Tuesday, February 28, 2023

ଭାଇ ଭାଇ


ଉଦୟ ଓ ଆଦିତ୍ୟ ଦୁଇ ଭାଇ । ଉଦୟ ବଡ଼ ଓ ଆଦିତ୍ୟ ସାନ । ଦୁହିଁଙ୍କ ମଧ୍ୟରେ ରାମ ଲକ୍ଷ୍ମଣଙ୍କ ପରି ନିଵିଡ଼ ଭାତୃଭାଵ । ତେବେ ଵିଵାହ ପରେ ଯେମିତି ସବୁ ଘରେ କଳି ହୁଏ ତାଙ୍କ ଘରେ ବି ହେଲା । କେତେବେଳେ ପିଲାଝିଲାଙ୍କୁ ନେଇକିରି ଝଗଡ଼ା ତ ଆଉ କେତେବେଳେ ଯାଗା ବାଡ଼ି ଓ ମାନ ଅଭିମାନକୁ ନେଇ ଵିଵାଦ । ଏସବୁ କଳିଗୋଳ ପିଲା ଆଉ ତିର୍ଲାଙ୍କ ଯୋଗୁଁ କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ତଥାପି ସ୍ନେହଭାଵ ଥିଲା । 



ଆଦିତ୍ୟ ବଡ଼ ଉଦ୍ୟମୀ ଏଵଂ କେଵଳ ଚାଷ ଉପରେ ନିର୍ଭର ନକରି ସେ ତା ସହିତ ବେପାର କରିଵା ମଧ୍ୟ ଆରମ୍ଭ କରିଦେଇଥିଲା । ଆଦିତ୍ୟର ବଡ଼ ଭାଇ ଉଦୟ ବାହାର ଗାଆଁକୁ ଗଲେ ଅନ୍ୟ ଲୋକ ଆଗରେ ନିଜ ସାନ ଭାଇର ବହୁତ ପ୍ରଶଂସା କରେ କିନ୍ତୁ ତା ସ୍ତ୍ରୀକୁ ଏସବୁ ଭଲ ଲାଗୁନଥିଲା ।‌ ସେ ଚାହୁଁଥିଲା କେମିତି ଦୁଇଭାଇଙ୍କ ମଧ୍ୟରେ ଏତେ ଘୃଣା ଈର୍ଷା ଦ୍ଵେଷ ବଢ଼ୁ ଯେ ସେମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତୁ । 

କିଛି ଦିନ ପରେ ଦୁଇଭାଇଙ୍କର ଦୁଇ ଶଳା ନିଜ ନିଜର ଭଉଣୀଘରକୁ ଆସିଲେ । ବଡ଼ ଭାଇ ଉଦୟର ଶଳା ପ୍ରମୋଦ ସାଇକେଲରେ ଆସିଲା ,ସାନ ଭାଇ ଆଦିତ୍ୟର ଶଳା ବଟକୃଷ୍ଣ ମଟରରେ ଆସିଲା । ବଟକୃଷ୍ଣକୁ ଦେଖି ବଡ଼ ଭାଇ ଉଦୟ ତା ସହିତ ଆଦର ସହକାରେ କଥାଭାଷା ହେଲେ ଫଳତଃ ପ୍ରମୋଦ ମନରେ ଈର୍ଷା ଜାତ ହେଲା । ସେ ନିଜ ନାନୀକୁ ଯାଇ ସବୁକଥା କହିଲା । ସେଇଠୁ ଉଦୟର ସ୍ତ୍ରୀ ଆଉ ତା ଭାଇ ମିଶି କଳିଗୋଳ କରିଵାକୁ ସଯୋଗ ଉଣ୍ଡି ରହିଲେ ।‌ ଦୁଇ ଭାଇଙ୍କ ହାଣ୍ଡି ଗୋଟିଏ ଥିଲା,ମାଆମାଟି ବି ବଣ୍ଟା ହୋଇନଥିଲା । ପ୍ରମୋଦ ତା ନାନୀକୁ ଘରଭଙ୍ଗା ବୁଦ୍ଧି ଦେଲା । ଘର ବାଡ଼ି ଭାଗ ଭାଗ ହେଲେ କେମିତି ଅଧିକ ଉନ୍ନତି ହେଵ,କିଭଳି ଭିନ୍ନ ହେଲେ କାମଦାମର ଭାର କମିଵ ଏଵଂ ଅଯଥା କଳିଗୋଳରୁ ମୁକ୍ତି ମିଳିଵ ଇତ୍ୟାଦି ସବୁ କଥା ତା ନାନୀକୁ ବୁଝାଇ ଦେଲା । 

ତାହା ଥିଲା ପୁଷମାସ ସମୟ । ସବୁଆଡେ଼ ଧାନକଟା ଚାଲିଥାଏ । ଉଦୟ ଓ ଆଦିତ୍ୟ ବିଲରେ ଧାନକଟା କାମରେ ଲାଗିଥାନ୍ତି । କିନ୍ତୁ ସେଦିନ ଆଉ ଘରକୁ କଟା ହୋଇଥିଵା ଧାନ ଆଉ ଘରକୁ ନେଇପାରିଲେ ନାହିଁ ତେଣୁ ସେହି ବିଲରେ ହିଁ ବଦାଡ଼ି କରି ରଖିଦେଲେ । 

