Sunday, January 31, 2021

🗣️ତିନି ଅଳସୁଆ କଥା🗣️

ତିନିଜଣ ଅଳସୁଆ କର୍ମକୋଢି଼ଆ ଏକାଠି ରୁହନ୍ତି,ଖାଆନ୍ତି । ଦିନକର କଥା, ସେ ତିନିହେଁ ଖାଇ ବସିଥାନ୍ତି କିନ୍ତୁ ତୁ'ଣ ପାଣିଚିଆ ଲାଗିଵାରୁ ଲୁଣ ଲୋଡ଼ିଲେ । ତେଵେ ଲୁଣ ସରିଯାଇଥିଵାରୁ ଏବେ ଦୋକାନକୁ କିଏ ଯାଇ ଆଣିଵ ତାକୁ ନେଇ ସେମାନଙ୍କ ମଧ୍ୟରେ ମିମାଂଶା ତୁଟୁ ନଥାଏ ।

ତହୁଁ ଜଣେ ଅଳସୁଆ କହିଲା —
“ଯିଏ ଆଗେ କଥା ହେଵ ସିଏ ଲୁଣ ଆଣିଵାକୁ
ତଳକୁ ଯିଵ...”

ସମସ୍ତେ ସେଇମିତି "ଦାରୁ ମୂର୍ତ୍ତି ମୁରାରୀ" ପରିକା ଚୁପଚାପ୍ ବସି ରହିଲେ । କେହି କିଛି ଖାଇଵା ତ ଦୂରର କଥା ଉଁ  ଚୁଁ ବି କରୁନଥାନ୍ତି ।

ଏମିତିରେ ତିନି ଦିନ ଗଡି଼ଗଲା ଆଉ ତିନିଜଣ ଯାକ ଅଚେତ ହୋଇ ପଡ଼ିରହିଲେ ।

ପାଖ ପଡି଼ଶା ଲୋକେ ଭାବିଲେ ଏ ତିନିଟା ଖାଦ୍ୟରେ ଵିଷ ମିଶେଇ ଖାଇ ଦେଇଛନ୍ତି ତେଣୁ ସେମାନେ ତାଙ୍କୁ ମରିଯାଇଛନ୍ତି ଵିଚାର କରି
ସେମାନଙ୍କୁ ମଶାଣିକୁ ନେଇଯାଇ ଯୁଇରେ ଶୁଏଇ ଦେଲେ ।

ଯେମିତି ପ୍ରଥମ ଯୁଇକୁ ଜଳାଯାଇଛି ତହିଁରୁ ଗୋଟେ ଲୋକ ଡେଇଁପଡି଼ କହିଲା “ଆବେ ମୁଁ ବଞ୍ଚିଛି ବେ ମୋତେ କାହିଁକି ଜଳାଉଛ”

ସେତିକିଵେଳେ ଆର ଦୁଇଜଣ ଅଳସୁଆ ଯୁଇରୁ ଡେଇଁପଡି଼ ଯୋର୍ ରେ କହିଲେ

ଯା ଯା ରେ ପୁଅ
ଏବେ ତୁ ହିଁ ଲୁଣ ଆଣିବୁ 😂😇

Saturday, January 30, 2021

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ
ଦୟାମୟୀ କରୁଣା ତୁ ମାଆ
ତୋର ତୁଳନା ନାହିଁ (୨)
ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ଜୀଵନ ସାରା ଦେଇ ମମତା ପ୍ରତିଦାନେ ଖାଲି ଦୁଃଖ ପାଇଲୁ
ଲୋତକାଧାରା ଲୁଚାଇ ପରା ହସି ହସି
ମା ଗୋ ସବୁ ସହିଲୁ

ମା ଗୋ ନମାମି...

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

ଦିଵସ ନିଶି ମଉନେ ବସି ସହିଲୁ ତୁ
ମା ଗୋ ଦୁଃଖ ଯାତନା
ନାହିଁ ତୋ ମନେ ହେଲେ ବି ତିଳେ ଅନୁଶୋଚନା ମା ଗୋ   ତୁହି ମା କ୍ଷମା
ମା ଗୋ ନମାମି...

ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ
ଦୟାମୟୀ କରୁଣା ତୁ ମାଆ
ତୋର ତୁଳନା ନାହିଁ (୨)
ସ୍ଵର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ

Wednesday, January 20, 2021

ଚରମସୁଖ

ଚରମସୁଖର ଵୃଥା ଅନ୍ଵେଷଣ କରିଵା
ତାଠୁଁ ବଡ଼ ଦୁଃଖ ଆଉ କିଵା ଜଗତରେ ଅଛି ।।

ଜୀଵନରେ ଯାହା ଯେତିକି ମିଳିଛି
ତହିଁରେ ସନ୍ତୁଷ୍ଟ ଯେ ସେ ହିଁ ସୁଖୀ ହୋଇଅଛି ।।

ଚରମ ସୁଖ ଅନ୍ଵେଷଣରେ ଦୁଃଖୀ ହେଵାଠାରୁ ବଡ଼ ଦୁଃଖ ବୋଧହୁଏ ଜଗତରେ ଆଉ କିଛି ନଥାଇପାରେ । ଜୀଵନରେ ଯାହା ମିଳିଛି ଯେତିକି ମିଳିଛି ତାକୁ ନେଇ ସର୍ଵଥା ସନ୍ତୋଷ ଲଭିଵା ଉଚିତ ଅଟଇ ।

Thursday, January 14, 2021

କଟକରେ ନେତାଜୀ

କଟକରେ ଏକ ବସ ଟର୍ମିନାଲର ନାମ ନେତାଜୀଙ୍କ ନାମରେ ନାମିତ ହେଵାକୁ ଯାଉଛି । ତେବେ କଟକ ନଗର ଆଜି ବି ତାଙ୍କୁ ଝୁରେ ଅଵଶ୍ୟ ସେ କେବେ କଟକ କି ଓଡ଼ିଶା ଓଡ଼ିଆ ପାଇଁ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଵା ଶୁଣାଯାଏ ନାହିଁ କିନ୍ତୁ କଟକଵାସୀ ତାଙ୍କର ବଡ଼ପଣ ଦେଖେଇଵାକୁ ଭୂଲି ନାହାନ୍ତି ।

୧)ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଏବେ ମ୍ୟୁଜିୟମରେ ପରିଣତ ହୋଇଛି ।

୨)କଟକର ଏକ ସେତୁ ର ନାମ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ରଖାଯାଇଛି । ଏହା କାଠଯୋଡି ନଦୀ ଉପରେ ନିର୍ମିତ ହୋଇଛି ।

୩)କଟକରେ ଏକ ସ୍ଥାନର ନାମ ନେତାଜୀ ନଗର ।

୪)କଟକରେ ନେତାଜୀ ସୁଭାଷ ମେମୋରିଆଲ ସିଟି କଲେଜର ସ୍ଥାପନା ହୋଇଅଛି ।

୫)ଦରପାରରେ ଏକ ବିଦ୍ୟାଳୟର ନାମ ନେତାଜୀ ରଖାଯାଇଛି ; ନେତାଜୀ ପବ୍ଲିକ ସ୍କୁଲ ।

୬) ନେତାଜୀ ନଗରରେ ଏକ ରୋଡ୍ ର ନାମ ନେତାଜୀ ନଗର ରୋଡ୍

୭)କଟକର RWD କଲୋନୀରେ ନେତାଜୀ ଗ୍ୟାଲେରୀ ଵିଦ୍ୟମାନ

୮)ଫୁଲନଖରା,ବାବୁଜଙ୍ଗ,ବାବୁରୀ ଇତ୍ୟାଦି କଟକର ଅନେକ ସ୍ଥାନରେ ନେତାଜୀ ୟୁଥ୍ କ୍ଲବ୍ ଗଢି ଉଠିଛି ଏଵଂ ବନ୍ଧୁପୁର ଭଳି କେତେକ ସ୍ଥାନରେ ନେତାଜୀ କ୍ଲବ୍ ବି ରହିଛି

