Wednesday, September 6, 2023

●ଅନାଥ ଗ୍ରହ କ’ଣ ଏଵଂ ଗୋଟିଏ ସାଧାରଣ ଗ୍ରହ କିପରି ଏକ ଅନାଥ ଗ୍ରହରେ ପରିଣତ ହୋଇଯାଏ ?●

୨୦୦୯ ମସିହାରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ପୃଥିଵୀ, ବୁଧ, ଶୁକ୍ର ଏଵଂ ମଙ୍ଗଳ ଗ୍ରହର କକ୍ଷପଥ ଵିଷୟରେ ଆମ ପାଖରେ ଥିଵା ସମସ୍ତ ତଥ୍ୟକୁ ନେଇ ଏକ ଵୈଜ୍ଞାନିକ ଗୋଷ୍ଠୀ ଗୋଟିଏ ସୁପର୍ କମ୍ପ୍ୟୁଟରରେ ତହିଁର ପ୍ରାୟ ୨୫୦୦ ସିମୁଲେସନ୍ କରିଥିଲେ । ପ୍ରତ୍ୟେକ ସିମ୍ୟୁଲେସନରେ ଵୈଜ୍ଞାନିକମାନେ ବୁଧ ଗ୍ରହର କକ୍ଷପଥରେ ମାତ୍ର ଏକ ମିଲିମିଟର ପରିଵର୍ତ୍ତନ କରିଥିଲେ ଯଦ୍ଵାରା ସେମାନେ ପରିଵର୍ତ୍ତିତ ଅଵସ୍ଥାରେ ଆଗାମୀ ୫ ବିଲିୟନ ଵର୍ଷ ମଧ୍ୟରେ ଏହି ଗ୍ରହଗୁଡ଼ିକର ଭଵିଷ୍ୟତ କ’ଣ ଜାଣିପାରିବେ। କୌତୁହଳର ଵିଷୟ, ଭଵିଷ୍ଯତରେ ସୌରମଣ୍ଡଳର ଗ୍ରହଗୁଡ଼ିକ ପରସ୍ପର ସହ ମୁହାଁମୁହିଁ ହେଵା ଏଵଂ ନଷ୍ଟ ହେଵା ପାଇଁ ଏକ ପ୍ରତିଶତ ସମ୍ଭାଵନା ରହିଛି ବୋଲି ଏହି ପରୀକ୍ଷଣରୁ ଜଣାଗଲା । ତେବେ କ'ଣ ୯୯% ପ୍ରତିଶତ ଆତ୍ମଵିଶ୍ୱାସ ସହିତ ଏହା କୁହାଯାଇପାରିଵ କି ଆମର ସୌରମଣ୍ଡଳ ସ୍ଥିର, ନିୟନ୍ତ୍ରିତ ଓ ସୁରକ୍ଷିତ ?  

ସେତେବେଳେ ଆମେ ସୌରମଣ୍ଡଳର ମାତ୍ର ୩-୪ଟି ଗ୍ରହ ଉପରେ ଧ୍ୟାନ ଦେଇଥିଲୁ । ଏବେ ଅନ୍ୟ ଗ୍ରହଗୁଡ଼ିକୁ ମଧ୍ୟ ଏହି ଗଣନାରେ ରଖାଯାଉ । ଆଷ୍ଟ୍ରୋଏଡ୍ ବେଲ୍ଟ ତଥା ଓର୍ଟ କ୍ଲାଉଡରେ ଥିଵା ଲକ୍ଷ ଲକ୍ଷ କ୍ଷୁଦ୍ର ଏଵଂ ବୃହତ ଵସ୍ତୁକୁ ମଧ୍ୟ ଏହି ସମୀକରଣରେ ଯୋଡ଼ାଯାଉ । ଏହା ସହ ମନେ ରଖନ୍ତୁ ଯେ ପୃଥିଵୀ, ସୂର୍ଯ୍ୟଙ୍କ ସହ ମିଲ୍କି ୱେ ଆକାଶଗଙ୍ଗାକୁ ପରିକ୍ରମା କରୁଛି ଏବଂ ୨୫ କୋଟି ଵର୍ଷରେ ପୂର୍ଣ୍ଣ ହେଉଥିଵା ଏହି ସୌର କକ୍ଷପଥରେ ଅସଂଖ୍ୟ ନକ୍ଷତ୍ର- ଗ୍ରହ, ନେବୁଲା ଇତ୍ୟାଦି ସୌରମଣ୍ଡଳର ନିକଟତର ହୋଇ ଆମ ସୌରମଣ୍ଡଳୀୟ ଗ୍ରହଗୁଡ଼ିକର କକ୍ଷପଥକୁ ପ୍ରଭାବିତ କରିଥାନ୍ତି । 