ରାତି ହୋଇଯିଵାରୁ ବଡ଼ ଭାଇ ଉଦୟ ତା ସାନଭାଇ ଆଦିତ୍ୟକୁ ଘରକୁ ଖାଇଵାକୁ ପଠାଇ ଦେଲା । ସାନଭାଇ ଗଲାପରେ ବଡ଼ ଭାଇ ଭାବିଵାକୁ ଲାଗିଲା ମୋ ଭାଇଟି ବେପାର କରୁଥିଵାରୁ ଚାଷଵାସରେ ଅଧିକ ଧ୍ୟାନ ଦେଇପାରୁ ନାହିଁ ପୁଣି ପିଲାଛୁଆ ପାଞ୍ଚୁଟା ମୋର ତ ଗୋଟେ ବୋଲି ପୁଅ ମୁଁ ଵରଂ ତାକୁ କିଛି ବିଡ଼ା ଧାନ ଦେବି ଫଳରେ ତାକୁ ଵର୍ଷଯାକ ଖାଇଵା ପିଇଵାରେ ଅସୁଵିଧା ନହେଵ । ସେ ସେଇଆ ହିଁ କଲା । 

ଏପଟେ ଆଦିତ୍ୟ ଘରକୁ ଖାଇଵାକୁ ଆସିଵା ବେଳେ ତା ବଡ଼ ଭାଇର ଶଳା ପ୍ରମୋଦ ମଧ୍ୟ ଖାଇବସିଲା । ଗମାତରେ ଆଦିତ୍ୟ ତା ବଡ଼ଭାଇର ଶଳାକୁ ”ହଇକିୟେ ଘରଆଡ଼ିଆ ଭାଇ" ଡାକିଦେଲା । ଏଇକଥାକୁ ନେଇ ଉଭୟଙ୍କ ମଧ୍ୟରେ ଟିକିଏ ଯୁକ୍ତିତର୍କ ହୋଇଗଲା । 

 ସେ ଯାହା ହେଉ ଯେନ ତେନ ପ୍ରକାରେ କଥାକୁ ଚପାଇ ଦେଇ ଖାଇପିଇ ଆଦିତ୍ୟ ପୁଣି ବିଲକୁ ଫେରି ଆସିଲା ଏଵଂ ତା ବଡ଼ଭାଇ ଉଦୟକୁ ଘରକୁ ଖାଇଵାକୁ ପଠାଇଦେଲା ।
 
ତେବେ ଆଦିତ୍ୟ ଘରୁ ବିଲକୁ ଆସିଵା ମଧ୍ୟରେ ତେଣେ ତାଙ୍କ ଘରେ ଭୀଷଣ କଳିଗୋଳ ଲାଗିଗଲା । ଏ କଳି ଚାଲିଥିଲା ବେଳେ ଉଦୟ ଘରକୁ ଫେରିଲା । ଘରେ ଏମିତି ଝଗଡ଼ା ଲାଗିଥିଲା ଯେ ସେ ମଧ୍ୟ କେତେବେଳେ ସେହି କଳିଝଗଡା଼ରେ ଅଂଶ ହୋଇଗଲା ଜାଣିପାରିଲା ନାହିଁ ।‌ ଭାଇଵୋହୂ ଓ ସାନଭାଇର ଶଳାର ଅକଥାମାନ ଶୁଣି ସେ ଭୀଷଣ ରାଗିଗଲା । ଏମାନଙ୍କ ମୁହଁ ବଢି଼ଯାଇଛି ଏଵଂ ଏଥିପାଇଁ ତା ସାନ ଭାଇ ହିଁ ଦୋଷୀ ମନେକରି ସେ ନଖାଇନପିଇ ବିଲକୁ ଆଦିତ୍ୟ ସହିତ କଳି କରିଵାକୁ ଲେଉଟିଗଲା । 

ଏଣେ ସାନଭାଇ ଆଦିତ୍ୟ ବିଲରେ କଟା ହୋଇ ରଖାଯାଇଥିଵା 'ଧାନଗୋଚ୍ଛା'କୁ ଜଗି ବସିଥାଏ ଏଵଂ ଭାବୁଥାଏ ମୋର ତ ବଢ଼ିଆ ବେପାର ହେଉଛି କିନ୍ତୁ ବଡ଼ଭାଇଙ୍କର କେଵଳ ଚାଷଵାସରୁ କୁଟୁମ୍ବ ଚଳେ ତେଣୁ ବଡ଼ଭାଇଙ୍କୁ ମୁଁ କିଛି "ଧାନହଳା" ଦେଇଦେଲେ ସେ ଵର୍ଷଯାକ ସୁଖରେ ଚଳନ୍ତେ । ଏମନ୍ତ ଭାବି ସାନଭାଇ ଆଦିତ୍ୟ ନିଜ ବିଲର ଧାନଗଦାରୁ କିଛି "ଧାନ କଳେଇ" ଆଣି ତା ବଡ଼ଭାଇ ବିଲରେ ରଖିଦେଲା । 

