Tuesday, September 5, 2023

•ଟିଡ୍‌ଲିକ୍ ବେଙ୍ଗ ଓ ଜଳପ୍ରଳୟ•


ଏମିତି ତ ଏ ପୃଥିଵୀରେ ପ୍ରାୟ ସର୍ଵତ୍ର ଏକ ଵା ଏକାଧିକ ଜଳପ୍ରଳୟର କାହାଣୀ ଶୁଣିଵାକୁ ମିଳେ ତେବେ ଅଷ୍ଟ୍ରେଲିଆର ଜନଜାତୀୟ ଲୋକଗାଥାରେ ଜଳପ୍ରଳୟ ସମ୍ବନ୍ଧରେ ଏକ ନିଆରା ଗଳ୍ପ ରହିଛି । 

ଏହି କାହାଣୀର ମୁଖ୍ୟ ଚରିତ୍ର ଜଣେ ବେଙ୍ଗ ଯାହାର ନାମ ଡିଡ୍‌ଲିକ୍ । ଦିନେ ସକାଳେ ଭୀଷଣ ତୃଷ୍ଣା ଯୋଗୁଁ ନିଦ୍ରାରୁ ଉଠି ଡିଡ୍‌ଲିକ୍ ଆଖପାଖରେ ଯେତେ ପାଣି ଥିଲା ସବୁ ପିଇଵାକୁ ଆରମ୍ଭ କରିଦେଲା । ସେ ଯେତେ ପାଣି ପିଉଥାଏ ତା'ର ଶୋଷ ସେତେ ବଢ଼ୁଥାଏ । 
ଇତି ମଧ୍ୟରେ ଜଳ ଅଭାଵରୁ ସବୁ ସ୍ଥାନରେ ପଶୁପକ୍ଷୀ କୀଟ ପତଙ୍ଗ ଓ ଗଛ ବୃଛ ମରିଵାକୁ ଲାଗିଲେ । ଅନ୍ୟ ଜୀଵମାନେ ଡିଡ୍‌ଲିକ୍ ଯୋଗୁଁ ଏସବୁ ଅଘଟଣ ଘଟୁଛି ଜାଣି ତା ଵିରୋଧରେ ଷଡ଼ଯନ୍ତ୍ର କରି ସେ ପିଇଥିବା ସମସ୍ତ ପାଣି ଫେରି ପାଇଵାକୁ ଯୋଜନା କରିଥିଲେ। କିଏ କେତେ ପ୍ରକାରର ଉପାୟ 
କରି ଵିଫଳ ହେଲେ । ଶେଷରେ ଏକ ବୁଦ୍ଧିମାନ ବୃଦ୍ଧ ପେଚା ଉପାୟଟିଏ ଦେଲା । 



ଡିଡ୍‌ଲିକ୍‌କୁ ଯଦି ହସେଇ ଦିଆଯାଏ ତେବେ ସେ ପିଇଥିଵା ସବୁ ପାଣି ତା ପେଟରୁ ବାହାରି ଯିଵ । କୋଚିଆ(eel) କହିଲା ସେ ଏଇ କାମଟି କରିପାରିଵ । କୋଚିଆ ଯୋଉଠି ଟିଡ୍‌ଲିକ୍ ବସିଥିଲା ସେଠାକୁ ଗଲା ଏଵଂ ତା ଆଗରେ ଅଦ୍ଭୁତ ଢଙ୍ଗରେ ପହଁରିଲା । ଟିଡ୍‌ଲିକ୍ ବେଙ୍ଗ ଯେମିତି ସେ ପହଁରା ଦେଖିଲା ହସି ହସି ଗଡ଼ିଗଲା । ଟିଡ୍‌ଲିକ୍ ଏତେ ପରିମାଣରେ ହସିଲା ଯେ ତା ପେଟର ସବୁ ପାଣି ବାହାରି ଯାଇ ନଈ ପୋଖରୀ ଗାଡ଼ିଆ ସମୁଦ୍ରାଦି ପୂର୍ଣ୍ଣ ହୋଇଗଲା କିନ୍ତୁ ପାଣି ବୋହିଵା ଥମିଲା ନାହିଁ ଵରଂ ଆହୁରି ବଢ଼ି ଚାଲିଲା ।

 ସାରା ପୃଥିଵୀ ହଠାତ୍ ଜଳମୟ ହୋଇଗଲା । ଯୁଆଡ଼େ ଦେଖିଲେ କେଵଳ ଜଳ ହିଁ ଜଳ ଦୃଶ୍ୟ ହେଉଥାଇ । ଅନେକ ଜୀଵ ମଲେ ଏଵଂ ଯୋଉ ଯୋଉ ଉଚ୍ଚ ଭୂଭାଗ ବଞ୍ଚିଗଲା ସେଠାରେ ବଞ୍ଚିଯାଇଥିଵା ପଶୁପକ୍ଷୀମାନେ ଆଶ୍ରୟ ନେଲେ । 


ଟିଡ୍‌ଲିକ୍ ବେଙ୍ଗର ଏହି କାହାଣୀ ମୂଳତଃ ଜଳପ୍ରଳୟ ସମ୍ବନ୍ଧରେ ହୋଇଥିଲେ ବି ଆଧୁନିକ ଯୁଗରେ ଏ କାହାଣୀକୁ ଵିଭିନ୍ନ ପ୍ରକାରେ ବୋଲା ଓ ଲେଖାଯାଇଛି । ମୂଳ କାହାଣୀକୁ ପରିଵର୍ତ୍ତନ କରି ପିଲାମାନଙ୍କ ପାଇଁ କେହି କେହି ଏ କାହାଣୀକୁ ସୁଖାନ୍ତ କରି ଶୁଣାଇ ଥାଆନ୍ତି । 

ଗଵେଷକମାନେ କୁହନ୍ତି ଅଷ୍ଟ୍ରେଲିଆରେ ଦେଖାଯାଉଥିଵା Water-holding Frog ନାମରେ ଜଣାଶୁଣା Litoria platycephala ବେଙ୍ଗର ହାବଭାବକୁ ଭିତ୍ତିକରି କାହାଣୀଟି ଗଢ଼ିଉଠିଥିଲା । 

ଟିଡ୍‌ଲିକ୍‌ର କାହାଣୀ ଅଧୁନା ସାରା ଅଷ୍ଟ୍ରେଲିଆରେ ଲୋକପ୍ରିୟ ଥିଲେ ବି ମୂଳତଃ ଏ କାହାଣୀ ଗିପ୍ସଲାଣ୍ଡ୍,ଵିକ୍ଟୋରିଆ ଅଞ୍ଚଳର Gunai Kurnai ଜନଜାତୀୟ ଲୋକଙ୍କ ଲୋକଗାଥା ବୋଲି କେତେକ ଗଵେଷକ ମତ ଦିଅନ୍ତି ।

No comments:

Post a Comment

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସା...