Monday, November 11, 2019

ସମ୍ବଲପୁରର ସଂକ୍ଷିପ୍ତ ଇତିହାସ

ଏକଦା ସମ୍ୱଲପୁର  ଗଡ଼ଜାତ ରାଜ୍ୟ "ହୀରାଖଣ୍ଡ  ସାମ୍ରାଜ୍ୟ" ନାମରେ  ପରିଚିତ  ଥିଲା । ଏଠାରୁ  ପ୍ରାପ୍ତ  "ହୀରା”ରୁ  "ହୀରାଖଣ୍ଡ  ସାମ୍ରାଜ୍ୟ''ର  ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି  । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା
ରାଜା ରଣଜିତ ସିଂହଙ୍କ ପାଖରେ ଥିଲା ସେ ତାହା ତାଙ୍କ ମୃତ୍ୟୁ ଉତ୍ତାରୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଵା ହେତୁ ସତ୍ତ୍ଵପତ୍ରଟିଏ କରିଥିଲେ ।

ପ୍ରାଗ୍‍-ଐତିହାସିକ ଯୁଗରେ  ସମ୍ୱଲପୁର  ହୀରା ଉତ୍ପାଦନଲାଗି ପ୍ରସିଦ୍ଧି ଲାଭ  କରିଥିଲା ଏବଂ ଏହି ହୀରା ଭାରତର ସର୍ବୋତ୍କୃଷ୍ଟ  ବୋଲି  ଵିଵେଚିତ ହେଉଥିଲା । ଇଂରେଜ ଯୁଗରେ ସୁଦ୍ଧା ଏଠାରେ ହୀରା ଉଦ୍ଯୋଗ କହିଥିଵା ତଥା ବହୁ ବଙ୍ଗାଳୀ କାରିଗର ସେହି ଉଦ୍ଯୋଗରେ କାର୍ଯ୍ୟରତ ଥିଵାର ପ୍ରମାଣ ମିଳେ । ଅଵଶ୍ଯ ପରେ ଏହି ଉଦ୍ଯୋଗ ପଶ୍ଚିମ ଭାରତରେ ଅଧିକ ବଢ଼ିବାରୁ ଅନେକ ବଙ୍ଗାଳୀ ହୀରା କାରିଗର ସେ ଅଞ୍ଚଳକୁ ଚାଲିଯାଇଥିଲେ ଏଵଂ ସମ୍ବଲପୁରରେ ହୀରା ଉଦ୍ଯୋଗ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।

ତେଵେ ପାଶ୍ଚାତ୍ୟ ଐତିହାସିକ ଟୋଲେମୀ କଥିତ ମାନ୍ଦଲାଇ ଅଞ୍ଚଳର  ସମ୍ୱଳକ ସହରକୁ ସମ୍ୱଲପୁର  ସହର  ବୋଲି  ଚିହ୍ନିତ କରାଯାଇଥାଏ । ଏହି ମାନ୍ଦଲାଇ ଅଞ୍ଚଳକୁୁ ପ୍ଲିନି "ମାଲ୍ଲି" ବୋଲି  କହିଛନ୍ତି  ଏବଂ ଅାଧୁନିକ ମୁଣ୍ଡା ଜାତି ଏହାର  ପୂର୍ଵ ଅଧିବାସୀଙ୍କ ବଂଶଧର  ବୋଲି କଥିତ ଅଛି ।

ଜେନେରାଲ  କନିଂହାମ୍‍ଙ୍କ ଅନୁସାରେ  ପ୍ଲିନିଙ୍କ ସୁରାଇ ଶବ୍ଦକୁ ଜନଜାତୀୟ "ଶବର" ଜାତିର ନାମ ସହିତ ଚିହ୍ନିତ କରାଯାଇପାରେ । ଗିବନ ଓ ଟୋଭେନିୟର  ମଧ୍ୟ ସମ୍ୱଲପୁରର  ହୀରା ଖଣି କଥା କହିଛନ୍ତି । ଏ ସବୁ ତଥ୍ୟ ସମ୍ୱଲପୁରର  ପ୍ରାଚୀନତା ତଥା ଅସ୍ତିତ୍ୱ ସମ୍ୱନ୍ଧରେ  ସୂଚନା ଦିଏ ।

ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗିନୀ ଲକ୍ଷ୍ମୀକରା ସହ ବଜ୍ରଯାନ ବୌଦ୍ଧଧର୍ମ ଓ ସହଜଯାନ ବୌଦ୍ଧଧର୍ମ ତଥା ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର ମହାପଦ୍ମସମ୍ଭଵ ତିବ୍ବତରେ  ଲାମା ପନ୍ଥର  ପ୍ରତିଷ୍ଠା ନେଇ ସମ୍ୱଳକ ତଥା ସମ୍ୱଲପୁରର  ପ୍ରାଚୀନତାର  ସୂଚନା ମିଳେ । ଏହି ରାଜା ଇନ୍ଦ୍ରଭୂତି ସମ୍ବଳକ ଦେଶରେ ଉଡ୍ଡିୟାନ୍ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯାହା ଆଧୁନିକ ଓଡ଼ିଶା ନାମ ପାଇଁ ପ୍ରେରଣା ଯୋଗାଇ ଥିଵା କେତେକ ଐତିହାସିକ ମତ ଦିଅନ୍ତି ।