ଭୋକଓପାସରେ ରାଗ ତମତମ ହୋଇ ଏଣେ ବିଲକୁ ଫେରୁଥାଏ ବଡ଼ଭାଇ ଉଦୟ କିନ୍ତୁ ସେ ଯେତେବେଳେ ନିଜ ସାନଭାଇକୁ ତା’ ବିଲରୁ ନିଜ ବିଲକୁ ନେଇ ଧାନବିଡ଼ା ରଖୁଥିଵା ଦେଖିଲା ତାହାର ରାଗ କୁଆଡେ଼ ଉଭେଇ ଗଲା । ସେ ଭୋ ଭୋ ହୋଇ କାନ୍ଦି ପକାଇଲା ଆଉ ନିଜ ସାନ ଭାଇକୁ ପୋଟଳେଇ'କି ଧରି ପକାଇଲା । ଦୁଇ ଭାଇ ଙ୍କ ମଧ୍ୟରେ କିଏ କେତେ କଳି ଲଗାଇଵାକୁ ଚେଷ୍ଟା କଲେ କିନ୍ତୁ ସେମାନଙ୍କ ଭାତୃଭାଵ ଆଦୌ ଊଣା ହେଲା ନାହିଁ । 

⦿⦿⦿⦿⦿⦿⦿⦿⦿⦿⦿⦿⦿⦿⦿
•••••••••••••••••••••••••••
ଶବ୍ଦାର୍ଥ 
*ତିର୍ଲା = ସ୍ତ୍ରୀ,ମାଏଝି
*ଗମାତ = ଗେଲ,ଥଟା
*ଘରଆଡ଼ିଆ ଭାଇ = ଶଳାମାନଙ୍କୁ ଵ୍ୟଙ୍ଗ୍ୟ ସମ୍ବୋଧନ
*ଉଣ୍ଡିଵା = ଖୋଜିଵା
*ବଦାଡ଼ି= ଧାନ ଗୋଚ୍ଛାର ଗଦା
*ହଳା = ଗୋଚ୍ଛା,ବିଡ଼ା(ଧାନ)
*କେଳେଇ,କଳାଇ = ଗୋଚ୍ଛା
*ପୋଟଳାଇଵା/ପୁଟ୍ଲାଇଵା = ଛାତିରେ ଯାବୁଡ଼ି ଧରିଵା; ଆଲିଙ୍ଗନ କରିଵା
•••••••••••••••••••••••••••
⦿⦿⦿⦿⦿⦿⦿⦿⦿⦿⦿⦿⦿⦿⦿

(ଵି:ଦ୍ର :- ଆମ ଓଡ଼ିଶାରେ ମଧ୍ୟ ଘୃଣା ଦ୍ଵେଷ ଓ ଈର୍ଷା ବଳରେ ଘରବାଡ଼ି ମାଟିମାଆ ବାଣ୍ଟିଦେଵାର ଷଡ଼ଯନ୍ତ୍ର ଭାରତ ସ୍ଵାଧୀନ ହେଵା ପରଠାରୁ ଲାଗିରହିଛି ‌। ଘରେ କଳି ଲଗାଉଛନ୍ତି ବାହାରୁ ଓଡ଼ିଶାରେ ଵର୍ଷ ଵର୍ଷ ପୀଢ଼ି ପୀଢ଼ି ଧରି ରହି ଆସୁଥିଵା କିଛି ସ୍ଵାର୍ଥପର ଅଣଓଡ଼ିଆ ଏଵଂ ତାଙ୍କ ହାତବାରିସୀ ସାଜୁଛନ୍ତି ଆମର କିଛି ଭାଇ । ତେବେ ଯଦି ଉଭୟ ଅଞ୍ଚଳର ଲୋକମାନେ ପରସ୍ପର ମଧ୍ୟରେ ସହସ୍ରାଧିକ ଵର୍ଷରୁ ରହିଥିଵା ସାମାଜିକ ସ୍ନେହ ସଦ୍ଭାଵକୁ ଅନୁଭଵ କରିପାରନ୍ତି ତାହେଲେ ହିନ୍ଦିଆ ବଙ୍ଗାଳୀ ମରାଠୀ ତେଲେଙ୍ଗା ସବୁ ମିଶି ମଧ୍ୟ ଆମକୁ, ଆମ ମନକୁ କି ଆମ ମାଟିମାଆକୁ କେବେ ବି ଆଞ୍ଚଳିକ ଵୈଷାମ୍ୟ ସୃଷ୍ଟି କରି ବାଣ୍ଟି ପାରିବେ ନାହିଁ । କାହାଣୀଟି ଏକ ଭାରତୀୟ ଲୋକକଥା ଆଧାରରେ ରଚିତ । ମୂଳ ଭାରତୀୟ ଲୋକକଥାଟି ହିନ୍ଦୀ ଜହ୍ନମାମୁଁରେ ୧୯୭୧ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ହୋଇଥିଲା ।‌ ) 

⟁⟁⟁⟁⟁⟁⟁⟁⟁⟁⟁⟁⟁⟁

Sunday, February 26, 2023

Aldebaran ଵା ରୋହିଣୀ ନକ୍ଷତ୍ର

 

