Friday, September 29, 2023

ଭାଗଵତ ଶବ୍ଦର ପ୍ରକୃତ ଅର୍ଥ କ'ଣ ?

ସବୁ ଵର୍ଷ ଭାଦ୍ରଵ ପୂର୍ଣ୍ଣିମା ତିଥିରେ ଶ୍ରୀମଦ୍ ଭାଗଵତ ଜନ୍ମ ଉପଲକ୍ଷେ କିଛି ଲୋକ
ଭାଗଵତର ଅର୍ଥ କରିଵାକୁ ଯାଇ ପ୍ରଚାର କରନ୍ତି...

ଭା : 'ଭା' ର ଅର୍ଥ "ଭାଵ"
ଗ : 'ଗ' ର ଅର୍ଥ " ଜ୍ଞାନ "
ବ: 'ବ' ର ଅର୍ଥ " ବ୍ରହ୍ମାଣ୍ଡ
ତ: 'ତ' ର ଅର୍ଥ " ତତ୍ତ୍ବ

କିନ୍ତୁ ଭଗଵାନ ଶିଵଙ୍କ ଦ୍ଵାରା ପ୍ରଦତ୍ତ ନିରୁକ୍ତଶାସ୍ତ୍ର ଜ୍ଞାନ ଅନୁସାରେ... 
"ଭଗଵତ୍+ଅଣ୍(ଅ) = ଭାଗଵତ"

କଥାଵାଚକମାନେ ଗୋଟିଏ ଶବ୍ଦର ଅନେକ ପ୍ରକାରେ ଭାଵଗତ ଵ୍ୟାଖ୍ୟା କରିଥାନ୍ତି । ଭାଗଵତ ଶବ୍ଦ କ୍ଷେତ୍ରରେ ମଧ୍ୟ ସେହି କାର୍ଯ୍ୟଟି କରିଛନ୍ତି । ଭାଵ ଶବ୍ଦରୁ ଭା,ଜ୍ଞାନ ଶବ୍ଦରୁ ଗ, ବ୍ରହ୍ମାଣ୍ଡ ଶବ୍ଦରୁ ବ ଏଵଂ ତତ୍ତ୍ଵ ଶବ୍ଦରୁ ତ କୁ ନେଇ ମନ ଇଚ୍ଛା ଭାଗଵତ ଶବ୍ଦର ଗୋଟିଏ ଵ୍ୟାଖ୍ୟା କରି ଦିଆଗଲା କିନ୍ତୁ ପ୍ରକୃତରେ କ'ଣ ଭା,ଗ,ଵ/ବ ,ତ ଆଦିର ଅର୍ଥ ଯଥାକ୍ରମେ ଭାଵ,ଜ୍ଞାନ, ବ୍ରହ୍ମାଣ୍ଡ ଓ ତତ୍ତ୍ଵ କି ?

ଭାଗଵତ ଗୋଟିଏ ସଂସ୍କୃତ ଶବ୍ଦ ତେଣୁ ସଂସ୍କୃତ ଭାଷାରେ ଭା,ଗ,ଵ/ବ,ତ ଶବ୍ଦଗୁଡି଼କର ଅର୍ଥ କ'ଣ ତାହା ଜାଣିଵାକୁ ହେଵ ...

ଭା :- 'ଭା' ଶବ୍ଦର ଅର୍ଥ ଭାଵ ବୋଲି କୌଣସି ଅଭିଧାନରେ ନାହିଁ ଵରଂ ଦିପ୍ତୀ,ପ୍ରଭା,କିରଣ ଓ ଶୋଭା ଉଲ୍ଲେଖ ଅଛି

ଗ:- ଗ ଶବ୍ଦର ଅର୍ଥ ଜ୍ଞାନ ନୁହେଁ । ଗ ଶବ୍ଦର ଅର୍ଥ ଗଣେଶ,ଗଗନ,ଗନ୍ଧର୍ଵ,ଗାନ,ସଂଗୀତ,ସୁମେରୁ,ସ୍ଵର୍ଗ,ଗୁରୁ ଓ ଗାୟକ ଅଟେ । 

ବ:- 'ବ' ଓ 'ଵ' ଶବ୍ଦର ଅର୍ଥ ବରୁଣ,ସିନ୍ଧୁ ଵା ସମୁଦ୍ର,ମାଠିଆ, ଅଧ୍ୟଵସାୟ,ଜଳ,ଵାୟୁ,ଯୋନୀ,ବନ୍ଧନ,ବଅ(ତନ୍ତର ସୂତ୍ର ନିର୍ମିତ ଯେଉଁ ପାନିଆ ମଧ୍ୟ ଦେଇ ଟାଣୀ ସୂତା ଯାଇଥାଏ) ଓ ବଖିଆ ସିଲେଇ ଵା ଢାଗା ଗଳା ଅଟେ । କୌଣସି ସଂସ୍କୃତ ଅଭିଧାନରେ 'ବ' ଶବ୍ଦର ଅର୍ଥ ବ୍ରହ୍ମାଣ୍ଡ ଲେଖା ହୋଇନାହିଁ । 

ସେହିପରି 'ତ' ଶବ୍ଦର ଅର୍ଥ ତତ୍ତ୍ୱ ତ ଆଦୌ ନୁହେଁ ଵରଂ 'ତ' ଶବ୍ଦକୁ ଚୋର,ଵୃକ୍ଷ,ଅମୃତ,ପୁଣ୍ୟ,କ୍ରୋଡ଼,ମ୍ଳେଚ୍ଛ,ପୁଚ୍ଛ,ଭ୍ରୂଣ,ଗର୍ଭ,ରତ୍ନ,ଶଠ ବ୍ଯକ୍ତି ଓ ତରଣ ଵା ପାରି ହେଵା ଆଦି ଅର୍ଥରେ ପ୍ରୟୋଗ କରାଯାଏ । 
ଭଗଵାନଙ୍କୁ ଭଗଵତ୍ କୁହାଯାଏ ଏଵଂ ଭଗଵାନଙ୍କ ସମ୍ବନ୍ଧୀୟ ଵ୍ୟକ୍ତି ଓ ଵସ୍ତୁକୁ ଭାଗଵତ କୁହାଯାଇଥାଏ । 

ଭଗଵାନଙ୍କ ଠାରେ ଭକ୍ତିଯୁକ୍ତ ଭକ୍ତ,ଧାର୍ମିକ,ଵିଷ୍ଣୁଭକ୍ତ,ଈଶ୍ୱରପ୍ରେମିକ,ଭାଗଵତମତାଵଲମ୍ବୀ ଦାର୍ଶନିକ ଏଵଂ ଭଗଵାନଙ୍କ (ଶ୍ରୀକୃଷ୍ଣଙ୍କ) ଲୀଳା, ମାହାତ୍ମ୍ୟ ଓ ଭକ୍ତି ସମ୍ବନ୍ଧରେ ଵ୍ୟାସଙ୍କଦ୍ୱାରା ପ୍ରଣୀତ ପ୍ରସିଦ୍ଧ ସଂସ୍କୃତ ପଦ୍ଯ ଗ୍ରନ୍ଥକୁ ଭାଗଵତ କୁହାଯାଇଥାଏ ।

ମୂଳ ସଂସ୍କୃତ ଶ୍ରୀମଦ୍ଭାଗଵଦ୍ ଗ୍ରନ୍ଥକୁ ଅଵଲମ୍ବନ କରି ପ୍ରାଚୀନ ଓ ଆଧୁନିକ ଓଡ଼ିଆ କଵିମାନେ ପଦ୍ଯରେ ଭାଗଵତ ରଚନା କରି ଅଛନ୍ତି। ତହିଁ ମଧ୍ୟରେ ଜଗନ୍ନାଥ ଦାସଙ୍କ ଭାଗଵତ ପ୍ରଧାନ। ହିନ୍ଦୁଙ୍କ ଧର୍ମଗ୍ରନ୍ଥମାନଙ୍କ ମଧ୍ୟରେ ଓଡ଼ିଆ ଭାଗଵତ ପ୍ରତି ଲୋକ ସାଧାରଣଙ୍କର ଖୁବ୍ ଆଦର ଦେଖାଯାଏ। ଆଗେ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ହିନ୍ଦୁ ଗୃହସ୍ଥ ଆପଣା ଘରେ ଗୋଟିଏ ଗାଦି କରି ସେଥିରେ ଭାଗଵତ ଗ୍ରନ୍ଥ ରଖି ତାକୁ ପୂଜା କରୁଥିଲେ ଏଵଂ ଉକ୍ତ ଗାଦିରେ ଅନ୍ଯ ଗ୍ରନ୍ଥମାନ ଥିଲେ ମଧ୍ୟ ତାହାକୁ 'ଭାଗବତ ଗାଦି' ବୋଲାଯାଉଥିଲା। ଆଜିକାଲି ମଧ୍ୟ ଅନେକଙ୍କ ଗୃହରେ ଭାଗଵତଗାଦି ରହିଛି । ପ୍ରତ୍ୟେକ ଵିଶିଷ୍ଟ ଓଡ଼ିଆ ଗ୍ରାମରେ ମଧ୍ୟ ଗୋଟିଏ ସାଧାରଣ ଗୃହରେ 'ଭାଗଵତ ଗାଦି' ରଖାଯାଇ ପୂଜା କରାଯାଏ। ସେ ଘରକୁ ଭାଗଵତ ଘର,ଭାଗଵତ ଟୁଙ୍ଗୀ ଓ ଭଗତଘର କୁହାଯାଏ । ନବେ ଦଶକ ପୂର୍ଵୁରୁ ଓଡ଼ିଶାର ଗ୍ରାମାଞ୍ଚଳରେ 'ଭାଗଵତ ଘର' ପ୍ରତି ଵିଶେଷ ଆଦର ଥିଲା । ସେଠାରେ ସନ୍ଧ୍ୟାବେଳେ କୀର୍ତ୍ତନ ଭଜନାଦି ଗାୟନ ସହିତ ଭାଗଵତ ବୋଲାଯାଉଥିଲା ଏଵଂ ଗ୍ରାମର ଲୋକେ, ଵିଶେଷ କରି ବୁଢ଼ାମାନେ, ଭାଗଵତ ଶୁଣିଵାକୁ ସେଠାରେ ରୁଣ୍ଡ ହେଉଥିଲେ । ଆଜିକାଲି ଗ୍ରାମାଞ୍ଚଳରେ କେତେକ ଭାଗଵତଘର ମଦ୍ୟପ ଯୁଆଡ଼ି ଯୁଵକମାନଙ୍କ ଚରାଭୂମି ପାଲଟିଲାଣି । କିଛି ଗ୍ରାମର ଭାଗଵତଘରେ ଟିଵି ଲଗାଇ କ୍ରିକେଟ୍ ଖେଳ ତଥା ଓଡ଼ିଆ ହିନ୍ଦୀ କାର୍ଯ୍ୟକ୍ରମ ଦେଖାଯାଉଛି । ଆଉ ଭାଗଵତ ଘର ଆଦୌ ଭାଗଵତ ଘର ହୋଇ ରହି ନାହିଁ । ଭାଗଵତ ନିୟମିତ ଛାଡ଼ନ୍ତୁ ସାପ୍ତାହିକ କି ମାସିକ ପାଠ କରାଯାଉନାହିଁ । ତେବେ ଓଡ଼ିଶାରେ ଅନେକ ଗ୍ରାମରେ ଆଜି ବି ଏମିତି ବହୁତ ଭାଗଵତ ଘର ରହିଛି ଯେଉଁଠାରେ ଭାଗଵତ ଗାଦିରେ ଥିଵା ଭାଗବତ ଗ୍ରନ୍ଥକୁ ଦେବତା ଜ୍ଞାନରେ 'ଭାଗବତ ଗୋସାଇଁ' ବୋଲାଯାଉଛି ।

ଯୁଗ ଥିଲା ଗ୍ରାମରେ ମାରୀଭୟ ଆଦି ଉପସ୍ଥିତ ହେଲେ ଲୋକେ 'ସପ୍ତାହ ଭାଗଵତ' ବସାଉଥିଲେ, ଅର୍ଥାତ୍ ଅହୋରାତ୍ର ସାତ ଦିନ ପାଳି କରି ଭାଗଵତ ବୋଲୁଥିଲେ ଏଵଂ ଶେଷ ଦିନ 'ଭାଗଵତ ଗୋସାଇଁ'ଙ୍କୁ ନାନା ପ୍ରକାର ସାମଗ୍ରୀ ମହା ସମାରୋହରେ ଭୋଗ ଲଗାଇ ଲୋକସାଧାରଣଙ୍କୁ ବାଣ୍ଟି ଦେଉଥିଲେ । ଭାଗଵତ ଗ୍ରନ୍ଥ ପାଠର ସମାପ୍ତିକୁ ଭାଗଵତ ବଢ଼ା ବୋଲାଯାଉଥିଲା । ଚୈତ୍ର ପୂର୍ଣ୍ଣିମୀ ରାତ୍ରିରେ ନାନା ସ୍ଥାନରୁ ଭାଗଵତ ଗାଦିମାନ ଵିମାନମାନଙ୍କରେ ଅଣା ଯାଇ ସ୍ଥାନେ ସ୍ଥାନେ ଭାଗଵତ ମେଳନ ଉତ୍ସଵ କରାଯାଉଥିଲା । 

ଆଜି ମୋବାଇଲ ଯୁଗରେ ସାମାଜିକ ଗଣମାଧ୍ୟମରେ ଭୁଲ୍ ତଥ୍ୟ ପ୍ରେରଣ ସହ ଭାଗଵତ୍ ଜନ୍ମର ଶୁଭେଚ୍ଛା ଓ ଶୁଭକାମନା ତ ଅନେକେ ଦେଉଛନ୍ତି କିନ୍ତୁ ଭାଗଵତ ଘରେ ଆଉ ଆଗ ଭଳି ଭାଗଵତ ପଢ଼ା ଯାଉନାହିଁ କି ଭାଗଵତ ପାଇଁ ପୂର୍ଵ ଭଳି ଆଗ୍ରହ ନାହିଁ ।‌ 


Thursday, September 28, 2023

ଆସା ଓ ଆଶା ଶବ୍ଦ ମଧ୍ୟରେ ପାର୍ଥକ୍ୟ କ'ଣ ?

“ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।”

ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି ।

ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା ଶବ୍ଦ ରହିଛି ଏଵଂ ପ୍ରୟୋଗ ଦୃଷ୍ଟିରୁ ଏ ଉଭୟ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥିଵା ସମ୍ଭଵ ?

ହଁ ପ୍ରକୃତରେ ଆମ ଭାଷାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ରହିଛି ତେବେ “ଆସା” ଶବ୍ଦଟିର ଵ୍ଯଵହାର ସେତେ ଦେଖାଯାଏ ନାହିଁ ଏଵଂ ଏହା ଵୈଦିକ ସଂସ୍କୃତ ତଥା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଆସା ଶବ୍ଦର ସେତେ ଵ୍ଯଵହାର ନଥିଵାରୁ ଏ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦିଆଯାଇନାହିଁ ।

ତେବେ ଉଭୟ ‘ଆଶା’ ଓ ‘ଆସା’ ଶବ୍ଦ କେଉଁ କେଉଁ ଅର୍ଥରେ ଵ୍ଯଵହାର ହୋଇଥାଏ ?

‘ଆଶା’ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଅଛି…
୧. ବାଞ୍ଚା ଵା ଇଚ୍ଛା
୨. ଦୀର୍ଘତୃଷ୍ଣା
୩. ଦିଗ
୪. ଭରସା
୫. ଦକ୍ଷ ପ୍ରଜାପତିଙ୍କ ଏକ କନ୍ୟାର ନାମ
୬. କନ୍ଯାମାନଙ୍କୁ ଦିଆଯିଵା ନାମ

ସେହିପରି ‘ଆସା’ ଶବ୍ଦର ନିମ୍ନ ଅର୍ଥ ସବୁ ରହିଛି…
୧. ନିମିଷକେ
୨. ମୁଖର ଶବ୍ଦ
୩. ଵ୍ଯକ୍ତିଗତ ଭାବେ
୪. ଆଖପାଖରେ
୫. ପାଖରେ
୬. ନିକଟତା
୭. ନିକଟ
୮. ଉପସ୍ଥିତି
୯. ଆଶାବାଡୀ
୧୦. ସୁନା ରୂପା ଆଦି ଧାତୁରେ ତିଆରି ମୋଟ ଦଣ୍ଡ ଯାହା କେଵଳ ସାଜସଜ୍ଜା ହେତୁ ରାଜାମହାରାଜା ତଥା ଶୋଭାଯାତ୍ରାର ଆଗରେ ଚୋପ୍ଦାରମାନେ ଧରି ଚାଲୁଥିଲେ ।

ତାହେଲେ କଵି କ’ଣ ‘ଆଶା’ ଓ ‘ଆସା’ ଏ ଉଭୟ ଶବ୍ଦର ଏଠାରେ ଵ୍ଯଵହାର କରିଅଛନ୍ତି କି ? ଯଦି କରିଛନ୍ତି ତାହେଲେ ଏଠାରେ କେଉଁ ଅର୍ଥରେ କରିଅଛନ୍ତି ?

ପ୍ରକୃତରେ କଵି “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,” ପଦରେ ଆଶା ଶବ୍ଦକୁ ଦିଗ ଅର୍ଥରେ ଵ୍ଯଵହାର କରିଛନ୍ତି, କିନ୍ତୁ “ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ” – ଏହି ପଦରେ ଵୈଦିକ ଆସା ଶବ୍ଦର ଵ୍ଯଵହାର କରିନାହାନ୍ତି ।

ଏଠାରେ ତତ୍ସମ ‘ଆସା’ର ଶବ୍ଦରେ ଓଡ଼ିଆ ଏ ପରପ୍ରତ୍ଯୟ ଯୁକ୍ତ କରି କଵି ଆସାରେ ଶବ୍ଦଟି ପ୍ରୟୋଗ କରିଅଛନ୍ତି ।

ତତ୍ସମ ଆସାର ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ରହିଛି
୧. ଅସାରା/ଅସରା
୨. ମୁଷଳଧାରାରେ ଵୃଷ୍ଟିପାତ
୩. ଜଳଧାରା ପତନ
୪. କୌଣସି ପଦାର୍ଥର ଧାରା
୫. ଶତ୍ରୁ ସୈନ୍ଯ ବେଷ୍ଟନ
୬. ଵିସ୍ତାର ଵା ପ୍ରସାରଣ
୭. ଜଳକଣା
୮. ବନ୍ଧୁବଳ; ମିତ୍ର ସେନା
୯. ପ୍ରଵେଶ

ଅର୍ଥାତ୍ କଵି ଏଠାରେ କହୁଛନ୍ତି—
ଉଠି
ଯେହ୍ନେ = ଯେଉଁଠି
ଜଳଧର=ମେଘ
ପଶ୍ଚିମ-ଆଶାରେ = ପଶ୍ଚିମଦିଗରେ
ଅସ୍ତାଚଳ = ପଶ୍ଚିମାଚଳ; ଯେଉଁ ପର୍ଵତରେ ସୂର୍ଯ୍ୟ ଅସ୍ତ ଯାଆନ୍ତି
ପ୍ଳାଵିଦିଅନ୍ତି = ବୁଡା଼ଇ ଦିଅନ୍ତି ଵା ଢାଳି ଦିଅନ୍ତି
ଅଜସ୍ର ଆସାରେ = ଅଜସ୍ର ଜଳଧାରାରେ

ମଜାକଥା ହେଲା ବହୁତ ଲୋକ ହଠାତ ଏହି ପଦଟି ପଢ଼ି ଭାବନ୍ତି କଵି ଏଠାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ଵ୍ଯଵହାର କରିଅଛନ୍ତି, କିନ୍ତୁ ପ୍ରକୃତରେ କଵି ଏଠି ‘ଆଶାରେ’ ଶବ୍ଦକୁ ‘ଦିଗରେ’ ଅର୍ଥରେ ଏଵଂ ‘ଆସାରେ’ ଶବ୍ଦକୁ ‘ଜଳଧାରାରେ’ ଅର୍ଥରେ ଵ୍ଯଵହାର କରିଥିଵା ଆସାର ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିଥିଵା ଵ୍ଯକ୍ତି ହିଁ ଠିକ୍ ଭାବେ ଠଉରେଇ ପାରିଥାଆନ୍ତି ।

Tuesday, September 26, 2023

ସମ୍ବୁଧ୍ୟତେରୁ ସମଜିଵା ଓ समझना ଯାଏଁ

ହିନ୍ଦୀରେ ଆଜିକାଲି समझना କ୍ରିୟାଟି ବହୁଳ ଭାବରେ ଵ୍ୟଵହୃତ ହେଉଅଛି କିନ୍ତୁ ଏକଦା ଓଡ଼ିଆ ଭାଷାରେ ମଧ୍ୟ ବୁଝିଵା ଭଳି ସମଜା,ସମୁଜି,ସମୁଜିଵା ,ସମଝିଵା,ସମୁଜାଇଵା ଓ ସମୁଝାଇଵା ଆଦି କ୍ରିୟାଶବ୍ଦ ଵ୍ୟଵହୃତ ହେଉଥିଲା । ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟରେ ଏ କ୍ରିୟାଶବ୍ଦଗୁଡ଼ିକର ବହୁଳ ଵ୍ୟଵହାର ହୋଇଅଛି । 

ପାଞ୍ଚଶହ ଵର୍ଷ ତଳର ଗଞ୍ଜାମର କଵି କୃଷ୍ଣସିଂହଙ୍କ କୃଷ୍ଣ ମହାଭାରତରେ ନିମ୍ନୋକ୍ତ ପଦଟି ଗୋଟିଏ ବଡ଼ ଉଦାହରଣ

“ତପଵ୍ରତେ ସେଵି ତାହାଙ୍କୁ ସମଝାଅ।” 

ସେହିପରି ଵିକ୍ରମ ରାମାୟଣରେ ସମଜାଇ ଶବ୍ଦଟି ପ୍ରୟୋଗ କରାଯାଇଛି...

“ମୁହିଁ ଜ୍ଞାନହୀନ କିଛି ବୁଝି ପାରୁ ନାହିଁ,
ତୁମ୍ଭେ କ୍ରୋଧୀ ନୋହି କହ ମୋତେ ସମଜାଇ।” 

କଵିସୂର୍ଯ୍ୟ ବଳଦେବ ରଥ ତାଙ୍କର କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଅନ୍ତର୍ଗତ ଘ ଚମ୍ପୂରେ ମଧ୍ୟ ସମଜାଇ ଶବ୍ଦ ପ୍ରୟୋଗ କରାଯାଇଛନ୍ତି

“ଘେନି ଘେନାଇ ଯାଇ କହିଵ ସମଜାଇ
ଘଟିଲେ ଆମ୍ଭେ ଏକ ଜୀଇଲୁ ରେ
ଘଟନା ଵିରହରେ ଅଵଶ୍ୟ ତ ଜହରେ
ତୋ ଘେନି ଆତ୍ମଘାତି ହୋଇଲୁରେ ॥”

ଭୀମଭୋଇ ମଧ୍ୟ ଦ୍ଵିପଞ୍ଚାଶତ ବୋଲିରେ ସମୁଜାଇ ଶବ୍ଦ ଵ୍ୟଵହାର କରିଛନ୍ତି

“ମନ ବୁଦ୍ଧି ବିଚାରରେ ଚେତା ଘରେ ଦେଉଛନ୍ତି ସମୁଜାଇ, ନାଗ ସର୍ପ ପରି ଉଠି ପ୍ରାଣୀମାନେ ଗର୍ବେ ପାରୁଛନ୍ତି କହି ।”

ତେବେ ଆଧୁନିକ ଯୁଗର ଓଡ଼ିଆ ଯୁଵକ ଯୁଵତୀମାନେ ପ୍ରାଚୀନ ଓଡ଼ିଆ ସାହିତ୍ୟ ସହିତ ସେତେଟା ପରିଚିତ ନଥିଵାରୁ କୌଣସି ପୁରାତନ ସାହିତ୍ୟର ପଦରେ ଏ ଶବ୍ଦକୁ ଦେଖି ଏହାକୁ ହିନ୍ଦୀ ହନୁକରଣ ମନେ କରିପାରନ୍ତି । 

କିନ୍ତୁ ସମଝିଵା,ସମଜିଵା,ସମୁଜିଵା ଓ ସମୁଜାଇଵା ଆଦି କ୍ରିୟାଶବ୍ଦଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାର ନିଜସ୍ଵ । ତେବେ ଏ କ୍ରିୟାଶବ୍ଦଟି ଵୈଦେଶିକ ନୁହେଁ ଭାରତୀୟ ମୂଳର କ୍ରିୟାଶବ୍ଦ ଅଟେ । 

ସଂସ୍କୃତ ଭାଷାରେ ସମ୍ବୁଧ୍ୟତେ(saṁbudhyatē) ଶବ୍ଦ ଥିଲା,
ପାଲି ଭାଷାରେ ସମବୁଝତି(sambujjhati) ଶବ୍ଦଟି ବୁଝିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । ପ୍ରାକୃତ ଭାଷାରେ ସଂବୁଜ୍ଝୈ̈(saṁbujjhaï) ମଧ୍ୟ ଚଳୁଥିଲା । ଏହି ଶବ୍ଦଗୁଡି଼କରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ସମଜିଵା,ସମୁଜିଵା,ସମଝିଵା,ସମୁଝାଇଵା ଓ ଭଳି କ୍ରିୟାଶବ୍ଦ ସୃଷ୍ଟି ହୋଇଥିଲା ବେଳେ ଅନ୍ୟ ଏକ ଦିଗରେ ବୁଧ୍ୟତେ ଵା ବୁଧ୍ ଧାତୁ ସହିତ ସମୋଦ୍ଧୃତ ବୁଝିଵା ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ଓଡ଼ିଆ ତଥା ହିନ୍ଦୀ ଭଳି ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ଏହି ଶବ୍ଦଟି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ । ଉଦାହରଣ ସ୍ୱରୂପ 
ସିନ୍ଧୀ ଭାଷାରେ ସମୁଝାଣୁ(samujhaṇu), ପଞ୍ଜାବୀରେ ସମଝାଣା(samajhṇā),ପଞ୍ଜାବୀର ଲୁଧିଆନୀ ଶୈଳୀରେ ସମଜ୍ଝାଣା(samjhᵃnā),କଶ୍ମୀରୀରେ ସମଜନୁ(samajṇo),ନେପାଳୀରେ ସମଝାନୁ(samjhanu), ପୁରୁଣା ବଙ୍ଗାଳୀରେ ସମୁଝେ(samujhe), ବଙ୍ଗାଳୀରେ samjā, ଅହମିଆରେ ସମଜ଼ିଵା(samaziba), ଓଡ଼ିଆ ଭାଷାରେ ସମୁଜିଵା-ସମୁଝିଵା(samuj(h)ibā) ତଥା ସମଜିଵା-ସମଝିଵା(samaj(h)ibā), ମୈଥିଳୀରେ ସମୁଝାବ(samujhab), ଭୋଜପୁରୀରେ ସମୁଝାଲ(samujhal), ପୁରୁଣା ଅଵଧିରେ ସମୁଝାଇ(samujhaï),ହିନ୍ଦୀରେ ସମୁଝନା(samujhnā) ଓ ସମଝନା(samajhnā),ପୁରୁଣା ମାରୱାରୀରେ ସମଝାଇ(samajhaï), ଗୁଜରାଟୀରେ ସମଜାଵୁ(samajvũ),ସମଜଣେ(samaj̈ṇẽ), କୋଙ୍କଣୀରେ ସମଜତା(samjatā),
ଓ ପଶ୍ଚିମ ପାହାରୀ ଭାଷାରେ ସମ୍‌ଝାଣୁ(sɔ́mj̈həṇõ) ଓ ସମଝାଣୁ(sɔ́məj̈hṇõ) ଆଦି ଶବ୍ଦ ଗୋଟିଏ ମୂଳ ଇଣ୍ଡିକ୍ ଶବ୍ଦରୁ ସୃଷ୍ଟି ହୋଇଅଛି । 
ସଂସ୍କୃତ ଭାଷାର ସମ୍ବୁଧ୍ୟତେ , ପ୍ରାକୃତ ଭାଷାର 
ସମ୍ବୁଜ୍ଝୈ̈(saṁbujjhaï) ଓ ପାଲି ଭାଷାର ସମବୁଝତି(sambujjhati) ଇତ୍ୟାଦି ଶବ୍ଦଗୁଡି଼କରେ ଦୁଇଗୋଟି ଶବ୍ଦ ରହିଛି : ସମ୍ ଉପସର୍ଗ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ।  

ଏହି ସମ୍ ଧାତୁ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ଇତ୍ୟାଦି ଧାତୁ ଶବ୍ଦ ଯେମିତି ଭାରତର ଵିଭିନ୍ନ ଭାଷାରେ ଵ୍ୟାପିକରି ଵ୍ୟଵହାର ହେଉଅଛି ଠିକ୍ ସେହିପରି ୟୁରୋପୀୟମାନଙ୍କର ଵିଭିନ୍ନ ଭାରୋପୀୟ ଭାଷାରେ ମଧ୍ୟ ଏହି ଦୁଇଟି ଶବ୍ଦ ସହିତ ସମୋଦ୍ଧୃତ ଅନେକ ସଗୋତ୍ରୀୟ ଶବ୍ଦ ଚଳୁଅଛି ଵା ଚଳୁଥିଲା । 

ଉଦାହରଣ ସ୍ୱରୂପ ଆମ ଭାରତରେ ଯେମିତି ସମ୍ ଉପସର୍ଗ ଅଛି ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ σύν (sún), ξύν (xún) ଓ σούν (soún) ଉପସର୍ଗ ଥିଲା ତଥା ଆଧୁନିକ ଯୁଗରେ ଏହି ଉପସର୍ଗ συν (syn) ରୂପେ ଗ୍ରୀକ୍ ଵ୍ୟତୀତ ଡଚ୍, ଇଂରାଜୀ, ଫ୍ରେଞ୍ଜ୍ ଓ ଜର୍ମାନ୍ ଆଦି ଭାଷାରେ ବି ଵ୍ୟଵହୃତ ହେଉଅଛି । ପାର୍ସୀର هم‎ (ham), ଆର୍ମେନୀୟ ଭାଷାର համ- (ham-),ଲାଟଵୀୟ ଭାଷାର suo ଓ ଲିଥୁଆନିଆର sam ଆଦି ଶବ୍ଦଗୁଡି଼କ ମଧ୍ୟ ଭାରତୀୟ ସମ୍ ଉପସର୍ଗର ସଗୋତ୍ରୀୟ ଅଟନ୍ତି । ଏମନ୍ତକି ସମାନ ଅର୍ଥଜ ଇଂରାଜୀ ଶବ୍ଦ Same ମଧ୍ୟ ଆମ୍ ସମ୍ ଉପସର୍ଗ ସହିତ ସଗୋତ୍ରୀୟ ଅଟଇ । 

ବୁଧ୍,ବୁଧ୍ୟତେ,ବୁଝ୍ ଓ ବୁଜ୍ଝ୍ ଆଦି ସଂସ୍କୃତ,ପାଲି ଓ ପ୍ରାକୃତ ମୂଳର ଶବ୍ଦଗୁଡି଼କ ସହିତ ଅନେକ ସଗୋତ୍ରୀୟ ୟୁରୋପୀୟ ଶବ୍ଦ ଏବେ ବି ଚଳୁଅଛି । ବୁଧ୍ ଓ ବୁଝ୍ ଆଦି ଭାରତୀୟ ଧାତୁ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *bʰewdʰ- (“to wake, rise up”) ନିର୍ଣ୍ଣୟ କରାଯାଇଛି ।
ପ୍ରାକ୍ କେଲ୍ଟିକ୍ *bundeti ଶବ୍ଦ ଏହି ମୂଳରୁ ସୃଷ୍ଟି ହୋଇ ଘୋଷିତ ହେଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ପରେ ଏହି ଶବ୍ଦରୁ Welsh ଭାଷାରେ rhybudd ତଥା Irish ଭାଷାରେ rabhadh ଶବ୍ଦଦ୍ଵୟ 
ଯଥାକ୍ରମେ :ଵିଜ୍ଞପ୍ତି,ଵିଜ୍ଞାପନ,ଚେତାବନୀ,ନୋଟିସ୍ ଓ ଉପଦେଶ ତଥା ଚେତାଵନୀ ଓ ସତର୍କଵାଣୀ ଅର୍ଥରେ ପ୍ରୟୋଗ କରାଯାଉଛି । 
ପ୍ରାଚୀନ ଗ୍ରୀକ୍ ସାହିତ୍ୟରେ ବୋଧ କରିଵା ଅର୍ଥରେ ଵ୍ୟଵହୃତ ହୋଇଥିଵା πῠνθάνομαι • (punthánomai) ଓ ଜାଣିଵାକୁ ପଚାରିଵା ଅର୍ଥରେ ପ୍ରୟୋଗ କରାଯାଉଥିଵା
πῠ́στῐς (pústis) ଶବ୍ଦଦ୍ଵୟର ମଧ୍ୟ ଆମ ଭାରତୀୟ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ଲାଟଵୀୟ bust ଓ ଲିଥୁଆନିଆର bùsti ଶବ୍ଦ ଜାଗ୍ରତ ହେଵା ଅର୍ଥରେ ପ୍ରୟୋଗ କରାଯାଏ ।‌
ଋଷି ଭାଷାରେ бдеть (bdetʹ) ବୋଲି ଏକ ଶବ୍ଦ ଚେଇଁ ରହିଵା,ଦୃଷ୍ଟି ରଖିଵା ଅର୍ଥରେ ପ୍ରୟୋଗ କରାଯାଏ । ଏହି ଶବ୍ଦଗୁଡି଼କର ମଧ୍ୟ ଆମ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । 

ମୋଟାମୋଟି ଭାବରେ କହିଵାକୁ ଗଲେ ଭାରତରେ ଯେମିତି ଗୋଟିଏ ପ୍ରାକ୍ ଇଣ୍ଟିକ୍ ମୂଳ ଶବ୍ଦ *budʰyátayରୁ ବୁଧ୍,ବୁଧ୍ୟତେ,ବୁଝିଵା,ସମ୍ବୁଧ୍ୟତେ, ସମ୍ବୁଝତି,ସଂବୁଜ୍ଝୈ̈,ସମଜିଵା ଓ समझना ଭଳି ଶବ୍ଦ ସୃଷ୍ଟି ହୋଇଛି ଠିକ୍ ସେହିପରି ଆଲୋଚିତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କ ଏକ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *bʰewdʰ-ରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଆଧୁନିକ ଶବ୍ଦ ଵ୍ୟୁତ୍ପତ୍ତି ପ୍ରଣାଳୀଟି ଆମ ଭାରତର ପ୍ରାଚୀନ ନିରୁକ୍ତ ଶାସ୍ତ୍ରର ଅନୁକରଣରେ ହିଁ ଆଧୁନିକ ଭାଷାଵିଦମାନେ ଗଢ଼ିଛନ୍ତି । ଏହା ଆମ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ଵ ଓ ଗୌରଵର ଵିଷୟ । 
(ଶିଶିର ସାହୁ ମନୋଜ)











Saturday, September 23, 2023

କ'ଣ ପ୍ରାଚୀନ ଭାରତୀୟମାନେ ପୃଥିଵୀର Core ଓ Tectonic Plate ଵିଷୟରେ ଜାଣିଥିଲେ ?

