Sunday, November 24, 2019

ଟେବୁଲୁ ଗୋଲାପ ~ ଗୋଲାପର ଭ୍ରମ ସୃଷ୍ଟି କରୁଥିଵା ପାଦପ

ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲ୍ ଗୋଲାପ” ଫୁଲ ଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ ।

Portulacaceae ପାଦପ ପରିବାରର ଏହି ପୁଷ୍ପଗଛଟି  ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର ଲଗାଯିଵା ଆରମ୍ଭ ହୋଇଛି । Portulaca ପ୍ରଜାତିରେ ପ୍ରାୟ ୪୦ ରୁ ୧୦୦ ଜାତିର ପାଦପ ରହିଛି ତନ୍ମଧ୍ୟରୁ ସବୁଠାରୁ ସୁନ୍ଦର ପୁଷ୍ପ ହେଉଛି Portulaca grandifloraର ତେଣୁ ବୋଧହୁଏ ସେଇଥିପାଇଁ ଏହା ଏତେ ଲୋକପ୍ରିୟ ହୋଇପାରିଛି ।

ଏହାର ଅନେକ ଇଂରାଜୀ ନାମ ଭିନ୍ନ ଭିନ୍ନ ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ପ୍ରଚଳିତ ଯେମିତି କି

●rose moss
●eleven o'clock
●Mexican rose
●moss rose
●Vietnam Rose
●sun rose
●rock rose
●moss-rose purslane
ଆଦି...

ପାକିସ୍ତାନରେ ଏ ଫୁଲକୁ “गुल् दोपहरी” କୁହନ୍ତି କାରଣ  ଏ ଫୁଲ ଦ୍ବୀପହର ବେଳକୁ ସମ୍ପୂର୍ଣ୍ଣ ଫୁଟିଥାଏ ପୁଣି ଊର୍ଦ୍ଦୁଭାଷାରେ ‛ଗୁଲ୍ - ଏ - ଶାମ୍’ ବି କୁହାଯାଏ ।

ବଙ୍ଗାଳୀ ଭାଷାରେ “টাইম ফুল” (ଟାଈମ୍ ଫୁଲୋ) କୁହାଯାଏ କାରଣ ଏ ଫୁଲଟି ତା ଫୁଟିବା ଵେଳ ହେଲେ ଫୁଟେ .....

ଯେହେତୁ ଏ ଫୁଲ “୯.୦୦”ଟା ବେଳକୁ ଫୁଟେ ତେଣୁ ଏହି ଫୁଲ କୁ ଉତ୍ତର ଭାରତରେ “नौ वजैया” ମଧ୍ଯ କୁହନ୍ତି ।

ଫିଲିପାଇନ୍ସ ରେ ଏ ଫୁଲଟି uru-alas dose ବା twelve o'clock ନାମରେ ଜଣା ଶୁଣା ଯେଣୁ ୧୨ ଟା ବେଳକୁ ଏହା ମଉଳିବା ଆରମ୍ଭ କରିଥାଏ ।

ଭିଏତନାମରେ ଏ ଫୁଲକୁ "hoa mười” ଅର୍ଥାତ୍ "ten o'clock flower"
କୁହାଯାଏ ....
କାରଣ ୧୦ ଟା ବେଳକୁ ଏ ଫୁଲ ସମ୍ପୂର୍ଣ୍ଣ ଫୁଟି ଥାଏ ।

ଗୋଲାପ ଫୁଲ ଭଳି ଦେଖାଯିବା ସହ ଏହା ଟେବୁଲ୍ ଉପରେ ପାତ୍ରରେ ମଧ୍ଯ ରଖାଯାଇ ବଞ୍ଚାଇ ରଖାଯାଇ ପାରିବ ତେଣୁ
ଓଡ଼ିଆ ଏ ଫୁଲଗଛକୁ  “ଟେବୁଲୁ ଗୋଲାପ” କୁହନ୍ତି  ।
ବିଶ୍ବର ବିଭିନ୍ନ ଦେଶରେ ଏହାକୁ ଗୋଲାପ ମନେକରି ନାମ ପ୍ରଚଳିତ ହେଉଥିଲେ ହେଁ ପ୍ରକୃତରେ ଏ ଉଭୟ ପାଦପ ଗୋଟିଏ ଵଂଶଶାଖା,ମୂଳଵର୍ଗ ଵା Clade “Eudicots”ର ଅନ୍ତର୍ଭୁକ୍ତ ଏବଂ ଦୂର  ସଂପର୍କୀୟ ଅଟନ୍ତି......

ଟେବୁଲ୍ ଗୋଲାପ ଏକ ପ୍ରକାର ର ବାସହୀନ ପୁଷ୍ପ
ଗୋଲାପ ଭଳି ଏହାର ସୁବାସ ନାହିଁ କିନ୍ତୁ ସୌନ୍ଦର୍ଯ୍ୟ ଗୋଲାପ ଭଳି ହୋଇ ଥିବାରୁ ଏହାକୁ ଅନେକ ଦେଶରେ ଗୋଲାପ ଗଛ ସହ ସମ୍ବନ୍ଧିତ ଥିବାର ଭ୍ରମାତ୍ମକ ଅନୁମାନ କରାଯାଇଛି । ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗଙ୍ଗାଦୁବ କୁହାଯାଏ ବୋଲି ଜଣାପଡିଛି ପୁଣି ବାଲେଶ୍ଵରରେ ଟେବୁଲୁ ଗୋଲାପକୁ “ଦଶଟା ଫୁଲ” କୁହାଯାଏ ବୋଲି ଶୁଣାଯାଏ ।  ତେଵେ ଆମ ଦେଶରେ ଏହି ଫୁଲଗଛର ଦୁଇ ଜାତିଭାଇ ବି ଅଛନ୍ତି   ।

ଯଥା
■Portulaca oleracea
ଏହାର ଶାସ୍ତ୍ରୀୟ ନାମ ଘୋଟିକା । ମରାଠୀ ଭାଷାରେ ଏ ଗଛକୁ ଘୋଳ ,ମଳୟାଲମ୍ ଭାଷାରେ, കൊഴുപ(keāḻupa) ,ତାମିଳ ଭାଷାରେ தரைக்கீரை(Taraikkīrai) ଓ
ସିଂହଳା ଭାଷାରେ ගෙඳ(gen̆da) କୁହାଯାଇଥାଏ ।

■Portulaca Quadrifiga
ଵିଶାଳା,ମଦଶାକ,ଲୋଣା ଵା ଲୋଣୀ ଶାଗଗଛ ଯାହାକୁ ଓଡ଼ିଶାରେ ଲୁଣୁ ଲୁଣିଆ ଶାଗ ଓ ଲୁଣି ଶାଗ କୁହାଯାଏ । ଏହାର ଫୁଲ ମଧ୍ୟ ଗୋଟିଗୋଟି ଫୁଟେ, କିନ୍ତୁ ଫୁଲର ପାଖୁଡ଼ା ହଳଦିଆ ହୋଇଥାଏ ।  ଏହାର ପତ୍ର ଓ ମଞ୍ଜି ଔଷଧରେ ଵ୍ଯଵହୃତ ହୁଏ ।  ବୈଦ୍ଯକ ମତରେ ଲୁଣିଲୁଣିକା  ରୁକ୍ଷ, ଗୁରୁ, ଅଗ୍ନିଦୀପକ, ଅମ୍ଳ ରସ, ଲଵଣସ୍ବାଦଯୁକ୍ତ ଏଵଂ ଅଗ୍ନିମାନ୍ଦ୍ଯ ଓ ଵିଷଦୋଷ ନାଶକ ଅଟେ ।

●●●●●●●●●●●●●●●●●
●●●●●●●●
●●●●

ଆଜିକାଲି ଲୋକେ ଅସଲି - ନକଲି ସିଧା ଓ ବଙ୍କା ପନ୍ଥା ଵିଷୟରେ କାହାକୁ ବୁଝେଇଵାକୁ ଚେଷ୍ଟା କରୁଥିଲେ ଗୋଲାପ ତଥା ଟେବୁଲ ଗୋଲାପର ଉପମା ଦିଅନ୍ତି  । ଅସଲି ଗୋଲାପ ଗଛରେ ଅନେକ କଣ୍ଟା ସେଇଭଳି ସିଧା ବାଟ ମଧ୍ୟ କଣ୍ଟକିତ ହେଲେ ତାହାର ବାସ୍ନା ବଡ଼ ମନମୋହକ । ଗୋଲାପ ଫୁଲଟି ଅସଲି ହୋଇଥିଵାରୁ ତା ପାଖରେ କଣ୍ଟା ବି ରହିଛି ବାସ୍ନା ବି ରହିଛି କିନ୍ତୁ  ଟେବୁଲ ଗୋଲାପ ପାଖରେ କଣ୍ଟା ନାହିଁ ଅର୍ଥାତ୍ “ଅତି ଭକ୍ତି ଚୋରର ଲକ୍ଷଣ” ! ଟେବୁଲ ଗୋଲାପର ସୌନ୍ଦର୍ଯ୍ୟର ବାଇ ହେଇ ଦର୍ଶକ ତାକୁ ତୋଳିଦେଇ ସୁଙ୍ଘିଲାମାତ୍ରେ ଜାଣେ ଯେ ତାହା ଦୂରରୁ ଗୋଲାପର ଭ୍ରମ ସୃଷ୍ଟି କଲେ ହେଁ ପ୍ରକୃତ ଗୋଲାପ ନୁହେଁ । ତେଣୁ ଲୋକେ ଚାହିଁଲେ ଟେବୁଲ ଗୋଲାପର ଏଇ ଆଧାରରେ ନକଲିଫୁଲ ,ଠକୁଆ ଫୁଲ କି ମିଛଫୁଲ ନାଆଁ ରଖିପାରନ୍ତି । ତେଵେ ଆପଣଙ୍କ ଅଞ୍ଚଳରେ ଟେବୁଲୁ ଗୋଲାପର ଏଇଭଳି କି ଭିନ୍ନ କୌଣସି ନାମ ରହିଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ !

■■■■■■ଫଟକା Vs ବାଣ■■■■■■ Fire Crackersକୁ ଓଡ଼ିଆ ଭାଷାରେ ବାଣ କୁହାଯିଵା କେତେ ଯୁକ୍ତିଯୁକ୍ତ ?

କିଛି ଵିଚ୍ଛିନ୍ନତାଵାଦୀ ଯୁଵକ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା କହୁଛୁ ହିନ୍ଦିଭାଷୀ ବି ଆମପରି पटाख़ा କହୁଛନ୍ତି  ଇତ୍ୟାଦି...

ସେଇ ଅଳ୍ପମତି ଛୁଆମାନେ କିନ୍ତୁ ବାଣ ଶବ୍ଦର ନିରୁକ୍ତି ଜାଣିନାହାନ୍ତି କି ଫଟକା ଶବ୍ଦର ମୂଳ ଵିଷୟରେ ତାଙ୍କର କାଣିଚାଏ ବି ଜ୍ଞାନ ନାହିଁ ତେଣୁ ସେମାନେ ଏଭଳି ହୀନ ମନ୍ତଵ୍ଯ ପ୍ରଚାର କରୁଅଛନ୍ତି ବୋଲି ଅନୁଭୂତ ହୁଏ ।

ତେଵେ  ପ୍ରଥମତଃ ଓଡ଼ିଆ ଭାଷାରେ ଉଭୟ ଫଟକା ଓ ବାଣ ଶବ୍ଦ ରହିଛି ଏଵଂ ଦୁଇଟିଯାକ ଶବ୍ଦ ଵିଭିନ୍ନ ଅର୍ଥରେ ଵ୍ଯଵହାର ହୋଇଥାଏ ।

ଓଡ଼ିଆ ଭାଷାରେ ପଟ୍କା, ଫଟକା,ଫୋଟକା,ଫୁଟୁକା ଆଦି ଏହି ଶବ୍ଦର ଵିଭିନ୍ନ ରୂପ ଚଳୁଅଛି ଏମନ୍ତ କି ପଶ୍ଚିମ ଓଡ଼ିଶାରେ ଚଳୁଥିଵା ଫଟକା ଶବ୍ଦ ମଧ୍ଯ ଓଡ଼ିଆ ଭାଷା ସହିତ ସମ୍ବନ୍ଧିତ । ଯଦି ସମ୍ବଲପୁରୀ ଶୈଳୀରେ ଫଟକା ଶବ୍ଦ ପଟକା କି ପଟ୍ଖା ହୋଇଥାନ୍ତା ତେଵେ କୁହାଯାଇପାରନ୍ତା ଯେ ଏ ଶବ୍ଦ ହିନ୍ଦୀର पटाख़ा ଶବ୍ଦର ଏକ ରୂପ । ପୁଣି ହିନ୍ଦୀ ଭାଷା ଅପେକ୍ଷା ଫଟକା,ଫୋଟକା ଶବ୍ଦ ସମ୍ବନ୍ଧୀୟ ଅନେକ ଓଡ଼ିଆ ଶବ୍ଦ ଆମର ବହୁପ୍ରଚଳିତ ଯଥା ―

★ଫଟକା
★ଫଟ୍କି
★ଫୁଟକା
★ଫୁଟୁକା
★ଫୁଟକି
★ତାଳଫଟକା
★ଫୋଟକା
★ଫଟାକି ଉଆଁସ(ଗଞ୍ଜାମ; ଦୀପାଵଳି)
ଠୋ ଫଟକା(ଠୋ ଶବ୍ଦ କରିଵା)
★ଫଟକା ମାରିଵା(ତାଳଫଟକା (ବାଣ) ରେ ନିଆଁ ଲଗାଇ ଫୁଟାଇବା,ଫୁଟୁକୀ ମାରିଵା;ଦୁଇ ଆଙ୍ଗୁଠି ସାହାଯ୍ୟରେ ଫଟ୍ ଫଟ୍ ଶବ୍ଦ ସୃଷ୍ଟି କରିଵା)
★ଶୂନ୍ଫଟ୍କା―(ଯେଉଁ ଫଟକା ଵିନା ଅଗ୍ନିରେ, ଅର୍ଥାତ୍ ତଳେ ଆଘାତ କଲେ ଫୁଟେ,
ଇତ୍ୟାଦି ଇତ୍ୟାଦି...