ପ୍ରାଚୀନ ଐତିହ୍ୟସଂପନ୍ନ ସମ୍ବଳକ ଅଞ୍ଚଳରେ  ପୂର୍ଵେ ଵିଭିନ୍ନ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ଵିଶେଷତଃ ଶରଭପୁର,  ଶ୍ରୀପୁର,  ରତନପୁର,  ଵିନିକା (ଵିନୀତପୁର),  ସୋନପୁର  (ସ୍ୱର୍ଣ୍ଣପୁରୀ ଵା ସୁବର୍ଣ୍ଣପୁର),  ପାଟଣାଗଡ଼ (ପତ୍ତନଗଡ଼) ଟିଟିଲାଗଡ଼ (ତ୍ରିତଳ ଗଡ଼) ପ୍ରଭୃତି ତତ୍‍କାଳୀନ ପ୍ରାଚୀନ ରାଜାମାନଙ୍କର  ରାଜଧାନୀ ଥିଲା ।

ସମ୍ଭଵତଃ ଖ୍ରୀ.ପୂ. ୫୪ରେ  ସୂର୍ଯ୍ୟବଂଶୀୟ  ରାଜା ମାଧବ ଚନ୍ଦ୍ର "ପତ୍ତନ'' ରାଜ୍ୟ ପ୍ରତିଷ୍ଠା କରିଥିଲେ ଏଵଂ  ସମୟକ୍ରମେ ତାହା ପାଟଣା ରାଜ୍ୟରେ  ପରିଣତ ହୋଇଥିଵା ଅନୁମାନ କରାଯାଉଛି । ସେଇଭଳି ଏହି ନଗରର ଅଧିଷ୍ଠାତ୍ରୀ ଦେଵୀଙ୍କ ନାମ ମଧ୍ୟ "ପତ୍ତନେଶ୍ୱରୀ''ରୁ "ପାଟଣେଶ୍ୱରୀ" ନାମ ହୋଇଥାଇପାରେ  ।

ପରବର୍ତ୍ତୀ ସମୟରେ  ପାଟଣାର  ସାମନ୍ତ  ରାଜା କୃତ୍ତିଵାସ ଦେଓ ୧୧୩୨ ଖ୍ରୀ.ଅ.ରେ  ଅପୁତ୍ରିକ ଭାବରେ  ମୃତ୍ୟୁଵରଣ କଲେ  ଏବଂ ତାଙ୍କ ପରେ ତାଙ୍କ ରାଣୀ ହେମନ୍ତ  କୁମାରୀ ଅାଠଜଣ ମନ୍ତ୍ରୀ  (ଅଷ୍ଟମଲ୍ଲିକ)ଙ୍କ ସହାୟତାରେ ଶାସନ ଚଳାଇଲେ । ପରବର୍ତ୍ତୀ ସମୟରେ  ଏହାର  ସୁଯୋଗ ନେଇ "ମୁଣ୍ଡୋ" ମଲ୍ଲିକ ବା ମୁଖ୍ୟ ଥିବା ଚକ୍ରଧର ପାଣିଗ୍ରାହୀଙ୍କ ଅାଶ୍ରିତ ତଥା ପାଳିତ ପୁତ୍ର ରମାଇ ଦେବ ଅଷ୍ଟମଲ୍ଲିକଙ୍କ ମଧ୍ୟରୁ  ସାତ ଜଣଙ୍କୁ ହତ୍ୟାକରି  ଓ ତାଙ୍କ ଅାଶ୍ରିତ ପିତା ଚକ୍ରଧର  ପାଣିଗ୍ରାହୀଙ୍କୁ କରାୟତ୍ତ  କରି  ପାଟଣାଗଡ଼ ରାଜସିଂହାସନରେ  ଖ୍ରୀ. ୧୧୫୯ରେ  ଉପଵିଷ୍ଟ  ହେଲେ  ତଥା ଚୌହାଣ ରାଜତ୍ୱ ପ୍ରତିଷ୍ଠା କଲେ ।

କିମ୍ବଦନ୍ତୀ କୁହେ ସେ ଥିଲେ  ଦିଲ୍ଲୀ ସମ୍ରାଟ ପୃଥ୍ୱୀରାଜଙ୍କ ବଂଶଧର  ତଥା ତତ୍‍କାଳୀନ ସମୃଦ୍ଧଶାଳୀ "ଗଡ଼ସମ୍ୱର'' ରାଜ୍ୟର  ରାଜା ଵିଶାଳ ଦେବଙ୍କ କନିଷ୍ଠା ରାଣୀ ଅାଶାବତୀଙ୍କ ଗର୍ଭରୁ  ଜନ୍ମିତ ଏକମାତ୍ର ପୁତ୍ର ।  କଥିତ ଅଛି ଯେ, ଏକଦା ସମୃଦ୍ଧିଶାଳୀ ଥିଵା "ଗଡ଼ସମ୍ୱର"  ରାଜ୍ୟରେ ଚୌହାଣବଂଶୀୟ  ରାଜା ବିଶାଳ ଦେଵ ରାଜତ୍ୱ କରୁଥିଲେ ।