ଆଜକୁ ପାଞ୍ଚଶହ ଵର୍ଷ ତଳେ ଜ୍ଞାନରାଜ ନାମକ ଜଣେ ଭାରତୀୟ ଗଵେଷକ ସିଦ୍ଧାନ୍ତସୁନ୍ଦର ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ । ସେଥିରେ ସେ ଏକ ଅକୂପାର ଵା କଚ୍ଛପ ଉପରେ ଅଷ୍ଟଦିଗ୍ଜଜ ଵା ଆଠଗୋଟି ହସ୍ତି ନିଜ ପତ୍ନୀଙ୍କ ସହିତ ପୃଥିଵୀକୁ ଧାରଣ କରିଥିଵା କଥା ଉଲ୍ଲେଖ କରିଛନ୍ତି । ସେହି ଅଷ୍ଟଦିଗ୍ଜଜ ହସ୍ତି ଓ ତାଙ୍କ ପତ୍ନୀମାନେ ହେଲେ :
 
ପୂର୍ଵରେ —ଐରାଵତ ଓ ଅଭ୍ରମୁ 
ଦକ୍ଷିଣ ପୂର୍ଵରେ— ପୁଣ୍ଡରୀକ ଓ କପିଳା
ଦକ୍ଷିଣରେ— ଵାମନ ଓ ପିଙ୍ଗଳା
ଦକ୍ଷିଣ ପଶ୍ଚିମରେ—କୁମୁଦ ଓ ଅନୁପମା 
ପଶ୍ଚିମରେ—ଅଞ୍ଜନ ଓ ତାମ୍ରକର୍ଣ୍ଣୀ
ଉତ୍ତର ପଶ୍ଚିମରେ—ପୁଷ୍ପଦନ୍ତ ଓ ଶୁଭ୍ରଦନ୍ତୀ 
ଉତ୍ତରରେ—ସର୍ଵଭୌମ ଓ ଅଙ୍ଗନା 
ଉତ୍ତର ପୂର୍ଵରେ—ସୁପ୍ରତୀକ ଓ ଅଞ୍ଜନାଵତୀ

ସେହିପରି ଅଷ୍ଟକୁଳାଚଳ ଵିଷୟରେ ବି ଭାରତୀୟ ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ଅଛି । ଅଷ୍ଟକୁଳର ଅର୍ଥ ଅଷ୍ଟଦିଗ ଓ କୋଣ ତଥା ଅଚଳ ଶବ୍ଦର ଅର୍ଥ ପର୍ଵତ । ଭାରତୀୟ ଶାସ୍ତ୍ର ମତରେ ଯେଉଁ ଆଠଗୋଟି ପର୍ଵତ ପୃଥଵୀକୁ ଆଠ ଦିଗରେ ସମ୍ଭାଳି ଧରିଛନ୍ତି ସେହି ପର୍ଵତଗୁଡ଼ିକୁ ଅଷ୍ଟକୁଳାଚଳ କୁହାଯାଏ । ଏହି ଅଷ୍ଟକୁଳାଚଳ ହେଲେ ମହେନ୍ଦ୍ର,ମଳୟ,ସହ୍ୟ,ଶୁକ୍ତିମାନ୍,ଋକ୍ଷ, ବିନ୍ଧ୍ୟ,ପାରିପାତ୍ର ଓ ହିମାଳୟ । 

ପୁଣି ପୃଥିଵୀକୁ ଆଠ ଦିଗରେ ଧରି ରଖିଥିଵା ଆଠଗୋଟି ନାଗଙ୍କ ଵିଷୟରେ ମଧ୍ୟ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଵର୍ଣ୍ଣନା ହୋଇଅଛି । ସେହି ଅଷ୍ଟନାଗମାନେ ହେଲେ- ଅନନ୍ତ, ବାସୁକୀ, ପଦ୍ମ, ମହାପଦ୍ମ, ତକ୍ଷକ, କୁଳିକ, କର୍କୋଟକ ଓ ଶଙ୍ଖ। 

ଭିନ୍ନ ଭିନ୍ନ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଅଷ୍ଟଦିଗ୍ଜଜ ହସ୍ତି, ଅଷ୍ଟକୁଳାଚଳ ଓ ଅଷ୍ଟନାଗ ପୃଥିଵୀକୁ ଆଠ ଦିଗରେ ଧରି ରଖିଥିଵାର ଵର୍ଣ୍ଣନା କରାଯାଇଛି । ସମ୍ଭଵତଃ “ଭୂ ଧାରଣ”, ଏହି ଗୋଟିଏ କଥାକୁ ଵିଭିନ୍ନ ଶାସ୍ତ୍ରରେ ଭିନ୍ନ ଭିନ୍ନ ରୂପରେ ଵର୍ଣ୍ଣନା କରାଯାଇଛି । 

୧୯୧୨ରେ ଗଵେଷକ Alfred Wegener ନିଜର continental drift ଥିଓରୀ ପ୍ରଦାନ କଲେ କିନ୍ତୁ ଏହାକୁ ଗହଣ କରିଵାକୁ ଵୈଜ୍ଞାନିକ ସମାଜକୁ ପଚାଶ ଵର୍ଷ ଲାଗିଗଲା । ଵର୍ତ୍ତମାନ ସମୟର ପୃଥିଵୀରେ African Plate,Antarctic Plate,Eurasian Plate,Indian plate,Australian Plate,North American Plate,
Pacific Plate ଓ South American Plate ଆଦି ଆଠଗୋଟି ମୁଖ୍ୟ Tectonic Plate ତଥା ଅନେକ କ୍ଷୁଦ୍ ଓ ଅତି କ୍ଷୁଦ୍ର Tectonic Plate ରହିଛି । 
ଆଧୁନିକ ଯୁଗରେ Tectonic Plate ଵିଷୟରେ ଜଣାପଡି଼ଲାପରେ କେତେକ ଭାରତୀୟ ବୁଦ୍ଧିଜୀଵୀମାନେ ପ୍ରୋକ୍ତ ମହାଅକୂପାର,ଅଷ୍ଟଦିଗ୍ଜଜ,ଅଷ୍ଟନାଗ ଓ ଅଷ୍ଟକୁଳାଚଳ ଆଦିର ଉଲ୍ଲେଖ ସହ ମତ ଦେଵାକୁ ଲାଗିଲେ ଯେ ଭାରତରେ ତ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବରେ ବହୁ ପ୍ରାଚୀନ କାଳରୁ ପୃଥିଵୀର Tectonic Plate ତଥା Core ଵିଷୟରେ ଲୋକେ ଜାଣିଥିଲେ । ଧିରେ ଧିରେ ଗତି କରୁଥିଵା ମହାଅକୂପାର ପୃଥିଵୀର Core ଏଵଂ ଅଷ୍ଟଦିଗ୍ଜଜ, ଅଷ୍ଟକୁଳାଚଳ ଵା ଅଷ୍ଟନାଗ ହେଉଛନ୍ତି ପୃଥିଵୀର ଆଠଗୋଟି ମୁଖ୍ୟ Tectonic Plate ! 

ଏବେ ଏହାକୁ କେଵଳ ଏକ ଜୋଖା,ମିଞ୍ଜା, ମେଳ,ଖାପ,ଵ୍ୟତିସଙ୍ଗ,ସମଞ୍ଜସ ଵା coincidence କହିଵା ନା ପରୋକ୍ଷ ଭାବରେ ଉଲ୍ଲେଖିତ ପ୍ରାଚୀନ ଭାରତୀୟ ଵିଜ୍ଞାନ କହିଵା ?

Friday, September 22, 2023

କୁତର୍କ,କୁତର୍କୀ ଓ ମନୋଵିଜ୍ଞାନ

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପେନ୍ସିଲଵାନିଆ ରାଜ୍ୟରେ ଅଵସ୍ଥିତ ପିଟ୍ସବର୍ଗ୍‌ ନଗରରେ ଜଣେ ଚୋର ଏକ ଧନଗାର ଵା Bankକୁ ସ୍ପଷ୍ଟ ଦିଵାଲୋକରେ ଯାଇ ଲୁଣ୍ଠନ କରି ଆସିଲା । ଚୋର ଜଣକ ମୁଖା ପିନ୍ଧି ନଥିଲା ପୁଣି cctv cameraକୁ ଦେଖି ବଡ଼ ଆତ୍ମଵିଶ୍ୱାସର ସହିତ ଦାନ୍ତ ଦେଖେଇ ଆସିଥିଲା,ଭାବିଥିଲା ସେ କେବେ ବି ଧରାପଡ଼ିଵ ନାହିଁ । କିନ୍ତୁ ତା ଉପରେ ରାଧାଚଡ଼କ କି ଶନିଦଶା ପଡ଼ିଲା ନା କିସ ବିଲେଇ ମୂଷା ଉଣ୍ଡିଲା ଭଳି ଆରକ୍ଷୀମାନେ ସେହି ଦିନ ରାତିରେ ହିଁ ତାକୁ ବାନ୍ଧି ଆଣିଲେ । ଯେତେବେଳେ ତାକୁ ସେ କରିଥିଵା ବ୍ୟାଙ୍କ୍ ଡକାୟତିର ଦୃଶ୍ୟ ଦେଖାଗଲା, ସେହି ଵ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହି ଉଠିଲା “ଖୋ ରେ ! ମୁଁ ତଥାପି ଅଦୃଶ୍ୟ କେମିତି ହୋଇପାରିଲି ନାହିଁ ? ମୁଁ ତ ମୋ ଦେହସାରା ଲେମ୍ବୁ ରସ ବୋଳି ଦେଇଥିଲି ।”

ଏହି ଚୋରର caseକୁ ଅଧ୍ୟୟନ କରାଯାଇଥିଲା ଏବଂ ମନୋବିଜ୍ଞାନରେ ଡନିଂ-କ୍ରୁଗର ଇଫେକ୍ଟ୍ ନାମକ ଏକ ସିଦ୍ଧାନ୍ତ ଦିଆଯାଇଥିଲା, ଯାହା ଅନୁଯାୟୀ - ମୂର୍ଖତା କେଵଳ ଜଡ଼ତା ଜାତ କରେ, କିନ୍ତୁ ଅଳ୍ପଜ୍ଞାନ ଯୋଗୁଁ ଆକ୍ରମକ ଅତିଆତ୍ମଵିଶ୍ୱାସ ଜନ୍ମିଥାଏ । ଚୋର ଆର୍ଥର ହ୍ୱିଲର କାହାଠାରୁ ଶୁଣିଥିଲା ଵା କୋଉଠି ପଢ଼ିଥିଲା ଯେ ଲେମ୍ବୁ ରସରେ ଲିଖିତ ଲେଖା ଅଦୃଶ୍ୟ ହୋଇଯାଏ, ତେଣୁ ସେ ଭାବିଲା ଯଦି ଲେମ୍ବୁରସ ଯୋଗୁଁ କାଳି ଅଦୃଶ୍ୟ ହୋଇପାରେ, ତେବେ ମୁଁ କାହିଁକି କରିପାରିବି ନାହିଁ? ଆଉ ଏହି ଭ୍ରମରେ ସେ ଵିଚରା ଶରୀରରେ ଲେମ୍ବୁ ରସ ବୋଳି ହୋଇ ବ୍ୟାଙ୍କ ଲୁଣ୍ଠନ କରିଵାକୁ ଯାଇଥିଲା । 

ଜଣେ ଅଳ୍ପଜ୍ଞାନୀ ଗାଲୁଆ ଵ୍ୟକ୍ତିର ତୁଣୀରରେ କୁତର୍କର ଅସଂଖ୍ୟ ଦିଵ୍ୟାସ୍ତ୍ର ଥାଏ ଏଵଂ ସେଗୁଡ଼ିକୁ ମନୋଵିଜ୍ଞାନର ଭାଷାରେ ତାର୍କିକ ମତିଭ୍ରମ ଵା Logical Fallacies ତଥା Cognitive Disorders କୁହାଯାଏ ।

ପାଶ୍ଚାତ୍ୟ ମନୋଵିଜ୍ଞାନୀମାନେ କୁତର୍କୀମାନଙ୍କର ଯେଉଁ Fallacy ଵିଷୟରେ ଏତେ ଅଧ୍ୟୟନ କରିଛନ୍ତି ତାହା ଭାରତୀୟଙ୍କ ପାଇଁ ନୂଆ ନୁହେଁ । ବହୁ ପ୍ରାଚୀନ କାଳରୁ ଭାରତରେ ଏଭଳି ମାନସିକ ଵିଚାରକୁ ଦୁଷ୍ଟତର୍କ,କୁତର୍କ,ଚକ୍ରକ, କୁଯୁକ୍ତି,ଅପୋହ,ତର୍କାଭାସ ଓ ହେତ୍ଵାଭାସ ଇତ୍ୟାଦି ନାମ ଦିଆଯାଇଥିଲା । ପ୍ରାଚୀନ ଭାରତୀୟ ଦର୍ଶନଶାସ୍ତ୍ରରେ ହେତ୍ୱାଭାସ ଵିଷୟରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି। ଦର୍ଶନଶାସ୍ତ୍ର ଅନୁଯାୟୀ ହେତ୍ୱାଭାସ ହେତୁପରି ଜଣାପଡ଼େ ଅଥଚ ପ୍ରକୃତ ହେତୁ ନୁହେ। ଯଥା—“ଯେଉଁଠାରେ ନିଆଁ ଥାଏ ସେଠାରୁ ଧୂଆଁ ଉଠେ; ପର୍ଵତରୁ ଧୁଆଁ ଉଠେ; ଅତଏଵ ପର୍ଵତରେ ନିଆଁ ଅଛି।” ଏଭଳି କୁତର୍କକୁ ହେତ୍ୱାଭାସ କୁହାଯାଏ । ପ୍ରାଚୀନ ଭାରତୀୟମାନେ ହେତ୍ୱାଭାସର ଵିଭିନ୍ନ ରୂପକୁ ସଂକଳିତ କରି ସେଗୁଡି଼କୁ ମୁଖ୍ୟତଃ ପାଞ୍ଚ ପ୍ରକାରରେ ଵିଭକ୍ତ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ହେଲା ଯଥା : ସଵ୍ୟଭିଚାର ଵା ଅନୈକାନ୍ତିକା,ଵିରୁଦ୍ଧ,ପ୍ରକରଣ ସମ,ସାଧ୍ୟସମ ଓ କାଳାତୀତ । ମତାନ୍ତରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ 
ଵ୍ଯଭିଚାରଃ,ଵିରୁଦ୍ଧଃ,ଅସିଦ୍ଧଃ, ସତ୍ପ୍ରତିପକ୍ଷଃ ଓ ଵାଧଃ ହେଉଛି ପାଞ୍ଚପ୍ରକାରର ହେତ୍ୱାଭାସ। ଭାଷାପରିଚ୍ଛେଦଃ ଗ୍ରନ୍ଥରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ଵିଷୟରେ ଏମନ୍ତ ଉଲ୍ଲେଖ ଅଛି:

ଅନୈକାନ୍ତୋ ଵିରୁଦ୍ଧଶ୍ଚାପ୍ଯସିଦ୍ଧଃ ପ୍ରତିପକ୍ଷିତଃ ।
କାଳାତ୍ଯୟାପଦିଷ୍ଟଶ୍ଚ ହେତ୍ଵାଭାସାସ୍ତୁ ପଞ୍ଚଧା ॥
ଆଦ୍ଯଃ ସାଧାରଣସ୍ତୁ ସ୍ଯାତ୍ ସ୍ଯାଦସାଧାରଣୋଽପରଃ । ତଥୈଵାନୁପସଂହାରୀ ତ୍ରିଧାନୈକାନ୍ତିକୋ ଭଵେତ୍ ॥
ଯଃ ସପକ୍ଷେ ଵିପକ୍ଷେ ଚ ସ ତୁ ସାଧାରଣୋ ମତଃ ।
ଯସ୍ତୂଭୟସ୍ମାଦ୍ଵ୍ଯାଵୃତ୍ତଃ ସ ତ୍ଵସାଧାରଣୋ ମତଃ ॥
ତଥୈଵାନୁପସଂହାରୀ କେଵଲାନ୍ଵଯିୟକ୍ଷକଃ ।
ଯଃ ସାଧ୍ଯଵତି ନୈଵାସ୍ତି ସ ଵିରୁଦ୍ଧ ଉଦାହୃତଃ ॥
ଆଶ୍ରୟାସିଦ୍ଧିରାଦ୍ଯା ସ୍ଯାତ୍ ସ୍ଵରୂପାସିଦ୍ଧିରପ୍ଯଥ ।
ଵ୍ଯାପ୍ଯତ୍ଵାସିଦ୍ଧିରପରା ସ୍ଯାଦସିଦ୍ଧିରତସ୍ତ୍ରିଧା ॥
ପକ୍ଷାସିଦ୍ଧିର୍ଯତ୍ର ପକ୍ଷୋ ଭଵେନ୍ମଣିମୟୋ ଗିରିଃ ।
ହ୍ରଦୋ ଦ୍ରଵ୍ଯଂ ଧୂମଵତ୍ତ୍ଵାଦତ୍ରାସିଦ୍ଧିରଥାପରା ॥
ଵ୍ଯାପ୍ଯତ୍ଵାସିଦ୍ଧିରପରା ନୀଳଧୂମାଦିକେ ଭଵେତ୍ ।
ଵିରୁଦ୍ଧୟୋଃ ପରାମର୍ଶୋ ହେତ୍ଵୋଃ ସତ୍ପ୍ରତିପକ୍ଷତା ॥
ସାଧ୍ଯଶୂନ୍ଯୋ ଯତ୍ର ପକ୍ଷସ୍ତ୍ଵସୌ ଵାଧ ଉଦାହୃତଃ ।
ଉତ୍ପତ୍ତିକାଳୀନଘଟେ ଗନ୍ଧାଦିର୍ଯତ୍ର ସାଧ୍ଯତେ ॥”

ସେହିପରି ଏହି ପାଞ୍ଚପ୍ରକାରର ହେତ୍ୱାଭାସର ସାମାନ୍ୟ ତଥା ଵିଶେଷ ଲକ୍ଷଣଗୁଡ଼ିକ ଵିଷୟରେ ମଧ୍ୟ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଵର୍ଣ୍ଣନା ହୋଇଥିଲା ।‌ ହେତ୍ଵାଭାସର ସାମାନ୍ୟ ଲକ୍ଷଣଗୁଡ଼ିକ ହେଲା :

“ଅନୁମିତିକାରଣୀଭୂତାଭାଵପ୍ରତିଯୋଗି ଯଥାର୍ଥଜ୍ଞାନଵିଷଯତ୍ଵମ୍ ।
ଯଦ୍ଵିଷୟତ୍ଵେନ ଲିଙ୍ଗଜ୍ଞାନସ୍ଯାନୁମିତିପ୍ରତିବନ୍ଧକତ୍ଵମ୍ । ଜ୍ଞାୟମାନଂ ସତ୍ ଯଦନୁମିତିପ୍ରତିବନ୍ଧକଂ ତତ୍ତ୍ଵଂ ଵା ହେତ୍ଵାଭାସତ୍ଵମ୍ ॥”

ପୁଣି ଵିଶେଷଲକ୍ଷଣଗୁଡ଼ିକ ହେଲା “ଉଭୟକୋଟ୍ଯୁପସ୍ଥାପକତାଵଚ୍ଛେଦକରୂପଵତ୍ତ୍ଵଂ ତତ୍ତ୍ଵମ୍ ।
ଵିରୁଦ୍ଧାନ୍ଯପକ୍ଷଵୃତ୍ତିତ୍ଵେ ସତି ଅନୁମିତିଵିରୋଧିସମ୍ବନ୍ଧାଵ୍ଯାଵୃତ୍ତିର୍ଵ୍ଵା ଅନୈକାନ୍ତିକଃ ।
ଵିପକ୍ଷଵୃତ୍ତିତ୍ଵଂ ସାଧାରଣତ୍ଵମ୍ । ସର୍ଵ୍ଵସପକ୍ଷଵ୍ଯାଵୃତ୍ତୋ ହେତୁରସାଧାରଣଃ । ଵ୍ଯାପ୍ତିଗ୍ରହାନୁକୂଳୈକଧର୍ମ୍ଯୁପସଂହାରାଭାଵୋ ଯତ୍ର ସ ହେତ୍ଵଭିମତୋଽନୁପସଂହାର୍ଯ୍ଯଃ॥*॥ ସାଧ୍ଯଵ୍ଯାପକାଭାଵପ୍ରତିଯୋଗିତ୍ଵଂ ଵିରୁଦ୍ଧତ୍ଵମ୍ ॥ * ॥ 
ସାଧ୍ଯଵିରୋଧ୍ଯୁପସ୍ଥାପନସମର୍ଥସମାନବଳୋପସ୍ଥିତ୍ଯା ପ୍ରତିରୁଦ୍ଵକାର୍ଯ୍ଯଲିଙ୍ଗଂତ୍ଵଂତତ୍ଵଂ ସତ୍ପ୍ରତିପକ୍ଷିତତ୍ଵମ୍ ॥ * ॥ ଵ୍ଯାପ୍ତିପକ୍ଷଧର୍ମ୍ମତାନିଶ୍ଚଯଵିରୋଧିରୂପଵତ୍ତ୍ଵଂ ଅସିଦ୍ଧିଃ । ପକ୍ଷନିଷ୍ଠପ୍ରମାଵିଷୟତ୍ଵପ୍ରକାରାମାଵପ୍ରତିଯୋଗିସାଧ୍ଯକତ୍ଵଂ ଵାଧଃ । 
(ଇତି ଚିନ୍ତାମଣିଃ ॥ )

ସେ ଯାହାହେଉ ଭାରତୀୟମାନଙ୍କର ପ୍ରାଚୀନ ଦର୍ଶନଶାସ୍ତ୍ରର ଏହି ପୁରାତନ ଜ୍ଞାନ ଉପରେ ଆଧୁନିକ ମନୋଵିଜ୍ଞାନର ସୌଧ ନିର୍ମିତ ହେଲାପରେ ହେତ୍ଵାଭାସ ଵା Fallacyକୁ ପାଞ୍ଚ ଭାଗରେ ସୀମିତ ନକରି ସେଗୁଡି଼କର ଵିଭିନ୍ନ ମନୋଵିଜ୍ଞାନୀମାନେ ଭିନ୍ନ ଭିନ୍ନ ନାମକରଣ କରିଥିଲେ । 

ତନ୍ମଧ୍ୟରୁ କେତେକ ଜଣାଶୁଣା କୁତର୍କୀୟ ଦିଵ୍ୟାସ୍ତ୍ର ଵା Fallacy ଵିଷୟରେ ସଂକ୍ଷେପରେ ଉଲ୍ଲେଖ କରାଗଲା...

ଜଣେ କୁତର୍କୀ ପାଖରେ ଥିଵା ସବୁଠାରୁ ଘାତକ ଅସ୍ତ୍ର ହେଉଛି Strawman Fallacy ! ଏଥିରେ କୁତର୍କୀ ଵ୍ୟକ୍ତି ଜଣକ ଆପଣଙ୍କ ତର୍କର ଅର୍ଥକୁ ଵିଅର୍ଥ କରି ମୋଡ଼ା ମୋଡ଼ି କରି ଏମନ୍ତ ଵିତର୍କ କରନ୍ତି ଯାହାର ପ୍ରକୃତ କାହାଣୀ ସହିତ କୌଣସି ସମ୍ପର୍କ ନଥାଏ । ଉଦାହରଣ ସ୍ୱରୂପ: ମୁଁ କହିବି, 'ବୁର୍ଖା ମଧ୍ୟଯୁଗୀୟ ଚିନ୍ତାଧାରାର ପ୍ରତୀକ' । ତାହା ଶୁଣି କୁତର୍କୀ କହିଵ- ଦାଣ୍ଡରେ ବାଟରେ ଉଲଗ୍ନ ହୋଇ ବୁଲିଵା ପାଇଁ ତୁମମାନଙ୍କୁ ସ୍ୱାଧୀନତା ଦରକାର। ସତେ ଯେମିତି ବୁର୍ଖା ପରେ ଉଲଗ୍ନ ହେଵା ହିଁ ଏକମାତ୍ର ଵିକଳ୍ପ ରହିଯାଇଥାଏ । 

ଆଉ ଏକ କୁତର୍କର ନାମ Bandwagon Fallacy ! ଏଥିରେ ପୀଡ଼ିତ ଵ୍ୟକ୍ତି କୌଣସି କଥାର ମୂଲ୍ୟ ସେହି କଥାକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଧାରଣ କରିଥାଏ । ଯଦି ଏହି ତର୍କକୁ ଅନୁକରଣ କରାଯାଆନ୍ତା, ତେବେ ପୃଥିଵୀ ଏବେ ବି ସମତଳ ହୋଇଥାନ୍ତା, ସୂର୍ଯ୍ୟ, ପୃଥିଵୀର ପରିକ୍ରମା କରୁଥାନ୍ତେ ଏଵଂ ପୃଥିବୀ ୬୦୦୦ ବର୍ଷ ପୂର୍ବେ ଜନ୍ମ ହୋଇଥାନ୍ତା । କାରଣ, ଏହି ସବୁ ଭ୍ରମଧାରଣାଗୁଡ଼ିକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟା ପୃଥିଵୀରେ ସର୍ଵୋଚ୍ଚ, କିନ୍ତୁ ଏହା ସତ ନୁହେଁ କି କେବେ ହୋଇପାରିଵ ନାହିଁ। "ତିନି ତୁଣ୍ଡରେ ଛେଳି କୁକୁର" ନ୍ୟାୟରେ କୌଣସି ଭୁଲ୍ କଥାକୁ ଅନେକେ ଵିଶ୍ଵାସ କରୁଥାଇ ପାରନ୍ତି କିନ୍ତୁ ପ୍ରକୃତରେ ଭିଡ଼ କେବେ ବି କୌଣସି ଦରଵ,ଵ୍ୟକ୍ତି କିମ୍ବା ସିଦ୍ଧାନ୍ତର ସତ୍ୟତାର ପ୍ରମାଣ ନୁହେଁ ଏଵଂ ଏହା ଅନେକାନେକ ଥର ପରୀକ୍ଷିତ।

  Appeal To Authority ନାମରେ ଆଉ ଏକ କୁତର୍କ ବି ଅଛି । କୁତର୍କୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନଥିଲେ ସେମାନେ ପ୍ରଭାଵଶାଳୀ ପୁରାତନ ଵ୍ୟକ୍ତିଙ୍କର ତଥା ତାଙ୍କ ଦ୍ଵାରା ବୋଲାଯାଇଥିଵା ପଦର ଉଦାହରଣ ଦିଅନ୍ତି ।‌ ଅମୁକ ମହାପୁରୁଷ ଏଇ କହିଛନ୍ତି,ସମୁକ ମହାପୁରୁଷ ସେଇଆ କହିଛନ୍ତି ! କେହି କେହି ତ ମହାପୁରୁଷମାନେ କହି ନଥିଲେ ବି ତାଙ୍କ ନାଆଁ ନେଇ ମିଛ କଥା ପ୍ରଚାର କରନ୍ତି । ଉଦାହରଣ ସ୍ୱରୂପ, କିଛି ଵର୍ଷ ତଳେ ଜଣେ ମୋତେ କହିଲେ ଯେ ମଧୁବାବୁ କୁଆଡେ଼ ଥରେ କହିଥିଲେ “ଓଡ଼ିଆ ଭାଷାଟା ଭାଷା ଵିଵର୍ତ୍ତନ କ୍ରମରେ ସବୁଠାରୁ ପଛରେ ଵିଵର୍ତ୍ତିତ ହୋଇଛି !”ପ୍ରଥମତଃ ମଧୁବାବୁଙ୍କ ଦ୍ଵାରା ଏହା ବୋଲା ଯାଇଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ପୁଣି ଯଦି ଏହା ବୋଲା ବି ଯାଇଥାଏ ତଥାପି ମଧ୍ୟ ସତ ନୁହେଁ। କାରଣ ଆଜି ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା ଏଵଂ ପ୍ରାୟ ତିନିରୁ ପାଞ୍ଚ ହଜାର ଵର୍ଷ ତଳେ ଏ ଭାଷା ମୂଳ ଇଣ୍ଡିକ୍ ଭାଷାର ପ୍ରାକୃତ ସ୍ଵରୂପ ରୂପେ ଵିଦ୍ୟମାନ ଥିଲା । ଇତିହାସ ସାକ୍ଷୀ ଅଛି ଯେ ମହାପୁରୁଷମାନେ ଅନେକ ସମୟରେ ଭୁଲ ପ୍ରମାଣିତ ହୁଅନ୍ତି । ଜଣେ ପ୍ରଭାଵଶାଳୀ ଵ୍ୟକ୍ତି କେଵଳ କହିଦେଲେ କୌଣସି ସିଦ୍ଧାନ୍ତ ଠିକ୍ ପ୍ରମାଣିତ ହୋଇଯାଏ ନାହିଁ ।
  
କିନ୍ତୁ ଯେତେ ପ୍ରକାରର କୁତର୍କ ଅଛି ତନ୍ମଧ୍ୟରେ Ad Hominem Fallacyକୁ ସବା ଶୀର୍ଷରେ ରଖାଯିଵା ଉଚିତ୍ । ଏହା ଆଧାରରେ କୁତର୍କୀ ଆଲୋଚିତ ଵିଷୟ କିଛି ନ କହି ଆପଣଙ୍କ ଚରିତ୍ରକୁ ଧରି ଆପଣଙ୍କ ଉପରେ ଆକ୍ରମଣ କରିଵାକୁ ଚେଷ୍ଟା କରେ । ଯଦି ଆପଣ କୁହନ୍ତି ଯେ ଦେଶରେ ସବୁ କିଛି ଭଲ ଅଛି, ତେବେ କୁତର୍କୀ ଆପଣଙ୍କୁ ଫୁଲଦଳିଆ କହିଵ । ଯଦି ଆପଣ କୁହନ୍ତି ଯେ ଦେଶରେ ସମସ୍ୟା ରହିଛି, ତେବେ କୁତର୍କୀ ଆପଣଙ୍କୁ ପାପୁଲି ଦଳିଆ କହିଦଵ। ଆଉ ଯଦି ଆପଣ ଏକ ପ୍ରାଚୀନ ଵିଶ୍ୱାସ ଵିଷୟରେ କିଛି କହି ଦିଅନ୍ତି, ତେବେ ଆପଣଙ୍କୁ କୁତର୍କୀ ଵାମପନ୍ଥୀ ବୋଲି ଦେଵ । ଅର୍ଥାତ୍Ad Hominem Fallacyରେ କୁତର୍କୀ କେଵଳ ମୂଳ ଆଲୋଚନାକୁ ଵିଭ୍ରାନ୍ତ କରି ଆପଣଙ୍କୁ ଅପମାନିତ କରିଵାକୁ ଚେଷ୍ଟା କରନ୍ତି।

ଜଣେ କୁତର୍କୀର ପ୍ରତ୍ୟେକ କୁତର୍କ Argument From Ignoranceରୁ ଜନ୍ମ ହୋଇଥାଏ । ଜଣେ କୁତର୍କୀ ମତରେ ମନୁଷ୍ୟ ବ୍ରହ୍ମାଣ୍ଡର ଅନ୍ତ ନ ପାଇଵା ପର୍ଯ୍ୟନ୍ତ ଵା ସଂସାରର ସବୁ କିଛି ଜାଣି ନନେଲା ପର୍ଯ୍ୟନ୍ତ ପ୍ରତ୍ୟେକ ସମ୍ଭାଵନା ଆଲୋଚନା ଯୋଗ୍ୟ। ଉଦାହରଣ ସ୍ୱରୂପ, ଯଦି ମୁଁ କହେ ଉଡ଼ନ୍ତା ପକ୍ଷୀରାଜ ଘୋଡ଼ା ଅଛନ୍ତି। ଵର୍ତ୍ତମାନ ସମୟରେ ବି ଯେହେତୁ ମନୁଷ୍ୟ ବ୍ରହ୍ମାଣ୍ଡ ଵିଷୟରେ ସବୁ କିଛି ଜାଣେ ନାହିଁ, ତେଣୁ ପକ୍ଷୀରାଜ ଘୋଡ଼ାର ଅସ୍ତିତ୍ୱକୁ ଅସ୍ୱୀକାର କରାଯାଇପାରିଵ ନାହିଁ । ଏବେ ଏହା କେତେ ହାସ୍ୟାସ୍ପଦ କଥା। ପ୍ରମାଣର ଅଭାଵ କେବେ ବି " ସ୍ଵୟଂ ପ୍ରମାଣ" ହୋଇ ପାରେ କି । ଯଦି ପକ୍ଷୀରାଜ ଘୋଡ଼ା ଅଛନ୍ତି, ତେବେ ଏହା ସପକ୍ଷରେ କେଵଳ ଜନସୃତି ଓ ପୁରାଣଗାଥାର ଉଦାହରଣ ନଦେଇ କିଛି ପ୍ରାମାଣିକ ତଥ୍ୟ ଦିଅନ୍ତୁ, ନଚେତ୍ କେବେ ବି ଏଭଳି ହାସ୍ୟାସ୍ପଦ ଦାବିର ଅନ୍ତ ଘଟିଵ ନାହିଁ?

ମନୋବିଜ୍ଞାନରେ ଏହିପରି ଶତାଧିକ ମତିଭ୍ରମର ଉଲ୍ଲେଖ ଅଛି । ଵିଭିନ୍ନ ମତିଭ୍ରମରୁ ଜାତ ଅନେକ ପ୍ରକାରର କୁତର୍କକୁ ଧରି କୁତର୍କୀମାନେ ସତ୍ୟର ସମୀକ୍ଷା ସମୟରେ ଭୁଲ୍ ସୂଚନା ଦେଇ ଆପଣଙ୍କୁ ପରାସ୍ତ କରିଵାକୁ ଚେଷ୍ଟା କରନ୍ତି, ଆପଣଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାନ୍ତି, ଆପଣଙ୍କ ଚରିତ୍ର ସଂହାର କରିଵାକୁ ଚେଷ୍ଟା କରନ୍ତି ।

କିନ୍ତୁ.... କୁତର୍କୀଙ୍କ ଦ୍ଵାରା ଯେତେ ଅପଯଶ ଓ ନିନ୍ଦା ମିଳୁ ଵା ସେମାନଙ୍କର ଦ୍ୱେଷ,ହିଂସା,ଈର୍ଷ୍ୟା ଓ କ୍ରୋଧର ସହସ୍ରାଧିକ ଥର ଶିକାର ହେଵାକୁ ପଡ଼ୁ ତଥାପି ଆପଣ ସେମାନଙ୍କ ଦ୍ଵାରା ପ୍ରଭାଵିତ ହୋଇ ନିଜର ସଚ୍ଚୋଟତା ତଥା ସତ୍ୟର ପଥକୁ କେବେ ବି ଛାଡ଼ନ୍ତୁ ନାହିଁ । 

ଭୁଲ୍ କହି ମଧ୍ୟ ଲୋକପ୍ରିୟ ନିଶ୍ଚିତ ଭାବରେ ସମ୍ମାନିତ ହେଵ,ତାକୁ ସ୍ୱୀକୃତି ବି ମିଳିଵ, କିନ୍ତୁ ଯଦି ଆପଣ ସତ୍ୟ ଓ ସ୍ୱୀକୃତି ମଧ୍ୟରୁ କୌଣସି ଗୋଟିଏକୁ ବାଛିଵାକୁ ଚାହୁଁଥାନ୍ତି, ତା’ହେଲେ ସଦା ସର୍ଵଦା ପ୍ରଥମ ଵିକଳ୍ପକୁ ହିଁ ଚୟନ କରନ୍ତୁ। 

ଥରେ ନୁହେଁ, ବାରମ୍ବାର, ପ୍ରତ୍ୟେକ ଥର !!!
••••••••••••••••••••••

Thursday, September 21, 2023

ଆପୋଲୋ ୧୧ ଚନ୍ଦ୍ରାଵତରଣ : ସତ୍ୟ ନା ମିଥ୍ୟା ?

ଜୁଲାଇ ୨୧, ୧୯୬୯: ଆପୋଲୋ-୧୧ର ସଫଳ ଚନ୍ଦ୍ର ଅଵତରଣ ପରେ ସ୍ୱଦେଶ ଫେରୁଥିଵା ବେଳେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ବଜ୍ ଆଲଡ୍ରିନ୍ ଚନ୍ଦ୍ରପୃଷ୍ଠରେ ତାଙ୍କର ଅଵତରଣ ସ୍ଥଳଠାରୁ ୮ ମିଟର ଦୂରରେ ଆମେରିକୀୟ ପତାକାକୁ ସ୍ମାରକୀ ଭାବେ ପୋତି ଦେଇଥିଲେ। ଘରକୁ ଲେଉଟିଲାବେଳେ ଚନ୍ଦ୍ର ଅଵତରଣ ମଡ୍ୟୁଲ୍‌ ରକେଟ୍ ଇଞ୍ଜିନରୁ ବାହାରୁଥିଵା ଗ୍ୟାସର ପ୍ରବଳ ବେଗ ଯୋଗୁଁ ଆମେରକୀୟ ପତାକାଟି ଉପୁଡି ପଡ଼ିଥିଲା। ଏହି କାରଣରୁ ଭଵିଷ୍ୟତରେ ଆପୋଲୋ ମିଶନରେ ପତାକାକୁ ଅଵତରଣ ସ୍ଥଳଠାରୁ ଦୂରରେ ଲଗାଇଵା ପାଇଁ ନିୟମ କରାଯାଇଥିଲା।


ଚନ୍ଦ୍ରରେ ଵାୟୁ ନ ଥିଵାରୁ ପତାକା ସିଧା ରଖିଵାପାଇଁ ଆମେରକୀୟ ଧ୍ଵଜା ଭିତରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ହାଲୁକା ତାର ଖଞ୍ଜା ଯାଇଥିଲା। ପୁଣି ପତାକା ବାହାର କରି ଲଗାଯିଵା ସମୟରେ ସୃଷ୍ଟି ହୋଇଥିଵା ସଂକୋଚନ କାରଣରୁ ତାହା ପତାକା ଉଡ଼ିଵାର ଆଭାସ ସୃଷ୍ଟି କରିଥିଲା । Conservation of momentum କାରଣରୁ ମହାକାଶରେ ଉଡ଼ୁଥିଵା ଵା ଗତି କରୁଥିଵା ଵସ୍ତୁର ଗତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏହା ବୁଝି ପାରୁନଥିଵା ଲୋକେ ନିଜକୁ ନିଜେ ଥରେ ପଚାରନ୍ତୁ ଯେ କୋଟି କୋଟି ଵର୍ଷ ବିତିଯାଇଥିଲେ ମଧ୍ୟ ପୃଥିଵୀ ମହାକାଶରେ କିପରି ନିରଵଚ୍ଛିନ୍ନ ଭାବେ ଗତି କରିପାରୁଛି ?