ତେଵେ ଫଟକା  ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଅର୍ଥରେ ଵ୍ଯଵହାର ହୁଏ ଯଥା―

■ମୁତ୍ରାଧାର(Kidney)
■ହାତ ବା ଆଙ୍ଗୁଠିର ତାଳି ବା ସ୍ଫୋଟନ ଶବ୍ଦ(ଫଟକୀ,चुटकी)
■ଦେହରେ ଉଷୁମ୍ ତେଲ ପଡି଼ଗଲେ ଯେଉଁ ଫୋଟକା ପଡେ଼
■ଫୋଟକା (ଦେଖ)—3. Phoṭakā (See)
■ଗାମୁଛା

ତେଣୁ ଫଟକା  ଶବ୍ଦ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଅର୍ଥରେ ଚଳୁଅଛି । ଏସମସ୍ତ ଶବ୍ଦ ସଂସ୍କୃତର ସ୍ଫୋଟନ ଶବ୍ଦ ସହିତ ସମଦ୍ଧୃତ ଅର୍ଥାତ୍ ସମ ମୂଳରୁ ଉଦ୍ଧୃତ ।

ସଂସ୍କୃତ ତତ୍ସମ ସ୍ଫୋଟନ ଶବ୍ଦର ଅର୍ଥ ଗୁଡି଼କ ଯଥା―
■ବିଦାରଣ; ଫାଡି଼ଵା
■ପ୍ରକାଶନ
■ଫୁଟାଇବା; ଫୋଡ଼ିବା
■ଶବ୍ଦ
■ସୁଶ୍ରୁତ ଅନୁସାରେ ବାୟୁ ପ୍ରକୋପରୁ ବ୍ରଣର ପୀଡା଼ଵିଶେଷ, ଯହିଁହେତୁ ବ୍ରଣ ଫାଟିଗଲା ଭଳି ଜଣାଯାଏ...

ପୁଣି ଏହି ତତ୍ସମ ଶବ୍ଦ #ସ୍ଫୋଟନ ମୂଳଧାତୁ ରୂପ ହେଉଛି
#ସ୍ଫୁଟ୍_ଧାତୁ ଯାହା ଵିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି

★ଵିକସିତ ହେଵା
ପ୍ରସ୍ଫୁଟିତ, ପ୍ରସ୍ଫୁଟନ ଏଵଂ ଓଡ଼ିଆ ଭାଷାର [ଫୁଲ] ଫୁଟିବା କ୍ରିୟା ଶବ୍ଦ ଏଇ ଅର୍ଥ ସହିତ ଅର୍ଥଗତ ସାମ୍ଯ ରଖେ ।

★ପରିହାସ କରିଵା
★ଵ୍ଯକ୍ତ ହେଵା
★ଫୁଟାଇଵା; ଭେଦ କରିଵା
★ଵିଦୀର୍ଣ୍ଣ ହେଵା
★ଫାଟିଯିଵା

ମୂଳ ସଂସ୍କୃତ ସ୍ଫୁଟ୍ ଧାତୁ ମଧ୍ୟ ଫଟ୍ ଫଟ୍ ଭଳି ପ୍ରାକୃତିକ ଧ୍ଵନ୍ଯାନୁକରଣରୁ ଜାତ ମୂଳ ଶବ୍ଦଟିଏ । fire crackers ହେଉ କି ଆଙ୍ଗୁଠି ଫୁଟା ହେଉ କାହାକୁ ତାହା ଫଟ୍ ଫଟ୍ ଶୁଣାଯାଇଛି ତ କିଏ ଠୋ ଠୋ, ଢୋ ଢା଼ ଇତ୍ୟାଦି ଶୁଣିଛି ! ଯାହାକୁ ଯେମିତି ଶୁଣାଯାଇଛି ସେ ସେଇଭଳି ଶବ୍ଦ ସୃଷ୍ଟି କରି ଵ୍ଯଵହାର କରୁଛି...

କିନ୍ତୁ ଯଦି ଫଟକା ଶବ୍ଦଟା ଏତେ ଵୈଜ୍ଞାନିକ ତାହେଲେ
ଓଡ଼ିଆ ଭାଷାରେ fire crakers ପାଇଁ ଵ୍ଯଵହୃତ ଵାଣ ଶବ୍ଦଟି କଣ୍ ନିତାନ୍ତ ଅଵୈଜ୍ଞାନିକ ଵ୍ଯଵହାର କି ?

ନା ନା ଆଦୌ ନୁହେଁ ...

ଅତିକମ୍'ରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୪୪୯ତମ ପୃଷ୍ଠାରେ ବାଣ ଶବ୍ଦର ଯେଉଁ ସବୁ ଅର୍ଥ ଦିଆଯାଇଛି ତହିଁର ଆଧାରରେ ଵ୍ଯାଖ୍ଯା କଲେ ଆମେ ପାଆନ୍ତି ଯେ ବାଣ ଶବ୍ଦ ଵରଂ fire crackers ପାଇଁ ଏକ ସୁନ୍ଦର ତଦ୍ଭଵ ଭାରତୀୟ ପ୍ରତିଶବ୍ଦ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାଣ ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ ରହିଛି

◆◆◆◆◆ତତ୍ସମ ବାଣ ଶବ୍ଦର ଅର୍ଥ◆◆◆◆◆

■ଧନୁଦ୍ବାରା ଦୂରକୁ ଫିଙ୍ଗାଯିଵା ତୀକ୍ଷ୍ଣ ଲୌହାଗ୍ର ଲମ୍ବ ଅସ୍ତ୍ର; ଶର; ତୀର
■ପାଞ୍ଚ ଅଙ୍କ ବା ସଂଖ୍ଯାର ଏକ ଶାସ୍ତ୍ରୀୟ ନାମ
■ଅଗ୍ନି
■ଶବ୍ଦ
■ଗୋସ୍ତାନ; ଗାଈର ପହ୍ନା
■ଅସୁରବିଶେଷ; ବଳିରାଜାଙ୍କକ ଜ୍ଯେଷ୍ଠପୁତ୍ର; ବାଣାସୁର ଅନିରୁଦ୍ଧଙ୍କ ସ୍ତ୍ରୀ ଉଷାର ପିତା
■ନୀଳଝିଣ୍ଟି ଦାସକେରେଣ୍ଟା ଗୁଳ୍ମ
■ବାଣଭଟ୍ଟ କାଦମ୍ବରୀ ପ୍ରଣେତା ପ୍ରସିଦ୍ଧ ଶରର ଅଗ୍ରଭାଗ ■ଭଦ୍ରମୁଞ୍ଜ
■ନିଶାଣ; ଲକ୍ଷ
■ଇକ୍ଷ୍ବାକୁ ବଂଶୀଯ ବିକୃତି ରାଜାଙ୍କ ପୁତ୍ର

★★★★★ତଦ୍ଭଵ ବାଣ ଶବ୍ଦର ଅର୍ଥ★★★★★

■ଅଗ୍ନି ଲଗାଇଵା ନିମନ୍ତେ ପ୍ରସ୍ତୁତ ବାରୁଦକାମ; ଆତସବାଜୀ(ସଂ―ଅଗ୍ନିବାଣ; ବାରୁଦାଦି ଵିସ୍ଫୋଟକଯୁକ୍ତ ତୀର ଵା ଶର)
■ତାନ୍ତ୍ରିକ ମାରଣ କ୍ରିୟାର ଏକ ପ୍ରୟୋଗ; ୟନ୍ତ୍ର ପ୍ରୟୋଗ
■ବନ୍ଯା; ନଈ ବଢ଼ି(ଵାନ>ବାଣ;ଵାନ = ଵନ୍ଯା)
■ଜୁଆର(ସଂ–ଵାନ)
■ଏକ ପ୍ରକାର ଫୁଲ; ଗୋଡ଼ି ବାଣ(ସଂ―ଅଗ୍ନି ବାଣ)
■ତନ୍ତୀମାନଙ୍କୁ ଲୁଗା ବୁଣିଵାପାଇଁ ସୂତା ଦେଲେ ସେମାନେ ଯେଉଁ ଲୁଗାବୁଣିଵା ମଜୁରି ଚାହାନ୍ତି; କରମୂଲ(ବୟନ ଵେତନ>ବାଣ)
■ମୂଲ୍ଯ(ବାଣ ଟାଣ, ମାଣ ସାନ—ଢଗ।)