୯)ଜେଲ୍ ରୋଡ଼ , ଓଡ଼ିଆ ବଜାର କଲୋନୀରେ ସୁଭାଷ ଚନ୍ଦ୍ର ବୋଷ ଆକାଡେ଼ ରହିଛି

୧୦)ରିଙ୍ଗ୍ ରୋଡ୍ ,କଟକରେ ଏକ ଛକର ନାମ ସୁଭାଷ ଚନ୍ଦ୍ର ବୋଷ ଛକ

୧୧)କଟକ ଓଡ଼ିଆ ବଜାରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ  ଅଡିଟୋରିୟମ ରହିଛି ।

୧୨)କଟକର ନେତାଜୀ ନଗରରେ ଏକ ଖେଳ ପଡି଼ଆର ନାମ ନେତାଜୀଙ୍କ ନାମରେ ନେତାଜୀ ପ୍ଲେ ଗ୍ରାଉଣ୍ଡ ରଖାଯାଇଛି ।

୧୩)ଜେଲ୍ ରୋଡ଼ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍କେଟ ରହିଛି

କେଵଳ ଗୁଗଲ ମ୍ୟାପରେ ଏତକ ସ୍ଥାନ ରହିଛି ଏଵଂ ଏଇଭଳି ଆହୁରି ସ୍ଥାନ ଥାଇପାରେ ‌। ଏଇଠି ଉଲ୍ଲେଖନୀୟ ଯେ ଵୀରଭୂମି କଟକରେ ଜନ୍ମଗ୍ରହଣ କରିଥିଲେ ବୋଲି ସୁଭାଷ ଚନ୍ଦ୍ର ବୋଷ ଏତେ ନୀଡର ସାହାସୀ ହୋଇପାରିଥିଲେ ‌। କଟକ ମାଟିରେ କୈଶୋରକାଳ ଯାଏଁ ରହି ସେ ପାଇଥିଲେ ଭୟ ସହ ଲଢି଼ଵାର ଶକ୍ତି । କଟକ ବିନା ସୁଭାଷଙ୍କ କାହାଣୀ ଅସମ୍ପୂର୍ଣ୍ଣ ଥିଲା ଅଛି ରହିଵ

ମୁଁ କି କେବେ ଦୀନ ହୀନ (ଛନ୍ଦକଵି ରାଧାମୋହନ ଗଡ଼ନାୟକ)

ମୁଁ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ "ମାଟି" କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା  । ଆମ ଅନଗୁଳର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା ନିମ୍ନରେ ପ୍ରଦତ୍ତ ହେଲା ...

        
••••••••••ମୁଁ କି କେବେ ଦୀନ ହୀନ ?•••••••••••

              (୧)

ଯେ ଦେଶର ପ୍ରଭୁ ଜଗତର ନାଥ,
ନଦୀ ଯା'ର ମହାନଦୀ,

ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା'ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ

ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ  ମତାଇ ଦେଲାରେ
ପଲ୍ଲୀ ପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୩)

ଯେ ଦେଶର ଵୀର ଶିଳ୍ପୀ ଦିନେ ରେ
ଚକିତ କରିଲା ଧରା

ପାଷାଣର ବୁକେ ଦେଖାଇ ଦେଲାରେ
ଚକିତ ଚିତ୍ର କଳା

ପାଷାଣ ଖଣ୍ଡେ ଉଠାଇ ଯହିଁରେ
ଵିଜ୍ଞାନ ହେଲା ମଳିନ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                      (୪)

ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା

ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

************
*********
****
ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର
ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣି ସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବ ଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା । ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶୀରା ପ୍ରଶିରାରେ ପ୍ରଵାହିତ ହେଉଅଛି । ଆମେ ଓ ଆମ ଜାତି ଦୀନ ହୀନ ନୁହେଁ ତେଣୁ ହେ କଳିଙ୍ଗଵାସୀ ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ । ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରୋତ୍କଳ !!!