ଵୃଷ ରାଶିର ସବୁଠାରୁ ଉଜ୍ଜ୍ୱଳତମ ତାରକା aldebaran ଅଟେ । କିନ୍ତୁ ଭାରତୀୟ ଏହି ନକ୍ଷତ୍ରକୁ ରୋହିଣୀ ନାମରେ ଜାଣନ୍ତି । ରୋହିଣୀ , ଚନ୍ଦ୍ରଙ୍କର ପତ୍ନୀ ଓ ଦକ୍ଷଙ୍କର ସତେଇଶ କନ୍ୟା ମଧ୍ୟରେ ଅନ୍ୟତମ । ଚୀନ ଦେଶରେ ଏହି ରୋହିଣୀ ଵା aldebaran ନକ୍ଷତ୍ରକୁ 畢宿五 (Bì Xiù wǔ) କୁହାଯାଏ । 

ପ୍ରାଚୀନ ଗ୍ରୀସରେ ଏହି ତାରକାକୁ 
Λαμπαδίας(Lampadias) କୁହାଯାଉଥିଲା ‌। ଯାହାର ଆକ୍ଷରିକ ଅର୍ଥ ଦିହୁଡ଼ୀ ପରି ,ପଦ ପ୍ରଦର୍ଶକ ଵା ଵାହକ । 

ଉତ୍ତର ପଶ୍ଚିମ ମେକ୍ସିକୋର Seri ଵା Comcaac ଲୋକେ ଵିଶ୍ଵାସ କରନ୍ତି ଯେ ଏହି aldebaran ଵା ରୋହିଣୀ ନକ୍ଷତ୍ର ସନ୍ତାନ ପ୍ରସଵ କରିଵାକୁ ଯାଉଥିଵା ସାତଜଣ ମହିଳାଙ୍କ ପାଇଁ ଆଲୋକ ପ୍ରଦାନ କରୁଅଛି । ସେହି ସାତଜଣ ମହିଳା ଆଉ କେହି ନୁହେଁ କୃତ୍ତିକା ନକ୍ଷତ୍ରପୁଞ୍ଜ(Pleiades)ର ସାତୋଟି ତାରକା । କାର୍ତ୍ତିକେୟ ଜନ୍ମକଥା ସହିତ ଏହି ମେକ୍ସିକୋ ଦେଶୀୟ ଲୋକଵିଶ୍ଵାସର ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

ଅଷ୍ଟ୍ରେଲିଆରେ ଉତ୍ତର-ପୂର୍ଵ ନିଉ ସାଉଥ ୱେଲ୍ସର କ୍ଲେରେନ୍ସ(Clarence) ନଦୀ ଆଖପାଖରେ ଵାସ କରୁଥିଵା ଆଦିଵାସୀମାନଙ୍କ ମଧ୍ୟରେ ଏହି ତାରକାକୁ ନେଇ ଏକ ଲୋକଵିଶ୍ଵାସ ପ୍ରଚଳିତ । ସେମାନେ ଏହାଙ୍କୁ ତାଙ୍କର ପୂର୍ଵପୁରୁଷ କରମ୍ବଲ(Karambal) ବୋଲି ଵିଶ୍ଵାସ କରନ୍ତି । ସ୍ଥାନୀୟ ଜନସୃତି ଅନୁସାରେ “ଏହି କରମ୍ବଲ, ଅନ୍ୟ ଜଣେ ପୁରୁଷର ସ୍ତ୍ରୀ ଚୋରି କରିନେଇଥିଲେ । ସେହି ମହିଳାଙ୍କ ସ୍ୱାମୀ ତାହାର ସ୍ତ୍ରୀକୁ ଉଣ୍ଡି ଉଣ୍ଡି କରମ୍ବଲ ଲୁଚି ରହିଥିଵା ଗଛକୁ ଜାଣିପାରି ସେ ଗଛକୁ ପୋଡି଼ ଦେଇଥିଲେ। ଫଳରେ ସେ ନିଆଁର ଧୂଆଁ ଆକାଶକୁ ଉଠି ତାରକା aldebaran ହୋଇଯାଇଥିଲା । ”

ରୋହିଣୀ ଵା aldebaran ତାରକା ଆମଠାରୁ ୬୫ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ତେବେ ଏହା ଏକ ଲାଲ ଦାନଵ(Red giant star) ତାରକା ଏଵଂ ଵ୍ଯାସାର୍ଦ୍ଧ ଦୃଷ୍ଟିରୁ ସୂର୍ଯ୍ୟଙ୍କଠାରୁ ୪୪ଗୁଣ ବଡ଼ ଓ ୪୦୦ଗୁଣ ଅଧିକ ଶୁଭ୍ର ମଧ୍ୟ । ଆମ ଵୃହସ୍ପତି ଗ୍ରହଠାରୁ ଅନେକ ଗୁଣ ବଡ଼ 'Aldebaran b' ନାମକ ଏକ ଵିଶାଳ ଗ୍ରହ ଏହି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଆଧୁନିକ ଗଵେଷକମାନେ ଜାଣିଵାକୁ ପାଇଛନ୍ତି । 

  Aldebaran ପ୍ରକୃତରେ ଏକ ଆରବୀୟ ଭାଷା ମୂଳର ପାଶ୍ଚାତ୍ୟ ନାମ ।‌ ଆରବିକ al Dabarān ("الدبران") ନାମରୁ ଏହାର ନାମକରଣ ହୋଇଛି ଯାହାର ଆକ୍ଷରିକ ଅର୍ଥ "ପୁଷ୍ପ" ଏଵଂ କୃତ୍ତିକା ନକ୍ଷତ୍ର ନିକଟରେ ଏହା ସଦାସର୍ଵଦା ରହୁଥିଵାରୁ ଏଭଳି ନାମକରଣ କରାଯାଇଛି ।

Saturday, February 25, 2023

ପ୍ରିୟଭୂମି (ମାୟାଧର ମାନସିଂହ)

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ
ଵିସ୍ତୀର୍ଣ୍ଣ ପ୍ରକୃତି ଯହିଁ ଦିଗମ୍ବର ବେଶେ
ଵୃକ୍ଷହୀନ-ହେମକାନ୍ତ-ସିକତା ଵିସ୍ତାରେ
ମହୋଦଧି ତଟ-ପ୍ରାନ୍ତେ । 

ସିନ୍ଧୁ-ସିକତାରେ
କ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣ
କିଆକୁଞ୍ଜେ ଲୁଚକାଳି, 
କୋମଳ ଚରଣ
ବୁଡ଼େ ନାହିଁ ବାଲୁକାରେ । 
ଵର୍ଷାରମ୍ଭ ତହିଁ
ପୁନ୍ନାଗ କୁସୁମ ଗନ୍ଧ ପ୍ରାଣଦିଏ ଦହି
ଵିରହୀ ତରୁଣଙ୍କର । 


କ୍ଷୁବ୍ଧ ପାରାବାର
ଢ଼ାଳେ ଚୂର୍ଣ୍ଣ -ମଣି-ଚୂଡ଼ ଦୀର୍ଘ ଊର୍ମିବାର
ସେ ଭୂମିର ପଦତଳେ; 
ତା ଗୁରୁଗର୍ଜନ
ରଚେ ତହିଁ ଶାଶ୍ୱତିକ ମୃଦଙ୍ଗ ଘୋଷଣ ।

ସେହି ଭୂମେ ମୋ କୁଟୀର; ସେ ଦେଶ-କୁରଙ୍ଗୀ
ଚାଲ ସଖି, 
ତୁମ୍ଭଠାରୁ ଶିଖିବେ ଭ୍ରୁଭଙ୍ଗି ।

••••••••••••••••••••••••
©ପ୍ରଣୟୀ କଵି ମାୟାଧର ମାନସିଂହ 
••••••••••••••••••••••••

Wednesday, February 15, 2023

ପାକିସ୍ଥାନୀ ଘଣ୍ଟା

ଜଣେ "ପାକିସ୍ତାନୀ ହିନ୍ଦୁ" ମରିଗଲା ପରେ ଯମପୁରୀକୁ ଗଲା । ସେଠାରେ ସେ ଦେଖିଲା ଶହ ଶହ ଘଣ୍ଟା ଟଙ୍ଗା ହୋଇଛି ‌। 

କୋଉ ଘଣ୍ଟାରେ କଣ୍ଟା ଧିରେ ତ କୋଉ ଘଣ୍ଟାରେ କଣ୍ଟା ସାଇଁ ସାଇଁ ବୁଲୁଚି । 

ପ୍ରତ୍ୟେକ ଘଣ୍ଟା ତଳେ ଗୋଟାଏ ଗୋଟାଏ ଦେଶର ନାଆଁ ଲେଖା ହୋଇଛି ‌।

ହେଲେ ସେ ଦେଖିଲା କୋଉଠି ବି ପାକିସ୍ତାନର ଘଣ୍ଟା ନାହିଁ ।

 ତାପରେ ସେ ଯମରାଜାଙ୍କ ପାଖକୁ ଯାଇ କାନରେ ଧିରେ ପଚାରିଲା

 “ହେ ଦେଵ ! ସବୁ ଦେଶର ଘଣ୍ଟା ଅଛି କିନ୍ତୁ କାହିଁ ପାକିସ୍ତାନର ଘଣ୍ଟା ତ ନାହିଁ ? 
ସତ କହିବେ କି ପାକିସ୍ତାନୀ ଘଣ୍ଟା ନରଖିଵାକୁ ପାକିସ୍ତାନ ସରକାରଠାରୁ କେତେ ନେଇଛନ୍ତି ?” 😂

ଯମରାଜ କହିଲେ ବାବୁ ତୁମେ ତୁଚ୍ଛାକୁ ଆକ୍ଷେପ କରୁଛ ପାକିସ୍ତାନର ଅଵସ୍ଥା ଯାହା ସେ ପାଞ୍ଚ ପଇସା କାହାକୁ ଦେଇପାରିଵ ନାହିଁ ‌। ଯାଅ ଯାଅ ମୋ ଶୟନକକ୍ଷକୁ ଯାଇ ଦେଖ ସେଠି ପାକିସ୍ତାନୀ ଘଣ୍ଟା ହିଁ ଟଙ୍ଗା ହୋଇଛି ...!!!

Tuesday, February 14, 2023

ପ୍ରେମର ଭାଷା(ମାୟାଧର ମାନସିଂହ)



ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲି
ସେ ‘ତମେ’ର ମୂଲ ନାହିଁ,
ତମେ ଯେବେ ମତେ ‘ତମେ’ ବୋଲି କହ
ଏତେ ମିଠା କାହିଁ ପାଇଁ ?

ଦୁଇଟି ଅକ୍ଷରେ କିଣି ନେଲା ପରି
କାନକୁ ମୋହର ଲାଗେ,
ଓଠ ତବ ସଖି ଭରିଦିଏ ତାକୁ
କି ଗଭୀର ଅନୁରାଗେ ?

