Tuesday, November 19, 2019

ରିମି,ମିରି ଓ ରିମି ରିମି

ଓଡ଼ିଶାରେ ଅନେକ ଵନ ଓ ଵନ୍ଯଜନ୍ତୁ ସମ୍ବନ୍ଧୀୟ ଶବ୍ଦ ହଜିଵାକୁ ବସିଲାଣି । ଵନନାଶ ଯୋଗୁଁ ଵନ୍ଯଜୀଵ ବି ନାଶ ହେଵାକୁ ଲାଗିଲେ ଫଳରେ ସମୟ ସହ ଵନ୍ଯ ସମ୍ବନ୍ଧୀୟ ଓଡ଼ିଆ ଶବ୍ଦ ବି ଲୋପ ପାଇଵାକୁ ଲାଗିଲା । ଆଜି ଆଗଭଳି ଏତେ ବଣ ନାହିଁ କି ଜୀଵଜନ୍ତୁ ନାହାଁନ୍ତି ତେଣୁ ହଜିଗଲାଣି ଅନେକ ନିଆରା ଓଡ଼ିଆ ଶବ୍ଦ ।

ସେଇଭଳି ଏକ ଶବ୍ଦ ହେଉଛି #ରିମି ।  ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୧୩୦ତମ ପୃଷ୍ଠାରେ ରହିଛି । ସେଠାରେ ଉଲ୍ଲେଖ କରାଯାଇଛି ଯେ ଏହା ଏକ ଗଡ଼ଜାତିଆ ଶବ୍ଦ ଏଵଂ ଏହାର ଅର୍ଥ “ଵ୍ଯାଘ୍ରାଦି ଵନ୍ଯ ଜନ୍ତୁଦ୍ବାରା ହତ ମୃଗାଦି ପଶୁ”

ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷରେ  ରିମି ଶବ୍ଦକୁ ଏକ ଵିଶେଷ୍ଯ ଶବ୍ଦ ଉଲ୍ଲେଖ କରାଯିଵା ସହ ଏହାର ଅର୍ଥ କୁହାଯାଇଛି

“(ଵିଶେଷ୍ଯ)ଵନ୍ୟଜନ୍ତୁ ଦ୍ୱାରା ଆକ୍ରମିତ ଛେଳି, ମେଣ୍ଢା ଆଦିର ଭୁକ୍ତାଵଶେଷ”

କଥିତ ଓଡ଼ିଆ ଶବ୍ଦକୋଷରେ ରିମି ଶବ୍ଦର ଅର୍ଥ ଉଲ୍ଲେଖ କରାଯାଇଛି
“ମୃତ ଗୋରୁର ଶଵ”

ଏ ଶବ୍ଦ ଵିଷୟରେ ଅନ୍ୟ କୌଣସି ପ୍ରମାଣ ମିଳିପାରୁନାହିଁ । ଏହାର ସଂସ୍କୃତ ଭାଷା ମୂଳ ସମ୍ବନ୍ଧୀୟ ତଥ୍ୟ ନମିଳୁଥିଵା ଯୋଗୁଁ ଏହାକୁ ଏକ ଦେଶଜ ଶବ୍ଦ ମଧ୍ୟରେ ଗଣନା କରାଯାଇଥାଏ ।

ଇଂରାଜୀ ଭାଷାରେ ମଧ୍ୟ ଏଇଭଳି ଏକ ଶବ୍ଦ ରହିଛି ଯାହା ମୃତ ପଶୁଙ୍କ ଶଵ ଅର୍ଥରେ ପ୍ରୟୋଗ ହୋଇଥାଏ । ଇଂରାଜୀରେ ମୃତଜୀଵଙ୍କ ଶଵକୁ carcass କୁହାଯାଏ ଏଵଂ ଏହା ଫ୍ରେଞ୍ଚ୍  carcois,charcois,carcasse ଆଦି ଶବ୍ଦ ସହିତ ସମଦ୍ଧୃତ । ଲାଟିନ୍ ଭାଷାରେ ମଧ୍ୟ ମୃତଦେହ ଅର୍ଥରେ carcosium ଶବ୍ଦ ଚଳୁଥିଲା ।ଇଟାଲିଆନ୍ ଭାଷାରେ ବି ଏହି ଅର୍ଥରେ carcassa ଶବ୍ଦ ଥିଵା ଜଣାଯାଏ । କିନ୍ତୁ ଏ ସମସ୍ତ ଵୈଦେଶିକ ଭାରୋପୀୟ ଶବ୍ଦଗୁଡି଼କର ମୂଳ ମଧ୍ୟ ପାଶ୍ଚାତ୍ୟ ଭାଷାଵିଦ୍ ମାନଙ୍କ ଦ୍ଵାରା ଆଜିଯାଏଁ ସିଦ୍ଧାନ୍ତ ହୋଇପାରିନାହିଁ ।

ତେଵେ ମଜାକଥା ହେଲା ଯଦି  ରିମି ଶବ୍ଦକୁ ଓଲଟାଯାଏ ତେଵେ ଯେଉଁ ‛ମିରି’ ଶବ୍ଦ ସୃଷ୍ଟି ହେଵ ତାହାର ଅର୍ଥ ଵସ୍ତର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷା ଭତ୍ରୀରେ ଲଙ୍କାମରିଚ ଏଵଂ ଏ ଶବ୍ଦ ଏଇ ଅର୍ଥରେ କୋରାପୁଟ ଓ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ଦେଓଗଡ଼ର ଏକ ଜନଜାତୀୟ ସମ୍ପ୍ରଦାୟର ନାମ ମଧ୍ୟ ମିରି ଅଟେ । ସେଇଭଳି ଯଦି ରିମି ଶବ୍ଦକୁ ଭୁଲ୍'ରେ ଲାଗି ଲାଗି ଦୁଇଥର ଲେଖିଦିଅନ୍ତି ଯେଉଁ ରିମି ରିମି ଶବ୍ଦ ସୃଷ୍ଟି ହେଵ ତାହାର ଅର୍ଥ “ଝିପି ଝିପି ଵର୍ଷା” ଅଟେ ।

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...