ସେହିପରି ଆଉ ଏକ ପ୍ରଶ୍ନ ବହୁତ ପଚରାଯାଏ ଯେ ଚନ୍ଦ୍ର ଅଭିଯାନ ସମୟରେ ଉତ୍ତୋଳିତ ଚିତ୍ରରେ ତାରା କାହିଁକି ଦେଖାଯାଉ ନାହାନ୍ତି। ଆପୋଲୋ ଅଭିଯାନ ସମୟରେ ଵ୍ୟଵହୃତ କ୍ୟାମେରା ସେଟିଂକୁ ମହାକାଶଚାରୀ ଓ ଚନ୍ଦ୍ର ପୃଷ୍ଠ ଭଳି ଉଜ୍ଜ୍ୱଳ ଆଲୋକିତ ଵସ୍ତୁକୁ କ୍ୟାପ୍ଚର କରିଵା ପାଇଁ ଅପ୍ଟିମାଇଜ୍ କରାଯାଇଥିଲା। ଏହି ସେଟିଂଗୁଡି଼କ କ୍ୟାମେରା ପାଇଁ ନକ୍ଷତ୍ରଗୁଡ଼ିକର ଅପେକ୍ଷାକୃତ କ୍ଷୀଣ ଆଲୋକକୁ କ୍ୟାପ୍ଚର କରିଵା କଷ୍ଟକର କରିଦେଇଥିଲା । ଚନ୍ଦ୍ର ପୃଷ୍ଠରେ ସ୍ଵଳ୍ପ ଏକ୍ସପୋଜର୍ ଟାଇମ୍ ମଧ୍ୟରେ କ୍ୟାମେରା ଦ୍ଵାରା ନିଆଯାଇଥିଵା ଫଟୋଗୁଡ଼ିକରେ ନକ୍ଷତ୍ରଗୁଡ଼ିକର କ୍ଷୀଣ ଆଲୋକକୁ କ୍ୟାପ୍ଚର କରିଵାର କ୍ଷମତାକୁ ଆହୁରି ସୀମିତ କରିଦେଇଥିଲା । ମହାକାଶ ଯାନରେ ଲାଗିଥିଵା କ୍ୟାମେରାର କଣ୍ଟ୍ରାଷ୍ଟ୍ ଯୋଗୁଁ ମଧ୍ୟ କ୍ଷୀଣ ଆଲୋକଯୁକ୍ତ ତାରକାଗୁଡ଼ିକ ଚିତ୍ରରେ ଦୃଶ୍ୟ ହୋଇପାରିନାହାନ୍ତି । 


ସେହିଭଳି କେହି କେହି ଚନ୍ଦ୍ରପୃଷ୍ଠରେ ନୀଲ୍ ଓ ଏଲଡ୍ରିନ୍‌ଙ୍କ ଛାଇକୁ ଦେଖି ଏହାକୁ ଷ୍ଟୁଡିଓ ସୁଟିଂ ମନେ କରନ୍ତି। କିନ୍ତୁ ପ୍ରକୃତରେ ଚନ୍ଦ୍ରପୃଷ୍ଠରେ ଏକାଧିକ ଆଲୋକ ଉତ୍ସ ଥିଵାରୁ ନୀଲ୍ ଓ ଏଲଡ୍ରିନଙ୍କ ଛାୟା ଚନ୍ଦ୍ରରେ ଦୃଶ୍ୟମାନ ହେଉଥିଲା । ସୂର୍ଯ୍ୟ ସେଠାରେ ପ୍ରାଥମିକ ଆଲୋକ ଉତ୍ସ ପୁଣି ଚନ୍ଦ୍ର ପୃଷ୍ଠ ମଧ୍ୟ ଆଲୋକକୁ ପ୍ରତିଫଳିତ କରେ ଏଵଂ ଅତିରିକ୍ତ ଆଲୋକ ପ୍ରଦାନ କରେ । ଚନ୍ଦ୍ରପୃଷ୍ଠରେ ପୃଥିଵୀରୁ ପ୍ରତିଫଳିତ ଆଲୋକ ମଧ୍ୟ ପଡ଼ିଥାଏ ଯାହାକୁ Earthshine ତଥା Earthlight କୁହାଯାଏ । 

ତେଣୁ ଚନ୍ଦ୍ରପୃଷ୍ଠରେ ଵାୟୁ ନଥାଇ ବି ଆମେରକୀୟ ପତାକା କିପରି ଉଡ଼ୁଥିଲା ,ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଫଟୋରେ ତାରା କାହିଁକି ନଥିଲା, ଚନ୍ଦ୍ରପୃଷ୍ଠରେ ମାନଵ ଛାୟା କେମିତି ପଡ଼ିଲା - ଏଭଳି ପ୍ରଶ୍ନ ଉତ୍ଥାପନ କରିଵା ପୂର୍ଵରୁ ଏହା ହୃଦୟଙ୍ଗମ କରିଵା ଆଵଶ୍ୟକ ଯେ ପୃଥିଵୀରେ ଲବ୍ଧ ହୋଇଥିଵା ମାନଵୀୟ ଅନୁଭୂତି ମହାକାଶ କିମ୍ବା ଅନ୍ୟ ଗ୍ରହରେ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଅତ୍‌ଏଵ ଏହି ଘଟଣାଗୁଡ଼ିକ ପଛରେ ଥିଵା ପ୍ରକୃତ ଵୈଜ୍ଞାନିକ କାରଣଗୁଡ଼ିକୁ ନବୁଝି ୧୯୬୯ର ଚନ୍ଦ୍ର ଅଭିଯାନକୁ ଷଡ଼ଯନ୍ତ୍ର ମନେ କରିଵା ଠିକ୍ ନୁହେଁ । 

ପ୍ରାୟତଃ ଲୋକମାନେ ପଚାରନ୍ତି,୫୦ ଵର୍ଷ ପୂର୍ଵେ ନାସା କେଉଁ ଜ୍ଞାନକୌଶଳ ବଳରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା? ଏହା ଆଜି ସେଲ୍ଫ ଡ୍ରାଇଭିଂ କାର୍‌କୁ ଦେଖି କିଛି ଦଶନ୍ଧି ପୂର୍ଵେ କାର୍ କେମିତି ଚଳାଯାଉଥିଲା ଵା
 କାର୍ ହିଁ ଅସମ୍ଭଵ ଥିଲା ବୋଲି କହିଲା ଭଳିଆ କଥା। ଅତୀତରେ ବି କାର୍ ଥିଲା, କେଵଳ ଆଜି ଭଳି କାର୍‌ଗୁଡ଼ିକ ଡିଜିଟାଲ୍ ପରିଵର୍ତ୍ତେ ଅଧିକ ମାନୁଆଲ୍ ଥିଲା। ଵାସ୍ତଵରେ ଆପୋଲୋ ମିଶନ ସହିତ ଡିଜିଟାଲ କଣ୍ଟ୍ରୋଲ୍ ଫ୍ଲାଇଟ୍ ଆରମ୍ଭ ହୋଇଥିଲା ଏଵଂ ଵର୍ତ୍ତମାନ ପର୍ଯ୍ୟନ୍ତ ଏୟାରଲାଇନ୍ସ ଓ ଫାଇଟର୍ ଜେଟ୍ସରେ ସେହି ଡିଜିଟାଲ ଫ୍ଲାଇ-ବାଇ ସିଷ୍ଟମ କ୍ରମଶଃ ନୂତନତ୍ବ ଲାଭ କରି ଵ୍ୟଵହୃତ ହେଉଅଛି । 


୨୦୨୩ ହେଉ କି ୧୯୬୯: ଚନ୍ଦ୍ର କିମ୍ବା ମହାକାଶକୁ ଯାଇ ଫେରିଵା ପାଇଁ ଦୁଇଟି ଵିଷୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ରକେଟର ଓଜନ ଉଠାଇଵାର କ୍ଷମତା ଏଵଂ ରେଡିଓ ତରଙ୍ଗ ଉପରେ ଆଧାରିତ ନେଭିଗେସନ-କମ୍ୟୁନିକେସନ ଟେକ୍ନୋଲୋଜିର ଆଵଶ୍ୟକତା ।

୧୯୩୬ ଜର୍ମାନୀ ଅଲିମ୍ପିକ୍ସକୁ ପ୍ରଥମ ଥର ପାଇଁ ରେଡିଓ ତରଙ୍ଗ ପ୍ରସାରଣ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । ୧୯୬୦ ଓ ୧୯୬୪ ଅଲିମ୍ପିକ୍ସ ଆୟୋଜନ ବେଳକୁ ରେଡିଓ ଟେକ୍ନୋଲୋଜି ଏତେ ଶକ୍ତିଶାଳୀ ହୋଇଯାଇଥିଲା ଯେ ଏହି ଅଲିମ୍ପିକ୍ କ୍ରୀଡ଼ା ଗୁଡ଼ିକ ଵିଶ୍ୱବ୍ୟାପୀ ପ୍ରସାରିତ ହେଇଥିଲା। ଏହି ରେଡିଓ ତରଙ୍ଗ ସାହାଯ୍ୟରେ ମହାକାଶରେ ନେଭିଗେସନ୍ ଓ ଯୋଗାଯୋଗ ହୋଇଥାଏ ।
ପୁଣି ରକେଟର କ୍ଷମତା ଵିଷୟରେ ଜାଣିଵା ଆଵଶ୍ୟକ । ୨୦୨୩ରେ ଭାରତର ରକେଟ୍ ୪ ଲକ୍ଷ କିଲୋମିଟର ଦୂର ଚନ୍ଦ୍ରର କକ୍ଷପଥକୁ ୪ ଟନ୍ ଓଜନ ପଠାଇଵାର କ୍ଷମତା ରଖିଛି। ସେହିପରି ୫୦ ଵର୍ଷ ତଳେ ନାସା ୫୦ ନିୟୁତ କିଲୋମିଟର ଦୂର ମଙ୍ଗଳ ଗ୍ରହକୁ ନିଜର ରକେଟ୍ ସାହାଯ୍ୟରେ ୨୨ ଟନ୍ ଓଜନର ଦରଵ ପଠାଇଵାରେ ସକ୍ଷମ ହୋଇଥିଲା। ଏଥିରୁ ୫୦ ଵର୍ଷ ପୂର୍ଵେ ସେମାନଙ୍କର ଟେକ୍ନୋଲୋଜିର ସ୍ତର ଅନୁମାନ କରାଯାଇପାରେ । ଵୈଷୟିକ ଉନ୍ନତି କ୍ଷେତ୍ରରେ ଆମେରିକା ଗତ ଦୁଇ ଶତାବ୍ଦୀ ଧରି ଵିଶ୍ଵରେ ଅଗ୍ରଣୀ ରହି ଆସିଛି । ଭାରତରେ ୧୯୦୮ ବେଳକୁ ଚଳଚ୍ଚିତ୍ର କ'ଣ ବୋଲି ଲୋକେ ଜାଣିନଥିଲେ କିନ୍ତୁ ଆମେରିକାରେ ସେହି ମସିହାରେ The Count of Monte Cristo ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୩୦-୧୯୪୦ ମସିହା ସମୟରେ ଯେତେବେଳେ ଆମେରିକାରେ ରଙ୍ଗୀନ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିଲା ସେତେବେଳେ ଭାରତରେ ଅଧିକାଂଶ କଳାଧଳା ଚଳଚ୍ଚିତ୍ର ନିର୍ମିତ ହେଉଥିଲା । 
 ୧୭୦୦ ଶତାବ୍ଦୀରେ ଆମେରିକାର Benjamin Franklinଙ୍କ ଦ୍ଵାରା ଆଧୁନିକ ଯୁଗର ଵିଦ୍ୟୁତ ସମ୍ବନ୍ଧୀୟ ଆଵିଷ୍କାର ପରେ ୧୮୮୨ରେ Thomas Edisonଙ୍କ ନେତୃତ୍ୱରେ ନ୍ୟୁୟର୍କ ନଗରରେ ନିର୍ମିତ Pearl Street Stationଠାରେ ପୃଥିଵୀର ସର୍ଵପ୍ରଥମ purpose-built power station କାର୍ଯ୍ୟକ୍ଷମ ହୋଇଥିଲା । ଏହାର କେତେକ ଵର୍ଷ ପରେ ଭାରତର ଦାର୍ଜେଲିଂରେ ୧୮୯୭ ମସିହାରେ ପ୍ରଥମ ହାଇଡ୍ରୋଇଲେକ୍ଟ୍ରିସିଟି ପାୱର ପ୍ଲାଣ୍ଟ୍ ଲଗାଯାଇଥିଲା । ହେନରିଚ୍ ହାର୍ଟଜ, ଜଗଦୀଶ ଚନ୍ଦ୍ର ବୋଷ, ଅଲିଭର ଲଜ୍, ଲର୍ଡ ରେଲେ,ଅଗଷ୍ଟୋ ରିଗି ଓ ଗୁଗ୍ଲିଏଲମୋ ମାର୍କୋନି ଆଦିଙ୍କ ଗଵେଷଣା ଯୋଗୁଁ ଊନବିଂଶ ଶତାଦ୍ଦୀର କିଛି ଵର୍ଷ ପୂର୍ଵରୁ ମନୁଷ୍ୟମାନେ ରେଡ଼ିଓ ତରଙ୍ଗ ତଥା ରେଡ଼ିଓ ଯନ୍ତ୍ରର ଆଵିଷ୍କାର କରିନେଇଥିଲେ । ଏହାର ଦୁଇ ଦଶନ୍ଧି ପରେ ଆମେରିକାରେ ଦୁଇ ନଭେମ୍ବର ୧୯୨୦ରେ ପ୍ରଥମେ ବେତାର ପ୍ରସାରଣ ହେଵାର ତିନି ଵର୍ଷ ଉତ୍ତାରୁ ଜୁନ ୧୯୨୩ରେ ଭାରତରେ ବମ୍ବେଠାରୁ ବେତାର ପ୍ରସାରଣ ହୋଇଥିଲା । ସେହିପରି ଆମେରିକାରେ ସର୍ଵପ୍ରଥମେ ଦୁଇ ଜୁଲାଇ ୧୯୨୮ରେ ଦୂରଦର୍ଶନ ପ୍ରସାରଣ ଆରମ୍ଭ ହୋଇଥିଲା ବେଳେ ଭାରତରେ ୧୫ ସେପ୍ଟେମ୍ବର ୧୯୫୯ରେ ପ୍ରଥମକରି ଦୂରଦର୍ଶନ ପ୍ରସାରଣ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ୧୯୬୫ରେ ନିୟମିତ ପ୍ରସାରିତ ହେଲା।‌ ଭାରତରେ ଵିଦେଶ ସଞ୍ଚାର ନିଗମ ଲିମିଟେଡ୍(Vsnl) ଦ୍ଵାରା ୧୫ ଅଗଷ୍ଟ ୧୯୯୫ରେ ଇଣ୍ଟରନେଟ ସେଵା ଆରମ୍ଭ ହୋଇଥିଲା କିନ୍ତୁ ଆମେରିକାରେ ୨୯ ଅକ୍ଟୋବର ୧୯୬୯ରେ Stanford ଓ UCLA ଵିଶ୍ଵଵିଦ୍ୟାଳୟର କମ୍ପୁଟର Arpanet ଦ୍ଵାରା ସଂଯୁକ୍ତ ହୋଇଥିଲା । ମୋଟ ଉପରେ କହିଵାକୁ ଗଲେ ୧୯୬୯ର ଆମେରିକା ଵୈଷୟିକ କ୍ଷେତ୍ରରେ ଏକ ପ୍ରମୁଖ ଅଗ୍ରଣୀ ଦେଶ ଥିଲା । 

୧୯୬୯ ମସିହାରେ ନାସା ପାଖରେ ଅଧିକ ପେଲୋଡ୍ କ୍ଷମତାଯୁକ୍ତ ରକେଟ୍ ଥିଵା ଯୋଗୁଁ ଆପୋଲୋ ଯାନକୁ ଏପରି ଭାବେ ନିର୍ମାଣ କରାଯାଇପାରିଲା ଯଦ୍ଵାରା ସେ ଯାନ ଚନ୍ଦ୍ରରେ ଅଵତରଣ କରିଵା ପରେ ମହାକାଶଚାରୀଙ୍କୁ ପୃଥିଵୀକୁ ଫେରାଇ ଆଣିପାରିଵାରେ ସକ୍ଷମ ହୋଇପାରିଲା। ମହାକାଶରେ ପହଞ୍ଚିଵା ପରେ ଆପୋଲୋ ମହାକାଶଯାନର ଦୁଇଟି ଅଂଶ ଥିଲା: କମାଣ୍ଡ ତଥା ସର୍ଭିସ୍ ମଡ୍ୟୁଲ୍ ଓ ଲୁନାର ଲ୍ୟାଣ୍ଡର୍ ମଡ୍ୟୁଲ୍ । କମାଣ୍ଡ ମଡ୍ୟୁଲରେ ଥାଇ ମାଇକେଲ କଲିନ୍ସ ଚନ୍ଦ୍ର ଚତୁର୍ପାଶ୍ବରେ ପରିକ୍ରମା କରୁଥିଵା ବେଳେ ନୀଲ୍ ଓ ଏଲଡ୍ରିନ ମୁନ୍ ମଡ୍ୟୁଲରେ ବସି ଚନ୍ଦ୍ରପୃଷ୍ଠରେ ଅଵତରଣ କରିଥିଲେ। ଲୁନାର୍ ମଡ୍ୟୁଲ ମଧ୍ୟ ଦୁଇ ଭାଗରେ ଵିଭକ୍ତ ଥିଲା ଏଵଂ ଉଭୟରେ ରକେଟ ଇଞ୍ଜିନ ଫିକ୍ସ ଥିଲା । ଅଵତରଣ ପରେ ତଳ ଭାଗ ଚନ୍ଦ୍ରରେ ରହି ଉପର ଭାଗ ପାଇଁ ଲଞ୍ଚ୍ ପ୍ୟାଡ୍ ଭଳି କାମ କରିଥିଲା।

ଚନ୍ଦ୍ରରେ ଅଵତରଣ ସମୟରେ ଲୁନାର୍ ମଡ୍ୟୁଲ୍‌ର ମୋଟ୍ ଓଜନ ୧୫୧୦୩ କିଲୋଗ୍ରାମ ଥିଲା । ଏଥିରେ ଇନ୍ଧନ ଭାବରେ ଏରୋଜିନ ୫୦, ଅକ୍ସିଡାଇଜର‌୍ ଭାବରେ ନାଇଟ୍ରୋଜେନ ଟେଟ୍ରୋକ୍ସାଇଡ, ଅକ୍ସିଜେନ୍, ପାଣି ଏଵଂ ଵୈଜ୍ଞାନିକ ଉପକରଣର ଓଜନ ହିଁ ୮ ଟନ୍‌ରୁ ଅଧିକ ଥିଲା । ଚନ୍ଦ୍ର ଅଵତରଣ ପରେ ପୁଣି ଚନ୍ଦ୍ରକୁ ଛାଡି଼ଵା ସମୟରେ ଲୁନାର୍ ଲୋଅର୍ ମଡ୍ୟୁଲ୍‌ର ଓଜନ ୨୪୪୫ କେଜି ଓ ଇନ୍ଧନର ଓଜନ ୨୩୭୬ କିଲୋଗ୍ରାମ ଥିଲା । ଚନ୍ଦ୍ର ଅଵତରଣ ସମୟରେ ରକେଟ୍ ଥ୍ରଷ୍ଟ ୪୫୦୦୦ ନ୍ୟୁଟନ୍ ଥିଵାବେଳେ ପୃଥଵୀକୁ ଫେରିଵା ସମୟରେ ଏହାର ଓଜନ ୧୫୦୦୦ ନ୍ୟୁଟନ୍ ଥିଲା । ଅର୍ଥାତ୍ ମହାକାଶଯାନ ସହିତ ପ୍ରତି ମୁହୂର୍ତ୍ତରେ କ'ଣ ଘଟୁଥିଲା, ମହାକାଶଯାନରେ କ'ଣ ଥିଲା, ସେ ସମ୍ପର୍କରେ ନାସା ପବ୍ଲିକ ଡୋମେନ୍‌ରେ ପ୍ରାୟ ସମସ୍ତ ତଥ୍ୟ ସାର୍ଵଜନୀନ କରିଛି। ତାକୁ ନଦେଖି, ନପଢ଼ି ଓ ତତ୍‌ ଵିଷୟରେ ଆଦୌ ଅଧ୍ୟୟନ ନକରି ୧୯୬୯ର ଚନ୍ଦ୍ରାଵତରଣକୁ ଅନେକେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । 

ତେବେ ଆପୋଲୋ ମିଶନର ସତ୍ୟତାକୁ ଆମ୍ଭେମାନେ ସ୍ଵୟଂ ବି ଏକ ଉପାୟରେ ପରୀକ୍ଷା କରିପାରିଵା । ଏଥିପାଇଁ କେଵଳ ଏକ ପର୍ଯ୍ୟଵେକ୍ଷଣାଗାର ସହିତ ଯୋଗାଯୋଗ କରିଵାକୁ ହେଵ । ଏହି ପର୍ଯ୍ୟଵେକ୍ଷଣାଗାରରେ ଏକ ଶକ୍ତିଶାଳୀ ଲେଜର ସୁଟିଂ ସିଷ୍ଟମ ତଥା ତାକୁ ପୁନଃ ପ୍ରାପ୍ତ ପୂର୍ଵକ ଚିହ୍ନଟ କରିଵାର ସାମର୍ଥ୍ୟ ଥିଵା ଆଵଶ୍ୟକ । ଉକ୍ତ ପରୀକ୍ଷଣ ପ୍ରକ୍ରିୟାରେ ଜଣେ ଵିଶେଷଜ୍ଞଙ୍କଠାରୁ ଲୁନର୍ କୋର୍ଡିନେଟ୍ ସିଷ୍ଟମକୁ ବୁଝି ଚନ୍ଦ୍ରର ଅକ୍ଷାଂଶ: ୦.୬୭୩୦୮° N ଓ ଦ୍ରାଘିମା: ୨୩.୪୭୨୯୭° Eକୁ ଲେଜର୍ ସୁଟ୍ କରିଵାକୁ ହେଵ ‌। ପାଖାପାଖି ଅଢ଼େଇ ସେକେଣ୍ଡ ପରେ ପଠାଯାଇଥିଵା ଲେଜର୍ ପୁନଃ ପ୍ରାପ୍ତ ହୋଇଯିଵ । ଏହି କୋର୍ଡିନେଟ୍ ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ରରେ ଛଡ଼ା ଯାଇଥିଵା ଲେଜର ରିଫ୍ଲେକ୍ଟରର ଯାହା ଉପରେ ଆଜି ବି ସାରା ଵିଶ୍ୱର ଵୈଜ୍ଞାନିକମାନେ ଲେଜର ବାଉନ୍ସ କରି ମହାକାଶରେ ଚନ୍ଦ୍ରର ପ୍ରକୃତ ସ୍ଥିତି ଆକଳନ କରିଵାରେ ସକ୍ଷମ ହୋଇଥାନ୍ତି । ଏ ଲେଜର ରିଫ୍ଲେକ୍ଟର ସାହାଯ୍ୟରେ ହିଁ ଆମେ ଜାଣିଵାକୁ ସକ୍ଷମ ହୋଇଛୁ ଯେ ଚନ୍ଦ୍ର ପ୍ରତିଵର୍ଷ ପୃଥିଵୀଠାରୁ ଦେଢ଼ ଇଞ୍ଚ ଦୂରକୁ ଚାଲିଯାଉଛି ।

୫୦ ଵର୍ଷ ଧରି ନାସା କାହିଁକି ଚନ୍ଦ୍ରକୁ ଯିଵା ବନ୍ଦ କରିଦେଇଛି ବୋଲି ମଧ୍ୟ ପ୍ରଶ୍ନ ଉଠେ। ଏହାର ସରଳ ଉତ୍ତର,ଧରାନ୍ତୁ ଆପଣ ଗୋଆ ଯିଵାକୁ ପସନ୍ଦ କରନ୍ତି, କିନ୍ତୁ ଆପଣ ପ୍ରତିବର୍ଷ ଗୋଆ ଯାଆନ୍ତି କି? ବଡ଼ ହେଲେ ଆପଣ ଗୋଆକୁ ଦୁଇ ଚାରି ଥର ଯିବେ ଓ ସାରା ଗୋଆଟାକୁ ଦେଖି ଦେବେ, ଏହା ପରେ ଆପଣ ଅର୍ଥର ସଦୁପଯୋଗ କରି ଅନ୍ୟ ଗନ୍ତଵ୍ୟସ୍ଥଳକୁ ଯିଵାକୁ ପସନ୍ଦ କରିବେ ନା ସଦାବେଳେ ଗୋଆକୁ ହିଁ ଧାଉଁଥିବେ ? ହଁ ପ୍ରେମ ପ୍ରସଙ୍ଗ କଥା ଅଲଗା, ସେଥିରେ ତ ଆଵଶ୍ୟକ ହେଲେ,ସମ୍ଭଵ ହେଉଥିଲେ ତଥା ସାଧନ ଥିଲେ ପ୍ରେମୀଜଣକ ବ୍ରହ୍ମାଣ୍ଡ ଆରପାଖକୁ ବି ବାରମ୍ବାର ଯିଵା ଆସିଵା କରିଵ ! 

ପୁଣି ଏବେ ପୃଥିଵୀର କୋଣ ଅନୁକୋଣରେ ମୁଣ୍ଡପିଟା କାନ୍ଦୁରା ଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ତେଣିକି ମନୁଷ୍ୟ ଭଳି ଏକ ଉନ୍ନତ ସଭ୍ୟତା ଗଢ଼ିଥିଵା ଜୀଵ ଅନ୍ୟ ଗ୍ରହରେ ନପହଞ୍ଚି ପାରି ଦିନେ ଅତର୍କିତ ଗ୍ରହାଣୁ ଆକ୍ରମଣ ଯୋଗୁଁ ଡାଇନୋସର ଭଳି ଲୁପ୍ତ ହୋଇଯାଉ ପଛେ ଏ କାନ୍ଦୁରାମାନେ ଅନ୍ତରୀକ୍ଷ ଗଵେଷଣା କ୍ଷେତ୍ରରେ ଅତ୍ୟଧିକ ଧନ ଵ୍ୟୟ ଅନାଵଶ୍ୟକ ଇତ୍ୟାଦି ମତ ଦିଅନ୍ତି ଏମନ୍ତ କି ଆନ୍ଦୋଳନ ଓ ଵିକ୍ଷୋଭ ମଧ୍ୟ କରନ୍ତି । ଆମେରିକା ଏକ ଵ୍ୟୟବହୁଳ ଦେଶ । ଏ ଦେଶରେ ମହାକାଶ ଅଭିଯାନର ହାରାହାରି ମୂଲ୍ୟ ୩୦ରୁ ୪୦ ହଜାର କୋଟି ଟଙ୍କା। ସଫଳ ଆପୋଲୋ ଅଭିଯାନ ପରେ ନାସାର ବଜେଟ୍ ହ୍ରାସ କରାଯାଇଥିଲା, ଯେଉଁଥିପାଇଁ ସେମାନେ ସୌରମଣ୍ଡଳର ଅନ୍ୟ ଗ୍ରହକୁ ଅନ୍ତରୀକ୍ଷୀୟ ଅଭିଯାନ ପଠାଇଵା ଉପରେ ଅଧିକ ଧ୍ୟାନ ଦେଇଥିଲେ, କିନ୍ତୁ ଚନ୍ଦ୍ରକୁ କେହି ଭୁଲି ନାହାନ୍ତି। ଆଗାମୀ କିଛି ଵର୍ଷ ମଧ୍ୟରେ ନାସା ଆଠ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ଏକ ସ୍ଥାୟୀ ଷ୍ଟେସନ୍ ନିର୍ମାଣ କରିଵାକୁ ଯାଉଛି ଯାହା ଦ୍ୱାରା ଭଵିଷ୍ୟତର ମହାକାଶ ଯାତ୍ରା ଶସ୍ତା ଓ ସହଜ ହୋଇପାରିଵ ।
ନୀଲ୍ ଓ ଏଲଡ୍ରିନ୍ ଚନ୍ଦ୍ରରୁ ୨୧ କେଜି ଓଜନର ପଥର ମଧ୍ୟ ଆଣିଥିଲେ । ଵିଶ୍ୱର ହଜାର ହଜାର ଵୈଜ୍ଞାନିକ ଚନ୍ଦ୍ରପୃଷ୍ଠର ଏହି ପଥର ଗୁଡ଼ିକର ସ୍ଵାଧୀନ ପରୀକ୍ଷଣ କରିଛନ୍ତି ଏଵଂ ଏହାକୁ ଚନ୍ଦ୍ରର ପଥର ବୋଲି ମାନିଛନ୍ତି। ଆପୋଲୋ ଅଭିଯାନ ସମୟରେ ଵିଶ୍ୱର ରୁଷ୍ ଆଦି ଦେଶର ମହାକାଶ ସଂସ୍ଥା ତଥା ହଜାର ହଜାର ସ୍ୱାଧୀନ ଜ୍ୟୋତିର୍ଵିଜ୍ଞାନୀଙ୍କ ଟିମ୍ ପ୍ରତି ମୁହୂର୍ତ୍ତରେ ଆପୋଲୋର ଗତିବିଧି ଉପରେ ଦୃଷ୍ଟି ରଖିଥିଲେ। ଆପୋଲୋ ମିଶନରେ ନାସା ସହ ୪ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିଲେ। ଵିଶ୍ୱର ଅନେକ ମହାକାଶ ସଂସ୍ଥା, ଏପରିକି ଇସ୍ରୋ ଏଵଂ ଆମେରିକାର ପ୍ରତିଦ୍ୱନ୍ଦ୍ୱୀ ରୁଷିଆ ମଧ୍ୟ ଆପୋଲୋ ମିଶନକୁ ସତ୍ୟ ବୋଲି କରିଛନ୍ତି। ଆମେରିକା, ଵିଶ୍ୱର ଲକ୍ଷ ଲକ୍ଷ ଵୈଜ୍ଞାନିକ, ମହାକାଶ ସଂସ୍ଥା ଓ ଵୈଜ୍ଞାନିକ ବୁଦ୍ଧି ବୈଜ୍ଞାନିକଙ୍କ ଆଖିରେ ଧୂଳି ପକାଇ ଆପୋଲୋ ଅଭିଯାନକୁ ହଲିଉଡ୍ ଷ୍ଟୁଡିଓରେ ସୁଟିଂ କରିଦେଲା ଆଉ ଧରା ପଡ଼ିଲା ନାହିଁ ? ଲକ୍ଷ ଲକ୍ଷ ଲୋକ, ସହସ୍ରାଧିକ ଵୈଜ୍ଞାନିକ ତଥା ମହାକାଶ ଅଭିଯାନରେ ପ୍ରତିଦ୍ବନ୍ଦିତା କରୁଥିଵା ଋଷିଆର ମୁହଁ ବନ୍ଦ କରିଵାକୁ ଟଙ୍କା ଓ ଧମକ ଆଦି ଦେଇ ଯଦି ଆମେରିକା ସେସମୟରେ ଚେଷ୍ଟା ବି କରିଥାନ୍ତା ଧରା ପଡ଼ି ନଥାନ୍ତା ? କ'ଣ ଆମ ଦେଶର ଇସ୍ରୋ ବି ନାସା ପାଖରେ ବିକ୍ରି ହୋଇ ଯାଇଥିଲା ? 

ଵିଶ୍ୱାସ କରନ୍ତୁ,ଯଦି ଆମେରିକା ସେସମୟରେ ଏତେ ବଡ଼ ଧରଣର ମିଥ୍ୟା ଷଡ଼ଯନ୍ତ୍ର କରିଥାଆନ୍ତା ତାହେଲେ ଆର୍ଥିକ ଦେଵାଳିଆ ହେଵା ସହିତ ଋଷ ଦ୍ଵାରା ଵିଶ୍ଵଦରବାରରେ ଧରା ମଧ୍ୟ ପଡ଼ିଥାଆନ୍ତା । ତେଣୁ ସେତେବେଳେ ମିଛ ଚନ୍ଦ୍ର ଅଭିଯାନ ଭିଆଇଵା ଅପେକ୍ଷା ଆମେରିକା ପାଇଁ ଚନ୍ଦ୍ରପୃଷ୍ଠରେ ଵାସ୍ତଵ ଅଵତରଣ କରିଵା ଅଧିକ ସହଜ ଓ ଵ୍ୟୟସାପେକ୍ଷ ଥିଲା । 

ଆମେରିକାର ୧୯୬୯ ଚନ୍ଦ୍ର ଅଭିଯାନ ସମ୍ବନ୍ଧରେ ଅନେକେ ଅନେକ କନ୍ସିପିଏରନ୍ସି ଥିଓରୀ ଗଢ଼ିଛନ୍ତି ଏଵଂ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ଭୁଆଁ ବୁଲାଉଛନ୍ତି କିନ୍ତୁ ସମସ୍ତ ଵୈଜ୍ଞାନିକ ତଥ୍ୟ ସ୍ପଷ୍ଟ କରେ ଯେ ଉକ୍ତ ମହାକାଶ ଅଭିଯାନ ପ୍ରକୃତରେ ହୋଇଥିଲା ।

Tuesday, September 19, 2023

•ହନ୍ଦୀ ହନୁକରଣ ଭାରତ୍ ମାତା କୀ ଜୟ୍•

ଆଜିକାଲି ବୁଢ଼ାଠାରୁ ହଡ଼ା ଯାଏଁ,ମେଞ୍ଚେଡ଼ ପିଲାଠାରୁ କଞ୍ଚା ଭେଣ୍ଡିଆ ପର୍ଯ୍ୟନ୍ତ ଅଧିକାଂଶ ଜାଣତରେ ହେଉ ଵା ଅଜାଣତରେ ହିନ୍ଦୀ ହନୁକରଣ କରି ଚାଲିଛନ୍ତି ।‌ ଦେଶଭକ୍ତି ନାଆଁରେ ବି ଏଠି ହିନ୍ଦୀ ହନୁକରଣ ହୁଏ ।‌
କେମିତି ?
ଅନେକ ଓଡ଼ିଆ କହିଲା ଓ ଲେଖିଲା ବେଳେ ହିନ୍ଦୀ ହନୁକରଣରେ "ଭାରତ୍ ମାତା କୀ ଜୟ୍" କୁହନ୍ତି । ଏହା ଏକ ହିନ୍ଦୀ ପଦ । ବଡ଼ ଦୁଃଖ ଲାଗେ ଯେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହୋଇ ମଧ୍ୟ ଏହି ଭାଷାକୁ ବୋଲୁଥିଵା ଲୋକେ ଦେଶଭକ୍ତି ପ୍ରଦର୍ଶନ ପାଇଁ ଅନ୍ୟ ଏକ ଭାଷାର ସାହାଯ୍ୟ ନିଅନ୍ତି । ଓଡ଼ିଆ ଭାଷାରେ "ଜୟ ଭାରତମାତା" , "ଜୟ ମାଆ ଭାରତୀ" ଓ "ଭାରତମାତାଙ୍କ ଜୟ" ନକହି ଆମେ ଦେଶଭକ୍ତି ନାଆଁରେ ହିନ୍ଦୀ ପଦ "ଭାରତ୍ ମାତା କୀ ଜୟ୍" କାହିଁକି କହିଵା ? କ'ଣ ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହିନ୍ଦୀଠାରୁ ନ୍ୟୂନ ହୀନ ନା ଓଡ଼ିଆ ଭାଷାରେ ଦେଶାତ୍ମବୋଧକ ରଚନା ହୋଇପରିଵ ନାହିଁ ? 

