Tuesday, August 29, 2023

ଲୋକମତ



ଗୋଟିଏ ଚିତ୍ରଶାଳାରେ ଖଣ୍ଡେ ଚିତ୍ର 'ଫିଆ' ହୋଇଥଲା । ଜଣେ ଲୋକଙ୍କ ମନକୁ କ'ଣ ଯୁଟିଲା କେଜାଣି ସେ ଗମାତରେ ଉକ୍ତ ଚିତ୍ରତଳେ ଚିତ୍ରର ଗୋଟିଏ ଖୁଣ ଦେଖାଇ ଧାଡ଼ିଏ ଲେଖିଦେଲେ । ତା’ପରେ ଯେତେ ଲୋକ ସେ ଚିତ୍ର ହେରିଵାକୁ ଆସିଲେ, ସେମାନେ ମଧ୍ୟ ପୂର୍ଵୋକ୍ତ ଦୋଷ ସମ୍ବନ୍ଧୀୟ ମନ୍ତଵ୍ୟ ତଳେ ସେହି ଛଵିର କେଵଳ ଗୋଟିଏ ଗୋଟିଏ ଅଵିଗୁଣ ଲେଖି ଦେଇଗଲେ । ତହିଁ ଆରଦିନ ଦେଖିଲାବେଳକୁ ଚିତ୍ରରେ ଥିଵା ତ୍ରୁଟି ଵିଚ୍ୟୁତି ସମ୍ବନ୍ଧରେ କେଵଳ ଆଠ ଦଶଗୋଟି ମନ୍ତଵ୍ୟ ଲେଖାଯାଇଅଛି ।

ସାଧାରଣ ଲୋକମତରେ ଏହାର ମୂଲ୍ୟ ପରୀକ୍ଷା କରିଵା ଲାଗି ପ୍ରଥମ ମନ୍ତଵ୍ୟ ଲେଖକ ଵ୍ୟକ୍ତି ସେ ଧାଡ଼ିଗୁଡ଼ିକ ଲିଭାଇଦେଇ ଚିତ୍ରର ଗୋଟିଏ ଗୁଣ ଦେଖାଇଵାକୁ ଯାଇ ଧାଡ଼ିଟିଏ ଲେଖିଦେଲେ । ସତକୁ ସତ ତା’ ପରେ ଯେତେ ଦେଖେଣାହାରୀ ସେ ଚିତ୍ର ଦେଖିଵାକୁ ଆସିଲେ, ସେମାନେ ଉକ୍ତ ଧାଡ଼ିତଳେ ଚିତ୍ରର ଗୋଟିଏ ଗୋଟିଏ ଗୁଣ ଦେଖାଇ ଲେଖିଦେଇଗଲେ । ତା' ପରଦିନ ଦେଖିଲା ବେଳକୁ ଗୁଣଵର୍ଣ୍ଣନାରେ ସେ ଚିତ୍ରର ନିମ୍ନଦେଶ ପୂର୍ଣ୍ଣ ହୋଇଅଛି । 

ଫେସବୁକ, ୟୁଟ୍ୟୁବ ଆଦି ସାମାଜିକ ଗଣମାଧ୍ୟମରେ ବି ସେଇଆ ହୁଏ । ଜଣେ ଯେତେ ଭଲ ଲେଖା ଲେଖିଥାଉ ଦୋଷ ଦର୍ଶକ ଯୁଟିଯାଆନ୍ତି ତାପରେ ଲେଖାରୁ କିଛି ନା କିଛି ଦୋଷ ଦର୍ଶନକରି ଆଗପଛ ନ ଵିଚାରି ମନ୍ତଵ୍ୟ ଲେଖିଦିଅନ୍ତି । ସେ ଲୋକ ଦେଖାଦେଖି ଅନ୍ୟମାନେ ବି ସେହିପରି ମନ୍ତଵ୍ୟ ଦିଅନ୍ତି । ଲେଖକର ଉଦ୍ଦେଶ୍ୟ ବୁଝିବେ କ'ଣ ଗୋଟାଏ ଗୌଣ ମନ୍ତଵ୍ୟକୁ ଧରି ଲୋକେ ଲେଖକଙ୍କୁ ଛେଚି କଚାଡ଼ି ପକାନ୍ତି ...
•••••••••••••••••••••••••••
ଫିଆ—(exhibited)ପ୍ରଦର୍ଶିତ 
ଜୁଟିଵା/ଯୁଟିଵା— ମିଳିଵା, ପ୍ରାପ୍ତ ହେଵା
ଗମାତ—କୌତୁକ,ଗେଲ
ଖୁଣ—ଦୋଷ
ହେରିଵା—ଦେଖିଵା
ଅଵିଗୁଣ—ଦୋଷ
ଦେଖେଣାହାରୀ—ଦର୍ଶକ
•••••••••••••••••••••••••••

Sunday, August 27, 2023

ପୌରୁଷ ପତ୍ରିକାର ନାମକରଣ ପୌରୁଷ କାହିଁକି ହୋଇଅଛି ?

ଓଡ଼ିଶାରେ ପ୍ରକାଶ ପାଉଥିଵା ପୌରୁଷ ପତ୍ରିକାର ପ୍ରଥମ ସଂଖ୍ୟାରେ ଏହି ପତ୍ରିକାର ନାମକରଣ କାହିଁକି ପୌରୁଷ ହୋଇଥିଲା ତହିଁର କାରଣ ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମହାଭାରତର ଗୋଟିଏ ପ୍ରସଙ୍ଗର ଉଲ୍ଲେଖ ସହ ଦର୍ଶାଇଥିଲେ । ନିମ୍ନରେ ତାହା ପ୍ରଦତ୍ତ ହେଲା...

ମହାଭାରତ ଯୁଦ୍ଧଭୂମିରେ କୌରଵମାନଙ୍କର ସେନାପତି ଗୁରୁ ଦ୍ରୋଣାଚାର୍ଯ୍ୟ ନିହତ ହେଲେ । ଦ୍ରୋଣଙ୍କ ପୁତ୍ର ମହାରଥୀ ଅଶ୍ଵତ୍ଥାମା କହିଲେ କୌରଵଙ୍କର ସେନାପତି ପଦରେ ତାଙ୍କୁ ହିଁ ଵରଣ କରିଥାଉ ।
ଦୁର୍ଯ୍ୟୋଧନ କିନ୍ତୁ, କର୍ଣ୍ଣଙ୍କର ଦାବୀ
ଏଡ଼ାଇ ପାରିଲେ ନାହିଁ । ସେ
କହିଲେ କର୍ଣ୍ଣ ମୂଳରୁ ସେନାପତି
ହେଵାର କଥା । ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣାଶ୍ଚର୍ଯ୍ୟ ଥିଵା ଯୋଗୁଁ
ସେ ହୋଇ ପାରୁ ନ ଥିଲେ । କର୍ଣ୍ଣଙ୍କ ପ୍ରତି କଠୋର ଵାକ୍ୟ ପ୍ରୟୋଗ କରି ଅଶ୍ଵତ୍ଥାମା କହିଲେ, କର୍ଣ୍ଣ ସାରଥିର ପୁତ୍ର ସେ ସେନାପତି ହେଵାକୁ ଯୋଗ୍ୟ ନୁହେଁ । ତା’ର ଯେଉଁ ଉତ୍ତର
କର୍ଣ୍ଣ ଦେଇଥିଲେ ଏବର ଭାରତଵର୍ଷର ଯୁଵସମାଜପାଇଁ
ମଧ୍ୟ ତାହା ପ୍ରଯୁଜ୍ୟ । ସଂସ୍କୃତ ‘ବେଣୀ ସଂହାରମ୍’ ନାଟକରେ ତାହା ଏହିପରି ଅଛି –

“ସୂତୋ ଵା ସୂତପୁତ୍ତ୍ରୋ ଵା
ଯୋ ଵା କୋ ଵା ଭଵାମ୍ୟହଂ ।
ଦୈଵାୟତ୍ତଂ କୁଳେ ଜନ୍ମ
ମଦାୟତ୍ତଞ୍ଚ ପୌରୁଷମ୍ ।”

ମୁଁ ସାରଥି ଵା ସାରଥିର ପୁତ୍ର
ହୋଇପାରେ ଵା ଯେ କେହି ହୋଇପାରେ । ଉଚ୍ଚ କୁଳରେ ଜାତ ହେଵା ମୋର ଆୟୁତ୍ତର ବାହାରେ । ତାହା ଦୈଵର ଅଧୀନ; କିନ୍ତୁ ପୌରୁଷ ଵା
ପୁରୁଷକାର ମୋର ଅଧୀନ ।

ଏହି ଦୃଷ୍ଟିରୁ ଏହି ପତ୍ରିକାର ନାମକରଣକୁ ‘ପୌରୁଷ’ ରଖାଯାଇଛି । ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ଜାତି, ବଂଶନର୍ଵିଶେଷରେ ତା’ର ଜାଗରଣ ପ୍ରତ୍ୟେକ ସମାଜ ଓ ରାଷ୍ଟ୍ରର ଧର୍ମ ହେଵା ଆବଶ୍ୟକ ।(ସଂପାଦକ)

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି #ପୌରୁଷ ଶବ୍ଦର ଵିଭିନ୍ନ ଅର୍ଥ ଉଲ୍ଲେଖ ଅଛି । 
ସଂସ୍କୃତ ଵିଶେଷ୍ୟ ଭାବରେ ପୌରୁଷ ଶବ୍ଦ 
ପୁରୁଷତ୍ୱ(Manliness),ପୁରୁଷକାର(Manly exertion),ସାହସ,ପୁଂସ୍ତ୍ୱ(Virility),ରେତଃ ଵା ଶୁକ୍ର,ଉଦ୍ୟମ, ଉଦ୍ଯୋଗ,ତେଜଃ,ପରାକ୍ରମ,ପୁରୁଷ ପ୍ରମାଣ ଉଚ୍ଚତା(ଉର୍ଦ୍ଧ୍ୱବାହୁ ହୋଇ ଠିଆ ହେଲେ ଗୋଡ଼ର ତଳିପାଠାରୁ ହାତର ମଝି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଉଚ୍ଚତା),ଗୌରଵ,ମାହାତ୍ମ୍ୟ ଓ ଏକ ମନୁଷ୍ୟ ନେଇ ପାରିଵା ବୋଝର ପରିମାଣ ଆଦି ଅର୍ଥରେ ପ୍ରୟୋଗ କରାଯାଏ । 

ସେହିପରି ପୌରୁଷ ଶବ୍ଦର ଵିଶେଷଣ ଅର୍ଥଗୁଡ଼ିକ ହେଲା : ପୁରୁଷ ସମ୍ବନ୍ଧୀୟ,ମାନସିକ(Manly),ପୁରୁଷ ପ୍ରମାଣ ଉଚ୍ଚ(ପ୍ରାୟ ୪.୫ ହାତ ଉଚ୍ଚ),ଜଣେ ମନୁଷ୍ୟ ବୋହି ପାରିଵା ଭଳି (ବୋଝ) । 

ତେବେ ଓଡ଼ିଆ ଭାଷାର ସାହିତ୍ୟରେ ପୌରୁଷ ଶବ୍ଦଟି ଵିଶେଷ୍ୟ ରୂପେ ପ୍ରଶଂସା,ବାହାଦୁରି ଓ ବାହାବା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ ବୋଲି ଭାଷାକୋଷରେ କୁହାଯାଇଛି ।

ଓଡ଼ିଆ ଭାଷାରେ କ'ଣ ଶବ୍ଦ ତଥା ଅନ୍ୟାନ୍ୟ ପ୍ରଶ୍ନଵାଚକ ଶବ୍ଦ

ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକୀକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ 'କ’ଣ' ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମୂହ । 

ତେବେ ଓଡ଼ିଆ ଭାଷାରେ Whatର ମାନକ ପ୍ରତିଶବ୍ଦ ହେଉଛି କ’ଣ /କଅଣ ଏଵଂ ଏହି କ'ଣ ଶବ୍ଦର କୋଡ଼ିଏରୁ ଅଧିକ ପ୍ରତିରୂପ ସାରା ଓଡ଼ିଶାରେ ଦୃଶ୍ୟ ହୋଇଥାଏ । ଭାରତର ଅନ୍ୟ କୌଣସି ଇଣ୍ଡିକ୍ ଭାଷାରେ ଏତେ ସଂଖ୍ୟକ what ଵା କ'ଣ ଅର୍ଥଜ ଶବ୍ଦ ଦେଖାଯାଏ ନାହିଁ। 

ଓଡ଼ିଶାରେ ତଥା ଓଡ଼ିଆ ଭାଷାରେ ପ୍ରଶ୍ନାର୍ଥକ What ଵା କ'ଣକୁ ତିନୋଟି ଭିନ୍ନ ଭିନ୍ନ ପଦ୍ଧତିରେ ପଚରାଯାଏ । 

⬤(କ) ସାଂକେତିକ ଠାର ଭାଷାରେ 
⬤(ଖ) ନିର୍ଦ୍ଧିଷ୍ଟ ଶବ୍ଦ ଉଚ୍ଚାରଣ ଦ୍ଵାରା
⬤(ଗ)what ଅର୍ଥଜ ପ୍ରଶ୍ନାର୍ଥକ ଶବ୍ଦ ପ୍ରୟୋଗ ଦ୍ଵାରା

ସାଂକେତିକ ଭାଷାରେ କ'ଣ ଵା what ବୋଲି ପଚାରିଵାର ପଦ୍ଧତି ହେଲା ମୁଣ୍ଡକୁ ଉପରକୁ ଉଠାଇ ଆଖିର ଭୃଲ୍ଲତାକୁ ଉପରକୁ ନଚାଇ ପୁଣି ସାମାନ୍ୟ ମୁଣ୍ଡକୁ ତଳକୁ କରିଦେଵା । ଦ୍ଵିତୀୟ ପଦ୍ଧତିରେ କେହି ଡାକିଲେ କ'ଣ ବୋଲି ପଚାରିଵା ପାଇଁ ଅଁ,ଆଁ,ଉଁ,ଏଁ ଭଳି ନିର୍ଦ୍ଧିଷ୍ଟ ଶବ୍ଦ ଉଚ୍ଚାରଣ କରାଯାଏ । ତୃତୀୟ ପଦ୍ଧତିରେ ମାନକ କ'ଣ (କଅଣ) ଓ ଅନ୍ୟ ଅନେକ କଥିତ ଶୈଳୀ ପ୍ରତିରୂପ ପ୍ରୟୋଗ କରାଯାଏ । ଆମ ଭାଷାରେ ଦେଖାଯାଉଥିଵା ଏହି ତିନିଗୋଟି ପଦ୍ଧତିଗୁଡି଼କ ଆମ ଭାଷା ଵିକାଶର ତିନୋଟି ସ୍ତରକୁ ପ୍ରକାଶ କରୁଅଛି । ତେବେ ଏଠାରେ କଥିତ ହୋଇଥିଵା ଏହି ତିନୋଟି ପଦ୍ଧତି ମଧ୍ୟରେ ତୃତୀୟ ପଦ୍ଧତିର ଵ୍ୟଵହାର ଅଧୁନା ଅଧିକ ପରିମାଣରେ ହେଉଅଛି । ମାନକ ଓଡ଼ିଆ ଵା ବହି ଓଡ଼ିଆ ଶୈଳୀରେ ସାରା ଓଡ଼ିଶାର ନଗରାଞ୍ଚଳରେ "କ'ଣ ଵା କଅଣ" ଶବ୍ଦ ପ୍ରଚଳିତ ତେବେ ସମଗ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ଶବ୍ଦ ସହିତ ସମୋଦ୍ଧୃତ ଅନେକ ଶବ୍ଦରୂପ ମଧ୍ୟ ଚଳୁଅଛି । 

ଓଡ଼ିଆ ଭାଷାରେ 'କ’ଣ' ଶବ୍ଦର ଵିଭିନ୍ନ ସମୋଦ୍ଧୃତ ରୂପ ରହିଛି । ଗଡ଼ଜାତ ଓ ଅଵିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ କଥିତ ଓଡ଼ିଆ ଭାଷାଗୁଡି଼କରେ କ'ଣ ଶବ୍ଦର କାଣା,କିରା,କାଏଁ,କାଏ,କାଏଁଟା,କଅଁଟା,କାଁ,କାଡା଼,
କାରା,କେଏଁଟା,କାଇଟା,କିଗା, କାଏଟା ,କିସ୍'ଟା ଓ କାଇଁଟା ଇତ୍ୟାଦି ଅନେକ ରୂପ ଚଳୁଥିଵାବେଳେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ତଥା ଉତ୍ତର ଓଡ଼ିଶାରେ କ'ଣ ଶବ୍ଦର କି,କିସ,କିନା,କିୟଣ,କିଅଁଣ,କିସ'ତି,କଁ ଓ କିସ୍(ଦକ୍ଷିଣ ଓଡ଼ିଶା) ଇତ୍ୟାଦି ରୂପ ଚଳୁଅଛି। 

ଵର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଚଳିତ ‘କ'ଣ’ ଶବ୍ଦର ସେହିସବୁ ସମାର୍ଥକ ପ୍ରତିଶବ୍ଦଗୁଡ଼ିକୁ 'କାର' ଦୃଷ୍ଟିରୁ ଚାରିଭାଗରେ ଵିଭକ୍ତ କରାଯାଇପାରେ ।‌

∎(ଅ)•କଣ୍,କଁ,କଁଣ,କଅଁଟା
∎(ଆ)•କାଁ,କାଏ,କାଏଁ,କାଇଟା,କାଏଟା,କାଁଟା,କାଡ଼ା,କାଣା,
∎(ଇ)•କି,କିଅଣ,କିୟଣ,କିରା,କିଗା,କିନା,କିସ,କିସ୍,କିସ୍‌ଟା,କିସ୍‌ତି
∎(ଏ)•କେଁଟା

ଉତ୍ତର ଭାରତୀୟ ପ୍ରାଚୀନ ସାହିତ୍ୟ ତଥା କଥିତ ଭାଷାଗୁଡି଼କରେ ପୂର୍ଵେ कत,कस,काँइँ,काजि,काहे,किथौँ,कीसीव,केम् ଇତ୍ୟାଦି ଶବ୍ଦ କ'ଣ ଵା what ଅର୍ଥରେ ଵ୍ୟଵହାର ହେଉଥିଵା ହିନ୍ଦୀ ଶବ୍ଦ ସାଗରର ଉଲ୍ଲେଖରୁ ଜଣାଯାଏ ‌। ତେବେ ଉତ୍ତର ଭାରତରେ ଏସବୁ ଶବ୍ଦ ମଧ୍ୟରେ ପ୍ରାୟତଃ ଅଧିକାଂଶ ଶବ୍ଦର ଆଉ ହିନ୍ଦୀ ଆଦି ଉତ୍ତର ଭାରତୀୟ ଭାଷାରେ ଵିଶେଷ ପ୍ରଚଳନ ନାହିଁ ଏଵଂ କେଵଳ क्या ଶବ୍ଦ ହିଁ ଵିଶେଷ ଵ୍ୟଵହୃତ ହେଉଛି । 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସେହିପରି କି,କଅଣ,କିବା,କିସ ,
କଉଁ,କାହା ଇତ୍ୟାଦି ଶବ୍ଦ "what ଵା କ'ଣ" ଅର୍ଥରେ ପୂର୍ଵେ ପ୍ରୟୋଗ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦଗୁଡି଼କ ତଳେ ପ୍ରାଚୀନ ସାହିତ୍ୟରୁ ପଦର ଉଦାହରଣ ସହ ଉଲ୍ଲେଖ ଅଛି । 

'କଉଁ' ଶବ୍ଦର ପ୍ରାଚୀନ ସାହିତ୍ୟରେ‌ ଉଭୟ କ'ଣ ଓ‌ କେଉଁ ଅର୍ଥରେ ଗୋଟିଏ ପଦରେ ପ୍ରୟୋଗ କରାଯାଇଛି ...

“କଉଁ ଗୁଣେ କଉଁ ନାରୀ ହେଵ ସମ’
(ଦୀନକୃଷ୍ଣ, ଜଗମୋହନ।)

'ଅବା' ଶବ୍ଦକୁ ପ୍ରାଚୀନ ସାହିତ୍ୟରେ ସେହିପରି ପ୍ରଶ୍ନାର୍ଥକ କି; କି ଅବା ଅର୍ଥରେ ପ୍ରୟୋଗ କରାଯାଇଥିଵା ଜଣାଯାଏ ‌। 

"ବାଟରେ ମୋତେ ହରବରିଆ କରିବେ ଯେବେ କି କଜିଆ କରିବି ଅବା ତାଙ୍କ ସଙ୍ଗେ ନୁହେଁ ମୁଁ ବଳୁଆ।"
(ଭିକାରୀ,ଗୀତଲହରୀ)

ଆଜିକାଲି କାହା ଶବ୍ଦଟି ‘କାହାର’ ଅର୍ଥରେ 
ବହୁପ୍ରଚଳିତ କିନ୍ତୁ ପ୍ରାଚୀନ ସାହିତ୍ୟରେ 'କାହା' ଶବ୍ଦ କିସ,କଅଣ ପରି ଵ୍ୟଵହୃତ ହେଉଥିଲା । 

“ତାହାକୁ ନୃପେ କରି ପାରନ୍ତିଟି କାହା।” 
(କୃଷ୍ଣସିଂହ, କୃଷ୍ଣ ମହାଭାରତ, ସଭାପର୍ଵ)
 
ଆମ ଭାଷାରେ ଦ୍ବିତୀୟା ଆଦି ଵିଭକ୍ତିରେ କାହାକୁ, କାହାଦ୍ୱାରା, କାହାଠାରୁ, କାହାର ଆଦି ରୂପ ହୁଏ ‌। ପ୍ରଥମା ଵିଭକ୍ତି ଏକ ଵଚନରେ 'କାହା' ରୂପେ ଆଧୁନିକ ଓଡ଼ିଆରେ ଆଉ ପ୍ରଚଳନ ନାହିଁ।

'କିବା' ସର୍ଵନାମ ମଧ୍ୟ ଓଡ଼ିଆ ସାହିତ୍ୟରେ 'କ'ଣ' ଅର୍ଥରେ ପ୍ରୟୋଗ କରାଯାଏ। 

“ଅଶେଷ ମହିମା ସେ ଧରେ,
 କିବା ଉପମା ଦେବା ତାରେ ।
 (ଜଗନ୍ନାଥ, ଭାଗଵତ।)

ତେବେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସର୍ଵାଧିକ ପ୍ରୟୋଗ ହୋଇଥିଵା What ଵା କ'ଣ ଅର୍ଥଜ ପ୍ରତିଶବ୍ଦଟି ହେଉଛି ‘କିସ’ । ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା । 

“କେତେ କେତେ ହରି ତାରିଛ
 କର୍ଣ୍ଣେ ଶୁଣିଛି ମୁହିଂ । 
କିସ କଥା ମୁହିଂ ଵର୍ଣ୍ଣିବି 
ମୋର ଶକତି କାହିଂ ॥”
(ନଵଗୁଜ୍ଜରି, ଅଚ୍ୟୁତାନନ୍ଦ ଦାସ)

ନାହିଁ ବୋଲିଵା ଵାଣୀ, 
ନିପଟ ନାହିଁ ଶୁଣି,
ନଳିନାକ୍ଷିରେ ହୋଇ 
କିସ ହେଵ, 
ନନ୍ଦନନ୍ଦନ ପ୍ରେମା, 
ପ୍ରେମାରେ ନୁହେ ଜମା, 
ନିତମ୍ବିନୀଙ୍କ ଯେବେ ଗତି ଥିଵ ॥”
(କିଶୋରୀ ଚନ୍ଦ୍ରାନନ୍ଦ ନ ଚମ୍ପୂ, କଵିସୂର୍ଯ୍ୟ ବଳଦେଵ ରଥ)

“ଵ୍ୟାଜ ପାଳନା ଏତିକି ବୋଲୁଁ ଇଶ ମୃଗ୍‌ଧାଭାବେ ଭାଷେ କିସ । 
ବିହୁ ଯାହା ତାହା ସୁଦେହା
ସୁତ୍ସ୍ନେହା ଜାଣି ତ ଥିବୁ ଅଵଶ୍ୟ ।”
(ଵୈଦେହୀଶ ଵିଳାସ, ଉପେନ୍ଦ୍ର ଭଞ୍ଜ)

„ଚଭୁର୍ଦ୍ଦଶ ଭୁଵନରେ କି ଦେଵା ଉପମା । 
ମୁ କିସ କହିବି ପ୍ରଭୁ ଅଙ୍ଗର ମହିମା ॥”
(ଜଗମୋହନ ରାମାୟଣ, ବଳରାମ ଦାସ)

“ବୋଲନ୍ତି ଵୃକ୍ଷେ ଏତ କିସ ।
 ଦେଖ ଗୋ ଦଇବ ଭବିଷ୍ୟ ॥
 ଏଠାକୁ କେମନ୍ତେ ଅଇଲା । 
 ବାଳକ ମେଳେ ନନ୍ଦବାଳା ॥”
(ଓଡ଼ିଆ ଭାଗଵତ, ଜଗନ୍ନାଥ ଦାସ)

ସୁଦଶା ଵ୍ରତରେ ସେହିପରି ଉଭୟ କିସ ଓ କଅଣ ଶବ୍ଦ ଵ୍ୟଵହୃତ ହୋଇଥିଵା ଦେଖାଯାଏ । 

“ଏଠାରେ ସ୍ନାହାନ କରି ଯେ କିସ କରିଵା। 
ପାଶରେ ତ କିଛି ନାହିଁ କଅଣ ଖାଇଵା ॥”
(ସୁଦଶା ଵ୍ରତ)

କେତେକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ "କୋଉ,କିନା ଏଵଂ କିଛି" ଶବ୍ଦ ମଧ୍ୟ ଆମ ଭାଷାର କଥିତ ଶୈଳୀରେ 'କ’ଣ' ଶବ୍ଦ ପରି ଵ୍ୟଵହୃତ ହୋଇଥାଏ ।‌

ଯଥା—
•"ମୁଁ 'କିଛି'(କ'ଣ)ତୁନି ହୋଇ ବସିଛି ?"
କିମ୍ବା "କିଛି କହିଵ କି ?"
•"ତା’ର କିନା(କ'ଣ)ଏତେ ବୁଦ୍ଧି ଅଛି ?"
•ସାଆନ୍ତ ମତେ କୋଉ(କ'ଣ) ଦେଇ ନ ଥିଲେ ଯେ ଆଜି ତାଙ୍କର ଧନ ସରିଗଲା ବୋଲି ସେ ମୋତେ କିଛି ନ ଦେଉଛନ୍ତି ବୋଲି ମୁଁ ତାଙ୍କୁ ନିନ୍ଦିବି !

କୋଉ ଶବ୍ଦଟି ଵିଶେଷତଃ କେଉଁ ଵା Which ଅର୍ଥରେ ପ୍ରୟୋଗ କରାଯାଉଥିଲେ ବି ନଞାର୍ଥକ କ୍ରିୟା ପୂର୍ଵରେ ଲାଗିଲେ ଏହା ଉକ୍ତ କ୍ରିୟାର ଆଧିକ୍ୟ ବୁଝାଏ । 
ଯଥା—“ସେ ଝିଅ ସାଙ୍ଗେ ଭାରବେଭାର କୋଉ ଦେଇ ନାହିଁ କି?”
ଅର୍ଥାତ୍ ଖୁବ୍ ଦେଇଛି। ମୁଁ କୋଉ ସୁଖ କରି ନ ଥିଲି ଯେ, ଅର୍ଥାତ୍ ଖୁବ୍ ସୁଖ କରିଥିଲି। 

ପୁଣି ‘କିନା’ ଶବ୍ଦଟି ପ୍ରାଚୀନ ସାରଳା ମହାଭାରତରେ ‘କି’,'କ'ଣ' ଅର୍ଥରେ ପ୍ରୟୋଗ କରାଯାଇଛି :
"ତୁହି କରୁ କିନା ପ୍ରିୟ ଏକାଦଶୀ ଵ୍ରତ"
(ସାରଳା ମହାଭାରତ)

ପ୍ରାଚୀନ ସାହିତ୍ୟରେ ଏଭଳି ଵ୍ୟଵହୃତ ଅନ୍ୟ ଏକ ପ୍ରଶ୍ନାର୍ଥକ ଶବ୍ଦ ହେଉଛି 'କି' । 

ଅନେକ ସ୍ଥଳରେ 'କି' ଶବ୍ଦ 'କେଉଁ' ଅର୍ଥରେ ପ୍ରାଚୀନ ସାହିତ୍ୟରେ ପ୍ରୟୋଗ କରାଯାଇଛି 

“କେବା କେମନ୍ତ ଭୋଗ କଲା । 
କି ରୂପ କଳି ଵିଶ୍ରାମିଲା ॥”
(ଭାଗଵତ)
ପୁନଶ୍ଚ ସେହି ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତରେ ‘କ'ଣ’ ଅର୍ଥରେ ମଧ୍ୟ 'କି' ଶବ୍ଦ ଵ୍ୟଵହାର ହୋଇଅଛି ।

“କି ଅବା ଵନେ ଥିଲା ଦୋଷ ।
 କିବା ଶଙ୍କର କଲେ ରୋଷ ॥”

ସାରଳା ମହାଭାରତରେ ମଧ୍ୟ 'କି' ଶବ୍ଦ ନଞାର୍ଥକ 'କ'ଣ' ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଇଛି

“ପଳାଇଵା ଲୋକଙ୍କୁ କି ଵିକଳ ହୋଇଵା, ଦୂତ ବରଗିଵା କି ଆପଣେ ଲୋଡିଵା”
(ସାରଳା ମହାଭାରତ)

କ'ଣ ଛଡ଼ା "କାହିଁକି, କିପରି, କେଉଁ, କେମିତି,କିଏ" ଆଦି ଓଡ଼ିଶାରେ ପ୍ରଚଳିତ ପ୍ରଶ୍ନଵାଚକ ଶବ୍ଦଗୁଡ଼ିକର ଅଞ୍ଚଳ ଭେଦରେ ଅନେକ ପ୍ରତିରୂପ ପ୍ରଚଳିତ। ନିମ୍ନରେ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଲିଖିତ ଓ କଥିତ ଓଡ଼ିଆ ଭାଷାରେ ପ୍ରଚଳିତ କେତେକ ପ୍ରଶ୍ନଵାଚକ ଶବ୍ଦଗୁଡ଼ିକର ସୂଚୀ ପ୍ରଦତ୍ତ ହେଲା । 

⦿କଅଣ―କି,କିସ,ଵିସ୍ମୟାଦିବୋଧକ ଶବ୍ଦ
⦿କଅଁ— କ'ଣ (ନୟାଗଡ଼)
⦿କଅଁଠକେ/କଁଠକେ—କେଉଁଠାକୁ(ମୟୂ)
⦿କଅଁବାଟେ/କଁବାଟେ—କେଉଁପଟେ(ମୟୂ)
⦿କଅଁଠେ―କେଉଁଠି(ମୟୂରଭଞ୍ଜ)
⦿କଇକ―କୁଆଡେ଼(କନ୍ଧମାଳ)
⦿କଇକି―କେଉଁଠିକି(କନ୍ଧମାଳ)
⦿କଇସେ— କିପରି ଭାବରେ (ମୟୂରଭଞ୍ଜ)
⦿କଉ―କେଉଁ(ଢେଙ୍କାନାଳ)
⦿କଉଟା/କଉଁଟା— କେଉଁଟା(କଟକାଞ୍ଚଳ)
⦿କଉଁଟି— କେଉଁଟି(କଟକାଞ୍ଚଳ)
⦿କଉଁଠା—କେଉଁସ୍ଥାନ, କେଉଁ ସ୍ଥାନର
⦿କଉଁଠାଇଁ—କେଉଁଠି
⦿କଉଠି/କଉଁଠି―କେଉଁଠି(ଢେଙ୍କାନାଳ)
⦿କଉଁଠୁଁ/କଉଠୁ—କେଉଁ ଠାରୁ; କେଉଁ ସ୍ଥାନରୁ
⦿କଉଁଠେଇଁ/କଉଠେଇ—କେଉଁଠାରେ; କାହିଁ
⦿କଉଂଣିସି—କୌଣସି(ପ୍ରାଚୀନ)
“ମୁନି ହେ ଦୁଇଵରଷ ହେଲା ମୁହିଁ ବାହୁଅଛି ନାଵ,କଉଂଣିସି ଦିନେ ନାହିଁ ଏସନେକ ଭାଵ ॥”(ସାରଳା ମହାଭାରତ)
⦿କଉଁସିଲା—କୌଣସି
⦿କଉଣସିଲା—କୌଣସି
⦿କଉତିକି―କେଉଁଠିକି(ଅନୁଗୋଳ)
⦿କଏ—କି; କଅଣ; କେଉଁ
(ପଶ୍ଚିମ ଓଡ଼ିଶାରେ ଆଗେ ପିଲାଙ୍କୁ ପ୍ରଶ୍ନ କରୁଥିଲେ ନଏଦ୍ ତରାତରା କଏ ଗଛ ? କହ; ଏଥିର ଉତ୍ତର—'କହ'(=ଅର୍ଜୁନ ଗଛ)। ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ ସେମିତି ଓଉ ଗଛକୁ କଉ କୁହାଯାଏ ତେଣୁ ପିଲାଙ୍କୁ କଉ ଗଛ ଦେଖାଇ ପଚରାଯାଏ ଏଇଟା କଉ ଗଛ ? )
⦿କଏକ୍―କୁଆଡେ଼(କନ୍ଧମାଳ)
⦿କଏବାର―କେତେଥର(ଜଗତସିଂହପୁର)

⦿କଖନ୍―କେତେଵେଳେ
(କେଉଁ+କ୍ଷଣେ;ମୟୂରଭଞ୍ଜ)
⦿କଟ୍’କୁ―କୁଆଡେ଼
(କେଉଁ+ଠାକୁ;ମୟୂରଭଞ୍ଜ)
⦿କଁଟା― କ’ଣ(ଢେଙ୍କାନାଳ)
⦿କତମ—ଅନେକଙ୍କ ମଧ୍ୟରୁ କୌଣସି ଵ୍ୟକ୍ତି ଵା ବସ୍ତୁ; ବହୁମଧ୍ୟରୁ କେଉଁ 
⦿କତର—ଦୁହିଁଙ୍କ ମଧ୍ୟରୁ କୌଣସି ଵ୍ୟକ୍ତି ଵା ଵସ୍ତୁ; ଦୁଇ ମଧ୍ୟରୁ କେଉଁ
⦿କତଵା―କେତେଵେଳେ(ମୟୂରଭଞ୍ଜ)
⦿କତିକା―କେତେ(ସାହିତ୍ୟ)
⦿କଦଵା―କେଵେକେଵେ(ମୟୂରଭଞ୍ଜ)
⦿କଦା—କେବେ, କେଉଁ ସମୟରେ
“ସନ୍ନିଧେ ରହିଲେ କଦା ନୁହଇ ପୀରତୀ” (ପିତାମ୍ବର. ନୃସିଂହପୁରାଣ। )
⦿କଦାଚିତ୍/କଦଚିତ୍―କେଵେ(ସାହିତ୍ୟ)
⦿କଦାକାଳେ―କୌଣସି ସମୟରେ(ଜଗତସିଂହପୁର)
⦿କଦାଚ―କଦାଚିତ, କେଵେ କେତେଵେଳେ ହେଲେ
⦿କଦାପି―କେଵେହେଁ,କେଭେଁ, କୌଣସି(ସାହିତ୍ୟ)
⦿କନ୍―କେଉଁଠି, କିଏ(କୋରାପୁଟ: କନ୍ଧମାଳ)
⦿କନ୍'ଠେକେ―କେଉଁଠାକୁ(ମୟୂରଭଞ୍ଜ)
⦿କରି—(କି) ପରି; (କେଉଁ) ପ୍ରକାରେ
“ତୁମ୍ଭେ ଛାର ଵିପ୍ର ବୋଲେ ଆସିବେ କି କରି।”( ପୀତାମ୍ବର, ନୃସିଂହପୁରାଣ।)
⦿କା―କାହା
⦿କାଇଁ ―କାହିଁ
⦿କାଇ—କେଉଁଠାରେ; କାହିଁ, କଣ; କିସ(ଭତ୍ରୀ ହଲବୀ ଓଡ଼ିଆ)
⦿କାଇକି―କଣ୍ ପାଇଁ(କାହିଁକି:କନ୍ଧମାଳ)
⦿କାଇଚେ― କାହିଁ(ସୁନ୍ଦରଗଡ଼)
⦿କାଇରା―କ'ଣ(କନ୍ଧମାଳ)
⦿କାଇଲାଗି―କଣ୍ ପାଇଁ(କନ୍ଧମାଳ)
⦿କାଇଁଘେନି―କେଉଁଥିପାଇଁ(କୋରାପୁଟ)
⦿କାଇଁଟା―କ'ଣ୍(କାହିଁଟା)
ସୁନ୍ଦରଗଡ଼,ସୁଵର୍ଣ୍ଣପୁର,ବୌଦ୍ଧ
⦿କାଇଁପେ―କାହିଁକି(ବାଲେଶ୍ଵର)
⦿କାଇଁରେ―(କାହିଁରେ)
କୋଉଥିରେ(କୋରାପୁଟ)
⦿କା/କାଆ— କାହା, କଣ(କା କର୍ବୁ—କଣ୍ କରିବୁ = କନ୍ଧମାଳ)
⦿କାଏ — କ'ଣ (ରାୟଗଡ଼ା), କାହିଁକି (ଅନୁଗୋଳ, ଦେବଗଡ଼)
⦿କାଏ କାଜେ —କ'ଣ ପାଇଁ (ସମ୍ବଲପୁର)
⦿କାଏଟା— କେଉଁଟା(ମାଲକାନଗିରି)
⦿କାଏଁ— କ'ଣ (ସୁନ୍ଦରଗଡ଼),କି(ସମ୍ବଲପୁର: କଳାହାଣ୍ଡି)
⦿କାଏଁ କାଏଁ—କି କି ଵିଷୟ; କେଉଁ କେଉଁ ଵିଷୟମାନ
⦿କାଏଁକରି— କାହିଁକି ( କଳାହାଣ୍ଡି)
⦿କାଏଁଯେ— କାହିଁକି (ସୁନ୍ଦରଗଡ଼)
⦿କାଏଁଟା—କେଉଁଟା(ସୁନ୍ଦରଗଡ଼), କ'ଣ (କଳାହାଣ୍ଡି)
⦿କାଏଁଥି— କେଉଁଠି,କାହାଦ୍ଵାରା,କେଉଁଠାରେ (ସୁନ୍ଦରଗଡ଼)
⦿କାଏଁଥିର ଲାଗି— କେଉଁଥି ଲାଗି ,କେଉଁଥି ପାଇଁ, କ'ଣ ପାଇଁ (କଳାହାଣ୍ଡି)
⦿କାଏଁ ସେ— କାହିଁକି (ନୂଆପଡ଼ା)
⦿କାକେ— କାହାକୁ (ମୟୂରଭଞ୍ଜ)
⦿କାଡା଼— କ'ଣ (କନ୍ଧମାଳ)
⦿କାଡ଼େ—କୁଆଡ଼େ,କେଉଁ ଆଡ଼େ,କେଉଁ ଆଡ଼କୁ,କେଉଁ ଦିଗକୁ(ବାଲେଶ୍ଵର, ମେଦିନୀପୁର)
⦿କାଣା— କ'ଣ (ସମ୍ବଲପୁର)
⦿କାଣାଁ — କ'ଣ (ସମ୍ବଲପୁର)
⦿କାତେ— କେତେ(ବାଲେଶ୍ଵର)
⦿କାର—କାହାର
("ଶିରୀଷ ଅଙ୍ଗୀକାର କାରରେ।" କଵିସୂର୍ଯ୍ୟସଙ୍ଗୀତ।)
⦿କାରେ—କାହାଦ୍ଵାରା,କାହାକୁ(ପ୍ରାଚୀନ)
•“ଦେଵତା ଵିନା ଏହା କାରେ(କାହାଦ୍ଵାରା) ତ ନୁହଇ ।” (କୃଷ୍ଣସିଂହ, ମହାଭାରତ, ସଭା।)
•“ଏ ଲୋକରେ ହିଂସା କାରେ(କାହାକୁ) ନ କରି, ଜନ ଥିଵା ପରି ତ ମୋର ପାଉ ନାହିଁ ମନ ।”(କୃଷ୍ଣସିଂହ, ମହାଭାରତ, ଶାନ୍ତି)