ତେଵେ ତତ୍ସମ ବାଣଶବ୍ଦର ମୂଳଧାତୁ ରୂପ ହେଉଛି
ବଣ୍/ବନ୍ ଧାତୁ ଯାହାର ଵିଭିନ୍ନ ଅର୍ଥରେ ଵ୍ଯଵହାର ହୋଇଛି
ଯଥା―
■ଶବ୍ଦ କରିଵା
■ନତ କରିଵା
■ଵିସ୍ତୃତ ହେଵା; ଵ୍ଯାପିଵା
■ଯାଚଵା କରିଵା,ପଚାରିଵା
■ସେଵା କରିଵା
■ମାଗିଵା

ତାହେଲେ ଯେଉଁମାନେ କହୁଛନ୍ତି ଓଡ଼ିଆ ଭାଷାରେ ବାଣ ଶବ୍ଦଟା ଅଵୈଜ୍ଞାନିକ ସେହି ଜାଣିକଣାମାନେ ଭଲ ଭାଵରେ ଆଖି ଖୋଲି ଦେଖନ୍ତୁ ଯେ ଆମ ଭାଷାର ବାଣ ଶବ୍ଦଟି ଓ ତହିଁର ଵ୍ଯଵହାର କେତେ ଵୈଜ୍ଞାନିକ ଓ ପ୍ରାଚୀନ ଅର୍ଥ ଆଧାରିତ !!!

ପ୍ରକୃତରେ ଓଡ଼ିଆ ଭାଷାରେ ଵ୍ଯଵହୃତ ତଦ୍ଭଵ ବାଣ ଶବ୍ଦଦ୍ଵାରା କଳିଙ୍ଗୀମାନେ ତତ୍ସମ ବାଣ ଶବ୍ଦର ଦୁଇଗୋଟି ଅର୍ଥ ଅଗ୍ନି ଓ ଶବ୍ଦ ତଥା ସେହି ତତ୍ସମ_ବାଣ ଶବ୍ଦର ମୂଳଧାତୁ ବନ୍ ଵା ବଣ୍'ର ଶବ୍ଦକରିଵା,ଵ୍ଯାପିଵା ଓ ନତ କରିଵା ଆଦି ଅର୍ଥକୁ ସହସ୍ରାଧିକ ଵର୍ଷଯାଏଁ ବଞ୍ଚାଇରଖିଵାରେ ସଫଳ ହୋଇଅଛନ୍ତି । ଇଂରାଜୀରେ ପ୍ରଚଳିତ bang ଶବ୍ଦ ମଧ୍ୟ ଏହି ବନ୍(ବଣ୍)ଧାତୁ ଏଵଂ ଓଡ଼ିଆ ବାଣ ଶବ୍ଦ ସହିତ ସମଦ୍ଧୃତ ଅଟେ ।

ସେହିଭଳି ଚୀନଦେଶରେ ବାଣ ପାଇଁ
鞭炮(biānpào) ଶବ୍ଦ ଵ୍ଯଵହାର ହୋଇଥାଏ ଯାହାର ଓଡ଼ିଆ ବାଣ ଶବ୍ଦ ସହିତ କୌଣସି ସମ୍ପର୍କ ଥାଇପାରେ କାରଣ ପ୍ରାଚୀନ କଳିଙ୍ଗୀମାନେ ଚୀନ ଓ ଜାପାନ ସହିତ ନୌଵାଣିଜ୍ୟ କରୁଥିଲେ ଏଵଂ ଭାରତଵର୍ଷର ଲୋକଙ୍କୁ ବାରୁଦରେ ଥିଵା ମୂଳଦ୍ରଵ୍ଯ ଗନ୍ଧକ ଵିଷୟରେ ବହୁପ୍ରାଚୀନକାଳରୁ ଜଣାଥିଲା । ଚୀନରେ  ଷଷ୍ଠ ଶତାବ୍ଦୀ ପରର ପୋଥିରେ ଗନ୍ଧକର ଉଲ୍ଲେଖ ମିଳେ କିନ୍ତୁ ତାହାର ବହୁ ପୂର୍ଵରୁ ଭାରତୀୟ ଗ୍ରନ୍ଥଗୁଡି଼କରେ ଵିଶେଷତଃ ଔଷଧ ସମ୍ବନ୍ଧୀୟ ଗ୍ରନ୍ଥରେ ଏହାର ଉଲ୍ଲେଖ ଥିଵା ଦୃଷ୍ଟିଗୋଚର ହୋଇଥାଏ ।

ତେଣୁ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ ଭାଷାରେ firecrackerର ପ୍ରତିଶବ୍ଦ ଭାଵେ ପ୍ରଚଳିତ ବାଣ ଶବ୍ଦଟି ଆଦୌ ଅଵୈଜ୍ଞାନିକ ନୁହେଁ । କୌଣସି ବି ଭାଷାର ଶବ୍ଦକୁ ନେଇ ଆକ୍ଷେପ କରିଵା ସୁସ୍ଥ ମାନସିକତା ଓ ଶିଷ୍ଟାଚାରୀର ଲକ୍ଷଣ ନୁହେଁ । ଦୟାକରି ଏଭଳି ହୀନଵିଚାରଧାରାର ଲୋକଙ୍କ ଠାରୁ ସମସ୍ତେ ଦୂରେଇ ଯିଵାକୁ ଅନୁରୋଧ କାରଣ ଏଭଳି ଲୋକ କେଵେ ଭଲପାଇଵା ଶିଖିନାହାନ୍ତି ,ଏମାନେ କେଵଳ ଘୃଣା ବାଣ୍ଟିବା ଜାଣନ୍ତି ।

©ଶିଶିର ସାହୁ ମନୋଜ

Saturday, November 23, 2019

ତୁଳସୀଦାସ ଓ ହନୁମାନ

ତୁଳସୀ ଦାସ କାଶୀକ୍ଷେତ୍ରରେ ରହୁଥିଵା ସମୟରେ ଥରେ ଏକ ଵିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ  ସେ ନିକଟରେ ଥିଵା ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ପିପ୍ପଳ ଵୃକ୍ଷ ମୂଳରେ ଢାଳି ଦେଉଥିଲେ । ସେହି ପିପ୍ପଳଵୃକ୍ଷରେ ଵାସ କରୁଥିଲା ଏକ ପ୍ରେତ ।

  ଜଳପାନ କରି ପ୍ରେତର  ତୃଷା ନିଵାରଣ ହେଉଥାଏ । କୌଣସିମତେ ପ୍ରେତଟି ଜାଣିଵାକୁ ପାଇଲା ଯେ ପ୍ରତ୍ୟହ ଵୃକ୍ଷମୂଳରେ ପାଣି ଢ଼ାଳୁଥିଵା ଵ୍ଯକ୍ତି ଜଣକ ମହାନ ପଣ୍ଡିତ ଅଟନ୍ତି ।

ଦିନେ ତୁଳସୀଦାସ ଉକ୍ତ ପିପ୍ପଳ ଵୃକ୍ଷମୂଳରେ ପାଣି ଢାଳୁଥିଵା ସମୟରେ ପ୍ରେତଟି ତାଙ୍କୁ ଦେଖାଦେଇ  କହିଲା-
"ହେ ଦେଵ !  ଆପଣ ପ୍ରତ୍ୟହ ଜଳଦାନ କରି ମୋହର ତୃଷା ନିଵାରଣ କରୁଛନ୍ତି । ମୁଁ ଆପଣଙ୍କ ଉପରେ ପ୍ରସନ୍ନ । ଆପଣ ଯାହା ଇଚ୍ଛା ତାହା ପ୍ରାର୍ଥନା କରନ୍ତୁ । ମୁଁ ଅଵଶ୍ୟ ପୂରଣ କରିବି ।"

ତୁଳସୀ ଦାସ କହିଲେ ମୁଁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିଵାକୁ ଚାହୁଁଛି । ପ୍ରେତଟି କିଛି ସମୟ ଚିନ୍ତା କରି କହିଲା-

