Friday, September 22, 2023

କୁତର୍କ,କୁତର୍କୀ ଓ ମନୋଵିଜ୍ଞାନ

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପେନ୍ସିଲଵାନିଆ ରାଜ୍ୟରେ ଅଵସ୍ଥିତ ପିଟ୍ସବର୍ଗ୍‌ ନଗରରେ ଜଣେ ଚୋର ଏକ ଧନଗାର ଵା Bankକୁ ସ୍ପଷ୍ଟ ଦିଵାଲୋକରେ ଯାଇ ଲୁଣ୍ଠନ କରି ଆସିଲା । ଚୋର ଜଣକ ମୁଖା ପିନ୍ଧି ନଥିଲା ପୁଣି cctv cameraକୁ ଦେଖି ବଡ଼ ଆତ୍ମଵିଶ୍ୱାସର ସହିତ ଦାନ୍ତ ଦେଖେଇ ଆସିଥିଲା,ଭାବିଥିଲା ସେ କେବେ ବି ଧରାପଡ଼ିଵ ନାହିଁ । କିନ୍ତୁ ତା ଉପରେ ରାଧାଚଡ଼କ କି ଶନିଦଶା ପଡ଼ିଲା ନା କିସ ବିଲେଇ ମୂଷା ଉଣ୍ଡିଲା ଭଳି ଆରକ୍ଷୀମାନେ ସେହି ଦିନ ରାତିରେ ହିଁ ତାକୁ ବାନ୍ଧି ଆଣିଲେ । ଯେତେବେଳେ ତାକୁ ସେ କରିଥିଵା ବ୍ୟାଙ୍କ୍ ଡକାୟତିର ଦୃଶ୍ୟ ଦେଖାଗଲା, ସେହି ଵ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହି ଉଠିଲା “ଖୋ ରେ ! ମୁଁ ତଥାପି ଅଦୃଶ୍ୟ କେମିତି ହୋଇପାରିଲି ନାହିଁ ? ମୁଁ ତ ମୋ ଦେହସାରା ଲେମ୍ବୁ ରସ ବୋଳି ଦେଇଥିଲି ।”

ଏହି ଚୋରର caseକୁ ଅଧ୍ୟୟନ କରାଯାଇଥିଲା ଏବଂ ମନୋବିଜ୍ଞାନରେ ଡନିଂ-କ୍ରୁଗର ଇଫେକ୍ଟ୍ ନାମକ ଏକ ସିଦ୍ଧାନ୍ତ ଦିଆଯାଇଥିଲା, ଯାହା ଅନୁଯାୟୀ - ମୂର୍ଖତା କେଵଳ ଜଡ଼ତା ଜାତ କରେ, କିନ୍ତୁ ଅଳ୍ପଜ୍ଞାନ ଯୋଗୁଁ ଆକ୍ରମକ ଅତିଆତ୍ମଵିଶ୍ୱାସ ଜନ୍ମିଥାଏ । ଚୋର ଆର୍ଥର ହ୍ୱିଲର କାହାଠାରୁ ଶୁଣିଥିଲା ଵା କୋଉଠି ପଢ଼ିଥିଲା ଯେ ଲେମ୍ବୁ ରସରେ ଲିଖିତ ଲେଖା ଅଦୃଶ୍ୟ ହୋଇଯାଏ, ତେଣୁ ସେ ଭାବିଲା ଯଦି ଲେମ୍ବୁରସ ଯୋଗୁଁ କାଳି ଅଦୃଶ୍ୟ ହୋଇପାରେ, ତେବେ ମୁଁ କାହିଁକି କରିପାରିବି ନାହିଁ? ଆଉ ଏହି ଭ୍ରମରେ ସେ ଵିଚରା ଶରୀରରେ ଲେମ୍ବୁ ରସ ବୋଳି ହୋଇ ବ୍ୟାଙ୍କ ଲୁଣ୍ଠନ କରିଵାକୁ ଯାଇଥିଲା । 