⦿କାହା—କେଉଁ ଵ୍ୟକ୍ତି-ପ୍ରାଣୀ ଵା ପଦାର୍ଥର
ପ୍ରାଚୀନ ସାହିତ୍ୟରେ ଏ ଶବ୍ଦଟି କେ, କ'ଣ, କିଛି,କାହାକୁ ଓ କିଏ ଆଦି ଅର୍ଥରେ ଵ୍ୟଵହୃତ ହୋଇଅଛି । 
•“ତାହାକୁ ନୃପେ କରି ପାରନ୍ତିଟି କାହା(କ'ଣ)।“ (କୃଷ୍ଣସିଂହ, ମହାଭାରତ, ସଭାପର୍ଵ।)
•“ସେ ଥିଲେ କରି ନ ପାରଇ ମୋର କାହା(କିଛି)।”
(କୃଷ୍ଣସିଂହ, ମହାଭାରତ, ସଭା।)
•“ତୋତେ ନ ପାଇ ଭାଵଗ୍ରହୀ ! 
ଦିନ ବଞ୍ଚିବୁ କାହା(କାହାକୁ) ଚାହିଁ?”
(ଜଗନ୍ନାଥ, ଭାଗଵତ।)
•“କାହା(କିଏ) ଛାର ଵା ମୋତେ ହୋଇଵ ସମର୍ଥ।”( କୃଷ୍ଣସିଂହ, ମହାଭାରତ, ଆଦି।)

⦿କାହାକଇ—କାହାକୁ(କଇ = କୁ)
”କାହାକଇ ପ୍ରଦାନ ନୋହିଲା କୁମାରୀ”
(ସାରଳା ମହାଭାରତ)
⦿କାହାକୁ(ମାନକ)—To whom
ମାନ୍ୟାର୍ଥେ ଏ ଶବ୍ଦ କାହାଙ୍କୁ ହୋଇଥାଏ ।
“କାହାକୁ ବା ପାଞ୍ନସ୍ତିରୀ କରନ୍ତି ଢମାଳି । କାହାକୁ ସ୍ନାନ କରାନ୍ତି ମିଳି ଷଡ ବାଳି ॥”
(ଜଗମୋହନ ରାମାୟଣ, ବଳରାମ ଦାସ)

⦿କାହାକେ — କାହାକୁ(ନୂଆ:ସମ୍ବ:କଳାହାଣ୍ଡି)
⦿କାହାତକ—କାହାକୁ(ଅନୁଗୋଳ)
⦿କାହା କାହା—କେଉଁ କେଉଁ ଵ୍ୟକ୍ତି ଵା ପ୍ରାଣୀଙ୍କର
⦿କାହାର—କେଉଁ ଲୋକର
⦿କାହାରିକି—କାହାକୁ, କାହାରିକୁ, କୌଣସି ଵ୍ୟକ୍ତିକୁ
⦿କାହାରେ—କାହାରିକୁ,କାହାକୁ,କାହା ଦ୍ୱାରା
“ତୁମ୍ଭ ଵିନା ଦୀନବନ୍ଧୁ! 
ଦୁଃଖୀ ଡାକିବ କାହାରେ”
(ମଧୁସୂଦନ, ସଙ୍ଗୀତମାଳା।)
⦿କାହାରବେଳେ— କାହାଦ୍ଵାରା,କାହାରେ
(ପ୍ରାଚୀନ)
⦿କାହାଁକା— କେଉଁଠାରେ, କେଉଁ ସ୍ଥାନ,କେଉଁଠିକାର(ଭଦ୍ରକ: ଖୋର୍ଦ୍ଧା)

⦿କାହିଂ(ପ୍ରାଚୀନ)/କାହିଁ — କାଇଁ,କେଉଁଠାରେ,ଯେ କୌଣସି ସ୍ଥାନରେ,କିପରି, (ପ୍ରଶ୍ନରୂପକ)କାହିଁ ନାହିଁ

“ଧରାଧରାଧିପସ୍ତନା ଚରାଚରାତେ ତୋ ଵିନା ପରାଭଵ କାହିଁ(କିପରି ଅର୍ଥଜ) ହେଵ ନିନ୍ଦା।” (କଵିସୂର୍ଯ୍ୟ, ସଙ୍ଗୀତ।)

“ଯାର ଚିତ୍ତେ ନିତ୍ୟେ ଥାଇଁ;
 ତା ହୃଦେ ଅମଙ୍ଗଳ କାହିଁ(କାହିଁ ନାହିଁ ଅର୍ଥଜ)।”
  (ଜଗନ୍ନାଥ, ଭାଗଵତ।)

“ଆହୁଟ ହାଥ କଳେଵର ଭିଥର କାହିଂ ଥାଇଂ ଜୀ ସେ ଦିଅଇ ଉତ୍ତର । 
ତତ ପ୍ରାପତ ଜପାଜୋ ନାହିଂ ମଲେଣ ପ୍ରାଣ କାହିଂ ସମ୍ଭାଇ ।” (ଶ୍ରୀ ସୀସୁଵେଦ)
⦿କାହିଁକି/କାହିଂକି(ପ୍ରାଚୀନ)— କିମ୍ପାଇଁ, କେଉଁ କାରଣରୁ, କୁଆଡେ଼

“ଅମ୍ୱାକନ୍ୟା ବୋଇଲା ଆର କାହିଂକି ମୁଂ ଯିବି
ମୋହୋରେଣ ଅଵଶ୍ୟ ତୁ ହୋଇବୁ ପରାଭଵି ।”(ସାରଳା ମହାଭାରତ)
⦿କାହିଁଛି—କେଉଁଠାରେ ଅଛି; କାହିଁ ଅଛି
“କାହିଁଛି କାହିଁଛି ବୋଲି ଵିରାଟ ଦେଶ ଖୋଜି ଖୋଜି ତଡ଼ାଗେ ହୋଇଛି ପ୍ରଵେଶ।” (ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ। )
⦿କାହିଁ ପାଇଁ କି —କିପାଇଁ,କାହିଁକି,କେଉଁ କାରଣରୁ
“ବଳିତ ପଡ଼ିଅଛି ଉତ୍କଣ୍ଠା ମୋହର। 
କହ କାହିଁ ପାଇଁକି ନ କଲୁ ତୋହର।” (କୃଷ୍ଣସିଂହ, ମହାଭାରତ, ଵନ।)
⦿କାହିଁର—କାହାର, କେଉଁ ସ୍ଥାନରେ,କେଉଁ ଵିଷୟରେ
⦿କାହିଁରୁ—କାଉଁଠାରୁ, କେଉଁ ଦେଶରୁ,
କେଉଁ ଵସ୍ତୁରୁ,କେଉଁ କାରଣରୁ
⦿କାହିଁରୁ କାହିଁ ଯାଏ—କେଉଁ ସ୍ଥାନରୁ କେଉଁ ସ୍ଥାନ ପର୍ଯ୍ୟନ୍ତ
⦿କାହିଁରେ— କେଉଁଥିରେ ,ଯେ କୌଣସି ଵିଷୟରେ
“କାହିଁରେ ମନ ସହି ପ୍ରସନ୍ନ ହେଉ ନାହିଁ, ଏଥିକି କହ କେଉଁ ଗତି କିରେ।” (କଵିସୂର୍ଯ୍ୟ, ସଙ୍ଗୀତ।)
⦿କାହିଁର୍— କେଉଁଥିର(କଳାହାଣ୍ଡି)
⦿କାହିଁର୍ ଲାଗି— କେଉଁଥି ପାଇଁ (କଳାହାଣ୍ଡି)
⦿କାହୁଁ/କାହୁଂ— କେଉଁଠୁ(ଖୋର୍ଦ୍ଧା),କେଉଁଠାରୁ, କେଉଁ ଆଡ଼ୁ, କେଉଁ କାରଣରୁ,କିପରି
“କାହୁଂ ପ୍ରଦାନ ହୋଇଲୁ ଏ ଗଙ୍ଗା ଛଞ୍ଜାଳି”
(ସାରଳା ମହାଭାରତ)
“ନଵନୀତ ତହୁଁ ମୃଦୁ ଦେହେ କାହୁଁ[କିପରି] ସମ୍ଭଵିଲା ଏ କଦନ।” (କଵିସୂର୍ଯ୍ୟ, କିଶୋରୀଚମ୍ପୂ, ଙ ଗୀତ।)
⦿କାହୁଁ ଅଇଲା—କୁଆଡ଼ୁ ଆସିଲା; ଅଜ୍ଞାତକୁଳଶୀଳ
⦿କାହୁଁ କାହୁଁ —ଅନେକ ସ୍ଥାନରୁ,କେଉଁ କେଉଁ ସ୍ଥାନମାନଙ୍କରୁ,ଅଜ୍ଞାତ କାରଣ ଵଶତଃ[ହଠାତ୍ ଅର୍ଥରେ ଵ୍ୟଵହୃତ କାହୁଁ କାହୁଁ ଶବ୍ଦଟି ଚାହୁଁ ଚାହୁଁର ପରିଵର୍ତ୍ତିତ ରୂପ)
“ଅକାରଣେ ଦଣ୍ଡ ପଡ଼େ କାହୁଁ କାହୁଁ ।” (ଦାଶରଥି, ବ୍ରଜବିହାର।)
⦿କାଁ— କ'ଣ (ସୁନ୍ଦରଗଡ଼: କଳାହାଣ୍ଡି)
⦿କାଏଁକରି— କାହିଁକି (ସୁନ୍ଦରଗଡ଼)
⦿କାଁକରି— କାହିଁକି, କ'ଣ ପାଇଁ (କଳାହାଣ୍ଡି:ସୁଵର୍ଣ୍ଣପୁର)
⦿କାଁ କାଜେ— କ'ଣ ପାଇଁ, କେଉଁ ନିମନ୍ତେ (ନୂଆପଡ଼ା, କଳାହାଣ୍ଡି)
⦿କାଁକାଯେ— କାହିଁକି (ନୂଆପଡ଼ା)
⦿କାଁଯେ— କାହିଁକି (ସୁନ୍ଦରଗଡ଼)
⦿କାଁଥି— କେଉଁଥିରେ, କାହିଁରେ(ଅଵିଭକ୍ତ ସମ୍ବଲପୁର)
⦿କା’ର୍ — କାହାର(ବାଲେଶ୍ଵର, କଳାହାଣ୍ଡି)
⦿କିଂକେ—କିମ୍ପାଇଁ, କିଆଁ, କାହିଁକି (ପ୍ରାଚୀନ)
“ବାବୁ କିଂକେ ଶରୀରକୁ କରୁଅଛି ଏଡ଼େ ପ୍ରାସ,ବେଳେ ବେଳେ ଭୁଞ୍ଜୁଥାଉ ନୋହୁରେ ତୁ ତୋଷ ।(ସାରଳା ମହାଭାରତ)
⦿କି— କ'ଣ,କିମ୍ପା, କେଉଁ (ମୟୂରଭଞ୍ଜ:କେନ୍ଦୁ:କନ୍ଧ)
"ସୁନ୍ଦର ଶ୍ରୀମୁଖେ ନୀଳଗିରି ପାଏ ଶୋଭା। କି ଜାଣି କି ପଟାନ୍ତର ଶରତଶଶି ପ୍ରଭା ॥"
(ଜଗମୋହନ ରାମାୟଣ, ବଳରାମ ଦାସ)

⦿କିଅଣ — ଗଞ୍ଜାମ
⦿କିଆତି—କି ପ୍ରକାରର,କେଉଁ ଶ୍ରେଣୀର,
କି ପ୍ରକାରେ; କିପରି
“କିଆତି? ମଗୁଶିର ମାସେ ଚୁଡ଼ା ଗୁଡ଼ ଖାଇ କଣ୍ଡୁ କୁଣ୍ଡେଇଲେ ଯିଆତି।” (ଢଗ)
(ତୁଳନା —ଇଆତି=ଏପରି; ଯିଆତି=ଯେପରି; ସିଆତି= ସେପରି।)
⦿କିଏ —(ମାନକ)
⦿କିଏ ଅଵା— କେହି ଅଵା
⦿କିଏ କଦଵା— କେହି କଦଵା
⦿କିଏ କିମିତି — କେହି କେମିତି 
⦿କିଏ କେନ୍ତି— କିଏ କେମିତି (ବୌଦ୍ଧ)
⦿କିଏ ନା କିଏ — କେହି ନା କେହି
⦿କିଏଵା/ କିଏ ଵା — କିଏ ଅଵା,କିଏ ଵା ?
⦿କିଏସେ— କେଉଁ ଵ୍ୟକ୍ତି
(“ପୁଛିଲେ ମହିଷୀ କହ ତୁ କିଏସେ କିମ୍ପାଇ ଭ୍ରମ ଏ ପୁରେ।” ରାଧାନାଥ, ପାର୍ଵତୀ।)
⦿କିଛି—କୌଣସି(ମାନକ), କ'ଣ
⦿କିଛିଟା— କୌଣସିଟା
⦿କିଛିଟି— କୌଣସିଟି
⦿କିଛୁ— କିଛି (କଳାହାଣ୍ଡି)
⦿କିଜାତିଆ— କେଉଁ ପ୍ରକାରର (କେନ୍ଦ୍ରାପଡ଼ା)
⦿କିନା— କ'ଣ,କି, ନୁହେଁ କି ?(ମୟୁର,ରାୟ, ପ୍ରାଚୀନ ସାହିତ୍ୟ)
"ତୁହି କରୁ କିନା ପ୍ରିୟ ଏକାଦଶୀ ଵ୍ରତ"
(ସାରଳା ମହାଭାରତ)
⦿କିନାଗି— କାହିଁକି (ମୟୂରଭଞ୍ଜ)
⦿କିନ୍ତା— କେମିତିକା,କେନ୍ତା କିପରି(ବା:ଦେ)
⦿କିଇଁତି— କେମିତି (ଢେଙ୍କାନାଳ,କଟକ)
⦿କିନ୍ତି— କେମିତି (ଦେଵଗଡ଼)
⦿କିପାଇଁ — କି କାରଣରୁ, କେଉଁ ନିମନ୍ତେ, କିଆଁ, କାହିଁକି, କ’ଣ ସକାଶେ 
⦿କିବା—କ’ଣ, କେଡ଼େ (ପ୍ରାଚୀନ ପ୍ରୟୋଗ)
ଅଶେଷ ମହିମା ସେ ଧରେ,
 କିବା ଉପମା ଦେଵା ତାରେ ‌
 (କ'ଣ/ଜଗନ୍ନାଥ, ଭାଗଵତ। )
⦿କିମୌ—କାହିଁକି,କି ଅର୍ଥରେ(ପ୍ରାଚୀନ)
“ଅନମିତେ ମୋହୋର କିମୌ ନାଶିଲୁ ଗଣ୍ଡାଜୀଵ”(ସାରଳା ମହାଭାରତ)
⦿କିମ୍ପା— କାହିଁକି
⦿କିମ୍ପାଇଁ— କାହିଁ ପାଇଁ 

“ସେ ନିର୍ମଳ ମୁଖପଦ୍ମ କିବା ମନୋହର”—(କେଡ଼େ/ମଧୂସୂଦନ ଉତ୍ତରରାମଚରିତ)
⦿କି ରକମ୍— କେଉଁ ପ୍ରକାର (ମୟୂରଭଞ୍ଜ)
⦿କିରା— କ'ଣ (ଢେ:ଅନୁ:ଦେଵ)
⦿କିରାପାଇଁ— କ'ଣ ପାଇଁ (ଢେ,ଅନୁ,ଦେଵ)
⦿କିରେ ! — ପ୍ରଶ୍ନଵାଚକ ସମ୍ବୋଧନ
⦿କିସ/କିସ୍ — କ'ଣ(ବାଲେଶ୍ଵର: ଗଜପତି)
⦿କିସ୍‌କି— କେଜାଣି,କ'ଣ ,କ'ଣ ପାଇଁ, କ'ଣ ପାଇଁ କି (କୋ:ରାୟ:ଗଜ)
⦿କିସ୍‌ତି— କ'ଣ (ରାୟଗଡ଼ା)
⦿କିହାବ— କ'ଣ ହେଵ(ବାଲେଶ୍ଵର)
⦿କିହେଁ—କେହି; କିଏ; କୌଣସି ଵ୍ୟକ୍ତି
⦿କିଁନ୍ତା— କେମିତି (ମୟୂରଭଞ୍ଜ)
⦿କିଂଟା— କେଉଁଟା(ରାୟ:ଅନୁ)

⦿କୁଆଡ଼— କେଉଁ ଆଡ଼
⦿କୁଆଡେ଼— କେଉଁ ଆଡ଼େ
⦿କୁଇକେ— କେଉଁ ଆଡ଼େ (କନ୍ଧମାଳ)
⦿କୁଇସ୍ — କାହିଁ (କନ୍ଧମାଳ)
⦿କୁକଡେ଼— କେଉଁ କଡ଼େ(କୋରାପୁଟ)
⦿କୁଟା— କେଉଁଟା(ରାୟଗଡ଼ା)
⦿କୁଠେ— କେଉଁଠେ(ରାୟଗଡ଼ା)
⦿କୋଟା— କେଉଁ ଟା(ଗଞ୍ଜାମ;ପୂ ଭା ୧୭୮୪)
⦿କୌଟା— କେଉଁଟା(ଅଵିଭକ୍ତ କଟକ)
⦿କୁଥି— କେଉଁଠି (ଗଦ୍ୟ ସାହିତ୍ୟ,ସମ୍ବଲ)
⦿କୁନ୍—କେଉଁ(ମାଲ),କିଏ(କଳା)
⦿କେ — କିଏ, କୁ,(ଦେ:ମା:କଳା:ନୂ:)
(କେ ତୁ ମୋହନ—କଵିସୂର୍ଯ୍ୟ, ସଙ୍ଗୀତ)
⦿କେଁ— କ'ଣ
⦿କେଇଟା —କେତେ ଗୁଡିଏ, କେତୋଟି(କେ)
⦿କେଇଟିଆ — କେତୋଟି(ବାଲେଶ୍ଵର)
⦿କେଇଁ —କାହିଁ, କେଉଁଆଡେ(କଳାହାଣ୍ଡି)
⦿କେଉଣ—କିପରି, କେମିତି (ପ୍ରାଚୀନ)
“ଜନ‌ଗମ୍ୟ ନାହିଂ ଅଗମ୍ୟ ବନ ଘୋର
କେଉଣ ଜୀବେ ଲକ୍ଷ୍ମଣକୁ କଲେକ ଆଧାର”
(ସୀତାଙ୍କ ଵନଗମନ, ସାରଳା ଦାସ)
⦿କେଉଁ—କିଏ, କୌଣସି
⦿କେଏଁ— କେଉଁ,କି(କେନ୍ଦୁଝର)
⦿କେଏଁଟା— କ'ଣ (କଳାହାଣ୍ଡି)
⦿କେକହୁ—କିଏ କହିପାରିଵ?; ଅକଥନୀୟ
"ତାର ମହିମା ଏ ସଂସାରେ ,
କେ କହୁ ସହସ୍ରେ ଵତ୍ସରେ। 
(ଜଗନ୍ନାଥ, ଭାଗଵତ।)
⦿କେଜାଣି— କି ନିମନ୍ତେ; କାହିଁକି ମୁଁ କହି ପାରିବି ନାହିଁ; ମତେ ଜଣା ନାହିଁ, ଅନ୍ଯ କେହି ଅବା ଜାଣିଥିଵ; ଏହା ଅଜ୍ଞାତ ଅଟେ 
“ଜୀଵନ ହୁଡ଼ ଯୁଆରଣେ
 କେଜାଣି କେ ହାରେ କେ ଜିଣେ।” (ଜଗନ୍ନାଥ, ଭାଗଵତ।)
⦿କେଜାନେ— କେଜାଣି(କଳାହାଣ୍ଡି)
⦿କେଟା— କେଉଁଟା(ମୟୂରଭଞ୍ଜ)
⦿କେଠି— କେଉଁଠି (ବାଲେଶ୍ଵର)
⦿କେଡ଼େ— କେତେ, ଆକାର ଵାଚକ ପ୍ରଶ୍ନଵାଚୀ
⦿କେଢ଼ାଏଁ— କେଡ଼େ, କେଡ଼େ ବଡ଼ ଆନୁମାନିକ ମାପ
⦿କେଢ଼େ— କେଡ଼େ(ଢେ:କ)
⦿କେଢ଼େ ହାତେଁ —କେଡ଼େ ଆକାରର (ଢେ:କ)
⦿କେଣିକି— କେଉଁଠିକି(ଜଗତସିଂହପୁର)
⦿କେତିକି— କେତେ ପରିମାଣ(ମାନକ)
⦿କେତୁଟା— କେତେ ସଂଖ୍ୟକ
⦿କେତେଲେ— କେତେବେଳେ (କନ୍ଧମାଳ)
⦿କେନ— କେଉଁ, କେଉଁଠାରେ (ବାଲେଶ୍ଵର)
⦿କେନ୍‌କେ— କେଉଁଠାକୁ, କୁଆଡ଼େ, କୁଆଡ଼କୁ(କଳା:ସ:କନ୍ଧ:କୋ)
⦿କେନ୍ କେନ୍—କିଏ କିଏ, କେଉଁକେଉଁ
                            (କଳା:ସ)
⦿କେନ୍‌ଚେ‌ —କାହିଁ, କେଉଁଠି (କଳା)
⦿କେନ୍‌ଠାଇ—କେଉଁଠିକୁ(ମୟୂରଭଞ୍ଜ)
⦿କେନ୍‌ଠାନୁ —କେଉଁଠାରୁ (କଳାହାଣ୍ଡି)
⦿କେନ୍‌ଠି/କେନ୍‌ଠେ—କେଉଁଠି(ମୟୂରଭଞ୍ଜ)
⦿କେନ୍‌ତା‌— କେମିତି, କିପରି(ସ:କଳା)
⦿କେନ୍‌‌ଥିର ଲାଗି—କେଉଁଥିପାଇଁ କି(ବୌ) ⦿କେନ୍‌ପତେ— କେଉଁ ପର୍ଯ୍ୟନ୍ତ(କଳା)
⦿କେନ୍‌ଫାଲ୍—କେଉଁଆଡ଼େ ଓ ଯେକୌଣସି ଆଡ଼କୁ କେଣେ, କୁଆଡ଼େ(କଳା: ନୂଆ)
⦿କେନ୍‌ମନ୍‌ —କେଉଁମାନଙ୍କୁ(ନୂଆ)
⦿କେନ୍ ଇକେ—କେଉଁଠାରେ(ନୂଆ)
⦿କେନ୍‌ସି—କୌଣସି(କଳା:କନ୍ଧ:ସ:ନୂଆ)
⦿କେନ କେନ୍ତା—କେଉଁଠି କେମିତି(ସ)
⦿କେନଠାନେ—କେଉଁଠାରେ, କେଉଁ    
     ଜାଗାରେ, କେଉଁଠି(ସୁଵ:ସୁନ୍ଦ)
⦿କେନତି—କେମିତି, କିପରି(ସୁଵ)
⦿କେନ୍ ଥିଁ—କେଉଁଠି, କେଉଁଟାରେ(ସୁଵ)
⦿କେନଥେଇ — କିପରି(ସୁଵ)
⦿କେନନିକେ —କେଉଁଠାକୁ( କଳା)
⦿କେନନେ କେଉଁଠାରେ, କେଉଁଠି(କଳା)
⦿କେନର—କେଉଁ ସ୍ଥାନର(ସୁଵ)
⦿କେନର୍ଚା — କେଉଁଠିକାର(ସୁନ୍ଦ)
⦿କେନଲକେ—କେଉଁଠାରେ, କେଉଁଠି, କେଉଁ
       ସ୍ଥାନରେ(କଳାହାଣ୍ଡି)
⦿କେନୁ —କେଉଁଠୁ(କନ୍ଧମାଳ)
⦿କେନେ —କାହିଁକି, କେଉଁଠାରେ, କେଉଁଆଡ଼େ, କୋଉଠି(ବାଲେଶ୍ଵର, ଭଦ୍ରକ)
⦿କେନେଡ଼େ—କେଉଁଆଡ଼େ(କନ୍ଧମାଳ)
⦿କେନେନିକେନେ— କୁଆଡ଼େ ନାଇଁ କୁଆଡ଼େ 
                    (କଳାହାଣ୍ଡି)
         
⦿କେନ୍ତା—କେମିତି କିପରି
                  (କନ୍ଧ:ସ:ସୁନ୍ଦ:ବୌ:ମା)
⦿କେନ୍ତାକେନ୍ତା—କେମିତି କେମିତି(ସମ୍ବଲପୁର)
⦿କେନ୍ତୁ, କେନ୍‌ଠାନୁ—କେଉଁଠୁ(ସୁନ୍ଦ)
⦿କେନ୍ଥେହି— କେମିତି (ସମ୍ବଲ)
⦿କେବ୍‌କେ—କେବେକୁ,କେବେ, କେଉଁ
      ସମୟରେ(କଳା)
⦿କେବଣ—କିପରି , କେମିତି (ପ୍ରାଚୀନ)
⦿କେବର—କେଉଁ ସମୟର(ରାୟଗଡ଼ା)
⦿କେବା— କିଏ ଅବା, କେଉଁ ଵସ୍ତୁ ଅଵା 
(ଏ ଶବ୍ଦ or ଵା କିମ୍ବା ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ ଯଥା “ଜାଣିଲେ ନଳ ଦିଵସ କେବା ରାତି” ସେ କୃଷ୍ଣ ମହାଭାରତ)
⦿କେବୁରୁ— କେବେଠାରୁ (କନ୍ଧମାଳ)
⦿କେବେ— କେତେବେଳେ
⦿କେମନ୍ତ— କିପ୍ରକାର,କିପରି
⦿କେରକମ୍— କେମିତି, କିପରି,କିଭଳି(ବା:ମ)
⦿କେସନ— କେମନ୍ତ, କିପରି
“ବରିଣ ବିଭା ନୋହିଲୁ କେସନେ ଅମ୍ବେ କନ୍ୟାକୁ”(ସାରଳା ମହାଭାରତ)
⦿କେସେ—କେଉଁ ଵ୍ୟକ୍ତି? କିଏ ସେ?

“କେହି ନଚାଇ ସୁଭୂରୁ ଭୂରୁ।
 ଶିକ୍ଷା କି ଵୃକ୍ଷରୁ ସରୁପତି ହେଲା ଗୁରୁ ଗୁରୁସ୍ତନୀ କେସେ।”( ଭଞ୍ଜ, ପ୍ରେମସୁଧାନିଧି।)
 
⦿କେରୁ— କେବେଠାରୁ (ଅନୁଗୁଳ)
⦿କେହି— କିଏ,କିଏ ଜଣେ
⦿କେହୁ— କିଏ ,କିଏ ଜଣେ(ପ୍ରାଚୀନ)
“ଯହୁଂ ସେ ବାଳୀକି କେହୁଂ ପ୍ରଦାନ ନୋହିଲା”(ସାରଳା ମହାଭାରତ)
⦿କେହୁଣସି—ଯେକୌଣସି ବ୍ଯକ୍ତି,କୌଣସି, କିଛିହେଲେ(ପ୍ରାଚୀନ)
"କେହୁଣସି ସୁଖକୁ ନ କର ଅଵଧାନ"(ରହସ୍ୟମଞ୍ଜରୀ।)
⦿କେହୁଣି—କୌଣସି(ପ୍ରାଚୀନ)
⦿କେହୁଣିସି—କୌଣସି(ପ୍ରାଚୀନ)
⦿କେହେନ୍‌ସି— କୌଣସି (ସମ୍ବଲପୁର)
⦿କେହେନେକ—କେହ୍ନେ,କିପରି(ପ୍ରାଚୀନ)
“କେହେନେକ ପ୍ରକାରଣେ ଯଦୁ ଘରୁଂ ହେଲେ ପାରି ।”(ସାରଳା ମହାଭାରତ)
⦿କେହେନି— କୌଣସି,କୋଉ(କନ୍ଧମାଳ)
⦿କେଁ— କି ପ୍ରଶ୍ନସୂଚକ ଅଵ୍ୟୟ(କଳା:ନୂ)
⦿କେଁଠକ୍— କୁଆଡ଼େ(ବାଲେଶ୍ଵର)
⦿କେଁନୁ— କେଉଁ ସ୍ଥାନରୁ,କେଉଁଠାରୁ(ସୁଵ)
⦿କୋ— କେଉଁ (ଗଞ୍ଜାମ;ପୂ.ଭା.ପୃ—୧୭୭୩)
⦿କୋଉ— କେଉଁ,କି, କ'ଣ
⦿କୋଉଁ—କେଉଁ,କି, କ'ଣ
⦿କୋଉଣସି—କୌଣସି
⦿କୋଉଣସିଲା— କୌଣସି
⦿କୋଉଣିସି—କୌଣସି
⦿କୋଉଣିସିଲା—କୌଣସି
⦿କୋଉରା— କେଉଁ ଗୁଡ଼ା (କଟକ)
⦿କୋଉଁ— କେଉଁ (କଟକ)
⦿କୋଉଣସି/କୋଉଣିସି— କୌଣସି
⦿କୋକାଳ — କେଉଁ କାଳ
("କୋକାଳେ କୋ ଭଵିଷ୍ୟତି"—ଦେଶୀୟ. ଅଶୁଦ୍ଧ ସଂସ୍କୃତ ଵଚନ।)
⦿କୋଠଣେ— କେଉଁଠାର, କେଉଁ ସ୍ଥାନର(ଗ)
⦿କୋଓଠି— କେଉଁଠି (ଦେଵଗଡ଼)
⦿କୋଓଠେ—କେଉଁଠାରେ(ଦେ:ଗ)
⦿କୋନି— କେଉଁ (କନ୍ଧମାଳ)
⦿କୋବା— କିଏ,କିଏ ଅବା
“ବେଭାରେ ମୁଁ ବୋଲି ଚିହ୍ନି ନ ପାରିଟି ପୁଚ୍ଛି କୋବା ଡାକେ।”(ଭଞ୍ଜ, ଵୈଦେହୀଶଵିଳାସ। )
⦿କୌ— କେଉଁ?
⦿କୌଁ— କେଉଁ
କୌଁ କୌଶଳା ସେ ବି, କରି ଜିଣିଵା। 
ଅଭିମନ୍ଯୁ ଵିଦଗ୍ଧଚିନ୍ତାମଣି)
⦿କୌଠା— କେଉଁ ସ୍ଥାନ
  (ଏଥିର ୨ୟା ଵିଭକ୍ତିରେ କୌଠାକୁ, ୫ମୀରେ କୋଠାରୁ ୬ଷ୍ଠୀରେ କୌଠାରେ;୭ମୀରେ କୌଠାରେ ହୂଏ)]
⦿କୌଠି—କେଉଁ ସ୍ଥାନ , କେଉଁଠି ,କେଉଁଠାରେ କେଉଁ ସ୍ଥାନରେ(ଏଥିର ୨ୟା ଵିଭକ୍ତିରେ କୌଠିକି, କୌଠିକୁ ହୁଏ। ପୂ.ଭା. ୧୮୧୫ ପୃ)
⦿କୌଣସି— କେହିଜଣେ, କିଛି ଵସ୍ତୁ
⦿କୌଣସି କୌଣସି(କୌଣସିର ବହୁଵଚନ) କେହି କେହି ଵ୍ୟକ୍ତି, ଜଣେ ଜଣେ ଲୋକ,କୌଣସି ସ୍ଥାନମାନ,କୌଣସି ଵସ୍ତୁମାନ
⦿କୌଣସିଲା— କୌଣସି 
⦿କୌଣିସିଲା— କୌଣସି 
⦿କୌନ୍— କିଏ,କଅଣ
          (ଭତ୍ରୀ ଓଡ଼ିଆ;ପୂ.ଭା./ ୧୮୧୬ ପୃ)
⦿କ୍ୟାଂ— କିଆଁ; କାହିଁକି
 ଆହା ମଙ୍ଗରାଜେ ! ପୁଅମାନଙ୍କୁ କ୍ଯାଂ ପାଖ ପୂରାଅ ନାହିଁ(ଫକୀରମୋହନ. ଛମାଣ ଆଠକଗୁଣ୍ଠ)
⦿କ୍ୟାଡ଼େ— କୁଆଡ଼କୁ,କୁଆଡ଼େ(ବାଲେଶ୍ଵର)

ଏହିସବୁ ଶବ୍ଦ ମଧ୍ୟରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କି,କିନା,କିସ,କିଵା, କାହୁଂ ଆଦି ପ୍ରୟୋଗ ହୋଇଛି ଏଵଂ ତାକୁ ଆଜି ବି ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ନିଜ କଥିତ ଭାଷାରେ ବଞ୍ଚାଇ ରଖିଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟରେ ଏହି ସବୁ ନଞାର୍ଥକ ଶବ୍ଦଗୁଡି଼କର ପ୍ରୟୋଗ କରି ଏଗୁଡ଼ିକୁ ବଞ୍ଚାଇ ରଖାଯାଇପାରିଵ । 
   ×•••••••••••••••••••••••••×

Friday, August 25, 2023

ଓଡ଼ିଶାର ପମ୍ପାଇ : ଗଞ୍ଜାମର ଗଞ୍ଜା ନଗର

ଗଞ୍ଜାମ ଜିଲ୍ଲାରେ ଗୋଟିଏ ନଗର ଅଛି ତାହାର ନାମ ବି ଗଞ୍ଜାମ । କୁହାଯାଏ ଦୁଇ ଶତାବ୍ଦୀ ତଳେ ଏହି ଗଞ୍ଜାମ ନଗରର ନାମ ଗଞ୍ଜା ଥିଲା । ଗଞ୍ଜାମ ଜିଲ୍ଲାର ନାମକରଣ ଏହି ଗଞ୍ଜା ନଗରରୁ ହୋଇଅଛି । କେହି କୁହନ୍ତି ଏହା ଏକ ପାରସିକ ଶବ୍ଦ ଗଞ୍ଜ୍ ଆଧାରରେ ନାମିତ ହୋଇଛି । ଵ୍ୟାପାର ପେଣ୍ଠସ୍ଥଳୀକୁ ପାର୍ସୀ ଭାଷାରେ ଗଞ୍ଜ୍ କୁହାଯାଏ । 