ତେବେ ସତ କହିଵାକୁ ଗଲେ ଏହି ସବୁ କଥାକୁ ଧ୍ୟାନରେ ରଖି ଭଵିଷ୍ୟତରେ ଆମ ସୌରମଣ୍ଡଳ କେତେ ସ୍ଥିର ରହିଵ ତାହା ଜାଣିଵାକୁ ଚେଷ୍ଟା କରିଵାର ପ୍ରୟାସ ନିରର୍ଥକ । ବ୍ରହ୍ମାଣ୍ଡରେ ଏମିତି କୌଣସି ଉପାୟ,ଯନ୍ତ୍ର ଵା କମ୍ପ୍ୟୁଟର ସୃଷ୍ଟି କରିଵା ଅସମ୍ଭଵ, ଯାହା ଆପଣଙ୍କୁ ଅନେକ ସମ୍ଭାଵନାକୁ ଧ୍ୟାନରେ ରଖି ଏକ ଉପଯୁକ୍ତ ଫଳାଫଳ କହିପାରିବ । ଦୁଇଟିରୁ ଅଧିକ ମହାକାଶୀୟ ପିଣ୍ଡର ଗୁରୁତ୍ବାକର୍ଷଣ ପ୍ରଭାଵକୁ ଠିକ୍ ଭାଵରେ ଗଣନା କରିଵା ଏଵଂ ସେଗୁଡ଼ିକର କକ୍ଷପଥକୁ ଶତ ପ୍ରତିଶତ ଆକଳନ କରିଵାର ଅସମର୍ଥତାକୁ ଵିଜ୍ଞାନରେ N body problem କୁହାଯାଏ । 