ଜଣେ ଅଳ୍ପଜ୍ଞାନୀ ଗାଲୁଆ ଵ୍ୟକ୍ତିର ତୁଣୀରରେ କୁତର୍କର ଅସଂଖ୍ୟ ଦିଵ୍ୟାସ୍ତ୍ର ଥାଏ ଏଵଂ ସେଗୁଡ଼ିକୁ ମନୋଵିଜ୍ଞାନର ଭାଷାରେ ତାର୍କିକ ମତିଭ୍ରମ ଵା Logical Fallacies ତଥା Cognitive Disorders କୁହାଯାଏ ।

ପାଶ୍ଚାତ୍ୟ ମନୋଵିଜ୍ଞାନୀମାନେ କୁତର୍କୀମାନଙ୍କର ଯେଉଁ Fallacy ଵିଷୟରେ ଏତେ ଅଧ୍ୟୟନ କରିଛନ୍ତି ତାହା ଭାରତୀୟଙ୍କ ପାଇଁ ନୂଆ ନୁହେଁ । ବହୁ ପ୍ରାଚୀନ କାଳରୁ ଭାରତରେ ଏଭଳି ମାନସିକ ଵିଚାରକୁ ଦୁଷ୍ଟତର୍କ,କୁତର୍କ,ଚକ୍ରକ, କୁଯୁକ୍ତି,ଅପୋହ,ତର୍କାଭାସ ଓ ହେତ୍ଵାଭାସ ଇତ୍ୟାଦି ନାମ ଦିଆଯାଇଥିଲା । ପ୍ରାଚୀନ ଭାରତୀୟ ଦର୍ଶନଶାସ୍ତ୍ରରେ ହେତ୍ୱାଭାସ ଵିଷୟରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି। ଦର୍ଶନଶାସ୍ତ୍ର ଅନୁଯାୟୀ ହେତ୍ୱାଭାସ ହେତୁପରି ଜଣାପଡ଼େ ଅଥଚ ପ୍ରକୃତ ହେତୁ ନୁହେ। ଯଥା—“ଯେଉଁଠାରେ ନିଆଁ ଥାଏ ସେଠାରୁ ଧୂଆଁ ଉଠେ; ପର୍ଵତରୁ ଧୁଆଁ ଉଠେ; ଅତଏଵ ପର୍ଵତରେ ନିଆଁ ଅଛି।” ଏଭଳି କୁତର୍କକୁ ହେତ୍ୱାଭାସ କୁହାଯାଏ । ପ୍ରାଚୀନ ଭାରତୀୟମାନେ ହେତ୍ୱାଭାସର ଵିଭିନ୍ନ ରୂପକୁ ସଂକଳିତ କରି ସେଗୁଡି଼କୁ ମୁଖ୍ୟତଃ ପାଞ୍ଚ ପ୍ରକାରରେ ଵିଭକ୍ତ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ହେଲା ଯଥା : ସଵ୍ୟଭିଚାର ଵା ଅନୈକାନ୍ତିକା,ଵିରୁଦ୍ଧ,ପ୍ରକରଣ ସମ,ସାଧ୍ୟସମ ଓ କାଳାତୀତ । ମତାନ୍ତରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ 
ଵ୍ଯଭିଚାରଃ,ଵିରୁଦ୍ଧଃ,ଅସିଦ୍ଧଃ, ସତ୍ପ୍ରତିପକ୍ଷଃ ଓ ଵାଧଃ ହେଉଛି ପାଞ୍ଚପ୍ରକାରର ହେତ୍ୱାଭାସ। ଭାଷାପରିଚ୍ଛେଦଃ ଗ୍ରନ୍ଥରେ ଏହି ପାଞ୍ଚପ୍ରକାରର ହେତ୍ୱାଭାସ ଵିଷୟରେ ଏମନ୍ତ ଉଲ୍ଲେଖ ଅଛି:

ଅନୈକାନ୍ତୋ ଵିରୁଦ୍ଧଶ୍ଚାପ୍ଯସିଦ୍ଧଃ ପ୍ରତିପକ୍ଷିତଃ ।
କାଳାତ୍ଯୟାପଦିଷ୍ଟଶ୍ଚ ହେତ୍ଵାଭାସାସ୍ତୁ ପଞ୍ଚଧା ॥
ଆଦ୍ଯଃ ସାଧାରଣସ୍ତୁ ସ୍ଯାତ୍ ସ୍ଯାଦସାଧାରଣୋଽପରଃ । ତଥୈଵାନୁପସଂହାରୀ ତ୍ରିଧାନୈକାନ୍ତିକୋ ଭଵେତ୍ ॥
ଯଃ ସପକ୍ଷେ ଵିପକ୍ଷେ ଚ ସ ତୁ ସାଧାରଣୋ ମତଃ ।
ଯସ୍ତୂଭୟସ୍ମାଦ୍ଵ୍ଯାଵୃତ୍ତଃ ସ ତ୍ଵସାଧାରଣୋ ମତଃ ॥
ତଥୈଵାନୁପସଂହାରୀ କେଵଲାନ୍ଵଯିୟକ୍ଷକଃ ।
ଯଃ ସାଧ୍ଯଵତି ନୈଵାସ୍ତି ସ ଵିରୁଦ୍ଧ ଉଦାହୃତଃ ॥
ଆଶ୍ରୟାସିଦ୍ଧିରାଦ୍ଯା ସ୍ଯାତ୍ ସ୍ଵରୂପାସିଦ୍ଧିରପ୍ଯଥ ।
ଵ୍ଯାପ୍ଯତ୍ଵାସିଦ୍ଧିରପରା ସ୍ଯାଦସିଦ୍ଧିରତସ୍ତ୍ରିଧା ॥
ପକ୍ଷାସିଦ୍ଧିର୍ଯତ୍ର ପକ୍ଷୋ ଭଵେନ୍ମଣିମୟୋ ଗିରିଃ ।
ହ୍ରଦୋ ଦ୍ରଵ୍ଯଂ ଧୂମଵତ୍ତ୍ଵାଦତ୍ରାସିଦ୍ଧିରଥାପରା ॥
ଵ୍ଯାପ୍ଯତ୍ଵାସିଦ୍ଧିରପରା ନୀଳଧୂମାଦିକେ ଭଵେତ୍ ।
ଵିରୁଦ୍ଧୟୋଃ ପରାମର୍ଶୋ ହେତ୍ଵୋଃ ସତ୍ପ୍ରତିପକ୍ଷତା ॥
ସାଧ୍ଯଶୂନ୍ଯୋ ଯତ୍ର ପକ୍ଷସ୍ତ୍ଵସୌ ଵାଧ ଉଦାହୃତଃ ।
ଉତ୍ପତ୍ତିକାଳୀନଘଟେ ଗନ୍ଧାଦିର୍ଯତ୍ର ସାଧ୍ଯତେ ॥”

ସେହିପରି ଏହି ପାଞ୍ଚପ୍ରକାରର ହେତ୍ୱାଭାସର ସାମାନ୍ୟ ତଥା ଵିଶେଷ ଲକ୍ଷଣଗୁଡ଼ିକ ଵିଷୟରେ ମଧ୍ୟ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଵର୍ଣ୍ଣନା ହୋଇଥିଲା ।‌ ହେତ୍ଵାଭାସର ସାମାନ୍ୟ ଲକ୍ଷଣଗୁଡ଼ିକ ହେଲା :

“ଅନୁମିତିକାରଣୀଭୂତାଭାଵପ୍ରତିଯୋଗି ଯଥାର୍ଥଜ୍ଞାନଵିଷଯତ୍ଵମ୍ ।
ଯଦ୍ଵିଷୟତ୍ଵେନ ଲିଙ୍ଗଜ୍ଞାନସ୍ଯାନୁମିତିପ୍ରତିବନ୍ଧକତ୍ଵମ୍ । ଜ୍ଞାୟମାନଂ ସତ୍ ଯଦନୁମିତିପ୍ରତିବନ୍ଧକଂ ତତ୍ତ୍ଵଂ ଵା ହେତ୍ଵାଭାସତ୍ଵମ୍ ॥”

ପୁଣି ଵିଶେଷଲକ୍ଷଣଗୁଡ଼ିକ ହେଲା “ଉଭୟକୋଟ୍ଯୁପସ୍ଥାପକତାଵଚ୍ଛେଦକରୂପଵତ୍ତ୍ଵଂ ତତ୍ତ୍ଵମ୍ ।
ଵିରୁଦ୍ଧାନ୍ଯପକ୍ଷଵୃତ୍ତିତ୍ଵେ ସତି ଅନୁମିତିଵିରୋଧିସମ୍ବନ୍ଧାଵ୍ଯାଵୃତ୍ତିର୍ଵ୍ଵା ଅନୈକାନ୍ତିକଃ ।
ଵିପକ୍ଷଵୃତ୍ତିତ୍ଵଂ ସାଧାରଣତ୍ଵମ୍ । ସର୍ଵ୍ଵସପକ୍ଷଵ୍ଯାଵୃତ୍ତୋ ହେତୁରସାଧାରଣଃ । ଵ୍ଯାପ୍ତିଗ୍ରହାନୁକୂଳୈକଧର୍ମ୍ଯୁପସଂହାରାଭାଵୋ ଯତ୍ର ସ ହେତ୍ଵଭିମତୋଽନୁପସଂହାର୍ଯ୍ଯଃ॥*॥ ସାଧ୍ଯଵ୍ଯାପକାଭାଵପ୍ରତିଯୋଗିତ୍ଵଂ ଵିରୁଦ୍ଧତ୍ଵମ୍ ॥ * ॥ 
ସାଧ୍ଯଵିରୋଧ୍ଯୁପସ୍ଥାପନସମର୍ଥସମାନବଳୋପସ୍ଥିତ୍ଯା ପ୍ରତିରୁଦ୍ଵକାର୍ଯ୍ଯଲିଙ୍ଗଂତ୍ଵଂତତ୍ଵଂ ସତ୍ପ୍ରତିପକ୍ଷିତତ୍ଵମ୍ ॥ * ॥ ଵ୍ଯାପ୍ତିପକ୍ଷଧର୍ମ୍ମତାନିଶ୍ଚଯଵିରୋଧିରୂପଵତ୍ତ୍ଵଂ ଅସିଦ୍ଧିଃ । ପକ୍ଷନିଷ୍ଠପ୍ରମାଵିଷୟତ୍ଵପ୍ରକାରାମାଵପ୍ରତିଯୋଗିସାଧ୍ଯକତ୍ଵଂ ଵାଧଃ । 
(ଇତି ଚିନ୍ତାମଣିଃ ॥ )

ସେ ଯାହାହେଉ ଭାରତୀୟମାନଙ୍କର ପ୍ରାଚୀନ ଦର୍ଶନଶାସ୍ତ୍ରର ଏହି ପୁରାତନ ଜ୍ଞାନ ଉପରେ ଆଧୁନିକ ମନୋଵିଜ୍ଞାନର ସୌଧ ନିର୍ମିତ ହେଲାପରେ ହେତ୍ଵାଭାସ ଵା Fallacyକୁ ପାଞ୍ଚ ଭାଗରେ ସୀମିତ ନକରି ସେଗୁଡି଼କର ଵିଭିନ୍ନ ମନୋଵିଜ୍ଞାନୀମାନେ ଭିନ୍ନ ଭିନ୍ନ ନାମକରଣ କରିଥିଲେ । 

ତନ୍ମଧ୍ୟରୁ କେତେକ ଜଣାଶୁଣା କୁତର୍କୀୟ ଦିଵ୍ୟାସ୍ତ୍ର ଵା Fallacy ଵିଷୟରେ ସଂକ୍ଷେପରେ ଉଲ୍ଲେଖ କରାଗଲା...

ଜଣେ କୁତର୍କୀ ପାଖରେ ଥିଵା ସବୁଠାରୁ ଘାତକ ଅସ୍ତ୍ର ହେଉଛି Strawman Fallacy ! ଏଥିରେ କୁତର୍କୀ ଵ୍ୟକ୍ତି ଜଣକ ଆପଣଙ୍କ ତର୍କର ଅର୍ଥକୁ ଵିଅର୍ଥ କରି ମୋଡ଼ା ମୋଡ଼ି କରି ଏମନ୍ତ ଵିତର୍କ କରନ୍ତି ଯାହାର ପ୍ରକୃତ କାହାଣୀ ସହିତ କୌଣସି ସମ୍ପର୍କ ନଥାଏ । ଉଦାହରଣ ସ୍ୱରୂପ: ମୁଁ କହିବି, 'ବୁର୍ଖା ମଧ୍ୟଯୁଗୀୟ ଚିନ୍ତାଧାରାର ପ୍ରତୀକ' । ତାହା ଶୁଣି କୁତର୍କୀ କହିଵ- ଦାଣ୍ଡରେ ବାଟରେ ଉଲଗ୍ନ ହୋଇ ବୁଲିଵା ପାଇଁ ତୁମମାନଙ୍କୁ ସ୍ୱାଧୀନତା ଦରକାର। ସତେ ଯେମିତି ବୁର୍ଖା ପରେ ଉଲଗ୍ନ ହେଵା ହିଁ ଏକମାତ୍ର ଵିକଳ୍ପ ରହିଯାଇଥାଏ । 