ଉଲ୍ଲେଖଯୋଗ୍ୟ ଯେ
ଓଡ଼ିଆ ଭାଷାରେ 'କି' ବୋଲି ଏକ ଵିଭକ୍ତି ପ୍ରତ୍ୟୟ ନିଶ୍ଚୟ ଅଛି କିନ୍ତୁ ତାହା ହିନ୍ଦୀର की ସହିତ ସମାର୍ଥକ ସଗୋତ୍ରୀୟ ନୁହେଁ ।‌

•ଓଡ଼ିଆ ଭାଷାରେ 
କଅଣ; କେଉଁ; କିସ ଅର୍ଥରେ 'କି' ଵ୍ୟଵହାର କରାଯାଏ 

"ଚିହ୍ନିକି ଲଞ୍ଛନ ସତେ,
ଚାମରଚିକୁରା ମତେ,
ଚହକାଇ ପଚାରିଲୁ କହ।"
( କଵିସୂର୍ଯ୍ୟ, କିଶୋରୀ ଚନ୍ଦ୍ରାନନ୍ଦଚମ୍ପୂ ଗୀତ)

ଅନିର୍ଵଚନୀୟ(Unspeakable) ଅର୍ଥରେ ବି 'କି' ପ୍ରୟୋଗ ହୋଇଛି

"ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ।"(କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଖ. ଗୀତ)

ଵିଶେଷଣର ଵିଶେଷଣ ଭାବେ 'କି'। ଶବ୍ଦଟି କେଡ଼େଷର୍ଥରେ ମଧ୍ୟ ପ୍ରୟୋଗ କରାଯାଏ 

"ଫୁଲମଲ୍ଲୀହାସିରେ,
ସତେ ତୁ କି ସାହସୀରେ।"
(କଵିସୂର୍ଯ୍ୟ, ସଙ୍ଗୀତ।)

ଓଡ଼ିଆ ଅଵ୍ୟୟ ଶବ୍ଦ ରୂପେ 'କି' ଶବ୍ଦ ଆଠୋଟି ଅର୍ଥରେ ପ୍ରୟୋଗ କରାଯାଏ।
ଯଥା :

(କ) (ଡାକିଵାଲୋକକୁ ଉତ୍ତର)—କାହିଁକି ଡାକୁଛୁ
(ଖ)(କ୍ରିୟାପରେ) ପ୍ରାଶ୍ନାର୍ଥକ; ଵିତର୍କ
"ନେଲା କେ ତା ହରି କି ରେ ଯାଏ କିଛି ସରି କି ରେ।"( କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଚ ଗୀତ।)
(ଗ)(ଅଵଧାରଣାର୍ଥ) ଟି; ହିଁ; ନିଶ୍ଚେଁ
“ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ।” (କଵିସୂର୍ଯ୍ୟ, କିଶୋରୀ ଚମ୍ପୂ, ଚ ଗୀତ।)
(ଘ)କିମ୍ବା; କିବା; ଅବା; ବା
(ଙ)(ବିତର୍କାର୍ଥ) ପରି; ପ୍ରକାରେ; ସତେ ଯେପରି ମତେ ଲାଗୁଛି
(ଚ)(ବିସ୍ମୟାର୍ଥକ) ଓଃ
(ଛ)(ଖେଦାର୍ଥକ)—କେଡ଼େ କଥା!
(ଜ)(ଅମୁକ) ଆଡ଼କୁ; ଦିଗକୁ
(ଯଥା—ଏଣିକି, ତେଣିକି, ଯେଣିକି।)

ପୁଣି ଓଡ଼ିଆ ପ୍ରତ୍ୟୟ ରୂପରେ 'କି' ଶବ୍ଦର ତିନୋଟି ପ୍ରୟୋଗ ରହିଛି 

(କ)ଦ୍ଵିତୀୟା ଵିଭକ୍ତିର ଚିହ୍ନ 'କୁ' ଵା 'ପ୍ରତି' ସ୍ଥାନରେ 'କି' ଵ୍ୟଵହୃତ ହୋଇଥାଏ

"ପିନ୍ଧିଣଛନ୍ତି ଯେଉଁ ବସନ ଖଣ୍ଡିକି ନିନ୍ଦୁଅଛି ଜ୍ୟୋତିରେ ସେ କଳା ହାଣ୍ଡିକି।"(କୃଷ୍ଣସିଂହ, ମହାଭାରତ, ଵନ।)

(ଖ)4ର୍ଥୀ ଵିଭକ୍ତିରେ ଚିହ୍ନ 'କୁ' ସ୍ଥାନରେ ନିମିତ୍ତ ଵା ସକାଶେ ଅର୍ଥରେ 'କି' ପ୍ରୟୋଗ କରାଯାଏ

“ଇହ ଲୋକ ପାଇଲେ ଲୋକର ପରଲୋକ ହେଉଛି ଏଥିକି କରିଵା କେତେ ଶୋକ।” (କୃଷ୍ଣସିଂହ, ମହାଭାରତ, ଭୀଷ୍ମ।)

{ଦ୍ର:-ଇକାରାନ୍ତ ଶବ୍ଦମାନଙ୍କ ପରେ 'କୁ' ସ୍ଥଳରେ ବିକଳ୍ପେ 'କି' ହୁଏ ଯଥା ଏଣିକି, ଏଣିକୁ; ଗାଈକି, ଗାଈକୁ।}

(ଗ)ପଞ୍ଚମୀ ଵିଭକ୍ତି ଚିହ୍ନ 'ଠୁଁ' ଵା 'ଠାରୁ' ସ୍ଥାନରେ 'ତୁଳନାରେ' ଅର୍ଥରେ 'କି' ଵିଭକ୍ତି ଚିହ୍ନ ପ୍ରୟୋଗ କରାଯାଏ

“ଭୋଗ ଅଳଙ୍କାର ଭୋଜନ ଧନ ଧାନ୍ୟ
 ରତିକି ଊଣା କରି ମଣନ୍ତି ସ୍ତ୍ରୀଜନ।”
(କୃଷ୍ଣସିଂହ, ମହାଭାରତ, ଅନୁଶାସନ ପର୍ଵ)

ପୂର୍ଵାଞ୍ଚଳର କଥିତ ଭାଷାରେ ସମାପିକା କ୍ରିୟା ରୂପରେ ବି 'କି' ଶବ୍ଦ ଵ୍ୟଵହୃତ ହୋଇଥାଏ 

"କରି ଓ ଅମୁକ କ୍ରିୟା ସମ୍ପାଦନ କରି" ଅର୍ଥରେ 'କି' ସମାପିକା କ୍ରିୟା ଵ୍ୟଵହାର କରାଯାଏ । ଏହାର ଅନ୍ୟରୂପ କରି,କିରି,କିନି,କିଣି ଇତ୍ୟାଦି ଏଵଂ ଏସବୁ କରିଵା କ୍ରିୟାଶବ୍ଦ ସହିତ ସମୋଦ୍ଧୃତ । 

ଏହାର ଵାକ୍ୟ ଵ୍ୟଵହାର ଉଦାହରଣ ସ୍ଵରୂପ ଓଡ଼ିଆ ଭାଷାରେ କୁହାଯାଏ
ମୁଁ ଖାଇ କରି ଯିବି...
ମୁଁ ଖାଇ କିରି ଯିବି...
ମୁଁ ଖାଇ କିଣି ଯିବି...
ମୁଁ ଖାଇ କିନି ଯିବି...
ଓ 
ମୁଁ ଖାଇକି ଯିବି...

କିନ୍ତୁ ହିନ୍ଦୀ ଭାଷାରେ ଯେତେବେଳେ "ଭାରତ୍ ମାତା କୀ ଜୟ୍" କୁହାଯାଏ ସେତେବେଳେ ଏକ ହିନ୍ଦୀ ଵିଭକ୍ତି ପ୍ରତ୍ୟୟ 'की' ଵ୍ୟଵହାର କରାଯାଏ । ଓଡ଼ିଆ ଭାଷାରେ ଯେମିତି ଷଷ୍ଠୀ ଵିଭକ୍ତି ହିନ୍ଦୀ ଷଷ୍ଠୀ ଵିଭକ୍ତି ର,ନ,ଙ୍କ,ଙ୍କର,ମାନଙ୍କ,ମାନଙ୍କର,ଗୁଡ଼ିକ ଓ ଗୁଡ଼ିକର ଆଦି ଚିହ୍ନ ଵ୍ୟଵହାର ହେଉଛି ଠିକ୍ ସେହିପରି ହିନ୍ଦୀରେ ଷଷ୍ଠୀ ଵିଭକ୍ତି ଚିହ୍ନ ଭାବେ का,की ଵ୍ୟଵହାର କରାଯାଏ । ହିନ୍ଦୀରେ का ଵିଭକ୍ତି ପୁରୁଷଙ୍କ ପାଇଁ,की ଵିଭକ୍ତି ସ୍ତ୍ରୀମାନଙ୍କ ପାଇଁ । ଅର୍ଥାତ୍ ହିନ୍ଦୀରେ ମହିଳା ପୁରୁଷ ଭେଦ ଦେଖି ଷଷ୍ଠୀ ଵିଭକ୍ତି ଚିହ୍ନ का ଓ की ଵ୍ୟଵହାର କରାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଵିଭକ୍ତି ଚିହ୍ନରେ ସ୍ତ୍ରୀ ଓ ପୁରୁଷ ଭେଦଭାଵ ନାହିଁ ତେଣୁ ଭାରତ୍ ମାତା କୀ ଜୟ୍ କେବେବି ଏକ ଓଡ଼ିଆ ପଦ ନୁହେଁ ଵରଂ ହିନ୍ଦୀ ହନୁକରଣ ପଦ ଅଟେ । 

ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହୀନ ନ୍ୟୂନ ଅଯୋଗ୍ୟ କି ? ଆମେ ଆମ ଭାଷାରେ କ'ଣ ଭାରତ ମାତାଙ୍କୁ ଭକ୍ତି ଦେଖାଇ ପାରିଵାନି ଯେ ହିନ୍ଦୀର ସାହାଯ୍ୟ ନେଵା ? 

Sunday, September 17, 2023

•ତାରକାଙ୍କ ମଧ୍ୟରେ ମହାନାୟକ : ଧ୍ରୁଵତାରା(ଶିଶିର ସାହୁ ମନୋଜ)•


ଧ୍ରୁଵତାରା ଵା Polaris ଉତ୍ତର ଧ୍ରୁଵର ନିକଟରେ ଅଵସ୍ଥିତ ଥିଵାରୁ ଏହା ଏକ ନିଶ୍ଚଳ ତାରକା ପ୍ରତିଭାତ ହୋଇଥାଏ ସେଥିପାଇଁ ଭାରତୀୟମାନେ ଏହି ତାରକାର ନାମ ଧ୍ରୁ ଧାତୁରୁ ସ୍ଥିର ହେଵା ଅର୍ଥରେ ନିଷ୍ପନ୍ନ କରି ଧ୍ରୁଵ ଦେଇଥିଲେ । ଏହା ସର୍ଵଦା ସ୍ଥିର ଜଣାପଡ଼େ ଫଳତଃ ସହସ୍ରାଧିକ ଵର୍ଷ ଧରି ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାଵିକ ତଥା ପଥିକମାନେ ରାତିରେ ଦିଗ ଓ ଗନ୍ତଵ୍ୟ ପଥ ନିର୍ଣ୍ଣୟ କରି ଆସୁଛନ୍ତି । ପ୍ରାଚୀନ କାଳରେ ଧ୍ରୁଵତାରା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା କାରଣ ଆଜି ଭଳି ସେ ଯୁଗରେ ପଥିକ ନାଵିକ ପାଇଁ ଦିଗ ନିର୍ଣ୍ଣୟ ହେତୁକ ଏତେ ଯାନ୍ତ୍ରିକ ସୁଵିଧା ସୁଯୋଗ ନଥିଲା । ସେଥିପାଇଁ କ୍ରମେ ଧ୍ରୁଵତାରାକୁ ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ମିଳିଲା । ଭାରତରେ ଧ୍ରୁଵତାରାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି ‌। 

ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୁଵ ଜଣେ ପରମଵୈଷ୍ଣଵ ଭକ୍ତବାଳକ ଭାବେ ଭାରତରେ ଜଣାଶୁଣା । କୁହାଯାଏ ଏହି ଵିଷ୍ଣୁଭକ୍ତ ଧ୍ରୁଵ ଧ୍ରୁଵଯୋଗରେ ଜନ୍ମଗ୍ରହଣ କରିଥିଲେ ‌ । ଭାରତୀୟ ପୁରାଣଗାଥା ଅନୁସାରେ ସ୍ଵୟଂଭୂଵ ମନୁଙ୍କର ପୁତ୍ର ଉତ୍ତାନପାଦ ରାଜା ତାଙ୍କ କନିଷ୍ଠା ପତ୍ନୀ ସୁରୁଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ଵନକୁ ନିର୍ଵାସିତ କଲେ। ସୁନୀତିଙ୍କର ଵନଵାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ। ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ। ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ। ତତ୍ ଫଳରେ ସୁନୀତି ଗର୍ଭଵତୀ ହୋଇ ଧ୍ରୁଵଙ୍କୁ ଜନ୍ମ ଦେଲେ । ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ। ରାଜା ସୁନୀତିଙ୍କୁ ଭେଟିଵା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ଵା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁଵଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ। ରାଜା ଉକ୍ତ ସନ୍ତକ ଦେଖି ଧ୍ରୁଵଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିଵା ସମୟରେ ଵିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏଵଂ ଧ୍ରୁବଙ୍କୁ ରାଜପୁରରୁ ତଡ଼ିଦେଲେ। ଧ୍ରୁଵ ଲାଞ୍ଛନା ପାଇ ଵନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିଵାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗଵାନ୍ ଦୁଃଖୀର ଦୁଃଖ ଦୂର କରନ୍ତି।" ବାଳକ ଧ୍ରୁଵ ପଚାରିଲେ, "ଭଗଵାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି। ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି।" ବାଳକ ଧ୍ରୁଵ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଙ୍କୁ ଡାକିଲେ। ହରି ବାଳକର ଭକ୍ତିରେ ଵିଗଳିତ ହୋଇ ତାଙ୍କୁ ଦେଖା ଦେଲେ। ଉତ୍ତରଦିଗର ଆକାଶରେ ଦେଖା ଯାଉଥିଵା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁଵ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । 

ଧ୍ରୁଵତାରାର ଭାରତୀୟ ସନାତନୀ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୃହ୍ୟସୂତ୍ରମାନଙ୍କରେ ଵିଵାହର ୧୩ ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ଵିଵାହ ହୋମ, ଲାଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁଵଦର୍ଶନ, ଯାନାରୋହଣ, ଵିଵାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରଵେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ। ଵିଵାହର ଏହି ତେରଗୋଟି ଅଙ୍ଗ ମଧ୍ୟରେ ଗୋଟିଏ ହେଉଛି ଧ୍ରୁଵ ଦର୍ଶନ । ଏହି 'ଧ୍ରୁଵଦର୍ଶନ' ସନାତନୀମାନଙ୍କ ଵିଵାହ କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ଵକ ଵର କନ୍ୟା ଦୁହେଁ ଧ୍ରୁଵତାରାକୁ ଦର୍ଶନ କରନ୍ତି । ନଵଵିଵାହିତ ଦମ୍ପତିଙ୍କର ପ୍ରେମ ଧ୍ରୁଵତାରା ପରି ନିଶ୍ଚଳ ରହିଵ ଏହି ଉଦ୍ଦେଶ୍ୟରେ ଧ୍ରୁଵଦର୍ଶନ କରାଯାଏ । 

ଧ୍ରୁଵଲୋକ ଓ ଧ୍ରୁଵମଣ୍ଡଳ ମଧ୍ୟ ସନାତନୀମାନଙ୍କ ପାଇଁ ଏକ ପଵିତ୍ର ସ୍ଥାନ । ଵିଷ୍ଣୁ ଭକ୍ତ ଧ୍ରୁଵଙ୍କ ପାଇଁ ନିର୍ମାଣ କରିଥିଵା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମକୁ ଧ୍ରୁଵଲୋକ କୁହାଯାଏ । ସେହିପରି ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିଵା ସାତଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳକୁ ଧ୍ରୁଵମଣ୍ଡଳ ତଥା ସପ୍ତର୍ଷିମଣ୍ଡଳକୁ ଧ୍ରୁଵଦର୍ଶକ କୁହାଯାଏ। ଭାରତୀୟ ସନାତନୀମାନେ ଵିଶ୍ଵାସ କରନ୍ତି ଯେ ଧ୍ରୁଵଙ୍କ ପରି ଅତ୍ୟନ୍ତ ପୁଣ୍ୟ ତଥା ନିଶ୍ଚଳ ଭକ୍ତି କଲେ ହିଁ ଧ୍ରୁଵଲୋକରେ ସ୍ଥାନ ମିଳେ । ଓଡ଼ିଆ ଭାଗଵତର ତ୍ରୟୋଦଶ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଧ୍ରୁଵଲୋକ ତଥା ଵିଷ୍ଣୁଲୋକ ଵିଷୟରେ ସଂକ୍ଷେପରେ ଏମନ୍ତ ବୋଲାଯାଇଛି...

“ଧ୍ରୁଵ ଲୋକର ଯାଏ ବାଟ ।
ଯିଵା ଆସିଵା ଲୋକେ ଭେଟ ॥
ଯିଏ ସେ ତପସ୍ୟା କରଇ ।
ଧ୍ରୁଵ ମଣ୍ତଳ ଯାଏ ଯାଇ ॥
ତେଣିକି ନ ଦିଅଇ ପଥ । 
ହସି କହନ୍ତି ଜଗନ୍ନାଥ ॥
ଧ୍ରୁବ ମଣ୍ତଳ ମାପ ହୋଇ ।
ଦ୍ୱାଦଶ ଯୂଣ ପଥ କହି ॥
ସୂଚି ମୁନରେ ସରୁ ବାଟ ।
ଯିଵାକୁ ବହୁତ ସଙ୍କଟ ॥
ଚାରି ଯୋଜନ ଦ୍ୱାରେ ଯାଇ ।
ତହୁଁ ସୂକ୍ଷ୍ମ ପଥ ଅଟଇ ॥
ପୁଣି ଚାରି ଯୋଜନ ଦ୍ୱାର ।
ତହିଁରୁ ସରୁ ପଥ ତାର ॥
ତହିଁରୁ ଚାରିଯୂଣ ବାଟ । 
ଲେଶ ପ୍ରମାଣେ ପଥ କଷ୍ଟ ॥
ତେତେକ ଯହୁଁ ଗମି ଯାଇ ।
ତେବେ ମୋ ଭୁବନେ ମିଳଇ ॥
ଯେ ଭୂମି ବିସ୍ତାର ଅପାର ।
ଚୌରାଶି କାଠି ଦୀର୍ଘ ତାର ॥
ପ୍ରତି ତା ଦଶ ଲକ୍ଷ କାଠି ।
ତହିଁ ମଧ୍ୟରେ ଯେ ବଇଠି ॥
ବଇଠି ଉପରେ ମୋ ସ୍ଥାନ ।
ଠୁଳ ଆକାରେ ମୋ ଆସନ ॥”

ଭାରତଵର୍ଷର ପ୍ରାଚୀନ ସଂସ୍କୃତିରେ ଧ୍ରୁଵତାରାକୁ ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟତ୍ର ଦେଖିଵାକୁ ମିଳେ ନାହିଁ । ଅଵଶ୍ୟ ଅନ୍ୟ ଅନେକ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ନାନା ଲୋକଗାଥା ରହିଛି କିନ୍ତୁ ଭାରତୀୟ ସଂସ୍କୃତିରେ ଯେଉଁ ଭଳି ଭାବେ ଧ୍ରୁଵତାରାକୁ ଏକ ଉଚ୍ଚ ସ୍ଥାନ ମିଳିଛି ସେଭଳି ଅନ୍ୟତ୍ର ଦେଖିଵାକୁ ମିଳିନଥାଏ । ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକଗାଥାର ଵର୍ଣ୍ଣନା ରହିଛି । 

ଉତ୍ତର ଆମେରିକାର Paiute ଜନଜାତି ମଧ୍ୟରେ ଧ୍ରୁଵତାରାକୁ ନେଇ ଅନ୍ୟ ଏକ ଲୋକକଥା ପ୍ରଚଳିତ । Na-gah ନାମରେ ଏକ ପାର୍ଵତ୍ୟ ମେଷ ପର୍ଵତ ଚଢି଼ଵାକୁ ବଡ଼ ସୁଖ ପାଉଥିଲା ଏଵଂ ସେ ଏଥିରେ ବଡ଼ ସୁଦକ୍ଷ ମଧ୍ୟ ଥିଲା । ଫଳତଃ Na-gah ମେଷର ପିତା ସ୍ଵୟଂ ଭଗଵାନ ମଧ୍ୟ ତା'ର ଏହି କାମ ପାଇଁ ବଡ଼ ଗର୍ଵ ଅନୁଭଵ କରୁଥିଲେ । ଦିନେ ପର୍ଵତର ସେ ଏମିତି ଏକ ସ୍ଥାନ ଦେଖିଲା ଯୋଉଠିକି ପହଞ୍ଚିଵା ପ୍ରାୟତଃ କଷ୍ଟସାଧ୍ୟ କାର୍ଯ୍ୟ ତେବେ ସେ ଉତ୍ସୁକତାର ସହ ପର୍ଵତ ମଧ୍ୟରେ ଏକ ଗୁମ୍ଫା ପାଇ ତା ସାହାଯ୍ୟରେ ସେହି ଉଚ୍ଚ ସ୍ଥାନରେ ପହଞ୍ଚିଗଲା ‌। କିନ୍ତୁ ଦୁର୍ଭାଗ୍ୟଵଶତଃ Na-gah ମେଷ ଯେଉଁ ଗୁମ୍ପା ଦେଇ ପର୍ଵତ ଶୀର୍ଷରେ ପହଞ୍ଚିଥିଲା ସେହି ଗୁମ୍ପାଟି ଶୀର୍ଷ ଦେଶରେ ଅଵସ୍ଥିତ ପଥର ପଡ଼ି ନିବୁଜ ହୋଇଗଲା ଫଳତଃ ସେ ସେହିଠାରେ ଫସିଗଲା । ଏହା ଦେଖି Na-gah ମେଷର ପିତା ବଡ଼ ଦୁଃଖ କଲେ କାରଣ ତାଙ୍କ ପୁତ୍ର ଆଉ କେବେବି ସ୍ଵଦେହରେ ଫେରିଵ ନାହିଁ ତେଣୁ ସେ ତାକୁ ସବୁଦିନ ପାଇଁ ଅମର କରିଦେଵାକୁ ଉତ୍ତର ଆକାଶର ଧ୍ରୁଵ ତାରକା କରିଦେଲେ । 

ଆମେରିକାର ଲକୋଟା ଜନଜାତୀୟ ଲୋକେ ଧ୍ରୁଵତାରାକୁ "Wičháȟpi owáŋžila" କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ସେହି ତାରା ଯିଏ ସର୍ଵଦା ସ୍ଥିର ରୁହେ" । ଲକୋଟା ଜନସୃତି ଅନୁସାରେ ଏହି ତାରା ଜଣେ ସ୍ଵର୍ଗର ଦେଵ ଥିଲେ ଯିଏ Tapun San Win(ଲାଲ୍ ଗାଲ ଵିଶିଷ୍ଟ ମହିଳା)କୁ ବାହା ହୋଇଥିଲେ । କୌଣସି କାରଣରୁ ତାଙ୍କର ପତ୍ନୀ ସ୍ବର୍ଗରୁ ପତିତ ହେଵାରୁ ପତ୍ନୀ ଵିୟୋଗ ଦୁଃଖରେ ତାକୁ ଉଣ୍ଡିଵାକୁ ସେ ସବୁବେଳେ ସ୍ଥିର ହୋଇ ତାକୁ ଏଯାଵତ୍ ଧରା ମଧ୍ୟରେ ଉଣ୍ଡୁଅଛନ୍ତି ‌ । 

ଆମେରିକାର ଇନ୍ୟୁତ୍ ଜନଜାତୀୟ ଲୋକେ ଧ୍ରୁଵତାରାକୁ Nuuttuittuq କହୁଥିଲେ ଯାହାର ଆକ୍ଷରିକ ଅର୍ଥ ସ୍ଥିରତାରା ଅଟେ । ଏହି ଜନଜାତିରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳକୁ ନେଇ ଏକ ଲୋକକଥା ପ୍ରଚଳିତ ଥିଲା ‌। ସାତଜଣ ଶିକାରୀ ଜଙ୍ଗଲରେ ହଜିଗଲେ ଆଉ ଘରକୁ ଯିଵାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ । ବଡ଼ କଷ୍ଟରେ ରାତ୍ରି ପୂର୍ଵରୁ ସେମାନେ ଗୋଟିଏ ଗଛ ଉପରେ ଚଢ଼ିଗଲେ ଏଵଂ ସେମାନଙ୍କର ଦେଵତାଙ୍କୁ ସାହାଯ୍ୟ କରିଵାକୁ ପ୍ରାର୍ଥନା କଲେ । ହଠାତ୍ ଏକ ଛୋଟ ଝିଅ ସେଠାରେ ଉପସ୍ଥିତ ହୋଇ କହିଲା ମୋତେ ଦେଵତାମାନେ ତୁମମାନଙ୍କୁ ସାହାଯ୍ୟ କରିଵାକୁ ପଠାଇଛନ୍ତି ମୁଁ ତୁମକୁ ବାଟ କଢ଼ାଇ ଦେବି ତୁମେ ମୋ ପଛେ ପଛେ ଆସ । ସାତଜଣ ଶିକାରୀ ତାକୁ ପଚାରିଲେ ତୁମେ କିଏ ସେତେବେଳେ ଝିଅଟି କହିଲା ମୁଁ ଉତ୍ତର ଦିଗର ତାରା । ବହୁତ ଦିନ ପରେ ଯେତେବେଳେ ସେଇ ସାତଜଣ ଶିକାରୀଙ୍କର ଦେହାନ୍ତ ହୋଇଗଲା ସେମାନେ ଆକାଶରେ ତାରକା ହୋଇଗଲେ ଏଵଂ ସପ୍ତର୍ଷିମଣ୍ଡଳ ଭାବେ ପ୍ରତିଷ୍ଠିତ ହେଲେ ।
ଚୀନର ଦେଶର ପୁରାଣଗାଥାରେ ଧ୍ରୁଵତାରା ସମ୍ବନ୍ଧରେ ଏକ ରୋଚକ କଥା ରହିଛି । ଦେଵୀ "(ମ୍ୟାଡାମ୍) ଜି ଗୁଆଙ୍ଗ" ସ୍ଵର୍ଗର ଉଦ୍ୟାନକୁ ବୁଲି ଯାଇଥିଲେ । ସେ କମଳ ପୁଷ୍କରିଣୀ ପାଖରେ ଥିଵା ଉଷ୍ମ ଝରଣା ଦ୍ୱାରା ଆକର୍ଷିତ ହୋଇ ସେଠାରେ ସ୍ନାନ କଲେ, ହଠାତ୍ ଏକ ଚମତ୍କାର ଘଟଣା ଘଟିଲା ଓ ସେଠାରେ ନଅଟି ପଦ୍ମ ଦେଖାଗଲା ଏଵଂ କିଛି ସମୟ ପରେ ସେହି ନଵଗୋଟି ପଦ୍ମ ମଧ୍ୟରୁ ନଅଟି ଶିଶୁ ଉତ୍ପନ୍ନ ହେଲେ । ତା’ପରେ ସେହି ନଅ ଜଣ ପିଲା ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲାର ନାମ Gou Cheng Xing ( 勾 城 星 ) ରଖାଗଲା ସେ ହେଲା ସ୍ଵର୍ଗର ଧ୍ରୁଵତାରା । ତାହାର ଅନ୍ୟ ଆଠଜଣ ଭାଇ Tang Lang ( 貪 狼 ), Ju Men ( 巨门 ), Lu Cun ( 路存), Wen Qu ( 文 曲 ), Lian Zhen ( 廉 貞 ), Wu Qu ( 武 曲 ) ଓ Po Jun ( 破 君 ) ସପ୍ତର୍ଷିମଣ୍ଡଳ ଭାବରେ ତାହାର ଶାସନାଧୀନ ହୋଇ ରହିଲେ । 

ଚୀନ ଦେଶର ତାଓ ଧର୍ମରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ Dǒumǔ ବୋଲି ଲୋକଵିଶ୍ଵାସ ପ୍ରଚଳିତ । ଏହାଙ୍କର ଅନ୍ୟ ଚୀନ ଦେଶୀୟ ନାମ Dǒumǔ Yuánjūn,Dòulǎo Yuánjūn,Dàomǔ ଓ Tàiyī Yuánjūn ଅଟେ । Dǒumǔଙ୍କୁ ଧ୍ରୁଵତାରାର ଦେଵୀ ( 斗 母 元 君 ) ଅଭିହିତ କରାଯାଏ । ଚୀନଦେଶରେ ଉଭୟ ତାଓ ଧର୍ମାବଲମ୍ବୀ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଵା ଲୋକେ ଏହି ଦେଵୀଙ୍କୁ ଆରାଧନା କରିଥାନ୍ତି ‌। ଏହି ଦେଵୀ ହିଁ ସପ୍ତର୍ଷିମଣ୍ଡଳ ଓ ଧ୍ରୁଵତାରାର ଜନନୀ ଓ ନଵପୁତ୍ରଙ୍କ ମାତା ତଥା ଏହାଙ୍କର ସମ୍ପୂର୍ଣ୍ଣ ନାମ Jiu Lin Tai Miao Bai Yu Gui Tai Zu Guang Jin Jing Zu Mu Yuan Jun (九 靈 太 妙 白 玉 貴 台 祖 光 金 精 祖 母 元 君 ) ଅଟେ । ଚୀନ ଦେଶର ଲୋକେ ଧ୍ରୁଵତାରା ନିକଟରେ ଦେଵତାମାନେ ଵାସ କରୁଥିଵା ଵିଶ୍ଵାସ କରୁଥିଲେ । Ziwei Emperor ଵା Beiji Emperor ଏହି ଧ୍ରୁଵତାରାରୁ ପୃଥିଵୀର ସବୁ ଭଲ ମନ୍ଦର ଦେଖାଶୁଣା କରୁଥିଲେ । ଏଭଳି ଲୋକଵିଶ୍ଵାସ ପଛରେ ଧ୍ରୁଵତାରାର ସ୍ଥିର ଅଵସ୍ଥାନ ଏକ କାରଣ ହୋଇଥାଇପାରେ । 

ଆରବୀ ପୁରାଣଗାଥାରେ ଧ୍ରୁଵତାରାକୁ ଏହା ଏକ ଦୁଷ୍ଟ ନକ୍ଷତ୍ର ଅଭିହିତ କରାଯାଇଛି ଯିଏ ଆକାଶର ମହାନ ଯୋଦ୍ଧାଙ୍କୁ ହତ୍ୟା କରିଦେଇଥିଲା । ସେହି ମୃତ ଯୋଦ୍ଧାମାନେ ଏବେ 'Funeral Bier' ନକ୍ଷତ୍ରମଣ୍ଡଳ(ସପ୍ତର୍ଷିମଣ୍ଡଳ ଓ great bear)ର କଫିନ ମଧ୍ୟରେ ଅଛନ୍ତି 
 । ନୋର୍ସ୍ ଲୋକଗାଥାରେ ଧ୍ରୁଵତାରାକୁ ଏକ କୀଳକର ଗୋଜିଆ ଭାଗରେ ଥିଵା ତାରକା ଗଣନା କରାଯାଇଛି ଏଵଂ ଏହା ଚର୍ତୁପାଶ୍ୱର୍ରେ ସାରା ଵିଶ୍ଵର ତାରକା ପରିକ୍ରମା କରୁଛନ୍ତି । ସେହିପରି ମଙ୍ଗୋଲୀୟ ଲୋକକଥା ଅନୁସାରେ ଧ୍ରୁଵତାରା ଗୋଟିଏ ଖୁଣ୍ଟ ସଦୃଶ ବ୍ରହ୍ମାଣ୍ଡର ସମସ୍ତ ତାରକାଙ୍କୁ ଧରି ରଖିଛି । 

ଏହିପରି ଭାବେ ପୃଥିଵୀର ପ୍ରାୟ ସବୁ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଵିଭିନ୍ନ ଗାଥା ଓ କଥା ରହିଛି । ତେବେ ଧ୍ରୁଵ ତାରା ଵା Pole star ପ୍ରକୃତରେ ଗୋଟିଏ ତାରକାର ନାମ ନୁହେଁ ଵରଂ ଏକ ପାହ୍ୟା । ପ୍ରତି ଦୁଇରୁ ତିନି ସହସ୍ରାଧିକ ଵର୍ଷ ମଧ୍ୟରେ ଧ୍ରୁଵ ତାରା ପରିଵର୍ତ୍ତିତ ହୋଇଥାଏ ।


ଵର୍ତ୍ତମାନ ସମୟରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ହେଉଛି Alpha Ursae Minoris ଵା Polaris ଯାହା ଗତ ଦୁଇ ହଜାର ଵର୍ଷ ଧରି ପୃଥିଵୀର ଧ୍ରୁଵତାରା ହୋଇ ରହିଛି । ୩୧୦୦ ଖ୍ରୀଷ୍ଟାବ୍ଦରେ Gamma Cephei ଵା Errai ନକ୍ଷତ୍ର ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ତେବେ ଵୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଏହା ଉତ୍ତର ଧ୍ରୁଵଠାରୁ ୩° ଦୂରରେ ରହିଵ । ଏହାପରେ ୫୨୦୦ ଖ୍ରୀଷ୍ଟାବ୍ଦରେ Iota Cephei ଓ ୫୯୦୦ ଖ୍ରୀଷ୍ଟାବ୍ଦରେ Beta Cephei(Alfirk) ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ହେଵେ । Cepheus ନକ୍ଷତ୍ରପୁଞ୍ଜ ୭୫୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵରେ ସବୁବେଳେ ସ୍ଥିର ରହିଥିଵା ଦେଖାଯିଵ ଏହି ନକ୍ଷତ୍ରପୁଞ୍ଜର ଉଜ୍ଜ୍ୱଳ ତାରକା Alderamin ଧ୍ରୁଵତାରା ପାହ୍ୟା ଲାଭ କରିଵ । ଏହାପରେ Alpha Cygni ଵା Deneb ୯୮୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରିଵ । Cygnus ନକ୍ଷତ୍ରପୁଞ୍ଜର Delta Cygniଵା Fawaris ୧୧,୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିଵୀର ଉତ୍ତର ଧ୍ରୁଵର ଆହୁରି ନିକଟତର ହୋଇ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ ହେଵ । Lyra ନକ୍ଷତ୍ରପୁଞ୍ଜର Vega ନକ୍ଷତ୍ର ୧୨୦୦୦ ଖ୍ରୀଷ୍ଟପୂର୍ଵରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହା ପୁଣି ୧୪୫୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଅଳଙ୍କୃତ କରିଵ ଏଵଂ ସେତେବେଳେ ଏହା ହେଵ ପୃଥିଵୀର ସବୁଠାରୁ ଉଜ୍ଵଳତମ ଧ୍ରୁଵତାରା । ଆଜକୁ ୯୦୦୦ ଖ୍ରୀଷ୍ଟପୂର୍ଵରୁ ୭୪୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Iota Herculis ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ଥିଲା ଏଵଂ ପୁନଶ୍ଚ ଏହି ନକ୍ଷତ୍ର ୧୫୦୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଧ୍ରୁଵତାରା ହୋଇ ୧୮୪୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵଠାରୁ ମାତ୍ର ୧° ଛାଡ଼ି ଅଵସ୍ଥିତ ରହିଵ । Draco ନକ୍ଷତ୍ରପୁଞ୍ଜର Thuban ନକ୍ଷତ୍ର ଆଜକୁ ପ୍ରାୟ ୪୪୨୦ ଖ୍ରୀଷ୍ଟପୂର୍ଵଠାରୁ ୩୦୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହାପରେ Kochab ନକ୍ଷତ୍ର ଏହି ସ୍ଥାନ ଅଳଙ୍କୃତ କରିଥିଲା । ଵର୍ତ୍ତମାନର ଧ୍ରୁଵତାରା Alpha Ursae Minoris ଵା Polaris ପ୍ରାୟ ୧.୧୦୦ ଖ୍ରୀଷ୍ଟପୂର୍ଵଠାରୁ ଵର୍ତ୍ତମାନ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ପାହ୍ୟା ଲାଭ କରି ରହିଛି । ପ୍ରଥମେ Polaris ଉତ୍ତର ଧ୍ରୁଵଠାରୁ ୭° ଦୂରରେ ଥିଲା କିନ୍ତୁ ଵର୍ତ୍ତମାନ ଏହା ୦.୫° ଦୂରରେ ଅଵସ୍ଥିତ ଯାହା ଏହାକୁ ପୃଥିଵୀର ଏକ ଯୋଗ୍ୟ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ କରିଥାଏ । ଆଜକୁ ବହୁତ ପରେ ୨୭,୮୦୦ ଖ୍ରୀଷ୍ଟାବ୍ଦରେ ଆଜିର ଧ୍ରୁଵତାରା Polaris ପୁଣି ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରି ଅନେକ ଵର୍ଷ ପର୍ଯ୍ଯନ୍ତ ଧ୍ରୁଵତାରା ହୋଇ ରହିଵ । ପୃଥିଵୀର Axial precession ଯୋଗୁଁ ଏହାର axis rotation cycle ପ୍ରତି ୨୬୦୦୦ ଵର୍ଷରେ ଥରେ ସମ୍ପୂର୍ଣ୍ଣ ହୋଇଥାଏ ଫଳତଃ ସମୟ ସହିତ ଧ୍ରୁଵତାରାର ପାହ୍ୟା ମଧ୍ୟ ପରିଵର୍ତ୍ତିତ ହୋଇଥାଏ । 
 