ଗଞ୍ଜା ନଗରଟି ଏଇ ମାତ୍ର ଦୁଇ ଶତାବ୍ଦୀ ତଳେ ଦକ୍ଷିଣ ଓଡ଼ିଶାର ଅତ୍ୟନ୍ତ ସମୃଦ୍ଧିଶାଳୀ ଓ ଜନପୂର୍ଣ୍ଣ ସ୍ଥାନ ଥିଲା। ତାପରେ ହଠାତ୍ ପ୍ରବଳ ମାଲେରିଆଦ୍ୱାରା ଏହି ଧନଜନପୂର୍ଣ୍ଣ ସୁବୃହତ୍ ମନୋହର ନଗରଟି ଏକାବେଳେ ଜନଶୂନ୍ୟ ଓ ଛାରଖାର ହୋଇଗଲା। ଏହାପରେ ଦେଖା ଦେଲା ଖାଦ୍ୟର ଅଭାଵ ଓ ମରୁଡ଼ି। ଗଞ୍ଜା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ଵର୍ଷ ଧରି ମରୁଡ଼ି ପଡ଼ିଲା । ସେ ସମୟର ଗଞ୍ଜା ନଗରର ଚିତ୍ର କଳ୍ପନା ମାତ୍ରେ ଯେ କୌଣସି ଦର୍ଶକର ମନରେ କ୍ଷଣକ ମଧ୍ୟରେ ସଂସାରର ନଶ୍ୱରତାର ଚିତ୍ରଟିଏ ଆଙ୍କି ହୋଇଯିଵ । 

ବାରମ୍ବାର ପ୍ରାକୃତିକ ଦୁର୍ଵିପାକ ଯୋଗୁଁ କ୍ରମେ ଗଞ୍ଜାରୁ ସମସ୍ତ ରାଜକୀୟ କାର୍ଯ୍ୟାଳୟମାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଥିଲା । ଲୋକମାନେ ସେତେବେଳେ ଏହାକୁ ଠାକୁରାଣୀଙ୍କ ପ୍ରକୋପ ମନେ କରି ଗଞ୍ଜା ନଗର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ଗଞ୍ଜା ନଗରରେ ହଠାତ୍ ଦେଖା ଦେଇଥିଵା ମେଲେରିଆ ପ୍ରକୋପ ତଥା ମରୁଡ଼ିକୁ ନେଇ ଏକ ଲୋକକଥା ମଧ୍ୟ ରହିଛି । ଏହି ଲୋକକଥା ଅନୁସାରେ ଗଞ୍ଜା ନଗର ନିକଟରେ ଅଵସ୍ଥିତ ପ୍ରାଚୀନ ଦୁର୍ଗ ପୋତାଗଡ଼ର ଅଧିଷ୍ଠାତ୍ରୀ ଦେଵୀଙ୍କ କୋପରେ ପାର୍ଶ୍ୱଵର୍ତ୍ତୀ ଗଞ୍ଜା ନଷ୍ଟ ହୋଇଯାଇଥିଲା ଏଵଂ ସେ ଦୁର୍ଗରେ ରହୁଥିଵା ସ୍ଥାନୀୟ ରାଜା ଗୁପ୍ତ ସୁଡ଼ଙ୍ଗ ଦେଇ ଦୁର୍ଗ ପରିତ୍ୟାଗ କରିଥିଲେ ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରି ନିଜ ଜୀଵନ ବଞ୍ଚାଇ ଥିଲେ । ଗଞ୍ଜାମର ଅନେକ କର୍ମଠ ଵ୍ୟକ୍ତି ଓ ଵ୍ୟାପାରୀ ମଧ୍ୟ ସେ ଦୁର୍ଦ୍ଦିନରେ ଗଞ୍ଜାକୁ ପରିତ୍ୟାଗ କରି ଗଡ଼ଜାତକୁ ଚାଲି ଯାଇଥିଲେ ଏଵଂ ସେଠାରେ ସ୍ଥାୟୀ ଅଧିଵାସୀ ହୋଇଗଲେ । କେହି କେହି ଗଞ୍ଜାଵାସୀ ପୂର୍ଵ ଉପକୂଳଵର୍ତ୍ତୀ ଓଡ଼ିଶାରେ ରହିଵାକୁ ଲାଗିଲେ । ପରେ ମାଲେରିଆର ପ୍ରକୋପ କମିଯିଵାରୁ କେତେକ ଲୋକ ଏ ନଗରକୁ ଫେରିଲେ ଏଵଂ ଏହାକୁ ଆଉଥରେ ନୂଆ କରି ଗଢ଼ିଲେ । ତେବେ ଗଞ୍ଜାରେ ଦେଖା ଦେଵା ଵିଭିନ୍ନ ପ୍ରାକୃତିକ ଵିପର୍ଯ୍ୟୟ ପରେ ଗଞ୍ଜାର ସେହି ପ୍ରଳୟସଂକାଶ ଭୟାନକ ମହାମାରୀ ଓ ମରୁଡ଼ିକୁ ଲକ୍ଷ୍ୟ କରି ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଲୋକମାନେ ଅନ୍ୟକୁ ଗାଳି ଦେଵାରେ ''ଗଞ୍ଜାମରୁଡ଼ି'' କଥା ଵ୍ୟଵହାର କରିଵାକୁ ଲାଗିଲେ । 

ଗଞ୍ଜାମରୁଡ଼ିକୁ ଲକ୍ଷଣାର୍ଥ ସର୍ଵନାଶ,ମହା ଵିପତ୍ତି ଵା ଧ୍ୱଂସକାରୀ ମହାମାରୀ ଅର୍ଥରେ ଲୋକେ ଵ୍ୟଵହାର କରି ସେହି ଦୁଃଖ ଦୁର୍ଵିପାକରେ ପଡ଼ି ମର ବୋଲି ଗାଳି ଦେଲେ । ଗଞ୍ଜା ନଗରର ତତ୍କାଳୀନ ଲୋକେ ଆଜି ଆଉ ଧରା ପୃଷ୍ଠରେ ନାହାନ୍ତି,ସେ କାଳର ସେ ଦୁର୍ଦ୍ଦିନକୁ ମନେ ରଖିଵା ଭଳି କୌଣସି ଵିଶେଷ ଆୟୋଜନ ମଧ୍ୟ ହୋଇନାହିଁ । ତେବେ ତହିଁର ସ୍ମୃତି ସ୍ଵରୂପ ରହି ଯାଇଛି ଏଇ ଗଞ୍ଜାମରୁଡ଼ି ଶବ୍ଦ । 


ନିଃସନ୍ଦେହ ଗଞ୍ଜା ନଗରକୁ ଓଡ଼ିଶାର ପମ୍ପାଇ କହିଲେ ଅତ୍ୟୁକ୍ତି ହେଵ ନାହିଁ । ତେବେ ଇଟାଲୀର Pompei ନଗର ୭୯ ଖ୍ରୀଷ୍ଟାବ୍ଦରେ ଲାଵା ଉଦ୍ଗିରଣ ଯୋଗୁଁ ଧ୍ଵଂସ ପାଇଥିଲା କିନ୍ତୁ ଓଡ଼ିଶାର ଗଞ୍ଜା ନଗର ମହାମାରୀ ଓ ମରୁଡ଼ି ଯୋଗୁଁ ଧ୍ଵଂସ ପାଇ ଯାଇଥିଲା । ମାତ୍ର ଆମ ଗଞ୍ଜା ନଗର କିନ୍ତୁ ପମ୍ପାଇ ନଗର ଭଳି କାଳ ଆଗରେ ହାରି ଯାଇନାହିଁ ଵରଂ ଆଉ ଥରେ ଅଣ୍ଟା ସଳଖି ଆଉଥରେ ଛିଡ଼ା ହୋଇଛି । ଆଜି ସେ ଗଞ୍ଜାନଗରକୁ ଗଞ୍ଜାମ ସହର କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ଆଜି ବି ଗଞ୍ଜାମନଗର ନାମରେ ପ୍ରାଚୀନ କଳିଙ୍ଗ ଦେଶରେ ଏହି ନଗରଟି ତିଷ୍ଠି ରହିଛି । 


(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ)

Wednesday, August 23, 2023

ଚନ୍ଦ୍ରପୃଷ୍ଠରେ ଥିଵା ଏକ ଗର୍ତ୍ତର କାହାଣୀ

୨୫ ଜୁନ ୧୧୬୮ରେ ସବୁଦିନ ଭଳି ସେଦିନ ମଧ୍ୟ ଇଂଲଣ୍ଡର କେଣ୍ଟରବରୀ ନଗରରେ ପାଞ୍ଜଜଣ ଭିକ୍ଷୁକ ସନ୍ଧ୍ୟା ସମୟ ହେଵାରୁ ଵିଶ୍ରାମ ପାଇଁ ନିଜ ବସାକୁ ଲେଉଟୁଥାଆନ୍ତି । ଏତିକିବେଳେ ସେମାନେ ଆକାଶରେ ଏକ ଵିଚିତ୍ର ଘଟଣା ଦେଖି ଅଭିଭୂତ ହୋଇ ଯାଇଥିଲେ ! 

ସେମାନେ ରାତ୍ରିର ସେହି ଅନ୍ଧକାରରେ ଚନ୍ଦ୍ର ମଧ୍ୟରେ ଶିଙ୍ଘ ଭଳିଆ ଏକ ଆକୃତି ହୋଇଯାଇଥିଵାର ଦେଖିଵାକୁ ପାଇଲେ । ତାପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ସେହି ଶିଙ୍ଘକୁ ଵିଭକ୍ତ କରି ମଶାଲ ଭଳି କିଛି ଗୋଟିଏ ତହିଁର ଉପର ଆଡ଼କୁ ଚାଲିଗଲା ଏଵଂ ଅନ୍ଧ କଲା ଭଳି ଆଲୋକ ରଶ୍ମି ଉତ୍ପନ୍ନ ହେଲା । 


ସେହି ଭିକ୍ଷୁକମାନେ ପ୍ରକୃତରେ ଚନ୍ଦ୍ରପୃଷ୍ଠରେ ଧୂମକେତୁ ବିସ୍ଫୋରଣର ଦୃଶ୍ୟକୁ ପୃଥିଵୀରୁ ଦେଖିଥିଲେ । ଏହି ଵିସ୍ଫୋରଣ ଯୋଗୁଁ ଚନ୍ଦ୍ରପୃଷ୍ଠରେ ୨୦ କିମି ଗଭୀର ଗର୍ତ୍ତ ହୋଇଯାଇଥିଲା । ଏହି ଵିସ୍ଫୋରଣ ଏତେ ଭୟାଵହ ହୋଇଥିଲା ଯେ ଚନ୍ଦ୍ରଠାରୁ ୩୮୪୦୦୦ କିମି ଦୂରରେ ଅଵସ୍ଥିତ ପୃଥିଵୀରୁ ତାକୁ ଖାଲି ଆଖିରେ ଦେଖାଯାଇଥିଲା । 


ତତ୍କାଳୀନ ଇଂରେଜ ଐତିହାସିକ Gervasius Dorobornensis ଏହି କଥାକୁ ସେ ଏହିପରି ଲେଖିଥିଲେ “the upper horn [of the moon] split in two.From the midpoint of the division a flaming torch sprang up, spewing out, over a considerable distance, fire, hot coals and sparks. Meanwhile the body of the Moon which was below writhed, as it were in anxiety, and to put it in the words of those who reported it to me and saw it with their own eyes, the Moon throbbed like a wounded snake. Afterwards it resumed its proper state. This phenomenon was repeated a dozen times or more, the flame assuming various twisting shapes at random and then returning to normal. Then, after these transformations, the Moon from horn to horn, that is along its whole length, took on a blackish appearance”


୧୯୭୬ରେ ଭୂଵିଜ୍ଞାନୀ Jack B. Hartung ଚନ୍ଦ୍ରପୃଷ୍ଠରେ ଏହି ଭଳି ଏକ ଗର୍ତ୍ତ ଉଣ୍ଡି ପାଇଥିଲେ ଏଵଂ ଏହାକୁ Gervasius Dorobornensisଙ୍କ ଲିଖିତ ଵିଵରଣୀ ସମ୍ବନ୍ଧୀୟ ଚନ୍ଦ୍ରପୃଷ୍ଠର ଗର୍ତ୍ତ ବୋଲି ପ୍ରାମାଣିକ ମତ ଉପସ୍ଥାପନ କରିଥିଲେ । 

ଷୋହଳଶହ ଶତାବ୍ଦୀର ମହାନ ଵିଚାରକ Giordano Brunoଙ୍କ ସମ୍ମାନାର୍ଥେ ଚନ୍ଦ୍ରପୃଷ୍ଠର ଏହି ଗର୍ତ୍ତର ନାମକରଣ ବ୍ରୁନୋ କ୍ରେଟର୍ କରାଯାଇଅଛି ‌। 


ଚନ୍ଦ୍ରପୃଷ୍ଠରେ ଅଵତରଣ ଜଟିଳ କାହିଁକି ?

ରୁଷ ଦ୍ୱାରା ପଠାଯାଇଥିବା “ଲୁନା ପ୍ରୋବ” ଚନ୍ଦ୍ରପୃଷ୍ଠରେ ଅଵତରଣ କରିଵା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା ପରେ ଵର୍ତ୍ତମାନ ସମଗ୍ର ଵିଶ୍ୱର ଦୃଷ୍ଟି ISRO ର ଚନ୍ଦ୍ରଯାନ -୩ ଉପରେ ଅଛି । ଆଜି ପର୍ଯ୍ୟନ୍ତ, ଚନ୍ଦ୍ରକୁ ପଠାଯାଇଥିଵା ମହାକାଶଯାନଗୁଡ଼ିକ ମଧ୍ୟରେ ଏକ ତୃତୀୟାଂଶରୁ ଅଧିକ ଯାନ ଅଵତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଅଛି। କେଉଁ କାରଣରୁ ଚନ୍ଦ୍ରରେ ଅବତରଣ ଏତେ କଷ୍ଟସାଧ୍ୟ ହୋଇଥାଏ? 

ଟର୍ମିନାଲ୍ ଵେଲୋସିଟି କ’ଣ ଜାଣିଲେ ଆପେ ଏହାର ଉତ୍ତର ମିଳିଯିଵ । 

ମାଧ୍ୟାକର୍ଷଣ ଶକ୍ତି ସମସ୍ତ ଦ୍ରଵ୍ୟକୁ ସମାନ ଭାଵରେ ଆକର୍ଷିତ କରିଥାଏ, ଅର୍ଥାତ୍ ଗୋଟିଏ ଗ୍ରହରେ ପକ୍ଷୀର ପର,ପଥର ଓ ଲୁହା ଉଭୟ ସମାନ ବେଗରେ ଭୂପୃଷ୍ଠ ଆଡକୁ ପଡ଼ିଵ । କିନ୍ତୁ ଏହା ପୃଥିଵୀରେ ହୁଏ ନାହିଁ ‌କାରଣ ଆମ ଗ୍ରହରେ ବାୟୁର ଉପସ୍ଥିତି ରହିଛି । ମାଧ୍ୟାକର୍ଷଣ ଶକ୍ତି ପଡୁଥିଵା ଵସ୍ତୁଗୁଡ଼ିକୁ ନିଜ ଆଡ଼କୁ ଟାଣେ, ଏଵଂ ପଡୁଥିଵା ଵସ୍ତୁର ଗତି ପ୍ରତି ସେକେଣ୍ଡରେ ବଢ଼ି ବଢ଼ି ଯାଏ । କିନ୍ତୁ ପୃଥିଵୀରେ ଵାୟୁ ମାଧ୍ୟାକର୍ଷଣ ଶକ୍ତିର ଵିପରୀତ ଦିଗକୁ ଅର୍ଥାତ୍ ଉପରକୁ ଚାପ ପ୍ରୟୋଗ କରେ । ଫଳତଃ ପୃଥିଵୀରେ କୌଣସି ଵସ୍ତୁ ଉପରୁ ତଳକୁ କିଛି ସେକେଣ୍ଡ ଖସିଵା ପରେ, ଏପରି ଏକ ସମୟ ଆସେ ଯେତେବେଳେ ତଳକୁ ଟାଣୁଥିଵା ମାଧ୍ୟାକର୍ଷଣ ଶକ୍ତି ଓ ଉପରକୁ ଠେଲୁଥିଵା ଵାୟୁ ପରସ୍ପରକୁ ଏମନ୍ତ କାନ୍ସେଲ୍ ଆଉଟ୍ କରି ଦିଅନ୍ତି ଯେ ପଡୁଥିଵା ଵସ୍ତୁର ବେଗ ପ୍ରତି କ୍ଷଣରେ ନବଢି଼ ନିର୍ଦ୍ଧିଷ୍ଟ ହୋଇଯାଏ । ଵସ୍ତୁ ପତନର ଏହି ସ୍ଥିର ଗତିକୁ ଟର୍ମିନାଲ୍ ଵେଲୋସିଟି କୁହାଯାଏ ।


ଜଣେ ସୁସ୍ଥସଵଳ ମଣିଷକୁ ଏକ ରକେଟ୍ ସହିତ ମହାକାଶକୁ ଠେଲିଦେଲେ ତାହାର ଗତିରେ ୧୨ ସେକେଣ୍ଡ ପାଇଁ Acceleration ହେଵ , ଏହା ପରେ ସେ ଏକ ନିର୍ଦ୍ଦିଷ୍ଟ ବେଗରେ (ପ୍ରାୟ ୨୫୦ କିଲୋମିଟର / ଘଣ୍ଟା) ପୃଥିଵୀରେ ପହଞ୍ଚିଵ । ଯଦି ଚନ୍ଦ୍ରରେ ଵାୟୁ ଥାଆନ୍ତା ତେବେ ତହିଁରେ ଅଵତରଣ କରୁଥିଵା ଯାନ ପାରାଚ୍ୟୁଟ୍ ଖୋଲି ସହଜରେ ଅଵତରଣ କରିପାରୁଥାନ୍ତା । ପଵନର ଅନୁପସ୍ଥିତିରେ, ଚନ୍ଦ୍ର ଅଵତରଣ ଯାନର ଗତି ପ୍ରତି ସେକେଣ୍ଡରେ ୧.୬ ମିଟର ବୃଦ୍ଧି ପାଇଥାଏ, ଯାହା ଆମ ପାଇଁ ଆଦୌ ଭଲ କଥା ନୁହେଁ । ପଵନର ଅନୁପସ୍ଥିତି ହେତୁ ଏକମାତ୍ର ସମାଧାନ ହେଉଛି ଚନ୍ଦ୍ରରେ ଅବତରଣ କରିଵା ସମୟରେ ବିକ୍ରମ ଲାଣ୍ଡର୍ ଏହାର ରକେଟ୍ ବୁଷ୍ଟର୍‌ଗୁଡ଼ିକୁ ତଳ ଆଡ଼କୁ ନିୟମିତ ଫାୟର୍ କଲେ ଏହା ବିକ୍ରମକୁ ଧୀରେ ଧୀରେ ଅଵତରଣ କରିଵାରେ ସାହାଯ୍ୟ କରିଵ।
.
ତେବେ ରାକେଟ ବୁଷ୍ଟର୍ ଫାୟର୍ କରିଵା ଚଳଚ୍ଚିତ୍ରରେ ଯେମିତି ସହଜରେ ଦର୍ଶାଇ ଦିଆଯାଏ , ଵାସ୍ତଵିକ ତାହା ଅତ୍ୟନ୍ତ କଷ୍ଟସାଧ୍ୟ ଵ୍ୟାପାର ଅଟେ । ଵିକ୍ରମ ଲାଣ୍ଡର୍ କିମ୍ବା ଚନ୍ଦ୍ରପୃଷ୍ଠକୁ ଯାଉଥିଵା କୌଣସି ବି ଯାନରେ ୫ ମିନିଟ୍ ପାଖାପାଖି ବୁଷ୍ଟର୍ ଫାୟର୍ କରି ପାରିଵା ଭଳି ଇନ୍ଧନ ଥାଏ । ଅର୍ଥାତ୍, ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ବେଳେ ଵିକ୍ରମ ଲାଣ୍ଡର୍‌କୁ , ମଝିରେ ମଝିରେ ନିଜର ସ୍ଥିତିକୁ ସମାନ୍ତରାଳ ରଖି ଆପଣା ବୁଷ୍ଟର୍‌କୁ ରହି ରହି କରି ଫାୟର୍ କରିଵାକୁ ହେଵ। 

କିନ୍ତୁ ବୁଷ୍ଟର୍ ଅନ୍ କରି ଓ ଫାୟର କରି ଚନ୍ଦ୍ରଷୃଷ୍ଠରେ ଅଵତରଣ କରିଵା ପାଇଁ ଯେତିକି ଇନ୍ଧନ ଆଵଶ୍ୟକ ହେଵା କଥା ସେତିକି ଇନ୍ଧନ ଏଭଳି ଯାନଗୁଡ଼ିକରେ ନଥାଏ । 
.
ଅଵତରଣ ପ୍ରକ୍ରିୟା ଆରମ୍ଭ ସମୟରେ ଚାରୋଟି ବୁଷ୍ଟରକୁ ଏକ ସମୟରେ ସାଵଧାନତାର ସହିତ ଵିକ୍ରମ ଲାଣ୍ଡର୍‌ର ସ୍ଥିତି ଅନୁସାରେ ଫାୟର୍ କରାଯିଵା ଉଚିତ୍। ଥରେ ମଧ୍ୟ ଏହି ପ୍ରକ୍ରିୟାରେ କୌଣସି ଅନିୟମିତତା ଦେଖାଦେଲେ ଵିକ୍ରମ ଲାଣ୍ଡର୍ 
ଛିଟିକି ଯାଇ ଚନ୍ଦ୍ରପୃଷ୍ଠରେ କୁଆଡେ଼ ପଡ଼ିଵ ତାହା ଅନୁମାନ ଲଗାଇଵା ମଧ୍ୟ କଷ୍ଟସାଧ୍ୟ ଅଟେ । ତେବେ ଚନ୍ଦ୍ରର ବନ୍ଧୁର ପୃଷ୍ଠ ଅଵତରଣ ପାଇଁ ଯୋଗ୍ୟ ନୁହେଁ ତହିଁରେ ପୁଣି ଆମେ ଦକ୍ଷିଣ ଧ୍ରୁଵର ଅତ୍ୟନ୍ତ ବନ୍ଧୁର ଚନ୍ଦ୍ରପୃଷ୍ଠରେ ଵିକ୍ରମ ଲାଣ୍ଡର୍‌କୁ ଅଵତରଣ କରାଇଵାକୁ ଯାଉଛୁ ‌। ପ୍ରାୟୋଗିକ ଦୃଷ୍ଟିକୋଣରୁ ଧ୍ରୁଵ ପ୍ରାୟତଃ ସ୍ଥିର ସ୍ଥାନ । ସେଠାରେ ଅଵତରଣ ଠିକ୍ ଚାଲୁଥିଵା ରେଳଗାଡ଼ି ମଧ୍ୟରୁ ପ୍ଲାଟଫର୍ମକୁ ଡେଇଁଵାକୁ ଚେଷ୍ଟା କରିଵା ଭଳିଆ କଥା ! ଗୋଟିଏ ଅନ୍ତିମ ସମସ୍ୟା ହେଉଛି ଚନ୍ଦ୍ରପୃଷ୍ଠରେ ଥିଵା ଧୂଳି ‌। ସଫ୍ଟ ଲ୍ୟାଣ୍ଡିଙ୍ଗ୍ ନକଲେ ଧୂଳି ଉଡ଼ି ଲାଣ୍ଡର୍‌ର କାମେରା ଓ ଅନ୍ୟାନ୍ୟ ଯନ୍ତ୍ରଗୁଡ଼ିକୁ ଅଖଞ୍ଜ କରିପାରେ । ତେଣୁ ଚନ୍ଦ୍ରପୃଷ୍ଠରେ ସଫ୍ଟ୍ ଲ୍ୟାଣ୍ଡିଙ୍ଗ୍ ହିଁ ଏକମାତ୍ର ଉପଯୁକ୍ତ ପନ୍ଥା । 

ପୁଣି ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଙ୍ଗ୍ ସମୟରେ ଏସବୁ ଜଟିଳ ସମସ୍ୟାର ସମାଧାନର ଦାୟିତ୍ଵ ଯାନ ମଧ୍ୟରେ ଲାଗିଥିଵା କମ୍ପ୍ୟୁଟର ହାତରେ ନ୍ୟସ୍ତ ଅଛି । ସେସମୟରେ ଇସ୍ରୋ କିଛି କରିପାରିଵ ନାହିଁ ଯାହା କରିଵ ଯାନ ମଧ୍ୟରେ ଲାଗିଥିଵା Artificial inteligent କରିଵ । ଚନ୍ଦ୍ରପୃଷ୍ଠରେ ଅଵତରଣ କରିଵା ମନୁଷ୍ୟ ପକ୍ଷରେ ମଧ୍ୟ ଗୋଟିଏ କଷ୍ଟସାଧ୍ୟ କାର୍ଯ୍ୟ ତେଣୁ ଆମେ କେଵଳ ଆଶା ଓ ପ୍ରାର୍ଥନା କରିପାରିଵା ଯେ ଅଵତରଣ ସମୟରେ ଆର୍ଟିଫିସିଆଲ୍ ଇଣ୍ଟଲିଜେଣ୍ଟ୍ ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନେଇ ଯାନକୁ ସୁରକ୍ଷିତ ରଖିଵାରେ ସଫଳ ହେଵ । 





where is everybody ? : ଆମେ ଆଜି ପର୍ଯ୍ୟନ୍ତ କୌଣସି ବୁଦ୍ଧିମାନ ପରଗ୍ରହୀ ସଭ୍ୟତାର ସନ୍ଧାନ କାହିଁକି କରିପାରି ନାହାନ୍ତି ?


ଆମର ଏ ବ୍ରହ୍ମାଣ୍ଡ ଅନନ୍ତ ଅସୀମ ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ବହୁ ପ୍ରାଚୀନ କାଳରେ କହିଦେଇଥିଲେ ‌। ପୁଣି ୧୪ଟି ବ୍ରହ୍ମାଣ୍ଡ ଥିଵାର ମତ ମଧ୍ୟ ଭାରତୀୟମାନେ ପ୍ରାଚୀନ କାଳରେ ରଖିଥିଲେ । ସେହିପରି ଓଡ଼ିଆ ଭାଗଵତରେ କୁହାଯାଇଛି “ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମକୂପେ ଝୁଲୁଥାଇ” । ଅର୍ଥାତ୍ ଭଗଵାନଙ୍କର ପ୍ରତ୍ୟେକ ଲୋମକୂପରେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଝୁଲୁଅଛି । ଏ ମତ ସହିତ ଭାରତୀୟମାନେ ଈଶ୍ଵର ଓ ବ୍ରହ୍ମାଣ୍ଡକୁ ଏକ ଓ ଅଭିନ୍ନ ରୂପେ କଳ୍ପନା କରିଥିଲେ । ଆଧୁନିକ ଯୁଗରେ ଵୈଜ୍ଞାନିକମାନେ ଦୃଶ୍ୟ ବ୍ରହ୍ମାଣ୍ଡକୁ ଆକଳନ କରି ଆମ ଚାରିପାଖରେ ପ୍ରାୟ 2×10¹¹ ଵା ୨୦୦ ବିଲିଅନ ଆକାଶଗଙ୍ଗା ଥିଵା ମତ ଦିଅନ୍ତି । କିନ୍ତୁ ଅନେକ ଆଧୁନିକ ଗଵେଷକ କୁହନ୍ତି ଆମକୁ ବ୍ରହ୍ମାଣ୍ଡର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ହିଁ ଦୃଶ୍ୟ ହେଉଅଛି ଏଵଂ ଏହି ବ୍ରହ୍ମାଣ୍ଡ ଏହାଠାରୁ ଆହୁରି ଵିଶାଳ ହୋଇଥିଵାର ସମ୍ଭାଵନାକୁ ଏଡ଼ାଇ ଦେଇ ହେଵ ନାହିଁ । 

ଆମକୁ ଦୃଶ୍ୟ ହେଉଥିଵା ୨୦୦ ବିଲିଅନ ଆକାଶଗଙ୍ଗା ମଧ୍ୟରେ ପ୍ରତ୍ୟେକଟିରେ କୋଟି କୋଟି ତାରକା ଓ ଗ୍ରହ ରହିଛି । ଆମ ନିଜର Milky way ଆକାଶଗଙ୍ଗାରେ ୧୦୦ରୁ ୨୦୦ ବିଲିଅନ ତାରକା , ଏହାର ଦୁଇ ଵା ତତୋଽଧିକ ଗୁଣ ଗ୍ରହ ଅଛି । ତେଣୁ ବହୁତ ସମ୍ଭଵ ପୃଥିଵୀ ଭଳି ଅନ୍ୟ କୌଣସି ଗ୍ରହରେ ମଧ୍ୟ ଜୀଵଜଗତ ଥାଇପାରେ । ଆମରି ଆକାଶଗଙ୍ଗାରେ ପୁଣି କିଛି ତାରକା
ଆମ ସୂର୍ଯ୍ୟଠାରୁ ବି ଅଧିକ ପୁରାତନ ବୋଲି ଜଣାପଡ଼ିଛି। ଯଦି ଏଭଳି କୌଣସି ତାରକାମଣ୍ଡଳରେ ପୃଥିଵୀ ପରି ଜୀଵନ୍ତ ଗ୍ରହ ଥାଏ ତେବେ ତନ୍ମଧ୍ୟରୁ କେତେକ ଗ୍ରହରେ ବହୁତ ପୂର୍ଵରୁ ହିଁ ବୁଦ୍ଧିମାନ ଜୀଵନ ଵିକଶିତ ହୋଇ ସାରିଥିବେ । ଯଦି ଆମଠାରୁ ଅଧିକ ଉନ୍ନତ ପ୍ରାଚୀନ ଜୀଵମାନେ ଆମ ଆକାଶଗଙ୍ଗା ଅଥଵା ଆମର ପଡ଼ୋଶୀ ଆକାଶଗଙ୍ଗାଗୁଡ଼ିକରେ ଥାଆନ୍ତି ତାହେଲେ ସେମାନେ ବହୁତ ପୂର୍ଵରୁ ହିଁ ନିଶ୍ଚୟ ଅନ୍ତତରତାରକୀୟ ଯାତ୍ରା ଵିକଶିତ କରିଥିବେ । ହୁଏତ ଏଭଳି କୌଣସି ପ୍ରାଚୀନ ଓ ଉନ୍ନତ ପରଗ୍ରହୀ ସଭ୍ୟତା ହଜାର ହଜାର ଵା ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ପୃଥିଵୀକୁ ବୁଲି ଆସିଥାଇ ପାରନ୍ତି । କିନ୍ତୁ ପୃଥିଵୀକୁ ପରଗ୍ରହୀମାନେ ଆସିଥିଵାର ଏଯାଵତ୍ ସେଭଳି କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ । ତେବେ ଯଦି ଆମଭଳି ଵା ଆମଠାରୁ ଉନ୍ନତ ସଭ୍ୟତାର ପରଗ୍ରହୀ ଏ ବ୍ରହ୍ମାଣ୍ଡରେ ଅଛନ୍ତି ତାହେଲେ ଆମେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସହିତ କୌଣସି ସମ୍ପର୍କ କାହିଁକି ସ୍ଥାପନ କରିପାରି ନାହାନ୍ତି ? 


୧୯୫୦ ମସିହାରେ Enrico Fermi ମଧ୍ୟ ଏକ ଵିଜ୍ଞାନ ସମ୍ବନ୍ଧୀୟ ଚର୍ଚ୍ଚାରେ ଭାଗ ନେଇ ଏହି ସମାନ ପ୍ରଶ୍ନ ପଚାରିଥିଲେ "But where is everybody?" 
ପରେ ତାଙ୍କ ନାମରେ Fermi paradox(ଫର୍ମୀ ଵିରୋଧାଭାସ)ର ନାମକରଣ ହୋଇଥିଲା । 
ଏଯାଵତ୍ କୌଣସି ଉନ୍ନତ ପରଗ୍ରହୀ ସଭ୍ୟତା ସହିତ ଆମର ସମ୍ପର୍କ 
ନହୋଇପାରିଵାର କାରଣକୁ ନେଇ ଵୈଜ୍ଞାନିକମାନେ ଵିଭିନ୍ନ Hypothesis(ପ୍ରକଳ୍ପନ) ଉପସ୍ଥାପନ କରିଛନ୍ତି । ନିମ୍ନରେ ସେହିପରି କିଛି Hypothesis(ପ୍ରକଳ୍ପନ) ଵିଷୟରେ ଉଲ୍ଲେଖ କରାଗଲା । 

(କ)Rare Earth hypothesis
 ଏହି ପ୍ରକଳ୍ପନ ଅନୁଯାୟୀ ବୁଦ୍ଧିମାନ ପରଗ୍ରହୀ ସଭ୍ୟତା ଵିରଳ କାରଣ ଜୀଵନର ଵିଵର୍ତ୍ତନ ପାଇଁ କିମ୍ବା ଅନ୍ତତଃ ପକ୍ଷେ ଜୈଵ ଜଟିଳତାର ଵିଵର୍ତ୍ତନ ପାଇଁ ଆଵଶ୍ୟକ ଅଵସ୍ଥା ପୃଥିଵୀ ଭଳି ଅତି ଅଳ୍ପ ଗ୍ରହରେ ହିଁ ସମ୍ଭଵ ହୋଇଥାଇପାରେ । ଆମ ପୃଥିଵୀ ନିଜ ନକ୍ଷତ୍ର ସୂର୍ଯ୍ୟଠାରୁ ଏକ ସୁରକ୍ଷିତ ଦୂରତାରେ ଅଵସ୍ଥିତ,ଏହାକୁ ବଡ଼ ବଡ଼ ଗ୍ରହାଣୁଠାରୁ ରକ୍ଷା କରିଵା ପାଇଁ ବୃହସ୍ପତି ଓ ଶନି ଭଳି ଵିଶାଳ ଗ୍ରହ ଵିଦ୍ୟମାନ । ଆମ ସୌରମଣ୍ଡଳ ଆକାଶଗଙ୍ଗାର ଏକ ସୁରକ୍ଷିତ galactic habitable zoneରେ ରହିଛି। ଆମ ପୃଥିଵୀର ଚନ୍ଦ୍ର ଭଳି ଏକ ବଡ଼ ଉପଗ୍ରହ ବି ଅଛି। କିନ୍ତୁ ଏକ ଆକାଶଗଙ୍ଗାର ସବୁ ତାରକାମଣ୍ଡଳରେ ଥିଵା ସମସ୍ତ ଗ୍ରହର ଭାଗ୍ୟ ଆମ ପୃଥିଵୀ ଭଳି ଆଦୌ ନୁହେଁ ତେଣୁ ଯଦି ଏକ ଆକାଶଗଙ୍ଗାରେ ଏଭଳି କୌଣସି ଗ୍ରହ galactic center କିମ୍ବା outer galactic fieldରେ ଥାଏ ସେଭଳି ଗ୍ରହରେ ପୃଥିଵୀ ଭଳି ଜୀଵଜଗତ ସୃଷ୍ଟି ହେଵା କଷ୍ଟସାଧ୍ୟ ହେଵାର ସମ୍ଭାଵନା ଅଧିକ । 

(ଖ)Firstborn hypothesis
ଏହି ପ୍ରକଳ୍ପନଟି ଖଗୋଳଭୌତିକିଵିଦ ଓ ବ୍ରହ୍ମାଣ୍ଡଵିଜ୍ଞାନୀ Avi Loeb ପ୍ରଥମେ ରଖିଥିଲେ । ତାଙ୍କ ଅନୁସାରେ ବ୍ରହ୍ମାଣ୍ଡ ଵର୍ତ୍ତମାନର ଏମିତି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଥିରେ ଜୀଵନ ସମ୍ଭଵ ହୋଇପାରିଵ ଏଵଂ ଏହି କାରଣରୁ ଆମ୍ଭେମାନେ ଉନ୍ନତ ପରଗ୍ରହୀ ସଭ୍ୟତା ଜୀଵନ ଚିହ୍ନଟ କରି ପାରି ନାହାନ୍ତି। ଅନ୍ୟ ଗ୍ରହରେ ମଧ୍ୟ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥାଇପାରେ କିନ୍ତୁ ସେମାନଙ୍କ ସ୍ଥିତି ଆମ ଭଳି ଵା ଆମଠାରୁ ପଛରେ ରହିଥାଇପାରେ । 

(ଗ)berserker hypothesis
ଏହି ପ୍ରକଳ୍ପନ ଅନୁଯାୟୀ ମନୁଷ୍ୟମାନେ ଆଜି ପର୍ଯ୍ୟନ୍ତ କୌଣସି ବୁଦ୍ଧିମାନ ପରଗ୍ରହୀ ଜୀଵନର ଅନୁସନ୍ଧାନ କରି ନପାରିଵାର କାରଣ ନିଜର ସ୍ଵତଃ ପ୍ରତିକୃତି ନିର୍ମାଣ କରିପାରୁଥିଵା ସ୍ଵଚାଳିତ Von Neumann probes ଦ୍ଵାରା ଶ୍ରେଣୀବଦ୍ଧ ଭାବରେ ଵିନାଶନ । ଏହି ପ୍ରକଳ୍ପନ ଦ୍ଵାରା ଅନୁମାନ କରାଯାଏ ଯେ ହୁଏତ କୌଣସି ଗ୍ରହରେ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥିଵ କିନ୍ତୁ ଏହି ସ୍ଵଚାଳିତ Von Neumann probes ଦ୍ଵାରା ସେଗୁଡ଼ିକୁ ଧ୍ଵଂସ କରି ଦିଆଯାଉଥିଵ । ଫଳତଃ ମାନଵମାନେ କେବେ ବି କୌଣସି ଗ୍ରହରେ ଆଜି ପର୍ଯ୍ୟନ୍ତ ଜୀଵନର ସନ୍ଧାନ ପାଇ ପାରି ନାହାନ୍ତି ।‌ 

(ଘ)Dark forest hypothesis
ଡାର୍କ ଫରେଷ୍ଟ ହାଇପୋଥେସିସ୍ ଅନୁସାରେ ଯେ ବ୍ରହ୍ମାଣ୍ଡରେ ଅନେକ ପରଗ୍ରହୀ ସଭ୍ୟତା ନିଶ୍ଚୟ ଵିଦ୍ୟମାନ ଅଛି, କିନ୍ତୁ ସେହି ସଭ୍ୟତା ଆମର ଉଭୟ ଶାନ୍ତିପୂର୍ଣ୍ଣ ଏଵଂ ଶତ୍ରୁ ମଧ୍ୟ ହୋଇଥାଇପାରନ୍ତି । ଅନ୍ୟ ଏକ ଅଜ୍ଞାତ ପରଗ୍ରହୀ ସଭ୍ୟତା ଦ୍ୱାରା ନଷ୍ଟ ହେଵାର ଭୟ ହେତୁ ଵା ଅନ୍ୟ ଗ୍ରହକୁ ଧ୍ଵଂସ କରିଵା ପୂର୍ଵରୁ ସେମାନଙ୍କୁ ନିଜର ଉପସ୍ଥିତି ଜଣାଇଵାକୁ ଚାହୁଁନଥିଵା ବୁଦ୍ଧିମାନ ପରଗ୍ରହୀ ସଭ୍ୟତାମାନେ ନିଜର ପରିଚୟ ଗୁପ୍ତ ରଖିଵାକୁ ଚେଷ୍ଟା କରନ୍ତି । ଏଭଳି କୌଣସି ବୁଦ୍ଧିମାନ ପରଗ୍ରହୀ ସଭ୍ୟତା ଥିଲେ ସେ ନିଜ ଉପସ୍ଥିତିର ସବୁ ପ୍ରମାଣ ନଷ୍ଟ କରି ଦେଵାକୁ ଚେଷ୍ଟା କରିଵ ଠିକ୍ ଯେମିତି “ଅନ୍ଧକାର ଜଙ୍ଗଲ” ରେ “ସଶସ୍ତ୍ର ଶିକାରୀମାନେ ଭୂତ ପରି ଶିକାରର ଅନୁସରଣ କରନ୍ତି” । 

(ଙ)Self distruction hypothesis
ଏହି ପ୍ରକଳ୍ପନ ଅନୁସାରେ ଜୈଵ ଵିଵିଧତାରେ ପରିପୂର୍ଣ୍ଣ କୌଣସି ଗ୍ରହରେ ଏକ କୋଷୀ ଜୀଵ ସୃଷ୍ଟି ହୁଅନ୍ତି ତାପରେ ବହୁକୋଷୀ ଜୀଵନ ହୋଇ ଶେଷରେ ମାନଵ ଭଳି ବୁଦ୍ଧିମାନ ଜୀଵନ ସୃଷ୍ଟି ଲଭନ୍ତି । କିନ୍ତୁ ଏହି ବୁଦ୍ଧିମାନ ସଭ୍ୟତାର ଜୀଵ ପରସ୍ପର ମଧ୍ୟରେ କଳି କନ୍ଦଳି କରି ନିଜ ସହିତ ନିଜ ଗ୍ରହର ଜୀଵଜଗତର ଧ୍ଵଂସ ସାଧନର କାରଣ ହୁଅନ୍ତି । ତେଣୁ ସମ୍ଭଵତଃ ଆମ ଆଖପାଖରେ ପୃଥିଵୀ ଭଳି କୌଣସି ଗ୍ରହ ଥାଇପାରେ ଵା ପୂର୍ଵେ ଥିଲା କିନ୍ତୁ ସେ ଗ୍ରହର ବୁଦ୍ଧିମାନ ଜୀଵମାନେ ନିଜେ ନିଜର ଧ୍ଵଂସ ସାଧନର କାରଣ ହୋଇଯାଇଛନ୍ତି ଫଳତଃ ଆମେ ଆମ ଆଖପାଖରେ ଏଭଳି କୌଣସି ପରଗ୍ରହୀ ସଭ୍ୟତା ଠାବ କରିପାରି ନାହାନ୍ତି । 

(ଚ)Zoo hypothesis ଓ laboratory hypothesis

ଏହି ଦୁଇଗୋଟି ପ୍ରକଳ୍ପନ ଅନୁସାରେ ହୁଏତ ବ୍ରହ୍ମାଣ୍ଡରେ ଆମଠାରୁ ଅଧିକ ଵିକଶିତ ବୁଦ୍ଧିମାନ ପରଗ୍ରହୀ ଜୀଵ ଥିବେ ଏଵଂ ସେମାନେ ପୃଥିଵୀର ମାନଵ ସଭ୍ୟତାକୁ ଦୂରରେ ରହି ନିରୀକ୍ଷଣ ଓ ପରୀକ୍ଷଣ ବି କରୁଥିବେ ଠିକ୍ ଚିଡ଼ିଆଖାନା ଓ ପ୍ରୟୋଗଶାଳାରେ ବନ୍ଦ ରହିଥିଵା ଜୀଵଙ୍କ ଭଳି ! 

