Sunday, November 24, 2019

ଟେବୁଲୁ ଗୋଲାପ ~ ଗୋଲାପର ଭ୍ରମ ସୃଷ୍ଟି କରୁଥିଵା ପାଦପ

ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲ୍ ଗୋଲାପ” ଫୁଲ ଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ ।

Portulacaceae ପାଦପ ପରିବାରର ଏହି ପୁଷ୍ପଗଛଟି  ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର ଲଗାଯିଵା ଆରମ୍ଭ ହୋଇଛି । Portulaca ପ୍ରଜାତିରେ ପ୍ରାୟ ୪୦ ରୁ ୧୦୦ ଜାତିର ପାଦପ ରହିଛି ତନ୍ମଧ୍ୟରୁ ସବୁଠାରୁ ସୁନ୍ଦର ପୁଷ୍ପ ହେଉଛି Portulaca grandifloraର ତେଣୁ ବୋଧହୁଏ ସେଇଥିପାଇଁ ଏହା ଏତେ ଲୋକପ୍ରିୟ ହୋଇପାରିଛି ।

ଏହାର ଅନେକ ଇଂରାଜୀ ନାମ ଭିନ୍ନ ଭିନ୍ନ ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ପ୍ରଚଳିତ ଯେମିତି କି

●rose moss
●eleven o'clock
●Mexican rose
●moss rose
●Vietnam Rose
●sun rose
●rock rose
●moss-rose purslane
ଆଦି...

ପାକିସ୍ତାନରେ ଏ ଫୁଲକୁ “गुल् दोपहरी” କୁହନ୍ତି କାରଣ  ଏ ଫୁଲ ଦ୍ବୀପହର ବେଳକୁ ସମ୍ପୂର୍ଣ୍ଣ ଫୁଟିଥାଏ ପୁଣି ଊର୍ଦ୍ଦୁଭାଷାରେ ‛ଗୁଲ୍ - ଏ - ଶାମ୍’ ବି କୁହାଯାଏ ।

ବଙ୍ଗାଳୀ ଭାଷାରେ “টাইম ফুল” (ଟାଈମ୍ ଫୁଲୋ) କୁହାଯାଏ କାରଣ ଏ ଫୁଲଟି ତା ଫୁଟିବା ଵେଳ ହେଲେ ଫୁଟେ .....

ଯେହେତୁ ଏ ଫୁଲ “୯.୦୦”ଟା ବେଳକୁ ଫୁଟେ ତେଣୁ ଏହି ଫୁଲ କୁ ଉତ୍ତର ଭାରତରେ “नौ वजैया” ମଧ୍ଯ କୁହନ୍ତି ।

ଫିଲିପାଇନ୍ସ ରେ ଏ ଫୁଲଟି uru-alas dose ବା twelve o'clock ନାମରେ ଜଣା ଶୁଣା ଯେଣୁ ୧୨ ଟା ବେଳକୁ ଏହା ମଉଳିବା ଆରମ୍ଭ କରିଥାଏ ।

ଭିଏତନାମରେ ଏ ଫୁଲକୁ "hoa mười” ଅର୍ଥାତ୍ "ten o'clock flower"
କୁହାଯାଏ ....
କାରଣ ୧୦ ଟା ବେଳକୁ ଏ ଫୁଲ ସମ୍ପୂର୍ଣ୍ଣ ଫୁଟି ଥାଏ ।

ଗୋଲାପ ଫୁଲ ଭଳି ଦେଖାଯିବା ସହ ଏହା ଟେବୁଲ୍ ଉପରେ ପାତ୍ରରେ ମଧ୍ଯ ରଖାଯାଇ ବଞ୍ଚାଇ ରଖାଯାଇ ପାରିବ ତେଣୁ
ଓଡ଼ିଆ ଏ ଫୁଲଗଛକୁ  “ଟେବୁଲୁ ଗୋଲାପ” କୁହନ୍ତି  ।
ବିଶ୍ବର ବିଭିନ୍ନ ଦେଶରେ ଏହାକୁ ଗୋଲାପ ମନେକରି ନାମ ପ୍ରଚଳିତ ହେଉଥିଲେ ହେଁ ପ୍ରକୃତରେ ଏ ଉଭୟ ପାଦପ ଗୋଟିଏ ଵଂଶଶାଖା,ମୂଳଵର୍ଗ ଵା Clade “Eudicots”ର ଅନ୍ତର୍ଭୁକ୍ତ ଏବଂ ଦୂର  ସଂପର୍କୀୟ ଅଟନ୍ତି......

