Sunday, February 26, 2023

Aldebaran ଵା ରୋହିଣୀ ନକ୍ଷତ୍ର

 

ଵୃଷ ରାଶିର ସବୁଠାରୁ ଉଜ୍ଜ୍ୱଳତମ ତାରକା aldebaran ଅଟେ । କିନ୍ତୁ ଭାରତୀୟ ଏହି ନକ୍ଷତ୍ରକୁ ରୋହିଣୀ ନାମରେ ଜାଣନ୍ତି । ରୋହିଣୀ , ଚନ୍ଦ୍ରଙ୍କର ପତ୍ନୀ ଓ ଦକ୍ଷଙ୍କର ସତେଇଶ କନ୍ୟା ମଧ୍ୟରେ ଅନ୍ୟତମ । ଚୀନ ଦେଶରେ ଏହି ରୋହିଣୀ ଵା aldebaran ନକ୍ଷତ୍ରକୁ 畢宿五 (Bì Xiù wǔ) କୁହାଯାଏ । 

ପ୍ରାଚୀନ ଗ୍ରୀସରେ ଏହି ତାରକାକୁ 
Λαμπαδίας(Lampadias) କୁହାଯାଉଥିଲା ‌। ଯାହାର ଆକ୍ଷରିକ ଅର୍ଥ ଦିହୁଡ଼ୀ ପରି ,ପଦ ପ୍ରଦର୍ଶକ ଵା ଵାହକ । 

ଉତ୍ତର ପଶ୍ଚିମ ମେକ୍ସିକୋର Seri ଵା Comcaac ଲୋକେ ଵିଶ୍ଵାସ କରନ୍ତି ଯେ ଏହି aldebaran ଵା ରୋହିଣୀ ନକ୍ଷତ୍ର ସନ୍ତାନ ପ୍ରସଵ କରିଵାକୁ ଯାଉଥିଵା ସାତଜଣ ମହିଳାଙ୍କ ପାଇଁ ଆଲୋକ ପ୍ରଦାନ କରୁଅଛି । ସେହି ସାତଜଣ ମହିଳା ଆଉ କେହି ନୁହେଁ କୃତ୍ତିକା ନକ୍ଷତ୍ରପୁଞ୍ଜ(Pleiades)ର ସାତୋଟି ତାରକା । କାର୍ତ୍ତିକେୟ ଜନ୍ମକଥା ସହିତ ଏହି ମେକ୍ସିକୋ ଦେଶୀୟ ଲୋକଵିଶ୍ଵାସର ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

ଅଷ୍ଟ୍ରେଲିଆରେ ଉତ୍ତର-ପୂର୍ଵ ନିଉ ସାଉଥ ୱେଲ୍ସର କ୍ଲେରେନ୍ସ(Clarence) ନଦୀ ଆଖପାଖରେ ଵାସ କରୁଥିଵା ଆଦିଵାସୀମାନଙ୍କ ମଧ୍ୟରେ ଏହି ତାରକାକୁ ନେଇ ଏକ ଲୋକଵିଶ୍ଵାସ ପ୍ରଚଳିତ । ସେମାନେ ଏହାଙ୍କୁ ତାଙ୍କର ପୂର୍ଵପୁରୁଷ କରମ୍ବଲ(Karambal) ବୋଲି ଵିଶ୍ଵାସ କରନ୍ତି । ସ୍ଥାନୀୟ ଜନସୃତି ଅନୁସାରେ “ଏହି କରମ୍ବଲ, ଅନ୍ୟ ଜଣେ ପୁରୁଷର ସ୍ତ୍ରୀ ଚୋରି କରିନେଇଥିଲେ । ସେହି ମହିଳାଙ୍କ ସ୍ୱାମୀ ତାହାର ସ୍ତ୍ରୀକୁ ଉଣ୍ଡି ଉଣ୍ଡି କରମ୍ବଲ ଲୁଚି ରହିଥିଵା ଗଛକୁ ଜାଣିପାରି ସେ ଗଛକୁ ପୋଡି଼ ଦେଇଥିଲେ। ଫଳରେ ସେ ନିଆଁର ଧୂଆଁ ଆକାଶକୁ ଉଠି ତାରକା aldebaran ହୋଇଯାଇଥିଲା । ”

ରୋହିଣୀ ଵା aldebaran ତାରକା ଆମଠାରୁ ୬୫ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ତେବେ ଏହା ଏକ ଲାଲ ଦାନଵ(Red giant star) ତାରକା ଏଵଂ ଵ୍ଯାସାର୍ଦ୍ଧ ଦୃଷ୍ଟିରୁ ସୂର୍ଯ୍ୟଙ୍କଠାରୁ ୪୪ଗୁଣ ବଡ଼ ଓ ୪୦୦ଗୁଣ ଅଧିକ ଶୁଭ୍ର ମଧ୍ୟ । ଆମ ଵୃହସ୍ପତି ଗ୍ରହଠାରୁ ଅନେକ ଗୁଣ ବଡ଼ 'Aldebaran b' ନାମକ ଏକ ଵିଶାଳ ଗ୍ରହ ଏହି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଆଧୁନିକ ଗଵେଷକମାନେ ଜାଣିଵାକୁ ପାଇଛନ୍ତି । 

  Aldebaran ପ୍ରକୃତରେ ଏକ ଆରବୀୟ ଭାଷା ମୂଳର ପାଶ୍ଚାତ୍ୟ ନାମ ।‌ ଆରବିକ al Dabarān ("الدبران") ନାମରୁ ଏହାର ନାମକରଣ ହୋଇଛି ଯାହାର ଆକ୍ଷରିକ ଅର୍ଥ "ପୁଷ୍ପ" ଏଵଂ କୃତ୍ତିକା ନକ୍ଷତ୍ର ନିକଟରେ ଏହା ସଦାସର୍ଵଦା ରହୁଥିଵାରୁ ଏଭଳି ନାମକରଣ କରାଯାଇଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...