ଅାଫଗାନମାନଙ୍କ ସହ ପରାସ୍ତ ହୋଇ ରାଜା ନିହତ ହେଵା ପରେ  ତାଙ୍କର  ପାଞ୍ଚରାଣୀ ସ୍ୱାମୀଙ୍କ ଚିତାରେ  ଝାସ ଦେଲେ  କିନ୍ତୁ କନିଷ୍ଠାରାଣୀ ଅାଶାଦେଵୀ ଅନ୍ତଃସତ୍ତ୍ୱା ଥିଵାରୁ ସ୍ୱାମୀଙ୍କ ସହଗାମିନୀ ନ ହୋଇ ଦୁଇଜଣ ବିଶ୍ୱସ୍ତ ଭୃତ୍ୟ  ସହ ହସ୍ତୀରେ  ବସି ପଳାୟନ କରିଥିଲେ । କିନ୍ତୁ  ସେହି ଭୃତ୍ୟ ଦ୍ୱୟ   ଘନ ଜଙ୍ଗଲ  ମଧ୍ୟରେ ରାଣୀଙ୍କୁ ଏକାକିନୀ ଛାଡ଼ି ପଳାୟନ କରିଵାରୁ  ରାଣୀଙ୍କୁ ଜଣେ ସ୍ଥାନୀୟ ଅଧିଵାସୀ ରାମୋଡ଼ ବରିହା ଓ ତାଙ୍କ ସ୍ତ୍ରୀ  ସହାୟତା କରିଥିଲେ । ସେଠାରେ  ତାଙ୍କର  ଏକମାତ୍ର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେ ହେଉଛନ୍ତି ପାଟଣା ରାଜ୍ୟରେ  ଚୌହାଣ ରାଜତ୍ୱର  ପ୍ରତିଷ୍ଠାତା ରମାଇ ଦେବ । ଚୌହାଣ ରାଜତ୍ୱରେ  ପାଟଣା ରାଜ୍ୟର  ପ୍ରତିପତ୍ତି  ପ୍ରତିଷ୍ଠିତ ହୋଇଥିଲା । ରାଜ୍ୟର  ପରିସୀମା ପୂର୍ବରେ  ବୌଦରାଜ୍ୟ, ପଶ୍ଚିମରେ  ବିନ୍ଦ୍ରା-ନୂଅାଁଗଡ଼, ଦକ୍ଷିଣରେ  ତେଲନଦୀ ଓ ଉତ୍ତରରେ  ମହାନଦୀ ପର୍ଯ୍ୟନ୍ତ  ବିସ୍ତୃତ ଥିଲା । ପ୍ରୋକ୍ତ କିମ୍ବଦନ୍ତୀକଥାରେ କେତେ ସତ୍ଯତା ରହିଛି ତାହା ଐତିହାସିକ ମହଲରେ ଏଵେ ବି ଚର୍ଚ୍ଚାର ଵିଷୟ ଅଟଇ ।

ରମାଇଦେଵଙ୍କ ପରେ  ତାଙ୍କ ବଂଶଧରମାନେ ପାଟଣା ରାଜ୍ୟର  ଶ୍ରୀବୃଦ୍ଧି ସାଧନ କରିଥିଲେ । ଏହି ବଂଶର  ଦ୍ୱାଦଶ ରାଜା ହୀରା ବଜ୍ରଦେଵ ୧୫୧୯ରୁ  ୧୫୪୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ  ତାଙ୍କର  ଜ୍ୟେଷ୍ଠପୁତ୍ର ନରସିଂହଦେଵ ୧୫୪୯ରୁ  ୧୫୫୭ ପର୍ଯ୍ୟନ୍ତ  ରାଜା ହୋଇଥିଲେ । ରାଜା ନରସିିଂହଦେଵ ରାଜ୍ୟ ଶାସନ ତଥା ରାଜ୍ୟର  ସୁରକ୍ଷା ନେଇ ତାଙ୍କ  ସାନଭାଇ ବଳରାମ ଦେଵଙ୍କ ଉପରେ  ନିର୍ଭର  କରୁଥିଲେ । ବଳରାମ ଦେଵ ମଧ୍ୟ ସାହସୀ ଓ ବଡ଼ଭାଇଙ୍କ ପରି ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ ଓ ତାଙ୍କ ସହାୟତାରେ ସେ ପାଟଣା ରାଜ୍ୟର ସ୍ୱାଧୀନତା ଘୋଷଣା କରି  ଵସ୍ତର  ରାଜାଙ୍କ ସହ ଯୁଦ୍ଧ କଲେ ।

ତତ୍କାଳୀନ ପ୍ରଭାଵଶାଳୀ ଵିଜୟନଗରମ୍‍ ରାଜ୍ୟର  ରାଜା ଵସ୍ତର ରାଜାଙ୍କୁ ସହାୟତା ଯୋଗାଇ ଥିଲେ  ମଧ୍ୟ ଵସ୍ତର  ରାଜା ଯୁଦ୍ଧରେ  ପରାଜୟ  ବରଣ କଲେ । ଏହି ଯୁୁଦ୍ଧରେ  ଵିଜୟ  ଲାଭ  ପରେ  ପାଟଣା ରାଜ୍ୟରେ  ସାର୍ଵଭୌମତ୍ୱ ପ୍ରତିଷ୍ଠା ହେଲା ।

କଥିତ ଅଛି ଯେ, ପାଟଣା ରାଜ୍ୟ ମହାରାଣୀ ଗର୍ଭକଷ୍ଟ  ଭୋଗୁଥିଵା ଜାଣି ବଳରାମ ଦେଵ ପୂର୍ଣ୍ଣଗର୍ଭା “ମାୟାଵତୀ ନଦୀ” ପାରହୋଇ ଅାରପଟରେ  ଥିଵା ବରପଦର  ଗ୍ରାମରୁ  ରାତ୍ରୀକାଳରେ ଧାତ୍ରୀଙ୍କୁ ଅାଣି ମହାରାଣୀଙ୍କ ପ୍ରସଵ କାର୍ଯ୍ୟ ସଂପନ୍ନ କରାଇଥିଲେ । ଏଥିରେ  ରାଜା ନରସିଂହ
ଦେଵ ସନ୍ତୁଷ୍ଟ  ହୋଇ ପାଟଣା ରାଜ୍ୟର ପୂର୍ଵ-ଉତ୍ତର ଅଂଶ ବଳରାମ ଦେଵଙ୍କୁ ପ୍ରଦାନ କରିଥିଲେ ।

ସେହି ଅଂଶର  କେନ୍ଦ୍ରସ୍ଥଳରେ  ସେ ବଳରାମଗଡ଼ ପ୍ରତିଷ୍ଠା କରି  ନିଜର କ୍ଷମତା ବିସ୍ତାର  କରିଥିଲେ । ଆଜି ଉକ୍ତ ନଗର ବଲାଙ୍ଗୀର ନାମରେ ଖ୍ଯାତ ହୋଇଅଛି ।