(ଛ)planetarium hypothesis
୨୦୦୧ରେ Stephen Baxterଙ୍କ ଦ୍ଵାରା ପ୍ରସ୍ତାଵିତ ଏହି ପ୍ରକଳ୍ପନ ଅନୁସାରେ ଆମର ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ପର୍ଯ୍ୟବେକ୍ଷଣଗୁଡ଼ିକ ଏକ ଭ୍ରମକୁ ପ୍ରତିପାଦିତ କରେ, ଯାହା ଏକ type III Civilization ଦ୍ୱାରା ସୃଷ୍ଟି ହୋଇଅଛି । ଏହି ଅତି ଉନ୍ନତ ସଭ୍ୟତା ଏକ ଗ୍ୟାଲେକ୍ଟିକ୍ ସ୍କେଲରେ ପଦାର୍ଥ ଏଵଂ ଶକ୍ତିକୁ ନିୟନ୍ତ୍ରଣ କରିଵରେ ସକ୍ଷମ ହୋଇଥିବେ । ଫଳତଃ ଆମେ ଅତିରିକ୍ତ ଜୀଵନର ପ୍ରମାଣ ଦେଖିପାରୁନାହୁଁ କାରଣ ବ୍ରହ୍ମାଣ୍ଡ ଏପରି ଭାବରେ ଇଞ୍ଜିନିୟରିଂ ହୋଇଛି ଯେ ଆମକୁ ବ୍ରହ୍ମାଣ୍ଡରେ ଅନ୍ୟତ୍ର ଜୀଵନ ଥିଵାର ପ୍ରମାଣ ମିଳିପାରୁନାହିଁ । 

(ଜ)Aestivation hypothesis
୨୨ ଏପ୍ରିଲ ୨୦୧୭ରେ ତିନିଜଣ ଗଵେଷକ ଆଣ୍ଡର୍ସ୍ ସାଣ୍ଡବର୍ଗ୍,ଷ୍ଟ୍ରୁଆଟ୍ ଆର୍ମଷ୍ଟ୍ରଙ୍ଗ୍ ଓ ମିଲାନ୍ ଏମ୍ ସର୍କୋଵିକ୍‌ଙ୍କ ଦ୍ଵାରା Aestivation hypothesis ପ୍ରକାଶିତ ହୋଇଥିଲା । ଏହି ପ୍ରକଳ୍ପନ ଅନୁସାରେ ଯଦି ବ୍ରହ୍ମାଣ୍ଡରେ ମନୁଷ୍ୟମାନଙ୍କଠାରୁ ମଧ୍ୟ କୌଣସି ଉନ୍ନତ ପରଗ୍ରହୀ ସଭ୍ୟତା ଥାଏ ତେବେ ସେମାନେ ବ୍ରହ୍ମାଣ୍ଡ ଶକ୍ତିହୀନ ହେଵା ପୂର୍ଵରୁ ଶକ୍ତି ସଂରକ୍ଷଣ କରୁଥିବେ ଵା କରି ସାରିଥିବେ ଏଵଂ ଵର୍ତ୍ତମାନ ପ୍ରାୟତଃ ସୁପ୍ତାଵସ୍ଥାରେ ଥିବେ ସେଥିପାଇଁ ସେମାନଙ୍କୁ ଆମେ ଏଯାଏଁ ଠାବ କରି ପାରିନାହାନ୍ତି । 

(ଝ) Great filter hypothesis
ଏହି ପ୍ରକଳ୍ପନ ଅନୁସାରେ ହୁଏତ ଅନେକ ଗ୍ରହରେ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥିଲା ତେବେ ସେମାନେ ନିଜ ଗ୍ରହରେ ଉନ୍ନତିର ଚରମ ସୀମାରେ ପହଞ୍ଚିଲା ପରେ ଵିଭିନ୍ନ କାରଣରୁ ଵିନାଶୋନ୍ମୁଖ ହୋଇଯାଇଛନ୍ତି ଫଳତଃ ପୃଥିଵୀ ଭଳି ଵିକାଶଶୀଳ ସଭ୍ୟତାର ଜୀଵମାନେ ଏଭଳି କୌଣସି ଅତି ଵିକଶିତ ବୁଦ୍ଧିମାନ ପରଗ୍ରହୀ ସଭ୍ୟତାକୁ ଠାବ କରିପାରନ୍ତି ନାହିଁ । Great filter ଅନୁଯାୟୀ ସଭ୍ୟତା ଵିକାଶର ଗୋଟିଏ ନିର୍ଦ୍ଧାରିତ ସୀମା ରହିଛି ଏଵଂ ତତ୍ପରେ ଉକ୍ତ ସଭ୍ୟତା ଵିଭିନ୍ନ ଖଗୋଳୀୟ ଦୁର୍ଘଟଣା କିମ୍ବା ସ୍ଵତଃ ଵିନାଶ ଯୋଗୁଁ ଲୁପ୍ତ ହୋଇଯାଏ । 

(ଣ)Extraterrestrial UFO hypothesis
ଏହି ପ୍ରକଳ୍ପନ ଅନୁସାରେ ପୃଥିଵୀରେ ପୂର୍ଵରୁ ହିଁ ପରଗ୍ରହୀ ବୁଦ୍ଧିମାନ ସଭ୍ୟତା ରହିଛନ୍ତି କିନ୍ତୁ ଆମେ ସେମାନଙ୍କର ଉପସ୍ଥିତି ଵିଷୟରେ ଏଯାଵତ୍ ଜାଣିପାରିନାହୁଁ । 

ଏତଦଵ୍ୟତୀତ Fermi paradox ସମ୍ଭନ୍ଧୀୟ ଆହୁରି ଅନେକ ପ୍ରକଳ୍ପନ ମଧ୍ୟ ଅଛି ।‌ କେହି କେହି ଗଵେଷକ କୁହନ୍ତି ହୁଏତ ବ୍ରହ୍ମାଣ୍ଡରେ ଅନ୍ୟତ୍ର ମଧ୍ୟ ବୁଦ୍ଧିମାନ ଜୀଵ ଥିବେ କିନ୍ତୁ ହୁଏତ ସେମାନେ ଆମ ଭଳି ଵିକଶିତ ନହୋଇ ଭିନ୍ନ ଭାବରେ ଵିକଶିତ ହୋଇଥିବେ । ସେମାନଙ୍କର ଯୋଗାଯୋଗ ପଦ୍ଧତି ହୁଏତ ଆମଠାରୁ ଭିନ୍ନ ହୋଇଥିଵ । ହୁଏତ କେତେକ ଗ୍ରହରେ ପରଗ୍ରହୀମାନେ ଆମ ଭଳି ବୁଦ୍ଧିମାନ ହୋଇଥିଲେ ବି ଆମ୍ଭମାନଙ୍କ ପରି ଯାନ୍ତ୍ରିକ ଅଗ୍ରଗତି କରିନଥିବେ । ଏମନ୍ତ ମଧ୍ୟ ସମ୍ଭଵ ଯେ ବୁଦ୍ଧିମାନ ପରଗ୍ରହୀ ଜୀଵ ଅନ୍ୟ ଗ୍ରହରେ ମାଟି ତଳେ ଵା ଜଳ ମଧ୍ୟରେ ଵାସ କରୁଥିଵେ ଫଳତଃ ସେମାନେ ଅନ୍ତରୀକ୍ଷ ସମ୍ବନ୍ଧରେ ଵିଶେଷ ଅଧ୍ୟୟନ କରୁନଥିବେ । ଏ ବ୍ରହ୍ମାଣ୍ଡ ଅତି ଵିଶାଳ ହୁଏତ ଆମେ ସେଥିପାଇଁ ସେମାନଙ୍କ ସମ୍ବନ୍ଧରେ କୌଣସି ପ୍ରମାଣ ପାଇପାରୁ ନାହାନ୍ତି । ପୁଣି କେହି କେହି କୁହନ୍ତି ଆମ୍ଭେମାନେ ବହୁତ ଅଳ୍ପ ଦିନ ହେଲା ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କିନ୍ତୁ ବହୁତ ସମ୍ଭଵ ପରଗ୍ରହୀ ବୁଦ୍ଧିମାନ ଜୀଵଙ୍କ ଦ୍ଵାରା ପ୍ରାପ୍ତ ସନ୍ଦେଶ ଆମ୍ଭେମାନେ ଭଲ ଭାବରେ ଗ୍ରହଣ କରିପାରୁନାହାନ୍ତି। କେତେକଙ୍କ ଅନୁସାରେ ଗଵେଷକଙ୍କ ଦ୍ଵାରା ହୁଏତ ଏଭଳି କୌଣସି ସନ୍ଦେଶ ପ୍ରାପ୍ତ ବି ହୋଇଥିଵ କିନ୍ତୁ ଲୋକମାନେ ଭୟଭୀତ ହେଵା ଡରରେ ସରକାରମାନେ ତାହା ଲୁଚାଉଥିବେ । ପ୍ରୋକ୍ତ ସମସ୍ତ ପ୍ରକଳ୍ପନ ଓ ମତକୁ ଭିତ୍ତିକରି Paul,Et the extraterrestrial,Absolutely Anything,the day the earth stood still, independence day, attack the blook,the abyss, district 9,men in black, avatar,the war of the worlds, contact, Pacific rim,prey, cowboys and aliens,signs,the worlds end,bad taste,the thing,nope,the hitchhikers guide to the galaxy,super 8, oblivion, monsters vs aliens, escape from the planet Earth, planet 51,the invasion, Skyline,pixels,the tomorrow war,Extinction,home,Prometheus,Captive State,A Quiet Place,10 Cloverfield,Lane,Arrival,The 5th Wave,Dark Skies ,The Fourth Kind,The Mist,Stepsister from Planet Weird,The Iron Giant,My Favorite Martian,The Faculty, alien, aliens, predator,Mars Attacks ଓ Battle: Los Angeles ଭଳି ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି ‌। 

ମୋଟ ଉପରେ କହିଵାକୁ ଗଲେ Enrico Fermiଙ୍କର ପୂର୍ଵୋକ୍ତ ପ୍ରଶ୍ନ 
where is everybody?"ର ଅନେକ ସମ୍ଭାଵିତ ସମାଧାନ ଗଵେଷକମାନେ ଉପସ୍ଥାପନ କରିଥିଲେ ହେଁ ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିଵାକୁ ହେଲେ ମଣିଷକୁ ଏଭଳି ଉନ୍ନତ ମହାକାଶ ଯାନ ନିର୍ମାଣ କରିଵାକୁ ହେଵ ଯାହା କିଛି କ୍ଷଣ ,ମିନିଟ୍ ଵା ଘଣ୍ଟା ମଧ୍ୟରେ ଗୋଟିଏ ଆକାଶଗଙ୍ଗା ମଧ୍ୟରେ ଭ୍ରମଣ କରିପାରୁଥିଵ । ତାହେଲେ ଯାଇ ମନୁଷ୍ୟ ଜାତିର ଅନ୍ତରୀକ୍ଷରେ ଜୀଵନ ଅନୁସନ୍ଧାନ ସଂକ୍ରାନ୍ତୀୟ ଏହି ପ୍ରଶ୍ନର ଉପଯୁକ୍ତ ଉତ୍ତର ମିଳି ପାରିଵ ।

Tuesday, August 22, 2023

ଶୈଳୀ

ନଗରର ଏକ ଉପଵନ ପାଖରେ ଅନ୍ଧ ବୃଦ୍ଧ ଜଣେ ବସିଥିଲେ । ତାଙ୍କ ପାଖରେ ଥିଵା ଏକ କର୍ଗଦ ଫଳକରେ ଲେଖାଥିଲା

“ମୁଁ ଅନ୍ଧ, ମୋତେ ଦୟାକରି ସାହାଯ୍ୟ କରନ୍ତୁ ! ”

କିଏ କେତେ ଲୋକ ତାକୁ ଦେଖି ଯାଉଥିଲେ କିନ୍ତୁ କେହି ବି କିଛି ଅର୍ଥ ଦେଉନଥିଲେ । ତାପରେ ଜଣେ ଝିଅ ବୃଦ୍ଧ ନିକଟକୁ ଆସି ଫଳକରେ ଥିଵା ଲେଖାଟି ପଢ଼ିଲା । ଅନ୍ଧ ବୃଦ୍ଧଜଣକ ଝିଅର ଉପସ୍ଥିତି ଜାଣି ପାରିଲେ ଏଵଂ ତା ଜୋତାକୁ ଚାମୁଡ଼ିଵାକୁ ଲାଗିଲେ । ଏତିକିବେଳେ ଝିଅଟି ଫଳକର ଅନ୍ୟ ପାଖରେ କିଛି ଲେଖିଦେଇ ସେଠାରୁ ଚୁପ୍‌ଚାପ୍ ଚାଲିଗଲା । କେଇ ମିନିଟ ପରେ ଦେଖାଗଲା ଯିଏ ବି ସେପଟ ଦେଇ ଉପଵନକୁ ଯାଉଥିଲା କିମ୍ବା ଫେରୁଥିଲା ସେ ଲୋକ ବୃଦ୍ଧଙ୍କୁ କିଛି ନା କିଛି ଅର୍ଥ ଦେଉଥିଲା । ଏଥିରେ ବୃଦ୍ଧ ବହୁତ ଉଷତ ହେଲେ ‌ । ଘଣ୍ଟାଏ ପରେ ପୂର୍ଵେ ଫଳକରେ ଲେଖି ଦେଇଥିଵା ଝିଅଟି ଉପଵନରୁ ଫେରି ବୃଦ୍ଧଙ୍କ ପାଖରେ ଆସି ଛିଡ଼ା ହେଲା । ବୃଦ୍ଧ ସେ ଝିଅର ପାଦରେ ଥିଵା ଜୋତାକୁ ଚାମୁଡ଼ି ତାକୁ ଚିହ୍ନିପାରି ପଚାରିଲେ ”ମାଆ ତୁମେ ସେ ଫଳକରେ ଏମିତି କିସ ଲେଖି ଦେଇଥିଲ ଯେ ଏତେ ଲୋକ ଟଙ୍କା ଦେଉଛନ୍ତି ?”
ଝିଅଟି କହିଲା “ମଉସା ମୁଁ ବି ସମାନ କଥା ଲେଖିଥିଲି କିନ୍ତୁ ଟିକିଏ ଭିନ୍ନ ଶୈଳୀରେ...” 

“ବୁଢ଼ୀଟିଏ ହେଇ ଥାଆ ମାଆ...! ”
ବୃଦ୍ଧ ଜଣକ ଝିଅକୁ କଲ୍ୟାଣ କଲାରୁ 
ଝିଅଟି ଉପଵନରୁ ଆଣିଥିଵା ଏକ ଧଳା ଗୋଲାପ ବୃଦ୍ଧଙ୍କୁ ଦେଇ ଚାଲିଗଲା ...

ସେହି କର୍ଗଦ ଫଳକରେ ଲେଖାଥିଲା 
“ଏ ଵିଶ୍ଵ କେତେ ସୁନ୍ଦର କିନ୍ତୁ ମୋର ଦୁର୍ଭାଗ୍ୟ ମୁଁ ତାକୁ ଦେଖିପାରୁନାହିଁ ”

Monday, August 21, 2023

ମାଛ ଓ ବିଲେଇଙ୍କ କଥା

ବହୁତ ଵର୍ଷ ପୂର୍ଵେ ମାଛମାନେ ସ୍ଥଳଭାଗରେ ଵାସ କରୁଥିଲେ । ମାଛମାନେ ମଣିଷଙ୍କ ପରି ଦୁଇ ଗୋଡ଼ରେ ଚାଲୁଥିଲେ । ସେ ଯୁଗରେ ଗୋଟିଏ ମାଛର ଏକ ଚିତା ସହିତ ବନ୍ଧୁତା ହୋଇଯାଇଥିଲା । ସେମାନେ ପରସ୍ପର ସହିତ ଖେଳୁଥିଲେ ସାଥି ହୋଇ ବୁଲୁଥିଲେ । ଚିତାବାଘର ସ୍ତ୍ରୀ ଅତି ସୁନ୍ଦର , ମାଛ ତା ପ୍ରେମରେ ପଡି଼ଗଲା ।ଯେତେବେଳେ ବି ଚିତାବାଘଟା ଅନୁପସ୍ଥିତ ରହୁଥିଲା, ମାଛଟି ଚିତାବାଘର ସ୍ତ୍ରୀ ତୁଲେ ଯାଇ ମିଶୁଥିଲା । ଦିନେ ଗୋଟିଏ ବୁଢ଼ୀ ଚିତାବାଘୁଣୀ ଏ ରହସ୍ୟ ଜାଣିପାରି ଚିତାବାଘକୁ ଜଣାଇ ଦେଲା । ପ୍ରଥମେ ଚିତାବାଘ ଏହା ଜାଣି ଵିଶ୍ଵାସ କରିନଥିଲା ଯେ ତା ବନ୍ଧୁ ମାଛ ଏମିତି କରୁଥିଵ । କିନ୍ତୁ ଦିନେ ରାତିରେ ସେ ଅପ୍ରତ୍ୟାଶିତ ଭାବରେ ଫେରି ଆସି ମାଛ ଏଵଂ ତା ସ୍ତ୍ରୀକୁ ଏକାଠି ପାଇ ଅତ୍ୟନ୍ତ କ୍ରୋଧିତ ହୋଇଗଲା । ମାଛ ଓ ଚିତା ମଧ୍ୟରେ ଝଗଡ଼ା ହୋଇ ଏହାର ଵିଚାର ରାଜାଙ୍କ ପାଖରେ ପହଞ୍ଚିଲା । ସେତେବେଳେ ଜଣେ ସ୍ଵର୍ଗର ଦେଵତା ମର୍ତ୍ତ୍ୟର ଶାସକ ଥାଆନ୍ତି। ସେ ଉଭୟ ପକ୍ଷର ଯୁକ୍ତି ଶୁଣି, ପ୍ରମାଣ ଦେଖି ଆଦେଶ ଦେଲେ ଯେ ମାଛଟି ନିଜ ବନ୍ଧୁପତ୍ନୀଙ୍କ ସହିତ ଅଵୈଧ ସମ୍ପର୍କ ରଖିଛି ତେଣୁ ସେ ଦୋଷୀ ଏଵଂ ଏଥିପାଇଁ ଆଜିଠାରୁ ମାଛ ପାଣିରେ ଯାଇ ଵାସ କରିଵ ।‌ ଯଦି ମାଛ ରାଜ ଆଦେଶ ଅଵଜ୍ଞା କରି ଭୂମିରେ ପାଦ ଦିଏ ତେବେ ସେ ମରିଯିଵ। ରାଜ ଆଦେଶ ପାଇ ମାଛଟି ଦୁଃଖ ମନରେ ପାଣି ଭିତରେ ରହିଵାକୁ ଲାଗିଲା ,ଧିରେ ଧିରେ ତା ଗୋଡ଼ ଦୁଇଟି ଲାଗିଯାଇ ଲାଞ୍ଜରେ ରୂପାନ୍ତରିତ ହୋଇଗଲା । ଏପଟେ ଚିତାବାଘର ମାଛ ପ୍ରତି ରାଗ ଦିନୁଁ ଦିନ ବଢ଼ି ବଢ଼ି ଗଲା । ଚିତାକୁ ତା ସ୍ତ୍ରୀ ଭଲ ପାଉନଥିଲା କାରଣ ସେ ମାଛକୁ ଭୁଲିପାରିନଥିଲା । ତେବେ ଚିତାବାଘ ତା ଛୁଆଙ୍କୁ ତା ଵିଶ୍ଵାସଘାତକ ବନ୍ଧୁ ମାଛକୁ ମାରିଵାକୁ ପଠାଇଲା । ଚିତାବାଘର ଛୁଆମାନେ ମାଛକୁ ଦେଖିଲେ ମାରିଦେବେ ବୋଲି ପ୍ରତିଜ୍ଞା କରି ତାକୁ ଉଣ୍ଡିଵାକୁ ବାହାରିଗଲେ । କ୍ରମେ ସେମାନଙ୍କର ଛୁଆ ଓ ତାଙ୍କ ଛୁଆ ବି ହେଲେ ଏଵଂ ମାଛକୁ ଦେଖିଲେ ମାରି ଦେଵାର ପ୍ରତିଜ୍ଞାଟି ପୁରୁଷାନୁକ୍ରମେ ପରମ୍ପରାରେ ପରିଣତ ହେଲା । ଚିତାର ବଂଶୋଦ୍ଭଵମାନଙ୍କ ମଧ୍ୟରେ କେତେକ ଜଙ୍ଗଲରେ ରହିଗଲେ କିନ୍ତୁ ଆଉ କେତେକ ବଂଶଧର ପ୍ରାଚୀନ କାଳରୁ ଚଳି ଆସୁଥିଵା ପରମ୍ପରାକୁ କଡ଼ାକଡ଼ି ଭାବେ ପାଳନ କରି ଜଳ ଥିଵା ଅଞ୍ଚଳରେ ରହିଵାକୁ ଲାଗିଲେ । ଜଙ୍ଗଲରେ ଯୋଉମାନେ ରହିଗଲେ ସେମାନେ ବାଘ, ସିଂହ ଓ ପେଣ୍ଡ୍ରା ହୋଇଗଲେ ଏଵଂ ଜଳ ଥିଵା ସ୍ଥାନଗୁଡି଼କରେ ରହୁଥିଵା ବଂଶଧରମାନେ ବିଲେଇ ହୋଇଗଲେ । ସେଦିନରୁ ଆଜି ପର୍ଯ୍ୟନ୍ତ ବିଲେଇ ମାଛକୁ ଦେଖିଲେ ତାକୁ ଧରି ଖାଇଵାକୁ ଚେଷ୍ଟା କରନ୍ତି। 
•••••••••••••••••••••••••
ଵି:ଦ୍ର—
•ପ୍ରକୃତରେ ବିଲେଇମାନେ ମାଛମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି କାରଣ ସେମାନେ ଶିକାରୀ ଜୀଵ,ମାଛର ଗନ୍ଧ ସେମାନଙ୍କୁ ଆକର୍ଷିତ କରିଥାଏ,ମାଛର ସ୍ଵାଦ ସେମାନଙ୍କୁ ଭଲ ଲାଗେ,ମାଛ ସହିତ ଖେଳିଵାକୁ ବିଲେଇମାନେ ଭଲ ପାଆନ୍ତି,ମାଛମାନେ ପାଣିରେ ପହଁରିଵା ଦେଖି ବିଲେଇମାନେ ଆକର୍ଷିତ ହୁଅନ୍ତି,ମାଛର ଶବ୍ଦ ମଧ୍ୟ ବିଲେଇମାନଙ୍କୁ ଆକୃଷ୍ଟ କରିଥାଏ ।
•ବିଲେଇ,ବାଘ,ଚିତା,ସିଂହ ଆଦି Felidae ଜୀଵକୁଳରେ ଵର୍ଗୀକୃତ ଏଵଂ ସର୍ଵପ୍ରଥମ Felidae ଜାତୀୟ ଜୀଵ ଆଜକୁ ୨୫ ମିଲିୟନ ଵର୍ଷ ପୂର୍ଵେ Oligocene ସମୟକାଳରେ ସୃଷ୍ଟି ହୋଇଥିଲା 
•ମାଛମାନେ ସ୍ଥଳଭାଗରୁ ଜଳଭାଗକୁ ଆସିନାହାନ୍ତି ତେବେ ଡଲଫିନ୍ ଓ ତିମିଙ୍କ ପୂର୍ଵଜ Indocetusମାନେ ଆଜକୁ ପ୍ରାୟ ୪୫ ମିଲିୟନ ଵର୍ଷ ପୂର୍ଵେ ସ୍ଥଳଭାଗରୁ ଜଳଭାଗକୁ ଚାଲି ଯାଇ ଆଜି ମାଛ ଭଳି ଦେଖାଯାଉଛନ୍ତି ।
•ଚିତ୍ରରେ Felis ଵଂଶର ଜୀଵ । ୟୁରୋପ,ଆଫ୍ରିକା ଓ ଏସିଆର ଭୂଭାଗ Felis ଜାତୀୟ ଜୀଵଙ୍କର ସ୍ଥାନୀୟ ଭୂଭାଗ । ଏହି Felis ବଂଶଟି ୬ ରୁ ୭ ମିଲିୟନ ଵର୍ଷ ପୂର୍ଵେ ସୃଷ୍ଟି ହୋଇଥିଲା । ବିଲେଇମାନେ ପ୍ରାୟ ଦଶରୁ ସାତ ହଜାର ଵର୍ଷ ତଳେ ମାନଵମାନଙ୍କ ସହିତ ରହିଵାକୁ ଲାଗିଲେ । ଗୃହପାଳିତ ବିଲେଇଙ୍କର ଵୈଜ୍ଞାନିକ ନାମ Felis catus ଅଟେ । 
•ଏହା ନାଇଜେରିଆର ମାଛ ଓ ଚିତାବାଘକୁ ନେଇ ପ୍ରଚଳିତ ଏକ ଲୋକକଥା। 
••••••••••••••••••••••••

ମୋ ପିଲାବେଳର କଥା(ରମାଦେଵୀ)

ଆମେ ମୁଜାଫରପୁରରେ ଥାଉ । ରାତି ସାଢ଼େ ଆଠଟାରୁ ନଅଟା ଆମର ଖାଇଵା ବେଳ । ବାପା ଓ ଆମେ ଦୁଇ ଭଉଣୀ ଖାଉଥାଉ । ମା’ ପାଖରେ ବସିଥାଏ । ଗୋଟିଏ ଭାରି ବଡ଼ ଶବ୍ଦ ଶୁଭିଲା । ଦୁଇ ଭଉଣୀ ଚମକି ପଡ଼ିଲୁ କିଛି ଜାଣି ପାରିଲୁ ନାହିଁ । ବାପା କହିଲେ, ‘ଏ ତ ବୋମା ଫୁଟିଵାର ଶବ୍ଦ ।’’ ଏତିକି କହି ସେ ଏପରି ଗମ୍ଭୀର ହୋଇଗଲେ ଯେ ସେ ଦୃଶ୍ୟ ଏବେ ବି ମନେ ପଡ଼ୁଛି । କିଛି ସମୟ ପରେ ଜଣେ ଚପରାସୀ ଆସି ଖଣ୍ଡିଏ ଚିଠି ଦେଲେ । ବାପା ସେ ଚିଠିକୁ ମନେ ମନେ ପଢ଼ି କହିଲେ, ‘‘କିସ୍ ଫୋର୍ଡ ସାହେବ ଚିଠି ଦେଇଛନ୍ତି ।’’ କିଂସ୍ ଫୋର୍ଡ ସାହେବ ବାପାଙ୍କର ଘନିଷ୍ଠ ବନ୍ଧୁ । ଆମେ ବାପାଙ୍କ ସାଙ୍ଗରେ ବରାବର ତାଙ୍କ ଘରକୁ ଯାଉ । ତା’ପରେ ବାପା ମା’ଙ୍କ ସାଙ୍ଗରେ ବୋମା ଫୁଟିଵା ସମ୍ବନ୍ଧରେ କଥାଵାର୍ତ୍ତା ହେଲେ। ଆମ ଘର ପାଖରେ କେତେଘର ବଙ୍ଗାଳୀ ଥାଆନ୍ତି । ସେମାନେ ସରକାରୀ ଚାକିରିଆ ନୁହନ୍ତି । ସେମାନଙ୍କ ଭିତରେ ଯୋଗେଶ ବାବୁ ବୋଲି ଜଣେ ବଡ଼ ଓକିଲ ଥିଲେ । ସେ ବଙ୍ଗାଳୀ କେତେ ଘର ସାଙ୍ଗରେ ଆମର ଭାରି ଭାବ । ସେମାନେ ଆସି ବାପାଙ୍କ ସହିତ କଥାଵାର୍ତ୍ତା କରନ୍ତି । ସେମାନଙ୍କ ଘରର ପିଲାମାନେ ଦେଶବନ୍ଦନା ବୋଲନ୍ତି । ଆମେ ସେମାନଙ୍କଠାରୁ ସେ ଗୀତଗୁଡ଼ିକ ଶିଖିଲୁ । ଆମ ଘରେ ବଙ୍ଗଲକ୍ଷ୍ମୀ ମିଲ୍‌ର ମୋଟା ଲୁଗା ପିନ୍ଧିଵା ଓ ସ୍ଵଦେଶୀ ଦ୍ରଵ୍ୟ ଵ୍ୟଵହାର ପୂରା ଦମ୍‌ରେ ଚାଲିଲା। ଦେଶର ବହୁ ଗୁରୁତ୍ଵପୂର୍ଣ୍ଣ ଖବର ଆମ ଘରେ ଆଲୋଚିତ ହୁଏ । ଆମେ ଶୁଣୁ । ସେତିକିବେଳେ ଅରଵିନ୍ଦଙ୍କ କଥା ମୁଁ ଶୁଣିଥିଲି । ବାପା ତାଙ୍କ ବନ୍ଧୁମାନଙ୍କ ସଙ୍ଗେ ଆଲୋଚନା କରନ୍ତି । କଥାଵାର୍ତ୍ତାରେ ଇଂରାଜୀ ଭାଷାର ଅଧିକ୍ୟ ଥିଲେ ମଧ୍ୟ ଯେତିକି ତା’ ଭିତରେ ହିନ୍ଦୀ ଵା ବଙ୍ଗଳାରେ ଥାଏ, ତାକୁ ଆମେ ମନଦେଇ ଶୁଣୁ । ଉତ୍ତେଜନାର ଵାତାଵରଣ ଭିତରେ ଆମେ ଥାଉ । ଦେଶ ପାଇଁ କାମ କରିଵାକୁ ହେଲେ ଜେଲ୍ ଯିଵାକୁ ହୁଏ, ଫାଶୀ ପାଇଵାକୁ ହୁଏ, ସ୍ଵଦେଶୀ ଜିନିଷ ଵ୍ୟଵହାର କରିଵାକୁ ହୁଏ- ଏ ଧାରଣା ମନରେ ବଦ୍ଧମୂଳ ହେଲା । ଦେଶପ୍ରେମୀମାନଙ୍କ କଥା ଆଲୋଚନା ହେଉଥାଏ । କେତେ ପ୍ରଶଂସା କରାଯାଉଥାଏ । ଧନ୍ୟଧନ୍ୟ କୁହାଯାଉଥାଏ । ତା’ର ପ୍ରଭାଵ ମନ ଉପରେ ପଡ଼ିଲା । ଦେଶ କାମ କଲେ ଏ ସବୁ ମିଳେ । ଅରଵିନ୍ଦଙ୍କ କଥା ମଧ୍ୟ ବହୁତ ଶୁଣିଵାକୁ ମିଳିଲା । ସେତିକିବେଳୁ ଅରଵିନ୍ଦଙ୍କ ପ୍ରଭାବ ମନରେ ଦେଶ କାମ କରିଵାର ଛାପ ପକାଇଲା । ମନେମନେ ତାଙ୍କ ପ୍ରତି ଭକ୍ତି ଆସିଲା । ତାଙ୍କ ଵିଷୟରେ ଅଧ‌ିକ ଜାଣିଵାକୁ ଚେଷ୍ଟା କଲି ।