"ରାମକଥା ଶୁଣିଵା ହେତୁ ଏହି କ୍ଷେତ୍ରକୁ ପ୍ରତିଦିନ ହନୁମାନ ଏକ କୁଷ୍ଠରୋଗୀ ବେଶରେ ଆସୁଛନ୍ତି । ସେ  ରାମଙ୍କର ପ୍ରଥମ ଓ ପ୍ରଧାନ ସେବକ ।  ସେ ସମସ୍ତଙ୍କ ପୂର୍ଵରୁ ଆସନ୍ତି ଓ ସଵା ଶେଷରେ ଯାଇଥାନ୍ତି । ସମୟ ଦେଖି ତାଙ୍କୁ ପ୍ରଣାମ କରି ନିଜର ଇଚ୍ଛା ଜଣାନ୍ତୁ । ସେ ନିଶ୍ଚୟ ତାହା ପୂର୍ଣ୍ଣ କରିବେ ।''

ତୁଳସୀ ଦାସା ତାହା ହିଁ କଲେ । ଚିତ୍ରକୂଟରେ ଭଗଵାନ ଶ୍ରୀରାମଙ୍କ ଦର୍ଶନ ଲାଭକରିଵେ ବୋଲି ହନୁମାନଙ୍କଠାରୁ ଜାଣିଵା ପରେ ତୁଳସୀ ସେଠାକୁ ଯାତ୍ରା କଲେ ।

ସେଠାରେ ପ୍ରତ୍ୟହ ରାମନାମ ଜପ କରୁଥାନ୍ତି ।   ଦିନେ ନିକଟଵର୍ତ୍ତୀ ଅଞ୍ଚଳକୁ ବୁଲିବାକୁ ଯାଇଥାନ୍ତି । ଅକସ୍ମାତ୍ ପଥ ମଧ୍ୟରେ ଦେଖିଲେ  ଦୁଇଜଣ ସୌମ୍ୟ ରୂପଧାରୀ ରାଜକୁମାର ଯାଉଛନ୍ତି । ହାତରେ ସେମାନଙ୍କର ଧନୁ ଓ ତୀର ଶୋଭା ପାଉଛି । ସେମାନେ ଶିକାର ଉଦ୍ଦେଶ୍ୟରେ ଯାଉଛନ୍ତି ବୋଲି ତୁଳସୀଙ୍କର ପ୍ରତୀତ ହେଲା । ସେମାନଙ୍କୁ ଦେଖି ତୁଳସୀ ଦାସ ଅତିଶୟ ପ୍ରୀତ ହୋଇଗଲେ ।

କିନ୍ତୁ ସେମାନେ କିଏ ତାହା ଜାଣିପାରି ନଥିଲେ । କିଛି କ୍ଷଣ ପରେ ହନୁମାନ ସେଠାକୁ ଆସି ଯେତେବେଳେ ସେ ଦୁହିଁଙ୍କର ପରିଚୟ ଦେଲେ ତୁଳସୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ହନୁମାନ ଆଶ୍ୱାସନା ଦେଇ କହିଲେ କାଲି ପ୍ରତ୍ୟୁଷରେ ନିଶ୍ଚୟ ଦର୍ଶନ ଲାଭ କରିବ ।

ସେଦିନ ଥିଲା ମୌନୀ ଅମାଵାସ୍ୟା । ପ୍ରାତଃକାଳରେ ଗୋସ୍ୱାମୀ ତୁଳସୀଦାସ ଠାକୁରଙ୍କ ପୂଜା ଉଦ୍ଦେଶ୍ୟରେ ଚନ୍ଦନ ଘୋରୁଥାଆନ୍ତି । ଭଗଵାନ ରାମ ତୁଳସୀଙ୍କ ନିକଟକୁ ଆସି ଚନ୍ଦନ ଲଗାଇ ଦେଵାପାଇଁ କହିଲେ । ହନୁମାନ ଅନ୍ତରାଳରେ ଥାଇ ଭାବିଲେ ଏଥର ମଧ୍ୟ ତୁଳସୀ ପ୍ରଭୁଙ୍କୁ ଚିହ୍ନିପାରିଵେ ନାହିଁ । ଶୁଆ ରୂପ ଧରି ହନୁମାନ ଚିତ୍ରକୂଟ ପର୍ଵତ କଥା ସ୍ମରଣ କରାଇ ଦେଇ ଦୋହା ବୋଲିଵାକୁ ଲାଗିଲେ । ଏହାଶୁଣି ତୁଳସୀଙ୍କ ନେତ୍ରରେ ଭଗବାନ ରାମଙ୍କ ମନମୋହନ ଛବି ନାଚି ଉଠିଲା । ଆଖି ଲୁହରେ ଛଳଛଳ ହୋଇଗଲା ।ଏଭଳି ଭାଵଵିହ୍ୱଳ ଅବସ୍ଥାରେ ଚନ୍ଦନ କିପରି ବା ଲଗେଇବେ ?

ପ୍ରଭୁ ଶ୍ରୀରାମ ପୁଣି ଥରେ କହିଲେ-
ବାବା ! ମୋତେ ଚନ୍ଦନ ଦିଅନ୍ତୁ, ହେଲେ ତୁଳସୀ ତ ଭାଵିଵିହ୍ୱଳ, ଆତ୍ମହରା । ଏହା ଶୁଣିବେ ଵା କିପରି? ଭଗବାନ ଶ୍ରୀରାମ ଆପଣା ହାତରେ ଚନ୍ଦନ ନେଇ ନିଜ ଲଲାଟ ଓ ତୁଳସୀଙ୍କ ଲଲାଟରେ ଲଗାଇଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତୁଳସୀ ଆଖି ଖୋଲି ଦେଖନ୍ତି ତ ସମ୍ମୁଖରେ ସେହି ଅପୂର୍ଵ କାନ୍ତିଯୁକ୍ତ ଦିଵ୍ଯପୁରୁଷ ନାହାନ୍ତି । ଜଳଵିହୀନ ମତ୍ସ୍ଯ ଭଳି ସେ ଯନ୍ତ୍ରଣାରେ ଛଟପଟ ହେଲେ । ଦିନଯାଇ ରାତି ହେଲା, ହନୁମାନ ତାଙ୍କର ମନୋଭାଵ ଜାଣି ନିକଟକୁ ଆସି ଅନୁରକ୍ତ ଭକ୍ତଙ୍କୁ ବୁଝାଇ ଦେଇଥିଲେ କିପରି ପ୍ରଭୁ ତାଙ୍କ ପ୍ରେମରେ ବାନ୍ଧି ହୋଇ ନିକଟକୁ ଆସିଲେ, ନିଜେ ତିଳକ ଗ୍ରହଣ କରି ତାଙ୍କ କପାଳରେ ତିଳକ ଲଗାଇଲେ ଇତ୍ୟାଦି । ହନୁମାନ କହିଲେ ଵ୍ଯସ୍ତ ହୁଅନି ! ତୁମେ ଏ ନଶ୍ଵର ଶରୀର ତ୍ଯାଗ କଲାପରେ ସେହି ଅନାଦି ଈଶ୍ଵରଙ୍କ ନିତ୍ଯ ଦର୍ଶନ କରିଵ । ଏତିକି କହି ହନୁମାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ...