ବଳରାମ ଦେଵ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୫୫୨ରେ  ପାଟଣା ରାଜ୍ୟର ଏକ ସାମନ୍ତ  ରାଜା ଭାଵରେ  ସ୍ୱୀକୃତ ହୋଇଥିଲେ । ଏହା ପରେ  ସେ ଶବର  (ସହଁରା,ସଉରା) ସର୍ଦ୍ଦାର ଵର୍ଣ୍ଣ ଓ ଉଜାର  ଭାଇ ଦ୍ୱୟଙ୍କୁ ତଡ଼ି ବରଗଡ଼ ଦଖଲ  କରିଥିଲେ ।

ବରଗଡ଼ ଦଖଲ  ପରେ କ୍ଷମତା ବିସ୍ତାର  ନେଇ ଉଭୟ  ଭାଇଙ୍କ ମଧ୍ୟରେ  କଳହର  ସୂତ୍ରପାତ ହୋଇଥିଲା । ରାଜମାତା ଏଥିରେ  ହସ୍ତକ୍ଷେପ କରି  "ସୁରଙ୍ଗୀ ନଦୀ"କୁ ଉଭୟ  ଭାଇଙ୍କ ରାଜ୍ୟସୀମା ଭାବରେ  ନିର୍ଣ୍ଣୟ  କରି ଶପଥ କରାଇଥିଲେ । ଏଣୁ ଏହି ଦିନଠାରୁ  ସୁରଙ୍ଗୀ ନଦୀର  ନାମ ପରିବର୍ତ୍ତିତ ହୋଇ "ଅଙ୍ଗନଦୀ"  ହୋଇଛି । ଅଙ୍ଗ ଓ ମହାନଦୀର  ମଧ୍ୟବର୍ତ୍ତୀ ଅଞ୍ଚଳ ଭାଗ ପାଇଲା ପରେ ବଳରାମ ଦେଵଙ୍କୁ ତାଙ୍କ ପୂର୍ବ ରାଜଧାନୀ ବଳରାମଗଡ଼ ଵା ଆଧୁନିକ ବଲାଙ୍ଗୀର   ହରାଇଵାକୁ ପଡ଼ିଲା ଓ ସେ ଏକ ନୂତନ ରାଜଧାନୀ ନିର୍ମାଣପାଇଁ ଲାଗି ପଡ଼ିଲେ ।

ରାଜା ବଳରାମ ଦେଵ ୧୫୫୨-୫୩ରେ  ଭାଇଭାଗ ସୂତ୍ରରେ  ବରଗଡ଼ ଅଞ୍ଚଳ ପାଇଵା ପରେ  ବରଗଡ଼ରେ  ନିଜର  ଅସ୍ଥାୟୀ  ରାଜଧାନୀ ପ୍ରତିଷ୍ଠା କରି  ଶାସନ କାର୍ଯ୍ୟ ଅାରମ୍ଭ କଲେ । ବରଗଡ଼ର  ଉତ୍ତର-ପଶ୍ଚିମ ଦିଗରେ  ଅର୍ଦ୍ଧବୃତ୍ତାକାର  ଭାବରେ  ବାରପାହାଡ଼ ପର୍ବତମାଳା ଘେରି ରହିଥିବା ଏକ ସୁରକ୍ଷିତ ସ୍ଥାନ ନିରୂପଣ କରି  ତାଙ୍କର  ରାଜଧାନୀ ନୂତନଗଡ଼ ପ୍ରତିଷ୍ଠା କଲେ । ତାହା ଆଜି ନୂଅାଁଗଡ଼ ନାଁରେ  ପରିଚିତ ହେଉଅଛି  । ଗିରିସୁଲ  ଓ ଜିରାନଦୀ ଅଵଵାହିକାରେ  ଅଧୁନା ବରଗଡ଼ ଜିଲ୍ଲାର  ଭଟଲି  ଥାନାରେ  ଏହି ନୂଅାଗଡ଼ ଅବସ୍ଥିତ । ଏଠାରେ  ଏହି ପ୍ରାଚୀନ ଗଡ଼ର  ଭଗ୍ନାବଶେଷ ରହିଛି । ସମ୍ଭଵତଃ ୧୫୫୩-୫୪ରେ ନୂଅାଁଗଡ଼ଠାରେ  ରାଜଧାନୀ ପ୍ରତିଷ୍ଠା ହୋଇଥିଵା ଜଣାଯାଏ ।

ସମ୍ୱଲପୁରର  ପ୍ରାଚୀନତା ନେଇ ଵିଭିନ୍ନ ଐତିହାସିକ ସୂଚନା ଥିଲେ  ହେଁ,  ସମ୍ୱଲପୁର  ରାଜ୍ୟ ପ୍ରତିଷ୍ଠାତା ତଥା ଏହାର ପ୍ରଥମ ରାଜା ବଳରାମ ଦେବ ଏଠାରେ  ରାଜଧାନୀ ଓ ସମଲେଶ୍ୱରୀ ଦେଵୀଙ୍କ ସ୍ଥାପନା ପରେ  ହିଁ ସମ୍ୱଲପୁରର  ଗୁରୁତ୍ୱ ପ୍ରତିପାଦିତ ହୋଇଥିଲା । ଏଠାରେ  ରାଜଧାନୀ ପ୍ରତିଷ୍ଠା ନେଇ ଏକ ସୁନ୍ଦର  କିମ୍ୱଦନ୍ତୀ  ରହିଛି ।

