଲେ ତାହା ମନୋହର ଲାଗେ ନାହିଁ ଠିକ୍ ସେଇମିତି ଆଞ୍ଚଳିକ ଶବ୍ଦଭଣ୍ଡାର ବିନା କୌଣସି ଭାଷା ମଧ୍ଯ ସୌନ୍ଦର୍ଯ୍ୟଶାଳୀ ହୋଇନପାରେ ।

ତାଛଡା ଯୋଉ ମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ କହୁଛନ୍ତି ସେମାନେ କେବେ ଉପଲବ୍ଧି କରିଛନ୍ତି ଯେ
ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେବା କେତେ ବଡ଼ କାର୍ଯ୍ୟ ଅଟେ ?

ଯେଉଁ ପଣ୍ଡିତ ମାନେ ଏବେ ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ ମାନୁଅଛନ୍ତି ସେମାନେ ସେହି ମୌଳିଵାଦୀ ଲୋକ ଯାହାଙ୍କ ମନରେ ଜ୍ଞାନର ଅହଂକାର ମାତ୍ରାଧିକ ବଢିଯାଇଛି । ସେମାନେ ନିଜେ ତ କେବେ ଏଡେ଼ ବଡ଼ ଗ୍ରନ୍ଥ ସଂକଳନ କରିପାରିବେ ନାହିଁ କିନ୍ତୁ ଏହି ଭାଷାକୋଷ କୁ ଯେତେବେଳେ ଯୋଉଠି ଚାହିଁଲେ ହୀନ ପ୍ରମାଣ କରିବାକୁ ଆଦୌ ପଛେଇବେ ନାହିଁ ।

ତେବେ ଓଡ଼ିଆ ଭାଷାର କୋଣାର୍କ ସଦୃଶ ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅତୀତ ବର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେବନାହିଁ ।

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା ।

ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିବାଟା ଦୁଷ୍କର ଓ ସମୟସାପେକ୍ଷ କହି ପେଡି଼ରେ ସାଇତି ରଖିଦିଅନ୍ତି ।

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ/ହତ୍ୟାହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏବଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍ ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇବା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ ।
ବହୁତ ଅଳ୍ପ ଲୋକ ଜାଣିଥିବେ
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍ ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ ।

ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରବ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡିରହିଥିବା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏବଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...