Saturday, September 2, 2023

•ପଣ୍ଡିତ ନୀଳକଣ୍ଠ(ଲେଖନୀଚିତ୍ର -୭)•

ପଣ୍ଡିତ ଆସନରେ ବସିଲେ ମଧ୍ୟ ସମସ୍ତେ ଯେ ପଣ୍ଡିତ ହୋଇ ପାରିବେ ନାହିଁ ତହିଁର ପ୍ରକୃଷ୍ଟ ଉଦାହରଣ ସାକ୍ଷାତ ଵିଶ୍ଵନାଥ ଦାସ । ଭାଷା ଜାଣନ୍ତି ବୋଲି ସେ ଯେତେ ବାହାରେ ଦେଖଇ ହୁଅନ୍ତୁ; “ଉପଯାଚନା’’ “ସୌନ୍ଦର୍ଯମୟ" ଆଦି ଯେତେ ନୂଆ ନୂଆ ଶବ୍ଦ ସେ ଗଢ଼ନ୍ତୁ; ଯେତେ ସହିତ୍ୟ କମିଟିରେ ସଭାପତି ହୁଅନ୍ତୁ; ଯେତେଥର ରେଭେନ୍ସା ଗାର୍ଲ ସ୍କୁଲ ଦେଖନ୍ତୁ ଵା ପ୍ରାଇଜ ସଭାରେ ଅଧକ୍ଷ ହୁଅନ୍ତୁ, ତଥାପି ସେ ପଣ୍ତିତ ନୁହନ୍ତି । କାରଣ, ତାଙ୍କର ପାଣ୍ଡିତ୍ୟ ନାହଁ । ଓଡ଼ିଶାରେ ଯେବେ କିଏ ପଣ୍ଡିତ ଥାନ୍ତି, ସେ କେଵଳ ପଣ୍ଡିତ ନୀଳକଣ୍ଠ ଦାସ । ସୁବୋଧ୍ୟକୁ ଅବୋଧ୍ୟ କରିଵାରେ ସରଳକୁ କାଠିନ୍ୟ କରିଵାରେ ସେହି କେଵଳ ସମର୍ଥ । 
ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଏ ଦରିଦ୍ର ଓଡ଼ିଶାର ଲାଳନପାଳନ କର୍ତ୍ତା ଵିଷ୍ଣୁ ବୋଲି ଯେବେ ଧରାଯିଵ ତାଙ୍କର ସହଦେଵତା ବ୍ରହ୍ମା ଓ ମହେଶ୍ଵରଙ୍କ ସ୍ଥାନପୂରଣ ପାଇଁ ପଣ୍ତିତ ନୀଳକଣ୍ଠ ନିଶ୍ଚୟ ମହେଶ୍ଵର ଵା ନୀଳକଣ୍ଠ ହେବେ । କାରଣ ସେ ସଂହାର କର୍ତ୍ତା । “ଯଥାବିର୍ଯ୍ୟା ସ୍ତଥାଙ୍କୁରାଃ” ବୋଲି ଯେ ପ୍ରଵଚନ ତାହା ପାଣିନିଙ୍କ ଭାଷାରେ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଚଷାର ଉକ୍ତି । କାର୍ଯ୍ୟ ନା ଭଷା ପେପର ମଧ୍ୟ ପୋଢେ ସେଥିରୁ ଏହି ପରି ଗଛ ଉଠେ । କାହିଁକି ନା ଚଷା ଯେପରି ମଞ୍ଜି ପୋତେ ସେଥିରୁ ସେହିପରି ଗଛ ଉଠେ । ଏ କଥାର ସତ୍ୟତା ଉତ୍କଳ ପାଣିନି ଦାସ ଅବତଂସ ପଣ୍ଡିତ ନୀଳକଣ୍ଠଙ୍କ ଜୀଵନରେ ପୁରା ପ୍ରତିପାଦିତ ହୋଇଛି। ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରଵାସୀ ଆନନ୍ଦ ଦାସ ଥରେ ଦେଖିଲେ ଯେ ପୋଖରୀରେ ଗୋଟେ ବଡ଼ ମାଛ ପହଁରୁଛି । ତାକୁ ଧରିଵାକୁ ଵ୍ୟାକୁଳ ହୋଇ ଅନ୍ଧ ଭାବରେ ମାଛ ଓ ତାଙ୍କ ଭିତରେ ଥିଵା ଵ୍ୟଵଧାନ କିଆ ବାଡ଼ ଡେଇଁ ଯେତେବେଳେ ପାଣିରେ ଲଥୋକିନା ପଡ଼ିଲେ ମାଛ ଵିଚରା ଚଡ଼କ ପଡ଼ିଲା ଭାବି ଚମ୍ପଟ ଦେଲା । ସାର ହେଲା, ଜୀଵନ ଵ୍ୟାପୀ ଆନନ୍ଦ ଦାସଙ୍କ ଅଣ୍ଟା ବାତ । 
ବାପାଙ୍କ ପରାଜୟର ପ୍ରତିହିଂସା ଵର୍ତ୍ତମାନ ନେଉଛନ୍ତି ସୁପୁତ୍ର ପଣ୍ଡିତ ନୀଳକଣ୍ଠ । ଗୋଟାଏ ସେରିକିଆ ମାଛ ପଳାଇ କେବେ ହୁଏତ ଆତ୍ମରକ୍ଷା କରିଥିଲା,କିନ୍ତୁ ପୁତ୍ର ପୌତ୍ରାଦି କ୍ରମେ ତାର ଲକ୍ଷ ଲକ୍ଷ ତିନି ସେରିଆ, ପାଞ୍ଚ ସେରିଆ ଉତ୍ତରାଧିକାରୀମାନେ ଦିନକେ ଗୋଟିଏ ଦୁଇଟା କରି ପଣ୍ଡିତ ନୀଳକଣ୍ଠଙ୍କ
ଗର୍ଭସାତ୍ ହେଉଛନ୍ତି । ‘Vendetta’ ଉପନ୍ୟାସରେ ପୁଅ ବାପ ପ୍ରତି ଅନ୍ୟାୟର ଯେ ପ୍ରତିହିଂସା ନେଇ ପାରି ନଥିଲା ତା ନେଉଛନ୍ତି ପଣ୍ଡିତ ନୀଳକଣ୍ଠ । ଭଲକଥା,
ସୁପୁତ୍ର ଜାତ ହେଲେ ଏହା ନ ହୋଇ ଆଉ କ’ଣ ହୁଅନ୍ତା । କିନ୍ତୁ ସ୍ବଳ୍ପ ପଣ୍ଡିତ ଗୋଦାଵରୀଶ ଓ ପଣ୍ଡିତମନ୍ୟ କୃଷକ ପ୍ରାଣ ଜମିଦାର ମହତାବ ଯେ ଦୁଇଟା ମାଛ ପାଲଟି ଗଲେ । ପଣ୍ଡିତ ନୀଳକଣ୍ଠ କେଵଳ ‘ମ’କାର ଚକିତ ହୋଇ ମାଛ, ମନୁଷ୍ୟ ପ୍ରଭେଦ ନରଖି କାର୍ଯ୍ୟ କରିଵାର ପଟୁତା ବେଶ୍ ଦେଖାଇଲେ । ସେଥିପାଇଁ ଲେକେ ତାଙ୍କୁ ନାମ ଦେଉଛନ୍ତି ଉତ୍କଳ ଦୁର୍ଵାସା । ଦୁର୍ଵାସାଙ୍କ ସମୟରେ ସ୍ଵହସ୍ତ ପ୍ରସାଦଶୀଳ ଜିଲେଟ୍ ଖୁର ବାହାରି ନଥିଲା । ଆଉ, ବୋଧହୁଏ ଏ ଗାଆଁ ଲୋକେ ସହସ୍ର ଵର୍ଷ ପୂର୍ଵେ ଶ୍ରୀରାମପୁରରେ ତାଙ୍କୁ ବାସନ୍ଦ କରି ରଖିଥିଲେ । ସେଥିପାଇଁ ଦୁର୍ଵାସାଙ୍କ ଦାଢ଼ି
ଶୀତ ଋତୁରେ ତାଙ୍କ ଆଣ୍ଠୁରେ ବାଜୁଥିଲା । ଯେପରିକି ‘ମୋ ନିଶ’ ରଚୟିତା ପଣ୍ଡିତ ନୀଳକଣ୍ଠଙ୍କ ଝୋଟ ରୂପୀ ସୁଶ୍ରୂ କ୍ରମେ ତାଙ୍କ ନାଭି ଡ଼େଇଁଵାକୁ ବସିଲାଣି ।