କେତେ ତ ଡାକନ୍ତି ଦିନ ରାତି ସଦା
‘ଶୁଣ’ ‘ଶୁଣ’ ବୋଲି ମତେ,
ତମେ ଯେବେ ଆଖି ଠାରି ‘ଶୁଣ’ କହ
କେ ଜାଣି କି ପ୍ରାଣେ ଘଟେ !

କେତେ ନ ଶୁଣୁଛି ଦିନ ରାତି କହ
‘ହଇକିଓ’ ‘ହଇକିଓ’
ତମେ ଯଦି ପଛୁ ଡାକ ‘ହଇକିଓ’
ସୁଧା ଧାରା ଢାଳ କିଓ ?

ହେ ପ୍ରେମ-ଦେଵତା
ଏ ପ୍ରେମୀ-ଯୁଗଳେ
କରୁଣା ତମର ଥାଉ,
‘ତମେ’ - ‘ଶୁଣ’ ତଳେ ଦୁଇଟି ଛାତିର
ଡାକ ଦୁହେଁ ଯେହ୍ନେ ପାଉ ।

(ପ୍ରଣୟୀକଵି ମାୟାଧର ମାନସିଂହ)

Friday, February 10, 2023

ଟେଡ୍ଡି ଭାଲୁର କାହାଣୀ

ଟେଡ୍ଡି(teddy) ଛୋଟପିଲା ଓ ଅଵିଵାହିତା କନ୍ୟାମାନଙ୍କର ଅତିପ୍ରିୟ । ଏ ଟେଡ୍ଡି ଗୋଟିଏ ଭାଲୁ ଆକାରର ଲୋମଶ ତଥା କୋମଳ କଣ୍ଢେଇ । ତେବେ ଇଂରାଜୀ ଭାଷାରେ ପ୍ରିୟ,ସୁନ୍ଦର,ସରଳ,ମଧୁରଭାଷୀ ପୁରୁଷ ଲୋକଙ୍କୁ ମଧ୍ୟ ଲକ୍ଷଣାର୍ଥ teddy bear man କୁହାଯାଏ । ଏହି teddy ଶବ୍ଦର ଆଉ ଏକ ଅର୍ଥ ହେଉଛି ମହିଳାମାନଙ୍କ ଵସ୍ତ୍ର । Saint Valentineଙ୍କ ସହିତ teddy bearର କୌଣସି ସମ୍ପର୍କ ନାହିଁ ଵରଂ ଏହା ବହୁତ ପରେ Valentine day ସହିତ ଜଡ଼ିତ ହୋଇଅଛି । ପ୍ରକୃତରେ Teddy ଏକ ଡାକନାମ । ସାଧାରଣତଃ Edward, Edmund ଓ Theodore ଆଦି ନାମଯୁକ୍ତ ଵ୍ୟକ୍ତିଵିଶେଷଙ୍କର ଡାକନାମ teddy ରଖାଯାଉଥିଲା । 



Morris Michtom, ନ୍ୟୁୟର୍କ'ର ବ୍ରୁକଲିନ୍ ଅଞ୍ଚଳରେ ଏକ କ୍ୟାଣ୍ଡି ଷ୍ଟୋର୍‌ର ମାଲିକ ଥିଲେ ଏଵଂ ସେ ପୃଥିଵୀର ପ୍ରଥମ teddy bear ୧୯୦୨ ମସିହାରେ ଗଢି଼ଥିଵା ଜଣାଯାଏ । ସେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି Theodore “Teddy” Rooseveltଙ୍କ ସମ୍ମାନାର୍ଥେ ପ୍ରଥମ "ଟେଡ୍ଡି ଭାଲୁ କଣ୍ଢେଇ" ଗଢି଼ଥିଵା ପ୍ରଵାଦ ରହିଛି । କଥିତ ହୁଏ ଆମେରିକୀୟ ରାଷ୍ଟ୍ରପତି ଟେଡ୍ଡି ରୁଜଵେଲ୍ଟ ଏକ ଶିକାର ଯାତ୍ରା କାଳରେ ଗୋଟାଏ ଭାଲୁ ଛୁଆକୁ ମାରିଵାକୁ ମନା କରିଦେଇଥିଲେ।

ନଭେମ୍ବର ୧୯୦୨ରେ ମିସିସିପିରେ ଆୟୋଜିତ ଭାଲୁ ଶିକାର ଯାତ୍ରାରେ ଘଟିତ ଏକ ଘଟଣାରୁ ଏହି teddy bear ନାମ ଉତ୍ପନ୍ନ ହୋଇଥିଲା । ସେତେବେଳେ ଯେମିତି ଭାରତରେ ଧନୀକମାନେ ଅଵସର ଵିନୋଦନ ପାଇଁ ବାଘ ଶିକାର କରୁଥିଲେ ଠିକ୍ ସେହିପରି ଆମେରିକୀୟ ଧନାଢ୍ୟମାନେ ଭାଲୁ ଶିକାର କରିଵାକୁ ସୁଖ ପାଉଥିଲେ । 