Friday, November 22, 2019

ମୁଣ୍ଡାଭାଷାରେ ସାଧାରଣ କଥୋପକଥନ

ଭାରତର ସର୍ଵପୁରାତନ ପରିଵାର ହେଉଛି ମୁଣ୍ଡାଭାଷା ଉପପରିଵାର ଏଵଂ ଏହା ଆଷ୍ଟ୍ରୋଏସୀୟ ଭାଷାପରିଵାରର ଅନ୍ତର୍ଗତ ଅଟେ । ମୁଣ୍ଡାଭାଷା ପରିଵାରକୁ  ମୁଖ୍ୟତଃ
ଦୁଇଭାଗରେ ଵିଭକ୍ତ କରାଯାଇଛି ।

■ଉତ୍ତର ମୁଣ୍ଡାଭାଷା
ଖେର୍’ୱାରୀ,ବିଜୋରୀ,କୁରାଖୁ(କୁରକ୍ଷ),ମୁଣ୍ଡା,ମୁଣ୍ଡାରୀ,ଭୂମିଜୀ,ଅସୁରୀ,କୋଡା଼,ହୋ,ବିରହୋର୍,କୋଲ୍,ଟୁରି,ସାନ୍ତାଳୀ ଓ
ମହାଳୀ ଆଦି ଭାଷା ଉତ୍ତର ମୁଣ୍ଡାଭାଷାର ଅନ୍ତର୍ଭୁକ୍ତ

■ଦକ୍ଷିଣ ମୁଣ୍ଡାଭାଷା
ଖଡି଼(ରି)ଆ,ଜୁଆଙ୍ଗ, ଗାତା(ଗଦବା/Gta),ବଣ୍ଡା(ରେମୋ),ବୋଡୋ଼ ଗଦବା(ଗୁତବ୍),ପାରେଙ୍ଗି,ସୋରା(ସଉରା),ଲୋଧି ଓ ଝରାୟ ଆଦି ଭାଷାକୁ ଦକ୍ଷିଣ ମୁଣ୍ଡାଭାଷା ଭାଵେ ଗଣନା କରାଯାଏ ।

ତେଵେ ଏସମସ୍ତ ଭାଷାଗୁଡି଼କ ମଧ୍ୟରେ ଭାଷାଵିଦ୍ ମାନେ ମୁଣ୍ଡାଭାଷାକୁ ସର୍ଵପୁରାତନ ବୋଲି ମତ ଦିଅନ୍ତି ତେଣୁ ଏହି ଭାଷା ନାଆଁରେ ଭାରତୀୟ ଆଷ୍ଟ୍ରୋଏସୀୟ ଭାଷାଗୁଡି଼କୁ ମୁଣ୍ଡାଭାଷା ସମୂହ ନାମରେ ନାମିତ କରାଯାଇଛି ।

କଥୋପକଥନକୁ ମୁଣ୍ଡାଭାଷାରେ  ଜାପାଗାର କୁହାଯାଏ । ନିମ୍ନରେ ମୁଣ୍ଡାଭାଷାରେ କେତେକ ସାଧାରଣ ଵାକ୍ଯର ଉଦାହରଣ ଦିଆଗଲା ।

ଓ―କ୍ଷେତରେ ଗୋବର ଖତ ଦେଲେ ଭଲ ଫସଲ ହେବ ।

ମୁ―ଅତେରେ ଗୁରିଇ ଏମେରେ ବୁଗିନ ଚାଆସ ହବାନା  ।

ଓ―ତୁମର ନାମ କଣ ?
ମୁ―ଆମାଆ ନୁତୁମ ଚିନାଆ ?

ତୁମ ବାପାଙ୍କ ନାମ କଣ ?
ଆମାଆ ବାବା/ଆପୁଙ୍ଗ  ନୁତୁମ ଚିନାଆ ?

ତୁମ ମାଆଙ୍କ ନାମ କଣ ?
ଆମାଆ ମାଆ/ଇୟାଙ୍ଗ  ନୁତୁମ ଚିନାଆ ?

ଆଜି କଣ ଖାଇଛ ?
ତିସିଙ୍ଗ ଚିନାଆ ଜମ୍ତାଡ଼ାମ ?

(ନାମ) ଏଠିକି ଆସ ।
(ନୁତୁମ) ନେନ୍ତାତେ ହୁଜୁଇମେ ।

ତାକୁ ଟିକିଏ କୁହ ।
ଆୟେ ଜକା ଜାଗାରାଇମ ହୁଜୁୱେ ।

କାଲି ଆଗରେ ଆସିବ ।
ଗାପା ଆୟାରତେ ହୁଜୁଉମେ ।

ତୁମେ ସ୍କୁଲକୁ କେତେବେଳେ ଆସ ।
ଆମ ଚିମିତେଙ୍ଗ ଇସ୍କୁଲତେମ୍ ହୁଜୁୱେ ।

ସ୍କୁଲ କେତେବେଳେ ଛୁଟି ହୁଏ ।
ଇସ୍କୁଲ ଚିମିତେଙ୍ଗ ଛୁଟିନେ ।

ସ୍କୁଲରେ ପ୍ରାର୍ଥନା କର କି ?
ଇସ୍କୁଲରେ ଆର୍ଦାଶୟାପେ ଚି?

ପିଲାମାନେ ବୁଝିଲ କି?
ହୋନକ  ସମଝାଅଜାନାଚି ପେ ?

ଜାଣିଥିବା ପିଲା ହାତ ଟେକ ।
ଆଦାନ/ଏତଆନ  ହୋନକ ତିଇ ଦନ୍ଦୟେପେ ।

ଡ଼ର ନାହିଁ ।
ଆଲପେ ବରୟା ।

ନ ବୁଝିଲେ ପଚାର ।
କାପେ  ସମଝାଅଜାନରେ କୁଲିପେ/କାଜିପେ ।

ପିଲାମାନେ ପାଟି କର ନାହିଁ ।
ହୋନକ  ଆଲପେ କାକାଲାୟା ।

ଦଳ ଗଠନ କର ।
ଗଅଟ ବାୟିପେ ।

ସମସ୍ତେ ଅଂଶ ଗ୍ରହଣ କର ।
ସାବିନକ  ଭାଗା ଇଡେପେ ।

ଡ୍ରିଲ କର ।
ଡ୍ରିଲଲେ ମେ ।

ଖେଳ ପଡିଆକୁ ଯିବି ।
ଇନୁଙ୍ଗ  ପାଳିୟେତେଞ୍ଜ ସେନୁଆ ।

ପୁରସ୍କାର ପାଇବା ।
ପୁରସ୍କାର ନାମେୟାବୁ ।

(ନାମ) ଉଠ ।
(ନୁତୁମ) ଉଟେନେମେ ।

ସମସ୍ତେ ଧାଡ଼ିରେ ଠିଆ ହୁଅ ।
ସାବିନେକ ଦା-ଆଳିରେ ତିଙ୍ଗୁନପେ ।

ଆଖି ବନ୍ଦ କର ।
ମେଡ଼ ଜାପିଡ଼େପେ ।

(ନାମ) ଘଣ୍ଟା ବଜାଅ ।
(ନୁତୁମ) ଘାଣ୍ଟି ସାଳିପେ ।

ନଖ କାଟିଛ ।
ସାର ସାର ହାଡାକାନାପେ ।

ମୁଣ୍ଡରେ ତେଲ ଲଗାଇଛ ।
ବ-ଅରେ  ସୁନୁମେକେନେପେ ।

ଖବର କାଗଜ ପଢ଼ ।
ଖବର  କାଗଜ ପାଳାଅୟେପେ ।

ତୁ ତାକୁ କଣ କଲୁ ?
ଆମ୍  ଆୟେମ୍ ଚିକେକିଏ ?