ମାତ୍ର ସମସ୍ତ ଅନିଶ୍ଚିତତା ମଧ୍ୟରେ ଵୈଜ୍ଞାନିକମାନେ ଏ କଥାରେ ଏକମତ ଯେ ଆମ ସୌରମଣ୍ଡଳ ବାଲିଗଦା ଉପରେ ରହିଥିଵା କୌଣସି ଵସ୍ତୁ ଭଳି ଏଵଂ ଏହା ଯେକୌଣସି ସମୟରେ ଭୁଶୁଡ଼ି ଯାଇପାରେ। ଅନେକ ସର୍ଵେକ୍ଷଣ ଆଧାରରେ ଯଦି କୌଣସି ନକ୍ଷତ୍ର ନେପଚ୍ୟୁନ୍‌ର କକ୍ଷପଥକୁ ମାତ୍ର ୦.୧% ପରିଵର୍ତ୍ତନ କରିଦିଏ, ତେବେ ତହିଁରୁ ସୃଷ୍ଟି ହୋଇଥିବା ଶୃଙ୍ଖଳାବଦ୍ଧ ପ୍ରତିକ୍ରିୟା ଯୋଗୁଁ ସୌରମଣ୍ଡଳକୁ ଏତେ ଅନିୟନ୍ତ୍ରଣ ହୋଇଯିଵ ଯେ ଶୁକ୍ର-ପୃଥିଵୀ-ମଙ୍ଗଳ ଭଳି ଗ୍ରହଗୁଡ଼ିକ ପରସ୍ପର ସହିତ ହାବୁଡ଼ା ଖାଇବେ କିମ୍ବା ଏତେ ବେଗ ଲାଭ କରିବେ ଯେ ସେଗୁଡ଼ିକ ସୌରମଣ୍ଡଳର ମହାକର୍ଷଣ ଶକ୍ତିକୁ କାଟିଦେଇ ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯିବେ। ଵର୍ତ୍ତମାନ ସମୟରେ ଆମ ପୃଥିଵୀ ଗୋଟିଏ ସେକେଣ୍ଡରେ ପ୍ରାୟ ୩୦ କିଲୋମିଟର ବେଗରେ ଗତି କରୁଛି । ଯଦି ଏହା ୧୨ କିଲୋମିଟରର ଅତିରିକ୍ତ ଧକ୍କା ପାଏ, ଅର୍ଥାତ୍ ପୃଥିଵୀର ବେଗ ୪୨ କିଲୋମିଟର/ସେକେଣ୍ଡ ହୋଇଯାଏ, ତେବେ ନିଶ୍ଚିତ ଭାବରେ ପୃଥିଵୀ ମଧ୍ୟ ସୂର୍ଯ୍ୟଙ୍କ ଛତ୍ରଛାୟାକୁ ତ୍ୟାଗକରି ସବୁଦିନ ପାଇଁ ସୌରମଣ୍ଡଳରୁ ବାହାରକୁ ଚାଲିଯିଵ ।
ଏଠାରେ ଆପଣ ଯୁକ୍ତି ପାଇଁ କହିପାରିବେ ଯେ ଏହି ସବୁ କଥା ଆଉ କିଛି ନୁହେଁ କେଵଳ ମାତ୍ର କେତେକ ଗାଣିତିକ ଭୁର୍କୁଟି(କୌତୁକ)। ସୌରମଣ୍ଡଳ ନିଶ୍ଚିତ ଭାବରେ କୋଟି କୋଟି ଵର୍ଷ ଧରି ସ୍ଥିର ରହି ଆସିଛି, ତେଣୁ ଏହାର ଭଵିଷ୍ୟତରେ ସନ୍ତୁଳନ ହରାଇଵାର କୌଣସି ପ୍ରକୃଷ୍ଟ ପ୍ରମାଣ ଅଛି କି ? ହଁ !! ଏହାର ପ୍ରମାଣ ସମଗ୍ର ବ୍ରହ୍ମାଣ୍ଡରେ ରହିଛି ଆପଣଙ୍କୁ କେଵଳ ଉପରକୁ ଦେଖିଵାର ଆଵଶ୍ୟକତା ଅଛି । 