ଯେମିତି ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ସୁମେରୁ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳ ଦେଖାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ଏକ ଧ୍ରୁଵତାରା ତଥା crux ତାରକାପୁଞ୍ଜ ଅଛି । ଵର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ହେଉଛି Polaris (Alpha Ursae Minoris) ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ Polaris Australis (Sigma Octantis) ହେଉଛି କୁମେରୁ ଧ୍ରୁଵତାରା । ଉତ୍ତର ଗୋଲାର୍ଦ୍ଧର ଧ୍ରୁଵ ତାରାକୁ ସୌମ୍ୟ ଧ୍ରୁଵତାରା କୁହାଯାଏ ସେହିପରି ଦକ୍ଷିଣ ଧ୍ରୁଵତାରାକୁ ଯାମ୍ୟ ଧ୍ରୁଵତାରା କହିଥାନ୍ତି । ଦକ୍ଷିଣ ଦିଗଵଳୟ ତଳେ ଥିଵାରୁ ଭାରତରୁ ଏହି ଦକ୍ଷିଣୀ ଧ୍ରୁଵତାରା ଦୃଶ୍ୟ ହୁଏନାହିଁ । ଉତ୍ତର ଗୋଲାର୍ଦ୍ଧରେ ଯେମିତି ସପ୍ତର୍ଷିମଣ୍ଡଳ(big dipper)ର କ୍ରତୁ(Dubhe) ଓ ପୁଲହ(Merak )କୁ ସଂଯୁକ୍ତ କରି ଏକ କାଳ୍ପନିକ ରେଖା ଦ୍ଵାରା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ଠାବ କରାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ତ୍ରିଶଙ୍କୁମଣ୍ଡଳ(Crux) ନାମକ ଏକ ତାରକାପୁଞ୍ଜର Gacrux ତାରା ଓ Acrux ତାରା ସାହାଯ୍ୟରେ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ପ୍ରାପ୍ତ ହୋଇଥାଏ । ଅଵଶ୍ୟ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଆମ୍ଭ କ୍ରାନ୍ତିବୃତ୍ତଵାସୀମାନଙ୍କୁ(Tropical ) ଦେଖାଯାଉନଥିଲେ ବି ତ୍ରିଶଙ୍କୁମଣ୍ଡଳ(Crux)କୁ ଆମ୍ଭେମାନେ ଆକାଶରେ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଦେଖିପାରୁଁ । ତେବେ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଭୂଭାଗ ଅଧିକ,ଲୋକ ସଂଖ୍ୟା ଅଧିକ ଫଳତଃ ସଭ୍ୟତା ଓ ସଂସ୍କୃତିର ଵିକାଶ ଉତ୍ତର ଗୋଲାର୍ଦ୍ଧରେ ଅଧିକ ହୋଇଥିଵାରୁ ସାଧାରଣତଃ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ପୃଥିଵୀରେ ଅଧିକ ମହତ୍ତ୍ଵ ମିଳିଛି । ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା Sigma Octantisର magnitude +5.42 ଯୋଗୁଁ ପୁଣି ଵର୍ତ୍ତମାନର ଆଲୋକ ପ୍ରଦୂଷଣ ହେତୁ ଏହା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା Polaris ଅପେକ୍ଷା ଖାଲିଆଖିରେ ସହଜରେ ଦେଖାଯାଏ ନାହିଁ । ନାଵିକମାନେ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ନକ୍ଷତ୍ରକୁ ଦେଖି ଜାଣିପାରନ୍ତି । ଦକ୍ଷିଣ ଗୋଲାର୍ଦ୍ଧରେ ଵିନା ଦୂରଵିକ୍ଷଣରେ Sigma Octantis'କୁ ଠାବ କରିଵା ପାଇଁ Southern Cross (Crux) , Sigma, Chi, Tau ଓ Upsilon Octantis ଆଦି ନକ୍ଷତ୍ରଗୁଡି଼କର ସାହାଯ୍ୟ ନିଆଯାଏ ‌ । ଭଵିଷ୍ୟତରେ Gamma Chamaeleontis (୪୨୦୦ ଖ୍ରୀଷ୍ଟାବ୍ଦ), I Carinae, Omega Carinae (୫୮୦୦ ଖ୍ରୀଷ୍ଟାବ୍ଦ), Upsilon Carinae, Iota Carinae (Aspidiske, ୮୧୦୦ ଖ୍ରୀଷ୍ଟାବ୍ଦ)ଓ Delta Velorum (Alsephina,୯୨୦୦ ଖ୍ରୀଷ୍ଟାବ୍ଦ) ଇତ୍ୟାଦି ନକ୍ଷତ୍ରଗୁଡି଼କ କୁମେରୁ ଵୃତ୍ତ ନିକଟରେ ଦେଖାଯାଉଥିଵା ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିବେ । ପୁଣି ଵୈଜ୍ଞାନିକମାନେ କୁହନ୍ତି ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପରେ ପ୍ରଶ୍ଵା ଵା ଲୁବ୍ଧକ(Sirius ) ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିଵ ଏଵଂ ଉତ୍ତର ଗୋଲାର୍ଦ୍ଧରେ ଆଉ ଦୃଶ୍ୟ ହେଵ ନାହିଁ । ଦକ୍ଷିଣ ଗୋଲାର୍ଦ୍ଧର ଦେଶ ବ୍ରାଜିଲର ଜାତୀୟ ପତାକାରେ ତ୍ରିଶଙ୍କୁମଣ୍ଡଳ (crux) ସହିତ ଯାମ୍ୟ ଧ୍ରୁଵତାରା ଦର୍ଶିତ ହୋଇଛି । 

ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଥିଵା ଧ୍ରୁଵ ତାରାକୁ ଖାଲି ଆଖିରେ ଦେଖିଲେ ଗୋଟିଏ ତାରକା ବୋଲି ଜଣାପଡ଼େ କିନ୍ତୁ ପ୍ରକୃତରେ 
Polaris ଏକ ତ୍ରି-ତାରକୀୟ ପ୍ରଣାଳୀ (triple star system) ଅଟେ । ଏହି ତିନିଗୋଟି ତାରକା ମଧ୍ୟରେ Polaris Aa ଏକ ଵିଶାଳକାୟ ପୀତଵର୍ଣ୍ଣ ତାରକା ଏଵଂ ଏହାଠାରୁ ଅପେକ୍ଷାକୃତ ଆକାରରେ କ୍ଷୁଦ୍ର Polaris Ab ଓ Polaris B ଏହିପରି ତିନିଗୋଟି ତାରକା ପରସ୍ପରର ଵିଚିତ୍ର ଢଙ୍ଗରେ ପରିକ୍ରମଣ କରୁଛନ୍ତି । Polaris Bକୁ ଅଗଷ୍ଟ ୧୭୭୯ରେ William Herschel ସେସମୟର ଆଧୁନିକ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଠାଵ କରିଥିଲେ । 

କିନ୍ତୁ କେଵଳ ଯେ ପୃଥିଵୀର ହିଁ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି ତାହା ନୁହେଁ ସୌରମଣ୍ଡଳର ପ୍ରତ୍ୟେକ ଗ୍ରହର ନିଜର ଭିନ୍ନ ଭିନ୍ନ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି । 

•ବୁଧର ଉତ୍ତର ଧ୍ରୁଵତାରା 
Omicron Draconis ଓ ଦକ୍ଷିଣ ଧ୍ରୁଵତାରା Alpha Pictoris ଅଟେ ‌। 

ଶୁକ୍ରର ଉତ୍ତର ଧ୍ରୁଵତାରା"42 Draconis" ଏଵଂ ଦକ୍ଷିଣ ଧ୍ରୁଵତାରା "Eta¹ Doradus" ଅଟେ ।  

ଆମ ପୃଥିଵୀର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ଧ୍ରୁଵତାରା ହେଉଛି Delta Doradus" ଏଵଂ ଉତ୍ତର ଧ୍ରୁଵତାରା "Omicron Draconis" ଅଟଇ । 

ମଙ୍ଗଳଗ୍ରହର ଦକ୍ଷିଣ ଧ୍ରୁଵତାରା Kappa Velorum ହୋଇଥିଲା ବେଳେ ଏହାର ଉତ୍ତର ଧ୍ରୁଵରେ Northern Crossର ଦୁଇଗୋଟି ନକ୍ଷତ୍ର Sadr ଓ Deneb ରହିଥାଏ ଫଳତଃ ଏହି ଦୁଇଗୋଟି ତାରକାକୁ ମଙ୍ଗଳର ଉତ୍ତର ଧ୍ରୁଵତାରା କୁହାଯାଇପାରେ । 

ବୃହସ୍ପତିଙ୍କ ଦକ୍ଷିଣ ଧ୍ରୁଵରେ Zeta Draconis ଓ ଉତ୍ତର ଧ୍ରୁଵରେ Delta Doradus ରହିଥାଏ । 

ଶନିର ଉତ୍ତର ଧ୍ରୁଵଠାରୁ ଛଅ ଡିଗ୍ରୀ ଛାଡ଼ି ଆମ ଗ୍ରହର ଵର୍ତ୍ତମାନ ଧ୍ରୁଵତାରା Polaris ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵର ଧ୍ରୁଵତାରା ହେଉଛି "Delta Octantis" ନକ୍ଷତ୍ର ‌‌। 

ସେହିପରି "Eta Ophiuchi" ୟୁରାନସର ଉତ୍ତର ଧ୍ରୁଵତାରା ଏଵଂ "15 Orionis" ଏହାର ଦକ୍ଷିଣ ଧ୍ରୁଵତାରା ଅଟେ ‌ । 
ନେପଚୁନ୍‌ର ଉତ୍ତର ଧ୍ରୁଵ ନିକଟରେ Gamma Cygni ଓ Delta Cygni ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵରେ Gamma Velorum ଦେଖାଯାଏ । 

ମୋଟ ଉପରେ କହିଵାକୁ ଗଲେ ପ୍ରତ୍ୟେକ ଗ୍ରହର ପରିକ୍ରମଣ ଓ ଆଵର୍ତ୍ତନ ଗତି ତଥା ଏହାର ଅକ୍ଷପଥ ଭିନ୍ନ ଭିନ୍ନ ହୋଇଥାଏ ବୋଲି ସେସବୁ ଗ୍ରହର ଧ୍ରୁଵତାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ସବୁଗ୍ରହର ଧ୍ରୁଵତାରା ଭିନ୍ନ ଭିନ୍ନ ଅର୍ଥାତ୍ ପୃଥିଵୀର ଧ୍ରୁଵତାରା କେଵଳ ପୃଥିଵୀର ଧ୍ରୁଵତାରା ଅଟେ ଏଵଂ ଅନ୍ୟ ଗ୍ରହରେ ଭିନ୍ନ ଭିନ୍ନ ନକ୍ଷତ୍ରଗୁଡି଼କର ସେଗୁଡ଼ିକର ଦୁଇ ଧ୍ରୁଵରେ ଥିଵା ଦୃଶ୍ୟ ହୁଅନ୍ତି । 

ହଜାର ହଜାର ଵର୍ଷ ଧରି ମନୁଷ୍ୟ ପାଇଁ ରାତ୍ରି ଆକାଶରେ ପଥପ୍ରଦର୍ଶକର କାର୍ଯ୍ୟ କରି ଆସୁଥିଵା ଧ୍ରୁଵତାରାଠାରୁ ଅନେକ କଥା ଶିଖାଯାଇପାରେ । ଧ୍ରୁଵତାରା ସ୍ଥିରତାର ପ୍ରତୀକ,ଯେତେ ଝଡ଼ ଝଞ୍ଜା ଆସୁ ଧ୍ରୁଵତାରା ଭଳି ଆକାଶରେ ସ୍ଥିର ନିଶ୍ଚଳ ରହିଵାକୁ ଶିକ୍ଷା ଦିଆଯାଏ । ନିଜ ପ୍ରତି ତଥା ନିଜର ମୂଲ୍ୟବୋଧ ପ୍ରତି ସବୁବେଳେ ସଚ୍ଚୋଟ ରହିଵାକୁ ଧ୍ରୁଵତାରାଠାରୁ ଶିକ୍ଷା କରାଯାଇପାରେ। ଅନ୍ଧକାର,ଅନିଶ୍ଚିତ ଓ ନିଚ୍ଛାଟିଆ ରାତ୍ରିରେ ଯେମିତି ଧ୍ରୁଵତାରା ପଥିକ ପାଇଁ ଆଶାର କିରଣ ହୋଇଥାଏ ସେହିପରି ଆମେ ମଧ୍ୟ ନିଃସ୍ଵାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିପାରିଵା । ଯେତେ ଵିପଦ ଅସୁଵିଧା ଆସୁ ଧ୍ରୁଵତାରା ଭଳି ଅଚଳ ଅଟଳ ରହିଵାର ମଧ୍ୟ ଶିକ୍ଷା ମିଳିଥାଏ । ଧ୍ରୁଵତାରା ଭଳି ଯାହା ସତ୍ୟ ତାକୁ ଅନୁସରଣ କରିଵା ଉଚିତ୍ । 
ଧ୍ରୁଵତାରା ଯେମିତି ନିଜ ଆଲୋକ ଦ୍ଵାରା ଅନ୍ୟକୁ ମାର୍ଗଦର୍ଶନ କରିଥାଏ ଠିକ୍ ସେହିପରି ଆପଣଙ୍କ ଆଭ୍ୟନ୍ତରୀଣ ଆଲୋକ ଆପଣଙ୍କ ଯାତ୍ରାରେ ମାର୍ଗଦର୍ଶକ ହେଉ ...
••••••••••••••••••••••••••
ଲେଖକ—ଶିଶିର ସାହୁ ମନୋଜ
ଢେଙ୍କାନାଳ(କନ୍ତିଓ ପୁଟସାହି)
•••••••••••••••••••••••••••








Friday, September 15, 2023

•ଵିଦେଶୀ ଗୁଣ୍ଡଖାଦ୍ୟ ଓ ଦେଶୀ ଗୁଣ୍ଡଖାଦ୍ୟ 'ଛତୁଆ'•



ଆମ ଦେଶରେ ଅନେକ ଵୈଦେଶିକ କମ୍ପାନୀମାନଙ୍କର ଦ୍ରଵ୍ୟ ଵିକ୍ରି ହେଉଛି ଏଵଂ ସେଗୁଡ଼ିକର ନାମ ମଧ୍ଯ ଵୈଦେଶିକ ହୋଇଥାଏ ! ଶକ୍ତିବର୍ଦ୍ଧକ ପାନୀୟ ଗୁଣ୍ଡ ଯଥା ହର୍ଲିକ୍ସ୍,କମ୍ପ୍ଲାନ୍ ଓ ବର୍ନଵିଟା ତିନୋଟି ଯାକ କମ୍ପାନୀ ମୂଳତଃ ଇଂଲଣ୍ଡ ଦେଶର ଓ ଏହାର ନାମକରଣ ମଧ୍ଯ ଇଂରାଜୀ ଭାଷାନୁସାରେ ହୋଇଅଛି ! Bourne Vita ନାମଟି Cadbury ଦ୍ଵାରା ନାମିତ। ଏହି Company, Bourneville ନାମକ ଗ୍ରାମରୁ ଆରମ୍ଭ ହୋଇଥିଲା। ତଦନୁଯାୟୀ, ଏହି ନାଁ ହୋଇଅଛି । ସେହିପରି କମ୍ପ୍ଲାନ୍ ଓ ହର୍ଲିକ୍ସ ଆଦି ଶବ୍ଦର ଅର୍ଥ ରହିଛି ଏଵଂ ଏ ଉଭୟ ଶବ୍ଦ ଯୁକ୍ତରାଜ୍ୟ ଇଂଲଣ୍ଡର ଅଟେ । ଆୟାରଲ୍ଯାଣ୍ଡରେ ଆଗେ ଯେଉଁ ଛତୁଆ 
ପରି ଗୁଣ୍ଡକୁ ଗର୍ଭଵତୀ ମହିଳା ଓ ବୃଦ୍ଧା ମହିଳାଙ୍କୁ ପିଇଵାକୁ ଦିଆଯାଉଥିଲା ତାକୁ କମ୍ପ୍ଲାନ୍ କୁହାଯାଉଥିଲା ! 

ହର୍ଲିକ୍ସ ଇଂରେଜ ରାଜତ୍ବକାଳରେ ଇଂରେଜ ସୈନ୍ଯ ଓ ପରେ ଭାରତୀୟ ସୈନ୍ଯଙ୍କ ପାନୀୟ ଭାବେ ଭାରତକୁ ଆସିଲା ! କେତେକ ଵର୍ଷ ମଧ୍ଯରେ ଏହା ଅଖଣ୍ଡ ଭାରତର ସିନ୍ଧୁ-ପଞ୍ଜାବ,ବଙ୍ଗ ଓ ମାନ୍ଦ୍ରାଜ୍ ଅଞ୍ଚଳର ଧନିକ ଲୋକଙ୍କ ଘରେ ପଶିଗଲା !
 ସ୍ବାଧୀନତା ପରେ ବି ଭାରତୀୟମାନେ ଏହି ଇଂରେଜୀ ଛତୁଆ ଦ୍ବାରା ପରାଧୀନ ହୋଇ ରହିଲେ ଏଵଂ ଏହା ଆଜି ବି ଅନେକ ଲୋକଙ୍କ ମନକୁ କଵଳିତ କରି ରଖିଛି !ଇଂଲଣ୍ଡରେ ହର୍ଲିକ୍ସ୍ ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ଥିଲା ! 

•ଯଥା—
(କ)ରାତ୍ରୀକାଳୀନ ଉଷୁମ ଦୁଗ୍ଧ(malted hot milk)
(ଖ)ଅଣ୍ଡକୋଷ/bollocks(euphemistic;slang)
(ଗ)ନିର୍ବୁଦ୍ଧିଆ ଓଲା(slang)

ଅର୍ଥାତ୍ ଇଂଲଣ୍ଡରେ ଓଲା ନିର୍ବୁଦ୍ଧିଆ ଲୋକଙ୍କୁ କମ୍ ଅପମାନିତ କରିବା ପାଇଁ ଓ ଅଣ୍ଡକୋଷର ଏକ ଶିଷ୍ଟ ପ୍ରତିଶବ୍ଦ ଭାବେ ହର୍ଲିକ୍ସ ଶବ୍ଦ ଵ୍ୟଵହାର ହେଉଥିଲା ! ତେବେ ସଂଜ୍ଞାଵାଚକ ନାମ ଭାବେ ଏହି ହର୍ଲିକ୍ସ ଶବ୍ଦର "ଉଷୁମ ଦୁଗ୍ଧ ପାନୀୟ" ଅର୍ଥଟି ଆଧୁନିକ ନା ପ୍ରାଚୀନ ତାହା ସ୍ପଷ୍ଟ ନୁହେଁ ! 

ସମ୍ଭଵତଃ ଜେମ୍ସ ହରଲିକ୍‌ ଓ ୱିଲିୟମ୍ ହରଲିକ୍‌ଙ୍କ ଦ୍ବାରା ଏ କମ୍ପାନୀର ସ୍ଥାପନା ହୋଇଥିଵାରୁ କମ୍ପାନୀର ନାମ ହର୍ଲିକ୍‌ଙ୍କ ଉପନାମାନୁସାରେ ହର୍ଲିକ୍ସ୍ ରଖାଯାଇଥିଵ !  
ଉଦାରୀକରଣ ଯୁଗର ଆରମ୍ଭ ପରେ ପରେ ଭାରତକୁ ଆହୁରି ଅନେକ ତଥାକଥିତ ସ୍ଵାସ୍ଥ୍ୟବର୍ଦ୍ଧକ ପାନୀୟ ଆସିଲା । ତନ୍ମଧ୍ୟରେ boost ,milo,cerelac,ensure ଓ maltova ଅନ୍ଯତମ । 

ତେବେ ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogen(Nestle କମ୍ପାନୀ ର) ବୋଲି ଏକ ପାନୀୟ ଟିକିଏ ଲୋକପ୍ରିୟ ହୋଇଥିଲା । ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogenକୁ ଲାଟୋଜିନି କହୁଥିଲେ । 
ପ୍ରକୃତରେ biochemistryରେ Lactogen ହେଉଛି ଏକ ଜାତୀୟ polypeptide placental hormone ଏଵଂ ଏହା somatotropin ଶ୍ରେଣୀୟ ବୃଦ୍ଧିକାରକ ହରମୋନ ଅଟେ । Lactogen ହରମୋନ୍ ଗର୍ଭସ୍ଥ ଶିଶୁର ଶକ୍ତି ଯୋଗାଣକୁ ସୁଗମ କରିଵା ପାଇଁ ଗର୍ଭାଵସ୍ଥାରେ ମାତାର ମେଟାବୋଲିକ୍ ସ୍ଥିତିକୁ ପରିଵର୍ତ୍ତନ କରିଵାରେ ସହାୟକ ହୋଇଥାଏ । ମୋର ମନେ ପଡ଼ୁଛି ଓଡ଼ିଶାର ଲୋକେ କିନ୍ତୁ ଏହି Lactogen ଗୁଣ୍ଡକୁ ଶିଶୁମାନଙ୍କୁ ପିଇଵାକୁ ଦେଉଥିଲେ । 

 "Malt" ଓ "Ova"ltine ଶବ୍ଦକୁ ନେଇ "Maltova" ନାମକରଣ କରାଯାଇଛି ।
 ସେହିପରି Ovaltine ନାମଟି ଲାଟିନ ōvum (“ଅଣ୍ଡା”) ଓ malt ଶବ୍ଦ ଆଧାରରେ ଗଠିତ ହୋଇଥିଲା । Milo ଶବ୍ଦଟି ପର୍ତ୍ତୁଗୀଜ୍ milho ଶବ୍ଦର ଏକ ରୂପ ଏଵଂ ପର୍ତ୍ତୁଗୀଜ୍ ଭାଷାରେ milho ଶବ୍ଦର ଅର୍ଥ “millet(ବାଜରା)” ଅଟେ । cerelac ଓ milo ଉଭୟ Nestlé କମ୍ପାନୀର ଉତ୍ପାଦ ଅଟେ । 

ପ୍ରୋକ୍ତ ସମସ୍ତ ପାନୀୟ ଗୁଣ୍ଡ ଵୈଦେଶିକ ଛତୁଆ କିନ୍ତୁ ଇଂରେଜ ଆଦି ଵୈଦେଶିକ ଜାତି ଭାରତକୁ ଆସିଵା ପୂର୍ଵରୁ ମଧ୍ୟ ଭାରତର ଲୋକେ ଦେଶୀୟ ସ୍ଵାସ୍ଥ୍ୟ ବର୍ଦ୍ଧକ ଶସ୍ୟଗୁଣ୍ଡକୁ ଦୁଗ୍ଧରେ ମିଶାଇ ଖାଉଥିଲେ । 

ସାଧାରଣତଃ ବୁଟ,ମୁଗ,ବାଦାମ,ଯଵ,ବାଜରା,ଗହମ ଆଦି ଵିଭିନ୍ନ ପ୍ରକାରର ଶସ୍ୟ ଭଜା ହୋଇ କରା ଯାଇଥିଵା ଚୂର୍ଣ୍ଣକୁ ଛତୁଆ କୁହାଯାଏ । ଓଡ଼ିଶାରେ ମାଆମାନେ ଚୂଡ଼ା,ଭୁଜା ଗୁଣ୍ଡରେ କ୍ଷୀର ମିଶାଇ ମଧ୍ୟ ପିଲାଙ୍କୁ ଖାଇଵାକୁ ଦିଅନ୍ତି । ଅତି ପ୍ରାଚୀନ କାଳରେ ଭାରତୀୟମାନେ ଯଵ,ବାଜରା ଓ ମୁଗ ଆଦି ଶସ୍ୟକୁ ଭାଜି ତାକୁ ଗୁଣ୍ଡକରି ତହିଁରେ ଦୁଗ୍ଧ ମିଶାଇ ପାନ କରୁଥିଲେ ଏଵଂ ତାକୁ ଶକ୍ତୁ ଓ ସକ୍ତୁ କୁହାଯାଉଥିଲା । ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଓଡ଼ିଆ ଭାଷାରେ କ୍ରମଶଃ ଛତୁଆ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସେହିପରି ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଉତ୍ତର ଭାରତରେ सतु ଵା सत्तु ହୋଇଅଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛତୁଆ ଶବ୍ଦର ପ୍ରାଚୀନ ସାହିତ୍ୟରେ ପ୍ରୟୋଗର ଗୋଟିଏ ଉଦାହରଣ ମଧ୍ୟ ଉଲ୍ଲେଖ କରାଯାଇଛି । 

“ଚଣାଶାକ, ପିଣ୍ୟାକ ଫଳ ଯେ ଯଵାନ୍ନ ଛତୁଆ ଖାଇ ଯୋଗୀ ରହିଵଟି ଜାଣ”

ଅଵିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓଡ଼ିଆ କଵି କୃଷ୍ଣସିଂହଙ୍କ କୃତ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୋକ୍ତ ପଦଟି ଉଦ୍ଧାର କରାଯାଇଛି । 

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଟକାଳି ଶବ୍ଦ ତଳେ ପ୍ରାଚୀନ ଓଡ଼ିଆ କଵି 
ପୀତାମ୍ବର ଦାସଙ୍କ ନୃସିଂହପୁରାଣରୁ ପଦାଂଶଟିଏ ଉଲ୍ଲେଖ ଅଛି... 

"ଆରିଶା ଛତୁଆ ନାଡ଼ି ଗଜା ଅଟକାଳି।"

ଏହା ପ୍ରାଚୀନ ସାହିତ୍ୟରେ ଛତୁଆ ଶବ୍ଦ ପ୍ରୟୋଗ କରାଯାଇଥିଵାର ଅନ୍ୟତମ ଉଦାହରଣ । 

ଏଠାରେ ମନେ ରଖିଵାକୁ ହେଵ ଯେ କଞ୍ଚା ଶସ୍ୟାଦିର ଚୂର୍ଣ୍ଣକୁ ଚୂନା ଵା ଅଟା ବୋଲାଯାଏ ଏଵଂ ଏହି ଚୂନାକୁ ଵା ଅଟାକୁ ଅଗ୍ନି ସାହାଯ୍ୟରେ ସିଦ୍ଧ କଲେ ଖିଆଯାଏ। କିନ୍ତୁ ଶସ୍ୟାଦିକୁ ପ୍ରଥମେ ଭାଜି ପରେ ଚୂନା କଲେ ଉକ୍ତ ଚୂନାକୁ ଶକ୍ତୁ ଵା ଛତୁଆ ବୋଲାଯାଏ। ଏହାକୁ ନ ରାନ୍ଧି ପାଣିରେ ,ଦଧି ଵା ଦୁଗ୍ଧରେ ଚକଟି ଖିଆ ଯାଇ ପାରେ। ଯେଉଁ ଶସ୍ୟରୁ ଛତୁଆ କରାଯାଏ, ତାକୁ ସେହି ଶସ୍ୟର ଶକ୍ତୁ ବୋଲାଯାଏ। ଯଥା—ଯଵ ଶକ୍ତୁ, ମୁଦ୍ଗ ଶକ୍ତୁ, ଗୋଧୂମ ଶକ୍ତୁ ଇତ୍ୟାଦି । 

ପ୍ରାଚୀନ ଭାରତୀୟମାନେ ଵିଭିନ୍ନ ପ୍ରକାରର ଛତୁଆ ଖାଉଥିଵାରୁ ଛତୁଆ ସମ୍ବନ୍ଧୀୟ ଅନେକ ସଂସ୍କୃତ ଶବ୍ଦ ପ୍ରଚଳିତ ଥିଲା । ଯଥା:—

୧)ଦଧିସକ୍ତଵ (ଦଧି+ ସକ୍ତୁ)— ଛତୁଆ ଓ ଦହି ଚକଟାର ତତ୍ସମ ନାମ । ଓଡ଼ିଆ ଭାଷାରେ ଏହାକୁ ଦହି ଛତୁଆ କୁହାଯାଉଥିଲା । 

୨)ଧାନାଚୂର୍ଣ୍ଣ(ଧାନା+ଚୂର୍ଣ୍ଣ)—ଧାନ ଆଦି ଵିଭିନ୍ନ ପ୍ରକାରର ଧାନା, ଧାନ୍ୟ ଵା ଶସ୍ୟର ଚୂର୍ଣ୍ଣକୁ ଧାନଚୂର୍ଣ୍ଣ କୁହାଯାଉଥିଲା ଯାହା ଶକ୍ତୁ ଵା ସକ୍ତୁର ଏକ ପ୍ରତିଶବ୍ଦ ଭାବରେ ପ୍ରୟୋଗ କରାଯାଉଥିଲା ।  

୩)ବୃଂହଣ—
ଶୂକର ମାଂସରେ ପକ୍ୱ ଯଵର ଛତୁଆକୁ ବୃଂହଣ କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୮୪୩ତମ ପୃଷ୍ଠାରେ ଉଲ୍ଲେଖ ଅଛି । 

୪)ମନ୍ଥ—ଜଳ ମିଶ୍ରିତ ଘୃତାକ୍ତ ଛତୁଆକୁ ମନ୍ଥ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୨୮୩ତମ ପୃଷ୍ଠାରୁ ଜଣାଯାଏ । 

୫)ଯଵମନ୍ଥ —ଭଜା ଯଵର ଗୁଣ୍ଡ ସହିତ ଘୃତପାକ ଛତୁଆକୁ ଯଵମନ୍ଥ କୁହାଯାଉଥିଲା । 

୬)ଯାଵ ଓ ଯାଵକ—
ଯବଧାନର ଛତୁଆକୁ ଯାଵ ଓ ଯାଵକ କୁହାଯାଉଥିଲା ଯାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । 


ଛତୁଆ ଓ ଭାରତୀୟ ସଂସ୍କୃତି:

ଛତୁଆ ପ୍ରାଚୀନ କାଳରୁ ଭାରତ ତଥା ଓଡ଼ିଶାର ଏକ ଖାଦ୍ଯ ଭାବେ ଵ୍ୟଵହାର କରାଯାଉଥିଲା ବୋଲି ଭାରତୀୟ ପର୍ଵ ଓଷା ଵ୍ରତାଦିରେ ଏହାକୁ ମଧ୍ୟ ଅନ୍ୟାନ୍ୟ ଖାଦ୍ୟଦ୍ରଵ୍ୟ ଭଳି ମହତ୍ତ୍ଵ ମିଳିଛି । 

ଉଦାହରଣ ସ୍ୱରୂପ 
ଭାରତରେ ଵରଣ ପ୍ରଘାସ ନାମରେ ଏକ ଵ୍ରତ ଆଷାଢ଼ ଓ କେଉଁଠି କେଉଁଠି ଶ୍ରାଵଣପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେଉଥିଲା । ଏହି ଵ୍ରତରେ କେଵଳ ଛତୁଆ ଖିଆଯାଉଥିଲା । ଲୋକଵିଶ୍ଵାସ ଥିଲା ଯେ ଏହି ଵ୍ରତଧାରୀ ଵ୍ୟକ୍ତି ଜଳରେ ବୁଡ଼ି ମରେ ନାହିଁ ଓ ଜଳଜଜନ୍ତୁମାନେ ତାକୁ ଆକ୍ରମଣ କରନ୍ତି ନାହିଁ । 

ସେହିପରି ଓଡ଼ିଶାର ଉତ୍ତରାଞ୍ଚଳ ଵିଶେଷତଃ ବାଲେଶ୍ଵର ତଥା ମେଦିନୀପୁର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆମାନେ  
ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଛତୁ ସଂସ୍କୃତି ଵା ଛତୁଆ ସଂକ୍ରାନ୍ତି ଭାବେ ମଧ୍ୟ ପାଳିଥାଆନ୍ତି । ଏହି ସଂକ୍ରାନ୍ତି ଦିନ ଦିନ ବ୍ରାହ୍ମଣଙ୍କୁ ଛତୁଆ ଦିଆଯିଵାର ଵିଧାନ ପ୍ରଚଳିତ ଥିଲା ତେଣୁ ଏଭଳି ନାମକରଣ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।

ସୌମ୍ୟକୃଚ୍ଛ୍ର ଵ୍ରତରେ ବି ଛତୁଆ ଭୁଞ୍ଜିଵାର ଵିଧାନ ଥିଲା । ସୌମ୍ୟକୃଚ୍ଛ୍ର ଏକ ପ୍ରକାରର 
ପ୍ରାୟଶ୍ଚିତ୍ତ ଵ୍ରତ ଵିଶେଷ । ଏଥିରେ ପ୍ରତିଦିନ ଯଥାକ୍ରମେ ପିଣ୍ୟାକ=ରାଶି ପିଡ଼ିଆ, ଆଚାମ=ଭାତର ପେଜ, ତକ୍ର=ଦହି, ଅମ୍ବୁ= ଜଳ ଓ ଶକ୍ତୁ=ଛତୁଆ ଖାଇଵାକୁ ହୁଏ ଓ ଷଷ୍ଠଦିନ ଉପଵାସ କରିଵାକୁ ହୁଏ।

ମୋଟ ଉପରେ କହିଵାକୁ ଗଲେ ଦେଶୀ ଛତୁଆ ଆମ ଦୈନନ୍ଦିନ ଜୀଵନରେ ଗୋଟିଏ ମୁଖ୍ୟ ଖାଦ୍ୟ ରୂପେ ଵ୍ୟଵହୃତ ହେଉଥିଲା । ତାପରେ ଆସିଲା ଵିଭିନ୍ନ ଵିଦେଶୀ ଗୁଣ୍ଡଖାଦ୍ୟ ପୁଣି ଵିଭିନ୍ନ ପ୍ରକାରର ଚକୋଲେଟ, ବିସ୍କୁଟ ଓ ବେଫର୍ ଆଦି ମଧ୍ୟ ଗାଆଁ ଦୋକାନରେ ମିଳିଲା । ଧିରେ ଧିରେ ଆଜି ଆମ ସମାଜରୁ ଛତୁଆ ଅପସରି ଯାଇଛି ଏଵଂ ତା'ର ସ୍ଥାନ ନେଇ ଯାଇଛି ଅନେକ ଵୈଦେଶିକ ଗୁଣ୍ଡଖାଦ୍ୟ !!!
••••••••••••••••••••••••••••
✍️ଶିଶିର ସାହୁ ମନୋଜ(କନ୍ତିଓ ପୁଟସାହି, ଢେଙ୍କାନାଳ)
••••••••••••••••••••••••••••

 










Thursday, September 14, 2023

ମନୁଷ୍ୟର ପ୍ରଥମ ଚନ୍ଦ୍ରାଵତରଣ ଅସଫଳ ହୋଇଥିଲେ କ'ଣ ହୋଇଥାନ୍ତା ?

"ଆପୋଲୋ ୧୧ ମିଶନ୍: ଵର୍ଷ ୧୯୬୯"
 ଚନ୍ଦ୍ରପୃଷ୍ଠରେ ଚାଲିଵା ପରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡୱିନ୍ ଏଲଡ୍ରିନ୍ ଲୁନାର୍ ମଡ୍ୟୁଲ୍‌ରେ ବସି କମାଣ୍ଡ ମଡ୍ୟୁଲରେ ଥାଇ ଚନ୍ଦ୍ରକୁ ପରିକ୍ରମା କରୁଥିଵା ମାଇକେଲ କଲିନ୍ସଙ୍କ ନିକଟକୁ ପହଞ୍ଚିଵାର ଥିଲା । ଏହାପରେ ହିଁ ସେମାନେ ସୁରୁଖୁରୁରେ ପୃଥିଵୀକୁ ପ୍ରତ୍ୟାଵର୍ତ୍ତନ କରିପାରିବେ । ଚନ୍ଦ୍ରପୃଷ୍ଠରେ ନିଜର କାର୍ଯ୍ୟ ସାରି ଯେତେବେଳେ ନିଲ୍ ଓ ଏଲଡ୍ରିନ୍ ଲୁନାର୍ ମଡ୍ୟୁଲ୍ ଭିତରକୁ ପ୍ରଵେଶ କଲେ, ସେମାନେ ଦେଖିଲେ ଯେ ତହିଁର ସଞ୍ଚାଳନ ସମ୍ବନ୍ଧୀୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୁଇଚ୍ ଭାଙ୍ଗି ଭୂମିରେ ପଡ଼ିଛି, ବୋଧହୁଏ ହଠାତ୍ ସେମାନଙ୍କ ଶରୀରର ଆଘାତ ଯୋଗୁଁ ଏପରି ହୋଇଥାଇପାରେ । ଏହି ସମସ୍ୟା ଯୋଗୁଁ ଵର୍ତ୍ତମାନ ଯାନଟି କିପରି ଉଡ଼ିଵ ଉଭୟ ସେ ଵିଷୟରେ ଚିନ୍ତା ଚିନ୍ତନ କରିଵାକୁ ଲାଗିଲେ ।

ଏହି ଅପ୍ରୀତିକର ଘଟଣାର ଵିଵରଣୀ ପୃଥିଵୀର କମାଣ୍ଡ ସେଣ୍ଟରକୁ ପଠାଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନଥିଲା। ସୌଭାଗ୍ୟଵଶତଃ, ସେହି ସମୟରେ ଏଲଡ୍ରିନଙ୍କ ପକେଟରେ ଏକ ସ୍କେଚ୍ ପେନ୍ ଥିଲା, ଯାହାକୁ ଏଲଡ୍ରିନ୍ ଭଗ୍ନ ପ୍ୟାନେଲର ଗର୍ତ୍ତରେ ପ୍ରଵେଶ କରି ଯାନଟିକୁ ସଞ୍ଚାଳନ କରିଵାରେ ସଫଳ ହୋଇଥିଲେ। ଥରେ ଭାବି ଦେଖନ୍ତୁ, ସେଦିନ ଯଦି ଏଲଡ୍ରିନଙ୍କ ପକେଟରେ ସେହି ସ୍କେଚ୍ ପେନ୍ ନଥାନ୍ତା, ତାହେଲେ କ'ଣ ସେହି ଦୁଇ ମହାକାଶଚାରୀଙ୍କ ପୃଥିଵୀ ପ୍ରତ୍ୟାଵର୍ତ୍ତନ ସମ୍ଭଵ ହୋଇଥାନ୍ତା ?