ନ ଜାଣିଲେ ମୋତେ ପଚାର ।
କାପେ ଏତୟେରେ   ଆଞ୍ଜ୍ କୁଲିଞ୍ଜ ପେ ।

ବର୍ତ୍ତମାନ ବହି ବାହାର କର ।
ନାଁଆ  କିତେବ ଅଣ୍ଡଙ୍ଗପେ ।

ଫୁଲ ଗଛରେ ପାଣି ପକାଅ ।
ବାଆ ଦାରୁରେ  ଦା-ଆ ଏମେପେ/ଦୁଲେପେ ।

ତୁମ ବାରିରେ କି କି ଗଛ ଅଛି ।
ଆପେ ବାକାୟିରେ ଚିକାନ  ଚିକାନ ଦାରୁ ମିନାଆ ।

ନମସ୍କାର କର ।
ଜୁହାରରେପେ ।

ଅଳିଆ ଗାତରେ ପକାଅ ।
ଜବରାକ  ଡାକୁଡରେ ଏଣ୍ଡାୟେପେ ।

ଜ୍ୱର ହେଲେ କେଉଁ ଔଷଧ ଖାଇବ ।
ହାସୁଜେନରେ  ଅକନ୍/ଚିକାନ ରେଡରାନୁ ଜମେୟାପେ ।

ଅଳସୁଆ ଦୁଃଖ ପାଏ ।
ଲାଣ୍ଡିଏ ହୋ ଦୁକୁ ନାମେୟା ।

ତୁମ ପଡିଶା ଘରେ କିଏ ରହନ୍ତି ?
ଆପେ ଅୱା  ଜାପାରେ ଅକୟେ ତାଇନତେନେ ?

ନଖ ଛାଡିଲେ କଣ ହେବ ?
ସାରସାର  ଅଚଅଜାନରେ ଚିନାଆ ହବାନା ?

ସମସ୍ତେ ମିଳିମିଶି ଖେଳିବା ।
ସାବିନେକ  ମିଶେକାନ୍ତେ ଇନୁଙ୍ଗାବୁ ।

କଳି କର ନାହିଁ ।
ଆଲପେ ଏପେରାଙ୍ଗା ।

ମୁଁ କହୁଛି ତୁମେ ଶୁଣ ।
ଆଞ୍ଜ୍ ଜାଗାରତାନା ଆପେ  ଆ ୟୁ ମେପେ ।

ଖାତା ଅଦଳ ବଦଳ କରିବ ।
ଖାତା ବପଦଲପେ ।

ଗୋଲେଇ କରି ବସ ।
ଗେଲକେଏତେ  ଦୁବପେ ।

କେଉଁ ପଶୁମାନେ ଲୋକଙ୍କ ସହିତ ରହନ୍ତି ।
ଅକନ ଜାନୁଆର୍କ  ହୋ କଲଅକ ତାୟିନେ ।

ତୁମେ ଘରେ କି କି ପକ୍ଷୀ ପାଳୁଛ ?
ଆପେ ୱାଆରେ  ଚିକାନ ଅୟେ/ଚେଣକ ଆସୁଲଢେଡକୁଆପେ ।

କ’ଣ କରୁଥିଲ ?
ଚିନାଆମ  ଚିକେ ତାଇକେନା ?

ପାଣି ପିଇଲକି ?
ଦା  ଆବେନ ନୁଉକିଡାଚି ?

ପିଲାଟି ପଡିଗଲା ତାକୁ ଉଠାଅ ।
ହନ୍ ନୁରେୟାନ(ବାଟିଜେନେ/ଇୟୁଜେନେ) ଆୟେ ସାବିପେ (ହାଲାଂ ରାକାବିପେ)

ତୁମ ଘରେ କିଏ ରୋଷେଇ କରନ୍ତି ?
ଆପେ ୱାଆରେ  ଅକୟେ ଇସିନେୟା ?

ତୁମ ଘରେ କିଏ କିଏ ରହନ୍ତି ?
ଆପେ ୱାଆରେ  ଅକୟ ଅକୟ ମିନାଆକୁଆ ?

ତୁମ ମାମୁଁ ଘର କେଉଁଠି ?
ଆମାଆ କୁମେ (ମାମୁଁ ) ୱାଆ ଅକରେ ?

ତୁମ ପାଖ ପିଲାକୁ ପଚାର ।
ଆମାଆ ଜାପାଆ  ହନ କୁଲିମେ ।

ଛାଡ଼ି ଛାଡ଼ି ବସ ।
ବାଗେ ବାଗେ ଦୁବପେ / ସାଙ୍ଗିନ୍ ସାଙ୍ଗିନ୍ ଦୁବ୍ପେ ।

ନିଜ ନିଜ ବହି ଖୋଲ ।
ଆପାନ୍ ଆପାନ୍  କିତେବ ଉଟାୟେ ପେ ।

ତୁମେ ବଡ଼ ହେଲେ କଣ କରିବ ?
ମାରାଂଜାନରେମ୍ ଆମ  ଚିନାଆମ୍ ଚିକେ ?

ତାଳି ମାର ।
ତିଇ ତାପିଙ୍ଗପେ । 

ତୁମ ଶ୍ରେଣୀ ରେ ମନିଟର କିଏ ?
ଆପେ ଶ୍ରେଣୀରେନ  ମନିଟର ଅକୟେ ?

ତୁମକୁ କିଏ ମାରିଲା ?
ଅକୟେ  ତାମକେଡ଼ମିୟା / ଆମକେ ଅକୟେ ତାମକେଡ଼ମିଆ ?

କାହିଁକି କାନ୍ଦୁଛ ?
ଚିନାଆରିଆମ  ରାଆତାନା ?

ମନଦେଇ ଶୁଣ ।
ଦେୟାନତେ ଆୟୁମେପେ ।

ଗପ ଶୁଣ ।
କାହାନି ଆୟୁମେପେ ।

ତୁମ ପ୍ରଧାନ ଶିକ୍ଷକଙ୍କ ନାମ କଣ ?
ଆପେୟା ମାରାଂଗୁରୁଏ ନୁତୁମ ଚିନାଆ ?

ପିଲାମାନେ ହାଜେରା ପକାଅ ।
ହୋନକ ହାଜିରିନ୍ପେ ।

ତୁମେ ଏଠିକି ଆସ ।
ଆମ  ନେନ୍ତାତେ ହୁଜୁଉମେ ।

ତୁମ ଗ୍ରାମର ନାମ କଣ ?
ଆପେ ହାତୁ ନୁତୁମ ଚିନାଆ ?

ତୁମେ ସକାଳେ କଣ କର ?
ଆମ ସିତାଆପାଙ୍ଗ  ଚିନାଆମ ଚିକେ ?