ଆଉ ଏକ କୁତର୍କର ନାମ Bandwagon Fallacy ! ଏଥିରେ ପୀଡ଼ିତ ଵ୍ୟକ୍ତି କୌଣସି କଥାର ମୂଲ୍ୟ ସେହି କଥାକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଧାରଣ କରିଥାଏ । ଯଦି ଏହି ତର୍କକୁ ଅନୁକରଣ କରାଯାଆନ୍ତା, ତେବେ ପୃଥିଵୀ ଏବେ ବି ସମତଳ ହୋଇଥାନ୍ତା, ସୂର୍ଯ୍ୟ, ପୃଥିଵୀର ପରିକ୍ରମା କରୁଥାନ୍ତେ ଏଵଂ ପୃଥିବୀ ୬୦୦୦ ବର୍ଷ ପୂର୍ବେ ଜନ୍ମ ହୋଇଥାନ୍ତା । କାରଣ, ଏହି ସବୁ ଭ୍ରମଧାରଣାଗୁଡ଼ିକୁ ଵିଶ୍ୱାସ କରୁଥିଵା ଲୋକଙ୍କ ସଂଖ୍ୟା ପୃଥିଵୀରେ ସର୍ଵୋଚ୍ଚ, କିନ୍ତୁ ଏହା ସତ ନୁହେଁ କି କେବେ ହୋଇପାରିଵ ନାହିଁ। "ତିନି ତୁଣ୍ଡରେ ଛେଳି କୁକୁର" ନ୍ୟାୟରେ କୌଣସି ଭୁଲ୍ କଥାକୁ ଅନେକେ ଵିଶ୍ଵାସ କରୁଥାଇ ପାରନ୍ତି କିନ୍ତୁ ପ୍ରକୃତରେ ଭିଡ଼ କେବେ ବି କୌଣସି ଦରଵ,ଵ୍ୟକ୍ତି କିମ୍ବା ସିଦ୍ଧାନ୍ତର ସତ୍ୟତାର ପ୍ରମାଣ ନୁହେଁ ଏଵଂ ଏହା ଅନେକାନେକ ଥର ପରୀକ୍ଷିତ।

  Appeal To Authority ନାମରେ ଆଉ ଏକ କୁତର୍କ ବି ଅଛି । କୁତର୍କୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନଥିଲେ ସେମାନେ ପ୍ରଭାଵଶାଳୀ ପୁରାତନ ଵ୍ୟକ୍ତିଙ୍କର ତଥା ତାଙ୍କ ଦ୍ଵାରା ବୋଲାଯାଇଥିଵା ପଦର ଉଦାହରଣ ଦିଅନ୍ତି ।‌ ଅମୁକ ମହାପୁରୁଷ ଏଇ କହିଛନ୍ତି,ସମୁକ ମହାପୁରୁଷ ସେଇଆ କହିଛନ୍ତି ! କେହି କେହି ତ ମହାପୁରୁଷମାନେ କହି ନଥିଲେ ବି ତାଙ୍କ ନାଆଁ ନେଇ ମିଛ କଥା ପ୍ରଚାର କରନ୍ତି । ଉଦାହରଣ ସ୍ୱରୂପ, କିଛି ଵର୍ଷ ତଳେ ଜଣେ ମୋତେ କହିଲେ ଯେ ମଧୁବାବୁ କୁଆଡେ଼ ଥରେ କହିଥିଲେ “ଓଡ଼ିଆ ଭାଷାଟା ଭାଷା ଵିଵର୍ତ୍ତନ କ୍ରମରେ ସବୁଠାରୁ ପଛରେ ଵିଵର୍ତ୍ତିତ ହୋଇଛି !”ପ୍ରଥମତଃ ମଧୁବାବୁଙ୍କ ଦ୍ଵାରା ଏହା ବୋଲା ଯାଇଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ପୁଣି ଯଦି ଏହା ବୋଲା ବି ଯାଇଥାଏ ତଥାପି ମଧ୍ୟ ସତ ନୁହେଁ। କାରଣ ଆଜି ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା ଏଵଂ ପ୍ରାୟ ତିନିରୁ ପାଞ୍ଚ ହଜାର ଵର୍ଷ ତଳେ ଏ ଭାଷା ମୂଳ ଇଣ୍ଡିକ୍ ଭାଷାର ପ୍ରାକୃତ ସ୍ଵରୂପ ରୂପେ ଵିଦ୍ୟମାନ ଥିଲା । ଇତିହାସ ସାକ୍ଷୀ ଅଛି ଯେ ମହାପୁରୁଷମାନେ ଅନେକ ସମୟରେ ଭୁଲ ପ୍ରମାଣିତ ହୁଅନ୍ତି । ଜଣେ ପ୍ରଭାଵଶାଳୀ ଵ୍ୟକ୍ତି କେଵଳ କହିଦେଲେ କୌଣସି ସିଦ୍ଧାନ୍ତ ଠିକ୍ ପ୍ରମାଣିତ ହୋଇଯାଏ ନାହିଁ ।
  