ପଣ୍ଡିତ ନୀଳକଣ୍ଠଙ୍କ ପେଟରେ ଵିଦ୍ୟାର ଉଗ୍ରତା ଯେତିକି ବେଶି ପାଟିରେ ନିଆଁ’ର ଉଗ୍ରତା ସେତିକି ଅଧିକ । କେହି କେହି ମନେ କରନ୍ତି ତାଙ୍କ ଦାଢ଼ି ମୂଳରେ ଗୋଟିଏ ରୁଲ୍ ବାଡ଼ି ଧରି ଦେଲେ ସେଥିରୁ ହଠାତ୍ ଆମର ଏ କାଗଜ ଖଣ୍ଡିକ ବାହାରି ପଡ଼ିଵ । ‘ନିଆଁଖୁଣ୍ଟା’ର ଯେପରି କାଟତି ହେଲାଣି ହୁଏତ ଦିନେ ମନ୍ତ୍ରୀଙ୍କ ଚପରାସି ରାଧାନାଥ ପଇସାକ ଜାଗାରେ ଚାରିପଇସା ଯାଚି ମଧ୍ୟ ‘ନିଆଁଝୁଣ୍ଟା’ ନପାଇ ଦାସଙ୍କ ବୁଲାବାଡ଼ି ଖଣ୍ଡ ଧରି ଧାଇଁ ଯିବେ ନଵଭାରତ ଅଫିସକୁ ପଣ୍ଡିତଙ୍କ ପାଟିଟା ଖୋଜିଵାକୁ ।

ପଣ୍ଡିତେ ସ୍ତ୍ରୀ ହୋଇଥିଲେ ଆମେ ତାଙ୍କୁ କୁହନ୍ତୁ ନାଗୁଣୀ ‌ କାରଣ, ସେ ଯଦୁ,ମଧୁ,ସୋହନ,ମୋହନ, ପ୍ରାଣନାଥ,ଵ୍ରଜନାଥ ଆଦି ଯେତେ ରାଜନୈତିକ ଛୁଆ ୧୯୩୭ ମସିହାର ଜନନ ଋତୁରେ ପ୍ରସଵ କଲେ ସମସ୍ତେ ଭୂଇଁରେ ପଡ଼ି ଫଣା ଟେକି ତାଙ୍କୁ ଦଂଶିଵାକୁ ଧାଇଁଲେ; ଯାହା ଫଳରେ ପଣ୍ଡିତଙ୍କ ରାଜନୀତି କ୍ଷେତ୍ରରୁ ପଳାଇଵା ବାଟରେ ଏଯାଏଁ ଦୁବ କଅଁଳି ନାହିଁ । ସେଥିପାଇଁ ପଣ୍ଡିତେ ପୂର୍ଵ ଜାଲ ଛିଣ୍ଡାଇ ମିଶ୍ର-ଦାସ ଆଦି ଅମିତ୍ରମାନଙ୍କୁ ମିତ୍ର କରି ରାଜନୀତି କ୍ଷେତ୍ର କର୍ଷଣରେ ଲାଗିଛନ୍ତି ।‌ ନିଜ ପାଣ୍ଡିତ୍ୟର ଖତ ଦେଉଛନ୍ତି। ‘ଲୋକମତ’ରେ ଚିନ୍ତାମଣିଙ୍କ ଦ୍ବାରା ପାଣି ତେଣ୍ଡାଉଛନ୍ତି । ମାତ୍ର ମଲା ଦୁବ କଅଁଳୁ ନାହିଁ । ହାଣ୍ଡି ହାଣ୍ଡି ପାଣି କାଶୀ ଅନୁଗ୍ରହ ପ୍ରାପ୍ତ ଵିଶ୍ଵନାଥଙ୍କ କୁହୁକରେ ବାଷ୍ପ ହୋଇ ଯାଉଛି । ଦାସେ ଶେଯରେ ଶୋଇ ଏକଡ଼ ସେକଡ଼ ଗଡ଼େଇ ତଡ଼େଇ ହେଉଛନ୍ତି । ତଥାପି ନିଦ୍ରା ଦେଵୀ ନୀମଚୌଡ଼ି ସାରୁ ଦୋକାନ ପାଖ ସ୍ଵଦେଶୀ ସର୍କିଟ ହାଉସର ଚନ୍ଦ୍ରଶାଳାରୁ ଓହ୍ଲାଇ ତାଙ୍କ ଆଖି ପତାକୁ ମୁହୂର୍ତ୍ତେ ଅନୁଗ୍ରହ କରୁ ନାହିଁ । ସେଥିପାଇଁ କଳାଦାଢ଼ି ଧଳା ହେଲାଣି ; ଧଳା ଦାନ୍ତ ପାନ ବୋଳରେ କଳା ପାଲଟିଲାଣି, ଖଦଡ଼ ଵସ୍ତ୍ର ପାନଛିଟାରେ ‘ଛିଟ’ ହେଵାକୁ ବସିଲାଣି; ଏଣିକି ଯାହା ଉପରେ କି ଦାଗ ସାଵ୍ୟସ୍ତ କରିଵା ନିମନ୍ତେ ଘର ଭିତରେ ହୁଏ ତ ପ୍ରତିଦିନ ସବଳା ଓ ଅବଳା ମଧ୍ୟରେ ମହାଭାରତ ଯୁଦ୍ଧର ସୁତ୍ରପାତ ହେଵ ।