ଆମ ସମସ୍ତଙ୍କ ମନରେ ବ୍ରହ୍ମାଣ୍ଡର ଏକ ଚିର ପରିଚିତ ଚିତ୍ର ଅଛି, ଏଥିରେ ଆକାଶଗଙ୍ଗା ଅଛି,ତା ଭିତରେ ଅନେକ ନକ୍ଷତ୍ର ଅଛନ୍ତି ଏଵଂ ଏହି ସବୁ ନକ୍ଷତ୍ର ଚାରିପଟେ ଅଗଣିତ ଗ୍ରହ ସ୍ୱଚ୍ଛନ୍ଦରେ ପରିକ୍ରମା କରୁଛନ୍ତି । ତେବେ ଏହି ସୁନ୍ଦର ଚିତ୍ରରେ କିଛି ତ୍ରୁଟି ରହିଯାଇଛି । ଆଜି ତାତ୍ତ୍ଵିକ ପ୍ରତିମାନମ(ଥିଓରେଟିକଲ୍ ମଡେଲ), ପ୍ରତ୍ୟକ୍ଷ ପର୍ଯ୍ୟଵେକ୍ଷଣ ଏବଂ ସଙ୍ଗଣକ ଅନୁକରଣକ୍ରିୟା(କମ୍ପ୍ୟୁଟର ସିମୁଲେସନ୍) ଆଧାରରେ ଆମେ ପୂର୍ଣ୍ଣ ଵିଶ୍ୱାସ ସହିତ ଜାଣିଛୁ ଯେ ପ୍ରତ୍ୟେକ ଆକାଶଗଙ୍ଗାରେ କୌଣସି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଗ୍ରହଗୁଡ଼ିକ ତୁଳନାରେ ଅତ୍ୟଳ୍ପେ ୧୦୦ ଗୁଣ ଅଧିକ ଅନାଥ ଗ୍ରହ ରହିଛି ।  
ଯେଉଁ ଗ୍ରହଗୁଡ଼ିକ କୌଣସି ନକ୍ଷତ୍ରର ମହାକର୍ଷଣ ଶକ୍ତି ଦ୍ଵାରା ଆବଦ୍ଧ ହୋଇ ନିର୍ଦ୍ଦିଷ୍ଟ ନକ୍ଷତ୍ରର ପରିକ୍ରମଣ କରନ୍ତି ନାହିଁ ଏଵଂ ସ୍ଵତନ୍ତ୍ର ଭାବେ ଆକାଶଗଙ୍ଗାରେ ଵିଚରଣ କରୁଥାନ୍ତି ସେଭଳି ଗ୍ରହଗୁଡ଼ିକୁ ଅନାଥଗ୍ରହ କୁହାଯାଏ । ଇଂରାଜୀ ଭାଷାରେ ଏହି ଜାତୀୟ ଗ୍ରହକୁ rogue planet, free-floating planet ଵା ସଂକ୍ଷେପରେ FFP planet, interstellar planet, nomad planet, orphan planet, starless planet, unbound planet ଓ Wanderer ଵା wandering planet କୁହାଯାଏ ।‌
ଓଡ଼ିଆ ଭାଷାରେ ମଧ୍ୟ ଆମେ ଏହି ଜାତୀୟ ଗ୍ରହଗୁଡ଼ିକୁ ସ୍ଵାଧୀନ ଗ୍ରହ,ଅନାଥ ଗ୍ରହ,ନକ୍ଷତ୍ରହୀନ ଗ୍ରହ,ତାରକାଵିହୀନ ଗ୍ରହ,ଯାଯାବର ଗ୍ରହ,ଅବାଧ ଗ୍ରହ ଓ ଦୁଷ୍ଟଗ୍ରହ କହିପାରିଵା । ଏଭଳି ଗ୍ରହ କୌଣସି ନକ୍ଷତ୍ର ଦ୍ଵାରା ଗୁରୁତ୍ବାକର୍ଷଣ ଶକ୍ତି ବଳରେ ବନ୍ଧା ହୋଇନଥିଵା ଅବାଧ ଗ୍ରହ ଅଭିହିତ ହୋଇଥାନ୍ତି ପୁଣି ଏଭଳି ଗ୍ରହ ଵିଭିନ୍ନ ସୌରଜଗତ ମଧ୍ୟରେ ଭ୍ରମଣ କଲାବେଳେ ଅନ୍ୟ ଗ୍ରହ ସହିତ ବାଧାପ୍ରାପ୍ତ ହୋଇ ଭୟଙ୍କର ଵିନାଶ ଲୀଳା ମଧ୍ୟ ସୃଷ୍ଟି କରିପାରନ୍ତି। ପୃଥିଵୀ ସହିତ ଏଭଳି କୌଣସି ଯାଯାବର ଗ୍ରହ ଆସି ପିଟି ହୋଇଗଲେ ସମ୍ପୂର୍ଣ୍ଣ ଜୀଵଜଗତ ଧ୍ଵଂସ ପାଇଯିଵ ଏଵଂ ପୃଥିଵୀ ଆଉଥରେ ୪୦୦ କୋଟି ଵର୍ଷ ପଛକୁ ଫେରିଯିଵ । ତେଣୁ ଏଭଳି ଗ୍ରହଙ୍କୁ ଏ ଦୃଷ୍ଟିରୁ ଦୁଷ୍ଟଗ୍ରହ ବି କୁହାଯାଇଥାଏ ।