ଆପୋଲୋ ୧୧ ମହାକାଶଯାନ ଯେତେବେଳେ ଚନ୍ଦ୍ରକୁ ଉତକ୍ଷେପଣ କରାଗଲା, ସେତେବେଳେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱର କଳା ବାଦଲ ଖେଳିଯାଇଥିଲା । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ନଥିଲା ଯେ ନୀଲ୍ ଓ ଏଲଡ୍ରିନ୍ ଏହି ମହାକାଶ ଯାତ୍ରାକୁ ସଫଳତାର ସହ ସମ୍ପାଦନ କରି ସୁରକ୍ଷିତ ଭାଵରେ ପୃଥିଵୀକୁ ଲେଉଟିପାରିବେ । ତେଣୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ନିକ୍ସନଙ୍କ ଭାଷଣ ଲେଖକ ୱିଲିୟମ୍ ସଫାୟାରଙ୍କୁ ଏକ ଜରୁରୀକାଳୀନ ଭାଷଣ ପ୍ରସ୍ତୁତ କରିଵାକୁ କୁହାଯାଇଥିଲା, ଯାହା ମହାକାଶ ଯାତ୍ରା ଵିଫଳ ହେଲେ ନୀଲ୍ ଓ ଏଲଡ୍ରିନ୍‌ଙ୍କୁ ହରାଇଵା ପରିପ୍ରେକ୍ଷୀରେ ପଢ଼ାଯାଇପାରିଵ। ୩୦ ଵର୍ଷ ପରେ ୧୯୯୯ ମସିହାରେ ଐତିହାସିକ ଜେମ୍ସ ମାନ୍, ନିକ୍ସନ୍ ପ୍ରଶାସନ ସମୟରେ ପ୍ରସ୍ତୁତ ହୋଇଥିଵା ଅଫିସ୍ ଦସ୍ତାବିଜର ସୂଚୀରୁ ଏହି ଭାଷଣ ପାଇଥିଲେ। ସୌଭାଗ୍ୟଵଶତଃ, ଏହି ଭାଷଣ ପଢ଼ିଵାର ଆଵଶ୍ୟକତା ହିଁ ପଡ଼ିଲାନାହିଁ କାରଣ ତିନିଜଣଯାକ ମହାକାଶଯାତ୍ରୀ ପୃଥିଵୀପୃଷ୍ଠକୁ ସୁରକ୍ଷିତ ଭାଵେ ଫେରି ଆସିଥିଲେ ।

କିନ୍ତୁ ଗୋଟିଏ ମିନିଟ୍ ପାଇଁ ମାନସିକ ସମୟଯାତ୍ରା କରି ୧୯୬୯ରେ ପହଞ୍ଚିଵା ଏଵଂ କଳ୍ପନା କରିଵା ଯେ କୌଣସି କାରଣରୁ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡୱିନ୍ ଏଲଡ୍ରିନଙ୍କ ଚନ୍ଦ୍ରରୁ ପୃଥିଵୀକୁ ପ୍ରତ୍ୟାଵର୍ତ୍ତନ କରିନପାରି ସବୁଦିନ ପାଇଁ ଚନ୍ଦ୍ରରେ ହିଁ ଫସି ରହିଗଲେ। ଭାବି ଦେଖନ୍ତୁ ପୃଥିଵୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଦୁଇ ଜଣ ମଣିଷ ମହାକାଶର ଏକ ଅଜଣା ଗ୍ରହରେ ଫସି ରହିଛନ୍ତି ଆଉ ଆକାଶରେ ନିଜ ମାତୃଭୂମିକୁ ଅସହାୟ ନୟନରେ ଦେଖୁ ଅଛନ୍ତି,ସେଇଠାରେ ହିଁ ଖାଦ୍ୟ ପାନୀୟ ଓ ଵାୟୁ ଅଭାଵରେ ମୃତ୍ୟଵରଣ ସେମାନଙ୍କର ଶେଷ ପରିଣତି ହେଵାକୁ ଯାଉଛି । ଏହି ଵିଚାର ସହିତ, ସେହି ଅଶୁଣା ଭାଷଣକୁ ଶୁଣିଵା ଵା ପଢ଼ିଵା ଅତ୍ୟନ୍ତ ରୋମାଞ୍ଚକର ଅଟେ ।


ଆମେରିକାରେ କେବେ ପଢ଼ାଯାଇନଥିଵା ସେହି ଭାଷଣକୁ “The Greatest Speech Never Given” ଅଭିହିତ କରାଯାଏ । ନିମ୍ନରେ Bill Safireଙ୍କ ଦ୍ଵାରା ଲିଖିତ ସେହି ଭାଷଣଟି ସମ୍ପୂର୍ଣ୍ଣ ଭାଵେ ପ୍ରଦତ୍ତ ହେଲା...

To: H. R. Haldeman
From: Bill Safire
July 18, 1969
- - - - - - - - - - - - - - - -
- - - - - - - - - - - - - - - -
IN EVENT OF MOON DISASTER:

”Fate has ordained that the men who went to the moon to explore in peace will stay on the moon to rest in peace.

These brave men, Neil Armstrong and Edwin Aldrin, know that there is no hope for their recovery. But they also know that there is hope for mankind in their sacrifice.

These two men are laying down their lives in mankind's most noble goal: the search for truth and understanding.

They will be mourned by their families and friends; they will be mourned by the nation; they will be mourned by the people of the world; they will be mourned by a Mother Earth that dared send two of her sons into the unknown.

In their exploration, they stirred the people of the world to feel as one; in their sacrifice, they bind more tightly the brotherhood of man.

In ancient days, men looked at the stars and saw their heroes in the constellations. In modern times, we do much the same, but our heroes are epic men of flesh and blood.

Others will follow, and surely find their way home. Man's search will not be denied. But these men were the first, and they will remain the foremost in our hearts.

For every human being who looks up at the moon in the nights to come will know that there is some corner of another world that is forever mankind.”

PRIOR TO THE PRESIDENT'S STATEMENT:

The President should telephone each of the widows-to-be.

AFTER THE PRESIDENT'S STATEMENT, AT THE POINT WHEN NASA ENDS COMMUNICATIONS WITH THE MEN:

A clergyman should adopt the same procedure as a burial at sea, commending their souls to "the deepest of the deep," concluding with the Lord's Prayer.

ମୋଟାମୋଟି ଭାଵରେ ପ୍ରୋକ୍ତ ଅପଢ଼ା ଭାଷଣଟିର ଓଡ଼ିଆ ଭାଷାନ୍ତର ଏହିପରି...

●●●●●●
”ଭାଗ୍ୟ ତା'ର ନିଶାପ ଶୁଣାଇ ଦେଇଛି। ମାନଵିକ ଶାନ୍ତି ଉଦ୍ଦେଶ୍ୟରେ ଚନ୍ଦ୍ରର ସନ୍ଧାନରେ ଯାଇଥିଵା ସେହି ଦୁଇ ସାହସୀ ଯୁଵକ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ରହିବେ। ଏହି ଦୁଇ ଯୁବକ ଜାଣନ୍ତି ଯେ ସେମାନଙ୍କ ବଞ୍ଚିଵାର କୌଣସି ଆଶା ନାହିଁ, କିନ୍ତୁ ସେମାନଙ୍କର ଏହି ବଳିଦାନରେ ମାନଵିକତାର ଭବିଷ୍ୟତ ଯାତ୍ରା ପାଇଁ ଆଶା ନିଶ୍ଚୟ ରହିଛି । ନିଜ ଜୀଵନକୁ ବାଜି ଲଗାଇ ଅଜଣାକୁ ଉଣ୍ଡିଵାର ଉତ୍ସାହ ଦେଖାଇଥିଵା ଏହି ଵୀର ଯୁଵକଦ୍ଵୟଙ୍କୁ ହରାଇଵାର ଦୁଃଖ ସବୁବେଳେ ତାଙ୍କ ପରିଵାର, ସେମାନଙ୍କର ଦେଶ ଓ ସମଗ୍ର ଵିଶ୍ୱଵାସୀଙ୍କ ମନରେ ରହିଥିଵ । 
.
ଏକ ସମୟ ଥିଲା ଯେତେବେଳେ ଆମର ପୂର୍ଵପୁରୁଷମାନେ ଆକାଶଗଙ୍ଗାର ଏହି ଉଜ୍ଜ୍ୱଳ ତାରକାଗୁଡ଼ି ମଧ୍ୟରେ ନିଜ ନାୟକମାନଙ୍କୁ ଉଣ୍ଡୁଥିଲେ, ଆମେ ମଧ୍ୟ ଆଜି କିଛି ଅଲଗା କରୁନାହୁଁ, କିନ୍ତୁ ମହାକାଶରେ ରହିଯାଇଥିଵା ଆମର ଏଇ ଦୁଇଜଣ ଵୀର ମାଂସ ଓ ରକ୍ତରେ ନିର୍ମିତ ମଣିଷ ଅଟନ୍ତି । ଆଜିଠାରୁ ଯେବେ ବି କୌଣସି ଵ୍ୟକ୍ତି ରାତି ଆକାଶରେ ଏହି ଚନ୍ଦ୍ରକୁ ଦେଖେ, ସେ ଜାଣିଵ ଯେ ଏହି ପୃଥିଵୀ ବାହାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଦିନ ପାଇଁ ମନୁଷ୍ୟ ଉପସ୍ଥିତିର ଚିହ୍ନ ଅଙ୍କିତ ହୋଇଯାଇଛି ।”
●●●●●●●●●

ଏହି ସମଗ୍ର ପ୍ରାଣୀ ଜଗତରେ ମଣିଷ ହୁଅନ୍ତୁ କି ପଶୁ ଵା କୀଟପତଙ୍ଗ, ପ୍ରତ୍ୟେକ ଜୀଵର ନିଜ ଜୀଵନପ୍ରତି ମୋହ ରହିଛି । 
କିନ୍ତୁ ମନୁଷ୍ୟ ହେଉଛି ସୃଷ୍ଟିର ଏକମାତ୍ର ଜଣାଶୁଣା ଜୀଵ ଯିଏ "କୌତୁହଳ,ଉଦ୍ଭାଵନ ଓ ଆଵିଷ୍କାର" ପାଇଁ ମଧ୍ୟ ନିଜ ଜୀଵନକୁ ମଧ୍ୟ ଵିପଦରେ ପକାଇ ଦେଵାର କ୍ଷମତା ରଖିଛି । ଏକ ଜୀଵ ଜାତି ଭାଵରେ ମନୁଷ୍ୟର ଅନେକ ଦୋଷ ଦୁର୍ଵଳତା ସତ୍ତ୍ୱେ, ଏହି ଗୋଟିଏ ଗୁଣ ମନୁଷ୍ୟକୁ ଆଜି ପୃଥିଵୀର ମହାନ ବୁଦ୍ଧିମାନ ଜୀଵ ରୂପେ ପ୍ରତିଷ୍ଠିତ କରାଇ ଦେଇଛି ...

Wednesday, September 13, 2023

•ଖଡ଼ିଆଳର ପ୍ରାଚୀନ ଓଡ଼ିଆ କଵି ଚୈତନ୍ୟ ଦାସ•


ପୂର୍ଵେ ଅଵିଭକ୍ତ ବଲାଙ୍ଗୀର ଜିଲ୍ଲାର ଅଂଶ ଥିଵା ଖଡ଼ିଆଳରେ(ଵର୍ତ୍ତମାନ ଏହା ନୂଆପଡ଼ା ଜିଲ୍ଲାରେ ଅଵସ୍ଥିତ) ସତରଶ ଶତାବ୍ଦୀରେ ଚୈତନ୍ୟ ଦାସ ନାମରେ ଜଣେ କଵି ହୋଇଥିଲେ । ତାଙ୍କ ପିତାଙ୍କ ନାମ ବୁଦ୍ଧେଶ୍ବର ଓ ମାତାଙ୍କ ନାମ ମେଘାଵତୀ । ତାଙ୍କର ବାଲ୍ୟନାମ ଧ୍ୟାନ ଦାସ ଥିଲା । ସେ ଜାତିରେ ମାଳୀ ଥିଲେ କିନ୍ତୁ ଓଡ଼ିଆ ସାହିତ୍ୟ ରଚନାରେ ନିଜର ଜୀଵନୋତ୍ସର୍ଗ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଓଡ଼ିଆ କଵି ଚୈତନ୍ୟ ଦାସଙ୍କର ତିନିଗୋଟି ଅମର କୃତି ହେଲା ନିର୍ଗୁଣ ମହାତ୍ମ୍ୟ, ଦେଵଦର୍ଶନ ପୁରାଣ ଓ ଵିଷ୍ଣୁଗର୍ଭପୁରାଣ । ଵିଷ୍ଣୁଗର୍ଭପୁରାଣ ଦାଣ୍ଡିଵୃତ୍ତରେ ଲିଖିତ ହୋଇଥିଲାବେଳେ ନିର୍ଗୁଣ ମହାତ୍ମ୍ୟ ନଵାକ୍ଷରୀ ଭାଗଵତ ଵୃତ୍ତରେ ରଚିତ । ପ୍ରସିଦ୍ଧ କଵି ଭୂପତି ପଣ୍ଡିତ ଏହି ଚୈତନ୍ୟ ଦାସଙ୍କର ଶିଷ୍ୟ ଥିଲେ । 

ନିର୍ଗୁଣ ମହାତ୍ମ୍ୟରେ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ପ୍ରୟୋଗର ଉଦାହରଣ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟରୁ ଅନେକ ପଦର ଉଲ୍ଲେଖ ଅଛି । ଉଦାହରଣ ସ୍ୱରୂପ 

“ତୋଳିଵ ଅନହତନାଦ,
ଶ୍ରଵଣେ ଶୁଭିଵ ଶବଦ।”

ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି । ସଂସ୍କୃତ ଭାଷାରେ ଏହାକୁ ଅନାହତନାଦ ଏଵଂ ଓଡ଼ିଆ ଭାଷାରେ ଅନହତନାଦ କୁ଼ହାଯାଉଥିଲା । 

“ଅଵଏ ଵିଷ୍ଣୁ ହେଲେ ରଜା,
ସକଳ କର୍ମଜନ ପ୍ରଜା ।”
×××××
“ଆତ୍ମାଧ୍ୟାନରେ ଚିତ୍ତ ଦେଲେ,
ଅଵୟେ ମୁକତିକି ଗଲେ । ”

ଅଵ୍ୟୟ ଶବ୍ଦର ଓଡ଼ିଆ ରୂପ ଅଵଏ ଅଵିନାଶୀ ଅର୍ଥରେ ପ୍ରୟୋଗ କରାଯାଇଛି ‌। ଆଜିକାଲି ଅଵୟ କହିଲେ ଲୋକେ ତାକୁ ଅଶୁଦ୍ଧ ମନେ କରନ୍ତି କିନ୍ତୁ ଓଡ଼ିଆ ଭାଷା ଏକ ପ୍ରାକୃତ ଭାଷା ହୋଇଥିଵାରୁ ତଥା ଓଡ଼ିଆ ଭାଷାର ପ୍ରଥମ ଭାଷାଵିଦ ଶ୍ରୀଗୋପୀନାଥ ନନ୍ଦଶର୍ମାଙ୍କ ଅନୁସାରେ ପ୍ରାକୃତ ଭାଷାର ନିୟମିତ ଵିକୃତି ନିୟମାନୁସାରେ ତତ୍ସମ ଶବ୍ଦଗୁଡି଼କ ତଦ୍ଭଵ ରୂପେ ପରିଵୃତ୍ତ ହେଲେ ମଧ୍ୟ ଅଶୁଦ୍ଧ ପରିଗଣିତ ହୁଅନ୍ତି ନାହିଁ । ନିର୍ଗୁଣ ମହାତ୍ମ୍ୟରେ ଅଵଏ ଶବ୍ଦ ପ୍ରୟୋଗ ଏହି କଥାକୁ ସ୍ପଷ୍ଟ କରେ । ସଂସ୍କୃତ ଭାଷା ପାଇଁ ଅଵଏ ଓ ଅଵୟ ଶବ୍ଦ ଅଶୁଦ୍ଧ ହୋଇପାରେ ଓଡ଼ିଆ ପାଇଁ ନୁହେଁ । ଏହିପରି ଆଉ ଏକ ପଦ ମଧ୍ୟ ନିର୍ଗୁଣ ମହାତ୍ମ୍ୟରେ ରହିଛି ଯହିଁରେ ଅଵ୍ୟୟ ଶବ୍ଦର ଅନ୍ୟ ଏକ ଓଡ଼ିଆ ରୂପ ଅଵୟ ଵ୍ୟଵହୃତ ହୋଇଅଛି । 


“ଅଵାଇ ଘରେ ଵାଇ ଗଲେ,
ଜ୍ୟୋତି ପ୍ରକାଶିଵ ନିରୋଳେ।”
××××××
“ଗାଇତ୍ରୀ ଛନ୍ଦ ଫିଟାଇଵ,
ଅଵାଇମଣ୍ଡଳ ଭେଦିଵ ।”


ଏଠାରେ ଵ୍ୟଵହୃତ ଅଵାଇ ଶବ୍ଦର ଅର୍ଥ ଵାୟୁଶୂନ୍ୟ ଏଵଂ ଏହା ଅଵାତ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି । ସେହିପରି ଆକାଶ ଵା ଶୂନ୍ୟମଣ୍ଡଳକୁ ଆମ ଭାଷାରେ ଅଵାଇମଣ୍ଡଳ କୁହାଯାଉଥିଲା । 

”ଵିଷ୍ଣୁ କଥନେ ଅମରିଷ,
ଯାହାର ମନ ନୁହେ ଵଶ ।‌”

ଏ ପଦରେ ଵ୍ୟଵହୃତ ଅମରିଷ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହାର ସଂସ୍କୃତ ଅମର୍ଷ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ‌। ଏହି ପଦରେ ଅମରିଷ ଶବ୍ଦ ଅସହିଷ୍ଣୁ; ଅଧୀର ଅର୍ଥରେ ପ୍ରୟୋଗ କରାଯାଇଛି ‌। 

“ଅଲେଖ ପୁରେ କର ଘର,
କେବେହେଁ ନୋହଇ ବାହାର।”
××××××
“ପିତାହିଁ ନ ଜାଣଇଁ ତାହା
 ଅଲେଖ ଵିଷ୍ଣୁର ଏ ମାୟା।”

ଅଵାଇମଣ୍ଡଳ ଵା ଆକାଶକୁ ଆମ ଭାଷାରେ ଅଲେଖପୁର କୁହାଯାଉଥିଲା ଯାହା ଏହି ପଦରେ ଵ୍ୟଵହୃତ ହୋଇଅଛି । ସେହିପରି ଅଲେଖଵିଷ୍ଣୁ ହେଉଛନ୍ତି ମହିମା ପନ୍ଥର ନିରାକାର ବ୍ରହ୍ମ । 


”ବାମ ଚରଣ ପରେ ବସି 
ଚଞ୍ଚଳ ମନକୁ ଆକ୍ରୋଶି ।”

ଆକ୍ରୋଶିଵା ଏହିପରି ଆଉ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ଵ୍ୟାପିଵା ଓ ଏକାଗ୍ର କରିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ।

“ସକଳ ଧର୍ମ ଆଡ଼େ କରି 
ଆଡ଼କେ ବ୍ରହ୍ମଜ୍ଞାନ ଭରି।”

ଏହି ପଦରେ ଵ୍ୟଵହୃତ ଆଡ଼େ କରିଵା ଶବ୍ଦର ଅର୍ଥ ଗୋଟିଏ ପାଖରେ ରଖିଵା ଅଟେ ‌। ଏବେବି ଲୋକେ ଗୋଟେ ଆଡ଼େ,ସେ ଆଡ଼େ ଓ ଏ ଆଡ଼େ ଆଦି କହିଲାବେଳେ ଏହି ଆଡ଼େ ଶବ୍ଦକୁ ପ୍ରୟୋଗ କରିଥାନ୍ତି । 

“କର୍ମ ନ କର ତାତ ମାତ 
କର୍ମେ ହୋଇଵ ଆତଯାତ ।”

ଆତଯାତ ଶବ୍ଦର ସାଧାରଣ ଓଡ଼ିଆ ଅର୍ଥ ଯିଵା ଆସିଵା କରିଵା କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏଠାରେ ପୁନଃ ପୁନଃ ଜନ୍ମୁଥିଵା ଓ ମରୁଥିଵା ଜୀଵନଚକ୍ରକୁ ଉପଲକ୍ଷ୍ୟ କରି ଆତଯାତ ଶବ୍ଦ ପ୍ରୟୋଗ କରାଯାଇଛି । 

“କେ ଊର୍ଦ୍ଧ୍ୱ ବାହୁ ଟେକି ଶୂନ୍ୟେ
 ରହିଲେ ପଵନ ଆପ୍ୟାନେ।”
ଆପ୍ୟାନ ଶବ୍ଦଟି ଏଠାରେ ପାନ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । ଏହା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ପୂର୍ଵେ ସାହିତ୍ୟରେ ବହୁଳ ଭାବରେ ଵ୍ୟଵହାର କରାଯାଉଥିଲା । 

“ଜଗତ କଲେ ଉତ୍ତାପନ,
ସାଧୁମାନେ ପାନ୍ତି କଷଣ ॥”

ସଂସ୍କୃତ ଭାଷାରେ ଉତ୍ତାପନର ଅର୍ଥ ତତାଇଵା,ଉଷୁମାଇଵା କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦକୁ ଲକ୍ଷଣାର୍ଥ ପ୍ରପୀଡ଼ିତ ଅର୍ଥରେ ଏଠାରେ ପ୍ରୟୋଗ କରାଯାଇଛି । 

“ପୃଥ୍ୱୀର ଅନ୍ଧକାର ଦେଖି,
ସେ ଜ୍ୟୋତି ବ୍ରହ୍ମ ଉପଲେଖି ।
ତପନ କଲେ ଉପଗତ,
କଲେ ତାହାକୁ ତେଜଵନ୍ତ।”

ଓଡ଼ିଆ ଭାଷାରେ ଉପଲେଖିଵା ଶବ୍ଦର ଦୁଇଗୋଟି ଅର୍ଥ ଅଛି । ଉପେକ୍ଷା ମୂଳର ଉପଲେଖିଵା ଶବ୍ଦର ଅର୍ଥ ତ୍ୟାଗ କରିଵା କିନ୍ତୁ ଏଠାରେ ଉପଲକ୍ଷ ମୂଳର ଉପଲେଖିଵା ଶବ୍ଦକୁ ଲକ୍ଷ୍ୟ କରିଵା ଵା ଉପଲକ୍ଷ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । 

କଵି ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟର ଆଉ କେତେକ ପଦ ନିମ୍ନରେ ପ୍ରଦତ୍ତ ହେଲା...
 
“ପୃଥିଵୀ କରି ଏକକାର,
ବ୍ରହ୍ମ ଆନନ୍ଦେ ଦିନ ହର।”

“ଅନନ୍ତ ଏ ବିଚାର କରି,
ଅକ୍ଷରେ ମୁଖରୁ ଉଦ୍ଗାରି ।
ଓମ ଅକ୍ଷର ଉଦେ କଲେ,
ତହିଁରୁ ସିଦ୍ଧି ପ୍ରକାଶିଲେ ॥”

“ଅଭ୍ୟାସ କରି ଯୋଗବଳ,
ଭେଦିଵ କାଉଁରିମଣ୍ଡଳ ॥”

“ଜୀଵ ପରମ କର୍ମ କରେ 
ସେ କର୍ମ ଫଳ କ୍ଷରେ ବଳେ ।”

”ଆତ୍ମା ବ୍ରହ୍ମର ଗଛାଗଛି 
ବାନ୍ଧି ଥୋଇଲା ପ୍ରାୟେ ଅଛି ॥”

ମାଳି ଜାତିରେ ଜନ୍ମ ଲଭିଥିଵା ଶ୍ରୀଚୈତନ୍ୟ ଦାସଙ୍କ ଭଳି କଵି ସତରଶହ ଶତାବ୍ଦୀରେ ନିର୍ଗୁଣ ମହାତ୍ମ୍ୟ ପରି ଅମୂଲ୍ୟ କାଵ୍ୟ ରଚନା କରିଵା ସ୍ପଷ୍ଟ କରେ ଯେ ତିନିଶହ ଵର୍ଷ ତଳେ ଓଡ଼ିଶାର ପଶ୍ଚିମର ଭାଷା ଓଡ଼ିଆ ଥିଲା ଏଵଂ ଓଡ଼ିଶାରେ ଯେକୌଣସି ଜାତିର କଵି କାଵ୍ୟ ରଚନା କରିପାରୁଥିଲେ । ଯେଉଁମାନେ ଓଡ଼ିଆ ଶୈଳୀ ଓ ଜାତି ଵିଶେଷ ଆଧାରରେ ଓଡ଼ିଶା ମାଟି, ଓଡ଼ିଆ ଭାଷା ତଥା ଓଡ଼ିଆ ସମାଜକୁ ବାଣ୍ଟି ଦେଵାକୁ ନାନା ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ଶ୍ରୀଚୈତନ୍ୟ ଦାସଙ୍କ ଭଳି ସାହିତ୍ୟ ସାଧକ ଓ ତାଙ୍କ ଜୀଵନୀ ଯୋଗୁଁ ସହଜରେ ଧରା ପଡ଼ିଯାଆନ୍ତି । 





Sunday, September 10, 2023

•କିଛି ଝିଅ ଓ ମହିଳାମାନଙ୍କର ନିଶ-ଦାଢ଼ି କାହିଁକି ଉଠିଥାଏ ?•

Hirsutism କାରଣରୁ କିଛି ଝିଅଙ୍କ ମୁହଁରେ ଦାଢ଼ି ଓ ନିଶ ଭଳି କେଶ ଉଠିଥାଏ । ସାଧାରଣତଃ ପୁରୁଷମାନଙ୍କର ମୁଖମଣ୍ଡଳ, ଛାତି ଓ ପିଠି ଭଳି ସ୍ଥାନରେ ଅଧିକ ପରିମାଣରେ କେଶ ବୃଦ୍ଧି ହୁଏ । ଉଲ୍ଲେଖଯୋଗ୍ୟ ଯେ ମହିଳାମାନଙ୍କ କ୍ଷେତ୍ରରେ ନିଶ ଓ ଦାଢ଼ି ଭଳି ଅତିରିକ୍ତ କେଶ ରହିଵା ସ୍ୱାସ୍ଥ୍ୟ ସମସ୍ୟାକୁ ସୂଚିତ କରେ ନାହିଁ, କାରଣ କେତେକ ମହିଳାଙ୍କର ସ୍ୱାଭାଵିକ ଭାଵରେ ଅନ୍ୟମାନଙ୍କ ତୁଳନାରେ ଅଧିକ କେଶ ବୃଦ୍ଧି ହୋଇଥାଏ ।

ମହିଳାଙ୍କ କ୍ଷେତ୍ରରେ Hirsutismର ପ୍ରାଥମିକ କାରଣ ହେଉଛି ଆଣ୍ଡ୍ରୋଜେନ୍‌ର ମାତ୍ରାରେ ବୃଦ୍ଧି, ଯାହା କି ପୁରୁଷ ଯୌନ ହରମୋନ୍ ଅଟେ । ମହିଳାଙ୍କଠାରେ ଵିଭିନ୍ନ କାରଣରୁ Hirsutism ବୃଦ୍ଧି ହୋଇପାରେ, ଯଥା:

କ. Polycystic ovary syndrome (PCOS) ଵା ପିସିଓଏସ୍ ଏକ ସାଧାରଣ ହରମୋନ୍ ଵ୍ୟାଧି ଯାହା ପ୍ରଜନନ ଵୟସର ମହିଳାମାନଙ୍କୁ ପ୍ରଭାଵିତ କରେ । ଏହା ଦ୍ୱାରା ଆଣ୍ଡ୍ରୋଜେନ ଉତ୍ପାଦନ ବୃଦ୍ଧି ପାଇପାରେ, ଯାହାଫଳରେ Hirsutism ହୋଇଥାଏ ।

ଖ. Genetics ଵା ଆନୁବଂଶିକ କାରଣରୁ କେତେକ ମହିଳାଙ୍କର Hirsutism ବୃଦ୍ଧିର ଆନୁବଂଶିକ ପ୍ରଵୃତ୍ତି ଥାଇପାରେ, ଅର୍ଥାତ୍ ବଂଶାନୁକ୍ରମିକ କାରଣରୁ ସେମାନଙ୍କ ମୁହଁରେ ଅଧିକ କେଶ ଵିକଶିତ ହେଵାର ସମ୍ଭାଵନା ଥାଏ ।

ଗ.କେତେକ ନିର୍ଦ୍ଦିଷ୍ଟ Medications ଔଷଧ ଯେପରିକି ଆନାବୋଲିକ୍ ଷ୍ଟେରଏଡ୍ କିମ୍ବା ହର୍ମୋନ୍ ସମ୍ବନ୍ଧୀୟ ଔଷଧ ଵ୍ୟଵହାର ଯୋଗୁଁ, ପାର୍ଶ୍ୱ ପ୍ରତିକ୍ରିୟା ଘଟି ମହିଳାଙ୍କର Hirsutism ବୃଦ୍ଧି ଘଟିପାରେ ।

ଘ.ହରମୋନ ଅସନ୍ତୁଳନ କାରଣରୁ ମଧ୍ୟ ମହିଳାଙ୍କର ନିଶ ଦାଢ଼ି ଉଠିଥାଏ । ପିସିଓଏସ ସହିତ ଅସମ୍ପୃକ୍ତ ଅନ୍ୟ ଜାତୀୟ ହରମୋନ ଅସନ୍ତୁଳନ, ଯେପରିକି ଆଡ୍ରେନାଲ ଗ୍ରନ୍ଥି ରୋଗ କିମ୍ବା ଥାଇରଏଡ ସମସ୍ୟା ମଧ୍ୟ ମହିଳାମାନଙ୍କର Hirsutism ବୃଦ୍ଧି ଘଟାଇପାରେ ‌ ।

ଙ.କେତେକ କ୍ଷେତ୍ରରେ ମହିଳାମାନଙ୍କର ମୁଖ ଓ ଶରୀରର ଅନ୍ୟ ଭାଗରେ ଅତ୍ୟଧିକ କେଶ ବୃଦ୍ଧିର କାରଣ ଅଜ୍ଞାତ ରହିଗଲେ ଵା ଜଣା ନପଡ଼ିଲେ ସେହିପ୍ରକାରର ସମସ୍ୟାକୁ 
 Idiopathic hirsutism କୁହାଯାଏ ।

କିଛି ଝିଅଙ୍କର ନିଶ ଓ ଦାଢ଼ି ବଢ଼ିଵା ଯୋଗୁଁ ବାହାଘର ହୋଇପାରେ ନାହିଁ । କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ସମାଜରେ ମଧ୍ୟ ମୁଖମଣ୍ଡଳରେ କେଶ ଉଠୁଥିଵା ଝିଅ ଓ ମହିଳାମାନେ ଅନ୍ୟ ଲୋକଙ୍କ ଦ୍ଵାରା ହାସ୍ୟରୋଳର ଶିକାର ହୁଅନ୍ତି । 

ତେବେ କୌଣସି ମହିଳାଙ୍କ ପାଇଁ ଯଦି ମୁହଁରେ ଅତ୍ୟଧିକ କେଶ ବୃଦ୍ଧି ଏକ ଚିନ୍ତାର ଵିଷୟ ହୋଇପଡ଼େ ତାହେଲେ ସେ ଅଭିଜ୍ଞ ଚିକିତ୍ସକ କିମ୍ବା ଚର୍ମ ରୋଗ ଵିଶେଷଜ୍ଞଙ୍କର ପରାମର୍ଶ ନେଇପାରନ୍ତି । ଏ ସମସ୍ୟାର ସମାଧନ ପାଇଁ ଚିକିତ୍ସକମାନେ ପ୍ରଥମେ ପିଡ଼ିତ ଵ୍ୟକ୍ତିର ସ୍ଵାସ୍ଥ୍ୟ ଇତିହାସର ମୂଲ୍ୟାଙ୍କନ କରନ୍ତି ତାପରେ ଆଵଶ୍ୟକ ସ୍ଵାସ୍ଥ୍ୟ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଵିକଳ୍ପର ପରାମର୍ଶ ଦିଅନ୍ତି । hirsutismର ଚିକିତ୍ସାରେ ହର୍ମୋନ୍‌ର ସ୍ତର ନିୟନ୍ତ୍ରଣ କରିଵା ପାଇଁ ନିର୍ଦ୍ଦିଷ୍ଟ ଔଷଧ, ଲେଜର କେଶ ଅପସାରଣ, କିମ୍ବା ଅନ୍ୟାନ୍ୟ କେଶ ଅପସାରଣ କୌଶଳ ରହିଛି । 

ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ପ୍ରଚଳିତ ଵୈଜ୍ଞାନିକ ଶବ୍ଦ Hirsutismର 'ପୁଂଵତରୋମତା' ବୋଲି ଏକ ସର୍ଵଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ ସୃଷ୍ଟି କରାଯାଇଛି । ତେବେ ଏ ସମସ୍ୟା ଆଜିର ନୁହେଁ । ବହୁ ପ୍ରାଚୀନ କାଳରୁ ଏହା ଜନସମାଜରେ ରହିଥିଲା । କେତେକ ପ୍ରାଚୀନ ଓଡ଼ିଆ ଓ ସର୍ଵଭାରତୀୟ ଶବ୍ଦ ଏହାର ପ୍ରମାଣ ସ୍ଵରୂପ ପ୍ରଦାନ କରାଯାଇପାରେ । ଓଡ଼ିଶାରେ ସାଧାରଣତଃ ମୁଖମଣ୍ଡଳରେ ନିଶ ଦାଢ଼ି ଉଠୁଥିଵା ଝିଅକୁ ନିଶେଇ କୁହାଯାଏ । ଆଗେ ପୋଟା ଶବ୍ଦ ଏହି ଅର୍ଥରେ ପ୍ରୟୋଗ କରାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ସମାର୍ଥକ ପୋଟା ଶବ୍ଦର ଦୁଇଗୋଟି ଅର୍ଥ ଏଠାରେ ଉଲ୍ଲେଖଯୋଗ୍ୟ । ପ୍ରଥମତଃ ପୁରୁଷଲକ୍ଷଣଯୁକ୍ତା ସ୍ତ୍ରୀ; ପୁଂସଲକ୍ଷଣା ସ୍ତ୍ରୀ ଵା ଯେଉଁ ସ୍ତ୍ରୀର ସ୍ତନ ନ ଥାଇ ଦାଢି ଆଦି ଥାଏତାକୁ ପୋଟା କୁହାଯାଏ ବୋଲି ଭାଷାକୋଷରେ କୁହାଯାଇଛି ।

କୋଟିବ୍ରହ୍ମାଣ୍ଡ ସୁନ୍ଦରୀରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଅର୍ଥରେ ପୋଟା ଶବ୍ଦ ପ୍ରୟୋଗ କରିଛନ୍ତି ବୋଲି ଭାଷାକୋଷରେ ଉଦାହରଣ ଭାବେ ପ୍ରଦତ୍ତ ହୋଇଛି । 

“ସଙ୍ଗତିରେ ଆଗତ ତା ପୋଟା ଗୋଟାଏ ବୀର ସନ୍ନିକଟ ହୋଇ ପ୍ରକଟ ହୁଏ”( ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।)

ପୁଣି ସ୍ତ୍ରୀଲକ୍ଷଣଯୁକ୍ତ ପୁରୁଷକୁ ମଧ୍ୟ ପୋଟା କୁହାଯାଏ । ଓଡ଼ିଆ ଦେଶଜ ଭାବେ ଯେଉଁ ଵ୍ୟକ୍ତିର ପେଟ ଆଦିର ମାଂସର ପୁଟି ଝୁଲୁ ଥାଏ ତାକୁ ମଧ୍ୟ ପୋଟା କୁହାଯାଏ । 

ଏ ଧରଣର ଆଉ ଏକ ଶବ୍ଦ ହେଉଛି ନରମାନିକା ! ନରଚିହ୍ନଧାରିଣୀ ସ୍ତ୍ରୀ ଵା ଯେଉଁ ସ୍ତ୍ରୀଠାରେ ଶ୍ମଶ୍ରୁ ଆଦି ପୁରୁଷ ଚିହ୍ନ ଲକ୍ଷିତ ହୁଏ ତାକୁ ନରମାନିକା କୁହାଯାଏ । 

ଏ ଧରଣର ଆଉ କୌଣସି ଶବ୍ଦ ଥିଲେ ଜଣାନ୍ତୁ । 
•••••••••••••••••••••••••••
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ
(ଶିଶିର ସାହୁ ମନୋଜ— କନ୍ତିଓ ପୁଟସାହି, ଢେଙ୍କାନାଳ)
•••••••••••••••••••••••••••


 



●ଆମର ଆରମ୍ଭ ଓ ଅନ୍ତ କେଉଁଠି?●

୧୯୧୮ ମସିହାରେ ଆମେରିକାରେ ଜନ୍ମଗ୍ରହଣ କରିଥିଵା ରବର୍ଟ ୱାଡଲୋ ୮ ଫୁଟ ୧୧ ଇଞ୍ଚ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ଭାବେ ଇତିହାସରେ ସବୁଠାରୁ ଲମ୍ବା ଵ୍ୟକ୍ତି ଥିଲେ । ଆମେ କେତେ ଲମ୍ବା ହୋଇପାରିଵା ତାହା ଆମର ଜିନ୍‌ସ ଓ ଅଙ୍ଗଗୁଡ଼ିକର କ୍ଷମତା ଉପରେ ନିର୍ଭର କରେ । ସମସ୍ତ ଵିଷୟକୁ ଧ୍ୟାନରେ ରଖି କହିଲେ ଜଣେ ଵ୍ୟକ୍ତି ସର୍ଵାଧିକ ୮-୯ ଫୁଟ୍ ଡେଙ୍ଗା ହୋଇପାରିଵା ହିଁ ସମ୍ଭଵ । କିନ୍ତୁ କାହିଁକି ? 