Wednesday, January 13, 2021

ପ୍ରଥମ ସ୍ମଗଲର୍(ହରିଶଙ୍କର ପରସାଇ)

୧୨୭୨-୭୩ରେ ସଙ୍ଘର ସ୍ଵୟଂସେଵକମାନେ
ଵ୍ୟଙ୍ଗସମ୍ରାଟ ସ୍ୱର୍ଗୀୟ ଶ୍ରୀहरिशंकर परसाईଙ୍କ ଉପରେ ଆକ୍ରମଣ କରିଦେଇଥିଲେ କାରଣ ସେ ଦେଵୀ ଦେଵତା ଓ ପୁରାଣକଥାକୁ ନେଇ ଵ୍ୟଙ୍ଗ୍ୟ ଲେଖୁଥିଲେ ।  ଆକ୍ରମଣ ପରଦିନ ସମ୍ବାଦପତ୍ରରେ ତାଙ୍କର ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା ଯାହାର ନାମ ସେ ରଖିଥିଲେ
"मेरा लिखना सफल हुआ".....

ତାଙ୍କର ଏହିଭଳି ଏକ ଵ୍ଯଙ୍ଗ୍ୟ “प्रथम स्मगलर” ର ଓଡ଼ିଆ ଭାଵାନୁଵାଦ ନିମ୍ନରେ ପ୍ରକାଶିତ ହେଲା...


ଲକ୍ଷ୍ମଣ ମେଘନାଦର ତୀରରେ ଆଘାତପ୍ରାପ୍ତ ହୋଇ ପଡିଥାନ୍ତି । ହନୁମାନ ତାଙ୍କ ପାଇଁ ହିମାଚଳ ପ୍ରଦେଶରୁ ସଂଜୀବନୀ ନାମକ ଔଷଧ ନେଇ ଫେରୁ ଥାଆନ୍ତି। ଠିକ୍ ଅଯୋଧ୍ୟାର ସୀମାରେ ଦ୍ବାରରକ୍ଷକ ହାତରେ ହନୁମାନ ଧରା ପଡ଼ିଗଲେ । ତାଙ୍କୁ ଧରିଥିବା ଦ୍ଵାରପାଳକୁ ହନମାନ ପିଟିପିଟି ଦରମରା କରିଦେଲେ ।

ରାଜଧାନୀରେ ହାଲ୍ଲା ହୋଇ ଗଲା ଯେ ବଡ ବଳଶାଳୀ ସ୍ମଗଲର୍ ଆସିଛି । ଦେଶର ଫୋର୍ସ ଯାକ ଲାଗିଛନ୍ତି ହେଲେ ତା'ର ମୁକାବିଲା କରିପାରୁନାହାନ୍ତି ।
ଶେଷରେ ଭରତ ଏବଂ ଶତ୍ରୁଘ୍ନ ଆସିଲେ  ।
ହନୁମାନ ତାଙ୍କ ଆରାଧ୍ୟ ଙ୍କ ଭାଇମାନଙ୍କୁ ଦେଖି ଟିକିଏ ଦବିଗଲେ .....

ଅସନ୍ତୁଷ୍ଟ ମନରେ ଶତ୍ରୁଘ୍ନ କହିଲେ,
"ଏ ସ୍ମଗଲର ଗୁଡ଼ାକ ନାକେଦମ୍ କରି ରଖିଛନ୍ତିଛନ୍ତି,ଭାଇ ତମେ ତ ସନ୍ୟାସ ନେଇ ବସିଯାଇଛ । ମୋତେ ହିଁ ସବୁ ଭୋଗିବାକୁ ପଡୁଛି ।"

ଭରତ ହନୁମାନଙ୍କୁ ପଚାରିଲେ - କେଉଁଠୁ ଆସିଲ ?
ହନୁମାନ-ହିମାଚଳ ପ୍ରଦେଶରୁ
ଭାରତ-କଣ୍ ଅଛି ତୁମ ପାଖରେ ? ସୁନା ବିସ୍କୁଟ, ଗଞ୍ଜେଇ,ଅଫିମ ????
ହନୁମାନ- ଔଷଧ ଅଛି !!!!

ଶତ୍ରୁଘ୍ନ କହିଲେ :-
ଆଚ୍ଛା  ଡ୍ରକ୍ସ କାରବାର କରୁଛ !!
କାଢି କି ଦେଖା ତ ଆଇଟମ୍ ଟା ଟିକେ ଦେଖିବା....
ହନୁମାନ ସଞ୍ଜୀବନୀ ଔଷଧ  ରଖିଦେଇ
​କହିଲେ
"ମୋତେ ଆପଣଙ୍କ ଭାଇ ରାମଚନ୍ଦ୍ର ଏହା ଆଣିବାକୁ ପଠାଇଥିଲେ ।"

ଶତ୍ରୁଘ୍ନ ଆବାକାବା ହୋଇ ଭରତଙ୍କ ଆଡକୁ ଚାହିଁ କହିଲେ :-
" ଆହା !!! ବଡ଼ ଭାଇ ବି ସ୍ମଗଲିଂଗ୍ କରିବା ଆରମ୍ଭ କରିଦେଲେଣି । ଟଙ୍କା ପଇସା ର ଯଦି ଏତେ ଅଭାବ ଥିଲା ଆମକୁ କହିଥାନ୍ତେ, ବସ୍ତା ବସ୍ତା ସୁନାମୋହର ପଠେଇ ଦେଇଥାନ୍ତୁ ।
ସ୍ମଗଲିଂଗ୍ ର ଧନ୍ଦାରେ କାହିଁକି ଫସିଛନ୍ତି ଯେ ?"

ଭରତ ପୁଣି ହନୁମାନଙ୍କୁ ପଚାରିଲେ:-
"ଆଚ୍ଛା ହନୁବାବୁ !!! ଏ ଔଷଧ ତୁମେ କେଉଁଠାକୁ ନେଉଥିଲ ଆଉ କେଉଁଠି ଆକୁ ବିକିଥାନ୍ତ ?"
ହନୁମାନ କହିଲେ-ଲଙ୍କାକୁ ନେଇଯାଉଥିଲି.....

ହନୁମାନ କଥା ଶୁଣି ଶତୃଘ୍ନ ଆଶ୍ଚର୍ଯ୍ୟ ହୋଇ କହିଲେ -
"ଓହୋ ! ତେବେ ଭାରତର ସ୍ମଗଲିଂଗ୍ ମାଲ୍ ଆଜିକାଲି ଲଙ୍କାଗଡରେ ବିକ୍ରୀ ହେଉଅଛି ?
କିଏ କିଣୁଚି ତାକୁ
ରାବଣର ଲୋକେ​ ?"

ହନୁମାନ କହିଲେ- "ଏହି ଔଷଧ ତ ମୁଁ ରାମଙ୍କ ପାଇଁ ନେଇ ଯାଉଛି ! କଥା କଣ୍ କି ଭାଇ ଲକ୍ଷ୍ମଣ ଶରବିଦ୍ଧ ହୋଇ ମୂର୍ମୁଷୁପ୍ରାୟ କୋମାରେ ପଡ଼ି ରହିଛନ୍ତି । ସ୍ଥାନୀୟ ଡାକ୍ତର କହିଥିଲେ ହିମାଚଳ ପ୍ରଦେଶକୁ ଯାଇ ଏହି ଔଷଧ ନେଇ ଆସିବାକୁ । ଏହି ଔଷଧ ବିନା ଲକ୍ଷ୍ମଣ ଙ୍କୁ​ ବଞ୍ଚାଇବା କଷ୍ଟକର........"