କିମ୍ବଦନ୍ତୀଟି ଏଇଭଳି ― ଦିନେ ରାଜା ବଳରାମ ଦେବ ମୃଗୟା କରିଵାକୁ ଯାଇ ମହାନଦୀର  ଦକ୍ଷିଣ ତୀରରେ  ଅଧୁନା ଚାଉଁରପୁର ନିକଟରେ  ଶିବିର  ପକାଇଥିଲେ । ସେଠାରେ ତାଙ୍କ ଶିବିରରେ  ରୋଷେଇପାଇଁ ଚାଉଳ ସଂଗ୍ରହ କରାଯାଇଥିଵାରୁ  ରାଜା ସେହି ସ୍ଥାନର  ନାମ "ଚାଉଳପୁର" ଦେଇଥିଲେ । ପରେ  ତାହା ଅପଭ୍ରଂଶ ହୋଇ “ଚାଉଁରପୁର”  ହୋଇଛି । ଅପରପାର୍ଶ୍ୱ ତଥା ମହାନଦୀର  ଉତ୍ତର  ତୀର  ସେତେବେଳେ ଘଞ୍ଚ ଅରଣ୍ୟରେ  ପରିପୂର୍ଣ୍ଣ ଥିଲା । ସେଠାକୁ ମୃଗୟା କରିଵାକୁ ଯାଇଥିଵା ସମୟରେ  ଗୋଟିଏ ଠେକୁଅାକୁ ଦେଖି ତାଙ୍କ କୁକୁରକୁ ଠେକୁଅାଟିକୁ ଧରିଵାପାଇଁ ଇଙ୍ଗିତ କଲେ । କୁକୁର  କିଛି ବାଟ ଯିଵା ପରେ  ଓଲଟା ଠେକୁଆଟା କୁକୁରକୁ ମାରିଵାକୁ ଗୋଡ଼ାଇଲା ଓ କୁକୁର  ପଛକୁ ହଟି ଅାସିଲା । ଏହିପରି  କିଛି ଥର  ଘଟିଵା ପରେ  ସେ ଠେକୁଆ କାହିଁ ଅଦୃଶ୍ୟ ହୋଇଗଲା । ରାଜା ଏହା ଦେଖି ଏହି ସ୍ଥାନ ଏକ ବୀରଭୂମି ବୋଲି  ଭାଵିଲେ । ରାତିରେ  ତାଙ୍କୁ ସ୍ୱପ୍ନାଦିଷ୍ଟ ହେଲା ଓ ସେଠାରେ  ସେ ଦେଵୀଙ୍କୁ ପ୍ରତିଷ୍ଠା କରି  ଗଡ଼ ସ୍ଥାପନ କଲେ । ଦେବୀଙ୍କୁ ଶିମୂଳୀ ଗଛ ମୂଳରେ  ସ୍ଥାପନା କରାଯାଇଥିବାରୁ  ଦେବୀଙ୍କ ନାମ "ଶାଳ୍ମଳୟୀ ଦେବୀ ବା ସୋମଲାଇ ଦେବୀ" ତଥା ଗଡ଼ର  ନାମ "ସୋମଲାଇ ଗଡ଼"ରୁ  "ସୋମଲାଇପୁର"  ଓ ପରେ "ସମ୍ୱଲପୁର" ହୋଇଥିବା ଜଣାଯାଏ ।

ଅନ୍ୟ ଏକ ମତ ଅନୁସାରେ,  "ଗଡ଼ସମ୍ୱର" ଚୌହାଣମାନଙ୍କ ଅାରାଧ୍ୟ ଦେଵୀ "ସମରେଶ୍ୱରୀ" । ବଳରାମ ଦେଵ ଗଡ଼ସମ୍ୱରୀ  ଚୌହାଣମାନଙ୍କ ବଂଶଧର । ଏଣୁ ସମରେଶ୍ୱରୀରୁ  ସମ୍ୱଲେଶ୍ୱରୀ  ଵା ସମଲେଶ୍ୱରୀ  ନାମ ପରିଵର୍ତ୍ତିତ ହୋଇଛି । ଏ ସମ୍ୱନ୍ଧରେ  ଥିଵା ଐତିହାସିକ ତଥ୍ୟାଵଳୀଗୁଡ଼ିକୁ ଅନୁଧ୍ୟାନ କଲେ  ଜଣାଯାଏ ଯେ, ବଳରାମ ଦେଵ ଖ୍ରୀ: ୧୫୫୪ ପରେ  ଓ ୧୫୫୭ ପୂର୍ଵରୁ  ତଥା ପାଟଣା  ରାଜ୍ୟର  ରାଜା ତଥା ତାଙ୍କ ବଡ଼ଭାଇ ନରସିଂହ ଦେବ
ଵଙ୍କ ମୃତ୍ୟୁ ପୂର୍ଵରୁ  ହିଁ ସମ୍ୱଲପୁରଠାରେ  ରାଜଧାନୀ ପ୍ରତିଷ୍ଠା କରିଥିଲେ ।

ସେହି ସମୟରେ ମହାନଦୀର ଉତ୍ତରପାର୍ଶ୍ୱ ସୁରଗୁଜା ରାଜ୍ୟର ଅନ୍ତର୍ଗତ ଥିଲା ଓ ଏହା ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ବଳରାମ ଦେବ ସୁରଗୁଜା ରାଜ୍ୟ ସୀମା ମଧ୍ୟରେ  ରାଜଧାନୀ ପ୍ରତିଷ୍ଠା କରିଥିଵାରୁ ସୁରଗୁଜା ରାଜାଙ୍କ ସହିତ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ  ସୁରଗୁଜା ରାଜା ପରାସ୍ତ  ହୋଇଥିଲେ । ପରେ  ବଳରାମ ଦେଵ ଗାଙ୍ଗପୁର,  ବାମଣ୍ଡା, ବଣାଇ ଇତ୍ୟାଦି ରାଜ୍ୟ ଜୟ  କରିଥିଲେ । ଏଣୁ ପ୍ରୋକ୍ତ ଘଟଣା ପ୍ରଵାହ ଓ ତଥ୍ୟାବଳୀରୁ  ସମ୍ୱଲପୁର  ରାଜଧାନୀ ପ୍ରତିଷ୍ଠା ଓ ସମ୍ୱଲପୁର  ରାଜ୍ୟ ପ୍ରତିଷ୍ଠା ସମୟ  ଖ୍ରୀଷ୍ଟାବ୍ଦ ୧୫୫୫-୧୫୫୬ ବୋଲି  ଜଣାଯାଏ ।