କାରଣ ଯଦି କୌଣସି ଵ୍ୟକ୍ତିର ଆକାର ୧୦ ଗୁଣ ବୃଦ୍ଧି ପାଇଥାଏ, ତା'ହେଲେ ତା'ର ଆୟତନ ୧୦୦ ଗୁଣ ଏବଂ ଘନଫଳ ପରିମାଣ ୧୦୦୦ ଗୁଣ ବୃଦ୍ଧି ପାଇଵ । ଆମ ଅସ୍ଥି ଓ ହୃତପିଣ୍ଡରେ ଏତେ କ୍ଷମତା ନାହିଁ ଯେ ସେ ଏହି ଭାରକୁ ସହ୍ୟ କରି ଶରୀରର ସଞ୍ଚାଳଣ କରିପାରିଵ । ଏତେ ଦୀର୍ଘକାୟ ଓ ଵିଶାଳ ଶରୀର ପାଇଁ ବଡ଼ ହୃତପିଣ୍ଡ ଏଵଂ ଅଧିକ ଶକ୍ତିଶାଳୀ ଅସ୍ଥି ଆଵଶ୍ୟକ ହେଵ ଅନ୍ୟଥା ସେ ମନୁଷ୍ୟ ଠିକ୍‌ରେ ଛିଡ଼ା ହୋଇପାରିଵ ନାହିଁ କି ଚାଲି ପାରିଵ ନାହିଁ ପୁଣି ତାହାର ହୃତପିଣ୍ଡରେ ରକ୍ତ ସଞ୍ଚାଳନ ମଧ୍ୟ ସୁଧାରୁ ରୂପେ ହୋଇ ପାରିଵ ନାହିଁ । ତେଣୁ ସାଧାରଣତଃ ସର୍ଵାଧିକ ସାଢ଼େ ସାତ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ହିଁ ସୁସ୍ଥ ଜୀଵନ ଯାପନ କରିପାରନ୍ତି । ଜଣେ ଦୀର୍ଘକାୟ ଵ୍ୟକ୍ତି ଐତିହାସିକ ଭାଵରେ କେବେ ବି ଦୀର୍ଘ ଓ ସୁସ୍ଥ ଜୀଵନ ବିତାଇ ନାହାନ୍ତି । ଏହା ଆମ ମନୁଷ୍ୟମାନଙ୍କର ଜୈଵିକ ଆକାରର ସୀମା ଅଟେ । ମାନଵ ଶରୀରର ଭୌତିକ ସୀମା ଵିଷୟରେ ଆଲୋଚନା ସମୟରେ ଶରୀରରୁ ଉତ୍ପନ୍ନ ଗନ୍ଧ ଓ ସ୍ଵରାଦି ଅନ୍ୟାନ୍ୟ ଉପାଦାନ ଉପରେ ବି ଆଲୋଚନା କରାଯାଇପାରେ ।  

ଜଣେ ମନୁଷ୍ୟ ୩୦ ସେଣ୍ଟିମିଟର ଦୂରରୁ ଚିତ୍କାର କରି ମାପିଲେ ସର୍ଵାଧିକ ୮୮ ଡେସିବେଲ ତୀଵ୍ରତାର ଶବ୍ଦ ଉତ୍ପନ୍ନ କରିପାରେ । ଏହି ଶବ୍ଦ ପୃଥିଵୀର ବାୟୁମଣ୍ଡଳରେ ଗତି କରୁଥିବା ଅନ୍ୟ ଅଣୁ ସହିତ ଧକ୍କା ଖାଇ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଶକ୍ତି ହରାଇଵା ପରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ । ମୋ ବାପା ମୋର ଜନ୍ମଠାରୁ ପଚିଶ ଵର୍ଷ ପର୍ଯ୍ୟନ୍ତ ପ୍ରତିଦିନ ପାହାନ୍ତା ଓ ରାତି ନଅଟା ବେଳେ ଦୋକାନ ଖୋଲିଵା ଓ ବନ୍ଦ କରିଵା ସମୟରେ ବଡ଼ ପାଟିରେ "ଜୟ ଶ୍ରୀରାମ" ଉଦ୍ଘୋଷ କରୁଥିଲେ ଯାହା ଆମ କନ୍ତିଓ ଗ୍ରାମର ସମୀପଵର୍ତ୍ତୀ ପୁଟସାହି,ଜକା,ଜୁଲଙ୍ଗ,କୁସୁମଯୋଡି଼,କନ୍ତିଓ କାଟେଣୀ,ଖୁଣ୍ଟବାଟି ଓ ବେଳେବେଳେ ପଣ୍ଡୁଆ ପର୍ଯ୍ୟନ୍ତ ଶୁଣାଯାଉଥିଵାର ଅନେକ ଥର ଲୋକେ ଆସି ଜଣାଇଛନ୍ତି । ତେଣୁ ମନୁଷ୍ୟର ଡାକ ଅଧିକତମ ପାଞ୍ଚ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ଏଵଂ ଏହା ଆମ୍ଭମାନଙ୍କର ସ୍ୱରର ସୀମା ଅଟଇ ।

ଏବେ ଆସନ୍ତୁ ଆମ୍ଭମାନଙ୍କ ଶରୀରର “କୌଣିକ ଆମାପ(angular size)”
ଵିଷୟରେ ଆଲୋଚନା କରିଵା । ଯଦି ଜଣେ ମନୁଷ୍ୟର ଉଚ୍ଚତା ୬ ଫୁଟ ଏଵଂ ସେ ସିଧା ରେଖାରେ ଚାଲିଵା ସମୟରେ ତା'ର ବନ୍ଧୁଙ୍କଠାରୁ ଦୂରେଇ ଯାଉଥାଏ, ତେବେ ପ୍ରାୟ ୪.୮ କିଲୋମିଟର ପରେ ସେ ଲୋକଟି ତାହାର ବନ୍ଧୁଙ୍କୁ ଆଉ ଦେଖି ପାରିଵ ନାହିଁ। କାରଣ ପୃଥିଵୀ ଗୋଲାକାର ଏଵଂ ଯେତେବେଳେ ଲୋକଟି ଏକ ସରଳରେଖାରେ ଯାଉଥିଲା, ସେ ସେତେବେଳେ ପ୍ରକୃତରେ ଗଡ଼ାଣିଆ ଢାଲୁ ଆଡ଼କୁ ଗତି କରୁଥିଲା । ପୃଥିବୀର ଵକ୍ରତା(Curvature) ହେତୁ ୬ ଫୁଟ ଲମ୍ବଵିଷିଷ୍ଟ ଦ୍ରଵ୍ୟର ପ୍ରାନ୍ତଵୃତ୍ତି(Horizon) ମାତ୍ର ୪.୮ କିଲୋମିଟର ଦୂର ହିଁ ହୋଇଥାଏ। 

କିନ୍ତୁ ଧରନ୍ତୁ ପ୍ରୋକ୍ତ ଲୋକଟି ପୃଥିଵୀପୃଷ୍ଠରେ ଚାଲିଵା ପରିଵର୍ତ୍ତେ ଆକାଶରେ ଉପରକୁ ଆହୁରି ଉପରକୁ ଯାଉଥିଵ, ଏ ପରିସ୍ଥିତିରେ କ'ଣ ହେଵ ?

ତାହେଲେ ଆକାଶରେ ୧୫ କିଲୋମିଟର ଦୂରକୁ ଯିଵା ପରେ ଲୋକଟିକୁ ତା ସାଙ୍ଗ ଆଉ ତଳେ ରହି ଦେଖି ପାରିଵ ନାହିଁ । କାରଣ ସର୍ଵୋତ୍ତମ ପରିସ୍ଥିତିରେ ମଣିଷ ଆଖି ସର୍ଵନିମ୍ନ ୦.୨ ଆର୍କ ସେକେଣ୍ଡର କୋଣ ଚିହ୍ନଟ(angle detect) କରିଵାରେ ସକ୍ଷମ ହୋଇଥାଏ । ଏହି ଆଧାରରେ ୬ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତିର ମାନଵୀୟ ଚକ୍ଷୁର ଦୃଶ୍ୟମାନତା ସୀମା ମାତ୍ର ୧୫ କିଲୋମିଟର ହୋଇଥାଏ ଏଵଂ ଏହା ତାହାର ଆକାଶରେ ଦୃଶ୍ୟ ହେଵାର “କୌଣିକ ଆମାପ(angular size)” ସୀମା ଅଟେ । 

ଏବେ ଚାଲନ୍ତୁ ଦେଖିଵା ଓ ଶୁଣିଵା ଵିଷୟରେ ଆଲୋଚନା ପରେ ଗନ୍ଧ ପ୍ରସଙ୍ଗକୁ ଆସିଵା । ଆଘ୍ରାଣ ଵିଷୟରେ ଆପଣଙ୍କର ଧାରଣା କ'ଣ ? ଗନ୍ଧ ଵିଷୟରେ କହିଵାକୁ ଗଲେ, Bloodhound ଜାତିର କୁକୁର ମନୁଷ୍ୟମାନଙ୍କ ଶରୀରର ଗନ୍ଧକୁ ୧୮ କିଲୋମିଟର ଦୂରରୁ ବାରି ପାରନ୍ତି । ସେହିପରି ଭାଲୁ ଭଳି ପ୍ରାଣୀ ମଣିଷଙ୍କ ଶରୀରସ୍ଥ ଗନ୍ଧକୁ ୩୦ କିଲୋମିଟର ଦୂରରୁ ମଧ୍ୟ ବାରି ଦେଇପାରେ । ଏହା ହେଉଛି ଆମ୍ଭମାନଙ୍କ ଗନ୍ଧର ପରିସର ସୀମା ।

ପୃଥିଵୀର ଵାୟୁମଣ୍ଡଳ ଵା ଜୀଵଵିଜ୍ଞାନ ସମ୍ବନ୍ଧୀୟ କାରଣ ଯୋଗୁଁ ଆମ୍ଭମାନଙ୍କର ଭୌତିକ ଶରୀରର ସମସ୍ତ କ୍ଷମତା ପରିସର ସୀମିତ । ତେବେ ମନ ଊଣା କରନ୍ତୁ ନାହିଁ। କାରଣ ଆମ୍ଭମାନଙ୍କ ଶରୀରରେ ଏମିତି ଗୋଟିଏ ଦରଵ ଅଛି ଯାହା ଆମ୍ଭ ଶରୀରର ହିଁ ଅଂଶ ଅଟେ ଏଵଂ ଏହାର ଯାତ୍ରାକୁ ଅଟକାଇ ପାରୁଥିଵା ପ୍ରତିବନ୍ଧକ ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ଆଵିଷ୍କୃତ ହୋଇନାହିଁ । 


ଯେତେବେଳେ ବି କୌଣସି ପ୍ରାଣୁ(ପ୍ରୋଟୋନ୍) ସହିତ ଏକ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍‌)ର ଧକ୍କା ହୁଏ, ସେତେବେଳେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍), ପରମାଣୁର କକ୍ଷପଥ ମଧ୍ୟରେ ଏକ ଉଚ୍ଚସ୍ତରୀୟ କକ୍ଷପଥକୁ ସ୍ଥାନାନ୍ତରିତ ହୁଏ । ତା'ପରେ କିଛି ସମୟ ପରେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍) ତା'ର ପୂର୍ଵ ଅଵସ୍ଥାକୁ ଫେରିଵା ସହ ଏକ ହାଲୁକା କଣିକା ଅର୍ଥାତ୍ 'ଭାଣୁ'(Photon) ମୁକ୍ତ କରିଥାଏ । ସୌଭାଗ୍ୟଵଶତଃ ମାନଵ ଶରୀର ମଧ୍ୟ ନିରନ୍ତର ଆଲୋକ କଣିକା ଉତ୍ପାଦନ କରିଥାଏ । ତେବେ ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପ୍ରତି ମୁହୂର୍ତ୍ତରେ ସବୁଜଗୃହ ବାଷ୍ପ(Greenhouse gases)ଗୁଡ଼ିକ ଦ୍ୱାରା ଅଵଶୋଷିତ ହୋଇଯାଆନ୍ତି । ତଥାପି ଆମ୍ଭମାନଙ୍କ ଶରୀରରୁ ପ୍ରତିକ୍ଷଣରେ ଲକ୍ଷ ଲକ୍ଷ ଭାଣୁ(ଫୋଟନ୍) ବାହାରିଥାଏ । ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପୃଥିଵୀର ସୀମା ଅତିକ୍ରମ କରି ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯାଆନ୍ତି । ଏହି ଯାତ୍ରା ଥରେ ଆରମ୍ଭ ହେଲାପରେ ଭାଣୁ(ଫୋଟନ୍)ଗୁଡ଼ିକ ପାଖରେ କୋଉଠି ଠାକିଵା-ଲାଖିଵାର କୌଣସି କାରଣ ରହିଯାଏ ନାହିଁ । 

ବ୍ରହ୍ମାଣ୍ଡର ଅମାପ ଗଭୀରତା ମଧ୍ୟରେ ଗତି କରୁଥିଵା ଆମ୍ଭମାନଙ୍କ ଶରୀରର ଏହି ଭାଣୁ ଵା ଫୋଟନ୍ ଅନନ୍ତକାଳ ପର୍ଯ୍ୟନ୍ତ ଅନଵରତ ଯାତ୍ରା କରି ଚାଲିଥିବେ । କେ ଜାଣେ ହୁଏତ ଦିନେ ଏହି ଯାତ୍ରା ଭାଣୁ(ଫୋଟନ)ଗୁଡ଼ିକୁ ବ୍ରହ୍ମାଣ୍ଡର ସୀମା ବାହାରେ ଥିଵା ଅଜଣା ଅଶୁଣା ଅକୁହା ସ୍ଥାନରେ ନେଇ ପହଞ୍ଚେଇ ଦେଵ, ଯେଉଁଠାରେ ପହଞ୍ଚିଵାର ଆଶା ଆକାଂକ୍ଷା ଯୁଗଯୁଗ ଧରି ମଣିଷର ରୋମାଞ୍ଚକର କଳ୍ପନାରେ ରହି ଆସିଛି । 

ତେଣୁ ଜୀଵବିଜ୍ଞାନ ସମ୍ବନ୍ଧୀୟ ବନ୍ଧନ କାରଣରୁ ଆମ୍ଭମାନଙ୍କ ଶାରୀରିକ ଆକାରର ପରିସର ସୀମିତ । ପୃଥିଵୀର ଅଵସ୍ଥା ହେତୁ ଆମ୍ଭମାନଙ୍କର ସ୍ୱର, ଗନ୍ଧ ଏଵଂ ଦୃଶ୍ୟମାନତାର ପରିସର ମଧ୍ୟ ସୀମିତ ।
କିନ୍ତୁ ଆମ୍ଭମାନଙ୍କର ଜୀଵନର ଶକ୍ତି, ଆମ୍ଭ ଜୀଵନର ଆଲୋକ ହେଉଛି ଏକମାତ୍ର ଦରଵ ଯାହା ଆମ୍ଭମାନଙ୍କର ପରିସରକୁ ଅସୀମ ଏଵଂ ଅସ୍ତିତ୍ୱକୁ ଅନନ୍ତକାଳ ପାଇଁ ଅମର କରିଥାଏ । 

ହଁ ଆମର ନିଜସ୍ୱ ପ୍ରକାଶ ଭାଣୁ ଵା Photon ଯୋଗୁଁ ଆମେ ଏ ବ୍ରହ୍ମାଣ୍ଡରେ ଅସୀମିତ ଆକାର ଲାଭ କରି ଵ୍ୟାପିଯାଆନ୍ତି ଏଵଂ ଅନନ୍ତକାଳ ପର୍ଯ୍ୟନ୍ତ ଅମର ହୋଇଯାଆନ୍ତି । 

ତେଣୁ ସବୁବେଳେ ହସୁଥାଆନ୍ତୁ ଓ ହସାଉଥାଆନ୍ତୁ ଏଵଂ ନିଜ ଜୀଵନର ଆଲୋକ ଚାରିଆଡ଼େ ବାଣ୍ଟୁଥାଆନ୍ତୁ । 

(ଵି.ଦ୍ର :- ଲେଖାଟି ପ୍ରସିଦ୍ଧ ଵିଜ୍ଞାନ ଶିକ୍ଷାଵିଦ୍ Michael Stevensଙ୍କ ଭାଷଣରୁ ପ୍ରେରିତ । ତିନି ଵର୍ଷ ତଳେ ଏହି ଲେଖାଟି ଅନ୍ତର୍ଜାଲରୁ ପାଇଥିଲି ତେବେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଭାଵରେ ପଡ଼ିରହିଥିଲା । ଏଇ ତିନି ଦିନ ତଳେ ଏହାର ଅନୁଵାଦ ସମ୍ପୂର୍ଣ୍ଣ ହୋଇଅଛି ‌। କେତେକ ଵୈଜ୍ଞାନିକ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ଲେଖାରେ ପ୍ରଦତ୍ତ ହୋଇଅଛି ‌। )

Friday, September 8, 2023

•ପାଚଣ,ପାଞ୍ଚଣ ଓ ପ୍ରାଜଣ : କ୍ରମଶଃ ହଜିଵାକୁ ବସିଥିଵା ଏକ ଦେଶୀୟ ଦରଵ•


ପାଚଣ ଵା ପାଞ୍ଚଣ ଏକ ଜାତୀୟ ଛାଟ । ଏହା ସାହାଯ୍ୟରେ ଗୋରୁଙ୍କୁ ଅଡ଼ାନ୍ତି । ନବେ ଦଶକରେ ଗୁରୁମାନେ ଅମାନିଆ ପିଲାଙ୍କୁ ମଧ୍ୟ ପାଞ୍ଚଣରେ ପ୍ରହାର କରୁଥିଲେ । ସେ ଯୁଗ ଅପସରି ଯାଇଛି । ଏ ଏକଵିଂଶ ଯୁଗରେ ଚାଟମାନେ ପାଞ୍ଚଣ ପାଇଗଲେ ଅଵଧାନମାନଙ୍କୁ ଵିଦ୍ୟାଳୟରେ ଗୋଡ଼ାଇ ଗୋଡ଼ାଇ ପିଟିବେ ସିନା ଅଵଧାନେ ତାଙ୍କ ଦିହରେ ଟିପ ସୁଦ୍ଧା ଲଗାଇ ପାରିବେ ନାହିଁ । 

ଏ ଯୁଗରେ ଗୋରୁଙ୍କୁ ବି ପାଞ୍ଚଣ ଧରି ଅଡ଼େଇଵାକୁ ଅନେକେ ଭୟ ପାଉଛନ୍ତି। କେଜାଣି କେହି ରକ୍ଷକ ବାଟରେ କୋଉଠି ଭେଟିଗଲେ ଓଲଟା ଗୋରୁ ଅଡ଼ାଉଥିଵା ପାଚଣଧାରୀକୁ ତାହାରି ପାଞ୍ଚଣରେ ପିଟି ପିଟି ସାବାଡ଼ କରିନଦଵ ବୋଲି କିଏ କହିପାରିଵ ?

ତେଣୁ ଇଏ ପାଚଣ ଵା ପାଞ୍ଚଣର ଯୁଗ ହେଇ ଆଉ ନାହିଁ । କିଛି ଵର୍ଷ ପରେ ହୁଏତ ଏ ଦରଵ ବି ଆମ ସମାଜରେ ନଥିଵ । ସେତେବେଳେ ଲୋକେ ପାଞ୍ଚଣ ବୋଲି କିଛି ଗୋଟାଏ ଥିଲା ତାହା ଜାଣିଵାକୁ ସଂଗ୍ରାହାଳୟରେ ଦେଖି ଆସିବେ । 

ତେବେ ଆଗେ ପାଚଣ ଵା ପାଞ୍ଚଣର ମହତ ଥିଲା । ପିଲାଏ ପାଞ୍ଚଣକୁ ଭୟ ମିଶ୍ରିତ ଭକ୍ତି କରୁଥିଲେ । ପାଞ୍ଚଣ ଦେଖିଲେ ଅନେକ ପିଲାଙ୍କ ଟିପେଇ ଓଦା ହୋଇ ଯାଉଥିଲା କାହାର କାହାର ତ ଡରରେ ଠିଆ ଠିଆ ଦୀର୍ଘଶଙ୍କା ହୋଇଯାଉଥିଲା । 

ଛାଟ,ବାଡ଼ି ଓ ପାଞ୍ଚଣ ମଧ୍ୟରେ କେତେକ ପ୍ରଭେଦ ରହିଛି । ଛାଟ ଓ ବାଡ଼ି ଯେକୌଣସି ଗଛର ପତଳା,ଲମ୍ବା ଓ ସଳଖ ଡାଳରେ କରାଯାଇପାରେ । କିନ୍ତୁ ପାଞ୍ଚଣ କେତେ ନିର୍ଦ୍ଧିଷ୍ଟ ଶକ୍ତ କାଠଗଛଳ ପତଳା ଓ ଲମ୍ବା ଡାଳରେ କରାଯାଏ । ଛାଟ ଓ ବାଡ଼ିରେ ପିଟିଲା ବେଳେ ହୁଏତ ତାହା ଭାଙ୍ଗିଯାଇପାରେ କିନ୍ତୁ ପାଞ୍ଚଣ ସହଜରେ ଭାଙ୍ଗେ ନାହିଁ । ଛାଟ ଓ ବାଡ଼ି ଦିନେ ଦୁଇ ଦିନ ମଧ୍ୟରେ ବଦଳେ କିନ୍ତୁ ପାଞ୍ଚଣ ଅନେକ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗେ । 
ଵ୍ୟଵହାରକାରୀ ଵ୍ୟକ୍ତି ଓ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚଣର ଆକାର ଓ ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ଗୋରୁଙ୍କୁ ଅଡ଼ାଇଵା ପାଇଁ କେହି କେହି ଅପେକ୍ଷାକୃତ ମୋଟ ଓ ଲମ୍ବା ପାଞ୍ଚଣ ଵ୍ୟଵହାର କରିଥାନ୍ତି । 

ଏ ଶବ୍ଦ ପ୍ରାକୃତ ଭାଷାରେ ପଵଯଣ ଵା ପ୍ରଵଜଣ ରୂପ ଚଳୁଥିଲା ,ପାଲି ଭାଷାରେ ପାଚଣ ରୂପରେ ମଧ୍ୟ ପ୍ରଚଳିତ ଥିଲା । ସଂସ୍କୃତ ଭାଷାରେ ସେହିପରି ପ୍ରାଜନ ଶବ୍ଦ ସମାର୍ଥରେ ଚଳୁଥିଲା । ଅହମିଆର 'ପାଞ୍ଚନି ଓ ପାଚନ୍',ବଙ୍ଗାଳୀର 'ପାଁଚନ୍',ହିନ୍ଦୀର 'ପାଚନୀ',ପଞ୍ଜାବୀର 'ପରେନ ଓ ପରାଇଣ',ମରାଠୀର 'ପରାଣୀ ତଥା ଗୁଜରାଟୀର 'ପରାଣୋ' ଇତ୍ୟାଦି ଶବ୍ଦଗୁଡି଼କ ସଗୋତ୍ରୀୟ ତଥା ସମାର୍ଥବୋଧକ । ଏ ସମସ୍ତ ଶବ୍ଦ ପାଞ୍ଚଣ ଅର୍ଥରେ ପ୍ରୟୋଗ କରାଯାଏ । 

ପ୍ର ଉପସର୍ଗରେ ଅଜ୍ ଧାତୁ ପ୍ରୟୋଗ ପୂର୍ଵକ ଅନ୍ ପ୍ରତ୍ୟୟ ଯୁକ୍ତ ହୋଇ ପ୍ରାଜନ ଶବ୍ଦ ନିଷ୍ପନ୍ନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ପ୍ରାଜନ ଶବ୍ଦର ଦୁଇଗୋଟି ଅର୍ଥ ହେଲା ପଶୁଚାଳନ ଦଣ୍ଡ ଵା ପାଞ୍ଚଣ ବାଡ଼ି ଓ ଅଡ଼ାଇଵା । 

ଆଜକୁ ପାଞ୍ଚଶହ ଵର୍ଷ ତଳେ ଗଞ୍ଜାମର ପ୍ରାଚୀନ କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ଉଭୟ ପାଚଣ ଓ ପାଞ୍ଚଣ ଶବ୍ଦ ପ୍ରୟୋଗ କରିଛନ୍ତି ...

“ହସ୍ତେ ମାତ୍ର ପାଞ୍ଚଣ ବାଡ଼ି ଧରିଥିଲେ ଭୀଷ୍ମଙ୍କୁ ମାରିବାକୁ ଉଦ୍ଦେଶି ଧାଇଁଲେ ॥” (କୃଷ୍ଣସିଂହ, ମହାଭାରତ, ଆଦିପର୍ଵ)

×××××××××××

“ଅତି ଚଞ୍ଚଳ ତ ଅଟନ୍ତି ସେ ଘୋଡ଼ାଏ ପାଚଣ ବାଡ଼ି ବାଜନ୍ତେ ତ ତାଙ୍କ କାୟେ ॥” (କୃଷ୍ଣସିଂହ. ମହାଭାରତ. ଦ୍ରୋଣପର୍ଵ)


“ଵେଦ ପଢ଼ି ଦ୍ୱିଜେ ଲଙ୍ଗଳ କଣ୍ଟି ଧରି
ବଳଦ ବାହିଲେ ପାଚଣ ବାଡ଼ି ଧରି।” (କୃଷ୍ଣସିଂହ, ମହାଭାରତ, ଶାନ୍ତିପର୍ଵ)

ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଶକ୍ତ ଛାଟକୁ ପାଚଣ,ପାଞ୍ଚଣ,ପାଚନ,ପାଁଚନ୍ ଇତ୍ୟାଦି କୁହାଯାଏ ।‌ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀ ଭାଷାରେ ଗୋରୁ ଅଡ଼ାଇଵା ପାଇଁ ଵ୍ୟଵହୃତ ବାଡ଼ିକୁ Goad କୁହନ୍ତି । 
ସାରା ଓଡ଼ିଶାରେ ଅଞ୍ଚଳ ଭେଦରେ ଓ ଆକାର ପ୍ରକାର ଦୃଷ୍ଟିରୁ ଭିନ୍ନ ଭିନ୍ନ ଯଷ୍ଟିଗୁଡ଼ିକର ନାନା ନାମ ଚଳୁଅଛି ଯଥା :- ଟିମ୍ପଣି,ପହିଆ,ବାଡ଼ି,ଠେଙ୍ଗିଣି,ଗେଡ଼ା,ଛଡ଼ ଵା ଛଡ଼ି,ବେତ,ଡାଙ୍ଗ,ଦଣ୍ଡା(ଡଣ୍ଡା),ନଉଡ଼ି,
ନଳ ଓ ନାଦି ଇତ୍ୟାଦି ଇତ୍ୟାଦି...

ଅନେକ ଗ୍ରାମାଞ୍ଚଳରେ ଆଉ ଲୋକେ ଗାଈ ଗୋରୁ କରୁନାହାନ୍ତି କି ବଳଦ ଦ୍ଵାରା ଚାଷ ହେଉନାହିଁ । ଆଜିକାଲି ବଳଦ ଓ ଶଗଡ଼ର ସ୍ଥାନ ଟ୍ରାକ୍ଟର ନେଇ ଯାଇଛି ଫଳତଃ କୃଷକକୁ ଆଉ ପାଞ୍ଚଣ ଲୋଡ଼ା ପଡ଼ୁନାହିଁ । ଵିଦ୍ୟାଳୟରେ ମଧ୍ୟ ପିଲାଙ୍କୁ ଶିକ୍ଷକ ଦ୍ଵାରା ବେତ୍ରାଘାତ କରାଯିଵା ପ୍ରଥା ଉଠାଇ ଦିଆଯାଇଛି ଫଳରେ ସେଠାରେ ମଧ୍ୟ ପାଞ୍ଚଣ,ଛାଟ ଓ ବେତ ଆଦି ଲୋଡ଼ା ପଡୁ଼ନାହିଁ ‌। ତେଣୁ ଏକଦା କୃଷକ ଓ ଶିକ୍ଷକଙ୍କ ଦୈନନ୍ଦିନ ଜୀଵନର ଏକ ଅତ୍ୟାଵଶ୍ୟକ ଵସ୍ତୁ ଥିଵା ପାଞ୍ଚଣ ,ଛାଟ ଆଦି ଆଜି ଅଲୋଡ଼ା ହୋଇଯାଇଛି କହିଲେ ଭୁଲ୍ ହେଵ ନାହିଁ । 

Thursday, September 7, 2023

•ଭାରତ ଓ ଇଣ୍ଡିଆ : ଵିଶ୍ଵରେ ଭାରତର ପରିଚୟ•


ଭାରତ ଓ india ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଅଛି । ପ୍ରଥମତଃ ନିରୁକ୍ତି ଦୃଷ୍ଟିରୁ India ଗୋଟିଏ ସାଧାରଣ ନାମ କିନ୍ତୁ ଭାରତ ଏକ ଵୈଜ୍ଞାନିକ ନାମ । ଭାରତର India ନାମଟି ଵିଦେଶୀମାନେ ରଖିଛନ୍ତି କିନ୍ତୁ ଭାରତୀୟମାନେ ନିଜେ ନିଜ ଦେଶର ନାମ ଭାରତ ରଖିଥିଲେ । ଵିଭିନ୍ନ ଭାରତୀୟ ଭାଷାର ପ୍ରାଚୀନ ସାହିତ୍ୟରେ ଭାରତର ‘ଭାରତ’ ନାମ ହିଁ ଦେଖିଵାକୁ ମିଳେ । କିନ୍ତୁ କୌଣସି ଭାଷାର ପ୍ରାଚୀନ ଭାରତୀୟ ସାହିତ୍ୟରେ ଇଣ୍ଡିଆ ଶବ୍ଦ ଦେଖିଵାକୁ ମିଳେ ନାହିଁ । 

ଭାରତର İndia ନାମ ପ୍ରଥମେ ଗ୍ରୀକ୍ ଆକ୍ରାନ୍ତାମାନେ ଉତ୍ତର ଭାରତଵର୍ଷର କିଛି ଅଂଶ ଵିଜୟ ପରେ ରଖିଥିଲେ । ପରେ ଇଂରେଜ,ଫ୍ରେଞ୍ଚ୍ ,ଡଚ୍,
ଓନ୍ଦଲାଜ୍ ଓ ପର୍ତ୍ତୁଗୀଜ୍ ଆଦି ଖିରସ୍ତାନୀ ଆକ୍ରାନ୍ତାମାନେ ଭାରତରେ ଅତ୍ୟାଚାର,ଲୁଣ୍ଠନ ଓ ହତ୍ୟାକାଣ୍ଡ ଚଳାଇ ପୁଣି ସେହି ପୁରୁଣା ପରାଧୀନର ସନ୍ତକ ଇଣ୍ଡିଆକୁ ଏ ଦେଶର ନାଆଁ କରି ଥୋଇ ଦେଲେ । ମାତ୍ର ଭାରତ ନାମଟି ଭାରତୀୟମାନଙ୍କର ସ୍ଵାଧୀନତାର ପରିଚୟ । ପ୍ରାଚୀନ ଭାରତୀୟମାନେ ବହୁତ ଭାବି ଚିନ୍ତି ନିଜ ଦେଶର ନାମ ଭାରତ ରଖିଥିଲେ । India କେମିତି ଏକ ସାଧାରଣ ନାମ ଓ ଭାରତ କିପରି ଗୋଟିଏ ଅସାଧାରଣ ନାମ ଏ ପ୍ରଶ୍ନର ଉତ୍ତର ଉଭୟ ଶବ୍ଦର ଵ୍ୟୁତ୍ପତ୍ତି ଓ ନିରୁକ୍ତି ମଧ୍ୟରେ ଲୁଚି ରହିଛି । 

ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସର୍ଵପ୍ରଥମେ ଗ୍ରୀକ୍‌ମାନେ ଭାରତ ଉପରେ ଆକ୍ରମଣ କରିଥିଲେ । ଯେତେବେଳେ ଗ୍ରୀକ୍‌ମାନେ ଭାରତଵର୍ଷର ଉତ୍ତର ଭାଗକୁ ଆକ୍ରମଣ କଲେ ସେମାନେ ମୁଖ୍ୟତଃ ସିନ୍ଧୁ ନଦୀ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳକୁ ଅଧିକାର କରିଥିଲେ । ମହାନ ଆଲେକଜାଣ୍ଡାର ବି ଏହି ଅଞ୍ଚଳ ପର୍ଯ୍ୟନ୍ତ ଆସି ରୋଗିଣା ହୋଇ ପଳାୟନ କରିଥିଲେ । ସେତେବେଳେ ପାରସ୍ୟର ଲୋକେ ସିନ୍ଧୁନଦୀ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିଵା ଲୋକଙ୍କୁ 𐏃𐎡𐎯𐎢𐏁(hindūš) କହୁଥିଲେ ।
ଏହି ପ୍ରାଚୀନ ପାରସ୍ୟ ଶବ୍ଦର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ ରୂପ *síndʰuš(ନଦୀ/ସାଗର) ଥିଲା । ଅର୍ଥାତ୍ ମୂଳ ସିନ୍ଧୁ ଶବ୍ଦଟି ପାରସ୍ୟରେ କ୍ରମେ ହିନ୍ଦୁସ୍ ରୂପେ ପ୍ରଚଳିତ ଥିଲା । ଗ୍ରୀକ୍ ଆକ୍ରାନ୍ତାମାନେ ସେହି ପାରସ୍ୟ ହିନ୍ଦୁସ୍ ଶବ୍ଦକୁ ସାମାନ୍ୟ ପରିଵର୍ତ୍ତନ କରି Ἰνδόςକହିଲେ ତଥା ସିନ୍ଧୁ ନଦୀର ନାମ Indós ଓ ସେ ନଦୀ ପ୍ରଵାହିତ ଅଞ୍ଚଳକୁ Ἰνδία(Indía) ନାମ ଦେଲେ । ଏହି ଗ୍ରୀକ୍ Ἰνδία(Indía) ଶବ୍ଦଟି ପରେ ଲାଟିନ୍ ଭାଷାରେ india ରୂପେ ପ୍ରଚଳିତ ହେଲା ।

ଗ୍ରୀକ୍‌ମାନେ ସେତେବେଳେ ଭାରତରେ ଆସି ଦେଖିଲେ ଏ ଦେଶରେ କେହି ବି ଦାସତ୍ଵର ଶିକୁଳିରେ ବନ୍ଧା ନୁହନ୍ତି ଵରଂ ମୁକ୍ତ ଭାବେ ଜୀଵନଯାପନ କରୁଛନ୍ତି। ଠିକ୍ ସେହି ସମୟରେ ୟୁରୋପ ଓ ଆରବ ଆଦି ଅଞ୍ଚଳରେ ଦାସତ୍ବପ୍ରଥା ଉତ୍କଟ ଥିଲା । ଏକଥାକୁ ସେତେବେଳେ Lucius Flavius Arrianus ତାଙ୍କର Anabasis Alexandri ପୁସ୍ତକରେ ଵର୍ଣ୍ଣନା କରିଥିଲେ । ମୂଳ ଗ୍ରୀକ୍ ଭାଷାରୁ AEdgar Iliff Robsonଙ୍କ ଦ୍ଵାରା ତହିଁର ଇଂରାଜୀ ଅନୁଵାଦ ଏହିପରି କରାଯାଇଛି...
❝This also is remarkable in India, that all Indians are free, and no Indian at all is a slave. In this the Indians agree with the Lacedaemonians. Yet the Lacedaemonians have Helots for slaves, who perform the duties of slaves; but the Indians have no slaves at all, much less is any Indian a slave.❞

ତେବେ ସେ ଯୁଗରେ ଭାରତୀୟମାନେ ଏ ଇଣ୍ଡିଆ ଶବ୍ଦ ସହିତ ସେତେ ପରିଚିତ ନଥିଲେ କିନ୍ତୁ ୟୁରୋପରେ ଏ ନାମ ଭାରତର ନାମ ଭାବେ ଵ୍ୟଵହୃତ ହେଵାକୁ ଲାଗିଲା । ରୋମାନ୍ ତଥା ଆରବୀମାନଙ୍କଠାରୁ ଭାରତର ଇଣ୍ଡିଆ ନାମ ପାଇ ତତ୍କାଳୀନ ଇଂରେଜମାନେ ଭାରତକୁ Indea କହୁଥିଲେ ଏଵଂ ଏ ଶବ୍ଦ ଶବ୍ଦ ଵ୍ଯଵହାର ସେତେବେଳେ ଅଧିକ ଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ଓ inde ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ବହୁତ ପରେ ପଞ୍ଚଦଶ ଶତାବ୍ଦୀ ବେଳକୁ ଇଂରାଜୀ ଭାଷାରେ ଲାଟିନ ଶବ୍ଦ indiaକୁ ହିଁ ଵ୍ୟଵହାର କରାଗଲା ଓ indie,inde ତଥା Indea ଇଂରାଜୀ ଭାଷାରେ ଅପ୍ରଚଳିତ ହୋଇଗଲା । ସେହି ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କର ପ୍ରଥମେ ପରିଚୟ ହୋଇଥିଲା । ପନ୍ଦରଶହରୁ ଷୋହଳଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଲାଟିନ୍ ଭାଷାର India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଵିଶ୍ଵରେ ଭାରତର ଏକ ନାମ ଭାବରେ ଜଣାଶୁଣା ହୋଇଗଲା । ପଞ୍ଚଦଶ ଶତାବ୍ଦୀରୁ ଏଯାଵତ୍ ଇଣ୍ଡିଆ ଶବ୍ଦ ପାଶ୍ଚାତ୍ୟଵାସୀ ଵିଭିନ୍ନ ଅର୍ଥରେ ପ୍ରୟୋଗ କରୁଅଛନ୍ତି । ପ୍ରଥମତଃ ଭାରତକୁ ଇଣ୍ଡିଆ କୁହାଯାଏ । ପାଶ୍ଚାତ୍ୟ ଦେଶଗୁଡି଼କରେ ମହିଳାମାନଙ୍କୁ ଇଣ୍ଡିଆ ନାମ ଦିଆଯାଏ । NATO phonetic alphabetରେ ❝I❞କୁ india କୁହାଯାଏ ।
ବୋଇତିଆ ଧ୍ଵଜାର ସାଂକେତିକ ଚିହ୍ନ ❝I❞କୁ ବି ଇଣ୍ଡିଆ କୁହନ୍ତି । Time zone UTC+09:00ର ଏକ ଆଧିକାରିକ ନାମ ଇଣ୍ଡିଆ ରଖାଯାଇଛି । ପୂର୍ଵେ ଆମେରିକାର ଲୋକେ ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟଙ୍କୁ Red Indian ଓ ବେଳେବେଳେ କେଵଳ indian କହୁଥିଲେ । 