ଏକଥା ଶୁଣି ଭରତ, ଶତ୍ରୁଘ୍ନ ଆଶ୍ଚର୍ଯ୍ୟ ଚକିତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ ।
ସେତେବେଳକୁ ରେଜିଷ୍ଟ୍ରାରରେ ସ୍ମଗଲିଂଗ୍ ର ମାମଲା ଦର୍ଜ୍ ହୋଇ ଯାଇଥିଲା ।

ଶତୃଘ୍ନ ଭରତଙ୍କୁ ବୋଇଲେ -
"ଭାଇ ଆପଣ ଜ୍ଞାନୀ ! ଏହି ମାମଲାରେ ନୀତି କଣ୍ କହୁଛି ? ଶାସନର କର୍ତ୍ତବ୍ୟ କଣ୍ ?"

ଭରତ ବୋଲନ୍ତି - ସ୍ମଗଲିଂଗ୍ ସର୍ବଥା ଅନୈତିକ କିନ୍ତୁ ଯଦି ସ୍ମଗଲ୍ କରା ଯାଇଥିବା ଦ୍ରବ୍ୟରୁ ନିଜ   ଭାଇବନ୍ଧୁଙ୍କର ଲାଭ ହେଉଥାଏ ତେବେ ତାହା ନୈତିକ ହୋଇଯାଏ । ଯାଅ ହନୁମାନ !!!!!!
ନେଇ ଯାଅ ଔଷଧ !!!!!"

ଭରତଙ୍କ ରାୟ ଶୁଣିଲା ପରେ ଶତୃଘ୍ନ
ମୁନସୀଙ୍କୁ କହିଲେ :- ରେଜିଷ୍ଟ୍ରାରର ସେଇ ପୃଷ୍ଠାଟିକୁ ଚିରିଦିଅ......

Friday, January 8, 2021

ଯଦୁମଣି ଓ ଢେଙ୍କାନାଳର ରାଜା ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର

ସେତେବେଳେ ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର ଢେଙ୍କାନାଳଗଡ଼ର ଶାସକ ଥାଆନ୍ତି । ସେ ଥରେ ଗୋଟିଏ ପଣ୍ଡିତ ସଭାର ଆୟୋଜନ କରାଇଥିଵାରୁ ଉତ୍କଳଘଣ୍ଟ ଯଦୁମଣି ସେଠାକୁ ଯାଇଥିଲେ । ରାଜା ସ୍ଵୟଂ ପଣ୍ଡିତମାନଙ୍କର ଅଭ୍ୟର୍ଥନା କରୁଥାଆନ୍ତି । ଯେତେ ଉହୁଙ୍କିଲେ ବି ଯଦୁମଣିଙ୍କୁ ଦ୍ଵାରରକ୍ଷକମାନେ ଭିତରକୁ ଯିଵାକୁ ଦେଲେ ନାହିଁ । ରାଜା ଯଦୁମଣିଙ୍କୁ ଚିହ୍ନି ନପାରି କ୍ୟେତୁ କ୍ୟୈତୁ ବୋଲି ବାରମ୍ବାର କହି ତାଙ୍କୁ ସଭା ମଧ୍ଯକୁ ଯିଵାକୁ ଅନୁମତି ଦେଲେନି ।

ଯଦୁମଣି ଲେଉଟି ଆସନ୍ତେ ମାତ୍ର ସେ ବି ସହଜେ ଛାଡି଼ଵା ଲୋକ ନୁହନ୍ତି । ସେଇଠି ତତ୍କ୍ଷଣାତ୍ ସେ ଏକ ଆଶୁ କଵିତା ଗାଇଲେ...

“ମନସୀ କାଳୀ ମନ୍ଦିର ଅହିତ
ଶୋଭାଗ୍ର ଅଗ୍ରଫଳ ସଙ୍ଗେ ମିତ
ଚତୁର ଭଜନରେ ବଳଵନ୍ତ
ସମାପ୍ତ ଋକ୍ଷକନ୍ୟାର ଵରତ
ସେ ଦେଵଙ୍କ ଅନୁଗ୍ରହେ
ଶ୍ରୀଦେଉ ଶ୍ରୀମୁଖେ ବାନ୍ଧି ଦେଇଛନ୍ତି
ନଵଗ୍ରହୁ ଏକ ଗ୍ରହେ”

ଏ କଵିତାର ଭାଵାର୍ଥ ଏମନ୍ତ...