କିନ୍ତୁ ଯେତେ ପ୍ରକାରର କୁତର୍କ ଅଛି ତନ୍ମଧ୍ୟରେ Ad Hominem Fallacyକୁ ସବା ଶୀର୍ଷରେ ରଖାଯିଵା ଉଚିତ୍ । ଏହା ଆଧାରରେ କୁତର୍କୀ ଆଲୋଚିତ ଵିଷୟ କିଛି ନ କହି ଆପଣଙ୍କ ଚରିତ୍ରକୁ ଧରି ଆପଣଙ୍କ ଉପରେ ଆକ୍ରମଣ କରିଵାକୁ ଚେଷ୍ଟା କରେ । ଯଦି ଆପଣ କୁହନ୍ତି ଯେ ଦେଶରେ ସବୁ କିଛି ଭଲ ଅଛି, ତେବେ କୁତର୍କୀ ଆପଣଙ୍କୁ ଫୁଲଦଳିଆ କହିଵ । ଯଦି ଆପଣ କୁହନ୍ତି ଯେ ଦେଶରେ ସମସ୍ୟା ରହିଛି, ତେବେ କୁତର୍କୀ ଆପଣଙ୍କୁ ପାପୁଲି ଦଳିଆ କହିଦଵ। ଆଉ ଯଦି ଆପଣ ଏକ ପ୍ରାଚୀନ ଵିଶ୍ୱାସ ଵିଷୟରେ କିଛି କହି ଦିଅନ୍ତି, ତେବେ ଆପଣଙ୍କୁ କୁତର୍କୀ ଵାମପନ୍ଥୀ ବୋଲି ଦେଵ । ଅର୍ଥାତ୍Ad Hominem Fallacyରେ କୁତର୍କୀ କେଵଳ ମୂଳ ଆଲୋଚନାକୁ ଵିଭ୍ରାନ୍ତ କରି ଆପଣଙ୍କୁ ଅପମାନିତ କରିଵାକୁ ଚେଷ୍ଟା କରନ୍ତି।