ଟେବୁଲ୍ ଗୋଲାପ ଏକ ପ୍ରକାର ର ବାସହୀନ ପୁଷ୍ପ
ଗୋଲାପ ଭଳି ଏହାର ସୁବାସ ନାହିଁ କିନ୍ତୁ ସୌନ୍ଦର୍ଯ୍ୟ ଗୋଲାପ ଭଳି ହୋଇ ଥିବାରୁ ଏହାକୁ ଅନେକ ଦେଶରେ ଗୋଲାପ ଗଛ ସହ ସମ୍ବନ୍ଧିତ ଥିବାର ଭ୍ରମାତ୍ମକ ଅନୁମାନ କରାଯାଇଛି । ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗଙ୍ଗାଦୁବ କୁହାଯାଏ ବୋଲି ଜଣାପଡିଛି ପୁଣି ବାଲେଶ୍ଵରରେ ଟେବୁଲୁ ଗୋଲାପକୁ “ଦଶଟା ଫୁଲ” କୁହାଯାଏ ବୋଲି ଶୁଣାଯାଏ ।  ତେଵେ ଆମ ଦେଶରେ ଏହି ଫୁଲଗଛର ଦୁଇ ଜାତିଭାଇ ବି ଅଛନ୍ତି   ।

ଯଥା
■Portulaca oleracea
ଏହାର ଶାସ୍ତ୍ରୀୟ ନାମ ଘୋଟିକା । ମରାଠୀ ଭାଷାରେ ଏ ଗଛକୁ ଘୋଳ ,ମଳୟାଲମ୍ ଭାଷାରେ, കൊഴുപ(keāḻupa) ,ତାମିଳ ଭାଷାରେ தரைக்கீரை(Taraikkīrai) ଓ
ସିଂହଳା ଭାଷାରେ ගෙඳ(gen̆da) କୁହାଯାଇଥାଏ ।

■Portulaca Quadrifiga
ଵିଶାଳା,ମଦଶାକ,ଲୋଣା ଵା ଲୋଣୀ ଶାଗଗଛ ଯାହାକୁ ଓଡ଼ିଶାରେ ଲୁଣୁ ଲୁଣିଆ ଶାଗ ଓ ଲୁଣି ଶାଗ କୁହାଯାଏ । ଏହାର ଫୁଲ ମଧ୍ୟ ଗୋଟିଗୋଟି ଫୁଟେ, କିନ୍ତୁ ଫୁଲର ପାଖୁଡ଼ା ହଳଦିଆ ହୋଇଥାଏ ।  ଏହାର ପତ୍ର ଓ ମଞ୍ଜି ଔଷଧରେ ଵ୍ଯଵହୃତ ହୁଏ ।  ବୈଦ୍ଯକ ମତରେ ଲୁଣିଲୁଣିକା  ରୁକ୍ଷ, ଗୁରୁ, ଅଗ୍ନିଦୀପକ, ଅମ୍ଳ ରସ, ଲଵଣସ୍ବାଦଯୁକ୍ତ ଏଵଂ ଅଗ୍ନିମାନ୍ଦ୍ଯ ଓ ଵିଷଦୋଷ ନାଶକ ଅଟେ ।

●●●●●●●●●●●●●●●●●
●●●●●●●●
●●●●

ଆଜିକାଲି ଲୋକେ ଅସଲି - ନକଲି ସିଧା ଓ ବଙ୍କା ପନ୍ଥା ଵିଷୟରେ କାହାକୁ ବୁଝେଇଵାକୁ ଚେଷ୍ଟା କରୁଥିଲେ ଗୋଲାପ ତଥା ଟେବୁଲ ଗୋଲାପର ଉପମା ଦିଅନ୍ତି  । ଅସଲି ଗୋଲାପ ଗଛରେ ଅନେକ କଣ୍ଟା ସେଇଭଳି ସିଧା ବାଟ ମଧ୍ୟ କଣ୍ଟକିତ ହେଲେ ତାହାର ବାସ୍ନା ବଡ଼ ମନମୋହକ । ଗୋଲାପ ଫୁଲଟି ଅସଲି ହୋଇଥିଵାରୁ ତା ପାଖରେ କଣ୍ଟା ବି ରହିଛି ବାସ୍ନା ବି ରହିଛି କିନ୍ତୁ  ଟେବୁଲ ଗୋଲାପ ପାଖରେ କଣ୍ଟା ନାହିଁ ଅର୍ଥାତ୍ “ଅତି ଭକ୍ତି ଚୋରର ଲକ୍ଷଣ” ! ଟେବୁଲ ଗୋଲାପର ସୌନ୍ଦର୍ଯ୍ୟର ବାଇ ହେଇ ଦର୍ଶକ ତାକୁ ତୋଳିଦେଇ ସୁଙ୍ଘିଲାମାତ୍ରେ ଜାଣେ ଯେ ତାହା ଦୂରରୁ ଗୋଲାପର ଭ୍ରମ ସୃଷ୍ଟି କଲେ ହେଁ ପ୍ରକୃତ ଗୋଲାପ ନୁହେଁ । ତେଣୁ ଲୋକେ ଚାହିଁଲେ ଟେବୁଲ ଗୋଲାପର ଏଇ ଆଧାରରେ ନକଲିଫୁଲ ,ଠକୁଆ ଫୁଲ କି ମିଛଫୁଲ ନାଆଁ ରଖିପାରନ୍ତି । ତେଵେ ଆପଣଙ୍କ ଅଞ୍ଚଳରେ ଟେବୁଲୁ ଗୋଲାପର ଏଇଭଳି କି ଭିନ୍ନ କୌଣସି ନାମ ରହିଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...