ଯେ କାଳୀ ମନ୍ଦିରକି(ଯମୁନାର) ଅହିତ ମନାସୀ ଥିଲେ ଅର୍ଥାତ୍ କାଳନ୍ଦୀ ଭେଦନ...

ଯେ ଶୋଭାଗ୍ର ଵା ତାଳ ଗଛର ଅଗ୍ରରେ ଥିଵା ତାଳଫଳ ସହ ମିତ ଅଟନ୍ତି ଅର୍ଥାତ୍ ତାଳଗଛର ଫଳ ଧ୍ଵଜରେ ଥିଵାରୁ ସେ ତାଳଧ୍ଵଜ ଵା ତାଳାଙ୍କ ନାମରେ ଵିଦିତ...

ଯେଉଁ ମୂର୍ତ୍ତିମାନ ତନ୍ମଧ୍ୟରେ ଯେ ବଳଵନ୍ତ ଵା ବଳରାମ ନାମରେ ଵିଖ୍ୟାତ ଅଟନ୍ତି

ପୁନଶ୍ଚ ସମାପ୍ତଋକ୍ଷ ଅର୍ଥାତ୍ ଶେଷ ନକ୍ଷତ୍ର ଯେ ରେଵତୀ ଉକ୍ତ ନାମଯୁକ୍ତା କନ୍ୟାର ଵର ଅଟନ୍ତି

ଯେ ବଳଦେଵ ଜୀଉ ତାଙ୍କର ଅନୁଗ୍ରହରୁ ଶ୍ରୀଯୁକ୍ତ ରାଜା ବାହାଦୁରଙ୍କ ଶ୍ରୀମୁଖରେ ନଵଗ୍ରହରୁ ଏକ ଗ୍ରହ କେତୁ ଯେ କି ଚାଣ୍ଡାଳ ଗ୍ରହ ତାକୁ ବାନ୍ଧି ଦେଇଛନ୍ତି । ଯେଉଁ ଚାଣ୍ଡାଳ ଗ୍ରହ କେତୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ ,ସେହି ଗ୍ରହକୁ ରାଜା ଆପଣା ମୁଖରେ ଧାରଣ କରିଛନ୍ତି ।

ପ୍ରକୃତରେ ଢେଙ୍କାନାଳର ରାଜା କ୍ଯେତୁ କ୍ୟେତୁ ଅର୍ଥାତ୍ କିଏ ତୁ; କେ' ତୁ ଉଚ୍ଚାରଣ କରି ଉତ୍କଳଘଣ୍ଟଙ୍କୁ କହିଥିଲେ ଯାହା କି କେତୁ ଵିଶେଷ୍ଯ ଶବ୍ଦ ସହ ଵାହ୍ୟ ସାମ୍ୟ ଥିଵାରୁ କଵି ଏମନ୍ତ ଏକ ଆଶୁ କଵିତା ରଚିଥିଲେ ।

ଅଵଶ୍ୟ ରାଜା ଆଶୁକଵିତାର ଅର୍ଥ ବୁଝିପାରି ଅତ୍ୟନ୍ତ ଲଜ୍ଜିତ ହେଲେ ଏଵଂ ଉତ୍କଳଘଣ୍ଟଙ୍କୁ ବାରମ୍ବାର କ୍ଷମାପ୍ରାର୍ଥନା ତଥା ଅତ୍ୟଧିକ ସମ୍ନାନ ଦେଖାଇ ନିଜ ପାର୍ଶ୍ଵରେ ଆସନ ଦେଇଥିଲେ । ସବୁ ପଣ୍ଡିତଙ୍କ ପରି ଯଦୁମଣିଙ୍କୁ ମଧ୍ୟ ସମାନ ଵିଦାକୀ ଓ ମର୍ଯ୍ୟାଦା ପ୍ରଦାନ କରାଗଲା । ସେଦିନ ଯଦୁମଣିଙ୍କ ଆଶୁ କଵିତାଟି ଶୁଣିଲାପରେ ସେଠାରେ ଉପସ୍ଥିତ ଅହଙ୍କାରୀ ପଣ୍ଡିତମାନନ୍ତ ସବୁ  ଗର୍ଵ ଗଞ୍ଜନ ହୋଇଥିଲା ...