କେଵଳ ଗ୍ରହ ହିଁ ନୁହେଁ ଵରଂ ମହାକାଶରେ କୋଟି କୋଟି Rogue Objects ଘୂରି ବୁଲୁଛି । କୌଣସି କାରଣରୁ ଗୁରୁତ୍ବାକର୍ଷଣ ଶକ୍ତି ଯୋଗୁଁ ଛିଟିକି ଯାଇ ସ୍ଵାଧୀନ ଭାବରେ ଵିଚରଣ କରୁଥିଵା ତାରକା,ଗ୍ରହ,ଗ୍ରହାଣୁ ଓ ଧୂମକେତୁଗୁଡି଼କୁ Rogue Objects କୁହାଯାଏ । ଗୋଟିଏ ତାରକା କୌଣସି କାରଣରୁ ବାଧା ପାଇ ନିଜର ଆକାଶଗଙ୍ଗାର ନିର୍ଦ୍ଧିଷ୍ଟ ପରିକ୍ରମଣ ପଥକୁ ଛାଡ଼ି ଅନ୍ୟତ୍ର ବୁଲିଲେ ତାହା Rogue Objectsରେ ଗଣା ଯାଇଥାଏ । ସେହିପରି ଗୋଟିଏ ଗ୍ରହ ମଧ୍ୟ ଗୁରୁତ୍ବାକର୍ଷଣ ଶକ୍ତି ପ୍ରଭାବରେ ନିଜ ତାରକାଠାରୁ ଦୂରେଇ ଯାଇ Rogue Planetରେ ପରିଣତ ହୋଇଯାଏ । ଏହିପରି ଭାବେ ଅନେକ ଧୂମକେତୁ,ଗ୍ରହାଣୁ ଓ ଉପଗ୍ରହ ଆକାରର ମହାକାଶୀୟ ପିଣ୍ଡ ମଧ୍ୟ ଆମ ଆକାଶଗଙ୍ଗାରେ ସ୍ଵାଧୀନ ଭାଵରେ ଵିଚରଣ 
କରୁଛନ୍ତି। 

 ଜ୍ୟୋତିର୍ଵିଜ୍ଞାନୀମାନେ କୁହନ୍ତି ଆମ ଆକାଶଗଙ୍ଗାରେ ପ୍ରାୟ ୪୦୦ ବିଲିୟନ ସୂର୍ଯ୍ୟ, ୪୦୦୦ ବିଲିୟନ ଗ୍ରହ ଅଛି, କିନ୍ତୁ ଆଵିଷ୍କୃତ ଗ୍ରହସଂଖ୍ୟାଠାରୁ ବହୁତ ଅଧିକ ଅର୍ଥାତ୍ ପ୍ରାୟ ୪୦୦ ବିଲିୟନ ସଂଖ୍ୟକ ଅନାଥଗ୍ରହ ମଧ୍ୟ ସ୍ଵାଧୀନ ଭାଵରେ ଵିଚରଣ କରୁଛନ୍ତି । ସ୍ଵାଧୀନ ନକ୍ଷତ୍ର, ଧୂମକେତୁ,ଉପଗ୍ରହ ଓ ଗ୍ରହାଣୁ ଆଦି rogue objects ଦୃଷ୍ଟିରୁ ଵିଚାର କଲେ ଏହି ସଂଖ୍ୟା ଆହୁରି ଅଧିକ ହେଵ । 
 
ପୁଣି ଏପରି ଅଗଣିତ ଅନାଥ ଗ୍ରହ ମଧ୍ୟ ଅଛନ୍ତି ଯେଉଁମାନେ ଦୁଇଗୋଟି ଆକାଶଗଙ୍ଗା ମଧ୍ୟରେ ଥିବା ବିରାଟ ଶୂନ୍ୟସ୍ଥାନ ମଧ୍ୟରେ ବିନା ଉଦ୍ଦେଶ୍ୟରେ କିନ୍ଦ୍ରି ବୁଲୁଛନ୍ତି । ଯେକୌଣସି ନକ୍ଷତ୍ର ମହାକାର୍ଷଣ। ଶକ୍ତିର ସୀମାଠାରୁ ବହୁ ଦୂରରେ ଅନନ୍ତ ଅନ୍ଧକାରରେ ଆଚ୍ଛାଦିତ ଏହି ଗ୍ରହମାନଙ୍କର ଅନନ୍ତ ଭାଗ୍ୟ ହେଉଛି ବ୍ରହ୍ମାଣ୍ଡର ଶୂନ୍ୟତାରେ ଉଦ୍ଦେଶ୍ୟହୀନ ଭ୍ରମଣ ।

ତେବେ ଏତେ ସଂଖ୍ୟକ ଅନାଥ ଗ୍ରହ କୁଆଡ଼ୁ ଆସିଲେ ? 