ସମ୍ୱଲପୁରଠାରେ  ରାଜଧାନୀ ସ୍ଥାପନ ପରେ  ହିଁ ସମ୍ୱଲପୁର  ରାଜ୍ୟ ତଥା ହୀରାଖଣ୍ଡ  ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଏହା ଏକ ସ୍ୱାଧୀନ ରାଜ୍ୟରେ  ପରିଣତ ହେଲା । ରାଜା ନରସିଂହ ଦେଵଙ୍କ ମୃତ୍ୟୁ ପରେ  ପାଟଣା ରାଜ୍ୟପୁଞ୍ଜ ଉପରେ  ମଧ୍ୟ ସମ୍ୱଲପୁରର  କର୍ତ୍ତୃତ୍ୱ ବୃଦ୍ଧି ପାଇଥିଲା । ଏଣୁ ଅତି ଅଳ୍ପ ଦିନ ମଧ୍ୟରେ  ବଳରାମ ଦେଵ ପାଟଣା ଓ ସମ୍ୱଲପୁର  ରାଜ୍ୟପୁଞ୍ଜର  ପନ୍ଦରଗୋଟି କରଦ ରାଜ୍ୟର  ଅଧୀଶ୍ୱର  ହୋଇ ପାରିଥିଲେ । ରାଜା ବଳରାମ ଦେଵଙ୍କ ଦ୍ୱାରା ସ୍ଥାପିତ ଗଡ଼ର  ପରିସୀମା ପୂର୍ଵ ଦିଗରେ  ମୁହାଣ ଦର୍ଜା (ସାମିୟା ମନ୍ଦିର),  ପଶ୍ଚିମରେ  ସମଲାଇ ଦର୍ଜା, ଉତ୍ତର  ଦିଗରେ  ଛତ୍ର ସାଗର  ଓ ଦକ୍ଷିଣ ଦିଗରେ ମହାନଦୀ ପର୍ଯ୍ୟନ୍ତ  ଵିସ୍ତୃତ ଥିଲା । ଦକ୍ଷିଣ ଦିଗରେ  ପ୍ରଵାହିତ ମହାନଦୀ ପ୍ରାକୃତିକ ଖାଇ ଭାବରେ ରହିଥିବା ହେତୁ ଅନ୍ୟ ତିନି ଦିଗରେ  ଖାଇ ଖନନ କରାଯାଇଥିଲା ଓ ପାଚେରି ନିର୍ମାଣ କରାଯାଇ ଗଡ଼କୁ ସୁରକ୍ଷିତ କରାଯାଇଥିଲା ।

ବଳରାମ ଦେବ ରାମଜୀଗୁଡ଼ି ଓ ପାଟଣେଶ୍ୱରୀ  ମନ୍ଦିର  ମଧ୍ୟରେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାର  ଭଗ୍ନାଵଶେଷ ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ  ଅଵସ୍ଥାରେ ରହିଛି । ସମ୍ୱଲପୁର  ଐତିହାସିକ ରାଜବାଟୀର  ରାଣୀମହଲର  କିଛି ଅଂଶ ଏବେ ମଧ୍ୟ ଗୁଳ୍ମ ଵୃକ୍ଷାଦିମଣ୍ଡିତ ହୋଇ ଵିପର୍ଯ୍ୟସ୍ତ  ଅଵସ୍ଥାରେ  ପାଟଣେଶ୍ୱରୀ  ମନ୍ଦିରର  ଠିକ୍‍ ପୂର୍ଵ ଦିଗରେ  ରହିଛି । ଦୀର୍ଘ ୩୨ ଵର୍ଷ ରାଜ୍ୟ ଶାସନ କରିଵା ପରେ  ୧୫୮୪ରେ  ବଳରାମ ଦେଵଙ୍କର  ଦେହାନ୍ତ ହୋଇଥିଲା  ଓ ତାଙ୍କ ପରେ  ତାଙ୍କ ପୁତ୍ର ହ୍ରିଦେ ନାରାୟଣ ଦେଵ ରାଜତ୍ୱ କରିଥିଲେ । ପରେ  ବଳଭଦ୍ର ସାଏ, ମଧୁକର  ସାଏ, ବଳୀୟାର  ସିଂହ, ରତ୍ନ ସିଂହ, ଛତ୍ର ସାଏ, ଅଜିତ ସିଂହ, ବଳଭଦ୍ର ସାଏ (ଦ୍ୱିତୀୟ),  ଅଭୟ  ସିଂହ, ଜୟନ୍ତ  ସିଂହ ପ୍ରମୁଖ ଚୌହାଣ ରାଜାମାନେ ୨୦୦ ବର୍ଷ ଧରି  ସମ୍ୱଲପୁର  ରାଜ୍ୟ ଶାସନ କରିଥିଲେ ।