ସେହି ଶିକାର ଯାତ୍ରାରେ ଯୋଗ ଦେଵାକୁ ଆମେରିକାର ପୂର୍ଵତନ ରାଷ୍ଟ୍ରପତି ଥିଓଡୋର୍ ରୁଜଭେଲ୍ଟଙ୍କୁ ମିସିସିପି ଗଭର୍ଣ୍ଣର ଆଣ୍ଡ୍ରିୟୁ ଏଚ୍ ଲଙ୍ଗିନୋ ନିମନ୍ତ୍ରଣ କରିଥିଲେ । ଆହୁରି ଅନେକ ଶିକାରୀ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏଵଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ଵରୁ ଏକାଧିକ ପଶୁକୁ ମାରି ସାରିଥିଲେ।  

ହୋଲ୍ଟ କୋଲିୟର୍‌ଙ୍କ ନେତୃତ୍ୱରେ ରୁଜଭେଲ୍ଟ ଓ ତାଙ୍କ ସହଯୋଗୀ ହାଉଣ୍ଡ ଦୀର୍ଘ ସମୟ ଧରି ପିଛା କରିବା ପରେ ଗୋଟିଏ ଆମେରିକୀୟ କଳା ଭାଲୁକୁ ଏକ willow ଗଛରେ ବାନ୍ଧି ଦିଆଯାଇଥିଲା ।  

ରୁଜଭେଲ୍ଟଙ୍କୁ ଭାଲୁ ବନ୍ଧାଯାଇଥିଵା ସ୍ଥାନକୁ ଡକାଯାଇ ତାଙ୍କୁ ସେ ଭାଲୁକୁ ଗୁଳି କରି ମାରିଵାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଥିଓଡୋର୍ ରୁଜଵେଲ୍ଟ ସେ ନିଜେ ଭାଲୁକୁ ଗୁଳି କରିଵାକୁ ମନା କରିଥିଦେଇଥିଲେ ।‌
କିନ୍ତୁ ସେତେବେଳକୁ ସେ ଭାଲୁ ଅର୍ଦ୍ଧମୃତ ହୋଇଯାଇଥିଵାରୁ ତାକୁ ଅନ୍ୟ କେହି ଗୁଳି କରି କଷ୍ଟରୁ ମୁକ୍ତି ଦେଵାକୁ ପରାମର୍ଶ ଦେଇଥିଲେ । ଏହା ସେତେବେଳର ୱାଶିଂଟନ ପୋଷ୍ଟ ସମ୍ବାଦପତ୍ରରେ କ୍ଲିଫର୍ଡ ବେରିମ୍ୟାନଙ୍କ ଏକ ରାଜନୈତିକ କାର୍ଟୁନର ଵିଷୟଵସ୍ତୁ ପାଲଟିଥିଲା । ସେହି କାର୍ଟୁନ୍ 
ଦେଖିଵା ପରେ Morris Michtom ସେଥିରୁ ଟେଡ୍ଡି ଭାଲୁ ଗଢି଼ଵାକୁ ଅନୁପ୍ରାଣିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ Theodore Rooseveltଙ୍କୁ ଏହି teddy ସମ୍ବୋଧନ ଆଦୌ ଭଲ ଲାଗୁନଥିଲା କିନ୍ତୁ ଆଜି ତାଙ୍କର ଏହି ଡାକନାମ ଵିଶ୍ଵଵ୍ୟାପକ ହୋଇଯାଇଛି । ଏହି teddy ଭାଲୁରୁ ପରେ ଅନେକ ଲେଖକ ଅନୁପ୍ରାଣିତ ହୋଇଥିଲେ । ଲେଖକ A. A. Milne ତାଙ୍କ ପୁଅର teddy ଭାଲୁରୁ ଅନୁପ୍ରାଣିତ ହୋଇ Winnie-the-Pooh ଚରିତ୍ର ଗଢି଼ଥିଲେ । ବ୍ରିଟିଶ ଲେଖକ Michael Bond teddy ଭାଲୁରୁ ଅନୁପ୍ରାଣିତ ହୋଇଥିଲେ ଏଵଂ ୧୯୫୮ର ତାଙ୍କର ଏକ ଶିଶୁ ସମ୍ବନ୍ଧୀୟ ପୁସ୍ତକରେ Paddington Bearର ଚରିତ୍ର ସୃଷ୍ଟି କରିଥିଲେ । 

ଗୋଟିଏ ପଟେ ମାନଵ ସମାଜ ମଧ୍ୟରେ teddy bearର ଚାହିଦା ବୃଦ୍ଧି ପାଉଥିଲାବେଳେ ପ୍ରକୃତ ଭାଲୁଙ୍କ ସଂଖ୍ୟା ହ୍ରାସ ପାଇଛି। 