 ସମସ୍ତ ଵୈଜ୍ଞାନିକ ସର୍ଵେକ୍ଷଣ ସୂଚାଇ ଦିଏ ଯେ ଅଧିକାଂଶ ନକ୍ଷତ୍ରମଣ୍ଡଳରେ ସମୟ କ୍ରମେ ଗ୍ରହଗୁଡ଼ିକର କକ୍ଷପଥର ଅସନ୍ତୁଳନ କାରଣରୁ ଏକ ଵା ଏକାଧିକ ଧକ୍କା ପାଇ ନିଜ ନକ୍ଷତ୍ରମଣ୍ଡଳରୁ ଭିନ୍ନ ହୋଇଯାଆନ୍ତି ଏଵଂ 
 ବ୍ରହ୍ମାଣ୍ଡର ଏକ ଅଜଣା ଯାତ୍ରାରେ ସର୍ଵଦା ଏକାକୀ ଭ୍ରମଣରେ ବାହାରି ଯାଆନ୍ତି । 

ଆଜି ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ କ୍ରମାଗତ ଭାଵରେ ଵସ୍ତୁତ୍ଵ ହରାଉଥିଵା ସୂର୍ଯ୍ୟର ମହାକର୍ଷଣ ଶକ୍ତି ସମୟ ସହ ହ୍ରାସ ପାଉଛି ଏଵଂ ଏହା ଗ୍ରହଗୁଡ଼ିକର କକ୍ଷପଥକୁ ଶନୈ ଶନୈ ପରିଵର୍ତ୍ତନ ମଧ୍ୟ କରୁଛି । ଆକାଶଗଙ୍ଗାରେ ଭ୍ରମଣ ସମୟରେ କେବେ କିପରି କେମିତି କୌଣସି ନକ୍ଷତ୍ର ଏକ ଅନ୍ୟ ଏକ ସୌରମଣ୍ଡଳର ନିକଟତର ହୋଇ ଗ୍ରହମାନଙ୍କର ପରିକ୍ରମଣ ପଥକୁ ପ୍ରଭାଵିତ କରିଛି ଓ ତନ୍ମଧ୍ୟରୁ କେତେକୁ ଅନାଥ ଗ୍ରହ ହେଵାକୁ ବାଧ୍ୟ କରିଛି ତାହାର ପ୍ରମାଣ ଆମ ପାଖରେ ନାହିଁ ତେବେ ଏହି ସମ୍ଭାଵନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । 

ଗୋଟିଏ ସୌରମଣ୍ଡଳରେ କେତେବେଳେ ଗ୍ରହଗୁଡ଼ିକର ଅକ୍ଷପଥ ଅସନ୍ତୁଳିତ ହୋଇ ଵିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି ତାହାର ପୂର୍ଵାନୁମାନ କରିଵା ଵର୍ତ୍ତମାନ ଯୁଗରେ ଅସମ୍ଭଵ ପ୍ରତୀତ ହୁଏ । 