ସକାଳୁ ଉଠି ମୁହଁ ଧୋଇବା ।
ସିତାଆ ଉଠେଜେନତେ  ମେଡ଼ମୁଟେ ଆବେନାବୁ ।

ସକାଳୁ ଉଠି ଦାନ୍ତ ଘଷିବା ।
ସିତାଆ  ଉଟେଜେନତେ କାରକାଡ଼େନାବୁ ।

ଉଷୁମ ଖାଦ୍ୟ ଖାଅ ।
ଉରଗୁମ୍ ଜମାଆ ଜମେୟାବୁ ।

ବାସି ଖାଦ୍ୟ ଖାଇଲେ ରୋଗ ହୁଏ ।
ବାସି ଜମାଆ ଜମେରେ ହାସୁ  (ରୁଗା ) ନାମାଆ / ବାଇନେ ।

ମାଛି ବସା ଖାଦ୍ୟ ଖାଇବ ନାହିଁ ।
ରକକ ଦୁବୁଲେନ  ଜମାଆ କାବୁ ଜମେୟା ।

ଚକା ପକେଇ ବସ ।
ପାଟଗାଣ୍ଡୁକେଏତେ  ଦୁବପେ ।

ସାନ ପିଲାଙ୍କୁ ସ୍ନେହ କର ।
ହୁଳିଂ ହନକକେ  ଦୁଲାଳ କପେ ।

ଆସନ୍ତା କାଲି ( ବିଷୟ ) ଲେଖି ଆଣିବ ।
ଗାପା ଅଲକେଏତେ (  ବିଷୟ ) ଆଗୁୟିପେ ।

ଖରାପ କଥା ହୁଅ ନାହିଁ ।
କାରାବ୍ ଜାଗାରକ  ଆଲପେ ଜାଗାରିୟା ।

ଏଇଟା ତାକୁ ଦେ ।
ନେୟା ଆୟେ ଇମାୟିମେ ।

ତୁମେ ଦୁହେଁ ବାଣ୍ଟିଦିଅ ।
ଆବେନ  ବାରଅ ହାଟିଙ୍ଗେବେନ ।

କାନ୍ଥବାଡ଼ ମଇଳା କର ନାହିଁ ।
କାଆଁତ ବାକାୟିକ ଆଲପେ  ମାୟେଲାୟା / ଜବରାୟା ।

କଣ ହେଲା ପିଲେ ?
ଚିନାଆ  ହବାଜାନା ହନକ ?

ତାର ସିଙ୍ଗାଣି ପୋଛି ଦିଅ ।
ଆୟା ସୁଲୁଇ ଜଡ଼ତାୟିପେ ।

ସାର୍ଟର ବୋତାମ ଲଗାଅ ।
ସୁତୁଇରିୟା ବଟମ ଲଗାୟମେ ।

ଭଲରେ ପଢ଼ିଲେ ପାସ ହେବ ।
ବୁଗିଲିକା ( ବୁଗିନତେ  ) ପାଳାଅରେପେ ପାଆସୟାପେ

କହିଦେବି ରାମା କହିଦେବି

ଗୁଟେ ଗାଆଁରେ ବଡ଼ ଛାମୁଣ୍ଡିଆ କରି ଅଷ୍ଟପ୍ରହରି କୀର୍ତ୍ତନ ଚାଲିଥାଏ । ଅନ୍ୟ ଗାଆଁରୁ ଜଣେ ପାଲା ଗାଆଣ ଆସିଥାନ୍ତି ସେ ଗୁଟେ ଡୁହା ଟେ ପକେଇଲେ
“କହି ଦେବି ରାମା କହିଦେବିରେ”

ରାମ ନାମକ ଜଣେ  ଲୋକ ଶହେ ଟଙ୍କା
ଧରେଇ ଦେଲା,
ଗାଆଣ ଉତ୍ସାହିତ ହେ ଫିଣି ଥରେ ହେମ୍ତି ଗାଇଲା...

ତହୁଁ ସେ ଲୋକଟା ନିଜେ ପିନ୍ଧି ଥିବା ସୁନାମାଳଟା କାଢି଼ ଗାଆଣକୁ ଧରେଇ ଦେଲା,
ଗାଆଣର ଉତ୍ସାହ ବହେ ବଢି ଗଲା, ଫିଣି ନୂଆ ପ୍ରକାରେ ଗାଇ ବସିଲା,
ହେଲେ ଏଥର କିନ୍ତୁ ସେ ରାମନାମକ ଲୋକଟା ଭୀଷଣ ଚିଡି଼ଗଲା ଆଉ ଗାଆଣକୁ କହିଲା

ହଇରେ,ପଇସା ଦେଲି ସୁନାର ମାଳ ଦେଲି ତଥାପି  ମାନୁନୁ
କହିଦେଵି କହିଦେଵି ବୋଲୁଛୁ କାଣ୍ ଟା  କହିବୁ
ଗୁହ ପଡି଼ଆର ବରକୋଳି ଗଛ ମୂଳୁଁ ଗୁଟେ ବରକୋଳି ପଡିଥିଲା ଯେ ତାକୁ ଧୋଇକରି ଖାଇ ଦେଇଥେଲି ଯା କଦିଦେ ନା ଆଉ ତତେ ଫଟା ପାହୁଲାଟାଏ ବି ଦେବିନିରେ ପୁଅ ।

ଭାଲୁ ଲାଞ୍ଜଧରା  କଥା

ଗୁଟେ ଲୋକ କୌଣସି କାର୍ଯ୍ୟଵଶତଃ ବଣବାଟଦେଇ ଯାଉଥିଲାବେଳେ ଭାଲୁଟେ ଦେଖିଦେଲାରୁ ଗୋଟାଏ ବଡ଼ ଗଛ ପଛରେ ଯାଇ ଲୁଚିଗଲା । ହେଲେ ସେତେଵେଳକୁ ଭାଲୁ ତାକୁ ଦେଖିସାରିଥାଏ । ଚାହୁଁ ଚାହୁଁ ଭାଲୁ ଭି ସେହି ଗଛପାଖରେ ପହଞ୍ଚିଗଲା ।

ଲୋକଟା ଜୀଵନ ଵିକଳରେ ଗଛର ଆରପାଖକୁ ଚାଲିଗଲାରୁ ଭାଲୁଟା ତାକୁ ଧରିଵାପାଇଁ ଗଛ ଚାରିପାଖେ ବୁଲିଵାକୁ ଲାଗିଲା ।

ଦିହେଁ ଗଛଚାରିପାଖରେ କିନ୍ଦିରିଵାକୁ ଲାଗିଲେ ଓ ଲୋକଟା କୌଣସିମତେ ଭାଲୁର ଗୋଡ଼ ଓ ଲାଞ୍ଜଟା ଜାବୁଡ଼ି ଧରି ପକେଇଲା । ତାଙ୍କେ ତିନି ଚାରିଭେରା କିନ୍ଦ୍ରିଥିଵେ କି ନାହିଁ ଏଣେ ଲୋକଟାର ଅଣ୍ଟାରୁ କିଛି ଖୁଚୁରା ପଇସା ତଳେ ପଡି଼ଵାକୁ ଲାଗିଲା ।

ସେଇପଟଦେଇ ଆଉଜଣେ ଚାଲିଯାଉଥାଏ । ସେ ଯେଁତି ଗଛମୂଳରେ ପଇସା ଦେଖିଛି ଝଅଟ ଧବୁଡି଼ଯାଇ ତାହା ଗୋଟେଇଵାକୁ ଲାଗିଲା । ଆଉ ଜଣେ ଲୋକ ଆସି ତା ପଇସା ଗୋଟାଉଥିଵାର ଦେଖିପାରି ଯେଉଁ ଲୋକଟା ଭାଲୁଗୋଡ଼ ଧରିଥିଲା ସେ କହିଲା

“ହେଇଗୋ ବାବୁ  ଏ ପଇସା ମୁଇଁ ଭାଲୁଲାଞ୍ଜ ଧରି ପାଇଛି ବୋ, ହେଟା ମୋର ପରିଶ୍ରମ ଅର୍ଜିତ ଧନ ହୋ,ତକେ ଟଙ୍କା ଲୋଡ଼ା ତ ତୁଇ ଭି ଆ ଭାଲୁ ଗୋଡ଼ ଧରି ହଗେଇବୁ ଆଉ ଯେତେ ପାରିବୁ ଡାବୁ ନେବୁ ଯେ !”

ତହୁଁ ସେ ଲୋକଟା ତା କଥାକୁ ବିଶୁଆସ କରି ଯିଇଁତି ଭାଲୁ ଲାଞ୍ଜ ଧରିଛି ପ୍ରଥମ ଲୋକଟି ନିଜ ପଇସା ଗୋଟେଇ ସେଠାରୁ ଏକା ରାହାକେ ଧାଇଁ ପଳାଇଲା ।

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...