ଜେଲ ଵିଷୟରେ ଆମର ଧାରଣା ଥାଏ – କାରଣ ବାପା ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯା’ନ୍ତି । ଆମ ଦି’ ଭଉଣୀଙ୍କୁ ସାଙ୍ଗରେ ନିଅନ୍ତି । ବାପା ଅଫିସରେ ରହନ୍ତି । ଅଫିସର ଲୋକ ଆମକୁ ନେଇ ଜେଲ୍ ଭିତର ଦେଖାନ୍ତି । ସେତିକିବେଳେ ଖୁଦିରାମ ଜେଲ୍‌ରେ ଥାଆନ୍ତି । ତାଙ୍କୁ ଫାଶୀ ହୁକୁମ ହେଲା । ଖୁଦିରାମଙ୍କୁ ମୁଁ ଜେଲ୍‌ରେ ଦେଖି ନାହିଁ । ଖୁଦିରାମଙ୍କ ମା’ ଆସିଲେ ପୁଅକୁ ଦେଖିଵା ପାଇଁ । ସମସ୍ତଙ୍କ ମୁହଁରେ ସେହି କଥା । ଖୁଦିରାମଙ୍କ ପ୍ରତି କିମିତି ଗୋଟିଏ ମାୟା ଜମି ଯାଇଥାଏ । ସେ ଫାଶୀ ପାଇବେ ଶୁଣି ମନେମନେ ଭାରି ଦୁଃଖୀ ହେଲି । ବାପାଙ୍କୁ ଅତି ଡରିଡରି କହିଲି, ଆମେ ଖୁଦିରାମଙ୍କୁ ଦେଖନ୍ତେ ।’’ ବାପା ବାରଣ କରି କହିଲେ, ‘ନା...ନା, ତୁମକୁ ଦେଖିଵା ପାଇଁ ଛାଡ଼ିବେ ନାହିଁ ।’’ କେହି ଲୋକ ଫାଶୀ ପାଇଲେ ବାପା ଫାଶୀ ସ୍ଥାନରେ ଉପସ୍ଥିତ ରହିଵା ପାଇଁ ଯାଆନ୍ତି । ତାଙ୍କ ଉପରେ ସେ ଦାୟିତ୍ୱ ଥାଏ। ଭୋର ତିନିଟାରୁ ପୋଷାକ ପିନ୍ଧି ଜେଲଖାନାକୁ ବାହାରନ୍ତି। ଖୁଦିରାମ ଫାଶୀଦିନ ନିକଟ ହେଲା । ଆମେ ତାଙ୍କରି କଥାରୁ ଜାଣିଲୁ ଫାଶୀ ପୂର୍ଵଦିନ ଲୋକକୁ ତା’ ଇଚ୍ଛା କ’ଣ ପଚରାଯାଏ ଓ ସେ ଯାହା କହେ ତାହା ଆଇନସଙ୍ଗତ ହୋଇଥିଲେ ପୂରଣ କରାଯାଏ । ଆଜି ରାତି ପାହାନ୍ତାରେ ଖୁଦିରାମଙ୍କ ଫାଶୀ ହେଵ, ଏ କଥା ମୁହୂର୍ତ୍ତକ ପାଇଁ ମନରୁ ଯାଇ ନଥାଏ । ମନ କ’ଣ ହୋଇଯାଉଥାଏ କାନ୍ଦ ମାଡୁଥାଏ । ମା’କୁ ଯାଇ କହିଲୁ–ସେ ବାପାଙ୍କୁ ମନା କରୁ । ବାପା ଫାଶୀବେଳେ ହାଜର ରହିବାକୁ ନ ଯାଆନ୍ତୁ । ମା’ କହିଲା, ‘ତମେ କୁହ ।’’ ଅତି ଡରି ଡରି ବାପାଙ୍କ ଟେବୁଲ୍ ପାଖରେ ଠିଆହେଲୁ । ଅପା ମତେ ଠାରୁଥାଏ କଥାଟା ମୁଁ କହେ । କେତେ ସମୟ ଠିଆ ହୋଇ ରହିଲାରୁ ବାପା କହିଲେ, ‘କଅଣ କହିଵାକୁ ଆସିଛ କହୁନା ।’’ ସାହସ କରି ମୁଁ ହଠାତ୍ କହିଲି, ‘ଖୁଦିରାମ ଫାଶୀ ବେଳକୁ ତମେ ଯାଅନା ।’’ ବାପା କହିଲେ, ‘ଆଉ କିଏ ଯିଵ ?’’ ତା’ର ଜବାବ ଆମ ପାଖରେ ନଥିଲା। ବାପା ଆମ ମୁଣ୍ଡରେ ହାତ ବୁଲେଇଦେଇ କହିଲେ, ‘‘ମୁଁ ଯିବିନାହିଁ ।’’ ବାପା ଭାରି ଗମ୍ଭୀର ଦେଖାଯାଉଥା’ନ୍ତି । ସେ ଅଧିକାଂଶ ଦିନ ରାତିରେ ମୋକଦ୍ଦମା ରାୟ ଲେଖନ୍ତି । ସେଦିନ ବି ଲେଖୁଥିଲେ । ଯଥା ସମୟରେ ଖୁଦିରାମଙ୍କର ଫାଶୀ ହେଲା । ସକାଳ ହେଵାବେଳକୁ ଖବର ଚାରିଆଡ଼େ ଵ୍ୟାପି ଯାଇଥିଲା । ଆମ ସାହିରେ ଯେପରି ହାଉଆ ହୋଇଥାଏ, ତାହା ମୋର ଵର୍ତ୍ତମାନ ବି ମନେ ପଡୁଛି । ମାତ୍ର ତାହା ଵର୍ଣ୍ଣନା କରିଵାର ଶକ୍ତି ମୋର ନାହିଁ । ସମସ୍ତେ ମନର ଉତ୍ତେଜନା ଲୁଚେଇ ଲୁଚେଇ ପ୍ରକାଶ କରୁଥା’ନ୍ତି। ଧୀରେଧୀରେ ସେ ହାଉଆ ଚାଲିଗଲା । ଅରଵିନ୍ଦଙ୍କ ଉପରେ ସବୁରି ଦୃଷ୍ଟି ରହିଲା । ମୋ’ ମନରୁ ଯେମିତି ଅରଵିନ୍ଦଙ୍କ ଛାପ ଲିଭି ନାହିଁ, ସେମିତି ଆଉ କେତେ ଲୋକଙ୍କ ମନରେ ହୁଏତ ଥ‌ିଵ । ଦେଶ ପାଇଁ ସର୍ଵସ୍ଵ ଦେଵାକୁ ହେଵ– ଏ ଭାଵନା ଆମ ମନରେ ଵିପ୍ଳଵୀ ଅରଵିନ୍ଦ ସୃଷ୍ଟି କରିଥିଲେ । ତାଙ୍କୁ ଦେଖିଵାର ସୌଭାଗ୍ୟ ମୋର ଘଟି ନଥିଲା । ମୁଁ ଗପ ଶୁଣିଵାକୁ ଭାରି ଭଲପାଏ । ମା’ ସନ୍ଧ୍ୟାବେଳେ ପୂଜା ସାରି ଆମକୁ ଗପ କହେ । ରାମାୟଣ, ମହାଭାରତର ଯେତେ ଚରିତ୍ର ପିଲାଙ୍କ ଆଗରେ ଵର୍ଣ୍ଣନା କରାଯାଇପାରେ ସେସବୁ ସେ କହେ । ତା’ଛଡ଼ା ଭାରତର ଐତିହାସିକ ଘଟଣା, ଆନନ୍ଦ ମଠ, ଦେଵୀ ଚୌଧୁରାଣୀ, ରାଣା ପ୍ରତାପ, ରବୀନ୍ଦ୍ରନାଥଙ୍କ ଗପ ମା’ ଆମକୁ ସଞ୍ଜବେଳେ ଘଣ୍ଟାଏ ଶୁଣାଏ । ଖୁଦିରାମଙ୍କ କଥା ଯେମିତି ପଡ଼ିଲା, ସେ ସରଳଭାଵରେ ସେକଥାକୁ, ଵିଶେଷ କରି ଅରଵିନ୍ଦଙ୍କ ଚରିତ୍ର ଏପରି ଵର୍ଣ୍ଣନା କଲା ଯେ, ଆମର ତାଙ୍କପ୍ରତି ଭକ୍ତି ଜାତ ହେଲା । ଆମ ଘରେ ଗୋଟିଏ ଛବିବହି ଥାଏ । ସେ ବହିରେ ପିଲାଙ୍କ ପାଇଁ, ସ୍ତ୍ରୀଲୋକ ତଥା ଗୃହିଣୀଙ୍କ ପାଇଁ ବହୁ ଶିକ୍ଷାପ୍ରଦ କଥା ଛବି ସାଙ୍ଗରେ ଥିଲା । ମା’ ସେ ଛବିଗୁଡ଼ିକ ଦେଖାଏ ଓ ଵିଷୟ ନାଁ କହେ । ରାତିରେ ଯାହା ଶୁଣିଥାଉ ତାହା ପରଦିନ ଲେଖିକରି ମା’କୁ ଦେଖାଉ । ଭୁଲ୍ କଲେ ଵା ଦୋଷ କଲେ ମାଡ଼ ତ ଦୂର କଥା, ମା’ କେବେ ଗାଳି ବି ଦିଏ ନାହିଁ ।


Friday, August 18, 2023

ସ୍ମୃତି ଓ ବିସ୍ମୃତିର ସାରନାଥ


ବାରାଣସୀ ନଗରୀର ଅଦୂରରେ ବୌଦ୍ଧତୀର୍ଥ ଭାଵରେ ଯେଉଁ ସାରନାଥ ଵିଶ୍ବ ଵିଖ୍ୟାତ, ଏକଦା ତାହା ଥିଲା ଏକ ସୁଗମ ଅରଣ୍ୟ । ସୁଗମ କାରଣ ମାରାତ୍ମକ ପ୍ରାଣୀମାନଙ୍କର ନିଵାସ ନ ହୋଇ ସେ ଅରଣ୍ୟ ଥିଲା ହରିଣମାନଙ୍କର ଆଶ୍ରୟ । ଅରଣ୍ୟର ଅଦୂରରେ ଜଣେ ରାଜାଙ୍କର ପ୍ରାସାଦ। ରାଜାଙ୍କର ବୋଧହୁଏ
ଵିଶେଷ କାମଦାମ ନ ଥିଲା, ଅତଏଵ ଦୈନିକ ପୂର୍ଵାହ୍ନରେ ସେ ମୃଗୟା କରିଵାକୁ
ଅରଣ୍ୟକୁ ଆସୁଥିଲେ । ସାଥିରେ ସୈନ୍ୟସାମନ୍ତ ସମେତ ଆସୁଥିଲେ ଶହ ଶହ ପ୍ରଜା । ପ୍ରଜାମାନେ ଅରଣ୍ୟର ଏକ ଵ୍ୟାପକ ଅଂଶ ଘେରାଉ କରି ରାଜା ଓ ତାଙ୍କ ସୈନ୍ୟସାମନ୍ତ ଛକି ରହିଥିଵା ଅଞ୍ଚଳ ଆଡ଼କୁ ମୃଗମାନଙ୍କୁ ତଡ଼ିନେଇଯିବେ । ରାଜା ସ୍ଵୟଂ ଗୋଟାଏ ଯୋଡ଼ାଏ ମୃଗ ଵଧ କରିବେ । ମୃଗମାଂସ ସକାଶେ ତାଙ୍କର ଲୋଭ ଅଦମ୍ୟ । ଅରଣ୍ୟର ଦ୍ବାର ଦେଶରେ ପଡ଼ିଥିଵା ଖଣ୍ଡିଏ ମସୃଣ ଶିଳା ଉପରେ ମୃତ ମୃଗଟି କଟାହେଵା ମଧ୍ୟ ରାଜା ଦେଖିଵେ । ଦିନେ ପ୍ରଜାଵର୍ଗ-ରଚିତ-ବଳୟ ଭିତରେ ବନ୍ଦୀ ମୃଗମାନଙ୍କ ଆଡ଼େ ଅନାଇ କାହା ଉପରକୁ ତୀର ପ୍ରୟୋଗ କରିଵେ, ରାଜା ସେ କଥା ଭାବୁଛନ୍ତି, ତାଙ୍କର ଦୃଷ୍ଟି ଗୋଟିଏ ମୃଗ ଉପରେ ଯାଇ ଅଟକିଗଲା । ତାହା ମୃଗଟିଏ ନା କୌଣସି ଅସାଧାରଣ
ପ୍ରତିଭାସମ୍ପନ୍ନ ଶିଳ୍ପୀ ନିର୍ମିତ ଏକ ହିରଣ୍ମୟ ମୂର୍ତ୍ତି ? ଏଡ଼େ ଉଜ୍ଜ୍ବଳ, ଏଡ଼େ ସୁଦର୍ଶନ,
ଏଡ଼େ ପ୍ରଶାନ୍ତ କୌଣସି ଵଣ୍ୟପ୍ରାଣୀ ହେଵା ସମ୍ଭଵ ? ରାଜା ଧୀରେ ଧୀରେ ସେ ମୃଗଆଡ଼େ ଅଗ୍ରସର ହେଲେ । ମୃଗ ରହିଲା ଅଵିଚଳିତ । ଵିସ୍ମିତ ରାଜା ତାକୁ ପ୍ରଶ୍ନ କଲେ, ‘‘ତୁମେ କିଏ ??’ କହିବା ଵାହୁଲ୍ୟ, ତାକୁ ମୃଗ ବୋଲି ଜାଣୁଥିଵା ସତ୍ତ୍ଵେ ପ୍ରଶ୍ନଟି ସ୍ଵତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହେଲା ।

-‘‘ ମହାରାଜ ! ମୁଁ ଏ ମୃଗଦଳର ହତଭାଗ୍ୟ ଦଳପତି ।’’

- ‘‘ ତମେ ହତଭାଗ୍ୟ କାହିଁକି ହେଵ ? ଆଜିଠାରୁ ତୁମେ ମୋର ମିତ୍ର !’’

ପାତ୍ରମିତ୍ରଙ୍କ ଆଡ଼େ ଦୃଷ୍ଟିପାତ କରି ରାଜା ଅତଃପର କହିଲେ, ‘‘ଏ ଦଳପତିଙ୍କ
ଦେହରେ ଯେପରି କସ୍ମିନ୍‌କାଳେ ଆଞ୍ଚ ନ ଆସେ !”

-‘‘ମହାରାଜ !’’ ମୃଗ ଦଳପତି କହିଲା, ‘‘ ଆପଣଙ୍କର ଦୈନିକ ଲୋଡ଼ା
ମାତ୍ର ଗୋଟିଏ ମୃଗ । ଆପଣ ଯେତେବେଳେ ତୀର ଉଦ୍ୟତ କରନ୍ତି, ସେତେବେଳେ ଭୀତ ମୃଗମାନେ ପ୍ରାଣ ଵିକଳରେ ଏଣେତେଣେ ଦୌଡ଼ାଦୌଡ଼ି କରି କ୍ଷତବିକ୍ଷତ ହୁଅନ୍ତି । ଜଣେ ଆଉ ଜଣକ ପଛରେ ଆତ୍ମଗୋପନ କରିଵାକୁ ଉଦ୍ୟମ କରିଵା ଫଳରେ ଶୃଙ୍ଗାଘାତରେ ପ୍ରତ୍ୟହ ଏକାଧିକ ମୃଗ ଆହତ ହୁଅନ୍ତି। ମୋର ପ୍ରସ୍ତାଵ, ପ୍ରତିଦିନ ଗୋଟିଏ ଗୋଟିଏ ମୃଗ ଯାଇ ସେ ଶିଳା ଉପରେ ମୁଣ୍ଡ ରଖିଵେ । ଆପଣ ଵା ଆପଣଙ୍କ କର୍ମଚାରୀ ସିଧାସଳଖ ତାକୁ ହାଣିପକାଇଵେ । ଶିକାରଜନିତ କ୍ଳେଶରୁ ବି ଆପଣଙ୍କୁ ଛୁଟି ମିଳିଯିଵ !’’
ଶିକାର ରାଜାଙ୍କ ପାଇଁ କ୍ଳେଶ ପରିବର୍ତ୍ତେ ଆମୋଦର ହେତୁ ଥିଲା, ମଣିଷ
ମନର ଏ ଵିଚିତ୍ର ତଥ୍ୟ ଵା ନିରୀହ ମୃଗକୁ କାହିଁକି ଜ୍ଞାତ ଥିବ ! ରାଜା ହୁଏତ ଟିକିଏ
ଦ୍ଵିଧାକଲେ; କିନ୍ତୁ ସେ ମହାମତି ମୃଗ ଆଖିରେ ନିଜ ଆଖି ପଡ଼ନ୍ତେ ତାଙ୍କ ପାଟିରୁ
ବାହାରିଗଲା, ‘‘ବେଶ୍ ! ତାହାହିଁ ହେଵ ।”
ଅରଣ୍ୟର ସେ ମୁଲକରେ ରାଜକୀୟ ଶିକାର ବନ୍ଦହେଲା । ବଦଳରେ ଘଟିଲା
ପ୍ରତ୍ୟହ ଏକ ଅଭାଵନୀୟ; କିନ୍ତୁ ଅଣନାଟକୀୟ ମୃଗଵଧ । ରାଜାଙ୍କ ମଣୋହି-ସମ୍ପୃକ୍ତ ଜଣେ ଦୁଇଜଣ କର୍ମଚାରୀ ଖଡ୍ଗହସ୍ତେ ପାଷାଣ ଖଣ୍ଡିକ ପାଖରେ ଆସି ଅପେକ୍ଷା କରିଵେ । ଅଦୂରରେ ସମଵେତ ମୃଗୟୂଥଠୁଁ ଵିଦାୟ ନେଇ ଗୋଟିଏ ମୃଗ ଧୀରେ ଧୀରେ ଆସି ସଜଳ ନୟନରେ ଥରେ ଅପେକ୍ଷମାଣ ଖଡ୍‌ଧାରୀଙ୍କୁ ଅନାଇ ଶିର ଅଵନତ କରିଵ ଏଵଂ ପର ମୁହୂର୍ତ୍ତରେ ପ୍ରାଣ ଦେଵ । କେଉଁ ରୀତିରେ ମୃଗମାନେ ପ୍ରତିଦିନର ଵଳି ମନୋନୟନ କରୁଥିଲେ ଜଣାନାହିଁ । ଦିନେ ଗୋଟିଏ ମୃଗୁଣୀର ପାଳି ପଡ଼ିଲା । ସେ ଗୋଟିଏ ପରେ ଗୋଟିଏ ମୃଗକୁ ଵିନୟଭରେ କହିଲା, ‘‘ମୁଁ ଅନ୍ତଃସଜ୍ଜା । ଆଜି ମୋ ବଦଳରେ ଆଉ କେହି ପ୍ରାଣ ଦେଉ । ମୋ ଶାଵକ ଜନ୍ମ ହେଵାର ଦୁଇ ମାସ ପରେ ମୁଁ ଯାଇ ଵଳିପଡ଼ିବି ।’’ ମୃଗୁଣୀ ଯେଉଁମାନଙ୍କ ଆଗରେ ଏ ଆଵେଦନ କରୁଥିଲା, ସେ ସମସ୍ତଙ୍କର ଵଳି ତାରିଖ ସ୍ଥିରୀକୃତ ହୋଇସାରିଥାଏ। ତଥାପି ଦିନକ ଆଗରୁ ମଧ୍ୟ କେହି ପ୍ରାଣତ୍ୟାଗ କରିଵାକୁ ପ୍ରସ୍ତୁତ ନଥିଲେ। ଯୁଥପତି ହିରଣ୍ମୟ ହରିଣଙ୍କ କାନରେ ହଠାତ୍ ମୃଗୁଣୀର ଏ ଆକୁଳ ନିଵେଦନ ପଡ଼ିଲା । ସେ ବାହାରିଆସି କହିଲେ, ‘‘କନ୍ୟା ! ଚିନ୍ତା ନାହିଁ । ତୋ ସ୍ଥାନ ଆଜି ମୁଁ ନେଵାକୁ ପ୍ରସ୍ତୁତ ।’’ ଅଵିଳମ୍ବେ ସେ ଯାଇ ଶିଳା ପାଖରେ ପହଞ୍ଚିଲେ ।ରାଜକର୍ମଚାରୀମାନେ କିନ୍ତୁ ତାଙ୍କୁ ଵଧ କରିଵାକୁ ସାହସ କଲେ ନାହିଁ । କଟୁଆଳଠୁଁ ମନ୍ତ୍ରୀ, ମନ୍ତ୍ରୀଙ୍କଠୁଁ ଯାଇ ଖବର ପହଞ୍ଚିଲା ରାଜାଙ୍କ ପାଖରେ । ରାଜା ଆସି ପହଞ୍ଚିଲେ ଘଟଣାସ୍ଥଳରେ । ହିରଣ୍ମୟ ମୃଗକୁ ଆଉଁସି ସେ ପ୍ରଶ୍ନ କଲେ, ‘‘ମିତ୍ର ! ତୁମର ଜୀଵନ ନେବି, ମୁଁ କ’ଣ ଏଡ଼ିକି ଅଧମ ???
-‘‘ମହାରାଜ ! ମୁଁ କିନ୍ତୁ ନିଜକୁ ବଡ଼ ଅଧମ ମଣିବି, ଯଦି ଅନ୍ତଃସତ୍ତ୍ଵା
ମୃଗୁଣୀଟିକୁ ରକ୍ଷାକରି ନ ପାରିବି ।’’ କହିଲା ଯୁଥପତି ।
- ‘ଆଜି ମୋର ମୃଗମାଂସ ଲୋଡ଼ା ନାହିଁ। ମୃଗଣୀକୁ କେବେ ମଧ୍ୟ ଜୀଵନ
ଦେଵାକୁ ପଡ଼ିଵ ନାହିଁ ।’’ ରାଜା କହିଲେ ।
-‘‘ମହାରାଜ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ । କିନ୍ତୁ ତଥାପି ଅନୁରୋଧ କରୁଛି,
ମୋର ପ୍ରାଣ ନିଅନ୍ତୁ।’’ 
ଯୁଥପତି ଆଵେଦନ କଲେ ।

-‘‘କାହିଁକି ?”’ ପ୍ରଶ୍ନ କଲେ ଵିସ୍ମିତ ରାଜା।
-‘‘ମହାରାଜ ! ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ଯେଉଁ ସମ୍ମାନ
ଦେଇଛନ୍ତି, ସେ ସମ୍ମାନଜନକ ଆସନରେ ଥାଇ ମଧ୍ୟ ମୁଁ ମୋର ଅନୁଗତ ମୃଗମାନଙ୍କୁ
ରକ୍ଷାକରି ପାରିବି ନାହିଁ । ପ୍ରତିଦିନ ଜଣ ଜଣ କରି ବଳିପଡ଼ୁଥିଵାର ଦେଖୁଥିବି, ଏହାଠାରୁ ବଳି ଅଭିଶାପ କ’ଣ ହୋଇପାରେ ? ଏଭଳି ଅଭିଶପ୍ତ ଜୀଵନର ଅଵସାନ ଘଟାଇଲେ ହିଁ ଆପଣ ମୋର ପ୍ରକୃତ ମିତ୍ର ବୋଲି ଜାଣିବି ।”’
ହିରଣ୍ମୟ ମୃଗଙ୍କର ଏ ନିଷ୍କପଟ ଵିଵୃତିରେ ରାଜା କେତେକ ମୁହୂର୍ତ୍ତ ହତବାକ୍
ରହିଲେ। ତା’ପରେ ସେ କହିଲେ, ‘‘ମିତ୍ର ମୃଗରାଜ ! ତୁମର ପ୍ରାଣ ନେଇ ତୁମର
ଯଥାର୍ଥ ମିତ୍ର ହେଵା ଅପେକ୍ଷା ମହତ୍ତର
 ଅନ୍ୟ କୌଣସି ମାର୍ଗରେ କ’ଣ ମୁଁ ତାହା
ହୋଇପାରିବି ନାହିଁ ? ଆଜିଠାରୁ ମୃଗଵଧ ବନ୍ଦ ହେଲା । ଵସ୍ତୁତଃ ମୃଗମାଂସ ପାଇଁ ମୋର ଆଉ ରୁଚି ନାହିଁ ।’?
- ‘‘ଧନ୍ୟଵାଦ ମହାରାଜ ! ତଥାପି ମୋର ହୃଦୟର ଉଦ୍‌ଵେଳନ କମୁନାହିଁ ।
କାରଣ ଆପଣଙ୍କ ପାତ୍ରମିତ୍ର ଏ ଅରଣ୍ୟରେ ଅନ୍ୟାନ୍ୟ ପଶୁପକ୍ଷୀ ଶିକାର କରୁଥିଵେ ଏଵଂ ସେ ଵିକଳ ଦୃଶ୍ୟ ମୋତେ ଦେଖିଵାକୁ ପଡୁଥିଵ ।’’

- ‘‘ହେ ମହାନ୍ ମିତ୍ର ! ଆଜିଠାରୁ ଶିକାର ନିଷିଦ୍ଧ ।’’

ଭାରତର ଅନନ୍ୟ କିମ୍ବଦନ୍ତୀ-ପରମ୍ପରାର ଏହି ଅଜ୍ଞାତ ରାଜପୁରୁଷଙ୍କ ସିଦ୍ଧାନ୍ତ
ଶୁଣି ସେଦିନର ଜନସାଧାରଣ ଵିସ୍ମିତ ହୋଇଥିବେ, କିନ୍ତୁ ଏ କାହାଣୀର ଲିପିକାରମାନଙ୍କ ପାଇଁ ରାଜାଙ୍କ ଆଚରଣରେ କୌଣସି ଆକସ୍ମିକତା ଵା ଵିସ୍ମୟ ନଥିଲା । କାରଣ,ସେ ହିରଣ୍ମୟ ମୃଗ ଥିଲେ ବୋଧିସତ୍ତ୍ଵ-ଗୌତମବୁଦ୍ଧଙ୍କ ଆତ୍ମାର ଏକ ପୂର୍ଵ ଅଵତାର । ପ୍ରଥମ ଦର୍ଶନରୁ ହିଁ ରାଜା ନିଜ ଅଜ୍ଞାତସାରରେ ତାଙ୍କ ଦ୍ବାରା ପ୍ରଭାଵିତ ହେଵାକୁ ଆରମ୍ଭ କରିଥିଲେ। ଅଵଶେଷରେ ଵର୍ଣ୍ଣିତ ଘଟଣାର ସୁଯୋଗ ନେଇ ତାଙ୍କ ଭାଵାନ୍ତରର ସ୍ଫୁରଣ ଘଟିଲା ।
ଅଵିରତ ମୃଦୁ ଵାରିପାତ ଭିତରେ ଆମେ ଯାଇ ସେଦିନର ସେ ଅରଣ୍ୟ, ଆଜିର
ସାରନାଥରେ ପହଞ୍ଚିଵାବେଳକୁ ସୂର୍ଯ୍ୟ ଦେଖା ନ ଦେଲେ ବି ସଦ୍ୟସ୍ନାତ ସକାଳର
ଆଲୋକ ଵାତାବରଣକୁ କମନୀୟ କରିଥାଏ। ଘଟଣା-ବହୁଳ ଏ ସ୍ଥାନ । ଏକଦା ଅରଣ୍ୟ ତା'ପରେ ଜନପଦ । ସାଧାରଣ ଜନପଦଟି ପୁଣି ଦିନେ ଅନନ୍ୟ ବୌଦ୍ଧତୀର୍ଥରେ ପରିଣତ ହେଲା । ଅନନ୍ୟ କାରଣ ଗୌତମ ବୁଦ୍ଧ ଏହିଠାରେ ପ୍ରଥମେ ତାଙ୍କ ବାଣୀ ପ୍ରଦାନ କରିଥିଲେ । ସେ ଆଉ ଏକ ଅଭାବନୀୟ ଦୃଶ୍ୟ ହୋଇଥିଵ ନିଶ୍ଚୟ । ନିକାଞ୍ଚନରେ, ଗୟା ନିକଟଵର୍ତ୍ତୀ ଅଶ୍ୱତ୍‌ଥ ଵୃକ୍ଷ ତଳେ ଗୌତମ ତପସ୍ୟାରତ ଥିଵାବେଳେ ତାଙ୍କ ସିଦ୍ଧି ଅଵଶ୍ୟମ୍ଭାଵୀ ଏଵଂ ସେ ସିଦ୍ଧିର ଆଲୋକରେ ସେମାନେ ବି ଆଲୋକିତ ହେଵେ, ଏହି ଆଶାରେ ପାଞ୍ଚଜଣ ସାଧୁ ତାଙ୍କୁ ଜଗିରହୁଥିଲେ ଓ ତାଙ୍କ ସେଵା ପାଇଁ ପ୍ରସ୍ତୁତ ଥିଲେ । ଗୌତମଙ୍କର ଅଵଶ୍ୟ କୌଣସି ପରିଚର୍ଯ୍ୟାର ପ୍ରୟୋଜନ ନଥିଲା । ତେବେ କୌଣ୍ଡିନ୍ୟ, ଭଦ୍ରକ, ଅଶ୍ଵଜିତ୍, ମହାନାମ ଏଵଂ ଵାସଵ ନାମଧେୟ ସେ ପଞ୍ଚସାଧୁ ଗୌତମଙ୍କ ଚିତ୍ରରେ ସ୍ନେହଭାଵର ଉଦ୍ରେକ କରିଥିଲେ ନିଶ୍ଚୟ ।
 କିନ୍ତୁ ଯେତେବେଳେ ଗୌତମ ହୃଦୟଙ୍ଗମ କଲେ ଯେ ଶରୀରକୁ କ୍ଳେଶ ନ ଦେଇ, ପ୍ରୟୋଜନୀୟ ଖାଦ୍ୟ ଗ୍ରହଣ କରି ତାକୁ ସାଧନାର ମାଧ୍ୟମ କରିଵା ଶ୍ରେୟ ଏଵଂ ଯେତେବେଳେ ଅଦୂର ପଲ୍ଲୀର ଜନୈକା ଵିଵେକୀ ମହିଳା ପରିଵେଷିତ ସୁଖାଦ୍ୟ ତପସ୍ବୀ ଗୌତମ ସାଦରେ ଗ୍ରହଣ କଲେ, ସେତେବେଳେ ସାମାନ୍ୟ ଧ୍ୟାନଧାରଣାର ତରାଜୁରେ ଅସାମାନ୍ୟକୁ ତଉଲିଵାର ଚିରାଚରିତ ଅଭ୍ୟାସ ଅନୁସାରେ ପଞ୍ଚସାଧୁ ସିଦ୍ଧାନ୍ତ କଲେ ଯେ ଗୌତମ ଯୋଗଭ୍ରଷ୍ଟ ହେଲେଣି । ସୁଖାଦ୍ୟ ଭୋଜନ କରି, ନଦୀ ସରୋଵରରେ ସ୍ନାନକରି, କେହି ସତ୍ୟର ସନ୍ଧାନ ପାଇପାରେ ? ପଞ୍ଚସାଧୁ ଅଵଶ୍ୟ ଗୌତମଙ୍କ ସହ ଯୁକ୍ତିତର୍କ କଲେ ନାହିଁ । ସେ ସଦ୍‌ବୁଦ୍ଧି ସେମାନଙ୍କର ଥିଲା । ପଥଭ୍ରଷ୍ଟ ଗୌତମଙ୍କୁ ଵିପଥରେ ଯିଵାକୁ ଛାଡ଼ିଦେଇ ସେମାନେ ବାରାଣସୀ ଉପକଣ୍ଠକୁ ପଳାଇଆସିଲେ। ଗୌତମ କିନ୍ତୁ ବୁଦ୍ଧତ୍ଵ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଯେତେବେଳେ ତାଙ୍କ ଉପଲବ୍‌ଧ ସତ୍ୟଦ୍ୱାରା ଜିଜ୍ଞାସୁମାନଙ୍କୁ ସଚେତନ କରିଵାର ପ୍ରେରଣା ଅନୁଭଵ କଲେ, ସେତେବେଳେ ସେ ପ୍ରଥମେ ଏକଦା ଅନୁଗତ ଏହି ପଞ୍ଚସାଧୁଙ୍କୁ ସ୍ମରଣ କଲେ ।
ହୁଏତ ନିଜର ଅନ୍ତର୍ବୋଧଦ୍ଵାରା ପରିଚାଳିତ ହୋଇ ସେ ଚାଲି ଚାଲି ଆସି ସାରନାଥରେ ପହଞ୍ଚିଲେ । ଏ ସ୍ଥାନ ସେତେବେଳେ ଏକ ସର୍ଵସାଧାରଣ ଉଦ୍ୟାନ ତଥା ପଥିକମାନଙ୍କର ଵିଶ୍ରାମସ୍ଥଳ। ସରୋଵର ସମେତ ସେଠାରେ ଥିଲା କେତୋଟି
ପାନ୍ଥଶାଳା । 

ପଞ୍ଚସାଧୁ ସରୋଵର କୂଳରେ ବସିଥିଲେ। ଜଣେ ଚମକିପଡ଼ି କହିଲେ, ‘‘ଦେଖ, ଦେଖ, ଆମ ଆଡ଼େ ଆସୁଛି ସେ କିଏ ?’’
ପାଞ୍ଚଜଣଯାକ ଯଥା-ସତର୍କ ଦୃଷ୍ଟିପାତକଲେ । ସନ୍ଦେହ ରହିଲା ନାହିଁ । ସନ୍ନ୍ୟାସୀ ଗୌତମ ହିଁ ଆସୁଛନ୍ତି । ତାଙ୍କୁ କିଛି ନ କହି ପଳାଇ ଆସିଥିବା ଯୋଗୁଁ ପାଞ୍ଚଜଣଯାକ ଗ୍ଳାନି-ପୀଡ଼ିତ ଥିଲେ । ଗୌତମଙ୍କ ସହ ମୁହାଁମୁହିଁ ନ ହେଵା ହିଁ ସୁଵିଧାଜନକ । ସେମାନେ ତରତରରେ ଉଠିପଡ଼ିଲେ । କିନ୍ତୁ ଚାଲିଵାକୁ ଆରମ୍ଭ କରିଵା ପୂର୍ଵରୁ ଆଉ ଥରେ, ଅସତର୍କ ଭାବରେ, ଆଗନ୍ତୁକଙ୍କ ଆଡ଼େ ଦୃଷ୍ଟିପାତ କଲେ । ଦୃଷ୍ଟି କିନ୍ତୁ ଆଉ ଫେରାଇ ଆଣିପାରିଲେ ନାହିଁ । ପାଦ ବି ଆଗକୁ ଚଳିଲା ନାହିଁ । ସ୍ମିତହସଶୋଭିତ ବୁଦ୍ଧ ନିକଟତର ହୋଇ ଆସିଲେ ।ଯନ୍ତ୍ରଚାଳିତଵତ୍ ପାଞ୍ଚଜଣଯାକ ସାଧୁ ତାଙ୍କୁ ପ୍ରଣିପାତ କଲେ । ପ୍ରଶାନ୍ତ ବୁଦ୍ଧ ସେମାନଙ୍କୁ ଆଲିଙ୍ଗନ କରି ସେଇଠି ବସିପଡ଼ିଲେ । ତାଙ୍କ ଆଗରେ ବସିଲେ ପଞ୍ଚସାଧୁ-ତାଙ୍କର ପ୍ରଥମ କିସ୍ତିର ଶିଷ୍ୟଵର୍ଗ-ପୃଥିବୀର ପ୍ରଥମ ପାଞ୍ଚଜଣ
ବୌଦ୍ଧ ।

ଏହାର କେଇଦିନ ପରେ ଭଦ୍‌ଭ୍ରାନ୍ତ-ପ୍ରାୟ ଦିଶୁଥିଵା ଜଣେ ଯୁଵକ କ୍ଷିପ୍ରଗତିରେ
ଉଦ୍ୟାନ ଅତିକ୍ରମ କରୁଥିଵାବେଳେ ବୁଦ୍ଧଙ୍କୁ ଦେଖିପକାଇ ଅଟକିଗଲେ।