ଯାହା ହେଉ ନୀଳକଣ୍ଠ ଉତ୍କଳର ଜଣେ ଧନୁର୍ଦ୍ଧର ପୁରୁଷ । କାରଣ ସେ ମନ୍ତ୍ରୀଙ୍କ ନିକଟରେ ଧାରୁଆ ହେଉ ନାହାନ୍ତି କି ମନ୍ତ୍ରୀଙ୍କୁ ଧାରୁଆ କରୁନାହାନ୍ତି । ତାଙ୍କ ନିଜ ମୋଟରରେ ମନ୍ତ୍ରୀ ଥରେ ଚଢ଼ିଲେ ସେ ମନ୍ତ୍ରୀଙ୍କ ମୋଟରରେ ତିନିଥର ଚଢ଼ୁଛନ୍ତି । ମନ୍ତ୍ରୀ ତାଙ୍କ ଘରେ ଥରେ ଖାଇ ଆସିଲେ ତାଙ୍କ ଖଲି ମନ୍ତ୍ରୀଙ୍କ ସର୍କିଟ୍ ହାଉସରେ ସାତ ଥର ପଡ଼ୁଛି ‌। ମନ୍ତ୍ରୀମାନେ ଠିକ୍ କଥାଟିକୁ ବୁଝି ନେଇଛନ୍ତି; କାରଣ , ସେମାନେ ଧାରୁଆ ହୋଇ ରହିଲେ ଆର ଜନ୍ମକୁ ତ ଦାସେ ତିନି ମନ୍ତ୍ରୀଙ୍କ ବାଡ଼ିରେ ତିନିଟା ଲଙ୍କାମରିଚ ଗଛ ହୋଇ ଜନ୍ମ ପାଇବେ । ତା'ର ରାଗ କେତେ ହେଵ କିଏ କଳନା କରିଵ ? 

ହୁଏତ ମନ୍ତ୍ରୀଙ୍କର ମାସକୁ ୫୦୦ ଦରମା ଓ ଟ. ୧୫୦୦ ଗସ୍ତ ଖର୍ଚ୍ଚା ତା'ର ତାପରେ ତରଳି ମୁଣ୍ଡାଏ ମୁଣ୍ଡା ରୂପା ପାଲଟି ଯିଵ । ସେଥିପାଇଁ ମନ୍ତ୍ରୀ ଯେ ଆଗରୁ ବାଟ କାଟୁଛନ୍ତି,ଭଲ । ଚିଲିକା ପଛେ ନିର୍ମାଛ ହେଉ,ଆଇଁସପା ହ୍ରଦ(ଅଂଶୁପା) ଗୋଳି ହୋଇ କାଦୁଅ ପାଲଟୁ, ମନ୍ତ୍ରୀଙ୍କ ଭଣ୍ଡାର ଟଙ୍କା ଗୁଡ଼ାକ ଯେପରି ରୂପା ମୁଣ୍ଡା କି ସୁନା ମୁଣ୍ଡା ନହୁଏ । 

(ଏହା ବହୁ ଵର୍ଷ ତଳେ ନିଆଁଖୁଣ୍ଟାରେ ପ୍ରକାଶିତ ହୋଇଥିଲା)
         ----------×-----------

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...