ଜଣେ କୁତର୍କୀର ପ୍ରତ୍ୟେକ କୁତର୍କ Argument From Ignoranceରୁ ଜନ୍ମ ହୋଇଥାଏ । ଜଣେ କୁତର୍କୀ ମତରେ ମନୁଷ୍ୟ ବ୍ରହ୍ମାଣ୍ଡର ଅନ୍ତ ନ ପାଇଵା ପର୍ଯ୍ୟନ୍ତ ଵା ସଂସାରର ସବୁ କିଛି ଜାଣି ନନେଲା ପର୍ଯ୍ୟନ୍ତ ପ୍ରତ୍ୟେକ ସମ୍ଭାଵନା ଆଲୋଚନା ଯୋଗ୍ୟ। ଉଦାହରଣ ସ୍ୱରୂପ, ଯଦି ମୁଁ କହେ ଉଡ଼ନ୍ତା ପକ୍ଷୀରାଜ ଘୋଡ଼ା ଅଛନ୍ତି। ଵର୍ତ୍ତମାନ ସମୟରେ ବି ଯେହେତୁ ମନୁଷ୍ୟ ବ୍ରହ୍ମାଣ୍ଡ ଵିଷୟରେ ସବୁ କିଛି ଜାଣେ ନାହିଁ, ତେଣୁ ପକ୍ଷୀରାଜ ଘୋଡ଼ାର ଅସ୍ତିତ୍ୱକୁ ଅସ୍ୱୀକାର କରାଯାଇପାରିଵ ନାହିଁ । ଏବେ ଏହା କେତେ ହାସ୍ୟାସ୍ପଦ କଥା। ପ୍ରମାଣର ଅଭାଵ କେବେ ବି " ସ୍ଵୟଂ ପ୍ରମାଣ" ହୋଇ ପାରେ କି । ଯଦି ପକ୍ଷୀରାଜ ଘୋଡ଼ା ଅଛନ୍ତି, ତେବେ ଏହା ସପକ୍ଷରେ କେଵଳ ଜନସୃତି ଓ ପୁରାଣଗାଥାର ଉଦାହରଣ ନଦେଇ କିଛି ପ୍ରାମାଣିକ ତଥ୍ୟ ଦିଅନ୍ତୁ, ନଚେତ୍ କେବେ ବି ଏଭଳି ହାସ୍ୟାସ୍ପଦ ଦାବିର ଅନ୍ତ ଘଟିଵ ନାହିଁ?

ମନୋବିଜ୍ଞାନରେ ଏହିପରି ଶତାଧିକ ମତିଭ୍ରମର ଉଲ୍ଲେଖ ଅଛି । ଵିଭିନ୍ନ ମତିଭ୍ରମରୁ ଜାତ ଅନେକ ପ୍ରକାରର କୁତର୍କକୁ ଧରି କୁତର୍କୀମାନେ ସତ୍ୟର ସମୀକ୍ଷା ସମୟରେ ଭୁଲ୍ ସୂଚନା ଦେଇ ଆପଣଙ୍କୁ ପରାସ୍ତ କରିଵାକୁ ଚେଷ୍ଟା କରନ୍ତି, ଆପଣଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାନ୍ତି, ଆପଣଙ୍କ ଚରିତ୍ର ସଂହାର କରିଵାକୁ ଚେଷ୍ଟା କରନ୍ତି ।

କିନ୍ତୁ.... କୁତର୍କୀଙ୍କ ଦ୍ଵାରା ଯେତେ ଅପଯଶ ଓ ନିନ୍ଦା ମିଳୁ ଵା ସେମାନଙ୍କର ଦ୍ୱେଷ,ହିଂସା,ଈର୍ଷ୍ୟା ଓ କ୍ରୋଧର ସହସ୍ରାଧିକ ଥର ଶିକାର ହେଵାକୁ ପଡ଼ୁ ତଥାପି ଆପଣ ସେମାନଙ୍କ ଦ୍ଵାରା ପ୍ରଭାଵିତ ହୋଇ ନିଜର ସଚ୍ଚୋଟତା ତଥା ସତ୍ୟର ପଥକୁ କେବେ ବି ଛାଡ଼ନ୍ତୁ ନାହିଁ । 

ଭୁଲ୍ କହି ମଧ୍ୟ ଲୋକପ୍ରିୟ ନିଶ୍ଚିତ ଭାବରେ ସମ୍ମାନିତ ହେଵ,ତାକୁ ସ୍ୱୀକୃତି ବି ମିଳିଵ, କିନ୍ତୁ ଯଦି ଆପଣ ସତ୍ୟ ଓ ସ୍ୱୀକୃତି ମଧ୍ୟରୁ କୌଣସି ଗୋଟିଏକୁ ବାଛିଵାକୁ ଚାହୁଁଥାନ୍ତି, ତା’ହେଲେ ସଦା ସର୍ଵଦା ପ୍ରଥମ ଵିକଳ୍ପକୁ ହିଁ ଚୟନ କରନ୍ତୁ। 

ଥରେ ନୁହେଁ, ବାରମ୍ବାର, ପ୍ରତ୍ୟେକ ଥର !!!
••••••••••••••••••••••

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...