-‘‘ଗତି କୁଆଡ଼େ ?’’ ବୁଦ୍ଧ ପ୍ରଶ୍ନ କଲେ।
‘ହେ ମହାମତି ? ମୁଁ ସେହି ପ୍ରଶ୍ନର ଉତ୍ତର ଲୋଡୁଛି। ମୋର ଗତି କୁଆଡ଼େ ? ଆଉ ସମସ୍ତଙ୍କର ଗତି ଵା କୁଆଡ଼େ ? ଆଜି ମଧ୍ୟରାତ୍ରିରେ ଚେଇଁ ଉଠି ମୋ ଘରର ଚାରିଆଡ଼େ ଅନାଇ ଦେଖିଲି, ସମସ୍ତେ ମୃତପ୍ରାୟ ପଡ଼ିଛନ୍ତି । ପ୍ରଭାତ ହେଲା । ସମସ୍ତେ ଉଠିପଡ଼ି କାମରେ ଲାଗିଗଲେ । ପୁଣି ଯେତେବେଳେ ରାତି ହେବ ସମସ୍ତେ ପୁନର୍ଵାର ମୃତପ୍ରାୟ ପଡ଼ିଯିଵେ ବିଛଣାରେ । ପୁଣି ପ୍ରଭାତ ହେଵ, ପୁଣି ସମସ୍ତେ କାମରେ ଲାଗିଵେ । ଏହାର ଅର୍ଥ କ’ଣ ? ? ?
‘ ଯୁବକ ! ଯାହା ମନରେ ଏ ପ୍ରଶ୍ନ ଉଠିନାହିଁ, ତା ପାଇଁ ଏସବୁର ଅର୍ଥ
ଯାହା ହେଉନା କାହିଁକି, ରହିଛି। ତମ ମନରେ ଯେତେବେଳେ ଏ ପ୍ରଶ୍ନ ଉଠିଛି,
ସେତେବେଳେ ମୋର ଉତ୍ତର ଶୁଣ- ଏସବୁର କିଛି ଅର୍ଥ ନାହିଁ । ଆଶା-ଆକାଂକ୍ଷାଚାଳିତ ମଣିଷ କର୍ମ କରେ । କର୍ମର ବନ୍ଧନରେ ତାକୁ ଵାରମ୍ଵାର ଜନ୍ମ ନେଵାକୁ ହୁଏ । ଆଶାର ଵିନାଶରେ ହିଁ ଏ ଅର୍ଥହୀନ ଜନ୍ମମୃତ୍ୟୁ ପ୍ରଵାହର ସମାପ୍ତି ।’’— କହିଲେ ବୁଦ୍ଧ ।
- ଆଶାର ଵିନାଶ ? ତାହା ସମ୍ଭଵ ?’’
-‘‘ସମ୍ଭଵ । ସେଥିପାଇଁ ଲୋଡ଼ା ସାଧନା ଓ ଶୃଙ୍ଖଳା । ତମେ ଚାହିଁଲେ ସେ ପଦ୍ଧତି ମୁଁ ତୁମକୁ ଶିଖାଇଵାକୁ ପ୍ରସ୍ତୁତ ।’’
ଯଶନାମଧାରୀ ସେ ଯୁଵକ ଶିଷ୍ୟତ୍ୱ ଗ୍ରହଣ କଲେ । ତାଙ୍କ ସନ୍ଧାନରେ ପରଦିନ
ସେଠି ଆସି ପହଞ୍ଚିଲେ ତାଙ୍କ ପିତା- ଜଣେ ଧନୀ ବଣିକ। ସେତେବେଳେ ବୁଦ୍ଧ
ଶିଷ୍ୟମାନଙ୍କୁ କିଛି ବୁଝାଉଥାନ୍ତି । ତାଙ୍କୁ ଲାଗିକରି ବସିଥାନ୍ତି ଯଶ । କିନ୍ତୁ କିମ୍ବଦନ୍ତୀ କହେ, ବଣିକ ନିଜ ପୁତ୍ରକୁ ଦେଖିପାରିଲେ ନାହିଁ । କାରଣ, ବୁଦ୍ଧଙ୍କ ଉପରେ ଆଖି ପଡ଼ିଵାମାତ୍ରେ ସେ ନିର୍ନିମେଷ ଭାଵରେ ତାଙ୍କୁ ହିଁ ଅନାଇରହିଲେ । ବୁଦ୍ଧଙ୍କର ଭାଷଣ ଶେଷ ହୁଅନ୍ତେ ବଣିକ ତାଙ୍କୁ ପ୍ରଣାମ କଲେ, ପରେ ପରେ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କଲେ।
କେଇଦିନ ପରେ, ଦିନେ ପାର୍ଶ୍ଵଵର୍ତ୍ତୀ ଜନପଦରୁ ବୁଦ୍ଧ ଉଦ୍ୟାନ ଭିତରକୁ ଲେଉଟି
ଆସୁଛନ୍ତି, ଉଦ୍ୟାନ ଭିତରୁ ଅଣନିଃଶ୍ୱାସୀ ହୋଇ ନିର୍ଗତ ହେଉଥିଵା କେତେଜଣ ତରୁଣଙ୍କ ସହ ସେ ମୁହାଁମୁହିଁ ହୋଇଗଲେ ।
-‘‘କୁଆଡ଼େ ଦୌଡୁଛ ?’’ ବୁଦ୍ଧ ପଚାରିଲେ।
-‘‘ଆମେ ସରୋଵର କୂଳରେ ଭୋଜି କରି ଶୋଇପଡି଼ଥିଲୁ । ଆମକୁ ଆନନ୍ଦ
ଦେଵାପାଇଁ ଜଣେ ନର୍ତ୍ତକୀକୁ ଆଣିଥିଲୁ । ସେ ଆମ ସମ୍ପଦତକ ଧରି ପଳାଇଯାଇଛି ।
ତାକୁ ଧରି ହୃତସମ୍ପଦ ଉଦ୍ଧାର କରିଵାକୁ ଆମେ ଵ୍ୟଗ୍ର ।’’
-‘‘କିନ୍ତୁ ତମ ସମ୍ପଦ ତ ଚୋରି ହୋଇନାହିଁ ???
-‘‘ମାନେ ?’’
-‘‘ମାନେ, ତମ ସମ୍ପଦ ତମଠି ଥିଵାର ମୁଁ ଦେଖିପାରୁଛି ।’’
ତରୁଣମାନେ ନିଜ ନିଜ ଉପରେ ଆଖି ବୁଲାଇ ଆଣିଲେ। ବୁଦ୍ଧ ଥଟ୍ଟା କରୁଛନ୍ତି, ଏକଥା ଭାଵିଵାର ପ୍ରଶ୍ନ ନଥିଲା । ସେମାନେ ଅଵାକ୍ ଢଙ୍ଗରେ ଅନାଇଲେ ।
-‘‘ତୁମ ସମ୍ପଦ ତୁମ ନିଜ ଭିତରେ । ତାକୁ କେହି ଚୋରି କରି ନେଇଯାଇ ପାରେନା । ଶୁଣ, ତୁମ ଆଗରେ ଵର୍ତ୍ତମାନ ଦୁଇଟି ପଥ । ହୁଏତ ତୁମେ ସେ ନର୍ତ୍ତକୀକୁ ଧରିଵା ପାଇଁ ଦୌଡ଼ିଵା; କିମ୍ବା ନିଜ ଭିତରେ ଲୁକ୍‌କାୟିତ ସମ୍ପଦର ସନ୍ଧାନ ପାଇଁ ମୋତେ ଅନୁସରଣ କରିଵ।’’ ଏତକ କହି ବୁଦ୍ଧ ଉଦ୍ୟାନ ଭିତରେ ତାଙ୍କ ଡେରା ଅଭିମୁଖେ ଚାଲିଵାକୁ ଆରମ୍ଭ କଲେ । ମନ୍ତ୍ରମୁଗ୍‌ଧ ଭଳି ତରୁଣମାନେ ତାଙ୍କୁ ଅନୁସରଣ କଲେ । ଯେଉଁଠାରେ ବୁଦ୍ଧଦେଵ ତାଙ୍କ ପ୍ରଥମ ଶିଷ୍ୟଵର୍ଗଙ୍କୁ ଉପଦେଶ ଦେଇଥିଲେ,
ପରମ୍ପରା-ଚିହ୍ନିତ ସେହି ସ୍ଥାନରେ ସମ୍ରାଟ ଅଶୋକ ଏକ ଵିରାଟ ସ୍ତୂପ ନିର୍ମାଣ କରିଥିଲେ । ଆଜି ତାକୁ ‘ଧାମେକ୍ ସ୍ତୂପ’ ବୋଲି କୁହାଯାଏ । ସମ୍ଭଵତଃ ‘ଧର୍ମରାଜିକ’ରୁ ଧାମେକ୍। ଅଵଶ୍ୟ ଅଶୋକ ନିର୍ମିତ ସ୍ତୂପର ଅଵଶେଷ ଉପରେ ପରବର୍ତ୍ତୀ (ଏକାଦଶ ଶତାବ୍ଦୀ) କାଳରେ ସ୍ତୂପ ପୁନଃନିର୍ମିତ ହୋଇଛି। ପଞ୍ଚମ ଶତାବ୍ଦୀରେ ଫାହିଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂ ସାରନାଥ ଭ୍ରମଣ କରି ଯେଉଁ ଵିଵରଣୀ ରଖାଯାଇଛନ୍ତି, ଆଜିର ଭଗ୍ନାଵଶେଷ ଭିତରେ ସେସବୁ ଚିହ୍ନିବା ଵିଶେଷଜ୍ଞ ଵିନା ଆଉ କାହା ପକ୍ଷରେ ସମ୍ଭଵ ନୁହେଁ । ଵାରମ୍ଵାର ଵିଦେଶୀ ଆକ୍ରମଣକାରୀମାନେ ଏ କ୍ଷେତ୍ର ଧ୍ବଂସ କରିଛନ୍ତି ।
 ଦେଶୀ ଲୁଣ୍ଠନକାରୀମାନଙ୍କ ଅଵଦାନ ବି କମ୍ ନୁହେଁ । ବାରାଣସୀର ଜଗତ୍‌ସିଂହ ନାମକ ଧନିକ ସାରନାଥରୁ ଅମାପ ଶିଳା ନେଇଯାଇ ସାଧାରଣ କୋଠାଘରମାନ ବନାଉଥିଲା । ଜଣେ ଐତିହାସିକ ଲେଖିଛନ୍ତି, ‘‘ଜଗତ୍‌ସିଂହର କୁକର୍ମକୁ ଅମରତ୍ୱ ପ୍ରଦାନ କରିଵା ନିମନ୍ତେ ସେ ନିର୍ମୂଳ କରିଥିଵା ଗୋଟିଏ ସ୍ତୂପର ଅଵଶେଷକୁ ଜନସାଧାରଣ ‘ଜଗତ୍‌ସିଂହ ସ୍ତୂପ’ ବୋଲି କହନ୍ତି !’’ ଯେଉଁଠି ବୁଦ୍ଧ ପ୍ରଥମେ ପଞ୍ଚସାଧୁଙ୍କୁ ଭେଟିଥିଲେ, ଯେଉଁଠି ଵର୍ଷାଦିନେ ସେ ଆଶ୍ରୟ ନେଉଥିଲେ, ସେ ସମସ୍ତ ସ୍ଥାନ ଚିହ୍ନିତ ହୋଇଥିଲା ସୁନ୍ଦର ଶିଳ୍ପ-ମଣ୍ଡିତ ସ୍ମାରକୀଗୃହ ଦ୍ଵାରା । ସେସବୁର ଅଦୂରରେ ଥିଲା ଶ୍ରମଣମାନଙ୍କ ପାଇଁ ଵିରାଟ ଆଶ୍ରୟଶାଳା । ସବୁ କାଳକ୍ରମେ ନିଶ୍ଚିହ୍ନ ଅଥଵା ଚିହ୍ନସର୍ଵସ୍ଵ ମାତ୍ର। ଆମ ସାଧାରଣତନ୍ତ୍ରର ପ୍ରତୀକ ସିଂହ-ଚକ୍ର (ଅଶୋକ ଚକ୍ର) ଏଇଠାରେ ପ୍ରତିଷ୍ଠିତ ହୋଇଥିଲା । ସ୍ଥାନୀୟ ଯାଦୁଘରେ ଵିକ୍ଷତ ଅଵସ୍ଥାରେ ତାହା ସୁରକ୍ଷିତ । ଏ ଅପୂର୍ଵ ଭାସ୍କର୍ଯ୍ୟକୁ ଯେ କିଏ, କାହିଁକି ଓ କିପରି ଵିକଳାଙ୍ଗ କଲା, ସେସବୁ ବଡ଼ ବେଦନାଦାୟକ ପ୍ରଶ୍ନ । ବାରାଣସୀରୁ ଯାଉଥିଲି ଦିଲ୍ଲୀ । ମୋ ଡବାରେ ଥିଲେ ଦୁଇଜଣ ୟୁରୋପୀୟ ପର୍ଯ୍ୟଟକ ଓ ସେମାନଙ୍କର ଜଣେ ଭାରତୀୟ ବନ୍ଧୁ। ଭଙ୍ଗା ଇଂରାଜୀରେ ଦୁଇ ୟୁରୋପୀୟ ପ୍ରଶ୍ନ କରୁଥିଲେ, ‘‘ଯେଉଁ ଭାରତରେ ବୌଦ୍ଧବାଦର ଜନ୍ମ ଓ ଵିକାଶ
ସେଠାରୁ ତାହା ଲୁପ୍ତ ହେଲା କିପରି ???

ଅନର୍ଗଳ ଇଂରାଜୀରେ ଭାରତୀୟ ବନ୍ଧୁ ଉତ୍ତର ଦେଉଥିଲେ । ସାରନାଥର ଭଗ୍ନ
ବୌଦ୍ଧକୀର୍ଭି ସବୁ ଦେଖି ମନ ଯେତିକି ଵିଷଣ୍ଣ ଲାଗିଥିଲା, ଭଦ୍ରଲୋକଙ୍କ କୈଫିୟତରେ ତାହା ଦ୍ବିଗୁଣ ହେଲା । ତାଙ୍କ ଵକ୍ତଵ୍ୟର ମର୍ମ; ‘‘ହିନ୍ଦୁମାନେ ବୌଦ୍ଧମାନଙ୍କୁ ଏମିତି କଲବଲ କଲେ ଯେ ସେମାନେ ସେମାନଙ୍କ ଧର୍ମ ଭୁଲିଗଲେ । ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଧରି ଝିଙ୍କି ଝିଙ୍କି ଗାଁଗହଳ ସହର ନଗରରୁ ନିକାଲିଦେଲେ- ପିଟିପିଟି ବେଦମ୍ କରି ।’’ ମୋ ଵିରକ୍ତି ଏକ ହସର ଅଭିଵ୍ୟକ୍ତି ନେଲା । ଭଦ୍ରଲୋକ ମନେକଲେ ମୁଁ ତାଙ୍କ ଚିତ୍ରକଳ୍ପ ପ୍ରୟୋଗରେ ଚମତ୍କୃତ । ମୋ ଆଡ଼େ ଅନାଇ ସେ ବି ମଧୁର ଭାବରେ ହସି ସମର୍ଥନ ଆଦାୟ କରିଵା ପାଇଁ କହିଲେ, ‘‘ଠିକ୍ ନୁହେଁ ?’’
ମୁଁ କହିଲି, ‘‘ଆପଣ ଏଡ଼େ ଜୀଵନ୍ତ ଭାବରେ ଆପଣଙ୍କ ଐତିହାସିକ ବ୍ୟାଖ୍ୟା
ପରିଵେଷଣ କରୁଛନ୍ତି, ମୋର ମନେହେଲା ଯେଉଁ ବ୍ରାହ୍ମଣଟି ଜଣେ ବୌଦ୍ଧର ଚୁଟିଧରି
ଭିଡ଼ିନେଇଗଲା ଆପଣ ତାହାରି ଅଵତାର । ଅନ୍ତତଃ ଏକ ପୂର୍ବଜନ୍ମରେ ଆପଣ ସେ
ଦୃଶ୍ୟର ସାକ୍ଷୀ ଥିଲେ ।’’ ସେ ଆପ୍ୟାୟିତ ଭାଵରେ କହିଲେ, ‘‘ମୁଁ ଅଵଶ୍ୟ ଇତିହାସ ଅଧ୍ୟାପକ ନୁହେଁ,ତେବେ ଇତିହାସ ପ୍ରତି ମୋର ଆକର୍ଷଣ ତୀଵ୍ର। ବହୁତ ପଢ଼ିଛି।’’
‘‘ନିଶ୍ଚୟ ପଢ଼ିଛନ୍ତି ।’’ ତା’ପରେ ଟିକିଏ ନିର୍ଭୟ ହୋଇ କହିଲି - ୟୁରୋପୀୟମାନେ ଯେମିତି ଶୁଣିନପାରିବେ ସେମିତି ନିମ୍ନ କଣ୍ଠରେ, ‘‘ତେବେ,ଵିଚରା ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଅଣ୍ଡାଳିଵାକୁ ଯାଇ ଵିଷମ ସମସ୍ୟାର ସମ୍ମୁଖୀନ ହୋଇଥିବେ । କାରଣ, ବୌଦ୍ଧମାନେ ମସ୍ତକ ମୁଣ୍ଡନ କରୁଥିଲେ ।’’ଭଦ୍ରଲୋକ ବଡ଼ ଉଦାର । ସେ ଏହାକୁ ଵ୍ୟଙ୍ଗ ଭାବରେ ଗ୍ରହଣ ନକରି ମୋ ସହ କରମର୍ଦ୍ଦନ କଲେ ।
ଅଧଘଣ୍ଟାଏ ପରେ କିନ୍ତୁ ୟୁରୋପୀୟଙ୍କ ଭିତରୁ କମ୍‌ଵୟସ୍କ ଜଣକ ମୋତେ
ପ୍ରଶ୍ନ କଲେ, ‘‘ମୋର ଧାରଣା ଭାରତରୁ ବୌଦ୍ଧବାଦର ଵିଲୋପ ସମ୍ପର୍କରେ
ଆପଣଙ୍କର କିଛି ମତ ଅଛି। ଆମକୁ କହିଵେ ନାହିଁ ?’’
‘‘ଏ ପ୍ରଶ୍ନ ଉପରେ ଵାସ୍ତବିକ ମୁଁ ଚର୍ଚ୍ଚା କରିନାହିଁ । ମୋର ଯାହା ମନେହୁଏ
ବୌଦ୍ଧଧର୍ମ ଭାରତରୁ ଲୁପ୍ତ ହୋଇନାହିଁ। ଯାହାକୁ ହିନ୍ଦୁଧର୍ମ ବୋଲି କୁହାଯାଏ,
ବୌଦ୍ଧଧର୍ମ ତାହାର ଅଙ୍ଗୀଭୂତ ହୋଇଗଲା । ହିନ୍ଦୁଧର୍ମର ଵ୍ୟାପକ ପରିସର ଭିତରେ ବହୁ ମତ, ବହୁ ପଥର ଅଵସ୍ଥାନ-ସହାଵସ୍ଥାନ ଘଟିଛି। ନିର୍ଵାଣ ମାର୍ଗ ହିନ୍ଦୁଧର୍ମର ଅନ୍ୟତମ ଧାରା । ଯେତେବେଳେ ଶଙ୍କରାଚାର୍ଯ୍ୟ ଅନୁରୂପ ଆଭିମୁଖ୍ୟର ପ୍ରସାର କଲେ, ସେତେବେଳେ ବୌଦ୍ଧଵାଦର ସ୍ଵାତନ୍ତ୍ର୍ୟ ବହୁ ପରିମାଣରେ ହ୍ରାସ ହେଲା । 
ହିନ୍ଦୁମାନେ ବୁଦ୍ଧଙ୍କୁ ଵିଷ୍ଣୁଙ୍କର ଅଵତାର ରୂପେ ମାନ୍ୟକରି ବୌଦ୍ଧଦର୍ଶନକୁ ସ୍ବୀକୃତି
ଦେଲେ। ଏସବୁ ଐତିହାସିକ କାରଣ। ତା’ଛଡ଼ା ଗୂଢ଼ କାରଣ ମଧ୍ୟ ରହିଛି ।’’
ହେଲା ।
-‘‘ତାହା କ’ଣ ?’’ ଦୁଇ ପର୍ଯ୍ୟଟକ ମୋର ଶେଷ ମନ୍ତଵ୍ୟକୁ ଏମିତି ସଂକ୍ଷିପ୍ତ
ରହିଵାକୁ ଦେଲେ ନାହିଁ !
-‘‘ସେ କାରଣ ଅତି ମହତ୍ । କର୍ମଜନିତ ଦୁଃଖ, ଜୀଵନ-ଯନ୍ତ୍ରଣା । ଏଥିରୁ ମୁକ୍ତି ଲୋଡ଼ି ନିର୍ଵାଣ ପାଇଁ ଵ୍ୟାକୁଳତା–ଏସବୁର ସତ୍ୟତା ଅଵିସମ୍ବାଦିତ । କିନ୍ତୁ ସମଗ୍ର ସତ୍ୟ ଏହା ନୁହେଁ । ସୃଷ୍ଟି ଯେତେ ଅସତ୍ୟ ମନେହେଲେ ବି ଏହାର ଆଧାର ସତ୍ୟ । ଜୀଵନ ଯେତେ ଯନ୍ତ୍ରଣାଜର୍ଜର ହେଲେ ବି ତା’ର ଆଧାର ଆନନ୍ଦ । ଏହି ପୂର୍ଣ୍ଣ ସତ୍ୟ ଉପରେ ଵୈଦିକ ପରମ୍ପରା ପ୍ରତିଷ୍ଠିତ। ସେ ସତ୍ୟ ଵାରମ୍ବାର ଆମ ଚେତନାକୁ ପ୍ରତ୍ୟାଵର୍ତ୍ତନ କରିଵ ହିଁ କରିଵ ।’’ ଭାରତୀୟ ସହଚର ବୁଝିଲେ କି ନାହିଁ ଜାଣେନା; ଵିଦେଶୀ ଦୁଇଜଣ ବୁଝିଵା
ଭଳି ମନେହେଲା ।

ଭାରତରୁ ବୌଦ୍ଧ ଧର୍ମର ଵିଲୁପ୍ତ କିପରି ହେଲା ବୋଲି ଯେତେ ପ୍ରଶ୍ନ ହୁଏ,
ବୌଦ୍ଧବାଦୀ ବୋଲାଉଥିଵା ଦେଶମାନଙ୍କରେ ବୁଦ୍ଧଦେଵଙ୍କ ଵାଣୀ କେଉଁ ଭାଵରେ ଵା କେତେମାତ୍ରାରେ ଅନୁସୃତ, ସେ ପ୍ରଶ୍ନ ସେତେ ଶୁଣିଵାକୁ ମିଳେ ନାହିଁ । ବୌଦ୍ଧ ଦେଶ ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କକ୍‌ର ପୁରୁଣା ରାଜପ୍ରାସାଦ ପରିସ ରଭିତରେ ଅଵସ୍ଥିତ ପୃଥିଵୀର ସବୁଠୁଁ ମୂଲ୍ୟଵାନ୍, ଵୈଦୂର୍ଯ୍ୟ-ନିର୍ମିତ- ବୁଦ୍ଧମୂର୍ତ୍ତି-ବହୁପୂଜିତ, ବହୁଵିଖ୍ୟାତ । ସେ ପ୍ରତିମା ଆଗରେ ଭକ୍ତମାନେ ପରଷିଥିଵା ପୂଜାର୍ଘ୍ୟ ଭିତରେ ଯାହା ଦେଖିଲି, ତାହା ଵାସ୍ତଵ ବୋଲି ଵିଶ୍ଵାସ କରିଵାକୁ ସମୟ ଲାଗିଥିଲା : କୁକୁଡା ଓ ଆଉ ଗୋଟିଏ ଯୋଡ଼ିଏ ବଳି !

ସାରନାଥଠାରେ ବି ଲକ୍ଷ୍ୟ କରିଥିଲି ଆଉ ଏକ ଵିଡ଼ମ୍ବନା : ଯେଉଁ ବୁଦ୍ଧ ଜୀଵନର ନଶ୍ବରତା ଓ ଖ୍ୟାତିର ଅସାରତା ଉପରେ ଏତେ ତତ୍ତ୍ଵ ପରିଵେଷଣ କଲେ, ସେହି ବୁଦ୍ଧଙ୍କ ଦେହାବଶେଷ-ସମ୍ବଳିତ ମନ୍ଦିର (ମହାବୋଧି ସମିତି) ନିର୍ମାଣ ପାଇଁ କିଏ କେତେ ଟଙ୍କା ଦେଇଛି, ଆଖିକୁ କର୍କଶ ଦିଶୁଥିଵା ସେ ତାଲିକା ଶଙ୍ଖ ମଲମଲ
ପଥରରେ ଖୋଦାଇ ହୋଇ ମନ୍ଦିରର ଦ୍ବାରଦେଶରେ ଆପଣଙ୍କ ସମ୍ଭ୍ରମ ଉଦ୍ରେକ କରିଵା ମାନସରେ ପ୍ରଦର୍ଶିତ !

(ଏହି ପ୍ରସଙ୍ଗଟି ଶ୍ରୀମନୋଜ ଦାସଙ୍କ ଲିଖିତ ‘ଅନ୍ତରଙ୍ଗ ଭାରତ’ର ଦ୍ୱିତୀୟ ପର୍ଯ୍ୟାୟରୁ
ଆନୀତ । ଏଥିରେ ଗୌତମ ବୁଦ୍ଧଙ୍କର ଲୋକ ପ୍ରସିଦ୍ଧି, ବୌଦ୍ଧପୀଠ ଗୁଡ଼ିକର
ଐତିହାସିକ ଖ୍ୟାତି ଓ ତତ୍ସମ୍ପର୍କିତ ପରିଦୃଷ୍ଟ ସାଧାରଣ ଦୃଷ୍ଟିଭଙ୍ଗୀ ଆଦିର ଵର୍ଣ୍ଣନା କରାଯାଇଛି । ପୂର୍ଵେ ଏହା ଉଚ୍ଚ ବିଦ୍ୟାଳୟର[ଦଶମ ଶ୍ରେଣୀ-୨୦୦୧ରୁ ୨୦୦୬]ଓଡ଼ିଆ ସାହିତ୍ୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା)


Monday, August 14, 2023

•ଵିପ୍ଳଵୀ ଵୀର ସୋମନାଥ ସିଂହ ଓ ଅନୁଗୁଳର ସ୍ଵାଧୀନତା ସଂଗ୍ରାମ•

ଏପ୍ରିଲ୍ ୧୩, ୧୮୪୮ରେ ଅନୁଗୁଳ ନଗରରେ ଜଣେ ସ୍ଵାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ବନ୍ଦୀ କରି ନେଲାବେଳେ ଶହଶହ ନରନାରୀ କାନ୍ଦି କାନ୍ଦି ଆସି ତାଙ୍କୁ ଶେଷ ଦର୍ଶନ କଲେ । ଜୀଵନର ଭୟ ତ୍ୟାଗକରି ଏତେ ସଂଖ୍ୟକ ଲୋକ ରୁଣ୍ଡ ହୋଇ ଜଣେ ବନ୍ଦୀଙ୍କୁ କାନ୍ଦି କାନ୍ଦି ଶେଷ ଵିଦାୟ ଦେଉଥିଵା ଦେଖି ଇଂରେଜ ସାମରିକ କର୍ମଚାରୀମାନେ ଵିସ୍ମିତ ବିମୁଢ଼ ହେଲେ ‌। 

ସେ ଥିଲେ ଅନୁଗୁଳ ରାଜା ଵୀର ସୋମନାଥ ସିଂହ ,ବନ୍ଦୀ ହେଲାପରେ ସେ ଵୀରପରି ନିଜ ପ୍ରଜାକୂଳକୁ ସଂଵୋଧନ କରି କହିଥିଲେ

‘‘ପ୍ରଜାମାନେ ! ନିଜ ମାତୃଭୂମି ରକ୍ଷାର ଦାୟିତ୍ୱ ମୁଁ ତୁମମାନଙ୍କ ହାତରେ ଦେଇଯାଉଛି । ନିଜ ଜୀଵନ ଵିନିମୟରେ ମାତୃଭୂମିର ଟେକ ରଖିଵାକୁ ଚେଷ୍ଟାକରିଵ ।’’

ପୁଣି ଵୀର ସୋମନାଥ ସିଂହ ଵୀରପରି ହସି ହସି ଇଂରେଜ ସାମରିକ କର୍ମଚାରୀଙ୍କୁ
କହିଥିଲେ- ‘‘ଗୋଟିଏ ସୋମନାଥକୁ ବନ୍ଦୀକଲ ସିନା ଅନୁଗୁଳ ରାଜଧାନୀରେ ଶହ ଶହ ସୋମନାଥ ଜନ୍ମନେଲେଣି ଯାଇ ଦେଖ ।’’

ଏହି ଵିପ୍ଳବୀ ଵୀର ସୋମନାଥ ସିଂହ ଅନୁଗୁଳ ରାଜ୍ୟର ରାଜା ଥିଲେ । ସେ ଥିଲେ
ଜଣେ ସ୍ଵାଧୀନଚେତା, ସରଳଵିଶ୍ଵାସୀ, ପରୋପକାରୀ ସଚେତନ ଵ୍ୟକ୍ତି । ଅନୁଗୁଳ
ରାଜବଂଶରେ ଜନ୍ମଗ୍ରହଣକରି ସାଧାରଣ ଲୋକ ପରି ସମସ୍ତ ପ୍ରଜାଙ୍କ ସହିତ ସେ
ମିଶୁଥୁଲେ ଏଣୁ ପ୍ରଜାମାନଙ୍କର ତାଙ୍କ ପ୍ରତି ଥିଲା ପ୍ରଗାଢ଼ ଵିଶ୍ୱାସ ଓ ଭକ୍ତି । ପ୍ରତ୍ୟେକ
ପ୍ରଜାଙ୍କର ଆପତ୍ତି ଅଭିଯୋଗ ମନଯୋଗ ସହକାରେ ଶ୍ରଵଣ କରି ଵିଵେକ ଅନୁସାରେ
ଵିଚାର କରୁଥିଲେ ଏଣୁ ଲୋକମାନେ ତାଙ୍କୁ ଭଗଵାନତୁଲ୍ୟ ଭକ୍ତି, ସ୍ନେହ, ଶ୍ରଦ୍ଧା
ପ୍ରଦର୍ଶନ କରୁଥିଲେ । ଇଂରେଜ ସରକାର ସେତେବେଳେ ଦେଶୀୟ ରାଜାମାନଙ୍କ ଉପରେ ଅନ୍ୟାୟରେ ଅନେକ କଟକଣା ଲଗାଇଥିଲେ । ସେମାନଙ୍କ ଦେଶ ଭିତରେ ଥିଵା ଅଭ୍ୟନ୍ତରିଣ ଵ୍ୟାପାରଗୁଡ଼ିକ ଉପରେ ଇଂରେଜ ସରକାର ହସ୍ତକ୍ଷେପ କରୁଥିଲେ ଫଳତଃ ସବୁଦେଖି ସୋମନାଥ ସିଂହ ମୋଟେ ସହି ପାରୁନଥିଲେ । ଇଂରେଜ
ସରକାରଙ୍କ ଵିରୁଦ୍ଧରେ ଯିଏ ସାମାନ୍ୟ କଥାପଦେ କହିଦେଲା ସଙ୍ଗେ ସଙ୍ଗେ ଦେଶଦ୍ରୋହ ଅପରାଧରେ ତାକୁ ଜଡ଼ିତ କରି କଠିନ ଦଣ୍ଡ ଦେଵାର ଵ୍ୟଵସ୍ଥା କରୁଥିଲେ, ଏମନ୍ତକି ମୃତ୍ୟୁଦଣ୍ଡ ମଧ୍ୟ ଵିନା ଵିଚାରରେ ଦେଇ ଦେଉଥିଲେ । ଅନୁଗୁଳରେ ମଧ୍ୟ ଏମନ୍ତ ଅନେକ ଥର ହେଵାରୁ ଇଂରେଜ ସରକାରଙ୍କ ପ୍ରତି ତାଙ୍କ ହୃଦୟ ଵିଦ୍ରୋହୀ ହୋଇ ଉଠିଥିଲା । ସେ ଇଂରେଜମାନଙ୍କ ଉପରେ କ୍ଷୁବ୍ଧ ହୋଇ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିଲେ। ସେତେବେଳକାର ଘୁମୁସରର ଇଂରେଜ ସରକାର ଵିରୋଧୀ ବିଦ୍ରୋହୀ ନେତା ଦୋରା ବିଷୋଈ, ତାଙ୍କ ପୁତୁରା ଚକ୍ରା ବିଶୋଇ ଓ ତାଙ୍କର କେତେକ ଅନୁଚରଙ୍କୁ ଆଣି ନିଜ ରାଜନଅର ଭିତରେ ଗୋପନ କରି ରଖିଥିଲେ । ଇଂରେଜ ସରକାର ଯେତେବେଳେ ଗୁପ୍ତଚରଙ୍କଠାରୁ ଅନୁଗୁଳରେ ଵିପ୍ଳଵୀମାନେ ଗୁପ୍ତରେ ଥିଵାର ଜାଣିଲେ ,ସେମାନଙ୍କୁ ଧରାଇଦେଵାକୁ ଅନୁଗୁଳ ରାଜାଙ୍କୁ ଅନୁରୋଧ କଲେ ମଧ୍ୟ
ସୋମନାଥ ସିଂହ ସରକାରଙ୍କ କଥା ମୋଟେ ଶୁଣି ନଥିଲେ ।

 ସେ ସ୍ପଷ୍ଟ ଭାବେ ଇଂରେଜ ସରକାରଙ୍କୁ
ଜଣାଇ ଦେଇଥିଲେ ଯେ- ‘‘ମୁଁ ଵିଵେକ ଅନୁମୋଦିତ କାର୍ଯ୍ୟ କେବଳ କରିପାରେ ।’’
ଏହାଶୁଣି ଇଂରେଜ ସରକାର ତାଙ୍କ ଉପରେ କ୍ଷୁବ୍ଧ ହୋଇ ଯାଇଥିଲେ ଓ ତାଙ୍କ ରାଜ୍ୟ
ଆକ୍ରମଣ ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦଶପଲ୍ଲା ରାଜାଙ୍କ କେତେକ ଅଞ୍ଚଳ ସୋମନାଥ ସିଂହଙ୍କ ପୂର୍ଵ ପୁରୁଷ ଅଧିକାର
କରି ନେଇଥିଲେ । ତାହାକୁ ଆଳକରି ୧୮୩୧ ମସିହାରେ ଦଶପଲ୍ଲା ରାଜାଙ୍କ ଆପତ୍ତି ଅଭିଯୋଗକ୍ରମେ
ଇଂରେଜ ସରକାର ତାଙ୍କୁ ୧୪୫୦ଟଙ୍କା କ୍ଷତିପୂରଣ ଦେଵାକୁ ବାଧ୍ୟକଲେ କିନ୍ତୁ ରାଜା ସୋମନାଥ ସିଂହ ତାଙ୍କ ଆଦେଶ ପାଳନ କରିଵାକୁ ପୂରା ମନାକରିଦେଲେ । ୧୮୩୭ ମସିହାରେ ଇଂରେଜ ସରକାର ଵିଦ୍ରୋହୀ ବୋଲି ସନ୍ଦେହକରି ଅନୁଗୁଳର ସୀମାନ୍ତଵର୍ତ୍ତୀ ଅଞ୍ଚଳରେ ଛ’ଜଣ ଲୋକଙ୍କୁ ହତ୍ୟା କରିଵାପରେ ସେମାନଙ୍କ ଶଵଗୁଡ଼ିକୁ ନେଇ ଇଂରେଜ ଵାହିନୀ ହସ୍ତରେ ସମର୍ପଣ କରିଵାକୁ ଆଦେଶ କରିଵାରୁ ସୋମନାଥ ସିଂହ ତାହା ପାଳନ କରିଵାକୁ ସ୍ପଷ୍ଟ ମନାକରିଦେଇ ଥିଲେ । ଏହିପରି କାରଣଗୁଡ଼ିକ ଯୋଗୁଁ ୧୮୩୭ ମସିହା ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ
ସୋମନାଥ ସିଂହଙ୍କ ସମ୍ପର୍କ ତିକ୍ତ ହୋଇଯାଇଥିଲା । ଠିକ୍ ଏହିସମୟରେ ଇଂରେଜମାନେ ‘ନରଵଳୀ’ ଵା ‘ମେରିଆ’ ପ୍ରଥା ବନ୍ଦ କରିଦେଵା ଦ୍ବାରା ବୌଦ ଓ ଘୁମୁସରର କନ୍ଧମାନେ ସେମାନଙ୍କ ଧର୍ମଗତ ଅଧିକାରରେ ଇଂରେଜମାନେ ହସ୍ତକ୍ଷେପ କରୁଛନ୍ତି ବୋଲି ଵିଚାର କରି ଵିଦ୍ରୋହ ଆରମ୍ଭ କରିଦେଲେ । ‘ଚକରାବିଷୋଇ’ ଓ ‘ନବଘନ କହର’ ଏ ବିଦ୍ରୋହର ନେତୃତ୍ଵ
ନେଇଥିଲେ ମଧ୍ୟ ରାଜା ସୋମନାଥ ସିଂହ ଏ ଵିଦ୍ରୋହକୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ
କରିଥିଲେ । ସୋମନାଥ ସିଂହ ଏହି ପ୍ରଥାକୁ ଆଳକରି ଇଂରେଜ ସରକାରଙ୍କ ଵିରୁଦ୍ଧରେ କନ୍ଧମାନଙ୍କୁ ଉତ୍ୟକ୍ତ କରାଇ ଦେଇଥିଲେ । ଇଂରେଜ ସରକାରଙ୍କୁ କିପରି ଏ ଦେଶରୁ ତଡ଼ିବେ ସେହି ଯୋଜନା ପ୍ରସ୍ତୁତ କରିଥଲେ ସେ, ମାତ୍ର ଅଳ୍ପଦିନପରେ ଏ ଵିଦ୍ରୋହ ଇଂରେଜ ସରକାର ଦମନ କରିଦେଇଥିଲେ ଓ ସେମାନଙ୍କ ନେତାଙ୍କୁ ଧରିଵାକୁ ତତ୍ପର ହୋଇପଡ଼ିଥିଲେ । ତେବେ ସଂଗ୍ରାମୀ ନେତାମାନଙ୍କୁ ନେଇ ସୋମନାଥ ସିଂହ ଆତ୍ମଗୋପନ କରାଇଦେଇଥିଲେ । ଵିପ୍ଳଵୀମାନଙ୍କୁ ରକ୍ଷା କରିଵା ପଛରେ
ସୋମନାଥଙ୍କ ହାତଥିଵା ଇଂରେଜ ସରକାର ଜାଣିପାରି ତାଙ୍କ ଉପରେ ସାମରିକ କାର୍ଯ୍ୟାରମ୍ଭ କରିଵାକୁ ନିଷ୍ପତ୍ତି ନେଇଥିଲେ ।
ଇଂରେଜ ସରକାରଙ୍କ ସ୍ୱୟଂ ଶାସିତ ଅଞ୍ଚଳ ଦଶପଲ୍ଲାରେ ୧୮୪୭ ମସିହାରେ
ଦୁଇଟି କନ୍ଧଗ୍ରାମ ପୋଡ଼ିଯାଇ ଧ୍ୱଂସ ହୋଇଯାଇଥିଲା ଓ ଏହାପଛରେ ରାଜା ସୋମନାଥ ସିଂହଙ୍କ ହାତଥିଵାର ଇଂରେଜ ସରକାର ସନ୍ଦେହକଲେ । ଲୁଚି ରହିଥିଵା ଘୁମୁସରର ସ୍ଵାଧୀନତା ସଂଗ୍ରାମୀ ନଵଘନ କହର ଏ ଘଟଣାର ଅଳ୍ପଦିନପରେ ହଠାତ୍ ଗୋଟିଏ ଇଂରେଜ ଵାହିନୀ ଉପରେ ଚଢ଼ାଉକରି ୨୪ ଜଣ ସୈନ୍ୟଙ୍କୁ ହତ୍ୟାକରି ଦେଇଥିଲେ । ଏଥିରେ ରାଜାଙ୍କ ପ୍ରରୋଚନା ଓ ସହଯୋଗ ଥିଵାର ଇଂରେଜମାନେ ପୁଣି ସନ୍ଦେହକଲେ । ଇଂରେଜ ସରକାର ଗୁପ୍ତଚରମାନଙ୍କଠାରୁ ଜାଣିଵାକୁ ପାଇଲେ ଯେ ସୋମନାଥ ସିଂହ ଵିପ୍ଳଵୀ ନବଘନ କହରଙ୍କୁ ତିନିଶହ ପାଇକ ସୈନ୍ୟ ଏ ଵିଦ୍ରୋହରେ ମାତିଵା ପାଇଁ ଦାନ କରିଛନ୍ତି । ମାତ୍ର ତଦନ୍ତକରି କୌଣସି ପ୍ରମାଣ ନ ପାଇଵାରୁ ଇଂରେଜମାନେ ବାଧ୍ୟହୋଇ ନୀରଵ ରହିଲେ । ଇଂରେଜ ସରକାର ଚିନ୍ତାକଲେ ଅନୁଗୁଳ ହେଉଛି ସାମନ୍ତ ରାଜ୍ୟ ମାନଙ୍କର କେନ୍ଦ୍ରସ୍ଥଳୀ ଯେଉଁଠି ରହି ପ୍ରତ୍ୟେକ ରାଜ୍ୟଗୁଡ଼ିକ ଉପରେ ତୀକ୍ଷ୍ମ ଦୃଷ୍ଟି ପକାଇ ହେଵ । ତାକୁ ଯେକୌଣସି ବାହାନା ମାଧ୍ୟମରେ କରାୟତ୍ତ କରିଵାକୁ ଯୋଜନା ପ୍ରସ୍ତୁତ ହେଲା ।