ଵର୍ତ୍ତମାନ ଯୁଗରେ କିନ୍ତୁ ସିନ୍ଧୁନଦୀ ଓ ଏହାର ଉପତ୍ୟକା ତଥା ତ୍ରିକୋଣଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତରେ ନାହିଁ ଵରଂ ସେହି ଅଞ୍ଚଳ ଏବେ ପାକିସ୍ତାନ ନାମରେ ଜଣାଶୁଣା ହୋଇଛି । ଭାରତଵର୍ଷର ଶତାଧିକ ନଦୀ ମଧ୍ୟରେ ଗୋଟିଏ ନଦୀ ସିନ୍ଦୁନଦୀ ନାମରେ ଇଣ୍ଡିଆ ନାମକରଣ ହୋଇଥିଵାରୁ ଏହା ଏକ ସାଧାରଣ ନାମ ବୋଲି ସହଜେ ଅନୁମେୟ । 

କିନ୍ତୁ ଭାରତଵର୍ଷର ପୁରାତନ ଓ ମୌଳିକ ନାମ 'ଭାରତ' ନିରୁକ୍ତି ଦୃଷ୍ଟିରୁ ଏକ ଵୈଜ୍ଞାନିକ ନାମ କହିଲେ ଅତ୍ୟୁକ୍ତି ହେଵ ନାହିଁ । 

ଵିଷ୍ଣୁପୁରାଣର ଦ୍ଵିତୀୟ ଅଂଶ ତୃତୀୟ ଅଧ୍ୟାୟରେ ଭାରତ ଦେଶର ଵିସ୍ତୃତ ଵର୍ଣ୍ଣନା ହୋଇଅଛି । ତାହା ଏଠାରେ ନିମ୍ନରେ ପ୍ରଦତ୍ତ ହେଲା । 

❝ଉତ୍ତରଂ ଯତ୍ ସମୁଦ୍ରସ୍ଯ ହିମାଦ୍ରେଶ୍ଚୈଵ ଦକ୍ଷିଣମ୍ ।
ଵର୍ଷଂ ତଦ୍ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ॥
ନଵଯୋଜନସାହସ୍ରୋ ଵିସ୍ତାରୋଽସ୍ଯ ମହାମୁନେ ! । 
କର୍ମ୍ମଭୂମିରିୟଂ ସ୍ଵର୍ଗମପଵର୍ଗଞ୍ଚ ଗଚ୍ଛତାମ୍ ॥ ମହେନ୍ଦ୍ରୋ ମଳୟଃ ସହ୍ଯଃ ଶୁକ୍ତିମାନୃକ୍ଷପର୍ଵ୍ଵତଃ ।
ବିନ୍ଧ୍ଯଶ୍ଚ ପାରିପାତ୍ରଶ୍ଚ ସପ୍ତାତ୍ର କୁଳପର୍ଵ୍ଵତାଃ ॥
ଅତଃ ସଂପ୍ରାପ୍ଯତେ ସ୍ଵର୍ଗୋ ମୁକ୍ତିମସ୍ମାତ୍ ପ୍ରୟାନ୍ତି ଚ ।
ତିର୍ଯ୍ଯକ୍ତ୍ଵଂ ନରକଂ ଚାପି ଯାନ୍ତ୍ଯତଃ ପୁରୁଷା ମୁନେ ! ॥
ଇତଃ ସ୍ଵର୍ଗଶ୍ଚ ମୋକ୍ଷଶ୍ଚ ମଧ୍ଯଞ୍ଚାନ୍ତଶ୍ଚ ଗମ୍ଯତେ । 
ନ ଖଲ୍ଵନ୍ଯତ୍ର ମର୍ତ୍ଯାନାଂ କର୍ମ୍ମଭୂମୌ ଵିଧୀୟତେ ॥
ଭାରତସ୍ଯାସ୍ଯ ଵର୍ଷସ୍ଯ ନଵ ଭେଦାନ୍ନିଶାମୟ ।
ଇନ୍ଦ୍ରଦ୍ଵୀପଃ କଶେରୁଶ୍ଚ ତାମ୍ରପର୍ଣ୍ଣୋ ଗଭସ୍ତିମାନ୍ ॥
ନାଗଦ୍ଵୀପସ୍ତଥା ସୌମ୍ଯୋ ଗାନ୍ଧର୍ଵ୍ଵସ୍ତ୍ଵଥ ଵାରୁଣଃ ।
ଅୟନ୍ତୁ ନଵମସ୍ତେଷାଂ ଦ୍ଵୀପଃ ସାଗରସଂଵୃତଃ ॥
ଯୋଜନାନାଂ ସହସ୍ରନ୍ତୁ ଦ୍ବୀପୋଽଯଂ ଦକ୍ଷିଣୋତ୍ତରାତ୍ ।
ପୂର୍ବ୍ବେ କିରାତା ଯସ୍ଯାନ୍ତେ ପଶ୍ଚିମେ ଯଵନାଃ ସ୍ଥିତାଃ ॥
ବ୍ରାହ୍ମଣାଃ କ୍ଷତ୍ତ୍ରିୟା ଵୈଶ୍ଯା ମଧ୍ଯେ ଶୂଦ୍ରାଶ୍ଚ ଭାଗଶଃ ।
ଇଜ୍ଯାଯୁଦ୍ଧବଣିଜ୍ଯାଦ୍ଯୈର୍ଵ୍ଵର୍ତ୍ତୟନ୍ତୋ ଵ୍ଯଵସ୍ଥିତାଃ ॥
ଶତଦ୍ରୁଶ୍ଚନ୍ଦ୍ରଭାଗାଦ୍ଯା ହିମଵତ୍ପାଦନିଃସୃତାଃ । ଵେଦସ୍ମୃତିମୁଖାଶ୍ଚାନ୍ଯାଃ ପାରିପାତ୍ରୋଦ୍ଭଵା ମୁନେ ! ॥
ନର୍ମ୍ମଦାସୁରସାଦ୍ଯାଞ୍ଚ ନଦ୍ଯୋ ବିନ୍ଧ୍ଯଵିନିଃସୃତାଃ ।
ତାପୀ ପୟୋଷ୍ଣୀ ନିର୍ଵିନ୍ଧ୍ଯାପ୍ରମୁଖା ଋକ୍ଷସମ୍ଭଵାଃ ॥
ଗୋଦାଵରୀ ଭୀମରଥୀ କୃଷ୍ଣଵେଣ୍ଯାଦିକାସ୍ତଥା ।
ସହ୍ଯପାଦୋଦ୍ଭଵା ନଦ୍ଯଃ ସ୍ମୃତାଃ ପାପଭୟାପହାଃ ॥
କୃତମାଳା ତାମ୍ରପର୍ଣ୍ଣୀ ପ୍ରମୁଖା ମଳୟୋଦ୍ଭଵାଃ ।
ତ୍ରିସାମା ଋଷିକୁଲ୍ଯାଦ୍ଯା ମହେନ୍ଦ୍ରପ୍ରଭଵାଃ ସ୍ମୃତାଃ ॥
ଋଷିକୁଲ୍ଯା କୁମାର୍ଯ୍ଯାଦ୍ଯାଃ ଶୁକ୍ତିମତ୍ପାଦସମ୍ଭଵାଃ ।
ଆସାଂ ନଦ୍ଯୁପନଦ୍ଯଶ୍ଚ ସନ୍ତ୍ଯନ୍ଯାଶ୍ଚ ସହସ୍ରଶଃ ॥
ତାସ୍ଵିମେ କୁରୁପାଞ୍ଚାଳମଧ୍ଯଦେଶାଦୟୋ ଜନାଃ ।
ପୂର୍ବ୍ବଦେଶାଦିକାଶ୍ଚୈଵ କାମରୂପନିଵାସିନଃ ॥
ଓଡ୍ରାଃ କଳିଙ୍ଗା ମଗଧା ଦାକ୍ଷିଣାତ୍ଯାଶ୍ଚ କୃତ୍ସ୍ନଶଃ ।
ତଥାପରାନ୍ତାଃ ସୌରାଷ୍ଟ୍ରାଃ ଶୂରାଭୀରାସ୍ତଥାର୍ଵ୍ଵୁଦାଃ ॥
ମାରୁକା ମାଳଵାଶ୍ଚୈଵ ପାରିପାତ୍ରନିଵାସିନଃ ।
ସୌଵୀରାଃ ସୈନ୍ଧଵା ହୂଣାଃ ଶାଲ୍ଵାଃ ଶାକଳଵାସିନଃ ॥
ମଦ୍ରା ରାମାସ୍ତଥାମ୍ବଷ୍ଠାଃ ପାରସୀକାଦୟସ୍ତଥା ।
ଆସାଂ ପିବନ୍ତି ସଲିଳଂ ଵସନ୍ତି ସରିତାଂ ସଦା ॥
ସମୀପତୋ ମହାଭାଗ ! ହୃଷ୍ଟପୁଷ୍ଟଜନାକୁଳାଃ । 
ଚତ୍ଵାରି ଭାରତେ ଵର୍ଷେ ଯୁଗାନ୍ଯତ୍ର ମହାମୁନେ ! ॥ 
କୃତଂ ତ୍ରେତା ଦ୍ଵାପରଞ୍ଚ କଳିଶ୍ଚାନ୍ଯତ୍ର ନ କ୍ଵଚିତ୍ ।
ତପସ୍ତପ୍ଯନ୍ତି ଯତୟୋ ଜୁହ୍ଵତେ ଚାତ୍ର ଯଜ୍ଵିନଃ ॥
ଦାନାନି ଚାତ୍ର ଦୀୟନ୍ତେ ପରଲୋକାର୍ଥମାଦରାତ୍ ।
ପୁରୁଷୈର୍ଯଜ୍ଞପୁରୁଷୋ ଜମ୍ବୁଦ୍ବୀପେ ସଦେଜ୍ଯତେ ॥
ଯଜ୍ଞୈର୍ଯଜ୍ଞପତିର୍ଵିଷ୍ଣୁରନ୍ଯଦ୍ଵୀପେଷୁ ଚାନ୍ଯଥା ।
ତତ୍ରାପି ଭାରତଂ ଶ୍ରେଷ୍ଠଂ ଜମ୍ବୁଦ୍ଵୀପେ ମହାମୁନେ ! ॥ 
ଯତୋ ହି କର୍ମ୍ମଭୂରେଷା ତତୋଽନ୍ଯା ଭୋଗଭୂମୟଃ ।
ଅତ୍ର ଜନ୍ମସହସ୍ରାଣାଂ ସହସ୍ରୈରପି ସତ୍ତମ ! । 
କଦାଚିଲ୍ଲଭତେ ଜନ୍ତୁର୍ମାନୁଷ୍ଯଂ ପୁଣ୍ଯସଞ୍ଚୟାତ୍ ॥
ଗାୟନ୍ତି ଦେଵାଃ କିଳ ଗୀତକାନି ଧନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦମାର୍ଗଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ॥ କର୍ମ୍ମାଣ୍ଯସଙ୍କଳ୍ପିତତତ୍ଫଳାନି ସଂନ୍ଯସ୍ଯ ଵିଷ୍ଣୌ ପରମାତ୍ମରୂପେ । 
ଅଵାପ୍ଯ ତାଂ କର୍ମ୍ମମହୀମନନ୍ତେ ତସ୍ମିଲ୍ଲୟଂ ଯେ ତ୍ଵମଳାଃ ପ୍ରୟାନ୍ତି ॥ 
ଜାନୀମ ନୈତତ୍ କ୍ଵ ଵୟଂ ଵିଲୀନେ ସ୍ଵର୍ଗପ୍ରଦେ କର୍ମ୍ମଣି ଦେହବନ୍ଧମ୍ ।
ପ୍ରାପ୍ସ୍ଯାମ ଧନ୍ଯାଃ ଖଳୁ ତେ ମନୁଷ୍ଯା ଯେ ଭାରତେ ନେନ୍ଦ୍ରିୟଵିପ୍ରହୀନାଃ ॥
ନଵଵର୍ଷନ୍ତୁ ମୈତ୍ରେୟ ! ଜମ୍ବୁଦ୍ଵୀପମିଦଂ ମୟା ।
ଲକ୍ଷଯୋଜନଵିସ୍ତାରଂ ସଂକ୍ଷେପାତ୍ କଥିତଂ ତଵ ॥
ଜମ୍ବୂଦ୍ବୀପଂ ସମାଵୃତ୍ଯ ଲକ୍ଷଯୋଜନଵିସ୍ତରଃ ।
ମୈତ୍ରେୟ ! ଵଳୟାକାରଃ ସ୍ଥିତଃ କ୍ଷାରୋଦଧିର୍ବହିଃ ॥❞
(॥ଇତି ଶ୍ରୀଵିଷ୍ଣୁପୁରାଣେ ୨ ଅଂଶେ ୩ ଅଧ୍ୟାୟଃ॥)

ଏହି ସଂସ୍କୃତ ଶ୍ଳୋକଗୁଡ଼ିକରେ ସମ୍ପୂର୍ଣ୍ଣ ଭାରତଵର୍ଷର ସୀମା ଓ ଆୟତନ, ତହିଁର ଦେଶ , ମାନଵଗୋଷ୍ଠୀ,ପର୍ଵତ ଓ ନଦୀ ଆଦି ଵିଷୟରେ ଉଲ୍ଲେଖ ରହିଛି । ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ମହାସାଗର ପର୍ଯ୍ୟନ୍ତ 
ନଵଯୋଜନ ସହସ୍ର ଵିସ୍ତାର ଯୁକ୍ତ ଭାରତଵର୍ଷରେ ମହେନ୍ଦ୍ର, ମଳୟ, ସହ୍ଯ, ଶୁକ୍ତିମାନ,ଋକ୍ଷ,ବିନ୍ଧ୍ଯ ଓ ପାରିପାତ୍ର ଇତ୍ୟାଦି ସପ୍ତ କୁଳ ପର୍ଵତର ଉଲ୍ଲେଖ ମଧ୍ୟ କରାଯାଇଛି । ପୁଣି ଭାରତଵର୍ଷ ନଵ ଭାଗରେ ଵିଭକ୍ତ ଏଵଂ ସେହିସବୁ ଭୂଭାଗକୁ ଇନ୍ଦ୍ରଦ୍ଵୀପ, କଶେରୁ, ତାମ୍ରପର୍ଣ୍ଣ(ସିଂହଳ), ଗଭସ୍ତିମାନ, ନାଗଦ୍ଵୀପ, ସୌମ୍ଯ, ଗନ୍ଧର୍ଵ ଓ ଵାରୁଣ ବୋଲି ମଧ୍ୟ ଵିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି । ନର୍ମଦା,ତାପୀ,ଗୋଦାଵରୀ,ଭୀମରଥୀ,କୃଷ୍ଣାବେଣୀ,କୃତମାଳା,ତାମ୍ରପର୍ଣ୍ଣୀ ଓ ଋଷିକୂଲ୍ୟା ଆଦି ନଦୀଗୁଡ଼ିକର ନାମ ବି ଵର୍ଣ୍ଣିତ ହୋଇଛି । ଭାରତଵର୍ଷର ଏଭଳି ସୁନ୍ଦର ଵର୍ଣ୍ଣନା ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ ନାହିଁ । 

ପୃଥିଵୀର ସମସ୍ତ ପ୍ରାଚୀନ କଳା , ସଂସ୍କୃତି , ଭାଷା , ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ ଵିଷ୍ଣୁପୁରାଣରେ କୁହାଯାଇଛି-

❝ ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।❞ 
(ଵିଷ୍ଣୁ ପୁରାଣ(୨।୩।୨୪))

ଅର୍ଥାତ୍
❝ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ ଅପେକ୍ଷା) ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ସଂକ୍ଷେପରେ କହିଲେ ଭାରତରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।❞

ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ମନୁ ସ୍ମୃତିର ଦ୍ଵିତୀୟ ଅଧ୍ୟାୟରେ ଆଉ ପଦେ ଯୋଡା଼ଯାଇଛି―

❝ଏତ ଦେଶ ପ୍ରସୂତସ୍ଯ ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍ ପୃଥିଵ୍ଯାଂ ସର୍ଵ ମାନଵାଃ ।।❞

ଅର୍ଥାତ୍ 
❝ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।❞

ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।

ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ
Albert Einstein କହିଥିଲେ―
❝We owe a lot to the Indians, who taught us how to count, without which no worthwhile scientific discovery could have been made.❞
❨ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା❩

ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–

❝It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.❞
❨“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”❩

ଯଥାର୍ଥରେ ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି ।  
କେହି କେହି କୁହନ୍ତି ଭାରତ ଶବ୍ଦ 'ଭା ଧାତୁ'ରୁ ନିଷ୍ପନ୍ନ ହୋଇଛି । ସେମାନଙ୍କ ମତରେ
ଭା+ରତ=ଭାରତ । 'ଭା'ର ଅର୍ଥ ଜ୍ଞାନ ଆଉ 
ରତ ଶବ୍ଦର ଅର୍ଥ ଅନୁରକ୍ତ,ଲିପ୍ତ,ଆସକ୍ତ । ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି 
ଯଥା :- ନିଯୁକ୍ତ,ଵ୍ଯାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,ଆମୋଦ ପ୍ରମୋଦ, ଆସକ୍ତି ଇତ୍ୟାଦି । ଭାରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏହି ମତଵାଦୀମାନେ କୁହନ୍ତି ଯେ ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେ ଦେଶ ହେଉଛି ଭାରତ ! 

ତେବେ ପ୍ରକୃତରେ ଭା ଧାତୁର ଅର୍ଥ ଦିପ୍ତି ପାଇଵା ଅଟେ । କୌଣସି ଅଭିଧାନରେ ଭା ଶବ୍ଦର ଅର୍ଥ ଜ୍ଞାନ ବୋଲି ଉଲ୍ଲେଖ ହୋଇନାହିଁ । ଅଧିକାଂଶ ପୁରାତନ ଭାଷାକୋଷରେ ଭା ଧାତୁ ଶବ୍ଦର ଅର୍ଥ ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ । ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ ଦିପ୍ତି,ପ୍ରଭା,କିରଣ ଓ ଶୋଭା ବୋଲି ପ୍ରାୟ ସମସ୍ତ ଅଭିଧାନରେ ଲିଖିତ ଅଛି । 

ତେଣୁ ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ଵା ପ୍ରଭାର ଆସକ୍ତ ସେ ଦେଶର ନାମ ଭାରତ ଆଉ କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।

ପୌରାଣିକ ମତରେ ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି
କେତେକ ଭାଷାକୋଷ ଅନୁସାରେ ଭରତ ଓ ଅଣ୍[ଅ] ପ୍ରତ୍ୟୟ ଯୁକ୍ତ ହୋଇ ଭାରତ ଶବ୍ଦ ନିଷ୍ପନ୍ନ ହୋଇଅଛି। 

ପୁରାଣ କହେ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଭୂଭାଗ ହିଁ ଭାରତଵର୍ଷ ଅଟେ । ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିଵା ହେତୁରୁ ଏହାଙ୍କ ନାମାନୁସାରେ ଜମ୍ବୁଦ୍ଵୀପର ଏକ ଵର୍ଷର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।

ଭାରତ ଶବ୍ଦର ଅର୍ଥ କେଵଳ ଭାରତ ଦେଶ ନୁହେଁ ଵରଂ ଏ ଶବ୍ଦର ଆହୁରି ଅନେକ ଅର୍ଥ ଅଛି । ପ୍ରଥମତଃ ଭାରତ ଦେଶକୁ ଭାରତ କୁହାଯାଏ,ଭରତବଂଶୀମାନଙ୍କୁ ମଧ୍ୟ ଭାରତ କୁହାଯାଏ । ଭରତବଂଶୀ ହୋଇଥିଵାରୁ ଶ୍ରୀକୃଷ୍ଣ ଗୀତାରେ ଅନେକ ଥର ଅର୍ଜୁନଙ୍କୁ ଭାରତ ସମ୍ବୋଧନ କରିଛନ୍ତି । ସେହିପରି ଭରତଙ୍କ ତନୟମାନେ ଭାରତ ଵିଦିତ ହେଉଥିଲେ । ପୁଣି ଅଭିନେତା ଵା ନଟ,ଅଗ୍ନି, ଭରତମୁନୀଙ୍କ ଭରତଙ୍କ ସଂକଳିତ ସଙ୍ଗୀତ, ବାଦ୍ୟ ଓ ନାଟ୍ୟ ଵିଷୟକ ନାଟ୍ୟଶାସ୍ତ୍ରକୁ ଭାରତ କୁହାଯାଉଥିଲା । ବଟ୍ଟ,ବଟର ଵା ଲାଵପକ୍ଷୀ( Quail)ର ଏ ଶାସ୍ତ୍ରୀୟ ନାମ ଭାରତ ଅଟେ । ଵାକ୍(speech) ଓ ଵାକ୍‌ ଦେଵତାଙ୍କୁ ମଧ୍ୟ ଭାରତ କୁହାଯାଏ । ଏହା ଛଡ଼ା ସୂର୍ଯ୍ୟଙ୍କର ଦକ୍ଷିଣାୟନକୁ ଭାରତ କୁ଼ହାଯାଉଥିଲା । ଦେଶଜ ଶବ୍ଦ ଭାବେ ଭାରତ ଶବ୍ଦଟି ଭୀଷଣ ଯୁଦ୍ଧ,ଲମ୍ବା ଚଉଡ଼ା ଵିଵରଣ ଵା କଥା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । ଭାରତ ଶବ୍ଦର ଏହି ଦେଶଜ ଅର୍ଥଗୁଡ଼ିକ ମହାଭାରତ ଗ୍ରନ୍ଥ ଓ ମହାଭାରତ ଯୁଦ୍ଧ ଆଧାରରେ ପ୍ରଚଳିତ ହୋଇଅଛି ।‌ ଉଲ୍ଲେଖଯୋଗ୍ୟ ଯେ ମହାଭାରତ ଗ୍ରନ୍ଥକୁ କେଵଳ ଭାରତ ବି କୁହାଯାଏ ।‌ ମହାଭାରତ ଗ୍ରନ୍ଥକୁ କାହିଁକି ଭାରତ କୁହାଯାଏ ସେ ଵିଷୟରେ ସଂସ୍କୃତ କଳ୍ପଦ୍ରୁମ ଶବ୍ଦକୋଷରେ କୁହାଯାଇଛି ଯେ ମହାଭାରତ ମହାକାଵ୍ୟର ଭାରତ ନାମଟି ଭାରଂ ଶବ୍ଦରେ ତନ୍ ଓ ଙଃ(ଅ) ପ୍ରତ୍ୟୟ ଯୁକ୍ତ ହୋଇ ନିଷ୍ପନ୍ନ ହୋଇଅଛି । ସେଠାରେ ଏହାର 
ଵ୍ଯାଖ୍ୟା କରି କୁହାଯାଇଛି “ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି” ଅର୍ଥାତ୍ ଵେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ । ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । ହିନ୍ଦୀ ଶବ୍ଦ ସାଗର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟାକୁ ଆହୁରି ସହଜ ଭାଵେ ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଵା ଭାରଂ ଶବ୍ଦର ନିରୁକ୍ତି ହେଲା— ଭୃଧାତୁ+ଭାଵ.ଅ = ଭାର ।
ଭୃ ଧାତୁରୁ ଧାରଣ କରିଵା ଓ ପାଳନପୋଷଣ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।ଗୁରୁତ୍ୱ,ଗାମ୍ଭୀର୍ଯ୍ୟ,ସମୂହ,ଦାୟିତ୍ୱ ଓ ପରିମାଣ ଆଦି ଅର୍ଥରେ ଭାର ଵା ଭାରଂ ଶବ୍ଦ ପ୍ରୟୋଗ କରାଯାଏ । ତେବେ ଯଦି ଏହାକୁ ଭାରତ ନାମର ନିରୁକ୍ତି ଭାବେ ଗ୍ରହଣ କରାଯାଏ ତାହେଲେ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହହୋଇପାରିଵ । ଯଥା : “ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ଵହନ ପୂର୍ଵକ ସେମାନଙ୍କୁ ଅନ୍ନ,ଭୂମି ତଥା ପଵନ ଦେଇ ଲାଳନପାଳନ ପୋଷଣ କରିଛି ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...”! 

ବହୁ ପୁଣ୍ୟ କରିଥିଲେ କର୍ମଭୂମି ଭାରତଵର୍ଷରେ ପ୍ରାଣୀ ଜନ୍ମ ଲଭନ୍ତି ବୋଲି ବ୍ରହ୍ମଵୈଵର୍ତ୍ତପୁରାଣରେ ଏମନ୍ତ ଉଲ୍ଲେଖ ଅଛି...
❝ଶତଜନ୍ମତପଃ କୃତ୍ଵା ଜନ୍ମେଦଂ ଭାରତେ ଲଭେତ୍ ।
କରୋତି ସଫଳଂ ଜନ୍ମ ଶ୍ରୁତ୍ଵା ହରିକଥାମୃତମ୍ ॥
ଅର୍ଚ୍ଚନଂ ଵନ୍ଦନଂ ମନ୍ତ୍ରଜପଃ ସେଵନମେଵ ଚ । ସ୍ମରଣଂ କୀର୍ତ୍ତନଂ ଶଶ୍ଵଦ୍ଗୁଣଶ୍ରଵଣମୀପ୍ସିତମ୍ ॥ ନିଵେଦନଂ ସ୍ଵସ୍ଯ ଦାସ୍ଯଂ ନଵଧା ଭକ୍ତିଲକ୍ଷଣମ୍ ।
କରୋତି ସଫଳଂ ଜନ୍ମ କୃତ୍ଵୈତାନି ଚ ଭାରତେ ॥❞

ଭାରତ ଭଳି ଏକ ପଵିତ୍ର ଭୂମି ଏ ବ୍ରହ୍ମାଣ୍ଡରେ ଦୁର୍ଲଭ ବୋଲି ମଧ୍ୟ ସେହି ବ୍ରହ୍ମଵୈଵର୍ତ୍ତପୁରାଣରେ ଏପରି କୁହାଯାଇଛି 

❝କର୍ମ୍ମଣାଂ ଫଳଭୋଗଶ୍ଚ ସର୍ଵ୍ଵେଷାଂ ସୁରସୁନ୍ଦରି ! । 
ନୈଵ ସ୍ଵର୍ଗେ ନ ପାତାଳେ ନାନ୍ଯଦ୍ଵୀପେ ଶ୍ରୁତୌ ଶ୍ରୁତମ୍ ॥
କୃତ୍ଵା ଶୁଭାଶୁଭଂ କର୍ମ୍ମ ପୁଣ୍ଯକ୍ଷେତ୍ରେ ଚ ଭାରତେ ।
ଅନ୍ଯତ୍ର ତତ୍ଫଳଂ ଭୁଙ୍କ୍ତେ କର୍ମ୍ମୀ କର୍ମ୍ମନିବନ୍ଧନାତ୍ ॥
ହିମାଳୟାଦାସମୁଦ୍ରଂ ପୁଣ୍ଯକ୍ଷେତ୍ରଞ୍ଚ ଭାରତମ୍ । ଶ୍ରେଷ୍ଠଂ ସର୍ଵ୍ଵସ୍ଥଳାନାଞ୍ଚ ମୁନୀନାଞ୍ଚ ତପଃସ୍ଥଳମ୍ ॥ 
ଲବ୍ଧ୍ଵା ତତ୍ର ଜନ୍ମ ଜୀଵୋ ଵଞ୍ଚୋତୋ ଵିଷ୍ଣୁମାୟୟା । 
ଶଶ୍ଵତ୍ କରୋତି ଵିଷୟଂ ଵିହାୟ ସେଵନଂ ହରେଃ ॥
କୃତ୍ଵା ତତ୍ର ମହତ୍ ପୁଣ୍ଯଂ ସ୍ଵର୍ଗଂ ଗଚ୍ଛତି ପୁଣ୍ଯଵାନ୍ ।
ଗୃହୀତ୍ଵା ସ୍ଵର୍ଗକନ୍ଯାଶ୍ଚ ଚିରଂ ସ୍ଵର୍ଗେ ପ୍ରମୋଦତେ ॥
ସ୍ଵର୍ଗମାଗଚ୍ଛତି ନରୋ ଵିହାୟ ମାନଵୀଂ ତନୂମ୍ ॥❞ 

ତେବେ india ଓ ଭାରତ ଛଡ଼ା ଭାରତ ଦେଶର ପ୍ରାଚୀନ କାଳରୁ ଏଯାଵତ୍ ଅନେକ ନାମ ରଖାଯାଇଛି । 

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଭାରତର ହିନ୍ଦୁସ୍ଥାନ ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟାକୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

ଭାରତର ଆଉ ଏକ ପ୍ରାଚୀନ ନାମ ଆର୍ଯ୍ୟଵର୍ଷ ଅଟଇ । ଆର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଗୋଟିଏ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ପ୍ରାୟ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା,
ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।

 ପୁଣି ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ । 

ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି ‌‌। ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି । 

ଭାରତଵର୍ଷର ଆଉ ଦୁଇଗୋଟି ପ୍ରାଚୀନ ନାମ ହେଲା ଅଜନାଭଵର୍ଷ ଓ ନାଭି ଖଣ୍ଡ ।‌
ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଟି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା । ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତଵର୍ଷ ବୋଲି ପ୍ରସିଦ୍ଧ ହେଲା । 

ଏତଦଵ୍ୟତୀତ ଆମ ଦେଶକୁ ଆଗେ ନରଭୂ ଓ ନରଭୂମି ବି କୁହାଯାଉଥିଲା । ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ । 

କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।

ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି । 

ଭାରତଭୂମିର ଆଉ ତିନୋଟି ଶାସ୍ତ୍ରୀୟ ନାମ ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି ଅଟେ । 
ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ 
ନାହିଁ । ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ ‌ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ 
କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି । 

ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

ଭାରତ ଦେଶର ଯେତିକି ନାମ ଅଛି 
ପୃଥିଵୀର ଅନ୍ୟ କୌଣସି ଦେଶର ଏତେ ସଂଖ୍ୟକ ନାମ ଥିଵା ଜଣାଯାଏ ନାହିଁ ।  
ଇଣ୍ଡିଆ ନାମଟି ଵିଦେଶୀମାନେ ସିନ୍ଧୁନଦୀର ନାମାନୁସାରେ ଦେଇଥିଲେ ସେହି ସିନ୍ଧୁନଦୀର ଅନ୍ୟ ଏକ ପାରସ୍ୟ ନାମ ହିନ୍ଦୁ ଵା ହିନ୍ଦୁସ୍‌ରୁ ଭାରତର ନାମ ହିନ୍ଦୁସ୍ଥାନ ଓ ଭାରତୀୟ ସନାତନୀମାନଙ୍କର ନାମ ହିନ୍ଦୁ ହୋଇଅଛି ।‌ ହୁଏତ ପ୍ରାଚୀନ କାଳରେ ଭାରତ ନାମ ଭଳି ଭାରତଵର୍ଷରେ india ନାମଟି ସାହିତ୍ୟ ଓ ଗ୍ରନ୍ଥାଦିରେ ସେତେ ଵ୍ୟଵହୃତ ହୋଇନାହିଁ କିନ୍ତୁ ୟୁରୋପ,ଏସିଆ ଓ ଆଫ୍ରିକାର ଅନ୍ୟ ଅନେକ ଦେଶରେ ପ୍ରାୟ ଦୁଇ ହଜାର ଵର୍ଷରୁ ଏଯାଵତ୍ ଭାରତର ନାମ ଭାବେ india ହିଁ ଲୋକପ୍ରିୟ ହୋଇଅଛି । ଆରଵ ଦେଶର الْهِنْد‎(al-hind);
ଆର୍ମେନୀୟ ଭାଷାର Հնդիկք (Hndikkʿ) ଓ Հնդկաստան (Hndkastan); ଆଲବାନିଆର Indi;ଅମ୍ହାରିକ୍‌ରେ ህንድ (hənd),ଚୀନ ଦେଶର Йиндў (Yindw),印度 (Yin-thu),印度 (zh) (Yìndù),印度 (Éng-dô),印度 (Ìn-tō͘) ଓ 印度 (1in-du) ;କୋପ୍ଟିକ୍‌ର ϩⲉⲛⲧⲟⲩ (hentou);ଇଜିପ୍ଟିଅନର hndwꜣy ; ଜର୍ଜିଅନ୍‌ର ინდოეთი (indoeti) ; ହିବ୍ରୁର הודו / הֹדּוּ‎ (hódu) ;ଖମେର୍ ଭାଷାର ឥណ្ឌា (ʼəndiə) ଓ ឥណ្ឌៀ (ʼəndiə) ; କୋରିଆନ୍‌ର 인도(印度)(Indo); ମଙ୍ଗୋଲୀୟ ଭାଷାର ᠡᠨᠡᠳᠬᠡᠭ (enedkeg) ଓ ୟେଡିଶ୍ ଭାଷାର אינדיע‎ (indye) ଇତ୍ୟାଦି ନାମ ଏହି ଭାରତଵର୍ଷ ପାଇଁ ହଜାର ହଜାର ଵର୍ଷ ଧରି ଵ୍ୟଵହୃତ ହେଉଅଛି । ଆଜି ଯଦି ଆମେ ଏ ନାମ ଛାଡ଼ି ଦେଵା କାଲିକୁ ପାକିସ୍ତାନ ଏ ନାମ ଗ୍ରହଣ କରି ନିଜକୁ india ଅଭିହିତ କରିଵାକୁ ଲାଗିଵ । ଫଳରେ ଭାରତକୁ ଇଣ୍ଡିଆ ନାମରେ ଜାଣିଥିଵା ଲୋକେ ଭ୍ରମରେ ପାକିସ୍ତାନକୁ ଇଣ୍ଡିଆ ଭାବି ନେବେ । ଭାରତ ପାଇଁ ଇଣ୍ଡିଆ ନାମରେ ବୋଲା ଯାଇଥିଵା ସମସ୍ତ ଭଲ ମନ୍ତଵ୍ୟର ଶ୍ରେୟ ପାକିସ୍ତାନ ଓ ପାକିସ୍ଥାନୀ ନେଇଯିବେ । ଭାରତର india ଏକ ସାଧାରଣ ଓ ଵିଦେଶୀମାନଙ୍କ ଦ୍ଵାରା ପ୍ରଦତ୍ତ ନାମ ହୋଇପାରେ କିନ୍ତୁ ଏହା ଭାରତଵର୍ଷର ଏକ ମୁଖ୍ୟ ନଦୀ ସିନ୍ଧୁନଦୀ ତଥା ସନାତନୀମାନଙ୍କର ହିନ୍ଦୁ ନାମ ଆଧାରରେ ରଖାଯାଇଥିଵାରୁ ଏତେ ଘୃଣ୍ୟ ହୀନ ନୁହେଁ । ଅକ୍ସଫୋର୍ଡ୍ ଅଭିଧାନରେ ଶହେ ଦେଢ଼ ଶହ ଵର୍ଷ ତଳେ ଇଣ୍ଡିଆ ଶବ୍ଦର କୌଣସି ଘୃଣ୍ୟ ଅର୍ଥ 
ଯଦିଵା ଛପା ଯାଇଥାଏ ତାହା Red Indian ଵା ମୂଳ ଆମେରକୀୟମାନଙ୍କ ପାଇଁ ଛପା ଯାଇଥିଵ ଭାରତ କିମ୍ବା ଭାରତୀୟମାନଙ୍କ ପାଇଁ ନୁହେଁ । India ଶବ୍ଦର ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ ଏହା ଏକ ଅପମାନଜନକ ଘୃଣ୍ୟ ଶବ୍ଦ ଆଦୌ ନୁହେଁ ଵରଂ ସିନ୍ଧୁନଦୀ ଓ ହିନ୍ଦୁ ସନାତନୀଙ୍କ ନାମାନୁସାରେ ରଖାଯାଇଥିଵା ନାମ ବୋଲି ସ୍ପଷ୍ଟ ହୁଏ । ଅସ୍ତୁ ହୁଏତ india ନାମଟି ଭାରତର ଗୋଟିଏ ସାଧାରଣ ନାମ ହୋଇଥାଇପାରେ କିନ୍ତୁ ଭାରତର ଦୁଇ ସହସ୍ରାଧିକ ଵର୍ଷ ଧରି ଏକ ନାମ ହୋଇ ରହିଥିଵାରୁ ଏହା ସିଙ୍ଗିଡ଼ା ଭିତରେ ଆଳୁ ଭଳି ଭାରତ ସହିତ ଜଡ଼ିତ ହୋଇ ରହିଯାଇଛି । 
•••••••••••••••••••••••••••
ଶିଶିର ସାହୁ ମନୋଜ(କାମାକ୍ଷାନଗର, ଢେଙ୍କାନାଳ)
•••••••••••••••••••••••••••

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...