ସମ୍ୱଲପୁର  ଚୌହାଣ ବଂଶର  ଚତୁର୍ଥ ରାଜା ମଧୁକର  ସାଏଙ୍କ ପାଞ୍ଚ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ  ଜ୍ୟେଷ୍ଠପୁତ୍ର ବଳୀୟାର  ସିଂହ ରାଜା ଭାଵରେ  ବିଶେଷ ପରାକ୍ରମଶାଳୀ ଥିଲେ । ସେ ରାଜ୍ୟ ଵିସ୍ତାର  କରି  ଅଠରଗଡ଼ ମଉଡ଼ମଣି ଭାବରେ  ଖ୍ୟାତ ଥିଲେ । ଦ୍ୱିତୀୟ  ପୁତ୍ର ଅନିରୁଦ୍ଧ ସାଏ ଖିଣ୍ଡା ଓ ରାଜପୁର  ଜମିଦାରୀ  ଓ ତୃତୀୟ  ପୁତ୍ର ମଦନଗୋପାଳ ସୋନପୁର  ରାଜ୍ୟ ପାଇଥିଲେ । ଚତୁର୍ଥ ପୁତ୍ର ବଂଶୀଗୋପାଳ ସନ୍ନ୍ୟାସୀ ହୋଇ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ଅନିରୁଦ୍ଧ ସାଏଙ୍କ  ପୁତ୍ର ମାଧୋ ସିଂହ ଖିଣ୍ଡା ଓ ଅନ୍ୟ ପୁତ୍ର ଜଗନ୍ନାଥ ସିଂହଙ୍କ ବଂଶଧର  ରାଜ ସିଂହ ରାଜପୁର ଭରଣପୋଷଣପାଇଁ ପାଇଥିଲେ ।

କଳିଙ୍ଗ ଦେଶର ଵୀର ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଚୌହାଣ ରାଜବଂଶର  ଖିଣ୍ଡା ଶାଖାରେ ଜନ୍ମଗ୍ରହଣ କରିଥିଲେ । ରାଜା ଜୟନ୍ତ  ସିଂହଙ୍କ ରାଜତ୍ୱ କାଳରେ  ଵିଭିନ୍ନ ସଙ୍କଟ ଅାରମ୍ଭ ହେଲା । ଖ୍ରୀ: ୧୭୯୯ରେ  ମରହଟ୍ଟାମାନଙ୍କ ସମ୍ୱଲପୁର  ଅାକ୍ରମଣ ପ୍ରତିହତ କରିବାକୁ ଵିଫଳ ହେଵାରୁ ରାଜା ଜୟନ୍ତ  ସିଂହ ଓ ତାଙ୍କର  ଏକମାତ୍ର ନାବାଳକ ପୁତ୍ର ମହାରାଜ ସାଏ ବନ୍ଦୀ ହୋଇ ଚାନ୍ଦା ଦୁର୍ଗକୁ ପ୍ରେରିତ ହୋଇଥିଲେ । ଏହି ଦିନଠାରୁ  ସମ୍ୱଲପୁରର  ଭାଗ୍ୟ ରବି ଅସ୍ତମିତ ହେଵାକୁ ବସିଲା । ଵର୍ଗୀ ଆକ୍ରମଣ ଓ ଲୁଣ୍ଠନ ସହ ମୋଗଲ ଆକ୍ରାନ୍ତାମାନଙ୍କ ଅତ୍ଯାଚାର ଯୋଗୁଁ ସମ୍ବଲପୁର ସମେତ ସଂପୂର୍ଣ୍ଣ କଳିଙ୍ଗ ଦେଶ ଧୀରେ ଧୀରେ ଦରିଦ୍ରତମ ଭୂଭାଗରେ ପରିଣତ ହେଲା । ଵର୍ଗୀମାନେ ଘରେ ଘରେ ପସି ଲୁଣ୍ଠନ କଲେ । ତାଙ୍କ ଭୟରେ ଲୋକେ ଘରର ଧାତଵ ବାସନକୁସନ ସୁଦ୍ଧା ପୋତି ପକାଉଥିଲେ । ସମୟକ୍ରମେ ତତ୍କାଳୀନ କଳିଙ୍ଗ ଦେଶରେ କି ନଗର ଗ୍ରାମ ସର୍ଵତ୍ର ଚାଳଘର ଦୃଶ୍ୟ ହେଵାକୁ ଲାଗିଲା । ସେ ଯୁଗରେ ସମ୍ପନ୍ନ ଲୋକେ ବି ନିଜର ସ୍ଵଚ୍ଛଳତା ଲୁଚାଇଵା ପାଇଁ ଦରିଦ୍ର ଭଳି ଜୀଵନଯାପନ କରିଵାକୁ ଲାଗିଲେ । କଳିଙ୍ଗ ଦେଶର ଯୋଦ୍ଧାଜାତିମାନଙ୍କ ମଧ୍ୟରେ ଅନେକ ନିଜର ସୈନିକ ବୃତ୍ତି ହରାଇ ଚାଷଵାସ କରିଵାକୁ ଲାଗିଲେ ଏଵଂ ଏମିତି ସମୟ ବି ଆସିଲା ଯେତେଵେଳେ ତାଙ୍କୁ ପେଟ ପାଇଁ ନିଜ ଅସ୍ତ୍ରଶସ୍ତ୍ର ସବୁ ବନ୍ଧା ପକାଇଵାକୁ ପଡି଼ଥିଲା,ବିକିଵାକୁ ପଡି଼ଥିଲା ।

କଳିଙ୍ଗ ଦେଶ ମୋଗଲ,ବଙ୍ଗାଳୀ ତୁର୍କ ଓ ମରହଟ୍ଟାଙ୍କ ଦ୍ଵାରା ପ୍ରାୟ ଦୁଇଶତାଧିକ ଵର୍ଷ ପରାଧୀନ ହେଵାପରେ ଏ ଦେଶକୁ ଆଉ ଏକ ଧନଲୋଭୀ ଵୈଦେଶିକ ଇଂରେଜ ଜାତିର ଆଗମନ ହେଲା । ସେମାନେ ମରାଠୀ ଶାସକଙ୍କୁ ସହଜରେ କଟକାଞ୍ଚଳରୁ ତଡି଼ଦେଇଥିଲେ । 