 ଵିଦ୍ରୋହୀମାନଙ୍କୁ ସାହାଯ୍ୟ ସହଯୋଗଦେଇ ଇଂରେଜ ସରକାର ଵିପକ୍ଷରେ ଵିଦ୍ରୋହ କରିଵାକୁ
ମତାଉଥିଵା କାରଣ ଦର୍ଶାଇ କଟକ କମିଶନର ସୋମନାଥ ସିଂହଙ୍କ ପାଖକୁ ଏକ ନୋଟିସ୍ ପ୍ରେରଣ କରିଥିଲେ । ସେଥିରେ ଆଦେଶ ଥିଲା ଯେ ଶୀଘ୍ର ଏ ଅଭିଯୋଗ କଟକ ଆସି କମିଶନର
ଆଗରେ ହାଜର ପୂର୍ଵକ ଖଣ୍ଡନ କରନ୍ତୁ,ହେଲେ ସୋମନାଥ ସିଂହ ଏ ଆଦେଶ ଅଗ୍ରାହ୍ୟ କରିଦେଇଥିଲେ ଫଳରେ ଇଂରେଜ ଵାହିନୀ ୧୮୪୮ ମସିହାରେ କଟକରୁ ଆସି ସାମରିକ କାର୍ଯ୍ୟ ଆରମ୍ଭ କରିଥିଲେ । ସୋମନାଥ ସିଂହ ଯେତେବେଳେ ଜାଣିଲେ ଯେ ଇଂରେଜ ସୈନ୍ୟ ଵାହିନୀ ଅନୁଗୁଳ ଆକ୍ରମଣ କରିଵାକୁ ଆସୁଛନ୍ତି, ସେତେବେଳେ ସେ ନିଜ ସୈନ୍ୟ ଵାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଦେଇଥିଲେ । ଅନୁଗୁଳ ସହର ଉପକଣ୍ଠରେ ଘମାଘୋଟ ଲଢ଼େଇ
ଆରମ୍ଭ ହୋଇଯାଇଥିଲା । ଦୀର୍ଘ କୋଡ଼ିଏ ଦିନ ଯୁଦ୍ଧପରେ ଏପ୍ରିଲ୍ ୧୩, ୧୮୪୮
ମସିହାରେ ବୀର ସୋମନାଥ ସିଂହ ହାରିଯାଇ ବନ୍ଦୀ ହୋଇଥଲେ ଓ ଅନୁଗୁଳ ଦୁର୍ଗ ଇଂରେଜମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ଫଳତଃ ବୀର ସୋମନାଥ ସିଂହ ବନ୍ଦୀହୋଇ ହଜାରିବାଗ୍ ବନ୍ଦୀଶାଳାକୁ ଚାଲାଣ ହୋଇଥିଲେ । ସୋମନାଥ ସିଂହ ହଜାରୀବାଗ୍ ଜେଲ୍ ଭିତରେ ଦୀର୍ଘ ୩ ଵର୍ଷ ୯ ମାସ ରହଣି ପରେ ୧୮୫୨ ମସିହାରେ ଦେହତ୍ୟାଗ କରିଥିଲେ । ଅନୁଗୁଳ ସ୍ଵାଧୀନତା ଆନ୍ଦୋଳନ ଦଶଵର୍ଷରୁ ଅଧିକ କାଳ ଧରି ଚାଲିଥିଲା । ଏଥିରେ ଅନେକ ସ୍ଵାଧୀନତା ସଂଗ୍ରାମୀ ନିଜର ପ୍ରାଣୋତ୍ସର୍ଗ କରିଥିଲେ । ସେହି ସବୁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ୧୮୩୬-୩୭ ମସିହାରେ ଇଂରେଜ ଵିରୋଧରେ ଵିଦ୍ରୋହ ଘୋଷଣା କରିଥିଵା ଘୁମୁସର ଵିପ୍ଳଵର ମହାନ ସ୍ଵତନ୍ତ୍ରତା ସେନାନି କମଳ ଲୋଚନ ଦୋରା ଓ ଚକରା ବିଷୋଇ
ସୋମନାଥ ସିଂହଙ୍କ ନିକଟରେ ଆତ୍ମ ଗୋପନ କରି ଵିଦ୍ରୋହରେ ଯୋଗ ହୋଇଥିଲେ । ଏହା ଵ୍ୟତୀତ ଅନୁଗୁଳ ରାଜାଙ୍କ ଦୁର୍ଗରକ୍ଷୀ ମଣି ସାମନ୍ତରା, ସେନାପତି ସିନ୍ଧୁ ଗଡ଼ନାୟକ, ନୀଳକଣ୍ଠ ଵିଦ୍ୟାଧର, ଵିପ୍ଳବୀ ଭୋବନୀ ମଙ୍ଗରାଜ ଇତ୍ୟାଦି ସ୍ଵାଧୀନତା ସଂଗ୍ରାମୀମାନେ ରାଜା ସୋମନାଥ ସିଂହଙ୍କୁ ସାହାଯ୍ୟ କରିଥିଲେ । କ୍ୟାମ୍ପବେଲଙ୍କ ଗୁଳିଚୋଟରେ ମଣି ସାମନ୍ତରା ଶହୀଦ ହୋଇଥିଲେ । ଭୋବନୀ ମଙ୍ଗରାଜ ଧରାପଡ଼ି କଟକ ଜେଲ୍‌ରେ ବନ୍ଦୀ ହୋଇ ରହିଲେ । କଟକ ଜେଲ୍‌ରୁ ପଳାୟନ କରିଵାପରେ କାଠଯୋଡ଼ି ନଦୀକୂଳରେ ତାଙ୍କ ମୁଣ୍ଡକାଟ କରାଗଲା । ନୀଳକଣ୍ଠ ଵିଦ୍ୟାଧର କଟକ ଜେଲ୍‌ରେ ଅକାଳରେ ମୃତ୍ୟୁଵରଣକରି ଶହୀଦ ହୋଇଗଲେ । ଜଗନ୍ନାଥ ସିଂହ, ଲିଙ୍ଗ ଚମ୍ପତ୍ତି, ରେଵତୀ ମଙ୍ଗରାଜ ଓ ସିନ୍ଦୁ ଗଡ଼ନାୟକ
ଇତ୍ୟାଦି ଵିପ୍ଳଵୀମାନେ ଶେଷରେ କଟକ ଜେଲ୍‌ରେ ଆଜୀଵନ ବନ୍ଦୀ ହୋଇ ରହିଲେ।  
ଅନୁଗୁଳର ସ୍ଵାଧୀନତା ସଂଗ୍ରାମ ଵିଫଳ ହେଵା ସହ ଲକ୍ଷ ଲକ୍ଷ କନ୍ଧମାନେ ଇଂରେଜମାନଙ୍କ ଅତ୍ୟାଚାରର ଶିକାର ହୋଇ ପ୍ରାଣ ହରାଇଥିଲେ । 

ତେବେ ସ୍ଵାଧୀନତାର ସତୁରି ଵର୍ଷ ଅତିଵାହିତ ହୋଇଯାଇଥିଲେ ବି ଵିପ୍ଳଵୀ ଵୀର ସୋମନାଥ ସିଂହ ଓ ଅନୁଗୁଳର ସ୍ଵାଧୀନତା ଆନ୍ଦୋଳନ ପ୍ରସଙ୍ଗଟି ଓଡ଼ିଶା ତଥା ଭାରତରେ ଯେତିକି ପ୍ରଚାରିତ ହେଵାର କଥା ହୋଇପାରି ନାହିଁ । ଅନୁଗୁଳ ରାଜ୍ୟରେ ଲକ୍ଷ ଲକ୍ଷ କନ୍ଧମାନଙ୍କୁ ମାରି ଇଂରେଜମାନେ ଯେଉଁ ମହାପାପ କରିଥିଲେ ସେହି ଲୋମହର୍ଷଣକାରୀ ଐତିହାସିକ ଘଟଣାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରି ଲୋକଙ୍କଠାରୁ ଲୁଚାଇ ଦିଆଗଲା । ଵିଦ୍ୟାଳୟର ଇତିହାସ ପୁସ୍ତକରେ ଏ ପ୍ରସଙ୍ଗ ପଢ଼ାନଯିଵାରୁ ଆଜି ସ୍ଵାଧୀନତା ସଂଗ୍ରାମୀ ଵୀର ସୋମନାଥ ସିଂହ ଓ ତାଙ୍କ ସହଯୋଗୀମାନଙ୍କୁ ଭାରତ,ଓଡ଼ିଶା କ'ଣ ଅନୁଗୁଳର ଅନେକ ଲୋକ ବି ଜାଣିନାହାନ୍ତି । 
••••••••••••••••••••••••••
ତଥ୍ୟ ଉତ୍ସ: ଯଦୁମଣି ଜେନାଙ୍କ "ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ" ପୁସ୍ତକ
••••••••••••••••••••••••••

Sunday, August 13, 2023

ମାଡ଼ହାଣ୍ଡି କଥା(ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ)

ଏକ ଦେଶରେ ଗୋଟିଏ ଚକୁଳିଆପଣ୍ଡା ଥାଏ, ସେଇଟି ଭାରି ଗରିବ । ସେ
ମାଆଟିଏ ପୁଅଟିଏ । ପୁଅ ନିତି ଭିକ ମାଗି ଯାଏ, ଛଅ ଗାଆଁ ଗଲେ ସେରେ ଆଣେ,
ନଅ ଗାଆଁ ଗଲେ ସେରେ ଆଣେ । ଇମିତିକା ଭିକ ମାଗି କରି ଯାହା ଆଣେ, ସେଥିରେ ଆପଣା ପେଟ ପୋଷେ । ମହାପ୍ରଭୁଙ୍କ ମାୟା ତ, ଦିନେ ସେ ଚକୁଳିଆପଣ୍ଡା କେତେ ଆଡ଼ ବୁଲିଲା ଯେ, ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କଅଣ ? ବେଳକୁ ତାକୁ ଗାଁ ପିଲାଏ ସବୁ ଟେକା ବୋଲୁଅ ଲଦି ମାଡ଼ ମାରି ତଡ଼ି ଦେଲେ । ପଛକୁ ଚକୁଳିଆପଣ୍ଡା ଵିଚରାଟି କାନ୍ଦିବୋବେଇ ପଳେଇ ଅଇଲା । ଶୋଧ୍ ପଶ୍ଚିମଆଡ଼କୁ ଗଲା, ଵିଚାରିଲା ଆଉ ଏ ନିର୍ଲଜ ମୁହଁ ଦେଖେଇଵାକୁ ଘରକୁ ଯିବି ନାହିଁ । ୟା ବିଚାରି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଯାଉଁଳିଟିଏ ପକେଇ ଯାଉଥାଏ । ଯାଉଁ ଯାଉଁ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀଟିଏ । ସେଥିରେ କଳା ଭଅଁର ଭଳି ଅଗଣ୍ଡ ପାଣି । ପୋଖରୀ ଚାରିପାଖଯାକ ଶଙ୍ଖ ମଲମଲ ପଥରରେ ପାହାଚ ବସିଛି । ୟାର ତ ସେତେବେଳେ ଭୋକଶୋଷରେ କରଡ଼ି ଜଳୁଥାଏ । ଏ କଅଣ କରିବ ? ତାକୁ ଆଉ ବୁଦ୍ଧିବାଟ ଦିଶୁ ନ ଥାଏ । ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀଵନ ଵିକଳରେ ପାଣିକୂଳ ପାହାଚ ଉପରେ ଲଥ୍‌କିନି ବସିଗଲା,
ଦେଖିଲା ଯେ କାଚକେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି, ସାତ ତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିଵ । ଚକୁଳିଆପଣ୍ଡା ସେ ପାଣିରୁ ଚଳ ଚଳ କରି ତା ଡାହାଣ ହାତରେ ଧରୁଥାଏ, ଏଣେ ମନକୁ ବାଆଁରେଇଵା ପାଇଁ
ମୁହଁରେ ମୁହଁରେ କହି ହଉଥାଏ 

“ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ,ଆମ୍ବିଳ ଖାଉଁ, ଖୁରି ଖାଉଁ, କାକରା ଖାଉଁ,ନାନମାନ ଖାଉଁ, ପୋଟଳ ଚକୁଳି ଖାଉଁ ।”

ଇମିତି ଗୋଟିଏ ଦରବ ନାଆଁ ଧରୁଥାଏ, ଚଳେ ଲେଖାଏଁ ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥାଆନ୍ତି ।ଚକୁଳିଆପଣ୍ଡାର ଡାକ ତାଙ୍କ କାନରେ ବାଜିଲା । ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟକଥା ଜାଣିପାରନ୍ତି । ସେ ତ କାହା ଵିକଳ ସହିପାରନ୍ତି ନାହିଁ । ୟା ଡାକ ଶୁଣି ମନେ ମନେ ଵିଚାରିଲେ, ଏ ଚକୁଳିଆପଣ୍ଡାଟି ସିନା ଭୋକ ଵିକଳରେ
ଇମିତି ହଉଚି । ଦେଵତାଙ୍କୁ ଅବା କୋଉଁ ଦରଵ ଅପୂରୁଵ ? ସେ କଅଣ କଲେ ନା,ଚକୁଳିଆପଣ୍ଡା ଯେତେକ ଦରଵ ନାଆଁ ଧରି ଚଳାଏ ଚଳାଏ ପାଣି ପିଉଥାଏ, ସେତେକ ବାବଦ ବାବଦ କରି ଦନାଟିମାନଙ୍କରେ’ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ,ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟିକାଣ୍ଟି କରି ଘୋଡ଼େଇ ଦେଲେ, ଏ ଚକୁଳିଆପଣ୍ଡାଟି ଯୋଉଁଠେଇ ବସିଥିଲା, ସେଇଠେଇଁକି ତୁନି କରି ଭସେଇ ଦେଲେ । ହାଣ୍ଡି ଭାସିଭାସିକା ୟା ପାଖରେ ଆସି ଲାଗିଗଲା । ଚକୁଳିଆପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା, କହିଲା, ଏ ହାଣ୍ଡିଟି ଶୂନ୍ୟରୁ ଏଠେଇଁକି କୁଆଡୁ ଭାସି ଅଇଲା ? ଏଥିରେ କଅଣ ଅଛି ଦେଖେଁ । ୟା ଵିଚାରି ସେ ତେଲୁଣିଟିକି କାଢ଼ି ଦେଲାବେଳକୁ ତା ଭିତରେ ଦିଵ୍ୟ ସରୁ ଘିଅଅନ୍ନ, ଡାଲି, ମହୁର, ଆମ୍ବିଳ, କ୍ଷୀରୀ, ପିଠା ଭଳିକି ଭଳି ଖଞ୍ଜା ହୋଇଛି । ସେଥିରୁ ସବୁ ବାମ୍ଫ ବାହାରୁଛି । ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନ ଥାଏ । ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା । ତାକୁ ତ ଭାରି ଭୋକ
କରୁଥାଏ; ସେ ହାଣ୍ଡିରୁ ପଦାର୍ଥଯାକ କାଢ଼ି ପେଟପୂରା ଖାଇଲା । ଜଣେ ମଣିଷ ତ,କେତେ ଇମିତି ଖାଇଵ ? ଯେତେକ ଖାଇଲାର ଖାଇଲା, ଦେଖିଲା ବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରିନଥାଏ,ଯେତେକ ବଳିଲା ସେତକ ଗୋଟି ଗୋଟି କରି ସେ ହାଣ୍ଡିରେ ପୂରାଇଲା, କହିଲା, ୟାକୁ ମୁଁ ଘରକୁ ନେବି ଯେ ମୋ ମାଆ ଖାଇଵ, ବାକି ଯାହା ବଳିଵ ଫେର୍ ଦୋଓଡ଼ା ଖାଇବି । ଖାଲି ହାତରେ ସିନା ଘରକୁ ଫେରିବି ନାହିଁ ବୋଲି ରୁଷି କରି ଘରୁ ବାହାରି ଯାଉଥିଲି, ଵର୍ତ୍ତମାନ ଏତକ ଯିମିତି ହାତରେ ପଡ଼ିଲା ସିମିତି ୟା ମନ କୁଣ୍ଢେ ମୋଟ ହୋଇଗଲା । ହାଣ୍ଡିଟିକି ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମୋହିଁଲା । ଘରେ ପହଞ୍ଚିଲା ବେଳକୁ ମାଆ ଯାଇଥାଏ ଗାଆଁ ଭିତରକୁ ଦୁଃଖ କରିଵାକୁ । ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା, ଘରେ ଖଣ୍ଡେ ମସିଣା ପାରି
ଶୋଇଲା । ମାଆ ଗାଆଁରୁ ଦୁଃଖଧନ୍ଦା କରି ପୋଷେ ଖୁଦ ପଣନ୍ତ କାନିରେ ବାନ୍ଧି ଘରେ
ଆସି ପହଞ୍ଚି ଦେଖେ ତ, ପୁଅର ପେଟ ଟୁମାଟୁମ୍ ଦିଶୁଛି, ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି, ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟିଏ । ହାଣ୍ଡିଟିକି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିଵ୍ୟ ସୁବାସ ଘିଅଅନ୍ନ, ଛଅ ତିଅଣ, ନଅ ଭଜା, ଚାର ପିଠା ଭରାଭର । ବୁଢ଼ୀ ତ ଭୋକରେ ଡହଳ ଵିକଳ ହଉଥିଲା,ତାକୁ ଏବେ କୋଟିନିଧି ମିଳିଗଲା । ସେ ଆଉ ପୁଅକୁ ଉଠେଇଵ କଅଣ ? ବାଡ଼ିକୁ ଯାଇଁ ବେଏଁ ଲମ୍ବର ଖଣ୍ଡେ କଦଳୀ ପତର କାଟି ଆଣିଲା, ହାଣ୍ଡିରୁ ଗୋଟି ଗୋଟି କରି ସବୁ ପଦାର୍ଥ ବାଢ଼ିଲା, ଯେତେକ ମନ ଇଚ୍ଛା କରି ଖାଇଲା, ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା । ପୁଅ ଶୋଇଥିଲା, ଉଠି ମାଆକୁ ସବୁ କଥା କହିଲା । ଫେର୍ ଉପର ଓଳି ହାଣ୍ଡିରେ ଯାହା ଥିଲା ମାଆ ପୁଅ ଖାଇ ଅଠିଲ ହୋଇଗଲେ ।

ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା, ଆରେ ପୁଅ,ଏତେ ମିହନ୍ତ କରି ଛଅ ଗାଁ ନଅ ଗାଁ ବୁଲିବୁ କିଆଁ ? କାଲି ସକାଳୁ ଫେର୍ ଯାଇ
ପୋଖରୀ କୂଳରେ ବସ, ଦେଖିଵା ଦେଖି କଅଣ ହଉଚି ? ମାଆ ପୁଅ ୟା ଵିଚରାଵିଚରି ହୋଇ ଶୋଇଲେ । ସକାଳୁ ଚକୁଳିଆପଣ୍ଡା ତ’ କାଲିର ସୁଆଦ ପାଇଛି ନା ସକାଳୁ ଉଠି ଧାଇଁଛି । ବଡ଼ି ଝଟପଟିରୁ ଉଠି, ଗାଧୋଇ, ଚିତାଚଇତନ କାଟି, ସିଧାଏ ସିଧାଏ ଯାଇ ଏକଦମ୍ ପଦ୍ମ ପୋଖରୀ କୂଳରେ ହାଜର । ଫେର୍ କାଲି ଯିମିତି ଭାତ ଖାଉଁ, ଡାଲି ଖାଉଁ,ତିଅଣ ଖାଉଁ, କରୁଥିଲା ଆଜି ସିମିତି ଚଳ ଚଳ କରି ପାଣି ପିଉଥାଏ, ଏଣେ ସିମିତି କହୁଥାଏ । ସତକୁ ସତ, କାଲିପରିକା ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା, ସେ ଆପେ ଯାହା ଖାଇଵାର ଖାଇଲା, ବାକି ଯାହା ବଳିଲା, ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା । ମାଆ ଗାଆଁରୁ ବୁଲିବାଲି ଆସି ଖାଇଲା । ଫେର୍ ରାତିକି ମାଆପୁଅ ଦିହେଁ ଢୋଲେ ଲେଖାଏଁ ଖାଇଲେ । ଇମିତି ନିତି ପୁଅ ହାଣ୍ଡିଟିମାନ ଆଣେ,
ମାଆପୁଅ ଦିହେଁ ସେତକ ଖାଇପିଇ ଖଇରି ହାକୁଟି ମାରି ଗଡ଼ଗଡ଼ଉ ଥାଆନ୍ତି । ପୁଅ ତ ଦେଖିଲା ଯେ ନିତି ଫୋକଟରେ ତାକୁ ଦିବ୍ୟ ସୁନ୍ଦର ଜୋଇଁ ଭୋଜନ ମିଳିଲା, ମାଆ ଦେଖିଲା ଯେ, ବସିଲାଠେଇଁ ତ ତାକୁ ଅଧାର ମିଳିଲା । ପୁଅ ଆଉ ଭିକ ବି ମାଗି ଗଲା ନାହିଁ, ମାଆ ବି ଦୁଃଖଧନ୍ଦା କରିଵାକୁ ଗଲା ନାହିଁ କି କୁଟା ଖଣ୍ଡକ ଦି’ଖଣ୍ଡ କଲା ନାହିଁ । ଇମିତି ମାଆପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗି ଯାଇଥାଏ । ଏଣେ ଗଙ୍ଗା
ମାତା ଵିଚାର କଲେ ଯେ, ଏ ମାଆ ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମ କଲେ
ନାହିଁ, ୟାଙ୍କ ଦେଖାଦେଖି ସଂସାରଯାକ ସମସ୍ତେ ତ କର୍ମକୋଢ଼ିଆ ହୋଇଯିବେ ଆଉ
ଦୁଃଖଧନ୍ଦାକୁ ତ କେହି ଆଦରିବେ ନାହିଁ, ୟାଙ୍କ ମୁହଁ ନ ଭାଙ୍ଗିଦେଲେ ହଵ ନାହିଁ । ଏଇତା ପାଞ୍ଚି ଗଙ୍ଗାମାତା କୂଟଟିଏ ଭେଇଲେ । 

ଦିନକର କ’ଣ ହୋଇଛି ନା, ଚକୁଳିଆପଣ୍ଡା ନିତି ଯିମିତି ଯାଏ, ସେଦିନ ବଡ଼ି ସକାଳୁ ଉଠି ସ୍ନାହାନ ପ୍ରକାର କରି ସେ ପଦ୍ମ ପୋଖରୀକି ଗଲା, ପାହାଚରେ ବସି ଯିମିତି ନିତି କରେ, ସିମିତି ସେଦିନ କଲା । ପାଣି ଚଳେ ଚଳେ ପିଉଥାଏ, ଏଣେ ମିଛରେ ମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚେଡ଼ି ଖାଉଁ, ଇଣ୍ଡୁରି ଖାଉଁ ଇମିତି କହୁଥାଏ । ମନେ ମନେ ଵିଚାର କରୁଥାଏ, ନିତି ଯିମିତି ହାଣ୍ଡିଟିଏ ଭାସିଆସେ, ସିମିତି ଭାସିଆସି ଆଜି ମୋ ପାଖରେ ଲାଗିଯିଵ ଯେ, ମୁଁ ସୁନାପୁଅ ଭଳିଆ ତାକୁ ନେଇ ମାଆପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁ। ଗଙ୍ଗା ମାତା ଵିଚାରିଲେ, ଦେଖ, ୟାର କେଡ଼େ କଥା । ମୁଁ ୟା ଵିକଳ ସହି ନ ପାରି ୟାକୁ ଖାଇଵାକୁ ଦେଲି ବୋଲି, ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିଵାକୁ ନାହାନ୍ତି । ଦିହିଁକି ଦିହେଁ ଗଣ୍ଡିଟିମାନ ବାହାର କରି ବୁଲୁଛନ୍ତି । ଆଜି ପୂଜାଟାଏ ଆଚ୍ଛା କରି ନ ଦେଲେ ଇୟେ ଚେତିବେ ନାହିଁ । ଗଙ୍ଗାମାତା ତ ସହଜେ ଦେଵତା, ତାଙ୍କୁ ଅବା କୋଉ କଥା ଉବାର ଅଛି ? ୟା ଵିଚାରି ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ିଏ ବିଧା, ଚାପୁଡ଼ା, କହୁଣୀ, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଇମିତି ଯେତେକ ମାଡ଼ ଏ ସଂସାରରେ ଅଛି, ସବୁ ପୂରେଇଲେ । ହାଣ୍ଡି ଉପରେ ତେଲୁଣିଟି କଣ୍ଟିକାଣ୍ଟି କରି ନିବୁଜ୍ଜୁ କରି ଘୋଡ଼େଇଦେଲେ, ଏ ଚକୁଳିଆପଣ୍ଡା ପାଖକୁ ଭସେଇ ଦେଲେ । ହାଣ୍ଡିଟି ଭାସିଭାସିକା ଆସି ୟା ପାଖରେ ଲାଗିଲା । ୟେ ତ ମନେ ମନେ ଆଗରୁ ମିଠେଇ ଖାଇ ବସିଛି, ହାଣ୍ଡିଟିକି କୂଳକୁ ଟେକି ନେଇ ତେଲୁଣିଟିକି କାଢ଼ି ଦେଲା ବେଳକୁ ହେଲା ତ ତା ଉପରେ ମାଡ଼ ଵୃଷ୍ଟି । ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା ଉପରେ ଗୋଇଠା, ତା ପଛକୁ ରାମ୍ପୁଡ଼ା, କାମୁଡ଼ା, ଇମିତି ଖାଲି ତା ଅଷ୍ଟାଙ୍ଗ ଶରୀରଯାକ ଦୁମ୍‌ଦାମ୍ ଭୁସ୍‌ଭାସ୍ ଲଦି ହୋଇ ଯାଉଥାଏ । ଚଟକଣା ଖାଇ ଗାଲକୁ ଆଉଁଶି ପକେଇଲା ବେଳକୁ ପିଠିରେ ଦୁଲୁ କରି ଗୋଟାକେତେ ବିଧା ବସୁଥାଏ ! ଡହଳ ଵିକଳ ହୋଇ ପିଠି ଆଉଁଶିଲା ବେଳକୁ ଖୁଆମୁଣ୍ଡିରେ ଦି ଗୋଇଠା ! ବେଳକୁବେଳ ସମୁଦ୍ର ଜୁଆର ମାଡ଼ି ଅଇଲା ଭଳିଆ ମାଡ଼ରେ କୁଆଛୁଆ ଉଡ଼ିଗଲା । ୟାକୁ ସେତେବେଳକୁ ଗୋଟାଏ ବୁଦ୍ଧି ପଇଟିଗଲା । ଏ କ’ଣ କଲା ନା, ଛଟପଟ ଜୀଵନ ଵିକଳରେ ଏ ହାଣ୍ଡି ଉପରେ ତେଲୁଣିଟାକୁ ଘୋଡ଼େଇ ପକେଇଲା । ଯିମିତି ଘୋଡ଼େଇ ପକେଇଛି ସିମିତି କିଏ ରାଣ ଦେଲା ଭଳିଆ ଏ ମାଡ଼ବୃଷ୍ଟି ଥମ୍ବିଗଲା’ । ଏ ଟିକିଏ ନିଃଶ୍ଵାସ ମାଇଲା । ସେତେବେଳକୁ ୟା ଦିହ ହାତ ମାଡ଼ରେ ଗଡ଼ଭଳିଆ ଫୁଲିଗଲାଣି । ଏ ରାଗରେ କମ୍ପମାନ ହଉଥାଏ । କିଏ ମାଇଲା ବୋଲି ଦେଖିଛି ଯେ, କାହା ଉପରେ ଦାଉ ସାଧିଵ ? 

‘‘ଶାଶୂ ମାରୁଥାଏ ବୋହୂକୁ, ବୋହୂ ଛାର ହୋଇ କାହାକୁ ମାରିଵ ମାରୁଥାଏ ଚୁଲି ମୁହଁକୁ ।’’

ସିମିତି ଚକୁଳିଆପଣ୍ଡା ତା ମା ଉପରେ ରାଗରେ ଜରଜର ହଉଥାଏ, ତା ମନ କଥା ମନରେ ଥାଏ, ସେ ହାଣ୍ଡିଟିକି ଉଠେଇ ଘରକୁ ପଳେଇଲା । ନିତି ଯିମିତି ନେଇ ଶିକା ଉପରେ ଥୋଇଦିଏ, ସିମିତି ହାଣ୍ଡିଟିକି ଶିକା ଉପରେ ରଖିଦେଇ ଭିକ ମାଗିଵାକୁ ଗଲା ବାହାରି । ତା ମାଆ ତ ଘରେ ନ ଥାଏ । ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠଉଁ ମାଆ ଜମାରୁ ଦୁଃଖ ଧନ୍ଦା କରିଵାକୁ ନାହିଁ । ଗାଆଁଯାକ ଅଷ୍ଟଦଣ୍ଡପାଟ ଭଳିଆ ଦାଣ୍ଡି ମାରୁଥାଏ । ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ । ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ, ଘର
ଭିତରକୁ ପଶି ଚାହିଁଲାବେଳକୁ ଶିକାରେ ହାଣ୍ଡିଟି ନିତି ଭଳିଆ ଥୁଆ ହୋଇଛି ସେ ତ
ମାଇପି ଲୋକ । ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିଵ ? ହାଣ୍ଡିଟିକି ଶିକାରୁ ଥିରିକରି ଓହ୍ଲେଇ ଆଣି ଯିମିତି ତେଲୁଣିଟିକି ସେ ହାଣ୍ଡି ମୁହଁରୁ କାଢ଼ିଛି, ଆଉ ବୁଢ଼ୀ ଯାଏ କୁଆଡ଼େ । ହେଲା ତ ମାଡ଼ ଉପରେ କୁଆପଥର ଛେଚିଲା ଭଳିଆ ମାଡ଼ । ଦୁଲ୍‌ଦାଲ୍ ଗୋଟାକ ଉପରେ ଗୋଟେ ବାଜି ଯାଉଥାଏ। ଇଲୋ ବାପ ଲୋ ! ମରିଗଲି ଲୋ, ହେଲା ବେଳକୁ ପିଠିରେ ଫେର୍ ଦିଇଟା ବସୁଥାଏ । ଆଲୋ ମାଆ ଲୋ, ମରିଗଲି ଲୋ ! ହେଲା ବେଳକୁ କଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ । ଏଣେ ଶୂନ୍ୟ ଶଵଦ ହଉଥାଏ, କେତେ ଖାଇବୁ ଖାଆ, ଖାଆ କ୍ଷୀରୀ ବୋଲି ବିଧାଏ, ଖାଆ ପିଠା ବୋଲି ଗୋଇଠେ, ଖାଆ ମହୁର ବୋଲି ବ୍ରହ୍ମ ଜାବୁଡ଼ାଏ ! ବୁଢ଼ୀ ଵିକଳରେ ଦିହ ହାତ ଆଉଁଶି ପକାଉଥାଏ, ଏଣେ ମଲାଭଳିଆ ଛଟପଟ ହୋଇ ଗଡ଼ି ଯାଉଥାଏ । ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଗଲା । ବୁଢ଼ୀ ଉଠିପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକେଇଲା । ହାଣ୍ଡି ଉପରେ ଢାଙ୍କୁଣୀ ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼-ଅସରା ବନ୍ଦ ହୋଇଗଲା । ବୁଢ଼ୀ ଟିକିଏ ନିଃଶ୍ଵାସ ମାଇଲା, କହିଲା ଓହୋ ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି ? ଆଜି ପରା ଦିନରେ ମାଡ଼ ଖାଇଲି । ୟା ବିଚାରି ସେ ହାଣ୍ଡିକି ନେଇ ତା ବାଡ଼ିଆଡ଼ ଖତକୁଢ଼ ଗଦାରେ ଲଥ୍‌‌କିନି ରଖିଦେଲା, ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ିକରି ଶୋଇଲା । ହାଣ୍ଡିଟି ଉପରେ ପଲମ’ ଘୋଡ଼ିଆ ହୋଇଥାଏ ।

ସେଦିନ ଦଇବ ଯୋଗକୁ ରାତି ଅଧ ହେଲାଣି, ଗାଆଁଯାକ ସମସ୍ତେ ଖାଇ ପିଇ ନିର୍ଜନ ହୋଇ ଶୋଇଲେଣି, ପଞ୍ଝାଏ ଚୋର କୋଉ ଗାଆଁରୁ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରି ଦୁଆରେ ଆସି ବସିଲେ । ତାଙ୍କ ଭିତରେ ଭାଗ
ବାଣ୍ଟ ଵିଚାର ଲାଗିଛି, ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା । ସେ ବିଚାରିଲା, ୟା ଭିତରେ କଅଣ ଅଛି ଦେଖନ୍ତେଇ । ୟା ବିଚାରି ସେ ହାଣ୍ଡିଟିକି ଖତଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା । ଯିମିତି
ସେ ପଲମଟିକି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଜାକ ଯିବେ କୋଉ ଗାଆଁକୁ ? ହେଲା ତ ସମସ୍ତଙ୍କ ଉପରେ ମାଡ଼, ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗୋଛବାଡ଼ିଆ ମାଡ଼, ମାଡ଼ରେ ଗୋରୁ ଚରିଗଲେ । ଏ ଚୋରଯାକ ଆଉ ଟଙ୍କାଟୋକର ବାଣ୍ଟିବେ କଅଣ ? ମାଡ଼ରେ କଲେଇ ବଲେଇ ହେଇ କିଏ କୁଆଡ଼େ ଛାଟିପିଟି ହୋଇ ପଳେଇଗଲେ । ‘ବୋଉ ଲୋ ! ବୋଉ ଲୋ ।’ ହେଇ ପଳାଉଥାନ୍ତି, ତାଙ୍କ ପଛେ ପଛେ ମାଡ଼ଯାକ ଗୋଡ଼େଇ ତୁଚ୍ଛା ଖୋବି ପକଉ ଥାଆନ୍ତି । ମାଡ଼ରେ ଧୂଳା ଉଡ଼ି ଯାଉଥାଏ । ଯୋଉଁ ଚୋର ଗୋଟାକେତେ ପୂରୁବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ାଯାକ ଗୋଡ଼େଇ ଗୋଡ଼େଇ ଗଲେ । ଯେ ପଚ୍ଛିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧାଯାକ ଗୋଡ଼େଇ ଗୋଡ଼େଇକା ଗଲେ, ଯେ ଉତ୍ତରକୁ ଗଲେ ତାଙ୍କୁ ଗୋଇଠାଯାକ ଗୋଡ଼େଇଲେ, ଯେ ଦକ୍ଷିଣକୁ ଗଲେ ତାଙ୍ଗ ସଙ୍ଗରେ ମୁଖିଯାକ ଗଲେ ।