ଆଗେ ଉତ୍ତର ଆମେରିକାରେ ପ୍ରଵଳ ସଂଖ୍ୟାରେ ଭାଲୁ ଦେଖାଯାଉଥିଲେ ତେଣୁ ସେଠାରେ ଭାଲୁ ଶିକାରର ପରମ୍ପରା ଆରମ୍ଭ ହୋଇଥିଲା ଏଵଂ ଆଜି ବି କେତେକ ଅଞ୍ଚଳରେ ଏହି ଶିକାର ଯାତ୍ରା ହୋଇଥାଉଛି । ଆଜି USAରେ ଅଢ଼େଇରୁ ତିନିଲକ୍ଷ ଭାଲୁ ଥିଲାବେଳେ Canadaରେ ଛଅଲକ୍ଷ ଭାଲୁ ବଞ୍ଚି ଯାଇଛନ୍ତି । ଭାଲୁପରିଵାରକୁ Ursidae ନାମ ଦିଆଯାଇଛି। ଏହି Ursidae ଭାଲୁ ପରିଵାରକୁ ପୁଣି ଜୀଵଵିଜ୍ଞାନୀମାନେ ଛ ଅ ଭାଗରେ ଵିଭକ୍ତ କରିଛନ୍ତି ଯଥା :
•Hemicyoninae
•Ursavinae
•Agriotheriinae
•Ailuropodinae (ପାଣ୍ଡା ଭାଲୁ)
•Tremarctinae (Spectacled Bears)
•Ursinae (ଅନ୍ୟାନ୍ୟ ଭାଲୁ ଜାତି) 

ଏହି ଛଅଗୋଟି ଭାଲୁ ଉପପରିଵାର ମଧ୍ୟରେ Hemicyoninae,Ursavinae
ଓ Agriotheriinae ଜାତୀୟ ଭାଲୁ ବହୁ ପୂର୍ଵରୁ ଵିଲୁପ୍ତ ହୋଇସାରିଛନ୍ତି ।‌

ଭାରତରେ ସାଧାରଣତଃ ଚାରି ଜାତୀୟ ଭାଲୁ ଦେଖାଯାଆନ୍ତି Asiatic black bear,Helarctos Horsfield,Melursus Meyer,Ursus arctos (ଓ ଏହାର ଏକ ଉପଜାତି Ursus arctos isabellinus) । 

ପୃଥିଵୀରେ ଵିଭିନ୍ନ Ursidae ଉପପରିଵାରର ମୋଟ ଆଠପ୍ରକାରର ଭାଲୁ ଦେଖାଯାଆନ୍ତି ତନ୍ମଧ୍ୟରୁ ଚାରି ଜାତୀୟ ଭାଲୁ ଭାରତରେ ଦେଖିଵାକୁ ମିଳନ୍ତି । ତେବେ 
ଭାରତରେ କିଛି ଦଶନ୍ଧୀ ଧରି ମାନଵୀୟ ଵିକାଶ ନାମରେ ଭୀଷଣ ଭାବେ ଜଙ୍ଗଲ କଟାଯିଵା ଯୋଗୁଁ ଭାଲୁମାନଙ୍କର ବଂଶ ଦିନକୁ ଦିନ କମି କମି ଯାଉଛି । ଏକ ଅଧ୍ୟୟନରୁ ଭାରତରେ ଅଧୁନା ଷାଠିଏ ହଜାରରୁ କମ୍ ଭାଲୁ ଥିଵା ଜଣାଯାଏ । 

ପ୍ରକୃତ ଭାଲୁକୁ କୁଣ୍ଢାଇଵା କଷ୍ଟକର ହୋଇପାରେ ତେବେ teddy ଭାଲୁ କୁଣ୍ଢାଇଵା ସହଜ ତେଣୁ ଲୋକେ ଏ ଟେଡ୍ଡି ଭାଲୁ କଣ୍ଢେଇ ଧରି ଖେଳିଵାକୁ ଚେଷ୍ଟା କରନ୍ତି ଏଣେ ଯେଉଁ ଗତିରେ ଜଙ୍ଗଲ ନଷ୍ଟ ହେଉଛି ଆସନ୍ତା ଶତାବ୍ଦୀରେ ପରଵର୍ତ୍ତୀ ପିଢି଼ ଭାଲୁର ପରିଚୟ କେଵଳ ଆଲୋକ ଚିତ୍ର ,ଵିଡିଓ ତଥା teddy ଭାଲୁ ମଧ୍ୟରେ ପାଇଵା ଛଡ଼ା ଅନ୍ୟ ଉପାୟ ନଥିଵ ।

Sunday, February 5, 2023

ଶ୍ଳୋକ ସଂଗ୍ରହ :

“ଵସନ୍ତେ ଜ୍ଞାୟତେ ଭେଦଃ
କାକସ୍ୟ ଚ ପିକସ୍ୟ ଚ ।
ସତଶ୍ଚା ଵ୍ୟସତୋ ଭେଦଃ
ସମୟେ ଏଵ ଜ୍ଞାୟତେ ॥”

“କାଉ ଓ କୋଇଲି ଭିତରେ ଯାହା ପାର୍ଥକ୍ୟ, ଵସନ୍ତ ଋତୁ
ଆଗମନରେ ତାହା ସ୍ପଷ୍ଟ ହୋଇଯାଏ । 

ସେହପରି ସଜ୍ଜନ ଓ
ଦୁର୍ଜନ ଭିତରେ ଥିଵା ପାର୍ଥକ୍ୟ ଜରୁରୀ କାଳରେ ଜଣା ପଡି଼ଯାଏ ।”

“କାଉ କୋଇଲିଙ୍କ ମଧ୍ୟେ ଥିଵା ଭେଦ ବସନ୍ତରେ ଜଣାପଡ଼େ 
ଖଳ ଓ ସାଧୁ ଲୋକ ସେହିପରି ଵିପତ୍କାଳେ ଚିହ୍ନାପଡ଼େ”

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...