ତେଵେ ଖ୍ରୀ: ୧୮୧୭ରେ  ତୃତୀୟ  ମରହଟ୍ଟା ସମର  ଓ ନାଗପୁର  ସନ୍ଧି ପରେ  ଇଂରେଜମାନେ ବୃଦ୍ଧରାଜା ଜୟନ୍ତ  ସିଂହଙ୍କୁ ଅପ୍ରାପ୍ତଵୟସ୍କ ପୁତ୍ର ମହାରାଜା ସାଏଙ୍କ ସହିତ ମୁକ୍ତ  କରି  ଅାଣି ସମ୍ୱଲପୁର ରାଜ ସିଂହାସନରେ  ବସାଇଲେ । ଖ୍ରୀ: ୧୮୧୮ରେ  ଜୟନ୍ତ  ସିଂହଙ୍କ ମୃତ୍ୟୁ ହେଲା ଓ ମହାରାଜ ସାଏଙ୍କ ଶାସନକାର୍ଯ୍ୟ ସମ୍ଭାଳିଵାର ଵୟସ ହୋଇନଥିଵାରୁ  ଇଂରେଜମାନେ ଖ୍ରୀ: ୧୮୨୦ ପର୍ଯ୍ୟନ୍ତ  ରାଜ୍ୟଶାସନ କରି  ୧୮୨୦ ଖ୍ରୀ:ରେ  ମହାରାଜ ସାଏଙ୍କୁ ଗାଦିରେ  ବସାଇଥିଲେ  ହେଁ ପ୍ରକୃତରେ  ଇଂରେଜମାନେ ହିଁ ଶାସନ କରୁଥିଲେ ।
ସେମାନେ ରାଜାଙ୍କୁ ଵିଶେଷ କିଛି କ୍ଷମତା ଦେଇ ନଥିଲେ । ଖ୍ରୀ: ୧୮୨୭ରେ  ରାଜା ମହାରାଜ ସାଏଙ୍କ ନିଃସନ୍ତାନ ଭାଵରେ  ମୃତ୍ୟୁପରେ  ସମ୍ୱଲପୁରରେ  ଚୌହାଣ ରାଜତ୍ୱର ଯବନିକା ପଡ଼ି ଯାଇଥିଲା ।

ରାଜାଙ୍କ ମୃତ୍ୟୁ ଖବର  ଲୁକ୍କାୟିତ ରଖି ଖ୍ରୀ: ୧୮୩୩ ପର୍ଯ୍ୟନ୍ତ ଇଂରେଜମାନେ ଵିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ  ବସାଇ ରାଜ୍ୟ ଶାସନ କଲେ । ରାଜାଙ୍କ ମୃତ୍ୟୁ ଖବର  ପ୍ରଚାରିତ ହେଵାରୁ  ରାଜଗାଦିପାଇଁ ଦାଵିଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଅାରମ୍ଭ ହେଵାକୁ ଲାଗିଲା ଓ ରାଜ୍ୟରେ  ଅଶାନ୍ତି  ସୃଷ୍ଟି ହେଲା । ଏଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ଗାଦିରୁ  ହଟାଇ ରାଣୀଙ୍କ ଇଚ୍ଛା ନାମରେ  ୧୮୩୩ ଅକ୍ଟୋବର  ୧୧ ତାରିଖରେ  ଜଣେ ଅନାଗତ ବୃଦ୍ଧ ନାରାୟଣ ସିଂହଙ୍କୁ ରାଜପଦରେ  ମଣ୍ଡିତ କରାଇଲେ । ବୃଦ୍ଧ ନାରାୟଣ ସିଂହ ଅନାଗତ, ଅପାରଗ ଓ ଶୁଦ୍ଧ ଚୌହାଣ ବଂଶୀୟ  ନଥିବା କାରଣରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନ ଥିଲେ । ଏହି ରାଜା ନାରାୟଣ ସିଂହଙ୍କର  ୧୮୪୯ ସେପ୍ଟେମ୍ୱର  ୧୦ ତାରିଖରେ  ଦେହାନ୍ତ  ହେଵାପରେ  ସମ୍ୱଲପୁରର  ଐତିହ୍ୟସଂପନ୍ନ ତିନି ଶହ ବର୍ଷର  ଚୌହାଣ ରାଜତ୍ୱର  ପରିସମାପ୍ତି  ଘଟିଥିଲା । ତେଵେ କୁହାଯାଏ ଯେଉଁଠି ଗୋଟିଏ କାହାଣୀର ଅନ୍ତ ହୁଏ ସେଠାରୁ ଆଉ ଏକ କାହାଣୀର ଅୟମାରମ୍ଭ ହୋଇଥାଏ । ସମ୍ବଲପୁରର ଐତିହାସିକ ଭୂମିରେ ମଧ୍ୟ ତାହା ହିଁ ଘଟିତ ହୋଇଥିଲା । ସେହିଦିନଠାରୁ ଆରମ୍ଭ ହୋଇଥିଲା କଳିଙ୍ଗୀ ଵୀର ସୁରେନ୍ଦ୍ର ସାଏଙ୍କ ଯୁଦ୍ଧ ସଂଗ୍ରାମର ଯୁଗ !!!

ଜୟ ମା ସମଲେଇ
ଜୟ ସମ୍ବଲପୁର

(ଦାଶରଥି ସାହୁଙ୍କ “ଆମ ସୁରେନ୍ଦ୍ର ସାଏ” ପୁସ୍ତକର
“ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ଓ ଚୌହାଣ ରାଜତ୍ଵ” ପ୍ରବନ୍ଧର ସାମାନ୍ୟ ପରିଵର୍ତ୍ତନ ସହ ପୁନଃପ୍ରସ୍ତୁତିକରଣ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...