 ଇମିତି ଇମିତି ବୁଢ଼ୀ ବାରିଆଡ଼ୁ ଘଡ଼ିକରେ ମାଡ଼ ଆଉ ଚୋରଯାକ ବି ଗଲେ, ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା ଅଷ୍ଟାଙ୍ଗ ଶରୀର ପରାସ ହୋଇ ଧକଉଥାଏ, ତାକୁ ଆଉ ରାତିଯାକ ନିଦ ମାଡ଼ିଵାକୁ ନାହିଁ । ସେ ଘର ଭିତରେ କତରାରେ ପଡ଼ି ଏକଡ଼ ସେକଡ଼ ହେଉଥାଏ । ବୁଢ଼ୀ ଘର ଭିତରେ ଥାଇ ଗାଲିପାଡ଼ି ଏ ସବୁ ବାରିଆଡ଼ର ରବୟାଯାକ ଶୁଣୁଥାଏ । ଯିମିତି ଏ ଚୋରଯାକ ପଳେଇଲେ ବୁଢ଼ୀ ଉଠିକରି ବାଡ଼ି କବାଟ ଧୁଡୁକିନି ଫିଟେଇଲା,
ଦେଖିଲା ବେଳକୁ ତା ବାଡ଼ି ପନ୍ଦାଡ଼ରେ ସିନ୍ଧୁକଟିଏ ଥୁଆ ହୋଇଛି ! ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥୁରିକିନା ସେ ସିନ୍ଦୁକ କବାଟକୁ ଟେକୁଥାଏ, କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ପୁଣି ଯେମିତି କିଛି ନ ବାହାରେ । ପଛକୁ ଦେଖିଲା ଯେ, ସେ ସିନ୍ଦୁକ ଭିତରୁ ଆଉ କିଛି ସୋରସାର ହେଲା ନାହିଁ । ସେଇଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି,ଗହଣାଗାଣ୍ଠି, ଟଙ୍କାଟୋକର ସିନ୍ଦୁକେ ଭରତି ହୋଇଛି । ୟା ଦେଖି ବୁଢ଼ୀର ମାଡ଼ଦରଜ କୁଆଡ଼େ ଉଭେଇ ଗଲା । ବୁଢ଼ୀ ତ ଏକୁଟିଆ ସେ ସିନ୍ଦୁକ ଟେକି ପାରିବ ନାହିଁ । ଘରୁ
ପାଚିଆଟିଏ ଆଣି ପାଚିଆ’ ପାଚିଆ କରି ପୁଳି ପୁଳି କରି ନଇଁ ନଇଁ କରି ସିନ୍ଦୁକରୁ ଧନ ଦରବତକ ରାତିକାରାତି ବୋହି ଲାଗିଲା । ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହଉଚି, ପୁଅ ଆସି ପହଞ୍ଚିଲା । ମାଆ ପୁଅ ଆଉ କାଲିର ମାଡ଼କଥା କ’ଣ କଥାଭାଷା ହେବେ କି ? ପୁଅକୁ ମାଆ ଏ ଧନ ଦଉଲତତକ
ଦେଖେଇଲା । ମାଆ ପୁଅ ଦିହେଁ ଟେକାଟେକି କରି ସିନ୍ଦୁକକୁ ଘର ଭିତରକୁ ଆଣିଲେ । ତହିଁ ଆର ଦିନ ସକାଳୁ ସେ ଅସରପିତକ ମାପିବେ ବୋଲି ବୁଢ଼ୀ ଆସି ଆମ ଘରୁ ଆମ ଛଅ ସୋରିଆ ଗଉଣୀଟି ମାଗି ନେଇଥିଲା ଯେ, ମୁଁ ମନେ ମନେ ପାଞ୍ଚିଲି,ୟାଙ୍କରତ ଅଇର ଖପରା ବଇରି ବା, ୟେ କଅଣ ମାପିଵାକୁ ଗଉଣୀ ନେଲେ ମ ? ୟା ଵିଚାରି ଦିହରୁ ବୁଦ୍ଧି କାଢ଼ି ଆମ ଗଉଣୀ ପେଟରେ ଟିକିଏ ମହୁସିଠା ମାଡ଼ି ଦେଇଥିଲି ଯେ, ବୁଢ଼ୀ ଆମ ଗଉଣୀ ଫେରେଇ ଦେଲାବେଳକୁ ଦେଖେଁ ତ ଗଉଣୀ ପେଟରେ ବନହଳଦୀ ଭଳି ଅସଲ ଜଇପୁରୀ ମଉଡ଼ଟିଏ ଲାଗିଛି । ମୁଁ ତାକୁ ନେଇ ଆମ ଗୁରୁଵାର ମାଣ ଦିହରେ ରଖୁଦେଲି । ଚକୁଳିଆପଣ୍ଡା ଘରକୁ ବାଆଁରା ବାଆଁରି ହେଇ ବୁଲଚାଲ ହୋଇକରି ଗଲି । ମାଆ ପୁଅ ଦିହିଁକି ଦିହେଁ ମତେ ଆଉ ପାଟି ଫିଟେଇଲେ ନାହିଁ । ମୁଁ ତେଣୁ ଆସି ବଣିଆକୁ ଡକେଇ ସେ ମଉଡ଼କଟା ସୁନାରେ ପୁଅ, ଝିଅ, ନାତିନାତୁଣୀଙ୍କ ପାଇଁ କାନକୁ, ନାକକୁ, ବେକକୁ, ମୁଣ୍ଡକୁ, ଜାତିଜାତିକା ଅଳଙ୍କାର ଗଢ଼େଇଲି । ଘର ଦୁଆର କରି ରହିଲି । ମୋ କଥାଟି ସଇଲା, ଫୁଲଗଛଟି ମଲା ।
•••••••••••••••••••••••••••••
         -----ଶବ୍ଦାର୍ଥ -----
•••••••••••••••••••••••••••••
•ଶୋଧ୍— ଶୁଧ;ଦିଗ ବାଚକ ଶବ୍ଦ ସଙ୍ଗେ ଯୁକ୍ତ କେଵଳ(Mere; only.) ଅର୍ଥଜ ଶବ୍ଦ 
(ଯଥା— ଶୁଧ୍/ଶୋଧ୍ ଉତ୍ତର, ଶୁଧ୍/ଶୋଧ୍ ପୂର୍ଵ) । ଏହାର ଅନ୍ୟ ରୂପ ଶୁଉଦୁ ଏଵଂ ସମ୍ପୂର୍ଣ୍ଣ,ପୂରା ଅର୍ଥରେ ପ୍ରୟୋଗ କରାଯାଏ(ଯଥା— ନଟିଆ ଶୁଉଦୁ ମିଛୁଆଟେ)

•ବୋଲୁଅ—,ଵୃହଦାକାର ଲୋଷ୍ଟ୍ର; ଢେଲା; ମାଟିର ବଡ଼ ଟେଳାକୁ ବୋଲୁଅ କୁହାଯାଏ । 
ଟେକାଠାରୁ ଟେଳା ବଡ଼. ଟେଳାଠାରୁ ବୋଲୁଅ ବଡ଼। 

•କରଡ଼ି— ବାଉଁଶଗଜା,ବାଉଁଶଗଜାରୁ ପ୍ରସ୍ତୁତ ଏକପ୍ରକାରର ତିଅଣ,ଗଛରୁ ଆପେ ପଡ଼ୁଥିଵା ଆମ୍ବ,ବିରୀ ଓକୋଳଥ ଆଦି ଶସ୍ୟର ଛୁଇଁରୁ ଶସକାଢ଼ି ନେଲାରୁ ଯେଉଁ ଚୋପା ଆଦି ରହେ ତାକୁ କରଡ଼ି କୁହାଯାଏ। କିନ୍ତୁ ଏଠାରେ ଜଠରାଗ୍ନି ଅର୍ଥରେ କରଡ଼ି ଶବ୍ଦ ପ୍ରୟୋଗ କରାଯାଇଛି । 

•ବାଆଁରେଇଵା— ଛଳନା କରିଵା,ବାହାନା କରିଵା,କଥାଦ୍ୱାରା ଭୁଲାଇଵା,ଭଣ୍ଡିଵା,ପ୍ରବଞ୍ଚନା କରିଵା, ଗୋଟିଏ କଥା ଚାଲିଥିଲାବେଳେ କୌଶଳ କରି ଆଉ ଗୋଟିଏ କଥା ଆରମ୍ଭ କରିଵା

•ନାନମାନ—ପୂରପୂର୍ଣ୍ଣ ଘୃତପକ୍ୱ ପିଷ୍ଟକଵିଶେଷ । ଏହା ଗଢ଼ିଵା ପାଇଁ ଚାଉଳ ଅଟାକୁ ଗୁଡ଼ରେ ପାଗକରି ଖଳି କରାଯାଏ। ଖଳି ମଧ୍ୟରେ ପୂର ଦେଇ ପେଣ୍ଡୁପରି ଗୋଲ ପିଠା କରି ତାହା ଘିଅରେ ଛଣାଯାଏ ।

•ବାବଦ ବାବଦ— ଅଲଗା ଅଲଗା
•ଦନା—ଚଉପଦି/ଚଉପତା ଵା ପତ୍ରଠୋଲା
•ଭରାଭର—ପରିପୂର୍ଣ୍ଣ
•କଣ୍ଟିକାଣ୍ଟି— ମାପକରି
•ଖଞ୍ଜା—ସଜା
•ସରି—ଶେଷ ହେଵା 
•ଦୋଓଡ଼ା—ଦ୍ଵିତୀୟଥର
•ବେଏଁ—ବିଏଁ, ଦୁଇହାତକୁ ଭୂମି ସହିତ ସମାନ୍ତରାଳ କରି ରଖିଲେ ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ମଧ୍ୟସ୍ଥ ଦୂରତା,
•ଅଠିଲ—ନାକେଦମ୍, ପୂରା ଖୁସ୍ 
•ତୁନି— ଚୁପ୍ ଚାପ୍
•ଦୁଃଖ କରିଵାକୁ ଯିଵା,ଦୁଃଖଧନ୍ଦା କରିଵାକୁ ଯିଵା— ଅନ୍ୟ ଘରେ ବାସନ ମାଜିଵା ଇତ୍ୟାଦି ଘରକରଣା କାମ କରିଵାକୁ ଯିଵା
•ମୋହିଁଵା— ଫେରିଵା,ମୁହାଁଇଵା
•ଟୁମାଟୁମ୍—ଅତି ଭୋଜନରେ ପୂର୍ଣ୍ଣ ଵା ଫୁଲିଥିଵା(ପେଟ), ଜଳପୂର୍ଣ୍ଣ ଜଳାଶୟ ଵା ପାତ୍ର । ଏହାର ଅନ୍ୟରୂପ ଟୁମ୍‌ଟୁମ୍ । 
•ମିହନ୍ତ(ଵୈ)—ପରିଶ୍ରମ
•ବଡ଼ି ଝଟପଟି—ଉଷା,ଭୋର ଵା ଆନ୍ଧାରୁଆ ସକାଳକୁ ଝଟଝଟି ଓ ଝଟପଟି କୁହାଯାଏ । ସେହିପରି ପ୍ରତ୍ୟୁଷକୁ ଓଡ଼ିଆ ଭାଷାରେ ବଡ଼ି ଝଟ୍ ଝଟ୍, ବଡ଼ିଭୋର୍, ବଡ଼ି ସକାଳ, ବଡ଼୍ଡିଭୋର୍, ବଡ଼୍ଡିସକାଳ, ବଡ଼୍ଡି ଝଟ୍ ପଟି, ବଡ଼ିବନ୍ଧାର(ରି) ଓ ବଡ଼ି(ଡ଼୍ଡି) ଅନ୍ଧାରିଆ ଇତ୍ୟାଦି କୁହାଯାଏ । 
•ଢୋଲେ ମାରିଵା—ପେଟ ପୂରା କରି ଭୋଜନ କରିଵା(ଵ୍ୟଙ୍ଗ୍ୟାର୍ଥ)
•ଅଧାର—ଆହାର,ଖାଦ୍ୟ
•ନିଖଟୁ— ଵିନା ପରିଶ୍ରମରେ (ଅଳସୁଆ ହେଵା)
•ଏଇତା— ଏତା,ଏୟା, ଏମନ୍ତ,ଏମିତି,ଇମିତି
•ଭେଇଵା— ଭିଆଇଵା
•ହେଣ୍ଡି ମାରି ବୁଲିଵା—ହେଣ୍ଡି ମାରିଵାର ଏକ ଅର୍ଥ ଵିଶେଷ ଆନନ୍ଦ ଵା ନିଶ୍ଚିନ୍ତତା ପ୍ରକାଶ କରିଵା ; ଆନନ୍ଦରେ ନାଚିଵା ତେବେ ଏଠାରେ ନିଷ୍କର୍ମା ଓ ନିଶ୍ଚିନ୍ତ ହୋଇ ବୁଲିଵା ଅର୍ଥରେ ପ୍ରୟୋଗ କରାଯାଇଛି। 
•ଉବାର—ନିଷେଧ,ମନା, ନିବାରଣ,ଅଜଣା,ଅଜ୍ଞାତ,ଗୋପନ, ଅଜ୍ଞାତ, ଗୁପ୍ତ, ଲୁକ୍କାୟିତ,ଅପୂର୍ଵ
•କୁଆଛୁଆ ଉଡ଼ିଵା— ଭୀଷଣ ପ୍ରହାର ହେଵା
•ପଇଟିଵା— ଜୁଟିଵା
•ଥମ୍ବିବା— ଥମିଯିଵା,ରହିଯିଵା
•ଅଷ୍ଟଦଣ୍ଡପାଟ—ବାତରା, ବାନା, ବୁଲା ,ଛତରା; ଯେ ଚାରିଆଡ଼େ ଵିନା କାମରେ ବୁଲୁ ଥାଏ
•ଉଗୁଡ଼େଇଵା—ମୁହଁ ମଡ଼ାଇ ରଖିଵା; ଲେଉଟାଇ ଦେଵା
•କଲେଇ ବଲେଇ— କଲବଲ
•ପରାସ—ଦେହର କୌଣସି ଅଂଶର ଦରଜ; ଵ୍ୟଥା,ଦୁଃଖ,କଷ୍ଟ, ଦୁଃଖଦାୟକ,ଵ୍ୟଥାଯୁକ୍ତ,କୌଣସି ସ୍ଥାନରୁ ଫିଙ୍ଗାଯିବା ଟେକା ଵା ଶର ଵା ଗୋଳା ଆଦି ପଡ଼ିଵାର ଦୂରତ୍ୱ । ତେବେ ଏଠାରେ ଵ୍ୟଥା ଅର୍ଥରେ ପ୍ରୟୋଗ କରାଯାଇଛି। 
•ଗାଲିପାଡ଼ି— ମୁହଁର ଗୋଟିଏ ପାଖକୁ ଲଗାଇପଡ଼ି ରହି ଶୋଇଥିଵାର ଛଳନା କରିବା; ଚେଇଁ ଶୋଇଵା,ଲୁକ୍କାୟିତ ଭାବରେ କୌଣସି କଥା ଶୁଣିଵା

•ରବୟା(ଵୈ)—,ଅଵସ୍ଥା,ଦେଶକାଳ ପାତ୍ରଗତ ଅଵସ୍ଥା ଵା ଘଟନା,ଚଳଣ,ଆଚରଣ । ଏଠାରେ ଦେଶକାଳ ପାତ୍ରଗତ ଅଵସ୍ଥା ଵା ଘଟଣା ଅର୍ଥରେ ପ୍ରୟୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗଡ଼ଜାତରେ ପାର୍ସୀ ମୂଳର ଅନ୍ୟ ଏକ ରବୟା ଶବ୍ଦ ହଇଜା ଅର୍ଥରେ ଆଗେ ପ୍ରୟୋଗ କରାଯାଉଥିଲା। 

•ପନ୍ଦାଡ଼— ଘରର ଓଳି,ଓଳିତଳ,ଘରର ହାତିଅନ୍ଧ ତଳେ ଥିଵା ପାଆ ଭାଗ ଵା ପିଣ୍ଡାର ଶେଷଭାଗ,ପନ୍ତାଡ଼,ବାରଣ୍ଡା
•ସୋରସାର— ସୋର୍ ଶବଦ;କୌଣସି ପ୍ରକାରର ଶବ୍ଦ
•ପାଚିଆ—ବାଉଁଶ ପାତିଆ, ତାଳ ବା ଖଜୁରି ପତ୍ର, କାଇଁଶ ଆଦିରେ ବୁଣା ଛୋଟ ଟୋକେଇ; ବାଉଁଶିଆ
•ଜାଙ୍ଗୁଲୁ ଜାଙ୍ଗୁଲୁ— ଅନ୍ଧାରୁଆ,ତ୍ରିସନ୍ଧ୍ୟାର ଅଵ୍ୟଵହିତ ପରର ଅନ୍ଧାର,ମାଛିଅନ୍ଧାର,ପାହି ଆସୁଥିଵା ରାତି,ପହାନ୍ତିଆ ସମୟ,ଭୋର ସମୟ । ଏଠାରେ ଭୋର ସମୟ ଅର୍ଥରେ ପ୍ରୟୋଗ କରାଯାଇଛି । 
•ଅସରପି(ଵୈ)—ଆରବ ଦେଶୀୟ ସ୍ଵର୍ଣ୍ଣମୁଦ୍ରାକୁ أَشْرَفِيّ • (ʔašrafiyy) କୁହାଯାଉଥିଲା । ମାମଲୁକ୍ ସୁଲ୍ତାନ୍ Al-ʾAšraf Sayf ad-Dīn Barsabayଙ୍କ ନାମାନୁସାରେ ଏହି ମୁଦ୍ରାର ନାମକରଣ ହୋଇଥିଲା । ଇଂରାଜୀ ଭାଷାରେ ଏହାକୁ ashrafee, asharfi, ushrufee ଓ xeriff ଆଦି କୁହାଯାଉଥିଲା । ଭାରତରେ ଵୈଦେଶିକ ଶାସନକାଳରେ ସ୍ଵର୍ଣ୍ଣମୁଦ୍ରାକୁ ଅସରପି କୁହାଯିଵାରୁ ପରେ ଯେକୌଣସି ସ୍ଵର୍ଣ୍ଣମୁଦ୍ରାକୁ ବି ଲୋକେ ଅସରପି କହିଵାକୁ ଲାଗିଲେ । 
•ଅଇରି ଖପରା ବଇରି ବା—ଏହା ଓଡ଼ିଆ ଭାଷାର ଏକ ଵିଶିଷ୍ଟ ଵାକ୍ୟ ଏଵଂ 
ଅତ୍ୟନ୍ତ ନିର୍ଦ୍ଧନ ଓ ଅଭାଵଗ୍ରସ୍ତ ଅଵସ୍ଥାକୁ ବୁଝାଇଥାଏ । ଯାହାର ନିର୍ଦ୍ଧନତା ଵା ଅଭାଵ ଯୋଗୁଁ ଘରେ ପ୍ରତିଦିନ ଚୁଲି ଜଳେ ନାହିଁ ଓ ଘରେ ଧାତୁପାତ୍ର ଖଣ୍ଡିଏ ନ ଥାଏ, ଲୋକେ କହନ୍ତି, "ତାର ଅଇରି ଖପରା ବଇରି ବା ହେଲାଣି"। 
   ••••••••••••••••••••••••••
•••••••••••••••••••••••••••••

Friday, August 11, 2023

ଆଜୀବନ ଅଜେୟ ସ୍ବାଧୀନତା ସଂଗ୍ରାମୀ ବୀର ଦାମୋଦର ଭଞ୍ଜ

କଳିଙ୍ଗ ଦେଶର ଆମ ଵୀର ପୂର୍ଵଜମାନେ ୧୭୫୩ରୁ ୧୯୦୦ ମସିହା ଯାଏଁ ଫରାସୀ(୧୭୫୩-ଘୁମୁସର) ଓ ଇଂରେଜମାନଙ୍କ(୧୭୫୭ର ଘୁମୁସର ଵିପ୍ଳଵରୁ ୧୯୦୦ ସମ୍ବଲପୁର ଵିଦ୍ରୋହ ଯାଏଁ) ଵିପକ୍ଷରେ ଦୀର୍ଘ ୧୪୦ ଵର୍ଷ ପର୍ଯ୍ୟନ୍ତ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ ‌। ସହସ୍ରାଧିକ କଳିଙ୍ଗୀ ଵୀର ନିଜ ଦେଶର ସ୍ଵାଧୀନତା ପାଇଁ ଆତ୍ମାହୁତି ଦେଇଥିଲେ କିନ୍ତୁ ସ୍ଵାଧୀନତାର ସତୁରି ଵର୍ଷ ପରେ ଅନେକ ଓଡ଼ିଆ ସେମାନଙ୍କୁ ଆଞ୍ଚଳିକ ମନେ କରି ପାଶୋରି ଦେଇଛନ୍ତି । ଏହିଭଳି ଜଣେ ଵିସ୍ମୃତ କଳିଙ୍ଗୀ ସ୍ଵାଧୀନତା ସଂଗ୍ରାମୀ ମୟୂରଭଞ୍ଜର ସଂଗ୍ରାମୀ ଵୀରଦାମୋଦର ଭଞ୍ଜ ହୋଇଥିଲେ । ସଂଗ୍ରାମୀ ଵୀର ଦାମୋଦର ଜଣେ ସ୍ୱାଧୀନଚେତା,ନିଡର ଓ ଵିଚକ୍ଷଣ ରାଜା ଥିଲେ ଏଵଂ ୧୭୮୧ ମସିହା ସମୟରେ ମୟୂରଭଞ୍ଜ ରାଜ୍ୟ ଶାସନ କରୁଥିଲେ । ସେତେବେଳେ ମୟୂରଭଞ୍ଜ ରାଜ୍ୟର କେତେକ ଅଞ୍ଚଳକୁ ମରହଟ୍ଟାମାନେ ହଠାତ୍ ଇଂରେଜମାନଙ୍କୁ ଦେଇଦେଵାରୁ ମୟୂରଭଞ୍ଜ ରାଜା ଦାମୋଦର ଭଞ୍ଜ ଏଥିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ମୟୂରଭଞ୍ଜ ରାଜା ଵୀର ଦାମୋଦର ଭଞ୍ଜ ନିଜ ରାଜ୍ୟର କୌଣସି ଅଂଶ ଗୋଟିଏ ଵୈଦେଶିକ ଜାତି ଅଧୀନକୁ ଚାଲିଯିଵାକୁ ସହଜରେ ସ୍ଵୀକାର କରିପାରୁନଥିଲେ । କିନ୍ତୁ ଏହାପରେ ଆଉ ଏକ ଅଘଟଣ ଘଟିଲା । ଅମର୍ଦ୍ଦାଦୁର୍ଗର ରାଜାଙ୍କୁ ଗାଦୀଚ୍ୟୁତକରି ଇଂରେଜମାନେ ଏହା ସହିତ ସଂପୃକ୍ତ ୮୧ ଟି ଗ୍ରାମକୁ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଥିଵା ଜମିଦାର ବେଲୋରାଚାରଙ୍କୁ ଦେଇଦେଵା ପାଇଁ ଚାହିଁଵାରୁ ମୟୂରଭଞ୍ଜ ରାଜା ଏହାର ଦୃଢ଼ ପ୍ରତିଵାଦ କରିଥିଲେ । ଇଂରେଜ ମାନଙ୍କ ଅତ୍ୟାଚାରକୁ ସେ ମୋଟେ ସହ୍ୟକରି ପାରୁ ନଥିଲେ କି ସେମାନଙ୍କ ପ୍ରଭୃତ୍ୱକୁ ସେ କେବେ ପସନ୍ଦ କରୁନଥିଲେ ଏଣୁ ୧୭୮୧ ମସିହାରେ ସେ ଇଂରେଜମାନଙ୍କ ଵିରୋଧୀ ହୋଇପଡ଼ିଥିଲେ । ଵୀର ଦାମୋଦର ଭଞ୍ଜ କାଳ ଵିଳମ୍ବ ନକରି ସେହି ୧୭୮୧ ମସିହାରେ ଇଂରେଜ କର୍ତ୍ତୃତାଧୀନ ଅମର୍ଦ୍ଦାଦୁର୍ଗକୁ ଆକ୍ରମଣ କରିଥିଲେ । ଫଳତଃ ଅମର୍ଦ୍ଦାଦୁର୍ଗ ଓ ଏହା ସହିତ ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳ ମୟୂରଭଞ୍ଜ ରାଜ୍ୟର ଅଂଶ ହୋଇଗଲା । 
ଇଂରେଜମାନେ ଏଥିରେ ମର୍ମାହତ ହୋଇ ଲେଫ୍‌ଟନାଣ୍ଟ ମାକ୍‌ଗ୍ରେଗରଙ୍କ ନେତୃତ୍ୱରେ 
ଵିପୁଳ ସୈନ୍ୟ ସାମନ୍ତ ଧରି ରାଜା ଦାମୋଦର ଭଞ୍ଜଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଲେ ‌। ଭୀଷଣ ଯୁଦ୍ଧ ହେଲା କିନ୍ତୁ କିଛି ଦିନପରେ ମାକ୍‌ଗ୍ରେଗର୍ ମଧ୍ୟ ପରାଜୟ ବରଣକରି ପଳାୟନ କରିଥିଲେ । କିନ୍ତୁ ଇଂରେଜମାନଙ୍କ ଦୁଃଖ ସରିନଥିଲା ! ଦାମୋଦର ଭଞ୍ଜ ନାନାପ୍ରକାର କୌଶଳ ଅଵଲମ୍ବନକରି ଇଂରେଜମାନଙ୍କୁ
ବାରମ୍ବାର ପରାଭଵ ଦେଉଥିଲେ । ବାରମ୍ବାର କମ୍ପାନୀ ଅଧିକୃତ ଅଞ୍ଚଳ ଭିତରକୁ ପ୍ରଦେଶକରି ଦୃଢ଼ ପ୍ରତିରୋଧକରି ପୁଣି ନିଜକୁ ପ୍ରତ୍ୟାହାର କରିନେଉଥଲେ ।

ଇଂରେଜ ମେଜର୍ ମାକ୍‌ଫେର୍ସନ୍ ଆସି ଲେଫ୍‌ଟନାଣ୍ଟ ମାକ୍‌ଗ୍ରେଗରଙ୍କ ସହ ମିଶି
ମୟୂରଭଞ୍ଜ ରାଜା ଦାମୋଦର ଭଞ୍ଜଙ୍କ ଵିପକ୍ଷରେ ଯୁଦ୍ଧ କରି ପରାଜୟଵରଣ କଲେ ଓ ଭଞ୍ଜରାଜାଙ୍କ ସୈନ୍ୟମାନଙ୍କ ନିକଟରୁ ଅସହାୟଭାବେ ପଳାୟନ କଲେ । ଏପରି ପରିସ୍ଥିତିରେ ମାକ୍‌ଫେରସନ୍ ଭାବିଲେ ଯେ ଅଧିକୃତ ପ୍ରଗନା ଗୁଡ଼ିକରେ ରକ୍ଷଣା ବେକ୍ଷଣା ପାଇଁ କେଵଳ ବହୁସଂଖ୍ୟକ ସୈନ୍ୟବଳ ଯଥେଷ୍ଟ ନୁହେଁ, କାରଣ ଶତ୍ରୁ ଏଠାରେ କେଵଳ ଶକ୍ତିଶାଳୀ ନୁହେଁ ଵରଂ କୌଶଳୀ ଓ ଆକ୍ରମକ ତେଣୁ ସେ ସିଧାସଳଖ ଯୁଦ୍ଧ ନକରି ଅନ୍ୟ ପନ୍ଥା ଉଣ୍ଡିଵାକୁ ଲାଗିଲେ । 

ଏହାପରେ ଇଂରେଜ କମ୍ପାନୀର ସାମଗ୍ରୀକ ସାହାଯ୍ୟନେଇ ବେଲୋରାଚାର ଜମିଦାର ତା’ର ଅପହୃତ ଜମିଦାରୀକୁ ପୁନର୍ଵାର ଲାଭ କରିଵାକୁ ଚେଷ୍ଟା ଚଳାଇଲେ କିନ୍ତୁ ଅସଫଳ ହେଲେ ।ଇଂରେଜମାନଙ୍କ ଅଧିକୃତ 'ଅଞ୍ଚଳ ଉଲମରା ଉପରେ ମଧ୍ୟ ରାଜା ଦାମୋଦର ନିଜର ଦାବୀ ସାଵ୍ୟସ୍ତ କଲେ । ସେ କୌଶଳକରି ବାଗ୍ରି ଜମିଦାରକୁ ନିଜ ପକ୍ଷକୁ ଆଣି ଏ ଵିଦ୍ରୋହରେ ସାମିଲ କରିଦେଲେ । ଇଂରେଜ ହଟାଅ ଧ୍ଵନୀଦେଇ ଅନ୍ୟାନ୍ୟ ଜମିଦାର ମାନଙ୍କୁ ମଧ୍ୟ ଉତ୍ତେଜିତ କରି ଇଂରେଜମାନଙ୍କୁ ଆକ୍ରମଣ କରିଵାରେ ଲାଗିପଡ଼ିଲେ । ସଂଗ୍ରାମୀ ଜନ୍ମଭୂମି ସେଵକ ରାଜା ଦାମୋଦର ଭଞ୍ଜଙ୍କ ଏପ୍ରକାର
କାର୍ଯ୍ୟକଳାପରେ ମ୍ରିୟମାଣ ହତୋତ୍ସାହିତ ହୋଇ ଶେଷରେ ମରହଟ୍ଟାମାନଙ୍କ ସହଯୋଗ ଲୋଡ଼ିଲେ । ମରହଟ୍ଟାମାନଙ୍କର ଶକ୍ତିକ୍ଷୟ ମଧ୍ୟ ହୋଇ ସାରିଥିଲା ଓ ସେମାନେ ମଧ୍ୟ ଇଂରେଜଙ୍କ ପ୍ରଭୃତ୍ୱକୁ ' ପରୋକ୍ଷରେ ମାନିନେଇ ସାରିଥିଲେ ଏଣୁ ସେମାନେ ଇଂରେଜମାନଙ୍କୁ ସାମରିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥିଲେ । କିନ୍ତୁ ଇଂରେଜ ଓ ମରହଟ୍ଟାମାନଙ୍କ ମିଳିତ ଵାହିନୀ ମୟୂରଭଞ୍ଜ ଆକ୍ରମଣକରି ମଧ୍ୟ ଜୟଯୁକ୍ତ ହୋଇପାରି ନଥିଲେ । ଯୁଦ୍ଧ ପରେ ଇଂରେଜମାନଙ୍କ ପକ୍ଷରୁ ଶାନ୍ତି ପ୍ରସ୍ତାଵ ଆଗତହେଲା । ଇଂରେଜ ଏମିତି ଜାତି ଯିଏ ଵିଜୟର ସମ୍ଭାଵନା ଥିଲେ ଶତ୍ରୁ ପକ୍ଷକୁ ଶାନ୍ତି ପ୍ରସ୍ତାଵର କୌଣସି ସୁଯୋଗ ଦିଏ ନାହିଁ କିନ୍ତୁ ହାରିଵାର ସମ୍ଭାଵନା ଥିଲେ ବାରମ୍ବାର ଶାନ୍ତିର ଗୀତ ଗାନ କରେ । ତେବେ ଏ ଶାନ୍ତି ପ୍ରସ୍ତାଵରେ ଦାମୋଦର ଭଞ୍ଜ କେତେକ ସର୍ତ୍ତ ରଖିଲେ ମାତ୍ର ଇଂରେଜମାନେ ତାହା ଗ୍ରହଣ ନକରିଵାରୁ ପୁଣି ସଂଗ୍ରାମ ଆରମ୍ଭ ହୋଇଥିଲା । ଧୀର-ଵୀର-କୌଶଳୀ ଦାମୋଦର ଭଞ୍ଜ ପୂର୍ଵ କୌଶଳ ଅଵଲମ୍ବନକରି ସେହିପରି ଇଂରେଜ ମାନଙ୍କୁ ବାରମ୍ବାର ପରାଭଵ ଦେଉଥିଲେ । ମାତ୍ର ୧୭୮୧ରୁ ଇଂରେଜମାନଙ୍କ ଵିପକ୍ଷରେ ସଂଗ୍ରାମ ଚଳାଇ ଏମିତି ଯୁଦ୍ଧ ଚାଲିଵା ଅଵସ୍ଥାରେ ୧୭୯୬ ମସିହାରେ ଦାମୋଦର ଭଞ୍ଜ ସ୍ଵର୍ଗଵାସୀ ହେଲେ । ତାଙ୍କ ଜୀଵନର ପନ୍ଦର ଵର୍ଷରୁ ଅଧିକ ସମୟକାଳ ଇଂରେଜ ଵିପକ୍ଷରେ ଯୁଦ୍ଧ କରିଵାରେ କଟି ଯାଇଥିଲା । ନିଜର ସମସ୍ତ କୌଶଳ ଓ ଶକ୍ତି ଖଟାଇ ଇଂରେଜ ମାନଙ୍କୁ ପ୍ରତିରୋଧ କରିଥିଲେ । ସେ ବୁଝିଥିଲେ ଇଂରେଜମାନଙ୍କୁ ପ୍ରତିରୋଧ ନକଲେ ସେମାନେ ଏମିତି ପ୍ରତ୍ୟେକ ରାଜ୍ୟକୁ କଵଳିତ କରି ପକାଇବେ
ଓ ଜନ୍ମଭୂମି ଵିଦେଶୀମାନଙ୍କ ହାତକୁ ଚାଲିଯାଇ ଲୁଣ୍ଠିତ ହୋଇଯିଵ । ଏଥିରେ ମାତୃଭୂମିର ମହତ ଯିଵ, ଏଣୁ ସେହି ଜାତୀୟ ସମ୍ମାନକୁ ରକ୍ଷା କରିଵାକୁ ଯାଇ ତାଙ୍କର ସମସ୍ତ ସୁଖ ସୌଭାଗ୍ୟକୁ ବଳିପକାଇ ଦେଇଥିଲେ ।

ଭାରତରେ ଵୀର ଦାମୋଦର ଭଞ୍ଜଙ୍କ ଭଳି ସ୍ଵାଧୀନତାସଂଗ୍ରାମୀ ରାଜା ଵିରଳ । ସେ ପନ୍ଦର ଵର୍ଷରୁ ଉର୍ଦ୍ଧ୍ବ ସମୟକାଳ ଇଂରେଜ ଵିପକ୍ଷରେ ଯୁଦ୍ଧ କରିଥିଲେ ଏଵଂ ସବୁ ଯୁଦ୍ଧରେ ଵିଜୟୀ ହୋଇଥିଲେ । ତାଙ୍କ ଶାସନକାଳରେ ଇଂରେଜମାନେ ଉତ୍ତର ଓଡ଼ିଶାରେ ପାଦ ଦେଵାକୁ ବି ଡରୁଥିଲେ କିନ୍ତୁ ସେ ଚାଲିଗଲା ପରେ ଇଂରେଜମାନଙ୍କର ସାହସ ବଢ଼ିଗଲା । ଏହାର କେତେକ ଵର୍ଷପରେ ୧୮୦୩ରେ ଓଡ଼ିଶାର ଅନେକ ଅଞ୍ଚଳ ଇଂରେଜମାନଙ୍କ ଅଧୀନକୁ ଚାଲିଗଲା । ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମୀଙ୍କ କଥା ପଡ଼ିଲେ ରାଣୀ ଲକ୍ଷ୍ମୀବାଇ,ଅଲୁରୀ ସୀତାରାମ ରାଜୁ,ଵୀରପାଣ୍ଡ୍ୟ କଟ୍ଟବୋମ୍ମ,ଭଗତସିଂହ, ଚନ୍ଦ୍ରଶେଖର ଆଜାଦ୍,ତିରୋତ୍ ସିଂ(ବଙ୍ଗଳାଦେଶର ମୈରାଙ୍ଗ) ଓ ଅନ୍ଯ ଅନେକ ଅଣଓଡ଼ିଆଙ୍କ ନାମ ପ୍ରଥମେ ନିଆଯାଏ କିନ୍ତୁ ଏହି କଳିଙ୍ଗରେ ଜନ୍ମ ନେଇଥିଵା ସୁଭାଷ ଚନ୍ଦ୍ର ବୋଷ ଓ କଳିଙ୍ଗଦେଶୀୟ ଭଞ୍ଜରାଜା ଵୀର ଦାମୋଦର ଭଞ୍ଜ ହିଁ ଆଜୀଵନ ଇଂରେଜ ଵିପକ୍ଷରେ ଯୁଦ୍ଧ କରିଥିଲେ ସିନା ଇଂରେଜମାନଙ୍କ ହସ୍ତରେ ମୃତ୍ୟଵରଣ କରିନଥିଲେ । ଉଲ୍ଲେଖଯୋଗ୍ୟ ଯେ ଵୀର ଦାମୋଦର ଭଞ୍ଜଙ୍କ ସ୍ଵର୍ଗଵାସର ଶହେ ଵର୍ଷ ପରେ କଳିଙ୍ଗ ଦେଶର କଟକ ନଗରରେ ୧୮୯୭ରେ ସୁଭାଷ ବୋଷଙ୍କ ଜନ୍ମ ହୋଇଥିଲା । ଵୀର ଦାମୋଦର ଭଞ୍ଜଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ସ୍ଵର୍ଗଵାସ ହେଲା ସିନା ତାଙ୍କ ଵିୟୋଗରେ କଳିଙ୍ଗ ଦେଶ ଵୀରହୀନ ହୋଇଯାଇନଥିଲା । ୧୮୦୩ ପରର ପରାଧୀନ ଓଡ଼ିଶାରେ 
ସହସ୍ରାଧିକ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମୀ ଇଂରେଜମାନଙ୍କ ଵିପକ୍ଷରେ ୨୧ରୁ ଅଧିକ ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ । 
କିନ୍ତୁ ସ୍ଵାଧୀନତା ପରେ ଓଡ଼ିଶାର ଲୋକଙ୍କ ପାଇଁ ଵୀର ଦାମୋଦର ଭଞ୍ଜ ଵିସ୍ମୃତ ହୋଇଗଲେ । ଇଂରେଜମାନଙ୍କ ଦ୍ଵାରା ଆଜୀଵନ ଅଜେୟ ରହିଥିଵା ଜଣେ ସ୍ଵାଧୀନତା ସଂଗ୍ରାମୀ ହୋଇ ବି ଆଜି ଓଡ଼ିଶାରେ ଅନେକ ଵୀର ଦାମୋଦର ଭଞ୍ଜଙ୍କୁ ଜାଣିନଥିଵା ଦୁର୍ଭାଗ୍ୟର ଵିଷୟ ନୁହେଁ କି ? 
••••••••••••••••••••••••••
ତଥ୍ୟ ଉତ୍ସ : ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ(ଯଦୁନାଥ ଜେନା)
••••••••••••••••••••••••••








ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...