ଗ୍ରହଗୁଡ଼ିକର ଆଶ୍ଚର୍ଯ୍ୟଜନକ ଲୟବଦ୍ଧତା ଦେଖି ଆଶ୍ଚର୍ଯ୍ୟ ହୋଇ ଆଇଜାକ୍ ନ୍ୟୁଟନ୍ ଥରେ କହିଥିଲେ ଯେ ଗ୍ରହମାନଙ୍କର ଏହି ସନ୍ତୁଳିତ ଗତି କୌଣସି ବୁଦ୍ଧିମାନ ହସ୍ତକ୍ଷେପ ବିନା ସମ୍ଭଵ ନୁହେଁ । ଯଦି ଆଜି ନ୍ୟୁଟନ୍ ଆମ ଗହଣରେ ଥାଆନ୍ତେ, ତେବେ ସେ ଜାଣିପାରିଥାନ୍ତେ ଯେ ଗ୍ରହମାନଙ୍କର ଏହି ତାରତମ୍ୟତା ମଧ୍ୟ ଏକ ସାମୟିକ ସଂଯୋଗ ହୋଇପାରେ । କିଛି ହଜାର କିମ୍ବା ଏକ ଲକ୍ଷ ଵର୍ଷରେ ଯାହା ଅସମ୍ଭଵ ମନେ ହୁଏ, କୋଟି କୋଟି ଵର୍ଷ ଵ୍ୟଵଧାନରେ ସମାନ ଘଟଣା ଅନିଵାର୍ଯ୍ୟ ମନେ ହୁଏ । ଭଵିଷ୍ୟତରେ ଯଦି ସୂର୍ଯ୍ୟ ନିଜର ଆକାର ବୃଦ୍ଧି ନ କରି ନିଜ ଜୀଵନର ଶେଷ ପର୍ଯ୍ୟାୟରେ ପୃଥିଵୀକୁ ଗିଳି ନ ଦିଅନ୍ତି, ତେବେ ଏହା ନିଶ୍ଚିତ ଯେ ଯଦି ଆଜି ନୁହେଁ, ତେବେ ଦୂର ଭଵିଷ୍ୟତରେ ପୃଥିଵୀର ଭାଗ୍ୟରେ ମଧ୍ୟ ଅନାଥ ଗ୍ରହ ଭାବରେ ବ୍ରହ୍ମାଣ୍ଡରେ ଚିରକାଳ ଭ୍ରମଣ କରିଵାର ନିୟତି ରହିଛି । ବ୍ରହ୍ମାଣ୍ଡର ସ୍ଥାନରେ ଉଦ୍ଦେଶ୍ୟହୀନ ସ୍ୱଚ୍ଛନ୍ଦରେ ଵିଚରଣ କରୁଥିଵା ଟ୍ରିଲିୟନ୍ ଟ୍ରିଲିୟନ୍ ଅନାଥ ଗ୍ରହଗୁଡ଼ିକ ଏହାର ଜୀଵନ୍ତ ପ୍ରମାଣ । ଏହା ହିଁ ବ୍ରହ୍ମାଣ୍ଡର ଅନେକ ଗ୍ରହର ଅନ୍ତିମ ଗତି। 

ହୁଏ ଆପଣ ନିଜର ଜୀଵନ ଯୁଦ୍ଧରେ ପରାଜୟ ଵରଣ କରିଛନ୍ତି ଵା ବାରମ୍ବାର ଅସଫଳ ହୋଇଛନ୍ତି ତଥାପି ନିଜକୁ ଭାଗ୍ୟଵାନ ମନେ କରନ୍ତୁ । ହଁ ଆପଣ ଭାଗ୍ୟଵାନ ଯେ ପୃଥିଵୀର ସେହି ସମୟକାଳରେ ଜନ୍ମ ନେଇଛନ୍ତି ଯୋଉ କାଳଖଣ୍ଡରେ ପୃଥିଵୀ ଉପରେ ଉଜ୍ଜ୍ୱଳ ଓ ଵିପଦହୀନ ସୂର୍ଯ୍ୟକିରଣ ପଡ଼ୁଛି,ରାତିରେ ଚନ୍ଦ୍ର ତା'ର ଶୀତଳ ଆଲୋକ ସିଞ୍ଚନ କରୁଛନ୍ତି, ପକ୍ଷୀ କଳରଵ କରୁଛନ୍ତି,ଵୃକ୍ଷମାନେ ସ୍ଵାଦିଷ୍ଟ ଫଳ ଦେଉଛନ୍ତି ଏବଂ ଆପଣ ତାକୁ ଭୁଞ୍ଜି ବିଛଣାରେ ଶୋଇ ଵା ଆସନ ଉପରେ ଆରାମରେ ବସି ଏହି ଆଲେଖ୍ୟକୁ ପଢୁଛନ୍ତି । ସ୍ଵର୍ଗସମ ପୃଥିଵୀର ଏହି ଅନୁପମ କାଳଖଣ୍ଡରେ ଜୀଵନର ଵିଭିନ୍ନ ରଙ୍ଗକୁ ଉପଭୋଗ କରନ୍ତୁ କାରଣ ବ୍ରହ୍ମାଣ୍ଡର ଏମିତି ୯୯.୯୯% ଅନାଥଗ୍ରହ ବି ଅଛନ୍ତି ଯେଉଁ ଗ୍ରହଗୁଡ଼ିକର ରଙ୍ଗହୀନ ଭାଗ୍ୟରେ ଅନନ୍ତ ଅନ୍ଧକାର ଵ୍ୟତୀତ ଆଉ କିଛି ବଞ୍ଚି ନାହିଁ । 




No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...