...
କୋଶାଗ୍ର = ତାଳଗଛ
ଚତୁର = ଚତୁର୍ଦ୍ଧାମୂର୍ତ୍ତି
ଋକ୍ଷ = ନକ୍ଷତ୍ର
ସମାପ୍ତଋକ୍ଷ = ୨୭ ନକ୍ଷତ୍ର ମଧ୍ୟରେ ଶେଷ ନକ୍ଷତ୍ର ରେଵତୀ
ଅନୁଗ୍ରହେ = ଅନୁଗ୍ରହ କରି
ଶ୍ରୀ ଦେଉ = ସେ ରାଜାଙ୍କ
ଵରତ = ଵର ଅଟନ୍ତି
ଶ୍ରୀମୁଖେ ବାନ୍ଧି ଦେଇଛନ୍ତି = ମୁଖରେ ସ୍ଥାନ ଦେଇଛନ୍ତି ଵା ମୁଖରେ ନାମ ନେଉଛନ୍ତି ଵା କହୁଛନ୍ତି

(ସୌଜନ୍ୟ = ଯଦୁମଣି ଗ୍ରନ୍ଥାବଳୀ)

Wednesday, January 6, 2021

ତୁମ ଗାଆଁ : କିଆଫୁଲ(କଥା ସମ୍ରାଟ ମନୋଜ ଦାସ)

ତୁମ ଗାଆଁ କିଆଵନ, ଘନ ତା'ର ନିର୍ଜନ ଯୁବକ
ହଠାତ୍ ପ୍ରଭାତେ ଦିନେ ଦେଖିଥିଲି ତିନୋଟି ଚମକ,
ତିନୋଟି ପବିତ୍ର ,ଶୁଭ୍ର କିଆଫୁଲ,ତିନି ନମସ୍କାର,
ଆକାଶର ହୃଦୟରେ କରିଥିଲେ ସ୍ନେହର ସଞ୍ଚାର ।

ବାକି ସବୁଦିନ ଭଳି ସେଦିନ ବି ସହର ନଗର,
ବ୍ୟାପି ରହିଥିଲେ କେତେ ଜ୍ଞାନୀ,ଗୁଣି, ମନ୍ତ୍ରୀ ଧୁରନ୍ଧର ,
କିନ୍ତୁ ମୁଁ ସୌଭାଗ୍ୟକ୍ରମେ ଦେଖିନେଲି ଗୋଟିଏ ପଲକେ
ସୂର୍ଯ୍ୟର ଵିଚିତ୍ର ରୀତି, ସମ୍ପାଦିତ ଗୋଟିଏ ଝଲକେ—
ସନ୍ତର୍ପଣେ ଛୁଟିଆସି ଉଦ୍ୟମର ପ୍ରଥମ କିରଣ
ସେ ତିନୋଟି କିଆଫୁଲେ ଆଙ୍କିଦେଲେ ତିନୋଟି ଚୁମ୍ବନ !

ସେଦିନ ମୁଁ ବୁଝିଥିଲି ପୃଥିବୀର ସବୁ କୋଳାହଳ
ଅନ୍ତରାଳେ ଚାଲିଥାଏ କେତେ ସୂକ୍ଷ୍ମ ଲୁଚକାଳି ଖେଳ !

©କଥାସମ୍ରାଟ ମନୋଜଦାସ

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...